କଂସର ମନ୍ତ୍ରଣା — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଶତ୍ରୁ ନାଶଗଲେ ପ୍ରାଣେ ପାଇ ସିନା ବ୍ୟଥା ।
ମୋ ଶରୀରେ ପ୍ରତିକାର ଅଛି ଅନୁଗ୍ରହ
କେ ମୋର ଶତ୍ରୁକୁ ମୋତେ ମାରିଦେବ କହ ।
ଯାର ପୁତ୍ର ହୋଇଥିବ ଆଜର ରଜନୀ
ସବୁ ବାଳପୁତ୍ର ଆସ ମୋ ଛାମୁକୁ ଘେନି ।
ଗୋପପୁରେ ଯାର ପୁତ୍ର ହୋଇଅଛି ଜାତ
ସବୁ ମାର ବୋଲି ଆଜ୍ଞା ଦେଲା ନରନାଥ ।
ରାଜା ଆଜ୍ଞା ପରମାଣେ ଧାତିକାରେ ଗଲେ
ସବୁ ଲୋକଘରେ ପଶି ପୁତ୍ରଙ୍କୁ ଆଣିଲେ ।
ସତୁରି ଅର୍ବୁଦ ସାହି ମଥୁରାରେ ଥାଇ
ନଗ୍ର ଆୟତନ ଅଷ୍ଟାଦଶ କୋଶ କହି ।
ଏହାର ଭିତରେ ଥିଲେ ଯେତେ ଯେତେବାଳ
ରାଜା ଆଜ୍ଞା ପରମାଣେ ଦୁଷ୍ଟ ଅନର୍ଗଳ ।
ବେନି ଲକ୍ଷ ନବଜାତ ଶିଶୁ ବଧ କରି
କଂସ ଆଗେ କୁଢ଼ାଇଲେ ପରବତ ପରି ।
ଅନେକ ବାଳକୁମାର ନଗ୍ରୁ ଆଣି କାଢ଼ି
କାନ୍ଦନ୍ତି ମାତା ପିତାଏ ଉରେ କର ତାଡ଼ି ।
କୋ ବୋଲଇ ପୋଡ଼ିଯାଉ ଏ ନଗ୍ରେ ନଥିବା
ସକଳ ସମ୍ପଦ ଛାଡ଼ି ଦେଶାନ୍ତରେ ଯିବା ।
ଆମ୍ଭେ ଥାଉଁ ଥାଉଁ ତୁମ୍ଭ ଶତ୍ରୁକୁ କି ଭୟେ
ରାଜାଧିରାଜା ଈଶ୍ୱର ଠାକୁର ତୁ ରାୟେ ।
ନିଃଶ୍ୱାସ ମାତ୍ରକେ ଦେବ ଯିବୁ ଗୋପପୁରେ
ଜୀବନ୍ତେ ଶତ୍ରୁକୁ ଧରି ଦେବୁ ତୋ ଛାମୁରେ ।
ଜାଣୁ ତ ପ୍ରଭୁ ଆମ୍ଭର ବଳବୀର୍ଯ୍ୟପଣ
କେ ଆମ୍ଭଙ୍କୁ ସମ ଅଛି ଏ ସଂସାରେ ପୁଣ ।
ଅଷ୍ଟମଲ୍ଲ କହିଲେକ ଏସନକ ବାଣୀ
କଂସରାଜନ ହରଷ ହୋଇଲା ତା ଶୁଣି ।
ଅଷ୍ଟମଲ୍ଲଙ୍କ ପ୍ରତିଜ୍ଞା ଶୁଣି ନୃପନିଧି
ବୋଲେ ଯେହ୍ନେ ଶତ୍ରୁ ହତ କର ସେହି ବୁଦ୍ଧି ।
ତୁମ୍ଭେ ମୋର ପ୍ରାଣସଖା ସକଳ ସମୟେ
ଏବେ କିପାଇଁ ନିର୍ଦ୍ଦୟ ହେବ ତୁମ୍ଭ ଦେହେ ।
ତୁମ୍ଭେମାନେ ଯାହା ସତ୍ୟ କହିଲ ବିଚାରି
ତୁମ୍ଭମାନଙ୍କ ବିଚାରେ ଶତ୍ରୁ ସାଧିପାରି ।
ତୁମ୍ଭର ବଚନ ନାସ୍ତି କରି ତ ନ ପାରି
ଏ ସଙ୍କଟ ସିନ୍ଧୁରେ ଯେ ହୁଅ ତୁମ୍ଭେ ତରୀ ।
ମାତ୍ର ଏକକଥା ମନେ ପାଞ୍ଚୁ ଅଛି ମୁହିଁ
ମୂଷା ମାରିବାକୁ ହାତୀ ସାଜିବ କିପାଇଁ ।
ସ୍ୱଭାବେ ବାଳୁତ ସେହି କିଞ୍ଚିତେ ମରିବ
ପଟୁଆର ସଂଗ୍ରାମ କି ତା ସଙ୍ଗେ କରିବ ।
ସିଂହ ଯୁଦ୍ଧ କରେ ଯେବେ ଶୃଗାଳର ତୁଲେ
କି ଯଶ ଲଭଇ ଶତଥରହିଁ ଜିଣିଲେ ।
ଗୁପତେ ଶତ୍ରୁ ଆମ୍ଭର ଯେବେ ଯିବ କ୍ଷୟେ
ତହିଁକି ବୁଦ୍ଧି ବିଚାର କରସି ଉପାୟେ ।
ଗୋମତଋଷି ଅଛନ୍ତି ମୋତେ ଶାପଦେଇ
ତେଣୁ ଗୋପନଗ୍ରକୁ ମୁଁ ନ ପାରଇ ଯାଇ ।
ଦୁର୍ଲ୍ଲଭ ଅଟଇ ଗୋପପୁର କଥା ମୋତେ
ଗୁଣ ଅବିଗୁଣ ଜାଣ ଅଛି ବେନି ମତେ ।
ଏବେ ମୋତେ ଶତ୍ରୁ ଭୟ ଲାଗିଅଛି ଏଥେ
ଏ ଭୟରୁ ଉଦ୍ଧାର ମୁଁ ହୋଇବି କେମନ୍ତେ ।
ଗଉଡ଼େ ମଲେ ତହିଁକି ନାହିଁ କିଛି ଚିନ୍ତା
ଗୋପନଗ୍ରକୁ ଧୂମାନ୍ତ କରିବି ସର୍ବଥା ।
କେଶୀ ବୋଲେ ଦେବ ମନେ ନ କର ତୁ ତାପ
ଗୋପାଳଙ୍କୁ ଛାଡ଼ ତୁମ୍ଭ ମନରୁ ସନ୍ତାପ ।
ସବୁଦିନେ ତାହାଙ୍କର ଗୋପନଗ୍ରେ ଘର
ତାଙ୍କ ପ୍ରସାଦେ ଅମୃତରସ ଭୋଗ କର ।
ଗଉଡ଼ର ଦୋଷ ଆମ୍ଭେ କେବେହେଁ ନ ଧରୁ
ଅନେକ ଅପ୍ରାଧ କଲେ କ୍ଷମା ଆମ୍ଭେ କରୁ ।
ଯେ ଆମ୍ଭର ଶତ୍ରୁ ତାକୁ ଗୁପତେ ମାରିବା
ମୋର ଜାଣିବାରେ ତାଙ୍କ ଦୋଷ ନ ଧରିବା ।
କେଶୀ ବୋଇଲେ ଭୋଦେବ ଯାହାକୁ ତୋ ଇଚ୍ଛା
ବିଳମ୍ବ ନ କରି ବେଗେ ଦିଅ ତାକୁ ଦୀକ୍ଷା ।
କଂସରାଜା ବୋଲେ ଶତ୍ରୁ ବାଳୁତ ସେ ସିନା
ସର୍ବେ କହିଲେ ପେଷିବା ଗୋପକୁ ପୂତନା ।
ସ୍ୱଭାବେ ସୁନ୍ଦରୀ ସେହି ପୁଣି ନବଯୁବା
ସ୍ତନ୍ୟ ପାନ କରାଇ ସେ ମାରିପାରେ ଅବା ।
ବିଚାରିଣ ପୂତନାକୁ ପାଶେ ହକାରିଲା
ଶାଢ଼ୀ ଚନ୍ଦନ ମାଳା ଦେଇଣ ବୋଇଲା ।
ତୁମ୍ଭେ ଗୋ ପ୍ରୋହିଣୀ ଦେବୀ ଶୁଣ ମୋର ବାଣୀ
ନନ୍ଦ ଗୋପନଗରକୁ ଚଳ ଏହିକ୍ଷଣି ।
ଯେଉଁ ପୁତ୍ର ନନ୍ଦଘରେ ହୋଇଅଛି ଜାତ
ନାନାଦି ଉପାୟ କରି କର ତାକୁ ହତ ।
ତୁମ୍ଭ ତହୁଁ ଆନ କେହି ନ ପାରଇ ମାରି
ମୋତେ ଯେବେ ସ୍ନେହ କର ସେ ମୋର ବଇରୀ ।
ନନ୍ଦର ପୁତ୍ରକୁ ଯେବେ କରିବୁ ବିନାଶ
ନିଶ୍ଚୟ ତୁହି ମୋହର ହୋଇବୁ ବିଶ୍ୱାସ ।
ବିଳମ୍ବ ନ କର ଏଥୁ ବହନ ତୁ ଯା ଯା
ଏତେ ବୋଲି ପୂତନାକୁ କହେ କଂସରାଜା ।
ପୂତନା ବୋଲଇ ରାଜା ତୁମ୍ଭେ ଆମ୍ଭ ଜ୍ୟେଷ୍ଠ
ଆମ୍ଭେ ଜୀବନରେ ଥିଲେ ତୁମ୍ଭର କି କଷ୍ଟ ।
ତୁମ୍ଭ ପରସାଦେ ଆମ୍ଭେ ଜଗତ ବରଣି
