-ଅଠେଇଶି- — ବିଦ୍ରୋହ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
-ଅଠେଇଶି-
ରାତିରେ ଶେଯରେ ଶୋଇଲା ବେଳେ ଗଉରୀ ମୁହଁରୁ ନରକ କଥା ଶୁଣି ରମାର ହାତ ଗୋଡ଼ର ରୋମ ଟାଙ୍କୁରି ଉଠିଲା ! କି ଭୟଙ୍କର, କି କଦର୍ଯ୍ୟ ଚିତ୍ର ସେ ! ନରକପୁରୀ !! ଖାଲି ସେ ଭିତରେ ପଚା ଦୁର୍ଗନ୍ଧ ପାଣି ବହି ଯାଉଛି ! ମାଛି, ମଶା, ଡାଆଁଶ ଭଣଭଣ ହେଉଛନ୍ତି ! ସେ ଭିତରେ ଜୀବଗୁଡ଼ାଏ କେତେ କାଳୁ କିମିତି ପଡ଼ିଛନ୍ତି କେଜାଣି! ସେ ଭିତରେ ପଶୁ ଅଛନ୍ତି, ମଣିଷ ଅଛନ୍ତି । ସେଠାରେ ପଶୁଙ୍କ ଖତଗଦା ଅଛି, ତାହାରି ପାଖକୁ ଲାଗି ମଣିଷର ଖାଇବା ଜିନିଷ ମଧ୍ୟ ଅଛି । ପଶୁ ପାଖରେ ମଣିଷ ଶୋଉଛି, ପଶୁ ଗୁହାଳରେ ମଣିଷ ଖାଉଛି । ନରକବାସୀ ଜୀବଗୁଡ଼ାକର ଖୁଣ ଅଛି, ମାତ୍ର ସେହି ଭିତରେ ଆଉ କିଛି ଭଲ ଗୁଣ ଅଛି କି ନାହିଁ ବାହାରକୁ ଜଣା ପଡ଼ୁ ନାହିଁ । କାହାର କି ଅଭିଶାପ ଫଳରେ ଯେ ସେମାନେ ସେଠି ଯୁଗ ଯୁଗାନ୍ତ କାଳରୁ ପଡ଼ି ରହି ଏତେ ଯନ୍ତ୍ରଣା ଭୋଗୁଛନ୍ତି, ସେମାନେ ମଧ୍ୟ ଜାଣନ୍ତି ନାହିଁ । ସେଇ ନରକଭିତରେ ସେମାନେ ହସୁଛନ୍ତି.....ଆନନ୍ଦ ଉପଭୋଗ କରୁଛନ୍ତି ! ଆହା, ନରକଟାର ନାଁ ରୁଅପଡ଼ା !!
ରମା ଆଶ୍ଚର୍ଯ୍ୟ ଗଉରୀକି ପଚାରିଲା-‘‘କଣ କହିଲ, ସେଟା ନରକ ? ସେଟା ନରକ କିଆଁ ହେବ ମ ? ସେଟା ପରା ରୁଅପଡ଼ା ଗାଁ, ସେଠି ପରା ମଣିଷ ଅଛନ୍ତି ?’’
ଗଉରୀ କହିଲା–‘‘ନରକ ବୋଇଲେ କଣ ତାହା ଆଉକୁଠି ଥିବ, ରୁଅପଡ଼ାରେ ରହିବ ନାଇଁ ? ଯେଉଁଠି ଲୋକର ସାହାଭରସା କେହି ନାହିଁ, ଯେଉଁଠି କେତେ ଯୁଗରୁ,କେତେ ଜନ୍ମରୁ ଦୁଃଖ ବିପଦ ଏକାପରି ଚାଲିଛି, କାନ୍ଦିଲେ କିଏ ଲୁହ ପୋଛିଦେବାକୁ ନାହିଁ କି ଡାକିଲେ କିଏ ଶୁଣିବାକୁ ନାହିଁ, ମନ କଥା କହିବାକୁ ଯେଉଁଠି ଭଲ ହୋଇ ପାଟି ତୁଣ୍ଡ ଫିଟୁ ନାହିଁ, ମନଦୁଃଖ ମନରେ ମାରି ମଣିଷ ମାଟିଠାରୁ ବଳି ନିଦା ହୋଇ ଯାଉଛି, ସେହି ତ ନରକ ! ଆଉ ନରକ ପୁଣି କଣ ? ଆଉ କଣ ଯେବେ ନରକ ଥିବ, ସେ ଥିବ ଆଉ କେଉଁଠି ? ଆଖିରେ ଦେଖୁଥିବା ନରକ କଥା ନ ଭାବି ଅଜଣା, ଅଶୁଣା ଅଦେଖା ନରକ କଥା ଭାବିଲେ ଜାଣିବ କଣ ?’’
ରମା ଗଉରୀର ଏପରି କଥା ଶୁଣି ତାଟକା ହୋଇଗଲା । ଏକା ଘରେ ଦିହେଁ ଅଛନ୍ତି; ମାତ୍ର ଗଉରୀ ଏତେ କଥା ଶିଖୁଛି କେଉଁଠୁଁ ? ପଚାରିଲା–‘‘ଗଉରି, ତମେ ଏତେ କଥା ଶିଖିଲ କେଉଁଠୁ ? ତମେ ତ.....’’
‘‘ମୋ ଦିଅଁ ଙ୍କ ମୁହଁରୁ ।’’
‘‘ଦିଅଁ ? ’’ତାର ବହୁତ କଥା ମନ ପଡ଼ିଗଲା । ଶେଯରେ ପଡ଼ି ଭାବି ଭାବି କେତେବେଳେ ତାର ଆଖିପତା ମଡ଼େଇ ହୋଇଗଲା । ଗଉରୀ ମଧ୍ୟ କେତେବେଳେ ଶୋଇ ପଡ଼ିଲା ।
ତାର ଆର ଦିନ ଦିବସର ସବଳ ଗୌରବ ଘେନି ସୂର୍ଯ୍ୟ ଦବେତା ପୂର୍ବଦିଗରେ ହସି ଉଠିଲେ । ଜଗତରେ ଆଲୋକୋତ୍ସବ ଆରମ୍ଭ ହୋଇଗଲା । ଘର ଦୁଆର ଲିପା ପୋଛା କରୁ କରୁ ରମା ଗଉରୀକି ପଚାରିଲା–
‘‘ଆଚ୍ଛା, ଗଉରୀ, କହିଲ, ସତେ କଣ ଦିଅଁ ଦବେତା ଏ ସଂସାରରେ ସତ’’
‘‘ସତ ନୁହେ କଣ ମିଛ ?’’
‘‘ସେ କଣ ଆମ କଥା ଜାଣିପାରନ୍ତି ।’’
‘‘ହଁ, ସଫା ଜାଣିପାରନ୍ତି ।’’
‘‘ସତ କହୁଚ ?’’
ଗଉରୀ କଥାରେ ଜୋର୍ଦେଲା ପରି କହିଲା–‘‘ମୁଁ ସତ କହିବାରେ, ମିଛ କହିବାରେ କଣ ଥାଏ ଲୋ ? ଦିଅଁ ଯେବେ ଆମ କଥା ବୁଝୁ ନ ଥାନ୍ତେ, ଆମେ ରହିପାରନ୍ତେ ନା ?’’
ରମାର କଣ୍ଠ କାହିଁକି ରୁଦ୍ଧ ହୋଇ ଆସିଲା, ଗଉରୀ ଜାଣି ପାରିଲା ନାହିଁ । ସେ ଆବେଗମୟ ହୃଦୟରେ କହିଲା–‘‘ଗଉରି, ଗଉରି, ତମ ଦୁଃଖ ....ନା, ନା, ତମ କଥା କଣ ଦିଅଁ ତେବେ.....’’
ସେ ଆଉ ପଚାରିପାରିଲା ନାହିଁ । ବୁକୁର ତାର କୋହ ଉଠିଲା । ଗହୀର ପଣତ ତଳେ ସେ ମୁହଁକୁ ଲୁଚାଇ ଦେଇ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ପକାଇଲା । ଗଉରୀ ତାର ଶୁଭ୍ର ଶୀତଳ ହାତ ଦୁଇଟି ତା ଦେହରେ ବୁଲାଇ ଦେଇ, ଆଖିର ଲୁହଧାରକୁ ବହୁ କଷ୍ଟରେ ସଂଯତ କରି ଡାକିଲା–
‘‘ବୋଉ, ଏଇକ୍ଷଣି ନନା ଆସିବେ ଇମିତି ହେବା ଭଲ ଦିଶୁଚି ଟିକି ?’’
ରମା ମୁହଁ ଟେକି କେବଳ ଗଉରୀ ମୁହଁକୁ ଚାହିଁ ରହିଲା । ସେ ଗଉରୀ ମୁହଁକୁ ଅଶ୍ରୁମୟ ସୌନ୍ଦର୍ଯ୍ୟ ପାନ କରୁଥିଲା କି ଦୁଃଖବେଦନା ପାନ କରୁଥିଲା, ସେହି ଜାଣେ ।
-ଅଣତିରିଶି-
ଗଉରୀ ଅନେକ ଦିନ ଆପଣା ଘର ପାଖେ ରହି ବ୍ରଜଘର ସଭାର କଥା ଶୁଣିଛି । ବ୍ରଜ ମୁହଁରୁ କେତେ ବିଚିତ୍ର ଘଟଣାର କାହାଣୀ, କେତେ ଜୀବନର ଦୁଃଖପୂର୍ଣ୍ଣ ଇତିହାସ, କେତେ ହୃଦୟର ନିଖୁଣ ବିକଳ ଚିତ୍ର ବ୍ରଜ ନିଜେ ଆଖିରେ ଦେଖିଲା ପରି ସେ ବ୍ରଜ କଥା ଭିତରେ ଦେଖିବାକୁ ପାଇଛି । କିନ୍ତୁ ସେ ଦିନ ସଭାରେ ବ୍ରଜ ଯେଉଁ କଥା ସବୁ କହିଲା, ସେପରି କଥା ସେ କେବେ ଶୁଣି ନ ଥିଲା । ସେ କଥା ପରି ଆଉ କୌଣସି କଥା ତା ମନକୁ ଏତେ ଅଧିକାର କରି ନ ଥିଲା ।
ଗାଁ ଲୋକ ଥଟା କଲେ, ବ୍ରଜ ହସି ହସି ଉଡ଼େଇ ଦେଇ ଥିଲା । ଗାଁ ଲୋକେ ତାକୁ କଥା କହିଲେ ନାହିଁ, ବ୍ରଜ ସେଥିରେ ଦୁଃଖିତ ହୋଇ ନ ଥିଲା । ଗାଁ ଲୋକେ ଅପମାନ ଦେଲେ, ବ୍ରଜ ପ୍ରାଣକୁ ତାହା କାଟିଲା ନାହିଁ । ଶେଷରେ ଗାଁ ଲୋକେ ବ୍ରଜକୁ ନରକ ଯିବା କଥା କହିଲେ, ତେବେ ମଧ୍ୟ ବ୍ରଜ ତାକୁ ଧୈର୍ଯ୍ୟ ଧରି ଶୁଣିଲା !!
କେବଳ ଯେ ବ୍ରଜ ଶୁଣିଲା, ଏପରି ନୁହେଁ; ବ୍ରଜର ବୋଉ, ତାର ଧର୍ମର ବୋଉ ଏହା ଶୁଣି କିପରି ସହିଲା ! ନରକ ନାଁ ଶୁଣି ଯେ ‘ରାମ’, ‘ରାମ’ କହେ; ସେ ପୁଣି ପୁଅ ସଙ୍ଗେ ଲୋଡ଼ା ହେଲେ ନରକକୁ ଯିବାକୁ ରାଜି ହେଲା !! ପଲ୍ଲି ଗାଁର ବିଧବା, ସେ କି କେବେ ଏହା କରିପାରେ ? ଏ ସବୁ ହୃଦୟ ସତେ କଣ ପଥର ପାଲଟିଗଲା ନା ପଥର ହୃଦୟ ଅମୃତ ପାଲଟିଗଲା ?
ସଂସାରରେ ସନ୍ତାନ ସ୍ନେହରେ ବନ୍ଧନ କି ଏଡ଼େ ଟାଣ ! ପୁଅ କାନ୍ଦିବ, ମାଆ ଆଖିରୁ ଲୁହ ବୋହିବ । ପୁଅ ନରକକୁ ଯିବାକୁ କହିବ, ମାଆ ପୁଣି ସେଥିକି ପ୍ରସ୍ତୁତ ହେବ ! ପୁଅ ପାଇଁ ମାଆ ଆଉ କଣ କରି ନ ପାରେ ?
ଦିନେ ବ୍ରଜ ବୋଉ କଥା ଭାବି ଭାବି ଗଉରୀର ନିଜ ବୋଉ କଥା ମନେ ପଡ଼ିଗଲା । ଦିନେ ସେ ତାକୁ ଏହିପରି କଥାଟିଏ କହିଥିଲା–‘‘ଗଉରୀ ପାଇଁ ମରିଯିବି !’’ ଏତେ ଦିନ ପରେ ବ୍ରଜ ବୋଉ କଥା ଶୁଣି ତା ମନରେ ସେ କଥାଟା ସଜୀବ ଜାଗ୍ରତ ହୋଇ ଉଠିଲା । ଭାବିଲା, ‘‘ବୋଉ ଯେବେ ମୋର ଥାନ୍ତା, ସେ କଣ ମୋ ସଙ୍ଗେ ନରକକୁ ଯିବାକୁ ହଁ କରନ୍ତା ? ସେ କି ମୋତେ କୋଳ କରି ତା ଲୁହରେ ମୋ ଲୁହକୁ ମିଶାଇ ଦିଅନ୍ତା ?’’ ଗଉରୀ ଆଖିକୁ ସଂସାରଟା କେବଳ ତା ବୋଉମୟ ଦେଖାଗଲା । ସେ ଆଖି ମୁନ୍ଦି ଦେଲା । ଦେଖିଲା, ତା ବୋଉ ଆଉ ଆଗରେ ନାହିଁ । ରମା ତାର ସ୍ଥାନ ଅଧିକାର କରି ଆଖିରୁ ଧାର ଧାର ଲୁହ ଗଡ଼ାଇ ପକାଇ ତାକୁ କୋଳ କରିବାକୁ ଆସୁଛି । କହୁଛି–ଗଉରି, ଗଉରି.....ତୁମେ ଯେବେ ନରକକୁ ଯିବ, ମୁଁ କଣ ଯାଇ ପାରିବି ନାହିଁ ? କାହା ପାଇଁ ନରକକୁ ଯିବ ? କିଏ ତୁମକୁ ନରକକୁ ପଠାଇବ ? ନରକ ! ସତେ କଣ ସେ ଗାଁଗୁଡ଼ାକ ନରକ ? ଗଉରୀ, ତୁମ ଦେବତା କି ତୁମକୁ ଇମିତି କଥା କହି ତୁମ ମନକୁ ଭୁଲାଇ ନେଇ ପାରେ ? ତୁମେ ଯେବେ ତାଙ୍କୁ ଦେବତା କହିଲ, ମୁଁ କି କହି ପାରିବି ନାହିଁ ? ସେ କି ଆଉ କାହା ଦେବତା ହୋଇପାରିବେ ନାହିଁ ?’’
