ତୃଣାବର୍ତ୍ତ ବଧ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିବିଚାରିଲେ ଦେବ କାର୍ଯ୍ୟ ଥୋକେ ହେବ ସିଦ୍ଧି ।
ଏ ଯେ ତୃଣାବର୍ତ୍ତ ବୀର କଂସ ନିଜ ସଖା
ଅଷ୍ଟମଲ୍ଲଙ୍କ ମଧ୍ୟରେ ଅଟେ ଅଗ୍ରଲେଖା ।
ପୂର୍ବେ ପିତାମହ ବର ଦେଇଛନ୍ତି ଭୋଳେ
ଅଗ୍ନିରେ ନ ପୋଡ଼ିବ ଏ ନ ବୁଡ଼ିବ ଜଳେ ।
ଦେବ ଦାନବ ମାନବ ଦୁର୍ଲ୍ଲଭ ୟା କଥା
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ମୃତ୍ୟୁ ନାହିଁ ଯଥା ।
କୂଟରେ ପ୍ରାଣ ଏହାର ଘେନିବି ମୁଁ ଆଜ
ସ୍ଥିର ହେବ ବସୁନ୍ଧରୀ ହେବ ଦେବ କାର୍ଯ୍ୟ ।
ଏମନ୍ତ ବିଚାର କରି ଦେବଙ୍କର ରାଜା
ତିଳ ପୁଷ୍ପରୁ ଉଶ୍ୱାସ ହେଲେ ମହାତେଜା ।
ମହାବୀର ତୃଣାବର୍ତ୍ତ କୃଷ୍ଣ ଭୁଜ ଧରି
ଅବହେଲେ ନେଇ କାଖେ ଜାକେ ଆଣ୍ଟକରି ।
ଦକ୍ଷିଣ ହସ୍ତରେ ଗଦା ବାମହସ୍ତେ କାତି
ପ୍ରଚଣ୍ଡ କୋପାନଳ ସେ ଭୟଙ୍କର ମୂର୍ତ୍ତି ।
ତୃଣାବର୍ତ୍ତ କାଖେ ବିଜେ କଲେ କୃପାସିନ୍ଧୁ
ପ୍ରକାଶ ବାଳମୁକୁନ୍ଦ ରୂପ ଜଗବନ୍ଧୁ ।
ସେ ଅସୁର କାମରୂପୀ ଜାଣେ ନାନାମାୟା
କହୁ କହୁ ବିସ୍ତାରିଣ ଦେଲା ନିଜ କାୟା ।
ଆକାଶ ମଣ୍ଡଳେ ଶିର ଲାଗିଲାକ ଯାଇ
ଦେଖି ଦେବତାଏ ଭୟେ ନ ରହିଲେ କେହି ।
ବିକଟ ବଦନ ତାର ଭୟଙ୍କର ମୂର୍ତ୍ତି
ନୟନ ନିର୍ଧୂମ ଅଗ୍ନି ବିରାଜଇ ଜ୍ୟୋତି ।
ଉଡ଼ନ୍ତା ପକ୍ଷୀ ଯେପରି ଚଳେ ଶୂନ୍ୟମାର୍ଗେ
ମଥୁରାକୁ ଯିବ ବୋଲି ଯାଏ ବେଗେ ବେଗେ ।
ଦାନ୍ତ ରଟମଟ କରି ଚାପଇ ଅଧର
କିଳିକିଳା ନାଦ କରି ଚଳେ ମହାବୀର ।
ଆକାଶେ ଚଳଇ ମହାମେଘ ପ୍ରାୟ ଜାଣି
ଶୁକବ୍ରହ୍ମା ବୋଇଲେ ହୋ ପରୀକ୍ଷ ନୃମଣି ।
ଅନନ୍ତ ମାୟାଧର ସେ ପ୍ରଭୁ ପୀତବାସ
ଅଶେଷ କୋଟି ବ୍ରହ୍ମାଣ୍ଡ ଯା ରୋମୁଁ ପ୍ରକାଶ ।
ଭୂଲୋକ ଯେ ଭୁବଲୋକ ସୁରଲୋକ ମୂଳେ
ମହାଲୋକ ଜନ ତପ ସତ୍ୟ ଏ ମଣ୍ଡଳେ ।
ଉପରେ ତ ଛୟାଣୋଇ ଲୋକ ଯେ ପ୍ରସିଦ୍ଧ
ମନ୍ଦ ଛନ୍ଦ ବିବର୍ଜିତ ଅହଙ୍କାର ବାଦ ।
ପାତାଳରେ ଚଉରାଶୀ ନାଗକୁଳ ଯାଏ
ସଦାନନ୍ଦ ଜ୍ୟୋତି ସେହି ପୁଣ୍ୟ ହିତକାୟେ ।
ପୃଥିବୀର ଭାରାଭର ନିବାରଣ ଅର୍ଥେ
ଦେହ ବହି ଅବତାର ହୋଇ ପୁଣ୍ୟପଥେ ।
ଦାନବର ମାୟା ଜାଣି ପାରି ପଦ୍ମନେତ୍ର
ବିଶ୍ୱରୂପ ପ୍ରକାଶିଲେ ବ୍ୟାପେ ନିଜଗାତ୍ର ।
ପବନହୁଁ ବେଗେ ବେଗେ ଚଳି ମହାବଳୀ
ତାର ବକ୍ଷସ୍ଥାଳେ ମାଡ଼ି ବସି ବନମାଳୀ ।
ଅଙ୍କୁଶ ବାଜିଲେ ଯେହ୍ନେ ମତ୍ତଗଜ ଥୟ
ତେସନ ମାଡ଼ି ବସିଲେ ଅସୁରର କାୟ ।
ଯେହ୍ନେ ବିକ୍ରମକେଶରୀ ତେଜ ଅନର୍ଗଳ
ଆକର୍ଷିଣ ବିଦାରଇ ହସ୍ତୀ ବକ୍ଷସ୍ଥଳ ।
ବିନତାନନ୍ଦନ ଯେହ୍ନେ ଥଣ୍ଡେ ନାଗ ଧରେ
ଶ୍ୟାମଳ ବସେ ଯେସନ ବକର ଉପରେ ।
କିଳିକିଳା ରାବେ ଦୈତ୍ୟ ଗର୍ଜେ କୋପଭରେ
ମାଡ଼ି ବସିଲେକ ପ୍ରଭୁ ଅସୁର ଛାତିରେ ।
ପତଙ୍ଗ ଉପରେ ଯେହ୍ନେ ଚିଲ ମାଡ଼ିବସେ
ତେସନ ମାଡ଼ି ବସିଲେ ତାର ଉରଦେଶେ ।
ବଳବନ୍ତକୁ ନିର୍ବଳ ଡରେ ଯେହ୍ନେ ଭାଷେ
ଅତିଦୁଃଖେ ତୃଣାବର୍ତ୍ତ ଶିବ ଶିବ ଘୋଷେ ।
ମାଡ଼ି ବସିଲେକ ପ୍ରଭୁ ଭୟଙ୍କର ତେଜ
ଦନୁଜ ହେଲାକ ହୀନବଳ ହତବୀର୍ଯ୍ୟ ।
ନୃସିଂହରୂପ ଧଇଲେ ପ୍ରଭୁ ଯେତେବେଳେ
ବ୍ରହ୍ମାଣ୍ଡ ଦହନ କିବା ହେବ କୋପାନଳେ ।
ପୂର୍ବେ ହିରଣ୍ୟକଶିପୁ ମାଇଲେ ଯେସନ
କାଣି ଆଙ୍କୁଠିର କୋଣେ ହୋଇଲା ଗୋପନ ।
ବ୍ରହ୍ମଲୋକ ପରିଯନ୍ତେ ଲାଗେ କର୍ଣ୍ଣାଞ୍ଚଳ
ଭୟଙ୍କର ମୂରତି ସେ ପ୍ରଭୁ ଆଦିମୂଳ ।
ଲହ ଲହ ଜିହ୍ନା ସ୍ୱାମୀ ନେତ୍ର ଜ୍ୱଳାବଳୀ
ନିଃଶ୍ୱାସ ବାତେ ଉଠିଲା ମନ୍ଦର ମଉଳି ।
ସେହି ନୃସିଂହ ମୂରତି ଧଇଲେ ଆପଣେ
ଅର୍ଦ୍ଧଆକାଶେ ଦେଖନ୍ତି ଥାଇ ଦେବଗଣେ ।
ଗନ୍ଧର୍ବଗଣ ଦେଖିଣ ହେଲେ ଅତି ତୁଷ୍ଟି
ଦେଖୁଛନ୍ତି ବ୍ରହ୍ମରାଜ ଦେବ ଋଷି ଗୋଷ୍ଠୀ ।
ସମସ୍ତେ କରୁଅଛନ୍ତି ପ୍ରଭୁଙ୍କ ପ୍ରଶଂସା
ଶୁକ ସନକାଦିଙ୍କର ଶିବ ଶିବ ଭାଷା ।
ଭେରୀ ମର୍ଦ୍ଦଳ ମହୁରୀ ତୂରୀ ଶଙ୍ଖଧ୍ୱନି
ସାମଗାୟନ କରନ୍ତି ଦେବ ପଦ୍ମଯୋନି ।
ବୃହସ୍ପତି କହୁଛନ୍ତି ଇନ୍ଦ୍ରମୁଖ ଚାହିଁ
ନାରାୟଣ ବିଶ୍ୱମୂର୍ତ୍ତି ଦେଖ ଶଚୀସାଇଁ ।
ମଧୁକୈଟଭ ମାରିବାବେଳେ ଯେଉଁ ମୂର୍ତ୍ତି
ଏତେବେଳେ ସ୍ୱାମୀଙ୍କର ଦେଖ ସେହିଜ୍ୟୋତି ।
ଅର୍ଦ୍ଧ ଆକାଶରେ ଯାଇ ଲାଗିଅଛି ଶିର
ଘଡ଼ଘଡ଼ି ଶବ୍ଦ ପ୍ରାୟ ନାଦ ଗୁରୁତର ।
ଦୁର୍ବାର ଦାନବ ଜାକି ଥିଲାକ କାଖରେ
ଈଷିତେ ମାଡ଼ି ବସିଲେ ସ୍ୱାମୀ ତା ବେକରେ ।
କାନ୍ଧେ ପାଦ ଦେଇ ପ୍ରଭୁ ଅନ୍ତରୀକ୍ଷେ ଉଭା
ହିମ ପରବତେ ଯେହ୍ନେ ନୀଳକଣ୍ଠ ଶୋଭା ।
କାନ୍ଧେ ହସ୍ତ ମାଡ଼ି ଦେଇ ପଛକୁ ତା ମୁଣ୍ଡ
ଶରୀରୁ ପ୍ରାଣ ଯାଆନ୍ତେ ହେଲା ବେନିଖଣ୍ଡ ।
ମୃତପିଣ୍ଡକୁ ହସ୍ତରେ ଧରି ଲକ୍ଷ୍ମୀସାଇଁ
କଂସରାଜା ସିଂହଦ୍ୱାରେ ଦେଲେ ଫୋପାଡ଼ାଇ ।
ପାହିବାକୁ ବେନି ଦଣ୍ଡ ଅଛଇ ରଜନୀ
କଂସ ସିଂହଦ୍ୱାରେ ପଡ଼େ ଗଣ୍ଡିମୁଣ୍ଡ ବେନି ।
ଦାନବ ବଧ କରିଣ ଦେବ ବନମାଳୀ
ପୁଣ ବାଳୁତ ରୂପକୁ ଧରି କଲେ କେଳି ।
ଅନ୍ତୁଡ଼ି ଶାଳେ ଶଯ୍ୟାରେ କଲେକ ଶୟନ
ଏସନକ ମାୟା କେହି ନ ଜାଣନ୍ତି ଆନ ।
ତୃଣାବର୍ତ୍ତର ଶରୀରେ ପୁରୁଷେକ ଥିଲା
ସୁବର୍ଣ୍ଣ ବିମାନେ ବସି ସ୍ୱର୍ଗପୁରେ ଗଲା ।
ଗନ୍ଧର୍ବେ ନୃତ୍ୟ କରନ୍ତି ରହି ତା ଛାମୁରେ
ଏକଲକ୍ଷ ପାଟଛତ୍ର ଉଡ଼େ ନିରନ୍ତରେ ।
ଅମର ଦୁନ୍ଦୁଭି ବାଦ୍ୟ ଦେବବାଦ୍ୟ ବାଜେ
ସେ ଗନ୍ଧର୍ବ ଦିବ୍ୟବେଶ ହୋଇ କଲା ବିଜେ ।
ରାତ୍ର ବେନି ଦଣ୍ଡ ଆଉ ଅଛି ପାହିବାକୁ
ଅଳସ ଘାରି ଅଛଇ ସକଳ ଜନଙ୍କୁ ।
ଧାଈ ପରିବାରୀ ସବୁ ଅଛନ୍ତି ଯେ ଶୋଇ
ଦଇବୀ ମାୟାରେ ତହିଁ ସବୁ ନିଦ୍ରା ଯାଇ ।
ମାତୁଳ ସେ ଚନ୍ଦ୍ରସେଣା ଗୋପାଳଙ୍କୁ ଘେନି
ଯେ ଯାହାରେ ଶୋଇଛନ୍ତି ଦେଇଣ ମୂର୍ଦ୍ଧନି ।
କଂସ ସିଂହଦ୍ୱାରେ ପଡ଼େ ତୃଣାବର୍ତ୍ତ ମୁଣ୍ଡ
ଗିରିବର ସଦୃଶ ସେ ହୋଇ ବେନିଖଣ୍ଡ ॥
ଧନ୍ୟ ସେହି ତୃଣାବର୍ତ୍ତ କୃଷ୍ଣ ହସ୍ତେ ମଲାପୁଷ୍ପକ ଯାନ ଆରୋହି ସ୍ୱର୍ଗପୁରେ ଗଲା ।ଅମର ସଦୃଶ ବସେ ସିଂହାସନେ ଯାଇଶଚୀ ସହ ସୁରସାଇଁ ଅର୍ଘ୍ୟରେ ବନ୍ଦାଇ ।ଗନ୍ଧର୍ବ ବିଦ୍ୟାଧର ଏ ସବୁଙ୍କରେ ପୂଜ୍ୟନିଜ ପଦ ପାଇଲା ସେ ଦାନବ ତନୁଜ ।ଏହା ଶୁଣିଣ ନୃପତି ପରୀକ୍ଷ ପଚାରିବଡ଼ ରହସ୍ୟ କଥା ତ କହିଲ ବିଚାରି ।ଯେବଣ ପ୍ରାଣୀ ସ୍ୱର୍ଗରେ ପୂଜା ପାଏ ଏତେଅସୁର ରୂପରେ ସେହି ରହିଲା କେମନ୍ତେ ।ଆବର କୃଷ୍ଣରେ କଲା ବିଶେଷ ସେ ଦ୍ରୋହଏକଥା ବିସ୍ତାରି ଗୁରୁ ମୋତେ ତୁମ୍ଭେ କହ ।ରାଜାର ଭକତି ଦେଖି ବ୍ୟାସର ତନୟଆରମ୍ଭିଲେ କଥାମାନ ଅତି ପୁଣ୍ୟମୟ ।
ତୃଣାବର୍ତ୍ତର ଶାପ ବୃତ୍ତାନ୍ତ
