-ସାତ- — ବିଦ୍ରୋହ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
-ସାତ-
‘ରମା କି ଲୋ,’ ‘ରମା କି ଲୋ’ ଡାକି ଡାକି ଗାଆଁର କୁଳବୁଦ୍ଧ ରାଜଗୁରୁ ତାଟିଟା ଠେଲିଦେଇ ଘର ଭିତରକୁ ପଶିଗଲେ । ସକାଳ ସମୟଟା, ରମାର ବୋଉ ବାସି ଆଡ଼ିତି କରୁଥିଲେ ।
ରାତିରେ ସତେ ଅଦା ରାଜଗୁରୁଙ୍କୁ ନିଦ ନ ଥିଲା ! ଏଡ଼େ ସକାଳଟାରୁ ରାଜଗୁରୁଙ୍କ ପାଟି ଶୁଣି ବିଧବା ଚମକି ପଡ଼ିଲେ । ବୁଲି ପଡ଼ି ମୁହଁ ଟେକି ଚାହୁଁ ଚାହୁଁ ରାଜୁଗୁରୁ ଆସି ଅଗଣା ମଝିରେ ହାଜର । ବିଧବା ଗୋବର ମାଟି ହାତଟାକୁ ତରତରରେ ଦରଧୁଆ କରି, ଚାଖଣ୍ଡେ ଲମ୍ବରେ ପଣତଟାଏ ଟାଣି ଦେଇ ଘର ଭିତରକୁ ପଶିଗଲେ । ରାଜଗୁରୁଙ୍କର କିନ୍ତୁ ଏ ସକଳ ମାଇନ ବିଧାନ ପ୍ରତି ଦୃଷ୍ଟି ନାହିଁ । ସେ କଣ ଗୋଟାଏ କଥା କହିବେ ବୋଲି ଏକା ବେଳକେ ଅଧୀର ! କେତେ କାଳର ପୁରୁଣା ବନାତ ଖଣ୍ଡିଏ ଦୁଇ ପ୍ରସ୍ତ କରି ଘୋଡ଼େଇ ହୋଇଛନ୍ତି । ମୁଣ୍ଡରେ ଏକ ଆଠପ୍ରସ୍ତିଆ ଠେକା । ହାତରେ ଖଣ୍ଡିଏ ଶିଙ୍ଘଲଗା ବାଡ଼ି-ଏହିପରି ଦେଶରେ ସେ ଭୁଷ୍କିନା ଯାଇ ଦୁଆର ମୁହଁରେ ପହଞ୍ଚିଗଲେ । ବିଧବା ନିତାନ୍ତ ଲଇଁତି ସଇଁତି ହୋଇ, ଘର ଭିତରୁ ମୃହୂୀର୍ତ୍ତକେ କୁଆଡ଼େ ଖଣ୍ଡେ ଖଣ୍ଡିଆ ପିଢ଼ା ଦରାଣ୍ଡି ଆଣି ହାତ ବଢ଼ାଇ ଏରୁଣ୍ଡୀ ଏ ପାଖକୁ ଥୋଇଦେଲେ । ଛାଞ୍ଚୁଣୀଟାରେ ଅଢ଼ଙ୍ଗଟା ଓଳାଇ ଦେବାକୁ ଆଉ ତର ନାହିଁ । ରାଜଗୁରୁ ଜୁଆର ମାଡ଼ିଲା ପରି ମାଡ଼ି ଯାଉଛନ୍ତି । ତେଣୁ ସେ ତାଙ୍କ ମୁହଁରୁ କଣ କଥା ଶୁଣିବାକୁ ପ୍ରସ୍ତୁତ ହୋଇଗଲେ-।
ମାସକେ ପ୍ରାୟ ଅଣତିରିଶି ଦିନ ରମାର ବୋଉଙ୍କୁ ଏହିପରି ଅସମୟରେ ବାହାର ଲୋକଙ୍କୁ ଚର୍ଚ୍ଛା କରିବାକୁ ପଡ଼େ । ସବୁବେଳେ ସେହି ରମା କଥା-ରମା କିପରି ବିଭା ହେବ, କିପରି ପାତ୍ରଟିଏ ଜୁଟିଛି, କିପରି ଭଲ ପ୍ରସଙ୍ଗଟାଏ ଭାଜିଗଲା, ଦୋଅଡ଼ ବର କି ତିସିରା ବର-ଏହିପରି କେତେ କଥା ଶୁଣିବାକୁ ପଡ଼େ ।
ରାଜଗୁରୁ ତଳେ ବସିପଡ଼ି ଠକ୍ଏହିପରି କଥାଟାଏ ଆରମ୍ଭ କରିଦେଲେ । ଟିକିଏ ଟିକିଏ ଖଣ୍ଡିକାଶ ଦେଇ, କେତେବେଳେ ନରମ, କେତେବେଳେ ଗରମ, କେତେବେଳେ ଗୁପ୍ଚୁପ୍, କେତେବେଳେ ବା ଚଢ଼ା ଗଳାରେ ନିଜର ବକ୍ତବ୍ୟକୁ ସେ ବିଚିତ୍ର ଭାବରେ ବ୍ୟକ୍ତ କରିବାରେ ଲାଗିଲେ । କବାଟକୁ ଆଡ଼ପେଲା କରି ରମାବୋଉ ରାଜଗୁରୁଙ୍କର ସେହି ଦାଢ଼ିଆ ମୁହଁକୁ ବଲ ବଲ କରି ଚାହିଁଥାନ୍ତି । ମଝିରେ ମଝିରେ ତାଙ୍କୁ କେତେ ପ୍ରଶ୍ନ ହେଉଥାଏ । ସେ କୌଣସି ପ୍ରଶ୍ନର ହେଲେ ଉତ୍ତର ଦିଅନ୍ତି ନାହିଁ । କେବଳ ସେହି କଥାବାର୍ତ୍ତା ଭିତରେ ବେଳେବେଳେ ଗୋଟେ ଗୋଟେ ଦୀର୍ଘଶ୍ୱାସ ଉଠି ତାଙ୍କ ହୃଦୟକୁ ବିଚଳିତ କରି ପକାଉଥାଏ ।
ପାତ୍ରଟିର ଧନ ଜନ ଗୋପ ଲକ୍ଷ୍ମୀ ବିଷୟରେ ପ୍ରାୟ ଘଡ଼ିଏ କାଳ କହିବା ପରେ ଅତି ଧୀରେ ଧୀରେ ରାଜଗୁରୁ କହିଲେ–‘‘ଭାବି ଭାବି କେତେ ମାସ ହେଲା ଆଖିକି ନିଦ ନ ଥିଲା । ସବୁବେଳେ ଖାଲି ଏଇ ଚିନ୍ତା ଲାଗିଥିଲା । ରମାଟି କିମିତି କୁଳରେ ଲାଗିବ, ଭଗାରୀ ହସିବେ ନାହିଁ-ଏଇଥି ପାଇଁ ମତେ କେତେ ଯେ ଘାଣ୍ଟି ହେବାକୁ ପଡ଼ୁଛି, ସେ କଥା ଏଇ ଯେ ଦିନ ରାତି ଆତଯାତ କରୁଛନ୍ତି ସେଇ ଜାଣିବେ । ଏ ଲୋକର ମନକଥା ଆଉ ଏ ଗାଁରେ କେହି ବୁଝିବାକୁ ନାହାନ୍ତି । କାହାକୁ କହିଲେ କଣ ହେବ ? ଏଇ ରମାଟି ପାଇଁ କେତେ ଆଡ଼େ କେତେ ପ୍ରକାରେ ଆଖି ବୁଲେଇଲି । ବୁଲେଇ ବୁଲେଇ ସହତରେ କେଉଁଠି ହେଲେ ଦିଗ ପାଇଲି ନାହିଁ । ପ୍ରଭୁଙ୍କ ବରାଦ ତ ! ଯାହା ପାଇଁ ଯେ, ସେ ଆଗରୁ ବଛା ହୋଇଥାନ୍ତି । ଏ ସବୁ କି ମଣିଷ ହାତର କଥା । ଏ ସବୁ ସେଇ ପ୍ରଭୁଙ୍କ ଭିଆଣ କେବଳ । ପାତ୍ରଟିର ବେଶି ଗୁଡ଼ାଏ ବୟସ ବା କଣ ହୋଇଛି ? ଲୋକେ କଅଣ ଦୋଅଡ଼ ପକ୍ଷରେ ବିଭା ହେଉ ନାହାନ୍ତି ? ଗାଁ ଗାଁକେ ଇମିତି କେତେ କେତେ ହୋଇଚି । ପଟ୍ଟନାୟକଙ୍କ ଗୋସେଇଁବାପେ ସାତଟା ବିଭା ହୋଇଥିଲେ । ହେଇଟି ତ ପାଡ଼ୁଶିଙ୍କ କଥା ଦେଖୁଚ । ଚାରି ଚାରିଟା ହରେଇ ଲୋକେ ପୁଅଝିଅ ପାଇ ସୁଖରେ ଘର ଦ୍ୱାର କରି ରହିଛନ୍ତି-। ଏ କଥା କଣ ବଡ଼ କଥାଟେ ହେବ, ନା ସଂସାରବାହାର କଥା ହେବ ? ରମାଟିକୁ ପିଲାଦିନୁ ଦେଖି ମୁଁ ଜାଣିଚି, ୟା ହାତ କାଚ ବଜର ହେବ । ବଡ଼ ଘର ପାଇବ । କେତେଠି ଏ କଥା ମଧ୍ୟ କହି ସାରିଛି । ଆଉ କହିବ ତୁମେ ଜାତି କଥା । ଆମକୁ ସେ ପଟେ ଦି’ ପଟେ ଦେଇଛନ୍ତି, ଆମଠୁଁ ପଟେ ଦି’ ପଟ ନେଇଚନ୍ତି ମଧ୍ୟ । ଖାଲି ଯାହା ଦୋଅଡ଼ବର ବୋଲି ଟଙ୍କା ପଇସା କଥା ଉଠିଲା । ପଚିଶିଟି ଦେବେ । ମୁଁ ଏକାବେଳକେ ସବୁ ତୁଟେଇ ଦେଇ ଆସିଚି । ଘରେ ତା’ ଜେଉଳା କେହି ହେଲେ ନାହାନ୍ତି । ଗୋଟି, ବୋଲି ନଣନ୍ଦ......ହଁ......ପ୍ରଭୁ କେତେବେଳେ କାହାକୁ କଣ କରୁଚନ୍ତି ଆମେ କାନ୍ଦିଲେ ବୋବେଇଲେ କଣ ହେବ, ବାଡ଼େଇ ଛେଚି ହେଲେ କଣ ହେବ ? ହଉ, ହଉ, ତୁନି ହୁଅ । ନିର୍ବନ୍ଧ କାଲି । କାଲିଠୁ ସବୁ ଦୁଃଖ ଯିବ । ଯାହା ହାଣ୍ଡିରେ ଯିଏ ଚାଉଳ ପକାଇଚି, ସେ ତା ଘରକୁ ଯିବ ।’’
ରମା ଶୋଇଥିଲା ଶେଯରେ । ତା ନିତି କଥା ଭାବିବାରେ ସେ ବୁଡ଼ି ରହିଥିଲା । ତାର କିଶୋରୀ ହୃଦୟଟା ଏହି କେତେ ଦିନ ଭିତରେ ଏପରି ଛଟପଟ ହେଉଥିଲା ଯେ, କଣ କରିବ କିଛି ବିଚାରି ଠିକ୍କରି ପାରୁ ନ ଥିଲା । ରାଜଗୁରୁଙ୍କର ଏ କଥା ଶୁଣି ତାର ଦେହଟାଯାକ ଶୀତେଇ ଉଠିଲା । ଶୀତେଈଲେ କଣ, ପୋଡ଼ି ଜଳିଗଲେ କଣ-କାହାକୁ ସେ କଣ ବା କହିବ ? କେବଳ ସେ ଦେଖିଲା, ବୋଉ ତାର କବାଟ ପାଖେ ଠିଆ ହୋଇ ଖାଲି ଧାର ଧାର ଲକରି ଲୁହ ଗଡ଼ଉଚି, ପଦେ ହେଲେ କିଛି କହି ପାରୁ ନାହିଁ ।
ଶେଷକୁ, ‘ଯାହା ହେଉ, ଏବେ କୁଳ ଥଳ ମିଳିଲା’ କହି ରାଜଗୁରୁ ଉଠି ପଡ଼ି ଦାଣ୍ଡଆଡ଼କୁ ଗୋଡ଼ କାଢ଼ିଲେ । ରମାର ବୋଉ କବାଟକୋଣରୁ ବାହାରି ପଡ଼ି ସେଇ କଥା ସବୁ ଭାବି ଭାବି ବାଡ଼ି ପିଣ୍ଡାଟାରେ ଗାଲରେ ହାତ ଦେଇ ବସିଗଲା । ତାକୁ ଆଉ ଘର ସଂସାର କିଛି ସୁଖ ଲାଗିଲା ନାହିଁ । ରମା ଯେତେବେଳେ ପଚାରିଲା-‘‘ଶାଗତକ ଖରଡ଼ିବି ନା ରାଇ କରିବି’’-ସେ ମୁହଁ ଟେକି ଚାହିଁଲା । ବେଳ ସେତେବେଳକୁ ଛ’ ଘଡ଼ିକୁ ବଳି ପଡ଼ିଛି । ସାଇପଡ଼ିଶା ଘରେ ଖିଆପିଆ ଆରମ୍ଭ ହୋଇ ସାରିଛି ।
ଝିଅକୁ କଣ କହିବା ଆଗରୁ ବୋଉର ବୁକୁ ଭିତରୁ ଦମକାଏ ନିଶ୍ୱାସ ବାହାରି ପଡ଼ିଲା ।
-ଆଠ-
ତାରାମଣିଙ୍କ ମୃତ୍ୟୁରେ ରାଧାନାଥଙ୍କର ଯେଉଁ କଠୋର ବୈରାଗ୍ୟ ଆସିଥିଲା, କେତୋଟା ମାସ ମଧ୍ୟରେ ତାହା କ୍ରମେ ଶିଥିଳ ହୋଇପଡ଼ିଲା । ଏଥିପାଇଁ କବିରାଜ ଗଙ୍ଗାଧର ଅନେକ ପରିମାଣରେ ଦାୟୀ । ଦୁହେଁ ସମବୟସର ଲୋକ, ସମାନ ପରିମାଣରେ ଗୃହୀ । ଦିନେ ମଧ୍ୟ ଗଙ୍ଗାଧରଙ୍କ ଭାଗ୍ୟରେ ସ୍ତ୍ରୀ ବିୟୋଗ ଘଟିଥିଲା । ମାତ୍ର ସେ ଔଷଧ ଦେଇ ରୋଗ ଶାନ୍ତ କଲା ପରି ଆଉ ଗୋଟିକୁ ବରଣ କରି ଆଣି ପତ୍ନୀ ବିଚ୍ଛେଦ ଦୁଃଖଶୋକ ଏକାବେଳକେ ମନରୁ ଭୁଲି ଯାଇଛନ୍ତି । ଏପରି କି, ଏ ଜନ୍ମରେ କେବେ ତାଙ୍କର ଏପରି ବିପଦ ପଡ଼ିଥିଲା ବୋଲି ଆଦୌ ମନେ ନାହିଁ କହିଲେ ଚଳେ ।
