ବାହୁଡ଼ିଲାସାନୁମାନ- ଶୃଙ୍ଗ ଥୋଇ ହନୁମାନ — ବୈଦେହୀଶ ବିଳାସ (ଚତୁର୍ଥ ଭାଗ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବାହୁଡ଼ିଲାସାନୁମାନ- ଶୃଙ୍ଗ ଥୋଇ ହନୁମାନ
ମାନ ମାନସେ ଗୁମାନ ଆଣି ।ବିଚାରେ ପ୍ରଚାରେ ରାମେ କଲା ଅଭିରାମେ ଗ୍ରାମେଗଲେ ରାକ୍ଷସେ ସଂଗ୍ରାମେ ଜିଣି ସେ ।ବିଭୁ ଶୁଣ । ବିହି ଥିବେ ସୁଖେ ନିଦ୍ରା ସେହି ।ବୈରୀ ସର୍ବନାଶ ଏହି ଗର୍ବ ବହି ସେ ।୧।ବରଣ ଡେଇଣ ରଣ ଆରମ୍ଭ ପତ୍ତିମାରଣବାରଣ ଦାରଣ ହୟ କରି ।ବୈଦେହୀଶୋକ ବାରଣ ହେବାର ମୂଳ କାରଣଏହି କଥା ଆସୁଅଛି ସ୍ମରି ସେ ।ବଚନକୁ । ବାହାରିଲେ ଯୁଦ୍ଧ ରଚନକୁ ।ବୃକ୍ଷ ଶିଳା ଧରି ଅରି ଶୋଚନକୁ ସେ ।୨।ବସୁମତୀରଦୁହିତେ ଯେତେ ତ୍ରିଜଟା ସହିତେଅଶ୍ରୁ ନେତ୍ରେ ସର୍ବ ଚାହିଁ କହି ।ବରବରନା ଦେବର ମୋର ବିନାଶ ଦେବରରାଜରିପୁକୁ ଏ ବର ବିହି ସେ ।ବୋଲେ ଶୁଣି । ବାମାଏ ବାମାକ୍ଷି ଏକି ସତବଧିଲାଣି ରଣେ ତାକୁ ଇନ୍ଦ୍ରଜିତ ସେ ।୩।ବୋଇଲା ଶ୍ରବଣେ ସତୀ ବିନଶ୍ୟତି ଯେ ବିଂଶତିକରଜ ହେବ ଲକ୍ଷ୍ମଣ କରେ ।ବର୍ତ୍ତିବ ବ୍ରତୀ ନିବର୍ତ୍ତି ନିଦ୍ରା ଅଶନହିଁ ରତିଏହି ଅର୍ଥେ ବିପିନବାସରେ ସେ ।ଚଳିଲାଣି । ବାରବେନିମାସମୋର ତପ ।ବିଳମ୍ବକୁ ଏବେ ନାହିଁତ ବିକଳ୍ପ ଯେ ।୪।ବିରବ ବୀର ବାନରେ ବିରଚି ବୀର ସତ୍ୱରେବିହରେ ପ୍ରକାର ଜିଣି ପୁରେ ।ବନ୍ଦୀ ବୁଦ୍ଧି ତେଜି ଦୂରେ ବନ୍ଦିଲେ ବନ୍ଦ ପ୍ରକାରେସୀତାକୀର୍ତ୍ତି ଅସୁରୀ ନିକରେ ସେ ।ବହ୍ନି ଜ୍ୟୋତି । ବନୌକାଏ ସ୍ଥାନେ ସ୍ଥାନେ କଲେ ।ବିଭୀତରେ ଦୈତ୍ୟମାନେ ବିଚାରିଲେ ସେ ।୫।୧ମ ପଦ :- ସାନୁମାନଶୃଙ୍ଗ-ପର୍ବତଶୃଙ୍ଗ । ଅଭିରାମ-ମନୋହର । ସଂଗ୍ରାମ-ଯୁଦ୍ଧ । ବୈରୀ-ଶତ୍ରୁ ।
୧ମ ପଦ :- ହନୁମାନ ହିମବନ୍ତ ପର୍ବତ ଶୃଙ୍ଗକୁ ଯଥାସ୍ଥାନରେ ଥୋଇବାହୁଡ଼ିଲା । ତତ୍ପରେ ‘ରାକ୍ଷସମାନେ ସଂଗ୍ରାମରେ ଜୟକରି ଗଲେ ଏହି ଅଭିମାନ୍ ହୃଦୟରେ ବହି ମନୋରମ ରାମଙ୍କ ସମ୍ମୁଖକୁ ଯାଇ ବିଚାର କରି କହିଲା, ‘ହେ ପ୍ରଭୋ । ବୈରିସବୁ ବିନାଶ ହେଲେ, ରାକ୍ଷସମାନେ ଏହା ବିଚାରି ଗର୍ବର ସହିତ ନିଜ ନିଜର ଗୃହକୁ ଯାଇଅଛନ୍ତି । ସେମାନେ ନିଶ୍ଚୟ ବର୍ତ୍ତମାନ ସୁଖରେ ନିଦ୍ରା ଯାଇଥିବେ ।’’
୨ୟ ପଦ :- ବରଣ-ପ୍ରାଚୀର । ରଣ-ଯୁଦ୍ଧ । ପତ୍ତି-ପାଇକମାନଙ୍କୁ । ବାରଣ-ହସ୍ତୀ । ଦାରଣ-ବିଦାରଣ କରି । ହୟ-ଘୋଡ଼ା । କାରଣ-ନିବାରଣ । ଶିଳା-ପଥର । ଅରି-ଶତ୍ରୁ । ଶୋଚନକୁ-ଚିନ୍ତାକୁ ।
୨ୟ ପଦ :- ‘ଆମ୍ଭେ ବର୍ତ୍ତମାନ ପାଚେରୀ ଡ଼େଇଁ ଯୁଦ୍ଧ ଆରମ୍ଭ କରିଦେବା ଏବଂ ପଦାତିମାନଙ୍କୁ ମାରି, ହସ୍ତୀ ଅଶ୍ୱମାନଙ୍କୁ ବିଦୀର୍ଣ୍ଣ କରି ପକାଇବା । ଆମେ ଭାବୁଅଛୁ ସେ ସୀତାଙ୍କ ଶୋକ ନିବାରଣ ହେବାର ମୂଳ କଥାହିଁ ଏହି । (ଆମ୍ଭେ ମରିଛୁ ଶୁଣି ସୀତା ଶୋକ କରୁଥିବେ, ମାତ୍ର ଗଡ଼ ମଧ୍ୟରେ ଆମ୍ଭର ଯୁଦ୍ଧ ଦେଖିଲେ ସେ ଆଶ୍ୱସ୍ତ ହେବେ) ।’’ ହନୁମାନର ଏହି କଥା ଶୁଣି ରାମ ଲକ୍ଷ୍ମଣ ଯୁଦ୍ଧ କରିବାକୁ ବାହାରିଲେ । କପିମାନେ ଶତ୍ରୁକୁ ଶୋକ ଦେବା ନିମିତ୍ତ ବୃକ୍ଷ ଓ ପଥରମାନ ଧରି ଚାଲିଲେ ।
୩ୟ ପଦ :- ଅଶ୍ରୁ-ଲୋତକ । ବରବରନା-ସୁନ୍ଦରୀ ସ୍ତ୍ରୀ । ଦେବର-ଦିଅର । ଦେ ବର-ବର ଦିଅ ! ଦେବରାଜରିପୁ-ଇନ୍ଦ୍ରଜିତ । ବାମାଏ-କୌଣସି ରାକ୍ଷସୀ ସଖୀ ।
