ବିଦ୍ରୋହ
ଗୋଦାବରୀଶ ମହାପାତ୍ର · ଭାଗ ୬ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
-ବାର-
ରାଧାନାଥଙ୍କ କ୍ଷୁଦ୍ର ପରିବାରଟିରେ ଆଉ ଜଣେ ଲୋକ ବଢ଼ିବା ସଙ୍ଗେ ସଙ୍ଗେ ଗଉରୀର ଦେହର ପରିଶ୍ରମ, ମନର ଭାବନା ଆହୁରି ବଢ଼ିଗଲା । ଯେଉଁଦିନ ତାଙ୍କ ଦାଣ୍ଡ ଦୁଆରେ ସବାରି ଭିତରେ ଗୋଟିଏ ବୋହୂ ଆସି ଥୁଆ ହେଲା, ସେ ଦିନଟା ତା ଜୀବନରେ ଏକ ସ୍କରଣୀୟ ଦିବସ । ଚାରି ବର୍ଷର ତଳର ତା ନିଜ ବେଶର ଛାୟା ସତେ ଅବା ସେ ଦେଖିପାରିଲା । କିଶୋରୀ ଗଉରୀ ସତେ ଅବା ସେହିପରି ଅଳଙ୍କାରପତ୍ର ପିନ୍ଧି, ସେହିପରି ପାଟପତନି ବେଢ଼େଇ ହୋଇ ବିଧାତାଙ୍କର କେଉଁ ବିଚିତ୍ର ମଶାଣି ଭିତରୁ ଉଠି ଆସିଛି ! ସତେ ଅବା ତାହାରି ହୃଦୟ-ମନ୍ଦିରରେ ତାହାରି ପରି ଆଉ ଗୋଟିଏ ଲଜ୍ଜାଶୀଳା ଖେଳ ସଙ୍ଗିନୀ ଯୁବତୀ ନୃତ୍ୟ ଆରମ୍ଭ କରିଦେଲା । ଏ ସବୁ କଥା ଦେଖି, ଭାବି ସେ କାନ୍ଦିବ କି ହସିବ, କିଛି ଠିକ୍ କରି ପାରିଲା ନାହିଁ । ଦୁଆର ମୁହଁରେ ବାଜୁଥିବା ଶଙ୍ଖଧ୍ୱନିକୁ ସେ ନିଜ ଜୀବନ-ବିଳାପର ପ୍ରତିଧ୍ୱନି ବା ନନାଙ୍କ ଶୁଭ ବିବାହର ମଙ୍ଗଳ ଶଙ୍ଖଧ୍ୱନି କି ଆଉ କ’ଣ କିଛି ବୁଝିପାରିଲା ନାହିଁ । ଚାରିବର୍ଷ ତଳକୁ ତା ମନ ଫେରିଗଲା । ସେ ଖାଲି ବାଦ୍ୟରୋଳ ଶୁଣିଲା, ମଙ୍ଗଳ ମହୁରୀ ଶୁଣିଲା । ଶୁଣି ଶୁଣି ତା କାନ ତାବଦା ହୋଇଗଲା, ଦେହ ଜଡ଼ ପରି ଲାଗିଲା । ନିଜର ପିନ୍ଧିବା ଲୁଗା ତାକୁ ପଥର ପରି ଭାରୀ ବୋଧ ହେଲା ।
ପର ମୁହୂର୍ତ୍ତରେ ତାର ହଠାତ୍ମନେ ପଡ଼ିଲା । ଭାବିଲା, ତାର ଯେ ନୂଆ ବୋଉ ଆସୁଛି-। ନନା ତାର କେଉଁ ଦୂର ମୂଳକ ବୁଲି ବୁଲି ତାରି ବୋଉର ଥାନ ପୂରଣ ପାଇଁ ଗୋଟିଏ ବୋଉ ବାଛି ଆଣିଛନ୍ତି । ବୋଉ ଅଭାବରେ ସେ ଏତେ ଦିନ ଛଟପଟ ହେଉଥିଲା । ବର୍ଷ ବର୍ଷ କାଳ ପେଟ କଥା କାହା ଆଗେ ମନ ଫିଟେଇ କହିପାରୁ ନଥିଲା । ଲୁହ ପୋଛିବାକୁ କାହାର ପଣତ କାନି ପାଉ ନ ଥିଲା । ଆଜି ତାର ବୋଉ ଆସିଛି, ଆଜି ତା ଜୀବନର ନୂଆ କଥା ଗୋଟେ ଘଟିଛି.....ତାର ଆଉ ଦୁଃଖଜ କରିବାର କ’ଣ ଅଛି ?
