-ଚଉଦ- — ବିଦ୍ରୋହ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
-ଚଉଦ-
ନିବିଡ଼ ଜଙ୍ଗଲବାସୀ ପକ୍ଷୀ ଜଗତର କେତେ କୁଆଡ଼େ ବୁଲି, ତରୁ ଡ଼ାଳରେ ବସି, କେତେ ଝରଣାରୁ ପାଣି ପିଇ ଶେଷରେ ଗଭୀର ଅନୁରାଗରେ ବସାକୁ ଫେରି ଆସିଲା ପରି ବ୍ରଜ ଦିନଯାକ ବୁଲି ବୁଲି ତାର ସେହି ଶାନ୍ତ ସ୍ନିଗ୍ଧ ପଲ୍ଲି କୁଟୀରଟି ଭିତରକୁ ପ୍ରତିଦିନ ଫେରି ଆସେ । ଗାଁର ସେ କେଉଁଠି ବୁଲେ, କେଉଁଠି ନ ବୁଲେ, କେହି କହି ପାରିବେ ନାହିଁ । ଗାଁରେ ସେ କାହା ସଙ୍ଗେ କି କଥା ହୁଏ, ସମସ୍ତେ ହିସାବ ରଖି ପାରିବେ ନାହିଁ । ବେଳେ ବେଳେ ସେ ହସେ, ହସି ହସି ପୁଣି ଗମ୍ଭୀର ହୋଇ ଉଠେ । ନିଜେ ସେ କାନ୍ଦେ, କେତେ ଲୋକଙ୍କୁ ମଧ୍ୟ କନ୍ଦାଏ । ସେ ଠିକ୍କରେ କି ଭୁଲ କରେ-ଏଥିପାଇଁ ସେ କାହାର ପରାମର୍ଶ ମାଗିବସେ ନାହିଁ । ନିଜେ ଯାହା ଠିକ୍ବୋଲି ବୁଝେ, ତାହାହିଁ କରେ । ତେଣୁ ଗାଁରେ ତାକୁ ଅନେକେ କହନ୍ତି-‘‘ଏ ଗୋଟେ ଗୋଠଛଡ଼ା ବୁଲା ପକ୍ଷୀ ।’’
ଗାଁର ପଶ୍ଚିମ ପାଖେ ତରୁତଳବାସିନୀ ଠାକୁରାଣୀ-ଉପରେ ଯୁଗ ଯୁଗ ବ୍ୟାପୀ ବିଶାଳ ତରୁ ଛତ୍ର ଟେକି ରହିଛି । ସେହି ଠାକୁରାଣୀଙ୍କି ବସାଇଲା କିଏ, ତାର ଇତିହାସ ସେହି ଗଛ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ବ୍ରଜ ସେଇ ଇତିହାସ ଖୋଜି ବୁଲେ । ଦିନ ଦି’ ପହରେ ସେହି ତରୁ ଡ଼ାଳରେ କେଉଁଠି ପକ୍ଷୀଟିଏ ଗାଇଦେଲେ ଏହି ‘ଗୋଠଛଡ଼ା’ ପକ୍ଷୀଟି ସେହି ସ୍ୱରଲହରୀର କମ୍ପନ ନିଜ ହୃଦୟକୁ ଟାଣିମ ସେହି ପଥର ଠାକୁରାଣୀଙ୍କୁ ପଚାରେ-‘‘ତୁମରି ମହିମା କ’ଣ ଏ ପକ୍ଷୀ ଗାଉଛି-?’’
ଗୃହହୀନ ସେହି ପଥର ଦେବତା ସେଠି ଧୁଳି ମାଟିରେ ପଡ଼ି ଫଳଟାଏ, ଫୁଲଟାଏ ଯେତେବେଳେ ଯାହା ଭୋଗ ପାଇଁ ଗାଁର ବାଳିକା, ବୃଦ୍ଧାଙ୍କ ଠାରୁ କୁଙ୍କୁମ, ଚୁଆ, ଚନ୍ଦନ ଘେନି ମଧ୍ୟ କିଛି ହେଲେ ଉତ୍ତର ଦିଅନ୍ତି ନାହିଁ । ତାଙ୍କ ମନ ଅଭିମାନ ବୋଧହୁଏ ବ୍ରଜ ବୁଝେ । ସେତେବେଳେ ତା ପାଖେ ଯେ ଥାଏ ତାକୁ କହେ–
‘‘ଠିକ୍ହେଲା ନାହିଁ ? ଦେବତା ବୋଧହୁଏ ଘର ନାହିଁ ବୋଲି ମାନବ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି । ତରୁତଳବାସୀ ଦେବତା ସିନା ତରୁତଳବାସୀ ମାନବ ପ୍ରାଣରେ ବ୍ୟଥା ବୁଝିବେ–ଭୀରୁ, ଗୃହଗାମୀ, ଆପଣାସ୍ୱାର୍ଥୀ କଥା ସେ ବୁଝିବେ କିଆଁ ?
ଗାଁର ଛୋଟ କବିରାଜ ଜଣେ-କାଖରେ ବଟୁଆ ଜାକି, ବାର ଗାଁ ବୁଲି ଯେତେବେଳେ ଘରକୁ ଫେରନ୍ତି, ବ୍ରଜ ବେଳେ ବେଳେ ତାଙ୍କରି ସାଥିରେ ଆଳାପ ଲଗାଇ ଦିଏ । ପଚାରେ–‘‘ସତ କହିଲ କବିରାଜେ, ଣେଗୀକୁ ଓଷୁଅ ଦେଲାବେଳେ ତୁମେ ରୋଗୀର କି କାମନା କର ?’’