ଚତୁର୍ଦ୍ଦଶ ବ୍ରହ୍ମାଣ୍ଡରେ ହୋଇଛୁ କାରେଣି ।
ଦେବପୂଜା ପାଇଅଛୁ ତୁମ୍ଭ ପୁଣ୍ୟବଳେ
ଇନ୍ଦ୍ର ଚନ୍ଦ୍ରଙ୍କୁ ଜିଣିଲୁ ତୁମ୍ଭ ଭୁଜବଳେ ।
ତୁମ୍ଭେ ଜୀଇଁଥିଲେ ଅଛି ଅପୂର୍ବ ବା କିସ
ଅନିମିତ୍ତେ ପାଉଅଛ କିପାଁ ଅମରଷ ।
କିଞ୍ଚିତ ଶତ୍ରୁ ତୁମ୍ଭର ଏଡ଼େ କିପାଁ ଭୟ
ଦେବ ମାନବ କିଞ୍ଚିତେ କରିପାରୁ କ୍ଷୟ ।
ନନ୍ଦ ଯେ ଛାର ଗଉଡ଼ ଅଧମ ଅଟଇ
ବାଳୁତ ପୁତ୍ର ତାହାର ଘରେ ଜାତହୋଇ ।
ସେ ପୁତ୍ର ଛାରକୁ କିମ୍ପା ହେଲା ତୁମ୍ଭ ଶଙ୍କା
ମୁହିଁ ଯେ ବ୍ରହ୍ମଅସୁରୀ ଅଟେ ରଣରଙ୍କା ।
କେ ବୋଲେ ଏ କଥାଗୋଟା କାହିଁ ଶୁଣା ନାହିଁ
ବାଳପୁତ୍ରଙ୍କୁ ମରାଏ ରାଜା କିସସାଇଁ ।
ବାଳକ ସ୍ତିରୀ ଆବର ଗୋ ବ୍ରାହ୍ମଣ ହତ୍ୟା
ପାପ ମଧ୍ୟେ ମହାପାପ ଏହି ଚାରିକଥା ।
ଥୋକାଏ ଏ ଦାନବ ଥିଲେ ତହିଁ ପୁଣ୍ୟବନ୍ତ
ଏକକୁ ଆରେକ କେହି ବୋଲଇ ସିଦ୍ଧାନ୍ତ ।
ରାଜା ହୋଇ ଯେବେ ମନ୍ଦ ଚିନ୍ତିଲା ପ୍ରଜାଙ୍କୁ
କର୍ମଦୋଷ ବୋଲିବା ନା କହିବା କାହାକୁ ।
ମାତା ହୋଇଣ ପୁତ୍ରକୁ ଦେବ ଯେବେ ବିଷ
ପିତା ହୋଇ ପୁତ୍ରଠାରେ କଲେ ଅମରଷ ।
ଭର୍ତ୍ତା ହୋଇ ଦଣ୍ଡେ ଯେବେ ଆପଣା ପତ୍ନୀକି
ଧର୍ମାତ୍ମା ଲୋକେ ଏମନ୍ତ ବିଚାରି ତହିଁକି ।
ଏତେ ବିଚାରି ନଗରବାସୀ ଶାନ୍ତ ହେଲେ
ପରୀକ୍ଷ ଆଗରେ ଏହା ଶୁକ ଯେ କହିଲେ ।
ଏଥୁ ଅନନ୍ତରେ ପୁଣି ଶୁଣ ପରୀକ୍ଷିତ
ବିଷ୍ଣୁ ଜନ୍ମ କଥା ହରିବଂଶ ଭାଗବତ ।
ପୁଣି କଂସ ଆଜ୍ଞା ଦିଏ ଡଗରାନ୍ତ ରାଇ
ଗୋପନଗ୍ରେ କାର ପୁତ୍ର ଜାତ ଦେଖ ଯାଇ ।
ରାଜାର ଆଜ୍ଞାରେ ଚଳିଗଲେକ ଡଗରେ
ତୁରିତେ ମିଳିଲେ ତହିଁ ଯାଇ ଗୋପପୁରେ ।
ଘରେ ଘରେ ଖୋଜି ଯାଇ ପାଇଲେ ବାରତା
ନନ୍ଦଘରେ ପୁତ୍ର ଜାତ ହୋଇଅଛି ଯଥା ।
ଶୁଭମଙ୍ଗଳ ବଧାଇ ଦିଏ ଘରେ ଘରେ
ଅତି ଆନନ୍ଦେ ଅଛନ୍ତି ଗୋପପୁର ନରେ ।
ବ୍ରାହ୍ମଣ ଜ୍ୟୋତିଷ ନଟ ଭାଟ ଭିକ୍ଷାକାରୀ
ନନ୍ଦକୁ ବଧାଇ ମାଗି ଯାନ୍ତି ଯେ ବାହାରି ।
ଏ କଥାମାନ ଦେଖିଣ ବାହୁଡ଼ିଲେ ଚାରେ
ବାରତା କହିଲେ ଯାଇ କଂସର ଛାମୁରେ ।
ଭୋଦେବ ନରସାଇଁ ହେ ସାବଧାନେ ଶୁଣ
ନନ୍ଦଘରେ କାଲି ପୁତ୍ର ହୋଇଅଛି ଜନ୍ମ ।
ତାହା ଶୁଣି କଂସରାଜା ହୋଇଲା କାତର
ମଉନେ ରହିଲା କିଛି ନ ଦେଇ ଉତ୍ତର ।
ପୂତନା ବଧ
ଏଥୁ ଅନ୍ତେ ମଉଳିଲା ସଭାର ଆସ୍ଥାନ
ଯେ ଯାହାର ମନ୍ଦିରକୁ କଲେକ ଗମନ ।
କଂସ ମନରେ ପଶିଲା ଯହୁଁ ମହାଭୟ
କି ବୁଦ୍ଧି କରିବି ବୋଲି ଭାବେ କଂସରାୟ ।
ଏମନ୍ତେ ଅଷ୍ଟମଲ୍ଲଙ୍କୁ ସନ୍ନିଧ୍ୟେ ହକାରି
କୃତକୃତ୍ୟ ହୋଇ ପୁଣି ବୋଲେ ଦଣ୍ଡଧାରୀ ।
ଏଥିର ତଦନ୍ତ ଆହୋ ଜାଣିବା କେମନ୍ତେ
ମନକୁ ମୋହର ଭୟ ଲାଗୁଅଛି କେତେ ।
ନନ୍ଦର ଘରେ ହୋଇଛି ପୁତ୍ର ଅବତାର
ତାହାପାଇଁ ମନେ ଭୀତି ହୋଇଛି ମୋହର ।
ବିଜୁଳିକନ୍ୟା କହିବା ଲାଗୁଛି ଉଚ୍ଚାଟ
ଲାଖ କାଣ୍ଡ ଏକଠାବେ ହେଲା ପରିଭେଟ ।
ବସୁଦେବର ପୁତ୍ରଙ୍କୁ ନ ଜାଣି ମାଇଲି
ଗୋପନଗ୍ରେ ଶତ୍ରୁ ଜାତ ହେବାର ଶୁଣିଲି ।
ବିଜୁଳି ନାରଦ କଥା ଏତେକ ସଂକଟ
ବିଜୁଳିର କଥା ଶୁଣି ଲାଗଇ ଉଚ୍ଚାଟ ।
ଭଣଜାମାନଙ୍କୁ ଆମ୍ଭେ ନିଷ୍କାମେ ମାଇଲୁ
ଗୋପନଗ୍ରେ ଜାତ ହେଲା ଏବେ ସେ ଜାଣିଲୁ ।
ଆକାଶର ବାଣୀ ମୋତେ ନୋହିଲା ତ ମିଛ
ବାର ମୁଖରୁ ଶୁଣିଲି ବାରତା ପ୍ରତ୍ୟକ୍ଷ ।
ଯେତେକ ବାଳୁତ ପୁତ୍ର ପୁଣି କଲି ନାଶ
ପାପ ହୋଇଲା ଅର୍ଜିଲି କେବଳ ଅଯଶ ।
ଆହେ ତୁମ୍ଭେମାନେ ମୋର ସଖା ଅଷ୍ଟମଲ୍ଲ
କୋଟି ଇନ୍ଦ୍ର ସଂହାରିବା ଭଳି ତୁମ୍ଭ ବଳ ।
ତୁମ୍ଭ ମଧ୍ୟୁ ମୋ ଶତ୍ରୁକୁ ଯେ ପାରିବ ମାରି
ଶାଢ଼ୀ ଚନ୍ଦନ ମାଳା ସେ ଘେନୁ ଆଗୁସରି ।
ରାଜାର ଶ୍ରୀମୁଖ ଶୁଣି ଏମନ୍ତ ବଚନ
ବୋଲନ୍ତି ଯେ ଏକମୁଖ ହୋଇ ମାଲେ ପୁଣ ।
ତିନିପୁର ଜିଣିପାରୁ ଆମ୍ଭେ ଏକେ ଏକେ
ଆମ୍ଭଙ୍କୁ ଦେଖିଲେ ଦେବ ପଳାନ୍ତି ସଶଙ୍କେ ।
ବାଳୁତ ଛାର ଶତ୍ରୁକୁ ତୋର ଏତେ ଶଙ୍କା
ପୃଥିବୀ ମଧ୍ୟରେ ଆମ୍ଭେ ଅଟୁ ରଣରଙ୍କା ।
ମନରୁ ତୁ ପରିତାପ ଛାଡ଼ି ନୃପ ଏବେ
ଯାହାକୁ ମାରିବୁ ଆଜ୍ଞାଦିଅ ଯିବୁ ସର୍ବେ ।
ଭୋଦେବ ଆମ୍ଭେ ତୋ ଭୃତ୍ୟ ତୁ ଆମ୍ଭର ପ୍ରଭୁ
ଏ ଛାର କଥାକୁ କିମ୍ପା ବିଷାଦ ତୁ ଲଭୁ ।
ଶ୍ରୀମୁଖର ଆଜ୍ଞା ଯେବେ ହେବ ନୃପମଣି
ଏ ତୁମ୍ଭ ଶତ୍ରୁ ସଂହାରି ଆସିବୁ ଏକ୍ଷଣି ।
ଏହିକ୍ଷଣି ଶତ୍ରୁକୁ ମୁଁ ଆସିବି ସଂହାରି
