ବଜ୍ର-ପ୍ରହାର
ଚିନ୍ତାମଣି ମହାନ୍ତି · ଭାଗ ୩ / ୩
ସମ୍ପୂର୍ଣ୍ଣ ସୂଚୀପତ୍ର
[ ୩ ]
ହରି ହେ, ମନୁଷ୍ୟର ମନକୁ ତୁମ୍ଭେ କାହିଁରେ ଗଢ଼ିଛ, ତାକୁ ଆଉ ମୁଁ ବୁଝିପାରିଲି ନାହିଁ । ତାହା ପରି ଅବିଶ୍ୱାସୀ ତୁମ୍ଭ ସୃଷ୍ଟିରେ ଆଉ କିଏ ଅଛି ? ସ୍ୱଚକ୍ଷୁରେ ଦେଖିଲା କଥାକୁ, ଅଙ୍ଗେ ନିଭାଇଲା କଥାକୁ ସୁଦ୍ଧା ଅବିଶ୍ୱାସ କରେ ନାହିଁ । ଯେ ତୁମ୍ଭ ପାଖକୁ ଯାଏ, ସେ ଆଉ ଫେରିଆସେ ନାହିଁ–ଏହା ମୁଁ ଦୃଢ଼ରୂପେ ଜାଣେ । ତଥାପି ମନ କହୁଛି–‘‘ନା, ସେ ନିଶ୍ଚେ ଫେରିଆସିବ ।’’ ଏ ଭଲା କି ଭ୍ରମ ପ୍ରଭୁ ? ମନକୁ ଯେତେ ବୁଝାଇଲେ ବି ସେ ମାନିବାକୁ ନାହିଁ, ସେହି ଏକ ସ୍ୱର ଧରି ସେ ବାରାବର କହୁଛି–‘‘ନା, ସେ ନିଶ୍ଚେ ଫେରିଆସିବ ।’’ ଏ ତାହାର ଗୋଟିଏ ଝୁଙ୍କ ନା କଅଣ ? ମୁଁ ଭୁଲିଯିବାକୁ ବସିଲେ ସୁଦ୍ଧା ସେ ମୋତେ ଭୁଲିବାକୁ ଦେଉ ନାହିଁ । ବନ୍ଧୁମାନେ ଉପଦେଶ ଦେଇ କହୁଛନ୍ତି–‘‘ପବିତ୍ର ହୋଇ ତୀର୍ଥ ଭ୍ରମଣ କର–କାମନା ପରିତ୍ୟାଗ କରି ଈଶ୍ୱରଙ୍କୁ ଧ୍ୟାନ କର । ତାହାହେଲେ ଈଶ୍ୱରଙ୍କୁ ପାଇବ । ସେ ଆନନ୍ଦମୟ, ତାଙ୍କୁ ପାଇଲେ ଶୋକ, ତାପ, ପାପସବୁ ଦୂର ହୋଇଯିବ ।’’ ବନ୍ଧୁମାନେ ଉପଦେଶ ଦେଇ ଖଲାସ; ମାତ୍ର କାର୍ଯ୍ୟଟି ବଡ଼ କଠିନ । ଯେଉଁ ଦେହ ରାଗଦ୍ୱେଷାଦି କଦର୍ଯ୍ୟ ପଙ୍କରେ ପରିଲିପ୍ତ, ସେ ଦେହ କି ଜଳରେ ନିର୍ମଳ ହେବ ? ପୁଣି ଶରୀର ତ ମଳମୂତ୍ରରେ ପୂର୍ଣ୍ଣ । ଏଣେ ମଳମୂତ୍ର ଅଭାବରେ ଶରୀର ବଢ଼ିପାରିବ ନାହିଁ । ମଳମୂତ୍ର ଥାଉଁ ଥାଉଁ ଦେହଟା ପବିତ୍ର ହେବ କିପରି ? ତୀର୍ଥକୁ ଗଲେ ଯେବେ ପାପତାପରୁ ମୁକ୍ତି ମିଳୁଥାନ୍ତା, ତେବେ ଆଜନ୍ମ ତୀର୍ଥବାସୀଙ୍କର ତ ବନ୍ଧନ ଥାନ୍ତା ନାହିଁ–ସେମାନେ ଜୀବନ୍ମୁକ୍ତ ହୋଇଥାନ୍ତେ । ଆଉ କେଉଁ ତୀର୍ଥରେ ବା ଯାଇ ବୁଲିବ ? ମୋର ମାତୃଭୂମି ତ କୋଟି ତୀର୍ଥର ମହୁଡ଼ମଣି, ତାହାଠାରୁ ବଳି ଆଉ ତୀର୍ଥ କିଏ ? ଯେଉଁ ତୀର୍ଥର ମାଟିରେ ଏ ଦେହ ଗଢ଼ା ହୋଇଛି, ପୁଣି ଶେଷର ଯହିଁରେ ମିଶିବ, ସେ ମହାତୀର୍ଥକୁ ଛାଡ଼ି ଆଉ କୁଆଡ଼େ ଯିବାକୁ ଆତ୍ମା ବଳୁ ନାହିଁ । ତୃତୀୟତଃ କାମନା ଛାଡ଼ିଦେବା ସମ୍ଭବ କି ? ବାୟୁର ଗନ୍ଧ ନ ଥିଲେ ସୁଦ୍ଧା ସେ ଅନ୍ୟର ଗନ୍ଧରେ ଗନ୍ଧବାନ ହୁଏ । ସେହିପରି ମନୁଷ୍ୟର ନିର୍ମଳ ମନ କାମନାରେ କଳୁଷିତ ହୁଏ । କାମନା ସବୁବେଳ ମନକୁ ଘେରି ରହିଅଛି । କାମନା ଛଡ଼ା ମନର ସ୍ୱତନ୍ତ୍ର ଅସ୍ତିତ୍ୱ ବା କେଉଁଠାରେ ? ମନ ତ କାମନାରେ ଗଢ଼ା, ସେଥିରୁ କାମନା କାଢ଼ିନେଲେ ଆଉ କଅଣ ରହିବ ? ସୁତରାଂ କାମନା ଛାଡ଼ିହେବ ନାହିଁ, କି ଛାଡ଼ି ହେବାର ନୁହେଁ ।
ଚତୁର୍ଥତଃ ତୁମ୍ଭଙ୍କୁ ଆଉ ସ୍ୱତନ୍ତ୍ର ଭାବରେ ଦେଖିବି ବା ପାଇବି କଅଣ ? ପୂର୍ବରୁ ତ କହିଛି, ଆତ୍ମାରୂପୀ ବ୍ରହ୍ମ । ମୁଁ ଯେ, ତୁମ୍ଭେ ସେ । ମୁଁ ଯେବେ ମୋ ମଧ୍ୟରେ ମୋତେ ଦେଖିପାରନ୍ତି, ତେବେ ମୋର ଆତ୍ମଦର୍ଶନ ହୁଅନ୍ତା–ସୁତରାଂ ବ୍ରହ୍ମଦର୍ଶନ ଓ ବ୍ରହ୍ମେପ୍ରାପ୍ତି ଘଟନ୍ତା । ତାହା ଅତି ସହଜ ନୁହେଁ, କି ଗୋଟାଏ ତନ୍ମର ସାଧନାର ଫଳ ନୁହେଁ । ମୋର ଏ ସିଦ୍ଧାନ୍ତ ପଛେ ଠିକ୍ ନ ହେଉ କିମ୍ବା ଏହା ମୋର ମତିଭ୍ରମ ବା ବାତୁଳତା ପଛେ ହେଉ; ମାତ୍ର ସେଥିରେ ମୋର ସୁଖ ଓ ସେହି ମୋର ଲକ୍ଷେ ଟଙ୍କା । ଏବେ ମୁଁ ଅନୁଭବ କରିପାରୁଛି ଯେ, ମନୁଷ୍ୟ ନ ମରିବାଯାଏଁ ଶୋକ, ତାପ ମରେ ନାହିଁ । ଆସିବାବେଳେ ସେ ସଙ୍ଗରେ ଆସିଥାଏ, ସର୍ବଦା ପଛେ ପଛେ ଥାଇ ଯିବାବେଳେ ପୁଣି ସଙ୍ଗରେ ଯାଏ । ଶୋକ ମୋତେ ଗ୍ରାସ କରିବ, କି କାଳ ଶୋକକୁ ଗ୍ରାସ କରି ସର୍ବଗ୍ରାସି ନାମ ସାର୍ଥକ କରିବି–ସେ ସମସ୍ୟା ଭବିଷ୍ୟତରେ ଅନ୍ଧକାର ଗୁହା ଗର୍ଭରେ ଆବଦ୍ଧ । ତାହା ଜାଣିବାର ଉପାୟ ନାହିଁ; ମାତ୍ର ଏହା ସୁଦ୍ଧା କଠୋର ସତ୍ୟ ଯେ, ତୁମ୍ଭର ଏ ସଂସାରରେ କିଛିହିଁ ବିଚିତ୍ର ନୁହେଁ ପ୍ରଭୁ ! ପାଶୋରିଯିବାଟା ସଂସାରର ରୀତି । ଅନ୍ୟ କଥା ଦୂରେ ଥାଉ, ଏଠାରେ ମନୁଷ୍ୟ ନିଜକୁ ବି ପାଶୋରିଥାଏ । ଅନ୍ଧାର ପଛରେ ଆଲୁଅ ଥାଏ–ଶୋକ ପଛରେ ବିସ୍ମୃତି ଥାଏ–ଏହା ଦେହେକେ ଉପଭୋଗ କରି ସୁଦ୍ଧା ମନୁଷ୍ୟ ସେ କଥା ବି ପାଶୋରିଯାଏ । ଏହିପରି ପାଶୋରିଯାଉ ନ ଥିଲେ, ମନୁଷ୍ୟ–ସୃଷ୍ଟି କେଉଁ ଯୁଗରୁ ଶେଷ ହୋଇଯାନ୍ତାଣି । ଶୋକ ବି ତୁମ୍ଭେ ଆଣ, ବିସ୍ମୃତି ବି ତୁମ୍ଭେ ଆଣ କିନ୍ତୁ ପ୍ରଭୁ ଆଗେ ଶୋକ ଦେଇ ପଛେ ବିସ୍ମୃତି ଆଣିବା ଅପେକ୍ଷା ଆଦୌ ଶୋକ ନ ଦେବା କି ସହଜ ନ୍ୟାୟ ନୁହେଁ ? ହୃଦୟରେ କ୍ଷତି କରିଦେଇ ଔଷଧ ଲେପିବାଠାରୁ ମୂଳରୁ ଆଘାତ ନ କରିବା ତ ଭଲ ! କାହିଁକି ତାହା ନ କର, ସେ କଥା ତୁମ୍ଭେ ଜାଣ । ହରି, ତୁମ୍ଭର ମାୟା ବଡ଼ ଗୋଳିଆ, ତାହା ଭାବିଲେ ମନ ସୁଦ୍ଧା ଗୋଳିଆ ହୋଇଯାଏ; ତାହା ନ ଭାବିବାହିଁ ଶ୍ରେୟଃ ।
ମୋର ଏ ଅଡ଼ୁଆ ମହାଭାରତ ପଢ଼ି ଯେ ହସିବ ହସୁ ପଛେ; ମାତ୍ର ମୋର ଏହା ପ୍ରାଣର ବ୍ୟଥା ବାଣୀ । କାହାରି ପଢ଼ିବା ପାଇଁ ମୁଁ ଲେଖୁ ନାହିଁ–ଲେଖିବା ଦ୍ୱାରା ଟିକିଏ ଶାନ୍ତି ପାଉଛି ବୋଲି ଲେଖୁଛି, ନଚେତ୍ ଅନ୍ୟକୁ ଶିକ୍ଷା ଦେବା ଭଳି ଦୁରାଶ ବା ଧୃଷ୍ଟତା ମୋର ଆଦୌ ନାହିଁ । ଆଉ କିଏ କାହିଁକି ବା ଏହାକୁ ପଢ଼ିବ ? ଏଥିରେ ପଦ୍ମ ବା ପାରିଜାତର ମାଧୁରୀ ନାହିଁ–ଇନ୍ଦ୍ରଧନୁର ବର୍ଣ୍ଣବୈଚିତ୍ର୍ୟ ନାହିଁ–କୋକିଳର କର୍ଣ୍ଣରସାୟନ ସୁର ନାହିଁ–ମଧୁପର ପ୍ରାଣପାଗଳକାରୀ ଉନ୍ନତ ବୀଣାଝଙ୍କାର ନାହିଁ କିମ୍ବା ମଳୟାନିଳର ସୌରଭ-ବିଭବ ନାହିଁ–ଏହା ଶୁଷ୍କକାଷ୍ଠ । ଶୁଷ୍କ ଚନ୍ଦନ କାଷ୍ଠକୁ ଘୋରିଲେ ସୁବାସ ବାହାରେ; ମାତ୍ର ଏ ଲେଖାରେ ସେ ଗୁଣ ବି ନାହିଁ । ପୁଣି ଏହା ମଧୁର ଜଳତରଙ୍ଗ ବାଦ୍ୟଧ୍ୱନି ନୁହେଁ–କର୍କଶ କଟୁରାବୀ ଏକସୁରା ଫଟା ଢୋଲର କର୍ଣ୍ଣଚିରା ଶବ୍ଦ । ଏ ଶବ୍ଦ ଶୁଣିଲେ କର୍ଣ୍ଣ ଜ୍ୱାଳା କରିବ–ଏ ବୈରାଗୀଗୀତିକା ବଡ଼ ନୀରସ । ବିଜୁଳିରେ ଖାଲି ଉତ୍ତାପ ଥାଏ ନାହିଁ–ଟିକିଏ ଆଲୁଅ ବି ଥାଏ । ସେହି ଆଲୁଅରେ ମୁଁ ବିପଦରେ ପଥ ଧରିପାରିଲେ ତେତିକି ଅଳ୍ପ ଲାଭ ନୁହେଁ । ମୋରି ପରି ଯେ ଦଗ୍ଧଭାଗ୍ୟ–ମୋହରି ପରି ସେ ବାଷଠି ବର୍ଷକାଳ ହସଖୁସିରେ କଟାଇ ଶ୍ମଶାନ ଯାତ୍ରାବେଳେ ନିଦାରୁଣ ଆଘାତ ପାଇଛି–ମୋହରି ପରି ଯେ ଅମୂଲ୍ୟ ରତ୍ନ ହରାଇ ହାହାମୟ ଜୀବନ ଧରି ବଞ୍ଚି ରହିଛି, ସେ ଯେବେ ମୋର ଏ ଶୋକ-କାହାଣୀ ପଢ଼ି କ୍ଷଣକ ପାଇଁ ଶୋକ ପାଶୋରିପାରେ, ତେବେ ତାହାହିଁ ମୋର ପରମ କଲ୍ୟାଣ । ସମଦୁଃଖୀ ଛଡ଼ା ଆଉ କିଏ ହୃଦୟର ବେଦନା ବୁଝିବ ? ଦୁଃଖୀ ପାଖର ଦୁଃଖ ଗାଇଲେ ବ୍ୟଥା ଟିକିଏ ଊଣା ହୁଏ । ଯଦି କେହି ସମଦୁଃଖୀ ନ ଥାଏ, ତେବେ ମୋହରି କାନ୍ଦଣା ମୁଁ ଶୁଣିବି । ମୁଁ ତାକୁ କାହିଁକି ସ୍ନେହ କଲି, ମୋର ସ୍ନେହ କାହିଁକି ତାହା ପାଖକୁ ଗଲା ? ସେ ଦୋଷ ମୋର ନା ମୋ ସ୍ନେହର ? କିରେ ସ୍ନେହ ତୁ କାହିଁକି ତାହା ପାଖକୁ ଗଲୁ ? ଏହି ତ ସ୍ନେହ କହୁଛି–‘‘ତୁ ପଠାଇଲାରୁ ମୁଁ ଗଲି । ମୁଁ ତ ତୋର ଆଜ୍ଞାବହ, ତୁ ଯେଉଁଠିକି ପଠାଇବୁ, ମୁଁ ସେଠାକୁ ଯିବାକୁ ବାଧ୍ୟ ।’’ ସତ କଥା ତ, ମୁଁ ପଠାଇଲାରୁ ସିନା ସେ ଗଲା, ତେବେ ଦୋଷ ମୋର । ଆଚ୍ଛା, ଦୋଷ ଯେବେ ମୋର ହେଲା, ତେବେ ମୋ କାନ୍ଦଣା ମୁଁ ନ ଶୁଣି ଆଉ କିଏ ଶୁଣିବ ? ତ୍ରାହି ମଧୁସୂଦନ !
