ବୁଝ ଆହେ ସୁମନେ ନିଦ୍ରାବଶେ ସୁମନେ (୩) — ବୈଦେହୀଶ ବିଳାସ (ଚତୁର୍ଥ ଭାଗ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
୮୨ଶ ପଦ :- ବିଧୂ-ବିଷ୍ଣୁ । ବିବୁଧପତି-ଇନ୍ଦ୍ର । ବୁଧ-ପଣ୍ଡିତ । ବିଧି-ବ୍ରହ୍ମା । ବିଧୀରେ-ଅତି ଧୀର ଭାବରେ । ଧୀବର-କେଉଟ ।
୮୨ଶ ପଦ :- ଇନ୍ଦ୍ର ନିଜର ପାଣ୍ଡିତ୍ୟ ବଳରେ ବିଧାତାଙ୍କ ସଙ୍ଗେ ଅତି ଧୀର ସ୍ଥିର ଭାବରେ ଏହିପରି କଥାବାର୍ତ୍ତା ହେଲେ, ‘‘କେଉଟମାନେ ଯେପରି ନୌକା ଉପରେ ବସି ତେଣ୍ଟା ପ୍ରୟୋଗକରି ମାଛମାନଙ୍କୁ ବିନାଶ କରନ୍ତି, ରାବଣ ସେହିପରି ପୁଷ୍ପକ ରଥରେ ବସି ରାମଙ୍କ ସୈନ୍ୟମାନଙ୍କୁ ଶର ଦ୍ୱାରା ବିନାଶ କରୁଅଛି ।’’
୮୩ଶ ପଦ :- ବ୍ୟୋମଚାରୀ-ଆକାଶବିହାରୀ । ଖଗେ-ପକ୍ଷୀମାନେ । ପତ୍ରି-ଶର । ମାରୀଚମାରୀ-ମାରୀଚହନ୍ତା ରାମଚନ୍ଦ୍ର ।
୮୩ଶ ପଦ :- ‘‘ଯେପରି ଆକାଶବିହାରୀ ପକ୍ଷୀମାନଙ୍କୁ ଭୂମିରେ ରହି ବାଟୁଳି ପ୍ରୟୋଗ କଲେ ଲକ୍ଷ୍ୟ ଠିକ୍ ରହେ ନାହିଁ, ସେହିପରି ରାମଚନ୍ଦ୍ର ରାବଣ ପ୍ରତି ବହୁ ଶର ନିକ୍ଷେପ କଲେ ମଧ୍ୟ ତାହା ବ୍ୟର୍ଥ ହେଉଅଛି (ରାବଣ ଥିବାରୁ ଭୂମିରେ ରହି ଯୁଦ୍ଧ କରୁଥିବା ରାମଚନ୍ଦ୍ରଙ୍କ ଲକ୍ଷ୍ୟ ବ୍ୟର୍ଥ ହେଉଅଛି) । ମାରୀଚ ମାରି ରାମଚନ୍ଦ୍ର ଆମ୍ଭମାନଙ୍କ ପାଇଁ ଏତେ ବ୍ୟଥା ପାଇ ଚରଣରେ ଭ୍ରମି ଯୁଦ୍ଧ କରୁଅଛନ୍ତି (ତେଣୁ ତାଙ୍କୁ ସାହାଯ୍ୟ ଦେବା ଆମ୍ଭର ଉଚିତ) ।’’
୮୪ଶ ପଦ :- ଲୟେ-ଧ୍ୟାନରେ । ମଣାଇ-ବୁଝାଇ ।
୮୪ଶ ପଦ :- ତତପରେ ଇନ୍ଦ୍ର ନନ୍ଦିଙ୍କୁ ନିକଟକୁ ଡାକି ବିନୟ ପ୍ରକାଶ ପୂର୍ବକ ତାଙ୍କ ମନ ମନାଇଲେ ଏବଂ ଭୟଙ୍କର ଶବ୍ଦ ପ୍ରକାଶ କରିବା ନିମିତ୍ତ ତାଙ୍କ ରଥର ଚକ୍ରରେ ବସାଇ ନାନା ପ୍ରକାର ସ୍ତୁତି କଲେ (ଚକ୍ର ଚାଳନ ସମୟରେ ନନ୍ଦୀ ଗର୍ଜନ କରିବା ଯୋଗେ ରଥର ନାମ ନନ୍ଦିଘୋଷ ହୋଇଅଛି ।)
୮୫ଶ ପଦ :- ବାହ-ଘୋଟକ । ତୁଣାଦି-ଶରପ୍ରଭୃତି । ବାସ-ସ୍ଥାନ । ସ୍ମସୂତେ-ଆପଣାର ସାରଥିକୁ ! ଭାରତୀ-ବଚନ । ଅମର୍ତ୍ତ୍ୟପାଶରୁ-ଦେବତାମାନଙ୍କ ନିକଟରୁ ।
୮୫ଶ ପଦ :- ଅନନ୍ତର ସେହି ରଥକୁ ବସ୍ତ୍ରରେ ମଣ୍ଡାଇ ଅଶ୍ୱରେ ସଜ୍ଜିତ ଓ ନାନାଦି ଶରରେ ପୂର୍ଣ୍ଣକରି ଇନ୍ଦ୍ର ନିଜର ସାରଥି ମାତଳିକୁ ଯୁଦ୍ଧକ୍ଷେତ୍ରକୁ ରଥ ନେବାକୁ ଆଦେଶ ଦେଲେ । ଇନ୍ଦ୍ରଙ୍କ ଆଜ୍ଞାନୂବର୍ତ୍ତୀ ମାତଳୀ ରଥରେ ବସି ରଥକୁ ସ୍ୱର୍ଗରୁ ମର୍ତ୍ତ୍ୟପୂରକୁ ଗତି କରାଇଲା ।
୮୬ଶ ପଦ :- ବିଦୃଶ-ଅଦୃଶ । ରଞ୍ଜନ-ବିଭୂଷଣ ।
୮୬ଶ ପଦ :- ସେହି କାଳରେ ରାତ୍ରି ହୋଇଥିବା ଯୋଗେ ସେ ରଥ ରାମଚନ୍ଦ୍ରଙ୍କ ନିକଟରେ ପହଞ୍ଚିମଧ୍ୟ ତାଙ୍କ ପାଖରେ ଥିବା ସୈନ୍ୟମାନଙ୍କୁ ଦେଖାଗଲା ନାହିଁ । ଏହି ପଦ ପାଞ୍ଚ ପ୍ରକାର ଅର୍ଥସୂଚକ ରଥବନ୍ଧ ରୀତିରେ ରଚିତ ହୋଇଅଛି । ହେ ରସଞ୍ଜଜନ ! ଏହାକୁ ବିଚାର କରନ୍ତୁ ।
ରଥବନ୍ଧ :-ବିଦ ରମ୍ୟ ଓକ ଚୀର ଚଳଇତ ରୂପାପର୍ବତ ଉନ୍ନତ ।ବିଷ୍ଣୁଲଭ୍ୟ ଶୁଭ ଅନନ୍ଦିତ ଶଶୀ ପ୍ରଭା ସାରସ୍ୱତ ନିତ୍ୟ । ୮୭ ।ବଘୋଷକାଶ୍ରୟା ପ୍ରଲଘୁତନିତ ହେବ ଖସି ପ୍ରଭାନଭୁଁ ।ବିନାୟକମାନ୍ୟ ତାପସଂହରକ ଉଦୟକ ସମରଭୁ । ୮୮ ।ବ୍ୟାକୁଳଁ ରାବଣ ମନ ଚ୍ଛନ୍ନକାରୀ ପୁଷ୍ପକ ପୁରେ ବିଭାସୁଁ ।ବାମେ ଦେବସୂତ ପ୍ରିୟବାହ ଚାରି ଚାଳନ ଲୀଳାରଭସୁ । ୮୯ ।ବିବରବଶୈକ ତୁଙ୍ଗସାର ଧ୍ୱଜ ତୁରିତ ବତ୍ସଳଛବି ।ବିବଧରେ ଭୁଲି ତରୁଧର ବ୍ୟୁହ ପ୍ରକାଶ କରୁଚି ରବି । ୯୦ ।ବିକ୍ରମି ବାରଥିବାକ୍ୟେ ଦାଶରଥି ରଥାରୋହୁଁ ବିଭୀଷଣ ।ବିଲୋକିଲା ନେତ୍ରେ ନିର୍ବାଣେ ଜଡ଼ିଲା ଜୟ ଭାଷିଲା ଗୀର୍ବାଣ । ୯୧ ।ବୁଝ ଚିତ୍ତ ଦେଇ ଉଚିତ ଏ ଗୀତ ରଚିତ ସର୍ବ କୋବିଦେ ।ବୋଲେ ଉପଇନ୍ଦ୍ରଭଞ୍ଜ ଶେଷ ହେଲା ଛାନ୍ଦ ବୟାଣୋଇ ପଦେ । ୯୨ ।
୮୭ଶ ପଦ :- ବିଦ୍ୟରମ୍ୟ-ମନୋହର ଭାବରେ ପ୍ରକାଶିତ । ଓକ-ସ୍ଥାନ । ଚୀର-ବସ୍ତ୍ର । ଉନ୍ନତ-ଉଚ୍ଚ । ଆନନ୍ଦିତ-କଳଙ୍କବିହୀନ । ଶଶୀ-ଚନ୍ଦ୍ର । ନିତ୍ୟ-ସ୍ଥାୟୀ ।
୮୮ଶ ପଦ :- ବିଘୋକ୍ଷକାଶ୍ରୟା-ଅତ୍ୟୁଚ୍ଚ ନାଦକାରୀ । ପ୍ରଲଘୁ -ଅଳ୍ପ ଲଘୁ । ତନିତ-ମେଘଗର୍ଜନ । ନଭୁଁ-ଆକାଶରୁ । ବିନାୟକମାନ୍ୟଗରୁଡ଼-ପୂଜ୍ୟ । ତାପସଂହାରକ-ଦୁଃଖନିବାରକ । ସମରଭୂ-ଗଣକ୍ଷେତ୍ର ।
୮୭ଶ ଓ ୮୮ଶ ପଦ :- ସକଳ ସୌନ୍ଦର୍ଯ୍ୟର ବାସସ୍ଥାନ, ପ୍ରଚଳିତ ପତାକାଶ୍ରେଣୀ ମଣ୍ଡିତ, କୈଳାସ ପର୍ବତତୁଲ୍ୟ ଉନ୍ନତ, ବିଷ୍ଣୁଙ୍କର ଆରୋହଣ ଉପଯୋଗୀ, ମଙ୍ଗଳଦାୟକ, ପ୍ରଶଂସ୍ୟ ଚନ୍ଦ୍ରଙ୍କ ତୁଲ୍ୟ ଶୁକ୍ଳବର୍ଣ୍ଣ ଅତି ଉତ୍କୃଷ୍ଟ ସ୍ୱୟଂନିମତ, ଚିରକାଳସ୍ଥାୟୀ ନାନାବିଧ ଧ୍ୱନିକାରୀ, ଗରୁଡ଼ଠାରୁ କ୍ଷିପ୍ରଗାମୀ ସନ୍ତାପ ହରଣକାରୀ ନନ୍ଦିଘୋଷ ରଥ ମେଘ ବିନିନ୍ଦିତ ଧ୍ୱନି ପ୍ରକାଶପୂର୍ବକ କରଣପୁଞ୍ଜ ଖସି ପଡ଼ିଲାପରି ଆକାଶରୁ ଖସି ଆସି ଯୁଦ୍ଧଭୂମିରେ ପ୍ରକାଶିତ ହେଲା ।
୮୯ଶ ପଦ :- ବିଘର୍ସୁ-ଭ୍ରମଣ କରନ୍ତେ । ବାମ-ବିପକ୍ଷ । ଦେବସୂତ-ମାତଳି । ବାହ-ଅଶ୍ୱ । ଲୀଳାରଭସୁ-କୌତୁକ ବେଗରେ ।
୮୯ଶ ପଦ :- ଦେବସାରଥୀ ମାତଳୀ ରାବଣଠାରେ ଶତ୍ରୁତାଚରଣ କରି ରଥରେ ଯୋଚା ଯାଇଥିବା ଶୈବ, ସୁଗ୍ରୀବ, ମେଘପୁଷ୍ପ ଓ ବଳାହକ ନାମକ ଚାରି ଘୋଟକଙ୍କୁ କୌତୁକର ସହିତ ଅତି ବେଗରେ ଚଳାଇବାରୁ ନନ୍ଦିଘୋଷ ରଥ ରାବଣର ପୁଷ୍ପକ ରଥର ଅଗ୍ରଭାଗରେ ସଞ୍ଚାରଣ କଲା । ଏହା ଦେଖି ରାବଣ ମନରେ ଶଙ୍କା ଜାତ ହେଲା ।
୯୦ଶ ପଦ :- କିବରବଶକ-ଗରୁଡ଼ ଯାହାର ବଶୀଭୂତ । ଏକ-ମୁଖ୍ୟ । ତୁଙ୍ଗସାର-ଅତ୍ୟୁଚ୍ଚ । ଧ୍ୱଜ-ପତାକା । ବତ୍ସଳଛବି-ମନୋହର ଛବି । ତରୁଧର-ବାନର । ବ୍ୟୂହ-ସମୂହ । ବିରୁଚି-ଅତି ମନୋହର ।
୯୦ଶ ପଦ:- ଗରୁଡ଼ ଚିହ୍ନିତ ଅତି ଉଚ୍ଚ ପତାକା ମଣ୍ଡିତ ସୂର୍ଯ୍ୟଙ୍କ ତୁଲ୍ୟ କାନ୍ତିମାନ୍ ଅତି ସୁନ୍ଦର ସେହି ରଥକୁ ଦେଖି ବୃକ୍ଷହସ୍ତ ବାନରମାନେ ନାନାବିଧ ଶଙ୍କା କରିବାକୁ ଲାଗିଲେ (ଅଥବା ସମସ୍ତ ପ୍ରକାର ଚିନ୍ତା ପରିତ୍ୟାଗ କଲେ ) ।
୯୧ଶ ପଦ :- ନିର୍ବାଣ-ମୁକ୍ତି । ଗୀର୍ବାଣ-ଦେବତା ।
୯୧ଶ ପଦ :- ମାଳତୀର କଥାନୁସାରେ ରାମ ଅତିଶୀଘ୍ର ଯାଇ ସେହି ରଥ ଆରୋହଣ କଲେ । ବିଭୀଷଣ ସ୍ୱଚକ୍ଷୁରେ ଏହା ଦେଖି ମୁକ୍ତିରେ ଜଡ଼ିଲା । ଏହି ସମୟରେ ଦେବତାମାନେ ଜୟ ଶବ୍ଦ ପ୍ରକାଶ କଲେ । ନନ୍ଦିଘୋଷ ରଥରେ ରାମଚନ୍ଦ୍ରଙ୍କୁ ଦେଖି ଦେବତାମାନଙ୍କ ଜୟ ‘ଧ୍ୱନି, ଶୁଣି ବିଭୀଷଣ ଭାବିଲା, ‘ମୁଁ ଶ୍ରୀ ବିଷ୍ଣୁଙ୍କୁ ଦେଖିଲି, ନିଶ୍ଚୟ ମୋକ୍ଷ ହେବି ।’
୯୨ଶ ପଦ :- ହେ ପଣ୍ଡିତଗଣ ! ଉପେନ୍ଦ୍ର ଭଞ୍ଜ କହନ୍ତି, ଏହି ଛାନ୍ଦ ବୟାନବେ ପଦରେ ଶେଷ ହେଲା; କିନ୍ତୁ ଏହି ଗୀତର ରଚନା ପ୍ରଣାଳୀ ଠିକ୍ ହୋଇଛି କି ନାହିଁ ମନଦେଇ ବୁଝନ୍ତୁ ।
ପଞ୍ଚାଶତ୍ ଛାନ୍ଦ(ରାଗ-ଭୈରବ)ବିଶ୍ରବାନନ୍ଦନ ତପ ଉଦିତ ପର୍ବତ ରୂପପ୍ରତପଦାବାଗ୍ନି ଲୋପ ସ୍ୟନ୍ଦନ ଦୃଶେବରଷାକାଳ ତା କଳ୍ପେ ବଳାହକ ମେଘପୁଷ୍ପେଶୋଭା ଘୋଷଚକ୍ରେ ବ୍ୟାପେ ପ୍ଳବଟ ତୋଷେ ।ବିଦ୍ୟ ଘନେ । ବିରାଜ ରାମ ଲକ୍ଷ୍ମଣ ଗର୍ଭେ ।ବିଭ୍ରାଜଇ ବୃଷାଚାପ ଶରପୂର୍ଣ୍ଣରେ ଲୋଲୁପଚପଳା ଗତି ସଂକ୍ଷେପ ନଭେ କି ଶୋଭେ । ୧ ।ବିହି ଶରଦଲକ୍ଷଣ ବିବିଦ ରାମଲକ୍ଷଣବିରାଜିତ ଋକ୍ଷଗଣ କୁମୁଦ ତୋଷେ ।ବଳ ହିମନ୍ତ ପର୍ବତ ପ୍ରବଳ ବାତଜନିତହେବାରୁ ସାଞ୍ଜୁ ଓଡ଼ିତ ରାକ୍ଷସବଂଶେ ।ବିଶେଷରେ । ବିଶିଷ୍ଟରେ ଇସିଇସି ଭାଷି ।ବିଚାରିଲା ଏହି ଶୂର- ଠାରୁ ତ ଅସୁରପରନୋହିଲେ କି ରଥବର ମିଳନ୍ତା ଆସି । ୨ ।ବତ୍ସ ସ୍ୱଚ୍ଛମଣି ମଣି ବଶୁଁ ପୁଣି ଆଣି ଆଣିଶଙ୍କା ଦର ସେହିକ୍ଷଣି ଲଙ୍କା ରାଜନ ।ବିପୁଳେ କରି ଗର୍ଜ୍ଜନ ସେ ଧର୍ନୁଗୁଣମାର୍ଜ୍ଜନରହରେ ଦେବେ ସର୍ଜ୍ଜନ କରି ତର୍ଜ୍ଜନ ।ବହୁବାହ । ବହି ତହିଁ ଶର ଶରାଶନ ।ବଡ଼ାଇଲା ବେଗେ ଚଣ୍ଡୀ- ପର୍ବକୀଶପଶୁ ଖଣ୍ଡିରକ୍ତପାନ ପାନବୋଳେ ଓଷ୍ଠ ରଞ୍ଜନ । ୩ ।ବିଜୟୀ ନନ୍ଦୀଘୋଷରେ ବିଜୟି ଧନୁଘୋଷରେକଇଳାସ ବିଳାସ ଛଡ଼ାଇ ଅଣାଇ ।ବାଛି ଯାର ଯୋଦ୍ଧାବ୍ରତ ମୁର୍ଦ୍ଧା ଫାଳ ଫାଳକୃତବକ୍ଷ ଚିରି ବପାପୀତ ମାତ୍ର ଭକ୍ଷାଇଁ ।ବାଜିନାମୁ । ବିଷ୍କରେ ଜାଣି ମିତ୍ରତା କରି ।ବିହରୁ ଶବ ବିୟତେ ଘେନି ସେ ତୋଷେ ଭକ୍ଷନ୍ତେଭରମୁଥିଲେ ରକତେ ପଶି ନ ପାରି । ୪ ।ବାଣେ ବାଣ ପରିତାଳ ଜ୍ୟୋତି ଜାତ କି ଅନଳଭାନୁ ଚିତ୍ରଭାନୁ ମିତ୍ରଭାବେ ସେ ମେଳ ।ବିଘାତ ହେବା ସମୟେ କି ଉତ୍ପାତ ଉଲ୍କାମୟେଜଗତଯାକର ହୋଏ ସେହି ମଞ୍ଜୁଳ ।ବିନାଶନ । ବିଶିଷ୍ଟ ଜ୍ୟୋତି ଲବକୁ ଲବବର୍ଷା ନିଶାରେ ଖଦ୍ୟୋତ ଦିଶି ନ ଦିଶିଲାବତମନକୁ ଆସେ ତେମନ୍ତ ଲୀନ ଉଦ୍ଭବ । ୫ ।
୧ମ ପଦ :- ବିଶ୍ରବାନନ୍ଦନ-ରାବଣ । ଦାବାଗ୍ନି-ବଣଜାତ ନିଆଁ । ସ୍ୟନ୍ଦନ-ରଥ । ବଳାହକ-ମେଘ, ଅଶ୍ୱ ବିଶେଷ । ମେଘପୁଷ୍ପ-ପାଣି । ଘୋଷଚକ୍ରେ-ଚକଶବ୍ଦରେ, ଧ୍ୱନିସମୁହରେ । ପ୍ଳବଗ-ବାନର, ଭେକ ବା ବେଙ୍ଗ । ଲକ୍ଷ୍ମଣ-ଚନ୍ଦ୍ରମା । ବୃକ୍ଷଚାପ-ଇନ୍ଦ୍ରଧନୁ । ଚପଳା-ବିଦ୍ୟୁତ୍ ।
୧ମ ପଦ :- ସେହି ସମୟରେ ଦର୍ଶକମାନେ ନନ୍ଦିଘୋଷ ରଥକୁ ଦେଖି ତାକୁ ବର୍ଷାକାଳ ବୋଲି ମନେ କଲେ । କାରଣ ଗ୍ରୀଷ୍ମକାଳରୁ ପର୍ବତମାନଙ୍କରେ ପ୍ରକାଶିତ ହୋଇଥିବା ବନାଗ୍ନିକୁ ବର୍ଷାକାଳ ଲୋପ କଲାପରି, ଏହି ରଥ ରାବଣର ତପସ୍ୟା ରୂପ ଗ୍ରୀଷ୍ମକାଳରୁ ପ୍ରକାଶିତ ହୋଇଥିବା ପ୍ରତାପ ରୂପ ବନାଗ୍ନିକୁ ଲୋପ କଲା ( ରଥକୁ ଦେଖି ରାବଣ ନିସ୍ତେଜ ହେଲା) । ଆଉ ମଧ୍ୟ ବର୍ଷାକାଳ ମେଘମାଳା ଓ ଜଳରାଶି ଦ୍ୱାରା ମନୋହର ଦେଖାଯାଉଥାଏ, ମେଘ ଗର୍ଜନରେ ପୂର୍ଣ୍ଣ ହୋଇଥାଏ, ବେଙ୍ଗମାନଙ୍କୁ ଆନନ୍ଦଦାନ କରେ ଓ ଜଗତର ଗାଢ଼ ଆବରଣ ପରି ବିଦ୍ୟମାନ ହୋଇଥାଏ; ଏହି ସମୟରେ ଚନ୍ଦ୍ର ମେଘ ଗର୍ଭରେ ବିରାଜୁଥାଏ ଓ ଇନ୍ଦ୍ରଧନୁ ଶୋଭା ପାଉଥାଏ ଏବଂ ଏହି ବର୍ଷାକାଳ ପୃଥିବୀକୁ ଜଳପୂର୍ଣ୍ଣ କରିବାପାଇଁ ଆଦର ପ୍ରକାଶ କରୁଥାଏ, ଆକାଶରେ ବିଦ୍ୟୁତର ସଂକ୍ଷିପ୍ତ ଗତି ଅନିର୍ବଚନୀୟ ଶୋଭାପ୍ରକାଶ କରୁଥାଏ । ସେହିପରି ଏହି ରଥରେ ମେଘପୁଷ୍ପ ନାମକ ଅଶ୍ୱ ଶୋଭାପାଉଅଛି, ଏହାର ଚକମାନଙ୍କର ଶବ୍ଦ ଦିଗଦିଗରେ ବ୍ୟାପ୍ତ ହେଉଅଛି, ଏହା ମର୍କଟମାନଙ୍କୁ ଆନନ୍ଦ ଦାନ କରୁଅଛି । ଆକାଶରେ ବ୍ୟାପ୍ତ ହୋଇଥିବା ବା ଦେଖା ଦେଉଥିବା ଗାଢ଼ ବର୍ଷୁକ ମେଘର ଲକ୍ଷ୍ମଣରେ ଯୁକ୍ତ ଅର୍ଥାତ୍ ନବଘନଶ୍ୟାମ ରାମଚନ୍ଦ୍ରଙ୍କୁ ଗର୍ଭରେ ଧାରଣ କରିଅଛି । ଇନ୍ଦ୍ର ରାମଚନ୍ଦ୍ରଙ୍କ ପାଇଁ ପଠାଇଥିବା ଧନୂରେ ଶୋଭିତ ହୋଇଅଛି । ବହୁସଂଖ୍ୟକ ଶରରେ ପୂର୍ଣ୍ଣ ହୋଇଅଛି ଓ ଅତିଶୀଘ୍ର ଆକାଶରେ ବହୁ ଦୂରକୁ ଗତି କରିବା ଦ୍ୱାରା ଅନିର୍ବଚନୀୟ ଶୋଭା ଧାରଣ କରୁଅଛି ।
୨ୟ ପଦ :- ଋକ୍ଷଗଣ-ଭଲ୍ଲୁକସମୂହ, ନକ୍ଷତ୍ରଗଣ । କୁମୁଦ-କଇଁ, ସେନାପତି ବିଶେଷ । ବାତଜନିତ-ପବନଜାତ (ହନୁମାନ) । ସାଞ୍ଜୁ-ପକ୍ଷ, କବଚ ରାକ୍ଷସବଂଶେ-ପକ୍ଷୀମାନେ, ଅସୁରମାନେ । ଓଡ଼ି-ଉହାଡ଼ି, ଘୋଡ଼େଇ ହୋଇ ।
୨ୟ ପଦ :- ତତ୍ପରେ ସେହି ନନ୍ଦିଘୋଷ ରଥ ଶରତ୍ ଋତୁର ଲକ୍ଷଣକୁ ଧାରଣକଲା । କାରଣ ଶରତ୍ ଋତୁରେ ଯେପରି ନିର୍ମଳଚନ୍ଦ୍ର ନଭୋମଣ୍ଡଳରେ ବିରାଜିତ ହୋଇ କୁମୁଦ ଓ ନକ୍ଷତ୍ରମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ସେହିପରି ଏହି ରଥରେ ରାମ ଓ ଲକ୍ଷ୍ମଣ ବିରାଜିତ ହୋଇ କୁମୁଦ ନାମକ ବାନର ଓ ଭଲ୍ଲୁକମାନଙ୍କୁ ଆନନ୍ଦ ପ୍ରଦାନ କଲେ । ପୁନର୍ବାର ସେହି ରଥ ହେମନ୍ତକାଳର ଲକ୍ଷ୍ମଣକୁ ଧାରଣ କଲା । କାରଣ ହେମନ୍ତ ଋତୁରେ ‘ବନ ବଳଶାଳୀ ଅର୍ଥାତ୍ ଅତି ଉନ୍ନତ ହିମାଳୟ ପର୍ବତରୁ ଅତି ଶୀତଳ ପବନ ପ୍ରବାହିତ ହେବାରୁ ପକ୍ଷୀସମୂହ ପକ୍ଷ ଘୋଡ଼ାଇ ହୋଇ ବସିଲାପରି ଏବଂ ବଳଶାଳୀ ଲୋକମାନେ ମଧ୍ୟ ସେହି ପବନ ଯୋଗୁଁ ବଡ଼ ପାଟିକରି ଈଷ୍ ଇଷ୍ ଏହି ଶବ୍ଦ କହିଲା ପରି ଏହି ରଥ ନିକଟରେ ହିମାଳୟ ତୁଲ୍ୟ ବଳଶାଳୀ ହନୁମାନ ଉପସ୍ଥିତ ହେବାରୁ ରାକ୍ଷସମାନେ ସାଞ୍ଜୁ ପିନ୍ଧିବାକୁ ଲାଗିଲେ ଓ ପ୍ରଧାନ ରାକ୍ଷସମାନେ ଇଷ୍ ଉଷ୍ ଶବ୍ଦ ପ୍ରକାଶ କଲେ (ଅର୍ଥାତ୍ ହନୁମାନଠାରୁ କଠିନ ଆଘାତ ମିଳିବାର ଆଶଙ୍କା କରି ସେହି ଆଘାତରୁ ଦେହକୁ ରକ୍ଷା କରିବା ପାଇଁ ସାଧାରଣ ସୈନିକମାନେ ସାଞ୍ଜୁ ପିନ୍ଧିବାକୁ ଲାଗିଲେ; ସେନାପତିମାନେ ଏହା ଦେଖି ଦୁଃଖିତ ହେଲେ) । ଏହି ସମୟରେ ରଥାରୂଢ଼ ରାମଙ୍କୁ ଦେଖି ରାବଣ ଭାବିଲା, ‘‘ଏହି ପୁରୁଷ ଦେବତା ଓ ଅସୁରମାନଙ୍କଠାରୁ ଶ୍ରେଷ୍ଠ ହୋଇ ନ ଥିଲେ, ଏହି ଶ୍ରେଷ୍ଠ ରଥ ଆସି ଏହାକୁ ମିଳନ୍ତା କାହିଁକି ?’’