ବ୍ରଜ ପରି ଖୋଲା ଲୋକ ପାଖରେ କବିରାଜେ ମନ ଖୋଲି କହିଦିଅନ୍ତି–‘‘ମଙ୍ଗଳ କାମନା କରେ ଯେ; ମାତ୍ର..... ।’’
ବ୍ରଜ କଥାର ଅର୍ଥକୁ ବୁଝିନେଇ କହେ,‘‘ବେଶ୍, ବେଶ୍, ବୁଝିଲି ! ଯେବେ ମଙ୍ଗଳ ଛଡ଼ା ଆଉ କିଛି କାମନା କରୁ ନ ଥାନ୍ତ, ତାହାହେଲେ କେଡ଼େ ଭଲ ହେଉ ନଥାନ୍ତା ! ଏହିପରି ହେଲେ ଆମ ଏ ମନୁଷ୍ୟ ପ୍ରାଣରେ ଦେବତା ଆସି ବାସ କରନ୍ତେ ! ଫୁଲ ଯେପରି ସୁବାସ ଦେବା ପାଇଁ ମୁଲ୍ୟ ଚାହେଁ ନାହିଁ, ମନୁଷ୍ୟ ସେହିପରି ପର ଉପକାର ପାଇଁ ପ୍ରତିଦାନ ଲୋଡ଼ିବା ଉଚିତ ନୁହେଁ ।’’
ଛୋଟ କବିରାଜଟି ବ୍ରଜ ପାଖରେ, ମନେ ମନେ ନତମସ୍ତକ ହୋଇପଡ଼ନ୍ତି ।
ଗାଁର ରଘୁଆ ମାଆର ମେଲାଡ଼ିହ ଖଣ୍ଡିକ ସମସ୍ତଙ୍କ ଆଖିରେ ପଡ଼ିବାର କଥା । ଛୋଟ ଛୋଟ ପାହାଡ଼ ପରି କେତେଟା ପଥରରେ ପାହାଚଟା ଗଢ଼ା ।-ସେ ପାହାଚର କ୍ଷୟ ନାହିଁ କି ବୃଦ୍ଧି ନାହିଁ । ମୁହଁ ମାଡ଼ି, ସ୍ଥାନଚ୍ୟୁତ ହୋଇ ବସୁମତୀକୁ ଯାକି ଧରି ପଡ଼ିଛି ତ ପଡ଼ିଛି । ବ୍ରଜ ସେହି ପଥର ଉପରେ ଯାଇ ବସିପଡ଼େ । ତାକୁ ଜଣା ପଡ଼େ,ଘରଟା ଭାଜିଗଲା ପରେ ସେହି ପଥରଗୁଡ଼ାକ ଦୁଃଖରେ ଝାଉଁଳି ପଡ଼ି ମୁହଁ ମାଡ଼ି ହାହାକାର କରୁଛନ୍ତି । ତାହା ଉପରେ ବସି କାହାକୁ ଭୟ ନ କରି ସେ କହିଉଠେ–
‘‘ପଥର କ’ଣ କହୁଚି, ଶୁଣୁଚ ! ପଥର କହୁଚି, ଏ ଗାଁ ଲୋକଗୁଡ଼ାକ ବଡ଼ ଭୀରୁ, ବଡ଼ ଦୁର୍ବଳ । ଆମକୁ ଆଣିଥିଲେ ଯେ ସେମାନଙ୍କ ବାହୁରେ ବଳ ଥିଲା, ମନରେ ସାହସ ଥିଲା; ମାତ୍ର ଏବେ.... ଏବେ... ।’’
ପାଖରେ ଥିବା ଲୋକେ ହସି ଉଠନ୍ତି । ବ୍ରଜ କହେ–‘‘ଏ ପଥରର ବାର୍ଷିକ ଉତ୍ସବ କରିବା ଉଚିତ ।’’
ଆହୁରି ହସ ରୋଳ ଉଠେ ।
ବ୍ରଜ ସେ ହସକୁ ଖାତିରି ନ କରି ଆହୁରି ଯୋରରେ ଶର ମାଇଲା ପରି ବାକ୍ୟବାଣ ପ୍ରୟୋଗ କରେ–
‘‘ଯେଉଁ ବର୍ଷ, ଯେଉଁ ମାସ, ଯେଉଁ ଦିନ, ଯେଉଁ ମୁହୂର୍ତ୍ତରେ ଏହି ଗାଁର ମନୁଷ୍ୟ ଏହି ପଥରକୁ ଟେକି ଆଣିଲା, ସେହିଦିନ କଥା ମନେ ପକାଇଲେ ଗାଁର ଏହି ବୀର୍ଯହୀନ, ଶ୍ରୀହୀନ ପ୍ରାଣରେ ବଳ ସଞ୍ଚାର ହେବ ନାହିଁ ?’’
କଥାଟା କାହା କାହା ପ୍ରାଣରେ ବାଜେ; ମାତ୍ର ରଘୁଆ ମା’ର ଦୁର୍ନାମ କଥା ବିଚାରି ଅନେକେ ଦ୍ରବ ପଛରେ ହସି ତାଳି ମାରନ୍ତି ।
ଗାଁର ପରମ ନୈଷ୍ଠିକ ବୃଦ୍ଧ କିଏ ପ୍ରତିଦିନ ଗୀତାପାଠ ଶେଷ ନ କଲେ ଜଳ ଗ୍ରହଣ କରନ୍ତି ନାହିଁ । ବ୍ରଜ ତାଙ୍କରି ପାଖରେ ବସି ଅନେକ ସମୟ ଗୀତା ଶୁଣେ । ନାନା ଆଲୋଚନା ଭିତରେ ପଚାରେ–
ଆଚ୍ଛା, ଆପଣଙ୍କର ମତ କ’ଣ ? ଏହି ଯେଉଁ ବାଟରେ ଘାଟରେ ଗଛମୂଳେ ପଥର ଦେହରେ ସିନ୍ଦୂର ବୋଳା ହୋଇ ଦିଅଁ ପୂଜା ପାଉଛନ୍ତି, ସେ ଦିଅଙ୍କୁ ଆପଣ କ’ଣ ବୋଲି ଜାଣନ୍ତି !’’
ବୃଦ୍ଧ ଗୀତାକୁ ମୁଦି ଦେଇ ହସି ହସି କହନ୍ତି-‘‘ସମସ୍ତେ କ’ଣ ଆଖିରେ କିଛି ଜିନିଷ ନ ଦେଖି ଭଗବାନଙ୍କୁ ପୂଜା କରି ପାରିବେ ? ଯାହାର ଜ୍ଞାନ ହୋଇ ନାଇଁ ସେ ତାହା କରେ । ଜ୍ଞାନ ହେଲେ ତ ଆହୁରି ଉପରକୁ ଉଠିବାକୁ ହେବ । ସେତେବେଳେ ସେ ଦିଅଁ ଦେବତାକୁ ପଚାରି ହେବ କି ?’’
ବ୍ରଜ ଛନ ଛନ ହୋଇ ପଚାରି ବସେ–‘‘ଠିକ୍କଥା, ଠିକ୍କଥା । ଆପଣଙ୍କର ଏ କଥା ଶୁଣି ମୋର ଆଉ ଗୋଟେ କଥା ପଚାରିବାକୁ ଇଚ୍ଛା ହୁଏ । ଆପଣ କହିଲା ଭଳି ଆମେ ସମସ୍ତେ ଜାତିଆ ଲୋକେ ଯେବେ କଥାଯା ଭଲ ବୁଝନ୍ତେ, ଅବୁଝା ଅଜ୍ଞାନ ଲୋକଙ୍କର ଉପକାର ହୁଅନ୍ତା ନାହିଁ ?’’