ଦିନ ଗଣୁ ଗଣୁ ମାସ ଆସି ପୂର୍ଣ୍ଣ ହେଲା, କାହିଁ ସେ ତ ଆସିଲା ନାହିଁ ! ମନ, ତୁ କାହା ବଳରେ ବା କି ଭରସାରେ ଏଡ଼େ ଆଣ୍ଟରେ ବିଶ୍ୱାସ ବାନ୍ଧି ବସିଛୁ ? ତୁ କେତେ ଶ୍ଳେଷ, ଇଙ୍ଗିତରେ କଥା କହି ଜାଣୁ । ତୁ କହୁଛୁ ପରା–‘‘ଜନ୍ମାନ୍ତର ଯେତେବେଳେ ଅଛି, ତେତେବେଳେ ସେ ନିଶ୍ଚୟ ଆସିବ ।’’
ହେଉ, ଜନ୍ମାନ୍ତର ଯେବେ ଥାଏ, ତେବେ ସେ ଭିନ୍ନ ରୂପ ଧରି ଆସିପାରେ, ମାତ୍ର ଯେଉଁ ରୂପରେ ଯାଇଛି, ସେ ରୂପରେ ତ ଆସିବ ନାହିଁ ! ସେ କେବେ ଆସିବ, କେଉଁଠକି ଆସିବ, ମୁଁ ତାକୁ କାହିଁକି ଚିହ୍ନିବ, ସେ ମୋତେ କାହିଁକି ଚିହ୍ନିବ, ସେପରି ଆସିବାରେ ଲାଭ କଅଣ ? ସେ ଆସିବା ଆଉ ନ ଆସିବା ସମାନ । ଆଉ ଜନ୍ମାନ୍ତର ଅଛି କି ନାହିଁ, ତାହା ବା କିଏ ଜାଣେ ? ଥାଇ ବି ପାରେ, ନ ଥାଇ ବି ପାରେ । ଜନ୍ମାନ୍ତର ଅଛି ବୋଲି ବିଶ୍ୱାସଯୋଗ୍ୟ ପ୍ରମାଣ ବା କାହିଁ ? କେହି କେହି କହନ୍ତି–‘‘ଅନ୍ଧ ହେବା, ପଙ୍ଗୁ ହେବା–ଏ ସବୁ ପାପର ଫଳ । ଯେ ଜନ୍ମାନ୍ଧ ବା ଜନ୍ମପଙ୍ଗୁ, ସେ ତ ଜନ୍ମହେଲାକ୍ଷଣି ପାପ କରି ଅନ୍ଧ ତା ପଙ୍ଗୁ ହୁଏ ନାହିଁ ! ସେ ତାହା ପୂର୍ବଜନ୍ମ ପାପର ଫଳ ।’’ ଏହି କଥାରୁ କି ଜନ୍ମାନ୍ତର ସପ୍ରମାଣ ହେଲା ? ଏହା ଯୁକ୍ତିର କଥା ହୋଇପାରେ, ମାତ୍ର ମନ ମାନିବା ଭଳି ପ୍ରମାଣର କଥା ନୁହେଁ । ଶରୀର ଗଠନର ଅସମ୍ପୂର୍ଣ୍ଣତା ନାନା କାରଣରୁ ଘଟିପାରେ । ତାହା ଯେ କେବଳ ପାପର ଫଳ, ସ୍ୱତଃସିଦ୍ଧ କେଉଁ ଜ୍ୟାମିତିରେ ଅଛି ? ଗଛରେ ଯେତେ ଫଳ ଫଳେ, ସେଥିରୁ ସବୁ ପୂର୍ଣ୍ଣତାପ୍ରାପ୍ତ ହୁଏ ନାହିଁ–କେହି କୁଜା ହୁଏ–କେହି ଆବୁଆ ହୁଏ–କେହି ବା ପୋକା ହୁଏ । ତେବେ କୁଜା, ଆବୁଆ କିମ୍ବା ପୋକା ହେବା କଅଣ ସେହି ଫଳର ପୂର୍ବଜନ୍ମର ପାପ ? ନାନାବିଧ ପ୍ରାକୃତିକ କାରଣରୁ ସେପରି ଘଟିବା ଅସମ୍ଭବ ନୁହେଁ । ଆଉ ଜନ୍ମାନ୍ତର ନାହିଁ ବୋଲି ବା କିଏ ସାହସ କରି କହିପାରିବ ? ଭଗବାନଙ୍କ ଅନନ୍ତ ସୃଷ୍ଟି ବା ଅନନ୍ତ ରହସ୍ୟରେ କିଛିହିଁ, ଅସମ୍ଭବ ନୁହେଁ । ପୁଣି ପାପପୁଣ୍ୟର ମର୍ମ ବୁଝିବା ବି ତ ସହଜ ନୁହେଁ । ବନ୍ୟ ହସ୍ତୀଦ୍ୱାରା ତ ଅନେକ ସମୟରେ ଜୀବହତ୍ୟା ଘଟିଥାଏ, ତେବେ ସେଥିରେ କଅଣ ତାହାର ପାପ ହୁଏ ? ମନୁଷ୍ୟ ପରି ତାହାର ପାପପୁଣ୍ୟ ଜ୍ଞାନ ଅଛି କି ?
ପକ୍ଷାନ୍ତରରେ ହତ୍ୟାମାତ୍ରେ ତ ପାପ, ତେବେ ସେ ପାପ କାହାର ହୁଏ ? ଯାଉ ସେ କଥା, ‘‘ଖୋଳ ପର୍ବତ ମାର ମୂଷା’’ ରୁ କଅଣ ମିଳିବ ? ମୂଷା ମରିବା ଦୂରେ ଥାଉ, ସେ ମିଳିବ କି ନାହିଁ–ଖାଲି ପର୍ବତ ଖୋଳିବା ଏକା ସାର ହେବ ।
ଉଃ, ଏ ପୋଡ଼ା ମନକୁ ନେଇ ତ ସଂସାରରେ ଆଉ ଚଳିହେବ ନାହିଁ । ଭଗବାନ, ଏଟାକୁ ଭଲା ତୁମ୍ଭେ ନେଇଯାଅ, କେଉଁ ଶୂନ୍ୟ-ମହା ଶୂନ୍ୟରେ ଯେ ମିଳେଇଗଲାଣି–ଯାହାର ଚିହ୍ନବର୍ଣ୍ଣ ସୁଦ୍ଧା ନାହିଁ, ପାଗଳ ମନ କହୁଛି–ସେ ଆସିବ ! ମୁଁ ବି ତା କଥାରେ ଭୁଲିଯାଉଛି । କି ମନ୍ତ୍ରବଳରେ ସେ ମୋର ବିଶ୍ୱାସକୁ ହରିନେଉଛି କେଜାଣି ? ମୋର ଦୃଢ଼ ବିଶ୍ୱାସ ବି ପାଣି ହୋଇଯାଉଛି । ହାୟ, ଏ ପୋଡ଼ା ସଂସାରରେ କିଛି କଅଣ ସ୍ଥିର ନୁହେଁ ? ମନୁଷ୍ୟର ବିଶ୍ୱାସ ବି ଅସ୍ଥାୟୀ ହୁଏ ? ବେଳେ ବେଳେ କେଉଁ ଅପଦେବତା ଆସି ମୋ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ବସୁଛି । ତେତେବେଳେ ଆଉ ଅସ୍ୱଜ୍ଞାନ ରହୁ ନାହିଁ । ମା ଉମା, ତୁ ମୋତେ ପାଗଳ କରିଦେଉଛୁ । ଆଉ ଯନ୍ତ୍ରଣା ସହିପାରିବି ନାହିଁ । ଘୂଣଲଗା ରସିଆ ହାଡ଼ ଆଉ କେତେ ସହିବ ମା ! ତୋ ଛଡ଼ା ଆଉ କାହାରି ଉପରେ ଜୀବନ ନିର୍ଭର କରି ଚଳିହେବାର ତ ମୁଁ ଦେଖୁନାହିଁ ! ଏବେ ମୋତେ ନେଇ ଯା ମା ! ତୋତେ ଦେଖିଲାକ୍ଷଣି ମୁଁ ଶତ ଦୁଃଖ, ସହସ୍ର ପୀଡ଼ା, ଲକ୍ଷେ ଯନ୍ତ୍ରଣା ସବୁ ଭୁଲିଯାଉଥିଲି, ଏବେ ତୋ ସ୍ଥାନ ଅଧିକାର କରିବ କିଏ ? ଅନେକ ଖୋଜିଲାଣି–ଢେର ଭାବିଲିଣି, କେତେ ପରୀକ୍ଷା କଲିଣି; କିନ୍ତୁ ସେଭଳି ପତ୍ର ତ ଦେଖୁ ନାହିଁ ମା ! ତେଣୁ ସେ ଆଶା ଏ ଜନ୍ମ ସକାଶେ ଛାଡ଼ିଛି । ତୋ ପରି ଜୋରରେ ମନ ଭିତରେ ବ୍ୟାଜ ଆନନ୍ଦ ପୂରାଇଦେବ ଆଉ କିଏ ? ସେ ଆଲୌକିକ ଦୈବଶକ୍ତି କାହାରି ତ ଦେଖୁ ନାହିଁ ମା ! ତୁ ମୋ ହୃଦୟରେ ଯେଉଁ ଆସନ ଅଧିକାର କରିଥିଲୁ, ସେ ଆସନରେ ଆଉ କେହି ବସିବ ନାହିଁ ମା ! ଏ ଜନ୍ମରେ ସେ ସ୍ଥାନ ପୂର୍ଣ୍ଣ ହେବ ନାହିଁ, ପ୍ରାଣ ଥିବା ଯାଏଁ ତାହା ଖାଲି ରହିବ । ଶଶୀ ଛଡ଼ା ସାଗରକୁ ଉଛୁଳାଇବାର ଶକ୍ତି କୌଣସି ତାରାର ନାହିଁ ମା ! ହରି ହେ, ତୁମ୍ଭ ମନରେ ଏଇଆ ଥିଲା ?