ଗଉରୀର କାନ ତାବଦା ହେଲା ପରି ହୋଇ ଆସିଲା । ସେ ଧାର ବ୍ୟାକୁଳ ଭାବରେ କାନରେ ହାତ ଦେଇ ଆଖି ଫିଟେଇ ଜାକି ହୁଏତ–‘ବୋଉ, ବୋଉ’.....ଦେଖିଲା ତା ଆଗରେ ସତକୁ ସତ ସତ୍ୟଭାମା ଆସି ଠିଆ । ଏପରି ଅତର୍କିତରେ, ଅସମୟରେ ଆଗରେ ବ୍ରଜ ବୋଉକୁ ଦେଖି ସେ କଣ କହିବ କିଛି ଠିକ୍ କରି ପାରିଲା ନାହିଁ । ଆଖିରୁ ଅଜାଣତରେ ଲୁହଧାର ବୋହି ଯାଉଛି- ସେ ବାୟାଣୀ ପରି ଧାଇଁ ଯାଇ ବ୍ରଜ ବୋଉକୁ ଜାକି ଧରି କହିପକାଇଲା–‘‘ବୋଉ, ବୋଉ...!’’
ସତ୍ୟଭାମା କୋଳ ଭିତରେ ଗଉରୀକି ଏପରି ହଠାତ୍ ପାଇ ଏକାବେଳକେ ଜାକି ପକାଇଲେ । ସତେ ଅବା କେତେ ଯୁଗ ପରେ ଦୁଃଖିନୀ ମାଆ ତାର ପ୍ରାଣର ସମ୍ପଦ ସନ୍ତାନକୁ ଫେରି ପାଇଲା ! ସତେ ଅବା ଯୁଗ ଯୁଗାନ୍ତରର ଦୁଃଖ ସିନ୍ଧୁ ଏପରି ଭାବରେ ବ୍ରଜ ବୋଉର ବୁକୁ ତଳେ ପୂର୍ର୍ଣ ଆଶ୍ରୟ ପାଇ ଉଛୁଳି ଉଠିଲା !! ସେ ଆପଣାର ଶୁଦ୍ର ଶୀତଳ ବାହୁ ଦୁଇଟିରେ ଗଉରୀକି ଜାକି ଧରି ଏତିକି ମାତ୍ର କହିଲେ-
‘‘ମା ମୋର, କେତେ ଦୁଃଖ ପାଇଲୁ !’’
ଗଉରୀ ମନର ସକଳ ଲଜ୍ଜା ସଙ୍କୋଚ କୁଆଡ଼େ ଲୁଚି ଗଲା । ସେ ବଡ଼ ଧର୍ଯ୍ୟ ଧରି ବ୍ରଜ ବୋଉ ମୁହଁକୁ ଚାହିଁ ପଚାରିଲା–
‘‘ବୋଉ, ଆଜି କିଆଁ ତମେ ଏଠାକୁ ଆସିଲ ?’’
ବୋଉ ତା ପିଠି ଆଉଁସି ଆଉଁସି କହିଲା–‘‘ଆସିଲି ଲୋଡ଼ା ହେଲା ବୋଲି । ସବୁ ଜାଣି ଶୁଣି ତୁନି ଥିଲି ଲୋ ଗଉରି, ତୁନି ଥିଲି । ଆଜି ନ ଆମ ଆଉ ରହିପାରିଲି ନାହିଁ ।’’
‘‘ସବୁ ଶୁଣିଚି ? କଣ ଶୁଣିଚ ?’’
‘‘ଶୁଣିଚି, ତୋ ବୋଉ ତୋକଥା ଭଲ କରି ବୁଝିପାରୁନି ବୋଲି ।’’
ଏ ପଦକରେ ଗଉରୀର ଆଖି ଆଗେ ଆଗେ ଏକ ବିଚିତ୍ର ଦୃଶ୍ୟ ଦେଖାଗଲା । ଦେଖିଲା, ତା ବୋଉ ତାରାମଣି ରୋଗଶେଯରେ ଶୋଇ ରହି, ଲୁହ ଦି’ ଧାର ବୁହାଇ ଦେଇ, ତାର ମୁକୁଳା ଦେହରେ ହାତ ବୁଲାଇ ଶେଷ ଥର ପାଇଁ ସଂସାରରୁ ବିଦାୟ ନେଉଛି । ପୁଣି, ପାଖକେ ରମା ତାର ବୋଉ ରୂପରେ ଆସି ଆପଣା ଦେହରୁ ଅଳଙ୍କାରପତ୍ର କାଢ଼ି ଦେଇ ହସି ହସି କହୁଛି-‘‘ଗଉରି, କିମିତି ଦିଶୁଛି ?’’ ପୁଣି ଆଉ ଏକ ବୋଉ ‘ବ୍ରଜ ବୋଉ’ ତାକୁ କୋଳରେ ଧରି କହୁଛି–‘‘ଆଜି ନ ଆସି ରହି ପାରିଲା ନାହିଁ ।’’
ଗଉରୀ ଉତ୍ତର ଦେଳା–‘‘ବୋଉ ଆସିଚ ଭଲ କରିଚ । ମାନ ମୋ ପାଇଁ ଆଉ କାନ୍ଦିବ ନାହିଁ ।’’ ଏହି ପଦକ କହି ଦେଇ ସେ ତାକୁ କନ୍ଦାଇଦେଲା ।
-ତିରିଶି-
ଗଉରୀର ମନ ଗତଚକ୍ର ପରି ଉଡ଼ିଲା । ନନା ତାକୁ ଯେତିକି ଦୂର୍ ଦୂର୍, ମାର୍ ମାର୍ ଜ ଜ, ରମା ସେତିକି ତାର ପାଖକୁ ପାଖକୁ ଲାଗି ଆସିଲା । ତା ସଙ୍ଗେ ସଙ୍ଗେ ଆସି ଏବେ ବ୍ରଜ ବୋଉ ହାଜର । ତାର ଦୁଃଖମୟ ଜୀବନ ଭିତରେ ପୁଣି ଯେ ଏ କି ଏକ ନାଟ ଆରମ୍ଭ ହେବା ଉପରେ ବସିଲା, ପ୍ରଥମେ ପ୍ରଥମେ କେତେ ଦିନ ସେ ଆଦୌ ବୁଝି ସୁଦ୍ଧା ପାରିଲା ନାହିଁ । ଯାହା କଳ୍ପନା କଲା ସବୁ ଅସ୍ପଷ୍ଟ ମଳିନ ଜଣା ପଡ଼ିଲା । ଦିନେ, ଦି’ ଦିନ, ସପ୍ତାହେ ଦି’ ସପ୍ତାହ ଗଲା, ସେ ପୁଣି ଜାଣିପାରିଲା ଯେ ଖାଲି ବ୍ରଜ ବୋଉ ତା ପାଖକୁ ଆସିଲା ନାହିଁ, ଆଉ ଜଣକୁ ସେ ସାଥିରେ ନେଇ ଆସିଲା । ସେ ହେଉଛି ତାର ପୁରୁଣା-ପରିଚିତ ବ୍ରଜ । ବ୍ରଜ ବୋଉ ତାକୁ ଯେତିକି ଆଦରରେ ଡାକ ଦେଲା-‘ଗଉରୀ’ ତାକୁ ଜଣା ପଡ଼ିଲା ସତେ ଅବା ତାର ପଦେ ପଦେ କଥାରେ ବ୍ରଜ ପାଦେ ପାଦେ ଆଗକୁ ଆଗକୁ ତା ଆଡ଼କୁ ମାଡ଼ି ଆସୁଛି । ଯେତେବେଳେ ସେ ଦେଖିଲା ଯେ ତାର ଆତ୍ମରକ୍ଷାର ଆଉ ଉପାୟ ନାହିଁ, ମନେ ମନେ କାତର ଭାବରେ ପ୍ରାର୍ଥନା କଲା–‘‘ପ୍ରଭୁ ହେ, ମତେ ପୁଣି ଆଉ ହଟହଟା କରନି । ମୋ ଆଖିରେ ଆଉ ଲୁହ ନାହିଁ, ମୋ ବୁକୁରେ ଆଉ ବଳ ନାହିଁ ।’’ ମାତ୍ର ଯେତେ ଯାହାକୁ ପ୍ରର୍ଥନା କଲେ ମଧ୍ୟ ବେଳେବେଳେ ତାର ପୀଡ଼ିତ ସୁପ୍ତ ଯୌବନ ବ୍ରଜ ଆଡ଼କୁ କାତର ସପୂର୍ଣ୍ଣ ଭାବରେ ଦୀର୍ଘ ନିଶ୍ୱାସ ଛାଡ଼ି ଚାହିଁଲା ! ସେ ଭାବନାରେ ଲାଜରେ ତାର କାନ ମୂଳ ଆରକ୍ତ ହୋଇ ଉଠିଲା !!
ଶେଷକୁ ଏପରି ହେଲା ଯେ, ତାର ମନେ ହେଲା, ସେ ଧାଇଁ ଯାଇ ବ୍ରଜ ଆଗରେ ଠିଆ ହୋଇ ପଡ଼ିବ । ନିଜ ବୁକୁରେ ଛୁରୀ ମାରିବା ଆଗରୁ ବ୍ରଜକୁ କହିଦେବ, ‘‘ବ୍ରଜ ! ଏ ଯେତେ ଯେତେ କଥା, ସବୁଥିରେ ତୁମେ କେବଳ ଦାୟୀ । ମୋ ଆଖିରେ ତୁମେ ଲୁହ ବୁହାଇଛ, ମୋ ବୁକୁ ତୁମେ ଭାଙ୍ଗି ଦେଇଛ । ଖାଲି ଏତିକି ନୁହଁ, ମୋରି ପାଇଁ ଏବେ ମୋରି ପରି ଆଉ ଏକ ନାରୀ-ପ୍ରାଣ କାନ୍ଦି ଉଠୁଛି । ମୋରି ପାଇଁ ଆଉ ଜଣକ ଜୀବନରେ ସୁଖଶାନ୍ତି ବିଷ ପାଲଟି ଯାଇଛି । -ସେ ସବୁ ପାଇଁ ତୁମେ କେବଳ ଦାୟୀ । ମୁଁ ଯାଉଚି, ତୁମେ ବାକୀ ବୁଝ ।’’
ଗଉରୀ ପରି ଯୁବତୀର ଏ ମନୋବୃତ୍ତି ବେଶୀ ସମୟ ରହେ ନାହିଁ । ସେ ଭୋ କରି କାନ୍ଦି ଉଠେ । ମନେ ମନେ ପୁଣି ଦିଅଁ ଦେବତାଙ୍କୁ ପ୍ରାର୍ଥନା କରେ-‘‘ପ୍ରଭୁ ହେ ।’’ ଦେଖେ ସେ ଯେଉଁ ଦିଅଁଙ୍କ ପାଖେ ନିଜର ପ୍ରାର୍ଥନା ଜଣାଉଛି, ସେହି ଦିଅଁ ଠିକ୍ ବ୍ରଜ ବେଶରେ ତାହାରି ହୃଦ-ମନ୍ଦିର ଭିତରେ ପୁଜା ଗ୍ରହଣ କରିବାକୁ ପ୍ରସ୍ତୁତ । ଉଃ.......ସେ ଭାବେ, ବୁକୁ ଫାଟିଯାନ୍ତା ହେଲେ !!
ଏ ମଦ୍ୟରେ ଭିତରେ ଭିତରେ ଅନେକ କଥା ବୁଝିପାରି ବ୍ରଜ ତା ବୋଉକୁ ଦିନେ ପଚାରିଲା-‘‘ବୋଉ, ଗଉରୀ କଥା କି ଗାଁରେ ଆଉ କିଏ ବୁଝୁ ନାହାନ୍ତି ?’’
‘‘ଆଉ ବୁଝିବେ କଣ ବା କିଏ ?’’
‘‘ଜଣେ ଦୁଃଖରେ ଥିଲେ କି ଦେଖିବା ଲୋକକୁ ବାଧେ ନାହିଁ ?’’
‘‘ବାଧେ ନାଇଁ ଆଉ କଣ, ବାଧେ ?’’
‘‘ତତେ ବାଧୁଚି, ନ ହେଲେ ତୋ ପରି ଆଉ କାହାକୁ ବାଧୁଚି । ନ ହେଲେ ତୁ ଏତେ କଥା ପଚାରନ୍ତୁ କିଆଁ ?’’
ବ୍ରଜର ମନ ଭିତରେ ଏକ ଗଭୀର ଦୁଃଖଛାୟା ଘୋଟିଗଲା । ବୋଉ ତ ଏତିକି କହି ଦେଇ ଚାଲିଗଲା; ମାତ୍ର ତା ମନ ଜଗତରେ ଏ କଥାର ପତିଧ୍ୱନି ସହଜରେ ଶାନ୍ତ ହେଲା ନାହିଁ । ସେ ସବୁବେଳେ ଶୁଣିବାକୁ ଲାଗିଲା–‘‘ତତେ ବାଧୁଚି, ତତେ ବାଧୁଚି !’’