ଶୁଣ ସାବଧାନେ ତୁମ୍ଭେ ସୁଭଦ୍ରାର ନାତିପବିତ୍ର ପୁରାତନ ଯେ ପୁରାଣ ଉକତି ।ଦକ୍ଷ ପ୍ରଜାପତି ଯେବେ ମହାଯଜ୍ଞ କଲେଚଉଦ ବ୍ରହ୍ମାଣ୍ଡଯାକ ସେ ଯଜ୍ଞେ ବରିଲେ ।ଭୁବଲୋକ ମର୍ତ୍ତ୍ୟଲୋକ ସ୍ୱର୍ଗଲୋକ ମୂଳେମହଲୋକ ଜନଲୋକ ତପଲୋକ ମେଳେ ।ମହଲୋକ ଜନଲୋକ ନକ୍ଷତ୍ର ଯେ ଆଦିଧର୍ମଲୋକ ସୁରଲୋକ ଯୁଗଲୋକ ଭେଦି ।ସତ୍ୟଲୋକ ଧ୍ରୁବଲୋକ ସିନ୍ଧୁ ଯେ ସମସ୍ତେବ୍ରହ୍ମଲୋକ ରୁଦ୍ରଲୋକ ବିଷ୍ଣୁଲୋକ ଯେତେ ।ଏମନ୍ତ ଏ ଏକୋଇଶ ପୁର ଜନବାସୀଏ ସମସ୍ତଙ୍କୁ ବରଣ କଲେ ଦକ୍ଷ ଆସି ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରିଆକାର ଉକାର ପୁଣି ମକାରକୁ ଧରି ।ରକ ଯଜୁ ସାମବେଦ ଅଥର୍ବକୁ ବରିଯଥା ବିଧିରେ ବରଣ ସମସ୍ତଙ୍କୁ କରି ।ସତ୍ୟ ତ୍ରେତା ଦ୍ୱାପର ଯେ କଳିଯୁଗ ଚାରିଭାଗବତ ଅଷ୍ଚାଦଶ ପୁରାଣକୁ ବରି ।ମେରୁ ଦକ୍ଷିଣ ପାରୁଶେ ସୁମେରୁ ପର୍ବତବିଷ୍ଣୁର କଳା ଗଣ୍ଡୁକୀନଦୀ ଯେ ବିଦିତ ।ସେ ନଦୀତଟେ ନିର୍ଧୂମନାମେ ମହାବନବେନି ବେନି କୋଶ ଦୀର୍ଘ ପ୍ରତି ଆୟତନ ।ଆତ୍ରେୟ ନାମରେ ଋଷି ତହିଁ ପୂର୍ବେ ଥିଲେଅଶ୍ୱମେଧ ଯାଗକରି ଅରପଣ କଲେ ।ବ୍ରହ୍ମାଙ୍କର ସର୍ଜ୍ଜନା ସେ ବନ ପୁଣ୍ୟମୟପ୍ରତ୍ୟକ୍ଷେ ଚନ୍ଦ୍ର ସୂର୍ଯ୍ୟ କି ହୋଇଛି ଉଦୟ ।ସେ ଭୂମିରେ ଆହରଣ କଲେ ହୋମକୁଣ୍ଡସୂତ୍ର ପକାଇ ସମସ୍ତେ ହୋଇ ଏକରୁଣ୍ଡ ।ଶତେ ଅଷ୍ଟୋତ୍ତର ଯୂଣ ଅଟେ କୁଣ୍ଡସ୍ଥଳୀଆପଣେ ବ୍ରହ୍ମା ଯେ ମହାମନ୍ତ୍ରେ ହୋମକରି ।ପ୍ରଚଣ୍ଡକାଳ ଅନଳ ଅତି ବିକରାଳପ୍ରଜ୍ଜ୍ୱଳ ହୋଇ ଘୋଟିଲା ଆକାଶ ମଣ୍ଡଳ ।ଏମନ୍ତେ ସହସ୍ର ଶାଖା ହୋଇ ଏକମୂର୍ତ୍ତିପ୍ରତ୍ୟକ୍ଷେ ଦୋହରା ଅଗ୍ନି ଦାବାନଳ ଜ୍ୟୋତି ।ସ୍ୱାହା ସ୍ୱଧା ବଷଟ୍କାର ଅଟଇ ସେ ଜିତାବୃହତ୍ସାମରେ ଆହୁତି ଦିଏ ବ୍ରହ୍ମବେତ୍ତା ।ତିଳ ତଣ୍ଡୁଳ ସମିଧ ଘୃତ ନାନାବିଧିଅଗ୍ନି ଭିତରେ ପକାନ୍ତି ନେଇ ତପୋନିଧି ।ଅଶେଷଲୋକ ଜିଣିଣ ଉଠିଲାକ ଶିଖାରାତ୍ର ଦିବସ ବୋଲି ଯେ ନାହିଁ ତହିଁ ଲେଖା ।କୋଟି ବ୍ରହ୍ମଋଷି ବାଳଖିଲ୍ୟାଙ୍କ ସହିତେଆହୁତି ଦିଅନ୍ତି ଜଣେ ଜଣେ ମହାମନ୍ତ୍ରେ ।ସମାରୋହରେ ଆହୁତି ଦିଅନ୍ତି ଯାଜ୍ଞିକେବିବେକୀ ବିଚାରକାରୀ ନ୍ୟାୟବନ୍ତ ଲୋକେ ।ମହାରମ୍ଭେ ଯାଗପୂଜା କଲେ ଦକ୍ଷରାଜାଯେ ଯାହାର ଅନୁକ୍ରମେ କଲେ ଦ୍ୱିଜପୂଜା ।ଶୁଣ ହୋ ପରୀକ୍ଷ ରାଜା ବୋଲେ ଶୁକଯତିଏ ଶିବପୁରାଣ କଥା ଭାଗବତେ ସ୍ଥିତି ।ଉଁକାରି ସାମ ଗାୟନ କରି ହରିଧ୍ୱନିକପିଳାସରେ ମିଳିଲେ ନାରଦ ଯେ ମୁନି ।ଦେଖିଲେ ଶୁଦ୍ଧ ସ୍ଫଟିକ ପୁର ଦିବ୍ୟଜ୍ୟୋତିରତ୍ନ ସିଂହାସନେ ବିଜେ ଶଙ୍କର ପାର୍ବତୀ ।କାର୍ତ୍ତିକ ଜୟନ୍ତ ଅଜୟନ୍ତ ଗଣପତିବେଢ଼ିଣ ଅଛନ୍ତି ଚାରିପୁତ୍ରେ ଚଉକତି ।ପାବଚ୍ଛର ତଳେ ନନ୍ଦି ଭ୍ରୁକୁଟି ଏ ବେନିଆବୋରି ଅଛନ୍ତି କରେ ଶୂଳଶସ୍ତ୍ର ଘେନି ।ଭଇରବ ବିରୂପାକ୍ଷ ନାଗାର୍ଜ୍ଜୁନ ମେଳେଏ ତିନିହେଁ ଉଭା ତହିଁ ପାବଚ୍ଛର ତଳେ ।ଅପୂର୍ଣ୍ଣା ଗଙ୍ଗାଦେବୀ ଯେ ନିଧି ବସୁମତୀଏ ଚାରିକୋଳେ ବସାଇଛନ୍ତି ପଶୁପତି ।କରେ ତ୍ରିଶୂଳ ଡମ୍ୱରୁ ପିନାକ କର୍ପଟବହନ୍ତି କାଳଗରଳ ବିଷ କଣ୍ଠତଟ ।ନାନାରତ୍ନରେ ଶୋଭିତ ଦିଶେ ଦିବ୍ୟହାରଲୋହିତ ପିଙ୍ଗଳ ପୁଣି ଜଟାଜୂଟ ଭାର ।କପିଳା ମଳ ବିଭୂତି ବିଭୂଷଣ କାୟଭେଦ ମୁଦ୍ରା ଲଗାଇଣ କନ୍ଧେ ନାଗରାୟ ।କପିଳ ବୃଷଭ ସେ ଯେ ନନ୍ଦିନୀର ବଳାଛାମୁରେ ଉଭା ହୋଇଛି ତେଜେ ଅନର୍ଗଳା ।ଅତିଶୋଭା ପାଉଅଛି ତିନିଗୋଟି ନେତ୍ରଶଙ୍ଖ ଗୋକ୍ଷୀର ବଦନ ବିରାଜଇ ଗାତ୍ର ।ଅଠଣୋଇ କୋଟି ରୁଦ୍ରଗଣ ମହାସିଦ୍ଧଅନାଦି ସାଧନ ଯୋଗୁଁ କରି ସିଂହନାଦ ।ଏସନ ସ୍ୱରୂପେ ସେହି ସଦାନନ୍ଦ ସ୍ୱାମୀକପିଳାସେ ବିଜେ ଦେବ ମହାଯୋଗ ଭ୍ରମି ।ଅଙ୍କେ ପାର୍ବତୀଙ୍କୁ ଘେନି ବିଜେ କାଶୀବାସୀଏକାଳେ ଆସି ମିଳିଲେ ନାରଦ ମହର୍ଷି ।ଖଣ୍ଡେ ଦୂରୁ ନାରଦ ଯେ ଈଶ୍ୱରଙ୍କୁ ଦେଖିସାଷ୍ଟାଙ୍ଗେ ପ୍ରଣାମ କଲେ ଦଣ୍ଡକୁ ଉପେକ୍ଷି ।ନାରଦମୁନି ପ୍ରଣମି ଈଶ୍ୱରଙ୍କ ପାଦେଦେଖି ଅତି ଆନନ୍ଦିତ ଦେବ ସଦାନନ୍ଦେ ।ପାର୍ବତୀଙ୍କୁ ଦରଶନ କରି ଦେବଋଷିବୋଲନ୍ତି ତୁମ୍ଭର ପିତା ଯାଗ କଲେ ବସି ।ଏକୋଇଶ ବ୍ରହ୍ମାଣ୍ଡେ ଯେ ଜୀବଜନ୍ତୁ ଥିଲେଅକ୍ଷତ ତଣ୍ଡୁଳ ଦେଇ ସମସ୍ତ ବରିଲେ ।ଅନେକ ସମାରୋହେ ସେ ଘେନିଛନ୍ତି ଦୀକ୍ଷାମନ୍ତ୍ର ଅକ୍ଷତରେ ଦଶଦିଗ କରି ରକ୍ଷା ।ତାହାଙ୍କ ଜ୍ୟେଷ୍ଠ ଦୁହିତା ତୁମ୍ଭେ ମାହେଶ୍ୱରୀତ୍ରୈଲୋକ୍ୟ ଠାକୁରାଣୀ ତୁ ଶିବ ମନୋହାରୀ ।ତୁମ୍ଭ ଭଳି ଲୋକଙ୍କୁ ତ ବିଡ଼ମ୍ୱଣ ଏତେତୁମ୍ଭଙ୍କୁ ନ ବରି ଆଉ ବରିଲା କେମନ୍ତେ ।ପାର୍ବତୀ ପରି ଦୁହିତା ଈଶ୍ୱର ଜୁଆଇଁଜାଣୁ ଜାଣୁ ଧର୍ମଛଡ଼ା ହେଲା ପ୍ରଭୁ ହୋଇ ।ଯାତ୍ରା ଯାଗ ଉତ୍ସବାଦି ବିବାହ ଯେ କରିଧର୍ମଶାସ୍ତ୍ର ପ୍ରମାଣେ ତ ଜୁଆଇଁକୁ ବରି ।ଆନ ଜ୍ୱାଇଁଠାରୁ ଜ୍ୟେଷ୍ଠଜ୍ୱାଇଁ ଅଗ୍ରବାସୀଅବଧ୍ୟ ଦୁହିତାପତି ଶାସ୍ତ ଅଛି ଭାଷି ।ଆବର ହୋଇଛି ପୂଜାକାଳ ଏ ସମୟେଏଣୁ ବିଡ଼ମ୍ୱନା ମୋତେ ଲାଗିଲା ଗୋ ମାଏ ।ଅନନ୍ତ କୋଟି ବ୍ରହ୍ମାଣ୍ଡ ଈଶ୍ୱର ଯେ ପୁଣିତୁମ୍ଭେ ତାହାଙ୍କର ଅଙ୍ଗ ମାନଉଦ୍ଧାରିଣୀ ।ନାରଦମୁନି ମୁଖରୁ ଏ ବଚନ ଶୁଣିମନେ ମନେ ମହାଲଜ୍ଜା ପାଇ ଠାକୁରାଣୀ ।ଈଶ୍ୱରେ ପାର୍ବତୀ ମୁଖ ଚାହିଁ ହସ ହସକରତାଳି ମାଇଲେକ କାର୍ତ୍ତିକ ଗଣେଶ ।ଗଙ୍ଗାଦେବୀ ଶୁଣିଲେକ ପାର୍ବତୀଙ୍କ କଥାତେଣୁ ପାର୍ବତୀ ପାଇଲେ ମନେ ବଡ଼ବ୍ୟଥା ।କହନ୍ତି ସେ ଈଶ୍ୱରଙ୍କ ଆଗେ ମଞ୍ଜୁବାଣୀପିତା ମୋର ଦକ୍ଷ ଅଟେ ସଂସାର କାରେଣୀ ।ଜୀବଜନ୍ତୁ ପ୍ରାଣୀସବୁ ସର୍ଜିଲା ଆପଣେସ୍ଥାପିଲା ଅନୁସନ୍ଧାନ କରି ଜଣେ ଜଣେ ।ଆବର କରୁଅଛନ୍ତି ମହାଯାଗ ସଭାକାର୍ଯ୍ୟେ ତତ୍ପର ପାସୋରି ଅଛନ୍ତି ସେ ଅବା ।ନୋହିଲେ ଯେବଣ ଦୂତ ପଠାଇଲେ ବରିସେ ଅବା ପାସୋରି ଗଲା ବରଣ ନ କରି ।କି ଅବା ଆସୁ ଆସୁ ସେ ନୋହିଛି ପ୍ରବେଶଅପାର ଦୂର ଅଟଇ ପୁର କଇଳାସ ।ବାଟେ ଆସୁ ଅବା ଦୂତ ଶତ୍ରୁ ଗଲା ମାରିବୋଇଲେ ଏସନ ରୂପେ ଦେବୀ ଶାକମ୍ଭରୀ ।ଶୁଣି ବୋଇଲେ ଈଶ୍ୱରେ ଦେବୀ ମୁଖ ଚାହିଁଏଥିର କଥା ଶଙ୍ଖୋଳି ଆସ ତୁମ୍ଭେ ଯାଇ ।କିପାଁ ଶ୍ୱଶୁର ଆମ୍ଭଙ୍କୁ ନ ବରିଲେ ବୁଝଏକେ ବନ୍ଧୁଶ୍ରେଷ୍ଠ ଆମ୍ଭେ ଅଟୁ ଦେବରାଜ ।ଏଡ଼େ ଅପମାନ କିପାଁ ଶ୍ୱଶୁରେ ତ ଦେଲେଆଜ୍ଞା ପାଇଣ ପାର୍ବତୀ ଧାତିକାରେ ଗଲେ ।ମହାସିଂହ ଚଢ଼ି ଦେବୀ ଗଲେ ଗଗନରେଯାଉଁ ଯାଉଁ ମନ୍ଦକଥା ଦେଖିଲେ ବାଟରେ ।ସମାରୋହେ ଯାଗେ ବିଜେ ଦକ୍ଷ ପ୍ରଜାପତିପାର୍ବତୀ ଯାଇଣ ବିଜେ କଲେ ରାଜାକତି ।ବ୍ରହ୍ମାର ମୂଳେ ଦେବତା ତେତିଶ ଯେ କୋଟିତିଳ ତଣ୍ଡୁଳ ପ୍ରୋକ୍ଷଣ ପ୍ରଣୀତ ଯେ ଘଟୀ ।ବିଶ୍ୱକର୍ମା ନିର୍ମାଣିଛି ଯାଗଶାଳା ଘରସହସ୍ର ଯୋଜନ ଦୀର୍ଘ ପ୍ରତିର ଓସାର ।ଯହିଁ ଯାଗ କରୁଥିଲେ ଦକ୍ଷ ପ୍ରଜାପତିସେ ସ୍ଥାନେ ସତ୍ୱର ଯାଇ ମିଳିଲେ ପାର୍ବତୀ ।ବ୍ରହ୍ମାଆଦି ଦେବଗଣ ତ୍ରୟତ୍ରିଂଶ କୋଟିଯଜ୍ଞବିଧି କରୁଛନ୍ତି ସର୍ବେ ହୋଇ ଗୋଷ୍ଠୀ ।ବିଶ୍ୱକର୍ମା ଯାଗଶାଳା କରିଛି ନିର୍ମାଣସହସ୍ରେ ଯୋଜନ ଦୀର୍ଘ ପ୍ରତି ପାଞ୍ଚଯୁଣ ।ଶାଳା ମଧ୍ୟେ ଗଜଦନ୍ତ ପଲ୍ୟଙ୍କ ସୁପାତିଝଟ ଝଟ ଦିଶୁଅଛି ମଣିଗଣ ଜ୍ୟୋତି ।ନିଜେ ଦକ୍ଷ ପ୍ରଜାପତି କରୁଛନ୍ତି ହୋମଋଷିଏ କରନ୍ତି ତହିଁ ନାନାବିଧି କର୍ମ ।ଏମନ୍ତ ସମୟେ ଯାଇ ପାର୍ବତୀ ମିଳିଲେପିତାଙ୍କ ଚରଣ ବନ୍ଦି ଆଗେ ଉଭାହେଲେ ।ତାଙ୍କୁ ଦେଖି ଦକ୍ଷ କୋପେ ବୋଇଲେ କିକଲୁଏ ମହା ଯଜ୍ଞକୁ ମୋର ତୁ କିପାଁ ଅଇଲୁ ।ମା ଗୋ ରାଜଋଷି ଦେବଋଷି ଦେବଋଷିଦେବତା ବ୍ରାହ୍ମଣମାନେ ସର୍ବେ ଛନ୍ତି ବସି ।ଭରସି ପଶିଲୁ ଆସି ଏଠାରେ କେମନ୍ତେଯୋଗୀର ଭାରିଯା ତୁହି ଯୋଗିନୀ ଯୁକତେ ।ବିଡ଼ମ୍ୱନ ରୂପ ଦେଖି ଭର୍ତ୍ତାକୁ ତୋହରବରଣ ନ କଲି ଯଜ୍ଞଶାଳାକୁ ମୋହର ।ଭସ୍ମ ବିଲେପନ ଅଙ୍ଗ ଦିଗମ୍ୱର ବେଶଦେଖିଲେ କରନ୍ତେ ନିଶ୍ଚେଁ ସର୍ବେ ଉପହାସ ।ଛୁଇଁଲେ ଅଯାତ୍ରା କାର୍ଯ୍ୟ ନୁହଇ ଦେଖନ୍ତେଅହନିଶି ଶୂଳଟାଏ ଧରିଥାଏ ହସ୍ତେ ।ଦିବ୍ୟପୁର ଛାଡ଼ି କରେ ଶ୍ମଶାନରେ ବସାଦେବାଙ୍ଗ ବସନ ତେଜି ପିନ୍ଧିଥାଏ କଷା ।ଚନ୍ଦନ କର୍ପୂର ଛାଡ଼ି ଭସ୍ମ ବୋଳେ ଅଙ୍ଗେଦେବଗୋଷ୍ଠୀ ଛାଡ଼ି ବୁଲେ ଭୂତ ପ୍ରେତ ସଙ୍ଗେ ।ସୁବାସ କୁସୁମ ତେଜି ମୁଣ୍ଡେ ବାନ୍ଧେ ଜଟାପାତ୍ର ବୋଲି ଧରିଥାଏ ଲାଉ ତୁମ୍ବା ଗୋଟା ।ଗଜ ମୋତି ମଣି ରତ୍ନହାର ତ୍ୟାଗ କରିମନୁଷ୍ୟ ହାଡ଼ର ମାଳା କଣ୍ଠେ ଥାଏ ଭରି ।