ହାୟ ମା ଲୋ, ଟିକିଏ ସରବତ ପାଇଁ କେତେ ବ୍ୟାକୁଳ ହେଉଥିଲୁ ! ତୋର ରୋଗ ବୃଦ୍ଧି ଭୟରେ ମୁଁ ତାହା ଦେଇ ନାହିଁ । ତୁ ଚାଲିଯିବୁ ବୋଲି ଜାଣି ଥିଲେ ନିଶ୍ଚୟ ନୋଟାଏ ପିଇବାକୁ ଦେଇଥାନ୍ତି; ମାତ୍ର ନିଷ୍ଠୁର ଆଶା-ପିତାଶୁଣୀ ମୋତେ ଭୟ ଦେଖାଇଲା । ଏ ବର୍ଷ ଆମ୍ବ ପାଚିଲେ ଖାଇବୁ ବୋଲି କେତେ ଖୁସି ହେଉଥିଲୁ, ଏବେ ତାହାସବୁ ମୁଁ କାହକୁ ଦେବି ? ଅବୁଝା ମନ ତ ଥୟ ହେଉ ନାହିଁ । ସରବତ୍, ଆମ୍ବ ତୋ ଶ୍ମଶାନ ଭୁମିକୁ ପଠାଇଦେବା ପାଇଁ ସେ କହୁଛି । ହାୟ ଅବୋଧ ମନରେ, ଶ୍ମଶାନରେ ତୋର ଆମ୍ବ ସରବତ୍ କିଏ ଖାଇବ ? ତାହାର କ୍ଷୁଧା ତୃଷା ନିବାରଣ ପାଇଁ ତୋର ଏ ବ୍ୟବସ୍ଥା ? ପୃଥିବୀର ଜୀବ ପୃଥିବୀରେ ଥିବା ପର୍ଯ୍ୟନ୍ତ ଏହି ନିର୍ବୋଧପଣିଆ ଛାଡ଼ିପାରିବ ନାହିଁ । କ୍ଷୁଧା ତୃଷା ପାର୍ଥିବ, ସେ ପୃଥିବୀ ଛାଡ଼ି ତାହା ସଙ୍ଗରେ ଯିବ ନାହିଁ । ପୁଣି ସେ ଅମୃତ ରାଜ୍ୟରେ ଅଛି–ଅମୃତ ପାନ କଲେ ପାର୍ଥିବ କ୍ଷୁଧା ତୃଷା ଛୁଇଁ ପାରେ ନାହିଁ-। ତୋର ନବାତ ପଣା ତ ଅମୃତଠାରୁ ଉପାଦେୟ ନୁହେଁ–ତାହା ପିଇବା ପାଇଁ ସେ ଧାଇଁ ଆସିବ । ଆଉ ପୃଥିବୀର ଅପବିତ୍ର ପଦାର୍ଥ ସେ ଛୁଇଁବ ବା କାହିଁକି ? ମନ, ତୋର ଏ କଳ୍ପନା–ଏ ଧାରଣା ସବୁ ମିଛ; କିନ୍ତୁ ସେହି ମିଛ ଭିତରେ ସେ ଟିକିଏ ଶାନ୍ତି ଅଛି, ତାହା ମୁଁ ଅସ୍ୱୀକାର କରିବି ନାହିଁ । ସେ ନ ଥାଉ ପଛକେ–ଆସି ନ ଖାଉ ବା ନ ଛୁଇଁ ପଛକେ; ମାତ୍ର ତାହା ନାମରେ ଉତ୍ସର୍ଗ କରି କିଛି ଦେଇ ଆସିଲେ କାହିଁକି କେଜାଣି ମନରେ ଗୋଟାଏ ଅପୂର୍ବ ତୃପ୍ତି ଜାତ ହୁଏ । ସତେ ଯେପରି ସେ ଆସି ନେଲା–ଖାଇଲା, ଏହିପରି ଗୋଟାଏ କୃତ୍ରିମ ଧାରଣା ମନକୁ ପ୍ରବୋଧ ଦିଏ । ଏ ଧାରଣା ଯେ ମିଥ୍ୟା–ଏ କଥା ସତ; ମାତ୍ର ଝୁଟା ମୋତିରେ ବା ବେଙ୍ଗି ପିତ୍ତଳରେ ଯେବେ ଟିକିଏ କ୍ଷୀଣ ଜ୍ୟୋତି ଥାଏ, ତେବେ ତାହା କି ଉପଭାଗ୍ୟ ନୁହେଁ ? ଯହିଁରେ ହତାଶ ମନ କ୍ଷଣକ ପାଇଁ ପ୍ରଫୁଲ୍ଲ ହୁଏ, ତାହା ଅମୂଳକ ହେଲେ ସୁଦ୍ଧା କରଣୀୟ । ଆନନ୍ଦ ସମ୍ବାଦ ମିଥ୍ୟା ହେଲେ ସୁଦ୍ଧା କ୍ଷଣିକର ମୂଲ୍ୟ ଯେ ଅମୂଲ୍ୟ–ଏହା ବୋଲିବା ବାହୁଲ୍ୟ ।
ସତ କହୁଛି ମା, ସଂସାରରେ ଆଉ ମନ ଲାଗିବାକୁ ନାହିଁ । କେଉଁଠି କଅଣ ଛାଡ଼ି ଆସିଲା ପରି ମନ ଖାଲି ଉଚ୍ଚାଟ ହେଉଛି, ସଂସାରକୁ ଦେଖି ଡର ମାଡ଼ୁଛି । ତାହାର ବିଷବାଷ୍ପରେ ନିଃଶ୍ୱାସ ରୁଦ୍ଧ ହୋଇ ଆସୁଛି । ମୋର ଜୀବନ ସବୁବେଳେ ଗୁଳିଭରା ବନ୍ଧୁକ ମୁହଁରେ ରହିଛି । କେତେବେଳେ କୁଆଡ଼େ ଉଡ଼ିଯିବ, ତାହାର ଠିକଣା ନାହିଁ । ନିଜର ଦେହଟାକୁ ନିଜେ ଟେକିପାରୁ ନାହିଁ । ଟାଣି ଓଟାରି ତାକୁ ଚଳାଇବାକୁ ପଡ଼ୁଛି । ଗତର ନ ଚଳିଲେ ବଞ୍ଚି ରହିବା ବିଡ଼ମ୍ବନା ସିନା ! ସଂସାରରୁ ଯେ ଚାଲିଯାଏ ସେ ମୁକ୍ତ ହୋଇଯାଏ; ମାତ୍ର ଯେ ରହେ ସେ ପଚିବା ପାଇଁ ରହେ । କିନ୍ତୁ କଅଣ କରିବି ମା, ଜୀବନକୁ ତ ଫିଙ୍ଗିଦେଇ ହୁଏ ନାହିଁ । ଶଙ୍କରାଚାର୍ଯ୍ୟଙ୍କ ବୈରାଗ୍ୟ-ଗୀତିକା ଗାଇ ମାଣକ ପୂରିବା ଯାଏ ପଡ଼ିରହିବାକୁ ହେବ; ଏହା ଛଡ଼ା ଆଉ ଚାରା କଅଣ ଅଛି ? ବାସ୍ତବରେ ଏ ସଂସାର ଗୋଟାଏ ମଜାଦାର ଆଖଡ଼ା ଘର । ଏଠାରେ ସବୁ ଅଛି, ଖାଲି ନାହିଁ ଏକା ନାହିଁ । ଏହି ମନୁଷ୍ୟର ଜୀବନ ରକ୍ଷା ଓ ମନସୃଷ୍ଟି ସକାଶେ କେତେ ଉପାୟ କରାଯାଏ, ପୁଣି ଏହି ମନୁଷ୍ୟର ମୃତ୍ୟୁ–କାମନା ବି କରାଯାଏ । ଯେ ଗଳାର ହାର ଥାଏ, ସେ ଜୀବନର ଭାର ହୁଏ । ଯାହାର କଥା ହିତକର ଥାଏ, ତାହାର ପ୍ରତି କଥା, ପ୍ରତି ଶବ୍ଦ ଦୋଷମୟ ଓ ବିଷମୟ ହୋଇଉଠେ-। ଅର୍ଥରେ କିଛି ନାହିଁ । ଶକ୍ତି ଗଲେ ଅର୍ଥର ମହତ୍ତ୍ୱ ବି ଖର୍ବ ହୋଇଯାଏ । ସବୁ ଯାଏ, ତହିଁ ସଙ୍ଗରେ ସମ୍ଭ୍ରମଟିକକ ବି ନଷ୍ଟ ହୋଇଯାଏ । ଆଜ୍ଞା ଆପଣ ଯେଉଁଠି ଆସିଥିଲା, ସେଇଠିକି ଚାଲିଯାଏ । କେତେଗୁଡ଼ାଏ ଅପଶବ୍ଦ ଆସି ତାହା ସ୍ଥାନ ଅଧିକାର କରେ । ଏହିପରି ସଂସାର କେତେ ଯାତ୍ରା, କେତେ ସୁଆଙ୍ଗ, କେତେ କୌତୁକ, କେତେ ହାସ୍ୟ, କେତେ ଭେଳିକିରେ ପୂର୍ଣ୍ଣ । ଏଠାରେ ଅବସ୍ଥା ଅନୁସାରେ ସୁଖଦୁଃଖ ଭୋଗ କରାଯାଏ । ଯାହାର ପାଦ ଛୁଇଁ ନମସ୍କାର କରାଯାଉଥାଏ, ତାହାକୁ ପୁଣି ପଦାଘାତ କରାଯାଏ । ଏଠାରେ ସ୍ନେହ ନାହିଁ । ସ୍ୱାର୍ଥହିଁ ସ୍ନେହ ନାମ ଧରିଅଛି । ତୁ ସୌଭାଗ୍ୟବତୀ, ତାହାସବୁ ନ ଦେଖଇ ଚାଲିଗଲୁ । ସଂସାରରେ ଯେଉଁମାନେ ସମପ୍ରାଣ ପରିବାର ପାଇଛନ୍ତି, ସେମାନଙ୍କ ଜୀବନ ଧନ୍ୟ । ଶିକ୍ଷା ଓ ଆଦର୍ଶ ଉଭୟେ ମନୁଷ୍ୟ ଜାତିକୁ ମହତ୍ କରନ୍ତି । ଗୃହସ୍ଥାଶ୍ରମଠାରୁ ବାନପ୍ରସ୍ଥର ସ୍ଥାନ ଉଚ୍ଚ ହେବାର ଯଥେଷ୍ଟ କାରଣ ଅଛି । ସଂସାରର ଦୁଃଖଜଞ୍ଜାଳ ଭିତରକୁ ନ ଆସି ବାହାରେ ବାହାରେ ରହି ଈଶ୍ୱରଙ୍କ ରାଜ୍ୟର ଶୋଭା ଦେଖି ବୁଲିବା କି ଶ୍ରେୟସ୍କର ନୁହେଁ ? ପ୍ରତିବନ୍ଧକ ମନୁଷ୍ୟକୁ ମାଟି କରେ । ସେ ଯାହାର ନାହିଁ, ସେ ଭାଗ୍ୟଧର । ତାହାର ସ୍ୱାଧୀନ ଇଚ୍ଛା ଓ ଲକ୍ଷ୍ୟ ପ୍ରତିହିତ ହୁଏ ନାହିଁ । ତାହାର ସ୍ୱାଧୀନ ଚିନ୍ତା ସଙ୍କୁଚିତ ନ ହୋଇ ବିଶାଳ ଆକାର ଧାରଣ କରେ । କାହାର ମସ୍ତିଷ୍କ ଉଚ୍ଚ ଚିନ୍ତା ଓ ଉଚ୍ଚ ଧାରଣାର ଭାର ସହିପାରେ । ଚାରିଆଡ଼ୁ ସୁବିଧା ପାଇ ପ୍ରତିଭା ଫୁଲିଉଠେ । ହାୟ ! ସେ ଦିନ ଯାଇଛି, କେତେବେଳେ ସେ ବୁଦ୍ଧି ଆସେ ନାହିଁ । ସେହି ଅଜ୍ଞାନତାର ଫଳ ଆଣି କାଳ ଗୋଟି ଗୋଟି କରି ଦେଖାଇଦେଇ ମୃତ୍ୟୁ ପର୍ଯ୍ୟନ୍ତ କଠୋର ପରିହାସ କରେ । ଯେଉଁମାନେ ଭାଗ୍ୟବାନ୍, ସଂସାରରେ ତାଙ୍କ ପାଇଁ ମଡ଼ା କାନ୍ଦଣା କାନ୍ଦିବାକୁ ଲୋକ ଥାନ୍ତି; ମାତ୍ର ତାହା ସାଧାରଣ ଦୁର୍ଲଭ । ଅନେକ ଜନାରଣ୍ୟ ପରିବାରରେ ମୃତବ୍ୟକ୍ତି ପାଇଁ କେହି କାନ୍ଦିବାକୁ ଥାଏ ନାହିଁ । ସଂସାରରେ ତ ଏହିପରି ଦେଖି ଦେଖି ଆସିଲି ।