ବ୍ରଜ ତା ନିଜ ହୃଦୟକୁ ନିଜେ ଦିନେ ପରୀକ୍ଷା କରିବାକୁ ଲାଗିଲା ଦେଖିଲା ସ୍ମୃତିର କେଉଁ ଗଭୀର ଗର୍ଭତଳେ ହାସ୍ୟମୟୀ କିଶୋରୀ ଗଉରୀର ଅଭିନବ ଛବିଟିଏ ଅନ୍ଧାରରେ ପଡ଼ି ଜକ୍ଜକ୍ ଦିଶୁଛି । ତାକୁ ସେ ଆଦରରେ ମୁହଁ ପାଖକୁ ଟାଣି ଆଣିଲା । ଆଖି ଝଲସିଗଲା, ଓଠ ଥରି ଆସିଲା–ଶିରାପ୍ରଶିରାରେ ବିଜୁଳି ଖେଳ ଖେଳିଲା.......ଉଃ.......ପର ମୁହୂର୍ତ୍ତରେ ତାର ଚେତନା ଆସିଲା । କହିଲା-‘‘ଛଃ, ଏତେବେଳେ କି ଏ କଥା ଆଉ ସମ୍ଭବ ?’’
ରମା ଯେ ଦିନେ କି ସାହସରେ ବ୍ରଜ ଘରକୁ ପଶିଯାଇ ବ୍ରଜ ବୋଉ ଆଗରେ ମୁହଁ ଫିଟେଇ କଥା କହିଲ, କେହି କଳ୍ପନା କରିପାରିବେ ନାହିଁ । ଘରକୋଣରେ ବୋହୂ ସେ, ଅଇଲା ଦିନୁ ବ୍ରଜ ଘରେ ତାର ଥରେ ହେଲେ ପାଦ ପଡ଼ି ନଥିଲା । ତାର ଯିବା କଥା ଜାଣି ଗଉରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା-
‘‘ବୋଉ, ତମେ କି ବ୍ରଜଭାଇ ଘରକୁ ଯାଇପାରିଲ ?’’
ସେ ଲୁଚେଇଲା ପରି ହସି ହସି କହିଲା-‘‘କିଆଁ ମ, ଯାଇ ପାରନ୍ତି ନାଇଁ କିଆଁ ? ସେଠି ବାଘ ଅଛି ନା ଭାଲୁ ଅଛି ?’’
‘‘ନନା ଶୁଣିଲେ ଆଉ ରଖିବେ ଟିକେ ?’’
‘‘ହଁ, ତଡ଼ିଦେବେ ନାହିଁ ଆଉ କଣ । ନ ରଖିଲେ ତଡ଼ିଦେବେ ନାହିଁ ?’’
‘‘ବୋଉ, ତୁମେ ଆଉ ଇମିତି କଥା କହ ନାଇଁ । ନନାଙ୍କ ଦୁଃଖ ଦେଖିଲେ ମୋତେ କାନ୍ଦ ଲାଗେ ।’’
‘‘ଆଚ୍ଛା, ଗଉରୀ ତୁମକୁ ଦେଖିଲେ କାହାକୁ କାନ୍ଦ ଲାଗୁଥିବ ବୁଝିପାରୁନି ?’’
‘‘ତୁମେ ସବୁବେଳେ ଇମିତି କଥାଗୁଡାଏ କହ । ହାତରୁ କାଚ ଗଲେ, ମୁଣ୍ଡରୁ ସିନ୍ଦୂର ଲିଭିଲେ ସଂସାରରୁ ନାରୀ ଜନମର ସବୁ ସରିଲା । ମୋର ଆଉ ସଂସାରରେ କଣ ଅଛି କହିଲ ଦେଖି ! ସବୁ ତ ସରିଚି, ମୋ ପାଇଁ ଆଉ କିଏ କାହିଁକି କାନ୍ଦିବ ?’’
‘‘ନାଇଁ ଗୋ, ଗଉରୀ, ନାଇଁ । ତୁମ ପାଇଁ କାନ୍ଦିବାକୁ ଲୋକ ଅଛନ୍ତି । ତୁମ କଥା ବୁଝିବାକୁ ଦିଅଁ ଦେବତା ଏ ସଂସାରରେ ଅଛନ୍ତି ।’’
ଗଉରୀ ମୁହଁରେ ହାସ୍ୟରେଖାଟିଏ ଦେଖା ଦେଲା । ସେ କଉତୁକ ହେଲା ପରି ରମାର ପଣତ କାନିଟାକୁ ଟିକିଏ ଟାରିଦେଲା କହିଲା–‘‘ସତ କହୁଚ, ମୋ ପାଇଁ ଦିଅଁ ଦେବତା ଅଛନ୍ତି ? ମତେ କଣ ସେ ଚିହ୍ନନ୍ତି ? ଦେଖଷଇ ଦିଅନ୍ତି ମୋ ଦିଅଙ୍କୁ ମତେ !’’
‘‘ୟା କଣ କହୁଚମ ! କଣ ବେଶି ବାଟ କି ? ଏଇ ପଡ଼ିଶା ଘରକୁ ଗଲେ ତ ଦେଖି ଆସିବ ! ମୁଁ ଯାଇଥଇଲି ଯେ ବାଟରୁ ଫେରି ଅଇଲ । ତମ ଦିଅଁଙ୍କୁ ମୁଁ କାହିଁକି ଦେଖନ୍ତି ?’’
ଗଉରୀ ଥଟାରେ ହସି ହସି କହିଲା, ‘‘ହଁ, ହଁ, ଜାଣିଚି, ଜାଣିଚି । ଦିଅଁଙ୍କ ବୋଉ ସାଙ୍ଗେ କଥା ହୋଇ ଆସିଲ ପରା ! ମୁଁ କଣ ଏସବୁ କଥା ବୁଝିପାରୁନି ? ତୁମକୁ କିଏ ଏତେ ବୁଦ୍ଧି ବତେଇଲା ? କିମିତି ତାଙ୍କୁ ମୁହଁ ଟେକି କଥା କହିଲମ ?’’
‘‘କାହିଁକି, କଥା କହିବାକୁ କଣ ଭୟ ଲାଗୁଚି ? ଗଳି ହସି ହସି ଠିଆ ହେଲି । ମୁହଁ ଫିଟେଇ କହିଲି-‘ଗଉରୀ କର ଇମିତି ଘର କୋଣରେ ପସି କାନ୍ଦୁଥିବେ, ତମେ କିଏ କିଛି ବୁଝିବ ନାହିଁ ? ଆହା, କେଡ଼େ ସେନେହୀ ଲୋକଯିଏମ ସିଏ । ମତେ ପରା କତା ଦିପଦ କହି କିଣି ନେଲେ ! ମୋ ପିଠି ଆଉଁସି ଦେଲେ, କୋଳକୁ ଟାଣି ନେଇ କଅଁଳେଇ କଅଁଳେଇ କେତେ କଥା ବୁଝାଇଲେ । ସେତେବେଳେ ଭାବିଲି, ମୋ ବୋଉ କୋଳରେ ମୁଁ ସ୍ୱପ୍ନ ଦେଖୁଛି କି !’’
‘‘ତାଙ୍କୁ ତମେ ସିନା ଏବେ ଜାଣିଲ ପିଲାଦିନୁ ମୁଁ ଜାଣିଥିଲି । ତାଙ୍କୁ ମୁଁ ଜାଣିଥିଲା । ତାଙ୍କୁ ମୁଁ ବୋଉ ବୋଲି ଡାକେ । ସତକୁ ସତ ସେ ମୋର ବୋଉପରି । ପିଲାଦିନଯାକ ତାଙ୍କରି ଘରେ କେତେ ଖେଳ, କେତେ କଉତୁକ ।’’ ଗଉରୀ କଣ କଥାରୁ ଅଧା କହି କିଛି ସମୟ ଥଙ୍ଗି ରହିଗଲା । ତାର କଣ୍ଠ ପାଖରେ କଣ ଅଟକି ଗଲା ପରି ଜଣା ପଡ଼ିଲା । ତା ମନ ଭିତରେ କିଏ ଜଣେ ବ୍ରଜପରି ଆସି ଠିଆ ହୋଇଗଲା । ସେ କତାକୁ ବାଆଁରେଇଲା ପରି କହିଲା–‘‘କାଲି ଆସି ମତେ କେତେ କଥା ସିଏ କହି ଦେଇ ଗଲେ-ତୁମରି କୃତ୍ୟ ସବୁ ଇଏ । ମତେ ତୁମେ ହଟହଟା କରି ମାରିବ; ଦିଶିଲାଣି । ହେଇଟି କିଏ.....ନନା ଆସିଲାଣି ପରା..... ।’’
ଅଗଣାରେ ରାଧାନାଥଙ୍କୁ ଦେଖିବା ମାତ୍ରେ ଗଉରୀର ଦେହ ଗୋଟାସୁଦ୍ଧା ଥର ଉଠିଲା-। ଠିକ୍ ଏହିପରି ସମୟରେ ଆର ପାଖରୁ ବ୍ରଜ ବୋଉର ପାଟି ଶୁଭିଲା-
ସେ କାହା ଡାକକୁ ଶୁଣିବ, କିଛି ସ୍ଥିର କରି ପାରିଲା ନାହିଁ । ମଝିରେ ଖାଲି କାଠଟାପରି ସ୍ଥିର ହୋଇ ରହିଗଲା । ତା ପାଟିରୁ ଆଯୌ କଥା ବାହାରିଲା ନାହିଁ । ଆଗରେ ନନାଙ୍କୁ ଦେଖି, କି ଅଜଣା ଭୟରେ ବାୟାଣୀ ପରି ହୋଇ ବ୍ରଜ ଘର ଆଡ଼କୁ ଧାଇଁ ଚାଲିଗଲା । ବାଟରେ ବ୍ରଜ ବୋଉକୁ ପାଇ ଜାକି ପକାଇ କହିଲା–
ରମା ସେତେବେଳେ ସେହି ମଝିରେ ଠିଆ ହୋଇ ନୀରବ ନିସ୍ପନ୍ଦ ଭାବରେ ଏହି ବିଚିତ୍ର ଦୃଶ୍ୟ ଦେଖିବାରେ ଲାଗିଲା ।
ଠିକ୍ ଏହି ଯେଉଁ ଘଟଣା ଘଟିଲା, ତାହା ବ୍ରଜ ଘର ଓ ରାଧାନାଥଙ୍କ ଘର ମଝିରେ ଥିବା ଗୋଟିଏ ଚୋର-ଦୁଆର ପାଖେ । ପରମଗୁରୁ ମଲା ଦିନୁ ସେ ଦୁଆରଟା ବନ୍ଦ ଥିଲା । ରମା ଦିନେ ସାହାସରେ ତାହା ଫିଟେଇ ପକାଇଲା । ଗଉରୀ କଥା ବ୍ରଜ ବୋଉ ଆଗରେ କହିବା ଯେତେବେଳେ ସେ ଦରକାର ମନେ କଲା, ସବୁଲାଜ ସଙ୍କୋଚ, ସକଳ ମନା ବାସନ୍ଦ କଥା ପାଶୋରି, ଗଉରୀର ଶତ ଆପତ୍ତି ସତ୍ତ୍ୱେ ସେ ତାହା ନିଜ ହାତରେ ଫିଟେଇ ଦେଇ ସେହି ବାଟେ ବ୍ରଜ ଘରକୁ ପଶି ଯାଇଥିଲା । ସେହି ଛୋଟ ଦୁଆରଟି ଏବେ ହେଲା ଗଉରୀ ଓ ରମା ଜୀବନରେ ଏକ ବିଷମ ଚୋରି ଦୁଆର ! ସମାଜର ସଂକୀର୍ଣ୍ଣ ବଳ ପଥରେ ଗଲାବେଳେ ସେହି ପଥହିଁ ହେଲା-। ସେମାନଙ୍କର ସଦର ରାସ୍ତା-ବଡ଼ ଦାଣ୍ଡ । ହୃଦୟର ଦୀର୍ଘ ନିଶ୍ୱାସ ସେହି ବାଟରେ ଆଦାନ ପ୍ରଦାନ ହେଲା, ଆଖିର ତପ୍ତ ଲୋତକଧାର ସେହି ପଥ ଦେଇ କହିଲା ଜୀବନର ସକଳ ଆଶା ଆଶ୍ୱାସନା, ସ୍ନେହ ମମତାର ଗତି ସେହି ବାଟ ଦେଇ ଗଲା ।
ଏ ଘରେ ରାଧାନାଥ, ସେ ଘରେ ବ୍ରଜ-ଏ ମଝିରେ ତିନୋଟି ନାରୀ । କାହା ପ୍ରାଣରେ କି ଭାବନା, କି ଗଭୀର ସହାନୁଭୂତିର ଗଙ୍ଗାଧାରା ବହି ଯାଉଛି, କି ମର୍ମ-ବେଦନାରେ ତିନୋଟି ପ୍ରାଣ ଛଟପଟ ହେଉଛି, ଏ ସଂସାର ସୃଷ୍ଟ କରୁଥିବା ଲୋକ କେବଳ ଜାଣେ !
ବ୍ରଜ ସେହି ଛୋଟ ଦୁଆର ପାଖେ ଆସି ଠିଆହୋଇ ଡ଼ାକି ଦେଲା–‘ବୋଉ !’
ବୋଉ ଡାକ ତା ମୁହଁରୁ ଶେଷ ହୋଇ ନାହିଁ, ସେ ହଠାତ୍ ଚମକି ପଡ଼ିଲା । ଦେଖିଲା, ପୁଅର ପାଖେ ବୋଉ ତାର କୌଣସି କରୁଣମୟୀ ଦେବୀ ରୂପରେ, କୌଣସି ପତିତପାବନୀ ଜନନୀ ରୂପରେ, ସତେ ଅବା କେଉଁ ଶତ ସହସ୍ର ଯୁଗର ପତିତା, ଲାଞ୍ଚିତା, ଚିରଦୁଃଖିନୀ କେଉଁ ଯୁବତୀକୁ କୋଳ କରି ଘନ ଘନ ସ୍ନେହ ଚୁମ୍ବୂ ଦେବାରେ ଲାଗିଛି ! ଆଖିରୁ ଧାର ଧାର ଲୁହ ବୋହି ଯାଉଛି ଦୁହେଁ ଦୁହିଁକି ଚାହିଁ ରହନ୍ତି । ସେ ଚାହାଣୀ ଏ ପାପକଳପିତ ମର୍ତ୍ତ୍ୟର ନୁହେଁ–ତାହା ସ୍ୱର୍ଗର । ସେ ଆଉ ପଦେ ଡ଼ାକିପାରିଲା ନାହିଁ । ମର୍ତ୍ତ୍ୟଧାମରେ ଏ ଅପରୂପ ଦୃଶ୍ୟ ସେ କେବେ କେଉଁଠି ଦେଖି ନ ଥିଲା । କେବଳ ନିର୍ନିମେଷ ଲୋଚନରେ ସେହି ଅମୃତମୟ, କରୁଣାମୟ ଦୃଶ୍ୟ ପାନ କରିବାରେ ଲାଗିଲା !