ଯୌବନର ପ୍ରଥମ ପାଦରେ ପାଦ ଦେଇ ରମା ସବାରି ଭିତରୁ ବାହାରି ପଡ଼ିଲା । ତାର କାଚଶଙ୍ଖା-ମଣ୍ଡିତ ହାତଟିକୁ ଗଉରୀର ନିରାଭରଣ ହାତ ସ୍ପର୍ଶ କଲା–ସେତେବେଳେ ଗଉରୀ ଦେହର ରୋମ ଟାଙ୍କୁରି ଉଠିଲା, ଆଉ ରମାକୁ ମଧ୍ୟ ଟିକିଏ ନୂଆ ଜଣା ପଡ଼ିଲା । ସେହି ମୁହୂର୍ତ୍ତରୁ ଗଉରୀ ଝିଅ, ରମା ବୋଉ । ରାଧାନାଥଙ୍କ ନିଃସଙ୍ଗ ଜୀବନ ପାଖେ ପାଖେ, ସେହି ନିରାଟ ନିରାନନ୍ଦ ପଲ୍ଲୀ କୁଟୀରଟିକୁ ମୁଖରିତ କରି ପୁଣି ଏକ ଲୀଳା ଆରମ୍ଭ ହେଲା ।
ରାଧାନାଥ, ଗଉରୀ ରମା, ଏହି ତିନି ଜଣଙ୍କୁ ଧରି ଏହି ଯେ ଲୀଳା ଚାଲିଲା, ପଲ୍ଲୀ ଜୀବନରେ ଏହା କିଛି ନୂଆ ନୁହେଁ । ଅଗଣିତ ରାଧାନାଥ, ଅସଂଖ୍ୟ ଗଉରୀ, ରମା ଘର ଘର, ଗାଁ ଗାଁ ଦେଶକୁ ଛାଇ ରହିଛନ୍ତି । ଜଣକ ଜୀବନର ପ୍ରଳାପକୁ ଆଉ ଜଣେ ପ୍ରେମର ଆଳାପ ମନେ କଲେ, ଅନ୍ୟ ଜଣକ ଦୁଃଖର ବିଳାପ ବୋଲି ମନେ କରୁଛି । ଜଣକର ଓଠତଳର ହସ ପଛେ ପଛେ ନିଷ୍ଠୁର ସମାଜର ନିର୍ମ୍ମମ ଅଭିଶାପ ମଶାଣି ନିଆଁ ପରି ହୁ ହୁ ଜଳି ଉଠୁଛି । ଜଣେ ମଧୁର ଚୁମ୍ବନ ପାଇଁ ଅଧର ପ୍ରାନ୍ତ ଥରାଇ ଚାହିଁଲା ବେଳକୁ ଆଉ ଜଣକର ନୀରସ, ଶୁଷ୍କ, ନିଃଶେଷ ଜୀବନର ପ୍ରେତ ଛାୟା ଆଗରେ ଉଭା ! ଜୀବନର ସୀମାହୀନ ଗତିପଥରେ ଯୈାବନର ଆରକ୍ତ ଆଭା ଖେଳାଇ ଦେଇ ଜଣେ ଧାଇଁ ଚାଲିଲା ବେଳେ ଆଗରେ ସମାଜର ପଥକ୍ଲାନ୍ତ ଆଇନ ଅଚଳ ହିମାଚଳ ରୂପେ ଠିଆ । ରାଧାନାଥ, ଗଉରୀ, ରମା ଏହି ପରି ଭାବରେ ଗୃହ ପରିବାର ଗଢ଼ିବାରେ ଲାଗିଲେ । ଗଉରୀ ପକ୍ଷରେ ଏ ଏକ ନୂଆ ଅନୁଭୂତି ହେଲା ।
ନୂଆ ବୋଉ ଆସିଲା ଦିନୁ ଗଉରୀ ବୋଉକୁ ଦିନେ ହେଲେ ଘର କାମ କରାଇ ଦେବାକୁ ରାଜି ହେଲା ନାହିଁ । ସବୁ କଥା ସେ ଆପେ ଆପେ କରି ନେଲା । ପ୍ରତିଦିନ ସକାଳୁ ଉଠି ବାସିଆଡ଼ତି କଲା, ପାଣି ଆଣିଲା, ରନ୍ଧା ରନ୍ଧି କରିନନା ବୋଉଙ୍କୁ ଖାଇବାକୁ ଦେଲା । ଧାନ କୁଟି ଆଣି ଚାଉଳ ପତ୍ର ସାଇତି ରଖିଲା....ସବୁ କାମ ସେ ଆପେ ଆପେ କରି ନେଲା ।