ମା ସେଥିପାଇଁ ଯିବାକୁ ମନ ଚଞ୍ଚଳ । ଆଚ୍ଛା ମନୁଷ୍ୟକୁ ତ ଭଗବାନ ଏ ପୃଥିବୀରୁ ନେଇଥାନ୍ତି, ତେବେ ଶକ୍ତିହୀନ କରି ମାରି ନିଅନ୍ତି କାହିଁକି ? ଆଖିକୁ ଦିଶିବ ନାହିଁ, କାନକୁ ଶୁଭିବ ନାହିଁ, ତୁଣ୍ଡକୁ ରୁଚିବ ନାହିଁ–ତେବେ ଯାଇ ପ୍ରଭୁଙ୍କର ଅନୁଗ୍ରହ ହେବ । ଏଟା ତାଙ୍କ ରାଜ୍ୟର ସାଧାରଣ ନିୟମ; ମାତ୍ର ଏ ନିୟମରେ ବ୍ୟତିକ୍ରମେ ବି ଯଥେଷ୍ଟ ଘଟେ । କେହି ଜରାରେ ଜୀବନ୍ମୃତ ହୋଇ ମରେ–କେହି ଯୌବନରେ ମରେ, କେହି ଶୈଶବରେ ମରେ, ପୁଣି କେହି ମାତୃଗର୍ଭରେ ମରେ । କର୍ମ ସାରିଲା ଉତ୍ତାରୁ ସମସ୍ତେ ଯିବେ ବୋଲି ତ ଶାସ୍ତ୍ର ପୁରାଣ କହେ । କେହି କହେ, ହାଟ ସଉଦା ସରିଲେ ଯିବାକୁ ହେବ; ମାତ୍ର ଏହା କେମନ୍ତ କଥା ? ଯେ ମାତୃଗର୍ଭରେ ମରେ, ତାହାର କର୍ମ ଅବା କାହିଁ ? ସଂସାରକୁ ତ ସେ ଦେଖେ ନାହିଁ, ତେବେ ହାଟକୁ ନ ଯାଇ ସଉଦା ସାରିଲା ବା କଅଣ–ଏଥିର ରହସ୍ୟ କିଏ କହିବ ? ମା, ତୁ ବର୍ତ୍ତମାନ ଭଗବାନଙ୍କ ଚରଣ ତଳେ ଅଛୁ । ତାଙ୍କୁ ପଚାରି ବୁଝିଥିବୁ, ମୁଁ ଗଲେ କହିବୁ । ଶୁକ୍ରବାର, ତୋହ ପ୍ରତି ବିଜାତୀୟ ଘୃଣା ହେଉଛି । ତୋତେ ସଶରୀରେ, ହାତ ପାଖରେ ପାଇଲେ କଶିକରି ତୋର କାନଯୋଡ଼ାକ ମୋଡ଼ିଦିଅନ୍ତି । କି ଅକୃତଜ୍ଞ ତୁ ? ତୁ ମୋର ଘାତ ବାର, ସୁତରାଂ ଅନାଦୃତ । ମୁଁ ତୋତେ ଆଦର କଲେ ଅଶୁଭ ହୋଇ ସୁଦ୍ଧା ଶୁଭ ହେବୁ–ଏହି ବିଶ୍ୱାସରେ ମୁଁ ଶୁଭକାର୍ଯ୍ୟମାତ୍ରେ ଶୁକ୍ରବାରରେ ଆରମ୍ଭ କରେ । ତୁ ମଧ୍ୟ ମୋର କାମନା ସଫଳ କରୁ । ଶତ୍ରୁକୁ ପ୍ରେମରେ ଆଲିଙ୍ଗନ କଲେ ସେ ଶତ୍ରୁତା ଭୁଲିଯାଇ ମିତ୍ର ଆଚରଣ କରେ । ଏହି ବିଶ୍ୱାସରେ ମୁଁ ଚୋର ହାତରେ କୁଞ୍ଚିକାଠି ଦେଇଥିଲି; ମାତ୍ର ଏତେ କାଳ ପରେ ବୁଝିଲି ଯେ; ମୋର ସେ ଧାରଣା ଭୁଲ । ସାପକୁ ଦୁଧ ମହୁ ପିଆଇଲେ ସେ ବିଷ ଉଦ୍ଗାର କରେ-। ଏତେ ଦିନେ ତୁ ନିଜ ହାତରେ ନିଜ ମୁହଁରେ କାଳି ବୋଳିହେଲୁ । ତୁ ବି ମୋ ଉପରେ ଦାଉ ସାଧିଲୁ । ହାୟ ! ମୋର ଯେ ଅମୂଲ୍ୟ ନିଧି ହରଣ କଲୁ, ତାହା ଆଉ କଅଣ କହିବି ? ବଞ୍ଚିଥିବାଯାଏ ତୋର ଅଖ୍ୟାତି ଗାଇବି ଏବଂ ତୋର ମସ୍ତକରେ ତପ୍ତ ଅଶ୍ରୁ ଢାଳୁଥିବ । ଏହାହିଁ ତୋର କ୍ରୁର କରଣୀର ଉପଯୁକ୍ତ ପ୍ରତିଦାନ । ଶୁକ୍ରମୁନି, ତୁମ୍ଭେ ପରା ଶୁକ୍ରବାରର କର୍ତ୍ତା, କି ଅଶୁଭ କ୍ଷଣରେ ତୁମ୍ଭେ ଜନ୍ମ ଲଭିଥିଲ କେଜାଣି ? ବାମନ ଦେବତା ତୁମ୍ଭ ଗୁଣ ଜାଣି ଗୋଟାଏ ଆଖି ଫୁଟାଇଦେଇଛନ୍ତି । ଏ ଯୁଗରେ ଆଉ କେହି ତୁମ୍ଭ ଆର ଆଖିଟା ଫୁଟାଇଦିଅନ୍ତା କି ! ବ୍ରାହ୍ମଣ ଖାଲି ତେଜସ୍ୱୀ ହୁଏ ନାହିଁ, ଶାନ୍ତି ତାହାର ଜନ୍ମଗତ ଧର୍ମ । ସେହି ଶାନ୍ତଭାବ ତାହାର ବ୍ରହ୍ମତେଜର ଭୂଷଣସ୍ୱରୂପ । ଯେ ବ୍ରାହ୍ମଣ ହୋଇ ପରକୁ ପୀଡ଼ା ଦିଏ, ତାହାର କେବେ ଭଲ ଗତି ହୁଏ ନାହିଁ; ତୁମ୍ଭେ ଯେତେ ଋଷି–ଯେତେ ପଣ୍ଡିତ–ଯେତେ ବଡ଼ଲୋକ ହୁଅ ପଛେ, ଦୂରନ୍ତ ଦାନବକୁଳର ଗୁରୁ ହୋଇ ଦୂରନ୍ତ ନ ହେବ କାହିଁକି ? ଶାସ୍ତ୍ର କହୁଛି ପରା, ସଂସର୍ଗଜା ଦୋଷଗୁଣାଃ ଭବନ୍ତି । ତୁମ୍ଭର ବ୍ରାହ୍ମଣପଣ ଭସ୍ମମିଶା କର୍ପୁର କିମ୍ବା ମଦମିଶା ମହୁ ପରି ଭୟଙ୍କର ସିନା । ତୁମ୍ଭେ ଅକ୍ଷମସର୍ବସ୍ୱ ଉଦ୍ଧତା ଦୁର୍ମୁଖା ଦୁହିତା ବାକ୍ୟରେ ସାମାନ୍ୟ ଦୋଷରେ ତୁମ୍ଭେ ଯଯାତି ପରି ଜାମାତାଙ୍କୁ କଠୋର ଶାପରେ ଦଣ୍ଡିତ କଲ ।
ଏଭଳି କ୍ରୋଧ ବାହ୍ମଣ ଓ ବ୍ରାହ୍ମଣତ୍ୱର କଳଙ୍କ ସିନା ! ଯାହାର ଦୟା ନାହିଁ, ସେ ବ୍ରାହ୍ମଣ ନୁହେଁ । ଆଉ ଅଧିକ କହିବାକୁ ପ୍ରବୃତ୍ତି ବଳୁ ନାହିଁ । ମାସେ ପୁରି ଆଠଦିନ ଅଧିକ ହେଲା ମା, ତୋର ଏ ଜରାଜୀର୍ଣ୍ଣ ରୁଗୁଣ ବାପ କଥା ଆଉ କି ତୋ ମନରେ ପଡ଼ିଲା ନାହିଁ ? ମୁଁ ଅନୁମାନ କରୁଛି, ତୁ ସୁଖଭୋଗ ଭୋଳରେ ମୋତେ ଭୁଲିଯାଇଛୁ । ଏଥିରୁ ଜାଣୁଛି, ତୁ ଭଲ ଅଛୁ, ଏଠା ଅପେକ୍ଷା ବହୁଗୁଣ ସୁଖରେ ଅଛି । ତାହା ହିଁ ତ ମୋର ଦଗ୍ଧ ପ୍ରାଣର ସର୍ବଶ୍ରେଷ୍ଠ କାମନା ଓ ସାନ୍ତ୍ୱନା ମା ! ଜଗତର ତୋର ସମବୟସ୍କ ପିଲାର ତ ଅଭାବ ନାହିଁ, ତେବେ ସମସ୍ତଙ୍କୁ ଛାଡ଼ି ବିଧାତା ତୋତେ ଏକା ନେଇଗଲେ କାହିଁକି ? ତୋ ଉପରେ ତାଙ୍କର ଅସୀମ ଦୟା ଥିବାରୁ ସିନା ! ଆଜି ତୋତେ ଆଉ ଗୋଟିଏ କଥା କହି ବିଦାୟ ନେବି ମା ! ତୋତେ ଯେତେ ଯେ ସାକୁଲା ସାକୁଲି କରୁ ପଛେ, ତୁ ଆଉ ପୃଥିବୀକୁ ଆସିବାକୁ ରାଜୀ ହେବୁ ନାହିଁ । ମୃତ୍ୟୁ ପୂର୍ବରୁ ତୋତେ କିଏ ପାକଲା ଆମ୍ବ ଯାଚି ଡାକୁଥିଲା ବୋଲି କହୁଥିଲୁ ପରା ମା ? ସେହିପରି କେହି କିଛି ଅପୂର୍ବ ପଦାର୍ଥ ଦେଖାଇଲେ ତୁ ଲୋଭରେ ପଡ଼ି ଏ ଅସ୍ଥାୟୀ ଦୁଃଖପୂର୍ଣ୍ଣ ସଂସାରକୁ କେବେ ଆସିବୁ ନାହିଁ । ମୁଁ ତୋତେ ଭଗବାନଙ୍କ ପାଦତଳେ ସମର୍ପଣ କରି ଦେଇଛି । ତୁ ତାଙ୍କର ମନ ନେଇ ସେବା କରୁଥିବୁ, ତାହାହେଲେ ସେ ଆଉ ତୋତେ କୁଆଡ଼େ ନ ପଠାଇ ସବୁବେଳେ ପାଖରେ ରଖିଥିବେ । ତୁ ସେହିଠାରେ ଅନନ୍ତ ଅଖଣ୍ଡ ସୁଖ ଭୋଗ କରି ଧନ୍ୟ ହେବୁ । ଏ ସଂସାର-ରୂପ ଜ୍ୱଳନ୍ତ ଅଗ୍ନିକୁଣ୍ଡ ମଧ୍ୟକୁ ଥରେ ଭୁଲ କରି ଆସିଥିଲୁ, ଆଉ ସେପରି ଭୁଲ କରିବୁ ନାହିଁ । ମୋର ଏ କଥାଟି ମନରେ ରଖିଥିବୁ ।
ମା ଉମା ! ତୋର ସ୍ମୃତି ତୋତେ ଆଉ ଭୁମଣ୍ଡଳରେ ରଖାଇଦେବ ନାହିଁ । ମା, ତୁ ତୋର ମୂର୍ତ୍ତିଟି ନେଇଗଲୁ, କିନ୍ତୁ କୋଟିଏ ସ୍ମୃତି ରଖିଗଲୁ । ଓଃ, କି ଭୀଷଣ ସର୍ପ ସେ ! ଏକାବେଳକେ ସହସ୍ର ମୁଖରେ ମର୍ମସ୍ଥଳରେ ତୀବ୍ର ଦଶନ କରୁଛି । ମୁଁ ସେହି ଜ୍ୱାଳାମୟୀ ସ୍ମୃତିକୁ କଅଣ କରିବି ? ସେ ତ କ୍ଷଣେ ମୋତେ ଛାଡ଼ିବାକୁ ନାହିଁ, ଛାଇ ପରି ସବୁବେଳେ ସଙ୍ଗରେ ଗୋଡ଼ାଇଛି । ସେ ମୋତେ କିଛି କରାଇଦେଉ ନାହିଁ । ମୁଁ ଟିକିଏ ଶାନ୍ତି ପାଇବ ବୋଲି ଈଶ୍ୱରଙ୍କ ନାମ ଜପି ବସିଲେ ସେ ଆସି ବାଧା ଦିଏ । ଖାଇ ବସିବାବେଳେ ଆସି ଚକ୍ଷୁ ଲୋତକପୂର୍ଣ୍ଣ କରିଦିଏ । କିଛି ଭାବିଲାବେଳେ ଧାଇଁ ଆସି ମୋର ଚିନ୍ତା ସୂତ୍ର ଶତଛିନ୍ନ କରିଦିଏ । ନିଦ୍ରାତାବସ୍ଥାରେ ଟିକିଏ ନିସ୍ତାର ପାଏଁ; ମାତ୍ର ନିଦ ଭାଙ୍ଗିଲାକ୍ଷଣି