ବଜ୍ର-ପ୍ରହାର — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିହାୟ, ଏ କି ଦୃଶ୍ୟ ଦେଖାଇଲ ହରି ! ହରି ! ଏହି ଦୃଶ୍ୟ ଦେଖାଇବ ବୋଲି ପରା ଏତେଦିନଯାଏଁ ବଞ୍ଚାଇ ରଖିଥିଲୁ ? ଜରାର ତୀବ୍ର ଶୋଷଣରେ ଅସ୍ଥିପଞ୍ଜର ଅକର୍ମଣ୍ୟ । ଏତେବେଳେ ନିଜର ଦେହ ନିଜକୁ ଦୁର୍ବହ ବୋଧ ହେଉଅଛି । ତାହା ଉପରେ ପୁଣି ତୁମ୍ଭେ ଗୁରୁତର ଶୋକ-ଭାର ଆଣି ନିର୍ଦ୍ଦୟଭାବରେ ଲଦି-ଦେଇ ! ଶ୍ମଶାନ-ଯତ୍ରାପଥରେ ବଜ୍ର ପ୍ରହାର ସହିପାରିବି କି ପ୍ରଭୁ ? ଅନ୍ଧ ହାତରୁ ତାହାର ପ୍ରାଣର ଦୋସର ଯଷ୍ଟିଖଣ୍ଡି କାଢିନେଇ କି ପୌରୁଷ ଅର୍ଜିଲ, ତାହା ତୁମ୍ଭେ ଜାଣ । ଯେ ମୋତେ ହସାଉଥିଲା, ଖେଳାଉଥିଲା, ଖୁଆଉଥିଲା, ଚଳାଉଥିଲା–ତାହା ଅଭାବରେ ପ୍ରାଣ କାହା ଉପରେ ନିର୍ଭର କରି ରହିବ ? ତୁମ କଥା-ତୁମ କାର୍ଯ୍ୟ ତୁମକୁ ସୁନ୍ଦର ଏକା-! ତୁମେ କହିଛ ପରା-ମୃତ୍ୟୁ କିଛି ନୁହେଁ, ତାହା ଜୀର୍ଣ୍ଣବେଶ, ପରିବର୍ତ୍ତନମାତ୍ର; କିନ୍ତୁ ସେ ତ ଶିଶୁ ତାହାର ଶରୀର ତ ଲଳିତ ଲବଣ୍ୟରେ ଢଳଢଳ ହେଉଥିଲା, ପୂର୍ଣ୍ଣ ନ ହେଉଣୁ ତାହାର ବେଶ ବଦଳାଇବା ଦରକାର ହେଲା କାହିଁକି ? ସେ ତ ଅଲେଳ ଶିଶୁ-ବାବା ଛଡ଼ା ଅନ୍ୟ କିଛି ଜାଣେ ନାହିଁ-। ତାକୁ ତୁମ୍ଭେ ନେଇଗଲ, ସେଠାରେ ତାକୁ ମୋ ପରି ପ୍ରତିପାଳନ କରିବ କିଏ ? ସେ ତ ଆଉ କାହା ପାଳନରେ ସନ୍ତୁଷ୍ଟ ହେବ ନାହିଁ ତାହା ଲାଗି ଷୋଳ ଘଡ଼ିକି ଷୋଳ ପଦାର୍ଥ ମନ ଜାଣି ଯୋଗାଇ ରଖିବ କିଏ ? ମୋତେ ଯାହା ଦେଇଥିଲ, ତାହା ସବୁ ତ ଗୋଟି ଗୋଟି କରି ନେଇସାରିଲାଣି । ବାକୀ ଥିଲା କଣ୍ଡେଇଟିଏ, ମୁଁ ତାହାରି ସାଙ୍ଗରେ ଲୀଳାଖେଳାରେ ମାତି ଟିକିଏ ଚିତ୍ତ ବିନୋଦନ କରୁଥିଲି । ନିଷ୍କୁର ହରି ! ଏତିକି ତୁମ୍ଭେ ସହିପାରିଲ ନାହିଁ ? ଗୋଟିକୁ ଲକ୍ଷ୍ୟ କରି ଦୁଇଟି ପ୍ରାଣୀ ହତ୍ୟା କଲ ? ଦୁଃଖୀକୁ ଦୁଃଖ ଦେବା ବୋଧହୁଏ ତୁମ୍ଭର ଗୋଟିଏ ନିଷ୍ଠୁର ଆମୋଦ ଅଥବା ତାହାପ୍ରତି ମୋର ସ୍ନେହ ବୃଦ୍ଧି ଦେଖି ଇର୍ଷାପରାୟଣ ହେଲ ପ୍ରଭୁ ! ଭାବିଥିବ ପରା, ଏ ନିଜେ ଗୋଟିଏ ଅସ୍ଥାୟୀ ପଦାର୍ଥ ହୋଇ ଆଉ ଗୋଟିଏ ଅସ୍ଥାୟୀ ପଦାର୍ଥକୁ ଏତେ ସ୍ନେହ କାହିଁକି କରୁଛି ? ସେଥିରୁ କଅଣ ପାଉଛି ? ତାହା ନ କରି ମୋତେ ଯେତେ ତେତିକି ସ୍ନେହ ଆଦର କରନ୍ତା, ତେବେ ମୁଁ ତାକୁ ତ ସବୁ ଦିଅନ୍ତି । ଏହି ଛତରେ ପରା ମୋର ସ୍ନେହ-ପିତୁଳୀଟିକି ଛଡ଼ାଇ ନେଇଗଲି । ଏଣିକି ସେହି ସ୍ନେହଟା ତୁମ୍ଭ ଉପରେ ପଡିବ ବୋଲି ଭାବିଛି ପରା ? ମାତ୍ର ତାହା ଯେ ହୋଇପାରିବାର ଉପାୟ ନାହିଁ ହରି ! ସ୍ନେହ କେବେ ଦୃଶ୍ୟ ଛାଡ଼ି ଅଦୃଶ୍ୟ ଆଡ଼କୁ ଧାଏ ନାହିଁ । ତୁମ୍ଭେ ଅନନ୍ତ, ପୁଣି ଅଦୃଶ୍ୟ । ମୋର କ୍ଷୁଦ୍ର ସ୍ନେହ-ବିନ୍ଦୁଟି ତୁମ୍ଭକୁ କେଉଁଠି ଯାଇ ଭେଟିବ । ସେଥିପାଇଁ ମୁଁ ପ୍ରକାରାନ୍ତରରେ ତୁମ୍ଭଙ୍କୁହିଁ ପୂଜା କରୁଥିଲି, କ୍ଷୁଦ୍ର ଶିଶୁର ଶରୀଟାକୁ ତ ମୁଁ ସ୍ନେହ କରୁ ନ ଥିଲି । ତାକୁ ସ୍ନେହ କରୁଥିଲେ ମଲା ପରେ ସେହି ଦେହଟାକୁ ଅନାସ୍ଥା ଭାବରେ ନେଇ ଫିଙ୍ଗିଦେଇ ଆସନ୍ତି କାହିଁକି ? ମୁଁ ତାହାର ପ୍ରାଣକୁ ସ୍ନେହପୂଜା କରୁଥିଲି । ସମସ୍ତଙ୍କର ପ୍ରାଣ ପରା ତୁମ୍ଭେ ! ତେବେ ସେ ସ୍ନେହ, ଆଦର, ସେବା, ଯତ୍ନ ତୁମ୍ଭଙ୍କୁ ନ ହୋଇ ଆଉ କାହାକୁଁ ହୁଏ ? ମୁଁ ତୁମ୍ଭରି ସୃଷ୍ଟ କ୍ଷୁଦ୍ରଜୀବ ହୋଇ ତୁମ୍ଭରି ଦତ୍ତ ବିବେକ ବଳରେ ଏହା ବୁଝୁଅଛି । ଆଉ ତୁମ୍ଭେ ଅନନ୍ତ ସ୍ରଷ୍ଟା, ଅନନ୍ତ ଶକ୍ତିମାନ୍ହୋଇ ଏହା କଅଣ ବୁଝୁ ନାହିଁ ? ଏ କଥା କିଏ ବା ବିଶ୍ୱାସ କରିବ ? ସେଥିପାଇଁ କହିଲି, ଏହା ଗୋଟାଏ ଛଳନା ।
କେହି କେହି କହନ୍ତି,‘‘ ଆତ୍ମୀୟ-ନିଧନ ଶୋକର କାରଣ ନୁହେଁ । ତାହା କାମ, କ୍ରୋଧ, ଲୋଭାଦି ପରି ମାନବର ଗୋଟିଏ ସହଜ ବୃତ୍ତି; ଜନ୍ମ ସମୟରୁ ଅନ୍ୟାନ୍ୟ ବୃତ୍ତିଗୁଡ଼ିକ ପରି ଶୋକ ସଙ୍ଗରେ ଆସିଅଛି । ସମୟ ପାଇଲେ ସେ ଫୁଟିଉଠି ଆତ୍ମପ୍ରକାଶ କରେ । ଶୋକ ବାହାରକୁ ଆସେ ନାହିଁ, ତାହା ମନ ଭିତରେ ଥାଏ-ଏକଥା ସତ୍ୟ ହୋଇପାରେ । ଶୋକ ମନ ଭିତରେ ଥାଇପାରେ; ମାତ୍ର ସ୍ଥୂଳ ବୃଦ୍ଧିରେ ଏତିକି ଜଣାଯାଏ-ବାହାରରୁ ଆଘାତ ଆସି ଶୋକକୁ ସ୍ପର୍ଶ କଲେ ସେ ଚେଇଁ ଉଠେ । ଆତ୍ମୀୟ-ବିଚ୍ଛେଦ ବା ପ୍ରିୟ-ନିଧନରେ ଶୋକ ଉପଯୁକ୍ତ ସମୟ ପାଏ । ଯେତେବେଳେ ଏହି ବିଚ୍ଛେଦ ବା ମୃତ୍ୟୁରେ ଶୋକ ଫୁଟିଉଠେ, ତେତେବେଳେ ଏହି ବିରହ ବା ମୃତ୍ୟୁରେ ଶୋକର କାରଣବୋଲି କହିରେ ଭୁଲ ହେବ କାହିଁକି ? ତୁମ୍ଭେ ଶୋକ ଦିଅ ନାହିଁ, ତାହା ପ୍ରାଣୀଙ୍କ ମନରେ ଥାଏ, ଏହା ଖାଲି ମନୁଷ୍ୟକୁ ବହଲାଇବା ପାଇଁ ଛାତି ଛଡ଼ା କଥା ସିନା । ତୁମ୍ଭେ ସବୁ ଦିଅ ପ୍ରଭୁ ! ପୁଣି ସମୟରେ ସବୁ ହରଣ କର-ଏହା ମୋର ଯେପରି ବିଶ୍ୱାସ ହେଉପଛେ ମୋତେ ଯଥେଷ୍ଟ ଆଶ୍ୱାସନା ଦିଏ । ପ୍ରଭୁ, ତୁମ୍ଭେ ମଙ୍ଗଳମୟ, ତୁମ୍ଭ କାର୍ଯ୍ୟରେ ମଙ୍ଗଳ ଛଡ଼ା ଆଉ କିଛି ନାହିଁ, ମୋତେ ଏ ଅଚଳ ଅବସ୍ଥାରେ ଶ୍ମଶାନ-ପଥ ମଧ୍ୟରେ ଘାଣ୍ଟି ଚକଟି କି ଅମୃତ ବାହାର କରିବ, ତାହା ତୁମ୍ଭେ ଜାଣ ପ୍ରଭୁ ! ତୁମ୍ଭରି ଦତ୍ତ ଜ୍ଞାନ ବୃଦ୍ଧିରେ ମନୁଷ୍ୟ ତାହା ବୁଝିବାକୁ ଅକ୍ଷମ । ତୁମ୍ଭ ଅଦ୍ଭୁତ ରହସ୍ୟ ତୁମ୍ଭ ଛଡ଼ା ଆଉ କାହାରି ଭେଦ କରିବାର ବାଟ ନାହିଁ ମାୟାମୟ !