ଅଳଙ୍କାର ଛାଡ଼ି କରେ ସର୍ପ ଆଭରଣବୁଢ଼ା ବଦଳରେ ବସି କରଇ ଗମନ ।ସମୟେ ସମୟେ ପୁଣି ଲଙ୍ଗଳା ସେ ହୁଏବାତୁଳଙ୍କ ପ୍ରାୟେ ବୁଲି ଭିକ୍ଷା ମାଗି ଖାଏ ।ଲଜ୍ଜା ବୋଲି ଲେଶମାତ୍ର ନ କରଇ ମନେନାନାଦି ପ୍ରପଞ୍ଚ ରୂପ ଧରେ ଦିନେ ଦିନେ ।କହୁଥିଲେ ନ ସରଇ ତୋ ସ୍ୱାମୀର ଗୁଣତା ଅଙ୍ଗରେ ପୂରିଅଛି ସବୁ ଅଲକ୍ଷଣ ।ସବୁଗୁଣେ ସୁଲକ୍ଷଣ ଅଟେ ମୋର ସଭାବିଡ଼ମ୍ୱନା ଲୋକଗୋଟା କେମନ୍ତ ବରିବା ।ତୁମ୍ଭେ ତାଙ୍କ ଭାରିଯା ତ ଅଟ ଶୁଭ୍ରକେଶିଯାଗଶାଳ ଅପବିତ୍ର ହେବ ତୁମ୍ଭେ ଯାସି ।ଶୁଣିଣ ପାର୍ବତୀଦେବୀ ମନେ ପାଈ ଖଙ୍ଗପିଣ୍ଡରୁ କି ପ୍ରାଣ ଛାଡ଼ିଯିବ ହୋଇ ବେଗ ।ଆପଣାର ପିତା ହୋଇ ମାନହୀନ କଲାଜୀଇବାରୁ ମରିବାର କୋଟିଗୁଣ ଭଲା ।ମୋ ଆଗେ ସ୍ୱାମୀକି ମୋର କହୁଛନ୍ତି ମନ୍ଦଯେଉଁ ଦେବ ମହାଦେବ ସ୍ୱାମୀ ସଦାନନ୍ଦ ।ଯେଉଁ ସ୍ୱାମୀର ବିଶ୍ୱ ଅଟେ ଖେଳଘରସର୍ବଦେବଙ୍କ ଉପରେ ବୋଲାଇ ଈଶ୍ୱର ।ତାଙ୍କ ଗୋଡ଼ ଧୋଇଦେଇ ଦୁହିତାଏ ଦେଲେଯାହାଙ୍କୁ ଜ୍ୟେଷ୍ଠ ଜଆଇଁ ବୋଲି ପୂଜାକଲେ ।ଏଡ଼େ ପଣ୍ଡିତ ହୋଇଣ ହେଲେ ଜ୍ଞାନଧ୍ୱଂସନିଶ୍ଚେଁ ଜାଣିଲି ତୋହର ବଂଶ ଯିବ ନାଶ ।ଶରୀରରେ ପ୍ରାଣ ଥାଉ ଈଶ୍ୱର ନିନ୍ଦିଲସେ ଯେବେ ଦୋଷୀ ପ୍ରଦାନ କିପାଁ ମୋତେ କଲ ।ମୁଁ ତୁମ୍ଭ ଦୁହିତା ସର୍ବଗୁଣେ ସୁଲକ୍ଷଣୀଠାକୁର ଭାରିଯା ମୋର ନାମ ଠାକୁରାଣୀ ।ଲେଉଟି ଈଶ୍ୱର ମୁଖ କେମନ୍ତେ ଚାହିଁବିକି ବୋଲିକରି ଈଶ୍ୱରେ ଯାଇଁ ଜଣାଇବି ।ଏତେ କହି ଅଗ୍ନିକୁଣ୍ଡେ ପଡ଼ିଲେକ ଡେଇଁପାତାଳେ ବୈକୁଣ୍ଠେ ବିଜେ କଲେ ଦେବୀ ଯାଇଁ ।ରତ୍ନ ସିଂହାସନ ହୋଇ କନକେ ମଣ୍ଡଣିସୁପାତି ଶେଯରେ ବିଜେ କଲେ ଠାକୁରାଣୀ ।ପ୍ରତ୍ୟକ୍ଷେ ହିଙ୍ଗୁଳା ସେହି ଅଛି ଜାତ ହୋଇଅଗ୍ନିତେଜ ତାଙ୍କୁ ଧ୍ୱଂସ କରିବ ବା କାହିଁ ।ଗ୍ରୀଷ୍ମକାଳେ ରୁଚେ ଯେହ୍ନେ ସୁଶୀତଳ ଜଳତେସନ ଅଗ୍ନି ଲାଗଇ ଦେହକୁ ଶୀତଳ ।କୋଇଲି ବଇକୁଣ୍ଠେ ସେ ବସିଲେକ ଯାଇଁଦକ୍ଷ ପ୍ରଜାପତି ମନେ କିଛି ଭୟ ନାହିଁ ।ନିର୍ଭୟରେ ଅବଧାରି ଯାଜ୍ଞିକମାନଙ୍କୁଘୃତ ସମିଧ ଦେଉଛି ଅଗ୍ନି ଦେବତାଙ୍କୁ ।ପାର୍ବତୀଙ୍କ ସଙ୍ଗେ ମୁନି ନାରଦ ଯେ ଥିଲେଈଶ୍ୱରଙ୍କୁ ଏସନକ ବାରତା କହିଲେ ।ଭୋଦେବ ହେ ସାବଧାନେ ଶୁଣିମା ଗୋସାଇଁପାର୍ବତୀ ବିନାଶ ଦେଖି ଅଇଲଇଁ ମୁହିଁ ।ସ୍ୱାମୀ ଦକ୍ଷପ୍ରଜାପତି ଯାଗ କରୁଥିଲେଯାଗ ବ୍ୟର୍ଥହେବ ବୋଲି ତୋତେ ନ ବରିଲେ ।ଜାଣିମା ନିମନ୍ତେ ଗଲେ ପାର୍ବତୀ ଯେ ବେଗେଅନେକ ଭର୍ତ୍ସନା କଲେ ପାର୍ବତୀଙ୍କ ଆଗେ ।ବୋଇଲେ ଯୋଗୀ ଭାରିଯା ଅଟୁ ଯୋଗିଆଣୀଏ ଦେବସଭାକୁ କିପାଁ ଅଇଲୁ ନ ଜାଣି ।ପାର୍ବତୀ ତୋ ଅର୍ଦ୍ଧ ଅଙ୍ଗ ସହିବ କେମନ୍ତେତୁହି ମହାପ୍ରଭୁ ଏହି ବିଚାର ତୋ ଚିତ୍ତେ ।ସେହି ଯାଗକୁଣ୍ଡେ ଦେବୀ ପଡ଼ିଲେକ ଡେଇଁତକ୍ଷଣେ ମିଳାଇ ଗଲେ ଧୂଳିପାଂଶ ହୋଇ ।ବ୍ରହ୍ମା ଆଦି ଦେବତାଏ ସର୍ବେ ତହିଁ ଥିଲେଅଗ୍ନିରେ ପଡ଼ନ୍ତେ କେହି ରହ ନ ବୋଇଲେ ।ଶୁଣି ଈଶ୍ୱର ଦେବର ଭାଙ୍ଗିଲା ସାହସକୋପ କ୍ରୋଟ ଅଗ୍ନି ପ୍ରାୟ ଦହଇ ମାନସ ।ଆହା ପାର୍ବତୀ ବୋଲିଣ ଉଚ୍ଚେ ପଶୁପତିଗୁଣମାନ ସୁମରିଣ ବିଳାପ କରନ୍ତି ।କୋପ ପ୍ରଜ୍ୱଳିତ ହୋଇ କମ୍ପେ ଦେବକାୟାକେଣେ ଛାଡ଼ିଗଲ ମୋତେ ଦକ୍ଷର ତନୟା ।ଅନ୍ତରୀକ୍ଷରେ ଡମ୍ୱରୁ ବାଜେ ନବକୋଟିବାମ ଡାହାଣେ ଅଛନ୍ତି ନନ୍ଦୀ ଯେ ଭ୍ରୁକୁଟୀ ।ବିନାୟକ ଅଜୟନ୍ତ ଜୟନ୍ତ କାର୍ତ୍ତିକଚାରି କୁମରେ ଅଛନ୍ତି ବେଢ଼ି ଚାରିପାଖ ।ପଛରେ ଅଛନ୍ତି ରୁଦ୍ର ଅଠାଣୋଇ ଗଣକୋପେ ବାହାରିଲେ ସ୍ୱାମୀ ଅମ୍ୱିକା ରମଣ ।ଶିଂଘାନାଦ ଆଦିକରି ଶଙ୍ଖ ବୀଣାଯନ୍ତ୍ରଅମର ଦୁନ୍ଦୁଭି ବାଜେ କୋଟି କୋଟି ଛତ୍ର ।ଶଲ୍ୟ ଚକ୍ର କାତି ଗଦା ଶକ୍ତି ମୁଦୁଗରଅସିବର ପାଶୁପତ ପିନାକ ଆବର ।ବିଭୂତି ଲେପନ ଅଙ୍ଗେ ନାନା ଶସ୍ତ୍ର ଧରିଧାମନ୍ତି ଯେ ଶିବଗଣ ଶିବଙ୍କୁ ଆବୋରି ।ଧର ଧର ମାର ମାର ନିରତେ ଶବଦଦେଖିଣ ଶୂନ୍ୟପୁରୁଷେ ହୋଇଲେ ସ୍ତବଧ ।ପାର୍ବତୀ ଦହନ ଖେଦ ମନେ ମନେ ଧରିନିମିଷକେ ଆସିଲେ ସେ ଦକ୍ଷରାଜପୁରୀ ।ଈଶ୍ୱର ବିଜୟ ଯହୁଁ କୋପଭର ହୋଇଦେଖିଣ ଦେବ ଦାନବେ ପଳାଇଲେ ତହିଁ ।ଇନ୍ଦ୍ର ବ୍ରହ୍ମା ଆଦି ଦେବ ବରୁଣ ଭାସ୍କରଗନ୍ଧର୍ବଗଣ ଦେବତା ଯକ୍ଷ ଯେ କିନ୍ନର ।ତାର ବାର ଅଷ୍ଟବସୁ ଦଶ ଦିଗପାଳଚଉଦ ବ୍ରହ୍ମାଣ୍ଡ ଦେବ ଦେବୀ ଯେ ସକଳ ।କୋପେ ହର ଆସୁଛନ୍ତି ଅତିବେଗେ ବେଗେଦିଗପାଳ ଦେବତାଏ ନ ମିଳନ୍ତି ଆଗେ ।ବ୍ରାହ୍ମଣମାନେ ଅନଳେ ଆହୁତି ନ ଦେଇଛିନ୍ନଛିତ୍ର ହୋଇଣ ସେ ଯାଆନ୍ତି ପଳାଇ ।ଏକାଦକ୍ଷ ପ୍ରଜାପତି ଦମ୍ଭେ ଅଛି ରହିବନ୍ଧୁ ବାନ୍ଧବ ମିତ୍ରହିଁ ସଙ୍ଗେ କେହି ନାହିଁ ।କହୁ କହୁ ଈଶ୍ୱର ଯେ କଟାଳିଲେ ରାଗେଦେଖିଲେ ଯେ ପ୍ରଜାପତି ରହିଅଛି ଆଗେ ।ପାର୍ବତୀଙ୍କି ନ ଦେଖିଣ କୋପେ ପରଚଣ୍ଡଅଗ୍ନିରେ ପକାଇ ଛେଦି ପ୍ରଜାପତି ମୁଣ୍ଡ ।ତଥାପି ଶାନ୍ତ ନୋହିଲେ ଦେବ ତ୍ରିପୁରାରିରାଗେ ଗର୍ଜନ କରନ୍ତି ଊର୍ଦ୍ଧ୍ୱମୁଖ କରି ।ପାର୍ବତୀ ନ ଦେଖି ଦେବ ମନ ନୋହେ ସ୍ଥିରଅଗ୍ନି ଦେବଙ୍କୁ ଚାହିଁ ବୋଲନ୍ତି ଉତ୍ତର ।ଆରେ ଆରେ ବୈଶ୍ୱାନର ଭକ୍ଷିଲୁ ମୋ ନାରୀଜାଣୁ ପଞ୍ଚଆତ୍ମା ମୋର ଦକ୍ଷର କୁମାରୀ ।ପ୍ରତ୍ୟକ୍ଷେ ହିଙ୍ଗୁଳା ଦେବୀ ସେହି ଠାକୁରଣୀଦେଖୁ ଦେଖୁ ଦହିଲୁ ତୁ ମୋ କଥା ନ ଜାଣି ।ରଖିଥିଲେ ପାର୍ବତୀକି ଦିଅ ମୋର ଆଗେଆନ ଅଗ୍ନି ଜାତ ମୁହିଁ କରିବି ତ ରାଗେ ।ଅଗ୍ନିଦେବ ବୋଲେ କୋପ ନ କର ଗୋସାଇଁପାତାଳ ବୈକୁଣ୍ଠେ ଅଛି ତୋ ପାର୍ବତୀ ଥୋଇ ।ବ୍ରହ୍ମାଣ୍ଡର ବ୍ରହ୍ମଅଗ୍ନି ଜାତ କଲା ସେହିତାକୁ ନାଶ କରିବାକୁ ମୋର ବଳ କାହିଁ ।ଏତେବୋଲି ସନ୍ନିଧିରେ ପାର୍ବତୀଙ୍କି ଦେଲେମହାଆନନ୍ଦରେ ଦେବ ବସାଇଲେ କୋଳେ ।ସୁରସିଦ୍ଧଗଣ ମିଳି ଜୟ ଜୟ କଲେସୁଗନ୍ଧ କୁସୁମ ପୁଷ୍ପ ଶିରେ ନେଇ ଦେଲେ ।ଗନ୍ଧର୍ବେ ଗୀତ ଗାଇଲେ ବୀଣା ବଂଶୀ ଘେନିଈଶ୍ୱରଙ୍କ କୋପ ଶାନ୍ତ କଲେ ପଦ୍ମଯୋନି ।ବେଭାରେ ତ ଭୋଳନାଥ ଦେବ କାଶୀବାସିପାର୍ବତୀଙ୍କି ଦେଖି ଦେବ ମନେ ମନେ ହସି ।ଦକ୍ଷ ପ୍ରଜାପତି ନାରୀ ନାମ ଚନ୍ଦ୍ରକାନ୍ତିଦୁହିତା ଜ୍ୱାଇଁକି ଦେଖି ହୋଇ ତୋଷମତି ।ନିଜ ଭର୍ତ୍ତା ମରଣକୁ କିଛି ଭୟ ନାହିଁଜୟ ଶବଦେ ପାର୍ବତୀ ଦେବୀ ମୁଖ ଚାହିଁ ।ସୁବର୍ଣ୍ଣ ଥାଳିରେ ଅଷ୍ଟରତନ ପୂରାଇଅର୍ଘ୍ୟଥାଳି ଘେନି ଉଭା ହର ଆଗେ ଯାଇ ।ଦେଖି ତାଙ୍କୁ ଉପହାସ କଲେ ଶୂଳସାଇଁବୋଇଲେ ମୋ ଲିଙ୍ଗ ପୂଜାକର ଅର୍ଘ୍ୟଦେଇ ।ଏହା ଶୁଣୁଛନ୍ତି ଦେବେ ଆଉ ଅଷ୍ଟଋଷିବୋଇଲେ ନ ଭାଙ୍ଗ ଆଜ୍ଞାଗୋଟି ଶୁଭ୍ରକେଶୀ ।ଯେମନ୍ତ ତୋଷ ହୁଅନ୍ତି ମାଗୋ ତ୍ରିଲୋଚନସେହି ପ୍ରକାରେ କର ନ ଧର ଆନ ମନ ।ସେ ବଚନ ଶୁଣି ପ୍ରଜାପତିର ଭାରିଯାଗନ୍ଧ ପୁଷ୍ପ ଧୂପ ଦୀପ ଦେଇ କଲେ ପୂଜା ।ତାହା ଦେଖିଣ ଈଶ୍ୱର ମନେ କଲେ ଭୀତିବୋଇଲେ ତୁ ମୋର ମାତା ଅଟୁ ଚନ୍ଦ୍ରକାନ୍ତି ।ପ୍ରଜାପତିଠାରୁ ଶତଗୁଣେ ମହାଜ୍ଞାତାଆମ୍ଭର ନିଜ ଶାଶୁ ତୁ ପାର୍ବତୀର ମାତା ।ତୁମ୍ଭର ଭକତି ଦେଖି ହେଲୁ ଆମ୍ଭେ ବଶଯାହା ମାଗିବ ତାହା ମୁଁ ଦେବଇଁ ଅବଶ୍ୟ ।ଚନ୍ଦ୍ରକାନ୍ତିବୋଲେ ଯେବେ ବରଦେବୁ ମୋତେପାର୍ବତୀର ପିତା ପୁଣ ଜୀଇଁବ କେମନ୍ତେ ।ସଦାଶିବ ବୋଲେ ଶିର ପକାଇଲି ପୋଡ଼ିପାଉଁଶ ହୋଇ ପବନେ ଗଲାଣି ତ ଉଡ଼ି ।ଶିର ନ ଥିଲେ ଏ କାୟା କେମନ୍ତେ ହୋଇବଶୁଖିଲା ସପତ ଧାତୁ କେମନ୍ତେ ବର୍ତ୍ତିବ ।ଚନ୍ଦ୍ରକାନ୍ତି ବୋଲେ ତୁମ୍ଭେ ଦେବଙ୍କ ପ୍ରଧାନନ ହେଲା କର୍ମକୁ ତୁମ୍ଭେ କରିପାର ଆନ ।