ଏ ତ ଗଲା ଘରର କାମ । ଏହା ଛଡ଼ା ତାର ନିଜର କଥା । ଯେତେବେଳେ ନିଶା ଗର୍ଜି ଉଠେ, ସଂସାରରେ ମନୁଷ୍ୟର ସ୍ୱର ଶବ୍ଦ ଶୁଭେ ନାହିଁ, ଯେତେବେଳେ ସେ ନିଜଞ୍ଜାଳୀ ହୋଇ ବସି ତା ବୋଉ କଥା, ତାର ମୁକୁଳା ଦେହ କଥା, ଯାହାଙ୍କୁ ସେ ଦିନେ କେବେ ପତି ରୂପେ ପାଇଥିଲା ବୋଲି ଶୁଣେ, ତାଙ୍କରି କଥା ମନେ ମନେ ବିଚାରି କେତେବେଳେ ଆଖି ମୁଦେ, କେତେବେଳେ ଆଖି ଫିଟାଏ, କେତେବେଳେ ବା କହିଉଠେ–‘‘ପ୍ରଭୁ ହେ !’’
ଖାଲି ଏତିକିରେ ତା ମନ ଭିତରର କାମ ସରୁଥିଲେ ସେ ଅନେକ ପରିମାଣରେ ନିଶ୍ଚିନ୍ତ ହୋଇ ରହି ପାରୁଥାନ୍ତା । ବୋଝ ଉପରେ ନଳିତାବିଡ଼ା ପରି ବ୍ରଜ ଘରକୁ ଅଇଲା ଦିନୁ ତା ମନରେ ଆଉ ଏକ ବାତଚକ୍ର ବହିଛି । ସେ ଚକ୍ରର ଗତିର ବିରାମ ନାହିଁ । ତାର ବ୍ରଜଭାଇ ଯେ ସାଥୀ ହୋଇ ପିଲାଦିନେ ତା ସଙ୍ଗେ ଖେଳୁଥିଲା, ପାଖରେ ଶୁଆଉଥିଲା, ସାଙ୍ଗରେ ଖୁଆଉଥିଲା, ସେ ଆଜି ପୁଣି-! ଆଉ ସେ ବେଶୀ ସମୟ ଭାବିପାରେ ନାହିଁ । ବ୍ରଜ ଦିନେ ତାର ଭାଇ ଭାବରେ ଥିଲା । ପୁଣି ଆସିଲା ଦିନା, ସେ ତାକୁ ଅନ୍ୟ ରୂପରେ ଦେଖା ଦେଲା ! ତାକୁ ଦେଖା ଦେବାକୁ ସେ ଲାଜ କଲା, ତାକୁ କଥା କହିବାକୁ ମୁହଁ ପୋତିଲା । ତା କଥା ଭାବି ଭାବି ଅକୁଳଆନନ୍ଦ-ସମୁଦ୍ରରେ ଭାସିଲାଜ !! ସେ ମନକୁ ମନଜ ଲାଜ ସରମରେ ସଢ଼ି ଯାଇ ବେଳେ ବେଳେ ଭାବେ–‘‘ବୋଉ କାହିଁକି ବା ସେ ସବୁ କଥା ତୁଛାଟାରେ ମୋ କାନରେ ଶୁଣାଉଥିଲା ? କାହିଁକି ବା କହୁଥିଲା,‘ଝିଅ ମୋର ପଡ଼ିଶା ଘରେ ବୋହୂଟିଏ ହୋଇ ରହିବ’ ବୋଲି?’’ ଓହୋ, ତାକୁ ସବୁ ଅନ୍ଧାର ଦିଶେ । ଯାହା କଥା ଭାବି ଦିନେ ତାକୁ ସବୁ ଆଲୁଅ ଦିଶୁଥିଲା, ଏବେ ସେ ହେଲା କ’ଣ ? ସେହି ବ୍ରତ ଅଛି, ସେହି ରମା ଅଛି, ମାତ୍ର ଦୁହିଁଙ୍କ ଭିତରେ କେତେ ଛାଡ଼ବାଡ଼ ହୋଇଗଲା ସତେ !