ଗଙ୍ଗାଧରଙ୍କ ବୈଠକ ଘର ଭିତରେ ଦିନକେ ଦୁଇ ଥର ସଭା ବସେ । ଗାଆଁର ରଥେ, ଦାସେ, ପଟ୍ଟନାୟକେ, ବିଷୋୟୀଏ, ରାଉତରେ, ପରିଡ଼େ ସମସ୍ତେ ସେଥିରେ ଯୋଗ ଦିଅନ୍ତି । ତାସ, ପଶା ଖେଳ ଚାଲେ । ଗଞ୍ଜେଇ ଚିଲମର ସଦ୍ବ୍ୟବହାର ହୁଏ । ମିଥା । ସାକ୍ଷୀର ବିଚାର ପଡ଼େ । ଲାଠିପଡ଼ା ପାଣ ସାଇର ବିଦିଆ ନାହାକାଣୀ ଠାରୁ ମୁକୁନ୍ଦପୁରର କେଉଁ ସ୍ୱର୍ଗତ ମହାନ୍ତିଙ୍କ ପର୍ଯ୍ୟନ୍ତ ସକଳ ସମାଲୋଚନା ଆରମ୍ଭ ହୁଏ ।
ରାଧାନାଥଙ୍କ ପତ୍ନୀବିଚ୍ଛେଦ ପରେ କେତେ ମାସ କାଳ ବୈଠକ ଘରେ କେବଳ ତାଙ୍କର ବିଷୟରେ କଥା ଚାଲିଲା । ତାରାମଣିଙ୍କ ରୁପ, ଗୁଣ, କଥା, ଚାଲିଚଳନ ବର୍ଣ୍ଣନା ଇତ୍ୟାଦି ପଡ଼ିଲାବେଳେ ରାଧାନାଥଙ୍କ ଦେହରେ ରୋମାଞ୍ଚ ଜାତହୁଏ । ଆଖିପତା ତାଙ୍କର ଓଦା ହୋଇ ଆସେ । ସଭାସ୍ଥ ଲୋକେ ସମଭାବରେ ବ୍ୟସ୍ତ ହୋଇ ସ୍ୱରକୁ ନୁଆଇଁ ନୁଆଇଁ କହନ୍ତି, ‘‘ଏ ତ କିଛି ସେପରି ନୁଆ କଥା ନୁହେ ହେ, ସଂସାରର କଥା ଏ । କହୁଚ ସଂସାରରେ ଆଉ ସାହା ଭରସା କେହି ନାହିଁ । ମୁଣ୍ଡବାଳ ତ ଆହୁରି ଧଳା ହୋଇନାହିଁ, ସାହା ଭରସା ଖୋଜି ଲୋଡ଼ି ପାଇବାକୁ କଣ ବେଳ ଯାଇଛି ?’’
ଏହି ପ୍ରକାରର କେତେ କଥା ଶୁଣି ରାଧାନାଥ କେବଳ ରୁମ୍ମାରି ରହନ୍ତି ।
ପୁନର୍ବିବାହର ଏହିପରି ବିଚାର ଚାଲିଥିଲା ବେଳେ ରାଧାନାଥଙ୍କର ଏକ ବ୍ୟବସାୟ ଖୋଲିଗଲା । ସେ ବରାବର ଆଖି ବୁଲେଇବାରେ ଲାଗିଲେ, ଯେ, ତାଙ୍କର ବୟସର ବା ତାଙ୍କଠାରୁ ଦଶ ବରଷ ସାନ ବଡ଼ କାହା ମୁଣ୍ଡରେ କେତେ ପରିମାଣରେ ବାଳ ପାଚିଛି । ତେଣିକି ସେ ବେଳେବେଳେ ଗମ୍ଭୀରୀ ଘର ଭିତରେ ଦର୍ପଣରେ ମୁହଁ ଦେଖିବାରେ ଲାଗିଲେ । ମୁହଁ ଦେଖୁ ଦେଖୁ କେବେ କେବେ ପାଚିଲା ବାଳ ପ୍ରତି ଘୋର ବୈରାଗ୍ୟ ଜାତ ହେଲା । କ୍ରମେ ସେ ପାଚିଲା ବାଳ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ତାଙ୍କ ମୁଣ୍ଡରେ ତେଣିକି କିଏ ଧଳା ବାଳଟିଏ ଦେଖିବା ସ୍ୱପ୍ନ ହେଲା ।
ହାତରେ ସଣ୍ଡୁଆସି ଧରି ସେ ଯେତେବେଳେ ଏହି ପ୍ରକାର ଗୋପନ କାର୍ଯ୍ୟରେ ଲାଗିଥାନ୍ତି, ଆଖିରୁ ଝର ଝର ହୋଇ ଲୁହ ବୋହି ପଡ଼ୁଥାଏ । ସେତେବେଳେ ଯେବେ ଗଉରୀ କୌଣସି କାର୍ଯ୍ୟରେ ସେ ଘର ଭିତରକୁ ପଶି ଆସେ, ହଠାତ୍ଦୁଆର ମୁହଁରେ ତା ଗୋଡ଼ ଥକି ରହିଯାଏ । ଓଦା ଆଖିରେ ରାଧାନାଥ ତଳକୁ ମୁହଁ ପୋତିଦିଅନ୍ତି କିଏ କାହା ମନକଥା କିଛି ବୁଝିପାରନ୍ତି ନାହିଁ । ନନାଙ୍କ ଆଖିରେ ଲୁହ ଦେଖି ତାର ନିତି ବୋଉ କଥା ମନେ ପଡ଼ିଯାଏ । ବୁକୁ ଭିତରୁ ତାର ଶୋକ-ସିନ୍ଧୁ ଉଛୁଳି ଆସେ । ନିଜକୁ ସେ ମମ୍ଭାଳି ନ ପାରି ଲୁହ ଛଳ ଛଳ ଆଖିରେ ଏରୁଣ୍ଡୀ ପାଖରୁ ଫେରିଯାଏ ।
ମନୁଷ୍ୟର ହୃଦୟଟାକୁ ଭଗବାନ ଗଢ଼ିଛନ୍ତି କି ସଇତାନ ଗଢ଼ିଛି, କିଏ କହିବ ? କିଏ କାହାକୁ ଆଦୌ ଚିହ୍ନିପାରନ୍ତି ନାହିଁ । ବୃଦ୍ଧ ରାଧାନାଥ ନିଜ ମୁଣ୍ଡରୁ ଧଳା ବାଳ ଉପୁଡ଼ାଇବା ଦ୍ୱାରା ଯେ କାହିଁ କେଉଁ ସୁଦୂର କଳ୍ପଲୋକରେ ଆଉ କେଉଁଠି ଗୋଛିଏ ସୁନ୍ଦର କଳା ଚିକ୍ଣ ବାଳର କଳ୍ପନା କରୁଥାନ୍ତି, ସେ କଥା ବିଧବା ଗଉରୀର କଳ୍ପନା-ରାଜ୍ୟର ଶତ ଲକ୍ଷ ଯୋଜନ ଦୂରରେ !
ବୃଦ୍ଧ ରାଧାନାଥଙ୍କୁ ରସମୟ ଯୌବନ-ରାଜ୍ୟରେ ଅଭିଷିକ୍ତ କରିବା ପାଇଁ ଯେଉଁଦିନ ବୈଠକ ଘରେ ଶେଷ ବିଚାର ସଭା ବସିଲା, ସେ ଦିନକୁ ତାଙ୍କ ମୁଣ୍ଡରେ ଦର୍ଶନ କରିବାକୁ ପାଚିଲା ବାଳ ଗୋଟିଏ ସୁଦ୍ଧା ନାହିଁ !