୩ୟ ପଦ :- ‘ଇନ୍ଦ୍ରଜିତ ଯୁଦ୍ଧରେ ଜୟ କରି ଆସିଛି’-ଏ ଖବର ପାଇ ବସୁମତୀପୁତ୍ରୀ ସୀତା ପ୍ରିୟସଖୀ ତ୍ରିଜଟା ସହିତ ଥିବା ରାକ୍ଷସୀମାନଙ୍କୁ ଅଶ୍ରୁ ନୟନରେ ଚାହିଁ କହିଲେ, ‘‘ମୋର ଦେବର ଲକ୍ଷ୍ମଣ ଇନ୍ଦ୍ରଜିତକୁ ବଧକରୁ; ଏହି ବର ଯେପରି ମୁଁ ପ୍ରାପ୍ତ ହୁଏ ।’’ ଏହା ଶୁଣି କୌଣସି ରାକ୍ଷସୀ କହିଲା, ‘‘ହେ ସୁନ୍ଦରୀ । ଏହା କିପରି ସତ ହେବ ? ତୁମ୍ଭ ଦିଅରକୁ ପରା ଇନ୍ଦ୍ରଜିତ ଯୁଦ୍ଧରେ ବଧ କରି ସାରିଲାଣି ।’’
୪ର୍ଥ ପଦ :- ବଂଶତିକରକ-ଇନ୍ଦ୍ରଜିତ । ବତୀ-ନିୟମକାରୀ ବା ତପସ୍ୱୀ । ନିବର୍ତ୍ତି-ନିବୃତ୍ତ ହୋଇ, ତ୍ୟାଗକରି, ଅଶନହିଁ-ଭୋଜନ ସୁଦ୍ଧା । ବିପିନ-ବନ । ବାରବେନି-ଚଉଦ । ବିକଳ୍ପ ସନ୍ଦେହ ।
୪ର୍ଥ ପଦ :- ରାକ୍ଷସୀମାନଙ୍କଠାରୁ ଏହି କଥା ଶୁଣି ସୀତା କହିଲେ, ‘‘ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ହାତରେ ନିଶ୍ଚୟ ମରିବ । ଏଥି ନିମିତ୍ତ ଲକ୍ଷ୍ମଣ ନିଦ୍ରା, ଭୋଜନ ଓ ସ୍ତ୍ରୀ ସହବାସ ପରିତ୍ୟାଗ ପୂର୍ବକ ତପସ୍ୱୀମାନଙ୍କ ପରି ଜଙ୍ଗଲରେ ବାସ କରୁଅଛନ୍ତି । ମୋର ତପସ୍ୟା କାଳ ଚଉଦମାସରୁ ବେଶୀ ହେଲାଣି । ବର୍ତ୍ତମାନ ଆଉ ବିଳମ୍ବ ଘଟିବ ବୋଲି ଆଶଙ୍କା କରିବା ଠିକ୍ ନୁହେଁ ।
୫ମ ପଦ :- ବିରବ-ଉଚ୍ଚଶବ୍ଦ । ସତ୍ୱରେ-ଚଞ୍ଚଳ । ବିହ୍ୱରେ-ବିହାର କରେ । ପ୍ରାକାର-ପ୍ରାଚୀର । ବନ୍ଦୀ-ଭଟ ! ବନ୍ଦିଲେ-ବନ୍ଦନକଲେ, ସ୍ତୁତି । ବନ୍ଦୀ ପ୍ରକାରେ-କଏଦିମାନଙ୍କ ପରି । ବହ୍ନି ଜ୍ୟୋତି-ଅଗ୍ନିତେଜ । ବନୌକାଏ-ବାନରମାନେ ।
୫ମ ପଦ :- ଏହି ସମୟରେ ବାନରମାନେ ବୀରରଡ଼ି ଦେଇ ପ୍ରାଚୀର ଲଙ୍ଘନ ପୂର୍ବକ ଲଙ୍କାଗଡ଼ ମଧ୍ୟରେ ପଶି ଡିଆଁ ଡେଇଁ କରିବାକୁ ଲାଗିଲେ । ଏହା ଶୁଣି ସେହି ଅସୁରୀମାନେ ସୀତାଙ୍କୁ କଏଦୀ ଭୋଗୁଥିବା ସ୍ତ୍ରୀ ବୋଲି ନ ଭାବି ପୂଜ୍ୟାବୋଲି ଭାବି ସ୍ତୁତି କରିବାକୁ ଲାଗିଲେ । ଋକ୍ଷ ଓ ମର୍କଟମାନେ ଲଙ୍କାଗଡ଼ର କୌଣସି କୌଣସି ସ୍ଥାନରେ ନିଆଁ ଲଗାଇଦେବାରୁ ରାକ୍ଷସମାନେ ଅତିଶୟ ଭୀତ ହୋଇ ବିଚାରିଲେ:-
ବୈଶ୍ୱାନର କିପାଁ ଜାତ ବାନର ନର ତ ହତକିନ୍ନର ସୁର କିଙ୍କର ଯହିଁ ।ବିସ୍ତାରିଣ ବାତାୟନ ଦତ୍ତ ନୟନ ଶୟନତେଜିଣ ଅୟନ ପୂର୍ଣ୍ଣ ସେହି ସେ ।ବେନିକରେ । ବିଟପ ଦିହୁଡ଼ି କି ବିଦିତ ।ବିରାଜନ୍ତି ଯଥା ଭ୍ରମେ ଯମଦୂତ ସେ ।୬।ବଣିକଭାବ ଲମ୍ପଟ ପ୍ରକଟ କରି ମର୍କଟକନକକଟକଭଗ୍ନଜାଳେ ।ବଳବାନ ଖ୍ୟାତଅର୍ଥୀ ବିବେକ ସଂଜାତ ତଥିବୀଥି ବୀଥିବିଭ୍ରାଜିତ ଶିଳେ ସେ ।ବର୍ଦ୍ଧମାନ । ବାତ ନାସାନଳୀ ଯୋଗେ ତହିଁ ।ବିରୋଚନ ଅତି ଜ୍ୟୋତି ଏଣୁ ବହି ସେ ।୭।ବିହନ୍ତି ଯେ ହୁଳହୁଳି କି ଅବା ସେ ଆଳୀଆଳିପତ୍ନୀସଙ୍ଗେ ପତି ଯହୁଁ ଜଡ଼ି ।ବାସରେ ଯେତେକ ରହି ବାସରେ ଲାଗୁ ବରହିବହି ଚିତା ପଳାଇ ତା ଝାଡ଼ି ସେ ।ବିଦିତ କେ । ବାଳରେ ହୋଏ କାହା ପତନ ।ବହନ୍ତି କି ଅଗ୍ନି କୁମାରୀ ନର୍ତ୍ତନ ସେ ।୮।ବନିତା ବହ୍ନି ସଂକୁଳେ ଇକାରକୁ ବେଳେ ବେଳେତହିଁ ପଛେ ମୂର୍ଦ୍ଧନ୍ୟଷ ଦେଇ ।ବାନରେ ଭୟ ଇଚ୍ଛଇ ବିଲୋକି ଆପଣା ଛାଇବୋଲନ୍ତି ଅତି ବିନୟ ହୋଇ ସେ ।ବାତୁଳ କି । ବିଦ୍ରୁମ-ମାଣିକ୍ୟ-ମାଳାରାଜି ।ବେଗେ ତପ୍ତାଙ୍ଗାର ମଣି ହୃଦୁଁ ତେଜି ସେ ।୯।ବକ୍ଷୋଜେ ଯା ନଖକ୍ଷତ ଜାତ ବେଦକଣ ଜାତଜ୍ୱାଳା ମଣି ଝାଡ଼େ ଅଞ୍ଚଳରେ ।ବାରିରେ ନ ପଶି ଡରି ବାଦି ବିମ୍ବକୁ ନ ପାରିକୃପୀଟଯୋନି ଏ ଚଞ୍ଚଳରେ ସେ ।ବିତ୍ତଗଣ୍ଠି । ବାଟେ ଗଡ଼ାଗଡ଼ି ଯାଉଅଛି ।ବଡ଼ ଭୟେଚୌର୍ଯ୍ୟ ଖଣ୍ଟ ଯାଏ ମୂର୍ଚ୍ଛି ସେ ।୧୦।୬ଷ୍ଠ ପଦ :- ବୈଶ୍ମାନର-ଅଗ୍ନି । କିନ୍ନର-ଗନ୍ଧର୍ବ । ସୁର-ଦେବତା । କିଙ୍କର-ଚାକର । ବାତାୟନ-ଝରକା । ଅୟି-ମାର୍ଗ । ବିଟପ-ବୃକ୍ଷ ।