ତେଣେ ଅଗଣାର ସେ ପାଖେ ରାଧାନାଥଙ୍କ ଆଖିକି ଦେଖାଗଲା ଗୋଟିଏ ରାକ୍ଷସୀର ମୂର୍ତ୍ତି । ସେ କେତେ ଯୁଗର କୌଣସି ବଭୁଷିତା ରାକ୍ଷସୀ ମୂର୍ତ୍ତି ମୁଣ୍ଡ ମୁକୁଳା କରି ମର୍ତ୍ତ୍ୟଦାସିନୀ ଏକ ନାରୀକୁ କୋଳରେ ଚିପି ଧରି ସତେ ଅବା ତାର ରକ୍ତ ପାନ କରୁଛି ! ତାର ଆଗମନରେ ଘରଟା ନୀରବ ନିସ୍ତଦ୍ଧ । ଏଡ଼େ ବଡ଼ ସଂସାରଟାରେ ଧର୍ମ ଦେବତା ଲୁଚିବାକୁ ସ୍ଥାନ ନ ପାଇ ଦେବୀ ରୂପରେ ତାହାରି ଆଗରେ ଘରେ ଠିଆ ହୋଇ କେବଳ ଦୃଶ୍ୟ ଦେଖିବାରେ ଲାଗିଛନ୍ତି । ତାଙ୍କ ଘରେ ଏ କି ନାଟ ! ପବିତ୍ର ଦେବମନ୍ଦିରରେ ଏ କି ପେଶାଚିକ କାଣ୍ଡ ! ତାଙ୍କ ହାତରୁ ପାଣିଢ଼ାଳ ଖସିପଡ଼ିଲା । ଫୁଲଚାଙ୍ଗୁଡ଼ା ଥରି ଥରି ପଡ଼ିଗଲା । ସେ ଅସମ୍ଭାଳ ହୋଇ ପୁଣି ଡ଼ାକ ଦେଲେ–
ରମା ଟିକିଏ ମୁହଁ ବୁଲେଇ ଚାହିଁଲା ।
ରମା ପୁଣି ମୁହଁ ବଳେଇ ଦେଖିଲା-ଶୂନ୍ୟ-କେହି ନାହାନ୍ତି । କାହିଁ କେଉଁଠି ଦେବବାଣୀ ଶୁଭୁଛି !
ବ୍ରଜ କଣ୍ଠରେ ପ୍ରତିଶବ୍ଦ ସତେ ଅବା ଗଉରୀ ହୃଦୟରେ ଯାଇ ବାଜିଲା ! ସେ ମୁହଁ ଟେକି କହିଲା–‘‘ବୋଉ !’’
କେତେ ସମୟ ପରେ ବୋଉ ଗଉରୀ ମୁଡଁରୁ ଲୁହ ପୋଛିଦେଇ କହିଲା-‘‘ଯା, ମା’ ନନା ଡ଼ାକୁଥିଲେ, ଯା ଶୁଣିବୁ ।’’
ଏହି ଜକାଜକି, ଲୁହ ବୁହାବୋହିରେ ଦୁଇଟା ହୃଦୟ ଅନେକ ପରିମାଣରେ ଉଶ୍ୱାସ ହୋଇଗଲା ! ଦୁହେଁ ଏକାବେଳକେ ଦୀର୍ଘ ନିଶ୍ୱାସ ଛାଡ଼ି ମୁହଁକୁ ମୁହଁ ଚାହାଁଚାହିଁ ହେଲେ ।
ବୋଉ ଯେତେବେଳେ ସେହି ଛୋଟ ଦୁଆର ବାଟେ ଘରକୁ ଫେରି ଆସିଲା, ଦେଖିଲା, ପୁଅର ପାଖେ ବ୍ରଜ ଠିଆ ହୋଇ ସେ ଧ୍ୟାନମଗ୍ନ ଭାବରେ ରହିଛି । ତାର ଆଖି ଦୁଇଟା ଲୁହ ଛଳ ଛଳ ହୋଇ ଯାଇଛି । ହୃଦୟର ଅଶ୍ରୁ-ନଦୀର ଉପକୂଳରେ ସେ ଆସି ଠିଆ ହୋଇ ଗଉରୀ ଜୀବନରେ ତରଙ୍ଗ ଆଣିବାରେ ଲାଗିଛି । ବୋଉ ପଚାରିଦେଲା–
‘‘ବ୍ରଜ, ଆଜି ଏତେ ଉଛୁର କିଆଁ ରେ ?’’
ବ୍ରଜ ବୋଉ ମୁହଁକୁ ବାଲୁ ବାଲୁ ଚାହିଁ ରହି କହିଲା–‘‘ସେଇ ମାଗିଖାଇ ପାଇଁ କୁଡ଼ିଆ ଖଣ୍ଡିଏ ତିଆରି ହେବ ଯେ, ଚାନ୍ଦା ମାଗିବାକୁ ଯାଇଥିଲି ।’’
ରମା ମଝିରେ ଏହି ଯେଉଁ ଦୃଶ୍ୟ ଦେଖିଲା, ସେଥିରେ ତାର ମନ ବିଦ୍ରୋହ ହୋଇ ଉଠିଲା । ରାଧାନାଥଙ୍କ ସଂସାରଟା ତାକୁ ନିତାକ୍ତ ବିଷ ବୋଧହେଲା । ଜଣେ ଯେ ଜଣକପାଇଁ ଏପରି କାନ୍ଦେ, ଜଣକ ଦୁଃଖ ଦୁର୍ଦ୍ଦଶା ଯେ ଆଉ ଜଣେ ଏପରି ନିବିଡ଼ ଭାବରେ ଅନୁଭବ କରିପାରେ, ରମା ସେ ଦିନ ପ୍ରଥମେ ସେହିଠାରେ ଦେଖିଲା । ସଙ୍ଗେ ସଙ୍ଗେ ଦେଖିଲା, ତାହାରି ଆଗରେ ତାହାରି ‘ପ୍ରାଣ-ଦେବତା’ ରାଧାନାଥ କାଠ ଖଣ୍ଡେ ପରି ଠିଆ ହୋଇ ସବୁ ଦେଖିଲେ, ଅଥଚ ପଦେ ହେଲେ କଥା କହିଲେ ନାହିଁ । ଯେତେବେଳେ ତାଙ୍କୁ କଥା କହିବାକୁ ଦରକାର ପଡ଼ିଲା, ସେ ଷୋଳ ବରଷର ବିଧବା କନ୍ୟା ଉପରେ ପ୍ରାୟଶ୍ଚିତ୍ତର ଏକ ଗୁରୁ ଭାର ଲଦି ଦେଇ କହିଲ–‘‘ଯାହାର ଜାତି ନାହିଁ, ଯେ ପାଣ ହାଡ଼କୁ ଛୁଇଁବାରେ ସାହାଯ୍ୟ କରୁଚି, ସେପରି ଲୋକକୁ ଜାଣି ଶୁଣି ଛୁଇଁବା ଫଳରେ ଗଉରୀକୁ ଦି’ଦିନ ନିର୍ଜଳ ଉପବାସ କରିବାକୁ ପଡ଼ିବ !’’
ଗଉରୀ ମୁଣ୍ଡ ପୋତି ନନାଙ୍କର ଏ ଆଦେଶ ପାଳି ନେଲା; ମାତ୍ର ଏଥିରେ ରମା ପ୍ରାଣ କେତେକରେ ଶାନ୍ତ ହୁଏ? ସେ ଜୀବନସର୍ବସ୍ୱ ପତିଙ୍କ ଉପରେ କୋପଦୃଷ୍ଟ ପକାଇ ଜଳି ଉଠିଲା ! ସେ ହୃଦୟ ଭିତରେ ବହି ହୋଇ ପାଇଁ ଗଉରୀକି ଚାହିଁ ପଚାରିଲା–
‘‘ଗଉରୀ, ସତେ କଣ ତୁମେ ନିର୍ଜ୍ଜଳ ଉପାସ କରିବ ?’’
‘‘କରିବି ନାଇଁ କିଆଁ ? ନନା ପରା କହିଗଲେ ଏଥିକି ୟା ପ୍ରାୟଶ୍ଚିତ୍ତ !’’
‘‘ସତେ କଣ ତୁମେ ଦୋଷ କରିଚ, ଗଉରୀ ?’’
‘‘ମୁଁ ଦୋଷ କରିଚି କି ନାଇଁ, ମୁଁ କିମିତି କହିବି ?’’
ରମା ରାଗିଲା ପରି ମୁହଁ ଟେକି ପଚାରିଲା-‘‘ତୁମେ କହିବ ନାହିଁ, ଆଉ କିଏ କହିବ ?’’
ମୁଁ କହିବି ? ନାରୀଏ କଣ ନାରୀଙ୍କ କଥା କହିପାରନ୍ତି ? ତାଙ୍କ ପାଇଁ କହନ୍ତି ଆଉ ଲୋକେ । ତାଙ୍କ ପାଇଁ ଗାଁର ମହାଜନ ଅଛନ୍ତି, ତାଙ୍କ ପାଇଁ ଶାସ୍ତ୍ର ତିଆରି ହୋଇ ରହିଚି । ବୁଝିପାରୁନି ?
‘‘ବୁଝିପାରୁଚି । ମାତ୍ର କହ ଦେଖି, ମୁଁ ଗୋଟିଏ କତା ପଚାରିବି । ମୁଁ ତୁମକୁ ଛୁଇଁଲେ ମାରା ହେବି ?’’
‘‘ନାଇଁ ମ, ମାରା କିଆଁ ହେବ ?’’
‘‘ତେବେ, ପଡ଼ିଶା ବୋଉକୁ ଛୁଇଁ ତମେ କିଆଁ ମାରା ହେବ ?’’
‘‘ସେ ପରା ହେଲେ ଗାଁର ଜାତି ବାସନ୍ଦ ଘରର ଲୋକ । ତାଙ୍କ ପାପ ହେଉଛି-ହାଡ଼ି ପାଣ ଲୋକଙ୍କୁ ଛୁଇଁଛନ୍ତି ବୋଲି କହୁଥିବା ଲୋକଙ୍କ ଘରେ ସେ ଅଛନ୍ତି ।’’
ଏହିଠାରେ ରମା ପ୍ରାଣରେ ଘୋସନ୍ଦେହ ଆସି ଦେଖା ହେଲା । ମଣିଷ ମରିଷକୁ ଛୁଇଁଲେ, ସେ ଗଉରୀକି ଛୁଇଁଲେ ଛୁଆଁ ହେବ ନାହିଁ-ଏ କଥା ସେ ମନ ରାଗରେ ବୁଝି ନେଇଥିଲା । ମାତ୍ର ବହୁ ଯୁଗର ସଂସ୍କାର ଫଳରେ ହାଡ଼ି ପାଣ କଥା ମନେ ପଡ଼ିବା ମାତ୍ରେ ସେ ହଠାତ୍ ଥଙ୍ଗି ଯାଇ ଗଉରୀ ମୁହଁକୁ କେବଳ ଚାହିଁ ରହିଲା । ନିଜର ଅକାଟ୍ୟ ଯୁକ୍ତିକୁ ନେବା ପାଇଁ ତାକୁ ଆଉ କୂଳ ଥଳ ମିଳିଲା ନାହିଁ । ନିଜ ଭାବନାରେ ନିଜେ ବିବ୍ରତ ହୋଇ ପଚାରିଲା–
‘‘ଛୁଇଁଲେ କି ଘୋର ପାପ କରିବା ହେଲା ?’’
‘‘ହେଲା ବୋଳି ତ ନନା କହୁଛନ୍ତି !’’
ରମା ଏ ବିଷୟରେ ଆଉ କଣ କହିବ, କିଛି ବୁଝିପାରିଲା ନାହିଁ । ‘ନନା’ଙ୍କ ପ୍ରତି ନିଜ ମନର କ୍ରୋଧ ମେଣ୍ଟାଇବା ପାଇଁ ପଚାରିଲା–
‘‘ଗଉରି, ସଂସାରରେ ସମସ୍ତଙ୍କର ସାହା ଭରସା ଅଛନ୍ତି । ପଶୁକୁ ବିପଦ ପଡ଼ିଲେ ସେ ତାର ଆଶ୍ରା ଥାନ ଖୋଜି ପକାଉଛି । ପକ୍ଷୀ ଜନ୍ତୁ ବିପଦ ପଡ଼ିଲେ ତା ଜାତି ଲୋକେ ଯେବେ ତାକୁ ଆଶ୍ରା ନଦେବେ, ତେବେ ସେ ରହିବ କିମିତି ?’’
ଗଉରୀ ଏ କଥାର ଅର୍ଥ ବୁଝି ନ ପାରି ପଚାରିଲା-
‘‘ପଚାରିଲି, ଦୁଃଖରେ ମଣିଷକୁ ଆଶ୍ରା ମିଳୁ ନାଇଁ ବୋଲି ।’’
‘‘ମିଳୁ ନାଇଁ ? କିଏ କହିଲା ? ମଣିଷକୁ ଆଶ୍ରା ମିଳିଲା ପରି ଆଉ କାହାକୁ ମିଳୁ ନାଇଁ-!’’
‘‘ନା, ନା, ମିଳୁ ନାଇଁ; ମିଛ କଥା, ମିଛ କଥା । ମିଳୁଥିଲେ କି ଗଉରୀ ପରି ଜଣେ ଝିଅ ପର ବୁକୁ ଭିତରେ ମୁହଁ କାଢ଼ି ଆଣି ଏ ଘରେ ନିର୍ଜଳ ଉପାସ କରିବାକୁ ବସିଥାନ୍ତା ? ପୋଡ଼ି ଯାଉ ଏ ଶାସ୍ତ୍ର; ପୋଡ଼ିଯାଉ ଏ ଧର୍ମପଣିଆ ! ଦୁଃଖ କିଏ ବୁଝିଲା ? ମଣିଷ କିଏ ଚିହ୍ନିଲା ? ମନ କିଏ ଜାଣିଲା ? ମିଛ କହୁଛି କି ଗଉରି, ମୁଁ ?’’