ନିଶ୍ଚେଁ ଯେବେ ମୋତେ ଦୟା କଲଦେବସ୍ୱାମୀଏକ୍ଷଣି ଜୀଆଇ ଦେବୁ ପ୍ରଜାପତି ଆଣି ।ଈଶ୍ୱର ବୋଇଲେ ଶିର ଦଗଧ ଅନଳେଆନ ଶିର ଲଗାଇ ମୁଁ ଦେବି ବକ୍ଷସ୍ଥଳେ ।ଚନ୍ଦ୍ରକାନ୍ତି ବୋଲେ ଶିର ଏଥି ପଡ଼ିନାହିଁମୁଁ ଧବଳାସ୍ତିରୀ ଶିର ପାଇବଇଁ କାହିଁ ।ଶିବ ଆଜ୍ଞା ଦେଲେ ପୂର୍ଣ୍ଣାହୁତି ଦେଲାବେଳେଛାଗଳ ଗୋଟିଏ କାଟି ପକାଇ ଅନଳେ ।ଦେଖ ଛାମୁରେ ପଡ଼ିଛି ଛାଗ ମୁଣ୍ଡଗୋଟିଶିରେ ଲଗା ପ୍ରଜାପତି ଅର୍ଘ୍ୟ ଘେନୁ ଉଠି ।ଏହାର ଶିର ସାଉଁଟି ଆଣ ଧାତିକାରେନେଇ ତାକୁ ଲଗା ପ୍ରଜାପତିର ବେକରେ ।ଦେଖି ସାଉଁଟି ଆଣିଲେ ଛାଗଳର ଶିରଲଗାଇଲେ ପ୍ରଜାପତି ଶିରେ ଧାତିକାର ।ଉଠିଲେ ସେ ପ୍ରଜାପତି ପୂର୍ବହେତୁ ପାଇଶୁକବ୍ରହ୍ମା ବୋଲେ ଶୁଣ ପରୀକ୍ଷ ନୃସାଇଁ ।ପୂର୍ବର ଯେ କଲାକର୍ମ ନୁହଇ ସେ ଆନପ୍ରଜାପତି ଭଳି ଲୋକ ଏଡ଼େ ବିଡ଼ମ୍ୱନ ।ମାନବର ଛାଗମୁଖ ସ୍ୱଭାବେ ତ ଦୁଃଖଆବର ବିଶେଷେ କଲେ ପଛକତି ମୁଖ ।ଅଗ୍ରେ ଉଭା ହୋଇଥିଲେ ଗନ୍ଧର୍ବ ଦେବତାଅଙ୍ଗାରପନ୍ନଗ ବୋଲେ ବିପରୀତ କଥା ।ଈଶ୍ୱର ଦେବତା ଏଡ଼େ ବପରୀତ କଲେଆପଣା ଶାଶୁର ହାତେ ଲିଙ୍ଗ ପୂଜା କଲେ ।ସେ ଭୋଳାନାଥ ଲିଙ୍ଗ ନ ଜାଣେ ଧର୍ମକର୍ମଗୁରୁପତ୍ନୀ ହୋଇ କଲା ଏଡ଼େକ ଅଧର୍ମ ।ଦକ୍ଷ ପ୍ରଜାପତି ଏହା ନ ଜାଣେ ଯୁକତେଈଶ୍ୱରଙ୍କୁ ବରଣ ସେ ନ କଲେ କେମନ୍ତେ ।ଜ୍ଞାନଧ୍ୱଂସ ହୋଇ ଦେବୀ କୁଣ୍ଡେ ଦେଲେ ଝାସଏଡ଼େ ଯାଗ ପାର୍ବତୀର ଯୋଗୁଁ ଗଲା ନାଶ ।ସ୍ୱରୂପ କହିଲୁ ଏହି ଚାରି ଏଥେ ଦୋଷୀସବୁହୁଁ ଅକର୍ମ କଲେ ଦେବ କାଶୀବାସୀ ।ଏହା ଶୁଣି ସଦାଶିବ କଲେ ମହାକୋପଅଙ୍ଗାର ପନ୍ନଗେ ଚାହିଁ ବୋଇଲେ ରେ ପାପ ।ଇନ୍ଦ୍ରର ଜ୍ୟେଷ୍ଠ ପୁତ୍ର ତୁ ସ୍ୱର୍ଗକୁ କାରେଣିବିଦ୍ୟାଧରଙ୍କ ଉପରେ ଅଟୁ ଶିରୋମଣି ।ଧନ ଜନ ଯଉବନ ଗର୍ବେ ଦେଲୁ ବାଛିବାଳକ ପ୍ରାୟ ନଜାଣୁ ହାନିଲାଭ କିଛି ।ଗୁରୁ ମହାଗୁରୁ ଆମ୍ଭେ ଆମ୍ଭଙ୍କୁ ନିନ୍ଦିଲୁଶଚୀ ଗର୍ଭେ ଜନ୍ମି ମହାପାତକ ଅର୍ଜିଲୁ ।ଜାଣୁ ଜାଣୁ ଆଚରିଲୁ ତୁହି ଦୁଷ୍ଟବୁଦ୍ଧିଯାଅ ତୁ ଅସୁର ହୁଅ ଆଜହୁ ଅବଧି ।ପ୍ରଥମରୁ ଆଦ୍ୟ ଚାରିଜନ୍ମ ପରିଯନ୍ତେମ୍ଲେଚ୍ଛଆଦି ନିଶାଚର ହେବୁ ଶୁଦ୍ଧଚିତ୍ତେ ।ଶୁଣି ଇନ୍ଦ୍ରର ନନ୍ଦନ କଲା ମହାଭୀତିବୋଇଲା ଶାପ କାରଣ କହ ପଶୁପତି ।ଈଶ୍ୱର ବୋଇଲେ ବହିଲୁ ତୁ ମତ୍ତଗର୍ବମନୁ ଏକ ଏକସ୍ତରି ଗଣ୍ଡା ଯୁଗ ଯିବ ।ତଦନ୍ତରେ ସ୍ୱାୟମ୍ଭୂବ ମନୁ ଯେ ହୋଇବଏକସ୍ତରୀ ଗଣ୍ଡାଯୁଗ ସେ ଭୋଗ କରିବ ।ତଦଅନ୍ତେ ହେବ ପୁଣି ବୈବସ୍ୱତ ମନୁଏତେ ଯୁଗଯାଏ ରହିଥିବ ତୋର ତନୁ ।ଦ୍ୱାପର ଯୁଗରେ ହେବ ଭାରତ ସମରଜଗନ୍ନାଥ ଜନ୍ମ ହେବେ ନନ୍ଦ ଗୋପ ଘର ।କଂସ ପାଦଭାରା ସହି ନ ପାରି ମେଦିନୀଗୁହାରି କରିବ ଯାଇ ଦେବଗଣ ଘେନି ।ତୃଣାବର୍ତ୍ତ ରୂପେ ତୁହି ମଥୁରାରେ ସ୍ଥିତଲୀଳା ବିନୋଦେ ମାରିବେ ତୋତେ ଜଗନ୍ନାଥ ।ତେବେ ତୋତେ ଯେ ପ୍ରାପତ ହେବ ସ୍ୱର୍ଗବାସଶ୍ରୀବିଷ୍ଣୁ ହସ୍ତରେ ମଲେ ଯିବ ସର୍ବ ଦୋଷ ।ଏତେ ଯୋଗେ ନିଜପଦ ପାଇବୁ ଯେ ତୁହିଏସନକ ଆଜ୍ଞା ଦେଲେ ପାର୍ବତୀର ସାଇଁ ।ଶୁଣ ହୋ ପରୀକ୍ଷ ରାଜା କହି ଶୁକଯତିଶ୍ରୀଭାଗବତ ପୁରାଣ ଅଟେ ପୁଣ୍ୟକୀର୍ତ୍ତି ।ତୁ ଯେ ପଚାରିଲୁ ତୃଣାବର୍ତ୍ତ ପୂର୍ବ ବାଣୀପାପାଧିପାପମାନ ତୁ କ୍ଷୟକର ଶୁଣି ।ଏସନ ପ୍ରକାରେ ତୃଣାବର୍ତ୍ତ ହେବ ଜାତକୃଷ୍ଣହସ୍ତେ ପ୍ରାଣଦେଇ ଲଭି ସ୍ୱର୍ଗପଥ ।ବାସବର ଜ୍ୟେଷ୍ଠପୁତ୍ର ସ୍ୱର୍ଗ ଅଧିକାରୀବାମଦେବ ସୁତ ଶଚୀ ଗର୍ଭୁ ଅବତରି ।କହଇ ଅଚ୍ୟୁତ ଦାସ ହରିବଂଶ ଶୁଣଅପୁତ୍ରକ ଦୋଷ ନାଶ ହୋଇବ ତକ୍ଷଣ ।ପଢ଼ିଲେ ସକଳ ପାପୁଁ ହେଳେ ଯିବ ତରିବୈକୁଣ୍ଠରେ ସ୍ଥାନ ଦେବେ ମୋହନ ମୁରାରି ।ଶ୍ରୀକୃଷ୍ଣଙ୍କ ଉଠିଆରୀ ଉତ୍ସବ ଓ ତୃଣାବର୍ତ୍ତ ବଧେ କଂସର ଖେଦଏଥୁ ଅନନ୍ତରେ ଶୁଣ ପାହିଲା ରଜନୀଗଗନେ ଉଦୟ ହେଲେ ସ୍ୱାମୀ ଦିନମଣି ।ନିତ୍ୟକର୍ମରେ ଲାଗିଲେ ଗୋପେ ସର୍ବଜନନନ୍ଦର ଘରେ ଉତ୍ସବ ଉଠିଆରୀ ଦିନ ।ଅନେକ ଦାନ ଦକ୍ଷିଣା ବ୍ରାହ୍ମଣକୁ ଦେଲେଈଶ୍ୱର ଆଳେ ଲକ୍ଷେକ ଗୋଦୋହନ କଲେ ।କାଳରାତ୍ରି ଦେବୀ ଆଗେ ଦେଲେ ବଳିଭୋଜାଅନେକ ସମ୍ଭାରେ କଲେ ଷଷ୍ଠୀଦେବୀ ପୂଜା ।ଘରେ ଘରେ ଦେଲେ ପୁଣି ଚନ୍ଦନର ଛରାଦ୍ୱାରେ ତୋରଣ ଲମ୍ୱାଇ ଦେଲେ କେରାକେରା ।ସଞ୍ଚି ପୁଷ୍ପ ଧୂପଧୂଆଁ ନଇମିଷ ପ୍ରାୟେଜମ୍ୱିଳ କଦଳୀ ଖଣ୍ଡରସ ଖଜାମୟେ ।ପଇଡ଼ ସରପଣା ଯେ ଅଧାମ ଲବଣୀଅନ୍ତୁଡ଼ିର ଭସ୍ମମାନ ପକାଇଲେ ଆଣି ।ଏଣେ କଂସ ସିଂହଦ୍ୱାରେ ଶବପଡ଼ୁ ପୁଣିକଂସ ଚିଆଇଁ ଉଠିଲା ସେ ଶବଦ ଶୁଣି ।ଏ କାହାର ଗଣ୍ଡି ମୁଣ୍ଡ ବୁଝି ଆସ ଯାଇଏମନ୍ତ ଆଜ୍ଞା ଦିଅନ୍ତେ ଲୋକେ ଗଲେ ଧାଇଁ ।ଦେଖିଲେ ପଡ଼ିଛି ତୃଣାବର୍ତ୍ତ ଗଣ୍ଡି ମୁଣ୍ଡଗିରିମନ୍ଦର ପରାୟେ ଦିଶଇ ତା ପିଣ୍ଡ ।ପର୍ବତ ଶିଖର ପ୍ରାୟ ଅସୁରର ଶିରଦେଖି ଥୟ କଲେ ଏହୁ ତୃଣାବର୍ତ୍ତ ବୀର ।ନଗ୍ରଜନମାନେ ହେଲେ ଆଶ୍ଚର୍ଯ୍ୟ ତା ଦେଖିଶ୍ରବଣେ ହସ୍ତ ଦେଇଣ ବୁଜି ବେନି ଆଖି ।କେ ବୋଲେ ଆମ୍ଭ ଦେଖନ୍ତେ ନ ଥିଲା ଏକଥାନୟନେ ଦେଖିଲି ନାହିଁ ଏସନ ବ୍ୟବସ୍ଥା ।କେ ବୋଲୁଛନ୍ତି ଏହି ତ ଅକଣ୍ଟକ ପୁରୀଏଡ଼େ କର୍ମ କେହୁ କଲା ଜନେ ନ ବିଚାରି ।କେ ବୋଲେ ଏହାକୁ ଅବା କଂସରାଜା ଦଣ୍ଡିନୋହିଲେ ପଡ଼ନ୍ତା କାହୁଁ ଦ୍ୱାରେ ମୁଣ୍ଡ ଗଣ୍ଡି ।କେ ବୋଲଇ ଏ ଅଟଇ କଂସ ପ୍ରାଣସଖାଅଷ୍ଟମଲ୍ଲଙ୍କ ଉପରେ ଅଟେ ଅଗ୍ରଲେଖା ।ମାତା ଏହାର ପୂତନା ଗୋପେ ଯାଇଥିଲାପାଖେ ନାହିଁ ଏହା ମାତା ଅଦଭୂତେ ମଲା ।ମାତା ପୁତ୍ରକୁ ଯେ ଥିସଲା ଏସନକ ଯୋଗଲଲାଟ ଲେଖନ କଥା ଯାକୁ ଯାହା ଭୋଗ ।ଏସନକ ବିଚାରନ୍ତେ ନଗ୍ରପୁର ଜନଡଗରା ଯେ କଲା କଂସ ଛାମୁକୁ ଗମନ ।ବୋଲେ ଦେବ ସାବଧାନେ ଶୁଣ ନରନାହାଅଗୋଚର ସିଂହଦ୍ୱାରେ ଦେଖିଲୁ ତ ଯାହା ।ତୁମ୍ଭର ଭଣଜା ତୃଣାବର୍ତ୍ତ ମହାବୀରବେନିଖଣ୍ଡ ହୋଇ ପଡ଼ିଅଛି ସିଂହଦ୍ୱାର ।କେ କଲା ଯେ ଏହି କୃତ୍ୟ ନ ଜାଣିଲୁ ତଥ୍ୟଦେଖିଲୁ ପଡ଼ିଛି ତୃଣାବର୍ତ୍ତ ନରନାଥ ।ପୂତନା ନାଶଯିବାର ଆଗୁ ଜାଣିଥିଲୁତୃଣାବର୍ତ୍ତ ସିଂହଦ୍ୱାରେ ପଡ଼ିଛି ଦେଖିଲୁ ।ଶୁଣି କଂସରାଜା ବେଗେ ପାଦେ ବିଜେକଲାନବର ସିଂହଦୁଆରେ ପ୍ରବେଶ ହୋଇଲା ।ଆହା ଭଣଜା ମୋହର ବୋଲି ଶୋକକରିଚିତ୍ତ ଅନ୍ତରାଳ ହେଲା ଶୋକେ ଦଣ୍ଡଧାରୀ ।ତୋହର ଜୀବନ୍ତେ ଥିଲେ ମୋର ସବୁ ଥିଲାଜାଣିଲି ତୋ ଅନ୍ତେ ମୋର ସବୁ ନାଶ ଗଲା ।ଏବେ ଏ ମଥୁରା ଲୋକେ ହେଲେ ଅରକ୍ଷିତତୁରେ ତୃଣାବର୍ତ୍ତ ବୀର ମୋର ପଞ୍ଚଭୂତ ।କା ଆଗେ କହିବି ବତ୍ସ କଲା ଏଡ଼େ କର୍ମଇଷ୍ଟ କୁଟୁମ୍ୱ ମାଇଲା ଗୋପେ ହୋଇ ଜନ୍ମ ।ନିଶ୍ଚୟ ଜାଣିଲି ହେଲା ବିପାକର କାଳଦିନକୁ ଦିନ ପଡୁଛି ଅଧିକ କଟାଳ ।ସାମାନ୍ୟ ଲୋକ କାହିଁକି କରିବାକୁ ଏହାଅସମୟ କାଳେ ଧାତା ହୋଇଲେ ଅସାହା ।ଯେବଣ ବୀରଙ୍କ ନାମେ ଦେବେ କରି ତ୍ରାସମୋହର କର୍ମ ଏମନ୍ତ ଗଲେ ପୁଣି ନାଶ ।ବହୁ ଆକୁଳ ହୁଅଇ କଂସ ନରପତିଶ୍ମଶାନ ଭୂମିକି ମଡ଼ା ନେଲେକ ତଡ଼ତି ।ପିଣ୍ଡ ଦହନ କରିଣ ସାରି ପ୍ରେତକର୍ମଜ୍ଞାତିବନ୍ଧୁ ମିଳି ତହିଁ କରନ୍ତି ଭୋଜନ ।ଶ୍ରୀକୃଷ୍ଣ ରହିଅଛନ୍ତି ନନ୍ଦର ମନ୍ଦିରେଲକ୍ଷେକ ଧାତ୍ରୀ ଖଟନ୍ତି ପ୍ରଭୁ ଶ୍ରୀପୟରେ ।ଦିନୁଦିନ ବର୍ଦ୍ଧମାନ ହେଲେ ଦେବ ହରିଗଜବୃନ୍ଦ ମଧ୍ୟେ ଯେହ୍ନେ ବିକ୍ରମ କେଶରୀ ।ନନ୍ଦ ଦକ୍ଷିଣ ମେଲାରେ ସୁପାତି ଯେ ଶଯ୍ୟାତହିଁ ଉତ୍ତାନେ ଶୟନ ପ୍ରଭୁ ଦେବରାଜା ।