ସେ ଆସି ଉପସ୍ଥିତ । ଅନାଦର କରି ଠେଲିଦେଲେ, ମନଇଚ୍ଛା ଗାଳିଦେଲେ ତେବେ ବି ଆସୁଛି । ସେଟା ବଡ଼ ବେହିଆପଣ । ଲାଜମାଟିରେ ତା ଦେହ ଗଢ଼ା ହୋଇ ନାହିଁ । ତୁ ତ ଗଲୁ, ତୋର ସ୍ମୃତିକୁ ନେଇଗଲୁ ନାହିଁ କାହିଁକି-? ତୁ ତ ମୋର ହେଲୁ ନାହିଁ, ତୋର ସ୍ମୃତି କାହିଁକି ମୋର ହେବ ? ତୋ ବଦଳରେ ତୁ କଣ ରଖିଗଲୁ ଯେ, ମୁଁ ତାକୁ ଦେଖି ଥୟ ଧରି ରହିପାରିବି ? ଲୋକେ କହନ୍ତି, ସମୟ ଯେତେ ଅତୀତ ହୁଏ, ଆଘାତଜନିତ ବେଦନା ତେତିକି ମିଳେଇଆସେ, ଘା ବି ତେତିକି ଶୁଖି ଆସେ; କିନ୍ତୁ ନାହିଁ ମା, ତାହା ହେବା ଦୂରେ ଥାଉ, କ୍ଷତି ବିସପତ ହୋଇ ବରଂ ଅଧିକ ଗଭୀର ହେଉଛି । ଦୁଷ୍ଟ ଶୁକ୍ରବାରଟା ସବୁଠାରୁ ବେଶୀ ଯନ୍ତ୍ରଣା ଦିଏ । ବାର ଚକ୍ରରୁ ସେଟାକୁ କେହି ଉଠାଇଦେଲେ ମୁଁ କାହାର କିଣାକିଙ୍କର ହୋଇ ରହନ୍ତି ।
ଅଭାବ ସିନା ପଦାର୍ଥର ମୂଲ୍ୟ ବୁଝାଇଦିଏ । ତୋର ସେହି ଅଭାବର ମୂଲ୍ୟ ପ୍ରାଣେ ପ୍ରାଣେ ଅନୁଭବ କରୁଛି ମା ! ତୁ ସବୁତେଳେ ମୋ ପାଖରେ ଥିଲୁ; ବାଳ ବିହଙ୍ଗର କାଳକାକଳି ତୁଲ୍ୟ ତୋର ମଧୁର ବାଣୀରେ ମୁଗ୍ଧ ହୋଇ ସବୁ ବ୍ୟଥା ବେଦନା ଭୁଲି ଯାଉଥିଲି; କିନ୍ତୁ ହାୟ ! ବିଧାତା ମୋର ସେ ସୁଖଟିକ ବି ଛଡ଼ାଇନେଲା । ତୋ ଅଭାବରେ ଏବେ ଏକୁଟିଆ ବସି ଶୂନ୍ୟ ମନରେ ହାହାକାର କରୁଛି । ଆଉ କେହି ତୋ ପରି ଏ ଶୋକ ଦଗ୍ଧ ପିତା ପାଖକୁ ଆସୁ ନାହିଁ, ଆସୁଛି ଏକା ଲୋତକ । ସେହି ମୋର ବିପଦବନ୍ଧୁ ଓ ନିର୍ଜ୍ଜନ ସଙ୍ଗୀ । ତୋ ପରି ଏତେ ଦରଜ ଆଉ କାହାର ହେବ ଯେ, ସେ କତିରେ ବସି ମୃତ୍ୟୁପଥ-ଯାତ୍ରୀର ଚିର ବିନୋଦ କରିବ ? ମା, ତୁ ମୋ ଆଖି ଆଗରେ ଦୁଇଟି ଅକ୍ଷର ଲେଖି ରଖି ଯାଇଛୁ । ନିର୍ଜନତା ଯେତେବେଳେ ଅସହ୍ୟ ହୋଇଉଠେ, ତେତେବେଳେ ମୁଁ ସେହି ଅକ୍ଷର ଯୋଡ଼ିକ ସଙ୍ଗରେ କଥା କହି ହୃଦୟର ଗୁରୁଭାର କିଞ୍ଚିତ ଲଘୁ କରେ । ତୋତେ ପାଶୋରିଯିବା ପାଇଁ ତୁ ଅବା କହିବୁ; ମାତ୍ର ତାହା ହୋଇପାରେ କି ମା ? ଫୁଲ କି ସୁବାସକୁ ଭୁଲିପାରେ ? ସେ ଯେ ତାର ସମ୍ପଦ–ସେ ଯେ ତାର ଜୀବନ ମା ! ତୋ ଅଭାବରେ ଗୋଟିଏ ଦିନ ମୋତେ କୋଟିଏ ଯୁଗପରି ଲାଗୁଛି ମା ! ତୁ ଗଲୁ, ମୋତେ ରଖିଗଲୁ କାହିଁକି ? ସଙ୍ଗରେ ନେଲୁ ତ ନାହିଁ, ଏବେ ଭଲା ନେଇଯିବାକୁ ଉପାୟ କର । ଅବଧି ତୁ ମୋ ଲାଗି ଭଗବାନଙ୍କ ପାଖରେ କିଛି ଜଣାଇ ନାହୁଁ ? ତୁ ସରଳ ଶିଶୁ । ସରଳ ପ୍ରାଣରେ ମୋ ପାଇଁ ଜଣାଇଥିଲେ ଭଗବାନଙ୍କର କି ସାଧ୍ୟ ଅଛି ଯେ, ସେ ତୋହର ଗୁହାରି ନ ଶୁଣି ରହିପାରିବେ? ମୋର ଅବସ୍ଥା ତୁ କଅଣ ଦେଖୁ ନାହୁଁ ? ଯେତେବେଳେ ବ୍ୟଥା ବଳିପଡ଼ି ପାଚିଲା ବଥ ପରି ହୃଦୟ ଟଣ୍ଟଣ୍ହୁଏ, ତେତେବେଳେ ମୁଁ କିଛି ଉପାୟ ନ ପାଇ ତୋହରି କଥା ଲେଖିବସେ । ମୁଁ ଯେତେ ଲେଖୁଛି, ଲେଖିବାକୁ ତେତେ ମନ ବଳୁଛି । ଲେଖିବାଦ୍ୱାରା ମୁଁ ଘୋର ଦୁଃଖ ମଧ୍ୟରେ ଟିକିଏ ସୁଖ ପାଏଁ ବୋଲି ଲେଖେଁ; ହୃଦୟର ବଜ୍ରଭାର କିଞ୍ଚିତ ଉଶ୍ୱାସ ହୁଏ ବୋଲି ଲେଖେଁ । ନଚେତ୍ଏ ମୋର ସୌଖୀନ ଲେଖା ନୁହେଁ । ଏ ନିର୍ଜ୍ଜନ କାରାଗାରରୁ ମୋତେ ଶୀଘ୍ର ଉଦ୍ଧାର କର ମା ! ଏହା ଛଡ଼ା ମୁଁ ଆଉ ତୋତେ କିଛି କହୁ ନାହିଁ । ମୋର କଥା ମାନ୍ ମା ! ମା ଉମା, ଦୁଇ ମାସରୁ ବଳିଗଲା, ଆଉ କେବେ ତୁ ଆସିବୁ ? ହାୟ ଅବୋଧ ମନରେ, ତୁ କେତେବେଳେ କଅଣ କହିପକାଉ ? ତୋର ଥାନ ଜ୍ଞାନ ନ ଥାଏ । ଯେ ଗଲା, ସେ କି ଆଉ ଆସିବ ? କର୍ପୂର ଉଡ଼ିଯାଇ ବାୟୁରେ ମିଳେଇଗଲାଣି, ସେ କି ଆଉ ମୁଣ୍ଡା ବାନ୍ଧିବ ? ମା ଲୋ, ସେଠି ତୋର ଗୋସବାପ, ଗୋସମା, ବଡ଼ବାପ, ଅଜା, ଆଈମା, ମାଉସୀ–ସମସ୍ତେ ଅଛନ୍ତି ।
ସେମାନେ ତୋତେ ବୀଣାଯନ୍ତ୍ର ପରି ଭୂଇ ଛୁଆଁଇ ନ ଦେଇ କୋଳରେ ବଢ଼ାଉ ଥିବେ । ତୁ ସେମାନଙ୍କ ଆଦର ସ୍ନେହ ପାଇ ମୋତେ ଭୁଲିଯାଇଥିବୁ । ସେଠାରେ ତୋର ଦୁଇଟି ଭାଇ ତୋର ଜନ୍ମ ପୂର୍ବରୁ ଯାଇଛନ୍ତି । ତୁ ତାଙ୍କ ସଙ୍ଗରେ ଖେଳୁଥିବୁ । ତାଙ୍କୁ ଦେଖି ମୋତେ ଭୁଲିପାରିଥିବୁ; ମାତ୍ର ମୁଁ କାହାକୁ ଦେଖି ତୋତେ ଭୁଲିପାରିବି ? ତୋ ପରି ମୋର ଆଉ କିଏ ଅଛି-? ଭାଇଟିମାନେ ତୋତେ କେତେ ଶରଧା କରି ‘କୁ’ ଆଣି ଦେଉଥିବେ, ‘ଫୁ’ ଆଣିଦେଉଥିବେ-। ତୁ ଠାକୁର ପାଜାଁ (ଠାକୁର ପୂଜା ) କରୁଥିବୁ । ତୋର ସାଙ୍କେତିକ ଭାଷା ସେ ବୁଝନ୍ତି ତ ମା ? ‘କୁ’ ଅର୍ଥ ଜାତୀୟ ଫଳ ଓ କୋଳି । ‘‘ପୁ’’ ଅର୍ଥ ଫୁଲ । ଶିଶୁ-ସୁଲଭ ଏହି ଏକାକ୍ଷରୀ ଭାଷା ସେ ଶିଶୁ ଦୁଇଟି ଅବଶ୍ୟ ବୁଝି-ପାରୁଥିବେ । ଶିଶୁର ଭାଷା ଶିଶୁଏ ଭଲ ବୁଝନ୍ତି । ମୋର ଅନେକ ଅଛନ୍ତି ସତ୍ୟ; ମାତ୍ର ତୋ ପରି କେହି ଦିଶୁ ନାହିଁ; ତୋ ପରି କେହି ପ୍ରାଣରେ ଆନନ୍ଦ ଢାଳୁ ନାହିଁ କିମ୍ବା ଦଗ୍ଧ ଆତ୍ମାରେ ଶୀତଳ ଚନ୍ଦନ ଲେସିଦେଉ ନାହିଁ । ଆଉ ସେପରି ଭାଷା ବା କାହା ତୁଣ୍ଡରେ ଅଛି-? ସେଭଳି ଲାବଣ୍ୟ ବା କାହା ଦେହରୁ ଝୁରୁଛି ? ସେଭଳି ବାସନ୍ତୀ ପୁର୍ଣ୍ଣିମାର ଢଳ ଢଳ ଜ୍ୟୋତ୍ସା । ବା କାହା ମୁଖମଣ୍ଡଳକୁ ଆବୃତ କରିଅଛି ? ତୋର ଇନ୍ଦୀବର-ସୁନ୍ଦର ଚଞ୍ଚଳ କ୍ଷୁଦ୍ର ନେତ୍ରଯୋଡ଼ିକୁ ସବୁବେଳେ କେଜାଣି କି ମହାଭାବ ଆଚ୍ଛନ୍ନ କରି ରଖିଥାଏ । ସାଧାରଣତଃ ଶିଶୁ-ଜୀବନରେ ସେ ରୂପ ଭାବ-ପ୍ରବଣତା ଦୁର୍ଲଭ ପରିଲିକ୍ଷିତ ହୁଏ ।
ବିଲେଇ କରିଛି ଓଷା,
ଭୋଗ ଲାଗିବ ମୂଷା ।
ପାଠ ପଢ଼ାରେ ମନ ଦିଅ,
କହିବେ ସବୁ ସୁନାଝିଅ ।
ଏହି ଗୀତ ଦୁଇପଦ ତୁ ସବୁବେଳେ ଗୁଣୁ ଗୁଣୁ ସ୍ୱରରେ ଗାଉ । ଆହା ! ସେ ଶିଶୁ-ଗୀତର କୋମଳ ମଧୁର ସ୍ୱର ଆଗରେ ବାଦ୍ୟରାଣୀ ବୀଣାର ସ୍ୱର କି ଛାର ! ମା, ତୋର ପ୍ରିୟ କଣ୍ଢେଇଗୁଡ଼ିକ ମୁହଁ ଶୁଖାଇ ମୂର୍ଚ୍ଛିତା ହେଲା ପରି ଇତସ୍ତତଃ ହୋଇ ପଡ଼ିଛନ୍ତି । ସେଗୁଡ଼ିକର ଚେହେରା ଦେଖି ବୋଧହୁଏ ତୋର ଅଭାବ ତାଙ୍କୁ ବଡ଼ ବାଧିଛି; ମାତ୍ର ସେମାନେ ଲୁହ ଗଡ଼ାଇପାରୁ ନାହାନ୍ତି । ତାଙ୍କ ଦେହ କାଠପାଷାଣରେ ତିଆରି ହୋଇ ନ ଥିଲେ ତରଳି ଯାଇସାରନ୍ତେଣି । ତୋର କି ଶକ୍ତି ଥିଲା କେଜାଣି ମା, ଦେଖିଲାକ୍ଷଣି ଦର୍ଶକ ହୃଦୟରୁ ଅଲକ୍ଷ୍ୟରେ ସ୍ନେହ ଟାଣି ଆଣୁଥିଲୁ । ଯେ ତୋତେ ଦେଖୁଥିଲା, ସେ ତୋତେ ଗେଲ ନ କରି ବା ନ କାଖେଇ ରହିପାରୁ ନ ଥିଲା ।
