ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ · ଭାଗ ୨ / ୬ · ଭାଗ ୨
ସମ୍ପୂର୍ଣ୍ଣ ସୂଚୀପତ୍ର
୧୦୪ର୍ଥ ପଦ :- ବାଳି ରାମଚନ୍ଦ୍ରଙ୍କୁ, ତୁମ୍ଭେ ‘କିଏ’ ବୋଲି ବିଚାରିବାରୁ ସେ କହିଲେ, ‘‘ଆମ୍ଭେ ରଘୁବଂଶରେ ଜନ୍ମଗ୍ରହଣ କରିଅଛୁ ।’’
୧୦୫ମ ଓ ୧୦୬ଷ୍ଠ ପଦ :- ‘‘ଦୁଷ୍ଟମାନେ ପୃଥିବୀର ‘ଭାର’ ଭାରତୁଲ୍ୟ ଦୁଃଖଦାୟକ ହେଲେ । ଅର୍ଥାତ୍ ସେମାନଙ୍କଦ୍ୱାରା ପୃଥ୍ୱୀ ଦୁଃଖିତା ହେଲେ । ଏହି କଥାକୁ ମନରେ ଗୁରୁତର ବୋଲି ସ୍ଥିର କରି; ଏହି ପୃଥିବୀରେ ‘ବସୁ’ ବାସ କରୁଅଛୁଁ ଅର୍ଥାତ୍ ଅବତୀର୍ଣ୍ଣ ହୋଇଅଛୁ ଏବଂ ବନରେ ବୁଲି ବିରାଧ; କବନ୍ଧ ଓ ସୈନ୍ୟମାନଙ୍କ ସହ ଖର ନାମକ ରାକ୍ଷସକୁ ବଧ କରିଅଛୁ ।’’
୧୦୭ମ ପଦ :- ବାତାୟୁ-ହରିଣ । ନାରାଚ-ପର ।
୧୦୭ମ ଓ ୧୦୮ମ ପଦ :- ‘ମାରୀଚ ମୃଗରୂପ ଧାରଣ କରି ଆମ୍ଭର କୁଟୀର ନିକଟକୁ ଆସିବାକୁ ମୁଁ ତାହା ଗୋଡ଼ାଇ ଶର ମାରିଲି । ସେ ଆଘାତ ପ୍ରାପ୍ତ ହୋଇ ପ୍ରାଣତ୍ୟାଗ କରିବା ସମୟରେ ‘ହେ ଲକ୍ଷ୍ମଣ’ ! ମୋତେ ରକ୍ଷା କର; ଏହି କଥା ପ୍ରକାଶ କରିବାରୁ ଭାଇ ଲକ୍ଷ୍ମଣ ସଙ୍ଗେ ସଙ୍ଗେ ମୋ ନିକଟକୁ ଗଲେ ।’’
୧୦୯ମ ପଦ :- ବୈଶ୍ରବଣ-ରାବଣ ।
୧୦୯ମ ପଦ :- ମୋର ସ୍ତ୍ରୀ ସ୍ନେହବଶରୁ ମୋ ସଙ୍ଗରେ ବନକୁ ଆସିଥିଲା । ଏହି ସମୟରେ ଏକା ଦେଖି ବିଶ୍ରବାପୁତ୍ର ରାବଣ ତାକୁ ହରଣ କରି ନେଇଗଲା ।’’
୧୧୦ଶ ପଦ :- ବନିତା-ସ୍ତ୍ରୀ । ଦୀନ-ଦୁଃଖୀ । ଦିନବନ୍ଧୁ କୁମର-ସୂର୍ଯ୍ୟ ତନୟ, ସୁଗ୍ରୀବ ।
୧୧୦ଶ ଓ ୧୧୧ଶ ପଦ :- ‘‘ଆମ୍ଭେ ପ୍ରିୟାକୁ ଖୋଜୁଁ ଖୋଜୁଁ ଋଷ୍ୟମୂକ ପର୍ବତରେ ପହଞ୍ଚିଲୁ । ସେଠାରେ ସୂର୍ଯ୍ୟ ପୁତ୍ର ସୁଗ୍ରୀବଙ୍କୁ ଅତି ଦୁଃଖରେ ବାସ କରୁଥିବାର ଦେଖିଲୁ । ଆମ୍ଭେ ଦୟା ପ୍ରକାଶ କରି ତାହାଙ୍କ ସହ ମିତ୍ର ହେଲୁ ଓ ତୁମ୍ଭଙ୍କୁ ତାଙ୍କର ଶତ୍ରୁ ବୋଲି ଜାଣି ବିନାଶ କଲୁଁ ।’’
ବାଳି ବୋଇଲା ତୁ ଦାଶରଥି କି ।ବୃଦ୍ଧ ବାନରେ ନାଶିଲୁ ଏଥିକି।୧୧୨ ।ବପ୍ତା ଜିଣି ଯାହାର ଗ୍ରହ ଖଞ୍ଜ ।ବିସ୍ତାରିଛି ଜୀରତିକି ସହଜ।୧୧୩ ।ବିମର୍ଦ୍ଦନ କ୍ଷତ୍ରିୟ ଭୁଗୁ ବର ।ବାଦେ କ୍ଷମ ନୋହିଲା ତ ତାହାର।୧୧୪ ।ବିଂଶବାହୁ ତୋର ଦାରା ବଇରୀ ।ବାଦ ତା ସଙ୍ଗରେ ଆଗ ନ କରି।୧୧୫ ।ବୃକ୍ଷଦଂଶ ରୂପରେ ଗୁପ୍ତେ ରହି ।ବାଣେ ବିନ୍ଧିଲୁ ଦେହେ ରହେ ସେହି।୧୧୬ ।ବଡ଼ାଇକି ରକ୍ଷଣେ ଆପଣାର ।ବୋଲି ଦେଲେ ରାମଚନ୍ଦ୍ର ଏ ଗିର।୧୧୭ ।ବଳ କୋଟି ସିଂହର କି ବାନରେ ।ବହେ ବସେ ରାଜନ ପଦବୀରେ।୧୧୮ ।ବହେ ସିନ୍ଧୁରେ କି ନିତି ତର୍ପଣ ।ବାମା ଅନୁଜ ଭ୍ରାତାର ହରଣ।୧୧୯ ।ବୃଜିନକୁ ଛେଦ କଙ୍କପତ୍ରେ ।ବଧି ଜଣକୁ ଋଣ ଦେଲୁ ମତ୍ରେ।୧୨୦ ।ବୃଦ୍ଧି କଳନ୍ତର ହୋଇ ପ୍ରବର୍ତ୍ତି ।ବଧିବେ ସେ ରାବଣ ପୁତ୍ର ନାତି।୧୨୧ ।୧୧୨ଶ ପଦ :- ବାଳି ଉପବାସ କରି କହିଲା, ‘‘ତୁ ଦଶରଥ ପୁତ୍ର କି ? ଏହି ଯୋଗୁଁ ବୁଢ଼ାମାଙ୍କଡ଼ଟାଏ ମାଇଲୁ ।’’୧୧୩ଶ ପଦ :- ବପ୍ତ-ପିତା ବା ବାସ ।
୧୧୩ଶ ପଦ :- ‘‘ତୁ ସେହି ଦାଶରଥି ଟିକି ? ଯାହାର ପିତା ଛୋଟା ଗ୍ରହଟାକୁ ( ଶନିକୁ ) ପରାସ୍ତ କରି, ଅତି ସହଜରେ ଜଣେ ଯୋଦ୍ଧା ବୋଲି କୀର୍ତ୍ତି ବିସ୍ତାର କରିଅଛି ।’’
୧୧୪ଶ ପଦ – ବିମର୍ଦ୍ଦନ-ନାଶକର୍ତ୍ତା ।
୧୧୪ଶ ପଦ :- ‘‘ତାହାର କ୍ଷତ୍ରିୟକୁଳ ବିନାଶକାରୀ ପର୍ଶୁରାମଙ୍କ ସହ ଯୁଦ୍ଧ କରିବାକୁ ଶକ୍ତି ନ ଥିଲା । ତୁ ତ ସେହି ବାମା କବଚ ଦଶରଥର ପୁତ୍ର, ( ବୃକ୍ଷ କବଚ କରି ବୁଢ଼ାମାଙ୍କଡ଼ ମାରନ୍ତୁ ନାହିଁ ତ ଆଉ କ’ଣ କରନ୍ତୁ ? ) ।’’
୧୧୫ଶ ଓ ୧୧୬ଶ ପଦ :- ‘‘ରାବଣ ତୋର ସ୍ତ୍ରୀକୁ ହରଣ କରିଥିବାରୁ ( ଦାରା ଯୋଗୁଁ ବଇରୀ-ଦାରା ବଇରୀ ) ଶତ୍ରୁ ଅଟେ । ଆଗ ତାକୁ ନ ମାରି, ‘ବୃଷଦଂଶ ରୂପରେ’ ବିରାଡ଼ି ପରି ଲୁଚି ରହି, ଗୋଟାଏ ବାଣ ବିନ୍ଧିଲୁ ଯେ ସେ ଫୁଟି ବାହାରି ନ ଯାଇ ଦେହରେ ଲାଗି ରହିଅଛି ।’’
୧୧୯ଶ ପଦ :- ବାମା-ସ୍ତ୍ରୀ ।୧୨୦ଶ ପଦ :- ବୃଜିନ-ପାପ । କଙ୍କପତ୍ର-କଙ୍କନାମକ ପକ୍ଷୀର ପକ୍ଷଯୁକ୍ତ ଶର ।
୧୧୭ଶ -୧୨୧ଶ ପଦ :- ରାମଚନ୍ଦ୍ର ନିଜର ବଡ଼ିମା ରଖିବା ପାଇଁ କହିଲେ, ‘‘ବାନରାଟାଏ କୋଟିଏ ସିଂହର ବଳ ଧାରଣ କରି ସିଂହାସନରେ ବସି ରାଜକାର୍ଯ୍ୟ ନିର୍ବାହ କରିପାରେ କି ? ପ୍ରତିଦିନ ସାତ ସମୁଦ୍ରର ଜଳ ତର୍ପଣ କରିପାରେ କି ? ଏଥିରୁ ଜଣାଯାଉଛି ତୁମେ ମାଙ୍କଡ ନୁହେଁ ଜଣେ ବୀର । ରାଜନୀତିଜ୍ଞ ଓ ଧାର୍ମିକ ହୋଇ ସାନଭାଇର ସ୍ତ୍ରୀକୁ ଅପହରଣ କରି ପାପୀ ହୋଇଥିଲ । ଆମ୍ଭେ ତୁମ୍ଭର ସେହି ପାପକୁ ଶର ଦ୍ୱାରା ଚ୍ଛେଦନ କରି ତୁମ୍ଭର ସେହି ବଳ ଓ ରାଜପଦ ଜଣେ ମିତ୍ରଙ୍କୁ ଋଣ ଦେଲୁଁ । ସେହି ଋଣ ମୂଳ ଧନ କଳନ୍ତର ସହ ‘ପ୍ରବର୍ତ୍ତି’ ପରିବର୍ତ୍ତନ ପ୍ରାପ୍ତ ହେବ ( ଅର୍ଥାତ୍ ଚକ୍ର ବୃଦ୍ଧି କ୍ରମରେ ବଢ଼ିବ ) ଏବଂ ତାହାର ପରିଶୋଧ ପାଇଁ ସେ ମିତ୍ର ମୋର ଶତ୍ରୁ ରାବଣର ପୁଅ ଓ ନାତିମାନଙ୍କୁ ମାରିବେ ।’’
ବୋଲିଛନ୍ତି ସୀତା ଆଣି ଦେବାର ।ବାଳି ବୋଇଲା କ୍ଳେଶରେ ହେବାର।୧୨୨ ।ବିକ୍ଳେଶରେ କେ ମୋ ବିନା କରତା ।ବ୍ରହ୍ମାଣ୍ଡେ ସେ ଏକା ମୋର ବିନତା।୧୨୩ ।ବିଭାକର ତେଜସ୍ୱୀ ଯଥା ହେଲେ ।ବିଧୁ ନ୍ତୁଦ କେବଳ ଗ୍ରାସେ ଭଲେ।୧୨୪ ।ବିଶଲ୍ୟକୁ କରିବା ରାମ ଭାଷି ।ବଇକୁଣ୍ଠକୁ ମୋତେ ବାଟ ଦିଶି।୧୨୫ ।ବଇକୁଣ୍ଠ ତୁ ଦେଲୁ ନାଶହେତୁ ।ବର୍ଷ୍ମବନ୍ତେ ଅବଧି ହୋଏ ମୃତ୍ୟୁ।୧୨୬ ।ବୋଲୁଁ କପିଈଶ ଆସେ ଅଙ୍ଗଦ ।ବାର୍ତ୍ତା ପାଇ କହେ ଲଭି ବିଷାଦ।୧୨୭ ।ବିଚିତ୍ରେକ ପୂର୍ବରେ ହୋଇଥିଲା ।ବିନ୍ଧ୍ୟାକରୋଧୀ ସମୁଦ୍ର ପିଇଲା।୧୨୮ ।ବିଚିତ୍ରେକ ଏବେ ତୋହ ଶରୀରେ ।ବିଭେଦିତ ହୋଇଲା ତୀକ୍ଷ୍ଣଶରେ।୧୨୯ ।ବିଷ୍ଣୁ ମଧୁକଇଟଭ ପାତାଳେ ।ବିନାଶରୁ ଏ କୀର୍ତ୍ତି ବଳାଇଲେ।୧୩୦ ।୧୨୩ଶ ପଦ :- ବିକ୍ଳେଶରେ-ଅନାୟାସରେ ।୧୨୪ଶ ପଦ :- ବିଭାକର-ସୂର୍ଯ୍ୟ । ବିଧୁନ୍ତୁଦ-ରାହୁ ।
୧୨୨ଶ -୧୨୪ଶ ପଦ :- ‘‘ସେ ଆମ୍ଭଙ୍କୁ ସୀତା ଆଣି ଦେବେ ବୋଲି କହିଛନ୍ତି ।’’ ‘ଏହାଶୁଣି ବାଳି କହିଲା, ‘‘ଏହା ସୁଗ୍ରୀବ ଦ୍ୱାରା ଅତି କଷ୍ଟରେ ହେବ । ମୋ ବିନା ଆଉ କେହି ଅନାୟାସରେ ଏହି କାର୍ଯ୍ୟ କରିପାରିବ ନାହିଁ । ଏହି ବ୍ରହ୍ମାଣ୍ଡରେ ସେ କେବଳ ମୋ ଦ୍ୱାରା ପରାସ୍ତ ହୋଇଅଛି । ( ଛନ୍ଦ ଭଙ୍ଗ ଭୟରେ କବି ବିନତ ସ୍ଥାନରେ ବିନତା କରିଛନ୍ତି ) । ସୂର୍ଯ୍ୟତେଜସ୍ୱୀ ହେଲେ ସୁଦ୍ଧା ଏକମାତ୍ର ରାହୁ ଅନାୟାସରେ ତାହାକୁ ଯେପରି ଗ୍ରାସକରେ ସେହିପରି ଏକମାତ୍ର ମୁଁ ତାକୁ ପରାସ୍ତ କରି ପାରେଁ ।’’
୧୨୫ଶ ପଦ :- ବାଳିଠାରୁ ଏହି ସମସ୍ତ କଥା ଶୁଣି ରାମ କହିଲେ, ‘‘ତୁମ୍ଭଙ୍କୁ ‘ବିଶଲ୍ୟ’ ଶର ବିଯୁକ୍ତ କରି ଦେବା ( ଅର୍ଥାତ୍ ତୁମ୍ଭ ଦେହରୁ ଶର ବାହାର କରିଦେବା ) ।’’ ବିଶଲ୍ୟ ଶବ୍ଦରୁ ବିଶଲ୍ୟକରଣୀ ନାମକ ଔଷଧ ଦେଇ ପୀଡ଼ା ଶୂନ୍ୟ କରି ଦେବେ, ଏହି ଅର୍ଥ ସ୍ଥିର କରି ବାଳି କହିଲା, ‘ମୋତେ ବୈକୁଣ୍ଠକୁ ଯିବାକୁ ବାଟ ଦେଖାଗଲାଣି ( ଅର୍ଥାତ୍ ମୁଁ ଆଉ ଏ ପାପ ସଂସାରରେ ରହିବି ନାହିଁ ) ।’’
୧୨୬ଶ ପଦ :- ତୁମେ ସ୍ୱୟଂ ବୈକୁଣ୍ଠ ( ନାରାୟଣ ) ମୋର ମରଣର କାରଣ ହେଲ, ଅତଏବ ମୋର ବୈକୁଣ୍ଠପୁରକୁ ଯିବା ନିଶ୍ଚିତ । ଦେହ ଧାରଣ କଲେ ନିଶ୍ଚୟ ମରଣ ହୁଏ । ସୁତରାଂ ମୁଁ ଜୀବନ ରଖି କାହିଁକି ଏହି ସାଂସାରିକ କାର୍ଯ୍ୟରେ ଲିପ୍ତ ହେବି ବା ପାପରେ ଘାଣ୍ଟି ହେବି ?’’
୧୨୭ଶ ପଦ :- କପିଈଶ-କପିସମ୍ରାଟ, ବାଳି । ବିଷାଦ-ଦୁଃଖ ।
୧୨୭ଶ ପଦ :- ବାନରରାଜ ବାଳି ଏହିପରି କହିବା ସମୟରେ ତାର ପୁତ୍ର ଅଙ୍ଗଦ ଖବର ପାଇ ସେହି ସ୍ଥାନରେ ଉପସ୍ଥିତ ହେଲା । ପିତାଙ୍କୁ ଏପରି କଷ୍ଟରେ ପଡ଼ିଥିବାର ଦେଖି ଦୁଃଖିତ ହୋଇ କହିଲା, -
୧୨୮ଶ ପଦ :- ବିନ୍ଧ୍ୟକରୋଧି-ଅଗସ୍ତି ଋଷି ।
୧୨୮ଶ ଓ ୧୨୯ଶ ପଦ :- ‘‘ବିନ୍ଧ୍ୟପର୍ବତର ଗତିରୋଧ କର୍ତ୍ତା ଅଗସ୍ତିଋଷି ସମୁଦ୍ର ପାନକରିଥିଲେ, -ପୂର୍ବକାଳରେ ଏହି ଆଶ୍ଚର୍ଯ୍ୟ କଥା ଘଟିଥିଲା । ବର୍ତ୍ତମାନ ଅତି ମୁନିଆ ଶର ତୁମ୍ଭର ଶରୀରରେ ପ୍ରବେଶ କଲା, ଏହି ଆଶ୍ଚର୍ଯ୍ୟ କଥା ଘଟିଲା ।’’ ( ଅଗସ୍ତିଋଷି ଯେପରି ସମୁଦ୍ରପାନ କରି ଅସମ୍ଭବକୁ ସମ୍ଭବ କରିଥିଲେ, ତୁମ୍ଭର ମୃତ୍ୟୁ ବି ସେହିପରି ହେଲା ) ।
୧୩୦ଶ ପଦ :- ପୁନର୍ବାର କହିଲା, ‘‘ବିଷ୍ଣୁ ପାତାଳପୁରରେ ମଧୁକୈଟଭକୁ ମାରି ଯେଉଁ କୀର୍ତ୍ତି ଲାଭ କରିଥିଲେ, ତାହାଠାରୁ ଏ କୀର୍ତ୍ତି ବଳି ପଡ଼ିଲା ।’’
ବର ବଗହ ମୂରତି ଧରିବା ।ବଡ଼ ନୋହେ ହିରଣାକ୍ଷ ମାରିବା।୧୩୧ ।ବଳି ହିରଣ୍ୟ ଦାରଣୁ ଏ ଯଶ ।ବଳି ପାତାଳେ ରଖିବା ରହସ୍ୟ।୧୩୨ ।ବଳି ଭୂତ ଭବିଷ୍ୟ ବର୍ତ୍ତମାନେ ।ବତିମୁଖେଶ ସମା କେ ଭୁବନେ।୧୩୩ ।ବଳି ଦଶଦିଗକୁ ଦଶିର ।ବଳିଅଛି ମନ ଏବେ ଦେବାର।୧୩୪ ।ବିଷ୍ଣୁ ଏହି ବୋଲିଣ କପୀଶୁର ।ବିଳମ୍ବାଇ ସୁଗ୍ରୀବ ସୁଗ୍ରୀବର।୧୩୫ ।ବାସ୍ତୋସ୍ପତି ଦେଲା ରତ୍ନମାଳାକୁ ।ବାହୁ ଧରି ସମର୍ପି ଅଙ୍ଗଦକୁ।୧୩୬ ।ବାହୁଳେୟ କି ଶର କ୍ରୌଞ୍ଚୁ ।ବାହୁଜେଶ ଉତ୍ପାଟ ଶରରଚୁଁ।୧୩୭ ।ବିଶେଷତ ତପ ପ୍ରଭା ହୋଇଲା ।ବିନିର୍ଗତ ଜୀବନରେ ରହିଲା।୧୩୮ ।ବଚଞ୍ଚଳ ନେତ୍ରମୀନ ସ୍ତବଧ ।ବିକଶିଲା ନାହିଁ ହାସକୁମୁଦ।୧୩୯ ।ବାଳି-ବେର ଯେମନ୍ତ ଶୁଷ୍କ ହ୍ରଦ ।ବାର୍ତ୍ତାବହୁଁ ତାରା ଶୁଣି ବିଷାଦ।୧୪୦ ।ବାଳ ଫିଟି ଲୋଟେ ପୃଷ୍ଠେ ଧାବନ୍ତେ ।ବାରିଦ କି ଖେଳେ ହେମ ପର୍ବତେ।୧୪୧ ।୧୩୧ଶ ପଦ :- ‘‘ବିଷ୍ଣୁ ଦୀର୍ଘକାୟ ବରାହ ମୂର୍ତ୍ତି ଧରି ହରିଣାକ୍ଷକୁ ମାରିବା ଏହାଠାରୁ ଅଧିକ ନୁହେଁ ।’’୧୩୨ଶ ପଦ :- ବଳି-ଅଧିକ ।୧୩୩ଶ ପଦ :- ବଳି-ବଳିରାଜା, ବଳିଷ୍ଠ । ବଳିମୁଖେଶ-ବାଳି ।
୧୩୨ଶ ଓ ୧୩୩ଶ ପଦ :- ଆଉ ମଧ୍ୟ ହିରଣ୍ୟକଶିପୁକୁ ବିଦାରିବାଠାରୁ ଏହି ସଶ ବଳି ପଡ଼ିଲା ଏବଂ ବଳି ଦୈତ୍ୟକୁ ପାତାଳରେ ଚାପିବା କୌତୁକଠାରୁ ଏହି କୌତୁକ ଅଧିକ ହେଲା । କାରଣ ଭୂତ, ଉବିଷ୍ୟ, ବର୍ତ୍ତମାନ ଏହି ତିନି କାଳରେ ବାଳି ସହିତ ସମାନ ହେବାକୁ ଏ ଜଗତରେ କିଏ ଅଛି ?’’
୧୩୪ଶ ପଦ :- କପୀଶ୍ୱର-ବାଳି । ସୁଗ୍ରୀବର-ମନେ ହର ଗଳାର ।୧୩୬ଶ ପଦ :- ବାସ୍ତୋସ୍ପତି-ଇନ୍ଦ୍ର । ବଳି-ଉପହାର ।
୧୩୪ଶ-୧୩୬ଶ ପଦ :- ଅଙ୍ଗଦଠାରୁ ଏହିସବୁ କଥା ଶୁଣି ବାଳି କହିଲା, ‘ତୁ ଯେଉଁ ବିଷ୍ଣୁଙ୍କର କଥା କହିଲୁ, ଏ ସେହି ବିଷ୍ଣୁ ରାମରୂପ ଧାରଣ କରି ବର୍ତ୍ତମାନ ଦଶଶିର ରାବଣର ଦଶମୁଣ୍ଡକୁ ଦଶଦିଗରେ ବଳିଦେବାକୁ ମନବଳାଇ ଅଛନ୍ତି ।’’ ଏହାକହି ଇନ୍ଦ୍ର ଦେଇଥିବା ରତ୍ନମାଳାକୁ ସୁଗ୍ରୀବର ମନୋହର କଣ୍ଠରେ ଲମ୍ବାଇ ଦେଇ ଅଙ୍ଗଦର ବାହୁକୁ ଧରି ସେହି ସୁଗ୍ରୀବର ନିକଟରେ ସମର୍ପଣ କରିଦେଲା ।
୧୩୭ଶ ପଦ :- ବାହୁଳେୟ-କାର୍ତ୍ତିକେୟ । କ୍ରୌଞ୍ଚୁ-କ୍ରୌଞ୍ଚନାମା ପର୍ବତରୁ । ବାହୁଳେୟ-କ୍ଷତ୍ରିୟଶ୍ରେଷ୍ଠ ।
୧୩୭ଶ ପଦ :- ଏହାପରେ କ୍ଷତ୍ରିୟଶ୍ରେଷ୍ଠ ରାମଚନ୍ଦ୍ର ବାଳି ଦେହରୁ ଶରକୁ ବାହାର କରିଥିଲେ । ସେହି ସମୟରେ ତାଙ୍କୁ ଦେଖି ମନେ ହେଲା, ‘‘କାର୍ତ୍ତିକେୟ କ୍ରୌଞ୍ଚ ପର୍ବତରୁ ଶର ବାହାର କରୁଅଛନ୍ତି କି ?’’