ଏ ସବୁ ହେଲାବେଳେ ଏଥିରେ ପଦେ ପଦେ ବାଧା ବିପଦ ପଡ଼ିବାରେ ଲାଗିଲା । ନାନା ଅସୁବିଧା ବିପଦ ଭିତରେ ଶୁଭ ଦିବସର ଶୁଭ ଲଗ୍ନରେ ମଧୁପୁର ଓ ମଙ୍ଗଳପୁର ମଧ୍ୟରେ ଶୁଭ ସମ୍ବନ୍ଧ ସ୍ଥାପିତ ହେଲା । ବୃଦ୍ଧ ରାଧାନାଥ ଆସନ୍ନଯୌବନା ରମାର ପାଣି ଗ୍ରହଣ କରି ଆଗ ପାଖ ଦଶ ପନ୍ଦର ଖଣ୍ଡ ଗାଁଆରେ ଏକ ସମାଲୋଚନାର ପାତ୍ର ହୋଇଉଠିଲେ ।
-ନଅ-
ଦିନେ ସନ୍ଧ୍ୟା ପରେ ମଧୁପୁର ଗାଁର ଦୁଇଟି ଯୁବକ ଘର ଭିତରେ ବସି କଣ କଥାବାର୍ତ୍ତା ହେଉଥିଲେ । ଗାଁ ପୋଖରୀ ତୋଠ କିପରି ପରିଷ୍କାର ରଖିବାକୁ ହେବ, ଗାଁ, ରାସ୍ତା ଘାଟ କିପରି ଓସାର କରିବାକୁ ହେବ, ଗାଁ ସ୍କୁଲର କିପରି ଉନ୍ନତି ସାଧିବାକୁ ହେବ-ମୋଟାମୋଟି କହିବାକୁ ଗଲେ ଗାଁ ଲୋକଙ୍କର କିପରି ସବୁ ଦିଗରେ ମଙ୍ଗଳ ହେବ, ଏହି ସବୁ ବିଷୟରେ ନାନା କଳ୍ପନା ଜଳ୍ପନା ଚାଲି ଥିଲା । ଏହାଛଡ଼ା ଆଉ ଏକ ଗୁରୁତ୍ତର ବିଷୟରେ ସେମାନଙ୍କର ମନ ବୁଲୁଥିଲା । ଗାଁ ଚାରିପାଖେ ଯେଉଁ ସବୁ ଦରିଦ୍ର, ପତିତଲୋକ ଗୁଡ଼ିକ ଅଛନ୍ତି ସେମାନେ କିପରି ପ୍ରକୃତ ମଣିଷ ପରି, ପ୍ରକୃତ ବୀର ପରି ସବୁବେଳେ ଯିବେ ଆସିବେ, କଥା କହିବେ, ହସିବେ, ଖେଳିବେ, ଏ ବିଷୟରେ ନାନା ଉପାୟ ଖୋଳା ହେଉଥିଲା । ଜଣେ ପ୍ରଶ୍ନ କଲେ ଆଉ ଜଣେ ସାହସର ସହିତ ଉତ୍ତର ଦେଉଥିଲା । ସତେ ଯେପରି ସେମାନେ ଦୁଇଟି ମୂର୍ତ୍ତିମାନ୍ସାହସ ! ବହୁ ବର୍ଷର ଦୁଃଖ-ଦୁର୍ଦ୍ଦଶା-କୁ ସଂସ୍କାର ପ୍ରପୀଡ଼ିତ ଗାଁଗୁଡ଼ାକୁ ସେମାନେ ସତେ ଅଦା ଓଲଟପାଲଟ କରିଦେବେ !
କଥାପ୍ରସଙ୍ଗରେ ଜଣେ କହିଲା-‘‘ମୋ ମତରେ ଗଣ୍ଡଗୋଳ ଯେତେ କମ୍ହୋଇପାରେ ସେତେ ଭଲ । ଲୋକଙ୍କ ଭିତରେ ପଶି, ଅତି ସାବଧାନରେ ଏସବୁ କାମ କରିବା ଦରକାର । ଏହି ଯେଉଁ ସବୁ ଅନ୍ୟାୟ ଅସୁବିଧା, ଏଥିର ପ୍ରତିପଦ କରିବାକୁ ହେବ ଏବଂ ତହିଁ ସଙ୍ଗେ ସଙ୍ଗେ ଲୋକଙ୍କୁ ଭଲ ବାଟ ଦେଖାଇବାକୁ ହେବ । ଖାଲି ଦୋଷଗୁଡ଼ାଏ ଦେଖାଇଲେ, ସମାଲୋଚନା କଲେ ଭଲ ହେବ ନାହିଁ । ତାହା ଦ୍ୱାରା ଗୋଳମାଳ ବଢ଼ିବ, ଅଶାନ୍ତି ଘଟିବ, ରୋଗ ବ୍ୟାପିବ-ମାତ୍ର ଶେଷରେ କିଛି ହେଲେ ଫଳ ହେବ ନାହିଁ । ଯାହାଙ୍କ ପାଇଁ ଆମେ କାମ କରିବାକୁ ବିଚାରିଛେ, ସେମାନଙ୍କର ଲାଭ ନ ହୋଇ ବରଂ କ୍ଷତି ହେବ । ବୁଝିପାରୁଛ ବଶୀ ?’’
ସଙ୍ଗେ ସଙ୍ଗେ ଦ୍ୱିତୀୟ ଯୁବକଟି କହି ଉଠିଲା-‘‘ସତ କଥା, ମାତ୍ର ଦେଖି ସହି ହେଉଛି କେତେକେ ? ସେ ଦିନ ତ ତୁମେ ନିଜେ ଥାଇ ଦେଖିଛ ରଘୁଆ ମାଆର ଶବ କାଢ଼ିବା ପାଇଁ ଲୋକେ କି ଗଣ୍ଡଗୋଳ ବା ନକଲେ ! ନିଜ ଗାଁ, ଚାଳକୁ ଚାଳ ବାନ୍ଧି ରହିଛେ, ଏଥିରେ ଶବଟାଏ ଗାଁ ଭିତରେ ପଡ଼ି ରହିବ, କୁଆ ଶାଗୁଣା ଖାଇବେ; ଅଥଚ ଗ୍ରାମବାସୀ ତାହା ଦେଖି ନ ଦେଖିଲା ପରି ରହିବେ । ମନୁଷ୍ୟର ହୃଦୟଟା ସେତେ ଦୂର ବଡ଼ ନ ହେଲେ କଣ ଏ କଥା ଦେଖି କିଏ ସହିପାରେ-? ଆଗେ ସେ ଜାଇଥିଲା ବେଳେ କଣ ପାପ କରିଥିଲା, କାକାକୁ କଣ ଅସୁବିଧାରେ ପକାଇଥିଲା, ତା ଦ୍ୱାରା କାହାର କଣ କ୍ଷତି ହୋଇଥିଲା, ଏସବୁ କଥାକୁ ଧରି ବସି ସେ ମଲା ଉତ୍ତାରୁ ତା ଶବଟାର ଗତି ବାସନ୍ଦ ପାଇଁ କବିରାତେ ବ୍ୟବସ୍ଥା ଦେଲେ । ଏ ଜନ୍ମର ମଣିଷ ହାତର ଦଣ୍ଡଟା ମଧ୍ୟ ଆର ଜନ୍ମକୁ ଗୋଡ଼େଇ ଯିବ ! ତାର ପାଣି ପବନ ମାଟିର ଦେହଟା ମଧ୍ୟ ସେ ଦଣ୍ଡ ଭୋଗିବ ! ଏ ସବୁ କଥା ଦେଖି ତ ସହି ହେଉ ନାହିଁ-ନ କହି ରହି ହେଉ ନାହିଁ । ଏଇ ମୁଁ ନିଜ ଆଖିରେ ଦେଖିଛି, ସେଇ ରଘୁଆ ମା’ ଜାଇଥିଲା ବେଳେ ତାର ବହୁ-କଷ୍ଟ-ଅର୍ଜିତ ଟଙ୍କା କେତୋଟି କି ଔଷଧ ଖର୍ଚ୍ଚରେ ଲଗାଇବା ପାଇଁ ତା ଦୁଆରେ ଏଇ କବିରାଜେ ବଟୁଆ ଧରି କେତେ ଲଣ୍ଡଭଣ୍ଡ ହେଉଥିଲେ ! ସେତେବେଳେ ଜାତି ବା କୁଆଡ଼େ ଯାଇଥିଲା ? ସେତେବେଳେ ପାପ ବା କେଉଁଠି ଲୁଚି ରହିଥିଲା-? ଧନ୍ୟ ଭାଇ, ଏସବୁ ବିଧି ବ୍ୟବସ୍ଥା ! ଏସବୁ ତ ନିଜର ସୁବିଧା ପାଇଁ, ଆଉ କିଛି ନୁହେ । ଏ ଭିତରେ ଶୁଣିନ ଭାଇ, ଆଉ ଏକ କଥା ?’’