୬ଷ୍ଠ ପଦ :- ‘‘ଯେଉଁ ଲଙ୍କାରେ ଦେବତା ଓ କିନ୍ନରମାନେ ଚାକିରି କରୁଅଛନ୍ତି ଏବଂ ଯାହାର ଶତ୍ରୁ ନର ଓ ବାନରମାନେ ନିହତ ହୋଇଅଛନ୍ତି, ସେହି ଲଙ୍କାରେ ନିଆଁ ଲାଗିଲା କିପରି ?’’ ଏହିପରି ବିଚାରି ସେମାନେ ବିଚ୍ଛଣାରୁ ଉଠି ଝରକା ଫିଟାଇ ଦେଖିଲେ ଯେ, ରାଜମାର୍ଗ ( ଗଡ଼ର ପ୍ରଧାନ ରାସ୍ତା ) ମାଙ୍କଡ଼ମାନଙ୍କଦ୍ୱାରା ପୂର୍ଣ୍ଣ ହୋଇଅଛି ଏବଂ ସେହି ମାଙ୍କଡ଼ମାନେ ଗଛ ଦିହୁଡ଼ି ପରି ବଡ଼ବଡ଼ ହୁଳା ହାତରେ ଧରି ଯମଦୂତମାନଙ୍କ ପରି ବୁଲୁଅଛନ୍ତି ।
୭ମ ପଦ :- ବଣିକଭାବ-ସୁନାରିବଣିଆ ଭାବରେ । ପ୍ରକଟ-ପ୍ରକାଶ । କନକକଟକ-ସ୍ୱର୍ଣ୍ଣକଙ୍କଣ, ଲଙ୍କାପୁର । ଭଗ୍ନଜାଳେ-ଭାଙ୍ଗିଲେ ଏବଂ ପୋଡ଼ିଲେ । ବୀଥି-ପଂକ୍ତି । ବିରେଚନ-ଉହ୍ମେଇନିଆଁ । ନାସାନଳୀ-ନାକପୁଡ଼ା, ବାଉଁଶ ନଳୀ ।
୭ମ ପଦ :- ଏହି ସମୟରେ ସେହି ଅଗ୍ନିହସ୍ତ ବାନରମାନଙ୍କୁ ଦେଖି ମନେହେଲା, ଏମାନେ କଣ ସୁନାରୀ ବଣିଆଁମାନଙ୍କର କାର୍ଯ୍ୟ ଶିକ୍ଷା କରିବାକୁ ଆଦର ପ୍ରକାଶ କରୁଅଛନ୍ତି କି ? କାରଣ ବଣିଆମାନେ ଯେପରି ସୁବର୍ଣ୍ଣକଙ୍କଣକୁ ଭାଙ୍ଗି ପୋଡ଼ନ୍ତି, ମାଙ୍କଡ଼ମାନେ ସେହିପରି ସୁବର୍ଣ୍ଣପୁରୀ ଲଙ୍କାକୁ ଭାଙ୍ଗି ପୋଡ଼ି ପକାଉଛନ୍ତି । ‘ଏହି ସୁନା ଉତ୍କଷ୍ଟ ବା ନିକୃଷ୍ଟ’-ଏହା ଜାଣିବା ନିମିତ୍ତ ଇଚ୍ଛା ପ୍ରକାଶ କରି ବଣିଆଁମାନେ ନିଜର ମନମୁତାବକ କଷଟି ପଥରମାନଙ୍କୁ ହାତରେ ଧଇଲା ପରି, ଏହି ବାନରମାନେ ନିଜ ନିଜର ବୀରତ୍ୱ ଦେଖାଇବା ପାଇଁ ଇଚ୍ଛା କରି ଯେଉଁମାନେ ଯେତେ ବଡ଼ ପଥର ଉଠାଇ ପାରିବେ ସେମାନେ ନିଜର ଇଚ୍ଛଅନୁସାରେ ସେହିପରି ପଥର ସବୁ ଉଠାଇ ହାତରେ ଧଇଲେ । ବଣିଆଁମାନେ ଯେପରି ବାଉଁଶ ନଳୀରେ ଫୁଙ୍କି ଉହ୍ମେଇସ୍ଥ ଅଗ୍ନିକୁ ଉଦ୍ଦୀପ୍ତ କରନ୍ତି; ମାଙ୍କଡ଼ମାନେ ସେହିପରି ତାଙ୍କର ନଳୀ ତୁଲ୍ୟ ଗୋଜାନାକରୁ ବାହାରୁଥିବା ନିଶ୍ୱାସଦ୍ୱାରା ଲଙ୍କା ପୋଡ଼ି ଅଗ୍ନିକୁ ପ୍ରଜ୍ୱଳିତ କଲେ । ଏଣୁ ଅଗ୍ନି ପ୍ରଚଣ୍ଡ ଶିଖା ଧାରଣ କଲା ।
୮ମ ପଦ :- ଆଳୀଆଳି-ସଖୀସମୂହ । ବାସରେ-ଗୃହରେ, ଅନ୍ତରାଗଯୋଗୁଁ । ବାସରେ ଲାଗୁଁ-ଲୁଗାରେ ଲାଗିବାରୁ । ବରହ-ଅଗ୍ନି ।
୮ମ ପଦ :- ବାନରମାନେ ଉନ୍ମତ୍ତ ହୋଇ ହୁଂକାର ଧ୍ୱନି କରିବାକୁ ଲାଗିଲେ । ତାହା ଶୁଣି ମନେହେଲା, କୌଣସି ଗୃହମଧ୍ୟରେ ପତିସହ ପତ୍ନୀ ଏକତ୍ର ହୋଇ ଜଳିଯିବାରୁ ସେହି ସ୍ତ୍ରୀର ସଖୀମାନେ ହୁଳହୁଳି ଦେଉଛନ୍ତି କି ? ଅନ୍ୟାନ୍ୟ ଗୃହରେ ଥିବା ଆଉ କେତେ ସ୍ତ୍ରୀ ମଧ୍ୟ ସେମାନଙ୍କ ଲୁଗାରେ ନିଆଁ ଲାଗିଯିବାରୁ ସେହି ଲୁଗାକୁ ଝାଡ଼ି ପକାଇ ଯାଉ ଯାଉ ଶ୍ମଶାନାଗ୍ନିରେ ଶବ ଦଗ୍ଧ ହେଲାପରି ବସନାଗ୍ନିରେ ନିଜେ ଦଗ୍ଧ ହେଲେ । କାହାର କାହାର ବାଳରେ ନିଆଁ ଲାଗି ଜଳିବାରୁ ସେମାନେ ଡେଇଁ ଡେଇଁ ପଳାଇବା ସମୟରେ ଅଗ୍ନିକୁମାରୀ ନାଟ କରୁଥିଲା ପରି ଦେଖାଗଲେ ।
୯ମ ପଦ :- ବିଦ୍ରୁମ–ପୋହଳା । ମାଳାରାଜି-ହାରସବୁ ।
୯ମ ପଦ :- ଲଙ୍କାପୁରୀର ଚତୁର୍ଦ୍ଦିଗରେ ଅଗ୍ନି ବ୍ୟାପ୍ତ ହୋଇଯିବାର ଦେଖି ସ୍ତ୍ରୀ ଲୋକମାନେ ‘ଇ’ ଇଲୋ, ଏହି ଶବ୍ଦ ପ୍ରକାଶ କଲେ । ସମୟ ସମୟରେ ( ଅର୍ଥାତ୍ ଦେହରେ ନିଆଁ ଲାଗିଯିବା ସମୟରେ ) ସେହି ଇକାର ପଛରେ ମୂର୍ଦ୍ଧନ୍ୟ ’ଷ’କାରକୁ ଉଚ୍ଚାରଣ କଲେ ଅର୍ଥାତ୍ ଇଷ୍ୱୋଲି କହିଲେ । ସେହି ଅଗ୍ନିର ତେଜରେ ଦେଖା ଯାଉଥିବା ନିଜର ଛାୟାକୁ ମାଙ୍କଡ଼ବୋଲି ଭାବି ନେହୁରା କରିବାକୁ ଲାଗିଲେ ଏବଂ ପାଗଳୀପରିହୋଇ ନିଜ ଗଳାରେ ପିନ୍ଧିଥିବା ପୋହଳା ଓ ମାଣିକ୍ୟ ମାଳାମାନଙ୍କୁ ରଡ଼ ନିଆଁ ବୋଲି ମନେକରି ଦେହରୁ ବାହାର କରି ଫିଙ୍ଗି ଦେଲେ ।