ଗଉରୀ କିଛି ସମୟ ନୀରବ ରହି କଣ ଭାବିବାରେ ଲାଗିଲା । ମନ ଭିତରେ ତାର କି ରହସ୍ୟର ଯବନିକା ଫିଟିଗଲା; କହିଲା–
‘‘ରମା, ତୁମେ କଣ ସତେ ବିଚାରିଚ କାହାର କିଏ ଆଶ୍ରା ନାହାନ୍ତି ବୋଲି ? ଅଛନ୍ତି, ଅଛନ୍ତି । ଏ ଗଉରୀ ପାଇଁ କିଏ ହେଲେ କଣ ଭାବୁଚି । ତୁମେ ତ ଭାବୁଚ, ରମା, ଇମିତି କଥା ଆଉ ପଚାରିବ ନାଇଁ !’’
ରମା ଆଉ ଧୈର୍ଯ୍ୟ ରଖି ପାରିଲା ନାହିଁ । ଗଉରୀ ବେକକୁ ଡାକିଲା ପରି ଧରି ପକାଇ, ମୁହଁକୁ ମୁହଁକୁ ଲଗାଇ, ଆଦ୍ର କଣ୍ଠରେ କହିଲା-
‘‘ଗଉରୀ, ଗଉରୀ, ସତେ କଣ ତୁମ ପାଇଁ କିଏ କଣ ମାବୁଚି ? ସତ କହୁଚ, ତୁମେ ଜାଣିଚ କିଏ ଭାବୁଚି ? ଭାବୁଥିଲେ ତୁମେ ଏଠି କିଆଁ ପଡ଼ିଚ ?’’
ଗଉରୀ ଦେଖିଲା, ଉମାର ଆଖିରୁ ଧାର ଧାର ଲୁହ ବୋହି ଯାଉଚି । ତା ଲୁହ ଦେଖି ୟା ଆଖିପତା ଓଦା ହୋଇ ଆସିଲା । କହିଲା–‘‘ଏଠି ପଡ଼ିବି ନାଇଁ ତ ଯିବି କୁଆଡ଼େ ?’’
‘‘ନା, ନା, ତୁମେଯାଅ–ତୁମେ ଯାଅ । ତୁମେ ଏଠି ପଡ଼ ନାହିଁ-ଏଠି ପଡ଼ିବାକୁ ମୁଁ ଜନ୍ମ ହୋଇଚି । ମୁଁ ପଡ଼ିଥିବି, ମୁଁ ସଢ଼ି ସଢ଼ି ଏଠି ମରିବି । ଯାଅ ତୁମେ, ଏ ନିର୍ଜ୍ଜଳ ଉପାସ କରିବା ଆଗରୁ କୁଆଡ଼େ ଚାଳିଯାଅ । ଆଉ କିଏ ଜାଣନ୍ତୁ ନ ଜାଣନ୍ତୁ ତୁମକୁ, ମୁଁ ଜାରି ସାରିଚି । ତୁମେ କାହାକୁ ଛୁଇଁଲେ କାରା ହେବ ନାଇ, ତୁମକୁ ଯେ ଛୁଇଁବ ସେ ପବିତ୍ର ହୋଇଯିବ! ସଂସାର କି ଏଡ଼ିକି ଅନ୍ଧ ହୋଇଚି ? ତୁମକୁ ଦେବୀ ତୁମକୁ ରକ୍ଷା କରିବେ । ତୁମେ ହସି ହସି ଯାଅ ଗଉରୀ, କାନ୍ଦି କାନ୍ଦି ଇାଅ ନାଇଁ । କାନ୍ଦ ଦେଖିଲେ ମତେ କାନ୍ଦ ମାଡ଼େ । ତୁମ ମୁହଁରେ ଲୁହଧାର ଦେଖିଲେ ମୋ ଲୁହ ମୋ ମନ ମାନେ ନାଇଁ । ଆଉ କଣ କହିବି ଗଉରୀ !’’
ଗୁରୀ ଦେଖିଲା, ରମା ତାର ମନ କଥା ଅନେକ ପରିମାଣରେ ବୁଝି ପାରିଛି । ସେ ଆଉ କିଛି ନ କହି ଘର କାମରେ ଲାଗିଗଲା । ସବୁ କାମ ସାରି ସେ ଯେତେବେଳେ ସନ୍ଧ୍ୟାବେଳେ ବାଡ଼ି ପିଣ୍ଡାରେ ହାଲିଆ ହୋଇ ଆଉଜି ବସିପଡ଼ିଲା ତେଣେ ତା ନନା ହବିଷ ସାରି ଦାଣ୍ଡଆଡ଼େ ବିଶ୍ରାମ ନେଉଥିଲେ ଏବଂ ରମା ବ୍ରଜଘର ଚୋରି କବାଟ ବାଟେ ନିଜ ଘର ଭିତରକୁ ପଶି ଆସୁଥିଲା ।
ପେଟରେ ଅନ୍ନ ପଡ଼ି ନାହିଁ, ତୁଣ୍ଡରେ ପାରି ଟୋପେ ବାଜି ନାହିଁ, ଗଉରୀ ତଳେ ପଡ଼ି ଭାବିଲା–‘‘ସତେ କି ମୁଁ ପାପ କଲି ?’’
ପାପ ! ତା ପଅତି କି ଭୟଙ୍କର କଥା ! ପିଲାଦିନୁ ସେ ପାପ କଥା କେତେ ଥର କାହା ତୁଣ୍ଡରୁ ଶୁଣି ଆସିଛି । କିଏ ଗୋରୁ ମାଇଲା, ପାପ କଲା; କିଏ ଚୋରିକଲା, ପାପ କଲା; କିଏ ପରର ଅହିତ ପାଞ୍ଚିଲା; ପାପ କଲା, କିଏ ବା ଅବାଟରେ ଗଲା, ପାପ କଲା; ମାତ୍ର ସେ କଣ ପାପ କଲା ?
ଓହୋ ! ପାପତ କି ଭୀଷଣ ରୂପ ସେ କଳ୍ପନା କରିଛି । କିଏ ଗୋଟା ସୁଦ୍ଧା କଣିଷକୁ ଗିଳି ଦେଉଛି, କିଏ ଅଧା ଗିଳି ରଖୁଛି, କିଏ ତା ମଣିଷକୁ ଛୁଇଁ ଦେଇ ପତିତ, ପଙ୍ଗୁ କରି ଦେଉଛି । କିନ୍ତୁ ଗଉରୀ ପାପର ରୂପ ବର୍ଣ୍ଣ କାହିଁ ? ଗଉରୀ କି ପାପିନୀ ?
ଛି ! ତା ପକ୍ଷରେ ପାପ କି କଦର୍ଯ୍ୟ ! ସଂସାରରେ ମରିଷକୁ ସେ ଛୁଇଁ ଦେଇ ଶେଷ କରିଦିଏ, ମରିଷକୁ ଅକର୍ମଣ୍ୟ କରିପକାଏ । ପାପ ଯୋଗୁଁ ମଣିଷ ଆପେ ଆପେ ପେଟ ଭିତରେ ଘାଣ୍ଟି ହୋଇ ମରେ । ସଂସାରଟା ତାକୁ ନିତାନ୍ତ ଅନ୍ଧକାରମୟ ଦିଶେ । କାହିଁ ଗଉରୀର ତ ସେପରି କିଚି ବିକାର ଘଟୁନାହିଁ ? ସେ କି ସତେ ପାପ କରିଛି !
ରାଧାନାଥଙ୍କ ଘରେ ସେହି ଯେଉଁ ‘ପାପ’ ତାକୁ ଦୁଇବାହୁ ତଳେ କୁଣ୍ଢାଇ ପକାଇ ଅଜସ୍ର ଧାରରେ ତା ଉପରେ ଲୋତକ ଢାଳି ଦେଇଗଲେ, ସେ କି ମଧୁମୟ, କି କମନୀୟ ମୂର୍ତ୍ତି ! ସେ ଜ୍ୟୋତ୍ସ୍ନା ପରି ହସିଲା, ଶିଶିର ବିନ୍ଦୁ ପରି କାନ୍ଦିଲା, ଫୁଲ ପରି ପୁଣି ହସେଇଲା ! ତାକୁ କି ପାପ କୁହାଯାଇ ପାରିବ ?
ସେ ପାପ ତ ଗଉରୀ କୁ ଗ୍ରାସ କଲା ନାହିଁ, ତାକୁ ନବଜୀବନ ଦାନ କଲା । ଗଉରୀର ଦୁଃଖଦଗ୍ଧ ପ୍ରାଣ ତାହାରି ସ୍ପର୍ଶରେ ଶୀତଳ ହୋଇ ଉଠିଲା-ତାର ଲୋତକରୁଦ୍ଧ ହୃଦୟଟା ଶରତକାଳୀନ ଆକାଶ ପରି ସ୍ୱଚ୍ଛ ସୁନ୍ଦର କମନୀୟ ହୋଇ ପଡ଼ିଲା । ତାର ଜଡ଼ ଅଙ୍ଗରେ କି ଅଭିନବ ଜୀବନ-ସ୍ରୋତ ଖେଳିଗଲା ।
ସେହି ପାପ ଗଉରୀକି ପଙ୍ଗୁ କଲା ନାହିଁ ଯେ ତାକୁ ଚିରଚଞ୍ଚଳ କରିଦେଲା । ତା ଆଖିକୁ ସବୁ ଦିଶିଲା ଦିବ୍ୟ ସୁନ୍ଦର । ତାହାରି ଦିବ୍ୟ ଦୃଷ୍ଟିରେ ସଂସାରର ସକଳ ପତିତ, ଲାଞ୍ଚିତ ତାକୁ ପୁଣ୍ୟବନ୍ତ ଜଣାପଡ଼ିଲେ । ସେ ତାକୁ କିମିତି କହିବ ପାପ ବୋଲି ?
ଗଉରୀ ଭାବିଲା, -‘‘ତେବେ କଣ ଏହି ପାପ ପାଇଁ, ଯେଉଁ ପାପ ମତେ ପମିତ୍ର କରି ଦେଇଚି-ଏହି ପାପ ପାଇଁ ମୁଁ ନିର୍ଜ୍ଜଳ ଉପବାସ କରି ପଡ଼ିଚି ? ମୋରି ଧର୍ମର ମୋଉକୁ ଛୁଇଁବା ଫଳରେ ମତେ ଏତେ ଶାସ୍ତି ଭୋଗିବାକୁ ପଡ଼ିଚି ! ଛି-ଛି-ଛି, ଏକଥା ମୁଁ ତୁଣ୍ଡରେ ଧରିବି କିପରି ? ଏ କଥା ମୁଁ ମନରେ ଭାବିବି କିମିତି ? ଧର୍ମର ବୋଉ ମୋର ! କେଡ଼େ ପବିତ୍ର ତୁ ! ତତେ ଦେଖିଲେ ମୁଁ ପରା ହସେ, ତତେ ଦେଖିଲେ ମୁଁ ପରା ସବୁ ଦୁଃଖ..... !
ନନା, ଓହୋ, କି ନିଷ୍ଠୁର ! ୟାକୁ ତୁମେ ପାପ ବୋଲି କହିଲ ? ଆଉ ମୋ ଉପରେ ଏହି ପାପ ଭାରି ଲଦି ଦେଇ ତୁମେ ତୁମେ ନିଶ୍ଚିନ୍ତ ରହିଲ ! ...ପାପ...ପାପ...ପାପ...!!! ନା, ନା, ବୋଉ, ସେ ମୋର ବୋଉ ।
ଗଉରୀ ଆଉ ଶୋଇ ପାରିଲା ନାହିଁ । ମନ ଭିତରେ ଏ ସବୁ କଥା ତୁଳି ବିଚାରି ପାରିଲା ନାହିଁ । ତା ଆଖିକୁ ନନା ବେଳେ ବେଳେ ଏକ ପ୍ରକାଣ୍ଡ ଖତଗଦା ପରି ଦେଖାଗଲେ, ଆଉ ବୋଉ ତାହାରି ପାଖେ ସ୍ୱଚ୍ଛ ସୁନ୍ଦର ନିର୍ଝରିଣୀଟିଏ ପରି ପବିତ୍ର ମଧୁମୟ ଜଣାପଡ଼ିଲା !
ଏକ ଲୟରେ ଉଠି ସେ ସିଧା ସିଧା ବ୍ରଜଘର ପାଖ ସେହି ଚୋରିଦୁଆର ନିକଟରେ ଯାଇ ପହଞ୍ଚିଲା । ସେଠି ସେ କଣ କହିବ, କିଛି ଠିକ୍ କରିପାରିଲା ନାହିଁ । ଥରେ ବ୍ରଜଘର ପାଖକୁ ପାଦ ବଢ଼ାଇ ଦେଇ ପୁଣି ସ୍ଥିର ହୋଇ ରହିଗଲା । ଭାବିଲା–‘‘ସତେ କି ମୁଁ ପାପ କରୁଛି ? ଏଇବାଟେ ତ କେତେ ଥର ହସି ହସି ଯାଇଚି, ହସି ହସି ଆସିଚି.......ଯିବି ନା ଫେରିବି ?’’
ପୁଣି ପାଦେ ପକାଇଲା, ପୁଣି ରହି ଭାବିଲା । ପାଦେ ଘୁଞ୍ଚି ଆସି ଆହୁରି ପାଦେ ବଢ଼ାଇଲା । ଏ ପାଖକୁ ଚାହିଁ ସେ ପାଖକୁ ଫେରିଲା । କି ଗୁରୁତର ସନ୍ଦେହଦୋଳାରେ ତାର ଚିତ୍ତ ଆନ୍ଦୋଳିତ ହେବାକୁ ଲାଗିଲା !
ସେ ଥରିଲା, ତା ମନ ଥରିଲା, ଚାହୁଁ ଚାହୁଁ ସେହି ଅନ୍ଧାର ରାଜ୍ୟ ଭିତରେ ସେହି ଘରଟା ମଧ୍ୟ ଥରିଲା । ତାର ମନ ହେଲା, ପାଟି କରି ଡାକି ଦେବ । କାହାକୁ ଡ଼ାକିବ ? ପାଖରେ କେଉଁଠି କୁମ୍ଭାଟୁଆ ହୁଙ୍କାରି ଉଠିଲା ! ତାକୁ ଜଣାପଡ଼ିଲା, ତା’ କାନ ପାଖେ କିଏ ବଜ୍ରଗମ୍ଭୀର ସ୍ୱରରେ ତାହାରି ଯିବା ନ ଯିବା କଥା କି ଅବୋଧ୍ୟ ଭାଷାରେ କହିଦେଇ ଯାଉଛି !