‘‘କି କଥା ? ମୁଁ ଭାବିଥିଲି, ତୁମ କାନକୁ ଏ କଥା ଆସିଦଶି ବୋଲି । ଶୁଣିନ ? କାଲି ଉଦୁଉଦିଆ ଖରାବେଳେ ଗୋଟିଏ ଅଶୀ ବରଷର ବୁଢ଼ୀ ତାର ସାତ ଆଠ ବରଷର ନାତିଟିକୁ ଧରି ଏଇ ଆମ ଗାଁ ବାଟେ କୁଆଡ଼େ ଯାଉଥିଲା । ଜାତିରେ ଖୁବ୍ସମ୍ଭବ ସେମାନେ ପାଣ ବା ହାଡ଼ି ହେବେ । ଶୋଷରେ ତୋଟି ଶୁଖି ଯାଉଥିଲା ବୋଲି ଦାସଙ୍କ ବସା କୁଅ ପାଖେ ଆସି ସେମାନେ ହାଜର ହେଲେ । ନିଜେ ଦାସେ ଢାଳଟାଏ ଧରି କୂଅ ପାଖେ ଠିଆ ହୋଇଥିଲେ । ସେମାନେ ବିକଳରେ ତାଙ୍କ ଆଡ଼କୁ ଚାହିଁବାର ଦେଖି ସେ ଖିଙ୍କାରି ହୋଇ କହିଲେ–‘ପାଣି ! ଦେଖିଲ ନା ଏ ଚଣ୍ଡାଳଗୁଡ଼ାକର କେଡ଼େ ସାହସ ହେଲାଣି ! ଏଇ କେତୋଟା କୁଳାଙ୍ଗାର ଏମାନଙ୍କ ମୁହଁ ବଢ଼େଇ ଦେଇଚନ୍ତି ନା ?’ ଏ ଦୃଶ୍ୟ ମୁଁ ନିଜ ଆଖିରେ ଦେଖିଛି । ଏହା ପରେ ମୁଁ ଘରୁ ଢାଳଟାଏ ଆଣି ସେମାନଙ୍କୁ ପାଣି ଗଡ଼େଇ ପିଇବାକୁ ଦେଲି । ଦାସେ ମଧ୍ୟ ଏ କଥା ଅଡ଼ ଆଖିରେ ଦେଖିଛନ୍ତି । ଜାଣୁଛି ମୋ ଉପରେ ତ ବଜ୍ର ପଡ଼ିବ; ମାତ୍ର ଏଇ ଇସ୍କୁଲଟା ଉପରେ ବଜ୍ର ନ ପଡ଼ିଲେ ରକ୍ଷା !’’
ଏ ବର୍ଣ୍ଣନା ଶୁଣି ଅନ୍ୟ ଜଣକ ଭାବିଲା ପରି କହିଲା-‘‘ଦରିଦ୍ର ନାରାୟଣ ଯେଉଁଠି ପୁଜା ପାଉ ନାହାନ୍ତି, ଦେବତା କଣ ସେଠି ରହୁଥିବେ ବୋଲି ଭାବୁନ, ବଶୀ ? ଆମେ ଏଥିରେ ବ୍ୟସ୍ତ ହେଲେ କଣ ହେବ ? ସେ ଦିନ ପରାଶୁଣି, ଏଇପରି ଲୋକମାନଙ୍କ ପାଇଁ କାମ କରି କାରି ‘ଉତ୍କଳମଣି ମଲେ । ଆଗରୁ ଏଇପରି କେତେ ମରି ଆସିଲେଣି, ପୁଣି କେତେ ମରିବେ । ଦରିଦ୍ରର, ପତିତର, ଅମୁଶ୍ୟର ପୂଜା ସବୁଠାରୁ ବଡ଼ ପୂଜା । କୃଷ୍ଣ ହୋଇଥିଲା ସୁଦାମାର ଅତିଥି, ରାମ ହୋଇଥିଲେ ଗୁହକର ବନ୍ଧୁ, ଗାନ୍ଧୀ ଏବେ ଏଇମାନଙ୍କ ପାଇଁ କାନ୍ଦୁଚନ୍ତି । ଜଗତରେ ବଡ଼ ଲୋକ ଯେ, ପତିତର ବନ୍ଧୁ ସେ । ସଂସାରରେ ବଡ଼ ଦିଅଁ ଯେ, ତାଙ୍କ ନାଁ ପତିତପାବନ । ଏ ଯେଉଁ ଆଗରେ ଚୁନବୋଳା ପ୍ରାଚୀନ ଧଳା ମନ୍ଦର କି ଅଜ୍ଞାତ ଲକ୍ଷ୍ୟରେ ଅନନ୍ତ ଆକାଶକୁ ଶିର ତୋଳି ଠିଆ ହୋଇଛି, ଏଥିରେ କି ଆଉ ଦେବତା ଅଛନ୍ତି ? ମାନବ ପ୍ରତି ମାନବର ଅବହେଳା, ଲାଞ୍ଛନା ଫଳରେ ଏ ଅଶରୀରୀ ଦେବତା ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି । ଦୟା ଯେଉଁଠି ନାହିଁ, ସେଠି କି ମୁକ୍ତି କେତେବେଳେ ହେଲେ ସମ୍ଭବ ହୋଇପାରେ ?’’