୧୦ମ ପଦ :- ବକ୍ଷୋଜେ-ସ୍ତନରେ । ଜାତବେଦକଣ-ଅଗ୍ନିକଣା । ଅଞ୍ଚଳରେ-ଲୁଗାକାନିରେ । ବାରିରେ-ପାଣିରେ । କୃପୀଟଯୋନି-ଅଗ୍ନି ।
୧୦ମ ପଦ :- ଯେଉଁ ସ୍ତ୍ରୀମାନଙ୍କର ସ୍ତନରେ ନଖ କ୍ଷତ ଥିଲା, ଝାଳ ବହି ତାହା ପୋଡ଼ିବାରୁ ସେମାନେ ଅଗ୍ନିକଣା ପଡ଼ିଲା ବୋଲି ମନେ କରି ସ୍ତନକୁ କାନି ପଣନ୍ତରେ ଝାଡ଼ିବାକୁ ଲାଗିଲେ । ପ୍ରାଣ ବିକଳରେ ପାଣିରେ ପଶିବାକୁ ଯାଉଥିବା ସ୍ତ୍ରୀମାନେ ଜଳ ମଧ୍ୟରେ ଅଗ୍ନିର ପ୍ରତିବିମ୍ବକୁ ଦେଖି ତାକୁ ନିଆଁ ବୋଲି ବିଚାରି ଶୀଘ୍ର ଜଳ ନିକଟରୁ ଫେରି ଆସିଲେ । କୌଣସି କୌଣସି ସ୍ତ୍ରୀଲୋକମାନେ ଯାଉ ଯାଉ ସେମାନଙ୍କ ଲୁଗାରୁ ଗଣ୍ଠିଫିଟି ଟଙ୍କା, ସୁନା ସବୁ ବାଟରେ ଖସି ପଡ଼ିଲା; କିନ୍ତୁ ଚୋର ବା ଡକାଏତମାନେ ଅଗ୍ନି ଭୟରେ ଅତିଶୟ ଭୀତ ହୋଇଥିବାରୁ ତାହାକୁ ଛାଡ଼ି ଚାଲି ଯାଉଥିଲେ ।
ବାଡ଼ବରଜ୍ୟୋତି ବହି ବାଡ଼ବର ଭାଜେ ତହିଁଶୁଭଇ ବଜ୍ର ନିର୍ଘୋଷ ପରା !ବଡ଼ବାର ସଙ୍ଗେ ସଙ୍ଗେ ତୁରଙ୍ଗେ ସମତ୍ତରଙ୍ଗେନ ରସି ଭ୍ରମନ୍ତି ହୋଇତ୍ୱରା ସେ ।ବିକ୍ରମଣି । ବସନ୍ତି ତାଙ୍କ ପୃଷ୍ଠରେ କପି ।ବୃକ୍ଷ ଶାଖା ଧୃତ ସାଦିରୂପୀ ସେ ।୧୧।ବାଣୀ ରମଣୀଙ୍କ ଶୁଭେ ବଡ଼ାଇ ଆମ୍ଭ ବଲ୍ଲଭେକହୁଥାନ୍ତି ମାଇଲୁଁ ବାନର ।ବିଭାବସୁର ବିଭାତି ଖ୍ୟାତତାପଇ ଜଗତୀସେ ଯେମନ୍ତେ ସ୍ୱର୍ଭାନୁ ଆହାର ଯେ ।ବାଧେ ଛୁଉଁ । ବିଭାବସୁକଣ ସମସ୍ତଙ୍କୁ ।ବିହଗଚକୋରଭକ୍ଷଇ ତାହାକୁ ଯେ ।୧୨।ବଜ୍ରଅଙ୍ଗଶରତୁଷ୍ଟ ବନ୍ଧଭଗ୍ନସରପୃଷ୍ଟସ (ଶ)ରଥ ସଚକ୍ରହୋଇ ଧାଇଁ ।ବିହରେ ତହିଁ ସ (ଶ)ରାଳି ବହି ଗିରିଷମ ଝଳିବାଦ ରଚେ । ବେଗେ ଶୋଣିତାକ୍ଷଜୁଳୁପାକ୍ଷ ।ବାଳିଜ ଜୀବନ ହରି ନେଇ ଯେ ।ବିରୋଧିତ ତାରେ ବେନିଭ୍ରାତ ଦକ୍ଷ ଯେ ।୧୩।ବ୍ରାହ୍ମଣ ହୋଇଦ୍ୱିବିଦ ନଖପ୍ରେତେ ଗଳ ଶ୍ରାଦ୍ଧଦେଇ କୀଲାଲେ କଲା ତର୍ପଣ ।ବିଶୀର୍ଣ୍ଣ କରାଇ ଦ୍ୟୋତ ଜ୍ୱଳୁପାକ୍ଷକୁଖାଦ୍ୟୋତପରି ଦିବସ ଛବି ଆପଣ ସେ ।ବେନି ସୁତ । ବଳୀ କୁମ୍ଭକର୍ଣ୍ଣର ପ୍ରକଟ ।ବାନରେଶ ହନୁମନ୍ତ ପାଇଁ ଭେଟ ସେ ।୧୪।ବିନ୍ଧାଣ ସମରେ ସାନ୍ଦ୍ର ଶାଖାମୃଗେନ୍ଦ୍ର ମୃଗେନ୍ଦ୍ରକୁମ୍ଭ ସିନ୍ଧୁରେ ସିନ୍ଧୁରେପିଙ୍ଗ ।ବୁଡ଼ିଲା ନାହିଁ ଇକ୍ଷ୍ୱାକୁ- ପାତ୍ର ପରାୟେ ଇଚ୍ଛାକୁବାୟୁ ବେଗେ ଆସି ହେଲା ରଙ୍ଗୀ ସେ ।ବିଘାତକୁ । ବିହୁଁ ବାହୁ ଧରି ମୁଣ୍ଡେ ମୁଣ୍ଡେ ।ବହନରେ ରକ୍ଷମୁଣ୍ଡ ଶତେ ଖଣ୍ଡେ ସେ ।୧୫।୧୧ଶ ପଦ :- ବାଡ଼ବର-ଅଗ୍ନିର । ବାଡ଼ବର-ଉତ୍କଷ୍ଟବାଡ଼ । ବଡ଼ବାର-ଘୋଟକୀର । ତୁରଙ୍ଗେ-ଘୋଡ଼ାମାନେ । ସାଦି-ଅଶ୍ୱରୋହୀ ।
୧୧ଶ ପଦ :- ଅଗ୍ନିର ତେଜରେ ବଡ଼ବଡ଼ ପ୍ରାଚୀରସବୁ ଭାଙ୍ଗି ପଡୁଥିବାରୁ ବଜ୍ର ଶବ୍ଦପରି ଭୟଙ୍କର ଶବ୍ଦ ଶୁଣାଗଲା । ସେହି ଶବ୍ଦ ଯୋଗୁଁ ଘୋଡ଼ାମାନେ ଘୋଟକୀମାନଙ୍କ ସହିତ କ୍ରୀଡ଼ା ନ କରି ଇତସ୍ତତଃ ଦୌଡ଼ିବାକୁ ଲାଗିଲେ । ଏହି ସମୟରେ ବାନରମାନେ ଗୋଟାଏ ଗୋଟାଏ ଡାଳ ଧରି ସେମାନଙ୍କ ପିଠି ଉପରେ ବସି ଅଶ୍ୱାରୋହୀ ସୈନିକମାନଙ୍କ ପରି ଦେଖାଗଲେ ।
୧୨ଶ ପଦ :- ବଲ୍ଲଭେ-ସ୍ୱାମିମାନେ । ବିଭାବସୁ-ସୂର୍ଯ୍ୟ । ବିଭାତି-କିରଣ, ତେଜ । ଜଗତୀ-ପୃଥିବୀ । ସ୍ୱର୍ଭାନ୍ତୁ-ରାହୁ । ବିଭାବସୁକଣ-ଅଗ୍ନିକଣା । ବିହରା-ପକ୍ଷୀ ।