ପୂର୍ବେ କ୍ଷୀର ସମୁଦ୍ରରେ ଏହି ଅନ୍ତର୍ଯ୍ୟାମୀଅନନ୍ତ ଶଯ୍ୟା ଉପରେ ଯୋଗନିଦ୍ରା ସ୍ୱାମୀ ।ଏବେ ସେହିମତି ପ୍ରଭୁ ନନ୍ଦର ମନ୍ଦିରେବାଳଲୀଳା ଅବକାଶେ ରହି ଦାମୋଦରେ ।ମହାପ୍ରଳୟ ଶୟନେ ଯେହ୍ନେ କଳ୍ପବଟେହେଠବୁଡେ ମାର୍କଣ୍ଡକୁ ଦେଖିଲେ ନିକଟେ ।ଗର୍ଭର ଭିତରେ ରଖି କରାଇଲେ ଭ୍ରମଗୋପନଗ୍ରେ ରହି ହରି ମାୟାହିଁ ତେସନ ।ନନ୍ଦ ଯେ ଯଶୋଦା ଗୋପୀ ଗୋପାଳସକଳେବିଶ୍ୱକୂଟ ମାୟା ରଚି ଶ୍ରୀବାଳ ଗୋପାଳେ ।ତୃଣାବର୍ତ୍ତ ବଧକଥା କେହି ନ ଜାଣଇପ୍ରୋହିଣୀ ମରଣ ସ୍ୱପ୍ନପ୍ରାୟ ମଣି ତହିଁ ।ଯାର ମାୟାରେ ଜଗତଜନ ଅଛି ମୋହିଇନ୍ଦ୍ରାଦି ଗଙ୍ଗାଧର ଯା ନ ପାରନ୍ତି ଧ୍ୟାୟି ।କପଟେ ବାଳୁତ ରୂପ ଧରି ଲକ୍ଷ୍ମୀନାହାସନକ ସନାତନହିଁ ଚିନ୍ତୁଥାନ୍ତି ଯାହା ।ଶୁଭାଶୁଭ କର୍ମ ଯେହୁ ପାରେ ଆନ କରିଯା ନାମ ଧରି ସଂସାରେ ଜନେ ହୋନ୍ତି ପାରି ।ଦେବାଧି ଦେବଙ୍କର ଯେ ଅଟେ ମୁଖ୍ୟବାନନନ୍ଦ ମନ୍ଦିରେ ସେ ପ୍ରଭୁ କରିଛି ଶୟନ ।ଅପୂର୍ବ ନୀଳେନ୍ଦୀଦଳ ପ୍ରାୟ ଅଟେ ତନୁପୂର୍ବେ ପଶ୍ଚିମେ ଯେସନେ ଉଦେ ଇନ୍ଦ୍ରଧନୁ ।ମାରାଗେ ସୁବର୍ଣ୍ଣ ଢାଳି ଗଢ଼ିଲାକ ଆଣିଧନ୍ୟ ବିଧାତା ଏସନ ରୂପକୁ ନିର୍ମାଣି ।ଆଜାନୁଲମ୍ୱିତ ଯାର ଅଟେ ଭୁଜଦଣ୍ଡଉଦୟକାଳେ ଯେସନ ଦିଶେ ମାରତଣ୍ଡ ।ବିମ୍ୱଫଳ ଜାଣି ରଙ୍ଗ ଅଧରର ଶୋଭାରାଜୀବ ଲୋଚନ ସୁଧାକର ମୁଖପ୍ରଭା ।ହସ୍ତୀ ଥୋର ହସ୍ତ ଜାଣି ଶୋଭା ବେନିଭୁଜଦନୁଜ ଦେଖନ୍ତେ ବଢ଼େ ସ୍ୱାମୀବଳ ତେଜ ।ବିସ୍ତାର ବକ୍ଷ ଡମ୍ୱରୁ ଜାଣି କଟାକ୍ଷୀଣକୁଞ୍ଚିତ ସୁସଞ୍ଚ କେଶ ଲୋଳେ ବେନି କର୍ଣ୍ଣ ।ସ୍ଥାବର ଜଙ୍ଗମ କୀଟ ଆଦି ଚାରିଖାନିସବୁଦେବଙ୍ଗ ଠାକୁର ଶିରେ ରତ୍ନ ମଣି ।ଅଙ୍ଗେ ତୈଳ ଜର ଜର ଶିରେ ରଙ୍ଗ ଟୋପିଜାଜ୍ୱଲ୍ୟ ତେଜକୁ ଶୋଭା ପାଉଠି ଅଦ୍ୟାପି ।ରାଜୀବଲୋଚନ ଚାରୁ କଜ୍ଜଳର ରେଖାଘୃମିତଲୋଚନ ସ୍ୱାମୀ ତ୍ରଇଲୋକ୍ୟ ସଖା ।ପାରୁଶେ ଅଛନ୍ତି ଧାତ୍ରୀଗଣମାନେ ବେଢ଼ିସୁବର୍ଣ୍ଣ ଖଟେ ସୁପାତି ଉପରେ ପହୁଡ଼ି ।ଅଧାମ ଯେ ଦୁଧସର ଗୋଟିକା ଲବଣୀଭୋଜନ କରନ୍ତି ଷଡ଼ରସ ଚକ୍ରପାଣି ।କୃଷ୍ଣ ରୂପ ଦେଖି ସର୍ବେ ଗୋପାଙ୍ଗନାଗଣେକ୍ଷଣେ ନ ଛାଡ଼ନ୍ତି ବସିଥାନ୍ତି ଅନୁକ୍ଷଣେ ।ରୂପ ଗୁଣ ବାହୁନିଣ ଏକୁ ଆରେ କହିରେ ସଖି ଦେଖ ଏ କେଭେ ମାନବ ନୁହଇ ।କେବଣ ଦେବତା କୂଟେ ହୋଇଅଛି ଜାତଥୋକେ ବୋଲନ୍ତି ଅଟଇ ଏ ଯେ ମନମଥ ।ଏସନ ଅପୂର୍ବ ରୂପ ଦେଖିଲା ତ ନାହିଁକେ ବୋଲେ ଚକ୍ଷୁ ନିର୍ମଳ ହେଲା ମୁଖଚାହିଁ ।କେ ବୋଲଇ ଏହାକୁ ଯେ ବାଳୁତ ନବୋଲବିରହିଣୀ ସ୍ତିରୀଙ୍କର ହୁଅଇ ଏ ଶଲ ।ଜନ୍ମହେଲା ପୁତ୍ର ଗୋଟି କନ୍ଦର୍ପର ରୂପକେ ବୋଲେ ଗୋପନଗ୍ରର କ୍ଷୟ ଗଲା ପାପ ।କେ ବୋଲେ ଧାତାକାରଣକରି ଯେବେଏତେଏହାର ସଙ୍ଗରେ ସଙ୍ଗ ହୋଇବା କି ସତେ ।କେ ବୋଲଇ ଏହାର ଯେ ହେବା ପରିଚାରୀଈଶ୍ୱରଙ୍କ ସେବା କଲେ ଏହା ଲଭିପାରି ।ଗୋପପୁର ଲୋକଙ୍କର ଭାଗ୍ୟ ଉଦେହେଲାମୁକ୍ତି ଗତି ଦାତା ଆସି ପାଖରେ ମିଳିଲା ।ବାଟରେ ପ୍ରାପତ ଆସି ହେଲା ଅଷ୍ଟନିଧିଅସାଧନକୁ ସାଧନ କରିବ କି ବିଧି ।ନନ୍ଦଯଶୋଦା ଗୋ ପୂର୍ବେ କେତେ ପୁଣ୍ୟକରିପରମାନନ୍ଦ ପୁରୁଷ ମିଳି ଦେହ ଧରି ।ଗୋପନଗ୍ରେ ଛନ୍ତି ନବଲକ୍ଷ ଗୃହବାସୀଯେ ଯାହା ଶ୍ରଦ୍ଧାରେ କୃଷ୍ଣ ଦେଖୁଛନ୍ତି ଆସି ।ସମସ୍ତ ଗୋପୀଙ୍କ ମନ ମୋହି ନାରାୟଣଘରେ ଘରେ ପୁରେ ପୁରେ ଭାଳି ଅନୁକ୍ଷଣ ।ଅପୁତ୍ରିକ ଘରେ ହେଲା ଏହି ପୁତ୍ର ଜାତତେଣୁ ନନ୍ଦ ଯଶୋଦାର ମନ ଆନନ୍ଦିତ ।ଅନେକ ସାନନ୍ଦ ପୁଣି ନନ୍ଦ ଯଶୋବନ୍ତୀନଟ ଭାଟ ଜଉତିଷେ ବଧାଇ ଦିଅନ୍ତି ।ଦିନୁ ଦିନ ଆନନ୍ଦ ଯେ ବଢ଼େ ଗୋପପୁରେବଡ଼ ଆନନ୍ଦ ଉତ୍ସବ ନନ୍ଦର ମନ୍ଦିରେ ।କୋଟିପାଦେ କମଳିଣୀ ବିଜେକଲେ ଆସିଅମର ଭୁବନ ବାରସ୍ୱତୀ ପ୍ରାୟ ଦିଶି ।ବୃଦ୍ଧମାନେ ପାଲଟିଣ ହେଲେ ନବଯୁବାଅଧିକେ ଗୋପନଗର ଦିଶିଲାକ ଶୋଭା ।ଅବସନ୍ତରେ ବସନ୍ତ ବହେ ଘନଘନଝିଙ୍କ ପକ୍ଷୀ ଶୁକସାରୀ କୋଳାହଳ ସ୍ୱନ ।ରୋଗ ଶୋକ ଚିନ୍ତା ନାହିଁ କାହାରି ହିଁ ଅଙ୍ଗଲଭିଲେ ଧର୍ମମାର୍ଗ ଶ୍ରୀକୃଷ୍ଣ ଅଙ୍ଗସଙ୍ଗ ।ଇତି ଶିରୀ ଭାଗବତ ଗ୍ରନ୍ଥ ପୁଣ୍ୟଧ୍ୱନିଧର୍ମ ଅର୍ଥ କାମ ମୋକ୍ଷ ସିଦ୍ଧ ହୋଇ ପୁଣି ।ପବିତ୍ର ଏ ଗଙ୍ଗାଜଳ ଗ୍ରନ୍ଥ ପୁଣ୍ୟମୟେଅଷ୍ଟାଦଶ ଅଧ୍ୟା ଏଥେ ସମାପତ ହୁଏ ।ଜୟ ଗୋପୀନାଥ ବାଳଗୋପାଳ ମୂରତିଅପାରୁ ଅପାର ଗୁଣ ନ ଜାଣଇ ଶ୍ରୁତି ।ଏ ଦ୍ୱାପରେ ଭାରାଭର ନିବାରଣ ଅର୍ଥେସଦୟେ ଉଦୟେ ଗୋପେ ଗୋପୀଙ୍କ ନିମନ୍ତେ ।ରାମ ଅବତାରେ ପ୍ରଭୁ ପାଇଥିଲେ ଦୁଃଖତେଣୁ ରଙ୍ଗା ଅବତାର ହେଲେ ପଦ୍ମମୁଖ ।ଜନରଞ୍ଜନ ମୂରତି ବାଳୁତ ଏ ରୂପେସମୟେକ ଦେହ ଗୋପ୍ୟ କରିଛନ୍ତି ଗୋପେ ।ବାଣ ବଜ୍ରନାଭ ଆଦି ବହୁ ଦୁଷ୍ଟରାଜାପୃଥ୍ୱୀ ନ ସହଇ ଭାରା ଅତି ଉଗ୍ରତେଜା ।ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଦନ୍ତବକ୍ର ଯେ ରୁକ୍ମଣଏହାଙ୍କ ନାମ ଧରନ୍ତେ ତ୍ରାସି ଦେବଗଣ ।ଅନେକ ଦର୍ପିଷ୍ଠେ ଯହୁଁ ହେଲେ ପୃଥ୍ୱୀ ଜାତଗୋ ବ୍ରହ୍ମାଣ ଋଷି ତପ ତ୍ରାସି ଅନୁବ୍ରତ ।ସ୍ୱାହା ସ୍ୱଧା ବୈଶ୍ୱଦେବ ହୋମ ଜପମୂଳେଧର୍ମ ଅର୍ଥ ସ୍ଥାପନ ନ ହେଲା ରବିତଳେ ।ସକଳ ଦେବଙ୍କ ମନ ହୋଇଲା ଉଚ୍ଚାଟବୁଡ଼ିଲାକ ଧର୍ମମାର୍ଗ ବଢ଼େ ପାପ ବାଟ ।ତୁମ୍ଭେ ଯେବେ ନ ପାଳିବ ଏହୁ ବସୁନ୍ଧରୀଆବର ଆନ ବଳେ କି ରକ୍ଷା କରିପାରି ।ନମସ୍ତେ ବାଳମୁକୁନ୍ଦ ଯଶୋଦାଙ୍କ ବଳାଗୋବିନ୍ଦ ନାମ ସଂସାର ସାଗରକୁ ଭେଳା ।ସେ ଦେବଙ୍କ ପଦ୍ମପାଦେ ଳୁଳୁ ମୋର ମାଥଅଚ୍ୟୁତାନନ୍ଦ ଦାସ ମୁଁ ପ୍ରଭୁର ଭକତ ।ଶ୍ରୀକୃଷ୍ଣଙ୍କ ଦୋଳି ଶୁଆଣୀଏଥୁଅନ୍ତେ ଶୁକମୁନି ହରଷିତ ହୋଇବୋଲନ୍ତି କହିବା ଶୁଣ କୁରୁ ନରସାଇଁ ।ଶ୍ରୀକୃଷ୍ଣର ଦୋଳଳୀଳା କ୍ରୀଡ଼ାରସ ବାଣୀକୋଟିଏ ଜନ୍ମର ପାପ ଯିବ ଏହା ଶୁଣି ।ସ୍ତମ୍ଭନ ମୋହନ ବିଦ୍ୟା ବଶ୍ୟ ଉଚ୍ଚାଟନଧରଣ ଧାରଣ ପୁଣି କୁହୁକ ଅଞ୍ଜନ ।ନୃତ୍ୟ ଗୀତ ତାଳ ଲୟ ରହସ୍ୟ ଜ୍ୟୋତିଷନାଟକ ନାଟିକା ଯୋଗ ପୁରାଣ ଭବିଷ୍ୟ ।ଋଦ୍ଧି ସିଦ୍ଧିଆଦି ବିଦ୍ୟା ସଂସାରେ ଯେ ଅଛିଦୋଳିକ୍ରୀଡ଼ା ବିନୋଦକୁ ସମ ନୁହେ କିଛି ।ରଙ୍ଗା ଅବତାରେ ବିଷ୍ଣୁଙ୍କର ବାଳଲୀଳାଗୋପୀ ଗୋପାଳଙ୍କ ସଙ୍ଗେ କଲେ ନାନା ଖେଳା ।ତ୍ରୟତ୍ରିଂଶକୋଟି ଦେବ ଗୋପୀରୂପ ଧରିଗୋବିନ୍ଦ ଚିତ୍ତ ରଞ୍ଜିବା ପାଇଁ ଅବତରି ।ଯମୁନା ନିକୁଞ୍ଜ ବନେ ଯେତେ ବୃକ୍ଷଶୋଭାପାଉଛନ୍ତି ସେ ସକଳେ ସ୍ୱର୍ଗଦେବୀ ଦେବା ।ନାରାୟଣ ଅବାତର ହୋଇଛନ୍ତି ଯହିଁଦେବ ଅଗୋଚର ନରେ ଜାଣିବେ ତା କାହିଁ ।ଦିନୁଦିନ ବର୍ଦ୍ଧମାନ ହେଲେ ଚକ୍ରପାଣିଏକୋଇଶ ଦିନେ କଲେ ଦୋଳିରେ ଶୁଆଣି ।ଘରମାନ ମଣ୍ଡି ଦେଲେ ଚନ୍ଦନର ଛରାଅପୂର୍ବ ଝିନ ବାସରେ ପାରିଲେ ପାଏରା ।ନେତପତନୀ ଝରାରେ ଶୋଭିଲା ମାଞ୍ଜିଷ୍ଠଦୋସରା ଝିନବସନ ନାନାବର୍ଣ ପାଟ ।ବାସନ୍ତୀ ମାଧବୀ ମଲ୍ଲୀ ବଣମଲ୍ଲୀ କଳାକାହିଁ ଲମ୍ବିଛି ସୁଗନ୍ଧ କୁସୁମର ମାଳା ।ଉଭା ତୋରଣ ଦର୍ପଣ ଲମ୍ୱେ ପନ୍ତି ପନ୍ତିଗୋବିନ୍ଦ ଦୋଳିଶୁଆଣି ମନ୍ଦିରେ ମଣ୍ଡନ୍ତି ।ଅମର ବୈକୁଣ୍ଠ ରମ୍ୟ ମନୋହର ସ୍ଥାନକପିଳାସ ପୁର କିବା ଅମର ଭୁବନ ।କର୍ପୂର କସ୍ତୁରୀ ଗନ୍ଧ ପନୀଅର ପାଣିଶରୀର ଆମୋଦେ ମୁକ୍ତା ମନ୍ଦିର କି ଜାଣି ।ଦେଖି ଗୋପନଗ୍ର ଲୋକେ ହୋଇଲେ ଉସତକେ ବୋଇଲେ ନୁହଇ ଏ ଜାଣ ନରକୃତ୍ୟ ।କେବଣ ଦେବତା ଆସି କଲେ ଏଥି ବିଜେକେ ବୋଲଇ ନୂଆ ଏହି କଂସରାଜା ରାଜ୍ୟେ ।କେ ବୋଲଇ ନନ୍ଦଘରେ ଦୋଳିଶୁଆ ଆଜଅପୁତ୍ରୀ ପୁତ୍ର ପାଇଲା କରିବ ନା କାର୍ଯ୍ୟ ।