୩ୟ ପଦ :- ବତ୍ସ-ବକ୍ଷଦେଶ । ମଣି-ଶ୍ରେଷ୍ଠ । ଆଣି-ଗର୍ବ । ମାର୍ଜନା-ଟଙ୍କାର । ତର୍ଜନ-ଭୟ । ବହୁବାହୁ-ରାବଣ । ଶରାସନ-ଧନୁ । ଚଣ୍ଡୀପର୍ବ-ଦୁର୍ଗୋତ୍ସବ । କୀଶପଶୁ-ବାନରରୂପ ପଶୁ । ରଞ୍ଜନ-ମନୋହର ।
୩ୟ ପଦ :- ତତ୍ପରେ ରାବଣ ନିଜର ବକ୍ଷଦେଶରେ ଥିବା ମଣିଶ୍ରେଷ୍ଠ ସେହି ଅମୋହ ମଣିକୁ ଆଣି ଚାହିଁବାରୁ ତାହାର ପୁନର୍ବାର ହୃଦୟରେ ଗର୍ବ ସଂଚାରିତ ହେଲା ଓ ମନରୁ ଶଙ୍କା ବିଦୂରିତ ହେଲା । ତହୁଁ ସେ ଘୋର ଗର୍ଜ୍ଜନକରି ଧନୁର ଗୁଣକୁ ଟଙ୍କାରି କହିଲା, ‘‘ଆରେ ଦେବତାମାନେ ! ରହ ।’’ ତତ୍ପରେ ଭୟ ଦେଖାଇ ତାହାର ସମସ୍ତ ବାହୁରେ ଧନୁଶର ଧରି, ଚଣ୍ଡୀ ‘ପର୍ବରେ’ ଆଶ୍ୱିନ ମାସରେ ଦୁର୍ଗାପୂଜା ସମୟରେ ‘ଚଣ୍ଡୀମାନେ’ ଠାକୁରାଣୀମାନେ ରକ୍ତପାନ କଲାପରି ରାବଣ ବହୁତ ମାଙ୍କଡ଼ମାନଙ୍କୁ ମାରି ସେମାନଙ୍କର ରକ୍ତପାନ କରି ଓଷ୍ଠକୁ ପାନଖିଆ ଓଷ୍ଠପରି ରକ୍ତବର୍ଣ୍ଣ କଲା ।
୪ର୍ଥ ପଦ :- ବିଜୟୀ-ବିଖ୍ୟାତ । ବିଜୟି-ବିଜେକରି । କଇଳାସ ବିଳାସ-କୈଳାସ ପର୍ବତର ଛବି । ଯୋଦ୍ଧାବ୍ରାତ–ବୀରସମୂହ । ବପାପୀତ-ବସା, ପିତ୍ତ । ବିଷ୍କିରେ-ଶାଗୁଣା ।
୪ର୍ଥ ପଦ :- ଏହା ଦେଖି ବିଜୟୀ ରାମଚନ୍ଦ୍ର ନନ୍ଦିଘୋଷ ରଥରେ ବିଜେକରି ଧନୁଷ୍ଟଙ୍କାର ପୂର୍ବକ ଶରନିକ୍ଷେପ କରିବାଦ୍ୱାରା ଚଣ୍ଡୀମାନଙ୍କୁ କୈଳାସପୁର ବିହାରରୁ ନିବୃତ୍ତ କରାଇ ଯୁଦ୍ଧକ୍ଷେତ୍ରକୁ ଘେନି ଆସିଲେ (ଅର୍ଥାତ୍ ରାମଙ୍କ ଶରଦ୍ୱାରା ଅଗଣିତ ଅସୁର ବଧ ହେବାରୁ ସେମାନଙ୍କର ରକ୍ତପାନ କରିବାପାଇଁ ଯୋଗିନୀମାନେ କୈଳାସପୁରକୁ ଛାଡ଼ି ଯୁଦ୍ଧ କ୍ଷେତ୍ରକୁ ଆସିଲେ) । ରାମଚନ୍ଦ୍ର ଶ୍ରେଷ୍ଠ ଯୋଦ୍ଧାମାନଙ୍କର ମୁଣ୍ଡମାନଙ୍କୁ ଫାଳ ଫାଳକରି ଓ ସେମାନଙ୍କର ବକ୍ଷସ୍ଥଳକୁ ବିଦାରଣ କରି ସେମାନଙ୍କ ବସା ଓ ପିତ୍ତ ସେହି ଚଣ୍ଡୀମାନଙ୍କୁ ଖୁଆଇଲେ । ପକ୍ଷୀ-ମାନଙ୍କର ବାଜି ବୋଲି ଗୋଟିଏ ନାମ ଥିବାରୁ ଶାଗୁଣାମାନେ ଜାଣିପାରି ସେହି ବାଜି ନାମରେ ପରିଚିତ ଶରମାନଙ୍କ ସହ ମିତ୍ର ହୋଇ ତାଙ୍କଠାରୁ ଶବମାନଙ୍କୁ ନେଇ ଆକାଶାରେ ବିହାର କରିବାକୁ ଲାଗିଲେ । କାରଣ ସେମାନେ ରୁଧିରରେ ପଶି ନ ପାରି ଶୂନ୍ୟରେ ଉଡ଼ୁଥିଲେ, ବର୍ତ୍ତମାନ ମିତ୍ରମାନଙ୍କଠାରୁ ମଡ଼ା ପାଇବାରୁ ତାହା ଖାଇ ସନ୍ତୁଷ୍ଟ ହେଲେ ।
୫ମ ପଦ :- ଅନଳ-ଅଗ୍ନି । ଭାନୁ-ସୂର୍ଯ୍ୟ । ଚିତ୍ରଭାନୁ-ଅଗ୍ନି । ମଞ୍ଜୁଳ-ମନୋହର । ଲବକୁଲବ-କ୍ଷଣକୁକ୍ଷଣ । ଖଦ୍ୟୋତ-ଜୁଳୁଜୁଳାପୋକ ।
୫ମ ପଦ :- ଏହି ଯୁଦ୍ଧ ସମୟରେ ରାମଙ୍କ ବାଣରେ ରାବଣର ବାଣବାଜି ଘୋର ଶବ୍ଦର ସହିତ ଅଗ୍ନି ଉତ୍ପନ୍ନ ହେଉଥିଲା; ଏହା ଦେଖି ମନେ ହେଉଥିଲା ଅଗ୍ନିଙ୍କର ତେଜ ଓ ସୂର୍ଯ୍ୟଙ୍କର ତେଜ ଦୁହେଁ ମିତ୍ରତା ସ୍ଥାପନକରି ଏହିଠାରେ ଅର୍ଗଳୀ-କିଳିଣୀ, ଦାର । ବିରାଟଧ୍ୱଜରେ-ଗରଡ଼ଧ୍ୱଜିରଥରେ । ଏକତ୍ରିତ ହେଉଅଛନ୍ତି କି ? କିମ୍ବା ରାବଣର ବିନାଶ ସମୟ ଉପସ୍ଥିତ ହେବାରୁ ଉତ୍ପାତ ସମୟ ଜାଣି ଉଲ୍କାପାତ୍ ହେଉଅଛି କି ? ସେହି ଉତ୍ପାତକାଳୀନ ଉଲ୍କାପାତ ଜଗତକୁ ଏହିପରି ସୁନ୍ଦର (ଆଲୋକିତ) କରେ ଏବଂ ସେହି ମହୋଜ୍ୱଳ ଜ୍ୟୋତି ଅଳ୍ପକ୍ଷଣ ମଧ୍ୟରେ ବିନିଷ୍ଟ ହୁଏ । କିନ୍ତୁ ବର୍ଷକାଳରେ ଜୁଳୁଜୁଳିଆ ପୋକ ଅଳ୍ପକ୍ଷଣ ଦେଖା ଦେଇ ଲୀନ ହୋଇଯାଏ, ଏଣୁ ଏହି ତେଜ ସେହି ଜୁଳୁଜୁଳିଆ ପୋକର ତେଜ ବୋଲି ମନେ ହୁଏ ନାହିଁ । ବୋଧହୁଏ, ଏହା ନିଶ୍ଚୟ ସେହି ଉତ୍ପାତକାଳୀନ ଉଲକାର ତେଜ ହଠାତ୍ ଦେଖା ଦେଇ ଲିଭିଗଲା ।
ବିକାରେ ହୁଁ କାରେ କରି ରାବଣ ଭଲ୍ଲେକ ମାରିଭଲେ ରାମ ବେନିଜଙ୍ଘ ଫୁଟାଇ ଦେଲା ।ବିଭେଦନ ରମ୍ଭା ପୂର୍ବେ ଭେଦନ ରମ୍ଭାକୁ ଏବେଅର୍ଗଳୀ ଉପମା ଥିଲା ସୁଷମା ହେଲା ।ବର୍ଦ୍ଧମାନ । ବିବେକ ବିଚାରି ବିଷ୍ଣୁ ମୁହିଁ ।ବିରାଟ ମୁକୁଟ ସେହି ବିରାଟ ଧ୍ୱଜରେ ରହିବିରାଟ ମୂର୍ତ୍ତିରେ ସ୍ନେହା ହୋଇଲେ ତହିଁ । ୬ ।ବ୍ୟୋମ କୁନ୍ତଳ କରାଇ ଶିରଷ ସେକାଳେ ଯାଇରସାତଳ ତଳସ୍ଥାୟୀ ଚରଣ ଦୁଇ ।ବକ୍ଷସ୍ଥ ମଣିକି ମଣି ପଦକ ଦ୍ୟୁମଣି ମଣିବିଲୋକି ରାକ୍ଷସମଣି ସେହି ବଢ଼ଇ ।ବାଞ୍ଛେ ଯଥା । ବାମନ ମନ ଲାଙ୍ଗଳୀତୁଙ୍ଗେ ।ବିବୁଧାଳୟର ପରା ହେବା ଇଛା କଲେ ହୀରାହୋଏ କି ଏ ପରମ୍ପରା ହୋଇ ତା ସଙ୍ଗେ । ୭ ।ବିଶାରଦ ମହାଭ୍ରୁମ ଅଗ୍ରତେ ଯେମନ୍ତ ଭ୍ରୁମତଥା ଅପୁର୍ବ ସଂଗ୍ରାମ ଶ୍ରୀରାମ ରଚେ ।ବାଜୀ ନିୟୁତେ ଅୟତେ ଗଜ ରଥ ଲକ୍ଷ ଶତେଦଶକୋଟି ପତ୍ତହତେ କବନ୍ଧେ ନାଚେ ।ବିଳସିଲେ । ବ୍ୟବସ୍ଥିତରେ କବନ୍ଧ କୋଟି ।ବିହି ରେ ରେ କାର ଗିରେ ଖେଚର କୋଟି ସଂଖ୍ୟାରେଏକଘଣ୍ଟି କୋଦଣ୍ଡରେ ତଥାପି ରଟି । ୮ ।ବାଜିଲେ ସପତଘଣ୍ଟି ତୁଟିଏ ତହିଁ ନ ତୁଟିସପତଦିନ ପ୍ରକଟି ରଣେ ଏସନ ।ବିଖନଲେଖୁଁ ଗହନ ବିଂଶାକ୍ଷକୁ କଲେ ଧନ୍ୟରଖିଥିଲା ଏତେ ସୈନ୍ୟ ଏବେହେଁ ଘେନ ।ବିଧ୍ବଂସିଲା । ବାନର ଯୋଦ୍ଧାନୁକୁଳ କୃତ ।ବିଷ୍ଟି ହୋଇଣ ଆପଣ ଦିଗଶୂଳ ଶୂଳଗଣଲକ୍ଷଣାରେ ତମଗୁଣଗ୍ରସ୍ତ ପୌଲସ୍ତ୍ୟ । ୯ ।ବାଲମୀକି ଉକ୍ତିସାର ଗଗନ ଗଗନାକାରସାଗର ତୁଲ୍ୟ ସାଗର ଯେଉଁ ପ୍ରକାରେ ।ବିଶ୍ରୁତ ଲୋଚନ କର ରାମ ରାବଣ ସମରରାମ ରାବଣ ସମର ଖ୍ୟାତ ସଂସାରେ ।ବିଚାରିଲେ । ବିଲୋକି ରାମରଣ ଜାମ୍ବବ ।ବୟସ ଗଲାଣି ସରି ଯୁଝି ଯୁଝିଲାର ପରିଏ ସଙ୍ଗେ ବିରୋଧ କରିବାର ଉତ୍ସବ । ୧୦ ।୬ଷ୍ଠ ପଦ :- ବିକାରେ-ବିକୃତ ବା ଭୟଙ୍କର ଭାବରେ । ଭଲ୍ଲ-ଅସ୍ତ୍ରବିଶେଷ । ଲଭେ-ଉତ୍ତମରେ । ରମ୍ଭା-ସ୍ୱର୍ଗବେଶ୍ୟା । ରମ୍ଭା-କଦଳୀଗଛ ।
୬ଷ୍ଠ ପଦ :- ରାବଣ ମୁଖକୁ ବିକୃତ କରି ହୁଙ୍କାର ପ୍ରକାଶ ପୂର୍ବକ ଭଲ୍ଲାସ୍ତ୍ର ମାରି ରାମଚନ୍ଦ୍ରଙ୍କର ଦୁଇଜଙ୍ଘକୁ ଫୁଟାଇ ଦେଲା । ସେହି ରାବଣ ପୂର୍ବେ ରମ୍ଭା ଅପ୍ସରାକୁ ଏହିପରି ଭେଦ କରୁଥିଲା; ଏବେ ରାମଚନ୍ଦ୍ରଙ୍କର ଉରୁରୂପ ରମ୍ଭାକୁ (ଅର୍ଥାତ୍ କଦଳୀବୃକ୍ଷ ତୁଲ୍ୟ ଜଙ୍ଘକୁ) ଭେଦକଲା ଏହି ଦୁଇଗୋଟି ବିଷୟକୁ ତୁଳନା କଲେ କୌଣସି ଗୁରୁତା ପ୍ରକାଶ ପାଉ ନ ଥିଲା; ଏଣୁ ବର୍ତ୍ତମାନ ସେହି ରାମଚନ୍ଦ୍ରଙ୍କ ଉରୁରେ ଲାର୍ଥବାରୁ ଅର୍ଗଳିର ଉପମାଙ୍କୁ ପ୍ରାୟ ହେଲା । ସେହି ଅସ୍ତ୍ରାଘାତରେ ରାମଙ୍କର ବିବେକ ଦୃଦ୍ଧି ପାଇବାରୁ ସେ ବିଚାରିଲେ, ‘ମୁଁ ବିଷ୍ଣୁ । ’ ତେଣୁ ସେ ଗରୁଡ଼ଧ୍ୱଜ ରଥରେ ରହି ରଥ ମଧ୍ୟରେ ବିରାଟମୂର୍ତ୍ତି ଧାରଣ କରିବାକୁ ଆଦର ପ୍ରକାଶ କଲେ [ଅର୍ଥାତ୍ ବିରାଟମୂର୍ତ୍ତି ଧାରଣ କଲେ ] ।
୭ମ ପଦ :- ବ୍ୟୋମ-ଆକାଶ । କୁନ୍ତଳା-କେଶ । ଶରଷ-ମସ୍ତକ । ରସାତଳ-ପାତାଳ । ଦ୍ୟୁମଣି-ସୂର୍ଯ୍ୟ । ମଣି-ଶ୍ରେଷ୍ଠ । ଲଙ୍ଗଳାତୁଙ୍ଗ-ନଡ଼ିଆଗଛ । ବିବୁଧାଳୟ-ମେରୁପର୍ବତ । ହୀରା-ପ୍ରିମ୍ପୁଡ଼ି ।
୭ମ ପଦ :- ସେହି ବିରାଟମୂର୍ତ୍ତି ଧରିବା ସମୟରେ ତାଙ୍କର ମସ୍ତକ ଆକାଶକୁ ସ୍ପର୍ଶ କରିବାରୁ ଆକାଶ ତାଙ୍କର କେଶ ପରି ଜଣାଗଲା ଏବଂ ଚରଣଦ୍ୱୟ ପାତାଳକୁ ପ୍ରବେଶ କଲା । ବକ୍ଷସ୍ଥଳରେ ପଦକ ପରି ଧାରଣ କରିଥିବା ସୀତାଙ୍କ ମଥାମଣିକୁ ରାବଣ ସୂର୍ଯ୍ୟମନେ କରି ଚାହିଁବାକୁ ଲାଗିଲା ଏବଂ ସୂର୍ଯ୍ୟଙ୍କର କିରଣ କ୍ରମେ କ୍ରମେ ବଢ଼ିଲା ପରି ସେହି ମଣିର ତେଜ ବଢ଼ିବାକୁ ଲାଗିଲା । ବାଙ୍ଗରା ଲୋକ ନଡ଼ିଆ ଗଛ ପରି ଉଚ୍ଚ ହେବାକୁ ମନରେ ଭାବିଲେ ଓ ପିମ୍ପୁଡ଼ି ମେରୁ ପର୍ବତ ତୁଲ୍ୟ ହେବାକୁ ଇଚ୍ଛା କଲେ ସୁଦ୍ଧା କେବେ ହେଲେ ଏମାନଙ୍କ ସହିତ ସମାନ ହୋଇ ପାରନ୍ତି କି ? (ହୋଇ ପାରନ୍ତି ନାହିଁ) ରାବଣ ସେହିପରି ବଡ଼ ହେବାକୁ ଇଚ୍ଛାକରି ନିରାଶ ହୋଇଥିଲା ।
୮ମ ପଦ :- ବିଶାରଦ-ପ୍ରକାଣ୍ଡ । ମହାଦ୍ରୂହ-ବଡ଼ ବୃକ୍ଷ । ଭ୍ରୂମ-ଛୋଟ ବୃକ୍ଷ । ସଂଗ୍ରାମ-ଯୁଦ୍ଧ । ବାଜୀ-ଘୋଡ଼ା । ଗଜ-ହାତୀ । ପତ୍ତହତେ-ପାଇକ ବିନାଶରେ ।
୮ମ ପଦ :-ଝଙ୍କାଳିଆ ବଡ଼ ବଡ଼ ଗଛମାନଙ୍କ ନିକଟରେ ଛୋଟ ଛୋଟ ଗଛମାନେ ଯେପରି ଦେଖାଯାନ୍ତି, ବିରାଟମୂର୍ତ୍ତି ରାମଚନ୍ଦ୍ରଙ୍କ ନିକଟରେ ରାବଣ ସେହିପରି ଦେଖଗଲା । ରାମଚନ୍ଦ୍ର ଚମତ୍କାର ରଣକୌଶଳ ରଚନା କେଲ । ନିୟୁତେ ଘୋଡ଼ା, ଅୟୁତେ ହାତୀ, କୋଟିଏ ରଥ ସହିତ ରଥୀ ଦଶକୋଟି ପଦାତି ବଧ ହେଲେ ରଣକ୍ଷେତ୍ରରେ ଗୋଟିଏ କବନ୍ଧ ନାଚେ ଏହି ହିସାବ ଅନୁସାରେ ସେହି ରଣକ୍ଷେତ୍ରରେ କୋଟି, କବନ୍ଧ ନାଚିଲେ ଗୋଟିଏ ଖେଚର ରେ ରେ ଶବ୍ଦ କରି ନାଚେ ଏବଂ ଏହିପରି କୋଟିଏ ଖେଚର ନାଚିଲେ ରାମଙ୍କ ଧନୁରେ ଥିବା ଘଣ୍ଟି ଥରେ ମାତ୍ର ବାଜି ଉଠେ ।
୯ମ ପଦ :- ତୁଟିଏ-ଲିତାଏ, ମୂହୂର୍ତ୍ତ ସମୟରେ । ବିଖନ-ବିଧାତା । ବିଂଶାକ୍ଷ-ରାବଣ । ତମଗୁଣଗ୍ରସ୍ତ-ରାଗନ୍ୱିତ । ପୌଲସ୍ତ୍ୟ-ରାବଣ ।
୯ମ ପଦ :- ସେହି ଯୁଦ୍ଧରେ ରହି ନିୟମାନୁସାରେ ରାମଙ୍କ ଧନୁରେ ଥିବା ସାତଗୋଟିଯାକ ଘଣ୍ଟି କ୍ଷଣେ ମାତ୍ର ବନ୍ଦନ ହୋଇ ସାତଦିନ ପର୍ଯ୍ୟନ୍ତ ବାଜିବାକୁ ଲାଗିଲେ । ରାମ ଯେତେ ସୈନ୍ୟ ବଧ କଲେ, ତାହା ବ୍ରହ୍ମା ହିସାବ କରିବାକୁ ଚେଷ୍ଟାକରି ମଧ୍ୟ ପାରିଲେ ନାହିଁ । ଏଣୁ ବହୁସଂଖ୍ୟକ ସୈନ୍ୟ ରଖି ଥିବାରୁ ରାବଣକୁ ଧନ୍ୟବାଦ ଅର୍ପଣ କଲେ । ବିଷ୍ଟି ଓ ଦିଗ୍ଶୁଳ ସମୟରେ ଯାତ୍ରାକଲେ ଯେପରି ଅଭିଷିତ କାର୍ଯ୍ୟସମୂହ ବିନିଷ୍ଟ ହୁଏ, ସେହିପରି ରାବଣ କ୍ରୋଧାନ୍ଧ ହୋଇ ସ୍ୱୟଂ ବିଷ୍ଟି ରୂପରେ ଦଣ୍ଡାୟମାନ ଥାଇ ଶୂଳ ନିକ୍ଷେପ କରି ପଛପଟରୁ ଆକ୍ରମଣ କରୁଥିବା ବାନର ସୈନ୍ୟମାନଙ୍କୁ ବିନାଶ କଲା ।