ବୃଦ୍ଧ ବ୍ରଜର ମନ କଥା ବୁଝିପାରି ହସି ହସି କହନ୍ତି-‘‘ବୁଝିଲି । ତୋ ଭଳି କ’ଣ ଗାଆଁଟାଯାକ ସମସ୍ତେ ହେବେ? ସେ ଭଳିଆ ଅଜ୍ଞାନ ଲୋକେ ଏ ଭିତରେ ମଧ୍ୟ ଅଛନ୍ତି । ନ ହେଲେ ଆମର ଏ ଦେଉଳ କ’ଣ ହୁଅନ୍ତା ? ଦେଉଳ ବାହାରେ ରହି ଆମେ ଅଜ୍ଞାନ ଲୋକଙ୍କୁ ବାଟ ଦେଖାନ୍ତେ ।’’
ବ୍ରଜ ଆନନ୍ଦରେ ମନେ ମନେ କେତେ କଥା ଭାବି ଚାଲି ଆସେ ।
ଗାଆଁର ସୁଦୂର ଅତୀତର ଶୈଶବ ଯୁଗରେ କିଏ କେଉଁ ରାଜାଙ୍କଠାରୁ କବିଚନ୍ଦ୍ର ଉପାଧି ପାଇଥିଲା, ସେହି ନାଁଟା କେବଳ ଗାଆଁ ଲୋକଙ୍କ ମୁହଁରେ ପବନ ସ୍ରୋତରେ ଭାସୁଛି । ଆଉ ଦସେ କଥା କିଏ ହେଲେ ଭଲ କରି ମନେ ପକାଉ ନାହିଁ । କବିଚନ୍ଦ୍ରଙ୍କର ମେଲା ଡ଼ିହ ଉପରେ ବ୍ରଜ ଠିଆ ହୋଇ ଦିନେ ଦିନେ କାନ୍ଦି ପକାଏ । କେତେ ଯୁଗ ତଳକୁ ତା ମନ ଫେରିଯାଏ । ସେତେବେଳେ ତାର ପ୍ରିୟ ପଲ୍ଲିଟି ଗୌରବରେ ଝଲସୁଥିଲା । ଶ୍ୟାମଳ ତରୁକୁଞ୍ଜ ଭିତରୁ, କେତେ ଶୁଭ ସଙ୍ଗୀତ ଉଠୁଥିଲା । ତା ଗାଆଁର ଖଣ୍ଡାୟତ ବୀର ଥିଲା, ତା ଗାଆଁର ବ୍ରାହ୍ମଣ ରାଜସଭାରେ ପଣ୍ଡିତ ଥିଲେ, ତା ଗାଆଁର କରଣ ସାଆନ୍ତ ରାଜା ମହାରାଜାଙ୍କ ମନ୍ତ୍ରୀ ଥିଲେ....ଗାଆଁ ତାର ନ ହୋଇଥିଲା କ’ଣ ? ଆଖିରୁ ଲୁହ ଢ଼ାଳି ଢ଼ାଳି ସେ କହେ–‘‘ଆହା, ଏଠାରେ କାନ୍ଦିଲେ କିଏ କବିତା ଲେଖିବାକୁ ନାଇଁ କି ହସିଲେ ମଧ୍ୟ କିଏ କବିତା ଲେଖିବାକୁ ନାଇଁ । କବିଚନ୍ଦ୍ର ଏପରି ଗାଆଁରେ କାହିଁକି ଜନ୍ମ ହୋଇଥିଲେ ?’’
ବ୍ରଜ ଗାଆଁର ପୁରାଣା ବରଗଛ ମୂଳେ ବସେ, ଗାଆଁର ସବୁଠାରୁ ହତଭାଗ୍ୟ ଭିକାରୀର ଘରକୁ ପଶିଯାଇ ତାକୁ ଚମକାଇଦିଏ । ଗାଆଁର କାଲ ଧୋବା ବୁଢ଼ାଗଉରା ସେଠି ପାଖକୁ ଲାଗି ଯାଇ ପଚାରେ–‘‘ହଇରେ ଗଉରା, ତୋ ପିଲାଦିନେ କ’ଣ ଏଠି ଲୋକେ ଇମିତି ଥିଲେ ?’’
ବ୍ରତ କଥା ନେଇ ଗାଆଁ ପଡ଼ିଲା ଉଠିଲା ।
-ପନ୍ଦର-
ଭୀଷଣ ଝଡ଼ ତୋଫାନ ପରେ ଚିଲିକା ବକ୍ଷ ଯେପରି ଧୀର ଗମ୍ଭୀର ବେଶ ଧାରଣ କରିଥାଏ, ଗ୍ରାମବାସୀଙ୍କ ନାନା ଆଲୋଚନା, ବିତଣ୍ଡା ଯୁକ୍ତି ପରେ ବୈଠକ ଘରର ବାୟୁମଣ୍ଡଳ ସେହିପରି ନିସ୍ତବ୍ଧ ହୋଇ ରହିଛି । ବେଳ ପ୍ରାୟ ପହରେ ହେବ, ବୈଠକୀ ଦଳର ମେମ୍ବରମାନେ କିଏ କେଉଁଆଡ଼େ ଯାଇଛନ୍ତି । କ୍ଷୁଦ୍ର ଘର ଖଣ୍ଡିକ ନୀରବରେ ପଡ଼ି ରହିଛି । ସେ ଭିତରେ କାଠ ଖଟ ଖଣ୍ଡେ, ତିନି ବର୍ଷ ତଳର ପୁରୁଣା ପଟିଟାଏ, ତାସ ଗଞ୍ଜପା ଦି’ ମୁଠା, ଚିଲମ ଦି’ ଚାରି ମୁର୍ତ୍ତି, ଭଙ୍ଗା ବାଲଟିଟାଏ, ପଲମ ପୁଞ୍ଜେ ପାଞ୍ଚଟା, -କେତେ ଯେ କ’ଣ ସ୍ଥାନ ଅସ୍ଥାନରେ ପଡ଼ିଛନ୍ତି, ତାର ଠିକଣା ନାହିଁ । ଏହିପରି ସମୟରେ ବୃଦ୍ଧ ରାଧାନାଥ ତରତରରେ ଘର ଭିତରକୁ ପଶି ଆସିଲେ । କବିରାଜେ ସେତେବେଳକୁ ପାନ ଦି’ ଖିଲ ଯାକି କ’ଣ ଔଷଧ ବଟିକା ବଳିବାରେ ବ୍ୟସ୍ତ । ରାଧାନାଥଙ୍କ ଗତିବିଧି ମୁଖଭଙ୍ଗୀରୁ ଜଣା ପଡ଼ୁଥିଲା, କୈାଣସି ଆକସ୍ମିକ ବିପଦରେ ପଡ଼ି ସେ ନିତାନ୍ତ ବିବ୍ରତ ହୋଇ ପଡ଼ିଛନ୍ତି । କବିରାଙ୍କ ଦର୍ଶନ ପାଇବା ମାତ୍ରେ ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ି ପିଣ୍ଡାରେ ଲାଦୁକିନା ବସି ପଡ଼ିଲେ । ସେ ଭାବଗତିରୁ କବିରାଜେ ଅନୁମାନ କରିନେଲେ ଯେ, କୈାଣସି ଗୁରୁତର କଥାରେ ତାଙ୍କ ପାଖକୁ ଡ଼ାକରା ଆସିଛି, ମାତ୍ର ରାଧାନାଥେ ଆରମ୍ଭ କଲେ–
‘‘ଖବର ? କି ଖବର ? କାହାର କ’ଣ ହୋଇଛି ?’’
‘‘ହଁ, ହୋଇଛି । ଆମ ଏ ମଧୁପୁର ଗାଁଟାଯାକର ଦେହ ଖରାପ ଅଛି । ଭଲ ଅଛି କେବଳ କେତେଟା ଟୋକାଙ୍କର । ତା ନ
‘‘ହଁ, ହୋଇଛି । ଆମ ମଧୁପୁର ଗାଁଟାଯାକର ଦେହ ଖରାପ ଅଛି । ଭଲ ଅଛି କେବଳ କେତୋଟା ଟୋକାଙ୍କର । ତା ନ ହେଲେ କି ସେ ଅଜାତିଆ ଟୋକା ବ୍ରଜ ବାପ ଶ୍ରାଦ୍ଧରେ ଗାଁଟାଯାକୁ ନିମନ୍ତ୍ରଣ କରିବାକୁ ସାହସ କରିଥାନ୍ତା ?’’