ନିମିଷ ମାତ୍ରକେ ଆଜ୍ଞା ଦେଲେ ଦଣ୍ଡଧାରୀ ।
ରମ୍ଭା ମେନକା ନୁହନ୍ତି ମୋତେ ରୂପେ ସରି
ଜାଳନ୍ଧରି ବିଦ୍ୟା ମୁହିଁ ଜାଣେ ଭଲକରି ।
ତୁମ୍ଭେ କି ନ ଜାଣ ମୋର ବଳବନ୍ତ ପଣ
ନନ୍ଦପୁତ୍ର ମାରି ମୁହିଁ ଆସିବି ଏକ୍ଷଣ ।
ତୁମ୍ଭେ ନ କହୁଁ ଆଗରୁ ତାହା ଜାଣିଥିଲି
କିଞ୍ଚିତ ଆଜ୍ଞାକୁ ମୁହିଁ ବାଟ ଚାହୁଁଥିଲି ।
ଏତେକ ବୋଲି ଅସୁରୀ ରଚିଲାକ ମାୟା
ତକ୍ଷଣେ ଧରିଲା ରାମା ଅପସରା କାୟା ।
ଗନ୍ଧର୍ବୀ ରୂପକୁ ଜିଣି ଦିଶଇ ସୁନ୍ଦରୀ
ସ୍ୱର୍ଗ ନାୟିକା ତାହାକୁ ନୁହନ୍ତି ତ ସରି ।
ସୁବାସିତ କୁସୁମରେ ସଜାଇଲା କେଶ
କଟିରେ ପିନ୍ଧିଲା ରଙ୍ଗଝୀନ ପୀତବାସ ।
ଭୁଜେ ସୁବର୍ଣ୍ଣ ବାହୁଟି କଙ୍କଣହିଁ ଶୋହେ
କର୍ଣ୍ଣେ କନକର କାପ ଜଗଜ୍ଜନ ମୋହେ ।
ଶିରେ ସୀମନ୍ତ ମୁକୁତା ଜାଲି ଜଗଦ୍ବଳା
କଣ୍ଠତଟେ ଆଭରଣ ମୁକୁତାର ମାଳା ।
ଲଲାଟେ କସ୍ତୁରୀ ଚିତା ଇନ୍ଦ୍ରକୁହିଁ ଜିଣି
ନାକରେ ଯେ ନାକଚଣା ଶୋଭିତ ବସଣି ।
ସର୍ବାଙ୍ଗଯାକ କୁଙ୍କୁମ ଲେପିଣ ସୁନ୍ଦରୀ
ହରଡ଼ମ୍ୱରୁ ମଝାକୁ ପୟୋଧର ଭାରି ।
ବେନି ଚରଣକୁ ବେନି ନୂପୁର ଯେ ସାଜେ
ଚରଣକୁ ବଢ଼ାନ୍ତେ ସେ ରୁଣୁଝୁଣୁ ବାଜେ ।
ସର୍ବ ସୁଲକ୍ଷଣ ରୂପ ଧରେ ସୁଲକ୍ଷଣୀ
ଅମର ବିଦ୍ୟାଧରୀ କି ପଟାନ୍ତର ଜାଣି ।
ଅନେକ ପ୍ରକାରେ ସେହି ହୋଇଲା ସୁବେଶ
ବେନି ସ୍ତନର ଭିତରେ ପୂରାଇଲା ବିଷ ।
ମହୁରା ଦାରୁ ଗରଳମିଶା କାଳକୂଟ
ବେନି କୁଚ ମଧ୍ୟେ ରଖେ କରିଣ କପଟ ।
ଅଷ୍ଟମଲ୍ଲଙ୍କୁ ପ୍ରଣାମ କରିଣ ସୁନ୍ଦରୀ
ଅପୂର୍ବ ବେଶେ ନବରୁ ବାହାରେ ଅସୁରୀ ।
ଏମନ୍ତ ଚରିତ କେହି ନ ଜାଣନ୍ତି ଆନ
ଅଷ୍ଟମଲ୍ଲେ ଜାଣନ୍ତି ତ ଜାଣଇ ରାଜନ ।
ଯାଦବ ବୀରମାନଙ୍କୁ ଅଗୋଚର ସେହି
ଛଦ୍ରମେ ଅସୁରୀ ମାୟାରୂପ ଅଛି ବହି ।
ଅମଙ୍ଗଳ ଯୋଗେ ବାଳୀ ହୋଇଲା ବାହାର
ନୀଳବର୍ଣ୍ଣ ମଞ୍ଜରୀଟି ଡେଇଁଲା ଆଗର ।
ତଦନ୍ତରେ ବାଳପୋଏ କରୁଛନ୍ତି କଳି
ତୁଚ୍ଛା କୁମ୍ଭ କାଖେ ଘେନି ଯାଉଛନ୍ତି ବାଳୀ ।
ଦୁଇ ପାରୁଶେ ମାନବ ଛିଙ୍କ ଶୁଭେ ଦୂରୁ
କାକ ଉଲୁକେ ଉଡ଼ନ୍ତି ରାବଇ ଯେ ଫେରୁ ।
ପୁଣି ଥୋକାଏକ ଦୂରେ ଝୁଣ୍ଟିଲା ସେ ଯାଇ
ପାଦର ଅଙ୍ଗୁଳି ଫାଟି ରୁଧିର ବହଇ ।
ଆକାଶେ ପକ୍ଷୀଙ୍କ ରାବ ଶୁଭେ ଅମଙ୍ଗଳ
ନଗ୍ରୁ ବାହାରନ୍ତେ ମୁଣ୍ଡେ ବାଜିଲାକ ଚାଳ ।
ଏତେ ବିଯୋଗେ ପୂତନା ବାହାର ହୋଇଲା
ଶିଶୁ ବଧ କରିବାକୁ ଉଦବେଗେ ଗଲା ।
ଛଦ୍ମବେଶ ଧରିଣ ଯେ ଚଳଇ ପୂତନା
ରୂପେ ପଟାନ୍ତର ନାହିଁ ସ୍ୱର୍ଗ ବାରାଙ୍ଗନା ।
ସୁରସିଦ୍ଧ ସାଧ୍ୟ ମନ ମୋହୁଅଛି ରୂପେ
ତ୍ୱରିତେ ପ୍ରବେଶ ଯାଇ ହେଲା ନନ୍ଦ ଗୋପେ ।
ଝୀନପତନୀ ଓଢ଼ଣି ଦେଇଅଛି ମାଥେ
ବିଷଲଡ଼ୁ ଥାଳି ଏକ ଘେନିଅଛି ହାତେ ।
କୁଳବଧୂ ତୁଲ୍ୟ ମନେ ହୋଇ ଲଜ୍ଜାଭର
ଗୋପପୁର ଦାଣ୍ଡ ମଧ୍ୟେ ଚାଲେ ଧୀର ଧୀର ।
ତଳକୁ ମସ୍ତକ ପୋତି ଲଜ୍ଜାଭର ହୋଇ
ଯୁବକମାନଙ୍କୁ ଦେଖି କଣିଆଇଁ ଚାହିଁ ।
ଗୋପାଳେ ପୂତନାରୂପ ଦେଖନ୍ତେ ପ୍ରତ୍ୟକ୍ଷେ
କାମୁକ ପୁରୁଷମାନେ ଗୋଡ଼ାଇଲେ ପଛେ ।
କେବଣ ଗୋପାଳମାନେ କରନ୍ତି ବିଚାର
କାହୁଁ ଅଇଲା ଏଠାକୁ ଏ ରମଣୀବର ।
ସୁରସିଦ୍ଧ ମୁନି ମନ ମୋହିପାରେ ଏହି
କେବେ ତ ଗୋପରେ ୟାର ଦେଖାଥିଲା ନାହିଁ ।
ସଲଜ୍ଜିତ ହୋଇ ବାମା ବକ୍ରକରି ଚାହେଁ
ଏ କାହାର କୁଳବଧୂ ବାରାଙ୍ଗନା ନୁହେଁ ।
କେ ବୋଇଲେ କେଉଁଠାରୁ କଲା ଆଗମନ
କେଉଁଆଡ଼େ ଯିବ ତାହା ଥୟକରି ଜାଣ ।
କେ ବୋଲନ୍ତି ଏ ପରର ଅଟଇ ଯୁବତୀ
ୟାଙ୍କୁ ପୁଚ୍ଛା କରିବାର ନୁହଇ ଯୁକତି ।
ପରନାରୀ ପରଧନେ ଯେ କରଇ ଆଶ
ନିଶ୍ଚୟ ଜାଣିମା ସେହୁ ଅଳ୍ପେ ଯାଏ ନାଶ ।
ଏହା ବିଚାରି ଗୋପାଳେ ଗଲେ ଯେ ଯାହାରେ
ନିର୍ମଳ ଦାଣ୍ଡେ ପୂତନା ଚାଲେ ଧୀରେ ଧୀରେ ।
ମତ୍ତମାତଙ୍ଗିନୀ ପରି ଚାଲଇ ଆଶ୍ୱାସି
ଯାଇ ମିଳେ ନନ୍ଦଖୁଡ଼ ଯହିଁ ଅଛି ବସି ।
ଦେଖନ୍ତେ କରେ ଧରିଛି ବିଷଲଡ଼ୁ ଥାଳି
ଝସାଇ ପଶେ ଭିତରେ ଅସୁରର ବାଳୀ ।
ଦେଖିଲା ନାରୀ ପୁଚ୍ଛନ୍ତି ତୁମ୍ଭେ ମାଗୋ କିଏ
କେବଣ ଦେଶୁଁ ଅଇଲ କି କାର୍ଯ୍ୟେ ଗୋମାଏ ।
ତୁମ୍ଭ ନାମ କିସ ତୁମ୍ଭେ କେଉଁ କୁଳେ ଜାତ
ଏ କଥା ସିଦ୍ଧାନ୍ତ କରି କହସି ଗୋ ମାତ ।
ଯଶୋଦାଙ୍କ ପରିବାରୀ ଘର ଅଛୁ ଜଗି
ନ କହି କିପାଁ ପଶିଲୁ ହୋଇ ଉଦବେଗୀ ।
ପୂତନା ବୋଇଲା ମୁହିଁ ରାଜାର ବହିଣୀ