୧୩୮ଶ ପଦ :- ତପ-ଗ୍ରୀଷ୍ମକାଳ, ତପସ୍ୟା । ଜୀବନ-ଜଳ, ପ୍ରାଣ ।
୧୩୮ଶ ପଦ :- ବାଳିର ‘ତପ’ ତପସ୍ୟାର ତେଜ ‘ତପପ୍ରଭା’ ଗ୍ରୀଷ୍ମ କାଳୀନ ସୂର୍ଯ୍ୟତେଜ ପ୍ରାୟ ହେଲା । ତେଣୁ ଗ୍ରୀଷ୍ମକାଳରେ ଯେପରି ଜଳାଶୟରୁ ‘ଜୀବନ’ ଜଳ ବାହାରିଯାଏ, ସେହିପରି ଏହାର ପିଣ୍ଡରୁ ‘ଜୀବନ’ ପ୍ରାଣ ।
୧୩୯ଶ ପଦ :- ଜଳାଶୟରୁ ଜଳ ଶୁଷ୍କ ହେଲେ ମୀନମାନେ ମରି ନିଶ୍ଚଳ ହୋଇ ପଡ଼ିଥାନ୍ତି ଓ କଇଁ ଫୁଲ ଫୁଟେ ନାହିଁ, ସେହିପରି ଏହାର ଚକ୍ଷୁ ରୂପ ମୀନ ଗତି ନ କରି ଅର୍ଥାତ୍ ଡୋଳା ନ ଖୋଲି ନିଶ୍ଚଳ ହୋଇରହିଲା ଏବଂ ହସରୂପୀ କଇଁଫୁଲ ଆଉ ଫୁଟିଲା ନାହିଁ ଅର୍ଥାତ୍ ତାହାର ମୁଖ ହାସଶୂନ୍ୟ ହେଲା ।
୧୪୦ଶ ପଦ :- ବାଳି ବେର-ବଳିର ଦେହ । ବାର୍ତ୍ତାବହୁ-ଦୂତଠାରୁ ।୧୪୧ ପଦ :- ବାରିଦ-ମେଘ । ହେମପର୍ବତ-ମେରୁପର୍ବତ ।
୧୪୦ଶ ଓ ୧୪୧ଶ ପଦ :- ‘‘ବାଳିର ଦେହ ଶୁଷ୍କହ୍ରଦ ତୁଲ୍ୟ ହେଲା ଅର୍ଥାତ୍ ବାଳି ମଲା, -ଏହି ଖବର ଦୂତଠାରୁ ଶୁଣି ତାରା ଅତି ଦୁଃଖିତା ହୋଇ ବାଳିର ସେହି ମୃତଦେହ ନିକଟକୁ ଦଉଡ଼ିଲା । ସେ ଦୌଡ଼ିବା ସମୟରେ ତାହାର ବାଳ ଫିଟି ପିଠି ଉପରେ ପଡ଼ି ଦୋହଲିଲା । ତାହା ଦେଖି ମନେ ହେଲା, ମେରୁ ପର୍ବତ ଉପରେ ମେଘ ଖେଳୁଛି କି ?
ବଳ ଖସିଲା ପରି ପୁଷ୍ପ ପଡ଼େ ।ବାଷ୍ପଜଳ ନୟନଯୁଗୁଁ ଗଡ଼େ।୧୪୨ ।ବିଲେଚନୁ ଦ୍ରବି ବହେ କଳଙ୍କ ।ବକ୍ର ପାଶେ ଚଞ୍ଚଳିତ ତାଟଙ୍କ।୧୪୩ ।ବିକାରେ କି ବାତର ଶୋଭାଜଳେ ।ବେନି ନିର୍ମଳତର ତାର ଚଳେ।୧୪୪ ।ବକ୍ଷୋଜରୁ ଖସେ ହାର ମୁକୁତା ।ବସୁନ୍ଧରା ନୀରବିନ୍ଦୁ ଶୋଭିତା।୧୪୫ ।ବୈବସ୍ୱତ ପରେ ଗଲା ଏ ସ୍ୱର ।ବିଧବା କରି ମୋତେ ପ୍ରାଣେଶ୍ୱର।୧୪୬ ।ବେଳ ଅସ୍ତ ହୋଇଲା ପ୍ରଭାତରେ ।ବୋଲି ପଡ଼ିଲା ବାଳିର ଉପରେ।୧୪୭ ।ବଳାହକୁଁ ଛିଡ଼ିପଡ଼ି ବିଜୁଳୀ ।ବଳାହକ ଉପରେ କିବା ଖେଳି।୧୪୮ ।ବିଲୋକନ କରିଣ ରଘୁବୀର ।ବିଚାରିଲେ ବାନରୀ ଅସୁନ୍ଦର।୧୪୯ ।ବୋଲନ୍ତି ଯେ ଜନମାନେ ସଂସାରେ ।ବିଲକ୍ଷିତ କେଉଁ ରମ୍ଭା ଏହାରେ।୧୫୦ ।
୧୪୨ଶ ପଦ :- ମେଘକୁ ଦେଖି ବଗମାନେ ନିମ୍ନ ଆକାଶରେ ଉଡ଼ିଲା ପରି, ତାହାର ଜୁଡ଼ା ଫିଟି ଫୁଲ ସବୁ ଖସି ପଡ଼ିଲା । ମେଘରୁ ଜଳଧାର ପ୍ରବାହିତ ହେଲାପରି ତାର ନେତ୍ର ଦୁଇଟିରୁ ଲୋତକଧାର ପ୍ରବାହିତ ହେଲା ।
୧୪୩ଶ ପଦ :- ବିଲୋଚନୁ-ନେତ୍ରରୁ । ବକ୍ର-ମୁଖ ।
୧୪୩ଶ ଓ ୧୪୪ଶ ପଦ :- ତାହାର ବିଷର୍ଣ୍ଣ ନେତ୍ର ଦୁଇଟିରୁ ଅଶ୍ରୁଜଳ ଦ୍ୱାରା ‘ଦ୍ରବି’ ଧୋଇ ହୋଇ କଜ୍ଜ୍ୱଳ ବହିଲା ଏବଂ ମୁଖ ନିକଟରେ ତଡ଼କା ଦୋହଲିଲା । ଏହା ଦେଖି ମନେ ହେଲା, ବାୟୁ ଯୋଗେ ସଞ୍ଚାଳିତ ହୋଇଥିବା ସ୍ୱଚ୍ଛ ଜଳ ମଧ୍ୟରେ ( ଅର୍ଥାତ୍ ଲହରୀ ମଧ୍ୟରେ ଅତି ନିର୍ମଳ ତାରା ଦୁଇଗୋଟି ) ।
୧୪୫ଶ ପଦ :- ବକ୍ଷୋଜ-ସ୍ତନ । ବସୁନ୍ଧରା-ପୃଥିବୀ ।
୧୪୫ଶ ପଦ :- ତାର ସ୍ତନ ଉପରେ ଥିବା ମୁକ୍ତାମାଳ ଛିଣ୍ଡି ମୁକ୍ତା ସବୁ ଗୋଟି ଗୋଟି ହୋଇ ପୃଥିବୀ ଉପରେ ପଡ଼ିଥିବାର ଦେଖି ମନେ ହେଲା; ପୃଥିବୀ ଜଳକଣାରେ ଆଚ୍ଛାଦିତ ହୋଇ ଶୋଭା ପାଉଛି କି ?
୧୪୬ଶ ପଦ :- ବୈବସ୍ୱତପୁର-ଯମପୁର ।୧୪୮ଶ ପଦ :- ବଳାହକୁଁ-ମେଘରୁ । ବଳାହକ-ପର୍ବତ ।
୧୪୬ଶ-୧୪୮ଶ ପଦ :- ତାରା ଉଚ୍ଚସ୍ୱରରେ କହିଲା, ‘‘ହେ ପ୍ରାଣେଶ୍ୱର ! ମୋତେ ବିଧବା କରି ଯମପୁରକୁ ଗଲ ପ୍ରଭାତ ସମୟରେ ସନ୍ଧ୍ୟା ଆସି ଉପସ୍ଥିତ ହେଲା ।’’ ଏହା କହି ସେ ବାଳିର ଉପରେ ପଡ଼ିଲା । ସେ ପଡ଼ିବାର ଦେଖି ଦର୍ଶକମାନଙ୍କର ମନେ ହେଲା ବିଜୁଳି ମେଘରୁ ଛିଡ଼ି ପଡ଼ି ପର୍ବତ ଉପରେ ଖେଳୁଛି କି ?
୧୪୯ଶ ଓ ୧୫୦ଶ ପଦ :- ରାମଚନ୍ଦ୍ର ତାରାକୁ ଦେଖି ବିଚାରିଲେ, ‘‘ଏହି ସଂସାରେ ଥିବା ଲୋକମାନେ ବାନରୀଗୁଡ଼ାକ ବଡ଼ ଅସୁନ୍ଦରୀ ବୋଲି କହନ୍ତି । ଆଚ୍ଛା ଏହାର କେଉଁ ଗୁଣକୁ ରମ୍ଭା ସରି ହେବ ?’’
ବୋଲାଇଲା ଏଥିକି ନାମ ତାରା ।ବିହି ବହୁଁ ହୋଇଲା ନେତ୍ରତାରା।୧୫୧ ।ବାଳିବାଳୀ ଶ୍ରୀରାମ ଅନାଇଲା ।ବାଣୀବାଣ ବ୍ୟାକୁଳେ ଯୋଗ କଲା।୧୫୨ ।ବିଚ୍ଛେଦ ସେ କଲା ମୋ ବଲ୍ଲଭର ।ବାଳାଭୋଗ ସମ୍ପୂର୍ଣ୍ଣ ନୋହୁ ତାର।୧୫୩ ।ବ୍ୟଥା ଉପଜାଇ ରଘୁ ନାୟକେ ।ବାଳି-ବିନ୍ଧିବା କାଣ୍ଡରୁ ଅଧିକେ।୧୫୪ ।ବିଧବା ତୁ କିମ୍ପାଇ ହେବୁ ଲୋକେ ।ବସ ସୁଗ୍ରୀବ କୋଳେ ଅଭିଷେକେ।୧୫୫ ।ବସୁଁ ପ୍ରହ୍ଳାଦ ଇନ୍ଦ୍ରପଦ ଲଭି ।ବୃକ୍ଷା ଥାଉଁ ଶଚୀ ତାର ବଲ୍ଲଭୀ।୧୫୬ ।ବଧୁ ଅଧିକ କି ଶାଶୁଠାବରୁ ।ବୋଧି ତାକୁ ବାଣୀ ଏହି ନ୍ୟାସରୁ।୧୫୭ ।ବାନରେନ୍ଦ୍ର ମିତ୍ରକୁ କରି ମୋତେ ।ବିହି ଯୁବରାଜ ପଦ ଅଙ୍ଗଦେ।୧୫୮ ।ବିଦ୍ୟ ପଟ୍ଟମହିଷୀ ତାରା ହୋଇ ।ବନ୍ଦ୍ୟା ସାଧ୍ୱୀପଦରେ ବର ପାଇ।୧୫୯ ।ବଦନକୁ ମିତ୍ରର ଚାହିଁ ଭାଷେ ।ବଡ଼ ଦୁଃଖୀ ହୋଇଛ ବନବାସେ।୧୬୦ ।ବିଚ୍ଛେଦିତ ହୋଇ ପ୍ରିୟବତୀରେ ।ବିଚ୍ଛେଦିତ ନିତିରେ ସୁରତିରେ। ୧୬୧ ।ବଞ୍ଚି ବରଷାଯାକ ରହି ପୁରେ ।ବାଦୀ ହେବା ଲଙ୍କେଶେ ତଦୁତ୍ତାରେ।୧୬୨ ।୧୫୧ଶ ପଦ :- ନେତ୍ରତାରା-ଆକ୍ଷି ଡୋଳା ।
୧୫୧ଶ ପଦ :- ବିଧାତା ଏହାକୁ ତିଆରି କରୁ କରୁ ଏ ତାଙ୍କର ଡୋଳା ପିତୁଳା ହୋଇଗଲା ଅର୍ଥାତ୍ ତାଙ୍କ ଆକ୍ଷିରେ ସବୁବେଳେ ଦେଖାଗଲା । ତେଣୁ ଏହାର ନାମ ତାରା ହେଲା କି ?’’
୧୫୨ ପଦ :- ବାଳିବାଳୀ-ବାଳିର ସ୍ତ୍ରୀ ବା ତାରା । ବାଣୀବାଣ - ବାକ୍ୟ ବାଣ ।
୧୫୨ ପଦ :- ରାମଚନ୍ଦ୍ର ଏହିପରି ବିଚାରୁଥିବା ସମୟରେ ତାରା ରାମଚନ୍ଦ୍ରଙ୍କୁ ଚାହିଁ ଅତିଶୟ ଦୁଃଖିତା ହୋଇ ତାଙ୍କ ପ୍ରତି ବଚନରୂପେ ଶର ଅର୍ଥାତ୍ ଶର ଯେଉଁପରି ଲୋକଙ୍କୁ କଷ୍ଟ ଦିଏ, ସେହିପରି କଷ୍ଟଦାୟକ କଥା ‘ଯୋଗକଲା’ ପ୍ରକାଶ କଲା ( ତାଙ୍କୁ ଅଭିଶାପ ଦେଲା ),-
୧୫୩ଶ ପଦ :- ‘‘ଯେଉଁ ଲୋକ ମୋଠାରୁ ମୋ ବରକୁ ଅନ୍ତର କରାଇଲା, ତାର ସ୍ତ୍ରୀଭୋଗ ସମ୍ପୂର୍ଣ୍ଣ ନ ହେଉ ଅର୍ଥାତ୍ ସେ ତାର ସ୍ତ୍ରୀଠାରୁ ଅନ୍ତର ହେଉ ।’’
୧୫୪ଶ ପଦ :- ବାଳି ଶରବିଦ୍ଧ ହୋଇ ସେପରି ଦୁଃଖ ଅନୁଭବ କରିନଥିବ, ରାମଚନ୍ଦ୍ର ତାରାର ଏହି ବାଣୀ ଶୁଣି ତାହାଠାରୁ ଅଧିକ ଦୁଃଖ ଅନୁଭବ କରିଥିଲେ ।
୧୫୫ଶ ପଦ :- ରାମଚନ୍ଦ୍ର ତାରାକୁ କହିଲେ, ‘‘ଏହି ଜଗତରେ ତୁମ୍ଭେ ବିଧବା କାହିଁକି ହେବ ? ସୁଗ୍ରୀବଙ୍କ କୋଳରେ ଅଭିଷେକ ସମୟରେ ବସ ।’’୧୫୬ଶ ପଦ :- ବୃଷୀ-ଇନ୍ଦ୍ର ।୧୫୭ଶ ପଦ :- ବିନ୍ୟାସ-ଅର୍ପଣ, ଏଠାରେ ବିହିବା ।
୧୫୬ଶ ଓ ୧୫୭ଶ ପଦ :- ‘ତାରାକାଳେ କହିବ ମୁଁ ପତିବ୍ରତା ଅନ୍ୟ ପ୍ରତି ଗ୍ରହଣ କରିବି ନାହିଁ’- ଏହି ଆଶଙ୍କା କରି ରାମ କହୁଛନ୍ତି, ‘‘ପ୍ରହ୍ଲାଦ ଇନ୍ଦ୍ରପଦ ଲାଭକରି ବସନ୍ତେ ( ଇନ୍ଦ୍ର ହୁଅନ୍ତେ ) ଶଚୀ ଇନ୍ଦ୍ର ଥାଉଁ ଥାଉଁ ତାର ସ୍ତ୍ରୀ ହେଲେ । ଶାଶୁଠାରୁ ବୋହୁ ଅଧିକ କି ? ( ବାଳି ଇନ୍ଦ୍ରଙ୍କ ପୁତ୍ର ତେଣୁ ତାରା ଶଚୀର ବୋହୁ ଅଟେ ) । ଏଣୁ ତୁ ସୁଗ୍ରୀବର ସ୍ତ୍ରୀ ହେଲେ ମଧ୍ୟ ଶଚୀପରି ସତୀ ହେବୁ ।’’ ଏହିପରି କଥା କହି ତାକୁ ପ୍ରବୋଧ କଲେ ।
୧୫୮ଶ ପଦ :- ତତ୍ପରେ ରାମଚନ୍ଦ୍ର, ମିତ୍ର ସୁଗ୍ରୀବଙ୍କୁ ବାନରରାଜ ପଦରେ ଅଭିଷିକ୍ତ କରି ଅଙ୍ଗଦକୁ ଯୁବରାଜ ପଦ ପ୍ରଦାନ କଲେ ।୧୫୯ଶ ପଦ :- ତାରା ପୂଜ୍ୟା ପାଟରାଣୀ ପଦ ପ୍ରାପ୍ତ ହୋଇ ରାମଚନ୍ଦ୍ରଙ୍କ ବରରେ ସତୀ ବୋଲି ଜଗତରେ ପୂଜା ପାଇଲେ ।୧୬୧ଶ ପଦ :- ସୁର-ତୀରେ-କାମଶରରେ ।
୧୬୦ଶ - ୧୬୨ଶ ପଦ :- କିଛିଦିନ ପରେ ରାମଚନ୍ଦ୍ର ସୁଗ୍ରୀବଙ୍କ ମୁଖକୁ ଚାହିଁ କହିଲେ, ‘‘ତୁମ୍ଭେ ବନରେ ବାସକରି ଅତ୍ୟନ୍ତ ଦୁଃଖ ଅନୁଭବ କରିଅଛ ଏବଂ ପ୍ରିୟାଠାରୁ ଅନ୍ତର ହୋଇଥିବାରୁ ପ୍ରତିଦିନ କନ୍ଦର୍ପ ବାଣମାନଙ୍କ ଦ୍ୱାରା ଆଘାତପ୍ରାପ୍ତ ହେଉଅଛ । ଅତଏବ ଏହି ବର୍ଷା ସମୟତକ ଘରେ ରହିଥାଅ । ଏହାପରେ ରାବଣ ସହ ଯୁଦ୍ଧ କରିବା ।’’
ବର୍ଷା ବଞ୍ଚୁ ଆମ୍ଭେ ମାଲ୍ୟବନ୍ତରେ ।ବୋଡ଼ି ବିଜେ ଲକ୍ଷ୍ମଣ ସଙ୍ଗତରେ।୧୬୩ ।ବୃତ ସେନାନୀରେ ହୋଇ ସୁଗ୍ରୀବ ।ବାହୁଡ଼ାଇ ଦେଲେ ପଥୁଁ ରାଘବ।୧୬୪ ।ବଳ ସାଜି ଆସ ନ ବଳ କଣ୍ଟ ।ବୋଲି ସୌମିତ୍ରେୟ ବାଣୀ ପ୍ରକଟ।୧୬୫ ।ବିଭାବସୁବଂଶିକ ତ୍ୱାରା ହୋଇ ।ବସା ମାଲ୍ୟବନ୍ତରେ କଲେ ଯାଇ।୧୬୬ ।ବିଶ୍ୱଧାତ୍ରୀରୁ ହତ ହେଲେ କୀର୍ତ୍ତି ।ବିଖ୍ୟାତିବେ ଅସୁରନାଶ କୀର୍ତ୍ତି।୧୬୭ ।ବସୁମତୀଧରେ ଶ୍ରେଷ୍ଠ ସାର ।ବୋଲାଇଲା ରଚୁଁ ରାମ ବିହାର।୧୬୮ ।ବିଗତ ଦୁଃଖ ସୁଗ୍ରୀବ ସୁରଙ୍ଗେ ।ବିଳସିତ ଯେ ତାରା ରୁମା ସଙ୍ଗେ।୧୬୯ ।ବିମଳିନ ଛତ୍ର ଚାମର ପୁଂଜ ।ବିରାଜିତ ଭ୍ରମଣରେ ସହଜ।୧୭୦ ।ବୁଧେ ବୁଝ ଏ ଗୀତ ହୋଇ ତୋଷ ।ବିଂଶ ଅଷ୍ଟ ଅଧିକ ଛାନ୍ଦ ଶେଷ।୧୭୧ ।ବାସ୍ତରି ଅଧିକ ଶତଶପଦ ।ବହୁ ସକଳ ହୃଦୟେ ପ୍ରମୋଦ।୧୭୨ ।ବନ୍ଦେ ବୀରବର ଭଞ୍ଜ ଆନନ୍ଦେ ।ବଇଦେହୀଶ ଚରଣରବିନ୍ଦେ।୧୭୩ ।୧୬୩ଶ ପଦ :- ‘‘ଆମ୍ଭେ ମାଲ୍ୟବନ୍ତ ପର୍ବତରେ ରହି ଏହି ବର୍ଷାକାଳକୁ କଟାଇବୁଁ ଏହା କହି ଲକ୍ଷ୍ମଣଙ୍କ ସହ ମାଲ୍ୟବନ୍ତକୁ ଗମନ କଲେ ।୧୬୪ଶ ପଦ :- ସେନାପତିମାନଙ୍କ ସହ ମିଳିତ ହୋଇ ପାଛୋଟି ଆସୁଥିବା ସୁଗ୍ରୀବଙ୍କୁ ରାମଚନ୍ଦ୍ର ବାଟରୁ ଫେରାଇଦେଲେ ।୧୬୫ଶ ପଦ :- ସୌମିତ୍ରେୟ-ଲକ୍ଷ୍ମଣ ।
୧୬୫ଶ ପଦ :- ମାଲ୍ୟବନ୍ତକୁ ଯିବା ବାଟରେ ଲକ୍ଷ୍ମଣ, ସୁଗ୍ରୀବଙ୍କୁ କହିଲେ, ‘‘କଣ୍ଟ ( ନିର୍ଦ୍ଧାରିତ ଦିନ ) ବଳି ନ ଯାଉଣୁ ଶୀଘ୍ର ସୈନ୍ୟ ସାଜି ଆସ ।’’
୧୬୬ଶ ପଦ :- ରାମଚନ୍ଦ୍ର ଅତିଶୀଘ୍ର ଯାଇ ମାଲ୍ୟବନ୍ତରେ ବାସକଲେ ।୧୬୭ଶ ପଦ :- ବିଶ୍ୱଧାତ୍ରୀ-ପୃଥିବୀ । କୀର୍ତ୍ତି-ପଙ୍କ, ଯଶ ।
୧୬୭ଶ ପଦ :- ପୃଥିବୀରୁ କାଦୁଅ ଶୁଖିଗଲେ ( ଶରତ୍ ଋତୁଆସି ରାସ୍ତା ପରିଷ୍କାର ହେଲେ ) ରାମଚନ୍ଦ୍ର ଅସୁରମାନଙ୍କୁ ନାଶକରି ପୃଥିବୀରେ କୀର୍ତ୍ତି ବିସ୍ଥାର କରିବେ ।
୧୬୮ଶ ପଦ :- ବସୁମତୀଧରରେ-ପର୍ବତମାନଙ୍କ ମଧ୍ୟରେ ।୧୬୮ଶ ପଦ :- ରାମଚନ୍ଦ୍ର ମାଲ୍ୟବନ୍ତ ଗିରିରେ ବିହାର କରିବାରୁ ସେହି ଗିରି ପୃଥିବୀରେ ଶ୍ରେଷ୍ଠତର ପର୍ବତ ବୋଲି ଖ୍ୟାତିଲାଭ କଲା ।୧୬୯ଶ ପଦ :- ସୁଗ୍ରୀବର ଦୁଃଖ ଦୂର ହୋଇଯିବାରୁ ସେ ତାରା ଓ ରୁମା ସହିତ ଆନନ୍ଦରେ ବିହାର କରିବାକୁ ଲାଗିଲା ।୧୭୦ଶ ପଦ :- ସେ ଧଳା ଛତି ଓ ବହୁତ ଧଳା ଚାମର ସଙ୍ଗରେ ନେଇ ବୁଲି ବାହାରୁଥିଲା । ( ଧଳା ଛତ୍ର ରାଜାର ରାଜାଚିହ୍ନ ଅଟେ ) ।୧୭୧ଶ ପଦ :- ହେ ପଣ୍ଡିତମାନେ ଏହି ଗୀତକୁ ଆନନ୍ଦିତ ହୋଇ ବୁଝନ୍ତୁ । ଅଠାଇଶ ଛାନ୍ଦ ଏଠାରେ ଶେଷ ହେଲା ।
୧୭୨ଶ ପଦ :- ଏହି ଛାନ୍ଦରେ ଥିବା ଏକ ଶହ ବାସ୍ତରୀ ପଦ ସମସ୍ତଙ୍କ ମନରେ ଆନନ୍ଦ ବିଧାନ କରୁ । ବୀରବର ଉପେନ୍ଦ୍ରଭଞ୍ଜ ଆନନ୍ଦରେ ରାମଚନ୍ଦ୍ରଙ୍କର ପାଦପଦ୍ମକୁ ବନ୍ଦନ କରୁଅଛନ୍ତି ।