୧୦ମ ପଦ :- ଆଦିକବି ବାଲ୍ମୀକି ସାରଗର୍ଭକ ବାକ୍ୟରେ ପ୍ରକାଶ କରିଅଛନ୍ତି, ‘‘ଯେପରି ଆକାଶ ଆକାଶ ସହିତ ଓ ସମୁଦ୍ର ସମୁଦ୍ରର ସହିତ ତୁଳନା; ସଂସାରରେ ପ୍ରସିଦ୍ଧ ରାମ ରାବଣ ଯୁଦ୍ଧ ସେହିପରି କେବଳ ସେହି ରାବଣ ଯୁଦ୍ଧ ସହ ତୁଳନୀୟ ଅଟେ ।’’ (ଅର୍ଥାତ୍ ଏହି ସଂସାରରେ ଆକାଶ, ସମୁଦ୍ର ଓ ରାମ ରାବଣ ଯୁଦ୍ଧ ଏମାନଙ୍କ ସହିତ ତୁଳନା କରିବାକୁ ଅନ୍ୟ କିଛି ବିଷୟ ବା ବସ୍ତୁ ନାହିଁ, ଏଣୁ ଏମାନଙ୍କୁ ଏହିମାନଙ୍କ ସହ ତୁଳନା କରିବା ଉଚିତ୍ । ଆମ୍ଭଠାରୁ ଅନ୍ୟ କିଛି ଆଶା ରଖନ୍ତୁ ନାହିଁ, କାରଣ ବାଲ୍ମୀକି ମଧ୍ୟ ଅନ୍ୟ ଉପମା ଦେବାରେ ନିରବ) ହେ ପଣ୍ଡିତମାନେ ! ଏହି ବାଲ୍ମୀକିଙ୍କର ସାର ଉକ୍ତି ରୂପ ରାମ ରାବଣ ଯୁଦ୍ଧ ବର୍ଣ୍ଣନାକୁ ଦେଖ । ଜାମ୍ବବ ଏହି ସମୟରେ ରାମଙ୍କର ଯୁଦ୍ଧ ଦେଖି ମନେକଲେ, ‘ବୟସ ସରିଗଲାଣି, ଅର୍ଥାତ୍ ମୁଁ ବୁଢ଼ାହୋଇ ଗଲିଣି, ମାତ୍ର ବୟସ ଥିଲେ ଏହି ରାମଚନ୍ଦ୍ରଙ୍କ ସହିତ ଯୁଦ୍ଧ କରନ୍ତି । ସେ ଯୁଦ୍ଧ ଯୁଦ୍ଧପରି ଜଣା ପଡ଼ନ୍ତା, ସେହି ଯୁଦ୍ଧରେ ଆନନ୍ଦ ଅନୁଭବ ହୁଅନ୍ତା । ’
ବେଭାରେ ଚତ୍ରୀତ ସେହି ଚତ୍ରୀବିଧାନକୁ ବିହିଶର ସୂତ୍ର ସୂତ୍ରେ କଞ୍ଚାଭାଣ୍ଡର ତୁଲେ ।ବଚ୍ଛେଦି କୋପେ ରାଘବ ଦଶଗ୍ରୀବ ଦଶଗ୍ରୀବବିଚ୍ଛେଦ ନୋହିଲା ଲବ ଲାଗେ ତତ୍କାଳେ ।ବିଘଟିତ । ବୁଦ୍ଧି ହୋଏ ଏହି ଉପମାରେ ।ବାରି ନୋହେ ଭିନ୍ନ କରି ଯଥା ବୀଚିତରବାରିପୁନଃ ପୁନଃତରବାରୀମାନ ପ୍ରହାରେ । ୧୧ ।ବିରବର ବଶେ ତହିଁ ବୀରବର ବୋଲେ ମୁହିଁଶିରଶ୍ଛେଦେ ନ ମରଇ ସାହସ ତେଜ ।ବିଜୟୀ ହୋଇଛି ସୁର ଗଣରେ ଆନ ଅସୁରନୋହେ ବୁଡ଼ାଇବି ଶୂରପଣ ତୋ ଆଜ ।ବିଷ୍ଣୁଚକ୍ର । ବାଜି ହୃଦେ ଚର୍ମରେ ନ ଗଳି ।ବକ୍ର ଦାଢ଼ମୂନ ନାଶ ଚୂର୍ଣ୍ଣ ଭଜେ ଦୁର୍ଗାଈଶଇନ୍ଦ୍ର ଖଡ଼୍ଗ ଶୂଳ ବଜ୍ର ନ ମାରେ ତୋଳି । ୧୨ ।ବୋଲୁଁ ରାମ କୋପେ ଥରେ ଅଷ୍ଟୋତ୍ତରଶତ ଥରେଛେଦନେ ପାତ ପୃଥ୍ବୀରେ ତା ମୁଣ୍ଡ ନୋହି ।ବ୍ୟଥିତ ଭଜି କଥିତ ଅଗ୍ରେ ଯେ ମାତଳି ସ୍ଥିତଏ ଦୈତ୍ୟ ଅଦ୍ଭୁତ ଭୂତ ଭବିଷ୍ୟେ ନାହିଁ ।ବର୍ତ୍ତମାନ । ବିଖ୍ୟାତ ଏ ତ ମରିବ କେହି ।ବ୍ରହ୍ମାଣ୍ଡସାର କ୍ଷତ୍ରିୟ ବ୍ରହ୍ମାସ୍ତ୍ରେ ଭେଦ ହୃଦୟଦେଇଛି କୁମ୍ଭତନୟ ମାତଳି କହି । ୧୩ ।ବିନ୍ଧିବାକୁ ନାଗେ ନାକେ ମଧ୍ୟେ କେ ଲାଗିବ ଲାଖେତେଜେ ବସାଉଁ ପିନାକେ ଜଳୁ ସେ ଥିଲା ।ବାଦୀ ତ୍ରିପୁର ତ୍ରିପୁର ଜିତର ହୁଅନ୍ତେ ହର-ପ୍ରୟୋଗେ ତୁମ୍ଭେ ପାତର ମୋତେ ଦିଶିଲା ।ବିରାଧାରି । ବାଣୀ ତାର ଶୁଣି ତତ୍ପର ।ବଡବାନଳ ସାଗରୁ ଉଦ୍ଧରି ଧରିବା ଚାରୁବାହାର କଲେ ତୂଣୀରୁ ସେ ବ୍ରହ୍ମଶର । ୧୪ ।ବାର ଆଦିତ୍ୟ ଉଦିତ ଏକତ୍ୱ ହୋଇ ବ୍ୟକତଏକମଣ୍ଡଳେ ତଦ୍ବତ କୋଦଣ୍ଡ ମଧ୍ୟେ ।ବସାଇଣ ଆମଞ୍ଚନେ ଭାବେ ପୁଷ୍ପକ ବିମାନେପୁଷ୍ପକ ହେବାର ମନେ ଆଜର ଯୁଦ୍ଧେ ।ବିତରଣ । ବାଣ କଲା ତୁଚ୍ଛା କରି ତୁଣ ।ବାଛି ଏଥୁଁ ଭଲ ଜଣେ ମାରି ପାରିବି କି ରଣେଚିରକୀର୍ତ୍ତି ବୀରପଣେ ରହିବ ପୁଣ । ୧୫ ।୧୧ଶ ପଦ :- ଚକ୍ରୀ-ବିଷ୍ଣୁ । ଚକ୍ରୀବିଧାନକୁ-କୁମ୍ଭକାର ନିୟମକୁ । ବୀଚିତର-ଳହରୀ ଯୁକ୍ତ ।
୧୧ଶ ପଦ :- ରାମଚନ୍ଦ୍ର ପ୍ରକୃତରେ ‘ଚକ୍ରୀ’ ବିଷ୍ଣୁ ହୋଇଥିବାରୁ ‘ଚକ୍ରୀ’ କୁମ୍ଭକାରର ରୀତିକୁ ଧରି କୁମ୍ଭକାର କଞ୍ଚା ହାଣ୍ଡିକୁ ସୂତାରେ କାଟିଲାପରି ଶର ରୂପ ସୂତାରେ ରାବଣର ଦଶଗୋଟିଯାକ ମୁଣ୍ଡକୁ କାଟିଦେଲେ; କିନ୍ତୁ ରାବଣର ସ୍କନ୍ଧରୁ ସେହି ମୁଣ୍ଡମାନ ଅଲଗା ହେଲା ନାହିଁ । କୁମ୍ଭାରର କଞ୍ଚା ହାଣ୍ଡି ନ ପଡ଼ି ଚକରେ ଲାଗି ରହିଲାପରି ମୁଣ୍ଡସବୁ କନ୍ଧଦେଶରେ ଲାଗି ରହିବାରୁ ବୁଦ୍ଧି ବଳରେ ଏହି ଉପମା ମନେହେଲା, ‘ଯେପରି ଲହରୀ ସଙ୍କୁଳ ଜଳରାଶିରେ ବାରମ୍ବାର ଖଣ୍ଡା ପ୍ରହାର କଲେ ସୁଦ୍ଧା ବାରିରାଶିକୁ ଭିନ୍ନ କରି ହୁଏ ନାହିଁ, ଏହା ସେହିପରି ହେଲା ।’
୧୨ଶ ପଦ :- ବିରବ-ଉଚ୍ଚଧ୍ୱନି । ସୁରଗଣରେ-ଦେବତାମାନଙ୍କ ମଧ୍ୟରେ ।
୧୨ଶ ପଦ :- ଏହା ଦେଖି ରାବଣ ଘୋରରଡ଼ି କରି କହିଲା, ‘‘ମୁଣ୍ଡ ଛିଣ୍ଡି ଗଲେ ସୁଦ୍ଧା ମୁଁ ମରିବି ନାହିଁ । ରେ ବୀର ! ତୁ ଯେଉଁ ସାହସ କରିଛୁ, ତାହାକୁ ପରିତ୍ୟାଗ କର । ମୁଁ ଇନ୍ଦ୍ରାଦିଦେବତାମାନଙ୍କୁ ଜୟ କରିଅଛି, ମୁଁ ସମାନ୍ୟ ଅସୁର ନୂହେଁ, ଆଜି ତୋର ବୀରତ୍ୱ ଶେଷ କରିବି । ବିଷ୍ଣୁଙ୍କର ଚକ୍ର ମୋର ହୃଦୟରେ ବାଜି ଚର୍ମକୁ ସୁଦ୍ଧା ଭେଦ କରି ନାହିଁ; ଦୁର୍ଗାଙ୍କର ଖଡ଼୍ଗ ମୋ ଦେହରେ ବାଜି ତାର ଦାଢ଼ ଭାଙ୍ଗି ଯାଇଅଛି, ଶିବଙ୍କର ତ୍ରିଶୂଳର ମୁନ ମଧ୍ୟ ଭାଙ୍ଗି ଯାଇଅଛି ଓ ଇନ୍ଦ୍ର ବଜ୍ର ଟେକି ମୋତେ ମାରିବାରୁ ତାହା ମୋ ହୃଦୟରେ ବାଜି ଗୁଣ୍ଡହୋଇ ଧୂଳି ସଙ୍ଗରେ ମିଶିଯାଇ ଅଛି ।’’
୧୩ଶ ପଦ :- କୁମ୍ଭତନୟ-ଅଗସ୍ତି ମୁନି ।
୧୩ଶ ପଦ :- ରାବଣ ଏହିପରି କହିବାରୁ ରାମ କ୍ରୋଧରେ କମ୍ପିତ ହୋଇ ଶହେ ଆଠଥର ତାର ମୁଣ୍ଡମାନଙ୍କୁ ଛେଦନ କଲେ, ତଥାପି ସେସବୁ ତଳେ ପଡ଼ିଲା ନାହିଁ । ତେଣୁ ସେ ଅତ୍ୟନ୍ତ ଦୁଃଖିତ ହୋଇ ସମ୍ମୁଖସ୍ଥ ମାତଳିଙ୍କୁ କହିଲେ, ‘‘ହେ ମାତଳି ! ଏ ଏକ ଅଦ୍ଭୁତ ରାକ୍ଷସ, ଏପରି ରାକ୍ଷସ ପୂର୍ବେ ନ ଥିଲେ କି ଭବିଷ୍ୟତରେ ଆଉ ଜନ୍ମିବେ ନାହିଁ । ବର୍ତ୍ତମାନ ଏହି ପ୍ରସିଦ୍ଧ ରାକ୍ଷସ କିପରି ମରିବ ?’’ ମାତଳି କହିଲା, ‘‘ହେ ବ୍ରହ୍ମାଣ୍ଡର ଶ୍ରେଷ୍ଠ କ୍ଷତ୍ରିୟ ରାମଚନ୍ଦ୍ର ! ଅଗସ୍ତ୍ୟ ଋଷି ଦେଇଥିବା ବ୍ରହ୍ମାସ୍ତ୍ରରେ ଏହାର ହୃଦୟକୁ ବିଦ୍ଧ କରନ୍ତୁ ।’’
୧୪ଶ ପଦ :- ନାରେ-ପାତାଳରେ । ନାକେ-ସ୍ୱର୍ଗରେ । ପିନାକ-ଶିବଙ୍କ ଧନୁ । ହର-ଶିବ ।
୧୪ଶ ପଦ :- ‘‘ସେହି ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଲକ୍ଷସ୍ଥଳରେ ବଜାଇବାକୁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଏହି ତିନିପୁର ମଧ୍ୟରେ କେହିନାହିଁ । କାରଣ ହର ତ୍ରିପରୁର ବିଜୟୀ ତ୍ରିପୁରାସୁର ସହିତ ବିବାଦୀ ହୋଇ ସେହି ଅସ୍ତ୍ରକୁ ଧନୁରେ ବସାଇବା ସଙ୍ଗେ ସଙ୍ଗେ ପିନାକ ଧନୁ ତାହାର ତେଜରେ ଜଳିଗଲା । ମୁଁ ମନେ କରୁଛି, କେବଳ ତୁମ୍ଭେ ଏହାକୁ ପ୍ରୟୋଗ କରିବାକୁ ସମର୍ଥ ହେବ ।’’ ବିରାଧଶତ୍ରୁ ରାମଚନ୍ଦ୍ର ମାତଳିଙ୍କଠାରୁ ଏହିପରି କଥା ଶୁଣି ସମୁଦ୍ରରୁ ବଡ଼ବାନଳକୁ ବାହାର କଲାପରି ତୂଣୀର ମଧ୍ୟରୁ ସେହି ଅସ୍ତ୍ରକୁ ଅତିଶୀଘ୍ର ବାହାର କଲେ ।
୧୫ଶ ପଦ :- ଆଦିତ୍ୟ-ସୂର୍ଯ୍ୟ । ପୁଷ୍ପକ-ମୃତ ନେତ୍ର ରୋଗ ।
୧୫ଶ ପଦ :- ବାରଟିଯାକ ସୂର୍ଯ୍ୟ ଏକତ୍ରିତ ହୋଇ ଗୋଟିଏ ସୂର୍ଯ୍ୟ ମଣ୍ଡଳରେ ପରିଣତ ହେଲେ ସେଥିରୁ ଯେଉଁପରି ତେଜପ୍ରକାଶିତ ହେବ; ରାମଚନ୍ଦ୍ର ସେହି ବ୍ରହ୍ମାସ୍ତ୍ରକୁ ଧନୁରେ ବସାଇ ଆକର୍ଷଣ କରିବାରୁ ସେହିପରି ତେଜ ପ୍ରକାଶିତ ହେଲା । ଏହା ଦେଖି ରାବଣ ପୁଷ୍ପକଯାନରେ ଥାଇ ଭାବିଲା, ‘ଆଜି ଯୁଦ୍ଧରେ ମୋର ଚକ୍ଷୁରୋଗ ଜାତ ହେବ । (ଅର୍ଥାତ୍ ଆଜି ଯୁଦ୍ଧରେ ମୁଁ କର୍ତ୍ତବ୍ୟଶୂନ୍ୟ ହୋଇ ଅନ୍ଧମାନଙ୍କ ପରି ଅପଥରେ ଗମନ କରି ମରିବି) । ’ ତତ୍ପରେ ସେ ବାଣ ମାରି ତୂଣୀରକୁ ଶୂନ୍ୟ କରି ଦେଲା (ଅର୍ଥାତ୍ ଯେତେ ଶର ଥିଲା ସବୁ ମାରିଲା) । କାରଣ ସେ ସ୍ଥିର କରିଥିଲା, ଏହି ପ୍ରଧାନ ଯୋଦ୍ଧାମାନଙ୍କ ମଧ୍ୟରୁ ଯଦି ମୁଁ ଜଣକୁ ଯୁଦ୍ଧରେ ମାରି ପାରିବି, ତାହା ହେଲେ ଜଗତରେ ଚିରକାଳ ପର୍ଯ୍ୟନ୍ତ ମୋର ବୀରତ୍ୱ କୀର୍ତ୍ତି ସ୍ଥାପିତ ହେବ ।
ବ୍ରହ୍ମାସ୍ତ୍ରବ୍ରହ୍ମାସ୍ତ୍ର ପରେ ଚକ୍ର ଚକ୍ର କୋଦଣ୍ଡରେକତୁରୀକି ତ୍ୱରିତରେ ଗୁଣ ଖଣ୍ଡନେ ।ବିଭୀଷଣ ହନୁମନ୍ତେ କପିବର ବାଳିସୁତେଶକ୍ତିପଦ୍ମେ ଶୂଳ କେତେ ସେନା ଖଣ୍ଡନେ ।ବିଧାନକ । ବଳ ଯେତେ ତାଙ୍କୁ କାଣ୍ଡେ କାଣ୍ଡେ ।ବିଦିଶ ଦିଶ ଅଦୃଶ୍ୟ ଶଲ୍ୟକୀ ସ୍ୱଶଲବଂଶଝାଡ଼ିଝାଡ଼ି କି ରଭସଗତି ପ୍ରଚଣ୍ଡେ । ୧୬ ।ବ୍ୟାଘ୍ର କି ମକ୍ଷିକା ଗ୍ରାସେ ଲକ୍ଷ୍ମଣ ବାଣ ସଦୃଶେଖରଜିତ ବାମ ହସ୍ତ ଦକ୍ଷିଣେ ବୋଲେ ।ବିଦେହ କନ୍ୟା ଯୋଗରେ ଆଗ କର୍ବୁର ଦାନରେଯୋଗ ହେଉ ପଛେ ଯାଉ ସମରକାଳେ ।ବାମେ ସେହି । ବାକ୍ୟରେ ଦକ୍ଷିଣ ପାଣି ଛଳେ ।ବିଦେହକନ୍ୟା ଯୋଗରେ ଯୋକେ କର୍ବୁର ଦାନରେବଦେ କୃପାଳୁ ସମ୍ମତେ ଶ୍ରୁତିକି ଚଳେ । ୧୭ ।ବ୍ରହ୍ମପୂଜିତ ସୁନ୍ଦର ପରଂବ୍ରହ୍ମ ବ୍ରହ୍ମଶରପ୍ରୟୋଗି ଏ ସମୟର ଡର ଉପରେ ।ବୁଡ଼ି ହଂସ ପାରାବାରେ ଯେମନ୍ତ ବାହାରେ ତୀରେଫୁଟି ତଥା ଚରମରେ ସ୍ଥିତ ତୂଣୀରେ ।ବିଦୃଶତା । ବିମଳାକ୍ଷ ଅନାଉଁ ତମରେ ।ବିଧ୍ୱଂସି ଦେଲା ତତ୍ପର ମାଳିତ ଆଦିତ୍ୟଗିରସ୍ୱନାମ ତାରକାସାର ଉଦିତ କରେ । ୧୮ ।ବତାସେ ଉପୁଡି ଗିରି- ପରୁ ମହାଦ୍ରୁମ ପରିମହୀପତନ ସୁରାରି ବିମାନୁ ଭଜେ ।ବଳ୍ କଣ କବଚ ଫଳ ଶାଖା ଶିର ଭୁଜକାଳତେଜି ପ୍ରାଣ ପକ୍ଷମେଳ ଗତି ସହଜେ ।ବାଜି ହତ । ବାଜି ଗଜ ରଥ ଯେ ଅସୁରେ ।ବଞ୍ଚିଲାଇଁ ତୋଷ ରଚି ବାନରେ ସଧୀରେ ନାଚିରଣସ୍ଥାନେ ପୁଷ୍ପସିଞ୍ଚି ବିଲୋକି ସୁରେ । ୧୯ ।ବାହୁଡି ମାତଳି ଯାଇ ରଥ ଘେନି ଆଜ୍ଞା ପାଇବିଭୀଷଣ ଶୋକ ବହି ଲୋକ ଆଚାରେ ।ବାତେ ଉଡି ପୁଷ୍ପଲତା ପରା ରାବଣ ବନିତାଆସି ରଣାଙ୍ଗଣେ ସ୍ଥିତା କହନ୍ତେ ଚାରେ ।ବିଳାସିନୀ । ବୃନ୍ଦ ବୃନ୍ଦ ପଦ୍ମିନୀ ଏ ତହିଁ ।ବହେ ମକରନ୍ଦ ଜଳ ନୟନ ଫୁଲ୍ଲ କମଳ ।ଲାଗି ରହିଛି ଭ୍ରସଳ ଡୋଳାହିଁ ଯହିଁ । ୨୦ ।୧୬ଶ ପଦ :- ଶଲ୍ୟକୀ-ଝିଙ୍କପକ୍ଷୀ । ସ୍ୱଶଲବଂଶ-ଆପଣାର କାଠିମାନଙ୍କୁ । ରଭସଗତି-ଶୀଘ୍ରଗତି । ପ୍ରଚଣ୍ଡେ-କ୍ରୋଧରେ ।
୧୬ଶ ପଦ :- ଏହି କଥା ସ୍ଥିର କରିଥିବାରୁ ସେ ରାମଙ୍କର ବ୍ରହ୍ମାସ୍ତ୍ର ଉପରକୁ ବ୍ରହ୍ମାସ୍ତ୍ର, ରଥର ଚକକୁ ଚକ୍ରାସ୍ତ୍ର, ଧନୁର ଗୁଣଛେଦନ କରିବା ପାଇଁ କତୁରୀଶର, ବିଭୀଷଣ, ହନୁମାନ, ସୁଗ୍ରୀବ ଓ ଅଙ୍ଗଦକୁ ଶୀଘ୍ରନାଶ କରିବା ପାଇଁ ପଦ୍ମେ ଶକ୍ତି ଓ ସେନାମାନଙ୍କ ପ୍ରତି ଅସଂଖ୍ୟ ଶୂଳ ନିକ୍ଷେପ କଲା ଏବଂ ଆଉ ଯେଉଁ ସାଧାରଣ ସୈନିକମାନେ ଥିଲେ, ସେମାନଙ୍କୁ ଲକ୍ଷ୍ୟକରି ପ୍ରତ୍ୟେକଙ୍କ ପ୍ରତି ଗୋଟିଏ ଗୋଟିଏ ଶର ନିକ୍ଷେପ କରି ସମସ୍ତ ଦିଗମାନଙ୍କୁ ଅନ୍ଧକାରାଛନ୍ନ କରିଦେଲା । ସେହି ସମୟରେ ତାକୁ ଦେଖି ମନେ ହେଲା, ଝିଙ୍କପକ୍ଷୀ କ୍ରୋଧରେ ତାହାର କାଠିମାନଙ୍କୁ ଫିଙ୍ଗି ତର ତର ହୋଇ ପଳାଉଅଛି କି?