ବାଳକାଳୁଁ ଯଶୋଦା ମୋ ସଙ୍ଗେ ସଙ୍ଗାତୁଣୀ ।
ପିତାମାତା ଘରେ ଆମ୍ଭେ ଥିଲୁ ଯେତେବେଳେ
ଏକା ସଙ୍ଗୀ ହୋଇ ଯାଉ ଯମୁନାର କୂଳେ ।
ଶୁଚି ହୋଇଣ ବାଲୁକା ଲିଙ୍ଗ ତହିଁ ଥାପି
ବାଲୁକା ପୂଜୁ ଯେ ମନ୍ତ୍ର ପଞ୍ଚାକ୍ଷର ଜପି ।
ଈଶ୍ୱର ଦେବତା ପୂଜା କରୁ ନାନାରଙ୍ଗେ
ସେ ଦିନୁ ସଙ୍ଗାତ ମୁହିଁ ଯଶୋଦାଙ୍କ ସଙ୍ଗେ ।
ଅପାର କାଳରୁ ଆମ୍ଭ ଦେଖାଦେଖି ନାହିଁ
ଆସିଅଛି ସଖୀକୁ ମୁଁ ଦେଖିବାର ପାଇଁ ।
ସେ ମୋର ପ୍ରାଣ ସଙ୍ଗାତ ପାସୋରିଲେ ମୋତେ
ମୁହିଁ ତାଙ୍କୁ ଜାଣୁ ଜାଣୁ ମୂର୍ଚ୍ଛିବି କେମନ୍ତେ ।
ନ ଗଲେ ନ ଅଇଲେ ତ ବନ୍ଧୁ ହୁଏ ପର
ଏହା ବିଚାରି ଅଇଲି ସଙ୍ଗାତଙ୍କ ଘର ।
ଆବର ସଖୀଙ୍କ ଶୁଭ ବାରତା ପାଇଲି
ଏତେ କାଳେ ପୁତ୍ର ଏକ ହୋଇଛି ଶୁଣିଲି ।
ସମ୍ପଦେ ବିପଦେ ରାଜଦ୍ୱାରେ ଶମଶାନେ
ଏ ଚାରି କଥାରେ ସିନା ଜାଣି ବନ୍ଧୁଜନେ ।
ଅନେକ ଶରଧା କରି ଆସିଅଛି ମୁହିଁ
ସ୍ୱରୂପ କହିଲି ସଖୀ ଅଛନ୍ତି ଗୋ କାହିଁ ।
ମୋର ଆସିବା ବାରତା ସଖୀ ଆଗେ କହ
ସଙ୍ଗାତରେ ମୋହଠାରେ ଅଛି କି ସେନେହ ।
ଶାଶୁ ନଣନ୍ଦର ଘର ଅଇଲି ମୁଁ ଛାଡ଼ି
ରନ୍ଧନ ଝଗଡ଼ମାନ ସବୁ ଥିବ ପଡ଼ି ।
ଅବେଳରେ ଆସିଅଛି ନ ପାରଇ ରହି
କେବଳ କଥାଏ କହି ଯିବି ବେଗ ହୋଇ ।
ମାୟାରେ ପୂତନା ଯହୁଁ କହିଲା ଏ ବାଣୀ
ପରିବାରୀମାନେ ତାହା ନ ପାରିଲେ ଜାଣି ।
ସ୍ୱରୂପ ପ୍ରାୟେକ ମଣି ବେଗ ହୋଇ ଗଲେ
ଯଶୋବନ୍ତୀ ଦେବୀ ଆଗେ ତାହା ଜଣାଇଲେ ।
ଭୋ ଦେବୀ ଶୁଣିମା ହେଉ ଆମ୍ଭର ଉଦନ୍ତ
ଦେଖିବାକୁ ଆସିଅଛି ତୁମ୍ଭର ସଙ୍ଗାତ ।
ସୁବର୍ଣ୍ଣ ଥାଳିରେ ଲଡ଼ୁ ଥାଳିଏ ପୂରାଇ
ଶ୍ରଦ୍ଧାକରି ଆସିଛନ୍ତି ଦେଖିବାର ପାଇଁ ।
ମାଗୋ କି ଆଜ୍ଞା ହୋଇବ କହସି ଆମ୍ଭଙ୍କୁ
ତୁମ୍ଭର ଆଜ୍ଞା ହୋଇଲେ ଆସିବେ ଛାମୁକୁ ।
ଯଶୋଦା ବୋଇଲେ ଯେବେ ବାଲ୍ୟକାଳ ସଖୀ
ଅପାରକାଳ ହେଲାଣି ନାହିଁ ଦେଖାଦେଖି ।
ତାଙ୍କ ମନେ ଅନୁରାଗ ଥିବାରୁ ମୋଠାରେ
ପୁତ୍ର ଜନ୍ମ ହେବା ଶୁଣି ଅଇଲେ ସ୍ନେହରେ ।
ଦେଖିବ ପୂର୍ବର ସଖୀ ଏ ମୋର ସୁଯୋଗ
ବିଳମ୍ୱ ନ କରି ତାଙ୍କୁ ଡାକିଆଣ ବେଗ ।
ଯଶୋଦାଙ୍କ ଆଜ୍ଞାପାଇ ପରିବାରୀ ଗଲେ
ଛଦ୍ମ ଅସୁରୀକୁ ନେଇ ଛାମୁରେ ମିଳିଲେ ।
ଅନ୍ତୁଡ଼ି ଶାଳରେ ବସିଥିଲେ ଯଶୋବନ୍ତୀ
ପୂତନା ପ୍ରବେଶ ହେଲା ଯାଇ ତାଙ୍କ କତି ।
ଧରିଥିଲା ବିଷଲଡ଼ୁ ଥୋଇଣ ଛାମୁରେ
ଆସ୍ଥାନ ଉପରେ ମାଡ଼ି ବସିଲା ଆଗରେ ।
ବଚନେ ବୋଲଇ ମୁଁ ଯେ ନିସ୍ତରିଲି ଆଜ
ତୁମ୍ଭଙ୍କୁ ଦେଖିଲି ମୋର ହେଲା ସବୁକାର୍ଯ୍ୟ ।
ତୁମ୍ଭେ ଅବା ସଙ୍ଗାତୁଣି ପାସୋରିଲ ମୋତେ
ବାଳୁତର କାଳ କଥା ଅଛି ମୋର ଚିତ୍ତେ ।
ଅପାର କୁମାରୀମାନେ ହୋଇ ଏକମେଳି
ବନସ୍ତକୁ ଯାଉଥିଲେ ନିତି ଫୁଲ ତୋଳି ।
ସେ କାଳର କଥା ସଖି ମନରେ ଅଛଇ
ସୁଖ ଭୋଗ କରିବାରୁ ପାସୋରିଲୁ ତୁହି ।
ଆଗୋ ପ୍ରିୟସଖି ତୁ ଯେ କଲୁ ବାରବ୍ରତ
ତେଣୁ ପୁତ୍ର ଜନ୍ମକରି ଖଣ୍ଡିଲୁ ଦୁରିତ ।
ପୁତ୍ର ଥଲେ ଗତି ମୁକ୍ତି ପୁତ୍ରେ ପାପ କ୍ଷୟ
ପୁତ୍ର ପ୍ରସାଦରୁ ପ୍ରାଣୀ ହ୍ୱନ୍ତି ପୁଣ୍ୟମୟ ।
ଏତେକାଳେ ସଖି ତୋର ଦେଖାଗଲା କର୍ମ
ମୋର ମଧ୍ୟ ଏକ ପୁତ୍ର ହୋଇଛି ଜନମ ।
ପାଞ୍ଚମାସ ପୂର୍ଣ୍ଣ ହେଲା ମୋର ପୁତ୍ରଗୋଟି
ତୁମ୍ଭ ପୁତ୍ରକୁ ହୋଇଛି ଦିନ ଦୁଇଗୋଟି ।
ମୋର ପୁତ୍ରଗୋଟିକୁ ଗୋ ଦୋଳିରେ ଶୁଆଇ
ତୋ ଶୁଭ ବାରତା ଶୁଣି ଆସିଅଛି ଧାଇଁ ।
ପୁଣିହିଁ ବୋଲଇ ସଖି ମୋ ବୋଲ କରିବ
ମୋ ଆୟୁଷ ନେଉ ପୁତ୍ରେ କ୍ଷୀରମନ୍ଦେ ଦେବ ।
ଦୁଧଭାରା କଲାଣି ଅପାର ବେଳ ରହି
ସ୍ତନର ଭାରକୁ ମୁଁ ଯେ ସହି ନ ପାରଇ ।
ଏମନ୍ତ ଶୁଣି ଯଶୋଦା ଦେବୀ ଯେ ବୋଲଇ
ତୁମ୍ଭେ ମୋ ସଖି କିରୂପେ ଏହା ମନେ ନାହିଁ ।
ତୁମ୍ଭେ ଯେବେ ସଙ୍ଗାତ ଗୋ ହୋଇଛ ଆମ୍ଭର
ଏହା ଶୁଣି ଆତ୍ମା ମୋର ହେଉଛି ଅସ୍ଥିର ।
ଭୋ ସଖି ମୋହର ବୋଲ ଆଜକ କରିବା
ଆୟୁ ଘେନି ବର୍ତ୍ତୁ ପୁତ୍ର ମୁଖେ ଦୁଧଦେବା ।
ପୁଣିହିଁ ବୋଇଲେ ସଖି ଅଇଲ ସୁବେଳେ
ତିନିଘଡ଼ି ରାତ୍ର ହୋଇଅଛି ଏତେବେଳେ ।
ବେଭାରେ ମୋ ପୁତ୍ରଗୋଟି ହୋଇଛି ତ ଭୋଖୀ
ତୁମ୍ଭ ଦୟା ଥିଲେ କ୍ଷୀର ଦିଅ ଆଗୋ ସଖି ।
ଏତେକ ବୋଲି ଯଶୋଦା ପୁତ୍ରକୋଳେ ଦେଲେ
ପୂତନା କୋଳରେ ଧରି କ୍ଷୀର ଦାନ କଲେ ।
ଯଶୋଦା ତୋଳି ଦିଅନ୍ତେ ପାତିଲା ସେ କର