ଊନତ୍ରିଂଶ ଛାନ୍ଦରାଗ- କଲ୍ୟାଣ ଆହାରୀବ୍ୟାପି ଶୋଭା ଦିଶେ ଭୟଙ୍କର ଦିଶେ ଗରୀସେ ଘନାଘନ ହରି ।ବିସର୍ଜଇ ଯେ ! ବଡ଼ ଆନନ୍ଦରେ ଜୀବନ ।ବିଧିରେ କାଳିକା ମହିଷସନ୍ତାପ ନାଶି ପ୍ରମୋଦ କରେ ଦାନ।୧ ।ବିଜନିତ କଲା ଶ୍ୱା(ସ୍ୱା)ନ ଅବିରତେ ଚମକ ରଚିଲା ଶରଭେ ।ବିହିତା ଦ୍ୱିଜବ୍ରଙ୍କର କଷଣକୁ କରକେ ପୁଣ ସେ ଆରମ୍ଭେ ।ବୃଦ୍ଧଶ୍ରବାର ! ବାଣାସ(ଶ)ନ ଯେ ହୋଇ ଜାତ ।ବିହିତ ରୋହିତ ସ୍ୱରୂପ ତ୍ୱରିତ ନାକରେ ରଙ୍ଗେ ବିହରିତ।୨ ।ବିଷ୍ଣୁ-ପଦ ଲୀନ ହେବାରେ ଚଞ୍ଚଳା ଜ୍ୟୋତି ପ୍ରକାଶି କଲା ଲୀଳା ।ବିଷକଣ୍ଠ ସୁଖେ ବିଳସେ କୁଳିଶେ ଗିରିଜା ସଂଘାତି ହୋଇଲା ।ବିଲୋକନେ ଯେ ! ବିରସ ଯୋଗିଏ ନୋହିଲେ ।ବିକାଶ ପୁଷ୍ପେ ସୁଜାତି ସୁମନାଏ ମଧୁପ ମନକୁ ମୋହିଲେ।୩ ।ବ୍ରହ୍ମପୁତ୍ରକୁ ଭକ୍ଷିବା ଇଚ୍ଛା କଲେ ବିଚ୍ଛେଦୀ ହୋଇଥିଲା ଜନେ ।ବିଚାରି ପଥିକ ପଦ ବିସରିଲେ ଅତି ଉତ୍ସୁକ ଜାତ ମନେ ।ବିହେ ଅଗତି ! ବହେ ତହିଁରେ ସଦା ଗତି ।ବିପଟ ବିନାଶେ ସୁମନରେ ହସେ ଗଣିକାପନ୍ତି ଦିବାରାତି।୪ ।ବିମଳ କକୁଭ କଦମ୍ବ କକୁଭ କଦମ୍ବ ମଳିନ ରଭସେ ।ବିଦିତ ଉଡୂପ ପୁଷ୍ପରେ ଉଡୂପ ଆଉ ଯେ ନ ଦିଶେ ।ବନେ କଲେ ଯେ ! ବରହୀ ଶିଖା ଟେକି ନୃତ୍ୟ ।ବନେ ହେଲେ ଯେ ବରହି ଶିଖା ତହିଁ ସମସ୍ତ ପରକାରେ ହତ।୫ ।
୧ମ ପଦ :-ଦିଶେ-ପ୍ରତିଦିଗରେ । ଘନାଘନ-ମତ୍ତହସ୍ତୀ, ଘୋରମେଘ । ହରି-ସିଂହ, ଚନ୍ଦ୍ର ସୂର୍ଯ୍ୟ । ଜୀବନ-ପ୍ରାଣ, ଜଳ । କାଳିକା-ଦୁର୍ଗା, ମେଘ । ମହିଷ-ମହିଷପଶୁ, ମହିଷାସୁର ।
୧ମ ପଦ :-ଏହି ସମୟରେ ବର୍ଷାକାଳ ଜଗତରେ ପ୍ରକାଶିତ ହୋଇ କବିଙ୍କର କଳ୍ପନା ଜଗତରେ ବିରୋଧପରି ଜଣାପଡ଼ିଥିବା ବାକ୍ୟଗୁଡ଼ିକ ପ୍ରକାଶ କରାଇଲା । (ଯେଉଁ ବାକ୍ୟରେ ପଦମାନଙ୍କ ମଧ୍ୟରେ କୌଣସି ମାତ୍ର ‘ବିରୋଧ’ ଅସଙ୍ଗତ ନଥିଲେ ସୁଦ୍ଧା ଶୁଣିବା ସଙ୍ଗେ ସଙ୍ଗେ ବିରୋଧ ଜଣାଯାଏ, ସେହିଠାରେ ବିରୋଧାଭାଷ ନାମକ ଅଳଙ୍କାର ବୋଲି ଧରାଯାଏ ।)
୧ମ ପଦ ବିରୋଧାର୍ଥ :-ବର୍ଷାକାଳ ପ୍ରକାଶିତ ହେବାରୁ ଏହି ଜଗତର ସମସ୍ତ ଅଂଶରେ ଶୋଭା ବିଞ୍ଚି ହୋଇଗଲା । ଅର୍ଥାତ୍ ଜଳ ସ୍ଥଳ ଆକାଶ ସମସ୍ତେ ସୁନ୍ଦର ଦେଖାଗଲେ ଏବଂ ଭୟଙ୍କର ମଧ୍ୟ ଦେଖାଗଲା । ମତ୍ତହସ୍ତୀ ସିଂହକୁ ଗ୍ରାସ କରିବାରୁ ସିଂହ ଆନନ୍ଦରେ ପ୍ରାଣତ୍ୟାଗ କଲା । କାଳିକା ଠାକୁରାଣୀ ମହିଷାସୁରର ଦୁଃଖ ହରଣ କରି ତାକୁ ଆନନ୍ଦ ଦାନକଲେ । ( ଯେ ସୁନ୍ଦର ସେ ଭୟଙ୍କର ହୋଇନପାରେ । ହାତୀ, ସିଂହକୁ ଗିଳିପାରେ ନାହିଁ କି ମରୁଥିବା ପ୍ରାଣୀ ଆନନ୍ଦିତ ହୁଏ ନାହିଁ ଏବଂ କାଳୀ ମହିଷାସୁରର ଦୁଃଖ ନାଶକରି ତାକୁ ସୁଖ ଦେଇନଥିଲେ । ଏହି ସବୁ ବିରୋଧ କଥା କବି ପ୍ରକାଶ କଲେ ଓ ପ୍ରତ୍ୟେକ ପଦରେ ଏହିପରି କରିବେ । ଏହାକୁ ଲକ୍ଷ୍ୟ ରଖି ପ୍ରକୃତାର୍ଥ କିପରି ବିରୋଧ ଶୂନ୍ୟ ହେଉଅଛି, ଅନୁସନ୍ଧାନ କରିବା ପାଇଁ ‘ବିରୋଧାଭାଷା ପ୍ରକଟାଇ କବିରେ’ ଛାନ୍ଦ ପ୍ରଥମରେ ପ୍ରକାଶ କରି ଅଛନ୍ତି) ।
୨ୟ ପଦ :-ବିଜନିତ - ଜାତ । ଶ୍ୱାନ - କୁକୁର, ଶବ୍ଦ । ଅବିରତେ - ମେଷଠାରେ ରତହୋଇ, ସର୍ବଦା । ଶରଭ - ଅଷ୍ଟପଦବିଶିଷ୍ଟ ମୃଗ । ଦ୍ୱିଜବ୍ରଜର - ବ୍ରାହ୍କଣମାନଙ୍କର, ପକ୍ଷୀମାନଙ୍କର । କଚକେ - କମଣ୍ଡଳୁ, କୁଆପଥରରେ । ବୃଦ୍ଧଶ୍ରବାର - ଇନ୍ଦ୍ରଙ୍କର । ବାଣାସନ - ବାଣରେ ଭକ୍ଷଣ, ଧନୁ । ନାକରେ - ସ୍ୱର୍ଗରେ, ଆକାଶରେ ।
୨ୟ ପଦ :- ପ୍ରକୃତାର୍ଥ –‘ଘନାଘନ’ ହଠାତ୍ ବର୍ଷା କରିବା ଉପଯୋଗୀ ମେଘ ଚାରିଆଡ଼େ ଘୋଟିବାରୁ ନିଜେ (ସେହି ଘନ ଘନ ସୁନ୍ଦର ଦେଖାଗଲା । ଅର୍ଥାତ୍ ତାର ରୂପର ମାଧୁରୀ ଲୋକମାନଙ୍କ ମନରେ ଆନନ୍ଦ ଆଣିଦେଲା । ଦିଗମାନେ ଭୟଙ୍କର ଦେଖାଗଲା । ଅର୍ଥାତ୍ ଅନ୍ଧାର ବ୍ୟାପିଯିବାରୁ ଲୋକମାନେ କେଉଁ ଦିଗକୁ ଯିବେ ବା ଯାଉଛନ୍ତି ଠିକ୍ କରିନପାରି ଭୀତ ହେଲେ । ସେହି ସାନ୍ଦ୍ର ମେଘ ଚନ୍ଦ୍ରଙ୍କୁ ବା ସୂର୍ଯ୍ୟଙ୍କୁ ଗ୍ରାସକଲା, ଘୋଡ଼ାଇ ପକାଇଲା) ଏବଂ ଅତିଶୟ ଆନନ୍ଦରେ ଜଳ ବିସର୍ଜନ କଲା (ବର୍ଷିଲା) । ଦୈବବଶରୁ ଅଥବା ବିଧାତାର ନିୟମାନୁସାରେ ‘କାଳିକା’ ମେଘ ବର୍ଷିବାରୁ ମଇଁଷିମାନଙ୍କର ଦୁଃଖ ନାଶ ହେଲା ଓ ସେମାନେ ଆନନ୍ଦିତ ହେଲେ ।
୨ୟ ପଦ :- ବିରୋଧାର୍ଥ :-ବର୍ଷା ହେବାରୁ କୁକୁର ମେଣ୍ଢୀ ସହ ରତି କରି ଯେଉଁ ଖଚଡ଼ ଜୀବ ଜନ୍ମକଲା ଅଥବା ଯେଉଁ ‘ବି’ ପକ୍ଷୀ ଜନ୍ମକଲା ସେ ଅଷ୍ଟାଦଶ ମୃଗ ବା ଗଧକୁ ଚମକାଇଲା । ପୁଣି ସେହି ଜୀବ ବା ପକ୍ଷୀ କମଣ୍ଡଳୁଦ୍ୱାରା ବ୍ରାହ୍ମଣମାନଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା ଏବଂ ଆଉଥରେ ରୋହି ମାଛର ରୂପ ଧାରଣ କରି ଜନ୍ମ ହୋଇ ଇନ୍ଦ୍ରଙ୍କର ‘ବାଣ’ ଇନ୍ଦ୍ର ତାହା ପ୍ରତି ମାରୁଥିବା ଶରକୁ ଖାଇ ସ୍ୱର୍ଗରେ ନାନାରଙ୍ଗରେ ବିହାର କରିବାକୁ ଲାଗିଲା ।
୨ୟ ପଦ :- ପ୍ରକୃତାର୍ଥ :-ମେଘ ବର୍ଷିବା ସଙ୍ଗେ ସଙ୍ଗେ ଅନବରତ ଘଡ଼ଘଡ଼ି ଶବ୍ଦ ପ୍ରକାଶିତ ହେବାରୁ ‘ଶରଭ’ ଅଷ୍ଟାପଦ ମୃଗ କମ୍ପିବାକୁ ଲାଗିଲା । ଅଥବା ସେହି ଶବ୍ଦ ଶୁଣି ଗଧ ଚମକିବାକୁ ଲାଗିଲା । ପୁଣି ସେହି ମେଘରୁ କୁଆପଥର ବୃଷ୍ଟି ଆରମ୍ଭ ହେବାରୁ ପକ୍ଷୀମାନେ ଆଘାତ ପାଇ ବହୁ କଷ୍ଟ ପାଇଲେ । ଅଥବା ଭିକ୍ଷା ମାଗି ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଫେରୁଥିବା ବ୍ରାହ୍ମଣମାନେ କଷ୍ଟ ପାଇଲେ । ଇନ୍ଦ୍ରଧନୁ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ରୋହିତ ରୂପକୁ ଧାରଣ କରି (ନାନା ବର୍ଣ୍ଣରେ ରଞ୍ଜିତ ହୋଇ) ଆକାଶରେ ନାନା ରଙ୍ଗରେ (କେତେବେଳେ ବକ୍ର ବା କେତେବେଳେ ରୁଜୁଭାବରେ) ବିହାର କଲା ।
୩ୟ ପଦ :-
ପଦ :- ସ୍ଥାନ । ଚଞ୍ଚଳା-ଲକ୍ଷ୍ମୀ, ବିଦ୍ୟୁତ୍ । ବିଷକଣ୍ଠ-ମହାଦେବ, ବକ ଓ ଚାତକ । କୁଳିଶ-ବଜ୍ର । ଗିରିଜା-ପାର୍ବତୀ; ପର୍ବତ ଦେହସ୍ଥିତ ଶୃଙ୍ଗ ଓ ବୃକ୍ଷଲତାଦି । ସଂଘାତି-ବିନଷ୍ଟ । ସୁମନା-ପଣ୍ଡିତା ସ୍ତ୍ରୀ’ ଜାଈଲତା । ମଧୁପ-ମଦ୍ୟପାୟୀ ଭ୍ରମର ।
୩ୟ ପଦ :- ବିରୋଧାର୍ଥ :- ‘ବିଷ୍ଣୁ’ ଏହି ପଦ ଲୋପ ହେବାରୁ ଲକ୍ଷ୍ମୀ ନିଜର ଶୋଭା ପ୍ରକାଶ କରି ଏଣେ ତେଣେ ବୁଲିବାକୁ ଲାଗିଲେ । ପାର୍ବତୀ ‘କୁଳିଶ’ ନାମକ ମାଛଦ୍ୱାରା ଆଘାତପ୍ରାପ୍ତ ହେବାରୁ ମହାଦେବ ମନସୁଖରେ ବୁଲିବାକୁ ଲାଗିଲେ । ଏହି କଥା ଦେଖି ଅନ୍ୟ ତପସ୍ୱୀମାନେ ଅଥବା ଯୋଗୀମାନେ ଦୁଃଖିତ ହେଲେ ନାହିଁ । କୁଳୀନ ଘରର ସ୍ତ୍ରୀମାନେ ରଜୋବତୀ ହୋଇ ମଦୁଆଙ୍କ ମନକୁ ମୋହିତ କଲେ (ତାଙ୍କ ସଙ୍ଗେ ରତି କଲେ) ।
୩ୟ ପଦ :- ପ୍ରକୃତାର୍ଥ :- ଆକାଶ ମେଘଦ୍ୱାରା ଆଚ୍ଛନ୍ନ ହେବାରୁ (ଦେଖା ନ ଯିବାରୁ) ବିଜୁଳି ନିଜର ତେଜ ପ୍ରକାଶ କରି ଖେଳିଲା । ଚାତକମାନେ ଆନନ୍ଦରେ ବିହାର କଲେ । ‘ଗିରିଜା’ ପର୍ବତରେ ଜନ୍ମିଥିବା ଶୃଙ୍ଗ କିମ୍ବା ବୃକ୍ଷଲତା ପ୍ରଭୃତି ବଜ୍ରାଘାତରେ ବିନଷ୍ଟ ହେଲେ । ଅଥବା ‘ଗିରିଜା’ ଗିରି ନଦୀ ସବୁ ନାନାପ୍ରକାର ମାଛରେ ପୂର୍ଣ୍ଣହୋଇ ଯିବାରୁ ବଗମାନେ ଆନନ୍ଦରେ ନଦୀ ମଧ୍ୟରେ ବୁଲିବାକୁ ଲାଗିଲେ । ଏହି ବର୍ଷାକାଳକୁ ଦେଖି ‘ଯୋଗିଏ’ ସ୍ତ୍ରୀ ସହ ଏକତ୍ର ବାସ କରୁଥିବା ଲୋକମାନେ ଦୁଃଖିତ ହେଲେ ନାହିଁ, (କିନ୍ତୁ ବିଯୋଗିମାନେ ଦୁଃଖିତ ହେଲେ) । ଜାଈ ଓ ମାଳତୀ ଲତାଗୁଡ଼ିକ ପୁଷ୍ପିତା ହୋଇ ଭ୍ରମର ମନକୁ ମୋହିତ କଲେ ।
୪ର୍ଥ ପଦ :- ବ୍ରହ୍ମପୁତ୍ର - ନାରଦ ବା ବଶିଷ୍ଠ, କାଳକୂଟ ବିଷ । ବିଚ୍ଛେଦୀ - ଦୁଇ ବା ତତୋଽଧିକ ଖଣ୍ଡରେ ହଣା ହୋଇଥିବା ଲୋକ, ବିସୋରୀ । ବିଚାରି - ଦେବତାମାନେ । ବିସରିଲେ - ପାସୋରିଲେ । ଅଗତି - ଅମୁକ୍ତି; ଅସ୍ତବ୍ୟସ୍ତ । ସଦାଗତି - ବାୟୁ । ବିଟପ - ବିଟପୁରୁଷ, ପତ୍ର । ସୁମନରେ - ଆନନ୍ଦରେ, ପୁଷ୍ପରେ । ଗଣିକାପନ୍ତି - ବେଶ୍ୟାମାନେ, ଯୁଇଲତାମାନେ ।
୪ର୍ଥ ପଦ :- ବିରୋଧାର୍ଥ :-ହଣାହୋଇଥିବା ଲୋକମାନେ ନାରଦ ବ ବିଶିଷ୍ଠ ମହର୍ଷିଙ୍କୁ ଖାଇବାକୁ ଇଚ୍ଛାକଲେ । ଦେବତାମାନେ ଅତି ଆନନ୍ଦିତ ମନରେ ବାଟୋଇମାନଙ୍କର ‘ପଦ’ ସ୍ତୁତିବାକ୍ୟଗୁଡ଼ିକୁ (ବାଟୋଇମାନେ ନିଜ ନିଜର ଇଷ୍ଟଦେବତାମାନଙ୍କୁ ସର୍ବଦା ନିରାପଦରେ ଫେରିଯିବା ପାଇଁ ସ୍ତୁତି କରୁଥାନ୍ତି, କିନ୍ତୁ ବର୍ଷାକାଳ ହେବାରୁ ସେମାନେ ଶୋଇପଡ଼ିବାରୁ) ଆଉ ଶୁଣିଲେ ନାହିଁ । ଅଥବା ‘ବିଚାରି’ ଆକାଶ ଭ୍ରମଣକାରୀ (ବିଷ୍ଣୁ) ‘ପଥିକ’ ଭଜନ ମାର୍ଗରେ ନିରତ ବୈଷ୍ଣବମାନଙ୍କର ‘ପଦ’ ସ୍ଥାନ (ମୁକ୍ତି)କୁ ଆନନ୍ଦିତ ମନରେ ଉତ୍ପନ୍ନ କରନ୍ତେ - ଅର୍ଥାତ୍ ସେମାନଙ୍କୁ ଉତ୍କୃଷ୍ଟସ୍ଥାନ ଦେବାକୁ ଇଚ୍ଛା କରନ୍ତେ, ସେମାନେ ‘ବିସରିଲେ’ ମଲେ । ‘ଅଗତି’ ଚାଲି ନ ପାରିବା ଲୋକମାନେ (ଛୋଟାମାନେ) ସେହି ସମୟରେ ଭାର କିମ୍ବା ବୋଝ ବହି ସବୁବେଳେ ଯିବାକୁ ଲାଗିଲେ । ଜାର ପୁରୁଷମାନେ ମରି ଯିବାରୁ ବେଶ୍ୟାମାନେ ଆନନ୍ଦ ମନରେ ଦିନ ରାତି ହସିବାକୁ ଲାଗିଲେ ।
୪ର୍ଥ ପଦ :- ପ୍ରକୃତାର୍ଥ :- ଏହି ସମୟରେ ବିରହୀ ଲୋକମାନେ ବ୍ରହ୍ମପୁତ୍ର ନାମକ ବିଷ ଖାଇବାକୁ ଇଚ୍ଛାକଲେ, ବାଟୋଇମାନେ କିପରି ଶୀଘ୍ର ଘରକୁ ଯିବେ - ଏହିକଥା ବିଚାରି ମନେ ମନେ ଅତିଶୟ ଆନନ୍ଦିତ ହୋଇ ‘ପଦ’ ବାଟ ଭୁଲିଲେ ଅଥବା ସରିଗଲା ବୋଲି ମନେକଲେ । ଅଥବା ନିଜ ନିଜର ସ୍ତ୍ରୀକୁ ମନେ ମନେ ବିଚାରି ଅତିଶୟ ଆନନ୍ଦିତ ହେବାରୁ ‘ପଦ’ ମୁଁ ବାଟୋଇ ଏ କଥାକୁ ପାଶୋରିଲା । ପବନ ସେହି ସମୟରେ ବହି ଲୋକମାନଙ୍କର ଯିବା ଆସିବା ବନ୍ଦ କରିଦେଲା । ଯୁଇ ଗଛମାନଙ୍କରୁ ପତ୍ରସବୁ ଝଡ଼ି ପଡ଼ିଲେ ଏବଂ ସେମାନେ ପୁଷ୍ପ ମଣ୍ଡିତ ହୋଇଥିବାରୁ ଦିନରାତି ସବୁବେଳେ ହସୁଥିଲା ପରି ଦେଖାଗଲେ ।
୫ମ ପଦ :- କକୁଭ - ଅର୍ଜ୍ଜୁନଗଛ ଓ କଦମ୍ବଗଛ । କକୁଭ - ଦିଗସମୂହ । ରଭସେ - ବେଗରେ, ସଙ୍ଗେ ସଙ୍ଗେ । ଉଡ଼ପ - ଭେଳା । ପୁଷ୍କରେ -ଜଳରେ, ଆକାଶରେ । ଉଡ଼ୁପ - ଚନ୍ଦ୍ର । ବରହୀ - ମୟୁର । ବନେ - ଜଳରେ । ବରହି - ବନାଗ୍ନି ।
୫ମ ପଦ :- ବିରୋଧାର୍ଥ :- ‘କକୁଭକଦମ୍ବ’ ଦିଗମାନେ ନର୍ମଳ ଦେଖାଗଲେ ଏବଂ ସଙ୍ଗେ ସଙ୍ଗେ ସେହି ‘କକୁଭକଦମ୍ବ’ ଦିଗମାନେ ମଳିନ ହେଲେ । ‘ପୁଷ୍କରେ’ ଆକାଶରେ ‘ଉଡ଼ୁପ’ ଚନ୍ଦ୍ର ପ୍ରକାଶିତ ହେଲେ ଏବଂ ସେହି ପୁଷ୍କରେ ଆକାଶରେ ଉଡ଼ୁପ’ ଚନ୍ଦ୍ର ଦେଖାଗଲାନାହିଁ । ମୟୁରମାନେ ପୁଚ୍ଛ ଟେକି ବନରେ ନୃତ୍ୟ କଲେ । ପୁଣି ସେହି ସମୟରେ ବନରେ ମୟୁର ପୁଚ୍ଛଯାକ ସମସ୍ତ ପ୍ରକାରେ ଅର୍ଥାତ୍ ଭାଙ୍ଗି, ଛିଣ୍ଡି ବା ଖସିପଡ଼ି ନଷ୍ଟହେଲେ ।
୫ମ ପଦ :- ପ୍ରକୃତାର୍ଥ :- ବର୍ଷାକାଳ ଆସିବାରୁ କଦମ୍ବ ଓ ଅର୍ଜ୍ଜୁନ ବୃକ୍ଷମାନେ ପରିଷ୍କୃତ ଦେଖାଗଲେ ଅର୍ଥାତ୍ ନୂତନ ପତ୍ର ଓ ଫୁଲରେ ମଣ୍ଡିତହୋଇ ସୁନ୍ଦର ଦେଖାଗଲେ । ଦିଗମାନେ ମେଘାଚ୍ଛନ୍ନ ହୋଇ ମଳିନ ଦେଖାଗଲେ । ‘ପୁଷ୍କରେ’ ଜଳରେ ‘ଉଡ଼ୁପ’ ଭେଳାସବୁ ଭାସିଲେ । ଚନ୍ଦ୍ର ଆଉ ଆକାଶରେ ଦେଖା ଦେଲେ ନାହିଁ । ମୟୁରମାନେ ପୁଚ୍ଛ ଟେକି ବନରେ ନୃତ୍ୟ କଲେ । ଖରା ସମୟରୁ ବନରେ ବ୍ୟାପ୍ତହୋଇ ଜଳୁଥିବା ବନଅଗ୍ନିଶିଖା ଚାରିଆଡ଼ୁ ବାଧା ପାଇ ସେହି ବନରେ ସଂପୂର୍ଣ୍ଣରୂପେ ନଷ୍ଟ ହେଲା ।