ସମ୍ବନ୍ଧିତ ରଚନା
ଶନିସପ୍ତାଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ଚିନ୍ତାମଣି ମହାନ୍ତି
ହରି ହେ ! ଜଗତରେ ମୁଁ ବଡ଼ ଦୁଃଖୀ-ବଡ ନିଃସଙ୍ଗ, ଏହା ତୁମ୍ଭେ ଜାଣ । କର ଯୋଡ଼ି କୋଟି ବାର ପ୍ରାର୍ଥନା କରୁଛି, ମୋର ଯେଉଁ ଅମୂଲ୍ୟ ନିଧିଟି ଛଡ଼ାଇ ନେଇଛ, ଦୟାକରି ତାକୁ ଫେରାଇଦିଅ । ମୋର ଯେ ତାହା ବଡ଼ ଲୋଡ଼ା, ପ୍ରଭୁ ! ଏପରିକି ନ ହେଲେ ନ ଚଳେ । ଜୀବନଟା ଶୂନ୍ୟରେ ଆଉ କାହା ଉପରେ ନିର୍ଭର କରିବି ? ଯଦି ମୋ, ଦୁଭାର୍ଗ୍ୟକୁ ତୁମ୍ଭ ରାଜ୍ୟରେ ଫେରାଇଦେବାର ବିଧି ନ ଥାଏ କିମ୍ଭା ସେଥିରେ ତୁମ୍ଭର ବିଧିବ୍ୟବସ୍ଥା ରଦ ହୋଇଯିବାର ଅଶଙ୍କା ଥାଏ ଅଥବା ଏ ହତଭାଗ୍ୟକୁ ଶେଷଜୀବନରେ ଟିକିଏ ଶାନ୍ତି ପ୍ରଦାନ କଲେ, ଯେବେ ତୁମ୍ଭର ଏତେ ବଡ଼ ବିରାଟ ସୃଷ୍ଟି ଭାଙ୍ଗିଯିବାର ବିଶ୍ୱାସ ଥାଏ, ତେବେ ମୋର ଏତିକି ମାଗୁଣି ଯେ, ମୋ ଯିବାଯାଏ ମୋ ରତ୍ନଟିକୁ ଶ୍ରାଚରଣ ତଳେ ଟିକିଏ ସ୍ଥାନ ଦେଇ ନିରାପଦରେ ରକ୍ଷାକର ।
ସେ ବଡ଼ ଅଭିମାନିନୀ । ତାକୁ ପ୍ରବୋଧ କରି ବାର ସାମଗ୍ରୀ ତୁମ୍ଭ ପାଖରେ ଯଥେଷ୍ଟ ଅଛି; ମାତ୍ର ମାନବ ଦୁର୍ବଳସ୍ୱଭାବ ହେତୁ ତାର ମନ ଥୟ ଧରେ ନାହିଁ ।
ତୁମ୍ଭେ ବିଶ୍ୱବ୍ରହ୍ମାଣ୍ଡ ସମସ୍ତଙ୍କର ପିତା, ତୁମ୍ଭର ଅନନ୍ତ କୋଟି ସନ୍ତାନଙ୍କୁ ଯେତିକି ନିଘା କରିବ, ଗୋଟିଏ କ୍ଷୁଦ୍ର ଶିଶୁକୁ ତାହାଠାରୁ ଅଧିକ ନିଘା କାହିଁକି କରିବ ? ମାତ୍ର ପ୍ରଭୁ, ମୋର ବିନୀତ ପ୍ରାର୍ଥନା ଯେ, ସେଉଟି ଦୟାର ପାତ୍ର, କଥା ବୁଝିପାରେ ନାହିଁ, କହିପାରେ ନାହିଁ; ତାକୁ ଅତିରିକ୍ତ ନିଘା କରିବ । ମା ମୋର ଅତିରିକ୍ତ କଷ୍ଟ ଭୋଗ କରିଛି । ତୁମ୍ଭେ ଅନ୍ତର୍ଯ୍ୟାମୀ, ତାହା ମନ ଜାଣି ତାକୁ ସୁଖଶାନ୍ତି ପ୍ରଦାନ କର । ତୁମ୍ଭର ସଞ୍ଚିତ ପଦାର୍ଥ ତୁମ୍ଭେ ନେଇଗଲ, ସେଥିରେ ମୋର କଥା କହିବାର ଅଧିକାର ନାହିଁ; ମାତ୍ର ମୁଁ ଯେ ଏତେ କାଳ ତୁମ୍ଭ ପଦାର୍ଥକୁ ସାଇତି ରଖିଲି, ତାହାର ପୁରସ୍କାର କଣ ଶେଷକୁ ଶୋକଭୋଗ ? ତୁମ୍ଭ ରାଜ୍ୟରେ କି ଏହିପରି ବୁଝାମଣା ପ୍ରଭୁ ! ତୁମ୍ଭ ପଦାର୍ଥ ତୁମ୍ଭେ ସ୍ୱେଚ୍ଛାକ୍ରମେ ପାଇଲ; ମାତ୍ର ମୋ ଭାଗ୍ୟରେ ବେଠି ଏକା ସାର ହେଲା ।
ମା, ଉମାରଣୀ-ମୋର ପ୍ରାଣର ଉମା, ତୁ କେଉଁଠି ଅଛୁ ମା ? ତୁକେତେ ଦୁରରେ ଅଛୁ-? ତୋର ଦୁର୍ଭାଗ୍ୟ, ବୃଦ୍ଧ, ଅକ୍ଷମ, ତାପର କ୍ଷୀଣ ଡାକ କି ସେଠାକୁ ଶୁଭୁ ନାହିଁ ମା ? ତୁ ଯେଉଁଠି ଥା ପଛକେ ସୁଖରେ ଅଛୁ ତ ମା ? ମୋର ତେତିକି ଲୋଡ଼ା । ତୋର ସୁଖରେ ମୋର ସୁଖ-ଆନନ୍ଦରେ ଆନନ୍ଦ । ଛାଇ ପରି ପାଖରେ ଲାଗିଥିଲୁ, ଏବେ ମୋତେ ଛାଡ଼ି କିମିତି ରହିଛୁ ମା-? ତୋର ରୁଗ୍ଣ ବାପ କଥା କି ମନରେ ପଡ଼ୁ ନାହିଁ ଉମା ? ନା, ତୁ ଯେ ଦେଶରେ ଅଛୁ, ସେ ଦେଶକୁ ଗଲେ ଲୋକେ ଏଡେ ନିଷ୍ଠୁର ହୋଇଯାନ୍ତି ? ତୋ ପାଇଁ ତିନି ଦିନ ତିନି ରାତି କାଲ ଠାକୁରଙ୍କ ପାଖରେ ମୁଣ୍ଡ କୋଡିହୋଇ କେତେ କାତର ଭିକ୍ଷା କରିଛି ! କାହିଁ କେହି ତି ଆଡନେତ୍ରରେ ଟିକିଏ ଚାହିଁଲେ ନାହିଁ ! ସତେ କି ଦେବ-ହୃଦୟ ଏଡ଼େ ନିଷ୍ଠୁର ମା ? ତୁ ବର୍ତ୍ତମାନ ତାଙ୍କ ମେଳରେ ଅଛୁ, ଅବଶ୍ୟ ଅନୁଭବ କରୁଥିବୁ । କେଜାଣି ବା ମୁଁ ଦୁଃଖ ଜଣାଇବା ପରି ଜଣାଇପାରି ନାହିଁ । କି ଭାଷାରେ କିପରି ଭାବରେ ଜଣାଇବାକୁ ହୁଏ, ତାହା ମୋତେ କିଏ କହିଦେବ ? ତୁହି ସିନା ମୋର ଶିକ୍ଷାଦାତ୍ରୀ ଥିଲୁ । କେତେ କଥା ତୁ ଇଙ୍ଗିତରେ ମୋତେ ଶିଖାଇଛୁ, କାହିଁ ତାହା ତ ଶିଖାଇ ନାହୁଁ । ନାନା ବିଷୟରେ ପ୍ରଶ୍ନ ଛଳରେ ତୁ ମୋତେ ଯେଉଁ ଅମୂଲ୍ୟ ଶିକ୍ଷା ଦେଇଛୁ, ତାହା ମୁଁ ପାଶୋରିବି ନାହିଁ । ସେହି ଶିକ୍ଷା ଫଳରେ ଦୁଇଖଣ୍ଡି ପୁସ୍ତକ ଲେଖି ରଖିଛି ତାହା ତୋର ଗୌରବମୟ ଆଉ ପୂଣ୍ୟସ୍ମୃତି ହୋଇ ରହିଲା ।
ମାଲୋ, ମୁଁ ଜୀଇଁ ଥାଉଁ ଥାଉଁ ତୋର ମରଣ ଦେଖିଲି, କାହିଁ ମୋ ହୁଦୟ ତ ଖଣ୍ଡ ଖଣ୍ଡ ହୋଇ ଫାଟିଗଲା ନାହିଁ! ମନୁଷ୍ୟ ଶରୀର ପଥରରେ ତିଆାରି ମା । ସେ ସବୁ ଆଘାତ ସହିପାରେ । ତୋତେ ଖଟ ରେଜେଇରେ ନିଦ ହୁଏ ନାହିଁ, ତୁ ଧୂଳିରେ କିମିତି ଶୋଇଲୁ ମା ! ଏ ଦୃଶ୍ୟ ଦେଖି ମୋର ପ୍ରାଣ ଯା ବାହାରି ନ ଗଲା ? ମୁଁ ଘରେ ରହିଲି, ତୁ କେଉଁ ଅପନ୍ତରାରେ ପଡ଼ିରହିଲୁ ! ଧିକ୍, ଶତ ଧିକ୍ ମନୁଷ୍ୟ-ହୃଦୟକୁ ।
ମା, ତୋର କଣ ଊଣା କଲି ଯେ, ତୁ ଅଭିମାନ କରି ମୋତେ ଛାଡ଼ି ଚାଲିଗଲୁ ? ତୋର ସୁନ୍ଦର ଦେବ-ଶିଶୁ ମୁହଁ ମୁଁ ଆଉ ଥରେ ଦେଖିପାରିଲି ନାହିଁ । ଏହି ଅନୁତାପ କଲିଜାକୁ ଫଟାଇଦେଉଛି ମାଁ । ଜନ୍ମେ ଜନ୍ମେ ତୁ ମୋର ଝିଅ କିମ୍ୱା ମା ରୂପରେ ଆନନ୍ଦ ଦାନ କର; ମାତ୍ର ଆଉ ଏପରି ତଣ୍ଟିକଟା ରାତି ଧରିବୁ ନାହିଁ ତ ମା ! ତୋତେ କେତେବେଳେ କଅଣ କହିଥିବି, ତୋର ଅଧମ ବାପାର ସେ ଦୋଷ ଧରିବୁ ନାହିଁ ।