ସହସ୍ରେକ ବଖରା ଯେ ମଣ୍ଡିଲେ ସୁସଞ୍ଚନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ ।ତହିଁ ଉପରେ ଶୋଭଇ ସୁବର୍ଣ୍ଣରଚାଳଖଞ୍ଜିତ ଅଷ୍ଟରତନ ପତନି ଚିରାଳ ।ବେଦୀର ଭିତରେ ଶୋଭା ଜାଣି ଖମ୍ୱଗୋଟିଅଳଙ୍କାର ସବୁଙ୍କରି ଶରୀରେ ଚହଟି ।ମଣି ମାଣିଜ୍ୟ ମୁକୁତା ଝରା ଝୁମ୍ପା ଲମ୍ବେନନ୍ଦାବର୍ତ୍ତ କମରାଜି ବିରାଜଇ ଖମ୍ୱେ ।ଉପରେ ସୁବର୍ଣ୍ଣମୟ କଳସର ଶୋଭାମଧ୍ୟାହ୍ନ ଆଦିତ୍ୟ ପରି ଦିଶେ ତାର ଶୋଭା ।ଆଙ୍କୋଡ଼ା ଆଙ୍କୋଡ଼ି ଶୁଦ୍ଧ ସୁବର୍ଣ୍ଣ ଶିକୁଳିହୀରା ନୀଳା କାଠି ଗଜଦନ୍ତର ପିତୁଳି ।ରସାଣିଲା ପାନପତ୍ର ଚଉପାଶେ କମବିଚିତ୍ର ପାଟ ପତନୀ ମରକତ ହେମ ।ବଇଠିର ଚାରିକ୍ଷୁରେ ନାନାରତ୍ନ ଲମ୍ୱେଚିତ୍ରାଙ୍କିତ ପାଟମାନ ବିରାଜନ୍ତି ଖମ୍ୱେ ।କୁବେର ଭଣ୍ଡାରୁ ରତ୍ନ ନିଜେ ବାଛି ଆଣିବିଶ୍ୱକର୍ମା ଖଞ୍ଜିଅଛି ଯାହାକୁ ନିର୍ମାଣି ।ତା ତୁଲେ ଉପମା ଆଉ ଦେବଇଁ ମୁଁ କିସପଟାନ୍ତର ନାହିଁ ଯାକୁ ପୁର ଚତୁର୍ଦ୍ଦଶ ।ଏକଇ ରତ୍ନର ମୂଲ୍ୟ କୋଟିଏ ଭଣ୍ଡାରକେତେ ରତ୍ନ ଖଞ୍ଜିଅଛି ନାହିଁ ପାରାବାର ।ରତ୍ନ ତେଜେ ତେଜୋବନ୍ତ ଦିଶଇ ସେ ଦୋଳିଅନ୍ଧାର ତୃଣକୁ ଦିଏ କିଞ୍ଚିତରେ ଜାଳି ।ମଲ୍ଲୀ ମାଳତୀ ବକୁଳ ଚମ୍ପା ଜାତି ଜାତିପାଟଳୀପୁଷ୍ପ ପୁନ୍ନାଗ ଅଶୋକ ସେବତୀ ।କୁରୁବଲ୍ଲୀ ଯେ ସୁଗନ୍ଧରାଜ ପନ୍ତି ପନ୍ତିଆମ୍ବ ଖର୍ଜୁଲି ପଣସ ବୃକ୍ଷହିଁ ଅଛନ୍ତି ।ସୁବାସ ଶୀତଳ ପରିମଳ ପୁଷ୍ପମାଳିବିଚିତ୍ର ଲେଖନ ନାନାବର୍ଣ୍ଣର ପିତୁଳି ।ଧନ୍ୟ ସେ ଚାନ୍ଦୁଆ ଖଟ ଦୋଳିପରେ ଶୋହେଚାହିଁବା ମାତ୍ରକେ ମନ ଅବହେଳେ ମୋହେ ।ତାରାଗଣ ସହିତରେ ଚନ୍ଦ୍ର ଅଛି ତହିଁତ୍ରୈଲୋକ୍ୟ ଭିତରେ ତାକୁ ପଟାନ୍ତର ନାହିଁ ।ଗୋବିନ୍ଦ ଦୋଳିଶୁଆଣି ବାରତାକୁ ଶୁଣିଦେବତା ଗନ୍ଧର୍ବଗଣ ଥିଲେ ଦିନୁ ଗଣି ।ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ବିଜେ କଲେ ଯାଇଗୁପତରେ ବିଶ୍ୱକର୍ମା ଆସି ମିଳେ ତହିଁ ।ମାୟା ଭୁବନ ନୁହଇ ମାନବଙ୍କୁ ଦୃଶ୍ୟଆପେ ଦୋଳି ଲାଗି ହେବେ ପରମ ପୁରୁଷ ।ପଞ୍ଚୁଆତି କର୍ମ ପାଞ୍ଚଦିନେ ଥିଲେ ସାରିଷଠିଜିଉଛିଙ୍କୁ ଷଷ୍ଠୀଦିନ ପୂଜାକରି ।ଏମନ୍ତେ ବିଂଶ ସଂସ୍କାର ହେଲା ଯହୁଁ ଶେଷନାମକରଣ ସଂସ୍କାର ଦିନ ଏକୋଇଶ ।ବିଚିତ୍ର ବେଦୀ ଉପରେ ସୁନା ଖଟ ଦୋଳିତଥିପରେ ଶେଯାଇଲେ ଦାସୀ ନେତ ତୂଳି ।ନାନା ତରନେ ମଣ୍ଡଣି କଲେ ସେହି ଘରଭେରୀ ମୃଦଙ୍ଗ ଆଦି ଯେ ବାଜେ ବୀରତୂର ।ବିଜିଘୋଷ ତାଳ ଶଙ୍ଖ ମର୍ଦ୍ଦଳ ମହୁରୀଶିଙ୍ଘାରୀ ଶିଙ୍ଗବାଦ୍ୟ ଯେ ନାଗରା ଦୋସରୀ ।କଡ଼ାଘୁମୁରା ଚାଙ୍ଗୁ ଯେ କଂସାଳ କାହାଳିଘଣ୍ଟି ରାମତାଳି ବାଦ୍ୟ ବାଜେ ଭଳି ଭଳି ।କାମିନୀମାନେ ଗାବନ୍ତି ବସି ଦୋଳିଗୀତଅଳାବେଣୀ ହୁଳହୁଳି ସୁସ୍ୱର ଲଳିତ ।ନାନାବର୍ଣ୍ଣେ ପିଠା ଖଜା ସ୍ୱାଦୁ ପକ୍ୱଫଳଆମ୍ୱ ଜମ୍ୱିଳ ପଣସ ରମ୍ଭା ନାରିକେଳ ।ଦାରାକ୍ଷ ପେଣ୍ଡି ଖର୍ଜୁରୀ ବୃନ୍ଦାହୁଳ ଗୁଆନାନାବର୍ଣ୍ଣ ପୁଷ୍ଣ ଏକଭଳି ନୂଆ ନୂଆ ।ଦୂର୍ବା ଅକ୍ଷତ ତଣ୍ଡୁଳ ପୂର୍ଣ କୁମ୍ଭ ଆଣିଶ୍ରୀଫଳ ଯେ ଚୂତପତ୍ର ନାନାତାର୍ଥ ପାଣି ।ମତ୍ତେ ମତୁଆଳ ଗୋପୀ ଗୋପ ଗୋପବେଟାଢଗଢ଼ମାଳିଆ ଗାଇ ନାଚନ୍ତି ଖେମଟା ।ସିନ୍ଧୁଆ ପାଟ ବାସନ୍ତୀ ମାଧବୀ ଯେ ପିନ୍ଧିହସ୍ତରେ କେନ୍ଦୁ ଲଉଡ଼ି ପାଦେ ଘଣ୍ଟି ବାନ୍ଧି ।ନନ୍ଦ ଉପନନ୍ଦ ପୁଣି ସୁନନ୍ଦ ସହିତେସୁଷେଣ ଚନ୍ଦ୍ରସେଣାଦି ଗୋପବୃନ୍ଦ ଯେତେ ।ଯେ ଯାହା ଯୋଗାଡ଼ ଘେନିଅର୍ଘ୍ୟଦ୍ୟନ୍ତିନିତ୍ୟେଗୋପ ଗୋପାଳ ବାଳକେ ମାତି ନୃତ୍ୟଗୀତେ ।ସମସ୍ତ ଗୋପାଳ ଆସି ମିଳି ନନ୍ଦଦ୍ୱାରେଦେଖଣା ଯୋଗାଡ଼ମାନ ଘେନି ଯେ ଯାହାରେ ।ଇଷ୍ଟବନ୍ଧୁ ସୁହୃଦ ଯେ ସଖା ନାନାଜାତିନନ୍ଦଘରେ ଦୋଳିଶୁଆ ସମସ୍ତ ଦେଖନ୍ତି ।ଏକୁ ଆରେକ ମଣ୍ଡଣି ଦିଶେ ବିତପନକେହୁ ଯେ ବୋଲନ୍ତି ଧନ୍ୟ ଆମ୍ଭର ଜୀବନ ।ନନ୍ଦପୁଅ ଦୋଳିଶୁଆ ଦେଖ ଦିବ୍ୟସଜତହିଁ ବିଜୟେ ଦେବାଧିଦେବଙ୍କର ରାଜ ।ପ୍ରତ୍ୟକ୍ଷେ ମାନବ କୀର୍ତ୍ତି ପ୍ରାୟ ଦିଶୁନାହିଁବିଷ୍ଣୁର ଭୁବନ ପ୍ରାୟ ନିର୍ମଳ ଦିଶଇ ।ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃମଣିବିଚିତ୍ର ଭାଗବତ ଏ ଶ୍ରୀକୃଷ୍ଣର ବାଣୀ ।ଏ ସମୟେ ବସୁଦେବ କରଇ ବିଚାରନନ୍ଦଘରେ ଛାଡ଼ିଥିଲି ପୁତ୍ରକୁ ମୋହର ।ଏକବିଂଶ ଦିନ ହେଲା ଆଜକୁ ଗଣନ୍ତେକିସ ନାମ ଦେବ ନନ୍ଦ ଜାଣିବି କେମନ୍ତେ ।ଗୁରୁଙ୍କୁ ଗୁପତେ ପେଷି ବୁଝିବି ସକଳସେ ଗଲେ ବାରତା ଆଣି କହିବେ ଚଞ୍ଚଳ ।ଏତେ ବିଚାରି ଗାର୍ଗ୍ୟଙ୍କୁ ସନ୍ନିଧେ ହକାରିବହୁତ କାକୁସ୍ଥ ହୋଇ କହେ ପୁଃରସରି ।ବୋଲଇ ହେ ଗାର୍ଗ୍ୟ ତମ୍ଭେ ଶୁଣ ମୋରକଥାତୁମ୍ଭଠାରୁ ସୁହୃଦ ମୋ ନାହିଁ ନା ସର୍ବଥା ।ତୁମ୍ଭେ ତ ଜାଣ ମୋହର ବେଦନା ହିଁ ଯେତେପରମବ୍ରହ୍ମ ମୁନି ତୁ କହିବଇଁ କେତେ ।ତୁମ୍ଭେ ଆମ୍ଭ ପୁରୋହିତ ପଣ୍ଡିତ ଅଗ୍ରଣୀଭୂତ ଭବିଷ୍ୟତ ଆଦି ତିନିକାଳ ଜାଣି ।ଭୋ ମୁନି ତୁମ୍ଭର ମୁହିଁ କରିବି କି କାର୍ଯ୍ୟଅତ୍ୟନ୍ତ ଗୁପତ କଥା କହିବଇଁ ଆଜି ।ତୁମ୍ଭେ ଜାଣ କଂସ ଷଡପୁତ୍ର ବଧ କଲାପୁତ୍ରେକ ପୁଣି ଯେ ଗର୍ଭୁ ସଂକ୍ରମିଣ ଗଲା ।ଏବେ ନନ୍ଦଘରେ ପୁତ୍ର ଅଇଲି ମୁଁ ଥୋଇତୁମ୍ଭ ବିନୁ ସେ କଥା ମୁଁ ଆନେ କହି ନାହିଁ ।ଆଜ ତାର ନନ୍ଦଗୃହେ ଦୋଳିଣୁଆ ପୁଣିକି ନାମ ଦେଇ ଆସିବ ତୁମ୍ଭେ ପୁଣି ମୁନି ।ଜାଣିଲେ ଲାଗିବ କଂସ ମନେ ବଡ଼ ବ୍ୟଥାକେହି ନ ଜାଣିବେ ମୁନି ଯେମନ୍ତେ ଏ କଥା ।ବାସୁଦେବ ବାକ୍ୟ ଣୁଣି ଗର୍ଗ୍ୟମୁନି ଖୁସିସେଠାବାକୁ ଯିବୁ ବୋଲି ଆମ୍ଭେ ଅଛୁ ଆସି ।ସକଳ ଦେବତା ଥିବେ ସେଠାରେ ଗୁପତେଆମ୍ଭ ଭଳି ଲୋକର ତ ଯିବାର ଯୁକତେ ।ଶୁଣି ବସୁଦେବ ଅତି ସନ୍ତୋଷ ହୋଇଲେସେହି ଅନୁକୂଳେ ଗାର୍ଗ ଗୋପପୁରେ ଗଲେ ।ଆରୋହିଣ ମନଦଣ୍ଡ ଯାନ ମୁନିବରତକ୍ଷଣେ ପ୍ରବେଶ ଯାଇ ନନ୍ଦର ମନ୍ଦିର ।ଦେଖିଲେ ଗୋପ ନଗରେ ଅତ୍ୟନ୍ତ ମଣ୍ଡନସ୍ୱହସ୍ତରେ ବିଶ୍ୱକର୍ମା କରିଛି ନିର୍ମାଣ ।ପ୍ରଶଂସା କରି ମିଳିଲେ ମୁନି ନନ୍ଦ ଆଗେନମସ୍କାର କଲେ ନନ୍ଦ ଯଶୋଦା ଉଦ୍ବେଗେ ।ରତ୍ନଝରିରେ ଯଶୋଦା ଦ୍ୟନ୍ତି ପାଣି ତୋଳିଆପଣେ ନନ୍ଦ ମୁନିଙ୍କ ଶ୍ରୀପାଦ ପଖାଳି ।ଦୂର୍ବାକ୍ଷତ ଗନ୍ଧ ପୁଷ୍ପ ନଇବେଦ୍ୟ ଦେଲେଭକତି ଭାବେ ମୁନିଙ୍କୁ ଗଉରବ କଲେ ।ସୁବର୍ଣ୍ଣ ପିଢ଼ାରେ ପୁଣି କୃଷ୍ଣାଜିନ ପାଡ଼ିଗଉରବ ପାଇ ମୁନି ବସିଲେ ତା ମାଡ଼ି ।ନନ୍ଦ ବୋଲେ ମୁନି ହେ ମୁଁ ଲୋଡ଼ୁଥିଲି ଯାହାବାଞ୍ଛା ସିଦ୍ଧ ହେଲା ଏବେ ପାଇଲଇଁ ତାହା ।ପ୍ରତ୍ୟକ୍ଷେ ପ୍ରାହ୍ମଣ ତୁମ୍ଭେ ତପୀ ମୁଖ୍ୟବାନବେଦବେଦିଙ୍କ ବିପ୍ରଙ୍କ ମଧ୍ୟରେ ପ୍ରଧାନ ।ପ୍ରୟାଗ ତୀର୍ଥରେ ବଟ ଉପରକୁ ଯାଇପ୍ରତ୍ୟକ୍ଷେ ମଣିକର୍ଣ୍ଣିକା ତୀର୍ଥେ ଝାସ ଦେଇ ।ମହାପୁଣ୍ୟ କରିଥିଲେ ତୁମ୍ଭ ଭେଟ ହୋଇପୂର୍ବଜନ୍ମର ପୁଣ୍ୟରୁ ତୁମ୍ଭଙ୍କୁ ମୁଁ ପାଇ ।ଭୋ ମୁନି ଅପୁତ୍ରୀଘରେ ପୁତ୍ର ହୋଇ ଜାତକରିଛି ଦୋଳିଶୁଆଣି ଏକାଇଶ ରାତ୍ର ।ଯେବେ ତପୋବନ୍ତ ମୋର ଘେନିଲଟି ସେବାବେଦଶାସ୍ତ୍ର ପ୍ରମାଣରେ ନାମ ବାଛି ଦେବା ।ଗାର୍ଗ୍ୟ ବୋଇଲେ ହେ ନନ୍ଦ ଶୁଣ ମୋର ବାଣୀଏ ବେନିପୁତ୍ର ତୁମ୍ଭର ଦେବ ଶିରୋମଣି ।ପୃଥିବୀର ଭାରାଭର ନିବାରିବା ପାଇଁନାରାୟଣ ଯେ ମନୁଷ୍ୟେ ଜନମି ଅଛଇ ।ଲଭିବୁ ସୁଫଲଗତି ହେଲୁ ପୁଣ୍ୟମୟକୋଟିଏ ଜନ୍ମର ପାପ ଗଲା ତୋର କ୍ଷୟ ।