୧୭ଶ ପଦ :- ଖରଜିତ-ରାମଚନ୍ଦ୍ର । ବିଦେହକନ୍ୟା-ସୀତା । କବୁର-ସୁବର୍ଣ୍ଣ । କବୁର-ରାକ୍ଷସ ।
୧୭ଶ ପଦ :- ବାଘ ମାଛିମାନଙ୍କୁ ଖାଇଲା ସରି ଲକ୍ଷ୍ମଣଙ୍କବାଣ ରାବଣର ଶରମାନଙ୍କୁ ଭକ୍ଷଣ କଲା । ଏହି ସମୟରେ ଖର ରାକ୍ଷସର ବିନାଶ କର୍ତ୍ତା ରାମଙ୍କର ବାମହସ୍ତ ଦକ୍ଷିଣହସ୍ତକୁ କହିଲା, ‘‘ରେ ଦକ୍ଷିଣହସ୍ତ ! ତୁ ସୀତାଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଆଗ ହୋଇଥିଲୁ, ସୁନା ଦାନ କରିବା ସମୟରେ ମଧ୍ୟ ଆଗ ନିଯୁକ୍ତ ହେଉଥାଉ, ଏହି ଯୁଦ୍ଧ ସମୟରେ କାହିଁକି ପଛକୁ ଯାଉଛୁ ?’’ ତହୁଁ ଦକ୍ଷିଣହସ୍ତ ବାମହସ୍ତକୁ ଶ୍ଲେଷ କଥାରେ କହିଲା, ‘‘ରେ ବାମହସ୍ତ । ମୁଁ ବିଦେହ ରାଜକନ୍ୟା ସୀତାଙ୍କୁ ଉଦ୍ଧାର କରିବା ନିମିତ୍ତ ରାବଣକୁ ‘ଦାନ’ ଛେଦନ କରିବି କି ନାହିଁ (କାରଣ ରାବଣ ବ୍ରାହ୍ମଣ ଅଟେ) ଏହି ବିଷୟରେ ସମ୍ମତି ଗ୍ରହଣ କରିବା ପାଇଁ ଦୟାଳୁ ଶୀରାମଙ୍କର ‘ଶ୍ରୂତି’ କର୍ଣ୍ଣ ନିକଟକୁ ଯାଉଅଛି ।’’
୧୮ଶ ପଦ :- ବ୍ରହ୍ମପୂଜିତ-କନ୍ଦର୍ପ ବିଜୟୀ । ପାରାବାରେ-ସମୁଦ୍ରରେ । ଚରମରେ-ପୃଷ୍ଠ ଦେଶରେ । ଆଦିତ୍ୟଗିର-ସୂର୍ଯ୍ୟରୂପ ବଚନ ।
୧୮ଶ ପଦ :- ଏହି ସମୟରେ କନ୍ଦର୍ପଠାରୁ ଅଧିକ ସୁନ୍ଦର ପରଂବ୍ରହ୍ମ ଶ୍ରୀରାମ ବ୍ରହ୍ମଶର ରାବଣର ବକ୍ଷସ୍ଥଳ ପ୍ରତି ନିକ୍ଷେପ କଲେ । ହଂସ ସମୁଦ୍ରରେ ବୁଡ଼ି କୁଳରେ ଫୁଟି ବାହାରିଲା ପରି ସେହି ଶର ରାବଣର ପିଠିରେ ଫୁଟି ବାହାରିଲା । ତତ୍ପରେ ରାମଙ୍କ ତୁଣୀରରେ ଯାଇ ରହିଲା । ‘ତମରେ’ ଅନ୍ଧକାରାଛନ୍ନ ରାତ୍ରିରେ ଅନାଇଲେ ଯେପରି କିଛି ଦେଖାଯାଏ ନାହିଁ, ରାବଣକୁ ବଧ କରିବାରୁ ରାମଙ୍କର ନିର୍ମଳ ଚକ୍ଷୁକୁ ସେହିପରି କିଛି ଦେଖାଗଲା ନାହିଁ । ସେହି ସମୟରେ ମାତଳି ରାମତାରକ ମନ୍ତ୍ରକୁ ସ୍ମରଣ କରାଇଦେବାରୁ ସୂର୍ଯ୍ୟ ଉଦୟ ହୋଇ ଅନ୍ଧକାର ବିନାଶ ପୂର୍ବକ ଜଗତକୁ ଆଲୋକିତ କଲାପରି, ସେହି ମନ୍ତ୍ର ପ୍ରକାଶିତ ହୋଇ ରାମଚନ୍ଦ୍ରଙ୍କ ଚକ୍ଷୁରୁ ଅଦୃଶ୍ୟତା ଦୋଷକୁ ଦୂରକଲା । (ରାମତାରକ ମନ୍ତ୍ର ସ୍ମରଣ କରିବାରୁ ପାପାନ୍ଧକାର ନାଶ ହେଲା ।)
୧୯ଶ ପଦ :- ସୁବରି-ରାକ୍ଷସ । ସୁରେ-ଦେବତାମାନେ ।
୧୯ଶ ପଦ :- ବତାସରରେ ବଡ଼ ବୃକ୍ଷ ପର୍ବତ ଉପରୁ ଉପୁଡ଼ି ତଳକୁ ପଡ଼ିଲାପରି ମୃତ ରାବଣ ରଥ ଉପରୁ ଭୂତଳରେ ପତିତ ହେଲା । ବୃକ୍ଷ ପର୍ବତ ଉପରୁ ପଡ଼ିଲେ ଯେପରି ତାହାର ବକଳ, ଫଳ ଓ ଡାଳ ସବୁ ତଳେ ପଡ଼ନ୍ତି ଏବଂ ସେହି ବୃକ୍ଷରେ ଥିବା ପକ୍ଷୀମାନେ ଉଡ଼ିଯାନ୍ତି, ସେହିପରି ରାବଣ ରୂପ ବୃକ୍ଷ ତଳେ ପଡ଼ିବାରୁ ତାହାର ବକଳ ରୂପ ସାଞ୍ଜ, ଫଳ ରୂପ ମୁଣ୍ଡସମୂହ, ଡାଳ ସମାନ ହସ୍ତସମୂହ ଯୁଦ୍ଧକ୍ଷେତ୍ରରେ ପତିତ ହେଲେ ଏବଂ ପକ୍ଷୀ ସମୂହ ରୂପ ପଞ୍ଚପ୍ରାଣ ହଠାତ୍ ଚାଲିଗଲେ । ପର୍ବତ ଉପରୁ ସେହି ବୃକ୍ଷ ପଡ଼ିଲା ବେଳେ ତାହାର ଆଘାତରେ ନିମ୍ନସ୍ଥ କ୍ଷୁଦ୍ର କ୍ଷୁଦ୍ର ଗୁଳ୍ମଲତା ସବୁ ଭାଙ୍ଗି ଗୁଣ୍ଡ ହୋଇଯାନ୍ତି; ସେହିପରି ସେହି ମୃତ ରାବଣର ଆଘାତରେ ନିମ୍ନସ୍ଥ ଅସଂଖ୍ୟ ଘୋଡ଼ା, ହାତୀ, ରଥ ଓ ରାକ୍ଷସମାନେ ଚୂର୍ଣ୍ଣ ହୋଇଗଲେ । ରାବଣର ମୃତ୍ୟୁ ଦେଖି ବାନରମାନେ ‘ଏଥର ବଞ୍ଚିଗଲୁ, ବୋଲି କହି ଆନନ୍ଦିତ ହୋଇ ଧୀରେ ଧୀରେ ନାଚିବାକୁ ଲାଗିଲେ ଏବଂ ଦେବତାମାନେ ତାହା ଦେଖି ପୁଷ୍ପବୃଷ୍ଟି କରିବାକୁ ଲାଗିଲେ ।
୨୦ଶ ପଦ :- ମାତଳି ରାମଙ୍କଠାରୁ ଆଦେଶ ପାଇ ରଥ ଘେନି ସ୍ୱର୍ଗକୁ ଗଲେ । ବିଭୀଷଣ ଲୋକମାନଙ୍କୁ ଦେଖାଇବା ପାଇଁ କାନ୍ଦିବାକୁ ଲାଗିଲେ । ଦୂତମାନେ ଲଙ୍କାକୁ ଯାଇ ରାବଣ ମରିବା କଥା କହିବାରୁ ପ୍ରଷ୍ପୁଟିତ ଲତାମାନେ ପବନରେ ଉଡ଼ି ଆସିଲାପରି (ଅର୍ଥାତ୍ ଅତିଶୀଘ୍ର) ରାବଣର ରାଣୀମାନେ ଆସି ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହେଲେ । ସେହି ସ୍ତ୍ରୀମାନଙ୍କ ମଧ୍ୟରେ ଅସଂଖ୍ୟ ପଦ୍ମିନୀ ସ୍ତ୍ରୀ ଥିଲେ, ସୁତରାଂ ମକରନ୍ଦ ଧାରା ପ୍ରବାହିତ ହେଲାପରି ସେମାନଙ୍କ ପ୍ରଷ୍ଫୁଟିତ ନୟନକମଳରୁ ଅଶ୍ରୂଧାରା ଅନବରତ ପ୍ରବାହିତ ହେଲା । ସେହି ସମୟରେ ସେମାନଙ୍କ ଆକ୍ଷିର କଳାଡ଼ୋଳା ସବୁ ଭ୍ରମର ପରି ଦେଖାଗଲେ ।
ବାଳିକା ହସ୍ତିନୀଗଣ ଆକୁଳ ହରି ଦାରଣହାର ମୋତି ବିତରଣ ସ୍ତନକୁମ୍ଭରୁ ।ବିଶେଷ ଥିଲେ ଶଙ୍ଖନୀ କଣ୍ଠମାଳୀ ଶୋଭା ଘେନିପ୍ରକାଶିତ ଉଚ୍ଚଧ୍ୱନୀ ସେତା ଦମ୍ଭରୁ ।ବିନୋଦିନୀ । ବର୍ଗ ବର୍ଗ ଚିତ୍ରିଣୀଏ ଥିଲେ ।ବସୁଧମଣ୍ଡିନୀ ଚିତ୍ର ରଜନିକରରେ ଗାତ୍ରଚାରିଜାତ ନାରୀ ସାର୍ଥ ଲକ୍ଷଣ ହେଲେ । ୨୧ ।ବିଜୁଳିରୁଚି ରୁଚିରା ଏ ଘେନି ଅତି ଅଧୀରାହରିଣୀ ଲକ୍ଷ ଚାମର ବାଳ ଚଳାଇ ।ବାଣିଜ୍ୟ ହା ହା ପଦକ କୃତରୁ ସୁନାରୀଟେକବାଳା କ୍ଷିତିରେ କନ୍ଦକ କୁଚ ଖେଳାଇ ।ବୋଲାଇ ସେ । ବେଭାରେ ମହିଷୀ ସ୍ୱେଦନୀରେ ।ବିଗ୍ରହ ମଜ୍ଜାଇ ଦେଇ ଘନରସଦେ ଆଶାୟୀମହାସନ୍ତାପିତ ହୋଇ ସେ ନିରନ୍ତରେ । ୨୨ ।ବର ରତନ ଅୟନ ପତନ ଦେଖି ନୟନମନ୍ଦୋଦରୀ କି ଦରିଦ୍ର ଧଇଲା ତୋଳି ।ବୋଇଲା ଶୋଭାଙ୍ଗୀ ଭାଙ୍ଗି ବାଣୀ କି ଏ ଦଶାରଙ୍ଗୀଦୀନ ହେଲୁଁ ସୂର୍ଯ୍ୟବଂଶୀ ଉଦିତେ ଝଳି ।ବୋଧ ଅର୍ଥେ । ବିଭୀଷଣ ପ୍ରସାରେ ଭାରତୀ ।ବୋଲ ଯା ସତ କାମିନି ତୁଟିଲା ପାପ ରଜନୀଦିବସ ପଦକୁ ଘେନି ଚର ସୁଗତି । ୨୩ ।ବନିତାଗଣେ ପଣ୍ଡିତା ଦେବର ବାଣୀ ବିଦିତାଶ୍ରୁତି ପଚାରେ ତୋଷିତା ଗଲେ ଭବନେ ।ବନ୍ଧୁ ବର୍ଗ ରୁଣ୍ଡବଶେ ଦଶାନନକୁ ରଭସେଦହନ ସଂଯୋଗ ଶେଷେ ମଜ୍ଜିଲେ ସ୍ନାନେ ।ବଇକୁଣ୍ଠେ । ବିଜୟ ପାଶେ ପ୍ରବେଶ ଜୟ ।ବୈଦେହୀ ଶ୍ରୀରାମ ଶୋକ ତେଜି ନେଲେ କି ଅଶୋକବନେ ଛନ୍ତି ପରସ୍ପରେ କଥା ଉଦୟ । ୨୪ ।ବଇରୀଭାବେ ତ୍ରିବିଧୀ ମୋକ୍ଷଦାତା ଦୟାନିଧୀସ୍ୱବଲ୍ଲଭୀରେ ସଂପଦି ଯେତେ କଷଣ ।ବସି ବେନି ପ୍ରଶଂସିତ ସୁଜ୍ଞଜନମାନେ ଚିତ୍ତନିଶ୍ଚଳ କରିଣ ଚିନ୍ତ କି ପ୍ରଭୁପଣ ।ବରଗିଲେ । ବିଶ୍ରବାସୁତ କରି କ୍ଷିତୀଶ ।ବୀର ଶ୍ରୀରାମ ଅନୁଜ ସହିତେ ବାନରରାଜବାଳିସୁତ ବାତାତ୍ମଜ ଲଙ୍କା ପ୍ରବେଶ । ୨୫ ।
୨୧ଶ ପଦ :- ହରି-ସିଂହ, ବିଷ୍ଣୁ (ରାମଚନ୍ଦ୍ର) । ବାରଣହାର ମୋତି-ଗଜମୁକୁତା । ବସୁଧାମଣ୍ଡିନୀ-ପୃଥିବୀମଣ୍ଡିତ । ରଜନିକରରେ-ଧୂଳିସମୂହରେ ।
୨୧ଶ ପଦ :- ସେମାନଙ୍କ ମଧ୍ୟରେ କେତେକ ହସ୍ତିନୀ ସ୍ତ୍ରୀ ଥିଲେ । ସିଂହ ଯେପରି ହସ୍ତୀର କୁମ୍ଭସ୍ଥଳକୁ ବିଦାରଣ ପୂର୍ବକ ତାହା ମଧ୍ୟରେ ଥିବା ମୁକ୍ତାମାନଙ୍କୁ ବାହାରକରି ଫିଙ୍ଗିଦିଏ, ସେମାନେ ସେହିପରି ସେମାନଙ୍କର ସ୍ତନ ରୂପ କୁମ୍ଭସ୍ଥଳକୁ ଆକୁଳରେ ବିଦାରି ମୁକ୍ତାହାରମାନଙ୍କୁ ଛିଣ୍ଡାଇ ଫିଙ୍ଗି ଦେଲେ । ସେହିପରି ଅନେକ ଶଙ୍ଖିନୀ ସ୍ତ୍ରୀ ଥିଲେ । ମାଳିମାନେ ଦେବାଳୟରେ ‘କଣ୍ଠ’ ଶଙ୍ଖଧ୍ୱନି କଲାପରି ସେମାନେ ସ୍ୱାମୀଙ୍କର ମୃତ୍ୟୁଜନିତ ଦୁଃଖରେ ଅଧିରା ହୋଇ ‘ନିଜର କଣ୍ଠମାଳା’ ରତ୍ନମାଳା ବିମଣ୍ଡିତ କଣ୍ଠକୁ ସେହି ସମୟରେ ପ୍ରକାଶିତ ହେଉଥିବା ଉଚ୍ଚ ଧ୍ୱନିରେ ଶୋଭିତ କଲେ । ଅର୍ଥାତ୍ ବଡ଼ ପାଟିକରି କାନ୍ଦିବାକୁ ଲାଗିଲେ) ଏବଂ ସେହି ରାବଣର ବିନୋଦଦାୟିନୀ ଚିତ୍ରିଣୀ ନାରୀ ମଧ୍ୟ ଥିଲେ । ସେମାନେ ଧୂଳିରାଶିରେ ନିଜର ଦେହକୁ ଗଡ଼ାଇ ପୃଥିବୀକୁ ନିଜ ନିଜର ଶରୀର ଚିହ୍ନରେ ଚିତ୍ରିତ କରି ଦେଲେ । ଏହିପରି ଚାରିଜାତି ନାରୀଙ୍କ ଲକ୍ଷଣ ପ୍ରକାଶିତ ହେଲା ।
୨୨ଶ ପଦ :- ହରିଣୀ-ସ୍ୱର୍ଣ୍ଣପ୍ରତିମା, ମୃଗଣୀ । ସୁନାରୀ-ଉତ୍ତମ ନାରୀ, ସୁନାରିବଣିଆ । କନ୍ଦୁକ-ପେଣ୍ଡୁ । ମହିଷୀ-ରାଣୀ । ସ୍ୱେଦନୀରେ-ଝାଳରେ । ଘନରସ-ଶୃଙ୍ଗାର ରସ ।
୨୨ଶ ପଦ :- ବିଜୁଳିପରି ଚଞ୍ଚଳତା ଓ ମନୋହାରିଣୀ ସେହି ରମଣୀମାନେ ଶୋକରେ ଅଧିରା ହେଲେ । ‘ହରିଣୀ’ ସୁବର୍ଣ୍ଣ ପ୍ରତିମା ତୁଲ୍ୟ କାନ୍ତିମତୀ ସେହି ସ୍ତ୍ରୀମାନେ ‘ହରିଣୀ’ ଚମରୀମୃଗୁଣୀ ନିଜର ଚାମର ନାମରେ ଅଭିହିତ ଲାଙ୍ଗୁଳ ଲମ୍ବିତ କେଶ ଗୁଚ୍ଛକୁ ସଂଚାଳିତ କଲାପରି ଚାମର ତୁଲ୍ୟ କେଶଗୁଚ୍ଛକୁ ପରିଚାଳିତ କଲେ (ଅର୍ଥାତ୍ ଶୋକାତୁରା ସେହି ସ୍ତ୍ରୀମାନଙ୍କ କେଶ ମୁକୁଳିତ ହେଲା) । ‘ସୁନାରୀ ବଣିଆ ‘ପଦକ’ ଅଳଙ୍କାର ବିଶେଷ ତିଆରି କଲାପରି ‘ସୁନାରୀ’ ମନ୍ଦୋଦରୀ ସର୍ବଦା ‘ହା ହା ପଦକ’ ହା ନାଥ ଏହି ଏକମାତ୍ର ପଦ ଉଚ୍ଚାରଣ କରି ନିଜର ‘ଟେକ’ ପାଟରାଣୀର ମର୍ଯ୍ୟାଦା ପ୍ରକାଶ କଲେ ଏବଂ ବାଳକମାନେ ଭୂମିରେ କନ୍ଦୁକ (ପେଣ୍ଡୁ) ଧରି ଖେଳିଲାପରି ସେହି ମନ୍ଦୋଦରୀ ଭୂମିରେ କୂଚରୂପ କନ୍ଦୁକକୁ ଖେଳାଇଲା (ଅର୍ଥାତ୍ ହା ନାଥ ହା ନାଥ କହି ତଳରେ ପଡ଼ିଲା) । କନ୍ତୁ ସେ ପ୍ରକୃତରେ ମହିଷୀ (ପାଟରାଣୀ ବୋଲାଉଥିବାରୁ ମଇଁଷି ପାଣିରେ ବୁଡ଼ିଲା ପରି ସ୍ୱେଦନୀରେ ଦେହକୁ ବୁଡ଼ାଇଲା ଏବଂ ମଇଁଷି ସର୍ବଦା ସୂର୍ଯ୍ୟ କିରଣରେ ଦୁଃଖ ଅନୁଭବ କରି ମେଘ ଜଳକୁ ଆଶା କଲା ପରି ମନ୍ଦୋଦରୀ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରଗାଢ଼ ରତିରସ ଲାଭପାଇଁ ମୃତ ସ୍ୱାମୀ ପ୍ରତି ଆଶା ପ୍ରକାଶ କଲା । (ଅର୍ଥାତ୍ ମୋ କୋଳ ଛାଡ଼ି ପୃଥିବୀର କୋଳରେ ଶୋଇଲା, -ଏହା କହିଲା ।
୨୩ଶ ପଦ :- ଦରିଦ୍ରଲୋକ ବାଟରେ ପଡ଼ିଥିବା ଉତ୍କୃଷ୍ଟ ରତ୍ନକୁ ସ୍ୱଚକ୍ଷୁରେ ଦେଖି ତୋଳି ଧଇଲାପରି ମନ୍ଦୋଦରୀ ନୀଳମଣି ତୁଲ୍ୟ ରାବଣର ଦେହକୁ ଦେଖି ତୋଳିଧଇଲା । ପୁଣି ସେହି ସର୍ବାଙ୍ଗସୁନ୍ଦରୀ କହିଲା, ‘‘ହେ ନାଥ ! ମୋର କଥାକୁ ନମାନି ଏହି ଦଶାକୁ ପ୍ରାପ୍ତ ହେଲ, ମନ୍ଦୋଦରୀ ଏହିପରି କହିବା ସମୟରେ ବିଭୀଷଣ ମନ୍ଦୋଦରୀ କି ପ୍ରବୋଧ କରିବା ନିମିତ୍ତ କହିଲା, ‘‘ଗୋ କାମିନି ! ଯାହା କହିଲ ତାହା ସତ୍ୟ । ବର୍ତ୍ତମାନ ପାପିୟସୀ ରଜନୀ ଶେଷ ହେଲା ଓ ପୁଣ୍ୟମୟ ଦିବସ ଉପସ୍ଥିତ ହେଲା (ଅର୍ଥାତ୍ ଅନ୍ଧକାର ରାତ୍ରି ତୁଲ୍ୟ ପାପୀ ରାବଣ ନାଶ ହେଲା ଓ ପୁଣ୍ୟମୟ ଦିବସ ତୁଲ୍ୟ ରାମଚନ୍ଦ୍ର ଉଦିତ ହେଲେ) । ’’ ତୁମ୍ଭେ ଏବେ ଅନ୍ତପୁରକୁ ଗମନ କର ।
୨୪ଶ ପଦ :- ଶ୍ରୁତି-ବେଦ । ଦଶାନନକୁ-ରାବଣକୁ । ରଭସେ-ବେଗରେ । ବହନ ସଂଯୋଗ-ଅଗ୍ନି ସଂଯୋଗ ।
୨୪ଶ ପଦ :- ସ୍ତ୍ରୀମାନଙ୍କ ମଧ୍ୟରେ ପଣ୍ଡିତା ମନ୍ଦୋଦରୀ ଦେବର ବିଭୀଷଣ କହିବା କଥା ଶୁଣି ଆନନ୍ଦିତା ହୋଇ ଅନ୍ତଃପୁରକୁ ଗଲା । ତାହା ପରେ ବନ୍ଧୁମାନେ ରୁଣ୍ଡ ହୋଇ ରାବଣକୁ ଶୀଘ୍ର ଅଗ୍ନିରେ ଦଗ୍ଧ କରି ସ୍ନାନ କଲେ । ବୈକୁଣ୍ଠରେ ଥିବା ବିଜୟ [କୁମ୍ଭକର୍ଣ୍ଣର] ନିକଟରେ ଜୟ (ରାବଣ) ପ୍ରବେଶ ହେଲା । ତହୁଁ ବିଜୟ ଜୟକୁ ଦେଖି ପଚାରିଲା, ‘‘ଶ୍ରୀରାମ ଶୋକ ତେଜି ସୀତାଙ୍କୁ ନେଲେ କି ?’’ ଜୟ କହିଲା, ‘‘ସୀତା ଅଶୋକ ବନରେ ଅଛନ୍ତି । ’’ ସେହି ଦୁହିଁଙ୍କ ମଧ୍ୟରେ ଏହିପରି କଥାବାର୍ତ୍ତା ପ୍ରକାଶିତ ହେଲା ।
୨୫ଶ ପଦ :- ପୁଣି ସେମାନେ କଥାବାର୍ତ୍ତା ହେଲେ, ରାମଚନ୍ଦ୍ର ଦୟାର ଆଧାର ହୋଇଥିବାରୁ ତିନି ପ୍ରକାରରେ (ଅର୍ଥାତ୍ ଶତ୍ରୁ, ମିତ୍ର ଓ ସେବକ ଭାବରେ) ମୁକ୍ତି ପ୍ରଦାନ କରନ୍ତି । ଅତଏବ ଆମ୍ଭେ ତାଙ୍କର ସ୍ତ୍ରୀ ସୀତାଙ୍କୁ ହରଣକରି ନାନାପ୍ରକାର ଦୁଃଖ ଦେଲେ ସୁଦ୍ଧା ସେ ଆମ୍ଭମାନଙ୍କର ସେହି ଦୋଷ ନ ଧରି ମୁକ୍ତି ପ୍ରଦାନ କରିଅଛନ୍ତି ।’’ ସେ ଦୁହେଁ ବସି ଏହିପରି ରାମଚନ୍ଦ୍ରଙ୍କୁ ପ୍ରଶଂସା କରିବାକୁ ଲାଗିଲେ । ହେ ପଣ୍ଡିତମାନେ ଚିତ୍ତ ସ୍ଥିରକର ସେହି ପ୍ରଭୁଙ୍କର ମହିମାକୁ ଭାବନା କର । ତତ୍ପରେ ବୀର ରାମଚନ୍ଦ୍ର ବିଭୀଷଣଙ୍କୁ ରାଜା କରିବା ପାଇଁ ଲକ୍ଷ୍ମଣଙ୍କ ସହିତ ସୁଗ୍ରୀବ ଅଙ୍ଗଦ ଓ ହନୁମାନକୁ ଲଙ୍କାକୁ ପଠାଇବାରୁ ସେମାନେ ଯାଇ ଲଙ୍କାଗଡ଼ ମଧ୍ୟରେ ପ୍ରବେଶ ହେଲେ ।
ବାରତା ମନ୍ଦୋଦରୀରେ ସଲକ୍ଷ୍ମଣ ଅଙ୍ଗଦରେଯୁକ୍ତ ହୋଇଣ ସୁଗ୍ରୀବେ ଗନ୍ଧବହଜେ ।ବିଭୀଷଣ ପୂର୍ବଦେବ ଇନ୍ଦ୍ରପଦରେ ବସିବବାମା ଚାରୁଧାରା ପରା ତୁମ୍ଭେ ହେବ ଯେ ।ବୋଲୁଛନ୍ତି । ବୋଲି ଅଛନ୍ତି ଅଯୋଧ୍ୟାରାଜେ ।ବୋଲ ସପନୀ ସହରେ ସଲକ୍ଷଣ ଅଙ୍ଗଦରେଯୁକ୍ତ ହୋଇଣ ସୁଗ୍ରୀବେ ଗନ୍ଧବହ ଯେ । ୨୬ ।ବିଳୋହିଲେ-ନାହିଁ ଆନେ ବିବେକ ପ୍ରଭୁ ସମାନେନାହିଁ ବସି ସିଂହାସନେ ଅଭିଷେକରେ ।ବଢ଼ିବ ସତୀ ସମ୍ପଦ ଅପୂର୍ବ ନ ଘେନ ହୃଦରହିଲା କୀର୍ତ୍ତି ଅହଲ୍ୟା ତାରୁଁ ସଂସାରେ ।ବାଳିଜାୟା ବିଳସିଲା ସୁଗ୍ରୀବର ଜାନୁ ।ବଳାଇ ମନ ଏ ଗାରେ ନନାନ୍ଦା କଥା ବିଚାରେସେ ସ୍ଥାନେ ପ୍ରବେଶ କରି ସୁବେଶ ତନୁ । ୨୭ ।ବନ୍ଦାଇ ସୁମିତ୍ରାସୁତ ତାରାଭବ ରାମମିତ୍ରଆଞ୍ଜନେୟ କପିଗୋତ୍ର ଯୁତ ସମେଳ ।ବୁହାଇଣ ରତ୍ନକୋଷ ରଥ ଆଦି ଗଜ ଅଶ୍ୱସ୍ୱଦାରାସହ ସୁବେଳେ ଗଲେ ସୁବେଳେ ।ବିଭୁ ତହିଁ । ବିଲୋକି ମୟଜା ସୁଶୋଭିତ ।ବିଚାରି ଏଡ଼େ ଆରମ୍ଭା ଥାଉଁ ରସିଲା ଏ ରମ୍ଭାଭୋଗକୁ ରାବଣ ଯାହା ମଧୁପ ସତ । ୨୮ ।ବିଶ୍ୱେ ଏ ସୁରଭି ଅଙ୍ଗ କାନ୍ତି ଅଙ୍ଗୁଳି ସାରଙ୍ଗଗମନ ଅଳକାକଣ୍ଠ ନେତ୍ର ଭୂଲତା ।ବିଶେଷ ହରି ମନକୁ ମୁଖ ସମ ସେ ପୂର୍ଣ୍ଣକୁନାସା ଓଷ୍ଠ ମଧ୍ୟ ବେଣୀ ତଥା ରାଜିତା ।ବିଡ଼ମ୍ବନ । ବିହିଲ ମୋତେ ସୁନ୍ଦରୀ କହି ।ବୋଧୀଲେ ପୁଣ୍ଡରୀକାକ୍ଷ ତାର କର ଧରି ମୂଖ୍ୟସାଧ୍ୱୀରେ ଲେଖା ପ୍ରତ୍ୟକ୍ଷ ହୋଇବୁ ତୁହି । ୨୯ ।ବିଭୀଷଣ ସଙ୍ଗେ ରାଜ ଥିବାଯାକ ଚନ୍ଦ୍ର ସୂର୍ଯ୍ୟତୋ ବୟସ ସଉନ୍ଦର୍ଯ୍ୟ ନ ତୁଟୁ ଲବେ ।ବାହୁଡ଼ାଇ ନିଅ ଧନ ଏଥିରେ କି ପ୍ରୟୋଜନଆଣ ମୋର ପ୍ରାଣଧନ ଜାନକୀ ଏବେ ।ବନବାସୀ । ବିଧୁରତା କରି ରାଜଭୂତି ।ବିଚାର ମୁକତିଦାୟୀ ମୁଁ କତି ଛାଡ଼ିଲେ ନାହିଯାହାରେ ବିହାର ସେହି କରେ ମୋ ଗତି । ୩୦ ।
୨୬ଶ ପଦ :- ସଲକ୍ଷ୍ମଣ-ଲକ୍ଷ୍ମଣଙ୍କ ସହିତ । ଗନ୍ଧବହଜ-ହନୁମାନ । ପୂର୍ବଦେବ-ରାକ୍ଷସ । ଚାରୁଧାରାପରା-ଶଚୀଙ୍କ ତୁଲ୍ୟ । ସପତ୍ନୀ ସହରେ-ସଉତୁଣୀ ସହିତରେ । ସଲକ୍ଷ୍ମଣ-ମନୋହର ଭାବରେ, ଉତ୍ତମ ଲକ୍ଷଣରେ । ଅଙ୍ଗଦ-ଅଙ୍ଗଭୂଷଣରେ । ଗନ୍ଧ-ଚନ୍ଦନ ।
୨୬ଶ ପଦ :- ଅଙ୍ଗଦ, ସୁଗ୍ରୀବ ଓ ହନୁମାନ ଏହି ତିନିଜଣଙ୍କ ସହିତ ଲକ୍ଷ୍ମଣ ଲଙ୍କାଗଡ଼ରେ ପ୍ରବେଶ କରନ୍ତେ ମୁଦୁସୁଲୀ ଯାଇ ମନ୍ଦୋଦରୀକୁ କହିଲା ‘‘ଆମ୍ଭର ପୂର୍ବରାଜା ରାବଣଙ୍କପରି ବିଭୀଷଣ ଇନ୍ଦ୍ରପଦରେ ବସିବେ ଅର୍ଥାତ୍ ବିଭୀଷଣ ରାକ୍ଷସେନ୍ଦ୍ର (ରାକ୍ଷସମାନଙ୍କର ରାଜା) ହେବେ । ତୁମ୍ଭେ ଶଚୀଙ୍କପରି ତାଙ୍କର ‘ବାମ’ ରାଣୀ ହେବ । ଅଯୋଧ୍ୟାର ରାଜା [ରାମ] ଏହା କହିଛନ୍ତି ବୋଲି ଲକ୍ଷ୍ମଣ ପ୍ରଭୃତି କହୁଛନ୍ତି ଏବଂ ମୋତେ କହିଅଛନ୍ତି, ତୁ ଯାଇ ମନ୍ଦୋଦରୀକୁ କହ, ସେ ସଉତୁଣୀମାନଙ୍କ ସହ ସଧବାର ଚିହ୍ନ ତାଡ଼ କଙ୍କଣ ପ୍ରଭୃତିରେ ମଣ୍ଡିତ ହୋଇ ବେକରେ ଚନ୍ଦନ ବୋଳିହେଉନ୍ତୁ ।’’
୨୭ଶ ପଦ :- ନନାନ୍ଦା-ନଣନ୍ଦ ।
୨୭ଶ ପଦ :- ଏହା ଶୁଣି ସଉତୁଣୀମାନେ ମନ୍ଦୋଦରୀକୁ କହିଲେ ‘‘ରାମଚନ୍ଦ୍ରଙ୍କପରି ବିଚାରବାନ୍ ପୁରୁଷ ଆଉ କେହିନାହିଁ, ଯେହେତୁ ସେ ତୁମ୍ଭଙ୍କୁ ଅନ୍ୟ କାହାକୁ ନ ଦେଇ ଅଭିଷେକ ସମୟରେ ଆମ୍ଭ ସ୍ୱାମୀଙ୍କର ସମାନ ଅର୍ଥାତ୍ ଦେବର ସହିତ ସିଂହାସନରେ ବସିବାକୁ ଆଦେଶ ଦେଲେ । ଏଣୁ ତୁମ୍ଭର ସତୀତ୍ୱ ମର୍ଯ୍ୟାଦା ବଢ଼ିବ, ମାତ୍ର ଅସତୀ ହେବ ବୋଲି ମନରେ ଭାବନାହିଁ । କାରଣ ସେ ଅହଲ୍ୟାଙ୍କୁ ବ୍ୟଭିଚାରିଣୀ ଦୋଷରୁ ଉଦ୍ଧାର କରି ଏହି ସଂସାରରେ କୀର୍ତ୍ତି ରଖି ଅଛନ୍ତି । ପୁଣି ତାଙ୍କ ଆଦେଶରେ ତାରା ସୁଗ୍ରୀବଙ୍କ କୋଳରେ ବସିଅଛି । ରାମଙ୍କର ଏହି କଥାରେ ମନ ବଳାଅ; ଯଦି ଏହା ନ କର, ତା ହେଲେ ନଣନ୍ଦ ସୁପଣଖାର କଥାକୁ ବିଚାର କର । ବର୍ତ୍ତମାନ ଦେହକୁ ସୁବେଶ କରି ସେହି ଅଭିଷେକ ସ୍ଥାନକୁ ଯାଅ ।’’
୨୮ଶ ପଦ :- ସୁମିତ୍ରାସୁତ-ଲକ୍ଷ୍ମଣ । ତାରାଭବ-ଅଙ୍ଗଦ । ରାମମିତ୍ର-ସୁଗ୍ରୀବ । ଆଞ୍ଜନେୟ-ହନୁମାନ । କପିଗୋତ୍ର-ମର୍କଟସମୂହ । ସୁବେଳେ-ଉତ୍ତମ ସମୟରେ, ସୁବେଳ ପର୍ବତରେ । ମୟଜା-ମନ୍ଦୋଦରୀ । ମଧୁପ-ଭ୍ରମର ।
୨୮ଶ ପଦ :- ସଉତୁଣୀମାନଙ୍କ କଥାନୁସାରେ ମନ୍ଦୋଦରୀ ସୁବେଶ ହୋଇ ବିଭୀଷଣ କୋଳରେ ବସିବାରୁ ଲକ୍ଷ୍ମଣ, ଅଙ୍ଗଦ, ସୁଗ୍ରୀବ, ହନୁମାନ ଆନନ୍ଦର ସହିତ ମିଳିତ ହୋଇ ବିଭୀଷଣ ଓ ମନ୍ଦୋଦରୀଙ୍କୁ ବନ୍ଦାଇଲେ । ତତ୍ପରେ ବିଭୀଷଣ ଭଣ୍ଡାରରେ ଥିବା ସମସ୍ତରତ୍ନ ଲୋକମାନଙ୍କ ଦ୍ୱାରା ବୁହାଇ ରଥ, ହାତୀ, ଘୋଡ଼ା ପ୍ରଭୃତି ସଙ୍ଗରେ ଘେନି ମନ୍ଦୋଦରୀ ସହିତ ଶୁଭଲଗ୍ନରେ ସୁବେଳ ପର୍ବତକୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବା ପାଇଁ ଗଲେ । ସୁବେଳପର୍ବତସ୍ଥ ପ୍ରଭୁ ରାମଚନ୍ଦ୍ର ମନ୍ଦୋଦରୀର ଶୋଭା ବିଲୋକନ କରି ବିଚାରୁଥିଲେ, ‘‘ଏହିପରି ସୁନ୍ଦରୀ ଥାଉଁ ଥାଉଁ ରାବଣ ରମ୍ଭା ଅପସରାକୁ ଭୋଗ କରିବାକୁ ଯାହା ମନ ବଳାଇଲା । ଏଥିରୁ ଜଣାଯାଏ, ସେ ପ୍ରକୃତରେ ଭ୍ରମର ବା ମଦୁଆ ଅଟେ ।
୨୯ଶ ପଦ :- ବିଶ୍ୱେ-ସଂସାରରେ । ସୁରଭି-ମନୋହର, ଚମ୍ପାଫୁଲ । ହରି-ଚନ୍ଦ୍ର, ସୂର୍ଯ୍ୟ, ସିଂହ, ଶୁକପକ୍ଷୀ, କାଳୀୟସ୍ୱର୍ଗ । ପୁଣ୍ଡରୀକାକ୍ଷ-ରାମଚନ୍ଦ୍ର ।
୨୯ଶ ପଦ :- ତତ୍ପରେ ରାମଚନ୍ଦ୍ର କହିଲେ, ‘‘ଏହି ସଂସାରରେ ଯେତେ ସ୍ତ୍ରୀ ଅଛନ୍ତି, ତାହାଙ୍କ ମଧ୍ୟରେ ଏହି ସ୍ତ୍ରୀ ଶ୍ରେଷ୍ଠ ଅଟେ । ଯେହେତୁ ଏହାର ଦେହକାନ୍ତି ଚମ୍ପାଫୁଲ ପରି, ଅଙ୍ଗୁଳିଗୁଡ଼ିକ ଚମ୍ପାକଢ଼ ପରି, ଗମନ ମତ୍ତ ହସ୍ତୀର ଗମନ ପରି, ଅଳକା ଭ୍ରମରମାନଙ୍କ ପରି, କଣ୍ଠର ସ୍ୱର କୋକିଳର ସ୍ୱର ପରି, ନେତ୍ର ମୃଗର ନେତ୍ର ପରି, ଭ୍ରୃଲତା କନ୍ଦର୍ପର ଧନୁ ପରି, ମୁଖ ପୂର୍ଣ୍ଣଚନ୍ଦ୍ର ପରି ମନୋହର ହୋଇ ମନକୁ ଅତିଶୟ ଭାବରେ ହରଣ କରୁଅଛି ଏବଂ ସେହପରି ନାସା, ‘ହର’ ଶୁଆର ନାସାପରି, ଅଷ୍ଠବାଳସୂର୍ଯ୍ୟ ପରି ‘ମଧ୍ୟ’ କଟୀଦେଶ ସିଂହକଟି ଓ ବେଣୀ ସର୍ପ ପରି ମନୋହରହୋଇ ମନକୁ ମୋହିତ କରୁଅଛି । ’’ ଏହା ଶୁଣି ସୁନ୍ଦରୀ ମନ୍ଦୋଦରୀ କହିଲେ, ‘‘ହେ ପ୍ରଭୋ ! ଆପଣ ମୋତେ ନିନ୍ଦିତା କରାଇଲେ ।’’ ତହୁଁ ପଦ୍ମଲୋଚନ ରାମ ତାହାଙ୍କ ମଧ୍ୟରେ ଲେଖା ହେବ ଅର୍ଥାତ୍ ପତିବ୍ରତାମାନଙ୍କ ନାମ ଗଣନା କଲାବେଳେ ତୁମ୍ଭ ନାମ ମଧ୍ୟ ସେମାନଙ୍କ ନାମ ସଙ୍ଗେ ଗଣାଯିବ ।
୩୦ଶ ପଦ :- ବିଧୂରତା-ତ୍ୟାଗକରି । କାଳଭୂତି-ରାଜସମ୍ପଦ ।
୩୦ଶ ପଦ :- ପୁଣି ରାମ ମନ୍ଦୋଦରୀଙ୍କୁ କହିଲେ, ‘‘ତୁମ୍ଭେ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ବିଭୀଷଣଙ୍କ ସହିତ ଶୋଭା ପାଉଥାଅ । ତୁମ୍ଭର ବୟସ ଓ ସୌନ୍ଦର୍ଯ୍ୟର କିଛିମାତ୍ର କ୍ଷତି ନହେଉ । ତୁମ୍ଭେ ଦୁହେଁ ତୁମ୍ଭର ଧନ ଫେରାଇ ନିଅ, ମୁଁ ରାଜସମ୍ପଦ ତ୍ୟାଗ କରି ବନବାସୀ ହୋଇଅଛି; ଏଣୁ ଧନରେ ମୋର କିଛିମାତ୍ର ପ୍ରୟୋଜନ ନାହିଁ । ମୁଁ ଯାହାକୁ ମୋର ଦୁଃଖ ହାରିଣୀ ବୋଲି ପାଶରୁ ଅନ୍ତର କରୁନଥିଲି, ବର୍ତ୍ତମାନ ସେ ମୋର ମନରେ ବିହାର କରୁଅଛି; ଏଣୁ ସେ ମୋର ଅଭିପ୍ସିତ ଧନ (ଅର୍ଥାତ୍ ସେହି ସୀତାଙ୍କୁ ମୋତେ ଆଣିଦିଅ)’ ।
ବୈଦେହୀଅମୃତାଧାରୀ ଚାତକ ଚକୋର ପରିବିରହି ଜ୍ୱରରେ ଘାରି ସେହି ବିଧାନ ।ବୋଲୁଁ ସେ ଯାଇ ସସୈନ୍ୟେ ପ୍ରବେଶ ଅଶୋକ ବନେହୋଇଲେ ଅଶୋକ ମନେ ଯାଇ ବହନ ।ବାର୍ତ୍ତା ଦେଲେ ବିରହ ନବମ ଦଶ ଭୋଗବିଖ୍ୟାତି ମଇଥିଳୀରେ ଲୋଟିଲା ମହୀସ୍ଥଳୀରେକରି ଦଶ ଦଶାନନ ଦଶମ ଭୋଗ । ୩୧ ।ବିଜେ କର କାନ୍ତ ପାଶେ ହେମ ରତ୍ନ କାନ୍ତିଳଶେମଣନ୍ତୁ ରାଣୀଏ ତୋଷେ ମୋ ନାମେ କହ ।ବୋଇଲା ସମର୍ପା ଯାଇ ବିଭୀଷଣ ଯାହା କହିବିସ୍ତାର କରିବା ପାଇଁ ହରଷବ୍ୟୁହଦେଢ଼ିଗଲେ । ବେଗେ ଓଳଗି ମହାଦେବୀଏ ।ବତ୍ରିଶ ପଦେ ଏ ଛାନ୍ଦ ବୁଝିବ ସର୍ବ କୋବିଦଚିତ୍ତେ ଭଞ୍ଜ ଉପଇନ୍ଦ୍ର ଶ୍ରୀରାମ ଧ୍ୟାୟେ । ୩୨ ।
୩୧ଶ ପଦ :- ପୁନର୍ବାର ରାମଚନ୍ଦ୍ର କହିଲେ, ‘‘ସୀତା ‘ଅମୃତଧାରୀ, ଜଳାଧାରରୂପୀ ଅର୍ଥାତ୍ ମେଘସ୍ୱରୂପିଣୀ କିମ୍ବା ‘ଅମୃତାଧାରୀ ଚନ୍ଦ୍ର ସ୍ୱରୂପୀ ଅଟନ୍ତି । ତେଣୁ ମେଘକୁ ଚାତକ ଆଶା କରି ଓ ଚନ୍ଦ୍ର କୁରଳୋର ଆଶା କରି ସତୃଷ୍ଣ ନୟନରେ ଚାହିଁ ରହିଥିଲା ପରି, ମୁଁ ବିରହ ଜ୍ୱରରେ ଘାଣ୍ଟିହୋଇ ତାଙ୍କୁ ଚାହିଁ ରହିଛି । ଏହାଶୁଣି ବିଭୀଷଣ ଅନ୍ୟ ମନରେ ସୈନ୍ୟମାନଙ୍କ ସହିତ ଅଶୋକ ବନରେ ହଠାତ୍ ଉପସ୍ଥିତ ହୋଇ ସୀତାଙ୍କ ନିକଟକୁ ସମ୍ବାଦ ପଠାଇଲେ, ‘‘ରାବଣ ତୁମ୍ଭଠାରୁ ବିରହ ଜନିତ ମୋହଦଶାକୁ ଭୋଗ କରିବାରୁ (ଅର୍ଥାତ୍ ତୁମ୍ଭ ରୂପ ଦେଖି ବିମୋହିତ ହେବାରୁ) ବର୍ତ୍ତମାନ ଦଶମ ଦଶାକୁ ଭୋଗ କରି ଅର୍ଥାତ ମରୁଭୂମିରେ ଲୋଟୁଛି ।’’
୩୨ଶ ପଦ :- ‘‘ତୁମ୍ଭେ ବର୍ତ୍ତମାନ ସୁବର୍ଣ୍ଣ ଓ ମଣି ମୁକ୍ତା ପ୍ରଭୃତିରେ ବିଭୁଷିତ ହୋଇ ପ୍ରିୟ ରାମଚନ୍ଦ୍ରଙ୍କ ନିକଟକୁ ଗମନ କର ଏବଂ ଏହି ଲଙ୍କାରେ ରାଣୀମାନେ ଆନନ୍ଦରେ ତୁମ୍ଭଙ୍କୁ ବେଶ କରନ୍ତୁ; ଏହି କଥା ବିଭୀଷଣ କହୁଛି ବୋଲି କହ ।’’ ସୀତାଙ୍କର ଆନନ୍ଦବୃଦ୍ଧି କରିବାପାଇଁ ବିଭୀଷଣଯାହା ସବୁ କହିଥିଲେ, ସମର୍ପୀ ସୀତାଙ୍କ ନିକଟକୁ ଯାଇ ସେ ସମସ୍ତ କହିବାକୁ ଲାଗିଲା । ଏହି ସମୟରେ ମନ୍ଦୋଦରୀ ପ୍ରଭୃତି ମହାରାଣୀମାନେ ଯାଇ ସୀତାଙ୍କୁ ବେଢ଼ି ଓଳଗି ହେଲେ । ଉପେନ୍ଦ୍ର ଭଞ୍ଜ ହୃଦୟରେ ଶ୍ରୀରାମଙ୍କୁ ଧ୍ୟାନ କରି ବତିଶ ପଦରେ ଏ ଛାନ୍ଦକୁ ରଚନା କଲେ । ହେ ପଣ୍ଡିତମାନେ ! ଏହାକୁ ମନ ଦେଇ ବୁଝିବ ।
ଏକପଞ୍ଚାଶତ୍ ଛାନ୍ଦ(ରାଗ - କନଡ଼ା)ବଲ୍ଲଭ ଦୁର୍ଲ୍ଲଭ ସନ୍ଦେଶ ଲଭନ୍ତେ ସୀତା ଇଷିତ ହାସବଶବେଶ ହେବାର ନୋହିଲା ଆବେଶ ।ବିଚ୍ଛେଦ ବିପତ୍ତି ଦରଶନେ ପତିମତିକି କରି ପ୍ରବେଶ ସେ । ବରାଙ୍ଗୀ ।ବସି ସୁଖାସନେ କରୁଁ ଗମନ । ବେଢ଼ି ରାବଣ ମହାଦେଈମାନ ।ବରହିବରହ ଚାମର ଆଲଟ ଖଦି କରନ୍ତି ଚାଳନ ସେ । ବନିତା । ୧ ।ବାହାରି ବାରିଥିଲହରୀ ଯେମନ୍ତେ ତହିଁ ବିହରି ଶିରୀ ଆସେ ।ବନଜିନୀ ଲତା କି ପାଶେ ଭାସେ ।ବିଚିତ୍ର ତରଣୀ ମଞ୍ଜୁଳ ଧାରିଣୀହାନ୍ଦୋଳା ଦୋଳାୟିତ ସେ ଯେ । ବିଦୂଷେ ।ବୋଇଲେ ରାମ ଚଲାଇଆଣ ଦେଖିପାସୋରନ୍ତୁ ସର୍ବେକଷ୍ଟ ଯେ । ବେଗରେ । ୨।ବେତ୍ର କର ଗତି ମତ୍ସ୍ୟ ଚହଟ । ବୋଲିବାର ମଣିମାଭେକରଟ ।ବାଟେ ଦ୍ୱିବିତ କହିଲା ଏ ଉଦନ୍ତ ସୁଦନ୍ତଶୋଭୀ ଶୁଣି ଭାଳେ ।ବିଭୁ ବିରାଗୀ ମୋହଠାରେ ହେଲେ ।ବନଜୀନୀଦଳେ ଗଭୀଳସୀ ହଂସୀଚାଲିବା ଚାଲିକି ଦଳେ ସେ । ବରାଙ୍ଗୀ ।ବାସେ ଲୋଭୀ ହୋଇ ଭୃଙ୍ଗମଣ୍ଡଳୀ । ବୁଲେ ଚକ୍ରଛବିରେ ଘୋଷଶାଳୀ ।କିଶେଷଶୋଭାରେ କୀରତିକି ରତିକି ରଚିରେ ଛେଦେଭାଳି ସେ । ବିଦୁଷେ । ୩ ।ବିଚାରିଲେ ସର୍ବେ ନେତ୍ରପାତ ମାତ୍ରେ ବିଧାନ କଲା କେ ଏହାକୁ ।ବିଲୋକନ କଲାଇଁ ତାହାକୁ ।ବୋଲନ୍ତି ଯାହାକୁ ଭୁଷଣଭୁଷଣାଆନ ଉପମା ଏହାକୁ ହେ । ବିଧାତା ।ବୁଦ୍ଧିକେତେ ତୋ ନିର୍ମାଣ ଏହାର । ବଣା ଧୈର୍ଯ୍ୟ ଉର୍ବଶୀରେ ଯାହାରବାସ୍ତୋସ୍ପତି ଯେବେ ଦରଶନେ କଳ୍ପନବକୁ ସେହି ପ୍ରକାର ହେ । ବିଧାତା । ୪ ।ବାମଦେବ କିପାଁଗଉରୀକି କାଳୀ ବୋଲନ୍ତି ଥିଲା ଏ ସଂଶୟ ।ବଳେ ସୁବର୍ଣ୍ଣ ଶତେଗୁଣ କାୟ ।ବାଳୀ ରତନ ଛାଇ କି ଅନୁଯାୟୀଯେଣୁ ହେବେ ଉପମେୟ ହେ । ବିଧାତା ।ବିଶ୍ମେ ଏମନ୍ତ ପରିରେ ତାହାକୁ । ବାମା ନାହିଁ ତ ଉପମା ଦେବାକୁ ।ବିସର୍ଜିଲା ପ୍ରାଣ ନ ମୁଞ୍ଚି ରାବଣ ତ୍ରିପୁରେ ଭ୍ରମି ଥିବାକୁ ହେ ବିଧାତା । ୫ ।୧ମ ପଦ :- ସୁଖାସନେ-ଯାନବିଶେଷରେ ଅର୍ଥାତ୍ ହାନ୍ଦୋଳାରେ । ବରହିବରହ-ମୟୁରପୁଚ୍ଛ ।
୧ମ ପଦ :- ‘ରାମଚନ୍ଦ୍ର ରାବଣକୁ ବଧ କଲେ’-ଏହି ଦୁର୍ଲ୍ଲଭ ବାର୍ତ୍ତା ପ୍ରାପ୍ତ ହେବାରୁ ସୀତା ମନ୍ଦହାସ ପ୍ରକାଶ ପୂର୍ବକ ବେଶ ଭୂଷଣରେ ମନ ନ ଦେଇ ପତିଙ୍କ ବିରହଜନିତ ଦୁଃଖ ଦେଖିବା ପାଇଁ ଇଚ୍ଛା ପ୍ରକାଶ କଲେ । ଏଣୁ ସେ ହଠାତ୍ ଦୋଳାରେ ବସି ବାହାରିଲେ । ତହୁଁ ରାବଣର ରାଣୀମାନେ ତାଙ୍କୁ ବେଢ଼ି ମୟୁରପୁଚ୍ଛ ନିର୍ମିତ ଆଲଟ ଚାମର ଓ କନାରେ ବନ୍ଧାଇ ହୋଇଥିବା ପଙ୍ଖା ପ୍ରଭୃତି ଧରି ବିଞ୍ଚିବାକୁ ଲାଗିଲେ ।
୨ୟ ପଦ :- ବାରିଧିଲହରୀ-ସମୁଦ୍ରର ଢ଼େଉ । ଶିରୀ-ଲକ୍ଷ୍ମୀ । ବନଜିନିଲତା-ପଦ୍ମଲତା । ତରଣୀ-ନୌକା । ଦୋଳାୟିତ-ଆନ୍ଦୋଳିତ । ଭେକରଟ-ବେଙ୍ଗଶବ୍ଦ ।
୨ୟ ପଦ :- ହେ ପଣ୍ଡିତମାନେ ! ଲକ୍ଷ୍ମୀ ଲହରୀସଂକୁଳ ସମୁଦ୍ର ମଧ୍ୟରୁ ଯେପରି ବାହାରି ଥିଲେ, ସୀତା ଅଶୋକବନ ରୂପ ସମୁଦ୍ର ମଧ୍ୟରୁ ସେପରି ବାହାରି ରାମଙ୍କ ନିକଟକୁ ଆସିବାକୁ ଲାଗିଲେ । ଲକ୍ଷ୍ମୀ ସମୁଦ୍ର ମଧ୍ୟରୁ ଆସିବାବେଳେ ଯେପରି ତାଙ୍କ ସମୀପରେ ପଦ୍ମଲତା ସବୁ ଭାସି ଆସୁଥିଲେ, ନୌକାମାନେ ଦୋଳୁଥିଲେ ମାଛ ସବୁ ଅତି ବେଗରେ ପହଁରୁଥିଲେ ଓ ବେଙ୍ଗମାନେ ରଡ଼ି କରୁଥିଲେ ସେହିପରି ଏହାଙ୍କର ଆସିବା ସମୟରେ ମନ୍ଦୋଦରୀ ପ୍ରଭୃତି ପଦ୍ମିନୀ ସ୍ତ୍ରୀମାନେ ସଙ୍ଗେ ସଙ୍ଗେ ରହି ଆସୁଥିଲେ, ମନୋହର ଦୋଳା ଗୋଟିକ ବାହାକମାନଙ୍କ ସ୍କନ୍ଧରେ ରହି ଝୁଲୁଥିଲା; ମାଛମାନଙ୍କର ପରି ବେତ୍ରହସ୍ତ ପ୍ରତିହାରୀମାନେ ଅତି ବେଗରେ ଗତି କରୁଥିଲେ ଓ ବେଙ୍ଗ ରଡ଼ି ପରି ଭାଟମାନଙ୍କର ମଣିମା ମଣିମା ଡାକ ପଡ଼ୁଥିଲା । ଏହା ଦେଖି ରାମଚନ୍ଦ୍ର କହିଲେ, ‘‘ସୀତାଙ୍କୁ ଚଲାଇ ଆଣ ସମସ୍ତେ ତାଙ୍କୁ ଦେଖି ଅତିଶୀଘ୍ର ଦୁଃଖ ପାଶୋରନ୍ତୁ ।’’
୩ୟ ପଦ :- ଉଦନ୍ତ-ବଚନ । ସୁଦନ୍ତଶୋଭୀ-ସୀତା ।
୩ୟ ପଦ :- ‘‘ରାମଚନ୍ଦ୍ର ଆଦେଶ ଦେଇଛନ୍ତି, ସୀତା ଦୋଳିରୁ ଓହ୍ଲାଇ ଚାଲି କରି ଆସନ୍ତୁ’’- ଏହି ବାର୍ତ୍ତା ଦ୍ୱିବିଦନାମକ ବାନର ବାଟରେ ଠିଆହୋଇ ପ୍ରଚାର କରିବାରୁ ସୁଦନ୍ତୀ ସୀତା ଏହା ଶୁଣି ଭାବିଲେ, ‘ପ୍ରଭୁ ମୋ ପ୍ରତି ବିରକ୍ତ ହେଲେ କାହିଁକି ? ତତ୍ପରେ ଗର୍ଭାଳସୀ ହଂସୀ ପଦ୍ମପତ୍ର ଉପରେ ଯେପରି ଚାଲେ, ସେହି ଚାଲିକି ନିଜର ଚାଲିଦ୍ୱାରା ଦଳି ଦେଇ ଅର୍ଥାତ୍ ଅତି ଧୀରେ ଧୀରେ ଚାଲି ଅଗ୍ରସର ହେଲେ । ଭ୍ରମରମାନେ ତାହାଙ୍କର ଶରୀର ଗନ୍ଧରେ ଆକୃଷ୍ଟ ହୋଇ ଗୁଣ୍ଗୁଣ୍ ଶବ୍ଦ ପ୍ରକାଶ ପୂର୍ବକ ଚାରିଆଡ଼େ ବୁଲିବାକୁ ଲାଗିଲେ । ହେ ପଣ୍ଡିତମାନେ ! ତାଙ୍କ ସୌନ୍ଦର୍ଯ୍ୟ ମୁଁ କଣ ବର୍ଣ୍ଣନା କରିବି ? ମୋର ଏହି କଥାରୁ ତାଙ୍କର ସୌନ୍ଦର୍ଯ୍ୟକୁ ବିଚାର କର । ରତିଦେବୀ ସୁନ୍ଦରୀ ବୋଲି ଯେଉଁ ପ୍ରଧାନ କୀର୍ତ୍ତି ଲାଭ କରିଥିଲେ, ତାହାକୁ ସୀତାର ଏ ପ୍ରମାଣରେ କାଟି ପକାଇଲେ । ଏଣୁ ସେ ରତି ନାମରେ ଅଭିହିତ ହୋଇଅଛନ୍ତି କି ?