ଆଉ ଗୋଟିଏ କାମ କରିବୁ ମା, ତୁ ଏବେ ଅନନ୍ତ ଅନାବିଳ ପୂଣ୍ୟ ଧାମରେ ଅଛୁ ଆଉ ମୁଁ ମର୍ତ୍ତ୍ୟର ପାପ-ପଙ୍କରେ ଘାଣ୍ଟି ହେଉଛି । ମୁଁ ପାପୀ, ଭଗବାନ ମୋର ଡ଼ାକ ଶୁଣିବେ ନାହିଁ । ତୁ ପୂଣ୍ୟବତୀ, ମର୍ତ୍ତ୍ୟଭୂମି କିପରି ଜାଗା ତାକୁ ଦେଖି-ଯାଇଛୁ । ଏଠାରେ ରହିବାକୁ ମନ ବଳୁ ନାହିଁ ମା-। କିନ୍ତୁ ଉପାୟ କଣ ? ଠାକୁରେ ତ ମୋ କଥା ଶୁଣିବେ ନାହିଁ, ତୁ ତାଙ୍କର ସ୍ନେହର ପାତ୍ର, ତୋ କଥା ସେ ଏଡ଼ିପାରିବେ ନାହିଁ । ତୁ ତୋର ଏ ଅଧମ ବାପ ସକାଶେ କହିଲେ ସେ ଅବଶ୍ୟ ଶୁଣିବେ-। ଭଗବାନଙ୍କୁ କହି ତାଙ୍କରି ପାଦ ତଳେ ତୋହରି ପାଖରେ ମୋ ଲାଗି ଟିକିଏ ଜାଗା କରି ରଖ, ଆଉ ମୋତେ ଶୀଘ୍ର ନେବାର ଉପାୟ କର । ମୁଁ ଯିବାକୁ ଉଚ୍ଚାଟ । ତୋତେ ଛାଡ଼ି ମୁଁ ଏଠାରେ ରହିପାରିବି ନାହିଁ । ମା ମୋର, ତୋର ବୁଢା ବାପ ଲାଗି ଏତକ କରିବୁ । ମୁଁ ଗଲେ ଦୁହେଁ ଆନନ୍ଦ-ଧାମରେ ଅଖଣ୍ଡ ଆନନ୍ଦରେ ରହିବା । ତୋ ପ୍ରଖର ବୁଦ୍ଧିବୃତ୍ତି ଦେଖି ‘‘ତୁ କାହିଁ କି ପୁଅ ହେଲୁ ନାହିଁ’’ ବୋଲି ସମସ୍ତେ କହିବାରୁ ତୁ ସେହି ଅଭିମାନରେ ପୁଅ ହୋଇ ଆସିବା ପାଇ ଚାଲିଗଲୁ କି ମା ? ତୋର ସେ ଶୁଭଇଚ୍ଛା ପୂର୍ଣ୍ଣ ହେଉ । କିନ୍ତୁ ମା, ତୁ ଫେରି ଆସିବା ବେଳକୁ ମୋର ଧୂଳି ପାଉଁଶ ସୁଦ୍ଧା ନ ଥିବ । ଏ ଜନ୍ମରେ ତୋ ସଙ୍ଗରେ ଦେଖା ଏତିକି ମା !
ମା, ତୁ ତ ଦେବ-ଦେହ ଧରି ଦେବ-ମେଳରେ ଅଛୁ । ସେଠାରେ ଦେବଚକ୍ଷୁ ପାଇଥିବୁ-। ଦେବ-ଚକ୍ଷୁ କୁ ପରା ସବୁ ଦିଶେ ମା ! ତୁ କି ତୋର ଏ ଦୁଃଖୀ ବାପର ଯନ୍ତ୍ରଣା ସ୍ୱର୍ଗରୁ ଥାଇ ଦେଖୁ ନାହୁଁ ମା ? ତୁ ତ ଆଉ ଏବେ ମର୍ତ୍ତ୍ୟର ଶିଶୁ ନୋହୁ-ସ୍ୱର୍ଗର ଦେବଶିଶୁ । ମର୍ତ୍ତ୍ୟର ବୃଦ୍ଧ ସ୍ୱର୍ଗର ଶିଶୁକୁ ସରି ନୁହେଁ । ତୁ ପୃଣ୍ୟବତୀ ପୁଣି ଭାଗ୍ୟବତୀ, ନଚେତ୍ ପ୍ରଭୁ ତୋତେ ଏ ପାପ ଧରାରୁ ଏତେ ଚାଣ୍ଡେ ନେଇଯାନ୍ତେ କାହିଁକି ? ମୁଁ ଯେଡ଼େ ଅଭାଜନ ହେଲେ ସୁଦ୍ଧା ତୋ ଭଳି ଦେବ-ଶିଶୁର ମଧୁମୟ ତୁଣ୍ଡରୁ ପିତୃ-ଆହ୍ୱାନ ପାଇ ନିଜକୁ ଧନ୍ୟ, ଭାଗ୍ୟଧର ମଣୁଛି । ତୋ ଲାଗ ସମସ୍ତେ କାନ୍ଦୁଛନ୍ତି, ତୋ ମା କାନ୍ଦି କାନ୍ଦି କଣ୍ଠଗତ ପ୍ରାଣ ହେଲାଣି, ତୋ ବୋଉ ଦିନରାତି କପତୀ ପରି ଝରୁଛି–ତୋର ବାବା ଆଉ ଭାଇଙ୍କ ମୁହଁ ଶୁଖି ଫିକା ପଡ଼ିଯାଇଛି–ତୋର ନୂଆବଉ ସାନ ଅପାଙ୍କ ଆଖିରୁ ଲୁହ ଶୁଖି ନାହିଁ–ସାନଭାଇ ନାଥିଆ ପିଲାଙ୍କ ପରି ଭେଁ ଭେଁ ରଡ଼ି ଛାଡ଼ିଛି–ତୋର ସାନ ଭଉଣୀ ଆଶାଟି ତୋତେ କେତେ ଖୋଜି ହେଉଛି, ଏହା କଅଣ ତୁ ଦେଖୁ ନାହିଁ ମା ? ତୁ ଦୂରକୁ କେବେ ଯାଇ ନାହୁଁ, ମୋତେ ଛାଡ଼ି ତୁ ଦୂରକୁ ଯାଇପାରିବୁ ନାହିଁ–ସବୁବେଳେ ମୋରି ପାଖରେ ଅଛୁ–ଖାଲି ଦେଖା ଦେଉ ନାହିଁ ସିନା ! ଏତେ ହଟ, ଏତେ ରୁଷା କାହିଁକି–ବାୟାଣୀ, ମୁଁ ତ କେବେ ତୋର ମନ ଭାଙ୍ଗି ନାହିଁ ! ତୁ ଯେତେବେଳେ ଯାହା ଅଳି କରୁଥିଲୁ ମୁଁ ତାହା ଆଣି ଦେଉଥିଲି, ଜାଣି ଶୁଣି ତ କିଛି ତ୍ରୁଟି କରି ନାହିଁ ! ତେବେ ଏତେ ଅଭିମାନ କାହିଁକି ? ମନୁଷ୍ୟ ଗତି ସିନା ସୀମାବଦ୍ଧ; ମାତ୍ର ତୁ ଏବେ ଇଚ୍ଛା କଲେ ତ ମୁହୁର୍ତ୍ତକରେ ବ୍ରହ୍ମାଣ୍ଡ ବୁଲି ଆସିପାରିବୁ । ତୋ ପକ୍ଷରେ କେହି ଦୂର ନୁହେ, ତୁ ଥରେ ଆସି ଆମର ସବୁ ଅବସ୍ଥା ଦେଖି ସାନ୍ତ୍ୱନା ଦେଇ ଯା । ଆମମାନଙ୍କ ଶୋକଶାନ୍ତି ନିମନ୍ତେ ଭଗବାନଙ୍କ ପାଦପଦ୍ମରେ ଅଳି କର । ତୋର ପ୍ରାର୍ଥନା ସେ ନିଶ୍ଚେ ପୁର୍ଣ୍ଣ କରିବେ ।
ମା ଉମାରାଣୀ–ତୁ ତ ଚାଲିଗଲୁ, ତୋ ଉପରେ ମୋର ଯେଉଁ ସ୍ନେହ ଥିଲା,ସେ ସ୍ନେହକୁ ଏବେ ମୁଁ କଅଣ କରିବି ? ତାକୁ କାହାକୁ ଦେବି ? ତୋର ଯାହା ପ୍ରାପ୍ୟ, କେଉଁ ଭାଗ୍ୟଧର ତାହା ପାଇବ ? ‘କିଏ ସ୍ନେହ ନେବ ହୋ-ସ୍ନେହ ନେବ ହୋ’ କହି ବିନା ମୂଲ୍ୟରେ ଯାଚି ବୁଲିଲେ କି ଗ୍ରାହକ ମିଳବେ ନାହିଁ । ଏ ହତଭାଗ୍ୟର ବ୍ୟର୍ଥ ସ୍ନେହ କିଏ କାହିଁକି ନେବାକୁ ଆସିବ ? ଯଦି କେହି ଆମେ, କେବେ ସେ ସ୍ନେହର ଅଯୋଗ୍ୟ, ସୁତରାଂ ଅପାତ୍ର । ଅପାତ୍ରରେ ଦାନ କରି ଫଳ ବା କଅଣ ? ସେଥିରେ ଦାନ ବୃଥା ହୁଏ । ତୋର ସୁନ୍ଦର ନୃତ୍ୟଟି ସିନା ଲୁଚାଇ ରଖିଛୁ, ଆଉ ସୃଷ୍ଟିକୁ ତ ଲୁଚାଇପାରିବୁ ନାହିଁ ? ମୁଁ ତୋର ସେହି ପବିତ୍ର ଅପାଶୋରୀ ସ୍ମତିକୁ ସ୍ନେହ କରିବି । ଘର ବାହାର କାନ୍ଥଚାଳ, କେଉଁଠିବା ସ୍ମୃତି ନାହିଁ । କାହିଁରେ ବା ତୋର ସୁନ୍ଦର ପବିତ୍ର ଛୋଟ ହାତ ଦୁଇଟି ଲାଗି ନାହିଁ ! କେଉଁଠି ‘ଅଆ’ ଫଳା, କେଉଁଠି ୧।