ଆଜି ତୋଲାଗି କେତେ ଆଖି ଅଶ୍ରୁ-ପ୍ରବାହରେ ଭାସିଯାଉଛି, କେତେ ବକ୍ଷରେ ଶୋକର ଆଘାତ ଲାଗିଛି । କେତେ ପ୍ରାଣରୁ ହାହାକାର ଉଠୁଛି–ତାହା କି ତୁ ଜାଣିପାରୁଛି ମା ? ରାବଣର ଚିତା ପରି ତୋର ସ୍ମୃତି କ୍ଷଣେମାତ୍ର ନିଭିବାକୁ ନାହିଁ । ପାକଲା ବଥ ପରି ସେ ସ୍ମୃତି ଟଣଟଣ ହୋଇ ବିନ୍ଧି ହୃଦୟ ଫଟାଇ ଦେଉଛି । ବିସ୍ମୃତି ତାକୁ ଆଚ୍ଛନ୍ନ କରିବା ଦୂରେ ଥାଉ, ତାହା ପାଖ ପଶିବାକୁ ନାହିଁ । କି ମନ୍ତ୍ରବଳରେ ତୁ ମୋତେ ଭୁଲିଗଲୁ, ମୋତେ ସେ ମନ୍ତ୍ର କିଏ ଶିଖାଇ ଦେବ ? ଯେବେ କେହି ଶିଖାଇଦିଅନ୍ତା, ତେବେ ତାକୁ ମୁଁ ଦେବତା ପରି ଭକ୍ତ କରନ୍ତି । ତୋବେ ଏତେ ଗେହ୍ଲା କରିଥିଲି, ଏତେ ଶରଧା କରିଥିଲି–ତୁ ଟିକିଏ ମୁହଁକୁ ଚାହିଁଲୁ ନାହିଁ ? ବାସ୍ତବରେ ଏ ସଂସାରରେ କେହି କାହାରି ନୁହେଁ ମା ! ସଂସାର ଏଡ଼େ ନିର୍ମମ ବୋଲି ଜାଣିଥିଲେ ମୁଁ କଦାଚ ତାହାର ପାଖ ପଶିଥାନ୍ତି ନାହିଁ । ମୋ କଥା ଶୁଣି ହସୁଛି କି ମା? କହୁଛି କି ମୋ ମୋର ଚାରା କଅଣ ? ସବୁ ନିୟମର ଲୀଳା । ତାହା ହୋଇପାରେ ମା; କିନ୍ତୁ ଯେଉଁ ନିୟତି ଯାଚିଗୁଞ୍ଜି ହାତରେ ଦେଇ ପୁଣି ତାକୁ ଅପହରଣ କରେ, ତାକୁ ଦୟାବତୀ ଦେବୀ ବୋଲି କହିବାକୁ ଜିଭ ତ ଲେଉଟୁ ନାହିଁ ମା ! ନିୟତିର ଲୀଳା ହେଉ ବା ଖେଳା ହେଉ, ସେ ଲୀଳା ଖେଳା ଯେ ବିଷମୟ, ଏହା କହିବା ଦୋଷର କଥା ନୁହେ । ସୃଷ୍ଟ ଜୀବ ଉପରେ ଦୂରକୁ ଜୁହାର । ଅବଶ୍ୟ ଲୀଳାମୟୀଙ୍କର ଲୀଳାରେ ବ୍ୟାଘାତ ହେବ ନାହିଁ । ଜୀବ ଯେତେ କଷ୍ଟ ଭୁଞ୍ଜ ପଛେ ତାହାର ମୂଲ୍ୟ କିଛି ନାହିଁ । ଯେଉଁ ନିୟତିର ଏପରି ବୁଝାମଣା, ତାହା ରାଜ୍ୟରେ ଘର କରିବା ଶୁଭପଦ ନୁହେଁ । ମା ଲୋ, ତୋତେ ଘେନି ମୋର ଦୀନ ତୃଣ କୁଟୀରରେ ମୁଁ ରାଜ୍ୟଶୂନ୍ୟ ରାଜା ପରି କେଡ଼େ ସୁଖରେ, କେଡ଼େ ଆରାମରେ ଦିନ କାଟୁଥିଲି । ମୋର ଯେତେ ବିଭବ, ଯେତେ ଐଶ୍ଚର୍ଯ୍ୟ, କେଉଁ ରାଜ୍ୟଧର ରାଜାର ଭଲା ତେତେ ଅଛି ମା ! ସ୍ୱଚ୍ଛ ପୁତଜଳା ନଦୀଟିଏ ମୋର ଦୁର୍ଗ-ପରିଖାରୂପେ ବହୁଅଛି । ତହିପରେ ଦୁର୍ଭେଦ୍ୟ ବାଉଁଶ ପ୍ରାଚୀର ଆକାଶକୁ ଚୁମ୍ଭନ କରୁଅଛି । ଦୁର୍ଗ ଚାରିପାଖରେ ଆନନ୍ଦ ଉଦ୍ୟାନ । ମୋର ବୃକ୍ଷ-ପ୍ରଜାମାନେ ମୋତେ ଫଳଫୁଲ ରାଜକର ଦେଇ ସୁଖୀ କରନ୍ତି । ତୁ ସେହି ଉଦ୍ୟାନରେ ଫୁଲରାଣୀ ପରି କେତେ ଖେଳ ଖେଳୁଥିଲୁ- କେତେ ନାଚୁଥିଲୁ । ତୋର ସେହି ମଧୁର ନୃତ୍ୟ ଦେଖି ଗୋଟାଏ ଫୁଲ ହସି ହସି ଆଉ ଗୋଟିକ ଉପରେ ଢଳିପଡ଼ୁଥାଏ । ଗୋଟିକ କାନରେ ଆଉ ଗୋଟିଏ ତୁନି ତୁନି କେତେ କଥା କହୁଥାଏ । ସେହି ଉଦ୍ୟାନର ପକ୍ଷୀଗୁଡ଼ିକ ମୋର ବାଦ୍ୟକାର । ସକାଳେ ସେଗୁଡ଼ିକ ନହବତ ବାଦ୍ୟ ବଜାଇ ଆଉ କେହି କେହି ବିଭାଷ ରାଗରେ ପ୍ରଭାତୀ ସଙ୍ଗୀତ ଗାଇ ମୋର ନିଦ୍ରା ଭଙ୍ଗାଇଦିଅନ୍ତି ।
ଚନ୍ଦ୍ରସୂର୍ଯ୍ୟ ମୋ ଦୁର୍ଗରେ ଆଲୋକ ଦିଅନ୍ତି- ପବନ ମୋ ଦୁର୍ଗରେ ବୈଦ୍ୟୁତିକ ପଙ୍ଖା, ତାରାମୟ ଆକାଶ ବିବିଧ ରତ୍ନଜଡ଼ିତ ମରକତ ଚନ୍ଦ୍ରହାସ ଚନ୍ଦ୍ରାତପ ଆଉ ଉଚ୍ଚ ତାଳଗଛଟି ମୋ ଦୁର୍ଗରେ ଚାଳନିଶାଣ । ପ୍ରକୃତି-ରାଣୀ ତାଙ୍କ ଅନନ୍ତ ସମ୍ପଦ ମଧ୍ୟରେ ମୋତେ ରାଜା କରି ରଖିଛନ୍ତି ; ମୋର ପରିବାରବର୍ଗ ମୋର ପାତ୍ରମନ୍ତ୍ରୀ, ସଦସ୍ୟ ପାରିଷଦ ପ୍ରଭୃତି । ଜଣେ ଦରିଦ୍ର ରାଜାର ଏହାଠାରୁ ବଳି ଅଧିକ ଐଶ୍ଚର୍ଯ୍ୟ କଅଣ ହୋଇପାରେ ? ମୋର ଯାହା ଥିଲା ସବୁ ସେହିପରି ଅଛି; ମାତ୍ର ତୁ ଏକା ନାହୁଁ । ମୋର ସୁଖ ପୂର୍ଣ୍ଣତା ଲଭିଥିଲା, ଏବେ ତୋ ବିନା ତାହା ଖଣ୍ଡିତ ହେଲା । ପରଲୋକସମ୍ବନ୍ଧୀୟ ଗ୍ରନ୍ଥି ପଢ଼ି ବୁଝୁଅଛି ଯେ, ତୁ ମୋଠାରୁ ଦୂରରେ ନାହୁ । ତୋ ସଙ୍ଗରେ ଦେଖା ହେଉଛି, କଥାବାର୍ତ୍ତା ହେଉଛି; ମାତ୍ର ତାହା କିଛି ମନରେ ରହୁ ନାହିଁ । ପାର୍ଥିବ ମନ ସେହିପରି ଉପାଦାନରେ ଗଢ଼ା ହୋଇଅଛି । ଦେଖା ସାକ୍ଷାତ୍କଥାବାର୍ତ୍ତା ପୁଣି ଏ ଅସ୍ଥିମାଂସ ଦେହ ସଙ୍ଗରେ ହେଉ ନାହିଁ । ଆଖି ଡୋଳାର ପୁଅ ପରି ଗୋଟାଏ ଖୁବ୍ସୂକ୍ଷ୍ମ ଦେହ ମନୁଷ୍ୟ ଦେହ ଭିତରେ ଅଛି । ସେହି ସୂକ୍ଷ୍ମ ଦେହ ରାତିରେ ଶୟନାବସ୍ଥାରେ ବାହାରିଯାଇ ପରଲୋକଗତ ଆତ୍ମୀୟର ସୂକ୍ଷ୍ମ ଆତ୍ମା ସଙ୍ଗରେ ସାକ୍ଷାତ୍ସମ୍ଭାଷଣ କରେ । ପ୍ରିୟ ସମ୍ବାଦ ମିଷ୍ଟ ହେଲେ ସୁଦ୍ଧା ଏ କଥା ସତ କି ମା ? ସତ ନ ହେଲେ ବି ସେଥିରେ ଆନନ୍ଦ ଅଛି । ବଡ଼ ମଧୁର; ବଡ଼ ତୃପ୍ତିକର । ପୁଣି ପୁସ୍ତକର କଥା ବୋଲି ତାହା ଅବିଶ୍ୱାସ କରିବାକୁ ସାହସ ମଧ୍ୟ ଖଟେ ନାହିଁ । ଚିକ୍କଣ ଅଠାରେ କାଗଜ ଯୋଡ଼ିଲେ କାଗଜ ବରଂ ଚିରିଯିବା; ମାତ୍ର ଯୋଡ଼ ଫିଟିବ ନାହିଁ । ସଂସାରରେ ସ୍ନେହ ସେହିପରି ଗୋଟିଏ ଖୁବ୍ଚିଟଦାର ଅଠା । ସେ ଲାଗିଗଲେ ଏପରି କାମୁଡ଼ି ଧରେ ଯେ, ବହୁ ଚେଷ୍ଟାରେ ସୁଦ୍ଧା ଛାଡ଼େ ନାହିଁ । ସ୍ନେହର ବୃଦ୍ଧି ଅଛି; ମାତ୍ର କ୍ଷୟ ନାହିଁ । ସ୍ନେହର ପଦାର୍ଥ ହଜିଗଲେ ସୁଦ୍ଧା ତାହାର ସ୍ମୃତି ହଜିଯାଏ ନାହିଁ । ଯେଉଁ ସ୍ମୃତି ଉପରେ ଗୋଟାଏ ବହଳ ଆବରଣ ପଡ଼ିଯାଇଥିଲା, ଯାହା ମନରୁ ଅନ୍ତର ହୋଇ ଯାଇଥିଲା, ଅଶୀଦିନ ପରେ ଆଜି ପୁଣି ଫୁଟିଉଠିଲା । କେଉଁ ପରିହାସ-ପ୍ରିୟ ଅପଦେବତା ସ୍ମୃତି କାଉଁଳିଆ ଦିନର ଖରାପରି କ୍ଷଣକେ ଲୁଚିଯାଇ କ୍ଷଣକେ ଆସି ଦେଖା ଦେଉଥିବ-! ଆଜି କେତେ କଥା ମନାରେ ପଡ଼ୁଛି । ମା ଉମା, ତୋତେ ବଞ୍ଚାଇବା ପାଇଁ ତୋର ମୃତ୍ୟୁର ଦୁଇଦିନ ପର୍ବରୁ ମୁଁ ମଧୂସୁଦନ ମନ୍ତ୍ର ଜପ କରୁଥିଲି । ଠିକ୍ରୂପେ ଆସନରେ ବସି ଅଧିକ କ୍ଷଣ ଜପ କରିବାକୁ ମୁଁ ଅକ୍ଷମ ।