୪ର୍ଥ ପଦ :- ବାସ୍ତୋଷ୍ପତି-ଇନ୍ଦ୍ର ।
୪ର୍ଥ ପଦ :- ସୀତାଙ୍କ ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ସୈନ୍ୟମାନେ ବିଚାରିଲେ, ‘‘ଏହାଙ୍କୁ ଯେ ନିର୍ମାଣ କରିଅଛି, ଆମ୍ଭେମାନେ ତାକୁ ପାରିଲୁ ନାହିଁ । ଯେଉଁ ସ୍ତ୍ରୀକୁ ଅଳଙ୍କାରର ଅଳଙ୍କାର ବୋଲି କହନ୍ତି, ସେ ଏହାଙ୍କର ଉପମାନ ନୁହେଁ (ଅର୍ଥାତ୍ ତାଠାରୁ ମଧ୍ୟ ଏ ଅଧିକ ସୁନ୍ଦରୀ) ହେ ବିଧାତା ! ତୋର କେତେ ବୁଦ୍ଧି ଅଛି ଯେ; ତୁ ଏହାଙ୍କୁ ନିର୍ମାଣ କଲୁ ? ଉର୍ବଶୀକୁ ଦେଖି ଯାହାର ବୁଦ୍ଧି ବଣା ହୋଇଯାଇଥିଲା, ତୁ ପରା ସେହି ବ୍ରହ୍ମା ! ହେ ବିଧାତା ! ଯଦି ସୀତାଙ୍କୁ ଦର୍ଶନ କରିବା ଦ୍ୱାରା ଆମ୍ଭମାନଙ୍କୁ ଇନ୍ଦ୍ର ତୁଲ୍ୟ ସୁଖ ପ୍ରଦାନ କଲୁ, ତାହାହେଲେ ଆମ୍ଭମାନଙ୍କୁ ସେହି ଇନ୍ଦ୍ରଙ୍କ ପରି ସହସ୍ର ଆଖି ଦେଇଥିଲେ, ଆମ୍ଭେମାନେ ସୀତାଙ୍କୁ ଭଲରୂପେ ଦେଖି ପାରନ୍ତୁ) ।’’
୫ମ ପଦ :- ବାମଦେବ-ମହାଦେବ । ଗଉରୀ-ପାର୍ବତୀ ।
୫ମ ପଦ :- ‘‘ମହାଦେବ କାହିଁକି ନିଜ ସ୍ତ୍ରୀ ଗୌରୀଙ୍କୁ କାଳୀ ବୋଲି କହନ୍ତି, ଏ ବିଷୟରେ ଆମ୍ଭମାନଙ୍କର ସନ୍ଦେହ ଥିଲା । କିନ୍ତୁ ସୀତାଙ୍କର ଦେହ ସୁବର୍ଣ୍ଣଠାରୁ ଶତ ଗୁଣରେ ଅଧିକ, ଏହି ସ୍ତ୍ରୀ ରତ୍ନ ସୀତାଙ୍କର ଛାଇର ଉପଯୁକ୍ତ ଉପମେୟ ହେବାରୁ ମହାଦେବ ଗୌରୀ (ପାର୍ବତୀ)ଙ୍କୁ କାଳୀ ବୋଲି କହିଛନ୍ତି । (ଛାଇ କଳା ହୋଇଥିବାରୁ ଓ ଛାଇ ସହିତ ପାର୍ବତୀ ସମାନ ହେବାରୁ ତାଙ୍କ ନାମ କାଳୀ ହେଲା) ଏବେ ଜାଣିଲୁ, ଏପରି ସ୍ତ୍ରୀ ଆଉ ଏହି ସଂସାରରେ ନାହିଁ, ଯାହାକୁ କି ଏହାଙ୍କ ସହିତ ତୁଳନା କରିବାକୁ ହେବ । ରାବଣ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର ବୁଲି ସମସ୍ତ ସ୍ତ୍ରୀଙ୍କୁ ଦେଖି ଥିବାରୁ ଏହା ନିଶ୍ଚୟ କରି ସୀତାଙ୍କୁ ରାମଙ୍କ ହସ୍ତରେ ଫେରାଇ ନ ଦେଇ ମଲା ।’
ବଦନଶୋଭାକୁ ଚାହିଁ ମହୀଜାର କଳାକାର ନାମ ବହିଲା ।ବିଧିର ତ ବିବେକ ନ ରହିଲା ।ବେଦଜଡ଼ ସିନା ଅନନ୍ତେ ପୁଚ୍ଛିବଅନନ୍ତ ତାକୁ ହୋଇଲା ହେ । ବିଧାତା ।ବୋଲିବାକୁ ସ୍ତ୍ରୀପଦରେ ସମ୍ଭବେ । ବିନାୟକମତରୁସୀତାଠାବେ ।ବରବର୍ଣ୍ଣିନୀ ବରାରୋହ ଉତ୍ତମା ରାମା ହୋଇଛି ତା ଭାବେ ହେ । ବିଧାତା । ୬ ।ବାଛି ବାଛି ଲଙ୍କପତି ଆଣିଥିଲା ସଂସାରସାର ସୁନ୍ଦରୀଙ୍କି ।ବିଦେହଜା ତହିଁ ରାଜାଭିଷେକୀ ।ବିଚାରୁ ଏସନ ତାଚାରୁ ଦର୍ଶନଲଭେ ରାମସନ୍ନିଧିକି ହେ । ବିଧାତା ।ବୋଲେ ସତ୍ୟବାଦୀ ହୋଇ ଏଗିର । ବିରାଧକୁ ବିନାଶ କଲି ପର ।ବିଭାବସୁପତି ପଦ୍ମିନୀ ମଧୁପେ ରସିତା ଏ ଶ୍ଳେଷକର ଗୋ । ବରାଙ୍ଗୀ । ୭ ।ବୈଦେହୀ ଗୁଣଗର୍ବିତା ହୋଇ ଭାଷେ ସୁବର୍ଣ୍ଣବର୍ଣ୍ଣନା ଯାହାରେ ।ବୋଲୁଁ ଶୁଣି ହୁଡ଼ ଅଛି ତହିଁରେ ।ବୋଧିଲେ ଲେଖକେ ସିନା ହୋଇ ମୁହିଁକହିଛି ଆନ ପ୍ରକାରେ । ହେ ବିଚାର ।ବୀତିହୋତ୍ରେ ପରୀକ୍ଷା ଜଣା ତାର । ବୋଲୁଁ ସାଧବୀ କଲେ ସୀଉକାର ।ବଣିକଭାବେ ଇନ୍ଧନକୂଟେ ଅଗ୍ନି ଯୋଗେ ଝାସିଲେ ସତ୍ୱର ସେ । ବରାଙ୍ଗୀ । ୮ ।ବିକଳେ ସକଳେ ଭାଳେ କି କରୁଣା ନ ଜାଣେ ଏ ବଡ଼ ଦାରୁଣ ।ବେଧା ବିଧାନ ହୁଅଇ ପ୍ରମାଣ ।ବନ୍ଧୁ ବନ୍ଧୁ ବୋଲି ନିରାଶ ଜଳାଇସେକାଳେ କଲେ କରୁଣ ସେ । ବୀରେନ୍ଦ୍ର ।ବିଭାକରମଣି ସେ ହୋଇଥିଲେ । ବିଧୁମଣିଭାବ ପୁଣି ବହିଲେ ।ବିଜ୍ଞବିଚାରେ ପ୍ରୀତିରେ ଦୁଇକଥା ଜଳିଲେ ପୁଣି ଦ୍ରବିଲେ ସେ । ବିକଳେ । ୯ ।ବାଳୀ(ଳି) ଶ ବଚନେ ଜୀବନ ତେଜିବା ଉଚିତ ହୋଇଲା ତୋହର ।ବୁଡିଗଲା ସୃଷ୍ଟି ଏବେ ମୋହର ।ବୋଇଲା କି ନାହିଁ ଚନ୍ଦ୍ରମା ହୋଇଲେଆନଅର୍ଥେ ଦୋଷାକରରେ । ବରାଙ୍ଗ ।ବିଂଶାକ୍ଷ କି ତୋତେ ଛୁଇଁ ଭାଜନ । ବିବେଚନା କରିଣ ମନେ ଘନେ ।ବିଳମ୍ବ ଅବଲମ୍ବକୁତ୍ୟଜତ୍ୟଜ ନ କର କୃଶାନୁସ୍ନାନରେ । ବରାଙ୍ଗୀ । ୧୦ ।୬ଷ୍ଠ ପଦ :- ମହୀଜା-ପୃଥିବୀକନ୍ୟା, ସୀତା । କଳାକାର-ଚନ୍ଦ୍ର ।
୬ଷ୍ଠ ପଦ :- ‘‘ବିଧାତା ସୀତାଙ୍କର ମୁଖଶୋଭାକୁ ନିରିକ୍ଷଣ କରିସୁଦ୍ଧା ଚନ୍ଦ୍ରକୁ ‘କଳାକର’ ଶୋଭାର ଆକାର ବୋଲି ନାମ ଦେଲା ଅଥବା ସୀତାଙ୍କ ମୁଖଶୋଭାର ଷୋଡ଼ଶ ଭାଗରୁ ଏକ ଭାଗ ସହିତ ସମାନ ବୋଲି ନିଶ୍ଚୟ କଲା । ଏଣୁ ମନେ ହୁଏ, ବିଧାତାର ବେଦ ପଢ଼ି ପଢ଼ି ବୁଦ୍ଧିହୀନ ହୋଇ ଯାଇଥିବାରୁ ସେ ଚନ୍ଦ୍ରକୁ ଏହିପରି ସୀତାଙ୍କ ମୁଖ ସହିତ ତୁଳନା କରି କଳାକର ନାମଦେଲା କିନ୍ତୁ ଶେଷଦେବଙ୍କୁ ପଚାରି ବୁଝିଲେ ଜଣାଯିବ, ସେ ତାଙ୍କର ଅସଂଖ୍ୟମୁଖମାନଙ୍କ ହାରା ସୀତାଙ୍କର ମୁଖଶୋଭାର ବର୍ଣ୍ଣନା ଶେଷ କରିପାରିନଥିଲେ । ତେଣୁ ଚନ୍ଦ୍ରକୁ ଶୋଭାର ଆକର କିମ୍ବା ସୀତାଙ୍କ ମୁଖଶୋଭାର ଏକାଂଶ ମାତ୍ର ବୋଲି କଳାକର ନ କହି, ସମସ୍ତ ଦୋଷ ବା ପାପର ସ୍ଥାନ ହେତୁ କଳାକର କହିବା ଉଚିତ୍ । ହେ ବିଧାତା ! ଅମରକୋଷକାରକଙ୍କ ମତରେ ସ୍ତ୍ରୀ ପର୍ଯ୍ୟାୟରେ ଯେଉଁ ସବୁ ବରବର୍ଣ୍ଣିନୀ, ବରାରୋହା, ଉତ୍ତମା, ରମା ପ୍ରଭୃତି ସ୍ତ୍ରୀମାନଙ୍କର ଉତ୍କର୍ଷତା ବ୍ୟଞ୍ଜକଶବ୍ଦ ପ୍ରୟୋଗ କରାଯାଇଅଛି, ସେ ସବୁ ପଦ ସୀତାଙ୍କଠାରେ ସାର୍ଥକ ହେଉଅଛି । ତେଣୁ ଏହି ସଂସାରରେ ସୀତା ଏକମାତ୍ର ସୂଲକ୍ଷଣୀ ସ୍ତ୍ରୀ, ଏହି ଭାବନା ସ୍ୱତଃ ମନରେ ଜାଗରୁକ ହେଉଅଛି ।’’
୭ମ ପଦ :- ବିଦେହଜା-ସୀତା । ରାଜାଭିଷେକୀ-ପରମାସୁନ୍ଦରୀ । ସତ୍ୟବାଦୀ-ରାମଚନ୍ଦ୍ର । ବୀରଧୂ-ବୀରତ୍ୱ । ବିଭାବସୁ-ସୂର୍ଯ୍ୟ । ମଧୁପେ-ଭ୍ରମରଠାରେ ।
୭ମ ପଦ :- ଏହି ସଂସାରରେ ଥିବା ଶ୍ରେଷ୍ଠ ସୁନ୍ଦରୀମାନଙ୍କୁ ରାବଣ ବାଛି ବାଛି ଆଣିଥିଲା । ବୈଦେହୀ ସେହିସବୁ ସୁନ୍ଦରୀମାନଙ୍କ ମଧ୍ୟରେ ରାଜପଦରେ ଅଭିଷିକ୍ତ ହେବାର ଯୋଗ୍ୟା ଅଟନ୍ତି ଅର୍ଥାତ୍ ସମସ୍ତଙ୍କଠାରୁ ଶ୍ରେଷ୍ଠା ଅଟନ୍ତି । ଦର୍ଶକମାନେ ତାଙ୍କର ସୌନ୍ଦର୍ଯ୍ୟ ଦେଖି ଏହା ସ୍ଥିର କଲାବେଳେ ସେହି ସୀତା ରାମଙ୍କ ନିକଟକୁ ଗମନ କଲେ । ତାଙ୍କୁ ଚାହିଁ ସତ୍ୟବାଦୀ ରାମ ଶେଷ ବଚନରେ କହିଲେ, ‘ଗୋ ସୁନ୍ଦରୀ ! ମୋର ବୀରତ୍ୱ କୀର୍ତ୍ତି ରକ୍ଷା କରିବା ନିମିତ୍ତ ମୁଁ ଶତ୍ରୁକୁ ବିନାଶ କଲି । ସ୍ୱାମୀ ସୂର୍ଯ୍ୟ ଥାଉଁ ଥାଉଁ ପଦ୍ମିନୀ ଭ୍ରମର ପ୍ରତି ଅନୁରକ୍ତ ହେଲାପରି ସୂର୍ଯ୍ୟବଂଶୀ ରାଜା ମୁଁ ସ୍ୱାମୀହୋଇ ଥାଉଁ ଥାଉଁ ପଦ୍ମିନୀଜାତୀୟା ସ୍ତ୍ରୀ ତୁମ୍ଭେ ‘ମଧୁପ’ ମଦୁଆ ରାବଣ ପ୍ରତି ଅନୁରକ୍ତା ହୋଇଥିଲ । ଏବେ ସେହିପରି ଅନ୍ୟଜଣେ ପୁରୁଷକୁ ଆଲିଙ୍ଗନ କର (ରାବଣ ମରିଯାଇଛି ଏହି ଭାବ) ।
୮ମ ପଦ :- ସୁବର୍ଣ୍ଣ-ସୁନା ଉତ୍ତମ ବର୍ଣ୍ଣ ବା ଅକ୍ଷରସମୂହ । ବୀତହୋତ୍ରେ-ଅଗ୍ନିରେ । ଇନ୍ଧନେକୂଟେ-କାଷ୍ଠସମୂହରେ ।
୮ମ ପଦ :- ଏହା ଶୁଣି ସୀତା ପତିବ୍ରତାଗୁଣରେ ଗର୍ବିତା ହୋଇ କହିଲେ, ‘‘ଯାହାକୁ ସୁବର୍ଣ୍ଣ ବୋଲି କହନ୍ତି, ସେ କଣ କେବେ ହେଲେ ଦୋଷଯୁକ୍ତ (ଭେଲ) ହୋଇ ପାରେ କି ? ଅର୍ଥାତ୍ ଖାଣ୍ଟି ସୁନା ଭେଲ ସୁନା ହୋଇନପାରେ ।’’ ଏହା ଶୁଣି ଶ୍ରୀରାମ କହିଲେ, ‘‘ସୁବର୍ଣ୍ଣ’ ପରିଷ୍କାର ଭାବରେ ଲେଖାଯାଇଥିବା ଅକ୍ଷରମାନଙ୍କ ମଧ୍ୟରେ ମଧ୍ୟ ଭୁଲ୍ ଥିବାର ଦେଖାଯାଏ ।’’ ଏହା ଶୁଣି ସୀତା ପ୍ରବୋଧ ଦେଇ ରାମଙ୍କୁ କହିଲେ, ‘‘ଉତ୍ତମ ଅକ୍ଷର ଲେଖିବା ଲୋକମାନଙ୍କର ସିନା ଭୁଲ୍ ହୁଏ, ମାତ୍ର ଅକ୍ଷର ତ ଭୁଲ୍ ନୁହେ । କିନ୍ତୁ ମୁଁ ତ ଏହା କହୁନାହିଁ । ମୁଁ ପ୍ରକୃତ ‘ସୁବର୍ଣ୍ଣ’ ଏହି ଶବ୍ଦକୁ ସୁନା ଏହି ଅର୍ଥରେ ବ୍ୟବହାର କରି କହୁଛି ।’’ ରାମ କହିଲେ, ‘‘ଯଦି ତୁମ୍ଭେ ସୁନା ବୋଲି କହୁଛ, ତାହା ହେଲେ ସୁନାକୁ ତ ଅଗ୍ନିରେ ପୋଡ଼ିଲେ ତାର ଭଲ ମନ୍ଦ ଜଣାଯାଏ ।’’ ରାମ ଏହିପରି କହିବାରୁ ସତୀ ସୀତା ସ୍ୱୀକାର କଲେ । ‘ସୀତା ଅଗ୍ନି ପରୀକ୍ଷା ଦେବେ’ ଏହା ଜାଣି ରାମ ବଣିଆଁମାନଙ୍କ ପରି କାଠ ଗଦାରେ ଅଗ୍ନି ଲଗାଇବାରୁ ସେହି ସୁନ୍ଦରୀ ସୀତା ଅତି ଶୀଘ୍ର ଅଗ୍ନିରେ ଝାସ ଦେଲେ ।
୯ମ ପଦ :- ସୀତା ଅଗ୍ନିରେ ପ୍ରବେଶ କରିବାରୁ ସମସ୍ତେ ଦୁଃଖିତ ହୋଇ ଭାବିଲେ, ‘ଏହି ରାମ ବଡ଼ ନିର୍ଦ୍ଦୟ: ଦୟା କାହାକୁ କହନ୍ତି ତାହା ଏହାଙ୍କୁ ଜଣା ନାହିଁ ।’ ପୁଣି ଭାବିଲେ, ‘ବିଧାତା ଯାହା କର୍ମରେ ଲେଖିଛି, ତାହା ନିଶ୍ଚୟ ଭୋଗିବାକୁ ହେବ ।’ ସେହି ସମୟରେ ସେହି ବୀରଶ୍ରେଷ୍ଠ ରାମଚନ୍ଦ୍ର ପ୍ରିୟାକୁ ଦଗ୍ଧ କରାଇ ଥିବାରୁ ହତାଶ ହୋଇ ବନ୍ଧୁ ବନ୍ଧୁ ବୋଲି କ୍ରନ୍ଦନ କରିବାକୁ ଲାଗିଲେ । ରାମଚନ୍ଦ୍ର ପ୍ରଥମେ ସୂର୍ଯ୍ୟକାନ୍ତ ମଣିର ଭାବକୁ ଧାରଣ କରିଥିଲେ, ପରେ ଚନ୍ଦ୍ରକାନ୍ତ ମଣିର ଭାବକୁ ଧାରଣ କଲେ । ଅର୍ଥାତ୍ ସୂର୍ଯ୍ୟକାନ୍ତ ମଣି ସୂର୍ଯ୍ୟ କିରଣ ପାଇବା ସଙ୍ଗେ ସଙ୍ଗେ ଜଳି ଉଠିଲା ପରି ରାମ ସୀତାଙ୍କୁ ଦେଖିବା ସଙ୍ଗେ ସଙ୍ଗେ କ୍ରୋଧରେ ଜଳି ଉଠିଲେ ଓ ପରେ ସୀତା ଅଗ୍ନିରେ ପ୍ରବେଶ କରିବାରୁ ଚନ୍ଦ୍ର କିରଣ ପାଇ ଚନ୍ଦ୍ରକାନ୍ତ ମଣିରୁ ଜଳ ନିର୍ଗତ ହେଲାପରି ସ୍ୱୀୟ ଚକ୍ଷୁରୁ ଅଶ୍ରୁ ବିସର୍ଜନ କଲେ । ଏହା ଦେଖି ପଣ୍ଡିତମାନେ ମନେ କଲେ କି, ରାମଚନ୍ଦ୍ର ନିଜର କୁଳପ୍ରତି ଆଦର ରଖିଥିବାରୁ ଲୋକାପବାଦରୁ ରକ୍ଷା ପାଇବା ନିତାନ୍ତ ଦରକାର ମନେକରି ସୀତାଙ୍କୁ ଦେଖି କ୍ରୋଧରେ ଜଳି ଉଠିଲେ ଏବଂ ସୀତାଙ୍କ ପ୍ରତି ସ୍ନେହ ରଖିଥିବାରୁ ବିକଳ ହୋଇ କାନ୍ଦିଲେ ।
୧୦ମ ପଦ :- ବାଳିଶବଚନେ-ବାତୁଳ ବଚନରେ । ବାଳୀଶବଚନେ-ହେ ବାଳୀ ! ଈଶ (ସ୍ୱାମୀ) ବଚନରେ । ଦୋଷାକାର-ଚନ୍ଦ୍ର । କୃଶାନୁସାସନ-ଅଗ୍ନିରେ ଝାସ ଦେବା ।
୧୦ମ ପଦ :- ରାମଚନ୍ଦ୍ର ଶୋକାଳିତହୋଇ କହିଲେ, ‘‘ଗୋ ସୀତା ! ଏହି ମୂର୍ଖର କଥାରେ ତୁମ୍ଭର ଜୀବନ ତ୍ୟାଗ କରିବା ଉଚିତ ହେଲା କି ? ଅର୍ଥାତ୍ ତୁମ୍ଭେ ପଣ୍ଡିତା ହୋଇ ସୁଦ୍ଧା କ୍ରୋଧାନ୍ଧର କଥାରେ ପ୍ରାଣତ୍ୟାଗ କଲ, ମାତ୍ର ଏହା ଠିକ୍ ହେଲାନାହିଁ । ଅଥବା ହେ ବାଳୀ ! ତୁମ୍ଭେ ସ୍ୱାମୀଙ୍କର କଥାନୁସାରେ ଯାହା ପ୍ରାଣତ୍ୟାଗ କଲ, ତାହା ତୁମ୍ଭ ପକ୍ଷରେ ଉଚିତ ହୋଇଅଛି ମାତ୍ର ବର୍ତ୍ତମାନ ମୋର ସଂସାର ବୁଡ଼ିଗଲା (ଅର୍ଥାତ୍ ଗୃହିଣୀ ଅଭାବରେ ଗୃହଧର୍ମ ନଷ୍ଟ ହେଲା) । ଚନ୍ଦ୍ର କର୍ପୂରପରି ନିର୍ମଳ ଓ ଶୀତଳ ହୋଇଥିବାରୁ ଚନ୍ଦ୍ରମା ଏହି ନାମକୁ ଧାରଣ କଲେ ସୁଦ୍ଧା ଅନ୍ୟ ଅର୍ଥରେ ଦୋଷାକର (ସମସ୍ତ ଦୋଷର ସ୍ଥାନ ବା ନିଶାପ୍ରତି) ଏହି ନାମରେ ପରିଚିତ ହୁଏ ନାହିଁ କି ? ତୁ ମହାସତୀ ହୋଇସୁଦ୍ଧା ଅସତୀ ଏହି ଦୋଷକୁ ପ୍ରାପ୍ତ ହୁଅନ୍ତୁ l ରେ ବରାଙ୍ଗୀ ! ରାବଣ ତୋତେ ଛୁଇଁବାକୁ ଯୋଗ୍ୟ କି? (ଯୋଗ୍ୟ ନୁହେଁ) l ତଥାପି ମୁଁ ତୋତେ କାହିଁକି ଅଗ୍ନି ପରୀକ୍ଷା କରାଇଲି, ତାହା ଉତ୍ତମରୂପେ ମନରେ ବିଚାର କର । ଆଉ ଅଧିକ ସମୟ ଅଗ୍ନିକୁ ଆଶ୍ରୟ କରି ରହନାହିଁ କିମ୍ବା ସେହି ଅଗ୍ନିରେ ଦଗ୍ଧ ହୁଅନାହିଁ ।’’