୨ପ୍ରଭୁତି ଅଙ୍କ, କେଉଁଠି ବା ବିବିଧ ଚିତ୍ର ଅଙ୍କିତ ରହି ତୋର ସ୍ମୃତିକୁ ଆଲୋକିତ କରୁଛନ୍ତି । ତୋର ମୂର୍ତ୍ତି ମୋର ପ୍ରଧାନ ଅବଲମ୍ୱନ ଥିଲା । ଏଣିକି ସ୍ମୃତି କେବଳ ଅବଲମ୍ୱନ ହେବ । ତୋର ମୂର୍ତ୍ତି ତ ଜୀବନରେ ଆଉ ଦେଖିବ ନାହିଁ; ମାତ୍ର ସେ ମୂର୍ତ୍ତିକି କେବେ ପାଶୋରିପାରିବି ନାହିଁ । ତୋର ସ୍ମୃତି ଭିତରେ ଯେଉଁ ସୌମ୍ୟ ସୁନ୍ଦର ମୂର୍ତ୍ତି ଅଛି, ସବୁବେଳେ ତାକୁ ଦେଖି କୃତାର୍ଥହେବି । ମା, ତୋର ଦେହ ତ ମାନବ-ଦେବ ଥିଲା ନାହିଁ । କି ଲଳିତ ଲାବଣ୍ୟ, କି ଅପୂର୍ବ ଜ୍ୟୋତି ! ମନୁଷ୍ୟ ଚର୍ମରୁ ସେଭଳି ଜ୍ୟୋତି ବାହାରିବା ଏକାବେଳକେ ଅସମ୍ଭବ । ପ୍ରାତଃକାଳରେ ନବପଲ୍ଲବ ଉପରେ ବାଳସୂର୍ଯ୍ୟକିରଣର ମଧୁର ଜ୍ୟୋତି ଦେଖିଛି ଫୁଲ ଉପରେ ଚନ୍ଦ୍ରିକାର ଶୀତଳ ଜ୍ୟୋତି ଦେଖିଛି; ମାତ୍ର ତୋ ଦେହରୁ ଯେଉଁ ଜ୍ୟୋତି ବାହାରେ, ସେ ରୂପ ଜ୍ୟୋତି ଅନ୍ୟତ୍ର ଦେଖି ନାହିଁ । ବିଧାତା ରତ୍ନର ଜ୍ୟୋତିରେ ତୋତେ ତିଆର କରିଥିଲା । ତୋହରି ଅଙ୍ଗଜ୍ୟୋତିରେ ତୋର କ୍ଷୁଦ୍ର ଅଳଙ୍କାରଗୁଡ଼ିକ ହସିଉଠୁଥିଲା; ଏବେ ଦୂର୍ଭାଗ୍ୟରୁ ତୋର ଅଙ୍ଗ ସଙ୍ଗରୁ ବଞ୍ଚିତ ହୋଇ ମଳିନ ଦିଶୁଛି । ତୁ ନିଶ୍ଚେ ଅଭିଶପ୍ତା ଦେବୀ ଥିଲୁ । ମର୍ତ୍ତ୍ୟଭୂମିରେ ଅଳ୍ପକାଳ ମଧ୍ୟରେ ଶାପ ଗୋଟିଏ କଟାଇ ପୁଣି ସ୍ୱସ୍ଥାନକୁ ଚାଲିଗଲୁ । ତୋ ଲାଗି ଯେ ଏଣେ ଗୋଟାଏ ପରିବାର ହାୟ ହାୟ କରି ପ୍ରାଣ ଫଟାଉଛନ୍ତି, ତାଙ୍କର ଦୁଃଖ ଯନ୍ତ୍ରଣା ତୁ କାହିଁକି ଦେଖିବୁ-? ତୋର ଉଦ୍ଦେଶ୍ୟ ସିଦ୍ଧ କରି ତୁ ଚାଲିଗଲୁ । ତୋର ତେତିକି ଏକା ଲୋଡ଼ା ଥିଲା ।
ମାଲୋ, ତୁହି ଏକା ମୋ ଇଷ୍ଟପୂଜାରେ ଉତ୍ତର-ସାଧିକା ଥିଲୁ । ତୋହରି ସାହାଯ୍ୟରେ ମୁଁ ପୂଜା କରୁଥିଲି । ତୁ ଚାଲିଗଲୁ, ମୋର ସେହି ପୂଜା ଶେଷ ହେଲା କି ଅପୂର୍ଣ୍ଣ ରହିଲା, ତାହା ତୁହି ଜାଣୁ ମା ! ଏଣିକି ସେ ପୂଜା ଛାଡ଼ି ତୋହରି ପୁଣ୍ୟସ୍ମୃତିକୁ ତିକ୍ତ ପୂଜା କରୁଥିବି, ଆଉ ଆଜୀବନ କାନ୍ଦୁଥିବି । ତୁ ମୋର କନ୍ୟା ହୋଇ ଅଳ୍ପଦିନରେ ଭଗବାନଙ୍କର କୃପା ଲାଭ କଲୁ; ମାତ୍ର ମୁଁ ତାହା ଅବଧି ପାଇଲି ନାହିଁ-ଏହା ମୋର କ୍ଷୋଭର କଥା ନୁହେଁ ମା-ଆନନ୍ଦର କଥା । ମୁଁ ସେହି ଆନନ୍ଦରେ ଅଧୀର ହୋଇ ଆତ୍ମଗୌରବ ଅନୁଭବ କରୁଛି । ସେହି ଆନନ୍ଦ ଅଶ୍ରୁ ହୋଇ ମୋର ଅଜଣାରେ ସୁଦ୍ଧା ଝଡ଼ିପଡ଼ୁଛି । ମା, ମୋ ରାଣଟି, ତୁ କାନ୍ଦିବୁ ନାହିଁ । ଜଗତର ଯେ ରାଜାଧିରାଜ, ତୁ ତାଙ୍କର ପ୍ରୀତି ଆକର୍ଷଣ କରିପାରିଛୁ, ସ୍ୱତରାଂ ତୋର ଅଭାବ କଅଣ ? ଭଗବାନଙ୍କ ଶ୍ରୀଚରଣରେ ଅଚଳା ଭକ୍ତି ରଖି ମୋର ଯିବାଯାଏଁ ଅପେକ୍ଷା କରିଥା ମା ! ସେ ଭବଭୟହାରୀ । ସେ ଯାହାକୁ ପ୍ରସନ୍ନ, ତାହାର ପୁଣି ଭୟ କଅଣ ? ଭଗବାନଙ୍କ ପ୍ରେମାମୃତ ପାନ କରି ଅପାର ଆନନ୍ଦ ଉପଭୋଗ କର–ତୁ ଆନନ୍ଦର ସନ୍ତାନ, ଚିର-ଆନନ୍ଦମୟ । ଆନନ୍ଦ ତୋର ସର୍ବସ୍ୱ, ତୁ ଆନନ୍ଦରେ ଗଢା, ଏହା ଭୁଲିବୁ ନାହିଁ ।
ଭଗବାନ୍, ଏବେ ତୁମ୍ଭଙ୍କୁ କଥାଏ ପଚାରିବି । ସଂସାରରେ ଯେବେ କେହି କାହାର ନୁହେଁ, ତେବେ ସ୍ନେହ, ମମତା ପ୍ରଭୃତି ନାଗଫାସଗୁଡ଼ାଏ ସୃଜିଲ କାହିଁକି ? କହିବ ପରା–ସେ ସବୁ ତୁମ୍ଭେ କରି ନାହିଁ, ତାହା ମାୟାର କାର୍ଯ୍ୟ, କିନ୍ତୁ କୁହନି ଭଲା–ସେ ମାୟାଟି କିଏ ମାୟାଧର ? ତୁମ୍ଭେ ତ ସ୍ରଷ୍ଟା, ମୁଁ ସୃଷ୍ଟ, ଆମ୍ଭ ଦୁହିଁଙ୍କ ମଧ୍ୟରେ ସମ୍ୱନ୍ଧ । ମାୟା ଗୋଟାଏ ପୁଣି କେଉଁଠୁ ଆସି ଆମ ଭିତରେ କାହିଁକି ପଶିଲା ? ଆଉ ତାକୁ ନିଯୁକ୍ତ କଲା ବା କିଏ ? ମୁଁ ତ ସେ ମାୟାକୁ ଚିହ୍ନେ ନାହିଁ । ମୁଁ ତାକୁ କିଣିଆଣି ନାହିଁ, କି କୋଡ଼ିହାଣି ରୋଜଗାର କରି ନାହିଁ । ଖାଲି ମୋଟା ବୁଦ୍ଧିରେ ଏତିକି ବୁଝିଛି -ଯେ ମାୟାଧର, ମାୟା ତାହାରି ସୃଷ୍ଟି । ଏଥିରେ ଯେତେ ସନ୍ଦେହ ଥାଏ, ତେବେ ସେହି ସନ୍ଦେହ ମୋର ସୁଖ । ତୁମ୍ଭେହିଁ ସେହି ଦୂରନ୍ତା ମାୟାକୁ ଆଣି ମଝିରେ ଠିଆକରାଇ, ଦୋଷ ତାହାରି ମୁଣ୍ଡରେ ଇଦୁଅଛ । ତୁମ୍ଭେ ଯେବେ ମାୟାକୁ ସୃଷ୍ଟି କରି ନାହିଁ, ତେବେ ଏଡ଼େ ଆଦରରେ ମାୟାଧର ବୋଲି ନାମଟିଏ ବହିଛ କାହିଁକି ? ପ୍ରଭୁ, ଏ ଲୁଚକାଳି ଖେଳ ତୁମ୍ଭଙ୍କୁ ସୁନ୍ଦର ହୋଇପାରେ; ମାତ୍ର ରକ୍ତମାଂସ ଦେହୀ ମନୁଷ୍ୟ ସେଥିରେ ଯନ୍ତ୍ରଣା ଅନୁଭବ କରେ ।
ହରି ହେ, ଆହୁରି କଥାଏ ପଚାରିବି, ମୋର ଦୁଃସାହସିକତାକୁ କ୍ଷମା ଆଜ୍ଞା ହେବ । ସେ ତ ଶିଶୁ, ଚାରିବର୍ଷ ପୂର୍ଣ୍ଣହୋଇ ପାଞ୍ଚବର୍ଷରେ ଗୋଡ଼ ଦେଇଥିଲା । ଧର୍ମ କଅଣ, ଅଧର୍ମ କଅଣ, ସେ ଜ୍ଞାନ ତାହାର ଅଙ୍କୁରି ନ ଥିଲା, ସୁତରାଂ ସେ କି ଗୁରୁତର ପାପ କରିଥିଲା ଯେ, ସେଥିପାଇଁ ମୃତ୍ୟୁ ପୁର୍ବରୁ ତାକୁ ଏତେ ଦଣ୍ଡ ଦେଲ ? ଯେବେ ତାହା ପୂର୍ବଜନ୍ମ -ସଞ୍ଚିତ ପାପର ଫଳ ହୁଏ, ତେବେ ବି ତ ଶାସ୍ତିର ସମୟ ଅସଂଗତ । କି ପାପରୁ ସେ ଦଣ୍ଡ ପାଇଲା, ତାହା କି ସେ ବୁଝିପାରିଲା ? ତୁମ୍ଭର ତ ବାଳ, ବୃଦ୍ଧ, ଯୁବା ତିନିକାଳରୁ କେଉଁ କାଳ ନାହିଁ, ତୁମ୍ଭେ ବାଳକାଳ କଥା କାହୁଁ ଜାଣିବ ? ତା’ର ହିତାହିତ ଜ୍ଞାନ ଜନ୍ମିଲା ପରେ ତାକୁ ଦଣ୍ଡ ଦେଇଥିଲେ ସେ ତାକୁ ପୂର୍ବାର୍ଜିତ ପାପର ଫଳ ବୋଲି ଜାଣିପାରନ୍ତା ଏବଂ ଭବିଷ୍ୟତ ଜନ୍ମକୁ ସାବଧାନ ହୁଅନ୍ତା । ଆଉ ସାବଧାନ ବା କଅଣ ହେବ ? ସେଥିର ବାଟ ବା ତୁମ୍ଭେ ରଖି ନାହଁ । ମନୁଷ୍ୟକୁ ଜାତିସ୍ମର କରିଥିଲେ ଗତ ଜନ୍ମର କଥା ତାହା ମନରେ ଥାନ୍ତା; ସୁତରାଂ ଭବିଷ୍ୟତକୁ ସାବଧାନ ହେବାର ସୁବିଧା ମିଳନ୍ତା । ଦୋଷ ସଂଶୋଧନ ନିମନ୍ତେ ଦଣ୍ଡ ଦରକାର ହୁଏ ସତ; ମାତ୍ର ଦୋଷ ନ ଜାଣିପାରିଲେ ସଂଶୋଧନ କରିବ କଅଣ ? ଆଉ ମନୁଷ୍ୟକୁ ତୁମ୍ଭେ କାହିଁକି ଦଣ୍ଡ ଦିଅ ? ସେ କୁପଥଗାମୀ କାହିଁକି ହୁଏ–ପାପ କାହିଁକି କରେ ? ତାକୁ କର୍ମରେ ପ୍ରବର୍ତ୍ତାଏ କିଏ ? ମୋର ଯାହା, ତାହାତ ତୁମ୍ଭର ଦତ୍ତ । ସେମାନଙ୍କ କାର୍ଯ୍ୟ ସକାଶେ ମୋତେ କାହିଁକି ଦାୟୀ କରିବ ପ୍ରଭୁ ! ତୁମ୍ଭ ଉପରେ କେହି ବିଚାରକ ନାହିଁ ବୋଲି ସିନା ତୁମ୍ଭର ଏ ଯଥେଚ୍ଛାଚାର ଚଳିଯାଉଛି । ହରି ହେ ! ଯେବେ ମୋର ଏ ବିଶ୍ୱାସ ମିଥ୍ୟା ବା ଭୁଲ ହୋଇଥାଏ, ତେବେ ସେଥିପାଇଁ ବି ତୁମ୍ଭେ ଦାୟୀ । ମୋ ମନରେ ଯେତେବେଳେ ଯେଉଁ ବିଶ୍ୱାସ ହୁଏ, ତାହା ତୁମ୍ଭେ ଆଣି ଦିଅ । ହେ ପ୍ରଭୁ, ଯାହା ହେବାର ଥିଲା ହେଲା,–ଯାହା କରିବାର କଲ, ଏବେ କ୍ଷୁଦ୍ର ଶିଶୁଟିକୁ ଦୟାକର । ମୁଁ ତାକୁ ତୁମ୍ଭ ପାଦତଳେ ତୁମ୍ଭ ସେବା-ଦାସୀରୂପେ ଅର୍ପଣ କଲି । ତାକୁ ଶ୍ରୀଚରଣ ତଳେ ସ୍ଥାନ ଦିଅ–ତାହାର ସନ୍ତପ୍ତ ଆତ୍ମାର ଶାନ୍ତିର ଅମୃତ ପ୍ରଲେପ ଲଗାଇଦେଇ ତାହାର ପ୍ରାଣ ଆନନ୍ଦମୟ, ଅମୃତମୟ ଓ ଉତ୍ସବମୟ କର । ସେ ତୁମ୍ଭ ସେବାଦାସୀର ଉପଯୁକ୍ତ ହେଉ, ତାହା ମସ୍ତକରେ ମଙ୍ଗଳ ହାତ ବୁଲାଇ ଏହି ଆଶୀର୍ବାଦ କର ହରି–ତୁମ୍ଭ ମଙ୍ଗଳମୟ ପାଦପଦ୍ମରେ ଏତିକି କାତର ଭିକ୍ଷା ।
୧୯୨୯ ସାଲ ମାର୍ଚ୍ଚ ୨୯ ତାରିଖ ଶୁକ୍ରବାର, ତୁ ଗୋଟାଏ କାଳ ଦୁର୍ଦ୍ଦିନ । କି ଅଶୁଭ କ୍ଷଣରେ କି ଅମଙ୍ଗଳ ମୁଣ୍ଡାଇ ତୁ ଆସିଥିଲୁ ! ତୋର କୁଶ ପିତୁଳା ଚଣ୍ଡାଳ ହାତରେ ପୋଡ଼ାହେଉ–ତୋର ଚିତାଭସ୍ମ ଚର୍ମନାସାରେ ପତିତ ହେଉ । ସଂସାରରେ ତୋର ପ୍ରତିଷ୍ଠା ନ ରହୁ–ନାମ ସୁଦ୍ଧା ନ ରହୁ । ତୁ ମୋର କି ସୁଖର ଖେଳଘର ଭାଙ୍ଗିଦେଲୁ ! ମୁଁ ଯାହାର ଭବିଷ୍ୟତ୍ ସମ୍ୱନ୍ଧରେ ଉଜ୍ଜଳ ସ୍ୱପ୍ନ ଦେଖିଥିଲି, ତୁ ତାକୁ ହରିନେଇ ମୋର ଯେ କ୍ଷତି କଲୁ, ତାହା ଆଉ ପୂର୍ଣ୍ଣ ହେବ ନାହିଁ । ନିଷ୍ଠୁର, ମୋ ସୁଖରେ ତୁ ଯେପରି ବଜ୍ର ପ୍ରହାର କଲୁ, ତୋ ମସ୍ତକରେ ସେହିପରି ଅକାଳ ବଜ୍ର ଛିଡିପଡ଼ୁ । ମୋର ଆନନ୍ଦ -ସୌଧ ତୁ ଚୁର୍ଣ୍ଣ କରି ଧୂଳିରେ ମିଶାଇଦେଲୁ–ତୋର ନାମ ଉଚ୍ଚାରଣ କରିବା ମହାପାପ ।
ହାୟ, ମୁଁ ଏ କଅଣ କରୁଛି–କାହାକୁ ଗାଳି ଦେଉଛି ? ମୁଁ କାଳକୁ ନିନ୍ଦୁଛି । କାଳରୂପୀ ବ୍ରହ୍ମ ପରା–ତେବେ ମୁଁ ମୂଢ, ଭଗବାନଙ୍କୁ ନିନ୍ଦା କଲି । ହରି ହେ, କ୍ଷମାକର, କ୍ଷମାକର ପ୍ରଭୋ ! ଢେର ତୀବ୍ର ଭର୍ତ୍ସନା କଲିଣି । ମୁଁ କଅଣ କହିଯାଉଛି, ତାହା ମୁଁ ଜାଣେ ନାହିଁ । କେଉଁ ସଇତାନ ମୋ ଭିତରେ ପଶି ମୋର ଅଜ୍ଞାତରେ ମୋରି ମୁହଁରେ କେବେ କଅଣ କହି ଯାଉଛି । ମୁଁ ତାହାର ବିନ୍ଦୁବିସର୍ଗ ଜାଣେ ନାହିଁ ପ୍ରଭୋ ! ମୁଁ ବର୍ତ୍ତମାନ ବାତୁଳ, ତୁମ୍ଭେ ତ ମୋତେ ବାତୁଳ କରାଇଛ, ତେବେ ପାଗଳର ପ୍ରଳାପ ବାଣୀ ନ ସହିବ କାହିଁକି ? ମୋର କି ଚାରା ଅଛି ? ପ୍ରଭୁ, ତୁମ୍ଭେ ଯେଉଁଆଡ଼କୁ ଢଳାଉଅଛ, ମୁଁ ସେ ଆଡକୁ ଢଳୁଛି । ତୁମ୍ଭେ ଯାହା କରାଉଛ, ମୁଁ ତାହା କରୁଛି । ସତ କହୁଛି ହରି, ଅଜ୍ଞାନ ସୁକୁମାର ଶିଶୁର ରୋଗ ଯନ୍ତ୍ରଣା ଦେଖି ମୋର ହୃଦୟ ଫାଟିଗଲା । ଅନ୍ୟର ଦେହରୁ ରୋଗ ଯେବେ ଆଣି ହେଉଥାନ୍ତା, ତେବେ ମୁଁ ନିଶ୍ଚୟ ତାହା ଦେହରୁ ରୋଗକୁ କାଢିଆଣି ମୋ ଦେହରେ ରଖିଥାନ୍ତି; ମାତ୍ର ତୁମ୍ଭ ରାଜ୍ୟରେ ତାହା ହେବାର ଉପାୟ ନାହିଁ ଭଗବାନ ! ତାହାର ଯେବେ ପରମାୟୁ ନ ଥିଲା, ତେବେ ମୋର ଅବଶିଷ୍ଟ ଆୟୁ ତାକୁ ଦେଇ ବଞ୍ଚାଇ ରଖିଥିଲେ କି ହୁଅନ୍ତା ନାହିଁ ? ଏହିସବୁ କାରଣରୁ ମୁଁ ତୁମ୍ଭର ମହିମା ଭୁଲିଯାଇ ତୁମ୍ଭଙ୍କୁ ଅବିଶ୍ୱାସ କରିଛି । ଯେତେହେଲେ ତ ମୁଁ ଦୁର୍ବଳ ସ୍ୱଭାବ ମନୁଷ୍ୟମାତ୍ର, କାହୁଁ ବା ପ୍ରବଳ ହୋଇ ଦୃଢ ହୋଇ ତୁମ୍ଭ ଆଘାତ ନିର୍ବିକାରରେ ସହିପାରିବି ? ସେ ଶକ୍ତି ତୁମ୍ଭେ କଅଣ ମୋତେ ଦେଇଛ ପ୍ରଭୋ ? ମୁଁ ତୁମ୍ଭଙ୍କୁ ଯେତେ ଅବିଶ୍ୱାସ କରେ ପଛକେ–ଯେତେ ଚଳିହୁଏ ପଛକେ; ମାତ୍ର ଏହା ନିଶ୍ଚୟ ଜାଣେ ଯେ, ତୁମ୍ଭେ ମୋ ଉମାର ମଙ୍ଗଳ ପାଇଁ ତାକୁ ନେଇଯାଇଛ । ତୁମ୍ଭେ ଦେଖିଲ–ଏଠାରେ ତାହାର ଉପଯୁକ୍ତ ଲାଳନ ପାଳନ ହେଉ ନାହିଁ–ତୁମ୍ଭ ଛଡ଼ା ତାକୁ ଆଉ କେହି ପୂର୍ଣ୍ଣରୂପେ ପାଳନ କରିପାରିବ ନାହିଁ–ତହୁଁ ତାକୁ ନିଜ କତିକି ଘେନିଗଲା । ତୁମ୍ଭେ ମଙ୍ଗଳମୟ, ତୁମ୍ଭ କାର୍ଯ୍ୟରେ ବା ଇଚ୍ଛାରେ ଅମଙ୍ଗଳ ଥାଇପାରେ ନାହିଁ । ପ୍ରଭୁ, ତୁମ୍ଭେ କ୍ଷମାମୟ, ମୁଁ ବିହ୍ୱଳ ଅବସ୍ଥାରେ ଯାହା କହିପକାଇଛି, ସେ ଅପରାଧ କ୍ଷମାକର । ଆଉ ଏପରି ଆତ୍ମବିସ୍ତୃତି ଜୀବନରେ ଦିଅ ନାହିଁ, ତୁମ୍ଭ ମଙ୍ଗଳମୟ ପାଦପଦ୍ମରେ ଏହାହିଁ ମୋର ପ୍ରାଣର ଭିକ୍ଷା ।