ସନକାଦି ଋଷି ଯାକୁ କରୁଛନ୍ତି ଧ୍ୟାନସେ ବିଷ୍ଣୁ ହୋଇଲେ ଆସି ତୋହର ନନ୍ଦନ ।ଏଥିରୁ ଅଧିକ ଲାଭ କି ଅଛି ବୋଲିବାପୂର୍ବଜନ୍ମେ କରିଥିଲୁ ଜପ ତପ ସେବା ।ତେଣୁ ପୁତ୍ରରୂପେ ଏବେ ଲଭିଲୁ ଶ୍ରୀହରିତୋ ସମାନେ ଭାଗ୍ୟବନ୍ତ ନାହିଁ ତିନିପୁରୀ ।ଏତେ ବୋଲି ଗାର୍ଗ୍ୟମୁନି ଆସନୁ ଉଠିଲେବାଳଗୋପାଳଙ୍କୁ ଯାଇ ନିରୋପି ଦେଖିଲେ ।ମାୟାବଳେ ମାୟାଧର ଶୋଇଛନ୍ତି ଶେଯେମୋହନ ମୂରତି କରେ ଶଙ୍ଖ ଚକ୍ର ସାଜେ ।ଦୀପ୍ତିମନ୍ତ ହୋଇ ତେଜ ଦିଶେ ମହାଶୋଭାପୂର୍ଣ୍ଣମୀ ଚନ୍ଦ୍ରମା ପ୍ରାୟ ବିରାଜଇ ପ୍ରଭା ।ବିଷ୍ଣୁ ଦିବ୍ୟତେଜ ଦେଖି ଗାର୍ଗ୍ୟହେଲେ ମୋହିମନ ମଧ୍ୟେ ବିଚାରିଲେ ପରଂବ୍ରହ୍ମ ଏହି ।ଏସନକ ଚିନ୍ତା ମୁନି ଅନ୍ତର୍ଗତେ କଲେନିସ୍ତରିଲି ବୋଲି କହି କୃଷ୍ଣଙ୍କୁ ଧଇଲେ ।ରୂପ ଦେଖି ଆନନ୍ଦରେ ମୁଖେ ଚୁମ୍ବଦେଇବାଳମୁକୁନ୍ଦକୁ ଖଟେ ଶୁଆଇଲେ ନେଇ ।ନନ୍ଦ ଯଶୋଦାଦି ଯେତେ ଗୋପ ଗୋପୀଥିଲେତାହା ଦେଖି ଏକମୁଖେ ଜୟଧ୍ୱନି କଲେ ।ସୁଲକ୍ଷଣୀ ନାରୀଗଣ ହୁଳହୁଳି ଦେଇଆନନ୍ଦରେ ନୃତ୍ୟ କଲେ ଦୋଳିଗୀତ ଗାଇ ।ସୁବର୍ଣ୍ଣ ଥାଳିରେ ପଞ୍ଚରତ୍ନ ସାଜି ଆଣିଶ୍ରୀକୃଷ୍ଣଙ୍କୁ ବନ୍ଦାଇଲେ ଯଶୋବନ୍ତୀ ରାଣୀ ।କୌଶଲ୍ୟା କୋଳରେ ଯେହ୍ନେ ରାମଚନ୍ଦ୍ର ଶୋଭାରେଣୁକା କୋଳରେ ପର୍ଶୁରାମ ଅଛି ଅବା ।ଅନସୂୟା କୋଳେ ଯେହ୍ନେ ଦେବାନ୍ତକ ମୁନିଯଶୋଦା ଦିଶନ୍ତି ତେହ୍ନେ କୃଷ୍ଣ କୋଳେ ଘେନି ।ଭାଦ୍ର ଶୁକ୍ଲ ତ୍ରୟୋଦଶୀ ତିଥି ବୁଧବାରଶତଭିଷା ନାମେ ଋକ୍ଷ ଅଟେ ସେ ଦିନର ।ବାଳବ ନାମେ କରଣ ବ୍ୟତିପାତ ଯୋଗକନ୍ୟା ସଂକ୍ରାନ୍ତିରୁ ପଞ୍ଚତ୍ରିଂଶ ଦିନ ଭୋଗ ।ଏସନ ବାରତା ସ୍ୱର୍ଗେ ପାଇ ପୁରୁହୂତଧାତିକାରେ ବିଜେ କଲେ ଚଢ଼ି ଐରାବତ ।ଗନ୍ଧର୍ବ ଅପ୍ସରାଗଣ ଘେନି ସଙ୍ଗତରେପ୍ରବେଶ ହୋଇଲେ ଆସି ଗୋପ ନିକଟରେ ।ତାର ବାର ନକ୍ଷତ୍ର ଯେ ଗ୍ରହଗଣ ତିଥିକେତୁ ମଙ୍ଗଳ ଯେ ରାହୁ ବୁଧ ବୃହସ୍ପତି ।ଚନ୍ଦ୍ର ସୂର୍ଯ୍ୟ ଅଗ୍ନିଦେବ ଈଶାନ ସହିତେଦ୍ୱାଦଶ ଯେ ବିଶ୍ୱେଦେବା ଅଷ୍ଟନାଗ ପୁତ୍ରେ ।ନନ୍ଦପୁଅ ଦୋଳିଶୁଆ ଦେଖିବାର ପାଇଁଏକଦୃଷ୍ଟିରେ ଚାହାଁନ୍ତି ଆକାଶରେ ଥାଇ ।ଅଗସ୍ତି ଯେ ଅଙ୍ଗିରସ ଭୃଗୁ ଗାର୍ଗ୍ୟଋଷିସନକ ଯେ ସନାତନ ବିଶ୍ୱେଦେବା ଶିଷି ।ଭରଦ୍ୱାଜ ଗଉତମ କଣ୍ୱ ବେଦବ୍ୟାସବିଶ୍ୱାମିତ୍ର ପରାଶର ବଶିଷ୍ଠ ଲୋମଶ ।ପ୍ରଚେତା ଦୁର୍ବାସା ଆଦି କପିଳ ଯେ ମୁନିପଉଲସ୍ତ୍ୟ ବିଭାଣ୍ଡକ ଋଷ୍ୟଶୃଙ୍ଗ ଜ୍ଞାନୀ ।ବାଲମୀକ ବଇଶମ୍ପାୟନ ବ୍ରହ୍ମବେତ୍ତାରୋମାଞ୍ଚ ମରୀଚି ଅଷ୍ଟବକ୍ର ମହାଜ୍ଞାତା ।କ୍ରତୁ ପୁଲହ ଯେ ମୁନି ଆବର ସୁକାନ୍ତିବିଶ୍ରବା ସହିତେ ସପ୍ତମୁନି ତହିଁ ଛନ୍ତି ।ନବବ୍ରହ୍ମା ଆଦିକରି ବାଳଖିଲ୍ୟା ଯତିମିଳାଇ ବୃହତସାମ ଗାୟନ କରନ୍ତି ।ଅନେକ ଶିଷ୍ୟ ଅଛନ୍ତି ସଙ୍ଗେ ବ୍ରହ୍ମଚାରୀସ୍ୱସ୍ତି କଲ୍ୟାଣ ବଚନ ମୁଖରେ ଉଚ୍ଚାରି ।ଗୋବିନ୍ଦର ଦୋଳିଯାତ୍ରା ଦେଖିବାର ପାଇଁଅଲେଖ ଆସନ ଭିଡ଼ି ଶୂନ୍ୟଗାମୀ ହୋଇ ।ରତ୍ନାକର କଟକରୁ ବରୁଣ ଅଇଲେଆକାଶ ମାର୍ଗେ ଅନ୍ତର ହୋଇଣ ରହିଲେ ।ସତ୍ୟଯୁଗ ଆସି ପୁଣି ମିଳିଲେ ତ କତିଶୁଦ୍ଧ ସ୍ଫଟିକରେ ରଥ ଆରୋହି ତଡ଼ତି ।ଅମୃତଖଟ ଗୋଟିଏ ଘେନି ଦକ୍ଷକରେବାମରେ ପୁସ୍ତକ ଶୋହେ ରୁଦ୍ରାକ୍ଷ କଣ୍ଠରେ ।ଦରହସିତ ବଦନେ କରି ସ୍ତୋତ୍ର ଗାନଉତ୍ତମ ବସ୍ତ୍ର ଧାରଣ ଦେହେ ଶୁକ୍ଳବର୍ଣ୍ଣ ।ଶୋଭା ପାଉଛି ରତନକୁଣ୍ଡଳ ଶ୍ରବଣେକନ୍ଦେ ଉତ୍ତରୀ ବସନ ପଇତା ସୁବର୍ଣ୍ଣେ ।ଅଷ୍ଟରତନେ ଜଡ଼ିତ ଅପାପୀ ଯା କାୟାପ୍ରତ୍ୟକ୍ଷେ ଧର୍ମ ପୁରୁଷ ସତ୍ୟଯୁଗୋଦୟା ।ନବଲକ୍ଷ ସେନା ଘେନି ସେ ସତ୍ୟପୁରୁଷଅର୍ଦ୍ଧ ଆକାଶେ ରହିଲେ ଦେବତାଙ୍କ ପାଶ ।ତାଙ୍କ ସମୀପରେ ଆସି ତ୍ରେତା ନାମେ ଯୁଗସମାରୋହେ ପହଞ୍ଚିଲେ ଚଢ଼ି ମତ୍ତନାଗ ।ଉଦ୍ଦଣ୍ଡ ଧବଳଛତ୍ର ଚାମର ଶୋଭିତଦିଶଇ ସେ କରୀବର ବଳେ ମଦମତ୍ତ ।ରସାଣିଲା ସୁନାପରି ସେ ପୁରୁଷ ତନୁବାମକରେ ବିରାଜଇ ସ୍ୱର୍ଣ୍ଣମୟ ଧନୁ ।କଣ୍ଠେ ରତ୍ନହାର କଟିତଟେ ପୀତବାସମୁକୁଟ କୁଣ୍ଡଳ ଆଭରଣ ବିଦ୍ୟବେଶ ।ତାଡ଼ ତୋଡ଼ର କିରୀଟ ବଳୟ ଯେ ହାରମଣିମାଣିକ୍ୟ କଣ୍ଠରେ ଶୋହେ ସପ୍ତସ୍ୱର ।ହସ୍ତରେ କାର୍ମୁକ ଧରି ପୂରାଇଛି ବାଣକନ୍ଧେ କାଳ କଳ୍ପାନ୍ତକ ନାମେ ବେନିତ୍ରୋଣ ।ଛାମୁରେ ତୀକ୍ଷ୍ଣ ଖଡ଼ଗ ଶୂନ୍ୟେ ଅଛି ରହିଆଜ୍ଞାମାତ୍ରେ ଦେବଦୈତ୍ୟ ନରଙ୍କୁ ଛେଦଇ ।ଆଠପଦ୍ମ ଗଜ ଚଢ଼ିଛନ୍ତି ଚଉପାଶେନିମିଷକେ ବହୁଲୋକ ଲଙ୍ଘି ପାରଇ ସେ ।ନିରପେକ୍ଷ ପୁରୁଷ ସେ ପୁଣ୍ୟମୟ କାୟେଧର୍ମେ ଜୟକରି ପାପେ ପରାଭବ ଦିଏ ।ଶତ୍ରୁ ମିତ୍ର ଉଦାସୀନ ତିନି ତାର ନାହିଁନିରପେକ୍ଷ ପୁରୁଷ ସେ ପୁଣ ଗୁଣଗ୍ରାହୀ ।ସତ୍ୟଯୁଗ ସମୀପରେ ସେ ତ୍ରେତୟା ଯୁଗସମାରୋହେ ଉଭା ହେଲେ ଚଢ଼ି ମତ୍ତନାଗ ।ତଦନ୍ତେ ଅଶ୍ୱରେ ବସି ଅଇଲା ଦ୍ୱାପରତା କଥା କହିବା ଏବେ ଶୁଣ ନୃପବର ।ଦକ୍ଷିଣ ଭୁଜରେ ଖଣ୍ଡା ଧରିଛି ଉଭାରିଘୋଡ଼ାବାଗ ତୁଲେ କୁନ୍ତ ବାମକରେ ଧରି ।ମଥାଏ ଅପୂର୍ବ ପାଗ ପାଏ ଦିବ୍ୟଶୋଭାବାଳାରୁଣ ପରି ଅଙ୍ଗେ ବିରାଜଇ ପ୍ରଭା ।ନାନାମଣି ମାଣିକ୍ୟରେ ମଣ୍ଡି ଅଛି ଯାନଶତେପଦ୍ମ ଅଶ୍ୱ ଯାନ ଅଛି ସନ୍ନିଧାନ ।ଏକୁଁ ଏକ ବଳୀୟାର ସର୍ବେ ମହାଯୋଧୀନିମିଷକେ ପୃଥ୍ୱୀଯାକ ପାରନ୍ତି ସେ ସାଧି ।ଧବଳଛତ୍ର ଗୋଟାଏ ଧରାଇଛି ଆଗେଲକ୍ଷେକ ମେଘ ଡମ୍ବରୁ ଆଣିଅଛି ସଙ୍ଗେ ।ଶତ ଶତ ବିତପନ ଉପରେ ଉଡ଼ନ୍ତିନୀଳ ଜଳଧରେ ଯେହ୍ନେ ବିଜୁଳିର ଜ୍ୟୋତି ।ଶଙ୍ଖ ମହୁରୀ ଭେରୀ ଯେ ବୀଣା ସପ୍ତସ୍ୱରକଂସାଳକୁ ଆଦି ବାଜା ବାଜେ ନିରନ୍ତର ।ଛାମୁରେ ନାନାଦି ଶାସ୍ତ୍ର ନୃତ୍ୟଗୀତ ବାଣୀବିପୁଳ ସମ୍ପତ୍ତି ସେ ଅଚିନ୍ତ୍ୟ ଚିନ୍ତାମଣି ।ଅଣିମା ଗରିମା ଆଦି ଯେତେ ରାଜବିଧିସହସ୍ରେ କୋଟି ଇନ୍ଦ୍ରର ଅଚଳ ସମୃଦ୍ଧି ।ଲକ୍ଷ ଲକ୍ଷଣରେ ଯୁକ୍ତ ଅଟେ ଯେ ମହାତ୍ମାସାକ୍ଷାତରେ ଲକ୍ଷ୍ମୀଧର ଅପୂର୍ବ ମହିମା ।ସହସ୍ର ପାଦରେ ଲକ୍ଷ୍ମୀ ବସାଇ ତା ଅଙ୍ଗେସାତପଦ୍ମ ତୁରଙ୍ଗମ ବେଢ଼ିଛନ୍ତି ସଙ୍ଗେ ।ଏହି ସେ ଦ୍ୱାପର ଯୁଗ ଶ୍ରୀମନ୍ତ ପୁରୁଷକାଳ ଜାଣି ବାହାରଇ କାର ନୁହେ ବଶ ।କର୍ପୂର କସ୍ତୁରୀ ବିଦ୍ୟଗନ୍ଧ ଗଣ୍ଠି ଅନାଅଗୁରୁ ପନୀର ପାଣି ଆଉ ପୁଷ୍ପ ନାନା ।ଏ ସକଳ ଭୋଗ ଭୁଞ୍ଜି ଅଷ୍ଟାଙ୍ଗରେ ଚିତାଆଗମ ନିଗମ ବେଦମନ୍ତ୍ର ତତ୍ତ୍ୱଜ୍ଞାତା ।ଅଷ୍ଟନିଧି ତୁଲେ ନାନା ଭୋଗବସ୍ତୁ ଘେନିପାଦତଳେ ଖଟିଥାନ୍ତି କୋଟିଏ କାମିନୀ ।ପୃଥିବୀର ଋଦ୍ଧି ସିଦ୍ଧି କରେ ଆତଯାତଦ୍ୱାପରଯୁଗ ପୁରୁଷ ଶିରେ ଧଳାଛତ୍ର ।ତ୍ରେତଯୁଗର ପାରୁଶେ ରହିଲା ଯେ ଆସିବ୍ୟାଘ୍ରେକ ଚଢ଼ିଣ ତହୁଁ କଳି ଯେ ପ୍ରବେଶି ।ଶ୍ରୀହସ୍ତରେ ଲୋହଦଣ୍ଡ ଲେପନ ରୁଧିରକେଶ ମୁକୁଳିତ ଦିଶେ ମହାଭୟଙ୍କର ।ବିକଟ ଦନ୍ତ ଗର୍ଜ୍ଜନ ରଟମଟ ପାଟିବଦନ ଯେ ବିକରାଳ ନୟନ ତରାଟି ।ପାଦରେ ଘୁଙ୍ଗୁର ମାଳ ଲମ୍ବାଇଛି ଗଳାକାଳାନ୍ତକ ପୁରୁଷ ତା ତେଜ ଅନର୍ଗଳା ।ଚଉବିଂଶ ସସ୍ର ସେନା ଘେନି ସଙ୍ଗତରେଭୟଙ୍କର ନୀଳବସ୍ତ୍ର ଉତ୍ତରୀ ଶରୀରେ ।ପାଶ ଅଙ୍କୁଶ ଖପର ଖଣ୍ଡା କାତି ଛୁରୀକାହାର ହସ୍ତେ ବାଙ୍କିଆ ଯମଦାଢ଼ ଫରୀ ।କାହାର ହସ୍ତେ ଖଡ଼ଗ ଶକତି କଟାରୀକେହୁ ଭୟଙ୍କର ଗଦା କରେ ଅଛି ଧରି ।ସୂଚୀ ଶୁଣ୍ଢ ଅସି ଚର୍ମରଜ୍ଜୁ କେହି ଘେନିଏମନ୍ତେ ନାନାଦି ଶସ୍ତ୍ର ଘେନିଣ ସଇନି ।ଯେଣେ ଯାଏ ତେଣେ ପୁଣ ପଡ଼ୁଥାଇ ହୁରିନିର୍ବଳଠାରୁ ସେ ବଳେ ଘେନନ୍ତି ଉଛୁଡ଼ି ।ମାର ମାର ଧର ଧର ଭୟଙ୍କର ବାଣୀଚାଲିଲେ ସେ ଦଲ ଦଲ ହୁଅଇ ଧରଣୀ ।