ଏ ଦୁର୍ବଳତା ଲାଗି ମୁଁ ଆଗରୁ ଦେବତାଙ୍କଠାରୁ କ୍ଷମା ଭିକ୍ଷା ମାଗି ନେଇଥିଲି । କେତେବେଳେ ଗୋଡ଼ ଲମ୍ବାଇ ବସି, କେବେ ଚକାମାଡ଼ି ବସି କେବେ ବା ଶୋଇ ମୋର ସୁବିଧା ଅନୁସାରେ ମୁଁ ଜପ କରେ । ସେ ଦିନ ମଧ୍ୟ ସେହିପରି କରୁଥିଲି । ଠିକ୍ ଦ୍ୱିପ୍ରହରରେ ସମୟ ଜପ କରୁଁ କରୁଁ ଆସି କେତେବେଳେ ଛାଇ ନିଦ୍ରା ଆକ୍ରମଣ କଲାଣି, ମୁଁ ତାହା ଜାଣେ ନାହିଁ । ସଂଜ୍ଞା ସମ୍ପୂର୍ଣ୍ଣ ଲୋପ ପାଇ ନାହିଁ । ଫୁଲ ସଞ୍ଜ ପରି ଝାପ୍ସା ଝାପସା ହୋଇ ଆସୁଥାଏ । ଜପ ବି ବିଶୃଙ୍ଖଳା ବା ବେସୁରା ହୋଇ ନାହିଁ । ଏହି ସମୟରେ କି ନିଦାରୁଣ ଶୂନ୍ୟ ବାଣୀ ଶୁଣିଲି । କେଉଁ ଦୁଷ୍ଟ ପିଶାଚ କେଉଁଠୁ ଏ ଦୁର୍ବାର୍ତ୍ତା ବହି ଆଣି କେଉଁଠି ରହି ମୋ କାନରେ ଅଗ୍ନିଧାରା ଢାଳିଦେଲା, କିଏ ଯେପରି ଗଭୀର ହତାଶମିଶା ଉଦାସ ଅତସ ସ୍ୱରରେ ଖୁବ୍ସୁସ୍ପଷ୍ଟ ଭାବରେ କହିଲା-‘‘ବୃ-ଥା-ଚେଷ୍ଟା ।’’ ହଠାତ୍ମୋର ତନ୍ଦ୍ରାର ଘୋର ଭାଙ୍ଗିଗଲା, ରୋମ ଟାଙ୍କୁରି ଉଠିଲା; ଚାହିଁଦେଇ ଦେଖିଲି କେହି କୁଆଡ଼େ ନାହିଁ । ଆଉ ସେ ବିଷୟରେ ମୁଁ ଆଲୋଚନା ନ କରି ତାହା ନିଜର ଶ୍ରୁତିଭ୍ରମ ବୋଲି ମନକୁ ବହିଲେଇଦେଲି ଏବଂ ଦୁଃସ୍ୱପ୍ନ ପରି ସେ ଅମଙ୍ଗଳ ଆକାଶ-ବାଣୀକୁ ଭୁଲିଯାଇଥିଲି; ମାତ୍ର ଆଜି ପୁଣି ସେ ସ୍ମୃତି କିଏ ଆଣିଦେଲା ? ଏ ନିର୍ଭୟ ରହସ୍ୟ କାହାର ? ରହସ୍ୟମୟୀ ପ୍ରକୃତି, ଏ ରହସ୍ୟ ତୋ ଛଡ଼ା ଆଉ କାହାରି ନୁହେଁ ମା ! ତୁହି ଲୁଚାଉ ପୁଣି ତୁହି ଆଣି ଦେଖାଉ- ତୁ ଭାଙ୍ଗୁ ପୁଣି ଗଢ଼ୁ । ଜନ୍ମ କରୁ, ପୁଣି ମାରୁ- ଏହି ବିରୋଧ ପ୍ରକୃତି ତୋର ଚିରକାଳ ଅଛି ମା ! ତୋ ଅନନ୍ତ ଗର୍ଭରେ ବିଷ ଅଛି ଅମୃତ ଅଛି, ରୋଗ ଅଛି, ପୁଣି ଔଷଧ ଅଛି, ଅଭାବ ଅଛି, ଆଉ ପୂର୍ଣ୍ଣତା ସୁଦ୍ଧା ଅଛି । ତୁ ଜନ୍ମ ଦେଉ, ପାଳନ କରି ବଢ଼ାଉ, ବିପଦ ବାଧାରୁ ରକ୍ଷା କରୁ, ପୁଣି ଶେଷରେ ତାହରି ଦେହରେ ମିଶାଇନେଉ । ତୁ ସବୁ- ଆଉ ସବୁ ତୁ । ତୋ ଛଡ଼ା ସ୍ୱତନ୍ତ୍ର ଦେବତା କେହି ନାହିଁ ମା ! ବ୍ରହ୍ମା, ହରି, ହର ତୋହର କଳ୍ପିତ ନାମ । ସୃଜନ, ପାଳନ, ଧ୍ୱଂସ ତୁମ୍ଭରି ଲୀଳା । ତୁମ୍ଭେ ଦୁର୍ଗ, ତୁମ୍ଭେ ଲକ୍ଷ୍ମୀ, ତୁମ୍ଭେ ସରସ୍ୱତୀ, ତୁମ୍ଭେ ସୁନ୍ଦରମୟୀ । ଏ ସ୍ପଷ୍ଟ ତୁମ୍ଭେ ରଚନା କରିଅଛି । ତୁମ୍ଭର ମାନସ-କନ୍ୟା କଳ୍ପନା ଏହି ସୃଷ୍ଟି-ବ୍ୟାପାରରେ ତୁମ୍ଭର ଏକମାତ୍ର ସାହାଯ୍ୟବାଣୀ ।
ତୁମ୍ଭେ ପ୍ରକୃତି, ତୁମେ ହିଁ ପୁରୁଷ-ତୁମ୍ଭେ ଇଚ୍ଛାମୟୀ । ଇଚ୍ଛାରେ ଜଗତ ସୃଷ୍ଟି କର–ତୁମ୍ଭର ସ୍ୱତନ୍ତ୍ର ପୁରୁଷ ସହଯୋଗ ଲୋଡ଼ା ନାହିଁ । ତୁମ୍ଭେ ସ୍ତ୍ରୀ, ତୁମ୍ଭେ ଏକା ପୁରୁଷ । ପୁଣି ତୁମେ ସ୍ତ୍ରୀ ନୁହେଁ କି ପୁରୁଷ ବି ନୁହଁ । ତୁମ୍ଭେ ତ ସମସ୍ତଙ୍କୁ ସୃଷ୍ଟି କରିଛ–ପୁରୁଷ ତ ତୁମ୍ଭର ସୃଷ୍ଟି, ସୁତରାଂ ସନ୍ତାନ । ତୁମ୍ଭର ପୁଣି ସ୍ୱାମୀ କିଏ ? ତୁମ୍ଭା ସ୍ୱାମୀ କେହି ନାହିଁ କି ହେବା ମଧ୍ୟ ଅସମ୍ଭବ । ତୁମ୍ଭେ ଏକା ତୁମ୍ଭର ସ୍ୱାମୀ । ତୁମ୍ଭ ଛଡ଼ା ଆଉ କେହି ତୁମ୍ଭର ସ୍ୱାମୀ ହୋଇପାରିବ ନାହିଁ । ତୁମ୍ଭେ ଅସୀମ ରହସ୍ୟମୟୀ, ତୁମ୍ଭର ଏ ମହାଗୁଢି ରହସ୍ୟ କିଏ ଭେଦିବି ମା ? ପୁଣି ତୁମ୍ଭେ ଅନନ୍ତ ଉପାଧିମୟୀ ତଥା ଅଶେଷ ହୃନ୍ଦରମୟୀ । ଚନ୍ଦ୍ର, ସୂର୍ଯ୍ୟ, ଇନ୍ଦ୍ର, ବାୟୁ ଓ ବରୁଣ ପ୍ରଭୃତି ତୁମ୍ଭର ବିଭିନ୍ନ ଉପାଧିମାତ୍ର । ତୁମ୍ଭର ହୁନ୍ଦର ବା କିଏ ବର୍ଣ୍ଣନା କରିପାରିବ ? ତୁମ୍ଭେ ନିତ୍ୟ ନୂତନ ଚିତ୍ର-ବର୍ଣ୍ଣାନାର ପଟାନ୍ତର ନାହିଁ । ଭାଷା ସେଠାରେ ମୂକତା ପ୍ରାପ୍ତ ହୁଏ । ତୁମ୍ଭେ ସଧବା ନହଁ, କି ବିଧବା ନୁହଁ- ତୁମ୍ଭେ ବିବାହିତା ନୁହଁ କିମ୍ବା ଅବିବାହିତା ନୁହଁ । ବିବାହ କରିଥିଲେ ତୁମ୍ଭେ ନିଜେ ନିଜକୁ ବିବାହ କରିଥିବ, ନଚେତ୍ ତୁମ୍ଭେ ଚିରକୁମାରୀ, ମୁଁ ଭୁଲରେ ତୁମ୍ଭଙ୍କୁ ଛାଡ଼ି ଅନ୍ୟ ଦେବତା ପୂଜିଛି । ତୁମ୍ଭ ଛଡ଼ା ଯେ ଦେବତା । ନାହିଁ–ଏ ଜ୍ଞାନ ମୋର ଥିଲା ନାହିଁ । ମୁଁ ତୁମ୍ଭର ସେହି ଉପାଧିକୁ ତୁମ୍ଭର ଶକ୍ତିବିଶେଷକୁ ପୂଜିଅଛି; ମୂଳ ଛାଡ଼ି ଡ଼ାଳକୁ ପୂଜିଛି । ଏବେ ମୋର ଭ୍ରାନ୍ତି ତୁଟିଛି । ଏବେ ମୂଳଗଛକୁ ପୁଜିବି । ମା ପ୍ରକୃତି-ଦେବୀ, ତୁମ୍ଭଙ୍କଉ ଆଉ କଅଣ ପ୍ରାର୍ଥନା କରିବି ? ମୋର ଇହ ପରକାଳର ଜୀବନ-ପଥ ଆଲୋକମୟ କର, ଆଉ ତୁମ୍ଭଙ୍କୁ ପ୍ରକୃତ ରୂପରେ ଅଭ୍ରାନ୍ତ ଚିହ୍ନିପାରିବାର ଶକ୍ତି ଓ ଶୁଭ କଅଣ ଅଛି, ମୁଁ ଜାଣେ ନାହିଁ । ମୋର ବିଶ୍ୱାସ ମୋର ଏହି ସ୍ୱଳ୍ପ ପ୍ରାର୍ଥନାରେ ଜୀବନର ସକଳ ଆକାଙ୍କ୍ଷା ସମସ୍ତ ବାଞ୍ଛିତ ସୁଖ ଏକାଧାରରେ ପୁଞ୍ଜୀଭୂତ ହୋଇ ରହିଛି । ମା, ତୁମ୍ଭେ ଅନନ୍ତ-ତୁମ୍ଭର ମହିମା ଅନନ୍ତ-ଶକ୍ତି ଅନନ୍ତ-ଦୟାଅନନ୍ତ-କ୍ଷମା ଅନନ୍ତ- ଅଳ୍ପ କଥାରେ ତୁମ୍ଭର ସବୁ ଅନନ୍ତ ।
ତୁମ୍ଭର ସେହି ଅନନ୍ତତ୍ୱ ମୋର ଚାରିପାଖରେ ଘେରି ରହିଛି । ଏତେ ଅନନ୍ତ ମଧ୍ୟରେ ମୁଁ ଅତି ଶାନ୍ତ । ଅତି କ୍ଷୁଦ୍ର ମାନବର ଅସ୍ତିତ୍ୱ । କେଉଁ ଅନଳ ଗଭୀରରେ ବୁଡ଼ିଯାଏ, ମୁଁ ଅଛି ବା ମୁଁ ଭାବୁଛି, ଏ ଜ୍ଞାନ ରହେ ନାହିଁ । ଏଥିରେ ତୁମ୍ଭଙ୍କୁ ଧାରଣା କରିବି କଅଣ ? ଆଉ ମାଗିବି ବା କଅଣ-? ଖାଲି ଏତିକି କହୁଛି ମା–ମୋ ଦେହରୁ ସ୍ଥୂଳ ଇନ୍ଦ୍ରିୟ କାଢ଼ିନିଅ । ମୋତେ ଦିବ୍ୟ ଚକ୍ଷୁ ଦିଅ-। ମୁଁ ତୁମ୍ଭଙ୍କୁ ନିଜ ମଧ୍ୟରେ ଏବଂ ବାହାରେ ସବୁଠାରେ ଦେଖେଁ । ଦିବ୍ୟ କର୍ଣ୍ଣ ଦିଅ, ତୁମ୍ଭର ଅବ୍ୟକ୍ତ ମହାବାଣୀ ଶୁଣେ, ଦିବ୍ୟ ଜିହ୍ୱା ଦିଅ, ତୁମର ମହିମା କୀର୍ତ୍ତନ କରେଁ ଏବଂ ପ୍ରେମାମୃତ ଆସ୍ୱାଦନ କରେଁ । ଦିବ୍ୟ ନାସିକା ଦିଅ, ତୁମ୍ଭର ପଦ-ପଙ୍କଜ ଓ ଗୁଣର ସୁଗନ୍ଧ ଆଘ୍ରାଣ କରେ । ଦିବ୍ୟ ଶରୀର ଦିଅ, ତୁମ୍ଭର ପାବନ ସ୍ପର୍ଶ-ଅମୃତ ସ୍ପର୍ଶ ଅନୁଭବ କରେଁ । ଦିବ୍ୟ ଭାଷ ଦିଅ, ତୁମ୍ଭର ଦିବ୍ୟସ୍ତବ ରଚନା କରେଁ । ସର୍ବୋପରି ଦିବ୍ୟ ଜ୍ଞାନ ଦିଅ, ତୁମ୍ଭର ଅଭୟ ପାଦରେ ବିକିହୁଏଁ–ଏହାହିଁ ମୋର ମୂଢ଼ ପ୍ରାର୍ଥନା ମା !