ନାରାୟଣ, ତୁମ୍ଭେ ସମସ୍ତଙ୍କୁ ଜନ୍ମଦେଇଛ, ପାଳନ କରୁଛ, ରକ୍ଷା କରୁଛ–ତୁମ୍ଭେ ଜଗତର ସମ୍ପଦଦାତା ଆଉ ମଙ୍ଗଳଦାତା, ତୁମ୍ଭେ ସମସ୍ତଙ୍କୁ ସବୁ ଦେଉଛ । ତୁମ୍ଭେ ସୁଖଦାତା; କିନ୍ତୁ କାହାରି ପୂର୍ଣ୍ଣସୁଖ ତୁମ୍ଭେ ସହିପାର ନାହିଁ । ତାହା ତ ଦେବତାଙ୍କର ଚିରନ୍ତନ ସ୍ୱଭାବ । କାହାରି ପୂର୍ଣ୍ଣସୁଖ ଦେଖିଲେ ତୁମ୍ଭେ କିଛି ହେଲେ ଖଣ୍ଡନ ନ କରି ରହିପାର ନାହିଁ । ମୁନିୠଷିମାନଙ୍କର ଉଗ୍ର ତପସ୍ୟା ଦେଖିଲେ ଦେବତାମାନେ ଅଧିକାର ହରାଇବା ଆଶଙ୍କାରେ ଛଳରେ, କୌଶଳରେ ସେମାନଙ୍କର ତପୋଭଙ୍ଗ କରନ୍ତି । ଶାସ୍ତ୍ରପୁରାଣରେ ଏଥିର ଉଦାହରଣ ଯଥେଷ୍ଟ ସୁଲଭ । ପ୍ରଭୁ, ତୁମ୍ଭେ ଦେଇକରି ଯେବେ ସହି ନ ପାର, ତେବେ ଦିଅ କାହିଁକି ? ତୁମ୍ଭେ ତ ସଂସାର ଜଞ୍ଜାଳରୁ ମୋତେ ମୁକ୍ତ କରିଦେଇଛ, ତୁମ୍ଭେ ତ ମୋତେ ପୂର୍ଣ୍ଣ ସୁଖ, ପୂର୍ଣ୍ଣ ଆନନ୍ଦ ଦେଇଛ, ତୁମ୍ଭରି ପ୍ରସାଦରେ ତ ଏ ଦୀନର ମାଟି କୁଟୀରରେ ସ୍ନେହ, ପ୍ରୀତି, ପୁଣ୍ୟ, ଶାନ୍ତି, ମମତା, ସାମ୍ୟ, ମୈତ୍ରୀ, ପବିତ୍ରତା, ଆତ୍ମୀୟତା ପ୍ରଭୃତି ସ୍ୱର୍ଗୀୟ ଭାବର ମଳୟ ସୌରଭ ଖେଳିବୁଲୁଛି । ତୁମ୍ଭେହିଁ ତ ମୋ ପ୍ରାଣରେ ଦୁର୍ଲ୍ଲଭ ଆନନ୍ଦ ଓ ଅପୂର୍ବ ସନ୍ତୋଷ ଢାଳିଦେଇ ମୋତେ ନିଶ୍ଚିନ୍ତ କରାଇଛ । ତୁମ୍ଭେହିଁ ତ ମୋତେ ତୁମ୍ଭ ପୂଜାର ପୂର୍ଣ୍ଣ ସୁବିଧା ଆଉ ଅବସର ଦେଇଛ । ପୁଣି ଚିତ୍ତବିନୋଦନର ଜୀବିତ ଯନ୍ତ୍ରସ୍ୱରୂପ ମୋର ଉମା ସୁନ୍ଦରୀକୁ ଆଣି ମୋତେ ଦେଇଥିଲ । ମୋର ଆଉ ଅଭାବ କଅଣ ଥିଲା ? ପୂର୍ଣ୍ଣ ସୁଖ ଆଉ କାହାକୁ କହନ୍ତି ? ମନୁଷ୍ୟପ୍ରାଣ ଏହାଠାରୁ ଅଧିକ କଅଣ ଖୋଜେ ? ଏତେ ସୁଖ, ଏତେ ଆନନ୍ଦ, ଏତେ ସୁବିଧା–ମୋ ପରି ଆଉ କାହାର ଥିଲା ? କିନ୍ତୁ ହାୟ, ମୋର ଏତେ ସୁଖସୌଭାଗ୍ୟ ତୁମ୍ଭେ ସହନ୍ତ କାହିଁକି ? ମୋର ଖେଳ କଣ୍ଡେଇଟି ଛଡ଼ାଇନେଇ ମୋର ପୂର୍ଣ୍ଣତାକୁ ତୁମ୍ଭେ ଅପୂର୍ଣ୍ଣ କରିଦେଇ, ଏଥୁ ବଳି କ୍ଷୋଭ କଅଣ ଅଛି ? ତୁମ୍ଭେ ସମସ୍ତଙ୍କୁ ସର୍ବଦା ପୂର୍ଣ୍ଣତା ଆଡ଼କୁ ନେଇଯାଅ; ମାତ୍ର କାହାରିକୁ ପରିପୂର୍ଣ୍ଣ କରାଇ ଦିଅ ନାହିଁ ପ୍ରଭୁ ! ତୁମ୍ଭେ ଦେଇକରି ପୁଣି ଛଡ଼ାଇ ନିଅ, ଏଥିରେ କି ତୁମ୍ଭଙ୍କୁ ଦତ୍ତାପହାର ଦୋଷସ୍ପର୍ଶ କରେ ନାହିଁ ? ତେବେ ମନୁଷ୍ୟ ପ୍ରତି କାହିଁକି ଭିନ୍ନ ବ୍ୟବସ୍ଥା ? ଦତ୍ତଦ୍ରବ୍ୟ ପୁନର୍ଗ୍ରହଣ କଲେ ନିରୀହ ଜୀବ ମନୁଷ୍ୟର ପାପ ହୁଏ କାହିଁକି ? ବଡ଼ଲୋକଙ୍କୁ ସବୁ ସୁନ୍ଦର ପ୍ରଭୁ !
କହିବ ଅବା ବନ୍ଧନ କାଟିଦେଇ ନଚେତ୍ ଭାର ଓହ୍ଲାଇଦେଇ ମୋର ସୁବିଧା କରି ଦେଇଛ । କାହିଁ, ସେ ବନ୍ଧନରେ ମୁଁ ତ କଷ୍ଟ ଅନୁଭବ କରି ‘ତ୍ରାହି ମଧୁସୂଦନ’ ଡାକ ଛାଡ଼ି ନାହିଁ; ବରଂ ସେ ବନ୍ଧନକୁ ଫୁଲ ପରି ମଧୁର କୋମଳ ସ୍ପର୍ଶ ମଣୁଥିଲି । ସେହି ବନ୍ଧନ ମୋର ମୁକ୍ତିଠାରୁ ଶ୍ରେୟସ୍କର ଥିଲା । ରତ୍ନହାରକୁ ଭାର ମଣି କେହି ଗଳାରୁ କାଢି ଫୋପାଡ଼ିଦିଏ କି ଭଗବାନ ? ଯାଉ ସେ କଥା, ଆଉ ତୁମ୍ଭ ଉପରେ ମାନ କରିବି ନାହିଁ । ଆପଣା ମାରିଲେ କି ଅଭିମାନ ଧରିଲେ ତ ତୁମ୍ଭ ହୃଦୟ ତରଳିବ ନାହିଁ କିମ୍ବା ମୋର ହୃତ ରତ୍ନଟି ଫେରାଇଦେବ ନାହିଁ ତେବେ ସହସ୍ର ଅଭିମାନରେ ଫଳ କଅଣ ? ତୁମ୍ଭେ ଅନନ୍ତ, ମହାନ୍ ପୁଣି ନିରାକାର । ଲୋକେ ତୁମ୍ଭର ମୂର୍ତ୍ତି କାହିଁକି କାଠ ପଥରରେ ଗଢନ୍ତି ? ମୋର ଗୋଟିଏ ସନ୍ଦେହ ଥିଲା, ଏବେ ସେ ସନ୍ଦେହ ଦୂର ହେଲା ! ମୁଁ ଏବେ ବେଶ୍ ବୁଝିପାରୁଛି ଯେ, ଯାହାର ହୃଦୟ କାଠ ପଥର ପରି କଠିନ, ତାହାର ମୂର୍ତ୍ତି କାଠ ପଥରରେ ହିଁ ଗଢିବା ଉଚିତ । ଆଉ ମୋର ମା ତ ମାୟା-ମୋହର ବନ୍ଧନରୁ ମୁକ୍ତ ହୋଇଯାଇଛି, ତାହା ପାଇଁ ଶୋକ କରି ପୁଣି ସେହି ବଜ୍ରବେଢୀ କାହା ଗୋଡ଼ରେ ଛନ୍ଦିବି ବା କାହିଁକି ? ମା ମୋର ତ ଉପରକୁ ଉଠିଯାଇଛି, ପୁଣି ତାକୁ ତଳକୁ ଟାଣିବାର ବିଫଳ ଚେଷ୍ଟା କାହିଁକି ବା କରିବି? ଯେ ଅଗ୍ନି ପରି ନିର୍ମଳ ହୋଇଯାଇଛି, ତାହାର ପୁଣ୍ୟ ଦେହରେ କଦର୍ଯ୍ୟ ମାୟା-ମୋହ-ପଙ୍କ ବୋଳି ନିଜେ ପାପ ଅର୍ଜ୍ଜନ କରିବି କାହିଁକି ? ଶାସ୍ତ୍ରକାରମାନେ କହିଛନ୍ତି–
ଶ୍ଳେଷ୍ମାଶ୍ରୁ ବାନ୍ଧବୈର୍ମୁକ୍ତଂ,
ଅର୍ଥାତ୍ ମୃତବ୍ୟକ୍ତିର ଆତ୍ମୀୟମାନେ କୋଳଜନ୍ମିତ ଯେଉଁ ଶ୍ଳେଷ୍ମା ଓ ଅଶ୍ରୁ ପରିତ୍ୟାଗ କରନ୍ତି, ପରଲୋକଗତ ଆତ୍ମା ତାହାକୁହିଁ ଭୋଗକରେ । ଭଗବାନ୍, ତୁମ୍ଭ ହୃଦୟ ଯେପରି ନିଷ୍ଠୁର, ତୁମ୍ଭ ଶାସ୍ତ୍ର-କାରମାନଙ୍କର ହୃଦୟ ବି ସେହିପରି ନିଷ୍ଠୁର । ସତେ କି ଆତ୍ମୀୟ ଶୋକରେ ଅଶ୍ରୁବିସର୍ଜନର ଫଳ ଏତେ ଘୃଣ୍ୟ–ଏତେ ବୀଭତ୍ସ ପ୍ରଭୁ ! ଅଶ୍ରୁ ଛଡ଼ା ସାନ୍ତ୍ୱନା ଦେବ କିଏ ? ଯେଉ ଅଶ୍ରୁ ଶୋକକୁ ବଢାଏ, ସେହି ଅଶ୍ରୁ ତ ସାନ୍ତ୍ୱନା ଆଣି ଦିଏ । ମନର କ୍ଳେଦରାଶି ଶୋକତାପରେ ତରଳିଯାଇ ଅଶ୍ରୂରୂପରେ ବାହାରି ନ ଗଲେ ମନୁଷ୍ୟ ବଞ୍ଚିବ କିପରି ? ପୂଯ, ଦୂଷିତ ରକ୍ତ ବାହାରି ନ ଗଲେ ଘା ଶୁଖିବ କି ହରି ?