‘‘ତେଣୁ ମୁଁ ପ୍ରଥମରୁ କହି ଆସୁଛି, ଆମକୁ ଏଥିପାଇଁ କାମ କରିବାକୁ ହେଲେ ହାଡ଼େ ହାଡ଼େ ପରିଶ୍ରମ କରିବାକୁ ହେବ, ଟାଙ୍ଗରା ଭୂଇଁ ଭିତରେ ଝରଣା ବୁହାଇବାକୁ ହେବ । ତା ନ ହେଲେ ଏଠି କାମ କରି ଲୋକଙ୍କ ମନ କିଣିବା ଅସମ୍ଭବ । ଏଠି ସବୁ ଅଛି, ପୁଣି କିଛି ନାହିଁ–ବୁଝିଲ-? ଏ ଗାଁ ଲୋକେ ସବୁ ଦେଶ୍ସାହସୀ । ମାତ୍ର ଏ ସାହସର ଗତି ବଡ଼ ଖରାପ ଦିଗରେ ଚାଲିଛି । ଭଲ କାମଟିଏ କରିବାକୁ ଲୋକଙ୍କ ବୁକୁରେ ଆଦୌ ସାହସ ଧରୁ ନାହିଁ । ଦେଖୁନ, ଏଇ ମାଲିମକଦ୍ଦମା ମାରପିଟ୍ରେ ଲୋକେ କିମିତି ସାହସରେ ପଶି କାମ କରି ଯାଉଛନ୍ତି ! ଏଥିରେ ତାଙ୍କୁ ତିଳେ ହେଲେ ଭୟ ଲାଗୁଛି ? ତାଙ୍କର ଏହି ସାହସଟାକୁ ପେଦେ ଭଲ ବାଟରେ ପକାଇ ହୁଅନ୍ତା, ତାହା ହେଲେ କେଡ଼େ ଭଲ ନ ହୁଅନ୍ତା ! ବିଚିତ୍ର କାମ ହୁଅନ୍ତା, ବିଚିତ୍ର କାମ ହୁଅନ୍ତା ! କହୁଛ, ଲୋକେ ବଡ଼ କୃପଣ । ଭୁଲ୍ବୁଝିଛ.... । ଏସବୁଲୋକେ ଠିକ୍ବାଟରେ ପଡ଼ିଲେ ଗୋଟେ ଗୋଟେ ନାଳନ୍ଦ ସ୍କୁଲ ପଳେଇବେ, ଗୋଟାଏ ଗୋଟାଏ ପୁରୀ କୋଣାର୍କ ତୋଳି ଠିଆ କରାଇଦେବେ । ଏଇ ଲୋକେ ତ ପୁଣି ମକଦ୍ଦମାରେ ନିଜ ନିଜର ଜିଦ୍ରକ୍ଷା ପାଇଁ ଅକାତରରେ ଟଙ୍କା ଖର୍ଚ୍ଚ କରି ପାରୁଛନ୍ତି ଅସଜ କଥା ହେଉଛି, ଲୋକଙ୍କର ସତ୍ତ ସାହସ ନାହିଁ, ଲୋକଙ୍କର ସଦ୍ବୁଦ୍ଧିର ବଡ଼ ଅଭାବ ହୋଇଛି । ବାଟ ଦେଖାଇ ପାରିଲେ ଏମାନେ ପଛେ ପଛେ ଧାଇଁବେ । ଡାକିବାକୁ ପଡ଼ିବ ନାହିଁ, କହିବାକୁ ପଡ଼ିବ ନାହିଁ । ସେତେବେଳେ ବାଟରୁ ଫେରାଇଲେ ମଧ୍ୟ ଏମାନେ ଫେରିବେ ନାହିଁ । ମାତ୍ର ଏ ସବୁ କରିବାକୁ ହେଲେ ନୀରବରେ ସବୁ କଥା ସହିବାକୁ ପଡ଼ିବ । ଫୁଲ ପଡ଼ୁ ବା ପଥର ପଡ଼ୁ, କିଛି ଭାବିବାକୁ ହେବ ନାହିଁ । ଦରକାର ପଡ଼ିଲେ ସମାଜର କୋପାନଳରେ ଦହି ହେବାକୁ ହେବ । ଲୋଡ଼ା ହେଲେ ଦୁଃସ୍ଥ ଦରିଦ୍ର ଭାବରେ ବୁଲିବାକୁ ପଡ଼ିବ ।
କଥା ଏହିପରି ଚାଲିଥିଲାବେଳେ ଜଣେ ପ୍ରୌଢ଼ା ବିଧବା ହଠାତ୍ସେହି ଘର ଭିତରକୁ ପଶି ଆସିଲେ । ଟିକିଏ ବିରକ୍ତ ସ୍ୱରରେ କହିଲେ-‘‘ଇମିତି କଣ କଥା ଚାଲିଚି ଯେ ଦିନ ଯାଇ ରାତି ମଧ୍ୟ ଅଣ୍ଟୁ ନାହିଁ ? ଭଲ କରି ମୁଠେ ଖାଇବାକୁ ନାଇଁ, ରାତିରେ ଶୋଇବାକୁ ନାଇଁ, କି ବୁଦ୍ଧି ତୋର ଏ ବ୍ରଜ ! ତୋ ଚିନ୍ତାରେ ମୁଁ ମରିଯାନ୍ତି ହେଲେ । ଭାତ ମୁଠାକ ଖଡ଼ିକା ପରି ଶୁଖିଗଲାଣି, ଗାଁ ନିଶବଦ ହୋଇ ଆସିଲାଣି -କାଲ କଣ ଆଉ ଦିନ ହବ ନାଇଁ ? ଆଜି ଇମିତି କଥା ଚାଲି-ଇ-ଇ-ଇ ଥିବା..... ।’’ ବିଧବାର ଏ କଥା ଶୁଣି ଯୁବକ ଦୁହେଁ ଗପସପ ଛାଡ଼ି, ମୁହଁର ସେ ଗମ୍ଭୀରତା ଭାଙ୍ଗି ଏକ ଦେଲେ ଠୋ ଠୋ ହସି ଉଠିଲା । କହିଲେ, ‘‘ଜାଣିନ କି ବୋଉ, ଆମ କଥା ପରା ସଂସାରବାହାର କଥା । ସେ କଥା କଣ ସରିବା କଥା ଯେ ଏଡ଼େ ବେଗେ ସରିଯିବ ? ହଉ, କାଲିକି କଥା ରହୁ’’–କହି ଦୁହେଁ ଉଠି ପଡ଼ିଲେ ।
ଏହିଠାରେ ମଧୁପୁରବାସୀ ଏହି ଦୁଇଟି ଯୁବକଙ୍କର ଟିକିଏ ପରିଚୟ ଦରକାର ।
ମୃତ୍ୟୁଞ୍ଜୟ ପରମଗୁରୁ ପରମ ନୈଷ୍ଠିକ । ଏ ବିଷୟରେ ମଧୁପୁର କାହିଁକି, ପାଖ ଆଖ ଦଶ କୋଡ଼ିଏ ଖଣ୍ଡ ଗାଁରେ ତାଙ୍କ ନାଁ ଡାକୁ । ରାତି ପହରେ ଥାଉ ସେ ଉଠନ୍ତି । ଗାଁ ବୋହୂମାନେ ବାସିଆଡ଼ିତି ସାରିଲା ବେଲକୁ ତାଙ୍କର ଗାଧୁଆ ନିତ୍ୟକର୍ମ୍ମ ସରି ଯାଇଥାଏ । ସେଇଠୁ ଦିନ ବାରଟା ଯାଏ ଲାଗେ ଦିଅଙ୍କ ଘରେ ଗୁଣାଗୁଣି କର୍ମ୍ମ । ସ୍ତ୍ରୀ ସତ୍ୟଭାମା ବେଳ ଛ’ ଘଡ଼ିକି ଚୁଲି ଲଗାଇ ବେଳ ଗଡ଼ିଲା ଦେଳକୁ ସ୍ୱାମୀଙ୍କ ପାଇଁ ଭୋଜନର ବ୍ୟବସ୍ଥା କରି ଦେଇଥାନ୍ତି । ଦୋଅଡ଼ ପାଇଟି ବେଳକୁ ପରମଗୁରୁଙ୍କର ଭୋଜନ ଶେଷ ହୁଏ । ପିଣ୍ଡାରେ ଟିକିଏ ବିଶ୍ରାମ, ଦାଣ୍ଡରେ ଟିକିଏ ବୁଲଚାଲ ପରେ ପୁଣି ଚାଲେ ଗୁଣାଗୁଣି ଯେ ରାତି ହୁଏ ଛ’ ଘଡ଼ି ।