ବାରିଦ ଅଙ୍କରେ ଲୀନ ହୋଇଥାଇ ପ୍ରକାଶଇ ଯଥା ଚଞ୍ଚଳାବିକାଶିବୁ ମୋ ଭାଗ୍ୟେ ସେହି ଲୀଳା ।ବୋଲିବାକୁ ଜଳ- ମଗ୍ନ ଜନପ୍ରାୟବାହାର ହେଲେ ନିର୍ମଳା ସେ । ବରାଙ୍ଗୀ ।ବେଢ଼ିଥିଲା ଜନେ ଜୟ ଘୋଷିଲେ । ବିଧୁ ରାହୁମୁଖୁଁ ମୁକ୍ତ ଭାଷିଲେ ।ବିହାୟସରୁ ବିହାୟସ ପରାଏ ସେକାଳେ ଖସିଆସିଲେ ଯେ । ବିବୁଧେ । ୧୧ ।ବିଦିତ ଶିରୀ ପଞ୍ଚାସ୍ୟ ଆଦି କରି ପରେତରାଟ ବରୁଣହିଁ ।ବାସବର ତ ପରିମଳ ଶୋହି ।ବିଳସନ୍ତା ହେଲେ ମୟୁରେ ଗନ୍ଧର୍ବେମରୁତେ ଅପୁର୍ବ ନୋହି ସେ । ବିଦୁଷେ ।ବିଚିତ୍ର ଏ ଅଜଜ ତେ ରୁଚିର । ବୋଲେ ଶ୍ରୀ ତ୍ୟକ୍ତ କରିବା ବେଭାର ।ବିଷ୍ଣୁ ତୁମ୍ଭେ ରାଜୁକୁମାର ସ୍ୱଭାବେ ଯୁବା ବୟସରେ ସର ହେ । ବିଚାର । ୧୨ ।ବୃଷାଞ୍ଜନ କହି ବାସୁକି ଶ୍ରୀ ଯେହି ତୁମ୍ଭେ ମୋହପରି ଭୋଗରେ ।ବସୁନ୍ଧରା ଫୁଟି ଜାତ ଯୋଗରେ ।ବହ୍ନି ଯାହାକୁ ଜୀର୍ଣ୍ଣ କରି ନ ପାରେଆନ କେ ଧର୍ଷିବ ତାରେ ହେ । ବିଚାର ।ବୋଲେ ରାଘବ ଜନ ଅପବାଦ ବିଧ୍ୱଂସିଲାଇ ଭଲ ଏ କି ମନ୍ଦ ।ବିଶ୍ୱମ୍ଭର ଯେବେ ମୁହିଁ ମୋତେ ତେବେ ସେବିବେ ଭୂଦେବବୃନ୍ଦ ହେ । ବିନୟେ । ୧୩ ।ବ୍ରହ୍ମା ବୋଇଲେ ମୋ ପୁତ୍ର ଶିବ ବୋଲେ ମୋ ମିତ୍ର ଜାଣି ଅନୁସାରେ ।ବିହରିବେ ତାଙ୍କ ପୁତ୍ର ସେବାରେ ।ବର୍ତ୍ତିବେ ସୈନ୍ୟ ରକ୍ଷ ଦୁଷ୍ଟବିହୀନତେବେ ଆଜ୍ଞା ପାଳନରେ ହେ । ବିବୁଧେ ।ବୃଷ୍ଟିସୁଧା ଯେ ବସନ୍ତ ମରୁତ । ବଶେ ସମନ୍ତ ଥିଲା ପଲ୍ଲବିତ ।ବଂଶ ଦୁଷ୍ଟରମୃତ୍ୟୁଭାବେ ରହିଲେ ଥିଲା ଜନେ ଆଚମ୍ବିତ ହେ । ବିଦୁଷେ । ୧୪ ।ବ୍ୟାପାରେ ବଳି ବିନିଦ୍ରଜନ ଯଥା ଯୁଦ୍ଧାର୍ଥେ ତଥା ସର୍ବେ ଧାଇଁ ।ବେନି ଦିଗ ମନ୍ତ୍ରି ଏ ନିବର୍ତ୍ତାଇ ।ବାହୁଡ଼ିଲେ ଶୂରେ ସର୍ବେ ଅଯୋଧ୍ୟାକୁଜବେ ଯିବା କେହି କହି ହେ । ବୀରେନ୍ଦ୍ର ।ବିଭୀଷଣ ପୁଷ୍ପକ ସମର୍ପଇ । ବଇଦେହୀଙ୍କି ମନ୍ଦୋଦରୀ ତହିଁ ।ବିଳୋ ଇରହିଲେ ଶ୍ରୀରାମ ସବଳେ ବସନ୍ତେ ଗଗନେ ଯାଇ ସେ ବିମାନେ । ୧୫ ।
୧୧ଶ ପଦ :- ବାରିଦ-ଅଙ୍କରେ-ମେଘ-କ୍ରୋଡ଼ରେ । ଚଞ୍ଚଳା-ବିଜୁଳି । ବିଧୁ-ଚନ୍ଦ୍ର । ବିହାୟସରୁ-ଆକାଶରୁ । ବିହାୟସ- ପକ୍ଷୀ । ବିବୁଧେ-ଦେବତାମାନେ ।
୧୧ଶ ପଦ :- ‘‘ବିଜୁଳି ମେଘ ଦେହରେ ଲୀନ ହୋଇ ରହି ଯେପରି ପୁଣି ପ୍ରକାଶିତ ହୁଏ, ସତେ କଣ ତୁ ମୋର ଭାଗ୍ୟବଶରୁ ଅଗ୍ନି ମଧ୍ୟରୁ ପ୍ରକାଶିତ ହୋଇ; ବିଜୁଳୀ ମେଘର ଦେହରେ କ୍ରୀଡ଼ା କଲାପରି ମୋର ବକ୍ଷରେ କ୍ରୀଡ଼ା କରିବୁ?’ ରାମଚନ୍ଦ୍ର ଏହିପରି କହିବା ସମୟରେ ଜଳ ମଧ୍ୟରେ ପଡ଼ିଥିବା ଲୋତକ ଜଳରୁ ବାହାର ହେଲାପରି ସେହି ନିର୍ମଳ ଦୋଷ ଶୂନ୍ୟା ସତୀ ଅଗ୍ନି ମଧ୍ୟରୁ ବାହାର ହେଲେ ।’’ ତତ୍ପରେ ସେହି ସୁନ୍ଦରୀ ସୀତାଙ୍କର ଚାରିଆଡ଼େ ବେଢ଼ି ରହିଥିବା ଲୋକମାନେ ଜୟଧ୍ୱନି ପୂର୍ବକ କହିଲେ ‘ଚନ୍ଦ୍ର ରାହୁ ମୁଖରୁ ମୁକ୍ତ ହେଲା ।’’ ସେହି ସମୟରେ ଆକାଶରୁ ପକ୍ଷୀମାନେ ଖସିଲା ପରି ଶୂନ୍ୟରୁ ଦେବତାମାନେ ଖସି ଆସିଲେ ।
୧୨ଶ ପଦ :- ଶିରୀ-ଲକ୍ଷ୍ମୀ, ସୀତା । ପଞ୍ଚସ୍ୟ-ମହାଦେବ । ପରେତରାଟ-ଯମ । ଅଜଜାତ-ଦଶରଥ ।
୧୨ଶ ପଦ :- ସୀତା ଅଗ୍ନିରୁ ବାହାରି ଅଛନ୍ତି, ଏହା ଜାଣି ମହାଦେବଙ୍କ ଠାରୁ ଆରମ୍ଭକରି ଯମ, ବରୁଣ ଇନ୍ଦ୍ର ପ୍ରଭୃତି ଦେବତାମାନେ ଅନୁରକ୍ତି ପ୍ରକାଶ କରିବା ନିମିତ୍ତ ନିର୍ମଳ ହୃଦୟରେ ସେହି ସ୍ଥାନରେ ଉପସ୍ଥିତ ହୋଇଥିଲେ । (ଅର୍ଥାତ୍ ନିଜ ନିଜର ପ୍ରକୃତ ରୂପଧାରଣକରି ଆସିଥିଲେ) ଏବଂ ସେହିପରି କିନ୍ନର, ଗନ୍ଧର୍ବ ଓ ଅଣଚାଷଟିଯାକ ପବନ ମଧ୍ୟ ଅପୂର୍ବ ଆଶ୍ଚର୍ଯ୍ୟଦାୟକ ମୂର୍ତ୍ତି ଧାରଣ ନ କରି ଆସି ସେହି ସ୍ଥାନରେ ଉପସ୍ଥିତ ହେଲେ, (ଅର୍ଥାତ୍ ଏମାନେ ମଧ୍ୟ ସେହିପରି ନିଜ ନିଜର ରୂପ ଧାରଣକରି ଆସିଥିଲେ) । ହେ ପଣ୍ଡିତମାନେ ଦେବତାମାନେ ବ୍ରାହ୍ମଣାଦି ରୂପ ଧାରଣକରି ସମୟ ସମୟରେ ଆସିଥିଲେ ସୁଦ୍ଧା ବର୍ତ୍ତମାନ ଯାହା ନିଜ ନିଜର ପ୍ରକୃତ ରୂପ ଧାରଣକରି ଭୂଲୋକକୁ ଆସିଲେ ଏଥିରେ କିଛିମାତ୍ର ଆଶ୍ଚର୍ଯ୍ୟ ନାହିଁ କିନ୍ତୁ ଦଶରଥ ଯାହା ଆସି ସେହି ସ୍ଥାନରେ ଉପସ୍ଥିତ ହେଲେ ଏହାହିଁ ଆଶ୍ଚର୍ଯ୍ୟ । ସେହି ଦଶରଥ ନିଜର ମନୋରମ କଣ୍ଠରେ ମନୋରମ କଥା ରାମଙ୍କୁ କହିଲେ, ‘‘ତୁମ୍ଭେ ବିଷ୍ଣୁ, ସ୍ୱଭାବତଃ ରାଜକୁମାର, ପୁଣି ଶ୍ରେଷ୍ଠ ଯୁବକ, ଏ ସମୟରେ ‘ଶ୍ରୀ’ ଲକ୍ଷ୍ମୀଙ୍କୁ ଅଥବା ଗୃହଲକ୍ଷ୍ମୀ ସୀତାଙ୍କୁ ତ୍ୟାଗ କରିବା ଉଚିତ ନୁହେଁ; ଏହା ମନରେ ବିଚାର କର ।’’
୧୩ଶ ପଦ :- ବୃଷାଞ୍ଜନ-ମହାଦେବ । ଶ୍ରୀ-ବିଷ, କୀର୍ତ୍ତି । ବହ୍ନି-ଅଗ୍ନି । ଭୂଦେବବୃନ୍ଦ-ବ୍ରାହ୍ମଣସମୂହ ।
୧୩ଶ ପଦ :- ତତ୍ପରେ ମହାଦେବ କହିଲେ ‘‘ହେ ରାମଚନ୍ଦ୍ର । ଭୋଗରେ ତୁମ୍ଭେ ମୋ ସମାନ ଅଟ (ଅର୍ଥାତ୍ ମୁଁ ଯେଉଁ ଯେଉଁ ପଦାର୍ଥ ଉପଭୋଗ କରେ, ତୁମ୍ଭେ ସେହି ସେହି ପଦାର୍ଥ ଉପଭୋଗ କର ।) ମୁଁ ବାସୁକୀ ନାଗରାଜ ଶେଷଦେବ ଓ ‘ଶ୍ରୀଗରଳକୁ ଉପଭୋଗ କରେ ତୁମ୍ଭେ ମଧ୍ୟ ସେହି ‘ଶେଷଦେବ ଲକ୍ଷ୍ମଣ ଓ ‘ଶ୍ରୀ ସୀତାଙ୍କୁ ଉପଭୋଗ କର (ଅର୍ଥାତ୍ ମୁଁ ସେ ଦୁହିଙ୍କୁ ଛାଡ଼ି ନ ପାରିଲାପରି ତୁମ୍ଭେ ଏ ଦୁହିଙ୍କୁ ଛାଡ଼ି ନ ପାର) (ଯେଉଁ ସୀତା ଉତ୍ତମ ଯୋଗରେ (ବେଳାରେ) ଭୂମିକୁ ଭେଦକରି ଜନ୍ମ ହୋଇଅଛନ୍ତି (ଅର୍ଥାତ୍ ଅଯୋନିଜା ଅଟନ୍ତି), ଯାହାଙ୍କୁ ଅଗ୍ନି ମଧ୍ୟ ଖାଇ ଜୀର୍ଣ୍ଣକରି ପାରିଲା ନାହିଁ, ତାହାଙ୍କୁ ଅନ୍ୟ କେହି ପୁରୁଷ ‘ଧର୍ଷଣ’ ବଳାତ୍କାରପୂର୍ବକ ଆକ୍ରମଣ କରି ପାରିବ କି ? ତୁମ୍ଭେ ଏହା ବିଚାର କର ।’’ ମହାଦେବଙ୍କଠାରୁ ଏପରି କଥା ଶୁଣି ରାମ କହିଲେ, ‘‘ମୁଁ ସୀତାଙ୍କୁ ଅଗ୍ନି ପରୀକ୍ଷା କରିବାଦ୍ୱାରା ଲୋକନିନ୍ଦାକୁ ଧ୍ୱଂସ କଲି; କିନ୍ତୁ ଏହା କରିବା ମୋର ଉଚିତ କି ଅନୁଚିତ ଆପଣ ବୁଝନ୍ତୁ । ଯଦି ମୁଁ ପ୍ରକୃତରେ ନାରାୟଣ ଅଟେ, ତାହାହେଲେ ତ ମୋତେ ବିପ୍ରମାନେ ବିନୟ ପୂର୍ବକ ସେବା କରିବେ ।’’
୧୪ଶ ପଦ :- ରାମଙ୍କର ଏହି କଥାଶୁଣି ବ୍ରହ୍ମା କହିଲେ, ‘‘ମୋ ପୁତ୍ର ବଶିଷ୍ଠ ଏବଂ ଶିବଙ୍କ ବାକ୍ୟ ସତ୍ୟ ଅଟେ । ମୋର ମିତ୍ର ବାମଦେବ ଋକ୍ଷ ଆପଣଙ୍କୁ ବିଷ୍ଣୁ ବୋଲି ଜାଣିପାରି ଅନୁସରଣ କରିଅଛନ୍ତି, ଏମାନଙ୍କର ପୁତ୍ରମାନେ ମଧ୍ୟ ଆପଣଙ୍କୁ ସେବାକରି କାଳ କଟାଇବେ ।’’ ଏହା ଶୁଣି ରାମଚନ୍ଦ୍ର କହିଲେ, ‘‘ହେ ଦେବତାମାନେ ! ଦୁଷ୍ଟ ରାକ୍ଷସମାନଙ୍କ ବ୍ୟତୀତ ମରି ପଡ଼ିଥିବା ଋକ୍ଷ ଓ କପିମାନେ ଆମ୍ଭର ଆଦେଶ ପାଳନ କରି ବଞ୍ଚନ୍ତୁ ।’’ ଏହା ଶୁଣି ଦେବତାମାନେ ଅମୃତ ବୃଷ୍ଟି କରିବାରୁ, ବସନ୍ତ ପବନ ବହିଲେ ଯେପରି ସମସ୍ତ ବୃକ୍ଷମାନେ ପଲ୍ଲବିତ ହୁଅନ୍ତି ସେହିପରି ସମସ୍ତ ଋକ୍ଷ ଓ କପି ସୈନ୍ୟମାନେ ଜୀଇଁ ଉଠିଲେ; କିନ୍ତୁ ସେହି ବସନ୍ତ ପବନଦ୍ୱାରା ବାଉଁଶ ବୃକ୍ଷ ପଲ୍ଲବିତ ନ ହେଲାପରି; ଦୁଷ୍ଟ ରାବଣବଂଶୀୟ ଅସୁରମାନେ ବଞ୍ଚି ନ ଉଠି ପଡ଼ି ରହିଲେ । ହେ ପଣ୍ଡିତମାନେ ! ଏହା ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ ।
୧୫ଶ ପଦ :- ଯେପରି ଲୋକମାନେ କାର୍ଯ୍ୟକ୍ଷତ୍ରରେ ଅତ୍ୟଧିକ ପରିଶ୍ରମକରି କ୍ଲାନ୍ତି ହୋଇ ଶୋଇ ପଡ଼ନ୍ତି ଏବଂ ପରେ ନିଦ୍ରାରୁ ଉଠି ସ୍ୱସ୍ୱ କାର୍ଯ୍ୟରେ ଲାଗନ୍ତି, ସେହିପରି ଅମୃତ ବୃଷ୍ଟିଦ୍ୱାରା ଋକ୍ଷ ଓ କପି ସୈନ୍ୟମାନେ ନିଦ୍ରାରୁ ଉଠି ପୁନର୍ବାର ଯୁଦ୍ଧ କରିବା ନିମିତ୍ତ ଧାଇଁଲେ । ଏହା ଦେଖି ରାମଚନ୍ଦ୍ର ଓ ବିଭୀଷଣ-ଏହି ଦୁହିଙ୍କ ପକ୍ଷରୁ ମନ୍ତ୍ରୀମାନେ ଦୌଡ଼ିଯାଇ ସେମାନଙ୍କୁ ନିବର୍ତ୍ତାଇଲେ । ତତ୍ପରେ ସମସ୍ତ ଦେବତାମାନେ ସ୍ୱର୍ଗକୁ ଫେରିଗଲେ ଓ ରାମଚନ୍ଦ୍ର ‘ଶୀଘ୍ର ଅଯୋଧ୍ୟାକୁ କିପରି ଯିବା’ ଏହି କଥା କହିଲେ । ଏହା ଶୁଣି ବିଭୀଷଣ ପୁଷ୍ପକଯାନ ରାମଙ୍କୁ ଅର୍ପଣ କଲେ ଓ ମନ୍ଦୋଦରୀ ସୀତାଙ୍କ ନିକଟରେ ବିନତି କରିବାକୁ ଳାଗିଲେ । ରାମଚନ୍ଦ୍ର ସୈନ୍ୟମାନଙ୍କ ସହିତ ସେହି ଯାନରେ ଆରୋହଣ କରିବାରୁ ତାହା ଆକାଶ ମାର୍ଗରେ ଗମନ କଲା ।
ବର୍ଣ୍ଣ ବର୍ଣ୍ଣନେ ଅମରବରମଣି ମରକତ କରି ଯାହାରେ ।ବାଚକ ସେ ପ୍ରିୟାରେ ସ୍ନେହଭରେ ।ବସିବା ଦମ୍ପତ୍ତି ସମ୍ପତ୍ତିରେ ରଥେପ୍ରତେ ନ ଥିଲା ମନରେ ରେ । ବାନ୍ଧବି ।ବାଳାମଣି ଶୁଣି କଲେ ଉତ୍ତର । ବିପତ୍ତି କି ସାକ୍ଷୀ ଗୁଡ଼ିଏ ମୋର ।ବିରସ ହରଷ ସ୍ପରଶକୁ ଦରଶନ କଲା ଦଇବର ହେ ବାନ୍ଧବ । ୧୬ ।ବିଦର୍ପକର ଦର୍ପକର ରୁଚି ଯେ ଭାରତୀ ରଚି ସେ ବିଚିତ୍ରେ ।ବହେ ତୃଣାଙ୍କୁର ମେରୁ ତୋ ଗାତ୍ରେ ।ବନ୍ଧ ବନ୍ଧନ ନଳହେତୁ ଜଳରେତଥା ରହିଛନ୍ତି ଗୋତ୍ରେ ରେ । ବାନ୍ଧବି ।ବରୁଣର ପ୍ରସନ୍ନ ମନେ ଧ୍ୟାୟି । ବିହିଏସ୍ତାନେ କୁଶଶଯ୍ୟା ମୁହିଁ ।ବାମାକ୍ଷୀ ଭାଷେ ଅଶୋକବନ ଦିଶେ ଏଥେଁ ମୁଁ ମହୀରେ ଶୋଇ ହେ । ବାନ୍ଧବ । ୧୭ ।ବ୍ୟବସ୍ଥିତେ ଦେଖ ମାଲ୍ୟବନ୍ତ କେଶି । ମାଲ୍ୟବନ୍ତ ରାମ କଥିତ ।ବଞ୍ଚିବାରେ ବରଷା କି ବ୍ୟଥିତ ।ବରଗିଲୁଁଦୂତ ତୋପାଶେ ଉଦନ୍ତଘେନି ସେ ବାହୁଡି ସ୍ଥିତରେ । ବାନ୍ଧବି ।ବୃକ୍ଷ ଶିଂଶପାଏ ସେ ସୀତା ବୋଲି । ବ୍ୟଥାବଶେ ମୁଁ ଯଥା ଆଶ୍ରା କଲି ।ବାରତା ପାଇଁ ତା ତଳେ ଆଶାବୃର୍ଦ୍ଧି ଆଶାମାନ ଚାହୁଁଥିଲି ହେ । ବାନ୍ଧବ । ୧୮ ।ବିକୁକ୍ଷିବଂଶୀ ବୋଲନ୍ତି କ୍ଷୀଣକୁକ୍ଷି ଅନା ଏ ଋଷ୍ୟମୁକ ଦିଶେ ।ବ୍ୟପିଥିଲା ସନ୍ତାପ ତମନିଶି ।ବାୟୁଜ ଅରୁଣ ସହ ମିତ୍ର ସମ୍ବାଦରେ ହୃଦପଦ୍ମ ତୋଷିରେ । ବାନ୍ଧବି ।ବିଦ୍ଧ କଉଶିକଭବ ଗୁପ୍ତରେ । ବଇଦେହୀ ପ୍ରଣାମ ତାହା କରେ ।ବିହୀନ । ମୁଁ ଚନ୍ଦ୍ରତାରା ଭୂଷଣରେଦୀନ ହୋଇ ଏହିଠାରେ ହେ । ବାନ୍ଧବ । ୧୯ ।ବିଚ୍ଛେଦି ଥିଲା ଦମ୍ଭ ତରୁଣି-ବିଚ୍ଛେଦ-ପରଶୁ ତୋହର ।ବାହୁବନ୍ଦେ ପଡିଲୁଁ କବନ୍ଧର ।ବିନାଦର କଲା ସୋଦର ଏ ସ୍ଥାନେଗିର ଆଦରି ରାମର ଯେ । ବରାଙ୍ଗୀ ।ବୋଲେ ତୁମ୍ଭେ ବଳବନ୍ତ କେଶରୀ । ବିଚାର ମୁଁ ଅବଳା ସୁକୁମାରୀ ।ବିଲୋକନ କର ଏ ପଞ୍ଚବଟୀକି ଏହି ସିନା କଷ୍ଟକାରୀ ହେ । ବାନ୍ଧବ । ୨୦ ।୧୬ଶ ପଦ :- ଅମରବରମଣ- ଇନ୍ଦ୍ର ନୀଳମଣି । ଦମ୍ପତି ସମ୍ପତିହୋଇ- ସ୍ତ୍ରୀ ଓ ପୁରୁଷ ଏକତ୍ର ହୋଇ ।
୧୬ଶ ପଦ :- ଯାହାଙ୍କର ଶରୀର କାନ୍ତିକୁ ବର୍ଣ୍ଣନା କରିବାକୁ ହେଲେ ମହାନୀଳମଣି କିମ୍ବା ମରକତ ମଣିର ତେଜ ସହିତ ସମାନ କରି ବର୍ଣ୍ଣନା କରିବାକୁ ହୁଏ, ସେହି ରାମଚନ୍ଦ୍ର ଅତି ସ୍ନେହରେ ପ୍ରିୟା ସୀତାଙ୍କୁ କହିଲେ, ‘ଗୋ ବାନ୍ଧବୀ ! ଏହି ରଥରେ ଆମ୍ଭେ ଦୁହେଁ ଗୃହସ୍ଥ ଓ ଗୃହିଣୀ ହୋଇ ବସିବା ବୋଲି ମୋ ମନରେ ବିଶ୍ୱାସ ହେଉ ନ ଥିଲେ ।’’ ସ୍ତ୍ରୀ ଶ୍ରେଷ୍ଠା ସୀତା ଉତ୍ତର କଲେ, ‘‘ଏହି ଯାନ ମୋର ବିପତ୍ତି ଓ ସମ୍ପତ୍ତି ସମୟରେ ସାକ୍ଷୀ ଅଟେ । ହେ ବାନ୍ଧବ ! ମୋତେ ବିପତ୍ତି ଆକ୍ରମଣ କରିବା ଓ ମୋତେ ସମ୍ପତ୍ତି ସ୍ପର୍ଶ କରିବା ଅର୍ଥାତ୍ ମୋର ମନ୍ଦଦଶା ଓ ଭଲଦଶା ଉଭୟକୁ ଏହି ଯାନ ଦୈବ ଯୋଗରେ ଦେଖିଲା ।’’