କବିରାଜେ ଆଶ୍ଚର୍ଯ୍ୟ ହେଲାପରି ପଚାରିଲେ–‘‘ଶ୍ରାଦ୍ଧ ! କାହା ଶ୍ରାଦ୍ଧ ? ଓହୋ, ମନେ ପଡ଼ିଲା । ପରମଗୁରୁଙ୍କମ ଶ୍ରାଦ୍ଧ । ସେ ଥିଲେ ଆଜି ଦେଖନ୍ତେ, ହୋମ ମଣ୍ଡପରେ କୁକୁରର ନାଟ । ସତ କହୁଚି ରାଧୁଭାଇ, ସେ ଲୋକଟା ଆଖି ବୁଜିଲା ଦିନୁ ଗାଁଟାକୁ ସତେ କି ଦଶା ଗୋଡ଼େଇ ଆସିଲା ! ଆଉ କ’ଣ ଏ ଗାଁ ଗାଁ ହୋଇ ରହିଚି ? କୁଳରେ କୁଳାଙ୍ଗାରଟାଏ ଜନ୍ମ ହୋଇ ସବୁ ତ ମାନ ମହତ ବୁଡ଼େଇ ଦେଲା । ଆଝି ଶ୍ରାଦ୍ଧରେ କ’ଣେ ସେ କିଛି କରୁଚି ?’’
ରାଧାନାଥ ମୁଣ୍ଡରୁ ଠେକାଟା ଫିଟାଉ ଫିଟାଉ କହିଲେ–କଲା ପରି କରୁଚି ? ଦୁଧ ଆସୁଚି ଦୁଇ ମହଣ । ମାଛ କୋଡ଼ିଏ ଟଙ୍କା ବରାଦ । ପିଠାପଣା ପାଇଁ ତ ଦଶ ଦଶଟା ଗୁଡ଼ିଆ ସକାଳ ପହରୁ ଆସି ଲାଗିପଡ଼ିଛନ୍ତି । ପନିପରିବା କଥା ଆଉ କହନି । ସେ ସବୁ ଶଗଡ଼ରେ ବୁହା ହୋଇ ଆସିଛି । ଏ ସବୁ କ’ଣ କମ୍କଥା ? ପାଞ୍ଚ ଶହ ଲୋକଙ୍କ ପାଇଁ ଏତକ ଯୋଗାଡ଼ । ଏ ଗାଁରୁ ସେପରି ଲୋକବଳ ନ ପାଇଥିଲେ କି ଟୋକାଟା ଏତେ ଦୂର ସାହସ କରିଥାନ୍ତା ?’’
କବିରାଜେ କ’ଣ ଭାବି ଭାବି ଗୁମ୍ରହିଲେ । ରାଧାନାଥ କବିରାଜଙ୍କ ମୁହଁରୁ କି ଉତ୍ତର ପାଇବା ଆଶାରେ ଟିକିଏ ଚାହିଁ ରହି ପୁଣି ଆରମ୍ଭ କଲେ–
‘‘ଖାଲି ଏତିକି ନୁହେଁ, ଏହା ସଙ୍ଗେ ଆଉ ଏକ ନାଟ ଅଛି ଆଜି ପୁଣି ସେ କାଙ୍ଗାଳ ଭୋଜନ ଦେବ । କାଙ୍ଗାଳ ଭୋଜନ ବୋଇଲେ କ’ଣ ଜାଣ ? ସେଇ ମ୍ଲେଚ୍ଛଗୁଡ଼ାକୁ ଆଣି ବସେଇବ ।’’
କବିରାଜେ ଅନ୍ତରରରେ ଛଟପଟ ହେଲାପରି ‘ରାମ’ ‘ରାମ’ କହି ଦେଇ ମୁହଁଟାକୁ ବିକୃତ କରିଦେଲେ । ରାଧାନାଥ କହିଲେ–
‘‘ଟୋକାଟା ତ କମ୍ଚାଲାକ ନୁହେଁ, କିଏ କ’ଣ କହିବ, ଏଇଥିପାଇଁ ଗାଁ କୋଠକୁ ପଚାଶ ଟଙ୍କା ଦେବ ବୋଲି ଠିକ୍କରିଛି । ଟଙ୍କା ବୋଧହୁଏ ଏଇକ୍ଷଣି ତୁମ ପାଖକୁ ଆସିବ । ଏ ସବୁ କଥା ଯେବେ ପ୍ରକୃତ ସତ ହୋଇଥାଏ, ତାହାହେଲେ ଆଉ ତ ରକ୍ଷା ନାହିଁ । ଗାଁ ଦୋଫାଙ୍କ କାହିଁକି, ଦଶ ଫାଙ୍କ ହୋଇଯିବ !’’
କବିରାଜେ କିଛି ସମୟ ନୀରବ ରହି ପଚାରିଲେ -‘‘ତେବେ କ’ଣ ସେ ଗାଁର ସମସ୍ତଙ୍କୁ ନିମନ୍ତ୍ରଣ କରିବ ?’’
‘‘ନିମନ୍ତ୍ରଣ ତ କରିବ ନାଇଁ, କରି ସାରିଲାଣି ବୋଲି କହ । ସେ କ’ଣ ତୁମକୁ ଲେଶ ପ୍ରମାଣେ ଖାତିରି କରିଛି ? ଯାହା କରିବାର ତା’ ମନରାଏ କରି ସାରି ଖାଲି ମନ ରଖିବାକୁ କହିବାକୁ ଆସିବ ନା...ମୋ କଥା ସତ କି ମିଛ ଏଇକ୍ଷଣି ଦେଖିବ ।’’
କବିରାଜେ ଗମ୍ଭୀର ଭାବରେ ବସି ଅର୍ଦ୍ଧପ୍ରକାଶ୍ୟ ଭାବରେ କହିଲେ-‘‘ହୁଁ ବୁଝୁଛି, ବୁଝୁଛି ପାପର ପ୍ରଭାବ ବଢ଼ିଲା ବେଳେ ଏପରି ଘଟିଥାଏ । ଟୋକାଟାତ..... ।’’
ଠିକ୍ଏହିପରି ସମୟରେ ବ୍ରଜ ହସି ହସି ଆସି ସେହିଠାରେ ପହଞ୍ଚିଗଲା । ତାକୁ ଦେଖିଲା ମାତ୍ରକେ କବିରାଜଙ୍କର ସକଳ ଗମ୍ଭୀରତା କୁଆଡ଼େ ଉଭେଇ ଗଲା । ହଜିଲା ରତ୍ନକୁ ଫେରି ପାଇଲା ପରି ସେ ବଡ଼ ଆଦରରେ କହିଲେ–
‘‘ଆସ ବାବୁ ! ଆସ, ଆସ, ଆସ, । ଶୁଣୁଛି, ଆଜି ନନାଙ୍କ ଶ୍ରାଦ୍ଧ । ଆହା, ଗାଁରେ ସେ ଜଣେ ଦେବତା ଥିଲେ । କ’ଣ କହୁଛ ରାଧୁଭାଇ, ସେ ଗଲା ଦିନୁ ଗାଁର ଅଧେ ଶ୍ରୀ ତୁଟି ଯାଇଛି !’’