କଣ କରିବ ସେ ? କ୍ଷଣେ ରହି କ୍ଷଣେ ଚାଲିଲା । ପାଦେ ଫେରି ପାଦେ ପକାଇଲା । ରମା ଉଠିପଡ଼ିବ ପରା ! ଡ଼ାକିଦେବ ବା ଗଉରୀ ବୋଲି ! ଏ କି ଏଠି ଥାଇ; ବ୍ରଜ ଘର ଭିତରେ ଥାଇ ଏପରି ନିର୍ଜନ ଅନ୍ଧାର ରାତିରେ ପାଟି ଶୁଣାଇ ଦେବ ? ...ଛି, ଛି...ରମା କଣ ସତେ ନ ଭାବିବ !! ଭାବି ଭାବି ତା ଦେହ ଶୀତକଣ୍ଟା ମାରିଗଲା । ଭାବିଲା, ଧାଇଁଯାଇ ରମାକୁ ସତ କଥାଟା କହି ଦେଇ ଆସିବ, ମନ କଥାଟା ଫିଟେଇ ଦେଇ ଆସିବ ।
କିନ୍ତୁ ସେ କହିବ କଣ ? ସେ କି ଚୋରି କରୁଛି ? ସେ କି ପାପ କରୁଛି ! ସେ ଆସୁଛି, ତାର ବହୁଦିନର, ପ୍ରତିଭୁହୂର୍ତ୍ତର ପରିଚିତ ବ୍ରଜ-ଘରକୁ । ସେ ଆସୁଛି, ତାର ଧର୍ମର ବୋଉ ଘରକୁ । ଏତେଦିନ ବିଚାରି ବିଚାରି, ଦିନରେ ଶାନ୍ତି ନ ପାଇ, ରାତିରେ ନ ଶୋଇ, ସେ ତାର ପ୍ରକୃତ ବାଟ ଖୋଜି ପାଇଛି । ବାଟ ମୁହଁରୁ ଫେରିଯିବ କିପରି ? ପୁଣି.....ଏତେବେଳେ ଏପରି ଭାବରେ ଗଲେ ବ୍ରଜ କି କଣ ମନେ କରିବ..... ?
ପାଦ ପରେ ପାଦ ଆଗକୁ ପଡ଼ିଲା । କିନ୍ତୁ ଏ କି ବିପଦ ! ତଳଘରୁ ଅଗଣା ଭିତରକୁ ପଶିଯାଇ ଦେଖେ ତ ଆଗରେ ବ୍ରଜ !! ଲଣ୍ଠନଟା ଜଳୁଛି, ହାତରେ କାଗଜ ଖଣ୍ଡେ ଧରି ବ୍ରଜ ହସି କଣ ଭାବିାରେ ଲାଗିଛି ।
ତା ଦେଖି ଗଉରୀର ଗୋଡ଼ ଆଉ ଚଳିଲା ନାହିଁ । ସତେ ଅବା ସେ ପଥରର ଏକ ଦେବୀ-ମୂର୍ତ୍ତି ପାଲଟିଗଲା । ବ୍ରଜ ଅଭିଭୂତ ଭାବରେ ତାକୁ ଆଗରେ ଦେଖି ଚମକିଲା ପରି କହିଲା–‘‘ଗଉରି !’’
ଠିକ୍ ସେହି ସମୟରେ ଗଉରୀ ‘ବୋଉ’ ବୋଲି ଡ଼ାକିଦେଇ ସେହିଠାରେ ବସିପଡ଼ିଲା । ତାର ନିଶ୍ୱାସର ଗତି ବନ୍ଦ ହୋଇଗଲା । ଚାହୁଁ ଚାହୁଁ ଫୁଲ ଝାଉଁଳିଲା ପରି ତା ଦେହଟା ଯାକ ଝାଉଁଳିଗଲା । ଏ ଆକସ୍ମକ ଘଟଣାରେ ବ୍ରଜର ବିସ୍ମୟର ସୀମା ରହିଲା ନାହିଁ । ସେ କିଛି ବିପଦ ଆଶଙ୍କା କରି ପୁଣି ପଚାରିଲା-
‘‘ଗଉରି, ଏତେ ରାତିରେ.....ଉପାସରେ କି ଇମିତି ହୁଅନ୍ତି ?’ କହି କହି ସେ ଗଉରୀର ହାତ ଦି’ଟାକୁ ଦୁଇ ହାତରେ ଧରି ତଳେ ଉଠାଇ ପକାଇବାକୁ ଚେଷ୍ଟା କଲା । ଗଉରୀ ସେତେବେଳେ ନିତାନ୍ତ କାତର ଅଧୀର ଭାବରେ ତା ମୁହଁକୁ ଚାହିଁ ରହି ପଚାରିଲା–
‘‘ମୁଁ କି ସତରେ ପାପ କରିଛି ? କିଏ କହି ପାରିବ କି ପାପ କରିଛି ?’’
ବ୍ରଜର ଭୟରେ ସୀମା ଲୁଚି ଗଲା । ତାର ମନେ ପଡ଼ିଲା ଆଉ ଏକ କଥା । କହିଲା–‘‘ପାପ ! କିଏ କହିଲ, ପାପ କରିଛୁ ବୋଲି ?’’ ମିଛ, ମିଛ । ସେମାନେ ଯାହାକୁ ପାପ ବୋଲି କହୁଛନ୍ତି ମୁଁ ତାକୁ ପାପ ବୋଲି କହିପାରୁ ନାହିଁ । ସଂସାରରେ ଏହିପରି ଅଲଗା ଅଲଗା ଅନେକ କଥା ଅଛି । ମୁଁ ସବୁ ଜାଣିଛି, ସବୁ ବୁଝିଛି, ଗଉରି ! ତୋ ମନ ଭିତରେ ତ ଆଲୁଅ ଜଳୁଛି, ପାପ ସେହି ଭିତରେ ଲୁଚି ରହିବ କିମିତ ? ମିଛରେ ତୁ ପାପ ବୋଲି ଭାବୁଛୁ ।’’
ଗଉରୀ ବ୍ରଜ ଭାଇ ବୁକୁ ଭିତରେ ମୁଣ୍ଡ ଗୁଞ୍ଜି ଦୁଇ ତିନିଟା ଦୀର୍ଘଶ୍ୱାସ ଛାଡ଼ିଲା । ସେତିକିରେ ସତେ ଅବା ତା’ ବୁକୁ ଭିତରୁ ବହୁ-ଯୁଗର ସଞ୍ଚିତ ଅସରନ୍ତି ଦୁଃଖ ବେଦନା ସେହି ମୁହୂର୍ତ୍ତରେ ସେହି ଠାରେ ଅପସାରିତ ହୋଇଗଲା । ପଦେ ହେଲେ କଥା କହିବାକୁ ତାର ଆଉ ଓଠ ଫିଟିଲା ନାହିଁ । ତାର କପାଳ ଦେଶରେ ବ୍ରଜର ତପ୍ତ ନିଶ୍ୱାସ ଘନ ଘନ ଭାବରେ ବାଜିବାରୁ ସେ ମୁହଁ ଟେକିଲା ।
ଦୁହେଁ ନୀରବ, ନିର୍ଜନ ରାତି । ବାହାରେ କୌଣସି ଅଜ୍ଞାତ କୀଟ ପତଙ୍ଗର କ୍ଷୀଣ ଚିତ୍କାର ସଂସାରର ଦୁଃଖ ବିପଦକୁ ନିଜ ବୁକୁରେ ଜମାଟ ବାନ୍ଧି କାହାକୁ ଶୁଣାଉଥିଲା ପରି ଜଣାପଡ଼ୁଥିଲା । ଆକାଶରେ ଗ୍ରହ ନକ୍ଷତ୍ରଗୁଡ଼ାକ କାହିଁ ଲକ୍ଷ ଯୋଜନ ଦୂରରେ ଥାଇ କି ମହାମନ୍ତ୍ର ସାଧନାରେ ରତ ଥିଲେ । ବ୍ରଜ ଦେଖିଲା, ତା ବୁକୁ ପାଖରୁ ଗଉରୀର ମୁଣ୍ଡଟା ଧୀରେ ଧୀରେ ଖସିଗଲା । ତା ପରେ ଗଉରୀର ଦେହ ହଲ ଚଲା ହେଲା । ଥରେ ମୁହଁ ଟେକି ବ୍ରଜ ମୁହଁକୁ ଚାହିଁ ଦେଇ ଧୀରେ ଧୀରେ ସେ ଅନ୍ଧାରରେ କୁଆଡ଼େ ମିଶିଗଲା । ବ୍ରଜ ସେଠି ଚିତ୍ର ପିତୁଳା ପାଲଟିଗଲା-।
ଏତେ ଦିନ ମଧ୍ୟରେ ରୁଆପଡ଼ାରେ ଯେ ଉତ୍ତେଜନାର ସୃଷ୍ଟି ହେଲା, କୌଣସି ଦେବତା ସୁଦ୍ଧା ତାହା ବନ୍ଦ କରିବା ସମ୍ଭବପର ହେଲା ନାହିଁ । ଲୋକଙ୍କ ଭିତରେ ଜାଗରଣ, ସେମାନେ ମଣିଷ ହେବେ, ପାଠ ପଢ଼ିବେ, ସଂସାର ଯାକର ନାନା କଥା ଜାଣିବେ ।
ଖାଲି ରୁଆଡ଼ା ନୁହେଁ, ରୂଆପଡ଼ାକୁ କେନ୍ଦ୍ର କରି ଦଶ ପାଞ୍ଚ କୋଶ ମଧ୍ୟରେ ଯେତେ ଯେଉଁଠି ଅଛୁଆଁ ଜାତିର ଲୋକ ଥିଲେ, ସମସ୍ତଙ୍କ ଭିତରେ ଗୋଟାଏ ନୂଆ ଚହଳ ପଡ଼ିଗଲା । ନିଜକୁ ନିଜେ ସେମାନେ ଚିହ୍ନି ପାରିଲେ ଯେ, ସେମାନେ ଜଣେ ଜଣେ ମଣିଷ-ପଶୁ ନୁହନ୍ତି କି ନରକର ଜୀବନ ନୁହନ୍ତି । ରୂଷି ମହର୍ଷିଙ୍କ ପରି ସାଧନା ବଳେ ସେମାନେ ମଧ୍ୟ ଦେବତା ପାଲଟି ଯାଇ ପାରିବେ ।
ଏହି ନବ-ଜାଗ୍ରତ ଜୀବଗୁଡ଼ାକର ମହାଜାତିଅଣ ସଭାଡ଼କା ହେଲା । ସେହି ସଭାରେ ପ୍ରଧାନ ପୁରୋଧା ହେବ ବ୍ରଜ ଏବଂ ସଭାକୁ ଆସିଥିବା ନାରୀମାନଙ୍କୁ ସେମାନେ କଥା ବୁଝାଇବା ଭାରି ରହିବ ଚକ୍ର ବୋଉ ସତ୍ୟଭାମାଙ୍କ ଉପରେ । ବ୍ରଜ ଘରେ ସତ୍ୟଭାମାଙ୍କ ଆଗରେ ‘ନରକ’ ଯିବା କଥା ପଡ଼ିବା ଦିନୁ ଏହାହିଁ ଠିକ୍ ହୋଇଥିଲା । ଠିକ୍ ସେହି ଦିନଟା ପଡ଼ିଲା ଗଉରୀର ନିର୍ଜଳ ଉପବାସର ପ୍ରଥମ ଦିନ ।
ସଭା ଦିନ ସକାଳୁ ବ୍ରଜ ତା ବୋଉକୁ ପଚାରିଲା–
‘‘ବୋଉ ତୁ ଆଜି ଏପରି ଉପବାସ କରିବା କି ଠିକ୍ ହୋଇଛି ?’’
ବ୍ରଜ ଏ କଥା ପଚାରିବା ଆଗରୁ ସକାଳୁ ଉଠି ଆକାଶ ପାତାଳ ବହୁତ କଥା ବିଚାରି ସାରିଥିଲା । ରାତିରେ ସେ ପ୍ରକୃତରେ ଗଉରୀକି ଦେଖିଛି କି ସ୍ୱପ୍ନ ଦେଖିଛି; ଏହି କଥା ସେ ଅନେକ ସମୟ ଭାବିଲା । ଏ ଭାବନାରେ ସେ ଏପରି ଅନୁଭୂତ ହୋଇ ପଡ଼ିଲା ଯେ, ସେହି ଜାଗ୍ରତ ଅବସ୍ଥାରେ ତାକୁ ଜଣା ପଡ଼ିଲା–ସତେ ଅବା ସେ ସେହିଠାରେ ଗଉରୀକି ଟେକି ଠିଆ କରି ଦେଇଛି; ତାର ତତଲା ଲୁହ ଦୁଇ ଧାରକୁ ନିଜ ବୁକୁରେ ଦାଗ ପକାଇ ଦେଇଛି । ଲୁହ ଦେଖି କିଏ କଣ ବିଚାରିବ ବୋଲି ସେ ଆପଣା ହାତରେ ବୁକୁଟାକୁ ପୋଛି ଦେଲା । ପର ମୁହୂର୍ତ୍ତରେ ନିଜ ଲାଜରେ ସେ ନିଜେ ସଢ଼ିଗଲା ।
ପୁଅର ଏହି ପ୍ରଶ୍ନ ଶୁଣଇ ବୋଉ ହସି ହସି କହିଲା-
‘‘ଠିକ୍ ହେଇ ନାଇଁ କିଆଁରେ ? ଠିକ୍ ହେଇଚି ? ଠିକ୍ ହେଇଚି ! ମତେ ଛୁଇଁବା ଯୋଗୁ ଯେବେ ଆଉ ଜଣକୁ ନିଷ୍କାରଣରେ ନିର୍ଜନ ଉପବାସ କରିବାକୁ ପଡ଼େ, ସେତେବେଳେ କି ମୁଁ ଭାତ ଖାଇ ରହିବା ଉଚିତ ? ଏ ଉପାସରେ ମତେ ଏକାଦଶୀ ଅପେକ୍ଷା ଆହୁରି ପୁଣ୍ୟ କଲା ପରି ଲାଗୁଚି । ମତେ ଆଉ ଭୋକ ନାଇଁ କି ଶୋଷ ନାଇଁ !’’