ବାହାରୁ କନ୍ଦଳୀ ଭକ୍ଷିଲେ କନ୍ଦଳୀ ହୋଇ ଅତିଶୟ ଲାଳସ ।ବିପୁଳ କାମଦର ଦୂର ନୋହିଲା କାମେ ଦରଦୁର ହରଷ ।ବର କୋଳରେ । ବସି ଗନ୍ଧବତୀ ଶୋଭନ ।ବର କୋଳରେ ଗନ୍ଧବତୀ ଅଶୋଭା ସହଜେ ହୋଇଲା ଜନନ।୬ ।ବିଯୋଗୀ ସାରସେ ସଂଯୋଗୀ ସାରସେ ହୋଇ ଯେ ରହିଲେ ସରସୀ ।ବିଗତ ହେଲେ ଦିନଚକ୍ର ଆଗତ ହୋଇଲେ ଦୀନଚକ୍ର ଆସି ।ବାଳିନାଶନ ! ବାଳୀପ୍ରୀତିମନ୍ତ ଶ୍ରବଣ ।ବନଦନିନଦ କରୁ ପଚାରିଲେ ଶୁଣ ସୁଲକ୍ଷଣ ଲକ୍ଷ୍ମଣ।୭ ।ବୋଲେ ଘଟ ଘଟ କେଉଁ ଘଟକାର ଏହି କି ଘଟ ଘଟ ନେବ?ବିଦୁର ଧନ ଯାହାର ତାକୁ ଘୋଟ ଲଗାଇ କି କଲା ଦଇବ ।ବୁଲେ ତା ଚାର ! ବୃତ୍ତ ଏଣୁ କାଳ କଣ୍ଟକେ ।ବେଭାରେ ମୁଁ ବୋଲି ଚିହ୍ନ ନ ପାରିଟି ପୁଚ୍ଛନ୍ତି କୋବା କୋବା ଡାକେ। ୮ ।ବଳାତ୍କାରେ ଘଟ ଘେନିଲେ ଅଛି ତ ମନ୍ଦେ ମନ୍ଦେ ଭଲ କଷ୍ଟୁ ଚରଣେ ।ବାର୍ତ୍ତା ପାଇ ପ୍ରାଣେଶ୍ୱରୀ ଅନୁସରି ସୁଗତି ଅଛି ତା ଚରଣେ ।ବନ୍ଧୁ ସେ ପୁଣି ! ବାରିଦାନ ନେତ୍ରୁ କରଣେ ।ବାକ୍ୟ ହା ନାଥ ଯୁକ୍ତେ ହେବ ସୁଗତି ଧାତା ବନ୍ଦିବା ଏ କାରଣେ। ୯ ।ବାହାରି ପର୍ଣ୍ଣବାସୁ ଚାହିଁ ବୋଇଲା ବିଭ୍ରମେ ସରାବୁଁ ରାବଣ ।ବୈଦେହୀ ହରଣେ ଜଟାୟୁ ମାରଣେ ଗରୁଡ଼ ଡରେ ପକ୍ଷୀଗଣ ।ବେଢ଼ିଛନ୍ତି ଯେ ! ବିକାଶି କେ ଶିଖା କେ ଡାକେ ।ବସିଣ ମରୁତରଥେ ଶର ବୃଷ୍ଟି କରେ ଯୁକ୍ତ ହୋଇ କାର୍ମୁକେ।୧୦ ।
୬ଷ୍ଠ ପଦ :- କନ୍ଦଳୀ - ଏକକଜାତୀୟ ଘାସ । କନ୍ଦଳୀ - ମୃଗ । କାମଦର - କାମଭୟ । ଦରିଦୁର (ଦର୍ଦୁର) - ଭେକ । ବର କୋଳରେ - ମନୋହର ଭେଳାରେ, କାନ୍ତ କୋଳରେ । ଗନ୍ଧବତୀ - କେଉଟୁଣୀ, ଅନୁଲିପ୍ତା ରମଣୀ । ବରକୋଳରେ - ବରାହଶ୍ରେଷ୍ଠମାନଙ୍କରେ । ଗନ୍ଧବତୀ - ପୃଥିବୀ ।
୬ଷ୍ଠ ପଦ :- ବିରୋଧାର୍ଥ :- କନ୍ଦଳୀମାନେ ବାହାରୁ ବାହାରୁ ସେହି କନ୍ଦଳୀମାନେ ଲୋଭ ପରବଶ ହୋଇ ସେମାନଙ୍କୁ ଖାଇଗଲେ । ଅତି ଭୀଷଣ କନ୍ଦର୍ପର ଭୟ ଦୂରହେଲା ନାହିଁ, କିନ୍ତୁ କନ୍ଦର୍ପଠାରେ ଥିବା ଭୟ ଦୂର ହୋଇ ଆନନ୍ଦ ଜାତ ହେଲା । ଗନ୍ଧବତୀ ବର କୋଳରେ ବସି ଶୋଭାପାଇଲା । ଗନ୍ଧବତୀ କୋଳରେ ବସିବାରୁ ସ୍ୱାଭାବିକ ଅସୁନ୍ଦରତା ପ୍ରକାଶ ପାଇଲା ଅର୍ଥାତ୍ କୁତ୍ସିତ ଦେଖାଗଲା ।
୬ଷ୍ଠ ପଦ :- ପ୍ରକୃତାର୍ଥ :- ‘କନ୍ଦଳୀ’ ଏକ ପ୍ରକାର ଘାସରୁ ବାହାରୁ ବାହାରୁ ମୃଗମାନେ ଅତିଶୟ ଆନନ୍ଦରେ ସେମାନଙ୍କୁ ଖାଇଲେ । କଷ୍ଯଦାୟକ କନ୍ଦର୍ପ ଭୟ ଦୂର ହେଲାନାହିଁ । ବେଙ୍ଗମାନେ ଆନ୍ଦିତ ହୋଇ ରଡ଼ି କରିବାରେ ଲାଗିଲେ । ରସିକା ରମଣୀମାନେ କାନ୍ତ କୋଳରେ ବସି ନିଜର ସୌଭାଗ୍ୟ ପ୍ରକାଶ କଲେ । ଅଥବା ‘ଗନ୍ଧବତୀ’ ଆମିଷଗନ୍ଧିନୀ କେଉଟୁଣୀମାନେ ‘ବରକୋଳ’ ଭଲ ଭଲ ଭେଳା (ଡଙ୍ଗା)ମାନଙ୍କରେ ବସି ଅତିସୁନ୍ଦର ଦେଖାଗଲେ । ‘ବରକୋଳରେ’ ବଡ଼ ବଡ଼ ବରାହମାନଙ୍କର ‘ଗନ୍ଧବତୀ’ ପୃଥିବୀ ସ୍ୱାଭାବିକ ଅସୁନ୍ଦର ଦେଖାଗଲା । (ସେମାନେ ଓଦାମାଟିକୁ ଅନାୟାସରେ ଦାନ୍ତଦ୍ୱାରା ଖୋଳି ପୃଥିବୀକୁ ଅସୁନ୍ଦର କରିପକାଇଲେ ।
୭ମ ପଦ :- ସାରସ-ହଂସ । ସାରସ-ପଦ୍ମ । ସାରସ- ପୁଷ୍କରିଣୀ । ଦୀନଚକ୍ର -ଦିନସବୁ । ଦିନଚକ୍ର-ଦୁଃଖିତ -ଚକ୍ରବାକ ପକ୍ଷୀ । ବାଳିନାଶନ - ବାଳିନାଶକ । ବାଳିପ୍ରୀତିମନ୍ତ-ସ୍ତ୍ରୀଠାରେ ଅତିଶୟ ଅନୁରକ୍ତ । ବନଦ ନିନଦ-ମେଘଧ୍ୱନି ।
୭ମ ପଦ :- ବିରୋଧାର୍ଥ :- ପୁଷ୍କରିଣୀମାନେ ପଦ୍ମଶୂନ୍ୟ ହେଲେ ଏବଂ ସେହି ପୁଷ୍କରିଣୀମାନେ ପଦ୍ମରେ ପୂର୍ଣ୍ଣ ହୋଇ ରହିଲେ । ଦୁଃଖୀମାନେ ମଲେ ପୁଣି ଦୁଃଖୀମାନେ ଆସିଲେ । ବାଳି ନାଶକାରୀ ରାମ ପୁଣି ବାଳିଠାରେ ସ୍ନେହ ପ୍ରକାଶ କରି ମେଘଗର୍ଜନ ଶ୍ରବଣ କରୁ କରୁ ସୁଲକ୍ଷଣ ଲକ୍ଷ୍ମଣଙ୍କୁ ପଚାରିଲେ ।
୭ମ ପଦ :- ପ୍ରକୃତାର୍ଥ :- ପୁଷ୍କରିଣୀଗୁଡ଼ିକ ପଦ୍ମଶୁନ୍ୟ ହେଲେ ଅର୍ଥାତ୍ ସେଗୁଡ଼ିକ ଜଳପୁର୍ଣ୍ଣ ହେବାରୁ ପଦ୍ମମାନେ ପଚି ସଢ଼ି ଯାଇ ନଷ୍ଟ ହେଲେ ଅର୍ଥାତ୍ ସାରସପକ୍ଷୀମାନଙ୍କଦ୍ୱାରା ପୂର୍ଣ୍ଣ ହେଲେ । ‘ଦିନଚକ୍ର’ ଦିନସବୁ ନଷ୍ଟ ହେଲେ ଅର୍ଥାତ୍ ମେଘ ଘୋଡ଼ାଇବାରୁ ଅନ୍ଧାରୁଆ ଦେଖାଗଲେ । ଆଗତ ଚକ୍ରବାକ ପକ୍ଷୀମାନେ ପ୍ରଥମରୁ ଦୁଃଖୀ ହେଲେ, ଅର୍ଥାତ୍ ଚକ୍ରବାକ ପକ୍ଷୀମାନେ ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବାକୁ ଲାଗିଲେ । ବାଳି ବିନାଶକର୍ତ୍ତା ରାମଚନ୍ଦ୍ର ମେଘ ଘଡ଼ଘଡ଼ି ଶ୍ରବଣ କରୁ କରୁ ସୀତାଙ୍କ ପ୍ରତି ସ୍ନେହୀ ହୋଇ ଅର୍ଥାତ୍ ତାଙ୍କୁ ସ୍ମରଣ କରି ଶ୍ରୀମାନ ଳକ୍ଷ୍ମଣ ଏ କଣ ଶୁଭୁଛି ?’ ବୋଲି ପଚାରିଲେ ଏବଂ କହିଲେ ତୁମ୍ଭେ ଶୁଣ, ଏ ଜଣେ କୌଣସି ଘଟନା ଘଟାଇବା ବ୍ୟକ୍ତି, ଘଟ ଘଟ- ଅର୍ଥାତ୍ ହେ ଘଟନା ତୁ ଘଟ ବୋଲି କହୁଛି, ଏ କଣ ମୋର ‘‘ଘଟ’’ ଦେହରୁ ତ ‘‘ଘଟ’’ ପ୍ରାଣ ନେବ କି ? ଯାହାର ‘ଧନ’ ସ୍ତ୍ରୀ ନିକଟରେ ନାହିଁ, ତାଙ୍କୁ ଘୋଟ ଆକ୍ରମଣ କର ବୋଲି କହି ଦଇବ ଏହାକୁ ଲଗାଇ ଦେଇ କି କଲା ! ଏଣୁ ସେହି ଘଟନା ଘଟନକାରୀର ଚାର ଡାହୁକମାନେ ଚାରିଆଡ଼େ ବ୍ୟାପି ବୁଲୁଛନ୍ତି । ଅର୍ଥାତ୍ ବିରହୀମାନଙ୍କୁ ଚାରିଆଡ଼େ ଖୋଜି ବୁଲୁଛନ୍ତି । ପ୍ରକୃତରେ ମତେ ବିରହୀ ବୋଲି ଚିହ୍ନି ନ ପାରି ‘କୋବା କୋବା’’ କିଏ ପ୍ରିୟାବିଯୋଗୀ, କିଏ ପ୍ରିୟାବିଯୋଗୀ ବୋଲି ଡାକି ପଚାରୁଅଛନ୍ତି ।’’
୯ମ ପଦ :- ଏହି ଘଟକାର ବଳତ୍କାରରେ ଜୀବନ ନେଲେ ମନ୍ଦ ହେଲେ ମଧ୍ୟ ଭଲ ହେବ । କାରଣ କଷ୍ଟରୁ ତରିଯିବ, ପୁଣି ପ୍ରାଣେଶ୍ୱରୀ ସୀତା ମୁଁ ମରିଯିବା ସମ୍ବାଦ ପାଇଲେ ମଧ୍ୟ ମୋର ଭଲ ହେବ । କାରଣ ତାହାର ପାଦତଳକୁ ମୋରୁ ସୁଗତି ଅନୁସରି ଅଛି ଏବଂ ସେ ମୋର ବନ୍ଧୁ । ସେ ଯଦି ତାର ଚକ୍ଷରୁ ଜଳଦାନ କରି ‘‘ହା ନାଥ’’ ଏହି ବାକ୍ୟ ସହିତ ଯୋଗ କରିବି, ତାହେଲେ ମୋର ଉତ୍ତମଗତି ହେଲା ଅର୍ଥାତ୍ ସେ ମୋତେ ଲୋତକରୂପ ତର୍ପଣଜଳ ଦାନ କରି ତୃପ୍ତ କରିବ, ଏଣୁ ମୁଁ ପିତୃଲୋକରେ ସ୍ଥାନ ପାଇବି, (ପିତୃ ତର୍ପଣ କର୍ତ୍ତାମାନେ ତର୍ପଣ ଜଳକୁ ପିତୃମାନଙ୍କ ନାମ ଉଚ୍ଚାରଣ କରି ଦାନ କରନ୍ତି ଏବଂ ତାଙ୍କର ପିତୃମାନେ ତୃପ୍ତ ହୋଇ ପିତୃ ଲୋକରେ ବାସ କରନ୍ତି । ଅତଏବ ବିଧାତାଙ୍କୁ ସ୍ତୁତି କରିବା ଦରକାର ।’’
୧୦ମ ପଦ :- ପର୍ଣ୍ଣବାସୁଁ - ପତ୍ରକୁଡ଼ିଆରୁ । ମରୁତରଥେ - ପବନରୁପ ରଥରେ ।
୧୦ମ ପଦ :- ପବନ ଯୋଗୁଁ ମେଘମାନେ ସଂଚାଳିତ ହେଉଛନ୍ତି, ଆକାଶରେ ଇନ୍ଦ୍ରଧନୁ ପଡ଼ିଅଛି, ମୟୁର ନୃତ୍ୟ କରୁଅଛି, ଡାହୁକ ଡାକୁଛି ଏବଂ ମେଘ ଗର୍ଜନ କରି ବର୍ଷୁଅଛି । ଏହି ସମୟରେ ରାମ ପତ୍ରକୁଟୀରରୁ ବାହାରି ଉପରକୁ ଚାହିଁବାମାତ୍ରେ ମେଘ ଗର୍ଜନ ଶୁଣି ଭ୍ରମବଶତଃ କହିଲେ, ‘‘ଏ ରାବ କରୁଛି, ଅତଏବ ରାବଣ କି ? (ରାବଣ ଜନ୍ମ ହେବା ସମୟରେ ଘୋର ରାବ କରୁଥିବାର ତାର ନାମ ରାବଣ ଦିଆଯାଇଥିଲା) । ସୀତାଙ୍କୁ ଚୋରାଇ ନେଇ ଯିବାବେଳେ ଜଟାୟୁକୁ ମାରିବାକୁ ଗରୁଡ଼ ଭୟରେ ପକ୍ଷୀମାନେ ଯୁଦ୍ଧ କରିବାକୁ ବେଢ଼ିଛନ୍ତି (ଜଟାୟୁ ଗରୁଡ଼ର ଭାଇ) । ସେମାନଙ୍କ ମଧ୍ୟରୁ କେହି(ମୟୁର) ପୁଚ୍ଛ ଟେକି ରହିଅଛି, କେହି (ଡାହୁକ) ଯୁଦ୍ଧ କରିବାକୁ ଡାକି ପକାଉଛି । ରାବଣ ମଧ୍ୟ ପବନ ରୂପ ରଥରେ ବସି ଧନୁ(ଇନ୍ଦ୍ରଧନୁରେ ଯୁକ୍ତ ହୋଇ (ଧରି)) ଜଳାଧାରାରୂପି ଶରବୃଷ୍ଟି କରୁଅଛି ।
ବାଳାକୁ ମୋର ଚରମେ ଲୁଚାଇଛି ନ ଦିଶେ ତେଣୁ ଶଶୀ ମୁଖ ।ବିଦ୍ୟୁତକାନ୍ତି ଦିଶି ନ ଦିଶି ଯାଉଛି ଅଙ୍ଗ ପ୍ରଚଳେ ତାର ଦେଖ ।ବାଣୀ କୋକିଳ ! ବହିଛି ଗଦ୍ଗଦ ଶୋକରୁ ।ବଢ଼ାଇ ସମର ଛଡ଼ାଇ ଘେନିବା ସାର ନାହିଁ ଏହା ବିଚାରୁ।୧୧ ।ବରଷା ହେଲାଣି ଘନ ନଭେ ଖେଳେ ଭାଷିଲେ ଶତ୍ରୁଘନ ଜ୍ୟେଷ୍ଠ ।ବିନତ ହେଲେ ଛାଡ଼ି ଦୂତ ହୁଅ ବୋଲିଣ ହୋଇ ହୃଷ୍ଟ ।ବାରିବାହ ହେ ! ବିନାସିଛ ଦଳବିକଳ ।ବନରାମର ମୁହିଁ ରାମ ବିନାଶ କାମାନଳତାପ ଚପଳ।୧୨ ।ବୀରହରେ କ୍ଷୀଣ ଭୀରୁମଣି ଧନ ନ ନିଅ ପ୍ରଖର ପବନ ।ବଜ୍ରପତନ ସ୍ତନିତ ନ କରିବ ପ୍ରବେଶ ହେବ ସନ୍ନିଧାନ ।ବାରିବାହ ହେ ! ବନ୍ଧୁ ନବାନୁଭବୀ ସତ ।ବୋଲିବ ଯେମନ୍ତେ ଶିବ ଶିବ ନିତ୍ୟେ ସେ ରୂପେ ମନାଇବ ଚିତ୍ତ।୧୩ ।ବୁଝାଅ ତୁ ପରା ପରାଣ କାନ୍ତର ତୋ ହତେ ସେ ତ ନ ଜୀଇଁବ ।ବରରସିକା ସ୍ନେହାଧୀନା ଏ ଶଙ୍କା ବହିଟି ଜୀବନେ ରହିବ ।ବାରିବାହ ହେ ! ବଚନେ ରଚିବି ଏତେକ ।ବିଚ୍ଛେଦେ ଅନେକ ଦିଶୁ ତୁ ତ ଏକ ଏ ପୁଣି କେଉଁ କଉତୁକ ?୧୪ ।ବୁଜୁଁ ନୟନ ଶୟନେ ଲୀଳାମାନ ଦିଶୀଯାଇ ତେଣୁ ତୋହର ।ବେଳ ତେତେକ ସୁଖ ଭୋଗ ଯେତେକ କଉତୁକ ଜାତୁଁ ମାତର ।ବାରିବାହ ହେ ! ବୋଲ ଦୁଃଖୀ ସଦା ନୋହିଲେ ।ବାହାରେ ତୋହର ଆହା କରିବାକୁ ସାହା ନାହିଁ ଯହୁଁ ଅଖିଳେ।୧୫ ।୧୧ଶ ପଦ:- ଶତ୍ରୁଘ୍ନ-ଜ୍ୟେଷ୍ଠ-ଲକ୍ଷ୍ମଣ । ବାରିବାହ-ମେଘ ।
୧୧ଶ ଓ ୧୨ଶ ପଦ :- ‘‘ମୋର ବାଳା ସୀତାକୁ ପଛଆଡ଼େ ଲୁଚାଇ ଅଛି । ତେଣୁ ତାର ମୁଖଚନ୍ଦ୍ର ଦେଖା ଯାଉନାହିଁ (ଚନ୍ଦ୍ର ମେଘ ଉଡାଡ଼ରେ ଲୁଚି ଯାଇଅଛି) । ସେହି ରାବଣ ସଂଚାଳିତ ହେଲେ କେତେବେଳେ ଅବା ଦିଶିଯାଉଛି ପୁଣି କାନ୍ଦୁଥିବାରୁ ତାର କୋକିଳ ସ୍ୱର ତୁଲ୍ୟ ସ୍ୱର ଗଦ୍ଗଦ ଶୁଣାଯାଉଛି, ଅତଏବ ଏତିକିବେଳେ ଯୁଦ୍ଧ କରି ସୀତାଙ୍କୁ ଘେନିଯିବା । ଏହାଠାରୁ ଉତ୍କୃଷ୍ଟ ସମୟ ଆଉ ମିଳିବ ନାହିଁ ।’’ ଏହିପରି ବିଚାର କରିବା ସମୟରେ ଶତ୍ରୁଘ୍ନଙ୍କର ବଡ଼ ଭାଇ ଲକ୍ଷ୍ମଣ କହିଲେ, ‘‘ବର୍ଷାକାଳ ଉପସ୍ଥିତ ହେବାରୁ ମେଘମାନ ଆକାଶରେ କ୍ରୀଡ଼ା କରୁଅଛନ୍ତି ।’’ ଏହା ଶୁଣି ପ୍ରଥମେ ମେଘ ଉପରେ ଜାତ ହୋଇଥିବା କ୍ରୋଧ ସମ୍ବରଣ କରି ରାମଚନ୍ଦ୍ର ଆନନ୍ଦ ମନରେ ବିନୀତ ଭାବରେ ମେଘକୁ ଦୂତ କରିବା ଇଚ୍ଛାରେ କହିଲେ,- ‘‘ହେ ମେଘ ! ତୁମ୍ଭେ ଯେପରି ‘ବନରାମ’ ବନବାସୀ ମୃଗମାନଙ୍କର ବନାଗ୍ନୀ ଜନିତ ବିକଳ ନାଶ କରିଅଛ, ସେହିପରି ମୁଁ ଗୋଟିଏ ବନବାସୀ ରାମ, ମୋର କାମାଗ୍ନୀଜନିତ ସଂତାପକୁ ବିନାଶ କର । (ଅର୍ଥାତ୍ ତୁମ୍ଭେ ଦୂତ ହୋଇ ପ୍ରିୟାକୁ ମୋର କଥା ଓ ମୋତେ ତାର କଥା ଶୁଣାଇଁ ଦୁଃଖ ମୋଚନ କରାଅ) ।’’
୧୩ଶ ପଦ :- ‘‘ମୋର ପ୍ରିୟା ବିରହରେ କ୍ଷୀଣ ହୋଇଥିବ । ସେ ପୁଣି ଅତିଶୟ ଭୟଶୀଳା ଅଟେ । ତୁମ୍ଭେ ପ୍ରବଳ ପବନକୁ ସଙ୍ଗରେ ନିଅନାହିଁ (ସେ ପବନରେ ଉଡ଼ିଯିବ) ବଜ୍ରାଘାତ ଓ ଗର୍ଜନ ମଧ୍ୟ କରିବ ନାହିଁ ( ଏହି ସବୁ ଶବ୍ଦ ଶୁଣି ସେ ଭୟ କରିବେ । ଧୀରେ ଧୀରେ ତୁମ୍ଭେ ନିକଟରେ ପ୍ରବେଶ କରିବ । ହେ ମେଘ ! ସେ ନୂଆ କରି ବିରହ ବିରହଦୁଃଖ ଅନୁଭବ କରୁଅଛି, ଏହାସତ୍ୟ । ସେ ପ୍ରତିଦିନ ଯେପରି ଶିବ ଶିବ ବୋଲିବ, ସେହିପରି ତାର ଚିତ୍ତକୁ ମନାଇବ । (ଶିବ ନାମ ଧଇଲେ କାମ ବାଧା ଦୂର ହୁଏ) ।’’
୧୪ ଶ ପଦ :- ବରରସିକା - ଉତ୍ତମ ରସିକା ।