୧୨ଶ ପଦ :- ଏହି ସମୟରେ ଲଙ୍କାର ସ୍ତ୍ରୀମାନେ କଥାବାର୍ତ୍ତା ହେଲେ, ‘‘ଆମ୍ଭର ସ୍ୱାମୀମାନେ ବଡ଼ାଇ ଦେଖାଇ କହୁଥିଲେ କି, ଆମ୍ଭେମାନେ ବାନରମାନଙ୍କୁ ମାରି ପକାଇଲୁ, କିନ୍ତୁ ନିଜର ପ୍ରଚଣ୍ଡ କିରଣ ଦ୍ୱାରା ଜଗତକୁ ଉତ୍ତପ୍ତ କରୁଥିବା ସୂର୍ଯ୍ୟଙ୍କୁ ରାହୁ ଗ୍ରାସ କଲା ପରି ନିଜର ବୀରତ୍ୱ ଦ୍ୱାରା ଜଗତକୁ ଜୟ କରିଥିବା ଏହି ଅସୁରମାନଙ୍କୁ ବାନରମାନେ ଭକ୍ଷଣ କରିବେ । ଅଥବା ଅଗ୍ନିକଣା ଦେହରେ ଲାଗିବା ସଙ୍ଗେ ସଙ୍ଗେ ସମସ୍ତ ପ୍ରାଣୀମାନଙ୍କୁ କଷ୍ଟଦେଲେ ସୁଦ୍ଧା ଯେପରି ଚକୋର ପକ୍ଷୀ ଦ୍ୱାରା ଭକ୍ଷିତ ହୁଏ, ସେହିପରି ଏମାନେ ଜଗତ ଦଗ୍ଧ କରୁଥିଲେ ସୁଦ୍ଧା ବାନରମାନଙ୍କ ଦ୍ୱାରା ଭକ୍ଷିତ ହେବେ ।’’
୧୩ଶ ପଦ :- ସରପୁଷ୍ଟ-ଜଳପୂର୍ଣ୍ଣ ପୁଷ୍କରିଣୀ । ସରଥ-ରଥ ସହିତ । ଶରଥ-ପୃଥିଳ ।ସଚତ୍ର-ସୈନ୍ୟ ସହିତ, ଭଉଁରୀ ସହିତ । ସରାଳି-ହଂସମାନେ, ଶରସମୂହ । ଶରାଳି-ଗିରିଷମ, ଗ୍ରୀଷ୍ମ । ବାଳିକ-ଅଙ୍ଗଦ । ଜୀବନ-ଜଳ, ପ୍ରାଣ ।
୧୩ଶ ପଦ :- ବନ୍ଧ ଭାଙ୍ଗିଗଲେ ଭଉଁରୀଶୂନ୍ୟ ଓ ହଂସ ଚକ୍ରବାକ ପ୍ରମୃତି ଜଳଚର ପକ୍ଷୀଯୁକ୍ତ ପୁଷ୍କରିଣୀର ଜଳରାଶି ସେପରି ଚାରିଆଡ଼େ ଅତିଶୀଘ୍ର ବହିଯାଏ, ଏହି ସମୟରେ ସେହିପରି ବଜ୍ରଅଙ୍ଗ ଓ ଶରତୁଷ୍ଟ ନାମକ ରାକ୍ଷସ ଦୁହେଁ ରଥ ଓ ସୈନ୍ୟମାନଙ୍କ ସହିତ ନଗରୀର ଚାରିଆଡ଼େ ଅତିଶୀଘ୍ର ଘୁରିବାକୁ ଲାଗିଲେ । ଏହି ସମୟରେ ଅଙ୍ଗଦ ଗ୍ରୀଷ୍ମଋତୁର ତେଜକୁ ଧାରଣା କରି ସେ ଦୁହିଁଙ୍କ ବିନାଶ କଲା । ଏହା ଦେଖି ଶୋଣିତାକ୍ଷ ଓ ଜୁଳୁପାକ୍ଷ ନାମକ ରାକ୍ଷସଦ୍ୱୟ ଅତି ଶୀଘ୍ର ଧାଇଁ ଆସି ଅଙ୍ଗଦ ସହିତ ଯୁଦ୍ଧ କରିବାରୁ ଯୁଦ୍ଧନିପୁଣ ରାମ ଓ ଲକ୍ଷ୍ମଣ ଦୁହେଁ ସେ ଦୁହିଁଙ୍କ ସଙ୍ଗେ ବୁଝିବାକୁ ଲାଗିଲେ ।
୧୪ଶ ପଦ :- ଫଳଶ୍ରାଦ୍ଧ-ମାଂସଶ୍ରାଦ୍ଧ । କୀଲାଲ-ରକ୍ତ । କିଶୀର୍ଣ୍ଣ - କ୍ଷୀଣ, ଏଠାରେ ବିନାଶ । ଦ୍ୟୋତ-କାନ୍ତି, ଦୀପ୍ତି । ଖଦ୍ୟୋତ-ଜୁଳୁଜୁଳାପୋକ । ବାନରେଶ-ସୁଗ୍ରୀବ ।
୧୪ଶ ପଦ :- ବ୍ରାହ୍ମଣମାନେ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ତର୍ପଣ କଲାପରି ଏହି ଅବସରରେ ଦ୍ୱିବିଦ ସେନାପତି ତାର ନଖରୂପ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସେହି ଶୋଣିତାକ୍ଷର ମାଂସଦ୍ୱାରା ଶ୍ରାଦ୍ଧ ଓ ରକ୍ତ ଦ୍ୱାରା ତର୍ପଣ କାର୍ଯ୍ୟ ସଂପାଦନ କଲା । ( ଅର୍ଥାତ୍ ତାକୁ ନଖରେ ବିଦାରି ମାରି ପକାଇଲା । ଦିବସର ତେଜ ଦ୍ୱାରା ଜୁଳୁଜୁଳିଆ ପୋକର ତେଜ ବିନଷ୍ଟ ହେଲା ପରି ଦ୍ୱିବିଦ ନିଜର ତେଜ ଦ୍ୱାରା ଜଳୁପାକ୍ଷର ବୀରତ୍ୱ ଗର୍ବକୁ ନାଶ କରିଦେଲା । ତତ୍ପରେ କୁମ୍ଭକର୍ଣ୍ଣର କୁମ୍ଭ ଓ ନିକୁମ୍ଭ ନାମକ ଦୁଇ ପୁତ୍ର ଯୁଦ୍ଧ କ୍ଷେତ୍ରରେ ଦେଖା ଦିଅନ୍ତେ ସୁଗ୍ରୀବ ଓ ହନୁମାନ ଦୁହେଁ ତାହାଙ୍କ ନିକଟରେ ଉପସ୍ଥିତ ହେଲେ ।)
୧୫ଶ ପଦ :- ସମରେ-ଯୁଦ୍ଧରେ । ଶାଖାମୃଗେନ୍ଦ୍ର-ବାନରଗଜ ( ସୁଗ୍ରୀବ ) । ମୃଗେନ୍ଦ୍ର-ସିଂହ । ସିନ୍ଧୁ-ହସ୍ତୀ । ସିନ୍ଧୁରେ-ସମୁଦ୍ରରେ । ଇକ୍ଷ୍ୱାକୁତ୍ରାତ-ଲାଉତୁମ୍ବା । ବହନ-ଶୀଘ୍ର । କୁମ୍ଭ-ହସ୍ତୀ, ଦୈତ୍ୟବିଶେଷ ।
୧୫ଶ ପଦ :- ମଲ୍ଲଯୁଦ୍ଧରେ ଦକ୍ଷ ସୁଗ୍ରୀବ ସିଂହ ହସ୍ତିକୁ ଟେକି ନେଇ ଦୂରରେ ଫିଙ୍ଗିଲା ପରି କୁମ୍ଭ ରାକ୍ଷସକୁ ନେଇ ସମୁଦ୍ରରେ ଫିଙ୍ଗି ଦିଅନ୍ତେ ସେ ବୁଡ଼ି ନ ଯାଇ ଲାଉତୁମ୍ବା ପରି ଭାସିବାକୁ ଲାଗିଲା ଏବଂ ଲାଉତୁମ୍ବା ଯେପରି ପବନ ବେଗରେ ଭାସିଆସେ, ସେ ସେହିପରି କୂଳକୁ ଭାସି ଆସି ପୂନର୍ବାର ସୁଗ୍ରୀବ ସହ ଯୁଦ୍ଧ କରିବାକୁ ଲାଗିଲା । ସୁଗ୍ରୀବ ତାର ବାହୁକୁ ଧରି ମୁଣ୍ଡରେ ଆଘାତ କରିବାରୁ ତାହାର ମୁଣ୍ଡ ହଠାତ୍ ଶତଖଣ୍ଡ ହୋଇଗଲା ।