ବ୍ରଜ ଆଶ୍ଚର୍ଯ୍ୟ ହୋଇ ପଚାରିଲା-‘‘ପୁଣ୍ୟ କଲୁ ? କେମିତି ବୋଉ ପୁଣ୍ୟ ପଲୁ ? ତୋ ଯୋଗୁଁ ପରା ଜଣେ ଉପାସରେ ଛଟପଟ ହେଉଚି ! ଆଉ, ତୋର ପୁଣ୍ୟ ହେଲା କିମିତି ?’’
‘‘ପୁଣ୍ୟ ହେଲା କିମିତି ? ସେ ଛଟପଟ ହେଉଚି ବୋଲି ମୋର ପୁଣ୍ୟ ହେଲା ।’’
‘‘ଜଣେ କି ଉପାସରେ ଛଟପଟ ହେଲେ ଆଉ ଜଣକର ପୁଣ୍ୟ ହୁଏ ? ଏ ତ ସଂସାର ବାହାର କଥା ମତେ କହୁଚୁ !’’
ପୁଅର ଏ ପ୍ରକାର ଯୁକ୍ତି କଥା ଶୁଣି ବୋଉ ହସି ହସି କହିଲା,-‘‘ବୁଝି ପାରୁନି ଏଇ କଥା-? ତାକୁ ପରା ଏଇ କୋଳରେ ମୁଁ ପାଳିଥିଲି ରେ......’’
‘‘ହଁ, ତା ତ ବୁଝୁଚି; ମାତ୍ର ଏ ଉପାସ କଥା......’’
‘‘ଏଇ ମୋ କୋଳରେ କି ସେ ମୁଣ୍ଡ ପୋତି କାନ୍ଦିଲେ ତାର ପାପ ହେବ ?’’
‘‘ତା ତ କେଉଁ ହେବ ନାଇଁ, ମୁଁ ଜାଣେ । ମାତ୍ର ଲୋକେ ଜାଣିବାକୁ ତ ପାପ ନ କରି ପାପର ପ୍ରାୟଶ୍ଚିତ୍ତ କରିବାକୁ ହେଲା ।’’
‘‘ସତ କଥା, ଲୋକେ ଜାଣିବାକୁ ୟା ହେଲା । ମାତ୍ର ସେ ତ ୟାକୁ ପାପ ବୋଲି ବିଚାରି ନାଇଁ !’’
‘‘ସେ କଣ ବୋଲି ବିଚାରିଚି, ଭାବୁଚୁ ?’’
‘‘ସେ ମନେ ମନେ ଭାବୁଚି-‘ନାନା ମୋର କେଡ଼େ ଅବୁଝା ଲୋକ, ସତେ ! ବୋଉ କୋଳକୁ ଝିଅ ଗଲେ କଣ ପାପ ହେଲା ? ମତେ ଛୁଇଁ ସେ ଯେବେ ଉପାସ କରି ନ ଥାନ୍ତା, ତାହାହେଲେ ତା ନାନାଙ୍କୁ ସେ ଦୋଷୀ ବୋଲି ବୁଝନ୍ତା କିମିତି ? ମୁଁ ଜାଣେ, ତା ନନା ଏପରି କଥା କରି ଘୋର ଅନ୍ୟାୟ କରିଚନ୍ତି । ଆଉ ସେହି ଅନ୍ୟାୟଟା ଜଣା ପଡ଼ିଗଲା କେବଳ ମୋରି ଯୋଗୁଁ-। ସେହି ଅନ୍ୟାୟ କଥା, ଗଉରୀ ବୁଝିଲା, ରମା ବୁଝିଲା, ଦିନେ ସେଇ ନିଜେ ବୁଝିବେ ମଧ୍ୟ-। ବୁଝି ପାରିଲେ କି ମଣିଷ ଆଉ କି ପାପ କରେ ? ଜଣକ ଯୋଗୁଁ ଜଣେ ଯେବେ ନିଜ ଅନ୍ୟାୟ ବୁଝି ଭଲ ବାଟକୁ ଆସିବ, ତାହାହେଲେ କଣ ସେଟା ଏକ ପୁଣ୍ୟ କାର୍ଯ୍ୟ ନୁହେ ? ମୁଁ ଆଜି ଏମିତି ପୁଣ୍ୟ ଅର୍ଜିଚି, ବୁଝିଲୁ ?’’
ବ୍ରଜ ତା ବୋଉର ସେହି ଶାନ୍ତସ୍ନିଗ୍ଧ ମୁଖମଣ୍ଡଳକୁ ଥରେ ଚାହିଁ ରହି ପୁଣି ପଚାରିଲା–
‘‘ବୋଉ, ତୁ କଣ ସତରେ ଗଉରୀ ମନ କଥା ଜାଣି କରି କହୁଚୁ ?’’
‘‘ଜାଣି ପାରିବି ନାଇଁ ? ମାଇପି ମନ କଥା ମାଇପିଏ ଜାଣିବେ ନାଇଁ ତ ଜାଣିବ କିଏ-?’’
ବ୍ରଜ ଆଉ କଣ ପଚାରୁ ପଚାରୁ ବୋଉ କହିଲା –
ଗଉରୀକି ଜାଣିଚି, ତାର ଦୋଷ କିଛି ନାହିଁ । ପାପ କଣ ଏଥିରେ, ସେ ବୁଝି ନାହିଁ । ସେ ଏତେ କଷ୍ଟ ସହି କାହାକୁ ଦୋଷ ଦେଉ ନାହିଁ । ଦୋଷ ନ ଦେଇ ସେ ତା ନନାକୁ ଦୟା କରୁଚି । ତା ମନଟା ଏବେ ବଡ଼ ଥିର ଅଛି । ତା ମୁହଁରୁ କଥା ଶୁଣିଲେ ମତେ ଆଉ ଦୁଃଖ ଲାଗୁ ନାହିଁ । କେଜାଣି କାହିଁକି ଅନେକ ଦିନ ହେଲାଣି ମୋ ପାଖକୁ ସେ ଭରସି କରି ଆସୁ ନ ଥିଲା । କାଲି ସେତିକିବେଳେ କାନ୍ଦି କାନ୍ଦି ମତେ କହି ପକାଇଲା-‘ମୁଁ ଆଉ ଏ ଘରେ ରହି ପାରିବି ନାହିଁ, ରହି ପାରିବି ନାହିଁ । ମୋ ଘେନି ଆଉ ଗୋଟିଏ ପ୍ରାଣୀ ମରିବ ସିନା, ଆଉ କିଛି ଲାଭ ହେବ ନାହିଁ । ଅଜାତିଆ ହୋଇ ତମେ ଯୁଆଡ଼େ ଯିବ ମତେ ସିଆଡ଼େ ନିଅ । ମତେ ଏ ବିପଦରୁ ରକ୍ଷା କର.... । କେତେ କଥା କହିଲା, ସବୁ କଣ ମୋର ମନେ ଅଛି କି ରେ, ପୁଅ ?’’
ବ୍ରଜ କାନେଇଲା ପରି ତରତର ହୋଇ କହିଲା–‘‘ହେଇଟି, ଲୋକେ ଆସି ଗଲେଣି । ଏଇକ୍ଷଣି ବାହାରିବାକୁ ହେବ ।’’
ବୋଉ ମୁହଁର ରଙ୍ଗ ହଠାତ୍ ବଦଳିଗଲା । ତା ମନ ଭିତରେ ଏକ ଘୋର ଆନ୍ଦୋଳନ ଆରମ୍ଭ ହେଲା । ‘‘ଭାବିଲା, ସତେ କି ଆଜି ମଧୁସୁର ଗାଁରେ ଗୋଟେ ନୂଆ କଥା କରି ବସିବି ? ସତେ କି ଏ ପର କୋଣ ଛାଡ଼ି ତାଘରକୁ, ଦାଣ୍ଡକୁ ବାହାରି ପଡ଼ିବି ?’’
ସେତେବେଳେ ଦୋଡ଼କୁ ଦୁଇଟା ବାଟ ଦେଖାଗଲା । ଗୋଟେ ଅନ୍ଧାରରେ ଏବଂ ଆଉ ଗୋଟେ ଆଲୁଅରେ । ସେ ଦେଖିଲା, ପଛରେ ତାର କେତେ ଯୁଗ ତଳର ବଂଶ, –କିଏ କେତେ ଗଙ୍ଗାସ୍ନାନ କରି ମରିଛି, କିଏ ଗୟାରେ ପିଣ୍ଡ ଦେଇ ବାପମାଆଙ୍କୁ ଉଦ୍ଧାର କରିଛି, କିଏ ବାର ବରଷରେ ଗୋଦାବରୀରେ ବୁଡ଼ ପକାଇ ବଂଶର ମୁଖ ଉଜ୍ଜ୍ୱଳ କରିଛି, କିଏ ରାମାୟଣ ମହାଭାରତ ଅଠର ଥର ଶୁଣି କେତେ ପୁଣ୍ୟ ଅର୍ଜିଛି, ପୁଣି କିଏ କାର୍ତ୍ତିକରେ ପୁରୀରେ ହବିଷ କରି ନୀଜ ଜୀବନକୁ ଧନ୍ୟ କରିଛି, କିଏ ପତିଙ୍କ ଆଗରେ ହାତରେ ଅହ୍ୟ କାଚ ଦେଖି ହସି ହସ ମରିଛି, କିଏ ବା ସତୀ ହୋଇ ପତିଚିତାକୁ ଡେଇଁ ପଡ଼ି ଗାଁଯାକରେ ସତୀ ଦୋଲେଇଛି ।
ଆଗରେ ଦେଖିଳା, ଏ ସବୁ କିଛି ନାହିଁ । ବ୍ରଜ,-ତା କୋଳର ସଙ୍ଖାଳି, ନୟନର ମଣି ବ୍ରଜ, ଆଗେ ଆଗେ ବାଟେ ବାଟେ ହସି ହସି ଡେଇଁ ଡେଇଁ ଚାଲି ଯାଉଛି । ତା ପଛେ ପଛେ ସେହି ବାଟଟା ଆଲୁଅ ହୋଇ ପଡ଼ୁଛି । ସେ ହସି ହସି କେତେ ସୁନ୍ଦର ଡାକି ଦେଇ ପୁଣି ଥରେ ହସି ଦେଉଛି । ସେହି ବାଟ କଡ଼ରେ କେତେ କିଏ କାତର ଭାବରେ, ବ୍ୟାକୁଳ ଭାବରେ ପଡ଼ି ହାହାକାର କରୁଛନ୍ତି । ବ୍ରଜ କହୁଛି–
‘‘ବୋଉ, ଏ ଶୋଷିକ ପାଣି ମନ୍ଦିଏ ଦେଲେ କି ପାପ ହେବ ?’’
ବୋଉ ଦୁଃଖରେ ଲୁହ ଢାଳି ଦେଉଛି । ସେହି ଲୁହକୁ ସେମାନେ କାତର ଭାବରେ ପିଇ ଦେଇ କହୁଛନ୍ତି, ‘ମା, ତୋର ଗଙ୍ଗା ସ୍ନାନ ଫଳ ହେଉ ।’
ବ୍ରଜ କହୁଛି–‘‘ବୋଉ, ଏହି ମଣିଷଗୁଡ଼ାକ ପଶୁ ପାଲଟି ଯାଇଛନ୍ତି । ଆମେ ତାଙ୍କୁ ମଣିଷ ବୋଲି ଚିହ୍ନାଇ ଦେଲେ କଣ ଲୋକେ ନିନ୍ଦା କରିବେ ?’’
ବ୍ରଜ କହୁଛି, ‘‘ବୋଉ, ଏହି ଯେଉଁ କୁଡ଼ିଆ ଖଣ୍ଡିକ ଦେଖୁଛୁ, ଏ ଖଣ୍ଡିକରେ ମଣିଷ ନ ରହିବା କଥା; ମାତ୍ର ବାଧ୍ୟ ହୋଇ ରହିଛନ୍ତି । ଆମେ ଏମାନଙ୍କୁ ସାଙ୍ଗରେ ଡାକି ନେଲେ କଣ ଅନ୍ୟାୟ ହେବ ?’’
ବ୍ରଜ କହୁଛି, ‘‘ବୋଉ, ନଈ ବଢ଼ିରେ ଏହି ଯେଉଁ ଲୋକ-ଗୁଡ଼ାକ ଭାସି ଆସିଛନ୍ତି, ଏଗୁଡ଼ିକର ଜାତି ଗୋତ୍ର କିଛି ନାହିଁ । ଏମାନଙ୍କ ତୁଣ୍ଡରେ ତୋରାଣି ମନ୍ଦିଏ ଲେଖାଏଁ ଦେଲେ କଣ ଭଲ ହେବ ନାହିଁ !’’ ବ୍ରଜ କେତେ ଏହିପରି କହୁଛି, ବୋଉ ସେହି ବାଟେ ବାଟେ କେତେ ଏହିପରି ଦେଖୁଛି !
ବ୍ରଜ–ବୋଉ ପକ୍ଷରେ ତ ଏହା ଘର ଛାଡ଼ି ବାହାରକୁ ଯିବା କଥା ନୁହେଁ; ଏହା ହେଉଛି, ଏକ ପୃଥିବୀ ଗ୍ରହରୁ ଅନ୍ୟ ଗ୍ରହକୁ ଯିବା କଥା । ଏହି ଦୁଇଟା ପଥରୁ କେଉଁ ପଥରେ ସେ ପାଦ ଚାଳିବ, ଭାବିଛି; ବ୍ରଜ ଡ଼ାକିଲା–
ବୋଉ ଭାବୁଥିଲା; ମୁହଁ ଟେକି ଚାହିଁ କହିଲା–‘‘ବ୍ରଜ, ମତେ କଣ ତୁ ଟାଣି ଟାଣି ଦାଣ୍ଡକୁ ନେବୁ, ସତରେ ?’’
ବ୍ରଜ ବୋଉର ହାତ ଧରି ପକାଇ କହିଲା–‘‘ତୁ ଯେବେ ଇଚ୍ଛା ନ କରିବୁ ମୁଁ କି ନେଇପାରିବି ? ନେଲେ କି ମୋର ମଙ୍ଗଳ ହେବ ? ମୁଁ ଆଜି ଯେ ଏତେ ବାଟ ଆସିଛି, ତୋର ଆଶୀର୍ବାଦ ନ ଥିଲେ କି ମୁଁ ଏ ସବୁ ସମ୍ଭାଳି ପାରନ୍ତି ?’’
