ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ · ଭାଗ ୨ / ୯
ସମ୍ପୂର୍ଣ୍ଣ ସୂଚୀପତ୍ର
ବୁଧ ବୁଧ ଯୁଦ୍ଧ ନ ପାଇଲା ଜନ
ବୁଧ ବୁଧ ଯୁଦ୍ଧ ନ ପାଇଲା ଜନ ପ୍ରତିଜ୍ଞାରେ ଉଠେ ଜଳି ।ବର୍ତ୍ତନେ ଆଜି କି କପିଗଣ ରଣମଧ୍ୟେ ଆମ୍ଭେ ଥିଲେ ମିଳି ସେ ।ବୋଲେ । ବୀରମାନେ ରାଜା ନାଶ କଲେ ।ବେଢ଼ ଗଡ଼େ ଯାହାଟି ରଖିଲେ । ୧ ।ବାଜୀ ଝପଟକୁ ଗଜ ଚହଟକୁ ସ୍ଥାନ ନେହି ଯନ୍ତାଯନ୍ତି ।ବୁଲିଲା ନାହିଁ ତ ଅୟ ଶସ୍ତ୍ରମାନ ଏ ଘେନିଯେତେକ ହତି ସେ ।ବୋଲେ । କିଂଶଲୋଚନ ରାତ୍ର ପାହିଲେ ।ବିଜେ କରିବେ ବିସ୍ତାର ସ୍ଥଳେ । ୨ ।ବିନିଦ୍ରେମୋଦେ ବିଷାଦେ ନିଶି ନେଲେ ଉଦ୍ଧାରୁ ସମରେ ସାଜେ ।ବଦନଚହଳେ ମଦନ ସୁନ୍ଦର ପ୍ରସନ୍ନ ଶ୍ୱସନମୂଜେ ସେ ।ବୋଲେ । ବିକ୍ରମ ତୁ ଲଙ୍କା ଆଉ ବେଳେ ।ବ୍ରହ୍ମଶର ନିଅ କରତଳେ । ୩ ।ବିଧାନ କରାଇ କରୁଣାନିଧାନ ସୁଷେଣେ ଚିଟାଉ ଦେଲେ ।ବସିଛି ଜଗତ ଉପରେ ରାବଣ ହନୁମାନ ଯାଇ ମିଳେ ସେ ।ବୀର । ବୋଲେ ଉଠ ଉଠବିଂଶକର ।ପ୍ରଭୁ ଆଜ୍ଞା ଘେନି ଲଗା ଶିର । ୪ ।ବୈଦେହୀ ନ ସମର୍ପିଲେ ମୃତ୍ୟୁ ଏଥି ଚିହ୍ନିଥା ମାର୍ଗଣ ଏହି ।ବୋଲେ ରାବଣ ମାର୍ଗଣ ବୋଲି ତାକୁଆଗୁଁ ଚିହ୍ନେ ଚିହ୍ନି ଦେଇ ରେ ।ବାଇ । ବୋଲି ହେଜି ପାରିନାହୁଁ ତୁହି ।ବେଳେ ବେଳେ ମାଗି ପଠିଆଇ । ୫ ।୧ମ ପଦ :- ବୁଧ-ପଣ୍ଡିତ । ବର୍ତ୍ତନ୍ତେ-ବଞ୍ଚନ୍ତେ ।
୧ମ ପଦ :- ହେ ପଣ୍ଡିତମାନେ ! ଏ ଛାନ୍ଦକୁ ବିଚାର କର । ଯୁଦ୍ଧକୁ ଯାଇ ନ ଥିବା ରାବଣର ସୈନ୍ୟମାନେ ଖୁବ୍ ଦୃଢ଼ ଭାବରେ ପ୍ରତିଜ୍ଞା କରି କହିଲେ, ‘‘ଆମେ ରଣମଧ୍ୟକୁ ଆଜି ଯାଇଥିଲେ କପିଗଣ ଆଉ ଜୀବନରେ ରହିଥାନ୍ତେ କି ? ଆମେ ସମସ୍ତଙ୍କୁ ବିନାଶ କରିଥାନ୍ତୁ ।’’ ଯୁଦ୍ଧକୁ ଯାଇ ନଥିବା ଲୋକଙ୍କର ଏହି କଥା ଶୁଣି ଯୁଦ୍ଧକୁ ଯାଇଥିବା ସୈନ୍ୟମାନେ କହିଲେ, ରାଜା ଆପେ ଆପେ ବୀରମାନଙ୍କୁ ନାଶ କଲେ ସିନା, କାରଣ ସେ ଗଡ଼ ମଧ୍ୟରେ ବେଢ଼ ପକାଇ ସୈନ୍ୟମାନଙ୍କୁ ଏକାଠି ରଖିଲେ । (ଗଡ଼ ମଧ୍ୟରେ ରଖି ନ ଥିଲେ ଆମେ କପି ସୈନ୍ୟଙ୍କୁ ମାରି ପକାଇଥାନ୍ତୁ । ତାହା ନ ହେବାରୁ ଆମର ସୈନ୍ୟ ମଲେ ଓ ଆମେ ପରାଜିତ ହେଲୁ ) ।
୨ୟ ପଦ :- ଝପଟ-ଦୌଡ଼ । ଚହଟ-ଗମନ । ହତି-ବିନାଶ । ବିଂଶଲୋଚନ-ରାବଣ । ବିସ୍ତାରସ୍ଥଳେ-ବିସ୍ତୃତ ସ୍ଥାନରେ ।
୨ୟ ପଦ :- ‘‘ଘୋଡ଼ାମାନେ କଦମ ପକାଇବାକୁ, ହସ୍ତୀମାନେ ଫେରିବାକୁ ସ୍ଥାନ ନ ହେବାରୁ ସମସ୍ତେ ଜନ୍ତାଜନ୍ତି ହାଇଗଲେ । ଗୁଣି ସୈନ୍ୟମାନଙ୍କ ହସ୍ତରେ ଥିବା ଖଡ଼୍ଗାଦି ଅସ୍ତ୍ରଶସ୍ତ୍ର ସବୁ ବୁଲିପାରିଲା ନାହିଁ । ସେହି କାରଣରୁ ଯାହା ମରିବାର ମଲେ ।’’ ଏହା ଶୁଣି ଯୁଦ୍ଧକୁ ଯାଇ ନ ଥିବା ସୈନ୍ୟମାନେ କହିଲେ, ‘‘ରାତ୍ର ପାହିଲେ ରାବଣ ସୁବିସ୍ତୃତ ରଣ କ୍ଷେତ୍ରରେ ବିଜେ କରିବେ । (ସେତେବେଳେ ତୁମ୍ଭ ବୀରତ୍ୱ ଦେଖିବା ।)’’
୩ୟ ପଦ :- ବିନିଦ୍ରେ-ଅନିଦ୍ରାରେ । ମୋଦେ-ଆନନ୍ଦରେ । ବିଷାଦେ-ଦୁଃଖରେ । ନିଶି-ରାତ୍ରି । ଉଷାରୁ-ପ୍ରଭାତରୁ । ସମରେ-ଯୁଦ୍ଧରେ । ବଦନଚହଳେ-ମୁଖରବରେ । ମଦନସୁନ୍ଦର-ରାମଚନ୍ଦ୍ର । ଶ୍ୱସନାତ୍ମଜ-ହନୁମାନ । ବିକ୍ରମ-ଯାଅ ।
୩ୟ ପଦ :- ଏହିପରି କଥାବାର୍ତ୍ତା ହୋଇ ରଣକ୍ଷେତ୍ରକୁ ଯାଇ ନ ଥିବା ଲୋକଙ୍କର ଆନନ୍ଦ ହେତୁ ଓ ରଣକୁ ଯାଇଥିବା ଲୋକଙ୍କର ଦୁଃଖ ହେତୁ ନିଦ ନ ହେବାରୁ ଅନିଦ୍ରାରେ ରାତ୍ର କଟାଇଲେ । ପ୍ରାତଃକାଳରୁ ରାବଣ ସମର ନିମିତ୍ତ ସୈନ୍ୟ ସଜ କଲା । ସୈନ୍ୟ ସଜବାଜ ହେବା ସମୟରେ ମୁଖଗୋଳ ଶୁଣି ରାମ ହନୁମାନକୁ ପ୍ରସନ୍ନ ହୋଇ କହିଲେ, ‘‘ତୁ ଆଉ ଥରେ ଲଙ୍କାକୁ ଯା, ବ୍ରହ୍ମଶରକୁ ହାତରେ ଧରି ନେଇଥା ।’’
୪ର୍ଥ ପଦ :- ବିଧାନ କରାଇ-ଲେଖାଇ । କରୁଣାନିଧାନ-ଦୟାଳୁ (ରାମଚନ୍ଦ୍ର) । ଜଗତୀ-ଅଟ୍ଟାଳିକା ।
୪ର୍ଥ ପଦ :- ରାମଚନ୍ଦ୍ର ସୁଷେଣକପିଦ୍ୱାରା ଚିଟାଉ ଲେଖାଇ ହନୁମାନକୁ ଦେଲେ । ହନୁମାନ ବ୍ରହ୍ମଶର ଓ ଚିଟାଉ ଘେନି ଯାଇ ରାବଣ ଜଗତୀ ଉପରେ ବସିଥିବା ସମୟରେ ସେଠାରେ ପହଞ୍ଚିଲା ଏବଂ କହିଲା, ‘‘ହେ ବିଂଶବାହୁ ରାବଣ ! ଉଠ, ପ୍ରଭୁ ଆଜ୍ଞା ହସ୍ତରେ ନେଇ ମସ୍ତକରେ ଲଗା ।’’
୫ମ ପଦ :- ବୈଦେହୀ-ସୀତା । ମାର୍ଗଣ-ଶର, ମାଗିଖିଆ ।
୫ମ ପଦ :- ‘‘ଏ ‘ମାର୍ଗଣ’ ଶରକୁ ଚିହ୍ନିଥା; ବୈଦେହୀ ଫେରାଇ ନ ଦେଲେ ଏ ଶରରେ ତୋହର ମୃତ୍ୟୁ ସୁନିଶ୍ଚିତ ।’’ ଏହାଶୁଣି ରାବଣ କହିଲା, ‘‘ମୁଁ ଆଗରୁ ତାକୁ ‘ମାର୍ଗଣ’ ମାଗନ୍ତା ଲୋକବୋଲି ଭଲ କରି ଚିହ୍ନିଛି । ତୁ ବାତୁଳ ବୋଲି ସେ କଥାକୁ ହେଜି ପାରୁନାହୁଁ । ସେ ଥରକୁ ଥର ମାଗି ପଠିଆଇ ମାଗନ୍ତାର ପରିଚୟ ଦେଉଅଛି ।’’
ବାର୍ତ୍ତାଯେ ଲେଖିଛି ଆଜ୍ଞାପତ୍ର ନୋହେ ଜଣାଣ ସେ ଦେଇଥିବ ।ବ୍ରହ୍ମାନପ୍ତା ସୁତ କୁବେର ମୋ ଭ୍ରାତ ପୁତ୍ରକିଣିଛି ବାସବ ରେ ।ବାଇ । ବନବାସୀ ସେ ତା ଦୂତ ତୁହି ।ବାରେ ଶୁଣିବା ପଢ଼ ଶୁଭାଇ । ୬ ।ବସେ ସମାନେ ଲାଙ୍ଗୁଳ ଚକ୍ର କୃତେ ପଠନ ଶ୍ଳେଷ ବଚନ ।ବପୁବନ୍ତ ନାମେ ରାମ ବୋଲାଉଛୁଁରାଜରାଜପ୍ରଭା ଘେନ ସେ ।ବଳି । ବିମର୍ଦ୍ଦନେ ଆମ୍ଭେ ଗୁଣଶାଳୀ ।ବିଧିପୂର୍ବେ ଦର ନାଶେ ଝଳି । ୭ ।ବଦନ୍ତି ତ୍ରିପୁରବିଜୟୀ ଆମ୍ଭକୁ ନରସିଂହ ତେବେ ଏବେ ।ବସୁନ୍ଧରା ଶିରୀ ସୀତା ରମ୍ୟ ପ୍ରେମରସରେ ବଶ ସ୍ୱଭାବେ ସେ ।ବଦେ । ବଡ଼ ଲାଜ ରାବଣାରି ପଦେ ।ବେନି ଅର୍ଥ ଯେଣୁ ନ ସମ୍ବାଦେ । ୮ ।ବୋଇଲା ରାବଣ ଜାଣିଲି ଜଟିଳ ହୋଇଛି ପ୍ରକାଶେ ତହିଁ ।ବିଜୟୀ ରଣେ ମୁଁ ବିଜୟ କରୁଛି ଆଜି ଥାଉ ସଜ ହୋଇ ତା ।ବୋଲେ । ବେଗେ ବିକ୍ରମ ନଭୋମଣ୍ଡକେ ।ବାୟୁପୁତ୍ର ରାମପାଶେ ମିଳେ । ୯ ।ବିଗ୍ରହ ବତନମାନଙ୍କୁ କହନ୍ତେ ସୁଗ୍ରୀବ ସୈନ୍ୟ ସଜାଇ ।ବାଜଣିଆ ବଳ ଲଙ୍କାରୁ ବାହାର ଏକାଳେ ବାଦ୍ୟ ସଜାଇ ସେ ।ବ୍ୟାପେ । ବଳ ସାଜି କି ମେଘ କଳପେ ।ବ୍ୟକ୍ତ ଥିଲେ ଦୁର୍ଗ ନରାଧିପେ । ୧୦ ।୬ଷ୍ଠ ପଦ :- ବ୍ରହ୍ମନପ୍ତା-ବ୍ରହ୍ମାଙ୍କର ନାତି ।
୬ଷ୍ଠ ପଦ :- ‘‘ସେ ଯାହା ବାର୍ତ୍ତା ଲେଖିଛି, ତୁ ତାକୁ ଆଜ୍ଞା ପତ୍ରିକା ବୋଲି କହୁଛୁ, ମାତ୍ର ସେ ଆଜ୍ଞା ପତ୍ରିକା ନୁହେଁ ଜଣାଣ ପତ୍ରିକା ଦେଇଥିବ । ମୁଁ ବ୍ରହ୍ମାଙ୍କ ନାତି, କୁବେର ମୋହର ବଡ଼ଭାଇ, ମୋହର ପୁତ୍ର ଇନ୍ଦ୍ରକୁ ଜିଣିଅଛି । ସେ ତ ଛାର ବନବାସୀ ମାତ୍ର, (ସେ ଆଜ୍ଞା ପତ୍ରିକା କଣ ଦେବ ?) ତୁ ପୁଣି ତାର ଦୂତ ହୋଇ ଆସିଅଛୁ । ଥରେ ବଡ଼ ପାଟିରେ ପଢ଼, ଶୁଣିବା ।’’
୭ମ ପଦ :- ଶ୍ଲେଷ-ଦ୍ୱିବିଧର୍ଥବୋଧକ । ବପୁବନ୍ତ-ଦେହବନ୍ତ ଅର୍ଥାତ୍ ମନୋହର ଦେହବିଶିଷ୍ଟ । ରାଜରାଜପ୍ରଭା- ଭୟନାଶପୂର୍ବକ, ଶଙ୍ଖାସୁର ବିନାଶରେ । ଝଳି-ପ୍ରକାଶିତ ।
୭ମ ପଦ :- ଏହା ଶୁଣି ହନୁମାନ ଆପଣା ଲାଙ୍ଗୁଳକୁ ଚକ୍ରକୃତି କରି ତା ଉପରେ ରାବଣର ସିଂହାସନ ସମାନରେ ବସି ଶ୍ଳେଷାର୍ଥରେ ଲିଖିତ ସେ ପତ୍ରକୁ ପାଠକଲା-‘ରେ ରାବଣ ! ଆମ୍ଭେ ସ୍ୱୟଂ ପରମବ୍ରହ୍ମ ନାରାୟଣ ଅଟୁ, ଏବେ ରମଣୀୟ ଦେହ ଧାରଣ କରିଥିବାରୁ ରାମ ବୋଲାଉଛୁ । ଆମ୍ଭଠାରେ ରାଜଚକ୍ରବର୍ତ୍ତୀ ଚିହ୍ନମାନ ଅଛି । ଏବେ ମଧ୍ୟ ଚନ୍ଦ୍ରପ୍ରଭା ଧାରଣ କରି ରାମଚନ୍ଦ୍ର ହୋଇଅଛୁ । ବଳି ଦୈତ୍ୟକୁ ବିମର୍ଦ୍ଦନ କରିବାରେ ଗୁଣବନ୍ତ ହୋଇଥିଲୁ, ଏବେ ବଳିଷ୍ଠମାନଙ୍କୁ ବିନାଶ କରିବାକୁ ଶୌର୍ଯ୍ୟାଦି ଗୁଣରେ ଭୂଷିତ ହୋଇଅଛୁ । ବିଧାନବଶତଃ ପୂର୍ବ ଶଙ୍ଖାସୁର ବିନାଶ କରି ତେଜସ୍ୱୀ ହୋଇଥିଲୁଁ, ଏବେ ଭୟ ନାଶ କରିବା ପାଇଁ ତେଜ ବହନ କରିଅଛୁଁ । (ଏହାଦ୍ୱାରା ବାମନାବତାର ଓ ମତ୍ସ୍ୟାବତାରର ସୂଚନା ଦିଆଗଲା ।)’’
୮ମ ପଦ :- ବଦନ୍ତି-କହନ୍ତି । ତ୍ରିପୁରବିଜୟୀ- ତ୍ରିଭୁବନଜେତା, ମହାଦେବ । ନରସିଂହ - ନରଶ୍ରେଷ୍ଠ ନୃସିଂହ ମୂର୍ତ୍ତି । ବସୁନ୍ଧରାଶିରୀ-ପୃଥିବୀର ଲକ୍ଷ୍ମୀସ୍ୱରୂପା-ସୀତା । ରମ୍ୟପ୍ରେମ ରସରେ-ସୀତାଙ୍କ ପ୍ରଗାଢ଼ ପ୍ରେମରେ ।ବଦେ-କହେ । ରାବଣାରି-ରାବଣର ଶତ୍ରୁ । ସମ୍ୱାଦେ-ପ୍ରକାଶିତ ।
୮ମ ପଦ :- ‘‘ତ୍ରିପୁର ବିଜୟୀ ମହାଦେବ ଆମ୍ଭଙ୍କୁ ସ୍ତୁତି କରନ୍ତି । ପୂର୍ବେ ହିରଣ୍ୟ କଶିପୁ ବିଦାରଣ ସମୟରେ ନୃସିଂହ ରୂପ ଧରିଥିଲୁଁ, ଏବେ ତ୍ରିପୁର ବିଜୟୀ ଓ ନରଶ୍ରେଷ୍ଠବୋଲି ଆମ୍ଭଙ୍କୁ ସମସ୍ତେ ବନ୍ଦନା କରୁଅଛନ୍ତି । ପୂର୍ବେ ଶର୍କରା ତୁଲ୍ୟ ମନୋହର ପ୍ରେମରସରେ ସ୍ୱାଭାବିକ ଭାବରେ ବଶ ହୋଇ ବସୁମତୀର ଶୋଭାକୁ ବଢ଼ାଇଥିଲୁ (ବରାହ ବତାରରେ ପୃଥ୍ୱୀକୁ ଦନ୍ତାଗରେ ଧରି ତାର ଶୋଭାସମ୍ପଦ ବୃଦ୍ଧି କରିଥିଲୁଁ); ଏବେ ବସୁମତୀର ଲକ୍ଷ୍ମୀ ସୀତାଙ୍କ ମନୋହର ପ୍ରେମରେ ବଶ ହୋଇଅଛୁଁ । ମାତ୍ର ବର୍ତ୍ତମାନ କହୁଅଛୁ ଯେ ରାବଣାରି’ ପଦ ପାଇଲେ ବଡ ଲଜ୍ଜା ହେବ । କାରଣ ତାହା ଭୂଲ ଅର୍ଥକୁ ବୁଝାଉ ନାହିଁ । ପୂର୍ବେ ଦୈତ୍ୟମାନଙ୍କୁ ବିନାଶ କରି ଯେଉଁ ନାମ ପାଇଲୁ ତାହା ଦୁଇ ଅର୍ଥବୋଧକ, ମାତ୍ର ବର୍ତ୍ତମାନ ତୋତେ ମାଇଲେ ଯେ ରାବଣାରି ନାମକୁ ପାଇବୁ, ତାହା ଏକ ଅର୍ଥବୋଧକ, ତେଣୁ ଏ ନାମ ବହିବାକୁ ଲାଜ ମାଡ଼ୁଛି ) ।’’
୯ମ ପଦ :- ଜଟିଳ-ଜଟାଧାରୀ, ଦୂରଧିଗମ୍ୟ । ବିଜୟ-ଜୟଯୁକ୍ତ । ବିଜୟ କରୁଛି-ବାହାରୁଛି । ନଭୋମଣ୍ଡଳେ-ଆକାଶରେ ।
୯ମ ପଦ :- ହନୁମାନର ପତ୍ର ପାଠ ଶୋଷ ହୁଅନ୍ତେ ରାବଣ କହିଲା, ‘‘ଜାଣିଲି’ ସେ ତ ଜଟାଯୁକ୍ତ ହୋଇଅଛି, ତେଣୁ ସେହି ଜଟିଳ କଥା ପ୍ରକାଶ କରିଅଛି । ମୁଁ ଯୁଦ୍ଧରେ ବିଜୟବନ୍ତ ଅଟେ । ଆଜି ତାକୁ ଉତ୍ତମ ରୂପେ ଜୟକରିବି (ତାହାର ଅସ୍ତିତ୍ୱ ଆଉ ରଖିବିନାହିଁ) l ସେସଜ ହୋଇଥାଉ ।’’ ରାବଣର କଥା ଶୁଣି ବାୟୁପୁତ୍ର ହନୁମାନ ଆକାଶ ମଣ୍ଡଳରେ ଶୀଘ୍ର ବିକ୍ରମି ଯାଇ ରାମଚନ୍ଦ୍ରଙ୍କ ନିକଟରେ ମିଳିଲା ।
୧୦ମ ପଦ :- ବିଗ୍ରହ-ଯୁଦ୍ଧ । ବାଜଣିଆ ଦଳ-ବାଦ୍ୟକାରୀ ସୈନ୍ୟ । କଳପେ-ସମୁହ । ଦୁର୍ଗ-ଗଡ଼ । ନଗାଧିପ-ମେରୁ ପର୍ବତ ।
୧୦ମ ପଦ :- ରାବଣ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଅଛି,-ଏହି କଥା ହନୁମାନ କହିବାରୁ ବାନରରାଜ ସୁଗ୍ରୀବ ସୈନ୍ୟସବୁ ସଜାଇଲେ । ଏହି ସମୟରେ ଲଙ୍କାରୁ ବାଦ୍ୟକାର ସୈନ୍ୟ ବାଦ୍ୟ ବଜାଇ ବାହାର ହେଲେ । ଯେପରି ମେଘସମୂହ ମେରୁ ପର୍ବତରୁ ବାହାର ହୋଇ ଚତୁର୍ଦ୍ଦିଗରେ ବ୍ୟାପିଯାନ୍ତି, ସେହିପରି ରାକ୍ଷସ ସୈନ୍ୟ ଲଙ୍ଗାଗଡ଼ରୁ ବାହାରି ବ୍ୟାପ୍ତ ହୋଇଗଲେ ।
ବଇଜୟନ୍ତୀ ପୀତସ୍ୱତଃ ବିଦ୍ୟୁତ ପରି ପ୍ରକଟ ସେ ସଙ୍ଗେ ।ବରହିଣ ଗଣନୃତ୍ୟ କଲାପ୍ରାୟ ଆସନ୍ତି ପଦାତି ରଙ୍ଗେ ସେ ।ବାଜେ । ବିଦ୍ୟ ଘଣ୍ଟି ଶାମୁକ ସମାଜେ ସେ ।ବଦାଉ କି ପକ୍ଷକର୍ମ ସାଜେ । ୧୧ ।ବାର୍ଦ୍ଧିଏ ଏମନ୍ତ ବୁଦ୍ଧି ପ୍ରକଟିତ ସ୍ୟନ୍ଦନ କୁମ୍ଭୀ ତୁରଙ୍ଗେ ।ବହିତ୍ର କୁମ୍ଭୀର ମହାମୀନମାନ ଗତିକରନ୍ତି କି ରଙ୍ଗେ ସେ ।ବୀଜୀ । ବାରସାଦୀସଦୃଶ ବିରାଜି ।ବାସ ଉଷ୍ଣୀଶ ହିଣ୍ଡୀର ସାଜି । ୧୨ ।ବାରିବ୍ୟାଳଜାଳ କଚ୍ଛପ ମଞ୍ଜୁଳ ସାବେଳୀଆଡ଼ଣୀ ବହି ।ବ୍ୟୁତପତ୍ତି ହୁଏ ଭ୍ରମେ ଚକ୍ରାକୃତ ପୁଚ୍ଛନ୍ତି ଶ୍ରୀରାମ ଚାହିଁ ଏ ।ବ୍ୟୁହ । ବିଧାନରେ ଶ୍ରେଷ୍ଠ କେ କେ କହ ।ବିରାଜନ୍ତି ଯଥା ମହାଗ୍ରଜ । ୧୩ ।ବିଭୀଷଣ ଭଣି ଶୁଣ ରଘୁମଣି କାହାକୁ ବିରିବି ତୁଚ୍ଛ ।ବ୍ରହ୍ମାଣ୍ଡ ଏକେ ଏକେ ଜିଣି ପାରନ୍ତି ଅଷ୍ଟାଦଶ ଗଣ୍ଡା ବତ୍ସ ହେ ।ବୀର । ବଜ୍ରିଜିତ ପ୍ରଥମ କୁମର ।ବାରିଦରୁ ଜନ୍ମି ରଡ଼ଘୋର । ୧୪ ।ବୋଲାଇ ଯେହି ଅତିକାୟ ସେ ସ୍ୱରେ ସମରେ ନାଗରେ ନାହିଁ ।ବିବୁଧେ ମହାପାରୁଶ୍ୱ ପାରୁଶରେ ନ ବସନ୍ତି ଭୟ ବହି ସେ ।ବୀର । ବଡ଼ଦର ଦାତା ମହୋଦର ।ବାମେ ଟେକି ପାରଇ କନ୍ଦର । ୧୫ ।
୧୧ଶ ପଦ :- ବଇଜୟନ୍ତୀ-ପତାକା । ପୀତ-ହଳଦିଆ । ବିଦ୍ୟୁତ୍-ବିଜୁଳି । ବିରହିଗଣ-ମୟୁରମାନେ । ରଙ୍ଗେ-କୌତୁକରେ । ବିଦ୍ୟ-ପ୍ରକାଶିତ । ବଦାଉ-ଅସ୍ତ୍ରବିଶେଷ ।
୧୧ଶ ପଦ :- ମେଘପରି ବ୍ୟାପ୍ତ ହୋଇଥିଲା ସୈନ୍ୟମାନଙ୍କ ସଙ୍ଗରେ ଉଡ଼ୁଥିବା ହଳଦିଆ ଧଳା ବର୍ଣ୍ଣର ପତାକା ସବୁ ବିଜୁଳି ଓ ବକ ସମୂହ ପରି ପ୍ରକାଶିତ ହେଲା । ମେଘ ଉଦିତ ହେବା ସମୟରେ ମୟୁରଗଣ ନୃତ୍ୟ କଲା ପ୍ରାୟ ପାଇକମାନେ ନୃତ୍ୟ କରି ଆସିଲେ । ଉଚ୍ଚ ଶବ୍ଦରେ ବାଜୁଥିବା ସୈନ୍ୟମାନଙ୍କ କଟୀର ଘାଗୁଡ଼ିସବୁ ମେଘଦିନର ଶାମୁକା ଶବ୍ଦ ପରି ଶୁଣାଗଲା । ଢାଲର କମ୍ପନ ପକ୍ଷୀମାନଙ୍କର ପକ୍ଷ ଝାଡ଼ିଲା ପ୍ରାୟ ପ୍ରତେ ହେଲା ।
୧୨ଶ ପଦ :- ବାଦ୍ଧ-ସମୁଦ୍ର । ସ୍ୟନ୍ଦନ-ରଥ । କୁମ୍ଭୀ-ହସ୍ତୀ । ତୁରଙ୍ଗ-ଘୋଡ଼ା ।ବହିତ – ବୋଇତ । ମହାମୀନମାନେ – ବଡ଼ବଡ଼ମାଛସବୁ । ବାଜୀ – ଘୋଡ଼ା । ସାଦୀ-ଅଶ୍ୱାରୋହୀ, ଉଷ୍ଣୀଶ-ପଗଡ଼ି । ହିଣ୍ଡୀର-ଫେଣ । ବାଜୀବାର-ପକ୍ଷୀସମୂହ ।
୧୨ଶ ପଦ :- ରାବଣର ଚତୁରଙ୍ଗ ବଳ ଦେଖି ମନେ ହୁଏ,- ସମୁଦ୍ରରେ ବୋଇତ, କୁମ୍ଭୀର, ରାଘବାଦି ବଡ଼ବଡ଼ ମତ୍ସ୍ୟ ସବୁ ଗତି କଲାପ୍ରାୟ ସୈନ୍ୟବଳ ମଧ୍ୟରେ ରଥ, ହସ୍ତୀ, ଅଶ୍ୱ ସବୁ ଅବଲୀଳାକ୍ରମେ ଗତି କରୁ ଅଛନ୍ତି । ପକ୍ଷୀସମୂହ ସଦୃଶ ଅଶ୍ୱାରୋହୀମାନେ ଶୋଭା ପାଉଅଛନ୍ତି (ସମୁଦ୍ରର ଅଳ୍ପ ଉପରେ ପକ୍ଷୀ ସବୁ ଉଡ଼ୁଥିଲା ପରି ଅଶ୍ୱାରୋହୀମାନେ ଅଶ୍ୱ ଉପରେ ବସିଥିବା ହେତୁ ସୈନ୍ୟବଳଙ୍କର ଅଳ୍ପ ଉପରେ ଗତି କଲା ପ୍ରାୟ ଦେଖା ଯାଉଅଛନ୍ତି । ସୈନ୍ୟମାନଙ୍କର ମୁଣ୍ଡରେ ପଗଡ଼ି ସମୁଦ୍ରର ଫେଣ ସାଜିଅଛି (ଫେଣ ତୁଲ୍ୟ ପ୍ରତୀୟମାନ ହୁଏ ) ।
୧୩ଶ ପଦ :- ବାରିବ୍ୟାଳଜାଳ-ପାଣିଧଣ୍ଡସାପ ସମୂହ । ମଞ୍ଜୁଳ-ମନୋହର । ସାବେଳୀ-ଅସ୍ତ୍ରବିଶେଷ । ଆଡ଼ଣୀ-ଢାଲ । ବ୍ୟୁତ୍ପତ୍ତି-ଜାତ । ମହାଗ୍ରହ-ସୂର୍ଯ୍ୟ ।
୧୩ଶ ପଦ :- ପାଣିଧଣ୍ଡ ସାପ ଓ କଇଁଛ ସମୁଦ୍ର ମଧ୍ୟରେ ଚକ୍ରଗତିରେ ବିହାର କଲା ପରି ସୈନ୍ୟମାନଙ୍କ ହସ୍ତରେ ଥିବା ସାବେଳୀ ଅସ୍ତ୍ର ଓ ଢାଲ ଚକ୍ରାକାରରେ ଘୁରି ସୁନ୍ଦର ଦିଶୁଅଛି । ସେହି ସୈନ୍ୟ ସମୁଦ୍ରକୁ ଚାହିଁ ଶ୍ରୀରାମ ବିଭୀଷଣଙ୍କୁ ପଚାରିଲେ, ‘‘ଏ ସୈନ୍ୟବ୍ୟୁହ ମଧ୍ୟରେ କେଉଁମାନେ ଶ୍ରେଷ୍ଠ ତାହା ମୋତେ କହ । ଏମାନେ ତ ସୂର୍ଯ୍ୟସମ ତେଜଶାଳୀ ଦେଖାଯାଉ ଅଛନ୍ତି ।’’
୧୪ଶ ପଦ :- ଭଣି-କହିଲା । ବତ୍ସ-ପୁତ୍ର । ବଜ୍ରଜିତ-ଇନ୍ଦ୍ର ବିଜୟୀ । ବାରିଦରୁ-ମେଘରୁ ।
୧୪ଶ ପଦ :- ଶ୍ରୀରାମଙ୍କ ପ୍ରଶ୍ନ ଶୁଣି ବିଭୀଷଣ କହିଲେ, ‘‘ହେ ରଘୁମଣି ଶୁଣ । ଏମାନଙ୍କ ମଧ୍ୟରୁ ମୁ କାହାକୁ ତୁଚ୍ଛ ବୋଲି କହିବି ? ଏ ସମସ୍ତେ ସମାନ । ହେ ବୀର । ଏ ଅଠରଗଣ୍ଡା ପୁଅଙ୍କ ମଧ୍ୟରୁ ଜଣେ ଜଣେ ବ୍ରହ୍ମାଣ୍ଡକୁ ଜୟ କରିପାରନ୍ତି । ପ୍ରଥମ ପୁତ୍ର ଇନ୍ଦ୍ରଜିତ ଜନ୍ମସମୟରେ ଏପରି ଶବ୍ଦ କଲା ଯେ, ତାହା ମେଘ ଶବ୍ଦଠାରୁ ଭୟଙ୍କର ଶୁଣାଗଲା ।’’
୧୫ଶ ପଦ :- ସୁରେ-ଦେବାଲୋକରେ (ସ୍ୱର୍ଗ) । ନାଗରେ-ନାଗଲୋକରେ (ପାତାଳରେ) । ବିବୁଧେ-ଦେବତାମାନେ । ପାରୁରେ-ସମୀପରେ । ମନ୍ଦର-ପର୍ବତବିଶେଷ ।
୧୫ଶ ପଦ :- ‘‘ଯେଉଁ କୁମରର ନାମ ଅତିକାୟ, ‘ଦେବଲୋକରେ’ ନାଗଲୋକରେ ତା ସମାନ ଯୁଦ୍ଧ କରିବାକୁ କେହି ନାହିଁ । ମହାପାର୍ଶ୍ୱନାମକ କୁମର ପାଖରେ ଦେବତାମାନେ ଭୟ କରି ବସନ୍ତିନାହିଁ । ହେ ବୀର ମହୋଦର ନାମକ ଯେ ପୁତ୍ର, ସେ ବଡ଼ ଦାତା ଅଟେ । ସେ ବାମ ହସ୍ତରେ ମନ୍ଦର ପର୍ବତକୁ ଟେକି ଦେଇପାରେ ।’’
ବିଷରୂ ବିଷମ ସ୍ଥଳଜଙ୍ଘଶର ଘାରିବେ ହର ହୋଇଲେ ।ବିଶ୍ୱଧୂମ୍ରାକ୍ଷଧୂମ୍ରମୟ କରିବ ଶାୟକ ଏକ ବିନ୍ଧିଲେ ହେ ।ବୀର । ବହେ ମିତ୍ରଘ୍ନ ନାମ ଯେ ସାର ।ବିଘ୍ନ କରେ ମିତ୍ର ତାରତର । ୧୬ ।ବାଜୁଁକାଳଘଣ୍ଟ ଯମଘଣ୍ଟ ଘଣ୍ଟି ଯମ ଉପଯମ ଭାବି ।ବଜ୍ରଦଂଷ୍ଟ୍ର ଦନ୍ତ ରଗଡ଼କୁ ଏକା ଲକ୍ଷ ହୋଇଅଛି ପବି ହେ ।ବୀର । ବ୍ୟକ୍ତ ମହୀରାବଣ ନାମ ।ବାଞ୍ଛେ ମହିମା ବିଷ୍ଣୁ ଉପର । ୧୭ ।ବୋଲୁଁ ଦୈତ୍ୟବଳ ଅନିଳ ଗତିରେ ନୀଳଠଣା ବେଢ଼ ଦେଲେ ।ବାଣାସନେ ଗୁଣ ଧନ୍ୱୀ ତିନିଜଣ ଦେଇ ରଣକୁ ଧାଇଁଲେ ଯେ ।ବୃକ୍ଷେ । ବସିଥିଲେ ତହିଁ କପିମୁଖ୍ୟେ ।ବେଗେ ଉପାଡ଼ି ଧାଇଁ ତ ଦକ୍ଷେ । ୧୮ ।ବେନି ସୈନ୍ୟ ଭେଟି ଅଟବୀ ସମାନ କଣ୍ଟକଭାବେ ଅଗମ୍ୟ ।ବିହରେ କେଶରୀ ସିଂହ ବେନି ବନେ ବହନ୍ତିଏ ତର୍କେ ସମ କେ ।ବନେ । ବିଭ୍ରାଜିତଗବୟ ଗମନେ ।ବନେ ଶାର୍ଦ୍ଦୂଳ କ୍ରୀଡ଼ାକୁ ଘେନେ । ୧୯ ।ବନକେ ଡାଳିମ୍ବ ଜାମ୍ବବ ପନସ ଚନ୍ଦନ ହିଁ ମନୋରମ ।ବନକରେ ମେଘନାଦ ଶୁକ କଙ୍କ ମଣ୍ଡଳୀଯେ ହୁଏ ରମ୍ୟ କେ ।ବନେ । ବିପତନ ଶାଖା ଅବିଚ୍ଛିନ୍ନେ ।ବନେ ଖଡ୍ଗ ଆତପାତ ଘନେ । ୨୦ ।
୧୬ଶ ପଦ :- ବିଷମ-ଉତ୍କଟ । ଘାରିବେ-ସଂଜ୍ଞାହୀନ ହେବେ । ହର-ଶିବ । ବିଶ୍ୱ-ସଂସାର । ସାୟକ-ଶର । ସାର-ଶ୍ରେଷ୍ଠ । ମିତ୍ର-ସୂର୍ଯ୍ୟ । ତାରତର-ଅତିଶୟ ଦୀପ୍ତିମନ୍ତ ।
୧୬ଶ ପଦ :- ସ୍ଥୂଳଜଙ୍ଘ ପୁତ୍ରରର ଶର ବିଷଠାରୁ ମଧ୍ୟ ଭୟଙ୍କର ଅଟେ । ମହାଦେବ ମଧ୍ୟ ସେ ଶରାଘାତରେ ଅଚେତ ହୋଇଯିବ । (ବିଷଭକ୍ଷ ମହାଦେବ ମଧ୍ୟ ଶରାଘାତରେ ଅଚେତ ହେବ । ତେଣୁ ତାହା ବିଷରୁ ବିଷମ ଅଟେ) । ଧୂମ୍ରାକ୍ଷ ନାମକ ପୁତ୍ରଗୋଟିଏ ମାତ୍ର ବାଣ ବିନ୍ଧି ସଂସାରକୁ ଧୂମ୍ରମୟ କରିଦେବ । ହେ ବୀର । ଯେଉଁ ପୁତ୍ରର ନାମ ମିତ୍ରଘ୍ନ, ତାହାର ସେ ନାମ ସାର୍ଥକ ଅଟେ । କାରଣ, ତାହାର ଜ୍ୟୋତିଦେଖି ସୂର୍ଯ୍ୟ ସୁଦ୍ଧା ତେଜହୀନ ହୋଇଯାନ୍ତି ।’’
୧୭ଶ ପଦ :- ପବି-ବଜ୍ର । ବ୍ୟକ୍ତ-ପ୍ରକାଶିତ । ମହିମା-ଆଧିପତ୍ୟ ।
୧୭ଶ ପଦ :- ‘‘କାଳିଘଣ୍ଟ ଓ ଯମଘଣ୍ଟ ନାମକ ପୁତ୍ର ଦୁହିଙ୍କର ଘଣ୍ଟି ବାଜନ୍ତେ ଯମ ତାହା ଶୁଣି ଭାବେ, ‘ଏ ଦୁହେଁ ମୋର ବିନାଶକର୍ତ୍ତା ଅଟନ୍ତି ।’ ବଜ୍ରଦଂଷ୍ଟ ନାମକ ପୁତ୍ରର ଦନ୍ତ କଡ଼ମଡ଼ ଶବ୍ଦ ସହିତ ବଜ୍ରଶବ୍ଦ ଏକା ତୁଳନୀୟ; (ଆଉ କିଛି ତୁଳନୀୟ ହୋଇ ନପାରେ) ହେ ବୀର ।ମହୀରାବଣ ନାମା ପୁତ୍ର; ବିଷ୍ଣୁଙ୍କ ଉପରେ ମଧ୍ୟ ଆଧିପତ୍ୟ ବିସ୍ତାର କରିବାକୁ ଇଚ୍ଛାକରେ ।’’
୧୮ଶ ପଦ :- ଅନିଳ-ପବନ । ନୀଳଠଣା-ନୀଳ ସେନାପତି ଥିବା ସ୍ଥାନ । ବେଢ଼ଦେଲେ-ବେଢ଼ିଗଲେ । ବାଣାସନେ-ଧନୁରେ । ଧନ୍ୱୀ-ଧନୁର୍ଦ୍ଧାରୀ । କପିମୁଖ୍ୟେ-ଶ୍ରେଷ୍ଠ ମର୍କଟମାନେ । ଦକ୍ଷେ-ଦକ୍ଷିଣ ହସ୍ତରେ ।
୧୮ଶ ପଦ :- ବିଭୀଷଣ ଏହି କଥା କହିବା ସମୟେ ଦୈତ୍ୟବଳ ପବନଗତିରେ ଆସି ନୀଳ ସେନାପତିର ବ୍ୟୁହକୁ ବେଢ଼ିଗଲେ । ତାହା ଦେଖି ଧନୁର୍ଦ୍ଧାରୀ ତିନିଜଣ-ରାମ’ ଲକ୍ଷ୍ମଣ ଓ ବିଭୀଷଣ ଧନୁରେ ଗୁଣ ବସାଇ ରଣକ୍ଷତ୍ରକୁ ଧାଇଁଲେ । ତତ୍ପର କପିଶ୍ରେଷ୍ଠମାନେ ଯେଉଁ ବୃକ୍ଷରେ ବସିଥିଲେ, ସେ ବୃକ୍ଷକୁ ଉପାଡ଼ି ଦକ୍ଷିଣହସ୍ତରେ ଧରି ଅତିଶୀଘ୍ର ଧାଇଁଲେ ।
୧୯ଶ ପଦ :- ଅଟବୀ-ଅରଣ୍ୟ । କଣ୍ଟକଭାବେ-ଶତ୍ରୁ ଭାବରେ । ଅଗମ୍ୟ - ଯେଉଁଠାରେ ପ୍ରବେଶ କରଯାଇନପାରେ । ବିହିରେ-ଭ୍ରମଣ କରେ । କେଶରୀ -ସିଂହ । ବିଭାଜିତ-ପ୍ରକାଶିତ । ଶାର୍ଦ୍ଦୂଳ-ବ୍ୟାଘ୍ର, ରାକ୍ଷସବିଶେଷ ।
୧୯ଶ ପଦ :- ରାମ ଓ ରାବଣର ସୈନ୍ୟ ଭେଟାଭେଟି ହେବାରୁ ତାହା ଅରଣ୍ୟ ତୁଲ୍ୟ ପ୍ରତୀୟମାନ ହେଲା । ଯେପରି କଣ୍ଟକ ବୃକ୍ଷ ଥିବା ହେତୁ ଅରଣ୍ୟ ଅଗମ୍ୟ ହୋଇଥାଏ, ସେହିପରି ଦୁଇ ସୈନ୍ୟମଧ୍ୟରେ ଶତ୍ରୁଭାବ ଥିବାରୁ ତାହା ଦୁର୍ଗମ ହୋଇଅଛି (ଗୋଟିଏ ପାଖର ସୈନ୍ୟ ଅନ୍ୟପାଖର ସୈନ୍ୟମଧ୍ୟରେ ହଠାତ୍ ପଶିପାରୁନାହିଁ) । ବନରେ ସିଂହ ବିହାର କଲାପରି ରାମଙ୍କ ସୈନ୍ୟରେ କେଶରୀ ନାମକ ମର୍କଟ ଓ ରାବଣ ସୈନ୍ୟରେ ସିଂହ ନାମକ ରାକ୍ଷସ ଭ୍ରମଣ କରୁଅଛନ୍ତି । ଏ ଦୁହେଁ ଉତ୍ପ୍ରେକ୍ଷାରେ ସମାନ ଭାବକୁ ବହନ୍ତି । ବନମଧ୍ୟରେ ଗୟଳ ଓ ବ୍ୟାଘ୍ର କ୍ରୀଡ଼ାକଲାପରି ରାମଙ୍କ ସୈନ୍ୟ ମଧ୍ୟରେ ଗବୟ ନାମକ ମର୍କଟ ଓ ରାବଣ ସୈନ୍ୟମଧ୍ୟରେ ଶାର୍ଦ୍ଦୂଳ ନାମକ ରାକ୍ଷସ କ୍ରୀଡ଼ା କରୁଅଛନ୍ତି ।
୨୦ଶ ପଦ :- ରମ୍ୟ - ମନୋହର । ବିପତନ-ପଡ଼ିବା । ଅବିଚ୍ଛିନ୍ନେ - ନିରନ୍ତର । ଘନେ-ନିବିଡ଼ ବା ସାନ୍ଦ୍ରଭାବରେ । ଖଡ଼୍ଗ-ଗଣ୍ଡା, ଖଣ୍ଡା । ମେଘନାଦ - ମୟୁର ଇନ୍ଦ୍ରଜିତ ।
୨୦ଶ ପଦ :- ରାମଙ୍କ ସୈନ୍ୟ ବନରେ ଜାମ୍ୱବ ନାମକ ରୁକ୍ଷରାଜା । ଜାମୁଛେ ତୁଲ୍ୟ, ଡାଳିମ୍ୱ ନାମକ କପି ଡ଼ାଳିମ୍ବ ଗଛ ତୁଲ୍ୟ, ପନସ ନାମକ କପି ପଣସ ଗଛ, ଚନ୍ଦନ ନାମା କପି ଚନ୍ଦନଗଛ ପ୍ରାୟ ମନୋହର ଦେଖା ଯାଉଅଛନ୍ତି । ରାବଣ ସୈନ୍ୟ-ବନରେ ମେଘନାଦ ମୟୁର ତୁଲ୍ୟ, ଶୁକ ମନ୍ତ୍ରୀ ଶୁକପକ୍ଷୀ ତୁଲ୍ୟ, କଙ୍କନାମକ ଦୈତ୍ୟ କଙ୍କପକ୍ଷୀ ପ୍ରାୟ ମନୋରମ ହୋଇଅଛନ୍ତି । ରାମଙ୍କ ସୈନ୍ୟ ବନରେ ବୃକ୍ଷ ଡାଳ ସବୁ ଅନବରତ ପଡ଼ୁଅଛି । (କପି ସୈନ୍ୟମାନେ ବୃକ୍ଷ ଡାଳ ଭାଙ୍ଗି ପ୍ରହାର କରୁଅଛନ୍ତି) । ରାବଣ ସୈନ୍ୟ-ବନରେ ଖଣ୍ଡାରୂପ ଗଣ୍ଡା ପଶୁସବୁ ନିବିଡ଼ ଭାବରେ ଆତଯାତ ହେଉଅଛନ୍ତି ।
ବାରିଦେ ବାରିଦ ମେଳ ହେଲା ପ୍ରାୟ ଋଷି ରାକ୍ଷସଙ୍କ ଦ୍ୱନ୍ଦ୍ୱ ।ବରଷେକେ ତହିଁ ଉପଳକେ କରେ ଆୟୁଧକୁଳିଶେ ଭେଦ ସେ ।ବେନି । ବିକାଶନ୍ତି ତହିଁ ଘୋରଧ୍ୱନି ।ବିଗ୍ରହରୁ ଜଳଧାରା ଦାନୀ । ୨୧ ।ବିଶେଷେ ଚଞ୍ଚଳା ଗତି କେ ଘେନନ୍ତି ଅଚଳାଲିଙ୍ଗନ କେତେ ।ବହିବାରୁ ତହିଁ କୀଲାଲ ସରିତ ପ୍ରକଟ କବନ୍ଧ ନୃତ୍ୟେ ସେ ।ବାରେ । ବିଲୋକନକୁଆନନକରେ ।ବିଦ୍ୟତରଣୀ ଯୁକ୍ତ ବାସରେ । ୨୨ ।ବାଦୀ ଅଷ୍ଟସେନା ଯୁଥପତି ସଙ୍ଗେ ରାଜପୁତ୍ର ଏକ ଏକ ।ବାହିନୀମାନେ ଜଗଜ୍ଜେଠିମାନଙ୍କେ ଏ ବିଧିରଣରଚକ ସେ ।ବଳୀ । ବ୍ୟାଘ୍ର ବ୍ୟାଘ୍ର କି କରନ୍ତି କଳି ।ବୃକ୍ଷ ବୃକ୍ଷ କି ବିରୋଧୀ ମିଳି । ୨୩ ।ବିଭୀଷଣ ମିତ୍ର ଘନରବିସୁତ ମହୋଦର କଲେ ଦ୍ୱନ୍ଦ ।ବାଳିତନୟେ ଅତିକାୟ ମାରୁତି ମହାପାରୁଶ୍ୱର ବାଦ ସେ ।ବୁଝ । ବହ୍ନିସୁତ ସ୍ଥୂଳଜଙ୍ଘ ଯୁଝ ।ବଜ ଦଂଷ୍ଟ୍ର ନଳ ରଣମଝ । ୨୪ ।ବେଢ଼ିଶତ ପରିପନ୍ଥୀ ଆଦି ଅଷ୍ଟରଥୀ ଦିଗଦନ୍ତୀ ସମ ।କିରାଜେ ତଥିମଧ୍ୟରେ ଦାଶରଥି ଶୋଭାରତ୍ନସାନୁ ରମ୍ୟ ସେ ।ବେଳେ । ବିବସ୍ୱାନ ପ୍ରଭା ନ ଛାଡ଼ିଲେ ।ବିବୁଧଙ୍କ ହିତ ସବୁକାଳେ । ୨୫ ।
୨୧ଶ ପଦ :- ବାରିଦ-ମେଘମାଳା । ଋକ୍ଷ-ଭଲ୍ଲୁକ । ଦ୍ୱନ୍ଦ୍ୱ-କଳହ । ଉପଳ-ପ୍ରସ୍ତର, କୁଆପଥର । ଆୟୁଧ-ଅସ୍ତ୍ର ଶସ୍ତ୍ର ପ୍ରଭୃତି । କୁଳିଶେ-ବଜ୍ରରେ । ବିକାଶନ୍ତି-ପ୍ରକାଶ କରନ୍ତି । ବିଗ୍ରହରୁ-ଯୁଦ୍ଧରୁ ।
୨୧ଶ ପଦ :- ମେଘମଣ୍ଡଳ ସହିତ ମେଘମଣ୍ଡଳର (ବଉଦ ସହିତ ବଉଦର ) ମେଳ ହେଲା ପ୍ରାୟ ରୁକ୍ଷ ରାକ୍ଷସଙ୍କର ଯୁଦ୍ଧ ହେଲା । ସେ ଯୁଦ୍ଧରେ କେହି କୁଆପଥର ପ୍ରାୟ ପଥରମାନ ବୃଷ୍ଟିକଲା । କେହି ବଜ୍ରରୂପ ଶସ୍ତ୍ରମାନ ନିକ୍ଷେପ କରି ଶତ୍ରୁକୁ ଭେଦ କଲା । ଦୁଇ ଥାଟ ସେ ଯୁଦ୍ଧଭୂମିରେ ଭୟଙ୍କର ଶବ୍ଦ କରିବାକୁ ଲାଗିଲେ । ତାଙ୍କ ଦେହରୁ ଜଳଧାରା ପ୍ରାୟ ଶ୍ରମଝାଳ ବହିବାକୁ ଲାଗିଲ ।
୨୨ଶ ପଦ :- ଚଞ୍ଚଳା-ବିଦ୍ୟୁତ୍, ଚଞ୍ଚଳ । ଅଚଳାଲିଙ୍ଗନ-ପର୍ବତକୁ ଆଲୀଙ୍ଗନ । କୀଲାଲ-ରକ୍ତ । ସରିତ-ନଦୀ । କବନ୍ଧ-ମସ୍ତକହୀନ ଦେହ । ଜଳ-ଲହରୀ । ବାରେ-ଥରେ । ଆନ-ଅନ୍ୟଥା । ତରଣୀ-ନୌକା, ସୂର୍ଯ୍ୟ । ବାସରେ-ଦିବସରେ ।
୨୨ଶ ପଦ :- ଯେପରି ବର୍ଷାକାଳରେ ମେଘରେ ବିଜୁଳି ଗତି କରେ, କେଉଁ କେଉଁ ମେଘମାଳ ସବୁ ପର୍ବତକୁ ଆଲିଙ୍ଗନ କରିଥାନ୍ତି (ପର୍ବତ ଉପରେ ଉଡ଼ି ବୁଲୁଥାନ୍ତି), ଜଳ ବଢ଼ିବାରୁ ନଦୀରେ ତରଙ୍ଗସବୁ ନୃତ୍ୟ କରୁଥାଏ, ପୁଣି ସେ ବଢ଼ିଜଳରେ ‘ନଳରେ’ (ନତ୍ରେ) କୁମ୍ଭୀରମାନେ ଦେଖାଯାନ୍ତିନାହିଁ, ନୌକାସବୁ ଗୃହପରି ସଜ୍ଜିତ ହୋଇ ନଦୀରେ ବିଦ୍ୟମାନ ଥାଏ; ସେହିପରି ଯୁଦ୍ଧ ସମୟରେ ବୀରମାନେ ଖୁବ୍ଶୀଘ୍ର ଗତିକରି ଧାଉଁ ଅଛନ୍ତି, କେତେକ ବୀର ପର୍ବତଖଣ୍ଡମାନ ଧରି ଅଛନ୍ତି,ରକ୍ତନଦୀ ବଢ଼ିଅଛି, ଛିନ୍ନମସ୍ତକ ସୈନ୍ୟନୃତ୍ୟ କରୁଅଛନ୍ତି, ସୂର୍ଯ୍ୟ ଥାଇ ସୁଦ୍ଧା ଦିନରେ ଯୁଦ୍ଧକ୍ଷେତ୍ର ଶରଜ୍ୱାଳାଦ୍ୱାରା ଚତୁର୍ଦ୍ଦିଗ ଏପରି ଆଚ୍ଛନ୍ନ ହୋଇଛି ଯେ, କେହି କାହାକୁ ଥରେ ଦେଖି ପାରୁନାହାଁନ୍ତି ।
୨୩ଶ ପଦ :- ବାହିନୀମାନେ-ବଳିଷ୍ଠ ସେନାମାନେ ।
୨୩ଶ ପଦ :- ଅଷ୍ଟସେନା ଓ ପଚିଶ ଯୁଥପତି ପ୍ରତ୍ୟେକଙ୍କ ସଙ୍ଗରେ ରାବଣର ପୁତ୍ର ନାତିମାନେ ଜଣେ ଜଣେ ହୋଇ ବିବାଦୀ ହେଲେ । ବଳିଷ୍ଠ ସେନାମାନେ ଜଗଜ୍ଜେଠିମାନଙ୍କ ସହିତ ଯଥାବିଧାନରେ ଯୁଦ୍ଧରେ ରତ ହେଲେ । ତାହା ଦେଖି ବୋଧ ହେଲା, ବ୍ୟାଘ୍ର ସହିତ ବ୍ୟାଘ୍ର କଳି କରୁଛି କି ? କିମ୍ୱା ଷଣ୍ଢ ଷଣ୍ଢ ମିଶି ଲଢ଼େଇ କରୁଅଛନ୍ତି କି ?
୨୪ଶ ପଦ :- ରବିସୁତ-ସୁଗ୍ରୀବ । ବହ୍ନି ସୁତ-ନୀଳ ।
୨୪ଶ ପଦ :- ବିଭୀଷଣ ମିତ୍ରଘ୍ନ ସହିତ, ସୁଗ୍ରୀବ ମହୋଦର ସହିତ ଯୁଦ୍ଧ କଲେ । ଅଙ୍ଗଦ ଅତିକାୟ ସଙ୍ଗରେ, ହନୁମାନ ମହାପାର୍ଶ୍ୱ ସଙ୍ଗରେ ବିବାଦରେ ରତ ହେଲେ । ହେ ସାଧୁଜନେ ! ବୁଝ, ନୀଳ ଓ ସ୍ଥୂଳଜଙ୍ଘ ଏ ଦୁହିଁଙ୍କର ଏବଂ ନଳ ଓ ବ୍ରଜଦଂଷ୍ଟ୍ର ଏ ଦୁହିଁଙ୍କର ଯୁଦ୍ଧ ହେଲା ।
୨୫ଶ ପଦ :- ଶକ୍ରପରିପନ୍ଥୀ-ଇନ୍ଦ୍ରଙ୍କର ଶତ୍ରୁ ଅର୍ଥାତ୍ ଇନ୍ଦ୍ରଜିତ । ଦିଗଦନ୍ତୀ-ଦିଗ୍ଗଜ । ଦାଶରଥି-ରାମଚନ୍ଦ୍ର । ରନସାନୁ- ସୁମେରୁ ପର୍ବତ । ରମ୍ୟ-ସୁନ୍ଦର, ବିବସ୍ୱାନ-ସୂର୍ଯ୍ୟ । ପ୍ରଭା-ତେଜ ବା ଦୀପ୍ତି ।
୨୫ଶ ପଦ :- ଇନ୍ଦ୍ରଜିତ ପ୍ରଭୃତି ଅଷ୍ଟରଥୀ ଦିଗ୍ଗଜ ପ୍ରାୟ ରାମଚନ୍ଦ୍ରଙ୍କୁ ବେଢ଼ି ଗଲାରୁ ରାମଚନ୍ଦ୍ର ସେମାନଙ୍କ ମଧ୍ୟରେ ରହି ମେରୁ ପର୍ବତ ଶୋଭାଧାରଣ କଲେ । ମେରୁ ପର୍ବତ ଦେବତାମାନଙ୍କର ଆବାସସ୍ଥଳ ଏବଂ ସୂର୍ଯ୍ୟ ପ୍ରଭା ସର୍ବଦା ମେରୁ ପର୍ବତରେ ବିଦ୍ୟମାନ ଥାଏ, ସେହିପରି ସୂର୍ଯ୍ୟବଂଶୀୟ ବା ସୂର୍ଯ୍ୟସମ ତେଜସ୍ୱର ରାମଚନ୍ଦ୍ର ଦେବତାମାନଙ୍କର ହିତ ଇଚ୍ଛାରେ ଏଠାରେ ବିଦ୍ୟମାନ ରହିଲେ ।
ବିପତ୍ତି ଇଚ୍ଛିତ ଲକ୍ଷ୍ମଣ ରାବଣେ ଝାମ୍ପି କାଳୀ ପ୍ରଭା ଲଭି ।ବକ୍ରମାଳୀଭୋଗିବର ଜ୍ୟେଷ୍ଠ ପୂଣ କଞ୍ଚୁକରେ ଯେଣୁ ଶୋଭୀ ସେ ।ବିନ୍ଧି । ବେଗେ ମନ୍ତ୍ର କଙ୍କପତ୍ର ସନ୍ଧି ।ବିଷପ୍ରତିଜ୍ଞା ଝାଡ଼ିଲେ ଶୋଧି । ୨୬ ।ବାରେ ବାରେ କଲା ସେତକ ପ୍ରୟାସ ନବାଜୁଁ ଚ୍ଛେଦିଲେ ଗାତ୍ରେ ।ବାରଣୀ ଜାଣଇ ଯତି ବୋଲି ଗୁଣି ହୋଇଲା ତାହାର ଚିତ୍ତେ ସେ ।ବୀର । ବ୍ୟାକୁଳରେ ଛାଡ଼ିରଡ଼ି ଘୋର ।ବ୍ରଣ ପୂରିଲା ଯହୁ ଶରୀର । ୨୭ ।ବପ୍ତାରପଞ୍ଚତ୍ୱ ଏହିକ୍ଷଣି ହେବ ପଞ୍ଚମନେ ଏହା ଚିନ୍ତି ।ବାମେ ଥାଇ ବାମ ହୋଇ ଇନ୍ଦ୍ରଜିତ ପ୍ରହାରେ ଅମୋଘ ଶକ୍ତି ସେ ।ବେଗେ । କିଶୋଇଲା ସେ ଲକ୍ଷ୍ମଣ ଅଙ୍ଗେ ।ବିଜ୍ଞାନ ସେ ଯଥା ଛୁଇଁ ନାଗେ । ୨୮ ।ବିଂଶାକ୍ଷ ଦେଖି ସୁଖୀ ରଥୁ ଓହ୍ଲାଇ ତୋଳୁଁ ନ ଚଳି ଲିତାଏ ।ବାସୁକି ବିନା ଧରଣୀ ଧରକୁ କ୍ଷମ କିମହୀଲତାଏ ସେ ।ବିଧା । ଜିହୁଁ ମାରୁତି ହୋଇ ସକ୍ରୋଧା ।ବହୁଡ଼ିଲାଛାଡ଼ିଦଶମୁର୍ଦ୍ଧ । ୨୯ ।ବିନୟରେ ଲୟ ପବନ ତନୟ ଟେକି ଘେନିଗଲା ବହି ।ବାଳ ଉଡ଼ାଇ କି ତ୍ରିକୂଟରେ ଏକ କୂଟକୁ ଏଲକ୍ଷ ବହି ସେ ।ବାଞ୍ଛି । ବାମ ଦେତାଦ୍ରିରୁ ଗରୁ ଅଛି ସେ ।ବଳ ଏଡ଼େ ତା କପି ନେଉଛି ସେ । ୩୦ ।
୨୬ଶ ପଦ :- ବିପତି (ତ୍ତି)-ଗରୁଡ଼, ବିପଦ । ଇଚ୍ଛି-ଇସ୍ପିତ, ଇଚ୍ଛାକରି କାଳୀ-ପ୍ରଭା, କାଳୀୟ ସର୍ପର ଶୋଭା । କଞ୍ଚୁକ-ସାଞ୍ଜୁ, କାତି । କଙ୍କପତ୍ର-ଶର । ଶୋଧି-ଶୋଧନ କରି । ଜ୍ୟେଷ୍ଠ-ପ୍ରଥମ, ଶ୍ରେଷ୍ଠ ।
୨୬ଶ ପଦ :- କାଳୀସର୍ପ ଯେପରି ବହୁ ଫଣା ବିଶିଷ୍ଟ ସର୍ପଙ୍କ ମଧ୍ୟରେ ପ୍ରଧାନ ଏବଂ ତାହାର ଶରୀର କାତିଦ୍ୱାରା ଆବୃତ ଅଟେ, ସେହିପରି ରାବଣ ବହୁ ମୁଖ ବିଶିଷ୍ଟ, ଶ୍ରେଷ୍ଠ ଭୋଗୀଙ୍କ ମଧ୍ୟରେ ପ୍ରଥମ ଓ ତାହାର ଶରୀର ବର୍ମ ଦ୍ୱାରା ଆବୃତ ଅଟେ । ତେଣୁ ସେ କାଳୀ ସର୍ପର ଶୋଭାକୁ ଧାରଣ କରିଅଛି । ପକ୍ଷୀରାଜ ଗରୁଡ଼ ପରି ଲକ୍ଷ୍ମଣ ତାହାର ବିପଦକୁ ଇଚ୍ଛା କରି ତା ଉପରକୁ ଝାମ୍ପିଲେ, ପୁଣି ଧନୁରେ ଯେଉଁ ଶର ଯୋଚିଲେ, ତା ମନ୍ତ୍ର ପ୍ରାୟ ହୋଇ ରାବଣର ପ୍ରତିଜ୍ଞା ବିଷକୁ ଝାଡ଼ି ଦେଲା ।
୨୭ଶ ପଦ :- ଗାତ୍ରେ-ଦେହରେ । ବାରଣୀ-ନିବାରଣ ଉପାୟ । ଯତି-ତପସ୍ୱୀ । ଗୁଣି-ଭାବି । ବ୍ରଣ-କ୍ଷତ ।
୨୭ଶ ପଦ :- ରାବଣ ଥରକୁଥର ଯେତେ ଶର ପ୍ରୟୋଗ କଲା, ତାହା ଦେହରେ ନ ବାଜୁଣୁ ଲକ୍ଷ୍ମଣ ତାହା ସବୁ ଛେଦି ପକାଇଲେ । ତାହା ଦେଖି ରାବଣ ଚିତ୍ତରେ ଭାବିଲା, ‘‘ଏ ଯତି ବାଣ ବାରଣୀ’ ବାଣ ଦେହରେ ନ ବାଜିବା ମନ୍ତ୍ର ଜାଣେ ( ନ ହେଲେ ବାଣ ଏହା ଦେହରେ ନ ବାଜନ୍ତା କାହିଁକି ?) । ରାବଣର ଦେହ ଲକ୍ଷ୍ମଣର ଶରାଘାତରେ କ୍ଷତ ହୋଇଯିବାରୁ ସେ ଆତଙ୍କରେ ଘୋର ରଡ଼ି ଛାଡ଼ିଲା ।
୨୮ଶ ପଦ :- ବପ୍ତା-ପିତା । ପଞ୍ଚତ୍ୱ-ମରଣ । ପଞ୍ଚମନେ-ପଞ୍ଚଭୂତାତ୍ମାରେ । ବାମେ-ବାମପାର୍ଶ୍ୱରେ । ବାମ-ବିପକ୍ଷ । ବିଜ୍ଞାନ-ଅଚେତନ । ନଗେ-ନାଗସର୍ପ ।
୨୮ଶ ପଦ :- ରାବଣ ବ୍ୟାକୁଳ ରଡ଼ି ଶୁଣି ଇନ୍ଦ୍ରଜିତ ପଞ୍ଚମନରେ ଭାବିଲା, ‘‘ଏହିକ୍ଷଣି ପିତାର ମୃତ୍ୟୁ ହେବ ।’’ ଏହା ଭାବି ସେ ଆସି ରାବଣର ବାମ ଭାଗରେ ରହି ଲକ୍ଷ୍ମଣଙ୍କର ପ୍ରତିକୂଳ ହୋଇ ଅମୋଘ ଶକ୍ତି ପ୍ରହାର କଲା । ସେ ଶକ୍ତି ଶୀଘ୍ର ଯାଇ ଲକ୍ଷ୍ମଣଙ୍କ ଦେହରେ ବାଜିଲା, ସର୍ପମାନେ ଦଂଶନ କଲାପରି ଲକ୍ଷ୍ମଣ ହତଜ୍ଞାନ ହୋଇ ପଡ଼ିଗଲେ ।
୨୯ଶ ପଦ :- ତୋଳୁ-ଟେକିବାରୁ । କ୍ଷମ-ସମର୍ଥ । ମହୀଲତାଏ-ଜିଆସବୁ । ମାରୁତି-ହନୁମାନ । କ୍ରୋଧ-ରାଗ । ଦଶମୂର୍ଦ୍ଧା-ରାବଣ ।
୨୯ଶ ପଦ :- ଲକ୍ଷ୍ମଣ ଅଚେତ ହୋଇ ପଡ଼ିବାର ଦେଖି ରାବଣ ସୁଖୀ ହୋଇ ରଥରୁ ଓହ୍ଲାଇ ଆସି ନେବା ଇଚ୍ଛାରେ ଲକ୍ଷ୍ମଣଙ୍କୁ ତୋଳିବାରୁ ସେ ତିଳେ ମାତ୍ର ଚଳିଲେ ନାହିଁ । ପୃଥ୍ୱୀର ଭାର ବହିବାକୁ ନାଗରାଜବାସୁକି ବିନା ଜିଆସବୁ ସକ୍ଷମ ହେବେ କି ? ଏହା ଦେଖି ହନୁମାନ କ୍ରୋଧଯୁକ୍ତ ହୋଇ ବିଧା ପ୍ରହାର କରିବାରୁ ରାବଣ ଲକ୍ଷ୍ମଣଙ୍କୁ ଛାଡ଼ି ଫେରିଗଲା ।
୩୦ଶ ପଦ :- ଲୟ-ଧ୍ୟାନ୍ଦ । ବାତ-ପବନ । ତ୍ରିକୂଟ-ପର୍ବତ ବିଶେଷ । କୂଟ-ଶୃଙ୍ଗ । ବାମଦେବାଦ୍ରିରୁ-କୈଳାସ ପର୍ବତରୁ ।
୩୦ଶ ପଦ :- ପବନପୁତ୍ର ହନୁମାନ ଲକ୍ଷ୍ମଣଙ୍କୁ ବିନୟରେ ସ୍ତୁତି କରି ଟେକି ନେଇ ଗଲାବେଳେ ଏହି ତୁଳନା ଧାରଣ କଲା, ତ୍ରିକୂଟ ପର୍ବତର ଗୋଟିଏ ଶୃଙ୍ଗକୁ ପବନ ଉଡ଼ାଇ ନେଉଅଛି କି ? ତାହା ଦେଖି ରାବଣ ବିଚାରିଲା, ‘ମାଙ୍କଡ଼ଟାର ଏତେ ବଳ ଯେ, କୈଳାସ ପର୍ବତରୁ ଗରିଷ୍ଠ ଏ ଲକ୍ଷ୍ମଣଙ୍କୁ ଟେକି ନେଉଅଛି ।’
ବାଳି ଅନୁକ ବିଭୀଷଣ ସୁଷେଣଜାମ୍ବବ ଲକ୍ଷ୍ମଣ ତୁଲେ ।ବାଟେ ଯାଉ ସେ ସୁବେଳକୁ ଚେତନା ପାଇଁଯୁଦ୍ଧ କାମ କଲେ ସେ ।ବୀର । ବୋଧିକପିବଜ କଲେ ଧୀର ସେ ।ବ୍ୟାପେ କୋପେ ରଘୁନାୟକର ସେ । ୩୧ ।ବରଷିବ ନାହିଁ କେତେ ନୀର ଘନ ଶର ପ୍ରହାରିଲେ ଯେତେ ।ବିଦିଶ ଦିଶକୁ କୁଜ୍ଝଟୀ ଝଟିତ ଘୋଡ଼ାଇ ନାହିଁ ତେମନ୍ତେ ସେ ।ବୈରୀ । ବଳପାକକାଣ୍ଡପୂର୍ଣ୍ଣ କରି ସେ ।ବିରାଜିଲେ ସେ ଶ୍ୱାବିତ ପରି ସେ । ୩୨ ।ବିରକ୍ତେ ରକ୍ତେ ଜରଜର କବଚ ଭିନ୍ନ ବଚନ ସ୍ଫୁରିତ ।ବିଦ୍ରାବଣ କଉଣପଗଣ ହେଲେ ଚରମେ ଜନିତ ଘାତ ସେ ।ବାମ । ବିଚ୍ଛେଦନ କଲେ ଧ୍ୱଜସ୍ତୋମ ସେ ।ବେପଥୁ ତ ଗାତରେ ଜନମ ସେ । ୩୩ ।ବଢ଼ିଲା ନଦୀ ଭେଳକରେ ମେଳକହୋଇଣ ନିସ୍ତେଜ ଯଥା ।ବୃଶ୍ଚିକ କର୍କଟ ଭାସି ଯାଉଥାନ୍ତି ରଥେ ଲଙ୍କପତି ତଥା ସେ ।ବକ । ବ୍ୟୁହ ବସିଥିଲା ଲକ୍ଷ ତର୍କ ସେ ।ବାସବାରି ଆଦି ରଥିଯାକ ସେ । ୩୪ ।ବାନରେ ଭୟତଭୂତ ପ୍ରାୟ ହୋଇ ଶାଖା ପ୍ରସ୍ତର ପତନେ ।ବଳାଇ ଦ୍ୱାର ବାହୁଡ଼େ ରାମଚନ୍ଦ୍ର ବିଜେ ସୁବେଳରେ ଘନେ ସେ ।ବୀର । ବର ଲକ୍ଷ୍ମଣ ନମେ ପୟର ସେ ।ବଡ଼ ଆଶଙ୍କା ମାନସୁଁ ଦୁର ସେ । ୩୫ ।୩୧ଶ ପଦ :- ବାଳି-ଅନୁୀଜ-ବାଳିରସାନଭାଇ ସୁଗ୍ରୀବ ।
୩୧ଶ ପଦ :- ସୁଗ୍ରୀବ, ବଭୀଷଣ, ସୁଷେଣ, ଜାମ୍ୱବ ଏ ଚାରିଜଣ ଲକ୍ଷ୍ମଣଙ୍କ ସହିତ ଗଲେ । ସୁବେଳ ପର୍ବତକୁ ଯିବା ସମୟରେ ବାଟରେ ଲକ୍ଷ୍ମଣ ଚେତନା ପାଇ ପୁଣି ଯୁଦ୍ଧ କରିବାକୁ ଇଚ୍ଛା କଲେ । ତାଙ୍କୁ କପିରାଜ ସୁଗ୍ରୀବ ବୋଧ ଦେଇ ସ୍ଥିର କଲେ । ଏଣେ ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ଶକ୍ତି ପ୍ରହାର କରିବା ଶୁଣି ରାମଙ୍କର କ୍ରୋଧ ବୃଦ୍ଧି ପ୍ରାପ୍ତ ହେଲା ।
୩୨ଶ ପଦ :- ନୀର-ଜଳ । ଘନ-ମେଘ । ବିଦିଶଦିଶ-ଦିଗ ଓ ବିଦିଗ । କୁଗ୍ଝଟୀ-କୁହୁଡ଼ି । ବୈରୀ-ଶତ୍ରୁ । ଶ୍ୱାବିତ-ଝୀଙ୍କ ପକ୍ଷୀ ।
୩୨ଶ ପଦ :- ରାମ କ୍ରୋଧାନିତ୍ୱ ହୋଇ ଯେତେ ଶର ପ୍ରହାରକଲେ, ମେଘ ସେତେ ଜଳ ବର୍ଷିବ ନାହିଁ । (ରାମଙ୍କର ଶରକ୍ଷେପଣ ବୃଷ୍ଟିଧାରା ସଂଖ୍ୟାଠାରୁ ବେଶୀ ହେଲା) । ସେ ଶରଦ୍ବାରା ତତ୍କ୍ଷଣାତ୍ ଚତୁର୍ଦ୍ଦିଗ ଏପରି ଅନ୍ଧକାର ହୋଇଗଲା ଯେ, କୁହୁଡ଼ି ମଧ୍ୟ ଦିଗବିଦିଗ ଏପରି ଆଚ୍ଛନ୍ନ କରିପାରିବ ନାହିଁ । ରାକ୍ଷସ ସୈନ୍ୟଯାକଙ୍କ ଦେହ ରାମଙ୍କ ଶରରେ ଏପରି ପୂର୍ଣ୍ଣ ହୋଇଗଲା ଯେ, ସେମାନେ ଝିଙ୍କ ପକ୍ଷୀ ପ୍ରାୟ ଦେଖାଗଲେ ।
୩୩ଶ ପଦ :- କବଚ-ସାଞ୍ଜୁ । ବିଦ୍ରାବଣ-ପଳାଇଯିବ । କଲ୍ୟାପ-ରାକ୍ଷସ । ଚରମେ-ପୃଷ୍ଠଦେଶରେ । ଧ୍ୱଜସ୍ତୋମ-ପତାକାସମୂହ । ବେପଥୁ-କମ୍ପନ ।
୩୩ଶ ପଦ :- ରାକ୍ଷସ ସୈନ୍ୟଙ୍କ ଦେହରେ ଥିବା ସାଞ୍ଜୁ ବାଣାଘାତରେ ଛିଣ୍ଡିଯିବାରୁ ସେମାନେ ରକ୍ତରେ ଜରଜର ହୋଇଗଲେ । (ସାଞ୍ଜୁ ଛିଣ୍ଡିଯିବାରୁ ଶର ତାଙ୍କ ହୃଦୟ ଭେଦ କରି ରକ୍ତ ବୁହାଇ ଦେଲା ) ତାଙ୍କ ପାଟିରୁ କଥା ବାହାରିଲା ନାହିଁ । ରାକ୍ଷସମାନେ ବିରକ୍ତ ହୋଇ ପଳାଇ ଯିବାରୁ ତାଙ୍କ ପୃଷ୍ଠଦେଶରୁ ବାଣ ବିଦ୍ଧ ହୋଇ ଆଘାତ ଦେଲା । ତାଙ୍କର ଶତ୍ରୁ ରାମଚନ୍ଦ୍ର ବାଣ ଦ୍ୱାରା ତାଙ୍କ ପତାକାସବୁ ଛିନ୍ନ କରି ପକାଇଲେ । ଭୟରେ ପୃଷ୍ଠଭଙ୍ଗ ଦେଇ ପଳାଉଥିବା ରାକ୍ଷସମାନେ ଥରିବାକୁ ଲାଗିଲେ ।
୩୪ଶ ପଦ :- ଭଳକରେ-ଭେଳାରେ । ମେଳକ-ଏକତ୍ରିତ । ନିସ୍ତେଜ-ତେଜହୀନ । ବୃଶ୍ଚିକ-ବିଛା । କର୍କଟ-କଙ୍କଡ଼ା । ବ୍ୟୁହ-ସମୁହ । ବାସବାରି-ଇନ୍ଦ୍ରଜିତ ।
୩୪ଶ ପଦ :- ବଢ଼ିଥିବା ନଦୀଜଳରେ ତେଜୋହୀନ ହୋଇଥିବା ବିଛା ଓ କଙ୍କଡ଼ା ମେଳ ହୋଇ ଯେପରି ଭେଳା ସାହାଯ୍ୟରେ ଭାସିଗଲା ବେଳେ ଦେଖାଯାନ୍ତି; ସେହିପରି ରଥ ଉପରେ ବସିଥିବା ରାବଣ ଦେଖାଯାଉଅଛି । ଇନ୍ଦ୍ରଜିତ ଆଦି ବୀରମାନେ ରଥରେ ଥାଇ ବଗସମୂହ ଏକ ଦୃଷ୍ଟରେ ଚାହିଁ ରହିଲା ପ୍ରାୟ ଯୁଦ୍ଧକୁ ଚାହିଁ ଅଛନ୍ତି ।
୩୫ଶ:- ଭୟଦ-ଭୟପ୍ରଦ । ଘନେ-ସତ୍ୱରେ । ମନାସୁଁ-ମନରୁ ।
୩୫ଶ ପଦ :- ସେହି ସମୟରେ କପିସେନାମାନେ ଡାଳ ପଥର ପକାଇବାରୁ ଭୂତ ପ୍ରାୟ ଭୟପଦ ହେଲେ । ଅସୁର ସୈନ୍ୟଙ୍କୁ ଲଙ୍କାଗଡ଼ଦ୍ୱାର ବଳାଇ ଦେଇ ରାମଚନ୍ଦ୍ର ଫେରି ଶୀଘ୍ର ସୁବେଳ ପର୍ବତରେ ବିଜେ କଲେ ।ବୀରବର ଲକ୍ଷ୍ମଣ ରାମଚନ୍ଦ୍ରଙ୍କ ପାଦରେ ନମସ୍କାର କଲେ । ତାଙ୍କୁ ଦେଖି ରାମଙ୍କ ମନରେ ଥିବା ଭୟର ଆଶଙ୍କା ଦୂର ହେଲା ।
ବୋଲନ୍ତି ଶ୍ରୀରାମ ଅଟନ୍ତି ଉତ୍ତମତୁଙ୍ଗତୁମୁଳେ ସେ ଦୁଇ ।ବିଭୀଷଣ ତୋତେ ଯେ ଶକ୍ତି ମାଇଲା,ଲକ୍ଷ୍ମଣେ ଯେ ଶକ୍ତି ବିହି ହେ ।ବୀର । ବଞ୍ଚାଇଲୁ ତୁ ଖଗପ୍ରକାର ହେ ।ବାଜି ଅନୁଜ ମୋହମୋହରେ ହେ । ୩୬ ।ବୋଇଲେ ଲକ୍ଷ୍ମଣ ଶୁଣି ତା ତତକ୍ଷ୍ଣ ପାଶୁଁପ୍ରହାର ଅଜାଗେ ।ବାଣସନ ଛୁଇଁ ନିୟମ କରୁଛି ତା-ସମର ମୋ ଭାଗେ ସେ ।ବୀର । ବୋଲୁଁକୋପେ କମ୍ପେ କଳେବର ସେ ।ବିଜେ ଯାଇ ଶିଖରିଶିଖର ସେ । ୩୭ ।ବିରସେ ରଥୁ ଓହ୍ଲାଇ ସଭା କରି ବସି ରାବଣ ଭାଷିଲା ।ବହୁତ କାଳ ବୃଦ୍ଧେ ଅଛ ଅଛ କି ଏଗୋଲଯୁଦ୍ଧ ଦେଖିଲା ଏ ।ବିଧି । ବେନି ଭ୍ରାତ ସମ ଧନ୍ୱୀଯୋଧୀ ଏ ।ବଜବନ୍ତେ ଏକେ ଏକେ ସିଦ୍ଧି ଏ । ୩୮ ।ବୋଲେ କି ଥିଲି ତ୍ରିପୁର ହର ରଣେ ବୋଲେକେ ତାରକ ହବେ ।ବୋଲେ କେ ଥିଲି ଚଣ୍ଡୀଯୁଦ୍ଧେ ନୋହିଛି ଏଦ୍ୱନ୍ଦ୍ୱ ନୋହିବ କେବେହେ ।ବୀର । ବୃଷଧ୍ୱଜ ବିଷ୍ଣୁ ଦୁର୍ଗାଙ୍କର ହେ ।ବିନ୍ଧିବାକୁ କାହିଁଛି ସତ୍ୱର ହେ । ୩୯ ।ବୃକ୍ଷଭଖଗେନ୍ଦ୍ର ସିଂହ ଐରାବତେ କପିଙ୍କ-ପ୍ରାକର୍ମ ନାହିଁ ।ବୋଲୁଁ ଇନ୍ଦ୍ରଜିତ ବୋଇଲାଦଣ୍ଡେକ ନ ସହିଲକାହିଁ ପାଇଁ ମୁଁ ।ବଧି । ବୀର ସାନୁଜକୁ ଶକ୍ତି ସନ୍ଧି ମୁଁ ।ବଡ଼ଯତିକି ଆଣନ୍ତି ବାନ୍ଧି ମୁଁ । ୪୦ ।୩୬ଶ ପଦ :- ତୁଙ୍ଗ-ଉଚ୍ଚ । ତୁମୂଳ-ପ୍ରଗାଢ଼ । ଖଗପ୍ରକାର-ପକ୍ଷୀସଦୃଶ । ଅନୂଜ-ସାନଭାଇ । ମୋହ-ଅଚେତନ ।
୩୬ଶ ପଦ :- ଶ୍ରୀରାମ କହିଲେ, ‘‘ହେ ବିଭୀଷଣ । ତୁମ୍ଭଙ୍କୁ ଯେ ଶକ୍ତି ମାଇଲା, ଯେ ପରି ଲକ୍ଷ୍ମଣଙ୍କୁ ଶକ୍ତି ପ୍ରହାର କଲା, ସେ ଦୁଇଜଣ ଭୀଷଣ ରଣ କ୍ଷେତ୍ରରେ ପ୍ରଧାନ ଯୋଦ୍ଧା ଅଟନ୍ତି । ହେ ବୀର । ତୁମ୍ଭେ ପକ୍ଷୀ ପ୍ରାୟ ଶୂନ୍ୟକୁ ଉଡ଼ିଯାଇ ନିଜକୁ ରକ୍ଷାକଲେ । ମାତ୍ର ମୋହରସାନଭାଇ ଲକ୍ଷ୍ମଣ ଶକ୍ତିଘାତରେ ମୋହ ଗଲା ।’’
୩୭ଶ ପଦ :- ପାଶୁଁ-ପାର୍ଶ୍ୱଦେଶରୁ । ଅଜାଗେ-ଅସାବଧାନତାରେ । ବାଣାସନ- ଧନୁ । କଳେବର-ଦେହ । ଶିଖରିଶିଖର-ପର୍ବତଶୃଙ୍ଗ ।
୩୭ଶ ପଦ :- ତାହା ଶୁଣି ଲକ୍ଷ୍ମଣ ତତ୍କ୍ଷଣାତ୍ କହିଲେ, ‘‘ପାର୍ଶ୍ୱଦେଶରୁ ଶକ୍ତି ପ୍ରହାର କରିବାରୁ ଅସାବଧାନତା ହେତୁ ତାହା ନିବାରଣ କରି ହେଲାନାହିଁ । ଏବେ ଧନୁ ଛୁଇଁ ନିୟମ କରୁଛି, ତା ଯୁଦ୍ଧ ମୋ ଭାଗରେ ରହିଲା ।’’ ବୀର ଲକ୍ଷ୍ମଣ ଏହା କହିବା ବେଳେ କ୍ରୋଧହେତୁ ତାଙ୍କ ଶରୀର ଥରିବାକୁ ଲାଗିଲା । ସେଠାରୁ ସମସ୍ତେ ସୁବେଳ ପର୍ବତର ଶିଖରରେ ଥିବା ଛାଉଣୀକୁ ବିଜେ କଲେ ।
୩୮ଶ ପଦ :- ଭାସିଲା-କହିଲା । ଗୋଳଯୁଦ୍ଧ-ଭୟଙ୍କର ଯୁଦ୍ଧ । ବିଧି-ବିଧାନକାରୀ । ଧନ୍ୱୀ-ଧନୁର୍ଦ୍ଧର ।
୩୮ଶ ପଦ :- ରାବଣ ବିରସ ମନରେ ରଥରୁ ଓହ୍ଲାଇ ସଭାକରି ବସି କହିଲା, ‘‘ଏଠାରେ ବହୁତ କାଳର ବୃଦ୍ଧଲୋକମାନେ ଅଛ, ତୁମ୍ଭମାନଙ୍କ ମଧ୍ୟରୁ କେହି ଏପରି ଭୟଙ୍କର ଯୁଦ୍ଧ କେବେ ଦେଖିଅଛ କି ? ରାମ ଲକ୍ଷ୍ମଣ ଦୁଇଭାଇ ସମାନ ଧନୁର୍ଦ୍ଧର ଓ ଯୋଦ୍ଧା ଅଟନ୍ତି । ଜଣେ ଜଣେ ବଳବନ୍ତ ପଣରେ ସିଦ୍ଧି ଲାଭ କରି ଅଛନ୍ତି ।’’
୩୯ଶ ପଦ :- ତ୍ରିପୁର ହର ରଣେ-ତ୍ରିପୁରାସୁର ଓ ଶିବଙ୍କର ଯୁଦ୍ଧରେ । ତାରକାହବେ-ତାରକାସୁର ଯୁଦ୍ଧରେ । ଦ୍ୱନ୍ଦ୍ୱ-କଳହ, ଯୁଦ୍ଧ । ବୃଷଧ୍ୱଜ-ଶିବ ।
୩୯ଶ ପଦ :- ରାବଣର ପ୍ରଶ୍ନ ଶୁଣି କେହି ବୃଦ୍ଧ କହିଲା, ‘‘ମୁଁ ଶିବ ଓ ତ୍ରିପୁରାସୁରଙ୍କ ଯୁଦ୍ଧ କାଳରେ ଥିଲି, କେହି କହିଲା; ମୁଁ କାର୍ତ୍ତିକେୟ ଓ ତାରକାସୁର ଯୁଦ୍ଧ ସମୟରେ ଥିଲି, କେହି କହିଲା, ମୁଁ କାର୍ତ୍ତିକେୟ ଓ ତାରକାସୁର ଯୁଦ୍ଧ ସମୟରେ ଥିଲି । କେହି କହିଲା, ମୁଁଚଣ୍ଡୀ ଓ ମହିଷାସୁର ଯୁଦ୍ଧ କାଳରେ ଥିଲି । ଏପରି ଯୁଦ୍ଧ କେବେ ହୋଇ ନାହିଁ କି ଭବିଷ୍ୟତରେ କେବେ ହେବ ନାହିଁ ।’’ ହେ ବୀର । ଏ ଦୁଇ ଭାଇ (ରାମ ଓ ଲକ୍ଷ୍ମଣ) ଯେପରି ଭାବରେ ଶର ବିନ୍ଧୁ ଅଛନ୍ତି, ସେପରି ଶୀଘ୍ର ଶର ନିକ୍ଷେପ କରିବା କ୍ଷମତା ମହାଦେବ, ବିଷ୍ଣୁ, ଦୁର୍ଗାଙ୍କର ମଧ୍ୟ ନାହିଁ ।’
୪୦ଶ ପଦ :- ବୃଷଭ-ଷଣ୍ଢ । ଖଗେନ୍ଦ୍ର-ଗରୁଡ଼ । ପ୍ରାକର୍ମ-ପରାକର୍ମ ବା ବଳ । ସାନୁଜକୁ-ସାନଭାଇକୁ । ଯତି-ତପସ୍ୱୀ ।
୪୦ଶ ପଦ :- ‘‘ମହାଦେବ ବାହନ ବୃଷଭ; ବିଷ୍ଣୁ ବାହାନ ଗରୁଡ଼, ଦୁର୍ଗାଙ୍କ ବାହାନ ସିଂହ, ଇନ୍ଦ୍ର ବାହାନ ଐରାବତଗଜ ଏମାନଙ୍କଠାରେ ମଧ୍ୟ ସେ କପିସୈନ୍ୟମାନଙ୍କର ପରାକ୍ରମ ନାହିଁ ।’ ବୃଦ୍ଧମାନେ ଏପରି କହନ୍ତେ ଇନ୍ଦ୍ରଜିତ କହିଲେ, ‘‘ଦଣ୍ଡେ ମାତ୍ର କାହିଁ ପାଇଁ ସହ୍ୟକରି ନରହିଲ ? ମୁଁ ବୀର ଲକ୍ଷ୍ମଣକୁ ତ ଶକ୍ତି ମାରିଥିଲି, ଆଉ କ୍ଷଣେ ମାତ୍ର ରହିଥିଲେ ସମସ୍ତଙ୍କୁ ମାରି ବଡ଼ ଯତି ରାମକୁ ବାନ୍ଧି ଆଣି ଥାଆନ୍ତି ।’
ବାର୍ତ୍ତାବହେ ଆସି ଏ ସମୟେ ଭାଷି ଶକ୍ତି ଚର୍ମେ ନ ଫୁଟିଲା ।ବାଜିବା ବେଗରେ ତେଜରେ ମାତ୍ରକ କ୍ଷଣେ ମୋଦି ହୋଇଥିଲା ସେ ।ବୀର । ବାଟେ ଚେତନା ହୋଇଲା ତାର ସେ ।ବଦି ପ୍ରତିଜ୍ଞା କଲା ଅପାର ସେ । ୪୧ ।ବଇଶ୍ରବଣ ପୁତ୍ରମୁଖ ଚାହଁନ୍ତେ ବୋଇଲା କୃପାଣ କଷି ।ବର୍ତ୍ତିବେ ନାହିଁ ଏଥର ରଣେ ଏକ ସହ ଶେଷକେଉ ନିଶି ହେ ।ବିହେ ! ବୀରବର ଏ ରସସମୂହେ ।ବୟାଳିଶ ପଦ ଚିତ୍ତ ମୋହେ ହେ । ୪୨ ।୪୧ଶ ପଦ :- ବାର୍ତ୍ତାବହେ-ଦୂତମାନେ । ଭାଷି-କହି । ବଦି-ବୋଲି । ଅପାର-ଅସୀମ ।
୪୧ଶ ପଦ :- ଏହି ସମୟରେ ଗୋଟିଏ ଦୂତ ଆସି କହିଲା, ‘ଇନ୍ଦ୍ରଜିତ ମାରିଥିବା ଶକ୍ତି ଲକ୍ଷ୍ମଣଙ୍କ ଚର୍ମରେ ସୁଦ୍ଧା ଫୁଟି ନ ଥିଲା । ଶକ୍ତିବାଜିବାର ବେଗ ଓ ତାର ତେଜ ପ୍ରଭାବରେ ସେ କ୍ଷଣେ ମାତ୍ରକ ଯାହା ମୋହ ଯାଇଥିଲା । ସେ ବୀର ଲକ୍ଷ୍ମଣର ଫେରିଯିବା ବାଟରେ ଚେତନା ଆସିଲା । ସେ ବହୁତ ପ୍ରତିଜ୍ଞାମାନ କହି ଛାଉଣୀକୁ ଚାଲିଗଲା ।’
୪୨ଶ ପଦ:-ବଇଶ୍ରବଣ-ରାବଣ ।କୃପଣ-ଖଡ଼୍ଗ । ବର୍ତ୍ତିବେ- ବଞ୍ଚିବେ । ରଣେ-ଯୁଦ୍ଧରେ । ନିଶି-ରାତ୍ର । କଷି-ଝମକାଇ ।
୪୨ଶ ପଦ:- ରାବଣ ଏହା ଶୁଣି ଇନ୍ଦ୍ରଜିତ୍ର ମୁଖକୁ ଚାହାଁନ୍ତେ, ସେ ଖଡ଼୍ଗ ଝମକାଇ କହିଲା, ‘‘ଏ ଥରର ଯୁଦ୍ଧରେ ଜଣେମାତ୍ର ବର୍ତ୍ତିବେ ନାହିଁ । ଆଜି ରାତ୍ର ଶେଷ ହେବା ପର୍ଯ୍ୟନ୍ତ ସମ୍ଭାଳିହୋଇ ରୁହ ।’’ ମନମୁଗ୍ଧକର ରସ ସମୁହ ଯୁକ୍ତ ଏ ଛାନ୍ଦ ବୟାଳିଶ ପଦରେ ବୀରବର ରଚନା କଲେ ।
ତ୍ରିଚତ୍ୱାରିଂଶ ଛାନ୍ଦରାଗ – ଖଣ୍ଡକାମୋଦୀ(ଯଦୁ ସିଂହ ଚଉତିଶା ବାଣୀରେ)