୧୪ ଶ ପଦ :- ‘‘ହେ ମେଘ ! ତୁମ୍ଭେ ତାହା ନିକଟରେ ଉପସ୍ଥିତ ହୋଇ ତାକୁ ଏହି କଥା ବୁଝାଅ - ତୁ ପରା ବରର ଜୀବନ ଅଟୁ । ଅତଏବ ତୁ ମଲେ ସେ ଆଉ ଜୀଇବ ନାହିଁ । ଏହି କଥା ଶୁଣି ସେହି ଉତ୍ତମ ରସିକା ମୋର ସ୍ନେହର ଅଧୀନା ସୀତା ଭାବିବ, ହଁ ମତେ ତ ସେ ନିଜର ଜୀବନଠାରୁ ଅଧିକ ସ୍ନେହ କରନ୍ତି, ମୁଁ ମଲେ କାଳେ ସେ ମୋ ଚିନ୍ତାରେ ପ୍ରାଣତ୍ୟାଗ କରିବେ । ଏହି ଶଙ୍କା କରି ନ ମରି ବଞ୍ଚି ରହିବ । ମାତ୍ର ତୁମ୍ଭେ ଏତକ କଥା ନିଜେ ଫାନ୍ଦି କରି କହିବ (ମୁଁ କହି ପଠାଇଛି ବୋଲି କହିବ ନାହିଁ ) । ତୁ ତ ଜଣେ; ମାତ୍ର ଏହି ବିରହ ସମୟରେ ଅନେକ ପରି ବେଖାଯାଉଛୁ; ଏ ପୁଣି କି କୌତୁକ ? (ଏହା ମୁଁ କହିଛି ବୋଲି କହିବ) ।’’
୧୫ଶ ପଦ :- ‘‘ହେ ମେଘ ! ଶୀଘ୍ର ତା ନିକଟରେ ଉପସ୍ଥିତ ହୋଇ ଏହି କଥା କହ- ଶୟନକାଳରେ ଆକ୍ଷି ବୁଜିଲାକ୍ଷଣି ତୋର ପୂର୍ବ କୌତୁକ କଥାମାନ ଯେତେବେଳେ ସ୍ୱପ୍ନର ଦେଖାଯାଏ ସେହି ସ୍ୱପ୍ନଜନିତ ସୁଖ ଯେତିକି ସମୟ ହୃଦୟରେ ଆନନ୍ଦ ଦାନକରେ, ସେତିକି ସମୟ ମଧ୍ୟରେ ଯେ ସୁଖ ମିଳିବା କଥା ତା ମିଳେ । ଏଣୁ ସେ ସଦାଦୁଃଖୀ ନୁହଁନ୍ତି । (ମୋ ସ୍ୱପ୍ନ କାହିଁକି ତାଙ୍କ ସୁଖ ପ୍ରଦାନ କରୁଥିବ, ଅନ୍ୟ ଆଡ଼ୁ ମଧ୍ୟ ଅନୁଭବ କରି ପାରୁଥିବେ- ଏହି ଆଶଙ୍କା ସୀତାଙ୍କ ମନରେ ହୋଇପାରେ, ଏଣୁ କହୁଛନ୍ତି) ଅଖିଳ ବ୍ରହ୍ମାଣ୍ଡରେ ତୁମ୍ଭ ବ୍ୟତୀତ ‘ଆହା’ କରିବାକୁ ତାଙ୍କର ଆଉ କେହି ସାହା ନାହିଁ । (ତୁ ଏକମାତ୍ର ତାଙ୍କର ପ୍ରିୟା ଆଉ ଅନ୍ୟ କେହି ନାହିଁ ଏହି ଭାବ) ।
ବେଶ କରେ ମାନସିକେ କେଶ ବାନ୍ଧୁଁ ଅଳତା ଲେଖନ ପର୍ଯ୍ୟନ୍ତେ ।ବିଚାର ମାନସ ମୁଁ ପ୍ରିୟାର ଦାସ ସେବା ବିଘ୍ନ ନୋହେ ଯେମନ୍ତେ ।ବାରିବାହ ହେ ! ବିସ୍ମରିବ ନାହିଁ ଏ ବାଣୀ ।ବର୍ତ୍ତନ ରତିରତନ ଲେଖି ଦେବ ଭେଟେ ତରୁଣୀ ନୋହି ଋଣୀ।୧୬ ।ବିନିଦ୍ରେ ରଜନୀ ନିଏ ଯୋଗଧ୍ୟାନୀ ଜପେ ତୋ ନାମ ମନ୍ତ୍ର କରି ।ବାସରେ କ୍ଷୁଧା ନାହିଁ ଅନ ରୁଚିବ ଯେ ତୋ ଓଷ୍ଠ ସୁଧା-ଆହାନୀ ।ବାରିବାହ ହେ ! ବିନିମିଷ ନେତ୍ର କହିବ ।ବିଚିତ୍ର ଦର୍ପଣ ହେଲା ସେ ଅନ୍ତରେ ଧରିଛି ଟିକି ପ୍ରତିବିମ୍ବ।୧୭ ।ବିଗ୍ରହ ରମଣୀ ମୁହିଁ ଛାଇ ପୁଣି ନ ଛାଡ଼ଇ ଅନବରତ ।ବେଦବର ଭିନ୍ନ ଭିନ୍ନ କରାଇଲା ଅନ୍ଧାର କରାଇ ଜଗତ ।ବାରିବାହ ହେ ! ବିକାଶ ହୋଇ ନିଶି ଦିନ ।ବିଧୁମୁଖ ହାସ ଅରୁଣ ଅଧର ତାମ୍ବୁଳ କିରଣ ପ୍ରସନ୍ନ।୧୮ ।ବିଚ୍ଛେଦ ତମଗ୍ରସ୍ତେ ସିନା ପତନ ହେଉଅଛି ମୋର ଭରସା ।ବିଶିଷ୍ଟରେ ମୁକ୍ତି ହେବ ମହାଦର ନାହିଁ ନିର୍ମଳ ହେବ ଆଶା ।ବାରିବାହ ହେ ! ବପୁଯୁକ୍ତ ହେବି ପୁଣି ତ ।ବିଧାନ ଚକୋର ପଦ୍ମ ଲକ୍ଷ ନେତ୍ରେ ସେ ଦେଖି ହେବେ ଉଲ୍ଲସିତ। ୧୯ ।ବୈଦ୍ୟ ଯୋଷା ହେବ ଆହୁରି ଉତ୍ସବ ଅନଙ୍ଗବ୍ୟାଧି ତୁଟିଯିବ ।ବଚନ ଔଷଧିଈଶ ଓଷ୍ଠ ଉଦେ ଭାସ୍କରରସ ଯହୁଁ ହେବ ।ବାରିବାହ ହେ ! ବନ୍ଧକୁ ଏତେ ଘେନାଇବ ।ବସି ଏ ଭାବନା କରେ ଉଦଯୋଗ ଯେମନ୍ତେ ତ୍ୱରିତେ ହୋଇବ।୨୦ ।
୧୬ଶ ପଦ :- ‘‘ମୁଁ ପ୍ରିୟାର ସେବାକାରୀ । ଯେପରି ମୋର ସେବାରେ ବାଧା ନ ଘଟେ, ଏହି କଥା ମନରେ ବିଚାର କରି ମୁଁ ମନେ ମନେ ତାର ଜୁଡ଼ା ବାନ୍ଧି ଦେବାଠାରୁ ଆରମ୍ଭ କରି ପାଦରେ ଅଳତା ଦେବା ପର୍ଯ୍ୟନ୍ତ ବେଶ କରୁଅଛି । ହେ ମେଘ ! ଏ କଥା ବିସ୍ମିତ ହେବ ନାହିଁ (ପାସୋରି ନ ଦେଇ ନିଶ୍ଚୟ କହିବ) । କାରଣ ସେହି ଯୁବତୀ ଋଣୀ ନ ହୋଇ ଭେଟ ହେବାମାତ୍ରେ ମୋର ବର୍ତ୍ତନ(ମୁଲ) ରତି ଧନକୁ ହିସାବ କରି ଦେବ ।’’
୧୭ଶ ପଦ :- ‘‘ ହେ ମେଘ ! କହିବ, ତୋର କାନ୍ତ ଯୋଗୀପରି ଅଥବା ‘ଯୋଗ’ ତୁମ୍ଭ ସହିତ ସଂଯାଗକୁ ଧ୍ୟାନ କରି ଅନିଦ୍ରା ରହି ରାତ୍ରିକୁ ଅତିବାହିତ କରେ ଏବଂ ମନ୍ତ୍ର ପ୍ରାୟ ତୋହର ନାମ ଜପ କରେ । ଦିନରେ ତାଙ୍କୁ କ୍ଷୁଧା ହୁଏ ନାହିଁ; କାରଣ ଯେ ତୁମ୍ଭର ଅଧରାମୃତ୍ତ ପାନ କରି କ୍ଷୁଧା ନିବାରଣ କରିଛି, ତାକୁ ଅନ୍ୟ ପଦାର୍ଥ ରୁଚିବ କି ? ସେ ତୋତେ ଚାହିଁ ଅପଲକନେତ୍ର ହୋଇଅଛନ୍ତି । କାରଣ କୁ ଦୂରରେ ଥିଲେ ମଧ୍ୟ ତୋ କାନ୍ତ ଗୋଟିଏ ଆଶ୍ଚର୍ଯ୍ୟ ଦର୍ପଣ ହୋଇ ତୋର ପ୍ରତିକୃତିକୁ ଧରିଛନ୍ତି । ଅର୍ଥାତ୍ ସେ ନିଶ୍ଚଳ ଭାବରେ ବସି ନାମ ସ୍ମରଣ ପୂର୍ବକ ତୋତେ ଭାବିବାରୁ ତାଙ୍କ ହୃଦୟରେ ତୋର ଛବି ଦେଖାଯାଉଛି, ତେଣୁ ସେ ଭୋକ ଶୋଷ ଭୁଲି ଯାଇ ଅପଲକ ନେତ୍ରରେ ତୋର ଚାହିଁବାରେ ଲାଗିଛନ୍ତି ।
୧୮ଶ ପଦ :- ବିଗ୍ରହ-ଦେହ । ବେଦବର -ବ୍ରହ୍ମା ।
୧୮ଶ ପଦ :- ‘‘ହେ ମେଘ ! ସେହି ରମଣୀ ମୋର ଦେହ ଓ ମୁଁ ସେହି ଦେହର ଛାୟା ଅଟେ । ଯେପରି ଛାଇ ଦେହକୁ ଛାଡ଼େ ନାହିଁ, ମୁଁ ସେହିପରି ତାକୁ କେବେ ହେଲେ ଛାଡ଼େ ନାହିଁ । ବିଧାତା ଜଗତକୁ ଅନ୍ଧକାର କରାଇ ଛାଇ ଓ ଦେହକୁ ଭିନ୍ନ ଭିନ୍ନ କରାଇଲା । ହେ ମେଘ ! ରାତ୍ରିରେ ତାହାର ଚନ୍ଦ୍ରତୁଲ୍ୟ ମୁଖରେ ହାସରୁପ ନିର୍ମଳ କିରଣ ଓ ଦିନରେ ବାଳ ସୂର୍ଯ୍ୟଙ୍କ ତୁଲ୍ୟ ଓଷ୍ଠରେ ନିର୍ମଳ ତାମ୍ବୁଳ ବୋଳରୂପ କିରଣ ପ୍ରକାଶିତ ହୁଏ ।’’
୧୯ଶ ପଦ :- ତମ-ରାହୁ । ମହାଦର-ବିଶେଷ ଭୟ । ଆଶା-ଦିଗ ।
୧୯ଶ ପଦ :- ‘‘ବିଚ୍ଛେଦ ରୁପ ରାହୁ ଗ୍ରାସ କରିବାରୁ ସିନାସେହି ମୁଖଚନ୍ଦ୍ର ଓ ଓଷ୍ଠସୁର୍ଯ୍ୟଙ୍କୁ କିରଣରେ ପତନ ଘଟିଛି । ମୋର ଆଶା ହେଉଛି ‘ଆଶା ନିର୍ମଳ ହେବ’ ମୋର ଆଶା ସଫଳ ହେବ, ନିଶ୍ଚୟ ମୁକ୍ତି ମିଳିବ ଆଉ ସେ ମହାଭୟ ନାହିଁ । ଅଥବା ରାହୁର ‘ମହୋଦର’ ବଡ଼ ପେଟ ନାହିଁ, ପେଟ ଥିଲେ ସମସ୍ତେ ଜୀର୍ଣ୍ଣ ହୋଇଯାନ୍ତେ । ଦେଖିବାକୁ ମିଳେ ରାହୁଗ୍ରସ୍ତ ପରେ ‘ଆଶା’ ଦିଗ ନିର୍ମଳ ହୁଏ ଓ ଚନ୍ଦ୍ର ବା ସୂର୍ଯ୍ୟଙ୍କୁ ମୁକ୍ତି ମିଳେ) । ହେ ମେଘ ! ପୁନର୍ବାର ପ୍ରିୟାରୂପ ଦେହରେ ଛାଇ ରୂପୀ ମୁଁ ମିଳିତ ହେବି, ମୋର ସେହି ଚକୋର ଓ ପଦ୍ମ ତୁଲ୍ୟ ନେତ୍ରଦୁହେଁ ମୁଖଚନ୍ଦ୍ର ଓ ଓଷ୍ଠ ସୂର୍ଯ୍ୟଙ୍କୁ ଦେଖି ଆନନ୍ଦରେ ମତ୍ତ ହେବେ ।
୨୦ଶ ପଦ :- ବଦନ ଔଷଧୀଶ-ମୁଖଚନ୍ଦ୍ର । ଔଷଧୀଶ-ଶ୍ରେଷ୍ଠ ଔଷଧ । ଭାସ୍କର- ସୂର୍ଯ୍ୟ ।
୨୦ ଶ ପଦ :- ‘‘ମୋର ପ୍ରିୟା ବୈଦ୍ୟ ହୋଇ ତାହାର ମୁଖଚନ୍ଦ୍ରକୁ ଔଷଧୀଶ ନାମକ କ୍ୱାଥ ଓ ‘ଉଦେ’ ସ୍ଫୁରିତ ଓଷ୍ଠ ସୂର୍ଯ୍ୟକୁ ଉଦୟ ଭାସ୍କର ନାମକ ବଟିକା କରି ଯେତେବେଳେ ଦେବ, ସେହି ସମୟରେ କାମଜ୍ୱର ଛାଡ଼ିଯିବ ଏବଂ ସେତେବେଳେ ମୋର ଅନଙ୍ଗୋତ୍ସବ ଅନୁଷ୍ଠିତ ହେବ । ହେ ମେଘ । ମୋର ପ୍ରିୟାକୁ ବୁଝାଇ କହିବଯେ, ତୁମ୍ଭ ସ୍ୱାମୀ ବସି ଏହି ଭାବନା କରୁଅଛନ୍ତି ଏବଂ ଏହି ଭାବନା ଯେପରି ଶୀଘ୍ର ସଫଳ ହୁଏ, ସେଥିପାଇଁ ଉଦ୍ଯୋଗ କରୁଅଛନ୍ତି ।’’
୨୧ଶ ପଦ :- ‘‘ହେ ମେଘ ! ଶାଣଦ୍ୱାରା ପରିଷ୍କୃତ ହୀରା କୌଣସି ଲୋକର ଗଣ୍ଠିରୁ ଖସି ଭୂମି ଉପରେ ପଡ଼ିଥିଲେ ଯେପରି ଦେଖାଯାଏ, ସେହିପରି ଅତି କ୍ଷୀଣ ଓ ଉଜ୍ଜ୍ୱଳ ବର୍ଣ୍ଣ ଧାରଣ କରି ଭୂମିରେ ଶୋଇଥିବା ଅଥବା ମନ୍ତ୍ର ଧୂଳି ପଡ଼ିଥିଲେ ଯେପରି କଳା ନାଗ ସ୍ଥିର ହୋଇ ରହିଥାଏ, ସେହିପରି ପିଠି ଉପରେ ବେଣୀ ସ୍ଥିର ଭାବରେ ପଡ଼ି ବସିଥିବ - ଏପରି ଯେ ରମଣୀ, ତାକୁ ମୋର ସ୍ତ୍ରୀ ବୋଲି ଚିହ୍ନିବ । (ଚିନ୍ତା ହେତୁ ବେଣୀ ହଲୁ ନ ଥିବ, ଏହି ଭାବ) ।
୨୨ଶ ପଦ :- ‘‘ହେ ମେଘ । ତୁମ୍ଭେ ମୋର ବାର୍ତ୍ତା କହି ତାଠାରୁ ବାର୍ତ୍ତା ଆଣିଲେ, ପ୍ରିୟାର ଭେଟ ହେଲାଦିନଠାରୁ ମୁଁ ତୁମ୍ଭର ସମ୍ମାନ ବଢ଼ାଇ ପ୍ରତିଦିନ ତାକୁ ଘନକେଶୀ ବୋଲି ଡାକିବି ।’’ ଏହିପରି କହୁ କହୁ ମେଘ ପବନ ଯୋଗୁଁ ଦକ୍ଷିଣଦିଗକୁ ଚାଲିଗଲା । ଏହା ଦେଖି ରାମଚନ୍ଦ୍ର ଅତିଶୟ ସନ୍ତୁଷ୍ଟ ହେଲେ । ଉପେନ୍ଦ୍ର ଏ ଛାନ୍ଦକୁ ବାଇଶ ପଦରେ ଶେଷ କଲେ ।
ତ୍ରିଂଶ ଛାନ୍ଦ(ରାଗ-ବଙ୍ଗଳା ଶ୍ରୀ)ଚକ୍ରସିଂହାବଲୋକନବରଷାକାଳ ଅନ୍ତ କରେ ଶରଦ ବହ ଶିବ ଆଡ଼ମ୍ବର ।ବରଧୁତ ଘନାଘନ ଖଣ୍ଡକୃତେ କେଶରୀ ସରି ଆବର।୧ lବର ପରାୟେ ନବକନ୍ୟାଲିଙ୍ଗନେ ବଢ଼ାଇ ଶୋଭା ପ୍ରବର ।ବରଣକୃତ ଭଜକପ୍ରଭାବବକୁ ନିର୍ମଳକାରୀ ଅମ୍ବର।୨ ।ବରଷଣ ଶ(ସ)ରେ କୃଷ୍ଣସାର ହତେ ଯଥା ଲୁପ୍ଧକ-ଶବର ।ବରଧନ ଲୀଳା ପୁଷ୍କରେ ତରଣୀ କରାଇ ସେ କି ଧୀବର।୩ ।ବରଉଜ୍ଜ୍ୱଳ ଚନ୍ଦ୍ର ଶିରୀ ଜନ୍ମାଇ ଯେମନ୍ତ ସରିତବର ।ବରଗ ବରଗ ସୁମନା ଉତ୍ଫୁଲ୍ଲକାରକେ କି ପିତାମ୍ବର।୪ ।ବରହେ ମଳିନ ଶିଖୀକି କରାଇ ହିମନ୍ତ ଅନୁଭାବର ।ବରଣ ଭୂବନ ନିର୍ମଳ ରଚନେ ତୁଳ ସେ ପଦ୍ମଭବର।୫ ।୧ମ ପଦ :- କାଳ-ମୃତ୍ୟୁ, ସମୟ । ଅନ୍ତ-ନାଶ, ଶେଷ । ଆଡ଼ମ୍ବର-ଆଟୋପ । ବରଧୂତ-ଅତିଶୟ କମ୍ପିତ ।
୧ମ ପଦ :- ଶିବ ଯେପରି ଆଟୋପ ବହନ କରି ମୃତ୍ୟୁକୁ ନାଶ କରିଥିଲେ, ଶରତ୍କାଳ ସେହିପରି ଆଡ଼ମ୍ବର ଦେଖାଇ ବର୍ଷାକାଳକୁ ନାଶ କଲା । ଆଉ ମଧ୍ୟ ‘କେଶରୀ’ ସିଂହ ଯେପରି ‘ଘନାଘନ’ ମତ୍ତହସ୍ତିକୁ ବିଦାରି ମାରି ପକାଇବା ପାଇଁ କମ୍ପି ଉଠେ, ସେହିପରି ଶରତ୍ ନିବିଡ଼ ମେଘ ସମୁହକୁ ଛିନ୍ନ ଭିନ୍ନ କରିବା ପାଇଁ ଚମକି ଉଠିଲା, ଅର୍ଥାତ୍ ସଙ୍ଗେ ସଙ୍ଗେ ଜଗତରେ ବ୍ୟାପ୍ତ ହୋଇଗଲା । (ଶରତ ପ୍ରବେଶ କରିବାରୁ ଆକାଶ ମେଘଶୂନ୍ୟ ହେଲା ) ।
୨ୟ ପଦ :- ପ୍ରବର- ଅତିଶୟ । ରଜକ- ଧୋବା । ଅମ୍ବର-ଲୁଗା, ଆକାଶ ।
୨ୟ ପଦ :- ବର ଯେପରି ନୂତନ ବିବାହିତା କନ୍ୟାକୁ ଆଲିଙ୍ଗନ କରି ନିଜର ଶୋଭାକୁ ଅତିଶୟ ଭାବରେ ବଢ଼ାଇଥାଏ, ଶରତକାଳ ସେହିପରି ସିଂହମାସ ପରେ ନୂଆ କରି ପୃଥିବୀକୁ ଆସୁଥିବା କନ୍ୟା ମାସକୁ ଆଲିଙ୍ଗନ କରି ଅତିଶୟ ଶୋଭା ବଢ଼ାଇବାକୁ ଲାଗିଲା । ପୁଣି ଧୋବା ଯେଉଁ ଶକ୍ତି ଦ୍ୱାରା ‘ଅମ୍ବର’ ଲୁଗା ସଫା କରିବାକୁ ଉପଯୁକ୍ତ ହୁଏ, ଶରତ ଧୋବାର ସେହି ଶକ୍ତିକୁ ଧାରଣ କରି ଆକାଶର ନିର୍ମଳକର୍ତ୍ତା ହେଲା । (ଧୋବା ବସନ ନିର୍ମଳ କଲାପରି ଶରତ ଆକାଶକୁ ନିର୍ମଳ କଲା) ।
୩ୟ ପଦ :- କୃଷ୍ଣସାର -ମୃଗବିଶେଷ । କୃଷ୍ଣ-କଳା । ସାର-ମଜ୍ଜା । ଶରେ-ଶରଦ୍ୱାର, ଜଳଦ୍ୱାରା । ଲୁବ୍ଧକ - ଲୋଭୀ । ପୃଷ୍ଠରେ-ଜଳରେ, ଆକାଶରେ । ତରଣୀ-ସୂର୍ଯ୍ୟ, ନୌକା । ଧୀବର-କେଉଟ ।
୩ୟ ପଦ :- ଲୋଭୀ ଶବର ଶରବୃଷ୍ଟି କରି ଯେପରି କୃଷ୍ଣସାର ମୃଗକୁ ନାଶ କରେ, ଶରତ ସେହିପରି ଜଳ ଦ୍ୱାରା କୃଷ୍ଣବର୍ଣ୍ଣ ହୋଇଥିବା ମେଘକୁ ନାଶକରି ଆକାଶରେ ସୂର୍ଯ୍ୟଙ୍କର କ୍ରୀଡ଼ା ବିସ୍ତାରିତ କରାଇଲା । ଅତଏବ ସେ କଣ କେଉଟ କି ? କାରଣ କେଉଟତ ଏହିପରି ଜଳରେ ନୌକାରେ କ୍ରୀଡ଼ା ବିସ୍ତାରିତ କରିଥାଏ । (ଶରତ ପ୍ରବେଶରେ ଆକାଶ ମେଘଶୂନ୍ୟ ହେବାରୁ ସୂର୍ଯ୍ୟ ପରିଷ୍କାର ଦେଖାଗଲା ) ।
୪ର୍ଥ ପଦ :- ବରସ୍ୱଜ୍ଜଳ-ଅତି ଉଜ୍ଜ୍ୱଳ । ସରିତବର -ସମୁଦ୍ର । ଶିରୀ ବା ଶ୍ରୀ-ଲକ୍ଷ୍ମୀ, ଶୋଭା । ସୁମନା- ଗୋପସ୍ତ୍ରୀ, ଫୁଲସବୁ । ଉତ୍ଫୁଲ୍ଲାକାରକେ-ପ୍ରଫୁଲ୍ଲକାରୀ । ବରଗ ବା ବର୍ଗ - ସମୂହ ।
୪ର୍ଥ ପଦ :- ସମୁଦ୍ର ଅତି ଉଜ୍ଜ୍ୱଳ ଚନ୍ଦ୍ର ଓ ଲକ୍ଷ୍ମୀଙ୍କୁ ଜନ୍ମ କରିଥିଲା । ଶରତ ଅତି ଉଜ୍ଜ୍ୱଳ ଚନ୍ଦ୍ରଙ୍କର ଶୋଭାକୁ ଜାତ କରିବାରୁ, ସେ ଯେ ସେହିପରି ହେଲା । ‘‘ପୀତାମ୍ବର’’ ଶ୍ରୀକୃଷ୍ଣ ‘ବର୍ଗ’ ଗୋପ ସ୍ତ୍ରୀ ବା ଦେବସ୍ତ୍ରୀମାନଙ୍କର ହୃଦୟକୁ ଆନନ୍ଦିତ କଲାପରି ଶରତ ନାନା ଜାତୀୟ ପୁଷ୍ପମାନଙ୍କୁ ବିକଶିତ କଲା । ଏଣୁ ମନେ ହେଲା ଏ କ’ଣ ଶ୍ରୀକୃଷ୍ଣ କି ?