୧୭ଶ ପଦ :- ଦର୍ପକ-କନ୍ଦର୍ପ । ଭାରତୀ-ବଚନ । ଗୋତ୍ରେ-ପର୍ବତମାନେ ।
୧୭ଶ ପଦ :- କନ୍ଦର୍ପଠାରୁ ଅଧିକସୁନ୍ଦର ରାମଚନ୍ଦ୍ର ସୀତାଙ୍କଠାରୁ ଏହା ଶୁଣି ବିଚିତ୍ର ଭାବରେ କହିଲେ ‘ଗୋ ବାନ୍ଧବୀ । ଯେପରି ତୁମ୍ଭ ଦେହରେ ‘ତୃଣାଙ୍କୁ, ଘାସ ଗଜାପରି ଅତ୍ୟନ୍ତ କ୍ଷୀଣ କଟୀ ପ୍ରଦେଶ ‘ମେରୁ’ ପର୍ବତ ତୁଲ୍ୟ ଅତ୍ୟନ୍ତ ଉନ୍ନତ କୁଚକୁ ବହନ କରିଅଛି’ ସେହିପରି ନଳ ନାମକ ବାନର ଯୋଗୁଁ ‘‘ବନ୍ଧବନ୍ଧନ’’ ବନ୍ଧ ରୂପରେ ବନ୍ଧା ଯାଇଥିବା ଅର୍ଥାତ୍ ବନ୍ଧୁ ନିର୍ମାଣ କରିବା ନିମିତ୍ତ ବ୍ୟବହୃତ ହୋଇଥିବା ପର୍ବତମାନେ ପତଳାଜଳ ଉପରେ ରହିଅଛନ୍ତି । (ଏଠାରେ କ୍ଷୀଣକଟୀସହ ପତଳାଜଳ ଓ କୁଚ ସହିତ ପର୍ବତ ଉପମିତ) । ବରୁଣ ମୋତେ ପ୍ରସନ୍ନ ହେବେ,- ଏହି କଥା ମନରେ ଭାବି ମୁଁ ଏହି ସ୍ଥାନରେ କୁଶଶଯ୍ୟା କରିଥିଲି ।’’ ସୀତା କହିଲେ, ‘‘ହେ ନାଥ । ଏହି ଦେଖା ଯାଉଥିବା ଅଶୋକବନରେ ମୁଁ ଭୂଇଁରେ ଶୋଇଥିଲି । (ଅର୍ଥାତ୍ ଆମ୍ଭ ଦୁହିଙ୍କର ଦଶା ସମାନ ହୋଇଥିଲା ) ।’’
୧୮ଶ ପଦ :- ଆଶାମାନ-ଦିଗସବୁ ।
୧୮ଶ ପଦ :- ତତ୍ପରେ ରାମ କହିଲେ, ‘‘ହେ ମାଳାବିମଣ୍ଡିତ କେଶି ! ସ୍ତର ହୋଇ ଦେଖ, ଏ ଯେଉଁ ମାଲ୍ୟବନ୍ତ ପର୍ବତ ଦେଖାଯାଉଅଛି, ସେହି ପର୍ବତ ଉପରେ ରହି ମୁଁ ଦୁଃଖର ସହିତ ଅତି ଶୋକରେ ବର୍ଷାକାଳ ଅତିବାହିତ କରିଥିଲି ଏବଂ ସେହିଠାରୁ ତୁମ୍ଭ ନିକଟକୁ ଦୂତ ପଠାଇଥିଲି । ସେହି ଦୁତ ତୁମ୍ଭଠାରୁ ବାର୍ତ୍ତା ଆଣି ଏହିଠାରେ ଉପସ୍ଥିତ ହୋଇଥିଲା । ’’ ସୀତା କହିଲେ, ହେ ନାଥ ! ଏହି ବୃକ୍ଷର ନାମ ଶିଂଶପା । ମୁଁ ଦୁଃଖିତା ହୋଇ ଏହି ବୃକ୍ଷର ମୂଳକୁ ଆଶ୍ରୟ କରିଥିଲି ଏବଂ ତୁମ୍ଭର ବାର୍ତ୍ତା ପାଇବା ସକାଶେ ଆଶା ପୋଷଣ କରି ଦିଗମାନଙ୍କୁ ନିରୀକ୍ଷଣ କରୁଥିଲି ।’’
୧୯ଶ ପଦ :- କଉଶିକଭବ-ଇନ୍ଦ୍ରପୁତ୍ର (ବାଳି) ।
୧୯ଶ ପଦ :- ରାମଚନ୍ଦ୍ର କହିଲେ, ‘‘ରେ କ୍ଷୀଣୋଦରି । ଦେଖ, ଏହି ଦେଖା ଯାଉଥିବା ପର୍ବତର ନାମ ଋଷ୍ୟମୁକ । ଜଗତକୁ ଅନ୍ଧକାରଦ୍ୱାରା ଆବୃତ କରିଥିବା ରାତ୍ରର ଶେଷରେ ଅରୁଣ (ସୂର୍ଯ୍ୟ ସାରଥୀ) ଉଦୟ ହେବା ସଙ୍ଗେ ସଙ୍ଗେ ସୂର୍ଯ୍ୟ ଉଦୟ ହେବାର ‘ସମ୍ବାଦ’ ସୂଚନା ପାଇ, ପଦ୍ମିନୀ ଆନନ୍ଦିତା ହେଲାପରି; ମତେ ଆବୃତ କରିଥିବା ତୁମ୍ଭର ବିଯୋଗ ଦୁଃଖରୂପ ଅନ୍ଧକାର ରାତ୍ରିର ଶେଷରେ ହନୁମାନ ରୂପୀ ଅରୁଣଙ୍କ ସହିତ ସୂର୍ଯ୍ୟପୁତ୍ର ସୁଗ୍ରୀବ ପ୍ରକାଶିତ ହୋଇ (ମୋତେ ଦେଖା ଦେଇ) ତୁମ୍ଭର ସମ୍ବାଦଦ୍ୱାରା ମୋର ହୃଦୟ ପଦ୍ମକୁ ଆନନ୍ଦିତ କରାଇଲେ । (ଅର୍ଥାତ୍ ମୁଁ ଏହି ଋଷ୍ୟମୁକ ନିକଟରେ ଉପସ୍ଥିତ ହୁଅନ୍ତେ ହନୁମାନ ଓ ସୁଗ୍ରୀବ ଆସି ତୁମ୍ଭଙ୍କୁ ରାବଣ ନେଇଥିବାର ସମ୍ବାଦ ଦେଲେ) । ହେ ବାନ୍ଧବୀ । ମୁଁ ଏହିଠାରେ ଲୁଚିରହି ଇନ୍ଦ୍ରପୁତ୍ର ବାଳିକୁ ଶରବଦ୍ଧ କଲି । ସୀତା ଏହି ସବୁକଥା ସତ୍ୟ ମନେ କଲେ ଏବଂ କହିଲେ, ‘‘ହେ ନାଥ । ମୁଁ ଦୁଃଖିତା ହୋଇ ଏହିଠାରେ ଅତି ଉଜ୍ଜ୍ୱଳସ୍ୱର୍ଣ୍ଣଅଳଙ୍କାରମାନଙ୍କୁ ତ୍ୟାଗ କରିଥିଲି) ।’’
୨୦ଶ ପଦ :- ବିନାଦର-ଭୟଶୂନ୍ୟ ।
୨୦ଶ ପଦ :- ରାମ କହିଲେ, ‘‘ରେ ତରୁଣୀ ! ତୋବିଯୋଗ ରୂପ କୁଠାର ମୋର ଧୈର୍ଯ୍ୟରୂପ ବୃକ୍ଷକୁ ଛେଦନ କରିଥିଲା । ସେହି ସମୟରେ ଆମ୍ଭେ ଦୁହେଁ କବନ୍ଧ ରାକ୍ଷସର ବାହୁ ବନ୍ଧନରେ ପଡ଼ିଥିଲୁଁ, କିନ୍ତୁ ଲକ୍ଷ୍ମଣ ଏହି ସ୍ଥାନରେ ସେହି କବନ୍ଧ ଅସୁରକୁ ମାରି ଭୟ ଦୂର କଲା ।’’ ସୁନ୍ଦରୀ ସୀତା ରାମଚନ୍ଦ୍ରଙ୍କର ଏହି କଥାକୁ ଆଦରର ସହିତ ଶୁଣି କହିଲେ, ‘‘ହେ ନାଥ । ତୁମ୍ଭେ ସିଂହତୁଲ୍ୟ ବଳଶାଳୀ ଅଟ; ମାତ୍ର ମୁଁ ବଳହୀନା ହୋଇ ଥିବାରୁ ‘ସୁକୁମାରୀ କଷ୍ଟ ସହିପାରେ ନାହିଁ । ଏହି ପଞ୍ଚବଟୀ ବନକୁ ଦେଖନ୍ତୁ । ଏହି ବନ ସିନା ଆମ୍ଭଙ୍କୁ ଏତେ ଦୁଃଖ ପ୍ରଦାନ କରିଥିଲା ।’’
ବାହୁଜବର ବୋଇଲେ ବନଦୋଷ ବାନ୍ଧିବି ମନରେ ନ ଘେନ ।ବଣିଜର ଭାବ କରି ବର୍ଦ୍ଧନ ।ବସାଇ ବିଚ୍ଛେଦ ତୁଳପାତ୍ରେ ତୁଳିଦେଲା ସିନା ପ୍ରେମଧନରେ ବାନ୍ଧବି ।ବାରେ ନିରେଖ ଚି କୁଟ ଗରି । ବିନୋଦକୁ ଥିଲୁ ଏଥେଁ ଆଦରି ।ବୋଲୁଁଭରଦ୍ୱାଜ ବନେ ମିଳେ ରଥ ରହ ବେଲି ଯେଣୁ ସୁରି ସେ । ବୀରେନ୍ଦ୍ର । ୨୧ ।ବ୍ୟୋମରେ ଅମରେ ଗମନ୍ତି କି ଋଷି କୁମରେ ମନେ କରିଥିଲେ ।ବଳ ତ୍ରିବିଧରେ ଯହୁ ଦେଖିଲେ ।ବଳି ତିରସ୍କାର ତ୍ରିବିତ୍ରମ୍ ତହିଁଦେଖି ଗୁରୁଙ୍କୁ କହିଲେ ସେ । ବିଦୁଷେ ।ବ୍ୟଗ୍ର ହୋଇ ପୂଜନ କଲେ ଆସି । ବେଳୁଁ ବେଳ ହୋଇଲେ ଅତି ତୋଷୀବିଭିନ୍ନକର ହିରଣ୍ୟପ୍ରଭ ରଙ୍ଗେ ସେ ନରକେଶରୀ ଭାଷି ସେ । ବିଦୁଷେ । ୨୨ ।ବସାଇ ଆଶ୍ରମେ ଆସନେ ଶୁଣିଲେ କାନ୍ତବିଚ୍ଛେଦ କଷ୍ଟ ଖେଦ ।ବଧ କରିବା କବନ୍ଧ ତ୍ରବ୍ୟାଦ ।ବିଦ୍ଧ ସପ୍ତଶାଳ ସୁଗ୍ରୀବ ସପକ୍ଷବପୀନ୍ଦ୍ର କରିବା ଭିଦ ହେ । ବିଦୁଷେ ।ବାରିପରେ ମହୀଧର ଭାସିବା । ବଂଶ ସହିତେ ରାବଣ ନାଶିବା ।ବହିଲା ଗର୍ବ ସର୍ବ ମୋର ହୋଇଛି ଶୁଣି ମୁନି ପ୍ରଂଶସିବା ଯେ ବାତଜ । ୨୩ ।ବନ୍ଦ୍ୟ ବନ୍ଦନୀୟ ଜାଣି ତାର ମନ ବାରୁଣୀବନେ ପଠିଆଇଁ ।ବିଚ୍ଛନ୍ଦରେ ମହାଭୁଜ ଦେଖାଇ ।ବିନ୍ଦାଣମଲ୍ଲସ୍ତମ୍ଭରେ କଳାପ୍ରାୟଯୁଦ୍ଧାରମ୍ଭେ ଫୁଟି ରହି ସେ । ବାତଜ ।ବିଭାବରୀ ସମ୍ମୁଖରେ ଯେମନ୍ତେ । ବନରୁହରେ ବନ୍ଦୀ ମଧୁବ୍ରତ ।ବିମୁକ୍ତ କଲା ତହିଁରୁ ରାମନାମ ସ୍ମରଣ ହୋଇ ପ୍ରଭାତ ସେ । ବିଦୁଷେ । ୨୪ ।ବୋଧ କଲେ ପ୍ରଭୁ ଭେଟୁ ଆସି ତେଜହୀନେ ଦେଇ ଏହି ଲକ୍ଷତ ।ବ୍ୟାଘ୍ର ନାସାଛିଦ୍ର ଘାତେ ବ୍ୟଥିତ ।ବିମର୍ଦ୍ଦନେ କ୍ଷମ କଦା ନେ ହେ, ହୋଏକି ତା ପ୍ରାକର୍ମ ନିନ୍ଦିତ ହେ । ବାତଜ ।ବିଘ୍ନହୀନେ ଯା ରଭସ ତ୍ରାସିତ । ବିଜୟ ତୁ ହୁଅ ଆଜୁଁ ଜଗତ ।ବୋଲିଣ କୈକେୟ ପାଶକୁ ପ୍ରେଷିତ ଜାଣିବାପାଇଁ ଉଦନ୍ତ ସେ । ବୀରେନ୍ଦ୍ର । ୨୫ ।୨୧ଶ ପଦ :- ବାହୁଜବର-କ୍ଷତ୍ରିୟଶ୍ରେଷ୍ଠ । ବିନୋଦ-କ୍ରୀଡ଼ା ।
୨୧ଶ ପଦ :- ତାହା ଶୁଣି କ୍ଷତ୍ରିୟଶ୍ରେଷ୍ଠ ରାମଚନ୍ଦ୍ର କହିଲେ, ‘‘ହେ ବାନ୍ଧବୀ ! ବନର ଦୋଷ ହେଲେ ସୁଦ୍ଧା ତାହା ମନରେ ଘେନ ନାହିଁ । କାରଣ ବେପାରୀ ବିକ୍ରୟ ପଦାର୍ଥମାନଙ୍କୁ ବହୁ ପରିମାଣରେ ସଂଗ୍ରହ କରି ନିକିତିରେ ତୌଲିଲାପରି ପଞ୍ଚବଟୀ ଆମ୍ଭ ଦୁହିଁଙ୍କର ପ୍ରେମ ରୂପ ଧନକୁ ବଢ଼ାଇ ବିରହରୂପ ନିକିତିରେ ତୁଳି ହେଲା । (ଅର୍ଥାତ୍ ବିଚ୍ଛେଦ ହେତୁ ଆମ୍ଭ ଦୁହିଁଙ୍କର ପରସ୍ପର ମଧ୍ୟରେ ଥିବା ପ୍ରଗାଢ଼ ସ୍ନେହ ଜଣା ପଡ଼ିଗଲା) । ହେ ବାନ୍ଧବୀ । ଥରେମାତ୍ର ଚିତ୍ରକୁଟ ପର୍ବତକୁ ଦେଖ । ଯେ ହେତୁ ଆମ୍ଭେ ଦିନେ ଏଠାରେ ଆଦର ପୂର୍ବକ ବିହାର କରିଥିଲେ ।’’ ଏହିପରି କହୁ କହୁ ରଥ ଭରଦ୍ୱାଜ୍ ଋଷିଙ୍କ ଆଶ୍ରମ ନିକଟରେ ପହଞ୍ଚିଲା, ତେଣୁ ରାମଚନ୍ଦ୍ର ‘ରହ’ ବୋଲି ସ୍ମରଣ କରନ୍ତେ ରଥ ସେହିଠାରେ ରହିଲା ।
୨୨ଶ ପଦ :- ରାମଚନ୍ଦ୍ର ପୁଷ୍ପକ ଯାନରେ ବସି ଯାଉଥିବା ସମୟରେ ଋଷିବାଳକମାନେ ଦେଖି ମନେକଲେ, ‘ଦେବତାମାନେ ବ୍ୟୋମଯାନରେ ବସି ଆକାଶରେ ଯାଉଛନ୍ତି କି ? ତତ୍ପରେ ସେହି ରଥରେ ଭଲ୍ଲୁକ, ବାନର, ରାକ୍ଷସ, ଏହି ତିନି ଜାତୀୟ ସୈନ୍ୟମାନଙ୍କୁ ଓ ବଳିକୁ ଲାଞ୍ଛନା କରିବା ନିମିତ୍ତ ବାମନରୂପ ଧାରଣ କରିଥିବା ବିଷ୍ଣୁ (ରାମଚନ୍ଦ୍ର)ଙ୍କୁ ଦେଖି ଯାଇ ଗୁରୁଙ୍କୁ କହିଲେ, ହେ ପଣ୍ଡିତମାନେ ! ଭରଦ୍ୱାଜ ଋଷି ଅତ୍ୟନ୍ତ ବ୍ୟଗ୍ର ହୋଇ ଆସି ରାମଙ୍କୁ ପୂଜା କଲେ, ଆଦର ସହିତ ଅଭ୍ୟର୍ଥନା କଲେ ଏବଂ ଅତିଶୟ ଆନନ୍ଦିତ ହୋଇ କହିଲେ, ‘‘ହେ ରାମଚନ୍ଦ୍ର ! ଆପଣ ହିରଣ୍ୟକଶିପୁ ପରି ଅତ୍ୟନ୍ତ ପରାକ୍ରମଶାଳୀ ରାବଣକୁ ଯୁଦ୍ଧରେ ନରସିଂହଙ୍କ ପରି ସ୍ୱୀୟ ହସ୍ତରେ ବିଦୀର୍ଣ୍ଣ କଲେ ।’’
୨୩ଶ ପଦ :- କ୍ରବ୍ୟାଦ - ଅସୁର । ମହୀଧର - ପର୍ବତ ।
୨୩ଶ ପଦ :- ହେ ପଣ୍ଡିତମାନେ ! ଭରଦ୍ୱାଜଋଷି ଆଶ୍ରମ ମଧ୍ୟରେ ରାମଙ୍କୁ ଆସନରେ ବସାଇ ତାଙ୍କଠାରୁ ସୀତା ହରଣ ଜନିତ ଦୁଃଖ, କବନ୍ଧର ବିକାଶ, ସପ୍ତଶାଳ ଭେଦ, ସୁଗ୍ରୀବର ମିତ୍ରତା ସମ୍ପାଦନ, ବାଳି ବଧ, ସେତୁବନ୍ଧ ନିର୍ମାଣ, ସବଂଶେ ରାବଣର ବଧ, - ଏହି ସମସ୍ତ ବିଷୟ ଶୁଣି ତାଙ୍କୁ ବହୁତ ପ୍ରଶଂସା କଲେ । ରାମଚନ୍ଦ୍ରଙ୍କୁ ପ୍ରଶଂସା କରିବାର ଶୁଣି ହନୁମାନ ଗର୍ବର ସହିତ ମନରେ ଭାବିଲା, ଏ ସମସ୍ତ ମୋହଦ୍ୱାରା ହୋଇଅଛି ।
୨୪ଶ ପଦ :- ପୂଜ୍ୟମାନଙ୍କର ମଧ୍ୟ ପୁଜନୀୟ ରାମଚନ୍ଦ୍ର ହନୁମାନର ମନକଥା ଜାଣିପାରି ତାହାକୁ ବାରୁଣୀ ନାମକ ବନକୁ ପ୍ରେରଣ କଲେ । ହନୁମାନ ସେହି ବନରେ ଉପସ୍ଥିତ ହୁଅନ୍ତେ ରାମଚନ୍ଦ୍ରଙ୍କ ମାୟାରେ ମହାଭୁଜ ନାମକ ଅସୁର ସମ୍ମୁଖରେ ପ୍ରବେଶ କଲା । ମାଲଖମ୍ବରେ ମାଲମାନେ ବିନ୍ଧାଣ କଲା ପରି ହନୁମାନ ତାହା ସହିତ ମଲ୍ଲଯୁଦ୍ଧ ଆରମ୍ଭ କଲା, ମାତ୍ର ତାହାକୁ ଜିଣି ନ ପାରି ହତୋତ୍ସାହ ହୋଇ ପଡ଼ିଲା । ସନ୍ଧ୍ୟା ସମୟରେ ପଦ୍ମଫୁଲ ମଧ୍ୟରେ ଭ୍ରମରବନ୍ଦୀ ହେଲାପରି ହନୁମାନ ମହାଭୂଜଦ୍ୱାରା ବନ୍ଦୀ ହେଲା । ହେ ପଣ୍ଡିତ ! ହନୁମାନ ତତ୍ପରେ ରାମନାମ ସ୍ମରଣ କରିବାରୁ ପ୍ରଭାତ କାଳରେ ଭ୍ରମରପଦ୍ମ ମଧ୍ୟରୁ ମୁକ୍ତ ହେଲା ପ୍ରାୟ ସେ ମହାଭୁଜ ବନ୍ଧନରୁ ମୁକ୍ତ ହେଲା ।
୨୫ଶ ପଦ :- ରଭସ - ଶୀଘ୍ର । କୈକେୟ - ଭରତ । ଉଦନ୍ତ - ବାର୍ତ୍ତା । ବିଘ୍ନହୀନ - ଭୟଶୂନ୍ୟ ।
୨୫ଶ ପଦ :- ହନୁମାନ ନିସ୍ତେଜ ହୋଇ ଆସି ରାମଙ୍କୁ ସାକ୍ଷାତ୍ କଲା । ଏହି ସମୟରେ ରାମଚନ୍ଦ୍ର ତାକୁ ସାନ୍ତ୍ୱନା ଦେବାନିମିତ୍ତ ଦୃଷ୍ଟାନ୍ତ ଦେଇ କହିଲେ ‘‘ବାଘକୁ ଯନ୍ତାରେ ଧରି ତାହାର ନାକ ଫୋଡ଼ି ପକାଇଲେ, ସେ ଉକ୍ତପୀଡ଼ାରେ ବ୍ୟଥିତ ହୋଇଥିବା ସମୟରେ ଅନ୍ୟକୁ ବଧ କରିବାକୁ ସମର୍ଥ ହୁଏ କି ? ଏହା ବୋଲି କଣ ତାହାର ପରାକ୍ରମକୁ ନିନ୍ଦା କରିବା ଉଚିତ ? ହେ ହନୁମାନ ! ତୁମ୍ଭେ ମହାଭୁଜଠାରୁ ହଠାତ୍ ଯେଉଁ ଭପ୍ରୋକ୍ତ ହୋଇଅଛ, ସେହି ଭୟ ଅପସାରିତ ହୋଇଅଛି । ସେଥିପାଇଁ ତୁମ୍ଭର ଶୌର୍ଯ୍ୟର ଆଶଙ୍କା କରିବାରୁ କଥା କିଛି ନାହିଁ । ତୁମ୍ଭେ ଆଜିଠାରୁ ଜଗତରେ ଏକମାତ୍ର ବିଜୟୀ ହୁଅ ।’’ ବୀରଶ୍ରେଷ୍ଠ ରାମଚନ୍ଦ୍ର ହନୁମାନକୁ ଏହି ବର ଦେଇ ‘ରାମ ଅଯୋଧ୍ୟାକୁ ଆସୁଅଛନ୍ତି’ ଏହିବାର୍ତ୍ତା ଜଣାଇବା ନିମିତ୍ତ ତାକୁ ଭରତଙ୍କ ନିକଟକୁ ପଠାଇଲେ ।