ରାଧାନାଥ ତରତରରେ କହି ପକାଇଲେ–‘‘ଅଧେ କିଆଁ, ଗାଁର ଆଉ ଭଲ ଭାଗ୍ୟ ନାହିଁ କହିଲେ ଚଳେ ।’’
କବିରାଜେ ତାଙ୍କୁ ଆଉ ବେଶି କହିବାକୁ ସୁବିଧା ନ ଦେଇ କହିଲେ–‘‘ବ୍ରଜ ଯେତେବେଳେ ଅଛି, ପରମଗୁରୁ ଭଲ ହୋଇ ପିଣ୍ଡଟାଏ ପାଇବେ, ମୁଁ ଜାଣେ । କ’ଣ ଯୋଗାଡ଼ କରୁଚୁ ତ ବାବୁ ? ପିଲା ତୁ, ତୁ କେତେକେ ବୁଝିବୁ ତାଙ୍କ ମହତ୍ତ୍ୱ ?’’
ବ୍ରଜ ବିନୟକ୍ରମ ଭାବରେ କହିଲା-‘‘ଆପଣମାନଙ୍କ ଆଶୀର୍ବାଦରୁ ଯାହା ହେବ । ଆଜି ଗାଁର ସମସ୍ତଙ୍କୁ ନିମନ୍ତ୍ରଣ କରୁଛି । କିଏ ମୋର ଆପଣାର, କିଏ ମୋର ପର, ବୁଝି ପାରୁନି । ଆପଣମାନେ ସବୁ ଯାଇ କାମପତ୍ର ତୁଲାଇ ଆସିବେ । ଗାଁରେ ତ ଚାରି ପାଞ୍ଚ ଦଳ । ସବୁ ଆପଣଙ୍କୁ ଲାଗେ । ଆପଣଙ୍କୁ କହିଗଲେ ଆଉ କାହାକୁ କହିବା ଦରକାର ନାହିଁ ବିଚାରି ଆସିଗଲି । ଆଉ ଗୋଟିଏ କଥା । ଏଇ ଟଙ୍କା ପଚଶଟି ଆଣିଛି କୋଠକୁ ଦେବା ପାଇଁ । ଦିଅଁଙ୍କ କୋଠ ଭଣ୍ଡାରରେ ଏହା ରହିବ । ପୋଖରୀ ତୋଠ ତ ଖରାପ ହୋଇଛି, ଲୋକେ ବଡ଼ ଅସୁବିଧା ଭୋଗୁଛନ୍ତି । ସେଥିରେ ଏତକ ଖର୍ଚ୍ଚ କରିବାକୁ ହେବ । ଆଉ, ଏ ଯେଉଁ ଇସ୍କୁଲଖଣ୍ଡିକ ଅଛି, ସେଥିପାଇଁ.....ଟଙ୍କା ଦାନ କଥାଜ ଶୁଣି କବିରାଜଙ୍କ ଆଖି ତରାଟି ହୋଇଗଲା । କହି ପକାଇଲେ–‘‘ଏଁ ପଚାଶ ଟଙ୍କା କୋଠକୁ ଆଉରି ପୁଣି ଇସୁକୁଲୁକୁ ?’’
ବ୍ରଜ ଟଙ୍କା ପଚାଶଟି ଝଣ କରି ପିଣ୍ଡାରେ ଥୋଇ ଦେଇ ଅତି ଭଦ୍ରଭାବରେ ଦୁଇ ଜଣଙ୍କୁ ହାତ ଯୋଡ଼ି କହିଲା–
‘‘ମୋ ଭାଗ୍ୟରେ ଯାହା ଥିଲା....’’
ଦୁହେଁ ଏକାବେଳକେ ପାଟିକରି ଉଠିଲେ–‘‘ହଉ, ଯା ବାବୁ, ପ୍ରଭୁ ତୋର ମଙ୍ଗଳ କରନ୍ତୁ-। ଏ ସବୁ ତୋ ବୁଦ୍ଧିର କଥା ନୁହେ, ସେଇ ପ୍ରହୁଙ୍କ ଦିହାତି ଏ ସବୁ ହେଉଛି ।’’
ବ୍ରଜ ବାଲୁ ବାଲୁ କରି କେବଳ ମୁହଁକୁ ଚାହିଁ ରହିଲା । କେତେ ଯେ କ’ଣ ପ୍ରଶଂସା କଥା ଶୁଣିଲା, କିଛି ତାର ମନେ ରହିଲା ନାହିଁ । କେବଳ ସମ୍ମାନରେ ସଢ଼ି ଗଲାପରି ହୋଇ ପଛକୁ ଘୁଞ୍ଚି ଘୁଞ୍ଚି ଗଲା । ତାର ସେତେବେଳେ ମନେ ହେଉଥିଲା କହି ଦେବ ଅବା, ‘‘ଆପଣଙ୍କୁ ମୁଁ ଭୁଲ ବୁଝିଥିଲି । ଆପଣଙ୍କ ପରି ଭଲଲୋକେ ଯେବେ ଏ ଗାଁରେ ଅଛନ୍ତି, ଗାଁ ତ ଆପେ ଆପେ ହସି ଉଠିବ ।’’ ମାତ୍ର ସେ କିଛି କହି ନ ପାରି ନୀରବରେ କ’ଣ ଭାବି ଭାବି ମୁହଁ ଫେରାଇ ଦେଲା ।
ସେ ଦିନ ସନ୍ଧ୍ୟା ପୂର୍ବରୁ କବିରାଜଙ୍କ ବୈଠକ ଘରେ ଗାଆଁ ଲୋକଙ୍କର ଏକ ସଭା ବସିଲା । ବ୍ରତ ଘର ଶ୍ରାଦ୍ଧ ଏବଂ ପଚାଶ ଟଙ୍କା କଥା ନେଇ ବହୁ ଆଲୋଚନା ପରେ ସ୍ଥିର ହେଲା ଯେ, ଅଜାତିଆର ଘରକୁ ଗାଆଁର କେହି ହେଲେ ତୁଣ୍ଡ ଅଇଁଠା କରିବାକୁ ସୁଦ୍ଧା ଯିବେ ନାହିଁ । ସେ ଦୁଆର ଯେ ମାଡ଼ିବ, ପଚାଶ ଟଙ୍କା ଜରିମାନା । ବାକୀ ଏହି ପଚାଶ ଟଙ୍କା ର ରାତିରେ ମହାଦେବଙ୍କ ମଣ୍ଡପରେ ନସଙ୍ଖୁଡ଼ି ଭୋଗ ଲାଗି ଗ୍ରାମବାସୀ ସମସ୍ତଙ୍କୁ ସେହିଠାରେ ପ୍ରସାଦ ପାଇବାକୁ ହେବ । କେବଳ ବ୍ରଜ ଯାଇ ପାରିବ ନାହିଁ ।
କବିରାଜଙ୍କ ବସାଘରେ ଏହି ବୈଠକ ପରେ ବ୍ରଜ ଘରେ ଆଉ ଏକ ବୈଠକ ବସିଲା । ବ୍ରଜର ଖୁବ୍ଆପଣାର ଯେ କେତୋଟି ଲୋକ ଥିଲେ, ଲୋକ ମତକୁ ଡ଼ରି, ନ୍ୟାୟ ବୁଝି, ନ୍ୟାୟକୁ ବାହାରେ ବାହାରେ କହିବାକୁ ସାହସ କରୁ ନ ଥିଲେ, ବ୍ରଜ ପ୍ରତି ଏ ବ୍ୟବସ୍ଥା ଦେଖି ବଡ଼ ବିଚଳିତ ହୋଇ ପଡ଼ିଲେ । ସେମାନେ ସଙ୍ଗେ ସଙ୍ଗେ ଅନ୍ଧାରରେ ଅନ୍ଧାରରେ ବ୍ରଜ ଘରକୁ ପଶି ଆସି ଗୁପ୍ଚୁପ୍ରେ କହିଲେ–