ପୁଅର ଏ କଥା ଶୁଣି ବୋଉ ମନେ ମନେ କି ଆଶୀର୍ବାଦ କରୁଥିଲା କେଜାଣି, ତେଣେ ଦୁଆରେ ଶୁଭିଲା–
ଚାଲ, ଚାଲ ଆଜି, ଚାଲ, ଚାଲ, ଚାଲ ।’’
ଦାଣ୍ଡ ଆଡ଼େ ଭୟଙ୍କର ଗହଳ ଚହଳ । ଖୋଳ କରତାଳ ଧରି ଦଳେ ଆସି ଦଆରେ ହାଜର । ଏ ଘଟଣା ଦେଖିବା ଲାଗି ଗାଁର ବାରପଣ ଲୋକ ଦାଣ୍ଡରେ, ପିଣ୍ଡାରେ ଆସି ଠିଆ । ମଧୁପୁର ଗାଁର ଏ ବିଚିତ୍ର କଥା ଦେଖି କିଏ କହୁଛି–‘‘ଏହିଠାରେ କଳିକାଳ ଶେଷ ହେଲା !’’
ସଙ୍ଗେ ସଙ୍ଗେ କିଏ ଉତ୍ତର ଦେଉଛି–‘‘ଏହିଠାରୁ ନବଯୁଗ ଆରମ୍ଭ ହେଲା ।’’
କାଳ ଶେଷ ହେଲା କି ଯୁଗ ଆରମ୍ଭ ହେଲା, ଏ ବିଷୟରେ ଜନତା ମଧ୍ୟରେ ଯୁକ୍ତିତର୍କ ଗୋଳମାଳ ଚାଲିଥିବା ବେଳେ ବ୍ରଜ ହଠାତ୍ ପିଣ୍ଡାକୁ ବାହାରି ଗମ୍ଭୀର ମୂର୍ତ୍ତିରେ ଠିଆ ହୋଇ ପଡ଼ିଲା-। ତା ପଛେ ପଛେ ଆଉ ଏକ ବିଚିତ୍ର ଦୃଶ୍ୟ ଦେଖାଗଲା । ଶୁଭ୍ର ସିଗ୍ଧ ବସନ ଖଣ୍ଡିଏ ପିନ୍ଧି ମସ୍ତକକୁ ଟିକିଏ ଅବନତ କରି ତାହାରି ପାଖରେ ଆସି ତା ବୋଉ ସତ୍ୟଭାମା ଠିଆ ହୋଇ ପଡ଼ିଲେ । ତାହା ଦେଖିଲା ମାତ୍ରେ ଜନତା ଭିତରେ ମହାଚାଞ୍ଚଲ୍ୟ ଦେଖାଗଲା । ସତେ ଅବା ପ୍ରବଳ ବତାସରେ ସମୁଦ୍ର ବକ୍ଷ ଅତିମାତ୍ରାରେ ଆନ୍ଦୋଳିତ ହୋଇ ଉଠିଲା ! ଦଳେ ସେ ଦୃଶ୍ୟ ଦେଖି ନ ପାରି ‘ରାମ’ ‘ରମ’ ‘ରାମ’ କହି କହି ଆଖିକି ଟିକିଏ ଟିକିଏ ମୁଦି ଦେଲେ, ମାତ୍ର ଆୁ ଦଳଙ୍କ ଖୋଲା ଆଖିକି ଦେଖାଗଲା, ସତେ କୌଣସି କରୁଣାମୟୀ ଦେବୀ ମୂର୍ତ୍ତି ଅକାଳରେ ଆସି ଏହି ନିଷ୍ଠୁର ନିରାନନ୍ଦ ମଧୁପୁରପ୍ରାଣରେ ଅବତୀର୍ଣ୍ଣ ହେଲେ କି ? ଦେବୀ ମୁହଁରୁ ଏତିକି ମାତ୍ର କଥା ବାହାରିଲା–
‘‘ଚା’ ବାବୁ, ଆଉ କାହିଁକି ?’’
ଏହିପରି ସମୟରେ ପଛ ପଟୁ ଶୁଭିଲା-‘‘ବୋଉ, ବୋଉ !’’
ଗଉରୀ ଦେହରେ ଖଣ୍ଡିଏ ମାତ୍ର ଶୁଭ୍ର ବସନ । ମୁହଁଟା ଫୁଟିଲା ପଦ୍ମ ପରି ଈଷତ୍ ଆରକ୍ତ ହୋଇ ଉଠିଛି । ଆଖି ଦୁଇଟି ଛଳ ଛଳ । ସେ ଧାଇଁ ଆସି ସତ୍ୟଭାମାଙ୍କ ପଣତଟା ଧରି ମୁହଁ ଲୁଚାଇଲା ପରି ରଖି କହିଲା–
‘‘ବୋଉ, ମତେ ଏକୁଟିଆ ଛାଡ଼ି ତୁମେ କୁଆଡ଼େ ଚାଲି ଯାଉଚ ? ତୁମେ ଯୁଆଡ଼େ ଯାଉଚ ମୋତେ ସେହି ଆଡ଼େ ନିଅ ।’’
ବୋଉ ତା ପ୍ରଶ୍ନର କିଛି ଉତ୍ତର ଦେଇ ପାରିଲା ନାହିଁ । ଅସ୍ଥିର ଭାବରେ ତା ମୁହଁକୁ ମୁହଁ ପାଖକୁ ଟାଣି ଆଣି ଘନ ଘନ ଭାବରେ ଦୁଇ ଚାରି ଥର ଚୁମ୍ବନ ଦେଲା । ଲୁହ ଜର ଜର ଚୁମ୍ବନ ଖାଇ ଗଉରୀର ସାତ ଜନ୍ମର ତପସ୍ୟା ଫଳ ଯେପରି ମିଳିଗଲା । ସେ ଟିକିଏ ମୁହଁ ସଳଖି ଆଡ଼ଆଖିରେ ଚାହିଁଲା–ବ୍ରଜ ସେତେବେଳେ ପୁଲକ ବିସ୍ଫାରିତ ନେତ୍ରରେ ତାହାରି ଆଡ଼କୁ ଭାବବିମୁଗ୍ଧ ପ୍ରାଣରେ ଚାହିଁ ରହିଛି !!
ବ୍ରଜକୁ ଥରେ ଚାହିଁ ଦେଇ ଗଉରୀ ମୁହଁ ପୋତିଦେଲା ।
ଏ ଦୃଶ୍ୟ ଦେଖି ସେଠି ମୁହୂର୍ତ୍ତେ ଖଣ୍ଡେ ଜନତାର କୋଳାହଳ ବନ୍ଦ ହୋଇଗଲା ।
ସେତିକିବେଳେ ବୃଦ୍ଧି ରାଧାନାଥ ପିଣ୍ଡାରୁ ଉଠି ଘର ଭିତରକୁ ପଶିଗଲେ ।
ଗଉରୀ ଉପବାସ କରିବା ମୁହୂର୍ତ୍ତରୁ ରମା ହୃଦୟ ଭିତରେ ନୃତ୍ୟ ଆରମ୍ଭ ହେଲା । ଗଛପତ୍ର ପାଣି ପବନ ଭିତରେ ସେ ଗଉରୀର ଛାୟା ଦେଖିବାକୁ ପାଇଲା । ତା ଅନ୍ତରର ଗୋପନତମ ପ୍ରଦେଶରେ ଗଉରୀରର ସକଳ ଦୁଃଖବେଦନା ନିତାନ୍ତ ସଜୀବ ହୋଇ ଉଠିଲା । ସେ ମନେ କଲା, ଦୁଃଖରେ ଗଉରୀର ହୃଦୟ ଫାଟିଯିବା ଆଗରୁ ତାର ଏ ନିଜ ହୃଦୟଟା ଫାଟିଯିବ ପରା !
ବାଡ଼ିପଟ କୂଅମୂଳ ପିଜୁଳି ଗଛ ପାଖେ ରମା ତାର ପ୍ରିୟ ସ୍ୱପ୍ନ ଦେଖିବାରେ ଲାଗିଲା । ଗଉରୀ ପ୍ରତି ଗଭୀର ସହାନୁଭୂତିରେ ତାର ପ୍ରତି ଲୋମକୂପ ଥରି ଉଠିଲା । ଆଗ କଥା କିଛି ନ ବିଚାରି ମନ ଖିଆଲରେ ସେ ହାତର ଶଙ୍ଖାଗୁଡ଼ିକ ଗୋଟି ଗୋଟି କାଢ଼ି ତଳେ ଥୋଇ ଦେଲା । ତା ପରେ କି ବିକଟ କୌତୁହଳରେ ହାତକୁ ଏପଟ ସେପଟ ତଳ ଉପର କରି ଦେଖିଲା, ଠିକ୍ ଯେପରି ଗଉରୀର ହାତ ! ନିଜେ ନିଜେ ସେ ହସି ଉଠିଲା । ସେତେବେଳେ କିଏ ଦେଖିଥିଲେ ମନେ କରିଥାନ୍ତା–ଏ କି ବାୟାଣୀ !
ତା ପରେ ଧୀରେ ଧୀରେ ବେକରେ ହାତ ଦେଲା । ହାର କେତୋଟା ଖସି ତଳେ ପଡ଼ିଗଲା । କେତୋଟାକୁ ହାତରେ ଧରି ସେ ଏପଟ ସେପଟ କରିବାରେ ଲାଗିଲା । ସେହି ଦ୍ୱାର ଭିତରୁ ଗୋଟାକର ଇତିହାସ ସେ ଜୀବନରେ କେଭେଁ ଭୁଲିବାର କଥା ନୁହେଁ । ଦାମ୍ପତ୍ୟ ଜୀବନର ପ୍ରଥମ ରାତିରେ ସେ ଯେତେବେଳେ ରାଧାନାଥଙ୍କୁ ଭେଟିଲା, ରାଧାନାଥ ସେହି ହାରଟାକୁ ସେତେବେଳେ ତା ବେକରେ ନିଜେ ପିନ୍ଧାଇ ଦେଇଥିଲେ । ସେଇଟାକୁ ଥରକୁଥର ଦେଖି ସେ କେବଳ ଦୀର୍ଘନିଶ୍ୱାସ ଛାଡ଼ିବାରେ ଲାଗିଲା ।
ତା ପରେ, ମୁହଁର ଅଳଙ୍କାର, କାଳର ଅଳଙ୍କାର, ମୁଣ୍ଡର ଫୁଲମାଳ-ସବୁ ଫିଟି ତଳେ ପଡ଼ିଗଲା । ନିଜର ସଦ୍ୟ ସତେଜ ବିଧବାବେଶଟି ଦେଖି ପାଜଳିନୀ ପରି ସେ ନ ହସି ରହିପାରିଲା ନାହିଁ । ହସି ହସି ବସି ବସି ସେ କଣ କେତେ ଭାବିଲା, କରୁଛି ତାର ସୀମା ରହିଲା ନାହିଁ ।
ରାଧାନାଥ ଦୂରରେ ଠିଆ ହୋଇ ଡାକିଲେ–‘‘ଗଉରି !’’
ଗୁରୁତର ଭୁଲ କଲେ ! ଗଉରୀ ନାଁ ଧରି ଡାକିବାକୁ ସେ ଆଗରୁ ପ୍ରସ୍ତୁତ ହୋଇ ଆସି ନ ଥିଲେ । କେବଳ ସେ ତାହାରି କଥା ଭାବୁଥିଲେ । ମନକୁ ମନ ସଂଶୋଧନ କରି ପୁଣି ଡାକିଲେ–‘‘ରମା !’’
ସେତେବେଳକୁ ସେ ଘର ଭିତର ସବୁଆଡ଼ ଖୋଜି ଆସି ବାଡ଼ିପଟେ ପହଞ୍ଚିଛନ୍ତି । କୁଅ ଠାରୁ ଖଣ୍ଡେ ଦୂରରେ ଥକା ହୋଇ ଠିଆହୋଇ ପଡ଼ି ଅର୍ଦ୍ଧ ସଦିଗ୍ଧ ହୃଦୟରେ ଡାକିଲେ–‘‘ରମା !’’
କିଛି ଉତ୍ତର ମିଳିଲା ନାହିଁ । ଗଉରୀ ନା ରମା, ଏହି ବିଚିତ୍ର ପ୍ରଶ୍ନ ହଠାତ୍ ତାଙ୍କ ହୃଦୟକୁ ଆନ୍ଦୋଳିତ କରି ପକାଇଲା । ବାଉଆଡ଼ ନା ଦାଣ୍ଡଆଡ଼ ? ଦେଖିଲେ ଠିକ୍ ବାଉଆଡ଼ । ବାଦ୍ୟ ନାହିଁ, ଗହଳ ଚହଳ ନାହିଁ, ବ୍ରଜ ନାହିଁ, ବ୍ରଜ–ବୋଉ ନାହିଁ ! ଆଉ, ଗଉରୀ !
ପୁଣି ସେହି ଭ୍ରମ-ରମା ନା ଗଉରୀ !
ଆଗରେ ସଦ୍ୟ ବିଧବା ବେଶରେ କିଏ ମୁହଁକୁ ତଳକୁ କରି କି ବିଚିତ୍ର ଭାବନାରେ ବୁଡ଼ି ରହିଛି । ତାକୁ ଦେଖି ସେ ଚିହ୍ନିପାରିଲେ ନାହିଁ । ବିଧବା ବେଶ ଛିଡ଼ା, ଗଉରୀ ରୂପ ଛଡ଼ା ସଂସାରରେ ତାଙ୍କ ଆଖିକି ଆଉ କିଛି ଦେଖାଗଲା ନାହିଁ । ତଳେ, ଉପରେ, ପୃଥିବୀରେ, ଆକାଶରେ ବିଧବା ଗଉରୀର ଅଙ୍ଗୁଳି-ନିର୍ଦ୍ଦେଶ ସେ ଦେଖିବାକୁ ପାଇଲେ । ଘରେ, ବାହାରେ, ହୃଦୟ ଭିତରେ ଗଉରୀ-କଣ୍ଠର ବିକଳ ସ୍ୱର ଶୁଣି ପାରିଲେ । ତାଙ୍କ କାନ ପାଖରେ ଗଉରୀ ।