ପରମଗୁରୁଙ୍କର ଏହି ଦେବପୂଜାରତ ପବିତ୍ର କଠୋର ଜୀବନ ପାଖେ ପାଖେ ତାଙ୍କର ଏକମାତ୍ର ସନ୍ତାନ ବ୍ରଜ କେତେ ବର୍ଷ ପର୍ଯ୍ୟନ୍ତ ଦଢ଼ି ଶେଷକୁ ପାଠ ପଢ଼ିବା ପାଇଁ ଗଲା କଟକ । ଯେତେବେଳେ ସେ ଛୁଟିରେ ଗାଁକୁ ଆସିଲା, ଦେଖିଲା ତା ପିତାଙ୍କର ଦୈନନ୍ଦିନ କର୍ମ୍ମପନ୍ଥାରେ କିଛି ହେଲେ ପରିବର୍ତ୍ତନ ଘଟି ନାହିଁ । ଗାଁ, ଘର, ବିଲ, ପୋଖରୀ, ଗଡ଼ିଆ ସବୁ ସେହିପରି ରହିଛି । ସେ ମଧୁପୁର ମଫସଲରୁ କଟକ ସହରକୁ ଯାଇଛି, ଜଗତର ତୁମୁଳ ପରିବର୍ତ୍ତନର କଥା ପ୍ରତି ଦିନ ଖବରକାଗଜରେ ପଢ଼ୁଛି, କେତେ କେତେ ରାଜ୍ୟର ଉତଥାନ ପତନର ଇତିହାସ ଜାଣୁଛି, ରୁଷିଆର ବିପ୍ଲବ, ଆମେରିକାର ଉନ୍ନତି କଥା ବୁଝିଛି; ମାତ୍ର ଘରକୁ ଆସି ଦେଖିଲା, ପରମଗୁରୁଙ୍କ ଜୀବନଟା ଯେପରି ଏସବୁ ବାହାର ଜଗତରୁ ବାହାର ! ଖାଲି ପରମଗୁରୁ କାହିଁକି, ମଫସଳ ରାଜ୍ୟରେ ଏ ସବୁ କଥାର ଛାୟା ଆଦୌ ପଡ଼ି ନାହିଁ । ବାହାର ସଂସାର ସହିତ ଏ ସଂସାରର ଯେପରି କିଛି ହେଲେ ସମ୍ପର୍କ ନାହିଁ !
କେତେ ଛୁଟି ଆସିଲା, କେତେ ଛୁଟି ଗଲା, ବ୍ରଜ କେତେ ଥର ଗାଁକୁ ଆସିଲା, କେତେ ଥର କଟକ ଗଲା । ଗାଁକୁ ଆସିଲାବେଳେ ସେ କେତେ ମଧୁର ଚିତ୍ର କଳ୍ପନା କରି ଆସିଥାଏ, ଆସି ଦେଖେ ସେ ସବୁ ତାର ଭ୍ରମ ଧାରଣା । ଲୋକେ ଅଛନ୍ତି, ଗାଁ ଗଣ୍ଡା ଅଛି; ମାତ୍ର କୌଣସିଥିରେ କିଛି ହେଲେ ନୂତନତା ନାହିଁକି ସରସତା ନାହିଁ । ଶେଷରେ ଏପରି ଭାବି ଭାବି ଅନେକ ସମୟରେ ତାର ତରୁଣ ପ୍ରାଣ ନିତାନ୍ତ ବିଦ୍ରତ ହୋଇପଡ଼େ । ବିଚାରେ, ଏପରି ସମ୍ଭନ୍ଧହୀନ ଅନ୍ଧାର ସଂସାରରେ ମନୁଷ୍ୟ ରହିନ୍ତି କିପରି ? ଏ ଦୁଃସହ ଜଡ଼ତା ଭିତରେ ପ୍ରାଣ ବଞ୍ଚେ କିପରି ? ଜୀବନର ମଙ୍ଗଳ ପାଇଁ ଏଠି ଖାଦ୍ୟ କାହିଁ ? ଉନ୍ନତି ପାଇଁ ମାଲ ମସଲା କାହିଁ ? ଏ ଲୋକେ କଣଟ ଏଠି ଏହିପରି ଭାବରେ ରହିବାକୁ ସୃଷ୍ଟି ହୋଇଛନ୍ତି ? ଏ ସୃଷ୍ଟି କଣ ସଂସାର ସୃଷ୍ଟିରୁ ଅଲଗା ?
ବ୍ରଜ ଏହିପରି କେତେ କଣ ବିଚାରେ । ବିଚାରି ବିଚାରି ମାସ ମାସ, ବର୍ଷ ବର୍ଷ କଟିଗଲା । କ୍ରମେ କ୍ରମେ ଅଜ୍ଞାତ ଭାବରେ ସମାଜର କେତେଗୁଡ଼ିଏ ଘଟଣା ନେଇ ସେ ବିଚଳିତ ହୋଇ ଉଠିଲା । ଗାଁ ଲୋକଙ୍କ ଜଡ଼ତା ଦେଖି ତାକୁ କେଜାଣି କାହିଁକି ଗୁରୁତର କଷ୍ଟ ରୋଧ ହେଲା-। ଭାବିଲା-ଲୋକଙ୍କର ଜୀବନ ନାହିଁ, ଜାଗରଣ ନାହିଁ । ସେହି ଗୋଟିଏ ବାଟରେ ସମସ୍ତେ ଏକାପରି ମୁଣ୍ଡ ପୋତି ଚାଲିଛନ୍ତି । ଜ୍ଞାନର ମହତ୍ତ୍ୱ ଲୋପ ପାଇ ସେ ସ୍ଥାନରେ ସମାଜଗତ ପ୍ରଥର ମହତ୍ତ୍ୱ କ୍ରମେ ଆଦର ପାଉଛି । ଏ ଲୋକଙ୍କହୃଦୟେର ଦୟା ମାୟା ମମତା କେବଳ ନିଜ ନିଜକୁ କେନ୍ଦ୍ର କରି ପରିବାର ବା ଗାଁର ଦୁଇ ଚାରି ଲୋକଙ୍କ ପରିଧିରେ ପରିଚାଳିତ ହେଉଛି । ଏଠି ସ୍ୱାର୍ଥ ଛଡ଼ା ସ୍ନେହ ନାହିଁ, ଲାଭ ଛଡ଼ା ମମତା ନାହିଁ । ସାତ ପରକୁ ସୁଖ ପାଇବା କଥା ଏଠାରେ ସ୍ୱପ୍ନ !
ସମାଜର ଏହି ସଂକୀର୍ଣ୍ଣତା ଭିତରୁ ଉପରକୁ ଉଠିବାକୁ ବ୍ରଜ ବେଳେବେଳେ କାମନା କଲା । ଗାଁ ଛଡ଼ା ପର ଗାଁକୁ ଜାଣିବ, ଆପଣା ଲୋକ ଛଡ଼ା ପର ଲୋକଙ୍କୁ ଭଲ କରି ଚିହ୍ନିବ, ଯେ ପାଦ ତଳେ ବସି ଦିନରାତି ଘାଣ୍ଟି ହେଉଛନ୍ତି ତାଙ୍କୁ ଆଦରରେ ଉପରକୁ ଉଠାଇ ଆଣିବ–ବ୍ରଜ ଏହିପରି କେତେ କଥା ଯେ କଳ୍ପନା କଲା, ତାର ଠିକଣା ନାହିଁ । କିନ୍ତୁ ସମାଚାର ମେଘନାଦ ପାଚିରୀକୁ ଡଇଁବାର ସୁବିଧା ହେଲେ ତ !