ବଞ୍ଚିଯାନ୍ତୁରକ୍ଷଲୋକେ ନାଶଯାନ୍ତୁ ଋଷଲୋକେଭାବି ଗଦା ନିକୁମ୍ଭ ପ୍ରହାରି ।ବତ୍ସଳେ ବକ୍ଷ ମାରୁତି ଇନ୍ଦ୍ରଲୋକେ ନେଇ ପାତିସେ ଭୀତିକି ସତ୍ୱରେ ନିବାରି ସେ ।ବିଧାଏକ । ବିଧାନରେ ମୂର୍ଚ୍ଛିତ ପାବନି ।ବିମାନେ ପକାଇ ବାହୁଡ଼ିଲା ଘେନି ସେ ।୧୬।ବିଭାକର ସୁନୁ ସ୍ୱଚ୍ଛେ ପ୍ରଭାକର ହୋଇ ପଛେଗୋଡ଼ାଉଁ ଚେତିଣ ହନୁମନ୍ତ ।ବୃତ୍ରେ ହରି ପବିପରି ତନ ହନୁରେ ପ୍ରହାରିତଳରେ ପଡ଼ୁ ଚରଣ ଘାତ ସେ ।ବିହୁଁ ତହିଁ । ବୁକୁରେ ବିଳ ସୁଗ୍ରୀବ ଯୋଗେ ।ବୋଲେ ମଳରାକ୍ଷ ମିଳି ରାମଆସେ ସେ ।୧୭।ବପ୍ତା ମୋର ଖର ଖର- କର ଜ୍ୟୋତିଷ୍କର ଖର-ତର ଶରେ ଋଣ ତା ଯୁଝବି ।ବୋଇଲେ ରାମ ରେ ଖର ତନୟ କି ଲୟ ତୋରକରିଅଛୁ ପାରୀନ୍ଦ୍ରେ ଯୁଝିବି ରେ ।ବ୍ରତ ଅନ୍ତେ । ବିବିଧ ସେବାମାନଙ୍କୁବିହି ।ବୈବସ୍ୱତ ପୁରେ ଦେବା ପଠିଆଇ ସେ ।୧୮।ବିନ୍ଧି ସୁରପ୍ରଭା ଶର ସେ ଶୂରବନ୍ତ ଅସୁର ।ଯହୁଁ ନଚାଇଲା କବନ୍ଧକୁ ।ବିଶିଖେ ଚର ଅଚର ପ୍ରଭୁ ଭୂଚର ଖେଚରକରି ବିହି ତା ଶିର ଚ୍ଛେଦକୁ ସେ ।ବାହୁଡ଼ିଲେ । ବଳ ଜୟବାଦ୍ୟମାନ ଦେଇ ।ବିଂଶବାହୁ ଆଗେ ଦୂତ ଯାଇ କହି ସେ ।୧୯।ବଳଦ୍ୱୟ ସୌରମତେ ପ୍ରକଟ ବତ୍ସରଯୁକ୍ତେମେଷ ଋଷଭ ମିଥୁନ କ୍ରମେବହେ କର୍କପ୍ରଭା ସିଂହ ଗତି କନ୍ୟା-ଗତି ରହତୁଳ ଆଳି ସରସରେ ଭ୍ରମେ ସେ ।ବଳେ ଧନୁ । ମକରଅକ୍ଷ ବିଳସେ ।ବିଦ୍ୟମାନ କୁମ୍ଭ ମତ୍ସ୍ୟରେ ଏ ଶ୍ଲେଷେ ଯେ ।୨୦।୧୬ଶ ପଦ :- ବତ୍ସଳେ-ସ୍ନେହରେ । ପାବନି-ହନୁମାନ ।
୧୬ଶ ପଦ :- ରାକ୍ଷସମାନେ ବଞ୍ଚିଯାନ୍ତୁ ଓ ଉଲ୍ଲୁକମାନେ ଶୀଘ୍ର ମରିଯାନ୍ତୁ ଏହି କଥା ମନରେ ବିଚାରି ନିକୁମ୍ଭ ହନୁମାନର ବକ୍ଷସ୍ଥଳରେ ଗଦା ପ୍ରହାର କଲା । ଏହା ଦେଖି ହନୁମାନ ଆଦର ସହିତ ସ୍ୱୀୟବକ୍ଷସ୍ଥଳକୁଚନ୍ଦ୍ରଲୋକ ପର୍ଯ୍ୟନ୍ତ ବିସ୍ତାରିତ କରି ଅନ୍ୟମାନଙ୍କର ସେହି ଗଦାଘାତ ଜନିତ ଭୟକୁ ବିଦୂରିତ କଲା । ମାତ୍ର ନିକୁମ୍ଭ ଏକମାତ୍ର ବିଧା ପ୍ରହାର କରି ତାକୁ ମୁର୍ଚ୍ଛିତ ହନୁମାନକୁ ରଥରେ ପକାଇ ଲଙ୍କାକୁ ନେଇଗଲା ।
୧୭ଶ ପଦ :- ବିଭାକରସୁନୁ-ସୁଗ୍ରୀବ । ପ୍ରଭାକର-ଦୀପ୍ତିମନ୍ତ । ବୃତ୍ରେ-ବୃତ୍ରାସୁରଠାରେ । ପବିପରି-ବଜ୍ରପରି । ବିଳ-ଗର୍ତ୍ତ ।
୧୭ଶ ପଦ :- ଏହା ଦେଖି ସୁଗ୍ରୀବ ସୂର୍ଯ୍ୟ ତୁଲ୍ୟ ତେଜ ପ୍ରକାଶ କରି ନିଜର ଇଚ୍ଛାନୁସାରେ ସେହି ରାକ୍ଷସର ପଛେ ପଛେ ଗୋଡ଼ାଇବାକୁ ଲାଗିଲେ । କିଛିକ୍ଷଣ ପରେ ହନୁମାନ ଚେତନା ପାଇ ଇନ୍ଦ୍ର ବୃତ୍ରାସୁରକୁ ବଜ୍ରଦ୍ୱାରା ପ୍ରହାର କଲାପରି ନିକୁମ୍ଭର ଗାଲକୁ ଗୋଟାଏ ଚାପୁଡ଼ା ମାରିବାରୁ ସେତଳେ ପଡ଼ିଗଲା । ଏହି ସମୟରେ ସୁଗ୍ରୀବ ତାହାର ବକ୍ଷରେ ଗୋଇଠା ମାରନ୍ତେ ସେଠାରେ ଗୋଟାଏ ଗାତ ହୋଇଗଲା । ( ଅର୍ଥାତ୍ ସେ ମଲା ) । ଏହି ସମୟରେ ମକରାକ୍ଷ ରାମଚନ୍ଦ୍ରଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲା ।
୧୮ଶ ପଦ :- ବପ୍ତା-ପିତା । ଖର-ଦୈତ୍ୟବିଶେଷ । ଖର-ଗଧ । ଖରକର-ସୂର୍ଯ୍ୟକିରଣ । ଖର-ତୀକ୍ଷ୍ଣ । ଖରତନୟ-ମକରାକ୍ଷ । ବୈବସ୍ୱତପୁର-ଯମପୁରକୁ ।
୧୮ଶ ପଦ :- ‘ଖର ରାକ୍ଷସ ମୋର ପିତା ଅଟନ୍ତି; ମୁଁ ସୂର୍ଯ୍ୟଙ୍କପରି ଅତି ତେଜସ୍ୱୀ ତୀକ୍ଷ୍ଣ ଶରମାନଙ୍କୁ ମାରି ଆଜି ସେହି ପିତୃଋଣ ପରିଶୋଧ କରିବି ।’’ ରାମଚନ୍ଦ୍ର କହିଲେ, ‘‘ରେ ଖରତନୟ ! ଗଧର ଛୁଆ ହୋଇ ସିଂହ ସହିତ ଯୁଦ୍ଧ କରିବୁ ବୋଲି ବିଚାର କରିଅଛୁ, ତୋର ଏହି ବିଚାର ଠିକ୍ ନୁହେଁ । ତୁ ଦେବତାମାନଙ୍କୁ ନାନାବିଧ ସେବା କରି ଯେଉଁସବୁ ବର ପାଇଛୁ, ତାହା ଶେଷ ନ ହେଉଣୁ ତୋତେ ଯମପୁରକୁ ପଠାଇଦେବା । ( ଅର୍ଥାତ୍ ତୁ ସେହିଠାରେ ବ୍ରତ ଅନ୍ତେ ପିତା ନିକଟରେ ରହି ଋଣ ପରିଶୋଧ କର ) ।