ଖାଇବାକୁ ହେଲେ ହେବ, ଏଇ ଘର ଭିତରେ । ଶୁଣିଲୁ ବ୍ରଜ, ବୋଉ କାହାନ୍ତି ? ହେଇଟି ତ.....ଶୁଣିଲେଣି କି ସବୁ କଥା ? ଆଉ ଶୁଣିଲେ କଣ ନ ଶୁଣିଲେ କଣ ? ସେମିତି ଭୟ କରିବା ଦରକାର ନାହିଁ । ମନରେ ସାହସ ଧରି.....ହଁ, ଆଉ ବିଳମ୍ବ କିଆଁ ? କିଏ ଦେଖିଲେ କହିବେ କଣ ? ଦାଣ୍ଡରେ ନୁହେଁ.....ଦାଣ୍ଡରେ ନୁହେଁ । ଏଇ ଘରେ ବାଢ଼ି ଦଅ ।
ଏହି ଲୁଚି କରି ଆସିଥିବା ଲୋକଙ୍କ ଭିତରୁ କିଏ କହିଲା–‘‘ଏଇ ଭୟ କରୁଥିଲା ।’’ କିଏ କହିଲା–‘‘ଭୟ କଣ ?’’ ଉପରେ ପଡ଼ି ଆଉ କିଏ କହିଲା–‘‘ଚୁପ୍, ଚୁପ୍, ଫେରେ କିଏ ଶୁଣିବ ।’’ ପୁଣି କିଏ କହିଲା–‘‘ମୁଁ ଜାଣି କରି ପାଟି କରୁନି, ତୁମେ ସବୁ ଧରା ପକାଇବ ଦିଶିଲାଣି !’’
ବ୍ରଜ ଏମାନଙ୍କର ଏହି ପ୍ରକାର ଯୁକ୍ତିତର୍କ ଶୁଣି ଅବାକ୍ ହୋଇଗଲା । ଏମାନେ ଏତେ ଗଣ୍ଡଗୋଳରେ ଯୋଗ ଦେଇ, ମିଛ କହି କିମିତି ଯେ ଅଛନ୍ତି ବୁଝି ପାରିଲା ନାହିଁ । ଜଣେ ଚୋର ଆଉ ଜଣେ ଚୋରକୁ କହୁଛି ଚୋର ! ଜଣେ ଭୀରୁ ଆଉ ଜଣ ଭୀରୁକୁ କହୁଛି ଭୟାଳୁ ! ଠିକ୍ ଯେପରି ହାଡ଼ି ପିଲାଟିଏ ବ୍ରାହ୍ମଣ କରଣଙ୍କ ପାଖରୁ ଦୂରରେ ଠିଆ ହୋଇ କଣ୍ଡରା, ଦଣ୍ଡାସୀଙ୍କୁ ‘ଅଛୁଆଁ’, ଅଛୁଆଁ ବୋଲି ହୁରି କରୁଛି । ବ୍ରଜ ଭାବିଲା–‘‘ଓହୋ, ସମସ୍ତେ ଚୋର, ସମସ୍ତେ ଭୀରୁ, ସମସ୍ତେ ଅଛୁଆଁ ! ଏ ଭିତରେ ପୁଣି କିଏ ଭଲ ବୋଲି ମାଡ଼ଗୋଳ ! ଆମେ ମଣିଷ ନା ଆଉ କଣ-! କିଏ ଦେବ ଏ ଉତ୍ତର ?’’
ବ୍ରଜ ବୁକୁର ଦମକାଏ ନିଶ୍ୱାସ ଛାଡ଼ି ଦେଲା । ଆଉ କିଛି ନ କହି ସେହି କେତୋଟି ବନ୍ଧୁଙ୍କୁ ଖାଇବାକୁ ଦେଇ ବିଦାୟ ଦେଲା । ତା ପରେ ବୋଉକୁ ପଚାରିଲା–‘‘ବୋଉ, ଆଉ କଣ କରିବା ?’’
ବୋଉ କିଛି ଉତ୍ତର ନ ଦେଇ କେବଳ ପୁଅ ମୁହଁକୁ ଚାହିଁ ରହିଲା । ରନ୍ଧାବଢ଼ା ସବୁ ସରିଥିଲା । କ୍ରମେ ଜିନିଷପତ୍ର ଶୀତଳ ହେଲା । ତଥାପି ଗାଁ ଲୋକଙ୍କର ଘରେ ବା ବାହାରେ ପାଦ ପଡ଼ିଲା ନାହିଁ । ଯେ ବା ଆଗରୁ ଘରକୁ ରନ୍ଧାବଢ଼ା କରି ଦେବାପାଇଁ ଆସିଥିଲେ, ସେମାନେ କ୍ରମେ କ୍ରମେ ଗୋଟି ଗୋଟି ହୋଇ ଅଦୃଶ୍ୟ ହୋଇଗଲେ । କେବଳ ବାହାରେ କେତେ ଲୋକଙ୍କର ଗୁପ୍ଚୁପ୍ ପାଟି ତୁଣ୍ଡ ଶୁଭୁଥିଲା । ବ୍ରଜ ବୋଉକୁ ଯାଇ କହିଲା–
‘‘ବୋଉ, ଆଉ ଅପେକ୍ଷା କଲେ ହବ କଣ ? ଯେବେ ଭୟରେ ରବି ଲୋକେ ଏପରି ହଟହଟା କରି ସାରିଲେଣି, ଚାହିଁ ଚାହିଁ ବା ଲାଭ କଣ ? ପାଞ୍ଚ ଥର ଲେଖାଏଁ ଗଲି, କେତେ ବୁଝେଇ କହିଲା ବୋଉ, ପଥର କଣ କେବେ ପାଣି ପାଲଟେ ? ଦୁଆରେ ଦେଖି କିଏ ଦୁଆର କିଳିଲା । କିଏ ବା କହିଲା, ଦଶ ମାଣ କୋଠକୁ ଦେଲେ ଯିବୁ । କୋଠ କିଏ ଜାଣିଲୁ ବୋଉ ? ଏଇ ଯେଉଁ ଗାଆଁର ପାଞ୍ଚ ଦଶ ଜଣ ଲୋକ ! ଯେବେ କୋଠକୁ ଟଙ୍କା ଦେବାରେ ପାପୀ ପୁଣ୍ୟବନ୍ତ ହୋଇଯିବ ବୋଲି ଶାସ୍ତ୍ରରେ ଲେଖା ଅଛି, ତେବେ ମୁଁ ସେ ଶାସ୍ତ୍ରକୁ ମାନିବି ନାଇଁ, ବୋଉ ।’’
ବୋଉ ତାର ବାୟାଣୀ ପରି ମୁହଁ ଟେକି କହିଲା–‘‘ଅମାନିଆ ହବୁ ବ୍ରଜ, ତୁ ଇମିତି ଅମାନିଆ ହବୁ ? ମୁଁ କଣ କରିବି ?’’