ମନୁଷ୍ୟ ଦୁଇଦିନ ପାଇଁ ଏ ହତାଶ ପ୍ରବାସ ଭୂମିକୁ ଆସିଛି । ସେ ତୁମ୍ଭରି ସୃଷ୍ଟ ଓ ତୁମ୍ଭେ ତାକୁ ପଠାଇଛ । ଏପରି ଅବସ୍ଥାରେ ତାକୁ ହନ୍ତସନ୍ତ କରିବା କଅଣ ତୁମ୍ଭର ଉଚିତ କାର୍ଯ୍ୟ ପ୍ରଭୁ ! ସେ ଦୁଇଟା ଦିନ ଟିକିଏ ସୁଖଶାନ୍ତିରେ କଟାଇ ତୁମ୍ଭଙ୍କୁ ପୂଜା କରିବାର ସୁବିଧା ପାଇବ । ଏହା ଛଡ଼ା ମନୁଷ୍ୟର ମୁଖ୍ୟ ଅଭିଳାଷ ଆଉ କଅଣ ଅଛି ? ତାକୁ ଏତକ ସୁବିଧା ଦେବାକୁ ତୁମ୍ଭେ ଏତେ କୁଣ୍ଠିତ କାହିଁକି ? ତାହାର ଏତିକି କାମନା କି ତୁମ୍ଭର ଅସହ୍ୟ ପ୍ରଭୁ ? ତୁମ୍ଭେ ମନୁଷ୍ୟକୁ ନିରାଟ ନିଛାଟିଆ ମରୁଭୂମିରେ ଛାଡ଼ିଦେଇ ନିରସ୍ତ ହୋଇ ନାହିଁ, ତାହା ସଙ୍ଗେ ସଙ୍ଗେ ବିବିଧ ରୋଗ-ପୀଡ଼ା ବିପଦ-ଆପଦ, ଚିନ୍ତା-ଭାବନା ପ୍ରଭୃତି ଶତ୍ରୁ ଗୁଡ଼ାକ ପଠାଇଛ । ସେହି ତପ୍ତଭୂମିରେ ପଦେ ପଦେ ବାଧାବିଘ୍ନ ଲଙ୍ଘନ କରି ବାଟ ଚାଲିବା କେତେ ଦୂରୁହ ବ୍ୟାପାର, ତାହା କି ତୁମ୍ଭେ ନ ଜାଣ ଭଗବାନ-! ତୁମ୍ଭେ ତ ମନୁଷ୍ୟକୁ ବିରାଡ଼ି ଛୁଆ ପରି ବାର ଜାଗାରେ ନେଇ ଗୁଞ୍ଜୁଛୁ, ତାହାର କି ବିଶ୍ରାମର ସ୍ଥାନ ନାହିଁ ? ଖାଲି ଯିବା ଆସିବା କଅଣ ତାହାର କାମ ? ବିଶ୍ରାମର ଯେଉଁ ବିଧାନ ତୁମ୍ଭେ କରିଛ, ତାହା ତ ଜନ୍ମେ ଦୁଇ ଜନ୍ମର କଥା ନୁହେଁ–ବହୁଜନ୍ମର ସାଧନାରେ ବିଶ୍ରାମ ମିଳିପାରେ; ମାତ୍ର ସାଧନାରେ ବହୁଜନ୍ମ କଟାଇଦେବା ଭଳି ବିରାଟ ଧୈର୍ଯ୍ୟ କ୍ଷୁଦ୍ର ମାନବର ଅତି କ୍ଷୁଦ୍ର ଧୈର୍ଯ୍ୟ କୋଷରେ ଥାଇପାରେ କି ପ୍ରଭୁ ? ସେହି ଯୁଗ ବ୍ୟାପୀ କଠୋର ମହା ସାଧନା ତୁମ୍ଭ ପାଖରେ ରହି କରିବାର ବିଧାନ କରିଥିଲେ ମନ୍ଦ କଅଣ ହୁଅନ୍ତା ? ତେବେ ବାର ଜାଗାରେ ଜନ୍ମ ଦେଇ ବାର ତୁଠ ପାଣି ଚଖାଇବାରେ ଲାଭ କଅଣ? ସେଥିରେ ବାଟ ଚାଲି ଚାଲି ମନୁଷ୍ୟ ଥକିପଡ଼େ ସିନା । ଶ୍ରାନ୍ତ କ୍ଲାନ୍ତ ଲୋକର କେଉଁ କାର୍ଯ୍ୟରେ ଉତ୍ସାହ ଥାଏ ?
ହରି ହେ, ତୁମ୍ଭେ ଯାହା ନିଅ, ତାକୁ ଆଉ ଫେରାଇଦିଅ ନାହିଁ–ଏହା ତୁମ୍ଭର ଅକାଟ୍ୟ ବ୍ୟବସ୍ଥା । ହେଉ, ତୁମ୍ଭ ମଙ୍ଗଳ ବ୍ୟବସ୍ଥା ସଫଳ ହେଉ । ଫେରାଇ ନ ଦେଲେ ନାହିଁ; ମାତ୍ର ଥରେ ଆଖି ଆଗରେ ଆଣି ସେହି ସୌମ୍ୟ ସୁନ୍ଦର ମୂର୍ତ୍ତିଟି ଦେଖାଇଦେଉଥିଲେ ସେଥିରେ ତୁମ୍ଭର କ୍ଷତି କଅଣ ହୁଅନ୍ତା ? ଏ କଥାରେ ତୁମ୍ଭେ ଅବା ପଚାରିବ–ଯାହା ଯାଇଛି, ତାହା ତ ଚିରକାଳ ପାଇଁ ଯାଇଛି । ଯାହାକୁ ଆଉ ପାଇବାର ସମ୍ଭାବନା ଏକାବେଳକେ ନାହିଁ,ତାହାର ମୂର୍ତ୍ତି ଟିକିଏ ଦେଖିଲେ ତୋର କଅଣ ବା ଲାଭ ହେବ ? ହଁ–ପ୍ରଭୁ, ଲାଭ ମୋର ଯଥେଷ୍ଟ । ତୁମ୍ଭେ ତ ମନୁଷ୍ୟ ରୂପରେ ଅବତୀର୍ଣ୍ଣ ହୋଇଥିଲ ହରି । ସୁତରାଂ ମନୁଷ୍ୟ ପ୍ରକୃତି ତୁମ୍ଭର ଅଜ୍ଞାତ ନୁହେଁ । ଏ ମାଟିର କି ଦୁର୍ଗୁଣ ଅଛି କେଜାଣି, ସେଥିରେ ଗୋଡ଼ ଲାଗିଥିବା–ଯାଏ ଯେ ଯେଡ଼େ ପଣ୍ଡିତ, ଯେତେ ଜ୍ଞାନୀ ଯେତେ ଧୈର୍ଯ୍ୟାଳୁ ହେଉ ପଛେ, ଯେଡ଼େ ଅନୁଭବୀ, ଯେଡ଼େ ଜାଣିବାର ଲୋକ ହେଉ ପଛେ, ଶୋକ ସମୟରେ ସେ ଏକଆଡ଼େ ମନକୁ ପ୍ରବୋଧ ଦେଉଁ ଦେଉଁ ଅନ୍ୟ ଆଡ଼େ ଅଜ୍ଞାତରେ ତାହା ଚକ୍ଷୁରୁ ଲୋତକ-ଧାରା ଝରି-ପଡ଼େ-ସେ ଅଶ୍ରୁର ଅବାରିତ ବେଗ ସମ୍ଭାଳିବାକୁ କାହାରି ଚାରା ନାହିଁ । ମୁଁ କାହାକୁ ଭଲପାଏଁ–ପ୍ରାଣ ଯାହା ପାଇଁ ବ୍ୟାକୁଳ–ସଂସାର ଯାହା ଅଭାବରେ ତୁଚ୍ଛ, ସେହି ପ୍ରାଣ-ପ୍ରତିମାକୁ ଦେଖିଲେ ଶୋକର ଆବେଗ ଟିକିଏ ଊଣା ପଡ଼ିବ । ଥରକୁ ଥର ଦେଖିବା ଦ୍ୱାରା ଆତ୍ମର ବ୍ୟାକୁଳତା କ୍ରମେ ହ୍ରାସ ହୋଇ ପରି-ଶେଷରେ ମିଳାଇଯିବା । ମନୁଷ୍ୟର ପରା ଏହା ଅଭ୍ୟାସ-ଯୋଗ ହରି ? ସ୍ୱୟଂ ତୁମ୍ଭେ ତ ଅଭ୍ୟାସ ମହାଯୋଗର ଭୂୟସୀ ପ୍ରଶଂସା କରିଛ । ମୁଁ ଅଜ୍ଞାନ ଜୀବ, ତପ, ଯଜ୍ଞ ପ୍ରଭୃତି ମୋର ଅସାଧ୍ୟ । ସୁତରାଂ ଅଭ୍ୟାସ ଯୋଗ ହିଁ ମୋ ପକ୍ଷରେ ସହଜ, ସୁଗମ୍ୟ । ମୁଁ ତାହାରି ଦ୍ୱାରା ଶୋକ, ତାପ ଭୁଲିଯାଇପାରିବି । ମୂଢ ବୁଦ୍ଧିରେ ମୋତେ ଏହି ବାଟ ସଳଖ ଦିଶୁଛି । ମୋର ମୂଢ ବିଶ୍ୱାସ ମୋ ପକ୍ଷରେ ନିଶ୍ଚୟ ଶ୍ରେୟସ୍କର ହେବ । ପ୍ରବାଦ ଅଛି–
ଅର୍ଥାତ୍ଯେ ଦୃଢ ବିଶ୍ୱାସୀ, ସେ ତରେ-ଯେ ମୁଢ ବିଶ୍ୱାସୀ ସେ ବରେ–ଆଉ ଯେ ଦୃଢ ନୁହେଁ ଅର୍ଥାତ୍ ଯାହାର ମନ ଛାଡ଼ପୁଡ଼, ସେହି ସନ୍ଦେହମନା, ଯୁକ୍ତିବାଦୀ, ତର୍କସର୍ବସ୍ୱ ଏକା ବୁଡ଼ିମରେ । ଦୟା ମୟ, ମୋର ସ୍ନେହପିତୁଳାଟିକୁ ଥରେ ଥରେ ମୋତେ ସ୍ୱପ୍ନରେ ଆଣି ଦେଖାଇଦିଅ–ଅଶ୍ରୁସିକ୍ତ ନେତ୍ରରେ, ବାସ୍ପବୁଦ୍ଧ କଣ୍ଠରେ ମୋର ଏତିକି ପ୍ରାର୍ଥନା ।