୧୯ଶ ପଦ :- ସୁରପ୍ରଭା-ସୂର୍ଯ୍ୟସମତେଜିୟାନ୍ । ଶ୍ମରବନ୍ତ-ବୀର୍ଯ୍ୟବନ୍ତ, ବଳିଷ୍ଠ । ବିଶିଖେ-ଶରଦ୍ୱାରା । ବଳ-ସୈନ୍ୟ । କିଂଶବାହୁ-ରାବଣ ।
୧୯ଶ ପଦ :- ମହାବୀର ସେହି ମକରାକ୍ଷ ସୂର୍ଯ୍ୟଙ୍କପରି ଅତି ତେଜସ୍ୱୀଶରମାନଙ୍କୁ ମାରି ସୈନ୍ୟମାନଙ୍କର ଶିର ଛେଦନ କଲା । ଏହା ଦେଖି ନିଖିଳ ବ୍ରହ୍ମାଣ୍ଡପତି ରାମଚନ୍ଦ୍ର ବାଣମାରି ତାର ମୁଣ୍ଡ ଛେଦନ କଲେ । ସେହିମୁଣ୍ଡ ଆକାଶରେ ଉଠିବାକୁ ଲାଗିଲା ଓ ତାର ଗଣ୍ଡି ଭୂମି ଉପରେ ପତିତ ହେଲା । ଏହା ଦେଖି କପିବଳ ଜୟବାଦ୍ୟ ବଜାଇ ରଣକ୍ଷେତ୍ରରୁ ପ୍ରତ୍ୟାବୃତ୍ତ ହେଲେ ଏବଂ ଦୂତ ଯାଇ ରାବଣ ନିକଟରେ ଏ ସବୁ କଥା କହିଲା :-
୨୦ଶ ପଦ :- ସୌରମତେ-ସଂକ୍ରାନ୍ତି ଗଣନାନୁସାରେ । ଶୌରମତେ-ବୀରଭାବରେ । ପ୍ରକଟ-ପ୍ରକାଶ । ମେଷ-ମେଣ୍ଢା, ମାସବିଶେଷ । ଋଷଭ-ମାସବିଶେଷ, ଷଣ୍ଢ । ମିଥୁନ-ମାସବିଶେଷ, ଦୁଇଜଣ । କର୍କପ୍ରଭା- ଅଗ୍ନିପ୍ରଭା, ମାସବିଶେଷ । ଅଳି-ବିଛା । ସରସରେ-ଉତ୍ତମ ମନରେ ।
୨୦ଶ ପଦ :- ସଂକ୍ରାନ୍ତି ଗଣନାନୁସାରେ ମେଷ, ବୃଷ ଓ ମିଥୁନାଦି କ୍ରମରେ ମାସମାନେ ଆରମ୍ଭ ହୋଇ ବର୍ଷ ଶେଷ ହେଲାପରି, ଯୁଦ୍ଧ କ୍ଷେତ୍ରରେ ତାଙ୍କର ଓ ଆମ୍ଭର ସୈନ୍ୟମାନଙ୍କ ମଧ୍ୟରୁ ଦୁଇ ଦୁଇ ଜଣ ସେହି ସେହି ରାଶିମାନଙ୍କ ତୁଲ୍ୟ ପରାକ୍ରମ ଓ ବୀରତ୍ୱ ପ୍ରକାଶ କରି ଯୁଦ୍ଧ ଶେଷକଲେ । ଏହି ଦୁଇ ବଳ ମଧ୍ୟରୁ ଆମ୍ଭ ବଳ ପ୍ରଥମରେ ମେଣ୍ଢା ଓ ଷଣ୍ଢପରି ହୀନବଳ ହେଲେ । ତାଙ୍କ ବଳ ଅଗ୍ନୀତୁଲ୍ୟ ତେଜ ଧାରଣା କରି ସିଂହ ଗତିରେ ଯୁଦ୍ଧ କ୍ଷେତ୍ରରେ ବିହାରକଲେ । ଆମ୍ଭ ବଳ ସ୍ତ୍ରୀମାନଙ୍କପରି ଭୀତ ହୋଇ ଲୁଚିଲେ ତହୁଁ ତାଙ୍କ ବଳ ତୁଳାପରି ଏମାନଙ୍କୁ ଭିଣି ଦେଲେ । ତତ୍ପରେ ତାଙ୍କ ବଳ ବିଛାପରି ଘାତୁକତା ପ୍ରକାଶ ପୂର୍ବକ ଗର୍ବରସହିତ ବିଚରଣ କରିବାକୁ ଲାଗିଲେ । ଆମ୍ଭ ବଳ ମଧ୍ୟରୁ କେବଳ ମକରାକ୍ଷ ଧନୁ ଧରି ଯୁଦ୍ଧ କରିଥିଲା, କିନ୍ତୁ ମଲା । ତତ୍ପରେ କୁମ୍ଭ ରାକ୍ଷସ କ୍ରୋଧରେ ଅଗ୍ରସର ହୋଇ ଯୁଦ୍ଧ କଲା ମାତ୍ର ସେ ମଧ୍ୟ ମଲା ।’ ଏହିପରି ଏହିପଦରୁ ଦ୍ୱାଦଶ ରାଶିଯୁଦ୍ଧରୂପ ଶେଷାର୍ଥ ପ୍ରକାଶିତ ହେଲା ।
ବିସ୍ମୟ ଶୁଣି ଦଶାସ୍ୟ ବାସବହେଷୀ ପ୍ରବେଶଭାଷ ପ୍ରକାଶ ତାରେ କରଇବୁଡ଼ଣା ହୋଇଲା ସ୍ଥଳେ ଅନଳ ଲାଗିଲା ଜଳେଅନିଳ ପାଶେ ବନ୍ଧନ ହୋଇ ଯେ ।ବ୍ରହ୍ମାୟୁଶ । ବିହରିଲା ନର ନିଃଶ୍ୱାସକେ ।ବୋଧ ଦେଲା ମେଘନାଦ ମୃଦୁବାକ୍ୟେ ସେ ।୨୧।ବିଦଳେ ମାଡ଼ିଣ ଲୋକ ଇନ୍ଦ୍ରଗୋପ କିଞ୍ଚୂଳୁକଆଷାଢ଼ ଘନ ଗର୍ଜ୍ଜନେ ଜୀଇ ।ବିଚାରେ ସେହି ପ୍ରକାର ହେଲେ ଏ ନର ବାନରହନୁମନ୍ତ ଜୀବନଦ ହୋଇ ସେ ।ବିନାଶିଲେ । ବାତବଳା ଜିଣନ୍ତାଇଁ ଯୁଦ୍ଧ ।ବୁଦ୍ଧି ଏକ କରିବା କି ଏବେ ସିଦ୍ଧ ସେ ।୨୨।ବିଦ୍ୟୁଜ୍ଜହ୍ୱ ତ୍ରିବେଣୀ କି ଯାଇ ଏକ ସୁବେଣୀକିବୁଡ଼ାଇ ମୟାଜାନକୀ କରୁବୋଇଲା ରାବଣ ଶୁଣି ଉଣାହେବ ସିନାଆଣିବାହୁଡ଼ାଇଲେ କିତବ ଭୀରୁ ସେ ।ବିଚ୍ଛେଦିବା ! ବୋଇଲ ଶୁଣି ତା ଇନ୍ଦ୍ରଜିତ ।ବିଶ୍ରବାସୁତର ଶୁଣି ବୋଧ ଚିତ୍ତ ସେ । ୨୩ ।ବାଞ୍ଛାବଟତଳେ ଗତ ସୁକାନ୍ତିକି ଘେନି ଭ୍ରାତମନାସି କାମ୍ୟକତୀର୍ଥ ଦାହି ।ବସୁମତୀଜା-ସୂମୁର୍ତ୍ତି ବହିଲା ଯହୁଁ ଝଟିତିଝଟ ଝଟ ବିଦ୍ୟୁ ପ୍ରାୟ ଦେହୀ ସେ ।ବିଲିପ୍ତାକେ । ବାହୁଡ଼ିଲା ବୃଷାରି ଜାଣିଲା ।ବଞ୍ଜୁଳ ବନରୁ ନେଲା ପ୍ରାୟେ ନେଲା ସେ । ୨୪ ।ବିମାନରେ ମାନବତୀ- ପ୍ରକାରେ ଛଦ୍ମ ଯୁବତୀବସୁ ମୁଖ ପୋତି ଅଶ୍ରୁ ଗଳି ।ବାତେ କି ନଳିନ ଢଳି ମରନ୍ଦ ଉଦ୍ଗାରେ ଆଳିହୟଡ଼ୋଳା ସେହି ଶୋଭାଶାଳୀ ସେ ।ବିକମ୍ପିତ । ବେନି ବେନି ପକ୍ଷୁ ପକ୍ଷରୀତି ।ବଢ଼ିବା ଅଳକ ବେଢ଼ି ସେହି ମତି ସେ । ୨୫ ।