ଆକର୍ଷି ଧରି ନ ପାରୁ ପଡ଼ିଲା ଭୂମିର ।
ଭୂମିରୁ ସାଇଁଟି ପୁଣି ଧଇଲାକ ତୋଳି
କୋଳେ ନ ରହିଲା ପୁତ୍ର ପଡ଼ିଲାକ ଢଳି ।
କେଭେ ଆୟତ୍ତ ନୋହିଲେ ଯହୁଁ ବ୍ରହ୍ମରାଶି
ସପତ ବ୍ରହ୍ମାଣ୍ଡ ଅଛି ଯାର ଗର୍ଭେ ପଶି ।
ଚଉରାଶୀ ମତ୍ତହସ୍ତୀ ପୂତନାର ବଳ
ଯାହାର ନାମ ଧରନ୍ତେ କମ୍ପେ ଆଖଣ୍ଡଳ ।
ଯେ ବ୍ରହ୍ମଅରି ଅସୁରୀ ଅଟେ ମହାବଳୀ
ଭୂମିରୁ ପୁତ୍ରକୁ ଲିତା ନ ପାରିଲା ତୋଳି ।
ତୋଳନ୍ତେ ପୃଥ୍ୱୀ କମ୍ପୁଛି କମ୍ପଇ ବ୍ରହ୍ମାଣ୍ଡ
ଯହିଁର ନିମିତ୍ତେ ସ୍ୱାମୀ ବହିଛନ୍ତି ପିଣ୍ଡ ।
ଧରଣୀର ମହାଭାରା ନିବାରିବା ପାଇଁ
ଗୁପତେ ଅଛନ୍ତି ନନ୍ଦଘରେ ଜାତ ହୋଇ ।
ଅନ୍ତୁଡ଼ିଶାଳେ ଗୁପତେ ଅଛନ୍ତି ଯେ ଶୋଇ
ସୁରାସର ନର ତାଙ୍କୁ ନ ଜାଣନ୍ତି କେହି ।
ଅସୁରୀ ଅଇଲା ବେଳୁ ଜାଣି ଅନ୍ତର୍ଯ୍ୟମୀ
ଏ ମୋଢ଼ୀକି ବିନାଶ ମୁଁ କରିବି ଏକ୍ଷଣି ।
ଗୋବିନ୍ଦ ମନେ ଭାଳନ୍ତି ପୂତନା ଦାନବୀ
ସ୍ତନେ ବିଷ ଭରି ମୋତେ ମାରିବ ଯେ ଭାବି ।
ଏହା ପଞ୍ଚଭୂତ ଆତ୍ମା ଶୋଷିବି ମୁଁ ଧରି
ଏତେ ବୋଲି ବିଚାରନ୍ତି ମନେ ଦେବହରି ।
ଅଷ୍ଟମଲ୍ଲଙ୍କ ଉପରେ ଅଟେ ଅଗ୍ରଲେଖା
ମହା ପ୍ରତାପୀ ଅସୁରୀ କଂସ ପ୍ରାଣସଖା ।
ଏହାର ମରନ୍ତେ କଂସ ହେବ ହୀନବୀର୍ଯ୍ୟ
କପଟେ ପ୍ରାଣ ଏହାର ଶୋଷିବଇଁ ଆଜ ।
ଏମନ୍ତ ବିଚାର କଲେ ଦେବ ପୀତବାସ
ହୃଦପଦ୍ମେ ସ୍ୱାମୀଙ୍କର ଏ କଥା ପ୍ରକାଶ ।
ବୃଦ୍ଧ ବାଳକ ତରୁଣ ଦେବ କାମରୂପୀ
ଅଶେଷ କୋଟି ବ୍ରହ୍ମାଣ୍ଡେ ସବୁଠାରେ ବ୍ୟାପି ।
ଜନ୍ମ ମୃତ୍ୟୁ ବାଧା ସ୍ୱାମୀ ଖଣ୍ଡିବାର ପାଇଁ
ବିଷ ଭକ୍ଷିଲେ ପ୍ରମାଦ ଅଛି ତାଙ୍କୁ କାହିଁ ।
ପ୍ରଥମ ପିଇଲେ ସ୍ୱାମୀ ଆକର୍ଷିଣ ବିଷ
ଦ୍ୱିତୀୟେ ପିଇଲେ ପିଣ୍ଡୁ ରୁଧିର ମାଏଁସ ।
ରୁଧିର ପିଅନ୍ତେ ସେହି ପାଇଲାକ ବାଧା
ଛାଡ଼ ଛାଡ଼ ବୋଲି ମୁଖେ ମାଇଲାକ ଖୁନ୍ଦା ।
ସ୍ୱହସ୍ତରେ ଭିଡ଼ି ସ୍ୱାମୀ ନ ଛାଡ଼ିଲେ ଯହୁଁ
ହସ୍ତରେ ଧରି ଅସୁରୀ ପେଲଇ ଯେ ତହୁଁ ।
ଆଣ୍ଟକରି ପିଉଛନ୍ତି ସ୍ୱାମୀ ଶିର ଝୁଣି
ଆତ୍ମା ବିସର୍ଜନ ହେଉଅଛି ରାକ୍ଷାସୁଣୀ ।
ବେଳକୁ ବେଳ ଅସୁରୀ ବଇରାଗ ପାଇ
ଶ୍ରୀକୃଷ୍ଣଙ୍କ ଗାଲେ ଖୁନ୍ଦା ମାଇଲାକ ନେଇ ।
ଯେଉଁ ଶରୀରେ ବାଜିଲେ ଗିରି ହୁଏ ଚୂର
ପୂତନା ଖୁନ୍ଦାରେ କିସ ହୋଇବ ତାଙ୍କର ।
କୋଟି ମନ୍ଦର ପଡ଼ିଲେ ହୋଏ ଯହିଁ ଭଙ୍ଗ
ଅଭେଦ୍ୟ ବଜ୍ର କବଚ ଅଟେ ବଜ୍ରଅଙ୍ଗ ।
କିଞ୍ଚିତ ମାତ୍ରେ ଜଗତ ପାରନ୍ତି ଯେ ମୋହି
ବିଚାରିଲେ ତାଙ୍କ ବାଳ ରୂପ ଅଛି କାହିଁ ।
ପୁଣ ପୁଣ ସେ ଅସୁରୀ ପାଇ ବଇରାଗ
ଉଚ୍ଚସ୍ୱରେ ବୋଲେ ଛାଡ଼ଛାଡ଼ ମୋତେ ବେଗ ।
କ୍ରୋଟଅଗ୍ନି ପ୍ରାୟ ତାର ନୟନରେ ରାଗ
ଭୟେ ପୂତନା କହଇ କରି ମହାରାଗ ।
ଯଶୋଦାଙ୍କ ମୁଖ ଚାହିଁ ବୋଲଇ ଅସୁରୀ
ସଖି ତୋର ପୁତ୍ରକଥା ଜାଣି ତ ନ ପାରି ।
କ୍ଷୁଧା କରୁଥିଲା ବୋଲି ଦୁଧ ଦେଲି ମୁହିଁ
ସେ ମୋତେ ଧରିଅଛି ନ ଛାଡ଼େ କାହିଁପାଇଁ ।
ପେଟ ପୂରାଇଣ ଦୁଧ ପିଇଲାଣି ସବୁ
ଯଶୋବନ୍ତୀ ବୋଲନ୍ତି ଯେ ଛାଡ଼ ଛାଡ଼ ବାବୁ ।
ମାତାର ବଚନ ସ୍ୱାମୀ ଏମନ୍ତ ନ ଶୁଣି
ସ୍ତନ କାମୁଡ଼ି ଝୁଣନ୍ତି ଆଣ୍ଟେ ଚକ୍ରପାଣି ।
ଦର୍ଦ୍ଦୂର ଦେଖିଲେ ଯେହ୍ନେ ଭୁଜଙ୍ଗ ପ୍ରତାପ
ସ୍ତନ୍ୟପାନ କରନ୍ତି ସେ ସ୍ୱାମୀ କରି କୋପ ।
ବେଳୁବେଳ ସେ ଅସୁରୀ ହୋଇ ବିକରାଳୀ
ବିଧାଏ ଆକ୍ରୋଶୀ ପୁଣି ମାଇଲାକ ତୋଳି ।
ମୁଖରେ ଅଙ୍ଗୁଳି ଦେଇ ବୋଲେ ଛାଡ଼ ଛାଡ଼
କୋପଭରେ ମାରୁଅଛି ଅନେକ ଯେ ମାଡ଼ ।
ବେଳୁ ବେଳ କୋପ କଲେ ଦେବ ନାରାୟଣ
କ୍ଷୀର ସଙ୍ଗତେ ଶୋଷିଲେ ପୂତନାର ପ୍ରାଣ ।
ପ୍ରାଣପାନ ବ୍ୟାନୋଦାନ ସମାନ ସହିତ
ଏକ ନିଃଶ୍ୱାସେ ଶୋଷିଲେ ଜଗତର ତାତ ।
ପ୍ରାଣ ଛାଡ଼ିଣ ଅସୁରୀ କଲା ଘୋର ରଡ଼ି
ମେରୁ ଉପରେ ମନ୍ଦର ପଡ଼ିଲା କି ଝଡ଼ି ।
ଯୁଗାନ୍ତକ ଶବଦ ଯେ ଶୁଭିଲା ପ୍ରଚଣ୍ଡ
କମ୍ପିଲା ସ୍ୱର୍ଗ ସହିତେ ସକଳ ବ୍ରହ୍ମାଣ୍ଡ ।
କହୁଁ କହୁଁ ସେ ଅସୁରୀ ଛାଡ଼ିଲାକ ମାୟା
ପର୍ବତ ସମାନ ଦୀର୍ଘ ପ୍ରତି ତାର କାୟା ।
ଚକ୍ଷୁ କର୍ଣ୍ଣ ନାସିକା ଯେ ଗଲାକ ନିକିଳି
ଭୂମି ଉପରେ ପ୍ରୋହିଣୀ ପଡ଼ିଲାକ ଢଳି ।
ତା ଉପରେ ଶୋଇଛନ୍ତି ପ୍ରଭୁ ଚକ୍ରପାଣି
ହିମ ପର୍ବତ ଉପରେ ଯେହ୍ନେ ନୀଳମଣି ।
ଆଣ୍ଟକରି ସ୍ୱାମୀ ମୁଖେ ଧରିଛନ୍ତି ସ୍ତନ