୫ମ ପଦ :- ବରହେ-ବର୍ହେ-ପୁଚ୍ଛରେ, ଶିଖାରେ । ଶିଖି-ଅଗି, ମୟୁର । ହିମନ୍ତ-ହିମବନ୍ତ, ହେମନ୍ତ-ଋତୁ । ପଦ୍ମଭବ-ବ୍ରହ୍ମା । ଭବନ- ଜଗତ୍ । ଅନୁଭବ-ପ୍ରଭାବ ।
୫ମ ପଦ :- ହେମନ୍ତକାଳ ନିଜର ପ୍ରଭାବରେ ଅଗ୍ନି ଶିଖାକୁ ମଳିନ କରାଇଲା ପରି, ଶରତ ନିଜର ପ୍ରଭାବରେ ମୟୁରକୁ ପୁଚ୍ଛହୀନ କରାଇଲା । ବ୍ରହ୍ମା ଜଗତକୁ ନିର୍ମଳଭାବରେ ସର୍ଜନା କରିବାପାଇଁ ‘ବରଣି’ ନିଜକୁ ନିଯୁକ୍ତି କଲାପରି, ଶରତ ଜଳକୁ ନିର୍ମଳ କରିବାପାଇଁ ନିଜେ ନିଯୁକ୍ତି ହୋଇ ବ୍ରହ୍ମାଙ୍କର ‘ତୁଲ’ ସମତା ଲାଭ କଲା ।
ବରଜବରଦ ରାମ ଏ ସମୟେ ବିଳମ୍ବରୁ ସୁଗ୍ରୀବର ।ବରଗି ଦେଇ ସତ୍ୱରେ ଆଣ ଯାଇ ଗମନ୍ତେ ସୀତା-ଦେବରl ୬ ।ବରଛାଘାତିକ ପରି ବ୍ୟାକୁଳରେ ବୁଲନ୍ତି ଗିରିବିବର ।ବରବରନାକୁ ଖୋଜନ୍ତି ପୁଚ୍ଛନ୍ତି ଅଛନ୍ତି ଯେତେ ସ୍ଥାବର।୭ ।ବରଦ ହୋଇବା ଦେଖିଥିଲେ କହ ଏମନ୍ତ ସୁନ୍ଦରୀବର ।ବରଜବରଜ ଯହିଁ ଶୋଭାବତୀ ନାହିଁ ସେ ସୁରନବର।୮ ।ବରନୀୟ କି ବହୁମୂଲ୍ୟ ଦୁକୂଳ ବନ୍ଧୁ ଅନ୍ୟ ସ୍ତିରୀବର ।ବରବର୍ଣ୍ଣିନୀ ହରିଦ୍ରା ବୋଲାଇଲା ଛୁଇଁ ଯାହା କଳେବର।୯ ।ବରନେ ନିଉନ ହେମଭୂଷାମାନ ନୂହଁଇ କ୍ଷୀଣ ପୀବର ।ବର ଚୀନ ଜଡ଼ି ଅଙ୍ଗେ ବ୍ୟକ୍ତ ଧଡ଼ି ଥିବାରୁ ପୀତ ଅମ୍ବର।୧୦ ।୬ଷ୍ଠ ପଦ :- ବରଜବରଦ-ଗୋପାଳକୁ ବର ଦେଇଥିବା ରାମଚନ୍ଦ୍ର । ସୀତାଦେବର - ଲକ୍ଷ୍ମଣ ।୭ମ ପଦ :- ବରଚ୍ଛାଘାତିକ -ବର୍ଚ୍ଛା । ଘାତ ପାଇଥିବା ଲୋକ । ବରବର୍ଣ୍ଣ-ଗୌରାଙ୍ଗୀ ।
୬ଷ୍ଠ ଓ ୭ମ ପଦ :- ଏହି ସମୟରେ ବାଟରେ କ୍ଷୀରଦାତା ଗୋପାଳକୁ ବରଦାନ କରିଥିବା ରାମଚନ୍ଦ୍ର ସୁଗ୍ରୀବର ଆସିବାର ବିଳମ୍ବ ହେବାରୁ ଲକ୍ଷ୍ମଣଙ୍କୁ ‘ଶୀଘ୍ର ଯାଇ ତାକୁ ଆଣ’ ଏହା କହି ପଠାଇଦେଲେ । ରାମଚନ୍ଦ୍ର ଏକା ରହି ବର୍ଚ୍ଛାଘାତ ପାଇଥିବା ଲୋକପରି ଅତି ଦୁଃଖରେ ପର୍ବତ ଗୁହାମାନଙ୍କରେ ବୁଲି ସୁନ୍ଦରୀ ସୀତାଙ୍କୁ ଖୋଜିଲି ଓ ସେହି ସ୍ଥାନରେ ଯେତେ ବୃକ୍ଷ ଅଛନ୍ତି ସେମାନଙ୍କୁ ପଚାରିବାକୁ ଲାଗିଲେ ।
୮ମ ପଦ :- ସୁରନବର-ଦେବଭବନ । ବରଜବରଜ-ବହୁସଂଖ୍ୟକ ।
୮ମ ପଦ :- ରାମଚନ୍ଦ୍ର ପଚାରିଲେ, ‘‘ହେ ବୃକ୍ଷମାନେ ! ଯେଉଁ ସ୍ୱର୍ଗପୁରରେ ଗୋଷ୍ଠ ଗୋଷ୍ଠ ଅର୍ଥାତ୍ ବହୁତ ସୁନ୍ଦରୀ ଅଛନ୍ତି ସେଠାରେ ମଧ୍ୟ ନ ଥିବ, ଏପରି ସୁନ୍ଦରୀଶ୍ରେଷ୍ଠା ମୋର ସୀତାକୁ ଦେଖିଥିଲେ କହ, ତୁମ୍ଭଙ୍କୁ ବରଦେବା ।’’
୯ମ ପଦ :- ଦୁକୁଳ-ପଟ୍ଟବସ୍ତ୍ର । ସ୍ତ୍ରୀବର-ସୁନ୍ଦରୀ ଶିରୋମଣି । ହରିଦ୍ରା-ହଳଦୀ । କଳେବର-ଦେହ ।
୯ମ ପଦ :- ‘‘ମୋ ପ୍ରିୟା ଅନ୍ୟ ସ୍ତ୍ରୀ ମାନଙ୍କପରି ଦାମିକା ଲୁଗା ପିନ୍ଧି ସୁନ୍ଦରୀ ପଦକୁ ବରଣ କରିନାହିଁ ବା ସୁନ୍ଦରୀ ବୋଲି ବର୍ଣ୍ଣିତ ହୋଇନାହିଁ । ହଳଦୀ ତାହାର ଦେହକୁ ଛୁଇଁ ଅର୍ଥାତ୍ ଯାହା ଦେହ କାନ୍ତିର ଆଭାସମାତ୍ର ଧାରଣ କରି ‘ବରବର୍ଣ୍ଣିନୀ’ ଶ୍ରେଷ୍ଠ ବର୍ଣ୍ଣ ଧାରଣୀ ବୋଲାଉଛି ।’’
୧୦ମ ପଦ :- ହେମଭୂଷାମାନ - ସ୍ୱର୍ଣ୍ଣାଳଙ୍କାର ମାନ । ପୀବର-ପୃଥୁଳ । ବରଚୀନ-ଉତ୍କୃଷ୍ଟ ଚୀନଦେଶ ଲୁଗା । ପ୍ରୀବର-ପୁଥୁଳ । ବରଚୀନ-ଉତ୍କୃଷ୍ଟ ଚୀନଦେଶ ଲୁଗା । ପୀତ ଅମ୍ବର - ହଳଦିଆ ଲୁଗା ।
୧୦ମ ପଦ :- ‘‘ତାହାର ଦେହରେ ଥିବା ସୁବର୍ଣ୍ଣ ଅଳଙ୍କାରସବୁ ଦେହର କାନ୍ତିଠାରୁ ‘ନିଉନ’ ନିଷ୍ପ୍ରଭ ଦେଖାଯାନ୍ତି । ସେ ଅତିଶୟ କୁଶ ବା ସ୍ଥୁଳ ନୁହେଁ । ଅତି ଉତ୍କୃଷ୍ଟ ଚୀନ ଦେଶ ତିଆରି ହଳଦିଆ ଶାଢ଼ୀ ତାର ଦେହରେ ମିଶିଯାଏ, କିନ୍ତୁ ଧଡ଼ି ଥିବାରୁ ଜଣାପଡ଼େ ।’’ (ଚୀନଦେଶରେ ଭଲ ଲୁଗା ଆମଦାନି ହେଉଥିବା କଥା ପ୍ରାଚୀନ ସାହିତ୍ୟରୁ ମିଳେ) ।
ବରଟା ଗତିରେ ଶରଣ ପଶିଛି ସେ ଲାବଣ୍ୟ ସରୋବର ।ବରନିତମ୍ବା ବତନ ତାମରସ ବିକାଶ ରାତ୍ରୀ ଦିବର।୧୧ ।ବରଧମାନ ହେଉଥାଇ ନ ତୁଟି ସର୍ବଦା ପ୍ରେମଶମ୍ବର ।ବରତମାନରେ ତାହା ଅସ୍ୱାଦନବିହିନେ ଆନ ତୁବର।୧୨ ।ବରତିବି କେହି ତା ବିଚ୍ଛେଦେ ମୁହିଁ ହେଉଅଛି ହରବର ।ବରଳ ସମାନ ଘାତ କରୁଅଛି ଫୁଲଶରେ ରତିବର।୧୩ ।ବରତ ପାଳନା ମୋ ଏକ ଲଳନା ହେଲାଦିନୁ ସ୍ୱୟମ୍ବର ।ବରତନ ଭାବରତନ ମୁଁ ଦାସ ରତନ ଅର୍ଥେ କବର।୧୪ ।ବରତୀ ବାଳାମୂରତି ନେତ୍ର ରୋଗେ ଜୀବନ ସେ ମୋ ଜୀବର ।ବରହିଣ-ପୁଚ୍ଛ ଢୁଚ୍ଛକ-କୁନ୍ତଳା ଲଭୋ ଦିଅନ୍ତେ କେ ବର।୧୫ ।୧୧ଶ ପଦ :- ବରଟା - ହଂସୀ । ବଦନତାମରସ-ମୁଖପଦ୍ମ ।
୧୧ଶ ପଦ :- ‘‘ମୋର ପ୍ରିୟା ଲାବଣ୍ୟର ପୁଷ୍କରିଣୀ ଅଟେ । ଏଣୁ ହଂସୀ ତାର ଗମନରେ ଶରଣ ପଶିଛି (ସେ ହଂସୀ ଗମନୀ ଅଟେ) । ପୁଷ୍କରିଣୀ ହଂସୀ ଗମନ କରିବାର ଏକମାତ୍ର ସ୍ଥାନ ଅଟେ । ପୁଷ୍କରିଣୀରେ କେବଳ ଦିନରେ ପଦ୍ମ ଫୁଟିଥାଏ, ମାତ୍ର ଏହି ଲାବଣ୍ୟ ସରୋଜରେ ପୃଥୁଳ ନିତମ୍ବାର ମୁଖରୂପୀ ପଦ୍ମ ଦିନ ଓ ରାତ୍ରି (ଅହୋରାତ୍ର) ବିକଶିତ ହୋଇଅଛି । (ତାର ମୁଖ ପ୍ରସ୍ଫୁଟିତ ପଦ୍ମତୁଲ୍ୟ ମନୋରମ ଅଟେ) ।’’
୧୨ଶ ପଦ :- ପ୍ରେମଶମ୍ବର-ପ୍ରେମଜଳ । ତୂବର-କଷାୟ ।
୧୨ଶ ପଦ :- ‘‘ସେହି ଲାବଣ୍ୟ ପୁଷ୍କରିଣୀରେ ପ୍ରେମରୂପ ଜଳ ସର୍ବଦା ବୃଦ୍ଧି ଲାଭ କରୁଥାଏ (ବଢ଼ୁଥାଏ) । ମୁଁ ବର୍ତ୍ତମାନ ତାହା ପାନ କରିବାକୁ ନ ପାଇବାରୁ, ମୋତେ ଅନ୍ୟ ପିଇବା ଜଳ କଷା ଲାଗୁଛି । (ସେ ଯିବା ଦିନରୁ ଖାଇବା ଦୂରେ ଥାଉ ପିଇବାକୁ ମଧ୍ୟ ଭଲ ଲାଗୁ ନାହିଁ) ।’’
୧୩ଶ ପଦ :- ରତିବର-କନ୍ଦର୍ପ । ଫୁଲଶର - ଫୁଲବାଣ, କନ୍ଦର୍ପର ବାଣ ।
୧୩ଶ ପଦ :- ‘‘ତାର ବିଚ୍ଛେଦରେ ମୁଁ ବ୍ୟାକୁଳିତ ହେଉଅଛି । ହେ ବୃକ୍ଷମାନେ ! ମୁଁ କିପରି ରକ୍ଷା ପାଇବି କହ, କନ୍ଦର୍ପ ଫୁଲଶରରେ ବିରୁଡ଼ି ପରି ମୋତେ ଆଘାତ କରୁଛି ।’’
୧୪ଶ ପଦ :- କବର ରଚନ - କେଶ ବିନ୍ୟାସ ।
୧୪ଶ ପଦ :- ‘‘ପ୍ରିୟା ମୋତେ ବରିଲାଦିନୁ ମୁଁ ଏକ ପତ୍ନୀବ୍ରତ ପାଳନ କରିଅଛି । ତାହାର ଜଡ଼ା ବାନ୍ଧି ଦେବା ନିମିତ୍ତ ମୁଁ ଦାସ ହୋଇ ବେତନ ସ୍ୱରୁପ ତାଠାରୁ ଭାବରୂପ ରତ୍ନ ପାଏଁ ।’’
୧୫ଶ ପଦ :- ବରହିଣ-ପୁଚ୍ଛ-କୃଚ୍ଛିକା-କୁନ୍ତଳା-ମୟୁର ପୁଚ୍ଛ ବିନିନ୍ଦିତ-କେଶୀ । ବରତୀ-ଅଞ୍ଜନ ।
୧୫ଶ ପଦ :- ‘‘ସେହି ବାଳାର ମୂର୍ତ୍ତି ମୋ ଚକ୍ଷୁ ରୋଗର ଅଞ୍ଜନ ଅଟେ । ପୁଣି ସେ ମୋ ଜୀବନର ଜୀବନ ଅଟେ । ଆହା ! ସେହି ମୟୂରଗୁଚ୍ଛ ବିନିନ୍ଦିତ କେଶୀକୁ ପାଇବା ପାଇଁ କେଉଁ ଦେବତା ହେଲେ ବର ଦିଅନ୍ତେ ?
ବର ଏତେ ଦେହ ମନେ ରହୁ ମନ ଯେମନ୍ତ ଅବୟବର ।ବରବର୍ଣ୍ଣିନୀପାଶରେ ପରବେଶ ହୁଅନ୍ତି ଏକ ଲବର।୧୬ ।ବରହୀରୁପ ବିରହ ହୃଦୟବନେ ଜାଳିବା କାମଦେବର ।ବରଷି ଆହା ବାଣୀ ଭାବଜଳକୁ ଲିଭାନ୍ତା କାନ୍ତା ଜବର।୧୭ ।ବରତିକ ଆଦି ପକ୍ଷୀ ଅଛ ପକ୍ଷ ଦେଲେ ଉଡ଼ନ୍ତି ଦିବର ।ବରଷ ମଧ୍ୟେ ଲୁଚାଇଥିବ କେହି ମିଳନ୍ତି ବନ୍ଧୁ ଠାବର।୧୮ ।ବରଆରୋହା ତନୁ ଭିନ୍ନ, ବରେଟି ହର ହେଲେ ଦିଗମ୍ବର ।ବରଷକ କ୍ଷଣ ହେବା ତାହା ଭିନ୍ନେ ବଡ଼ ନିକି ମାନବର।୧୯ ।ବରତି ପ୍ରଆଦ୍ୟେ ମୋ ଦୁର୍ଦ୍ଦଶା ରତି ବିଛେଦେ ହୋଇ ସମ୍ବର ।ବରଜନ କିପା ଅତନୁ ହେବାର କଲା ଜଡ଼ ବେଦବର।୨୦ ।ବରଅଙ୍ଗୀ-ଅଙ୍ଗେ ମିଶନ୍ତି ପୁଣି ତା କରି ଭାବେ ସ୍ୱଭାବର ।ବରତ କି କରି କାହିଁ ଝାସିଥିଲ ଅଜଣା ସେ ପୁରବର।୨୧ ।ବର ଶବ୍ଦ ପାଦ ଆଦ୍ୟ ପ୍ରାନ୍ତ ଛାନ୍ଦ ବୁଧରଞ୍ଜନଭାବର ।ବରତେ ଚକ୍ରସିଂହାବଲୋକେ କହେ ଉପଇନ୍ଦ୍ର ବୀରବର।୨୨ ।
୧୬ଶ ପଦ :- ‘‘ଯେପରି ହସ୍ତ, ପଦ ପ୍ରଭୃତି ଅବୟବରେ ମନ ରହେ, ସେହିପରି ମନରେ ଦେହ ରହୁ, ଏହି ବର କିଏ ହେଲେ ଦିଅନ୍ତା । ତାହାହେଲେ ମୁଁ କ୍ଷଣକ ମଧ୍ୟରେ ସେହି ପରମାସୁନ୍ଦରୀର ନିକଟରେ ପ୍ରବେଶ ହୁଅନ୍ତି । (ଦେହ ଯଦି ମନ ପରି ସର୍ବତ୍ରଗାମୀ ହୋଇପାରନ୍ତା, ତେବେ ମୁଁ ସୀତା ନିକଟରେ ପହଞ୍ଚିପାରନ୍ତି) । ମନ ସମସ୍ତ ଅବୟବରେ ବ୍ୟାପ୍ତ ହୋଇ ରହେ, ଏହା ତାର୍କିକଙ୍କର ମତ ।
୧୭ଶ ପଦ :- ବିରହୀ (ବହ୍ନୀ)- ଅଗ୍ନି ।
୧୭ଶ ପଦ :- ‘‘ପ୍ରିୟା ନିକଟରେ ମୁଁ ଉପସ୍ଥିତ ହୁଅନ୍ତେ, ସେ ମୋର ହୃଦୟ ବନରେ କନ୍ଦର୍ପ ଲଗାଇ ଦେଇଥିବା ବିରହାଗ୍ନି ଜଳୁଥିବାର ଦେଖି, ‘ଆହା’ ଏହି କଥାରୂପ ପ୍ରେମଜଳକୁ ବରଷି ସଙ୍ଗେ ସଙ୍ଗେ ତାହା ଲିଭାଇ ଦିଅନ୍ତା ।’’
୧୮ଶ ପଦ :- ବରତିଳଆଦି-ବଣି ଆଦି । ଦିବର-ଆକାଶ । ବରଷେ(ବର୍ଷ)- ଭାରତବର୍ଷ ।
୧୮ଶ ପଦ :- ‘‘ବଣି ଆଦି ପକ୍ଷୀମାନେ ଏଠାରେ ଅଛ ଯଦି ତୁମ୍ଭମାନଙ୍କ ମଧ୍ୟରୁ କେହି ମତେ ପକ୍ଷ ଦିଅନ୍ତି, ତାହାହେଲେ ମୁଁ ଆକାଶରେ ଉଡ଼ନ୍ତି ଏବଂ ମୋର ପ୍ରିୟା ଥିବା ସ୍ଥାନରେ ପହଞ୍ଚନ୍ତି । ତାକୁ ଏହି ଭାରତବର୍ଷ ମଧ୍ୟରେ ତ କିଏ ଲୁଚାଇଛି ? (ବେଶୀ ଦୂରରେ ନୁହେଁ, ଏଣୁ ଶୀଘ୍ର ତୁମ୍ଭଙ୍କୁ ତୁମ୍ଭର ପକ୍ଷ ଫେରାଇ ଦିଅନ୍ତି) ।’’
୧୯ଶ ପଦ :- ବରାରୋହା-ପରମାସୁନ୍ଦରୀ । ଦିଗମ୍ବର-ଉଲଗ୍ନ ।
୧୯ଶ ପଦ :- ’’ସୁନ୍ଦରୀ ପାର୍ବତୀଙ୍କ ଦେହ ମୋ ଦେହରୁ ଅଲଗା ହୋଇଯିବ, - ଶିବ ଏହା ଭାବି ଲଙ୍ଗଳା ହେଲେ । ଏଣୁ ସେହିପରି ନିଜର ସୁନ୍ଦରୀ ସ୍ତ୍ରୀଠାରୁ ଅଲଗା ହୋଇ ରହିଥିବା ମନୁଷ୍ୟ ପକ୍ଷରେ ଏକକ୍ଷଣ ଏକବର୍ଷ ପରି ବୋଧ ହେବା କଥା କି ?’’