ମୋତେ ଅନ୍ଧାରରୁ ଆଲୁଅକୁ ନେଇଯାଅ, ମିଥ୍ୟାକୁ ସତ୍ୟ ଆଡ଼କୁ ଘେନିଯାଅ । ଆପଦରୁ ଉତ୍ସବ ଆଡ଼କୁ ନେଇଯାଅ–ଅସୁନ୍ଦରରୁ ସୁନ୍ଦର ଆଡ଼କୁ ନେଇଯାଅ । ମାଟି ରାଜ୍ୟକୁ ସ୍ୱର୍ଣ୍ଣଭୂମିକୁ ନେଇଯାଅ । ପଙ୍କିଳ, ପଲ୍ୱଳରୁ ନେଇ ପବିତ୍ର ମାନ-ସରୋବରରେ ରଖ । ମା, ଜନନୀ-ଦେବୀ ପ୍ରକୃତ-ରାଣୀ, ମୋତେ ତୁମ୍ଭ ମନ୍ଦିରର ମାର୍ଜନୀକର ପଦ ପୋଛା ଗାମୁଛା, କର ପୟର ଘଷା ପଥର କର ଅଥବା ଖଟଣୀ ଚାମର କର । ପାଦଲାଖୀ ଫୁଲ କିମ୍ବା ପୁଜାର ଦୁବଘାସ ହୋଇ ପାରିଲେ ମୁଁ ଆଉ କିଛି ଖୋଜନ୍ତି ନାହିଁ, ନତୁବା ମୋତେ ଧୂପ କର–ନିଜେ ପୋଡ଼ିହୋଇ ତୁମ୍ଭଙ୍କୁ ଆମୋଦର ତୃପ୍ତି କରିବି । ମୁଁ ଯେବେ ଚନ୍ଦନ ହୋଇପାରନ୍ତି, ତେବେ ତୁମ୍ଭ ଦେହରେ ଲାଗି ଲାଗି ଶେଷରେ ମିଳାଇଯାଇ ଧନ୍ୟ ହୁଅନ୍ତି । ମା, ମୋତେ ତୁମ୍ଭ ରୋଷଘରର ଚୁଲ୍ଲୀ କିମ୍ବା ମଣୋହି ରନ୍ଧା ହାଣ୍ଡି କର । ମୁଁ ନିତି ଅଗ୍ନିରେ ସ୍ନାନ କରି ଆତ୍ମା ଶୁଦ୍ଧି କରିବ । ମୁକ୍ତି ମୋର ଲୋଡ଼ା ନାହିଁ ମା, ସେବା ଏକା ଲୋଡ଼ା । ମୁକ୍ତିସ୍ଥିର ନିଶ୍ଚଳ, ସେବା ତରଙ୍ଗସଂକୁଳ । ସ୍ଥାଣୁତ୍ୱରେ ସୁଖ ନାହିଁ, ସ୍ପନ୍ଦନରେ ଏକା ସୁଖ । ତୁମ୍ଭର ଯୋଗ୍ୟ ସେବକ ନ ହୁଏ ପଛେ, ଅଧମ ସେବକ ହୋଇ ରହିବ । ସତେ ଏ ସୌଭାଗ୍ୟ ମୋର ଉଦିତ ହେବ ମା ? ତୁମ୍ଭ ଜଗତର ସେବା କରିବା ଭଳି ଶକ୍ତି ଦିଅ-ସାହସ ଦିଅ-ନୈପୁଣ୍ୟ ଦିଅ ଓ ଐକାନ୍ତିକ ନିଷ୍ଠା ଦିଅ । ତୁମ୍ଭ ସିଂହାସନର ଖଣ୍ଡେ ଇଟା ଦେଇ ପାରିଲେ ମୋର ଅଲୋଡ଼ା ଜୀବନ ଓ ବିଫଳ ଜନ୍ମ ଧନ୍ୟବାନ୍ ହୁଅନ୍ତା ।
ମନରେ, ସ୍ଥିର ହୋଇ ରହ, ବିଶ୍ୱାସ ଦୃଢ଼ ହେଲେ ସବୁ ହେବ, ନଚେତ୍ ଏ କଳ୍ପନା ଖାଲି କଳ୍ପନାହିଁ ହୋଇପାରିବ; କିନ୍ତୁ ବିଶ୍ୱାସ ଦୃଢ଼ ହେଉଛି କାହିଁ ? ଟିକିଏ ଦୃଢ଼ ହୋଇଆସିଲା ବେଳକୁ କିଏ ତାକୁ ହଲାଇ ହୁଗୁଳାଇଦେଉଛି । କାଳେ ମୋର ବିଶ୍ୱାସଟା ଚେର ଭିଡ଼ିଯାଇ ଶକ୍ତ ହୋଇଯିବ, ତେବେ ତ ସବୁ ସରିଗଲା ! ଆଉ ଯନ୍ତ୍ରଣା ଭୋଗିବ କିଏ ? ହରି ହେ ! ଏ ଗୋଟାଏ ପୁଣି ତୁମ୍ଭର କି କୌତୁକ ? ମୋହର ଯାହା ଲୋଡ଼ା, ତାହା ତୁମ୍ଭେ ମୋ ପାଖରେ ରଖିଛି । ମୁଁ ତାକୁ ଦେଖି ନ ପାରି ତୁମ୍ଭଙ୍କୁ ଅବିଶ୍ୱାସ କରୁଛି । କିନ୍ତୁ ତୁମ୍ଭେ ତାହା ଉପଯୁକ୍ତ ସମୟରେ ଆଣି ବେଳେ ବେଳେ ହାତରେ ଗୁଞ୍ଜିଦେଉଛ । ତେତେବେଳେ ମୁଁ ଲଜ୍ଜିତ ହେଉଛି । ଯାହା ଦେଇ, ତାହା ଦଣ୍ଡକ ବା ଦିନକ ଆଗରୁ ମୋର ବିଶ୍ୱାସ ଚଳନ୍ତା କାହିଁକି ? ଆଗେ ଅବିଶ୍ୱାସ ଆଣି ଦେଇ ସାରି ପଛକୁ ବାଞ୍ଛିତ ଆଣିଦେବା ହଟ ଲଗାଇଲା ପରି ନୁହେଁ କି ?
ଏରୂପ ଲୁଚକାଳି ଖେଳ କି କୌତୁକ ଉପଭୋଗ କର କୌତୁକମୟ ? ଆଉ ଲଜ୍ଜା ଦିଅ ନାହିଁ ପ୍ରଭୁ ! ବିଷମ ଲଜ୍ଜାରେ କଲିଜା ଫାଟିଯାଉଛି-ଆଉ ମୁଣ୍ଡଟେକି ପାରୁ ନାହିଁ, ଆଉ ସହିପାରିବି ନାହିଁ–ରକ୍ଷା କର ହରି ! ଦୁର୍ବଳ ହୃଦୟରେ ବଳ ଦିଅ–ଢଳ ଢଳ ବିଶ୍ୱାସ ଦୃଢ଼ କରିଦିଅ, ସବୁ ଛଡ଼ାଇନେଇ ସାରିଲେଣି, ତେବେ ବି ତ ମୁଁ ବଞ୍ଚି ରହିଛି । ଏହା ଉପରେ ଆଉ କି ପରୀକ୍ଷା କରିବି-? ଏହିଠାରେ ପରୀକ୍ଷା ଶେଷ ହେଉ । ତୁମ୍ଭେ ଏକା ସିନା ମୋତେ ଅକୃତଜ୍ଞ କରୁଛ, ଅବିଶ୍ୱାସୀ କରୁଛି, ପୁଣି ମୋହରି ପାଖରେ ମୋତେ ହଟହଟା କରୁଚ । ଯାହାର ଜୀବନର ଅବଲମ୍ବନ କାଢ଼ି ନେଇ, ତାକୁ ରଖି ଆଉ ଫଳ କଅଣ ? ଖାଲି ହଟ ସାଧିବା, ନାଟ ଦେଖିବା ଛଡ଼ା ଆଉ ତୁମ୍ଭର କି ଉଦ୍ଦେଶ୍ୟ ଅଛି କିଏ ଜାଣେ ? ଆଚ୍ଛା, ତୁମ୍ଭଙ୍କୁ ଏହିପରି କିଏ କରିଥିଲେ ତୁମ୍ଭର ପ୍ରାଣ କଅଣ ହୁଅନ୍ତା-? ମୋର କଅଣ ଏତେ ଅପରାଧ ସଞ୍ଚିତ ଅଛି ଯେ, ସାରା ଜୀବନଟା ତାହାର ପ୍ରାୟଶ୍ଚିତ୍ତ ପୂର୍ଣ୍ଣ ହେଉ ନାହିଁ ? ବୃକ୍ଷର ମଲାଙ୍ଗ ପରି ମୁଁ ତୁମ୍ଭ ସଂସାରରୁ ରସ ଶୋଷଣ କରୁଛି; ମାତ୍ର ତାକୁ କିଛି ଦେଲାପରି ନାହିଁ । ମଲାଙ୍ଗ ଗଛରୁ ରସ ନେଇ ବଞ୍ଚେ; ମାତ୍ର ଯାହା ଲାଗି ବଞ୍ଚେ, ତାହାର କିଛି ଉପକାର ନ କରି ବରଂ ତାକୁ ଦୁର୍ବଳ କରିଦିଏ । ମୁଁ ଖାଲି ସେହିପରି କରିଛି, କ୍ଷମାକାର କ୍ଷମାସାଗର ।
ମା ଉମା, ଆଜି ସେହି କାଳ ଶୁକ୍ରବାର । ତୁ ଆଜିକି ୧୨୦ ଦିନ ହେଲା ଗଲୁ, ତାହା ବେତିକି ମୂହୂର୍ତ୍ତ ପରି ସୁଦ୍ଧା ଲାଗୁ ନାହିଁ । ତୋର ହସିବା ମୂର୍ତ୍ତପରି ରୁଷିତା ମୂର୍ତ୍ତିଟା ସୁଦ୍ଧା କି ସୁନ୍ଦର ! ସେ କପଟ ଭାଷରୁ ମମତା, ଅଭିମାନ ଫୁଟିଉଠୁଥାଏ । ସେ ଅଭିମାନ କି ମଧୁର ! ଚୋରା ହାସ୍ୟରେ ମୁଖଶ୍ରୀ ସମ୍ମୁଜ୍ଜଳ ଦିଶେ, ଏହା କି ପାଶୋରିବାର କଥା ? ଥାଉ ସେସବୁ ତୁ ଏବେ ସ୍ୱର୍ଗରୁ ତପସ୍ୱିନୀ, ଆଉ ତୋତେ ସ୍ନେହରେ ବନ୍ଧି ରଖି ତୋର ତପୋଭଙ୍ଗ କରିବି ନାହିଁ । ପୁନର୍ବାର କହୁଛି–ତୁ ରାଜରାଜେଶ୍ୱରୀ ମୂର୍ତ୍ତରେ ଭଗବାନଙ୍କ ସେବାରେ ନିଯୁକ୍ତ ରହି ଧନ୍ୟ ହୋ ମା !
ରେ ବର୍ବର ସ୍ନେହ, ତୁ ମନୁଷ୍ୟର ପୋଷ୍ୟପୁତ୍ର । ପୋଷାପୁଅ ସମ୍ପତ୍ତି ଉଜାଡ଼ି ଦିଏ ପୁଣି ଯନ୍ତ୍ରଣା ଦିଏ । ତାକୁ ପୋଷି ରଖିବାର ଫଳ ଏତିକି । ତୁ ସୁଦ୍ଧା ସେହିପରି ରେ ସ୍ନେହ, କୋଟରସ୍ଥ ଅଗ୍ନି ପରି ଯେ ତୋତେ ପୋଷି ରଖେ, ତୁ ତାକୁ ପୋଡ଼ି ଜାଳି ଭସ୍ମ କରିଦେଉ । ମୁଁ ତୋ ଗୋଡ଼ ତଳେ ପଡ଼ି ହାତ ଯୋଡ଼ି ବିନୟ ହୋଇ ପ୍ରାର୍ଥନା କରୁଛି–ଏ ଜନ୍ମରେ ତୁ ଆଉ ମୋ ପାଖ ପଶିବୁ ନାହିଁ ।
ତ୍ରାହି ମଧୁସୂଦନ !