ଅସୁରୀ ଗଳାରେ ଲମ୍ୱିଛନ୍ତି ଭଗବାନ ।
ଉତ୍ତାନଶାୟିନୀ ହୋଇ ପଡ଼ିଛି ରାକ୍ଷସୀ
ବକ୍ଷସ୍ଥଳେ ମାଡ଼ି ବସିଛନ୍ତି ବ୍ରହ୍ମରାଶି ।
ବଦନ୍ତି ଯେ ଶୁକମୁନି ଶୁଣ ମହାରଥା
ଇତି ଶିରି ଭାଗବତ ପୂତନାର କଥା ।
ନନ୍ଦର ଅରିଷ୍ଟ ଶାନ୍ତି
ଏଥୁ ଅନନ୍ତରେ ରାୟେ ଶୁଣ ଦିବ୍ୟବାଣୀ
ବାଳଲୀଳାରେ ବଧିଲେ ଅସୁରୀ ପ୍ରୋହିଣୀ ।
ପ୍ରାଣ ଛାଡ଼ନ୍ତେ ସେ ରଡ଼ି ଦେଲା ଉଚ୍ଚସ୍ୱରେ
ଚଉଦ ଭୁବନଯାକ କମ୍ପେ ଥରହରେ ।
ଭୟଙ୍କର ରୂପ ଧରି ଅସୁରୀ ଗର୍ଜ୍ଜିଲା
ମର୍ତ୍ତ୍ୟପୁରେ ଗିରିଶୃଙ୍ଗ ଝଡ଼ି କି ପଡ଼ିଲା ।
ଭୟଙ୍କର ଶବ୍ଦ ଶୁଣି ଗୋପ ନର ନାରୀ
ନନ୍ଦଗୃହକୁ ଧାଇଁଲେ ବେଗ ବେଗ କରି ।
ଏକ ଆରକ ବ୍ୟାକୁଳ ହୋଇ ଗୋପବାଳୀ
କରେ ଲଉଡ଼ି ଘେନିଣ ଗୋପାଳେ ଦଉଡ଼ି ।
କେଉଁ ଗୋପାଳେ ବୋଲନ୍ତି ଅଗୋଚରବାଣୀ
କିମ୍ଭୂତ ଶବଦଗୋଟା ଶୁଭିଲା ଏକ୍ଷଣି ।
କେ ବୋଲେ ପର୍ବତ ଅବା ପଡ଼ିଲା କି ଝଡ଼ି
କେହୁ ବୋଲଇ ମାରଇ ମେଘ ଘଡ଼ଘଡ଼ି ।
କେହୁ ବୋଲଇ ଉଲୁକ ପତନର ଧାପ
କେହି ବୋଲନ୍ତି ହୋଇଲା ଅବା ଭୂମିକମ୍ପ ।
କେହୁ ବୋଲଇ ଏ କଥା ଜାଣିବା କେମନ୍ତେ
ଦୁଃସହ ଶବଦଗୋଟା ଶୁଭିଲା ଜଗତେ ।
ଏସନକ ଖଳବଳ ଗୋପୀ ଗୋପବୃନ୍ଦ
ନିଶ୍ଚୟ ବାରତା ଆସି କହିଲାକ ନନ୍ଦ ।
ସମସ୍ତ ଗୋପାଳ ଏବେ ଶୁଣ ମୋର ବାଣୀ
ଅଦ୍ଭୂତ ଯୁବତୀ ଗୋଟା ଅଇଲା ଏକ୍ଷଣି ।
ତିନିପୁର ମୋହିନୀ ସେ ଅଟେ ଶଶୀମୁଖୀ
ଯଶୋଦାକୁ ବୋଲେ ତୁମ୍ଭେ ବାଳକାଳୁ ସଖୀ ।
ଯଶୋଦା ମନକୁ ପ୍ରତେ କେବେହେଁ ନ ଗଲା
ପ୍ରୀତି ବଚନ କହି ଯେ ପ୍ରତେ କରାଇଲା ।
ସ୍ତିରୀ ନିଲକ୍ଷଣୀ ସେହି ଏଡ଼େକ କପଟୀ
ଦୁଗ୍ଧ ଦେବବୋଲି ବଳେ ଧରେ ପୁତ୍ରଗୋଟି ।
ଦେଖୁ ଦେଖୁ ପ୍ରମାଦ ତ ପଡ଼ିଲା କେମନ୍ତେ
ଦୁଗ୍ଧ ଦେଉ ଦେଉ ମରି ପଡ଼େ ଭୂମିଗତେ ।
ପ୍ରାଣ ଯିବା ବେଳେ ଛାଡ଼େ ଏସନକ ରଡ଼ି
ମୃତ୍ୟୁଶବ ମୋ ଦୁଆରେ ଦେଖ ଅଛି ପଡ଼ି ।
ଏହା ଶୁଣିଣ ଗୋପାଳେ ଧାମନ୍ତି ହରଷେ
ସମସ୍ତେ ମିଳିଲେ ଯାଇ ନନ୍ଦଘର ପାଶେ ।
ନନ୍ଦ ଗୋପନଗ୍ରେ କ୍ଷୁଦ୍ର ପର୍ବତ ତ ଜାଣି
ସହସ୍ରେ ଭଡ଼ା ମାଡ଼ିଣ ପଡ଼ିଛି ପ୍ରୋହିଣୀ ।
ସ୍ତନପାନେ ତା ବୁକୁରେ ଗୋବିନ୍ଦ ଯେ ଶୋଇ
ଏସନ ରୂପ ଗୋପାଳେ ଦେଖିଲେକ ଯାଇ ।
ନନ୍ଦ ପ୍ରାଙ୍ଗଣେ ଅସୁରୀ ମରି ପଡ଼ିଅଛି
ଦେଖି ଗୋପାଳମାନଙ୍କୁ ନ ସ୍ଫୁରଇ କିଛି ।
ଏକ ଆରେକ ବିଚାରି ବିଷାଦ ପାଇଲେ
ନନ୍ଦର ମୁଖ ଚାହିଁଣ ବିଚାରି କହିଲେ ।
ଆହେ ଯୁବତୀକି କେହି ନ ଚିହ୍ନିଲେ କିନା
କଂସ ରାଜା ପ୍ରାଣସଖା ଅଟଇ ପୂତନା ।
କେଉଁ ପ୍ରକାରେ ଅସୁରୀ ଏଥକୁ ଅଇଲା
କେହି ନ ଜାଣିଲ ଏଥେ କେମନ୍ତେ ସେ ମଲା ।
ରାଜା ଜାଣିଲ ଏ କଥା ହେବ ବଡ଼ମନ୍ଦ
ଗୋପନଗ୍ର ଶିରୀ ନାଶକଲା ସବୁ ନନ୍ଦ ।
କେ ବୋଲଇ ଏ କଥାକୁ ପ୍ରକାଶ ନ କରି
ଏ କଥା କେହି ନ କହ ଆଗରେ କାହାରି ।
କେ ବୋଲେ ଏ କଥାମାନ ଲିଭୁ କେଉଁବାଗେ
ତୁଣ୍ଡ ବାରତା ଯାଇ ଯେ ପବନହୁଁ ବେଗେ ।
କେ ବୋଲେ ଛଡ଼ାଇ ଆଣ ପୁତ୍ରକୁହିଁ ଯାଇ
ମରୁ ପୂତନା ତହିଁକି ଭୟ କିଛି ନାହିଁ ।
ପୂତନା ମଲେ ଆମ୍ଭର ନ ଯାଇ ତ କିଛି
ଆମ୍ଭ ପୁତ୍ରଗୋଟି ସର୍ବଶୁଭେ ଜୀଇଁଅଛି ।
କେହୁ ବୋଲନ୍ତି ଏ ନନ୍ଦ ନୁହନ୍ତି ତ ପାପୀ
ତା ପୁତ୍ରକୁ ଏ ପ୍ରମାଦ ପଡ଼ିଲା ଅଦ୍ୟାପି ।
ବୃଦ୍ଧାକାଳେ ବିଧାତା ସେ ପୁତ୍ର ଦେଲା ସତ୍ୟେ
ଏଥକୁ ବିହି କଷଣ ଦେଲାଟି କେମନ୍ତେ ।
କେ ବୋଲେ ଦେଖ ପ୍ରୋହିଣୀ ଅବା ମରିନାହିଁ
ଆମ୍ଭ ମନ ବିଡ଼ିବାକୁ ମିଛେ ଅଛି ଶୋଇ ।
ଯେଉଁ ପୂତନାକୁ ଶଙ୍କା କଲେ ଦେବଗଣେ
କେମନ୍ତେ ଏଡ଼େକ ଶତ୍ରୁ ମଲା ଅକାରଣେ ।
ମହା ଘୋରରଣେ ଯାକୁ ନାହିଁ ଅପଚୟ
ବଡ଼ ଅଦ୍ଭୁତ କିଞ୍ଚିତେ ଗଲା ସେହି କ୍ଷୟ ।
କେ ବୋଲେ ମରଣକୁ ତ ବଡ଼ ସାନ ନାହିଁ
ଦେହ ବହି କେହି ଅଛି ଅଜ୍ରାମର ହୋଇ ।
କେ ବୋଲଇ ଏ ଅସୁରୀ କେଉଁ ବାଗେ ମଲା
ଏଡ଼େ ଅସୁରୀ ମରଣ ଜାଣି ତ ନୋହିଲା ।
ଶବଦ ମାତ୍ରକେ ଏକ ଶୁଭିଲା ବ୍ରହ୍ମାଣ୍ଡ
ବିନାଯୁଦ୍ଧେ ନାଶଗଲା ଏଡ଼େ ବଡ଼ ପିଣ୍ଡ ।
କେ ବୋଲଇ ଆକାଶୁ କି ପଡ଼ି ବଜ୍ରସୂଚୀ
କେ ବୋଲେ ଏହାର ଦେହେ କ୍ଷତ ନାହିଁ କିଛି ।
କେ ବୋଲଇ ଏ ନାରୀ ଯେ ଅଦଦ୍ଭୂତେ ମଲା
ଏଡ଼େ ବଡ଼କଥା ଗୋଟା ଜଣା ତ ନ ଗଲା ।
ଏମନ୍ତ ବିଚାରି ଖଳବଳ ଯେ ଗଉଡ଼େ
କୃଷ୍ଣ ଉଛୁଡ଼ି ଆଣିଲେ ନନ୍ଦ ମହାଖୁଡ଼େ ।
ପୂତନା ଥିଲେ ଉତ୍ତାନଶାୟୀ ହୋଇ ଶୋଇ
କୃଷ୍ଣଙ୍କୁ ଉଛୁଡ଼ି ନନ୍ଦ ବେନି ଭୁଜେ ନେଇ ।
ମୁଖେ ଚୁମ୍ୱଦେଇ ନନ୍ଦ କର ମାରେ ଶିରେ
ଥିରିକରି ନେଇ ଦେଲା ଯଶୋଦା କୋଳରେ ।
ପୁତ୍ର ଘେନିଣ ଯଶୋଦା ଆସ୍ଥାନକୁ ଗଲା
ଶାସ୍ତ୍ରୋକ୍ତ ପ୍ରମାଣେ ଗ୍ରହଶାନ୍ତି ଦାନକଲା ।
ନୃସିଂହ କବଚ ଚଣ୍ଡୀପାଠ ଆଦିକରି
ରିଷ୍ଟଶାନ୍ତି କରାନ୍ତି ସେ ବ୍ରାହ୍ମଣଙ୍କୁ ବରି ।
କୋଟିଏ ବିପ୍ରେ ଭୋଜନ କଲେ ଗ୍ରହପୂଜା
ଶିବଶିରେ ଗୋଦୋହନ କଲେ ନନ୍ଦପୂଜା ।
ଆନ ସ୍ଥାନରେ ନେଇଣ ଲଗାଇ ଅନ୍ତୁଡ଼ି
ପୂତନା ମୃତଶବକୁ ପକାଇଲେ କାଢ଼ି ।
କର ଚରଣେ ଦଉଡ଼ି ନେଇ ଲଗାଇଲେ
ନନ୍ଦ ଭୁବନୁ ତାହାକୁ ଘୋଷାଡ଼ାଇ ନେଲେ ।
ସମ୍ପୂର୍ଣ୍ଣ ସାତଘଡ଼ି ଯେ ହୋଇଅଛି ରାତି
ଗୋବର ଖଣାରେ ନେଇ ପୂତନାକୁ ପୋତି ।
ବଦନ୍ତି ଯେ ଶୁକମୁନି ଶୁଣ ତୁ ପରୀକ୍ଷ
ପୂତନା ଗୋବିନ୍ଦେ କ୍ଷୀର ଦେଇ ହେଲା ମୋକ୍ଷ ।
ସ୍ୱର୍ଗ ବିଦ୍ୟାଧରୀ ସେହି ଗୋମାତାର ଶାପେ
ଦଶମନୁ ବଞ୍ଚିଲା ସେ ଅସୁରୀ ସ୍ୱରୂପେ ।
ଏବେ ଦ୍ୱାପର ଯୁଗରେ ହରି ହସ୍ତେ ମଲା
ଅଭିଶାପୁଁ ମୁକ୍ତ ହେଇ ସ୍ୱର୍ଗପୁରେ ଗଲା ।
ଅଷ୍ଟରତନ ନିର୍ମାଣ ବିମାନ ଆରୋହି
ସମସ୍ତେ ତ ଚାହୁଁ ଚାହୁଁ ଶୂନ୍ୟେ ଯାଏ ସେହି ।
ଇତିଶିରୀ ଭାଗବତ ପୁରାଣର ବାଣୀ
ଜନମନ ରଞ୍ଜନ ଏ ସୁଧାରସ ପୁଣି ।
ପୁରାଣ ବାକ୍ୟ ଏ ଗଙ୍ଗାଜଳ ପୁଣ୍ୟମୟେ
ଇଦଂ ସପ୍ତଦଶ ଅଧ୍ୟା ସମାପତ ହୁଏ ।
ନମାମି ଶ୍ରୀନାରାୟଣ କ୍ଷୀରସିନ୍ଧୁ ଶାୟୀ
ଅକାମ କାମଦାୟକ ପ୍ରଭୁ ଭାବଗ୍ରାହୀ ।
ଦେବାଧିଦେବମାନଙ୍କ ଉପରେ ଠାକୁର
ଅଲେଖ ପୁରୁଷ ଅବ୍ୟକତ ନିରାକାର ।
ଯାହାର ନାହିଁ ଜନମ ମରଣ ସଂସାରେ
କଉତୁକେ ଖେଳଘର କରଇ ରଙ୍ଗରେ ।
ତୁ ସର୍ବ ସଞ୍ଚିଲୁ ନାଥ ଆନ କେହି ନାହିଁ
ଆପେ ଆପଣାକୁ ସଞ୍ଚି ହେଲୁ ନରଦେହୀ ।
କେବଳ ଅନୁଭବରେ ତୋ ରୂପ ବର୍ଣ୍ଣନ
ନାହିଁ ତୋର ଜନ୍ମ ମୃତ୍ୟୁ ତୁହି ଠୁଳ ଶୂନ୍ୟ ।
ସଂସାର ପ୍ରଳୟ କରୁ ତୁ ଏକ ନିଃଶ୍ୱାସେ
ସର୍ବବ୍ୟାପୀ ନାଥ ଦୃଶ୍ୟ ଅଦୃଶ୍ୟ ବିଶ୍ୱାସେ ।
ଘଟ ଘଟଣ ମାୟା ତୋ ଜଗତେ ପ୍ରସିଦ୍ଧି
ଅଛିଦ୍ରପୂର୍ଣ୍ଣ ନାଥ ତୁ ବ୍ୟାପକ ସୁବୁଦ୍ଧି ।
ପୃଥ୍ୱୀ ଆପ ତେଜ ପୁଣି ବାୟବ୍ୟ ଆକାଶ
ଏ ପଞ୍ଚ ମହାଭୂତରେ ତୁ ବ୍ରହ୍ମ ପ୍ରକାଶ ।
କଳପ ମେରୁ ସଂସାର କଲ ତୁମ୍ଭେ ଜାତ
ଏମନ୍ତେ ଅତି ଅଦ୍ଭୂତ ଏ ତୁମ୍ଭର କୃତ୍ୟ ।
ତେଣୁ ତୁହି ଶୂନ୍ୟରୂପ ଧରୁ ଦେବ ସ୍ୱାମୀ
ସବୁପ୍ରାଣୀ ହୃଦୟରେ ଅଟୁ ଅନ୍ତର୍ଯ୍ୟାମୀ ।
ଦୁଷ୍ଟ ଦାନବ ମାନବ ଦୈତ୍ୟ ଅସୁରାଦି
ଭାଙ୍ଗନ୍ତି ସ୍ୱର୍ଗ ବାସବ ଅମରଙ୍କ ଆଧି ।
ଅସୁରମାନଙ୍କୁ ନାଶ କରିବା ନିମନ୍ତେ
ତୁମ୍ଭେ ଦେବ ଦେହଧାରୀ ସିନା ଜଗତେ ।
ଶଙ୍ଖ ଚକ୍ର ଗଦା ପଦ୍ମ ଶାର୍ଙ୍ଗ ଚତୁର୍ଭୁଜ
ଦେବଙ୍କ ଉପରେ ଦେବ ଅଟୁ ଦେବରାଜ ।
ଅନନ୍ତ ନାଗ ଉପରେ ତୁ ଉତ୍ତାନଶାୟୀ
ଯୋଗ ନିଦ୍ରାରେ ଯେ ଆପେ ଥିଲୁ ସିନା ଶୋଇ ।
କଂସ ପାଦଭାରା ପୃଥ୍ୱୀ ନ ପାରିଲା ସହି
ସକଳ ଦେବେ ତୁମ୍ଭଙ୍କୁ ଗଲେ ତହିଁ କହି ।
ପ୍ରତ୍ୟକ୍ଷେ ଦେଖିଲୁ ଯହୁଁ ଦେବତାଙ୍କ ଆର୍ତ୍ତ
ଦେବକୀ ଉଦରେ ଆସି ହେଲୁ ଦେହବନ୍ତ ।
ପ୍ରଭୁଙ୍କ ଅଭିଶାପେ ଯେ ଯଶୋଦା ଜନମି
ତୁମ୍ଭଙ୍କୁ ପାଳିଲେ ସେହି ପୂର୍ବପୂଣ୍ୟ ଘେନି ।
ବ୍ରହ୍ମାର ପୁତ୍ରେ ଗୋପାଳ ରୂପ ତହିଁ ହୋଇ
ଗୋଗୋଷ୍ଠରେ ଜନ୍ମ ହେଲେ ଦେଖିବାର ପାଇଁ ।
ପୃଥ୍ୱୀ ଭାରାଭର ନାଥ କର ତୁମ୍ଭେ ନାଶ
ନମସ୍ତେ ବାଳଗୋପାଳରୂପୀ ପୀତବାସ ।
ନମସ୍ତେ ହେ ଗୋପୀନାଥ ବାଳରୂପ ଦେହା
ନମସ୍ତେ ହେ ଗୋପୀନାଥ ଲକ୍ଷ୍ମୀ ପ୍ରାଣନାହା ।
ନମସ୍ତେ ହେ ଗୋପୀନାଥ କାମୀକାମଦାୟୀ
ନମସ୍ତେ ହେ ଗୋପୀନାଥ ଭକ୍ତ ଭାବଗ୍ରାହୀ ।
ନମସ୍ତେ ହେ ଗୋପୀନାଥ ଗତି ମୁକ୍ତିଦାତା
ନମସ୍ତେ ହେ ଗୋପୀନାଥ ନର୍କୁ ଉଦ୍ଧାରନ୍ତା ।
ନମସ୍ତେ ହେ ଗୋପୀନାଥ ସର୍ବ ଅନ୍ତର୍ଯ୍ୟାମୀ
ଗୋପୀନାଥ ସୁମରଇ ହୁଅ ସ୍ୱର୍ଗଗାମୀ ।
ସେହି ଗୋପୀନାଥଙ୍କର ପାଦପଦ୍ମ ତଳେ
ଅଚ୍ୟୁତଦାସର ମନ ରହୁ ସବୁକାଳେ ।
ପୂତନାର ଶାପ ବିମୋଚନ
ଏଥୁ ଅନନ୍ତରେ ପୁଣି ପରୀକ୍ଷ ପଚାରି
କହିଲ ତ ଦିବ୍ୟରସ କଥା ତପଚାରୀ ।
ସ୍ୱର୍ଗ ବିଦ୍ୟାଧରୀ ଯେବେ ଅଟଇ ପୂତନା
କେମନ୍ତେ ଅସୁର ସେହି ହେଲା ବାରାଙ୍ଗନା ।