୨୦ଶ ପଦ :- ସମ୍ବର - ସମ୍ବରାସୁର । ଅତନୁ -ଦେହହୀନ ।
୨୦ଶ ପଦ :- ‘‘ରତିଦେବୀଙ୍କର କନ୍ଦର୍ପ ସହ ବିଯୋଗ ଘଟନ୍ତେ ସମ୍ବରାସୁର ଯେପରି ତାଙ୍କର ଦୁର୍ଦ୍ଦଶା ହୋଇ ପ୍ରବର୍ତ୍ତି ଥିଲା, ସେହିପରି ମୋର ସୀତାସହ ପ୍ରୀତିର ଅଭାବ ଘଟିବାରୁ ଦୁର୍ଦ୍ଦଶା ସମ୍ବରାସୁର ହୋଇ ପ୍ରବର୍ତ୍ତିଲା । (ରତି କନ୍ଦର୍ପଠାରୁ ବିଯୁକ୍ତ ହେବାରୁ ସମ୍ବର ତାଙ୍କୁ ହରଣ କରି ନେଇଥିଲା । ମୁଁ ସୀତାଙ୍କଠାରୁ ବିଯୁକ୍ତ ହେବାରୁ ଦୁର୍ଦ୍ଦଶା ସୀତାଙ୍କୁ ହରଣ କରି ନେଲା) । କିନ୍ତୁ ରତିଠାରୁ ଅନ୍ତର ହୋଇ କନ୍ଦର୍ପ ଶରୀର ଶୁନ୍ୟ ହୋଇଥିଲା । ମୁର୍ଖ ବିଧାତା ମୋ ପାଇଁ ସେହି ଶରୀର ଶୂନ୍ୟ ହେବା ପ୍ରଥା କାହିଁକି ପରିତ୍ୟାଗ କଲା ? (ମୁଁ କାହିଁକି ନ ମଲି) ।’’
୨୧ଶ ପଦ :- ‘‘ମୁଁ ପୂର୍ବଜନ୍ମରେ କେଉଁ ବ୍ରତ କରିଥିଲି ବା କେଉଁ ତୀର୍ଥରେ ଝାସ ଦେଇଥିଲି, ସେ କଥା ଜାଣିପାରୁ ନାହିଁ । ( ଏପରି କରି ନ ଥିଲେ ସୀତା ବିବାହ ହୋଇନଥାନ୍ତା ।) ବର୍ତ୍ତମାନ ଭାବୁଛି, ପୁଣି ଏହି ଜନ୍ମରେ ସେହି କଥା କରି ସୁନ୍ଦରୀର ଦେହରେ ହେଲେ ମିଶନ୍ତି ।’’
୨୨ଶ ପଦ :- ଏହି ଛାନ୍ଦର ପ୍ରତ୍ୟେକ ପାଦର ଆଦ୍ୟ ପ୍ରାନ୍ତରେ ବର ଶବ୍ଦ ରହିଅଛି, ଆଉ ମଧ୍ୟ ଏହି ଛାନ୍ଦର ଭାବ ପଣ୍ଡିତମାନଙ୍କୁ ଆନନ୍ଦିତ କରୁଅଛି । ଚକ୍ର ସଂହାବଲୋକନ ନ୍ୟାୟରେ ଏହି ଛାନ୍ଦ ପ୍ରବର୍ତ୍ତିତ ହୋଇଅଛି । ବୀରବର ଉପେନ୍ଦ୍ର ଏହା ରଚନା କରି ଅଛନ୍ତି ।
ଏକତ୍ରିଂଶ ଛାନ୍ଦରାଗ - ବରାଡ଼ୀଆଷାଢ଼ ଶୁକ୍ଳବାଣୀବକେ ବସିଥିଲ ଧ୍ରୁବ ଉପରେ ।ବିଷ୍ଣୁ ପଦକୁ ଭଜିଲା ଉତ୍ତାରେ ।ବଳକ୍ଷପକ୍ଷକୁ ଅଙ୍ଗରେ ବହି ।ବହନ ସେ ତମନାଶନ ବିହି ।ବକତା ଏ ଗିର ।ବିଶ୍ରାମ ବାର୍ତ୍ତା କହିବା ସୁନ୍ଦର ।୧।ବଧୁଁ କାମ ଧର୍ମେ ଅଛି ଜୀବନେ ।ବଧୁକାମବଶେ ଭ୍ରମ ଏ ବନେ ।ବାଉନୁ ଅଛ ଯେଉଁ ରମଣୀୟେ ।ବିଶେଷ ଶୋଭା ତହୁଁ ରମଣୀଏ ।ବିଂଶବାହୁ ରଥେ ।ବିଲୋକିଛି ଗଲା ଦକ୍ଷିଣ ପଥେ ।୨।ବିଷପ୍ରସୂନ ଇନ୍ଦୁ ନିତି ଦେଖେଁ ।ବିଲକ୍ଷ୍ୟ ପ୍ରସନ୍ନ ନ ଥିଲା ମୁଖେ ।ବାଷ୍ପ ହେଉଛି ନୟନୁ ଜନିତା ।ବୋଲନ୍ତି ମୀନ ଉଦଗାରେ ମୁକୁତା ।ବଡ଼ ଊଣା ସେହି ।ବାରିରେ ଲୁଚେ ଧରି ଭକ୍ଷେ ମୁହିଁ ।୩।ବାସ ଚହଟି ଅଙ୍ଗ ଯାଉଥିଲା ।ବେଢ଼଼ିଥିଲା ରଥ ଭ୍ରମରମାଳା ।ବର୍ଣ୍ଣ ଝଟକ ବିଜୁଳିରେ ନାହିଁ ।ବାରିଦ ନିକଟେ ଦେଖିଛି ମୁହିଁ ।ବୀଣା କି ମଧୁର ?ବାହାରୁଥିଲା ଯେଉଁ ରାମସ୍ୱର ।୪।ବୋଲିବ ତୁ ବୀଣା ଶୁଣିଲୁ କାହୁଁ ।ବଜାଇ ସପତସ୍ୱରରେ ସେହୁ ।ବର୍ଷାଭୁ ଧୈବତ ମୟୁର ଷଡ଼୍ଜ ।ବନପ୍ରିୟାରେ ପଞ୍ଚମ ସହଜ ।ବାଜୁଛି ମୋ କର୍ଣ୍ଣେ ।ବିଧିରେ ଏହିପରି ଆଉମାନେ ।୫।୧ମ ପଦ :- ଧ୍ରୁବ-ଲଣ୍ଡାଗଛ । ବିଷ୍ଣୁପଦ :- ଆକାଶ । ଭଜିଲା ଉଭାରେ - ଉଡ଼ିଗଲାପରେ । ବଳକ୍ଷପକ୍ଷ-ଧଳାପକ୍ଷ । ଗିର-କଥା । ତମ-ଶୋକ ।
୧ମ ପଦ :- ରାମଚନ୍ଦ୍ର ପୂର୍ବୋକ୍ତ ପ୍ରକାରେ ପକ୍ଷୀମାନଙ୍କୁ କହିବା ସମୟରେ ଆକାଶରେ ଉଡ଼ିସାରିଲା ପରେ ଶୁକ୍ଳବର୍ଣ୍ଣ ପକ୍ଷକୁ ପିଠିରେ ବୋହି ଲଣ୍ଡାଗଛ ଉପରେ ବସିଥିବା ବଗ ହଠାତ୍ ରାମଚନ୍ଦ୍ରଙ୍କୁ ଶୋକର ନିବର୍ତ୍ତାଇ ଏହି କଥା କହିଲା, ‘‘ହେ ସୁନ୍ଦର! ସ୍ଥିର, ହୁଅ, ପଚାରୁଥିବା ବୃତ୍ତାନ୍ତ କିଛି କହିବା । ’’
୨ୟ ପଦ :- ‘‘ହେ ସୁନ୍ଦର ! ତୁମ୍ଭ ସ୍ତ୍ରୀ ପ୍ରାପ୍ତ କାମନାରେ ଏହି ବନରେ ଭ୍ରମଣ କରୁଅଛି ଏବଂ ତୁମ୍ଭେ ତୁମ୍ଭ ସ୍ତ୍ରୀର ଯେପରି ସୌନ୍ଦର୍ଯ୍ୟ କାନ୍ଦି କାନ୍ଦି ପ୍ରକାଶ କରୁଅଛ, ତାହାଠାରୁ ଅଧିକ ସୁନ୍ଦରୀ ଗୋଟିଏ ସ୍ତ୍ରୀକୁ ରାବଣ ରଥରେ ବସାଇ ଦକ୍ଷିଣଦିଗକୁ ନେଇଗଲା, ତାହା ମୁଁ ଦେଖିଅଛି । ତାହାକୁ କନ୍ଦର୍ପ ବଧ କରୁଥିଲେ ସୁଦ୍ଧା ସେ ଧର୍ମବଳରୁ ଜୀବନରେ ଅଛି । ଅଥବା ‘‘କାମବଧ’’ ଇଚ୍ଛାପୂର୍ବକ ମରଣରୁ ଧର୍ମ ଦ୍ୱାରା ନିବୃତ୍ତ ହୋଇ (ଆତ୍ମହତ୍ୟା ମହାପାପ ଭାବି) ଜୀବନରେ ଅଛି ।’’
୩ୟ ପଦ :- ବିଷପ୍ରସୂନ-ପଦ୍ମ । ଇନ୍ଦ୍ର-ଚନ୍ଦ୍ର ।
୩ୟ ପଦ :- ‘‘ପଦ୍ମ ଓ ଚନ୍ଦ୍ରକୁ ମୁଁ ପ୍ରତିଦିନ ଦେଖୁଅଛି । ସେ ସ୍ତ୍ରୀର ମୁଖ ପ୍ରସନ୍ନ ନଥିଲା, ତଥାପି ସେ ପଦ୍ମ ଓ ଚନ୍ଦ୍ର ଦୁହେଁ ତାହା ସହିତ ଲକ୍ଷ୍ୟ ହେବେ ନାହିଁ । ତାହାର ଆକ୍ଷିରୁ ଲୁହ ବିଗଳିତ ହେଉଥିଲା । ତାହା ଦେଖି ମାଛ ମୁକ୍ତା ବାନ୍ତି କରୁଛି ବୋଲି ବା ମୁଁ କହନ୍ତି; କିନ୍ତୁ ସେ ମୀନ ତାଠାରୁ ସୌନ୍ଦର୍ଯ୍ୟରେ ଊଣା, ସେହି ହେତୁରୁ ସେ ଡରି ପାଣିରେ ଲୁଚେ ଏବଂ ମୁଁ ତାକୁ ଧରି ଖାଏଁ ।’’
୪ର୍ଥ ପଦ :- ‘‘ତାର ଦେହରୁ ମନୋହର ଗନ୍ଧ ବାହାରୁଥିବାରୁ ସେ ବସିଥିବା ରଥର ଚାରିଆଡ଼େ ଭ୍ରମରମାନେ ବେଢ଼ିଥିଲେ । ତା ଦେହରେ ଝଟକ ବିଜୁଳିଠାରେ ନାହିଁ । ମୁଁ ମେଘର ନିକଟରେ ରହି ବିଜୁଳିକୁ ଦେଖିଛି । ତାର କଣ୍ଠରୁ ‘ରାମ’ ‘ରାମ’ ଯେଉଁ ସ୍ୱର ବାହାରୁଥିଲା, ତା ଆଗରେ ବୀଣା ସ୍ୱର ବା କି ମଧୁର ? (ମଧୁର ନୁହେଁ) ।’’
୫ମ ପଦ :- ବର୍ଷାଭୁ - ଭେକ । ବନପ୍ରିୟ-କୋକିଳ ।
୫ମ ପଦ :- ‘‘ତୁମ୍ଭେ କହିବ, ତୁ ବଗୁଟାଏ ହୋଇ ବୀଣା କିପରି ଶୁଣିଲୁ ? ମାତ୍ର ମୁଁ ଶୁଣିଛି,- ସେ ସାତଗୋଟି ସ୍ୱରରେ ବାଜେ । ବେଙ୍ଗଠାରେ ଧୈବତସ୍ୱର, ମୟୂରଠାରେ ଷଡ଼୍ଜସ୍ୱର ଓ କୋକିଳଠାରେ ପଞ୍ଚମସ୍ୱର ସ୍ୱଭାବତଃ ଅଛି । ଏହିପରି କ୍ରମରେ ଆଉମାନେ ମଧ୍ୟ ମୋ କାନରେ ବାଜୁଛନ୍ତି ।’’ (ସପ୍ତମସ୍ୱର ଯଥା-ନିଷାଦ’ ଋଷଭ, ଗାନ୍ଧାର, ଷଡ଼୍ଜ; ମାଧ୍ୟମ ଧୈବତ ଓ ପଞ୍ଚମ ) ।
ବାର୍ତ୍ତା ଣୁଣି କରି ଯାଚୁଁ କୃପାଳୁ ।ବସାରେ ବର୍ଷାରେ ଆହାର ମିଳୁ ।ବଳାକା ଭାଷୁ ଆଜ୍ଞାଦେଲେ ହେଉ ।ବକୀ ଚତୁରମାସ ଆଣି ଦେଉ ।ବଲ୍ଲଭୀ ଉଚ୍ଛିଷ୍ଟ ।ବୋଲୁଁ ବୋଇଲେ ପାନ କରି ଓଷ୍ଠ ।୬ ।ବୁଲି ପୁଣି ମନେ ବାରତା ।ବିକାଶ କାଶ ହା ସିତା ହା ସୀତା ।ବକ୍ଷପଲ୍ୟଙ୍କ ମୋ ତୋ ଶୟନକୁ ।ବ୍ୟଥା ଦେଲା କି କୋମାଳ ଅଙ୍ଗକୁ ।ବିଦୁର ଏ ଦୋଷୁଁ ।ବସୁ ନାହୁଁ କୋଳେ ଦିଶେ ତ ଦିଶୁ ।୭ ।ବୋଳି ହୋଇ ଏବେ ବହୁ ବନ୍ଦନ ।ବିଞ୍ଚିଥିବି ତହିଁ କର୍ପୂର ଚୂର୍ଣ୍ଣ ।ବିଗୁଣ ନ ଘେନିବ ଦେବୁ ଲେଖି ।ବଳେ ଶ୍ରୀହସ୍ତରୁ ଆଜନ୍ମସୁଖୀ ।ବକ୍ଷୋଜ ଯେ ନିନ୍ଦୁ ।ବନ୍ଧୁ ଆଲିଙ୍ଗନେ ବିଲଗ ହୃଦୁ ।୮ ।ବୋଇଲା କୁକୁଟ ଶୁଣି ସେକ୍ଷଣି ।ବତିଶଲକ୍ଷଣୀ ଚାରୁଈକ୍ଷଣୀ ।ବିହାୟସ ପଥେ ଗଲାଣି ରଥେ ।ବସାଇ ନେଉଥିଲା ରକ୍ଷନାଥେ ।ବିଳସେ କେ ଆଗ ।ବିବେକ ହୋଇ ତା କଥାପ୍ରସଙ୍ଗ ।୯ ।ବିଚାର କର ନା ବନ ପର୍ବତେ ।ବୁଲି ସୁକୁମାରୀ ଶ୍ରବ ପ୍ରବର୍ତ୍ତେ ।ବିମାନେ ତା ସଙ୍ଗେ ସୁଖାର୍ଥେ ଯାଇ ।ବୁଝିବାରେ ମୋ ଅନୁରାଗ ନାହିଁ ।ବାରିଧାର ଆକ୍ଷି ।ବକ୍ଷଦେଶକୁ ପଙ୍କିଳ କରିଛି ।୧୦।
୬ଷ୍ଠ ପଦ :- ତାହାଠାରୁ ଏହିପରି ସମ୍ବାଦ ଶୁଣି ଦୟାଳୁ ରାମଚନ୍ଦ୍ର ବର ଯାଚିବାରୁ ବଗ କହିଲା, ‘‘ମୋତେ ବର୍ଷା ସମୟରେ ବସାରେ ଆହାର ମିଳୁ ।’’ ତହୁଁ ରାମଚନ୍ଦ୍ର ଆଜ୍ଞାଦେଲେ, ‘ବାକୀ ବର୍ଷା ଚାରିମାସଯାକ ତୋତେ ଆହାର ଆଣି ଦେଉ ।’ ବଗ କହିଲା, ‘ତା ହେଲେ ତ ସ୍ତ୍ରୀ ଅଇଁଠା ହେବ ।’ ରାମଚନ୍ଦ୍ର କହିଲେ, ‘ସ୍ତ୍ରୀର ଓଷ୍ଠ ଆସ୍ୱାଦନ କରାଯାଏ ଯେ ।’ (ସ୍ତ୍ରୀ ଅଇଁଠାରେ ଦୋଷ ନାହିଁ ) ।
୭ମ ପଦ :- କାଶହାସିତା-କାଶହାସିନୀ । ଦିଶେ-ଦିଗମାନଙ୍କରେ ।
୭ମ ପଦ :- ରାମଚନ୍ଦ୍ର ସୀତାଙ୍କ ସମ୍ୱାଦ ସଂଗ୍ରହ କରିବା ପାଇଁ ପୁନର୍ବାର ବନରେ ବୁଲି ବୁଲି କହିଲେ, ‘‘ହେ ପ୍ରସ୍ଫୁଟିତ କାଶକୁସୁମହାସିନୀ ସୀତେ ! ମୋର ବକ୍ଷରୂପ ପଲଙ୍କରେ ତୁ ଶୟନ କରିବାରୁ ତୋର ସୁକୁମାର ଦେହରେ ପୀଡ଼ା ଜାତ ହେଲା କି ? ଏହି ଦୋଷରୁ ମୋ ନିକଟରୁ ଅନ୍ତର ହୋଇ ଦିଗମାନଙ୍କରେ ଦେଖା ଦେଉଛୁ, ମାତ୍ର ମୋର କୋଳରେ ବସୁନାହୁଁ ।’’
୮ମ ପଦ :- ବକ୍ଷୋଜ-ସ୍ତନ । ବିଲଗ-ଅଲଗା ।
୮ମ ପଦ :- ‘‘ହେ ଆଜନ୍ମସୁଖିନି ! ଇଚ୍ଛାପୂର୍ବକ ଯଦି ତୋର ଶ୍ରୀହସ୍ତରେ ‘ବିମନା ହେବି ନାହିଁ’ ଏତିକି ଲେଖିଦେବୁ; ତେବେ ମୁଁ ମୋର କଠୋର ବକ୍ଷରେ ବହୁତ ଚନ୍ଦନ ବୋଳି ହୋଇ ସେହି ଚନ୍ଦନ ଉପରେ କର୍ପୂରଗୁଣ୍ଡା ସିଞ୍ଚିଦେବି । ରେ ବନ୍ଧୁ ! ଆଲିଙ୍ଗନ ସମୟରେ ତୋ ଦେହ ମୋ ଦେହରୁ ଅଲଗା ହେବାରୁ, ତୁ ତୋର ସ୍ତନକୁ ନିନ୍ଦାକରୁ (ତୁ ତ ତୋର ସ୍ତନକୁ କଠିନ ବୋଲି ନିନ୍ଦା କରୁ; ଚନ୍ଦନ ଲିପ୍ତ ମୋର ବକ୍ଷକୁ ଯେ ନିନ୍ଦା ନ କରିବୁ ଏହା ବିନା ଲେଖାରେ ମୁଁ ସ୍ୱୀକାର କରିନପାରେ ।
୯ମ ପଦ :- ବିହାୟସ ପଥେ-ଆକାଶ ମାର୍ଗରେ । କଥା ପ୍ରସଙ୍ଗ-ବାତୁଳ ।
୯ମ ପଦ :- ରାମଚନ୍ଦ୍ର ଏହିପରି କହୁଥିବାର ଶୁଣି, ସଙ୍ଗେ ସଙ୍ଗେ କୁକୁଟ କହିଲା, ‘ବତିଶଲକ୍ଷଣଯୁକ୍ତା ସୁନ୍ଦରନେତ୍ରା ତୁମ୍ଭ ସ୍ତ୍ରୀ ଆକାଶମାର୍ଗରେ ଗଲାଣି । ତାକୁ ରାକ୍ଷସରାଜ ରାବଣ ରଥରେ ବସାଇ ନେଉଥିଲା । ବର୍ତ୍ତମାନ ତୁମ୍ଭ ଆଗରେ କିଏ ଦେଖା ଦେଉଛି ? ତୁମ୍ଭେ ବିବେକୀ ହୋଇ ଏପରି ବାତୁଳ ପ୍ରାୟ ହେଉଅଛ ?’’
୧୦ମ ପଦ :- ପଙ୍କିଳ-କର୍ଦମଯୁକ୍ତ, ଏଠାରେ କଳୁଷିତ ।
୧୦ମ ପଦ :- ‘‘ସୁକୁମାରୀ ପ୍ରିୟା ତୁମ୍ଭସହ ବନ ଓ ପର୍ବତରେ ବୁଲି ଦୁଃଖ ପାଇବାରୁ ସୁଖ ପାଇବାପାଇଁ ଯେ ରାବଣ ସଙ୍ଗରେ ରଥରେ ଗଲା;- ତୁମ୍ଭେ ଏ କଥା ଭାବ ନାହିଁ । ମୁଁ ବୁଝିଛି, ତାଙ୍କର ତାଠାରେ ସ୍ନେହ ନାହିଁ; ଯେ ହେତୁ ତାଙ୍କ ଆଖିରୁ ଅଶ୍ରୁଧାରା ବହି ବକ୍ଷଦେଶ ରୂପ ଭୂମିକୁ କଳୁଷିତ କରିଥିଲା ।’’
ବିଧିରେ ପ୍ରଜାପତି - ନପ୍ତା ଅର୍ଥୀ ।ବ୍ୟାକୁଳ ବଲିବର୍ଦ୍ଦ ଯୋଚି ତଥି ।ବଳେ ହରଷ ପ୍ରଜାଙ୍କୁ ଘଉଡ଼ି ।ବୁଣିବାକୁ ପ୍ରେମରାଶିକି ଲୋଡ଼ି ।ବଳ ଥିଲେ ତୁମ୍ଭେ ।ବିଚ୍ଛେଦ (ଶି) ସୀରକୁଚ ଦ୍ୱନ୍ଦ୍ୱ ଆରମ୍ଭେ ।୧୧।ବୀରଭଦ୍ର ଭଣି ଚରଣାୟୁଧ ।ବିହାୟସେ ସେ କ୍ଷତ୍ରିୟ ପ୍ରସିଦ୍ଧ ।ବହ ମୁକୁଟ କହିଲୁ ସନ୍ଦେଶ ।ବୋଲୁ ହେମଚର୍ମେ ହେଲା ଲାଳସ ।ବୃକ୍ଷରେ କୋପନ ।ବଚରେ ଯୁକ୍ତ ନ କହ ବଚନ ।୧୨।ବାଣୀ ନ ଶୁଣ ପ୍ରଶ୍ରବଣ ଥାଇ ।ବୋଲାଅ ଶାଖାବନ୍ତ ଶାଖା ନାହିଁ ।ବିକାଶ କୁସୁମେ ହାସ ରଚନ ।ବସନ ଉଚ୍ଚରେ ହୁଅ ପତନ ।ବୋଲନ୍ତେ ଖସିଲେ ।ବିବର୍ଣ୍ଣତା ମହୀଭୁତ ଦିଶିଲେ ।୧୩।ବେଦର୍ଭୀପତି ଅଇଲେ ଶଙ୍ଖୋଳି ।ଦିହରୁଁ ମାର୍କଣ୍ଡେୟ ୠଷି ମିଳି ।ବାସାଞ୍ଚଳେ ଅଶ୍ରୁ ପୋଛି ଶ୍ରୀରାମ ।ବେନି ମୁନିଙ୍କି ବିହିଲେ ପ୍ରଣାମ ।ବୋଲନ୍ତି କୁମ୍ବୁଜ ।ବିବେକିଶେଖର ହୋଇ ଅଧୈର୍ଯ୍ୟ ।୧୪।ବୋଇଲେ ରାମ କାମ ଭସ୍ମ ଗଲା ।ବଲ୍ଲଭୀକି ତାର ସମ୍ବର ନେଲା ।ବସିଛି ଜୀବେ ଆନ ନେଲା ଭୀରୁ ।ବଳି କ୍ଷତ ବଡ଼ ଅଛି ଏଥିରୁ ।ବୋଧେ ମୁନିବର ।ବସନ୍ତା ନାହିଁ ଦ୍ୱାଃସ୍ଥ ନିରୋଧର ॥୧୫।୧୧ଶ ପଦ :- ଅର୍ଥୀ-ଧନୀଲୋକ ବା ଧନଲିପ୍ସୁ । ବଳିବର୍ଦ୍ଦ-ବଳଦ । ସୀର-ଲଙ୍ଗଳ । ପ୍ରଜାପତିନପ୍ତା-ରାବଣ ।
୧୧ଶ ପଦ :- ‘‘ଗ୍ରାମଧିକାରୀ ଲୋଭ ପରବଶ ହୋଇ ଅଥବା ବହୁ ଧନ ପାଇବାର ଇଚ୍ଛା କରି ‘ବିଧିରେ’ ଦୁର୍ବୁଦ୍ଧି ବଶତଃ ପ୍ରଜାର ଭୂମିରେ ତରତର ଭୂମିରେ ତରତର ହୋଇ ବଳଦ ଯୋଚି ହଳ କରି ବଳ ପ୍ରୟୋଗ ପୂର୍ବକ ପ୍ରଜାଙ୍କୁ ଘଉଡ଼ି ଯେପରି ଆନନ୍ଦରେ ଧାନ, ମୁଗ ବା ତିଳ ପ୍ରଭୃତି ବୁଣିବାକୁ ଇଚ୍ଛାକରେ; ସେହିପରି ବ୍ରହ୍ମାଙ୍କ ନାତି ରାବଣ ‘ବିଧିରେ’ ନିଜର ଦୁର୍ବୁଦ୍ଧିରୁ ଅଥବା ବିଧାତାର ନିୟମାନୁସାରେ, ତାହାଙ୍କ ନିକଟରେ ଭିକ୍ଷାର୍ଥୀ ହୋଇ ତାହାଙ୍କର ହୃଦୟ ରୂପ ଭୂମିରେ ! ବ୍ୟାକୁଳ ବଳିବର୍ଦ୍ଦ’ ଅତିଶୟ ଦୁଃଖ ରୂପୀ ବଳଦକୁ ଯୋଚି ଅର୍ଥାତ୍ ତାଙ୍କୁ ଭୟ ଦେଖାଇ ତାଙ୍କ ହୃଦୟରେ ଥିବା ଆନନ୍ଦ ରୂପ ପ୍ରଜାମାନଙ୍କୁ ବଳପୂର୍ବକ ଘଉଡ଼ି ଅନୁରାଗ ରୂପ ତିଳକୁ ବୁଣିବାକୁ ଇଚ୍ଛା କରୁଛି । ତୁମ୍ଭର ଯଦି ବଳ ଅଛି, ତା ହେଲେ ବଳଶାଳୀ ପ୍ରଜା ଯେପରି ମାରପିଟ୍ କରି ଗ୍ରାମଧିକାରୀର ‘ସୀର’ ହଳକୁ ଭାଙ୍ଗି ଗୁଣ୍ଡା କରିଦିଏ, ସେହିପରି ତୁମ୍ଭେ ଯୁଦ୍ଧ କରି ରାବଣର ‘ଶିର’ ମୁଣ୍ଡକୁ ‘ବିଚ୍ଛେଦ କର’ ହାଣି ପକାଅ ।’’
୧୨ଶ ପଦ :- ବୀରଭଦ୍ର-ବୀରଶ୍ରଷ୍ଠ । ଚରଣାୟୁଧ-କୁକ୍କୁଟ । ବିହାୟସେ-ପକ୍ଷୀମାନଙ୍କ ମଧ୍ୟରେ । ହେମକୁଟ-ସ୍ୱର୍ଣ୍ଣମୁକୁଟ । ବଚରେ-ଶୁକପକ୍ଷୀ ଦ୍ୱାରା ।
୧୨ଶ ପଦ :- ବୀରଶ୍ରେଷ୍ଠ ରାମଚନ୍ଦ୍ର କହିଲେ, ‘‘ହେ କୁକ୍କୁଟ ! ତୁ ପକ୍ଷୀମାନଙ୍କ ମଧ୍ୟରେ ରାଜା ଅଟୁ । ତୁ ମୋତେ ପ୍ରିୟାର ସମ୍ୱାଦ କହିଲୁ; ଏଣୁ ଆମ୍ଭ ବରରେ ତୁ ସୁନାର ମୁକୁଟ ଧାରଣ କର ।’’ ରାମଚନ୍ଦ୍ର ଏହା କହନ୍ତେ କୁକ୍କୁଟ ଚର୍ମ ମୁକୁଟରେ ଆଗ୍ରହ ପ୍ରକାଶ କରିଥିଲା । (ସେହିଦିନଠାରୁ ରାମଙ୍କ ବରରେ କୁକ୍କୁଟ ଚର୍ମ ମୁକୁଟ ଧାରଣ କରିଅଛି । ତତ୍ପରେ ରାମଚନ୍ଦ୍ର ବୃକ୍ଷମାନଙ୍କ ଉପରେ କ୍ରୋଧ ବହି କହିଲେ, ‘‘ତୁମ୍ଭେମାନେ ‘ବଚ’ ଶୁକପକ୍ଷୀ ରୂପ ବଚନରେ ଯୁକ୍ତ ହୋଇ (ତୁମ୍ଭର କଥା କହିବା ଶକ୍ତି ଥାଉଁ ଥାଉଁ) ମୋତେ ବଚନ କାହିଁକି କହୁ ନାହଁ ?’’