ହରି ହେ, ସେ ତୁମ୍ଭର ଜଣେ ପରମ ଭକ୍ତ ଥିଲା । ଭକ୍ତି ସେ ସଙ୍ଗରେ ଆଣିଥିଲା, ଅତି ଶୈଶବରେ ସେହି ଭକ୍ତି ତାହା କୋମଳ, ସରଳ, ନିର୍ମଳ ପ୍ରାଣରେ ଫୁଟି ଉଠିଥିଲା । ସେ ପ୍ରତ୍ୟହ ଖେଳ ଛଳରେ ତୁମ୍ଭର ପୂଜା କରୁଥିଲା । ଅଜ୍ଞାନ ଶିଶୁ ପୂଜା କଅଣ ଜାଣେ ନାହିଁ–ପୂଜା କାହିଁକି କରେ ବୁଝେ ନାହିଁ; ମାତ୍ର ପୂଜା କରେ । ମୁଁ ବାରମ୍ୱାର ତାହାର ଅର୍ଥଶୂନ୍ୟ ପୂଜା ଦେଖି ସ୍ତବ୍ଧ ମୁଗ୍ଧ ଏବଂ ଆତ୍ମବିସ୍ମୃତ ହୋଇଅଛି । ଫୁଲଗୁଡ଼ିଏ ତୋଳି ଆଣି ରାମାୟଣ, ମହାଭାରତ, ଗୀତା ପ୍ରଭୃତି ଗ୍ରନ୍ଥ ଉପରେ ମନୋମତ ଭାବରେ ସଜାଇ ରଖି ବାରମ୍ୱାର ପୂଜା କରେ ଓ ପ୍ରଣାମ କରେ । ବାଳିକାର ସେହି ନିର୍ବାଣୀ ପୂଜା ଦେଖି ପୃଥିବୀରେ ଥିଲା ପରି ଜ୍ଞାନ ହୁଏ ନାହିଁ । କି ଏକ ସ୍ୱର୍ଗୀୟ ଆନନ୍ଦ ଆସି ମନକୁ ଆଚ୍ଛନ୍ନ କରିପକାଏ । ନିର୍ବୋଧ ଶିଶୁର ଏହି କ୍ରିୟାହୀନ, ମନ୍ତ୍ର ହୀନ, ବ୍ରତ୍ୟହୀନ ଖୁସିପୂଜା ମନକୁ ଯଥେଷ୍ଟ ଶିକ୍ଷା ଦିଏ । ସେ ପୂଜା ଦେଖି ଅନେକ ଥର ତୁମ୍ଭଙ୍କୁ ଡାକି ମୁଁ କହିଛି–ହେ ଦୟାମୟ ହରି, ଅଲେଳ ବାଳିକାର ଏହି ପ୍ରୀତି ପୂଜା ତୁମ୍ଭେ ନିଶ୍ଚୟ ହାତ ବଢାଇଦେଇ ଗ୍ରହଣ କରୁଥିବ । ସହସ୍ରେ ଜ୍ଞାନୀର ପୂଜା ଏ ଆନନ୍ଦମୟ ଶିଶୁ ପୂଜା ନିକଟରେ ଆନ୍ତରିକତାରେ ତୁଚ୍ଛ । ଭାବଗ୍ରାହି, ତୁମ୍ଭେ ଅନ୍ତର୍ଯ୍ୟାମୀ, ଅସ୍ପଷ୍ଟବାକ୍ ଶିଶୁର ଅପ୍ରକଟ ମନୋଭାବ ତୁମ୍ଭେ ଏକା ବୁଝିପାରୁଥିବ-। କାହିଁ, ତୁମ୍ଭ ପାଖରେ ତ ସେ କିଛି ପ୍ରାର୍ଥନା ବା ଅଳି କରୁ ନାହିଁ ! ପୂଜା ଶେଷରେ ଜୁହାର ହୋଇ ଅମିୟ ମଧୁର ବାଣୀରେ ହାତ ଯୋଡ଼ି ଏତିକି କହୁଛି–ଠାକୁର, ଜୁହାର । ଆହା କି ନିଷ୍କାମ ଭକ୍ତି ! ଏରୂପ ଭକ୍ତି ଯେବେ ମୋର ବୃଦ୍ଧପ୍ରାଣରେ ଜାତ ହୁଅନ୍ତା, ତେବେ ମୁଁ ନିଜକୁ ଶତ ଧନ୍ୟ ଓ କୃତାର୍ଥ ମଣନ୍ତି । ଦୟାମୟ, ଯେ ତୁମ୍ଭଙ୍କୁ କିଛି ନ ମାଗେ, ତୁମ୍ଭେ ଯାଚିକରି ତାକୁ ସବୁ ଦିଅ-। ତୁମ୍ଭର ପ୍ରିୟ ଭକ୍ତକୁ ତୁମ୍ଭେ ନିଜ କୋଳକୁ ଟାଣି ନେଇଛୁ, ଏହା ଅପେକ୍ଷା ଉତ୍କୃଷ୍ଟ ହୃଦୟ, ଉତ୍କୃଷ୍ଟ ଦାନ ଆଉ କଅଣ ହୋଇପାରେ ? କ୍ଷୁଦ୍ର ଶିଶୁ ଅଢେଇ ଦିନରେ ତୁମ୍ଭର ପ୍ରୀତି ଆକର୍ଷଣ କରିପାରିଲା; ମାତ୍ର ମୁଁ ବାଲ୍ୟରୁ ବାର୍ଦ୍ଧକ୍ୟଯାଏଁ ତୁମ୍ଭଙ୍କୁ ଡ଼ାକି ଡ଼ାକି ମୋର କଅଣ ହେଲା ? ତେତେ ମୋର ପୂଜା ପ୍ରକୃତ ପୂଜା ନୁହେଁ । ନ ହେଉ ପଛକେ ଶୋଚନା ନାହିଁ, ପୂଜାରେ ମୋର ଆନନ୍ଦ, ମୁଁ କେବଳ ପୂଜା କରୁଥିବି । ମୁଁ ତୁମ୍ଭ ପଦତଳେ ଭିକ୍ଷା ମାଗିବାକୁ ଯୋଗ୍ୟ ନୁହେ–ମାଗିବାର ଅଧିକାର ବି ନାହିଁ । ତୁମ୍ଭେ ପରମ ଦୟାମୟ ଅକ୍ଷମ ଜାଣି ବେଳେ ବେଳେ ଦୟା କରିବି, ଏ ମହା ବିଶ୍ୱାସ ମୋର ଅଛି ।
ମା ଉମା, ଏବେ ମୁଁ ବିଦାୟ ନେଉଛି; କିନ୍ତୁ ମନରେ ଗୋଟିଏ ଅପଶୋରା ଦୁଃଖ ରହିଲା । ତୁ କିଏ ଚିହ୍ନିପାରିଲି ନାହିଁ । ତୁ କେଉଁ ଦୟାଳୁ ଦେବତା, ବଳେ ବଳେ ଆସି ମୋର ଉପକାର କରିଛୁ । କେତେଗୁଡ଼ିଏ କାମ ବି ମୋ ହାତରେ କରାଇଗଲୁ । ଆଜି ‘‘କୁନି ବହି’’ ଲେଖିଦେ, କାଲି ‘ନୂଆ ବହି’’ ଲେଖିଦେ–ଏହିପରି ଖେଳ ଗୀତ, ହସ ଗୀତ, ବାଘ ଭାଲୁ ଗପ, ଛଟା, ଢଗ ପ୍ରଭୃତି କେତେ ଫରମାସ ଦେଇ ମୋ ହାତରେ ଲେଖାଇଛୁ । ଏହା ସବୁ କାହିଁକି କଲୁ, ତାହା ତୁହିଁ ଜାଣ । ତୋତେ ମୁଁ ଚିହ୍ନିପାରି ନାହିଁ; କିନ୍ତୁ ତୁ ମାନବୀ ନୋହୁ । ଏତେ ମାୟା, ମମତା, ସ୍ନେହ, ପ୍ରେମ ମନୁଷ୍ୟ କରିପାରେ ନାହିଁ ମା ! ତୁ ମୋର ଘରେ ବାହାରେ ମଧୁର ବାଳୋତ୍ସବ ଅହର୍ନିଶ ଲଗାଇଥିଲୁ । ତୋତେ ମୁଁ ଚିହ୍ନିପାରିଥିଲେ ଯେ ତୋର ଉପଯୁକ୍ତ ଅର୍ଚ୍ଚନା କରିପାରିଥାନ୍ତି, ଏହା ମୁଁ ଗର୍ବ କରି କହୁ ନାହିଁ । ଅର୍ଚ୍ଚନା କରି ନ ପାରେ ପଛେ; ମାତ୍ର ପ୍ରାଣପଣେ ଚେଷ୍ଟା କରିଥାନ୍ତି-। ମୁଁ ପରା ମାଟିରେ ଅଛି ମା, ମାଟିର ମନୁଷ୍ୟ ମାଟି ଆଖିରେ ତୋତେ ଚିହ୍ନିବି କିପରି ? ଆଉ ତୋ ଲାଗ ଦୁଃଖ କରିବି ନାହିଁ ମା ! ତୋତେ ଭଗବାନଙ୍କ ଶ୍ରୀଚରଣରେ ଅର୍ପଣ କରିସାରିଛି, ଏଣିକି ଦୁଃଖ କଲେ ଦାନରେ ଦାବୀ କରିବା ଦୋଷ ଘଟିବ । ତୁ ପୂଣ୍ୟମୟ ଓ ଆନନ୍ଦମୟ ମହାଧାମରେ ଆନନ୍ଦମୟ ଭଗବାନଙ୍କ ପାଦ ତଳେ ମହିମାମୟୀ ରାଜରାଜେଶ୍ୱରୀ ରୂପରେ ବିରାଜମାନ କର–ମୋର ଏହି ଆର୍ଶୀର୍ବାଦ ମା !
ରାମଚନ୍ଦ୍ରଚିନ୍ତାମଣି ମହାନ୍ତି ବୁଲା ଫକୀରଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି