ବିଭାବରୀ ବିନାଶ ବିଭାବସୁ ପ୍ରକାଶ — ବୈଦେହୀଶ ବିଳାସ (ଚତୁର୍ଥ ଭାଗ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବିଭାବରୀ ବିନାଶ ବିଭାବସୁ ପ୍ରକାଶ
ବିଭାବରୀ ବିନାଶ ବିଭାବସୁ ପ୍ରକାଶ ପ୍ରକଟ ଅଶେଷ ।ବିଷମବାମେ ତ୍ରାସ ବିଂଶନେତ୍ରନିଶ୍ୱାସତେଜି ବୋଇଲା ଉଚ୍ଚ ଭାଷ ସେ !ବଂଶଧ୍ୱଂସ ।ବ୍ୟର୍ଥ ଆନନ୍ଦରେ କରି ଅଂଶ ବୋଧିମୋ ଭ୍ରାତ ଘେନି ଆସ ।ବିନିଦ୍ରରେ ରଭସ ବିନଶତ୍ୟି ଅବଶ୍ୟ କରିବ ବଇରୀସାହସ ସେ । ୧ ।ବାରିଧି କୁମ୍ଭନୀର ଗ୍ରାସେ କୁମ୍ଭସୁତର ସମ୍ଭବ ନୁହଇ ଆନର ।ବାନର ନରବଳ ବେନିଜାତ ରୁଧିରପାନ ହେବ କୁମ୍ଭକର୍ଣ୍ଣର ସେ ।ବାରବାର ।ବାରିଜୀବଙ୍କ ପରକାର ବିରାଜିବ ମୃତ ଶରୀର ।ବଞ୍ଚକ ଗୃଧ୍ର ଚିରକ୍ଷୁଧା ହୋଇବ ଦୂର ଭଜିବ ଲଙ୍କାପୁର ସ୍ଥିର ସେ । ୨ ।ବୋଲନ୍ତେ ମହୋଦରେ ଚାହିଁ କୁଳୁପାକ୍ଷରେ ଯାଇ ସେ ସତ୍ୱରେ ଚତ୍ୱରେବେଶ୍ୱବର ଭିତରେ ପଶିଣ ତଦୁତ୍ତାରେ ଦେଖିଲେ ପଲ୍ୟଙ୍କ ଉପରେ ସେବିନ୍ଧ୍ୟଧରେ ।ବପୁ ତାର ଉପମା ଧରେ ବତାସ ଲକ୍ଷ ନିଃଶ୍ୱାସରେ ।ବସେ ନିଜସ୍ଥାନରେ ଗତି କରି ଊର୍ଦ୍ଧ୍ୱରେ ମନ୍ଦିରଚାଳ ନିରନ୍ତରେ ସେ । ୩ ।ବୋଳି ଚନ୍ଦନ ଫଇଁ ଉଚ୍ଚରେ ଡାକଦେଇ ବହୁତ ଲୋକ ରୁଣ୍ଡ ହୋଇ ।ବିଚେଷ୍ଟା ନ ଭାଜଇ ଶ୍ରୂତିପାର୍ଶ୍ୱେ ତୁହାଇ ବିବିଧ ବାଦ୍ୟକୁ ବଜାଇ ସେ ।ବାଜୀ ନେଇ ।ବିସ୍ତାର ଅଙ୍ଗରେ ଧୂଆଇଁ ବାରଣଦନ୍ତରେ ମରାଇ ।ବସିଲା ଚେତା ପାଇ ବହୁ ଆହାର ଖାଇ ଦୁଧ ମଦ ରକତ ପିଇ ସେ । ୪ ।ବାହାରି ଶତ ଶତଆହାରୀ ହୋଇ ଦୈତ୍ୟ ବାହାରି କରେ ଶୂଳଧୃତ ।ବିବୁଧ ତଳେ ସ୍ଥିତ କଳ୍ପପାଦପବତ ପ୍ରାକାରେ ଜିଣି ଦିଶେ ମତ ସେ ।ଚଳବନ୍ତ ।ବହେ ଅଭ୍ରମୁପତି ଭୀତ ବାରବାର ଆଉଁଷେ ଦନ୍ତ ।ବିମଳଜ୍ୟୋତି ହତ ଆଦିତ୍ୟ ସନ୍ତପନ୍ତ ତୁରଙ୍ଗରଙ୍ଗ ବିଳମ୍ବିତ ସେ ।୫।
୧ମ ପଦ :- ବିଭାବରୀ-ରାତ୍ରି । ବିଭାବବସୁ-ସୂର୍ଯ୍ୟ । ବିଭାଷ-ଶବ୍ଦ । ଅଶେଷ-ଅସଂଖ୍ୟ । ବିଷମବାମେ-ଭୟଙ୍କର ଶତ୍ରୁଠାରେ । ତ୍ରାସ-ଭୟ । ବଂଶଧ୍ୱଂସ-ବଂଶବିନାଶ । ରଭସ-ଶୀଘ୍ର ।
୧ମ ପଦ :- ରାତ୍ରି ଶେଷ ହୋଇ ପ୍ରଭାତ ହୁଅନ୍ତେ ସୂର୍ଯ୍ୟ ଉଦିତ ହେଲେ ଓ ବିଶେଷ ଭାବରେ ପକ୍ଷୀଙ୍କର ଶବ୍ଦ ଶୁଣାଗଲା । ରାବଣ ଶତ୍ରୁଠାରୁ ଅତିଶୟ ଭୟପ୍ରାପ୍ତ ହୋଇଥିବାରୁ ଦୀର୍ଘନିଶ୍ୱାସ ପକାଇ ଉଚ୍ଚ ସ୍ୱରରେ କହିଲା ‘‘ଅନ୍ୟବୀରଠାରେ ଆଶା ରଖି ବ୍ୟର୍ଥରେ ମୋ ବଂଶ ଧ୍ୱଂସହେଲା; ଏବେ ମୋ ଭାଇ କୁମ୍ଭକର୍ଣ୍ଣକୁ ନିଦ୍ରାରୁ ଉଠାଇ ବୋଧ ଦେଇ ଘେନିଆସ । ସେ ନିଦ୍ରାରୁ ଉଠିଲେ ଅବଶ୍ୟ ଶୀଘ୍ର ଯାଇ ଶତ୍ରୁମାନଙ୍କର ବଢ଼ିଯାଉଥିବା ସାହସକୁ ବିନାଶ କରିବ । ଅଥବା ଶତ୍ରୁଙ୍କୁ ସାହସ ପୂର୍ବକ ବିନାଶ କରିବ ।’’
୨ୟ ପଦ :- ବାରିଧି ସମୁଦ୍ର । କୁମ୍ଭନୀର-ମାଠିଆଏ ପାଣି । କୁମ୍ଭ ସୁତର-ଅଗସ୍ତିଙ୍କର । ରୁଧିର-ରକ୍ତ । ବାରବାର-ଅସଂଖ୍ୟ, ବାରମ୍ବାର ବା ଥରକୁଥର । ବାରିଜିବ- ଜଳଚର ପ୍ରାଣୀ । ବଞ୍ଚକ-ବିଲୁଆ ।ଗ୍ରୁଧ-ଶାଗୁଣା ।
୨ୟ ପଦ :- ‘‘କେବଳ କୁମ୍ଭସ୍ତୁତ ଅଗସ୍ତ୍ୟ ମୁନିଙ୍କଠାରେ ସମୁଦ୍ରକୁ କୁମ୍ଭଜଳ ପ୍ରାୟ ପାନ କରିବାର ସାମର୍ଥ୍ୟ ସମ୍ଭବ, ଅନ୍ୟଠାରେ ନୁହେଁ । ସେହିପରି ନର ବାନରଙ୍କ ଦେହରୁ ଜାତହେବା ରକ୍ତ ପାନ କରିବା ଶକ୍ତି କେବଳ କୁମ୍ଭବର୍ଣ୍ଣଠାରେ ହିଁ ସମ୍ଭବ । ସେ ଯୁଦ୍ଧ କଲେ ଯୁଦ୍ଧକ୍ଷେତ୍ରରେ ଜଳଜନ୍ତୁ ପ୍ରାୟ ଶବ ଥରକୁ ଥର ଭାସିବେ (ଶତ୍ରୁଙ୍କ ରକ୍ତ ଜଳପ୍ରାୟ ଯୁଦ୍ଧକ୍ଷେତ୍ରକୁ ପ୍ଲାବିତ କରିବ) । ଶୃଗାଳ ଶାଗୁଣାମାନଙ୍କର କ୍ଷୁଦ୍ଧ ଚିରକାଳ ପାଇଁ ଦୂର ହୋଇଯିବ । ଶତ୍ରୁଶୂନ୍ୟ ହେବାରୁ ଲଙ୍କାପୁର ସୂସ୍ଥ ହେବ ।’’
୩ୟ ପଦ :- ସତ୍ୱର-ଚଞ୍ଚଳ । ଚତ୍ୱରେ-ଅଗଣରେ । ବେଷ୍ମବର-ମନୋହର ଗୃହ । ବିନ୍ଧ୍ୟଧର-ବିନ୍ଧ୍ୟପର୍ବତ । ବପୁ-ଶରୀର । ଉର୍ଦ୍ଧରେ-ଉପରେ । ମନ୍ଦର ଚାଳ-ଘରର ଚାଳ । ନିରନ୍ତର-ସର୍ବଦ ।
୩ୟ ପଦ :- ରାବଣ ମହୋଦର ଓ ଜୁଳୁପାକ୍ଷକୁ ଚାହିଁ ଏହା କହନ୍ତେ’ ସେ ଦୁହେଁ ଶୀଘ୍ରଯାଇ କୁମ୍ଭକର୍ଣ୍ଣର ଅଗଣାରେ ମିଳିଲେ । ତଦନନ୍ତର ସେହି ଶ୍ରେଷ୍ଠ ଗୃହ ଭିତରେ ପଶି ଦେଖିଲେ ଯେ, କୁମ୍ଭକର୍ଣ୍ଣ ପଲଙ୍କ ଉପରେ ଶୋଇଅଛି । ନିଶ୍ୱାସ ବହୁଅଛି । ସର୍ବଦା ନିଶ୍ୱାସ ଛାଡ଼ିବା ହେତୁ ଶୟନଗୃହର ଚାଳ ଉର୍ଦ୍ଧ୍ୱକୁ ଉଠି ପୁଣି ନିଜ ସ୍ଥାନରେ ରହୁଅଛି । (ସେ ଏଡ଼େଯୋରରେ ନିଶ୍ୱାସ ଛାଡ଼ୁଅଛି ଯେ, ଗୃହର ଚାଳ ଉଠୁଛି ଓ ପଡ଼ୁଛି) ।
୪ର୍ଥ ପଦ :- ବିଚେଷ୍ଟା-ଅଜ୍ଞାନ ।ଶ୍ରୁତିପାର୍ଶ୍ୱରେ-କର୍ଣ୍ଣପାର୍ଶ୍ୱରେ ।ବାଜୀ-ଘୋଟକ ।ଧୂଆଇଁ-ଦୌଡ଼ାଇ ।ବାରଣଦନ୍ତରେ-ହାତୀଦାନ୍ତରେ । ଫାଇଁ-ପ୍ରଚୁର ।
୪ର୍ଥ ପଦ :- ସେମାନେ କୁମ୍ଭକର୍ଣ୍ଣର ନିଦ୍ରା ଭଗ୍ନ ନିମନ୍ତେ ବହୁତ ଚନ୍ଦନ ତାହାର ଦେହରେ ବୋଳିଲେ । ଅନେକ ଲୋକ ଏକାଠି ରୁଣ୍ଡହୋଇ ଉଚ୍ଚରେ ଡାକ ଦେଲେ । ତଥାପି ତାର ନିଦ୍ରା ଭଗ୍ନ ନ ହେବାରୁ କାନପାଖରେ ନାନାପ୍ରକାର ବାଦ୍ୟ ଘନ ଘନ ବଜାଇଲେ, ଘୋଡ଼ାମାନଙ୍କୁ ନେଇ ତାହାର ବିସ୍ତୃତ ବକ୍ଷ ଦେଶରେ, ଦଉଡ଼ାଇଲେ, ହାତୀକୁ ନେଇ ଦନ୍ତଦ୍ୱାରା ତାହାକୁ ଉଠାଇଲେ । ଏହିପରି ହେବାରୁ ସେ ଚେତା ପାଇ ବସିଲା ଏବଂ ବହୁଳ ଖାଦ୍ୟ ଖାଇ ଦୁଧ, ରକତ ଓ ମଦ୍ୟ ପାନକଲା ।
୫ମ ପଦ :- ବାହାରି-(ବାହ-ମହିଷ, ଅରି-ଶତ୍ରୁ), ମହିଷଆହାରୀ-କୁମ୍ଭକର୍ଣ୍ଣ । ଆହାରୀ-ଭୋଜନପଟୁ । ଦୈତ୍ୟ-ରାକ୍ଷସ (କୁମ୍ଭକର୍ଣ୍ଣ) । ବିବୁଧାଚଳ-ମେରୁପର୍ବତ । କଳ୍ପପାଦପର୍ବତ-କଳ୍ପବୃକ୍ଷପରି ତାର ଦେହ ବିନ୍ଧ୍ୟପର୍ବତ ପ୍ରାୟ ଦେଖା ଯାଉଅଛି । ବତାସ ବହିଲା ପ୍ରାୟ ତା ଅଭ୍ରମୂତି-ଐରାବତ ହସ୍ତୀ । ବାରବାର-ପୁନଃପୁନ । ବିମଳଜ୍ୟୋତି-ନିର୍ମଳଛବି । ଆଦିତ୍ୟ-ସୂର୍ଯ୍ୟ । ତୁରଙ୍ଗରଙ୍ଗ-ଘୋଡ଼ାମାନଙ୍କରକ୍ରୀଡ଼ା । ବିଳମ୍ବିତ-ବିଳମ୍ବ । ପ୍ରକାର-ପ୍ରଚୀର ।
୫ମ ପଦ :- ସେହି କୁମ୍ଭକର୍ଣ୍ଣ ଦୈତ୍ୟ ଶତ ଶତ ମଇଁଷି ଆହାର କରି ହସ୍ତରେ ଶଳଧରି ବାହାରି ପଡ଼ିଲା । ଏହା ସତ ଯେ, ମେରୁଗିରି ପରେ କଳ୍ପବୃକ୍ଷ ସ୍ଥିତ ହେଲା ପ୍ରାୟ ଲଙ୍କା ପାଚେରୀରୁ ବଳି ଦେଖାଯାଉଥିବା ମେରୁଗିରିସମ କୁମ୍ଭକର୍ଣ୍ଣ ହସ୍ତରେ କଳ୍ପବୃକ୍ଷସମ ଶୂଳ ଦେଖାଗଲା । ସେହି ବଳିଷ୍ଠ ବୀର ଉଠିବାରୁ ଐରାବତ ହସ୍ତୀ ଭୟ ପାଇ ବାରମ୍ବାର ତା ଦାନ୍ତକୁ ଆଉଁସିଲା । (ପୂର୍ବେ କୁମ୍ଭକର୍ଣ୍ଣ ତା ଦାନ୍ତ ଉପାଡ଼ି ପକାଇଥିଲା । କୁମ୍ଭକର୍ଣ୍ଣକୁ ଦେଖି ସୂର୍ଯ୍ୟ ସନ୍ତପ୍ତ ହେଲେ, ତାଙ୍କର ରଥରେ ଲାଗିଥିବା ଅଶ୍ୱଙ୍କର ଗମନ କ୍ରୀଡ଼ା ବିଳମ୍ବ ହେବା ଯୋଗୁଁ ତାଙ୍କର ନିର୍ମଳ ପ୍ରଭା ବିକାଶ ହେଲା । ସୂର୍ଯ୍ୟ ଭୟ କଲେ ଯେ କାଳେ କୁମ୍ଭକର୍ଣ୍ଣ ଆସି ତାଙ୍କ ଅଶ୍ୱମାନଙ୍କୁ ଭକ୍ଷଣ କରି ପକାଇବ ।
ବାସୁକି ଅସକତ ଅଶୁ ପୃଥ୍ୱୀ ଲସିତ ଉମାଗୁରୁ କମ୍ପିତ ।ବଣାରୁ ଦମ୍ଭବ୍ରାତ ଠଣାରୁ ପଳାୟିତ ଅସର କପି ଇତସ୍ତତ ଯେ ।ବିଲୋକିତ ।ବୋଇଲେ ଏ କି ଅଦଭୂତ ବିଭୀଷଣକୁ ରଘୁସୁତବିଭାବୀକେ ଜାତ ଗଇରିକ ପର୍ବତ ଉନ୍ନତ ଛୁଉଁଛି ଅନନ୍ତ ସେ । ୬ ।ବିଭୀଷଣ ଭାଷଣ ନୁହଇ ଗୋତ୍ରପୁଣ ଉଠିଲା ସେ ଘଟଶ୍ରବଣ ।ବିଭୀତିକ ନୋହିଣ ବ୍ରହ୍ମାଣ୍ଡେ ଏକଜଣ ନାହାନ୍ତି ଏକାକୁ ପ୍ରମାଣ ସେ ।ବୀରପଣ ।ବହେ ଦର୍ପକ କରି ଟାଣ ବେଭାରେ ଯୋଗୀନ୍ଦ୍ର ଆପଣବିହ ନାଶ ତତକ୍ଷଣ ପଡ଼ିଲାଣି ଈକ୍ଷଣହୁଅ ସୁକୃତି ବିଚକ୍ଷଣ ସେ । ୭ ।ବହୁପଥେ ରାକ୍ଷସ ନଷ୍ଟ ଦେଖିଲାଦେଶ ଜୁଳୁପାକ୍ଷେ ପାଇ ସନ୍ଦେଶ ।ବିନୟଭାବେ ବଶ ବସି ଲଙ୍କେଶ ପାଶପୁଚ୍ଛନ୍ତେ କଲା ସେ ପ୍ରକାଶ ସେ ।ବୀରଈଶ ।ବିପଦ ବ୍ୟାଧିରେ ମୁଁ କୁଶ ବୈଦ୍ୟ ହୋଇ ଆତୁର ନାଶବିଦିତ ଏଥି ଦଶରଥଜ ଘେନି କୀଶ କ୍ରବ୍ୟାଦେ ରଚେ ଦଶାଦଶ ସେ । ୮ ।ବୋଲନ୍ତେ କୁମ୍ଭଶ୍ରୁତି କାହିଁକି ସେ ଅରାତି କେମନ୍ତେ ବାନର ସଙ୍ଗତି ।ବୋଇଲା ଲଙ୍କପତି ଯାଇ ମାରୀଚକତି କରାଇ ତାକୁ ମାୟାମୂର୍ତ୍ତି ସେ ।ବେନି ଯତି ।ବିନ୍ଧି ଯାଉ ତାକୁ ଝଟିତି ବଳେ ଆଣିଲି ତା ଯୁବତୀବନେ ସୁଗ୍ରୀବେ ପ୍ରୀତି ବାଳିକି ହରିହତି ଶୈଳେ ସାଗର ସେତୁକୃତି ସେ । ୯।ବୋଲେ କଲୁ କି ବୁଦ୍ଧି ନାରୀଚଉର ସିଦ୍ଧି ମାତର ହୋଇଲା ପ୍ରସିଦ୍ଧି ।ବାଳିକ ଯେହୁ ବଧି ତାରେ ପୁଣି ବିରୋଧୀ ନ ଘେନ ବନ୍ଧେତରେବାର୍ଦ୍ଧି ସେ ।ବଡ଼ଯୋଧୀ ।ବିଶ୍ୱରେ ପାରିବ କେ ସାଧି ବିଂଶାଷ କହେ କହୁଁବୋଧବିଭୀଷଣ ସମୃଦ୍ଧି ଆଶେ କଲାଅବିଧି ପଳା ତୁ ହେଲୁଣି ଭୀତଧୀ ସେ । ୧୦ ।
୬ଷ୍ଠ ପଦ :- ଆଶୁ-ଶୀଘ୍ର । ଉମାଗୁରୁ-ହିମାଳୟ । ଗୁରୁ-ବିଶେଷ ଭାବରେ । ଠଣାରୁ-ସ୍ଥାନରୁ । ଅସର-ବହୁତ । ଇତସ୍ତତଃ-ଏଣେ ତେଣେ । ବିଲୋକିତ-ଦେଖି । ବିଭାବରୀ-ରାତ୍ରି । ଗଇରିକପର୍ବତ-ଗେରୁ ପର୍ବତ । ଉନ୍ନତ-ଉଚ୍ଚ । ଅନନ୍ତ-ଆକାଶ । ଲସିତା-ଦବିଯିବା । ଦମ୍ଭବ୍ରାତ-ଦମ୍ଭସବୁ ।
୬ଷ୍ଠ ପଦ :- କୁମ୍ଭକର୍ଣ୍ଣ ଚାଲିବାବେଳେ ବାସୁକି ତାର ଭାର ସହିବାକୁ ଅସମର୍ଥ ହେଲା, ତେଣୁ ପୃଥ୍ୱୀ ଦବିଗଲା । ହିମାଦ୍ରିଶିଖର ବିଶେଷ ଭାବରେ କମ୍ପିତ ହେବାକୁ ଲାଗିଲା । କୁମ୍ଭକର୍ଣ୍ଣକୁ ଦେଖି କପିସୈନ୍ୟମାନଙ୍କର ଧୈର୍ଯ୍ୟ ନାଶ ହେବାରୁ, ସେମାନଙ୍କ ମଧ୍ୟରୁ ଅନେକ ବ୍ୟୁହ ଛାଡ଼ି ପଳାୟନ କଲେ ଏହା ଦେଖି ରାମଚନ୍ଦ୍ର ବିଭୀଷଣକୁ କହିଲେ, ‘‘ଏ କି ଅଦ୍ଭୁତ କଥା ! ରାତିକ ମଧ୍ୟରେ ଗୋଟିଏ ଗୈରିକ ପର୍ବତ ଜାତ ହୋଇ ଉଚ୍ଚତାରେ ଆକାଶକୁ ସ୍ପର୍ଶ କଲା କିପରି ?’’
୭ମ ପଦ :- ଗୋତ୍ର-ପର୍ବତ । ଘଟଣ୍ରବଣ-କୁମ୍ଭକର୍ଣ୍ଣ । ବିଭୀତିକ-ନିର୍ଭୟରେ । ଦର୍ପକପରି-କନ୍ଦର୍ପପରି । ଈକ୍ଷଣ-ଚକ୍ଷୁ । ସୁକୃତି-କୃତିତ୍ୱ ।
୭ମ ପଦ :- ଏହା ଶୁଣି ବିଭୀଷଣ ଉତ୍ତର ଦେଲେ ‘‘ସେ ପର୍ବତ ନୁହେଁ, କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିଛି । ବ୍ରହ୍ମାଣ୍ଡ ମଧ୍ୟରେ ଜଣେ ହେଲେ ଏପରି କେହି ନାହିଁ-ଯେ କି ଏହାକୁ ଭୟ ନକରେ, ଏହା ସତ୍ୟ ଅଟେ । ଏ ବୀରପଣରେ କନ୍ଦର୍ପ ପ୍ରାୟ ଟାଣ ବହେ । ବିଧିରେ ତ ଆପଣ ଯୋଗୀଶ୍ରେଷ୍ଠ । ଯୋଗୀଶ୍ରେଷ୍ଠ ମହାଦେବଙ୍କ ନେତ୍ର ପଡ଼ିଲାଣି କନ୍ଦର୍ପ ଭସ୍ମ ହେଲା ପ୍ରାୟ ଆପଣ ନେତ୍ରପାତ ମାତ୍ରକେ ଏହାକୁ ବିନାଶ କରନ୍ତୁ, ଆପଣଙ୍କର କୀର୍ତ୍ତି ସଂସାରରେ ବିଖ୍ୟାତ ହେବ ।’’
୮ମ ପଦ :- ପଥେ-ବାଟରେ । ସନ୍ଦେଶ-ବାର୍ତ୍ତା । ଲଙ୍କେଶପାଶ- ରାବଣ ସମୀପରେ । ବୀରଈଷ-ବୀରଶ୍ରେଷ୍ଠ । କୁଶ-କ୍ଷୀଣ । ବିଦିତ-ପ୍ରକାଶିତ ଦଶରଥଜ-ଦଶରଥପୁତ୍ର । କୀଶ-ବାନର । କ୍ରବ୍ୟାଦେ-ରାକ୍ଷସଙ୍କଠାରେ । ଦଶାଦଶ-ଦଶମ ଦଶା ଅର୍ଥାତ୍ ମରଣଦଶା ।
୮ମ ପଦ :- କୁମ୍ଭକର୍ଣ୍ଣ ଗଲାବେଳେ ବାଟରେ ଦେଶର ବହୁତ କ୍ଷତି ହୋଇଥିବାର ଦେଖିଲା ଏବଂ ଜୁଳୁପାକ୍ଷଠାରୁ ସମସ୍ତ ଖବର ବୁଝିଯାଇ ରାବଣ ପାଖରେ ବସି ବିନୟ ପୂର୍ବକ କାରଣ ପୂଚ୍ଛା କଲା । ରାବଣ କହିଲା, ହେ ବୀର ଶ୍ରେଷ୍ଠ ! ବିପତ୍ତିରୂପ ରୋଗଗ୍ରସ୍ତ ହୋଇ ମୁଁ କ୍ଷୀଣ ହୋଇଅଛି, ତୁ ବୈଦ୍ୟ ହୋଇ ମୋର ସେହି ରୋଗକୁ ବିନାଶ କର । ଦଶରଥ ରାଜାର ପୁତ୍ର ରାମଚନ୍ଦ୍ର ଏ ଦେଶରେ ପ୍ରବେଶ କରି କପିଙ୍କୁ ସଙ୍ଗତରେ ଘେନି ରାକ୍ଷସକୁ ଦଶମଦଶା (ମରଣ ଦଶା) ପ୍ରଦାନ କରୁଅଛି ।
୯ମ ପଦ :- କୁମ୍ଭଶ୍ରୁତି-କୁମ୍ଭକର୍ଣ୍ଣ । ଅରାତି-ଶତ୍ରୁ । ସଙ୍ଗତି-ସଙ୍ଗରେ । ଲଙ୍କାପତି-ବେଣ । ମାୟାମୂର୍ତ୍ତି-କପଟରୂପ । ଯୁବତୀ-ସ୍ତ୍ରୀ (ଷୋଡ଼ଶ ବର୍ଷଠାରୁ ତ୍ରିଂଶବର୍ଷ ପର୍ଯ୍ୟନ୍ତ ସ୍ତ୍ରୀକୁ ଯୁବତୀ ବୋଲାଯାଏ) । ହତି-ବିନାଶ । ଶୈଳେ-ପର୍ବତରେ । ସାରେ-ସମୁଦ୍ର । ସେତୁକୃତି-ବନ୍ଧ ପକାଇ ।
୯ମ ପଦ :- ରାବଣର କଥା ଶୁଣି କୁମ୍ଭକର୍ଣ୍ଣ କହିଲା, ସେ ଦଶରଥସୁତ କାହିଁକି ତୁମ୍ଭର ଶତ୍ରୁ ହେଲା ? ପୁଣି ନର ହୋଇ ବାନରଙ୍କର କାହିଁକି ମିତ୍ର ହେଲା ? ଏହା ଶୁଣି ରାବଣ କହିଲା, ମୁଁ ମରୀଚ ପାଶକୁ ଯାଇ ତାକୁ ମାୟାମୃଗ କରାଇଲି । ସେହି ରାମ ଲକ୍ଷ୍ମଣ ଯତି ଦୁହେଁ ସେ ମାୟାମୃଗକୁ ବଧିବା ନିମିତ୍ତ ଶୀଘ୍ର ତା ପଛରେ ଗୋଡ଼ାଇ ଯାଆନ୍ତେ, ‘ମୁଁ ବଳପୂର୍ବକ ତା ଯୁବତୀ ସ୍ତ୍ରୀକୁ ଘେନି ଆସିଲି । ସେ ଦୁହେଁ ବନମଧ୍ୟରେ ସୁଗ୍ରୀବ ସଙ୍ଗେ ପ୍ରୀତି କରି ବାଳିକୁ ବଧ କଲେ ଏବଂ ସମୂଦ୍ରରେ ପର୍ବତ ପକାଇ ବନ୍ଧ ବାନ୍ଧିଲେ ।’’
୧୦ମ ପଦ :- ନାରୀଚଉର-ସ୍ତ୍ରୀଚୋର । ପ୍ରସିଦ୍ଧି-ଖ୍ୟାତି । ବାର୍ଚି-ସମୁଦ୍ର । ବିଶ୍ୱରେ-ପୃଥିବୀରେ । ସମୃଦ୍ଧି-ସମ୍ପତ୍ତି । ଆଶେ-ଆଶାରେ । ଭୀତଧୀ-ଭୟବୁଦ୍ଧ ।
୧୦ମ ପଦ :- କୁମ୍ବକର୍ଣ୍ଣ କହିଲା, କି ମନ୍ଦ ବୁଦ୍ଧି କଲ ? କେବଳ ‘ନାରୀଚୋର’ ଏହି ପ୍ରସିଦ୍ଧି ରହିଲା । ଯେ ବାଳିକୁ ମାଇଲା ତୁମ୍ଭେ ପୁଣି ତାହାର ଶତ୍ରୁ ହେଲ ? ଯେ ବନ୍ଧ ବାନ୍ଧି ସମୁଦ୍ରକୁ ପାର ହେଲା, ତାକୁ କଣ ତୁମ୍ଭେ ବଡ଼ଯୋଦ୍ଧାବୋଲି ଜାଣିପାରିଲ ନାହିଁ । ତାକୁ ଏ ସଂସାରରେ କେହି ସାଧ୍ୟ କରିପାରିବେ ନାହିଁ । କୁମ୍ଭକର୍ଣ୍ଣ ଏହିପରି ବୋଧ ଦେଇ କହନ୍ତେ, ରାବଣ କୃଦ୍ଧହୋଇ କହିଲା, ‘ବିଭୀଷଣ ସମ୍ପତ୍ତି ଆଶାରେ ଅନିୟମ କରି ଶତ୍ରୁ ପାଦରେ ଶରଣ ପଶିଲା, ତୁତ ଭୀରୁବୁଦ୍ଧି ଧଇଲୁଣି, ଏବେ ପଳାଇ ଯାଇ ଶତ୍ରୁ ପାଦରେ ଶରଣ ପଶ ।’’
ବାଳକ ମେଘନାଦ ରାଚୁଁ ପ୍ରଥମେ ବାଦ ଲକ୍ଷ୍ମଣେ କଲା ଶକ୍ତିଭେଦବାରେକ ପୁଣି ଦ୍ୱନ୍ଦ୍ୱ ବିହିଲା ଭ୍ରାତୃଦ୍ୱନ୍ଦ ଦନ୍ଦଶୁକପାଶରେ ଛନ୍ଦ ସେ ।ବଳେ ମନ୍ଦ ।ବାରେ କି ବଡ଼ାଇ ସମ୍ବାଦ ବ୍ୟାଘ୍ର ଆଗରେ ବଳୀବର୍ଦବୋଲୁ କରି ନିନାଦ ବାହାର ହେଲା ମନ୍ଦ୍ୟ ବିହ୍ୱଳେ ବୁଦ୍ଧି କରି ମନ୍ଦ ସେ । ୧୧।ବିଧାନ ଗରଜନ ଗର୍ଭସ୍ରାବ ସର୍ଜନବଧିର ପ୍ରାୟ ହେଲେ ଜନ ।ବିଜ୍ରେ ବଜ୍ର ଯେସନ ଘରଷଣ ତେସନ ଶୁଭେ ରଟମଟ ଦର୍ଶନ ସେ ।ବିବର୍ଦ୍ଧନ ।ବେଳୁଁ ବେଳୁଁ ତା ଅପଘନ ବହଇ ନଦୀରୁ ଜବନ ।ବନଚର ସତନ ହୀରାପନ୍ତି ସମାନ ଧରାରେ କଲ ସେ ମର୍ଦ୍ଦନ ଯେ । ୧୨ ।ବିହୁ ଶ୍ୱାସ ଲସୁନଶୁଷ୍କଚୋପାରୁ ହୀନ ଉଡ଼ିଲେ ଜଗଜ୍ଜେଠିମାନ ।ବର୍ତ୍ମରେ ହନୁମାନ ଅଙ୍ଗଦ ଅଭିମାନ ଲଭି ବିରୋଧିଲେ ବହନ ସେ ।ବଳବାନ ।ବିଘାତି ବେନି ସାନୁମାନ ବାଜି ତନୂରେ ଭିନ୍ନ ଭିନ୍ନ ।ବାମପାଦ ଚାଳନ ଶଳପ୍ରହାରେ ଘନସେ ବେତ ହେଲେ ଅଚେତନ ସେ । ୧୩ ।ବିକ୍ରମନ୍ତେ କପଟୀ ପଞ୍ଚସେନା ଲମ୍ପଟୀ ତାଙ୍କୁ ବିଧ୍ୱଂସି ଏକତ୍ରଟି ।ବାଟେ ସୁଗ୍ରୀବ ଭେଟି ପରିଘ ହୃଦେପିଟି ଯହୁଁ ପଡ଼ିଲେ ମହୀ ଲୋଟି ସେ ।ବାଳ ଚୋଟି ।ବିଧିରେ ଧଇଲା ସାଉଁଟି ବକ୍ଷରେ ଲଗାଇ ଲେଉଟି ।ବିଦ୍ୟପବନ ସୃଷ୍ଟି ସେ ମେଳରେ ପ୍ରକଟି ଗୋଳେ ସେନାଙ୍କ ମୂର୍ଚ୍ଛା ତୁଟି ସେ । ୧୪।ବାହାରିଲେ ତ ପଛେ ତିମି କିକ୍ଷୁଦ୍ର ମତ୍ସ୍ୟେ ବେଷ୍ଟିତ ହେଲାପରୀ ସୃତେ ।ବିଧୃତ ଗଛେ ଗଛେ କେହି ତରିବା ବାଞ୍ଛେ ବାର୍ତ୍ତା ପ୍ରକେଟେ ରଘୁବତ୍ସେ ସେ ।ବୀର ଇଚ୍ଛେ ।ବିଜ୍ଞାନହତେଥାଉଁ ବତ୍ସେ ବଳିଷ୍ଠେ ଗଣିବେ ନିକୁତ୍ସେ ।ବିକୋତି ନାସାତୁଚ୍ଛେ ଶ୍ରୁତି ଛିନାଇ ପଛେ ଅନ୍ତରୀକ୍ଷରେ ଉତପିଞ୍ଛେ ସେ । ୧୫ ।
୧୧ଶ ପଦ :- ବାଦ-ଶତ୍ରୁତା । ଭ୍ରାତୃଦ୍ୱନ୍ଦ୍ୱ-ଭାଇଦୁହେଁ । ଦନ୍ଦଶୂକପାଶରେ-ନାଗପାଶରେ । ଛାନ୍ଦ-ଛନ୍ଦି । ବଳିବର୍ଦ୍ଦ-ବଳଦ । ନାନାଦି-ଶବ୍ଦ ।
୧୧ଶ ପଦ :- ‘‘ବାଳକ ମେଘନାଦ ପ୍ରଥମେ ଯାଇ ଯୁଦ୍ଧ କରିବା ମାତ୍ରକେ ଲକ୍ଷ୍ମଣକୁ ଶକ୍ତିରେ ବିଦ୍ଧ କଲା । ପୁଣି ଥରେ ଯୁଦ୍ଧ କରି ରାମ ଲକ୍ଷ୍ମଣ ଦୁହିଁଙ୍କୁ ନାଗପାଶରେ ବାନ୍ଧି ପକାଇଥିଲା । ସେ ଦୁହେଁ ବଳରେ ଆମ୍ଭଠାରୁ ହୀନ ତାଙ୍କ ବୀରତ୍ୱ କଥା କହିବାରେ ବା କଣ ଅଛି ? ବ୍ୟାଘ୍ର ସମ୍ମୁଖରେ ବଳଦର ବଡ଼ାଇ ରହିପାରେ କି ?’ ରାବଣ ଏହିପରି କହନ୍ତେ କୁମ୍ଭକର୍ଣ୍ଣ ରଡ଼ିଛାଡ଼ି ମଦ ନିଶାରେ ମତ୍ତ ହୋଇ ଗର୍ବର ସହିତ ଯୁଦ୍ଧକୁ ବାହାର ହେଲା ।
୧୨ଶ ପଦ :- ଗର୍ଭସ୍ରାବ-ଅତି ଭୟରେ ପେଟରୁ ପିଲା ଖସିପଡ଼ିବା । ବଧିର-କାଲ । ଦଶନ-ଦାନ୍ତ । ଅପଘନ-ଶରୀର । ଜବନ-ଶୀଘ୍ର । ହୀରାପନ୍ତି-ପିମ୍ପୂଡ଼ିସମୂହ । ଧରାରେ-ପୃଥିବୀରେ ।
୧୨ଶ ପଦ :- ଯୁଦ୍ଧକୁ ବାହାରିବା ବେଳେ କୁମ୍ଭକର୍ଣ୍ଣ ଯେଉଁ ଗର୍ଜନ କଲା, ତହିଁରେ ସ୍ତ୍ରୀମାନଙ୍କର ଗର୍ଭସ୍ରାବ ହୋଇ ପଡ଼ିଲା । ଲୋକେ ସେ ଶବ୍ଦ ଶୁଣି କାଲ ପ୍ରାୟ ହୋଇଗଲେ । ବଜ୍ରରେ ବଜ୍ର ଘଷିଲେ ଯେପରି ଶବ୍ଦଶୁଭେ ତାହାର ଦାନ୍ତ ରଗଡ଼ି ଶବ୍ଦ ସେହିପରି ଶୁଭିଲା । ତାହାର ଶରୀର ବେଳକୁ ବେଳ ବଢ଼ିବାକୁ ଲାଗିଲା । ସେ ନଦୀ ଅପେକ୍ଷା ବେଗରେ ବହିଗଲା ପ୍ରାୟ ଯାଇ କପିସୈନ୍ୟଙ୍କୁ ପିମ୍ପୁଡ଼ି ଧାରସମ ମାଟିରେ ମର୍ଦ୍ଦନ କରି ପକାଇଲା ।
୧୩ଶ ପଦ :- ଲସୁନ ଶୁଷ୍କଚୋପାରୁ-ଶୁଖିଲା ରସୁଣ ଚୋପାରୁ । ହୀନ-ନ୍ୟୂନ । ଜଗଜ୍ଜେଠିମାନ-ବୀରମାନେ । ବର୍ତ୍ମାରେ-ବାଟରେ । ବିଘାତି-ବିନାଶ କରି । ସାନୁମାନ-ପର୍ବତ ।
୧୩ଶ ପଦ :- କୁମ୍ଭକର୍ଣ୍ଣର ନିଶ୍ୱାସ ବହିବାବେଳେ ବଳିଷ୍ଠ ବୀରମାନେ ରସୁଣର ଶୁଷ୍କ ଚୋପାଠାରୁ ହୀନପ୍ରାୟ ହୋଇ ଉଡ଼ିବାକୁ ଲାଗିଲେ । ହନୁମାନ ଓ ଅଙ୍ଗଦ ଦୁହେଁ ମନରେ ଅଭିମାନ ବହି ଶୀଘ୍ର ତାର ପଥ ନିରୋଧ କଲେ । ସେହି ଦୁଇ ବଳବାନ ବୀର ଦୁଇଗୋଟା ପର୍ବତ ନେଇ ତା ଉପରେ ମାରନ୍ତେ, ପର୍ବତ ତାର ଦେହରେ ବାଜି ଖଣ୍ଡଖଣ୍ଡ ହୋଇଗଲା । ସେ ବାମ ପାଦ ଆଗକୁ ପକାଇ ନିଠାଇ ଶୂଳ ପ୍ରହାର କରିବାରୁ ହନୁମାନ ଓ ଅଙ୍ଗଦ ଦୁଇ ବୀର ମୂର୍ଚ୍ଛାଗତ ହେଲେ ।
୧୪ଶ ପଦ :- କପଟୀ-ମାୟାବୀ, ଏଠାରେ ରଣକୌଶଳୀ । ଲମ୍ପଟୀ-ଆସକ୍ତ, ଏଠାରେ ଯୁଦ୍ଧଲୋଭୀ । ବିଧ୍ୱଂସି-ବିନାଶ କରି । ବିଦ୍ୟ-ପ୍ରକାଶିତ । ମୂର୍ଚ୍ଛା-ମୋହ ।
୧୪ଶ ପଦ :- ହନୁମାନ ଓ ଅଙ୍ଗଦଙ୍କର ମୂର୍ଚ୍ଛା ଦେଖି ଯୁଦ୍ଧ କୌଶଳୀ ସେନାପତି ପାଞ୍ଚଜଣ କୌଶଳ ସହ ବିକ୍ରମି ଯିବାରୁ ତାଙ୍କୁ କୁମ୍ଭକର୍ଣ୍ଣ ବିନାଶ କଲା । ବାଟରେ ସୁଗ୍ରୀବ କୁମ୍ଭକର୍ଣ୍ଣକୁ ଭେଟିଲେ । ସେ ସୁଗ୍ରୀବ ଛାତିରେ ରେ ପରଘ ପିଟିବାରୁ ସୁଗ୍ରୀବ ଧରାତଳରେ ପଡ଼ିଗଲେ । ବାଳକଙ୍କୁ ତୋଳି ନେଲା ପ୍ରାୟ କୁମ୍ଭକର୍ଣ୍ଣ ସୁଗ୍ରୀବକୁ ଗୋଟାଇ ନେଇ ଛାତିରେ ଲଗାଇ ଧରି ଲଙ୍କାକୁ ଫେରିଗଲା । ସେ ଗଲାବେଳେ ଏତେ ଯୋରରେ ଗଲା ଯେ, ତା ଗମନ ଯୋଗୁ ଜାତ ହେଉଥିବା ପବନ ବାଜି ମୂର୍ଚ୍ଛା ଯାଇଥିବା ସୈନ୍ୟଙ୍କର ମୂର୍ଚ୍ଛା ତୁଟିଗଲା ।
୧୫ଶ ପଦ :- ବିଧୃତ-ଧାରଣ କରି । ତରିବା-ଉଦ୍ଧାର ହେବା । ରଘୁବତ୍ସ-ରାମଚନ୍ଦ୍ର । ନିକୁତ୍ସ-ନିକୃଷ୍ଟ । ବିକୋତି-କାମୁଡ଼ି । ଅନ୍ତରାକ୍ଷରେ-ଆକାଶରେ । ଉତ୍ପିଞ୍ଛେ-ଉପରକୁ ଡେଇଁବା ।
୧୫ଶ ପଦ :- କପିସୈନ୍ୟମାନେ ଚେତନା ପାଇ ଉଠି କୁମ୍ଭକର୍ଣ୍ଣ ପଛରେ ଗୋଡ଼ାଇବାରୁ ବୃହଦାକାର ତିମି ମତ୍ସ୍ୟକୁ କ୍ଷୁଦ୍ର ମତ୍ସ୍ୟ ସବୁ ବେଢ଼ି ଚାଲିଲା ସଦୃଶ ଦେଖାଗଲା । ସେହି କପିସୈନ୍ୟମାନେ ଗୋଟାଏ ଗୋଟାଏ ବୃକ୍ଷ ହସ୍ତରେ ଧରିଥାନ୍ତି ଓ ମନରେ ଭାବୁଥାନ୍ତି, ‘କିପରି ସୁଗ୍ରୀବଙ୍କୁ ଉଦ୍ଧାର କରିବା ।’ କ୍ରମେ ରାମଙ୍କ ନିକଟରେ କୁମ୍ଭକର୍ଣ୍ଣ ସୁଗ୍ରୀବକୁ ନେଇଯିବା ବାର୍ତ୍ତା ପ୍ରକଟ ହେଲା । ଏହି ସମୟମଧ୍ୟରେ ବୀର ସୁଗ୍ରୀବ ଚେତନାପ୍ରାପ୍ତ ହୁଅନ୍ତେ ଅସୁର ଛାତିରେ ଥାଇ ବିଚାରିଲା, ‘ବୀରମାନେ ମୋତେ ହୀନବୀରଙ୍କ ମଧ୍ୟରେ ଗଣନା କରିବେ ।’ ଏହା ଭାବି ସେ କୁମ୍ଭକର୍ଣ୍ଣର ନାସାକୁ ଦନ୍ତରେ କାମୁଡ଼ି ଛିଣ୍ଡାଇ ଓ ଦୁଇ ହାତରେ ଦୁଇ କାନକୁ ଛିଣ୍ଡାଇ ପକାଇ ଉର୍ଦ୍ଧ୍ୱକୁ ଡେଇଁ ପଡ଼ି ଉଡ଼ି ଚାଲିଗଲା ।
ବିହରେ ତିନିକରୀ ଚଞ୍ଚୁ ପଦରେଧରି ଗଣ୍ଡଭେରଣ୍ଡ ସେ ମାଧୁରୀ ।ବିଚାରୁଛନ୍ତି ହରି ଘାତକୀ ହେଲାପରି ହୋଇ କି ଆସିଲେ ଉତୁରି ସେ ।ବିଦ୍ୟୁପରି ।ବହିପଡ଼ୁଛି ରକ୍ତ ଝରି ବର୍ଷେ କି ଘନ ରକ୍ତବାରି ।ବିଶୋଉଁ ଅନୁସରି ଯହିଁ କୋଦଣ୍ଡଧାରୀ ପ୍ରଶଂସି କୋଳକୁ ଆଦରି ସେ । ୧୬ ।ବାହୁଡ଼ିଲା ଦନୁଜ ଲାଭ ପ୍ରବଳ ଲାଜ ବହିପଡ଼ୁ ଅଛି କ୍ଷତଜ ।ବଢ଼ାଇ ଦେଇ ଭୁଜ ଭୁଞ୍ଜେ କପିସମାଜ ନାସାକର୍ଣ୍ଣ ରନ୍ଧ୍ରରେ ତ୍ୟାଜ ସେ ।ବୁଧେ ହେଜ ।ବିଜନ୍ୟ ଇନ୍ଧ୍ରଗୋପପୁଞ୍ଜ ବସୁଧା ତଳୁଁ କି ବିରାଜ ।ବକୁକ୍ଷିଚିଂଶ ରାଜ ଭେଟୁଁ ବିନ୍ଧିନାରାଜ ଛେଦିଲେ ବାହୁପାଦ ତେଜ ସେ । ୧୭ ।ବିଭୂତି ଭୋଗ ହେବ ସ୍ଥାଣୁବିଭାବ ସ୍ୱରବିଭବ ଭଇରବ ।ବିଭୂଷାଗତି ଜବ ମାତୁଳାହି ପ୍ରଭାବ ଗରାସି ଦେଉଅଛି ପ୍ଳବ ସେ ।ବହ୍ନିଇବ ।ବହନ ମ୍ଳାନ ତେଜ ଭାବ ବୋଲଇ ମୁଁ ଆନ ଦାନବ ।ବିନ୍ଧବିନ୍ଧ ରାଘବ ଯେତେ ତୋବାଣ ଥିବ ସେମାନେ ଭଜିବେ ଲାଘବ ସେ । ୧୮ ।ବିରାଧବାଳି ଥିଲେ ସେ ବନପଶୁ ଭଲେ ଖର ଖର ମୋତେ ଚାହିଁଲେ ।ବୋଲୁଁ ବାଛି ସନ୍ଧିଲେ ରାମଶର ବିନ୍ଧିଲେ ଯେତେ ତା ଶିର ନ ଛେଦିଲେ ସେ ।ବିଭଳିଲେ ।ବିଘାତ ଶିଳେ ଯଥା ଫୁଲେ ବିସ୍ମୟ ମାନସ ହୋଇଲେବିଷ୍ଣୁଅରି ପ୍ରଜ୍ଜ୍ୱଳେ ଅର୍ଦ୍ଧଚନ୍ଦ୍ରର ଛଳେ ଗୁପ୍ତ ହେଜି ପ୍ରୟୋଗ କଲେ ସେ । ୧୯ ।ବସିଲା ଗଳେ ଗଣ୍ଡ ଗଳିଗଲା ପ୍ରଚଣ୍ଡ ରବେ ବୁଲିଲା ଜାଣି ମୁଣ୍ଡ ।ବାଜି ପୁଣି ସେ କାଣ୍ଡ କଲା ତାକୁ ଦ୍ୱିଖଣ୍ଡ ଫାଳେକେ ପଡ଼ି ଭର୍ତ୍ତଖଣ୍ଡ ସେ ।ବାରି କୁଣ୍ଡ ।ବିପତିତରେ ଆର ଖଣ୍ଡ ବରଣ ନାମେ ମେଘଦଣ୍ଡ ।ବିହିଲା ତାର ଦଣ୍ଡ କହିଲେ ଚାର-ରୁଣ୍ଡଶୁଣି ରୋଦନ୍ତେ ଦଶମୁଣ୍ଡ ସେ । ୨୦ ।
୧୬ଶ ପଦ:-ବିହରେ-ଭ୍ରମଣ କରେ । ତିନିକାରୀ-ତିନିଟାହସ୍ତୀ । ଚଞ୍ଚ-ଥଣ୍ଟ । ହରି-ମର୍କଟ । ରକ୍ତବାରି-ରକ୍ତରୂପ ଜଳ । ବିଦୁ-ବିଛୁଳି । କୋଦଣ୍ଡଧାରୀ-ରାମଚନ୍ଦ୍ର । ବିଶୋଉ-ପାଦତଳେ ପଡ଼ି ଶୋଇବା ।
୧୬ଶ ପଦ :- ସୁଗ୍ରୀବ କୁମ୍ଭକର୍ଣ୍ଣର ନାସିକା ଓ ଦୁଇ କର୍ଣ୍ଣକୁ ତୁଣ୍ଡରେ ଓ ଦୁଇ ହସ୍ତରେ ଧରି ଶୂନ୍ୟରେ ଉଡ଼ି ଆସିଲାବେଳେ, ଗଣ୍ଡଭେରଣ୍ଡ ପକ୍ଷୀ ଥଣ୍ଟରେ ଓ ଦୁଇ ପାଦରେ ତିନିଗୋଟା ହସ୍ତୀକୁ ଶୂନ୍ୟରେ ବିହାର କରିବା ଶୋଭାକୁ ଧାରଣକଲେ । ତାଙ୍କୁ ଦେଖି ମର୍କଟ ସୈନ୍ୟମାନେ ବିଚାର କଲେ ସୁଗ୍ରୀବ ରାକ୍ଷସ ଦ୍ୱାରା ଘାଉଆ ହୋଇ କୌଣସି ପ୍ରକାରେ ଉବୁରି ବିଦ୍ୟୁତ୍ ପରି ପଳାଇ ଆସୁଅଛନ୍ତି । ତେଣୁ ମେଘ ରକ୍ତମିଶା ଜଳ ବୃଷ୍ଟି କଲା ପ୍ରାୟ ରକ୍ତ ଧାର ଧାର ହୋଇ ବହିପଡ଼ୁଛି ।’’ ଯେଉଁଠାରେ ରାମଚନ୍ଦ୍ର ଥିଲେ, ସୁଗ୍ରୀବ ସେହି ସ୍ଥାନରେ ଶୂନ୍ୟରୁ ଓହ୍ଲାଇ ତାଙ୍କୁ ପାଦତଳେ ପଡ଼ି ଶୁଅନ୍ତେ, ରାମଚନ୍ଦ୍ର ତାଙ୍କୁ ପ୍ରଶଂସା କରି ଆଦରର ସହିତ କୋଳକୁ ନେଲେ ।
୧୭ଶ ପଦ :- କ୍ଷତଜ-ରକ୍ତ । ଭୁଜ-ବାହୁ । ରନ୍ଧ୍ରରେ-ଛିଦ୍ର । ବୁଧେ-ପଣ୍ଡିତମାନେ । ଦନୁଜ-ରାକ୍ଷସ କୁମ୍ଭକର୍ଣ୍ଣ । ଇନ୍ଦ୍ରଗୋପପୁଞ୍ଜେ-ସାଧବବୋହୂ ପୋକସମୂହ । ବସୁଧା-ପୃଥିବୀ । ବିକୁକ୍ଷିବଂଶିରାଜ-ରାମଚନ୍ଦ୍ର । ନାରାଜ (ନାରାଚ)-ଶର ।
୧୭ଶ ପଦ :- ନାସା କର୍ଣ୍ଣ ଛିନ୍ନ ହୁଅନ୍ତେ କୁମ୍ଭକର୍ଣ୍ଣ ବିଶେଷ ଲଜ୍ଜାପାଇ ପୁଣି ଯୁଦ୍ଧଭୂମିକୁ ଫେରିଲା । ତାହାର କ୍ଷତସ୍ଥାନରୁ ରୁଧିର ବହି ପଡ଼ୁଥାଏ । ସେ ତାହାର ହସ୍ତଦ୍ୱୟ ବଢ଼ାଇ ଦେଇ କପିସେନାମାନଙ୍କୁ ଗିଳି ପକାଇବାରୁ, ସେମାନେ ଛିନ୍ନ ହୋଇଥିବା ନାସିକା ଓ କର୍ଣ୍ଣର ଗହ୍ୱର ବାଟେ ବାହାରି ଆସୁଥାନ୍ତି । ହେ ପଣ୍ଡିତମାନେ ! ବିଚାର କର, ପୃଥିବୀରୁ ବହୁତ ସାଧବ ଘର ବୋହୂ ପୋକ ଜାତ ହୋଇ ବିରାଜ କରୁଅଛନ୍ତି କି ? (କପିମାନେ ନାସିକା ଓ କର୍ଣ୍ଣଗହ୍ୱରରୁ ବାହାରିଲାବେଳେ ରକ୍ତ ଜର୍ଜରିତ ହୋଇଥିବାରୁ ସାଧବ ଘର ବୋହୂ ପୋକପ୍ରାୟ ଦେଖା ଯାଉଅଛନ୍ତି) । କୁମ୍ଭକର୍ଣ୍ଣ ରାମଚନ୍ଦ୍ରଙ୍କୁ ଆସି ଭେଟନ୍ତେ, ରାମଚନ୍ଦ୍ର ନାରାଚ ବିନ୍ଧି ପ୍ରଥମେ କୁମ୍ଭକର୍ଣ୍ଣର ବାହୁ ଓ ପଦଦ୍ୱୟ ଛେଦିବା ଦ୍ୱାରା ତାହାର ଅହଂକାରକୁ ଛେଦି ପକାଇଲେ ।
୧୮ଶ ପଦ:-ବିଭୂତି-ପାଉଁଶ ବା ଭସ୍ମ । ସ୍ଥାଣୁ-ଲଣ୍ଡାଗଛ, ମହାଦେବ । ସ୍ଥାଣୁବିଭବ-ମହାଦେବଙ୍କର ଐଶ୍ୱର୍ଯ୍ୟ । ସ୍ୱରବିଭବ-ଦୀର୍ଘସ୍ୱର । ଭଇରବ-ଭୟଙ୍କର । ବିଭୂଷାଗତି-ମନୋହର । ଜବ-ଶୀଘ୍ର । ମାହିଳାହି-ବୋଡ଼ା ସାପ । ପ୍ଲବ-ବାନର, ବେଙ୍ଗ । ବହ୍ନିଇବ-ଅଗ୍ନିପରି । ଦାନବ-ରାକ୍ଷସ । ଲାଘବ-ଲଘୁତା ।
୧୮ଶ ପଦ:-ବାହୁ ଓ ପାଦ ଛିଡ଼ିଯିବାରୁ କୁମ୍ଭକର୍ଣ୍ଣ ଲଣ୍ଡାବୃକ୍ଷର ଶୋଭାକୁ ଧାରଣ କଲା । ଆଉ ମଧ୍ୟ ‘ସ୍ଥାଣୁବିଭବ’ ଈଶ୍ୱରଙ୍କ ବିଭବକୁ ବହିଲା, ତେଣୁ ଭସ୍ମଭୂଷିତ ହେବ । (ଲଣ୍ଡା ବୃକ୍ଷକୁ ମଧ୍ୟ ପୋଡ଼ି ଭସ୍ମରେ ପରିଣତ କରିଦିଅନ୍ତି) । ସେତେବେଳେ ସେ ଯେଉଁ ଗର୍ଜନ କଲା, ତାହା ମହାଦେବଙ୍କ ଭୈରବ ଶବ୍ଦ ପ୍ରାୟ ଶୁଣାଗଲା । ତତ୍ପରେ ସେ ବୋଡ଼ାସାପ ପ୍ରାୟ ଗତି କରି (ଗୋଡ଼ ହାତ ଛିଡ଼ି ଯାଇଥିବାରୁ ପେଟରେ ଘୁଷୁରି) ବେଙ୍ଗରୂପୀ କପିମାନଙ୍କୁ ଗ୍ରାସ କରିବାକୁ ଲାଗିଲା । ଅଗ୍ନିପ୍ରାୟ ତାର ଯେଉଁ ତେଜ ପ୍ରକାଶିତ ହୋଇଥିଲା, ତାହା ଶୀଘ୍ର ମ୍ଲାନ ପଡ଼ିବାକୁ ଲାଗିଲା । ତାହା ସତ୍ୱେ ସେ ରାମଙ୍କୁ କହିଲା, ‘‘ହେ ରାଘବ! ମୁଁ ଅନ୍ୟ ଦାନବ ପ୍ରାୟ ନୁହେଁ । ତୋହର ଯେତେ ବାଣ ଅଛି, ସେ ସମୁଦାୟ ବିନ୍ଧିଲେ ସୁଦ୍ଧା ମୋର କିଛି କ୍ଷତି ହେବ ନାହିଁ, ବରଂ ତୋର ସେ ବାଣ ସବୁ ଲଘୁତାକୁ ପ୍ରାପ୍ତ ହେବ ।’’
୧୯ଶ ପଦ:-ଖର-ରାକ୍ଷସବିଶେଷ । ଖର-ଗଧ । ଅରି-ଚକ୍ର । ବିଷ୍ଣୁଅରି-ବିଷ୍ଣୁଙ୍କର ଚକ୍ର । ଶିଳେ-ପଥରରେ ।
୧୯ଶ ପଦ:-‘‘ବିରୋଧ ରାକ୍ଷସ ଓ ବାଳି ଏ ଦୁହେଁ ବଣପଶୁ ପ୍ରାୟ ଥିଲେ, ଆଉ ମଧ୍ୟ ଖର ରାକ୍ଷସ ମୋ ତୁଳନାରେ ଗର୍ଦ୍ଦଭ ପରି ଥିଲା । (ତୁ ତାଙ୍କୁ ମାରିଛୁ ବୋଲି ମୋତେ ମାରିବାକୁ ଯେଉଁ ଗର୍ବ ବହିଅଛୁ, ପରିହାର କର) ।’’ କୁମ୍ଭକର୍ଣ୍ଣ ଏପରି କହନ୍ତେ, ରାମଚନ୍ଦ୍ର ବାଛି ବାଛି ଶରସବୁ ଧନୁରେ ସନ୍ଧି ବିନ୍ଧିଲେ, ମାତ୍ର ଯେତେ ଶର ବିନ୍ଧିଲେ, ସେ କୌଣସିଥିରେ କୁମ୍ଭକର୍ଣ୍ଣର ଶିର କାଟି ପାରିଲେ ନାହିଁ । ପଥର ଦେହରେ ଫୁଲ ବାଜି ଯେପରି ଖସି ପଡ଼େ, ସେହିପରି ଶରସବୁ ତା ଦେହରେ ବାଜି ଖସି ପଡ଼ିଲେ । ଏହା ଦେଖି ରାମଚନ୍ଦ୍ର ବିସ୍ମିତ ହେଲେ ଏବଂ ସୁଦର୍ଶନ ଚକ୍ରପରି ତେଜୋବନ୍ତ ଅର୍ଦ୍ଧଚନ୍ଦ୍ର ଶରକୁ ତାହାର ମର୍ମ ସ୍ଥାନକୁ ଲକ୍ଷ୍ୟକରି ପ୍ରୟୋଗ କଲେ ।
୨୦ଶ ପଦ:-ଚାଣ୍ଡ-ଶୀଘ୍ର । ପ୍ରଚଣ୍ଡ-ଭୟଙ୍କର । ବରଣ-ପ୍ରାଚୀର । ରୋଦନ୍ତେ-କାନ୍ଦିବାରୁ । ଦଶମୁଣ୍ଡ-ରାବଣ । ବାରିକୁଣ୍ଡ-ନିଳେନ୍ଦୀସରୋବର । ଉର୍ତ୍ତଖଣ୍ଡ-ଭାରତଖଣ୍ଡ ।
୨୦ଶ ପଦ:-ସେ ଅର୍ଦ୍ଧଚନ୍ଦ୍ର ଶର ଶୀଘ୍ର ଯାଇ କୁମ୍ଭକର୍ଣ୍ଣର ଗଳାରେ ବାଜି ତାକୁ ଭେଦ କରିବାରୁ, ସେ ମୁଣ୍ଡ ଘୋର ଶବ୍ଦ କରି ଘୂରି ଗଲା ।ଏହାଜାଣି ରାମଚନ୍ଦ୍ର ପୁଣି ଥରେ ଶର ପ୍ରୟୋଗ କରନ୍ତେ, ତାହା ଅସୁରର ମୁଣ୍ଡକୁ ଦୁଇଫାଳ କରି ଦେଲା । ସେଥିରୁ ଫାଳେ ଭାରତ ଖଣ୍ଡରେ ପଡ଼ି ବାରିକୁଣ୍ଡ (ନିଳେନ୍ଦୀ ସରୋବର) ହେଲା ଓ ଅନ୍ୟ ଫାଳକ ମେଘଦଣ୍ଡ ପାଚେରୀ ଉପରେ ପଡ଼ି ତାକୁ ଚୂନା କରି ପକାଇଲା । ଚାରମାନେ ରୁଣ୍ଡ ହୋଇ ରାବଣକୁ ଏହି କଥା ସବୁ କହିବାରୁ ସେ ରୋଦନ କରିବାକୁ ଲାଗିଲା ।
ବାଚକ ଉଠି ମହାପାରୁଶ ଦେଖିତାହା କିପାଇଁ ହେଉଛ ଉତ୍ସାହ ।ବିଖନ ହେଲେ ସାହା ଲିଖନ ଥିବଯାହା ପୋଛି ମାରିବ ରଘୁନାହା ସେ ।ବିଂଶବାହ ।ବୋଲେ ବୋଲିବି ମୁହିଁ କାହା ବିପକ୍ଷେ ବେଗେ କର ତାହା ।ବିମାନବୋଲୁଁ ବାହାପଞ୍ଚସୋଦର ସେହାନୋହେତାଙ୍କ ପ୍ରତିଜ୍ଞାକୁହାସେ । ୨୧ ।ବିଗତିଦେବାନ୍ତକ ତ୍ରିଶିରେ ନରନ୍ତକ ମହୋଦର ଅତିକାୟକ ।ବଜ୍ର କବଚ ଧୃକ ଭଲ୍ଲ ଗଦା ଶାୟକ କାର୍ମୂକ ଶକତି ଶାୟକ ସେ ।ବୀର ଡାକ ।ବଳହିଁ ଚଳେ ଅସଂଖ୍ୟକ ବାହ ଗଜ ରଥ ପଦକ ।ବାଜେ ବାଦ୍ୟ ଅନେକ ଉତ୍ସନ୍ନନାଗ ନାକଲୋକରେ ସ୍ଥିତ ଯେତେ ଲୋକ ଲୋକ ସେ । ୨୨ ।ବର୍ତ୍ମେ ଓଗାଳି ନୀଳ କରନ୍ତେ ରଣଗୋଳ ଅଙ୍ଗଦ ହନୁମନ୍ତ ମେଳ ।ବୃକ୍ଷସାର ଅଚଳ ଋକ୍ଷଭ ମହାବଳ ଘେନି ହେଲା ସମରଶୀଳ ସେ ।ବୃଷ୍ଟି ଶିଳ ।ବାଣ ପରିଘ ଭଲ୍ଲ ଶୂଳ ବାଳିସୂତ ପ୍ରହାରୁ ଶାଳ ।ବାଜିଲା ହୃଦସ୍ଥଳ ନରାନ୍ତକ ଆକୁଳ ଗଜୁଁ ପଡ଼ିଲା ମହୀସ୍ଥଳ ସେ । ୨୩ ।ବାମେ ସେହି ବାରଣ ଧରିଣ ପ୍ରହାରଣ ଲଭିଲେ ସେ ବେନି ମରଣ ।ବିନ୍ଧିଲା ମୋହବାଣ ଦେବାନ୍ତକ ଦେଖିଣ ବାଳିନନ୍ଦନ ଜ୍ଞାନକ୍ଷୀଣ ସେ ।ବଜ୍ରଗଣ ।ବିଶିଖେ କଲେ ସମୀରଣ ବପ୍ତା ସା ତାର ଶରୀରେଣ ।ବଡ଼ଗ୍ରାବେ ମାରିଣ ଗୁଣ୍ଡ ହେଲାତକ୍ଷଣ ଅସ୍ଥି ସହ ରକ୍ଷନିପୁଣ ସେ । ୨୪ ।ବିକୋଷରେ ଅସିର ହାଣନ୍ତେ ସେତ୍ରିଶିର ଛଡ଼ାଇ ତା କରୁଁ ତତ୍ପର ।ବାସରେ ଅନ୍ତକର ପେଶିଲା ଘାତକର ହେଲା ରୁଧିରେ ଜରଜର ସେ ।ବୈଶ୍ୱାନର ।ବିଜନ୍ୟ-ବାଦୀ ମହୋଦର ବିଶେଷେ ଏହାର ଶରୀର ।ବିଷେ ସେ ଯୁକ୍ତ ଘୋରଜ୍ୱାଳା କୃତଶରୀର ଧର ଯୋଗରେ ପ୍ରାଣହର ସେ । ୨୫ ।୨୧ଶ ପଦ :- ବାଚକ-ବକ୍ତା । ବିଖନ-ବ୍ରହ୍ମା । ରଘୁନାହା-ରାମଚନ୍ଦ୍ର । ବିଂଶବାହା-ରାବଣ । ବିପକ୍ଷେ-ଶତ୍ରୁମାନଙ୍କୁ ।
୨୧ଶ ପଦ :- ରାବଣ ରୋଦନ କରିବା ଦେଖି ମହାପାର୍ଶ୍ୱ ନାମକ ରାକ୍ଷସ ଉଠି କହିଲା ‘‘ଏପରି ଉତ୍ସାହଶୂନ୍ୟ ହେଉଛନ୍ତି କାହିଁକି ? ବ୍ରହ୍ମା ତାହାପ୍ରତି ସହାୟ ହୋଇ ତାହା କପାଳରେ ଯାହା ଲେଖିଥିବ, ମୁଁ ତାହା ସବୁ ଲିଭାଇ ଦେଇ ସେ ରାମଚନ୍ଦ୍ରକୁ ବିନାଶ କରିବି ।’’ ଏହା ଶୁଣି ରାବଣ କହିଲା, ‘‘ମୁଁ ଆଉ ଅବା କଣ କହିବି ? ଏବେ ତୁମ୍ଭେ ଶତ୍ରୁଠାରେ ସେହି କଥା କର (ଶତ୍ରୁକୁ ବିନାଶ କର) ।’’ ରାବଣର ବାକ୍ୟ ଶୁଣିବା ମାତ୍ରକେ ମହାପାର୍ଶ୍ୱ ବିମାନ ଚଳାଇବାକୁ ଆଦେଶ ଦେଲା । ତାହା ଶୁଣି ତାହାର ପାଞ୍ଚଭାଇ ସ୍ନେହ ଯୁକ୍ତହୋଇ ବହୁ ପ୍ରତିଜ୍ଞା କରି ସଜ ହେଲେ ।
୨୨ଶ ପଦ :- ବିଗତି-ବିଶେଷ ଗତି । ଧକ-ଧାରଣ କରି । ଶାୟକ-ଶର । କାର୍ମୁକ-ଧନୁ । ଗଜ-ହସ୍ତୀ । ପଦକ-ପଦାତି । ନାଗ ନାକ ଲେକରେ-ପାତାଳ, ସ୍ୱର୍ଗ ଏବଂ ମର୍ତ୍ତ୍ୟ ପୁରରେ । ବାହ-ଅଶ୍ୱ ।
୨୨ଶ ପଦ :- ଦେବାନ୍ତକ, ତ୍ରିଶିର, ନରାନ୍ତକ, ମହୋଦର, ଅତିକାୟ ଏହି ପାଞ୍ଚ ଭାଇ ଗଦା, ଖଡ଼୍ଗ, ଶକ୍ତି, ଧନୁ, ଶର, ବଜ୍ରକବ ଇତ୍ୟାଦି ଅସ୍ତ୍ର ଶସ୍ତ୍ରମାନ ଧରି ମହାପାର୍ଶ୍ୱ ସହିତ ବାହାରିଲେ । ଅପ୍ରମିତ ସୈନ୍ୟମଧ୍ୟ ବୀର ଡାକ ଦେଇ ଗର୍ଜିଲେ ।ଅଶ୍ୱ, ଗଜ, ରଥ, ପଦାତି ଏହିପରି ଚତୁରଙ୍ଗ ବଳ ଚଳିବାରୁ ଓ ଅନେକ ବାଦ୍ୟ ବାଜିବାରୁ ପାତାଳ, ସ୍ୱର୍ଗ ଏବଂ ମର୍ତ୍ତ୍ୟ ଭୁବନରେ ଥିବା ଲୋକମାନେ ଭୀତ ହେଲେ ।
୨୩ଶ ପଦ :- ବତ୍ମେ-ବାଟରେ । ବୃକ୍ଷସାର-ବଡ଼ଗଛ । ସମରଶୀଳ-ରଣକୁଶଳ । ଶିଳ-ପଥର । ବାଳିସୁତ-ଅଙ୍ଗଦ । ଗଜୁ-ହାତୀ ଉପରୁ ।
୨୩ଶ ପଦ :- ରାକ୍ଷସସୈନ୍ୟମାନେ ଯୁଦ୍ଧକ୍ଷେତ୍ରକୁ ଆସିବା ସମୟରେ ନୀଳ ସେନାପତି ବାଟରେ ଓଗାଳି ରଣଗୋଳ କଲେ । ଏହି ସମୟରେ ଅଙ୍ଗଦ ଓ ହନୁମାନ ଯାଇ ତାଙ୍କ ସହିତ ମିଶିଲେ । ଅତି ବଳବାନ ଋଷଭ କପି ବଡ଼ ବୃକ୍ଷ ଓ ପର୍ବତଧରି ଆସିଯୁଦ୍ଧରେ ରତ ହେଲା । ସେ ଯୁଦ୍ଧକ୍ଷେତ୍ରରେ ପଥର, ବାଣ, ପରିଘ, ଢାଲ, ଶୂଳ ପ୍ରଭୃତି ବୃଷ୍ଟି ହେବାକୁ ଲାଗିଲା । ଅଙ୍ଗଦ ଶାଳ ବୃକ୍ଷ ପ୍ରହାର କରିବାରୁ ତାହା ନରାନ୍ତକ ବକ୍ଷରେ ବାଜିଲା । ତେଣୁ ସେ ବ୍ୟାକୁଳ ହୋଇ ହସ୍ତୀ ଉପରୁ ଖସି ଭୂମିତଳେ ପଡ଼ିଗଲା ।
୨୪ଶ ପଦ :- ବାରଣ-ହସ୍ତୀ । ବିଶିଖେ-ଶରଦ୍ୱାରା । ସମୀରଣ-ପବନ । ବପ୍ତା-ପିତା । ବଡ଼ଗାବେ-ପ୍ରକାଣ୍ଡ ପ୍ରସ୍ତରରେ । ଅସ୍ଥିସହ-ହାଡ଼ ସହିତ । ରକ୍ଷନିପୁଣ-ରାକ୍ଷସଶ୍ରେଷ୍ଠ । ବସ୍ତା ସମୀର-ଯାହାର ପିତା ପବନ ଅର୍ଥାତ୍ ହନୁମାନ ।
୨୪ଶ ପଦ :- ଅଙ୍ଗଦ ନରାନ୍ତକର ହସ୍ତୀକୁ ବାମ ହସ୍ତରେ ଧରି ନରାନ୍ତକ ଉପରେ ପ୍ରହାର କରନ୍ତେ, ସେ ଦୁହେଁ ବିନାଶ ହେଲେ । ତାହା ଦେଖି ଦେବାନ୍ତକୁ ମୋହବାଣ ବିନ୍ଧିବାରୁ ଅଙ୍ଗଦ ଅଚେତନ ହୋଇଗଲା । ଯାହାର ବାପ ପବନ ଅର୍ଥାତ୍ ହନୁମାନର ଶରୀରକୁ ସେ ବାଣଦ୍ୱାରା କ୍ଷତପୂର୍ଣ୍ଣ କରିଦେଲା । ହନୁମାନ କ୍ରୁଦ୍ଧ ହୋଇ ବଡ଼ ପଥରଖଣ୍ଡେ ଫୋପାଡ଼ନ୍ତେ ତଦ୍ୱାରା ଦେବାନ୍ତକ ତତ୍କ୍ଷଣାତ୍ ହାଡ଼ ସହିତ ଗୁଣ୍ଡା ହୋଇଗଲା ।
୨୫ଶ ପଦ :- ବିକୋଷରେ-ଖାପରୁ ବାହାର କରି । ଅସି-ଖଣ୍ଡା । ବାସରେ-ଗୃହରେ । ରୁଧିରେ-ରକ୍ତରେ । ବୈଶ୍ୱାନର ବିଜନ୍ୟ-ଅଗ୍ନିପୁତ୍ର (ନୀଳ ।)
୨୫ଶ ପଦ :- ତତ୍ପରେ ତ୍ରିଶିର ରାକ୍ଷସ ଖଡ଼୍ଗକୁ ଖୋପରୁ ବାହାର କରି ହନୁମାନକୁ ହାଣିବାକୁ ବସନ୍ତେ ହନୁମାନ ତତ୍କ୍ଷଣାତ୍ ସେ ଖଡ଼୍ଗକୁ ତା ହସ୍ତରୁ ଛଡ଼ାଇ ସେଥିରେ ତ୍ରିଶିରର ମୁଣ୍ଡ ହାଣି ତାକୁ ଯମାଳୟକୁ ପଠାଇ ଦେଲା ଓ ନିଜେ ରକ୍ତରେ ଜର୍ଜରିତ ହୋଇ ପଡ଼ିଲା । ଅଗ୍ନି ପୁତ୍ର ନୀଳ ମହୋଦର ସଙ୍ଗେ ବିବାଦୀ ହୋଇ ଯୁଦ୍ଧ କରିବାରୁ ତାହାର ଶରୀର ମହୋଦରର ବିଷାକ୍ତ ବାଣରେ ଆଚ୍ଛାଦିତ ହୋଇ ଭୟଙ୍କର ଜଳାପୋଡ଼ା କଲା । ତେଣୁ ନୀଳ କ୍ରୁଦ୍ଧ ହୋଇ ନୀଳପର୍ବତ ପକାଇ ମହୋଦରର ପ୍ରାଣ ବିନାଶ କଲା ।
ବୃକ୍ଷଭପରି ତହିଁ ଋଷଭ ରୋଷ ବହି ମହାପରୁଶେ ଯୁଦ୍ଧ ବିହି ।ବିଶାଣ ନଖେ ଦେହି ଚିରି ଲୋଟାଇ ମହୀ ଗଦାଦଣ୍ଡ ପ୍ରହାର ସହି ସେ ।ବାଣେ ଦହି ।ବଳିଷ୍ଠ ଅତିକାୟ ଚାହିଁ ବାତଜାଦି ନ ପାରେ ରହି ।ବାନର ସୈନ୍ୟ ତହିଁ ସିନ୍ଧୁ ମନ୍ଦିର ସେହି ବିରାଜେ ରନୁବର ଅହି ସେ । ୨୬ ।ବିଷୟ ଯେ ବିଷମ ବିଷ ହେଲାଜନମ ପ୍ରଜ୍ୱଳିତରେ ଅନୁପମ ।ବିଲୀନକୃତେ କ୍ଷମ ରାମଅନୂଜ ଭୀମ ଆସିଣ ଆଗେ ତା ବିଶ୍ରାମ ସେବୀରୋତ୍ତମ ।ବାତାଦି ଦେବ-ଗିରେ ପ୍ରେମ ବ୍ରହ୍ମାସ୍ତ୍ର ଅଞ୍ଜଳି ସୁଷମବିଶୀର୍ଣ୍ଣ କଲେ କାମ ସର୍ଜନା ଗଙ୍ଗାହିମକର କୀର୍ତ୍ତି ଭୂଷଣେ ରମ୍ୟ ସେ । ୨୭ ।ବାହୁନି କାନ୍ଦେ ଗୁଣ ଶ୍ରବଣରେ ରାବଣ କୁରରୀ ପରାୟ ପ୍ରମାଣ ।ବିଷାଦ ଅସହଣ ନିଶେ ହସ୍ତ ଭରିଣ ଶତ୍ରାରି ଝମକି କୃପାଣ ସେ ।ବୋଲେ ଟାଣ ।ବିନ୍ଧୁ ମୁଁ ଘୋରତମ ବାଣ ବିଧିରେ ସେ ରାମ ଲକ୍ଷ୍ମଣ ।ବିହେ ଗ୍ରାସନ୍ତେତ୍ରାଣ ଏବେ ଦେବ ଚର୍ବଣ ମ୍ଳାନଭଜିବେ ଋକ୍ଷଗଣ ସେ । ୨୮ ।ବଟତଳରେ ହୋମେ ରଥ ଜନ୍ମାଇ ରମ୍ୟେ ଖାତ ଦେବଦଳନ ନାମେ ।ବଇଜୟନ୍ତୀ ବ୍ୟୋମେଦିଗଦହନେ ଭ୍ରମେ ଦେଖି ପଡ଼ିବେ ପର ଝାମେ ସେ ।ବୀର ଗମେ ।ବିଜୟ ତୁଣ ଅଭିରାମେ ବାଣ ଦକ୍ଷିଣେ ଧନୁ ବାମେ ।ବହୁବଳ ସଙ୍ଗମେ ଲକ୍ଷିତ ଲକ୍ଷ ଯମେ ପ୍ରବେଶ ହୋଇଲା ସଂଗ୍ରାମେ ସେ । ୨୯ ।ବଳ ଉଭୟ ବାଦେ କେ ପ୍ରାବୃଟ ସମ୍ପଦେ କେତହିଁ ଲକ୍ଷିତ ଶରଦେ ।ବିପୁଳ ମେଘନାଦେ ଘନାଘନ ଆସ୍ପଦେ ବଢ଼େ ନିଶାଚର ସମ୍ମଦେ ସେ ।ବିଶାରଦେ ।ବିଶଦେ ରାମଚନ୍ଦ୍ର ଉଦେ ବିରାଜିତ ହରି ବିନୋଦେ ।ବିକଶିତ କୁମୁଦେ ନଳିନୀ ପ୍ରଭାମୋଦେ ଦୁହେଁ ରୁଚିର ଶରଭେଦେ ସେ । ୩୦ ।୨୬ଶ ପଦ :- ବିଷାଣ-ଶିଙ୍ଘ । ବାତଜାଦି-ହନୁମାନ ପ୍ରଭୃତି । ମନ୍ଦର-ପର୍ବତ । ଅହି-ସର୍ପ ।
୨୬ଶ ପଦ :- ସେ ଯୁଦ୍ଧରେ ଋଷଭ କପି ଷଣ୍ଢ ପ୍ରାୟ କୋପଯୁକ୍ତ ହୋଇ ମହାପାର୍ଶ୍ୱ ସହିତ ଯୁଦ୍ଧ କଲା । ସେ ଗଦାର ଭୀଷଣ ପ୍ରହାର ସହି ମଧ୍ୟ ଶୃଙ୍ଗତୁଲ୍ୟ ତାହାର ତୀକ୍ଷ୍ଣ ନଖମାନଙ୍କଦ୍ୱାରା ରାକ୍ଷସର ଦେହକୁ ଚିରି ତାକୁ ଭୂମିରେ ଲୋଟାଇ ଦେଲା । ବଳବାନ୍ ଅତିକାୟ ଏହିପରି ଭ୍ରାତାମାନଙ୍କର ମରଣ ଦେଖି ବାଣ ମାରି କପି ସୈନ୍ୟମାନଙ୍କୁ ଦହି ପକାଇଲା । ସେ ବାଣ ତେଜରେ ହନୁମାନାଦି ବୀରମାନେ ରହିପାରିଲେ ନାହିଁ । ସେ ଯୁଦ୍ଧ ଭୂମିରେ କପିସୈନ୍ୟ ସମୁଦ୍ରକୁ ଅତିକାୟ ରୂପୀ ମନ୍ଦର ପର୍ବତ ତାହାର ଶ୍ରେଷ୍ଠ ଧନୁରୂପ ବାସୁକି ସାହାଯ୍ୟରେ ମନ୍ଥି ପକାଇଲା କି ?
୨୭ଶ ପଦ :- ଅନୁପମ-ଅକଥନୀୟ । ବିଲୀନକୃତେ-ବିନାଶ କରିବା ନିମିତ୍ତ,କ୍ଷମଂସମର୍ଥ । ରାମଅନୂଜ-ରାମଙ୍କର ସାନଭାଇ (ଲକ୍ଷ୍ମଣ) । ବାତାଦି-ପବନ ପ୍ରଭୃତି । ଦେବଗିରେ-ଦେବତାମାନଙ୍କ ବାକ୍ୟରେ । ବିଶୀର୍ଣ୍ଣ-କ୍ଷୀଣ । ହିମକର-ଚନ୍ଦ୍ର । ରମ୍ୟ-ମନୋହର । ଭୀମ-ଶିବ ।
୨୭ଶ ପଦ :- (ସମୁଦ୍ର ମନ୍ଥନରୁ ବିଷ ଜନ୍ମ ହେଲା ପରି) ଅତିକାୟର କପିସୈନ୍ୟ ମନ୍ଥନ ହେତୁ ବିଷମ ଯୁଦ୍ଧ ବିଷପ୍ରାୟ ଜାତ ହୋଇ ଭୀଷଣ ଭାବେ ଜଳି ଉଠିଲା । ସିନ୍ଧୁଜାତ ବିଷ ଶିବ ଗ୍ରାସ କରିଥିଲେ; ସେହିପରି ଏହି କପି ସୈନ୍ୟ ମନ୍ଥନ ହେତୁ ଜାତ ବିଷରୂପ ବିଷମ ଯୁଦ୍ଧକୁ ଲୀନ କରିବା ପାଇଁ ଏକା ସମର୍ଥ ଯେ ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ, ସେ ମହାଦେବ ରୂପେ ଆସି ଯୁଦ୍ଧ ମଧ୍ୟରେ ଉଭା ହେଲେ । ସେ ବୀରଶ୍ରେଷ୍ଠ ଲକ୍ଷ୍ମଣ ପବନ ପ୍ରଭୃତି ଦେବତାମାନଙ୍କ କଥାରେ ପ୍ରୀତ ହୋଇ ବ୍ରହ୍ମଶରକୁ ହସ୍ତରେ ଧାରଣ କଲେ ଏବଂ ଅତିକାୟକୁ ବ୍ରହ୍ମ ଶରରେ ବିନାଶ କରି ଯୁଦ୍ଧ ସନ୍ତାପକୁ ସଂହରଣ କଲେ । ଏବଂ ଅତିକାୟକୁ ବ୍ରହ୍ମ ଶରରେ ବିନାଶ କରି ଯୁଦ୍ଧ ସନ୍ତାପକୁ ସଂହରଣ କଲେ । ସେହେତୁ ମହାଦେବ ଗଙ୍ଗା ଓ ଚନ୍ଦ୍ରଙ୍କ ଦ୍ୱାରା ଭୂଷିତ ହେଲାପରି ବୀର ଲକ୍ଷ୍ମଣ ଗଙ୍ଗା ପରି ପବିତ୍ର ଓ ଚନ୍ଦ୍ରପରି ନିର୍ମଳ ଯଶରାଶିରେ ଭୂଷିତ ହେଲେ । (ଶିବ ଦେବତାଙ୍କ କଥାରେ ପ୍ରୀତି ହୋଇ ସମୁଦ୍ରଜାତ ବିଷକୁ କରଅଞ୍ଜଳିରେ ଧରି ଗ୍ରାସ କରି ବିଷସନ୍ତାପ ହରିଥିଲେ, କାମଦେବକୁ ଭସ୍ମ କରିଥିଲେ ଏବଂ ଗଙ୍ଗା ଓ ଚନ୍ଦ୍ରଙ୍କୁ ମସ୍ତକରେ ଧାରଣ କରି ଶୋଭାଯୁକ୍ତ ହୋଇଥିଲେ; ସେହିପରି ଲକ୍ଷ୍ମଣ ପବନ ଦେବତାଙ୍କ କଥାରେ ବ୍ରହ୍ମାସ୍ତ୍ର ହସ୍ତରେ ଧରି ଅତିକାୟକୁ ବିନାଶ ପୂର୍ବକ ଯୁଦ୍ଧର ସନ୍ତାପ ହରଣ କରିଥିଲେ ଓ ନିର୍ମଳ କୀର୍ତ୍ତିରେ ଭୂଷିତ ହୋଇଥିଲେ ।)
୨୮ଶ ପଦ :- କୁରରୀ-ପକ୍ଷୀ ବିଶେଷ । ବିଶାଦ-ଦୁଃଖ । ଶତ୍ରାରି-ଇନ୍ଦ୍ରଜିତ ।
୨୮ଶ ପଦ :- ରାବଣ ଦୂତ ମୁଖରୁ ସେନାପତିମାନଙ୍କର ମୃତ୍ୟୁବାର୍ତ୍ତା ଶୁଣି ତାଙ୍କ ଗୁଣବାହୁନି କୁରରୀ ପ୍ରାୟ କାନ୍ଦିବାକୁ ଲାଗିଲା । ଇନ୍ଦ୍ରଜିତ ପିତାଙ୍କର ଏ ଶୋକ ସହ୍ୟ କରି ନପାରି ନିଶରେ ହାତମାରି ଖଣ୍ଡା ଝମକାଇ କ୍ରୋଧଭରେ ଗର୍ଜନ କରି କହିଲା, ‘‘ମୁଁ ଭୟଙ୍କର ରାହୁ ସଦୃଶ ବାଣ ବିନ୍ଧିବା ଦ୍ୱାରା ସେ ତୁମ ଲକ୍ଷ୍ମଣ ରୂପୀ ଚନ୍ଦ୍ର ଗ୍ରାସିତ ହୋଇ ପୁଣି ରକ୍ଷା ପାଇ ଯାଉଅଛନ୍ତି । ଏବେ ସେ ମୋ ବାଣ ଦ୍ୱାରା ଜବତ ହେବେ ଓ ନକ୍ଷତ୍ରଗଣ ରୂପ ଭଲ୍ଲୁକ ସୈନ୍ୟ ମଳିନ ଦିଶିବେ ।’
୨୯ଶ ପଦ :- ରମ୍ୟେ-ମନୋହର ଭାବରେ । ବଇଜୟନ୍ତୀ-ପତକା । ବ୍ୟୋମେ-ଆକାଶରେ । ଝମେ-ଝାଉଁଳିଯିବା । ବହୁବଳ-ଅସଂଖ୍ୟ ସୈନ୍ୟ । ସଂଗ୍ରାମେ-ଯୁଦ୍ଧ କ୍ଷେତ୍ରରେ ।
୨୯ଶ ପଦ :- ଇନ୍ଦ୍ରଜିତ ଏହିପରି ଏହିପରି ପ୍ରତିଜ୍ଞାପୂର୍ବକ ନିକୁମ୍ଭିଲା ବଟ ମୂଳରେ ହୋମ କରି ଦେବଦଳନ ନାମକ ସୁନ୍ଦର ରଥ ଜାତ କରାଗଲା । ସେ ରଥରେ ଥିବା ଦିଗଦହନ ନାମକ ପତାକା ଆକାଶରେ ଫରହର ଉଡ଼ିବାର ଦେଖିବେ ଓ ଶତ୍ରୁମାନେ ଝାମ ଯାଇ ପଡ଼ିବେ । ବାଣମାନଙ୍କଦ୍ୱାରା ପୂର୍ଣ୍ଣ ସୁନ୍ଦର ବିଜୟ ନାମକ ତୁଣୀର ଦକ୍ଷିଣ ସ୍କନ୍ଦରେ ବାନ୍ଧି ବାମ ହସ୍ତରେ ଧନୁ ଧରି ଇନ୍ଦ୍ରଜିତ ଯୁଦ୍ଧକୁ ବାହାର ହେଲା ଏବଂ ବହୁତ ସୈନ୍ୟ ସଙ୍ଗରେ ଧରି ଯମ ପ୍ରାୟ ରଣ କ୍ଷେତ୍ରରେ ଉପସ୍ଥିତ ହେଲା ।
୩୦ଶ ପଦ :- ବଳ-ସୈନ୍ୟ । ବାଦେ-ବିପକ୍ଷମାନେ । ପ୍ରାବୃଟ-ବର୍ଷାଋତୁ । ଶରଦେ-ଶରତ୍ କାଳରେ । ମେଘନାଦ-ମେଘଗର୍ଜନ, ଇନ୍ଦ୍ରଜିତ । ନିଶାଚର-ରାକ୍ଷସ, ପେଚା । ରାମଚନ୍ଦ୍ର-ରଘୁନାଥ, ରମଣୀୟ ଚନ୍ଦ୍ର । ହରି-ମର୍କଟ, ଶୁଆ । ସମ୍ମଦ-ଗର୍ବ । କୁମୁଦ-କଇଁ, ବାନର ସେନାପତି ବିଶେଷ । ନଳିନୀପ୍ରଭା-ଜଳର ସ୍ୱଚ୍ଛତା, ପଦ୍ମର ମନୋହରତା । ସରଭେଦେ-ବାଣବିନ୍ଧୁ, ଜଳ ଭେଦରେ । ଘନାଘନ-ମତ୍ତହସ୍ତୀ, ବର୍ଷୁକମେଘ । ବିଶଦ-ନିର୍ମଳ, ଶୁଭ । ବିଶାରଦ-ଗର୍ବ, ଧୈର୍ଯ୍ୟ । ନିଶାଚର-ରାକ୍ଷସ, ଯମ୍ବୁଜ ପେଚକ ସର୍ପାଦି ରାତ୍ରିଚର ପ୍ରାଣୀ ।
୩୦ଶ ପଦ :- ସେ ଯୁଦ୍ଧଭୂମିରେ ଦୁଇ ଥାଟଙ୍କ ବିବାଦରେ କୌଣସି ଥାଟ ବର୍ଷାକାଳ ଓ ଅପର ଥାଟ ଶରତ୍କାଳ ସଙ୍ଗେ ଲକ୍ଷିତ ହେଲେ । (ଇନ୍ଦ୍ରଜିତ ଥାଟ ବର୍ଷାକାଳ ପ୍ରାୟ ହେଲା କାରଣ ଯେପରି ‘ମେଘନାଦ’ ଘୋର ଗର୍ଜନକାରୀ ‘ଘନାଘନ’ ବର୍ଷୁକ ମେଘ ବର୍ଷାକାଳରେ ପ୍ରକାଶିତ ହୋଇଥାଏ, ସେହିପରି ‘ମେଘନାଦ’ ଇନ୍ଦ୍ରଜିତ ‘ଘନାଘନ’ ମତ୍ତହସ୍ତୀ ସମହୋଇ ସୈନ୍ୟଙ୍କ ମଧ୍ୟରେ ପ୍ରକାଶ ପାଇଲା । ପୁଣି ବର୍ଷାକାଳ ଯେପରି ‘ନିଶାଚର’ ଯମ୍ଭୁକ, ପେଚକ, ସର୍ପାଦି ରାତ୍ରିଚର ପ୍ରାଣୀମାନଙ୍କର ଗର୍ବ ବଢ଼ାଏ ସେହିପରି ଏ ‘ନିଶାଚର’ ରାକ୍ଷସମାନଙ୍କର ଗର୍ବ ବଢ଼ାଇଲା । (ବାନର ସୈନ୍ୟ ଶରତ୍ଋତୁ ପ୍ରାୟ ହେଲେ) କାରଣ ଶରତ୍କାଳରେ ଯେପରି ରମଣୀୟ ଚନ୍ଦ୍ର ଗର୍ବର ସହିତ ଉଦିତ ହୁଅନ୍ତି, ସେହିପରି ବାନର ଥାଟ ରୂପୀ ଶରତ୍କାଳରେ ନିର୍ମଳ ହୃଦୟ ରାମଚନ୍ଦ୍ର ଉଦିତ ହୋଇଅଛନ୍ତି । ଶରତ୍କାଳରେ ଶୁକପକ୍ଷୀମାନେ ଆନନ୍ଦରେ ବିହାର କରନ୍ତି, ନିର୍ମଳ ଜଳରେ ପଦ୍ମ ଓ କଇଁଫୁଲ ଫୁଟି ଶୋଭିତ ହୁଅନ୍ତି, ସେହିପରି କପି ଥାଟ ମଧ୍ୟରେ ସୈନ୍ୟମାନେ ରାମଚନ୍ଦ୍ରଙ୍କ ଯୋଗୁଁ ଆନନ୍ଦିତ ହେଉଅଛନ୍ତି । କୁମୁଦ ନାମା କପି ଶୁକ୍ଳବର୍ଣ୍ଣରେ ନିଜର ପ୍ରଭାବ ବୃଦ୍ଧି କରି ଶୋଭିତ ହେଉଅଛି । ଦୁଇଋତୁ ଜଳଭେଦରେ ସମାନ ଅର୍ଥାତ୍ ବର୍ଷାକାଳରେ ଜଳ ଆବିଳ ଓ ଶରତ୍ କାଳରେ ଜଳ ନିର୍ମଳ ହେଲା ପ୍ରାୟ ଉଭୟ ପକ୍ଷର ସୈନ୍ୟମାନେ ଶର ଯୁଦ୍ଧରେ ପରଷ୍ପରର ସମାନ ଅଟନ୍ତି । (ଅଥବା ଜୟଲାଭ ଯୋଗେ ଶରତ୍କାଳ ସମ କପିଥାଟଙ୍କ ମନ ନିର୍ମଳ ଓ ପରାଜୟ ଯୋଗେ ବର୍ଷାକଳ ସମ ରାକ୍ଷସ ଥାଟଙ୍କ ମନ ଆବିଳ ହୋଇଅଛି) ।
ବାଛି ନାଶିଲା କରୀ ବୋଇଲା ଯେକେଶରୀ ଗବୟ ହୟଙ୍କୁ ବିଦାରି ।ବିଧାରେ ହନୁଚୂରି ହନୁମାନ ପ୍ରସରି ରଥିମାନଙ୍କେ କ୍ରୋଧଭରି ସେ ।ବାଳ ଧରି ।ବେଗେ ଅଙ୍ଗଦ ଅଙ୍ଗ ଚିରି ବିଜାନ ସାଦିଗଣ କରି ।ବିଲେକିଲେ ଶଉରି ସେ ଜନ ନଉତୁରି ସୁଗ୍ରୀବ ଗ୍ରୀବ ମୋଡ଼ିମାଡ଼ି ସେ । ୩୧ ।ବଧିଲେ କେତେ ସୈନ୍ୟ ଜାମ୍ବବ ଯେକଞ୍ଚନ ଡାଳିମ୍ବ ପନସ ଚନ୍ଦନ ।ବୃକ୍ଷ କରି ପତନ ଜାମ୍ବବ ଯେ କଞ୍ଚନ ଡାଳିମ୍ବ ପନସ ଚନ୍ଦନ ସେ ।ବିଶୋଧନ ।ବିବିଧ ବିବିଧ ବିଧାନ ବାହାର କଲେ ଅନ୍ତମାନ ।ବଳୀ ମହୀନ୍ଦ୍ର ଧନ୍ୟ ମହୀ କରକର୍ଦ୍ଦମ ଦ୍ୱିବିଦ ଦ୍ୱିବିଧ ରଚନ ସେ । ୩୨ ।ବଳିମୁଖ ପ୍ରଖରେ ଦଧିମୁଖ ସଙ୍ଗରେ କାଳୀମୁଖ ଘେନି ରଙ୍ଗରେ ।ବିରବହିଁ ମୁଖରେ ମୁଷ୍ଟି ତାଡ଼ି ମୁଖରେ ଅରିବଳ ଜୀବନ ହରେ ଯେ ।ବହିକରେ ।ବିପୁଳ ଶିଳ ନିରନ୍ତରେ ବିହରିପନଶିଳ ମାରେ ।ବସନ୍ତ ପବନରେ ପରଭୃତ ହିଁ ସ୍ୱରେପଞ୍ଚମ ପଞ୍ଚତ୍ୱ ଆଦରେ ସେ ।୩୩।ବହିତ୍ର ନାମ ଭଲେ ଅପୂର୍ବ ନିଜନୀଳେ ଭଷ୍ମ କରି ଉଡ଼ାଇ ଦେଲେ ।ବ୍ୟାଳରୀତି ଲଭିଲେ ଅସୁରେ ଲୁଚିଗଲେ ତାରାକ୍ଷ ତାର୍ଯ୍ୟ ମହୋଜ୍ଜଳ ସେ ।ବିଳସିଲେ ।ବୈଦ୍ୟ ସୁଷେଣ କୁତୁହଳେ ବ୍ୟାଧିକ୍ଷିତିରେ ଦୈତ୍ୟକୁଳେ ।ବିରଚିଲେ ଚପଳେ ମାରଣ ରସବଳେ ସୁଶୋଧନରେ କି ମଞ୍ଜୁଳେ ସେ ।୩୪।ବପୁ ଗନ୍ଧମାର୍ଦ୍ଦନ ପରି ଗନ୍ଧମାଦନ ମାଡ଼ିପଡ଼ିଲା ଅବିଚ୍ଛନ୍ନ ।ବ୍ୟବସ୍ଥିତେ ଦୁର୍ବର୍ଣ୍ଣ କରିଦେଲା ସୁବର୍ଣ୍ଣପାରାସ ମିଶି ଘନ ଘନ ସେ ।ବଳବାନ ।ବୃନ୍ଦ ବୃନ୍ଦଯୂଥପେ ପୂର୍ଣ୍ଣ ବିନାସ କୋପେ ପୁନଃ ପୁନଃ ।ବାନ୍ଧିଲେ ସରସ୍ୱାନ ସେତୁ କି ଶବମାନ ଶରସେତୁ କରି ପ୍ରଧାନ ସେ ।୩୫।
୩୧ଶ ପଦ :- କରୀ-ହସ୍ତୀ । କେଶରୀ-ସିଂହ । ଗବୟ-ବାନର ସେନାପତି ବିଶେଷ, ପଶୁ ବିଶେଷ । ହୟଙ୍କୁ-ଘୋଡ଼ାମାନଙ୍କୁ । ହନୁ-ଗାଲ । ବିଜାନ-(ଯାବନିକ ଶବ୍ଦ) ବିଗତ ଜାନ୍ ଅର୍ଥାତ୍ ମୃତ୍ୟୁ । ସାଦିଗଣ-ଅଶ୍ୱାରୋହୀ ସମୂହ । ଶଉରି-ଯୋଦ୍ଧା ବିଶେଷ, ଶନି ମହାଗ୍ରହ । ଗ୍ରୀବ-ବେକ ।
୩୧ଶ ପଦ :- କେଶରୀ ନାମକ ବାନର ସିଂହ ପ୍ରାୟ ହୋଇ ବାଛିବାଛି ହସ୍ତୀମାନଙ୍କୁ ବିନାଶ କଲା । ଗବୟ ବାନର ଗୟଳ ପ୍ରାୟ ହୋଇ ବାଛିବାଛି ଅଶ୍ୱମାନଙ୍କୁ ବିଦାରଣ କଲା । ହନୁମାନ ଧାଇଁ ଯାଇ ରଥିମାନଙ୍କଠାରେ କୋପଯୁକ୍ତ ହୋଇ ବିଧାଦ୍ୱାରା ସେମାନଙ୍କ ଗାଲପାଟି ଭାଙ୍ଗିଦେଲା । ଅଙ୍ଗଦ ଅତିଶୀଘ୍ର ସିପାହୀ (ପଦାତିକ)ମାନଙ୍କର ବାଳ ଧରି ସେମାନଙ୍କର ଦେହକୁ ଚିରି ସେମାନଙ୍କ ପ୍ରାଣ ବିନାଶ କଲା । ଶୌରିନାମକ ବାନର ଶନିଗ୍ରହ ପ୍ରାୟ ଯେଉଁ ସୈନ୍ୟକୁ ଅନାଇଲା, ସେ ବଞ୍ଚିନପାରି ମଲା । ସୁଗ୍ରୀବ ରାକ୍ଷସମାନଙ୍କ ବେକ ମୋଡ଼ି ମାରିବାକୁ ଲାଗିଲା ।
୩୨ଶ ପଦ :- ବିଶୋଧନ-ନିର୍ମୂଳ । ବିଧାନ-ନିୟମ । ଦ୍ୱିବିଦ-ସେନାପତି ବିଶେଷ । ଦ୍ୱିବଧ-ଦୁଇଖଣ୍ଡ ।
୩୨ଶ ପଦ :- ଋକ୍ଷରାଜ ଜାମ୍ବବ, କଞ୍ଚନ, ଡାଳିମ୍ବ, ପନସ, ଚନ୍ଦନ, ଇତ୍ୟାଦି ସୈନ୍ୟମାନେ ଯଥାକ୍ରମେ ଜାମୁ, କଞ୍ଚନ, ଡାଳିମ୍ବ, ପଣସ, ଚନ୍ଦନ ବୃକ୍ଷମାନ ଆଣି ପିଟି ବହୁତ ସୈନ୍ୟମାନଙ୍କୁ ବିନାଶ କଲେ । ନାନା ଭାବରେ ରାକ୍ଷସ ସୈନ୍ୟଙ୍କୁ ମାରି ତାଙ୍କ ଅନ୍ତ ବୁଜୁଳା ବାହାର କଲେ । ବଳବାନ ମହୀନ୍ଦ୍ର କପି ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ ଓ ଦ୍ୱିବିଦ କପି ଅସୁରଙ୍କୁ ଦୁଇଖଣ୍ଡ ଲେଖାଏ କରି ପକାଇ ରଣଭୂମିକୁ ରକ୍ତରେ କର୍ଦ୍ଦମ କରି ଦେଲା ।
୩୩ଶ ପଦ :- ବିରବ-ଭୟଙ୍କର ଶବ୍ଦ । ମୁଷ୍ଟି-ମୁଥ । ଅରିବଳ-ଶତ୍ରୁ ସୈନ୍ୟ । ଶିଳ-ପ୍ରସ୍ତର । ବିହରି-ଭ୍ରମଣକରି । ପଞ୍ଚତ୍ୱ-ବିନାଶ । ପରଭୃତି-କୋକିଳ, ଶତ୍ରୁମାନଙ୍କୁ ଧରନ୍ତେ । ପଞ୍ଚମସ୍ୱରେ-ପାଞ୍ଚସ୍ୱର ମଧ୍ୟରୁ ପଞ୍ଚମ ସ୍ୱର ଅର୍ଥାତ୍ ମୃତ୍ୟୁ ସ୍ୱର ।
୩୩ଶ ପଦ :- ବଳୀମୁଖ କପିମାନେ ଦଧିମୁଖ ଓ କାଳୀମୁଖ କପିମାନଙ୍କୁ ସଙ୍ଗତରେ ଘେନି ଯୁଦ୍ଧଭୂମିକୁ ଘୋଟିଗଲେ । କପିମାନେ ମୁଖରେ ଭୟଙ୍କର ଶବ୍ଦ କରି ଅସୁରଙ୍କ ମୁହଁରେ ମୁଥ ପ୍ରହାର ପୂର୍ବକ ଶତ୍ରୁ ସୈନ୍ୟଙ୍କ ଜୀବନ ହରଣ କଲେ । ପନଶିଳ କପି ବଡ଼ବଡ଼ ପଥର ହସ୍ତରେ ଧରି ସର୍ବଦା ଶତ୍ରୁ ସୈନ୍ୟଙ୍କୁ କ୍ରୀଡ଼ା ଛଳରେ ବିନାଶ କଲା । ବସନ୍ତ ଓ ପବନ ଏ ଦୁଇ କପି ଶତୁମାନଙ୍କୁ ଧରନ୍ତେ, ସେମାନେ କରୁଣ ସ୍ୱରରେ ପଞ୍ଚତ୍ୱ ପ୍ରାପ୍ତ ହେଲେ । (ବସନ୍ତ ପବନରେ ମଳୟ ପବନ ବହିବା ଯୋଗୁ ‘ପରଭୃତ’ କୋକିଳ ପଞ୍ଚମ ସ୍ୱର ବିସ୍ତାର କରେ-ଧ୍ୱନ୍ୟର୍ଥ) ।
୩୪ଶ ପଦ :- ଅପୂର୍ବ-ଅଦ୍ଭୁତ । ଭସ୍ମ-ପାଉଁଶ । ବ୍ୟାଳରୀତି-ସର୍ପସ୍ୱଭାବ । ତାରାକ୍ଷ-ରାକ୍ଷସବିଶେଷ । ତାକ୍ଷ୍ୟ-ଗରୁଡ଼ । କ୍ଷିତିରେ-ପୃଥିବୀରେ । ଦୈତ୍ୟକୁଳ-ରାକ୍ଷସବଂଶ । ଚପଳେ-ସତ୍ୱର । ମଞ୍ଜୁଳେ-ମନୋହର ଭାବରେ । କ୍ଷିତିରେ-ବିନାଶାର୍ଥେ ।
୩୪ଶ ପଦ :- ନଳ ଓ ନୀଳ ସେନାପତି ‘ଅପୂର୍ବ ହୋଇ ଅର୍ଥାତ୍ ଅନଳ (ଅଗ୍ନି) ଓ ଅନୀଳ (ପବନ) ପ୍ରାୟ ହୋଇ ବହିତ୍ର ନାମକ ଅସୁରକୁ ଉତ୍ତମରୂପେ ଭସ୍ମ କରି ଉଡ଼ାଇଦେଲେ । ଗରୁଡ଼ରୂପୀ ତାରାକ୍ଷ କପିର ଭୀଷଣ ତେଜରେ ରାକ୍ଷସମାନେ ସର୍ପ ସ୍ୱଭାବକୁ ଲଭିଲେ (ଗରୁଡ଼କୁ ଦେଖି ସର୍ପମାନେ ବିଳରେ ଲୁଚିଲା ପ୍ରାୟ ତାରାକ୍ଷକୁ ଦେଖି ରାକ୍ଷସମାନେ ଗୁପ୍ତସ୍ଥାନରେ ଲୁଚିଲେ) । ସୁଷେଣ ବୈଦ୍ୟ କୌତୁକରେ ବ୍ୟାଧିରୂପ ଅସୁର ବଂଶର ବିନାଶ ପାଇଁ ପାରାଆଦି ରସରୂପ ସଂହାର ରସକୁ ବଳପୂର୍ବକ ସୁନ୍ଦର ଭାବରେ ଶୋଧନ କରି ଶୀଘ୍ର ପ୍ରୟୋଗ କଲେ । (ବୈଦ୍ୟ ବ୍ୟାଧିର ବିନାଶ ପାଇଁ ପାରାଆଦି ରସକୁ ଶୋଧନ କରି ପ୍ରୟୋଗ କଲା ପ୍ରାୟ ସୁଷେଣ ରାକ୍ଷସ ବଂଶ ବିନାଶ ପାଇଁ ବୀରତ୍ୱ ପ୍ରକାଶ କରିଥିଲେ ଅର୍ଥାତ୍ ରାକ୍ଷସମାନଙ୍କୁ ବୀରତ୍ୱ ସହକାରେ ବିନାଶ କରିଥିଲେ ।
୩୫ଶ ପଦ :- ବପୁ-ଦେହ । ଗନ୍ଧମାର୍ଦ୍ଦନର-ପର୍ବତବିଶେଷ । ଗନ୍ଧମାଦନ-ସେନାପତିବିଶେଷ । ଅବିଚ୍ଛିନ୍ନ-ସର୍ବଦା । ଦୁର୍ବର୍ଣ୍ଣ-ତେଜହୀନ, ରୂପା । ପରାସ-ପାରା,ଯୂଥପତିମାନେ । ସରସ୍ୱାନ-ସମୁଦ୍ର । ସେତୁ-ବନ୍ଧ । ସୁବର୍ଣ୍ଣ-ଉତ୍କୃଷ୍ଟ ବର୍ଣ୍ଣ, ସୁନା ।
୩୫ଶ ପଦ :- ଗନ୍ଧମାର୍ଦ୍ଦନ ପର୍ବତତୁଲ୍ୟ ବପୁବନ୍ତ ଗନ୍ଧମାଦନ କପି ରାକ୍ଷସମାନଙ୍କ ଉପରେ ଅନବରତ ମାଡ଼ିପଡ଼ି ସେମାନଙ୍କ ପ୍ରାଣ ବିନାଶ କଲା । ପାରାକୁ ସୁନା ସହିତ ବାରମ୍ବାର ମିଶାଇଲେ, ସେ ଯେପରି ଉତ୍ତମ ବର୍ଣ୍ଣ ସୁନାକୁ ଧଳା କରି ବିବର୍ଣ୍ଣ କରିଦିଏ, ସେହିପରି ପାରାସ କପି ରାକ୍ଷସମାନଙ୍କ ସହିତ ଘନ ଘନ ମିଳିତ ହୋଇ ସେମାନଙ୍କୁ ତେଜୋହୀନ କରିଦେଲା । ଯୂଥପତିମାନେ କ୍ରୋଧଯୁକ୍ତ ହୋଇ ବାରମ୍ବାର ବୃନ୍ଦ ବୃନ୍ଦ ରାକ୍ଷସଙ୍କୁ ବିନାଶ କରିବାରୁ ସମୁଦ୍ରରେ ସେତୁ ବନ୍ଧନ ହେଲାପରି ଯୁଦ୍ଧ-କ୍ଷେତ୍ରରେ ରକ୍ତ ସମୁଦ୍ରରେ ଶବମାନଙ୍କଦ୍ୱାରା ସେତୁ ବନ୍ଧା ହେଲା ।
ବିଶ୍ରବାର ତନୟ ବରଷ (ଶ)ରଆଳୟ ସ ଭେଦେ ଅର୍ଦ୍ଧ କରି କ୍ଷୟ ।ବଳେ ଜ୍ୟେଷ୍ଠ ଆାଷାଢ଼ ପାଇ କାୟ ଶ୍ରମ ଶ୍ରାବଣ ପରିଚୟ ସେ ।ବିବିସ୍ମୟ ।ବିଶ୍ୱେଭାଦ୍ରପଦ ଆଶ୍ରୟବିଭାତି ଆଶ୍ୱିନ ସ୍ଥାପୟ ।ବାହୁଳେୟ ଉଦୟ ପ୍ରଭାରେ ମହୋଦୟ କରାଇ ମାର୍ଗଶିରମୟସେ ।୩୬।(କ)ବଇଶ୍ରବ ତନୟ ବରଶର ଆଳୟ ‘ଷ’ ଭେଦେ ଅର୍ଦ୍ଧ କରି କ୍ଷିତ ।ବଳେ ଜ୍ୟେଷ୍ଠ ତନୟ ଆଷାଢ଼ପାଇ କାୟ ଶ୍ରମ ଶ୍ରାବଣ ପରିଚିତ ସେ ।ବିବିସ୍ମିତ ।ବିଶ୍ୱେଭାଦ୍ରପର ଆଶ୍ରିତ ବିଭାତି ଅସୀନ ଛେଦିତ ।ବାହୁଳେୟ ଉଦୟ ପ୍ରଭାରେ ଅତିଶୟ କରାଇ ମାର୍ଗଶୀର୍ଷାନ୍ୱିତ ସେ ।୩୬।(ଖ)ବିଜ୍ଞେବୋଲନ୍ତି ନର ନାରାୟଣଏ ଗିରି ସିଦ୍ଧ ହୋଇଛି ଯେଉଁଠାରେ ।ବୀରପଣ ତାଙ୍କର କେ ହେବ ଶେଷକର ଅଲେଖ ଯେ ଲେଖ ଲେଖରେ ସେ ।ବିନ୍ଧେଶର ।ବିଶ୍ୱଭରଣବୋଲିବାର ବିଅର୍ଥ ନୋହେ ବିଶ୍ୱମ୍ଭର ।ବିଷ୍ଣୁ ସଙ୍ଗେ ସଙ୍ଗର ଅନନ୍ତ ସାହାଯାର ଜିଷ୍ଣୁ ଜିତ ନୋହେ ଇତର ସେ ।୩୭।ବିଭିନ୍ନରେ କବଚ ଶୋଣିତରେ ପ୍ରପଞ୍ଚ ଅସ୍ଥିକି ଭେଦିଣ ନାରାଚ ।ବଚନେ ନାହିଁ ପାଞ୍ଚ ଚତୁର୍ଥସ୍ୱରେ ବଚ ପ୍ରକାଶ କଲା ଯଥା ମତ ସେ ।ବୋଲେ ଉଚ୍ଚ ।ବଚନ ଚପଳେ ମାରିଚ ବଧକ ଭ୍ରାତ ଏବେ ରଚ ।ବିହାରକୁ ମୃସଞ୍ଚ ଶମନପୁର ମଞ୍ଚ ତେଜିଣ ପୂର୍ବ ଗର୍ବ ମୁଞ୍ଚ ସେ ।୩୮।ବାସବଜିତ ଭଲା ପ୍ରଳୟକାଳ ହେଲା ଚତୁରଘନ ଧନୁ କଲା ।ବରଷି ଶରଧାରା ଗଗନଘୋଟାଇଲା ବାନର ସୃଷ୍ଟିନାଶ କଲା ସେ ।ବୁଡ଼ାଇଲା ।ବିକର୍ତ୍ତନଜ ଯେ ଉଇଁଲା ବଟ ବ୍ରହ୍ମାସ୍ତ୍ରେ ଶୁଆଇଲା ।ବାଳମୁକୁଦ ଲୀଳା ସୀତାବଲ୍ଲଭେ ଦେଲା ଲକ୍ଷ୍ମଣ ଶିବହିଁ ଢଳିଲା ସେ ।୩୯।ବାସ୍ତୋସ୍ପତି ପ୍ରଭୃତି ଦିଗପତି ସମ୍ମତି ସୁଗ୍ରୀବ ଆଦି ହେଲେ ହତି !ବଶିଷ୍ଠେ ଯେତେ ସ୍ଥିତି ସେ ହେଲେ ଦିଗଦନ୍ତୀ ତମମୟରେ ଲୁଚିଜ୍ୟୋତି ସେବ୍ୟୁତପର୍ତ୍ତି ।ବହି ମାର୍କଣ୍ଡେୟ ମରତି ବିଭୀଷଣ ବେଳ ବର୍ତ୍ତି ।ବିଂଶବାହୁସନ୍ତତି କଇଟଭ ଆକୃତି ସ୍ୱାସ୍ଥାନେ ପ୍ରକାଶେ ବିଭୂତି ସେ ।୪୦।
୩୬ଶ ପଦ :- (କ) ବିଶ୍ରବାର ତନୟ-ବିଶ୍ରବାର ପୁତ୍ର, ବିଭୀଷଣ । ବରଶର-ଉତ୍କୃଷ୍ଟ ନାରାଚ ବା ବାଣ । ଆଳୟ-ସ୍ଥାନ ବା ଗୃହ । ସଭେଦେ-ବନ୍ଧନକରି । କ୍ଷୟ-ବିନାଶ । ବିବସ୍ମୟ-ଅତିଶୟ ଆଶ୍ଚର୍ଯ୍ୟ । ବିଭାତି-ପ୍ରକାଶିତ ହୋଇ । ବାହୁଳେୟ-କାର୍ତ୍ତିକେୟ । ମାର୍ଗଶିର-ମାସ ବିଶେଷ ।
୩୬ଶ ପଦ :- (କ)-ବିଭୀଷଣ ବର୍ଷକର ସ୍ଥାନ ହେଲା । ବର୍ଷକୁ ସମାନ ଭାଗକରି ଅଧେ କାଟି ଦେଲେ ପୁଷଠାରୁ ଜ୍ୟେଷ୍ଠ ପର୍ଯ୍ୟନ୍ତ ଗଲା ଏବଂ ଆଷାଢ଼ଠାରୁ ମାର୍ଗଶିର ପର୍ଯ୍ୟନ୍ତ ରହିଲା । ଜ୍ୟେଷ୍ଠମାସ ଗତ ହୋଇ ଯିବାରୁ ଆଷାଢ଼ମାସ ଦେହ ଧାରଣକଲା । ବର୍ଷାଦ୍ୱାରା ଶ୍ରାବଣମାସର ପରିଚୟ ଦେଲା, ଅତି ବିସ୍ମୟକର ତାପଯୁକ୍ତ ଭାଦ୍ରମାସ ସଂସାରକୁ ଆଶ୍ରୟ କଲା, ଆଶ୍ୱିନ ମାସ ଅତି ତେଜର ସହିତ ସ୍ଥାପିତ ହେଲା, ଅତି ପ୍ରଭାବନ୍ତ ହୋଇ କାର୍ତ୍ତିକ ମାସ ଉଦୟ ହେଲା, ତତ୍ପରେ ମାର୍ଗଶିର ମାସ ଆସିଲା ।
ଯୁଦ୍ଧପକ୍ଷରେ- ବିଭୀଷଣ ଉତ୍ତମ ଶରମାନଙ୍କର ସ୍ଥାନ ହୋଇଥିଲା । ତାହାର ଶର ଭେଦ ହେବା ପୂର୍ବରୁ ଇନ୍ଦ୍ରଜିତ ଅଧେ କାଟି ପକାଏ, ପୁଣି ବିଧାତା ବଶରେ ବଡ଼ ଭାଇ ରାବଣର ପୁଅ ଇନ୍ଦ୍ରଜିତ, ତାହାଶରୀର ବିନାଶ କରିବା ପାଇଁ ଆଶା ବଳାଇଛି, ଯୁଦ୍ଧକ୍ଷେତ୍ର ଅନବରତ ବାଣ ବର୍ଷଣ ଦ୍ୱାରା ଶ୍ରାବଣ ମାସର ଧାରା ବର୍ଷାର ପରିଚୟ ଦେଉଅଛି । ଅତି ବିସ୍ମୟ ଭାବରେ ସଂସାର ମଧ୍ୟରେ ଶୁଭ ଆଶା ପୋଷଣ କରି ସେ ତେଜୀୟାନ ଅଶ୍ୱାରୋହୀମାନଙ୍କୁ ଖୋଜି ମାଇଲେ ଏବଂ ଅତିଶୟ ପ୍ରଭାବନ୍ତ କାର୍ତ୍ତିକଙ୍କ ପ୍ରାୟ ଉଦିତ ହୋଇବାଟଯାକ ମୁଣ୍ଡମାଳ ଗଡ଼ାଇ ଦେଲେ ।
୩୬ଶ ପଦ :- (ଖ) ବଇଶ୍ରବତନୟ-ରାବଣର ପୁତ୍ର ଇନ୍ଦ୍ରଜିତ । ବରଶର-ଶ୍ରେଷ୍ଠଶର । ‘ଷ’ ଭେଦେ-‘ଷ’କାର ଭେଦରେ । କ୍ଷିତକରି-କ୍ଷୟକରି । ଭାଦ୍ରପର-ଭ୍ରାଦବ ମାସର । ଭା-ପ୍ରଭା,ଦ୍ରପ-ଗର୍ବ ଅର୍ଥାତ୍ ନିଜ ପ୍ରଭାଗର୍ବରେ । ଅସୀନ-ଅଶୀଣ ମାସ, ପ୍ରଧାନ ଖଡ଼୍ଗରେ । ବାହୁଳେୟ- କାର୍ତ୍ତିକମାସ, ବାହୁଲ୍ୟରୂପେ । ମାର୍ଗଶୀର୍ଷାନ୍ୱିତ-ମାର୍ଗଶୀରମାସଯୁକ୍ତ, ‘ମାର୍ଗ’ ବାଟକୁ ଶୀର୍ଷ ମସ୍ତକରେ ‘ଅନ୍ୱିତ’ ଯୁକ୍ତ ।
୩୬ଶ ପଦ :-(ଖ)- ରାବଣର ପୁତ୍ର ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ଦ୍ୱାରା ବିନ୍ଧା ହୋଇଥିବା ପ୍ରଧାନ ପ୍ରଧାନ ନାରାଚମାନଙ୍କର ସ୍ଥାନ ହେଲା । (ଇନ୍ଦ୍ରଜିତର ଦେହ ଲକ୍ଷ୍ମଣ ପ୍ରଯୁକ୍ତ ଶରଦ୍ୱାରା ପୂର୍ଣ୍ଣ ହୋଇଗଲା) । ପୁଣି ଷ ଭେଦରେ ବର୍ଷର ଆଳୟ ହେଲା । ତହିଁରୁ ଅଧୋକ୍ଷୟ କଲେ ବା କିଛ’ମାସ ରହିଲା, ବଳେ ତ ଜ୍ୟେଷ୍ଠ, ତେଣୁ ଜ୍ୟେଷ୍ଠ ମାସ ନିଶ୍ଚୟ ହେଲା । (ଅର୍ଥାତ୍ ସେ ଛ’ମାସ ଜ୍ୟେଷ୍ଠ ପରେ ବା ଆଷାଢ଼ରୁ ଆରମ୍ଭ ହେଲା) ।
ଇନ୍ଦ୍ରଜିତ ପକ୍ଷରେ-ବଲବନ୍ତପଣରେ ‘ଜ୍ୟେଷ୍ଠ ଶ୍ରେଷ୍ଠ ବୋଲି ନିର୍ଣ୍ଣିତ ହୋଇଅଛି ଯେଉଁ ଇନ୍ଦ୍ରଜିତ, ତାହାର ଶରର ଆଷାଢ଼ ମାସରସନ୍ତାପକୁ ପାଇଲା (ଲକ୍ଷ୍ମଣଙ୍କ ପ୍ରେରିତ ଶରମାନଙ୍କରେ ସନ୍ତପ୍ତ ହେଲା) । ଯୁଦ୍ଧଶ୍ରମ ଯୋଗ ଶ୍ରାବଣ ମାସରେ ଜଳଧାରା ବହିଲା ପ୍ରାୟ ଦେହରୁ ସ୍ୱେଦଜଳ ବହିବାକୁ ଲାଗିଲା । ଇନ୍ଦ୍ରଜିତ ଏହା ଦେଖି ବିଶେଷ ଭାବରେ ବିସ୍ମିତ ହେଲା । ସେ ପୁଣି ସଂସାରରେ ‘ଭା’ ପ୍ରଭା ଆଉ ‘ଦ୍ରପ’ ଗର୍ବଏ ଦୁହିଙ୍କର ଆଶ୍ରୀତ ଅଟେ, ତେଣୁ ଭାଦ୍ରପର ବା ଭାଦ୍ରବମାସ ହେଲା । ତତ୍ପରେ ପ୍ରଦୀପ୍ତ ‘ଅସାନ ପ୍ରଧାନ ଖଡ଼୍ଗଦ୍ୱାରା ଶତ୍ରୁମାନଙ୍କ ବିନାଶ କରିବା ଯୋଗେ ଆଶ୍ୱିନ ମାସର ଅଖ୍ୟା ପ୍ରାପ୍ତ ହେଲା । ତଦନ୍ତର କାର୍ତ୍ତିକଙ୍କର ପରି ପ୍ରଭାଯୁକ୍ତ ହୋଇ ମାର୍ଗଶୀର୍ଷ ପଥମାନଙ୍କ ଶତ୍ରୁମାନଙ୍କ ଶିର ଦ୍ୱାରା ପୂର୍ଣ୍ଣକରି ଦେଲା ।
୩୭ଶ ପଦ :- ବିଜ୍ଞେ-ପଣ୍ଡିତମାନେ । ଶିର-ବଚନ । ଅଲେଖ-ଅସୀମ, ବିଶ୍ୱଭରଣ-ପୃଥିବୀପୂର୍ଣ୍ଣ । ବିଅର୍ଥ-ବୃଥା । ଅନନ୍ତ-ଶେଷବେଦ, ଏଠାରେ ଲକ୍ଷ୍ମଣ । ଜିଷ୍ଣୁକିତ-ଇନ୍ଦ୍ରଜିତ । ଇତର-ଅନ୍ୟ । ଲେଖ-ଦେବତା ।
୩୭ଶ ପଦ :- ପଣ୍ଡିତମାନେ ଯେଉଁ ରାମ ଲକ୍ଷ୍ମଣଙ୍କୁ ନରନାରାୟଣ ବୋଲି ନିଷ୍ପନ୍ନ କରିଅଛନ୍ତି, ତାଙ୍କର ବୀରତ୍ୱ କିଏ ବା ବାକ୍ୟରେ କହି କଟାକ୍ଷ କରି ପାରିବ ? ଦେବତାମାନଙ୍କ ଗଣନାରେ ମଧ୍ୟ ସେ ବୀରତ୍ୱ ଅପରିମିତ ଅଟେ । ଇନ୍ଦ୍ରଜିତ ବିଶ୍ୱର ଲୋକଙ୍କୁ ପୂର୍ଣ୍ଣକରି ଶର ବିନ୍ଧିଲା, ତେଣୁ ତାକୁ ‘ବିଶ୍ୱଭର’ ସଂସାରରେ ଭାବ ବୋଲିଥିବା ବୃଥା ନୁହେଁ । ଶେଷଦେବ ଲକ୍ଷ୍ମଣ ଯାହାର ସହାୟ ଏପରି ଯେ ରାମରୂପୀ ବିଷ୍ଣୁ, ତାଙ୍କ ସଙ୍ଗରେ ଯୁଦ୍ଧ କରୁଥିବା ଇନ୍ଦ୍ରଜିତକୁ ସାମାନ୍ୟ କୁହାଯାଇ ନ ପାରେ ।
ଅନ୍ୟର୍ଥ :- ଦେବତାଙ୍କ ଗଣନାରେ ବିଶ୍ୱଭରଣ ରାମଚନ୍ଦ୍ର ମଧ୍ୟ ଅପ୍ରମିତ ଶର ବିନ୍ଧିଲେ । ତେଣୁ ତାଙ୍କର ବିଶ୍ୱମ୍ଭର ନାମହିଁ ସାର୍ଥକ ଅଟେ ! ପୁଣି ଲକ୍ଷ୍ମଣ ଯାହାର ସହାୟ ସେହି ରାମରୂପୀ ବିଷ୍ଣୁଙ୍କ ସଙ୍ଗେ ଇନ୍ଦ୍ରଜିତ ସଂଗ୍ରାମ କରୁଅଛି ତେଣୁ ସେ ଇନ୍ଦ୍ରଜିତ ମଧ୍ୟ ସାମାନ୍ୟ ନୁହେଁ ।
୩୮ଶ ପଦ :- ବିଭିନ୍ନରେ-ଭେଦ କରିବାରେ । କବଚ-ସାଞ୍ଜ । ଶୋଣିତରେ-ରକ୍ତରେ । ଅସ୍ଥି-ହାଡ଼ । ନାରାଚ-ଶର । ପାଞ୍ଚ-ବିଚାରକର । ନୀଚ-ନିକୃଷ୍ଟ, ହୀନ । ଚପଳେ-ସତ୍ୱରେ । ଶମନପୁର-ଯମପୁର । ମଞ୍ଚ-ମର୍ତ୍ତ୍ୟ । ପୂର୍ବ ଗର୍ବ-ପୂର୍ବବୈରତା । ମୁଞ୍ଚ-ତ୍ୟାଗକର । ପ୍ରପଞ୍ଚ-ବିସ୍ତାର । ଚତୁର୍ଥସ୍ୱର-ବୃଦ୍ଧସ୍ୱର ।
୩୮ଶ ପଦ :- ରାମ ଲକ୍ଷ୍ମଣଙ୍କ ଶର ଇନ୍ଦ୍ରଜିତର ସାଞ୍ଜୁ ବିଦୀର୍ଣ୍ଣ କରି ଅସ୍ଥିକୁ ଭେଦ କଲା; ତେଣୁ ରୁଧିରରେ ଜର୍ଜରିତ ହୋଇ ସେ କୁତ୍ସିତ ଦେଖାଗଲା । ତାହାର ବିଚାର କରିବା ଶକ୍ତି ମଧ୍ୟ ରହିଲା ନାହିଁ । ସେ ନୀଚଲୋକ ପ୍ରାୟ ବୃଦ୍ଧ ସ୍ୱରରେ (ଥରି ଥରି) ବାକ୍ୟ କହିବାକୁ ଲାଗିଲା । ଅନନ୍ତର ମାରୀଚବଧକ ରାମଚନ୍ଦ୍ରଙ୍କ ଭ୍ରାତା ଲକ୍ଷ୍ମଣ ଅତିଶୀଘ୍ର କହିଲେ, ରେ ଅସୁର ! ଆମକୁ ମାରିବୁ ବୋଲି ପୂର୍ବରୁ ଯେ ଗର୍ବ ହୃଦୟରେ ବହିଅଛୁ, ତା ତୁ ତ୍ୟାଗ କର । ଏବେ ମର୍ତ୍ତ୍ୟପୁରକୁ ତେଜି ଯମପୁରକୁକ୍ରୀଡ଼ା କରିବାକୁ ଯିବାପାଇଁ ପ୍ରସ୍ତୁତ ହୁଅ ।’’
୩୯ଶ ପଦ :- ବାସବଜିତ-ଇନ୍ଦ୍ରଜିତ । ଚତୁର ଘନ-ଚାରି ମେଘ, (ଆବର୍ତ୍ତକ, ସଂବର୍ତ୍ତକ, ଦ୍ରୋଣ ଓ ପୁଷ୍କର-ଏହି ଚାରିମେଘ) ଗଗନ-ଆକାଶ । ବିକର୍ତ୍ତନଜ-ସୂର୍ଯ୍ୟଜନିତ, ସୁଗ୍ରୀବ । ବାଳମୁକୁନ୍ଦଲୀଳା-ବାଳଗୋପାଳଖେଳ । ସୀତାବଲ୍ଲଭ-ରାମଚନ୍ଦ୍ର ।
୩୯ଶ ପଦ :- ତତ୍ପରେ ଇନ୍ଦ୍ରଜିତ ପ୍ରଳୟକାଳ ସଦୃଶ ହେଲା । ପ୍ରଳୟକାଳରେ ଆବର୍ତ୍ତକାଦି ଚାରି ମେଘ ଏକତ୍ର ହୋଇ ବହୁ ଜଳ ବର୍ଷଣ କରି ଆକାଶକୁ ଆଚ୍ଛନ୍ନ ଓ ସୃଷ୍ଟି ବିନାଶ କଲା ପ୍ରାୟ, ଏଠାରେ ଇନ୍ଦ୍ରଜିତର ଭୀଷଣ ଯୁଦ୍ଧ ଦେଖି ମେଘରୂପ ତାହାର ଧନୁଦ୍ୱାରା ବହୁତ ଶରବର୍ଷଣ କରି ପୃଥିବୀକୁ ଆଚ୍ଛନ୍ନ ଓ ବିନାଶ ସୃଷ୍ଟିରୁ ନିବାଶ ସାଧନ କରିବାକୁ ଲାଗିଲା । ପ୍ରଳୟକାଳ ସୂର୍ଯ୍ୟ ଜାତି କିରଣକୁ ବିନାଶ କଲା ପ୍ରାୟ ଇନ୍ଦ୍ରଜିତ ସୂର୍ଯ୍ୟପୁତ୍ର ସୁଗ୍ରୀବଙ୍କ ଲୀଳାକୁ ଶରାଘାତରେ ବୁଡ଼ାଇ ଦେଲା । ପୁଣି ବିଷ୍ଣୁ ପ୍ରଳୟକାଳରେ ବଟପୁଟରେ ଶୟନ କଲା ପରି ଇନ୍ଦ୍ରଜିତ ରାମଚନ୍ଦ୍ରଙ୍କୁ ବ୍ରହ୍ମାସ୍ତ୍ର ରୂପ ବଟପୁଟରେ ଶୁଆଇ ପକାଇଲା । (ଇନ୍ଦ୍ରଜିତର ବ୍ରହ୍ମାସ୍ତ୍ର ପ୍ରୟୋଗ ଦ୍ୱାରା ରାମଚନ୍ଦ୍ର ଅଚେତନ ହୋଇ ଭୂମିରେ ଶୋଇଲେ) । ଶିବ ରୂପୀ ଲକ୍ଷ୍ମଣ ମଧ୍ୟ ସେହି ଶରାଘାତରେ ତାଙ୍କ ସହ ଧରାଶାୟୀ ହେଲେ ।
୪୦ଶ ପଦ :- ବାସ୍ତୋଷ୍ପତି-ଇନ୍ଦ୍ର । ହତ-ବିନାଶ । ତମମୟରେ-ଘୋର ଅନ୍ଧକାରରେ । ଜ୍ୟୋତି-ତେଜ । ଦ୍ୟୁତପତ୍ତି-ବିଶେଷଜ୍ଞାନ । ବର୍ତ୍ତି-ବଞ୍ଚି । ବିଂଶବାହୁସନ୍ତତି-ଇନ୍ଦ୍ରଜିତ । କଇଟଭ-ରାକ୍ଷସବିଶେଷ । ବିଭୂତି-ସମ୍ପତ୍ତି ଅର୍ଥାତ୍ ଗର୍ବ ।
୪୦ଶ ପଦ :- ପ୍ରଳୟକାଳରେ ଇନ୍ଦ୍ରାଦି ଦେବତାମାନେ ବିନାଶ ହେଲା ପରି ସେମାନଙ୍କ ସମାନ ସୁଗ୍ରୀବାଦି ବୀରମାନେ ବିନାଶ ହେଲେ । ଅନ୍ଧକାରରେ ସମସ୍ତ ତେଜୋହୀନ ହେଲା ପ୍ରାୟ ଦିଗ୍ଗଜ ତୁଲ୍ୟ ପ୍ରଧାନ କପିମାନେ ଇନ୍ଦ୍ରଜିତର ଯୁଦ୍ଧରେ ଜ୍ଞାନହୀନ ହୋଇ ପଡ଼ିଲେ, କେବଳ ବିଭୀଷଣ ମାର୍କଣ୍ଡେୟ ମୂର୍ତ୍ତିକି ଧରି ବଞ୍ଚି ରହିଲା (ପ୍ରଳୟ କାଳରେ ସମସ୍ତ ବିନାଶ ହୁଏ, କେବଳ ମାର୍କଣ୍ଡେୟ ବଞ୍ଚିଥାନ୍ତି) । ଇନ୍ଦ୍ରଜିତ କୈଟଭ ଅସୁର ପ୍ରାୟ ପ୍ରଳୟ ରୂପ ଯୁଦ୍ଧ ଜୟ କରି ଯାଇ ଲଙ୍କାରେ ଗର୍ବ ପ୍ରକାଶ ପୂର୍ବକ ବୀରତ୍ୱ ଜଣାଇଲା ।
ବ୍ରହ୍ମା ହୋଇଲା ଜାତ ସଚେତେ ଜାମ୍ବବନ୍ତ ପୁନଃ ସେ ସୃଷ୍ଟି ଚିରଚିତ ।ବରାହମୂର୍ତ୍ତି ସତ ସଞ୍ଚରି ହନୁମନ୍ତ ସ୍ଥାପି ଧରଣୀ ହିମବନ୍ତ ସେ ।ବିଜନିତ ।ବିବିଧ ରସ ଔଷଧିତ ବିନୋଦେ ସୁମନେ ରସିତ ।ବେନିଭ୍ରାତ ଅଚ୍ୟୁତ ଈଶ୍ୱର ପୃଥ୍ୱୀହିତ ଦୈତ୍ୟହତକୁ ସେ ବାଞ୍ଛିତ ସେ ।୪୧।ବାଦସରିତ ଲଙ୍ଘନକୁ ତରିତ ମେଘବାରି ଆଜକୁ ଯଥା ବାଘ ।ବିଚୁର୍ଣ୍ଣତା କାଚୌଘ ବାଜି ଯଥା ପରିଘ୍ର ପାତକ ହତେ ଯଥା ମାଘ ସେ ।ବୋଲୁଁ ଶ୍ଲାଘ ।ବାଳୀଏ ମିଳି ଦେଲେ ଅର୍ଘ୍ୟ ବୋଲେ ରାବଣ ଗଲା ଅର୍ଘ୍ୟ ।ବିରଚି ପଦଓଘ ବୟାଳିଶ ସଲଘ ଉପଇନ୍ଦ୍ର ଚିତ୍ତ ଅନଘ ସେ ।୪୨।୪୧ଶ ପଦ :- ସଞ୍ଚରି-ଯାଇ । ଧରଣୀ-ପୃଥିବୀ । ବିଜନିତ-ଜାତକଲେ । ବିନୋଦେ-ଆନନ୍ଦରେ । ସୁମନେ-ଉତ୍ତମ ମନରେ । ଅଚ୍ୟୁତ-ଅବିନାଶ ।
୪୧ଶ ପଦ :- ପ୍ରଳୟାନ୍ତରେ ବ୍ରହ୍ମା ଜାତ ହୋଇ ସୃଷ୍ଟି ଆରମ୍ଭ କଲା ପ୍ରାୟ ପ୍ରଥମେ ଜାମ୍ବବାନ ଚେତନା ପାଇ ଉଠି ଏ ସୃଷ୍ଟିକୁ ବିରଚନ କଲେ । ହନୁମନ୍ତ ବରାହ ମୂର୍ତ୍ତି ପ୍ରାୟ ଯାଇ ପୃଥ୍ୱୀରୂପ ହିମବନ୍ତ ପର୍ବତରୁ ଆଣି ସେଠାରେ ସ୍ଥାପନା କଲା । ସେହି ପର୍ବତରୁ ଜାତ ନାନାପ୍ରକାର ଔଷଧି ରସମାନଙ୍କ ଯୋଗେ ବାନରମାନେ ଚେତନା ପାଇ ଉତ୍ତମ ମନରେ ଉଠି ପୁଣି କ୍ରୀଡ଼ାରେ ରସିଲେ । ପୃଥିବୀର ହିତକାରୀ ବିଷ୍ଣୁ ଓ ଶିବ ରୂପୀ ବେନି ଭାଇ ରାମ ଓ ଲକ୍ଷ୍ମଣ ଉଠି ଅସୁରମାନଙ୍କ ମୃତ୍ୟୁ ବାଞ୍ଛା କଲେ ।
୪୨ଶ ପଦ :- ବାଦସରିତ-ଶତ୍ରୁ ରୂପୀ ନଦୀ । ଲଙ୍ଘନକୁ-ପାର ହେବାକୁ । ତରୀତ-ନୌକା । ମେଘବାରି-ଇନ୍ଦ୍ରଜିତ । ଅଜକୁ-ଛେଳିକୁ । କାଚୌଘ-କାଚସମୂହ । ପାତକହତେ-ପାପନାଶ ପାଇଁ । ଶାଘ-ଆତ୍ମପ୍ରଶଂସା । ବାଳୀଏ-ସ୍ତ୍ରୀମାନେ । ଅଘ-ପାପ । ପଦଓଘ-ପାଦସମୂହ । ଅନଘ-ନିଷ୍ପପ, ବିଶୁଦ୍ଧ । ସଲଘ-ପୂର୍ଣ୍ଣ ହେଲା ।
୪୨ଶ ପଦ :- ଶତ୍ରୁ ନଦୀକୁ ତରିଯିବାକୁ ନୌକା ପ୍ରାୟ ଶତ୍ରୁ ସୈନ୍ୟ ଛାଗକୁ ଭକ୍ଷଣ କରିବାକୁ ବ୍ୟାଘ୍ର ପ୍ରାୟ ଯେ ଇନ୍ଦ୍ରଜିତ, ସେ ଯୁଦ୍ଧକ୍ଷେତ୍ରରୁ ଫେରି ଯାଇ ରାବଣ ଅଗ୍ରତରେ କହିବାକୁ ଲାଗିଲା, ‘‘ହେ ରାଜନ ! ପରିଘ ଘାତରେ ଯେପରି କାଚସମୂହ ଚୂର୍ଣ୍ଣ ହୋଇଯାଏ, ମାଘ ବ୍ରତ ଯୋଗେ ଯେପରି ପାତକ ରାଶି ଧ୍ୱଂସ ହୋଇଯାଏ, ସେହିପରି ମୁଁ ଶତ୍ରୁ ସୈନ୍ୟସମୁହକୁ ବିନାଶ କରି ଆସିଲି’’ ଇନ୍ଦ୍ରଜିତର ଏହିପରି ଆତ୍ମପ୍ରଶଂସା କଥାମାନ ଶୁଣିବା ମାତ୍ରକେ କନ୍ୟାମାନେ ଆସି ତାକୁ ଅର୍ଘ୍ୟ ଦେଇ ବନ୍ଦାପନା କଲେ, ରାବଣ ଆନନ୍ଦିତ ହୋଇ କହିଲା, ଆଜିଠାରୁ ପାପ ଗଲା (ମୁଁ ନିଷ୍କଣ୍ଟକ ହେଲି ।’’ ଏହି ଛାନ୍ଦକୁ ବୟାଳିଶ ପଦସମୂହ ଦ୍ୱାରା ରଚନା କରି ଉପେନ୍ଦ୍ରଙ୍କ ଚିତ୍ତ ନିଷ୍ପାପ ହେଲା ।)
ପଞ୍ଚଚତ୍ୱାରିଂଶ ଛାନ୍ଦରାଗ-ପଞ୍ଚମ ବରାଡ଼ୀ(ବିପ୍ରସିଂହାବାଣୀରେ)