୧୩ଶ ପଦ :- ପ୍ରଶ୍ରବଣ-ବଡ଼ କାନ । ବିବର୍ଣ୍ଣ-ଅସୁନ୍ଦର । ମହୀଭୃତ-ପର୍ବତ ।
୧୩ଶ ପଦ :- ‘‘ତୁମ୍ଭମାନଙ୍କର କୋରଡ଼ ରୂପ ବଡ଼ ବଡ଼ କାନ ଥାଉଁ ଥାଉଁ ମୋର କଥା ଶୁଣୁ ନାହଁ । ମୋର କେହି ସହାୟ ନାହିଁ କିନ୍ତୁ ତୁମ୍ଭେମାନେ ‘ଶାଖାବନ୍ତ’ ବହୁଡାଳଯୁକ୍ତ ଅର୍ଥାତ୍ ସହାୟଯୁକ୍ତ ହୋଇଅଛ । (ସହାୟଶାଳୀ ହୋଇ ନିଃସହାୟକୁ ସାହାଯ୍ୟ ଦାନ କରୁନାହିଁ) । ତୁମ୍ଭେମାନେ ଫୁଟିଥିବା ଫୁଲମାନଙ୍କଦ୍ୱାରା ମଣ୍ଡିତ ହୋଇନାହଁ ଯେ, ବୋଧହୁଏ ମତେ ଦେଖି ହସୁଛ । ଅତଏବ ତୁମ୍ଭେମାନେ ପର୍ବତ ଉପରେ ନ ରହି ତାର ତଳକୁ ଖସିପଡ଼ ।’’ ରାମଚନ୍ଦ୍ର ଏହା କହିବାରୁ ବୃକ୍ଷମାନେ ତଳକୁ ଖସି ପଡ଼ିଲେ ଏବଂ ପର୍ବତମାନେ ଅସୁନ୍ଦର ଦେଖାଗଲେ ।
୧୪ଶ ପଦ :- ବୈଦର୍ଭୀପତି-ଅଗସ୍ତିଋଷି । ବାସାଞ୍ଚଳେ-ଲୁଗା କାନିରେ । କୁମ୍ଭଜ-ଅଗସ୍ତି ଋଷି ।
୧୪ଶ ପଦ :- ଏହି ସମୟରେ ଅଗସ୍ତ୍ୟମୁନି ରାମଚନ୍ଦ୍ରଙ୍କୁ ଶଙ୍ଖୋଳିବା ପାଇଁ ଆସିଲେ । ମାର୍କଣ୍ଡେୟ ଋଷି ମଧ୍ୟ ମନ ଇଚ୍ଛାରେ ବୁଲୁ ବୁଲୁ ସେହି ସ୍ଥାନରେ ଆସି ମିଳିଲେ । ରାମ ଲୁଗା କାନିରେ ଲୁହ ପୋଛି ସେହି ମୁନି ଦୁହିଁଙ୍କୁ ପ୍ରଣାମ କଲେ । ଅଗସ୍ତ୍ୟ ମୁନି କହିଲେ, ‘‘ହେ ରାମ ! ଆପଣ ବିବେକୀ ହୋଇ ଏପରି ଅଧୈର୍ଯ୍ୟ ହେଉଛନ୍ତି କାହିଁକି ?’
୧୫ଶ ପଦ :- ଭୀରୁ-ସ୍ତ୍ରୀ, ଭୟାଳୁ । ଦ୍ୱାସ୍ଥ-ଦ୍ୱାରୀ । ନିରୋଧ-ମନାକରିବା ଲୋକ, ଅନ୍ତଃପୁର ।
୧୫ଶ ପଦ :- ରାମଚନ୍ଦ୍ର କହିଲେ, ‘‘କନ୍ଦର୍ପ ହର କୋପାନଳରେ ଭସ୍ମ ହେବାରୁ ସମ୍ୱରାସୁର ତାର ସ୍ତ୍ରୀକୁ ନେଲା, ମାତ୍ର ମୁଁ ବଞ୍ଚି ରହିଛି, ଅନ୍ୟ ଜଣେ ଲୋକ ମୋର ସ୍ତ୍ରୀକୁ ନେଇଗଲା । ଏଥିରୁ ବଡ଼ ଆଘାତ ଆଉ କଣ ଅଛି ?’’ ରାମ ଏହିପରି କହିବାରୁ ମୁନିଶ୍ରେଷ୍ଠ ଅଗସ୍ତ୍ୟ ବୋଧ ଦେଇ କହିଲେ, ‘‘ତୁମ୍ଭ ପର୍ଣ୍ଣକୁଟୀର ଦ୍ୱାରରେ ମନା କରିବା ପାଇଁ ଦ୍ୱାରୀ ନ ଥିଲା ଅର୍ଥାତ୍ମନା କରିବା ଲୋକ କେହି ନ ଥିବାରୁ ସେ ସୀତାଙ୍କୁ ନେଇଗଲା । ଅଥବା ‘ନିରୋଧର’ ଅନ୍ତଃପୁରର ଦ୍ୱାରୀ ରାବଣ ଆଉ ଦ୍ୱାରରେ ବସନ୍ତା କାହିଁକି ? (ତୁମ୍ଭ ବୈକୁଣ୍ଠପୁର ଦ୍ୱାରୀ ଜୟ ଶାପଗ୍ରସ୍ତ ହୋଇ ରାବଣ ରୂପରେ ଜନ୍ମଗ୍ରହଣ କରିଛି, ସେ କଣ ଆଉ ତୁମ୍ଭର ବୈକୁଣ୍ଠପୁରଚାରିଣୀ ସୀତାଙ୍କୁ ଜଗି ବସନ୍ତା ନାହିଁକି ? ନିଶ୍ଚୟ ଜଗିବସିବ) ।’’
ବିଦେହ ଯେ ଦେହ ପାଇବ ପୁଣି ।ବଧି ସମ୍ବର ତା ରଖିବ ଆଣି ।ବଳବନ୍ତ ସ୍ୱୟଂ ଅଛ ପରାଣେ ।ବାଳି ବଧ ହେଲା ଯେ ଏକାବାଣେ ।ବଇରୀ ତୁମ୍ଭର ।ବନ୍ଦୀ ହୋଇଥିଲା ତାହା କକ୍ଷର ।୧୬ବେଦନାସହ ତୋହେ ରାମ ଭାଷେ ।ବନ୍ଦୀ ସେ ବଡ଼ ଦୟାଳୁ ରାକ୍ଷସେ ।ବିପି(ପୀ)ନେ ବିଚ୍ଛେଦ ଭୟରୁ କଳି ।ବିରହାନଳ ଦେଉଥିବ ଜାଳି ।ବସି ଏକା ଘୋଷି ।ବଞ୍ଚିଥିବ ନିକି ପ୍ରୀତିଲାଳସୀ ?।୧୭।ବୋଧ ଦେଲେ ତତକାଳ ଅଗସ୍ତି ।ବିଶ୍ୱଧାତ୍ରୀ ପୁତ୍ରୀ କନକଗାତ୍ରୀ ।ବାରଣ ନାମ ଆଦ୍ୟ ପ୍ରାନ୍ତକ୍ଷରେ ।ବ୍ୟକ୍ତ ମହାସୁର ନାମ ମଧ୍ୟରେ ।ବଞ୍ଚିଛି ଏ ନାମ ।ବାମା ବିଚ୍ଛେଦ ଅତି ପ୍ରାତିଧାମା ।୧୮।ବାହୁଡ଼ୁଁ ବୋଧି ମାର୍କଣ୍ଡେୟ ପୁଚ୍ଛି ।ବିଷ୍ଣୁ ପରା ପରାକ୍ରମ କାହି ଛି ।ବହି ନାହାନ୍ତି ତ ଦରଅରିକି ।ବହିଛନ୍ତି ଏକା ଦର ଅରିକି ।ବିପତି ବିହୀନ ।ବିପତ୍ତିଭଞ୍ଜନେ ହୋଇ ମଉନ ।୧୯।ବିଶ୍ୱକେତୁ ଏ ପରତେ ହୁଅଇ ।ବାଳୀ ବିଚ୍ଛେଦ ଜନ୍ମାନ୍ତେ ନ ଯାଇ ।ବହିଛି ଶରିଷାଙ୍ଗୀ ଶିରୀ ଶିରୀ ।ବ୍ୟର୍ଥ ପ୍ରତୀତି ରାଗଲତା ପରି ।ବନ୍ଦୀ ସେ ଦୈତ୍ୟରେ ।ବିଧାନ ହୋଇଲା ଜନମାନ୍ତରେ ।୨୦।୧୬ଶ ପଦ :- ବିଦେହ-କନ୍ଦର୍ପ । ଅଣି-ଟେକ ବା ବଡ଼ାଇ । ବଇରୀ-ଶତ୍ରୁ(ରାବଣ) । କକ୍ଷର-କାଖରେ ।
୧୬ଶ ପଦ :- ଅଗସ୍ତ୍ୟ କହିଲେ, ‘‘କନ୍ଦର୍ପ ପୁନର୍ବାର ଦେହ ଧାରଣ କରିବ ଓ ସମ୍ୱରକୁ ମାରି ନିଜର ମହତ୍ୱ ରଖିବ । ଅଥବା ତାକୁ ତା’ର ସ୍ତ୍ରୀ ରତିକୁ ଆଣି ରଖିବ (ସମ୍ୱରବଧ ରତିହରଣ ମୂଳ କାରଣ) ଯାହାଙ୍କର ଏକମାତ୍ର ବାଣରେ ବାଳି ବିନାଶ ହେଲା, ସେହି ବଳଶାଳୀ ତୁମ୍ଭେ ନିଜେ ଜୀବିତ ଅଛ । ତୁମ୍ଭର ଶତ୍ରୁ ସେହି ବାଳିର କାଖରେ ବନ୍ଦୀ ହୋଇଥିଲା ପରା ? (ତୁମ୍ଭେ ବାଳିକୁ ଯେତେବେଳେ ମାରିଛ, ରାବଣକୁ ଅନାୟସରେ ମାରି ପାରିବ) ।’’
୧୭ଶ ପଦ :- ରାମଚନ୍ଦ୍ର କହିଲେ, ‘‘ସେ ସୀତା ‘ବେଦନାସହ, ଦୁଃଖ ସହିବା ଭଳି ନୁହେଁ ଅର୍ଥାତ୍ ଅତି ସୁକୁମାରୀ ଏବଂ ଭୟାଳୁ; ପୁଣି ରାକ୍ଷସମାନଙ୍କ ଦ୍ୱାରା ବନ୍ଦୀ ହୋଇଅଛି । (ଯେଉଁ ରାକ୍ଷସମାନଙ୍କୁ ଦେବତାମାନେ ଭୟ କରନ୍ତି; ଏହି ଭୟଶୀଳା ରମଣୀ ତାଙ୍କୁ ଦେଖି ବଞ୍ଚିବା ଅସମ୍ଭବ) । ମୋଠାରୁ ବିଚ୍ଛିନ୍ନ ହୋଇ ରହିବ, ଏହି ଭୟ ହେତୁରୁ ବନକୁ ଆସିଥିଲା । ତେଣୁ ମୁଁ କଳ୍ପନା କରୁଛି, ବିରହାଗ୍ନି ତାକୁ ଜାଳି ଦେଉଥିବ, ଅଥବା ଦୀର୍ଘ ବିଚ୍ଛେଦ (ଯେଉଁ ବିଚ୍ଛେଦଦ୍ୱାରା ଆଉ ମିଳିବାର ଆଶା ନାହିଁ, କାରଣ ମୁଁ ବନବାସୀ ଓ ଲଙ୍କା ସମୁଦ୍ର ବେଷ୍ଟିତ ଅଟେ), ଭୟଜାତ ବିରହାନଳ, ସ୍ୱଜନ ବିରହ, ପତି ବିଚ୍ଛେଦ,- ଏହା ତାକୁ ପୋଡ଼ି ଦେଉଥିବ । ଏହି ସବୁ କାରଣରୁ ‘ପ୍ରୀତିଲାଳସୀ ଆଉ କଣ ବଞ୍ଚିଥିବ ?’ ଏହି କଥା ଏକାକୀ ବସି ଘୋଷୁଛି ।’’
୧୮ଶ ପଦ :- ଅଗସ୍ତି ସଙ୍ଗେ ସଙ୍ଗେ ବୋଧ ଦେଇ କହିଲେ; ‘ସୀତା ସର୍ବଂସହା (ଯେ ସମସ୍ତ ସହିପାରେ ଅର୍ଥାତ୍ ପୃଥିବୀ)ର କନ୍ୟା (ଯାହାର ମାତା ସମସ୍ତ ସହିପାରେ ସେ ପୁଣି ‘ବେଦନାସହ ନୁହେଁ’ ଏହା ଭାବିବା ଭୁଲ) ଏବଂ କନକଗାତ୍ରୀ ମଧ୍ୟ ଅଟନ୍ତି । ସୁନାକୁ ଅଗ୍ନି ପୋଡ଼ିପାରେ ନାହିଁ କି ମ୍ଳାନ କରିପାରେନାହିଁ; ମାତ୍ର ଅଗ୍ନିରେ ପଡ଼ିଲେ ସୁନା ଉଜ୍ଜ୍ୱଳ ଦିଶେ; ଅତଏବ ‘ବିରହାନଳ ଦେଉଥିବ ଜାଳି’ ଏପରି ଭାବିବା ଠିକ୍ ନୁହେଁ; ବରଂ ଏହି ବିରହ ତାଙ୍କର ଉଜ୍ଜ୍ୱଳ ଯଶ ବିସ୍ତାର କରିବ । ଆଦ୍ୟରେ ଗୋଟିଏ ଓ ପ୍ରାନ୍ତରେ ଗୋଟିଏ, ଏହିପରି ଦୁଇଗୋଟି ଅକ୍ଷରରେ ‘ବାରଣ’ ହସ୍ତୀର ନାମ ପ୍ରକାଶିତ ହୋଇଥିବ; ଯଥା ଦନ୍ତୀ ଅଥବା ଆଦ୍ୟ ଓ ପ୍ରାନ୍ତ’ ଏ ଦୁଇ ପଦର ଯେଉଁ ପ୍ରାନ୍ତାକ୍ଷର ଅର୍ଥାତ୍ ବଓନ୍ତ; ଏହି ଶବ୍ଦରେ ବାରଣ ନାମ ଖ୍ୟାତିଲାଭ କରିଥିବ ଅର୍ଥାତ୍ ହସ୍ତୀର ବଡ଼ ବଡ଼ ଦନ୍ତ ଥିବାରୁ ତାର ନାମ ଦନ୍ତ ଅଟେ । ସେହିପରି ଆଦ୍ୟ ଓ ପ୍ରାନ୍ତ ଦୁଇ ଅକ୍ଷରରେ ମହାସୁର ନାମ ପ୍ରକାଶିତ ହୋଇଥିବ; ଯଥା ମୟ ଏହି ନାମ ସେହି ଦନ୍ତୀ ଶବ୍ଦ ମଧ୍ୟରେ ବ୍ୟକ୍ତହେବ; ଯଥା ଦମୟନ୍ତୀ । ଏହି ଦମୟନ୍ତୀ ନାମ୍ନୀ ସୁନ୍ଦରୀ ପ୍ରାଣପ୍ରିୟ ନଳଙ୍କ ବିରହରେ ବଞ୍ଚିଥିଲା । ଅତଏବ ‘ବର୍ତ୍ତୀଥିବ ନିକି ପ୍ରୀତିଲାଳସୀ, ଏହା କହିବା ଠିକ୍ ନୁହେଁ । (ସୀତା ନିଶ୍ଚୟ ବଞ୍ଚିଥିବେ)’’
୧୯ଶ ପଦ :- ଦର-ଭୟ, ଶଙ୍ଖ । ଅରି-ଶତ୍ରୁ, ଚକ୍ର ।
୧୯ଶ ପଦ :- ଅଗସ୍ତ୍ୟ ରାମଙ୍କୁ ଏହିପରି ବୋଧ ଦେଇ ଫେରିବା ବେଳେ ତାଙ୍କ ସଙ୍ଗେ ଆସୁଥିବା ମାର୍କଣ୍ଡେୟ ପଚାରିଲେ, ‘‘ହେ ମୁନେ ! ଏ ବିଷ୍ଣୁ ପରା ? ଏହାଙ୍କର ବିଷ୍ଣୁଙ୍କପରି ପରାକ୍ରମ କାହିଁ ? ଶଙ୍ଖ ଚକ୍ର ତ ଧରି ନାହାନ୍ତି କିନ୍ତୁ ଦର ଅରି’ ଶତ୍ରୁ ଭୟକୁ ଧରି ଅଛନ୍ତି । ‘ବିପତି’ ଗରୁଡ଼ ଏହାଙ୍କ ନିକଟରେ ତ ନାହିଁ ବରଂ ନିଜର ବିପତ୍ତି ଖଣ୍ଡନ କରିନପାରି ମୁକହୋଇ ରହିଛନ୍ତି (ଲୋକମାନେ ବିଷ୍ଣୁଙ୍କୁ ଭଞ୍ଜନ ବୋଲି କହନ୍ତି, ଯଦି ଏ ବିଷ୍ଣୁ ହୋଇଥାନ୍ତେ, ଅନ୍ୟମାନଙ୍କ ବିପତ୍ତି ଦୂରେ ଥାଉ ନିଜର ବିପତ୍ତି ଖଣ୍ଡନ କରିପାରନ୍ତେ ନାହିଁ କି ?’’ )
୨୦ଶ ପଦ :- ବିଶ୍ୱକେତୁ-କନ୍ଦର୍ପ । ରାଗଲତା-ରତି ।
୨୦ଶ ପଦ :- ‘‘ଯେହେତୁ ଅତି ସୁନ୍ଦର ଦେଖା ଯାଉଅଛନ୍ତି ତେଣୁ ଏ କନ୍ଦର୍ପ ବୋଲି ମୋର ପ୍ରତୀତ ହୁଏ । ଅତଏବ ଜନ୍ମାନ୍ତରରେ ସୁଦ୍ଧା ଏହାଙ୍କର ପ୍ରିୟା ବିଛେଦ ଯାଉନାହିଁ । (ପୂର୍ବ ଜନ୍ମରେ ମହାଦେବଙ୍କ କୋପାନଳରେ ଦଗ୍ଧ ହୋଇଥିବାରୁ ପ୍ରିୟା ବିଚ୍ଛେଦ ଘଟିଥିଲା, ଏବେ ମଧ୍ୟ ଘଟିଛି) କୋମଳାଙ୍ଗୀ ସୀତା ଲକ୍ଷ୍ମୀଙ୍କର ଶୋଭା ଧାରଣ କରିଅଛନ୍ତି ଅର୍ଥାତ୍ ଲକ୍ଷ୍ମୀ ଅଟନ୍ତି, ଏହା କହିବା ବୃଥା । ସେ ରତି ହେଲା ପରି ମୋତେ ବୋଧହୁଏ, କାରଣ ରତି ସମ୍ୱରାସୁର ଦ୍ୱାରା ବନ୍ଦୀ ହୋଇଥିଲେ । ଏହି ଜନ୍ମାନ୍ତରେ ମଧ୍ୟ ସେହିପରି ବନ୍ଦୀ ହୋଇଥିଲେ ।
ବୋଲେ ଅଗସ୍ତି ହୋଇଣ ଚତୁର ।ବଣା ହୁଅ ଥିଲା ଭୁଜ ଚତୁର ।ବଟେ ପ୍ରଳୟକାଳେ ଦେଖିଅଛ ।ବାଳମୂରତି ହୋଇଥିଲେ ସୁର ।ବିଭୂତି ଦେଖିବ ।ବ୍ରହ୍ମାଥିବେ ଅଭିଷେକ ହେବ ।୨୧ ।ବାମନ ହୋଇ ଯଥା ତ୍ରିବିକ୍ରମ ।ବୁଦ୍ଧି ଐଶ୍ଚର୍ଯ୍ୟ ହେବ ସେହି କ୍ରମ ।ବେଗେ ମୁନି ବେନି ଆଶ୍ରମେ ସ୍ଥିତ ।ବିଖ୍ୟାତ ହେମନ୍ତ କି ଐରାବତ ।ବର୍ଣ୍ଣ କୁଜ୍ଝଟିତ ।ବ୍ୟାପିଗଲା ଜଗତୀରେ ଝଟିତ ।୨୨ ।ବିଭ୍ରାଜିତ ହୋଇ କୁନ୍ଦଦନ୍ତରେ ।ବିଳାସ ରଚି ବନ ପର୍ବତରେ ।ବୃଷ୍ଟି ତୃଷ୍ଣାର ମଦକଣ କରେ ।ବଳାଇଲା ଅତି ଆଦର ସୁ (ସୂ) ରେ ।ବାସବର ସ୍ନେହୀ ।ବଳ ମାନସକମ୍ପନ କରାଇ ।୨୩ ।ବିରସ ଦି(ବୀ)ନ ନିରତେ ନ- ମୁଚି ।ବିସ୍ତାର ଐନ୍ଦ୍ରିର ଚିତ୍ତ ସୁରୁଚି ।ବହି ହିରଣାକ୍ଷଛବି ଶରଦ ।ବରାହଦାଢ଼ ଭେଦରେ ରୁଚିଦ ।ବିଶୋଧିତ ଘନ ।ବିରବ ରହିଲା ମହୀ କମ୍ପନ ।୨୪ ।ବିଦେଶରେ ହେଲା ମଙ୍ଗଳ ଜାତ ।ବରୁଣ ସୁମନେ ହେଲା ରଞ୍ଜିତ ।ବ୍ୟାଧ ସମ କରି ପୁଣି ସେ କାଳ ।ବନରୁ ନାଶିଲା ଖୋଜି କମଳ ।ବାହୁବନ୍ଧେ ରଖେ ।ବେଳେ ବେଳେ ଜନ ସେ ପାଶେ ଯୋଖେ ।୨୫ ।