ଜଣା ପଡ଼ୁଥିଲା, ସତେ ଅବା ସେ ବାୟାଣୀ ହୋଇ କଣ କହିବ, କଣ କରିବ, କିଛି ଠିକ୍ କରିପାରୁ ନ ଥିଲା । ବ୍ରଜ ତାକୁ ବୁଝେଇଲା ପରି କହିଲା–
‘‘ମୁଁ ଆଗରୁ ଯାହା କହୁଥିଲି ବୋଉ, ସେହି କଥା ଏବେ କରିବି । ଲୋକେ ଯେ ଆସିବାର ଆସି ଯାଇଛନ୍ତି । ନିରାଶ୍ରୟ ଲୋକଙ୍କର ସନ୍ତୋଷରେ ସିନା ସଂସାରର ମଙ୍ଗଳ ହେବ । ଯେଉଁମାନେ ଦିନରାତି ପର ଛିଦ୍ରରେ ବ୍ୟସ୍ତ, ପର ନିନ୍ଦା ରଟନାରେ ଦିନ କାଟନ୍ତି, ନାନା ଅନ୍ୟାୟର ମାତି ଥାନ୍ତି, ସେମାନଙ୍କ ଉପରେ ରାଗ ରଖିବା କି ଲାଭ ? ନ ହେଲା ନାଇଁ, ସେମାନେ ନ ଆସିଲେ । ସେମାନଙ୍କୁ ଖାଇବାକୁ ଦେଇ ଯେବେ ନନାଙ୍କ ମୁକ୍ତି କାମନା କରୁଥାଉ, ତାହାହେଲେ ଭୁଲ କରୁଚୁ । ସେମାନଙ୍କ ପ୍ରତି ଦୟା ରଖି, ସେମାନଙ୍କ ଧମକ ଚମକ ମାନ ଅପମାନକୁ ମନରେ ନ ଧରି କାମ କରିଯିବା ଭଲ । କଣ କହୁଚୁ ବୋଉ ? ଏ ଲୋକଙ୍କ ଅବସ୍ଥା ଦେଖିଲେ ଆଗ ପଛ ବହୁତ କଥା ଭାବିବାକୁ ହେଉଚି ।’’
ବୋଉ, ଆଉ କିଛି କହି ନପାରି କେବଳ ଦୁଇ ଧାର ଲୁହ ଢ଼ାଳି ଦେଲା । ତା ବୁକୁରୁ ଏକ ଦୀର୍ଘନିଶ୍ୱାସ ଉଠି ସତେ ବା କହି ଦେଲା–‘‘ବ୍ରଜ, ତୁ କି ସତେ ଏ ଗାଆଁରେ ମୁଣ୍ଡ ଟେକି ମଣିଷଟିଏ ହେବୁ ?’’
ଆଉ କୌଣସି କଥାକୁ ଅପେକ୍ଷା କରାଗଲା ନାହିଁ । କିଛି ସମୟ ପରେ ସେହି ଅନ୍ଧାର ରାତିରେ ମଧୁପୁର ଦାଣ୍ଡ ସଜୀବ ହୋଇ ଉଠିଲା । ବହୁ ବର୍ଷର ବୁଭୁକ୍ଷୁ ଜୀବ ପରି ଆସିଥିବା ହତଭାଗା ଦଳ ପ୍ରାଣକୁ ଶୀତଳ କରିବାରେ ଲାଗିଲେ । ଏଣେ ଦାଣ୍ଡରେ ଭୋଜି ଶେଷ ହେଲା ବେଳକୁ ତେଣେ ଠାକୁରଙ୍କ ମଣ୍ଡପ ପାଖରେ ଭୟଙ୍କର ଗୋଳମାଳର ସୃଷ୍ଟି । ବଂଶୀ ଓ ଆଉ କେତେ ଜଣ ଟୋକା ସେହି ରାତିରେ କୁଆଡ଼ୁ ଭୂତ ପରି ଧାଇଁ ଆସି ବ୍ରଜକୁ ଖବର ଦେଲେ ଯେ, ଦେଉଳ ପାଖରେ ମୁଣ୍ଡ ଫଟାଫଟି ହେବାର ସମ୍ଭାବନା ଅଛି ।
‘‘କଥା ଆଉ କିଛି ନୁହେଁ ! ଖାଇବା ପିଇବା ପାଇଁ ଯେ ବନ୍ଦୋବସ୍ତ ହୋଇଥିଲା ତାହାରି ଯୋଗୁଁ ଏତେ ଗଣ୍ଡଗୋଳ ।’’
ବ୍ରଜ ଆଉ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଦେଉଳ ପାଖରେ ଯାଇ ହାଜର ହୋଇଗଲା । ଦେଖିଲା, ଗାଆଁର ଆବାଳ ବୃଦ୍ଧ ସମସ୍ତେ ସେହିଠାରେ ଜମା । ମଣ୍ଡପ ଚାରିପଟେ ଚାରି ପାଞ୍ଚ ଦଳ ଲୋକ ବସି ରହି ଅନବରତ ଗର୍ଜିବାରେ ଲାଗିଛନ୍ତି । ଅନେକ ସମୟ ପରେ କଥା ବୁଝା ପଡ଼ିଲା । ପରମଗୁରୁଙ୍କ ଶ୍ରାଦ୍ଧ ଉପଲକ୍ଷରେ କୋଠକୁ ଦିଆ ହୋଇଥିବା ପଚାଶ ଟଙ୍କାରେ ଭୋଜିର ସିନା ବ୍ୟବସ୍ଥା ହେଲା; ମାତ୍ର ଗ୍ରାମବାସୀ ସମସ୍ତେ ଏକସ୍ଥାନରେ ବସି ପ୍ରସାଦ ପାଇବାକୁ ନାରାଜ । ପଟ୍ଟନାୟକ ଓ ଦାସଙ୍କ ମଧ୍ୟରେ ହାତ ଉଠାଉଠି ଯେ, କେବେ କିଏ ଦାସ ଘର ବୋହୂ ଦଉଡ଼ି ଦେଇ ମରିଥିଲା, ସେଥିର ପ୍ରାୟଶ୍ଚିତ୍ତି ଟଙ୍କା ଦାସେ କୋଠକୁ ଦେଇ ନ ଥିଲେ । ତେଣୁ ପଟ୍ଟନାୟକେ ଦାସଙ୍କ ସଙ୍ଗେ ଏକା ପଂକ୍ତିରେ ବସି ଖାଇବେ ନାହିଁ । ଦାସେ ଉଠି ସଙ୍ଗେ ସଙ୍ଗେ କହୁଛନ୍ତି ଯେ ମହାନ୍ତିଏ ଅମୁକ ଥର ଅମୁକ ଦୋଷ ମାନିଥିଲେ, ତାର ପ୍ରାୟଶ୍ଚିତ୍ତ ସେ କରିନାହାନ୍ତି । ଏଣେ ରଥେ ଖଡ଼୍ଗହସ୍ତ । କାହା ନଣନ୍ଦର ଶାଶୁର ଦୁର୍ନାମ ଥିଲା । ସେ ଆସି ଯେତେବେଳେ ଗାଁରେ ପତ୍ର ପକାଇ ଖାଇ ଯାଇଛି, ସେତେବେଳେ ମଧୁପୁରବାସୀ କେହି ହେଲେ ସେହି ଲୋକ ସଙ୍ଗେ ଭୋଜନ କରିବା ଉଚିତ ନୁହେଁ । ସୁନ୍ଦରାଙ୍କର ଗର୍ଜନ ସବୁଠୁ ବଳେ । ତାଙ୍କର ଆପତ୍ତି ଯେ, ଜେନା ଘରର ବିଧବା ବୋହୂ ଥରେ ଏକୁଟିଆ ପୁରୀ ଚାଲି ଯାଇଥିଲା । ଏକୁଟିଆ ଯିବା ଫଳରେ ସେ ସେଠାରେ କିଛି ଅନ୍ୟାୟ ନ କରିଥିବ ବୋଲି କିଏ କହିବ ? ତେଣୁ ସେ ବସିଲେ ଏ କେଭେଁ ବସିବେ ନାହିଁ ।
ଏହିପରି କେତେ ଯେ ଗଣ୍ଡଗୋଳ ତହିଁର ସୀମା ନାହିଁ । କିଏ ପାଟି କଲେ କିଏ ଆଖି ତରାଟୁଛି । କିଏ ହାତରେ ବାଡ଼ି ଧରିବାକୁ କହିଲେ କିଏ କାତି କୁରାଢ଼ି ଧରିବାକୁ କହୁଛି । ଦେବତାଙ୍କ ଆଗରେ ଶ୍ରାବ୍ୟ ଅଶ୍ରାବ୍ୟ ସକଳ କଥା ପ୍ରୟୋଗ କରାଯାଉଛି । ଏ ସକଳ ଭାଷା ନିଜେ ଦେବତା ପଥର ଦେଉଳରେ ଥାଇ ଶୁଣୁଛନ୍ତି କି ନାହିଁ କେଜାଣି, ମାତ୍ର ମଧୁପୁରର ନିତାନ୍ତ ଅଜାତ ବ୍ରଜ ଏ ଦୃଶ୍ୟ ଦେଖି, ଏକଥା ଶୁଣି ପ୍ରାଣରେ ଗଭୀର ବ୍ୟଥା ଅନୁଭବ କରୁଛି ଏବଂ ଏହା ଫଳରେ ଗାଁର ଆଉ କେତୋଟି ଯୁବକ, ଆଉ କେତୋଟି ଭଦ୍ର ଲୋକ ଏ ଭୋଜିଭାତ, ଏ ଦିଅଁ ଦେଉଳ ଉପରେ ବିଦ୍ରୋହୀ ହୋଇ ଉଠୁଛନ୍ତି ! ବ୍ରଜର ମନ ହେଉଛି, ଇତିହାସରେ ରାଣା ପ୍ରତାପ ଓ ତାଙ୍କ ସାନ ଭାଇ ଶାକ୍ତ ସିଂହଙ୍କୁ ଚାହିଁ ବିବାଦରୁ ରକ୍ଷା କରିବା ପାଇଁ ପୁରୋହିତ ଆପଣା ବୁକୁରେ ଛୁରୀ ମାରି ମଲା ପରି ଏହି ଗ୍ରାମବାସୀଙ୍କ ହୃଦୟରେ ସଦ୍ବୁଦ୍ଧି ଆଣିବା ଲାଗି ସେହିଠାରେ ସେ ଆତ୍ମହତ୍ୟା କରିବ ! କହି ଦେବ-ଦେବତା ପୀଠରେ ମାନବର ଏ ପ୍ରକାର ବିବାଦ ଶୋଭାପାଏ ନାହିଁ !
ରାତି ଯେତିକି ଗଉଲା, ଗୋଳମାଳ ତେତିକି ବଢ଼ିଲା, ଆଉ ସେ ସବୁ କଥା ଶୁଣି ବ୍ରଜ ହୃଦୟ ବ୍ୟଥିତ ହୋଇଉଠିଲା ।
ସେହି ଗୋଳମାଳ ଭିତରେ ହଠାତ୍ ସମସ୍ତଙ୍କ ଆଖି ମଣ୍ଡପ ମଝିକି ପଡ଼ିଲା । ଦେଖିଲେ, ଜଣେ କିଏ ହାତ ଉପରକୁ ଟେକି ଗୁରୁ ଗମ୍ଭୀର ଭାବରେ କହୁଛି–
‘‘ଏଠାରେ କି ଏସବୁ କଥା ଶୋଭା ପାଉଛି । ଏ ଗୋଳମାଳ କଲାବେଳେ ଆପଣମାନେ କି ମନେ କରୁଛନ୍ତି ଏ ପଥର ଦେଉଳରେ ଆଉ ଦିଅଁ ଅଛନ୍ତି ? ଦିଅଁ କି ଏଉଳି ଭକ୍ତଙ୍କ ଭକ୍ତି ଗ୍ରହଣ କରନ୍ତି ? ଏଇ ଦେଖନ୍ତୁ.......ଚାରିପଟେ ଏଇ ଯେଉଁ ହତଭାଗା ଦଳ ଠିଆ ହୋଇଛନ୍ତି, ଏହିମାନେହିଁ ଏ ମନ୍ଦିରର ଅଧିକାରୀ ହେବା ଉଚିତ୍ । ଏହିମାନଙ୍କ ପ୍ରାଣରେ ସରସତା ଅଛି, ଶାନ୍ତି ଅଛି, ଜାଗରଣ ଅଛି । ଯାହାଙ୍କ ଉପରେ ପାପ ଭାରା ଲଦା ହୋଇଛି, ସେମାନେ ଏହା ଦେଖି ହସୁ ନାହାନ୍ତି କି ? ଥରେ ମନକୁ ପଚାରନ୍ତୁ.....ଥରେ ମନ୍ଦିରବାସୀ ଦେବତାଙ୍କୁ ପଚାରନ୍ତୁ.....ଠିକ୍ କରୁଛନ୍ତି କି ଭୁଲ କରୁଛନ୍ତି ଜାଣି ପାରିବେ । ବ୍ରାହ୍ମଣ ତୁମେ, କ୍ଷତ୍ରିୟ ତୁମେ, କରଣ ତୁମେ, ଖଣ୍ଡାୟତ ତୁମେ; କିନ୍ତୁ ତୁମେମାନେ ଅଛୁଆଁ ନୁହଁ ତ ? ତେବେ ଆପଣା ଭିତରେ ଏତେ ଗୋଳମାଳ ।’’
ଏତିକି କହି ବକ୍ତା ହଠାତ୍ କୁଆଡ଼େ ସେହି ଜନ ଗହଳିରେ ମିଶିଗଲା । ଲୋକେ ଦେଖିଲେ, ରୂଅପଢ଼ାର ପାଣଗୁଡ଼ାକ ଯାତ୍ରା ଦେଖି ଗଲା ପରି ଧୀରେ ଧୀରେ ଅଳସ ଭାବରେ ନୀରବରେ ଚାଲିଛନ୍ତି ।