ଧର୍ମକୁ ପଛ କରିଣ ପାପ ଆଗୁସାରଆଗରେ ଲାଭ ଦେଖିଲେ ନାହିଁ ନା ବିଚାର ।ଅଧର୍ମକୁ ଆବୋରିଲେ ବଢ଼ାଇ ଯେ ଧନତେଣୁ ଅଧର୍ମ ରଞ୍ଜଇ ପ୍ରାଣ ପଞ୍ଚମନ ।ଧନ ପୁତ୍ର ସମ୍ପଦ ସେ ଦେଖି ଦିନାକେତେପ୍ରଭାବ ଯାଇ ସେ ପଛେ ସ୍ୱପ୍ନ ଧନ ମତେ ।ଏ ସେ କଳିଯୁଗ ଧର୍ମ ଯାକୁ କରେ ଶଙ୍କାକୃତାନ୍ତକ ସମ୍ପଦରେ ତୁଟାଇ ସେ ଏକା ।ନାନାଦି ଦ୍ୱନ୍ଦ୍ୱ ମନ୍ଦ ଯେ ଛନ୍ଦ ଅବିଚାରବନ୍ଧୁ ମିତ୍ର ପ୍ରିୟ ଧନ ମିଥ୍ୟାହିଁ ତାହାର ।ମହାଭୟଙ୍କର କଳିଯୁଗାନ୍ତ ପୁରୁଷତକ୍ଷଣେ ଦଣ୍ଡଇ ଦେଖି ଅନୁରୂପେ ଦୋଷ ।ଧର୍ମାଧର୍ମର ବିଚାର କରଇ ତକ୍ଷଣସଇନ୍ଦୁ ପୁରୁଷ ବୋଲି ଏହାକୁ ଯେ ଜାଣ ।ତ୍ରେତା ଦ୍ୱାପର ଯୁଗକୁ ଆବୋରି ରହିଲେଶୁଣ ହେ ପରୀକ୍ଷ ରାଜା ଶୁକ ଯେ କହିଲେ ।କୁଶବଟୁ ଭୁବନେ ଯେ ଥିଲେ ବେଦବରମରାଳ ବାହନେ ଆସି ମିଳିଲେ ସତ୍ୱର ।ଚଉରାଶୀ ବାଳଖିଲ୍ୟା ଛନ୍ତି ଆଗ ପଛବେଦଧ୍ୱନି କରି କରି ଆସେ ଚତୁର୍ମୁଖ ।ହସ୍ତେ ବେଦ କମଣ୍ଡଳୁ ଦଣ୍ଡ ଜପାମାଳିଧେନୁ ଘଣ୍ଟା ଷୋଳ ମୁଦ୍ରା କର ତପଶାଳୀ ।ଅଙ୍ଗୁଷ୍ଠିରେ କୁଶବଟୁ ଦେହେ ଭସ୍ମଚିତାତମ୍ବାପତ୍ର ଉତ୍ତରୀୟ କନ୍ଧରେ ପଇତା ।କର୍ଣ୍ଣରେ ତମ୍ବାକୁଣ୍ଡଳ ମରକତ ଗୁନ୍ଥାକାଖରେ ଯେ ବେଦକାଣ୍ଡ ପୂର୍ଣ୍ଣ ବ୍ରହ୍ମବେତ୍ତା ।ସମସ୍ତ ପଦାର୍ଥ ଥୋଇ ମରାଳ ପିଠିରେଗୋପନଗ୍ରେ ବିଜେକଲେ ଯାଇ ବେଦବରେ ।ତ୍ରିଗୁଣ ସମେତ ଋକ ଯଜୁ ସାମ ତିନିଅଥର୍ବ ବେଦର ଅର୍ଥ ପଢ଼ି ପଦ୍ମଯୋନି ।କପିଳାସପୁରେ ବାର୍ତ୍ତା ପାଇ ସଦାଶିବତତକ୍ଷଣେ ଆରୋହିଲେ କଳପୀ ବୃଷଭ ।ଅନେକ ଯେ ରୁଦ୍ରଗଣ ଘେନି ଶୂଳପାଣିଶିଙ୍ଘନାଦ କରି ଆସି ମିଳିଲେ ତକ୍ଷଣି ।ମେରୁ ପର୍ବତକୁ ଆଦିକରି ଅଷ୍ଟକିଳାକୋଟିନାଗ ମୂଳେ କରେ ଅନନ୍ତ ସଙ୍ଖୋଳା ।ବିହନ୍ତା ପୁରୁଷ ଅଣଚାଶ ଯେ ପବନବ୍ରହ୍ମଋଷି ରାଜଋଷି ଦେବଋଷିଗଣ ।ସାଧ୍ୟ ସାଧକ ଆବର ସିଦ୍ଧିଗଣ ମୂଳେକୃଷ୍ଣ ଦୋଳିଶୁଆ ଘରେ ସମସ୍ତେ ମିଳିଲେ ।ଚନ୍ଦ୍ର ସୂର୍ଯ୍ୟ ବରୁଣ ଯେ ବିହନ୍ତା ପୁରୁଷସପ୍ତବାର ସତାଇଶ ନକ୍ଷତ୍ର ବିଶେଷ ।ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ଯେ ପୁଷ୍କରଅନନ୍ତ ରଥ ସଇନି ଘେନି ସଙ୍ଗତର ।ବ୍ରହ୍ମାଣ୍ଡରେ ଭୂତ ପ୍ରେତ ପିଶାଚାଦି ଯେତେଏକେ ଏକେ ନାମ ଧରି କହିବଇଁ କେତେ ।ଶ୍ରୀକୃଷ୍ଣ ଚରିତ ଅତି ଗହନ ଏ ଗ୍ରନ୍ଥପବିତ୍ର ପୁରାଣ ବେଦ ପଞ୍ଚମର ଅର୍ଥ ।ଯେବଣ କୀର୍ତ୍ତିକୁ ବ୍ରହ୍ମା କହି ନ ପାରଇଶ୍ରୀମୁଖେ ଶ୍ରୀଗୋପୀନାଥ ଯା ଦିଅନ୍ତି କହି ।ତାଙ୍କ ମହିମା କହିବା ଶକ୍ୟ ମୋର କାହିଁମୁଁ ମାନବ ଛାର ହୀନ ଜ୍ଞାନ ମୋର ନାହିଁ ।ନ ପଢ଼ି ମୁଁ କାବ୍ୟଶାସ୍ତ୍ର ନ ଶୁଣି ପୁରାଣଜନ୍ମେ ଜନ୍ମେ ମୂର୍ଖ ପୁଣି ଅଟଇ ମୁଁ ଜାଣ ।ଅକ୍ଷର ଆଦି ନ ପଢ଼ି ନ ଚିହ୍ନିଲି ଗୁରୁଶ୍ରୀକୃଷ୍ଣ ମହିମା ତେଣୁ ନ ସ୍ପୁରେ ମୁଖରୁ ।କୃଷ୍ଣ ଅଙ୍ଗ କୀର୍ତ୍ତି ଶିରୀ ଭାଗବତ ସାରଦିନୁ ଦିନ କଥା ଲାଗେ ଅପାରୁ ଅପାର ।କ୍ଷଣକେ ଶ୍ରୀକୃଷ୍ଣ ଯହିଁ ପୁଣ ଯାହା କଲେବ୍ରହ୍ମାଙ୍କୁ ତା ଅଗୋଚର ମାନବ କି ବୋଲେ ।ଦଶବିଂଶ ପଞ୍ଚାଶତ ସହସ୍ରକ ଛାଡ଼ିଠିକ ଠିକ ପଦ ଏଥୁ କହୁଅଛି ବାରି ।ଯେତେ କହୁଅଛି ମୋତେ ଗୋଚର ସେ କାହିଁକଣ୍ଠେ ବସି ଗୋପୀନାଥ ଦିଅନ୍ତି ତା କହି ।ଗହନ ସଂସାର ଏହି ଅନ୍ଧକାରମୟମନ ବୁଦ୍ଧି ଅହଙ୍କାର ହେଉଛି ଉଦୟ ।ପଞ୍ଚଭୂତ ଆତ୍ମା ଯେଉଁ ପ୍ରକାରେ ସମ୍ପାଦିପୃଥ୍ୱୀ ଆପ ତେଜ ବାୟୁ ଆକାଶ ଏ ବିଧି ।ଏ ଯେ ପାଞ୍ଚଗୁଣ ଘେନି ପଚିଶ ପ୍ରକୃତିଜୀବ ପରମ ତ୍ରିଗୁଣ ସଂଖ୍ୟାରେ ପ୍ରବର୍ତ୍ତି ।ଏହାନ୍ତ ଘେନିଣ ଆତ୍ମା ହେଲା ଯହୁଁ ଏକସନ୍ଦେହମାନ ଜାଣଇ କେବଳ ବିବେକ ।ଅନନ୍ତ ରୂପ ଧରିଣ କାୟା ଶେଷକରିତେଣୁ ଶୁଭାଶୁଭ କର୍ମ ଆପେ ଭୋଗକରି ।ଅନନ୍ତ ସଂସାର ଏହି ଅଟେ ଅଗଣିତାପ୍ରତ୍ୟକ୍ଷେ ସେ ନାରାୟଣ ମନୁଷ୍ୟ ଦେବତା ।ଏହି ମନୁଷ୍ୟ ରୂପେ ସେ ପାଳୁଛି ମେଦିନୀମାୟାସୂତ୍ରେ ବନ୍ଧା ଶୁଭାଶୁଭ କର୍ମ ଘେନି ।ପାପ ପୁଣ୍ୟ ସୁଖ ଦୁଃଖ ସହି ଏହି ଦେହତୁଟିବ କର୍ମ ଜଡ଼ ଯେ ଖଣ୍ଡି ମାୟାମୋହ ।ଏଥିର ତଦନ୍ତ ଜାଣେ ଶୁକ ବ୍ରହ୍ମଚାରୀକୃଷ୍ଣ ନାମ ବ୍ରହ୍ମବିଦ୍ୟା ତୁଳି ତୁଳକରି ।ଶ୍ରୁତି ସ୍ମୃତି ଗ୍ରନ୍ଥ ତୁଳି ପଛେ ବାଛି ବାଛିକୃଷ୍ଣ ନାମରୁ ଘେନିଲା ଦୃଢ଼ା ମନେ କିଛି ।କଳିକାଳରେ ଯେ ମାୟା ମୋହକୁ ସର୍ଜିଲାବ୍ରହ୍ମ ପର୍ଯ୍ୟନ୍ତ ଲାଗିଛି ସଂସାରର ଲୀଳା ।ବାଳୁତକାଳେ ଅଜ୍ଞାନେ କେତେଦିନ ଗଲାପିତାମାତା କୋଳେ ପୁତ୍ର ଦିନ ଭୋଗ କଲା ।ଦିନୁ ଦିନ ବର୍ଦ୍ଧମାନ ହୋଇଲାକ ବୁଦ୍ଧିମାୟାମୋହେ ପଡ଼ି ଜୀବ ଦିନୁଦିନ ବନ୍ଦୀ ।ତଦନ୍ତେ ଯେବଣ ଦିନେ ମତ୍ତଗର୍ବେ ବସିଦେହକୁ ଭାରିଯା ମିଳେ ସୁଲଭରେ ଆସି ।ଶରୀରେ ସୁଖଭୋଗ ସେ କରଇ ନିରତପିତାମାତା ସଂଯୋଗରେ ପୁତ୍ର ହୁଏ ଜାତ ।ସ୍ନେହଭରେ ପ୍ରତିପାଳେ ଲାଗଇ ଶାଙ୍କୁଳିକ୍ଷଣେ କ୍ଷଣେ ଉନମତ୍ତ ହୋଇପାରେ ଚଳି ।ଅଧାର ନିମନ୍ତେ ବଶ କରେ ଧନଶ୍ରେୟଧନେ ସ୍ନେହକରି ତାକୁ ଲାଗେ ମାୟାମୋହ ।ମୋହ ବନ୍ଧନେ ଆବୋରି ସବୁ ସହେ ଦେହଅଜ୍ଞାନ ପ୍ରାଣୀ ମୋହରେ ପଡ଼ି କରେ କୋହ ।ନ ଜାଣିମା ପ୍ରାଣୀମାନେ ହେଉଥାନ୍ତି ଗଞ୍ଜିପାପ ପୁଣ୍ୟ ଲେଖା ସବୁ ଯମଦେବ ପାଞ୍ଜି ।ଚିତ୍ରଗୁପତ କରଣ ସଙ୍ଗେ ସଙ୍ଗେ ଥାନ୍ତିଯାବତ କଲା କୃତ୍ୟକୁ ପତ୍ରରେ ଲିହନ୍ତି ।ବିହନ୍ତା ପୁରୁଷ ବୋଲି କରଇ ଭଜନଅନେକ ନୟନ ତୋର ଅନେକ ଶ୍ରବଣ ।କୀଟୁଁ ବ୍ରହ୍ମଯାଏ ସେହି ସଜଳ ଜନ୍ତୁଙ୍କୁଜାତକରି ସଂହରଇ ପୁଣ ସେ ତାହାଙ୍କୁ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ମରଇତାକୁ ଦଣ୍ଡମଣ୍ଡ କେତେ ପ୍ରକାରେ କରଇ ।ପାପ ପୁଣ୍ୟ ବେନି ଏହି ଶରୀରେ ଭୋଗଇଶୁଭାଶୁଭ ଘେନି ଆପେ ଭୋଗ ଯେ ଭୁଞ୍ଜଇ ।ପାଣି ଭିତରେ ପ୍ରକାଶେ ଜଳବିମ୍ବ ଗୋଟିତେସନ ସଂଜାତ ଏହି ପଞ୍ଚଭୂତେ ଘଟି ।କହୁ କହୁ ଏ ପିଣ୍ଡରୁ ଛାଡ଼ିଯିବ ପ୍ରାଣଧନ ଜନ ଜୀବନ ଏ ସବୁ ଅକାରଣ ।ଏ ଦେହ ଯେ ଭଲମନ୍ଦ ଅର୍ଜିଥାଇ ଯାହାପୁନରପି ଜନ୍ମ ଲଭି ଭୋଗକରେ ତାହା ।ଏ ସଂସାରୁ ତରିବାକୁ ଅନ୍ୟେ ନାହିଁ ଗତିଏକା ମାତ୍ର କାରଣ ଶ୍ରୀକୃଷ୍ଣ ପାଦେ ଭକ୍ତି ।ଚିତ୍ତେ ଧରି ଗୋବିନ୍ଦ ଦେବତା କର ପୂଜାଗାନକର ଶ୍ରୀଗୋବିନ୍ଦ ନାମ ଦେବରାଜା ।ଅଣ୍ଡଜ ଉଦ୍ଭିଜ ଜରାୟୁଜ ଆଦିକରିପର ଅପରେ ଗୋବିନ୍ଦ ଅଛି ଏକା ପୂରି ।ଗୋବିନ୍ଦ ନାମ କୀର୍ତ୍ତନ କରି ଏକା ମୁଖେଜନମ ମରଣ ନାହିଁ ରହି ସୁଖେ ଦୁଃଖେ ।ଦାନ ଧ୍ୟାନ ଜପ ମନ୍ତ୍ର ତପ ଆଦିକରିଏକା ଗୋବିନ୍ଦ ନାମକୁ କେହି ନୋହେ ସରି ।ଆଶା ତୃପତି କରଇ ସ୍ଫୁରେ ପଞ୍ଚମନସପ୍ତଧାତୁରେ ଲାଗିବ ଯାଇ ଚଇତନ ।ପରମହଂସକୁ ଲୟେ ଜାଣି ନିରନ୍ତରେମନ ବୁଦ୍ଧି ଲାଗିଯାଇ ଗୋବିନ୍ଦ ପୟରେ ।ଏହି ପ୍ରକାରେ ଗୋବିନ୍ଦ ନାମ ଯେବେ ଧରିକୋଟି ଅଶ୍ୱମେଧ ଯାଗ ନୋହେ ତାକୁ ସରି ।ତେଣୁ ଗୋବିନ୍ଦ କୀରତି କରିବ ଉଦ୍ଘଟଯେବଣ ନାମ ଧରନ୍ତେ ଫିଟେ ମୁକ୍ତିବାଟ ।କୃଷ୍ଣ ନାମ ପଦେ ପଦେ ପୂରଇ ସମ୍ପଦଗୋବିନ୍ଦ ନାମ ଯେ ଦୁଃଖ ହରିବାକୁ ଗଦ ।ଭାବେ ବାଳଲୀଳା ଅତି ଭାଗ୍ୟେ ଭାଗବତପଦ ପଦକରେ ପୁଣ ସ୍ପୁରଇ ଅମୃତ ।ଗଙ୍ଗା ଗୟା ଗୋଦାବରୀ କାଶୀ ସରସ୍ୱତୀକେଦାରବେଣୀ ଗଣ୍ଡୁଳୀ ପୁଣ୍ୟା ଭାଗୀରଥି ।କାବେରୀ ଚନ୍ଦ୍ରଭାଗା ଯେ ବ୍ରାହ୍ମୀ ମହାନଦୀଏମାନେ ତ ମହାତୀର୍ଥ ସଂସାର ପ୍ରସିଦ୍ଧି ।କୋଟିଏ ଚନ୍ଦ୍ର ଗ୍ରହଣେ ସାଗରେ ଯେ ଦହିଏକା ଗୋବିନ୍ଦ ନାମରୁ ତେତେ ପୁଣ୍ୟ ପାଇ ।