କେଉଁ ଅପରାଧେ ତାକୁ କେ ଦେଲାକ ଶାପ
ପାଇଲା ଅସୁରୀ ଜନ୍ମ କେ ଧଇଲା ଏ ରୂପ ।
ଏ କଥା ସଂକ୍ଷେପି ମୋତେ କହି ମୁନିଗୁରୁ
ତବ ମୁଖରୁ ଶୁଣିଣ ଭ୍ରାନ୍ତି ମନୁ ସରୁ ।
ରାଜାର ବଚନେ ମୁନି କରି ପ୍ରତିଉକ୍ତି
ଆତ୍ମାକୁ ଲୟ କରିଣ ଶୁକ ମହାଯତି ।
ଶୁଣ ତୁମ୍ଭେ ସାବଧାନେ ନୃପତି ଗରିଷ୍ଠ
ଚିତ୍ରମତୀ ନାମେ ସ୍ୱର୍ଗ ବିଦ୍ୟାଧରୀ ଶ୍ରେଷ୍ଠ ।
ସୁନ୍ଦରୀ ସୁକୁମାରୀ ଯେ ସୁଲକ୍ଷଣା ବାମା
ମୟ ସେନାପତିର ସେ ଅଟେ ଜ୍ୟେଷ୍ଠ ଜେମା ।
ରମ୍ଭା ମେନକାଠାରୁ ସେ ଗୁଣରେ ଚତୁରୀ
ଅନେକ ସୁଦୟା ସ୍ନେହ ବିଶ୍ୱକର୍ମା କରି ।
ଜଗତଜନ ମୋହିନୀ ଅଟେ ଅତୁଲାଇ
ଦଶଲକ୍ଷ ଅପସରା ଖଟୁଥାନ୍ତି ରହି ।
ବିଶ୍ୱକର୍ମାର ଦୁହିତା ଅତି ମନୋହାରୀ
ତାହାର ମହିମା ଦେବେ କହି ତ ନ ପାରି ।
କେବଣ ଦିବସେ ବାଳୀ ପରିବାରୀ ମେଳେ
ନନ୍ଦନ ବନକୁ ଗଲା ଖେଳ କୁତୁହଳେ ।
ହସ୍ତରେ ଫିମ୍ପି ଶର ପରିଘ ବାଟୁଳି
ସଖୀଜନ ଘେନି କ୍ରୀଡ଼ା କରେ ବନମାଳୀ ।
କା ହସ୍ତେ ପୁଷ୍ପଧନୁ କା ହସ୍ତେ ପୁଷ୍ପ ଯଷ୍ଟି
କାର ହସ୍ତେ ପୁଷ୍ପବାଣୀ ପୁଷ୍ପ ଦରଫୁଟି ।
କେ ହସ୍ତେ ପୁଷ୍ପବିଞ୍ଚଣୀ ଧରିଛନ୍ତି ଆଣି
କେ ହସ୍ତେ ଧରିଅଛନ୍ତି ପନୀର ଯେ ପାଣି ।
ସ୍ୱଭାବେ ଚଇତ୍ରମାସ ପବନ ବସନ୍ତ
ମୃଦୁ ମୃଦୁ ଧୀରେ ଧୀରେ ଆମୋଦ ପୂରିତ ।
ଝିଙ୍କର କୋକିଳ ଶୁକ ଶାରୀ ମାଳ ମାଳ
ପୁଷ୍ପ ଭ୍ରମରେ ଚୁମ୍ୱନ୍ତି ବସୁଛନ୍ତି ଡ଼ାଳ ।
ସ୍ତିରୀମତିରେ ଭ୍ରମନ୍ତି ଏସନକ ଯୋଗେ
ନନ୍ଦିନୀକି ଭେଟି ବାଟେ ଯେଉଁ ବେଗେ ବେଗେ ।
ଗୋଡ଼ାଇ ଅଛନ୍ତି ବେନିକୋଟି ବତ୍ସା ପଛେ
ତିରଣ ଚରୁଅଛନ୍ତି ସୁରନଦୀ ପଛେ ।
ନିକଟେ ସେ ଚିତ୍ରମତୀ ଗୋମାତା ଦେଖିଲା
ମତ୍ତଗର୍ବେ ଗୋମାତାଙ୍କୁ ଉପହାସ କଲା ।
ଧନୁରେ ଫିମ୍ପି ବାଟୁଳି ବସାଇଲା ଆଣି
ନନ୍ଦିନୀ ଚରୁଛି ଫିମ୍ପି ବିନ୍ଧିଲାକ ଟାଣି ।
ପବନୁ ବ୍ୟଗ୍ରେ ବାଟୁଳିଗୋଟା ଗଲା ଚଳି
ଗୋମାତାଙ୍କ ଚିରେ ଯାଇ ବାଜିଲା ବାଟୁଳି ।
ନିର୍ଭୟ ହୋଇଣ ଦେବୀ ତହିଁ ଚରୁଥିଲେ
ଚିରେ ବାଟୁଳି ବାଜନ୍ତେ ପଡ଼ି ମୂର୍ଚ୍ଛାଗଲେ ।
ଘଡ଼ିକେ ଚେତନା ପାଇ ଉଠିଲେ ଗୋମାତା
ସନ୍ନିଧିରେ ଚିତ୍ରମତୀ ବିଶ୍ୱକର୍ମା ସୁତା ।
ଗୁଳିଚା ଧନୁ ଗୋଟିଏ ଧରି ବାମକରେ
ସଧୀରେ ବାଟୁଳି ଗୋଟି ଚଳାଇ ନିର୍ଭରେ ।
ଗୋମାତାର ଆଡ଼କୁ ସେ ଅଙ୍ଗ ଢାଳିଦେଇ
ଅପସରି ଉଭାହେଲା ସୁରନଦୀ ଚାହିଁ ।
ଏହା ଦେଖିଣ ଗୋମାତା ପାଇ ଗୁରୁତାପ
ବୋଇଲେ ଲୋ ଚିତ୍ରମତୀ ଅର୍ଜିଲୁ ତୁ ପାପ ।
ଆମ୍ଭେ ଯେ ଅବୋଧ ଜନ ସ୍ୱଭାବେ ତ ଗୋରୁ
ପାପକୁ ଭୟ ନ କରି ଆମ୍ଭଙ୍କୁ ତୁ ମାରୁ ।
ଆମ୍ଭ ଇଚ୍ଛାସୁଖେ ଆମ୍ଭେ ଚରୁଅଛୁ ବନେ
ଏଥକୁ ଯେ ଅମରଷ ବହିଲୁ ତୁ ମନେ ।
ଆମ୍ଭେ ତ କିଛି ତୋହର ନୋହୁ ଦୋଷକାରୀ
ବାଟୁଳି ମାଇଲୁ ଅନିମିତ୍ତେ ନ ବିଚାରି ।
ଏ ତୋର ବାଟୁଳି ବାଜି ମୂର୍ଚ୍ଛାଗତ ହେଲୁ
ଶରୀର ତ ବ୍ୟଥା କଲା ଯୋଗେଣ ନ ମଲୁ ।
ତୁହି ମତ୍ତଗର୍ବେ ପୁଣି କଲୁ ମହାପାପ
ଆଲୋ ଆଲୋ ଚିତ୍ରମତୀ ଘେନ ମୋର ଶାପ ।
ଆମ୍ଭ ସ୍ତନକୁ ବାଟୁଳି ମାଇଲୁ ଅଜ୍ଞାନେ
ତୋହର ମରଣ ହେଉ ଏହି ସ୍ତନପାନେ ।
ସ୍ୱର୍ଗ ବିଦ୍ୟାଧରି ହୋଇ କଲୁ ଦୁଷ୍ଟବୁଦ୍ଧି
ଦ୍ୱାଦଶ ମନୁ ଅସୁରୀ ହୁଅ ଏହି ବିଧି ।
ଅସୁରୀରୂପେ ଜନମ ହେବୁ ଭୂମିଭାଗେ
ଦ୍ୱାଦଶ ମନୁ ପର୍ଯ୍ୟନ୍ତ ନ ରହିବୁ ସ୍ୱର୍ଗେ ।
ତୁହି ମୋହର ସ୍ତନରେ ଲଗାଇଲୁ କିନ୍ତୁ
ବାଳକର ସ୍ତନ୍ୟପାନେ ପାଅ ତୁହି ମୃତ୍ୟୁ ।
ଶୁଣ ଆହେ ପରୀକ୍ଷିତ ବଦନ୍ତି ଯେ ମୁନି
ପୂତନା ରୂପକୁ ଥିଲା ଚିତ୍ରମତୀ ଘେନି ।
ଦ୍ୱାଦଶମନୁ ପର୍ଯ୍ୟନ୍ତ ଅସୁରୀ ହୋଇଲା
ଗୋବିନ୍ଦ କ୍ଷୀର ପାନରେ ମୁକତି ପାଇଲା ।
ଅଷ୍ଟରତ୍ନର ବିମାନ ଆରୋହିଲା ବେଗେ
ନିଜ ଦେହ ପାଇ ପୁଣି ବସିଲାକ ସ୍ୱର୍ଗେ ।
ବନମାଳି କରେ ଘେନି ବସେ ଇନ୍ଦ୍ରପାଶ
ଚିତ୍ରମତୀ ଦେଖି ଇନ୍ଦ୍ର ହୋଇଲେ ହରଷ ।
ଯଥା ବିଧିରେ ସେ ପିନ୍ଧି ଅଳଙ୍କାର ଶାଢ଼ୀ
ଅଭିଶାପ ପାରକରି ବସେ ସ୍ୱର୍ଗେ ମାଡ଼ି ।
ତେଣୁ ସେ ରାକ୍ଷସୀ ହୋଇ ମର୍ତ୍ତ୍ୟପୁରେ ଥିଲେ
ଅନେକ କାଳରେ ଯାଇ ସ୍ୱର୍ଗରେ ବସିଲା ।
ପୂତନା ଶାପର କଥା ସୁଧାସମ ବାଣୀ
କଳୁଷ ଖଣ୍ଡନ କରି ସୁଖେ ତର ପ୍ରାଣୀ ।
ପରମ ପବିତ୍ର ଅଟେ ହରିବଂଶ ଗ୍ରନ୍ଥ
ପ୍ରଭୁଙ୍କ ଦୟାରୁ ଗୀତେ କହଇ ଅଚ୍ୟୁତ ।