କେତେ ଦିନ ଭିତରେ ବ୍ରଜ ମନର ଏହି ଭାବନାସବୁ ଧୀରେ ଧୀରେ କାର୍ଯ୍ୟରେ ଦେଖାଗଲା । ତାହାରି ଫଳରେ ମଧୁପୁରର ଲୋକଙ୍କ ଭିତରେ କ୍ରମେ ଚହଳ ପଡ଼ିଲା ।
ଅଚାନକ ବର୍ଷା ଭିତରେ ତିନ୍ତି ବୁଡ଼ି କେହି ଅମ୍ମଶ୍ୟ ଜାତିର ଲୋକଟିଏ ଦୁଆରକୁ ଭିକ ମାଗି ଆସିଲା । ତାର ଅବସ୍ଥା ଦେଖି ବ୍ରଜ ତାକୁ ଦାଣ୍ଡ ଘରକୁ ଡାକି ନେଇ ଟିକିଏ ଥାନ ଦେଲା । ତା ଆର ଦିନ ହେଲା ପରମଗୁରୁଙ୍କ ଘରେ ପ୍ରାୟଶ୍ଚିତ୍ତର ବ୍ୟବସ୍ଥା !
କେଉଁ ଦିନ ଖରାବେଳେ ବ୍ରଜ ଆପଣ ଢ଼ାଳରେ ବାଉରି ପି.. ପାଣି ପିଇବାକୁ ଦେଲା । ଏ ଅନ୍ୟାୟର ପ୍ରତିକାର କରିବା ପାଇଁ ଗାଁରେ ମହାଜନ ବସିଲେ । ସେ ଥର ଧର୍ମହାନି ଭୟରେ ବ୍ରଜ ବିରୁଦ୍ଧରେ ଗ୍ରାମବାସୀଙ୍କୁ ସତର୍କ କରି ଦିଆଗଲା ।
କୁମାର ପୂର୍ଣ୍ଣମୀ ରାତିରେ ବ୍ରଜ ରୁଅପଡ଼ା ପାଣ ସାଇରେ ପଶି ନାଣଙ୍କ ପିଣ୍ଡାକୁ ଉଠି ଲୋକେ ତାସ ଖେଳି ପଇସାପତ୍ର ବୃଥାରେ ନ ଉଡ଼ାଇବାକୁ ଉପଦେଶ ଦେଇ ଆସିଲା । ଆସିବା ମାତ୍ରେ ଗାଁଲୋକେ ଧରି ବସିଲେ-ବ୍ରଜଠାରେ ଚଣ୍ଡାଳ ଦୋଷ ଲାଗିଛି ।
ମଡ଼ା ପଡ଼ିଛି ଗାଁରେ । ସେଟା ହେଲା ଶୂଦ୍ରମଡ଼ା । ସେହି ସୂଦ୍ରର ବାପ ନାହିଁ, ମା ନାହିଁ, ବନ୍ଧୁବାନ୍ଧବ ମଧ୍ୟ କେହି ହେଲେ ନାହନ୍ତି । ସେହିଠାରେ ବ୍ରଜ ଜଣେ ଦୁଇ ଜଣ ସାଙ୍ଗସାଥୀ ଯୁବକଙ୍କୁ ଧରି ଶୂଦ୍ରର ସାହା ରୂପେ ମଡ଼ା ଉଠାଇବାକୁ ପ୍ରସ୍ତୁତ......ସଙ୍ଗେ ସଙ୍ଗେ ଗାଁ ମୁଣ୍ଡପରେ ତୁମୃଳ ପ୍ରଳୟର ସୃଷ୍ଟି ହେଲା !
ରୋଗିଣୀ ପଡ଼ିଛି । ସେ ଯେ କୂଳକଳଙ୍କିନୀ ! ତା ଦୁଆର ମାଡ଼ିବାକୁ ଗ୍ରାମବାସୀଙ୍କୁ ମନା । ମାତ୍ର ବନ୍ଧୁ ରୂପେ, ସଖା ରୂପେ, ଭାଇ ରୂପେ ବ୍ରଜ ଯାଇ କଳଙ୍କିନୀ ଦୁଆରେ ଓଷଅ ଧରି ଠିଆ ! ଏହି ବେଳା ମଧୁପୁର ଗ୍ରାମବାସୀଙ୍କ ମତରେ ଆସନ୍ନ କଳିକାଳର ପ୍ରଥମ ସୂଚନା ।
ବ୍ରଜ ପରମଗୁରୁ ଓ ବାଳକ ପରମଗୁରୁ ଏହାପରି ଭାବରେ ଦୁଇଟା ବିଭିନ୍ନ ଜଗତର ଭିନ୍ନ ପ୍ରକୃତି, ଭିନ୍ନ ଜାତିର ଦୁଇଟି ପ୍ରାଣୀ । ଏକ ପରିବାର ଭିତରେ ଜଣେ ନୂତନ ସଂସାର ସୃଷ୍ଟି କରିବାକୁ କଳ୍ପନା କରୁଥିବା ବେଳେ ଆଉ ଜଣେ ପରିଚାଳକୁ ଘୋର ପ୍ରଳୟ ବୋଲି ପଦେ ପଦେ ଆଶଙ୍କା କରୁଥିଲେ । ଗ୍ରାମର ମୁଖ୍ୟ ବିଶିଷ୍ଟ ଶକ୍ତରୂପ ଏଥିଲାଗି ବୃଦ୍ଧ ପରମଗୁରୁଙ୍କୁ ବହୁ ମନବେଦନା ସହିବାକୁ ପଡ଼ୁଥିଲା ।
ଏହିପରି ଭାବରେ ସୃଷ୍ଟି ପ୍ରଳୟର ଲୀଳାଖେଳା ଚାଲିଥିଲାବେଳେ ହଠାତ୍ ବୃଦ୍ଧ ପରମଗୁଗଙ୍କ ଅନ୍ୟ ଲୋକରୁ ଡାକରା ଆସିଲା । ଗୃହବାସୀ ବା ଗ୍ରାମବାସୀ କାହା କଥାକୁ ଅପେକ୍ଷା ନ କରି, ଏଠାର ପ୍ରଳୟ ପୂର୍ବରୁ ସେ ସଂସାରରୁ ମୁକ୍ତି ପାଇ ଚାଳିଗଲେ । ବାକୀ ତାଙ୍କର ହୋଇ ରହିଲେ ମଧୁପୁରରେ ନୂତନ ଜଗତର ସ୍ରଷ୍ଟା ବ୍ରଜ ଓ ବ୍ରଜର ବିଧବା ଜନନୀ ସତ୍ୟଭାମା । ତାଙ୍କ ଘରଟା ରାଧାନାଥଙ୍କ ଘରର ଠିକ ପଡ଼ିଶା ଘର ।
ବ୍ରଜର ସାଥି ବଂଶୀ ଗାଁର ଜଣେ ଯୁବକ, ଗାଁ କ୍ଷୁଦ୍ର ପାଠଶାଳାଟିର ଶିକ୍ଷକ । ବ୍ରଜ ପରି ସେ କଟକ ଯାଇ ପାଠପଢ଼ି ନାହିଁ; ମାତ୍ର ପାଠପଢ଼ୁଆ ବ୍ରଜର କଥା ତା ପ୍ରତି ବେଦର ଗାର । ବ୍ରଜ ତାର ଦେବତା, ବ୍ରଜର ସେ ଭକ୍ତ !
ସେ ଦିନ ସନ୍ଧ୍ୟାବେଳେ ଏହି ଦୁଇଟି ଯୁବକ-ବ୍ରଜ ଓ ବଂଶୀ ଏକାଠି ବସି ଗାଁରେ ଲୋକଙ୍କ ଅବସ୍ଥା ନେଇ କଥାବାର୍ତ୍ତା ହେଉଥିଲେ ।