୨୧ଶ ପଦ :- ଦଶାସ୍ୟ-ରାବଣ । ବାସବଦ୍ୱେଷୀ-ଇନ୍ଦ୍ରଜିତ । ବୁଡ଼ଣା-ବୁଡ଼ିବା । ଅନଳ-ଅଗ୍ନି । ଅନିଳ-ପବନ । ବ୍ରହ୍ମାୟୁଷ-ବ୍ରହ୍ମାଙ୍କର ପରମାୟୁ ।
୨୧ଶ ପଦ :- ଏହା ଶୁଣି ରାବଣ ଅତିଶୟ ବିସ୍ମିତ ହେଲା । ଏହି ସମୟରେ ଇନ୍ଦ୍ରଜିତ ସେଠାରେ ଉପସ୍ଥିତ ହେବାରୁ ରାବଣ ତାକୁ କହିଲା, ରେ ବାସବବିଜୟି ! ଏବେ ସ୍ଥଳଭାଗରେ ରହି ବୁଡ଼ି ମରିବାକୁ ହେଲା, ଜଳରେ ଅଗ୍ନି ଲାଗିଲା, ପବନ ଫାସରେ ବନ୍ଦି ହେଲା ଏବଂ ବ୍ରହ୍ମାଙ୍କର ପରମାୟୁ ମନୁଷ୍ୟର ଏକ ନିଃଶ୍ୱାସରେ ଶେଷ ହେଲା ‘( ଅର୍ଥାତ୍ ଯାହା ନ ହେବାର କଥା ତାହା ସବୁ ଘଟିଲା । କାରଣ ଖାଦ୍ୟ ନର ବାନର ଆମ୍ଭର ବଂଶନାଶ କଲେ )’ ଏହା ଶୁଣି ମେଘନାଦ କୋମଳ ବାକ୍ୟରେ ବୁଝାଇ କହିଲା;-
୨୨ଶ ପଦ :- ବିଦଳେ-ବିଶେଷଭାବରେ ଦଳିଦେଇ । ଇନ୍ଦ୍ରଗୋପ-ସାଧବଘର ବୋହୁ । କିଞ୍ଚୂଳୁକ-ଜିଆନାଡ଼ । ଘନଗର୍ଜନ-ମେଘଧ୍ୱନି । ଜୀବନଦ-ପ୍ରାଣଦାନକାରୀ । ବାତବଳା-ହନୁମାନ ।
୨୨ଶ ପଦ :- ‘‘ପାଟପୋକ ଓ ଜୀଆନାଡ଼କୁ ଲୋକମାନେ ମୋଡ଼ିଦଳି ପକାଇଥିଲେ ସୁଦ୍ଧା ସେମାନେ ଯେପରି ଆଷାଢ଼ ମାସରେ ମେଘ ଗର୍ଜିଲେ ପୂନର୍ବାର ଜୀବନ ଧାରଣ କରନ୍ତି, ମୁଁ ମନେ କରୁଛି, ସେହିପରି ଆମ୍ଭମାନଙ୍କ ଦ୍ୱାରା ମୃତ ନର ଓ ବାନରମାନଙ୍କୁ ହନୁମାନ ପୁନର୍ଜୀବନ ପ୍ରଦାନ କରୁଛି । ଏଣୁ ସେହି ହନୁମାନକୁ ଆମ୍ଭେମାନେ ମାରି ପକାଇଲେ ନିଶ୍ଚୟ ଯୁଦ୍ଧରେ ଜୟଲାଭ କରିପାରନ୍ତେ । ବର୍ତ୍ତମାନ ଏଥି ନିମିତ୍ତ ଏକ ଉପାୟ ଚିନ୍ତା କରିବା କି ?’’
୨୩ଶ ପଦ :- ତ୍ରିବେଣୀକି-ତ୍ରିବେଣୀ ଘାଟକୁ । ସୁବେଣୀକି-ନାୟିକାକୁ । କିତବଭୀରୁ-ମାୟାସୀତା ।
୨୩ଶ ପଦ :- ‘‘ଯଦି ମୋ କଥାକୁ ଉଚିତ ମନେ କରୁଛନ୍ତି, ତାହାହେଲେ ବିଦ୍ୟୁଜିହ୍ୱ ଶୀଘ୍ର ଗୋଟିଏ ସୁନ୍ଦରୀକୁ ନେଇ ତ୍ରିବେଣୀ ଘାଟରେ ସ୍ନାନ କରାଇ ମାୟା ସୀତା କରି ଆଣୁ । ‘‘ଏହା ଶୁଣି ରାବଣ କହିଲା, ‘‘ସେହି ମାୟା ରମଣୀକୁ ଫେରାଇ ଦେଲେ ମୋର ନିଶ୍ଚୟ ନିନ୍ଦା ହେବ ।’’ ଇନ୍ଦ୍ରଜିତ କହିଲା, ‘‘ତାହାକୁ ହାଣି ଦେବା ।’’ ଏହା ଶୁଣି ରାବଣ ଅତିଶୟ ଆନନ୍ଦିତ ହେଲା ।
୨୪ଶ ପଦ :- ବସୁମତୀଜାସମୂର୍ତ୍ତି-ସୀତାଙ୍କର ମନୋହର ରୂପ । ବିଲିପ୍ତୀକେ-ଅର୍ଦ୍ଧଲିତାରେ । ବୃଷାରି-ଇନ୍ଦ୍ରଜିତ । ବଞ୍ଜୁଳ ବନରୁ-ଅଶୋକ ବନରୁ ।
୨୪ଶ ପଦ :- ତତ୍ପରେ ବିଦ୍ୟୁଜିହ୍ୱ ତାର ସାନ ଭଉଣୀ ସୁକାନ୍ତିକୁ ସଙ୍ଗରେ ନେଇ ବାଞ୍ଛାବଟ ତଳକୁ ଗଲା । ସୁକାନ୍ତି ଭାଇର କଥା ଅନୁସାରେ ସୀତାଙ୍କ ରୂପକୁ କାମନା କରି ସେହି କାମନା ପୂର୍ଣ୍ଣକାରୀ ତୀର୍ଥରେ ସ୍ନାନ କରିବାକୁ ଅବିକଳ ସୀତାଙ୍କ ରୂପକୁ ଧାରଣ କଲା ଏବଂ ତାହାର କାନ୍ତି ବିଜୁଳୀ ପରି ଝଟଝଟ ଦେଖାଗଲା । ବିଦ୍ୟୁଜିହ୍ୱ ଅଳ୍ପସମୟ ମଧ୍ୟରେ ସେଠାରୁ ଫେରି ଆସନ୍ତେ ଇନ୍ଦ୍ରଜିତ ସୁକାନ୍ତିକୁ ଅଶୋକବନରୁ ନେଲାପରି ନେଇଯାଇ ଯୁଦ୍ଧକ୍ଷେତ୍ରକୁ ଗମନ କଲା ।
୨୫ଶ ପଦ :- ଛଦ୍ମଯୁବତୀ-ମାୟାକାମିନୀ ଅର୍ଥାତ୍ ମାୟାସୀତା । ନଳିନ-ପଦ୍ମ । ମରନ୍ଦ-ମକରନ୍ଦ । ଉଦ୍ଗାରେ-ବାନ୍ତି କରେ । ଅଳି-ଭ୍ରମର । ଅଳତା-ଚୂର୍ଣ୍ଣକୁନ୍ତଳ ।
୨୫ଶ ପଦ :- ସେହି ମାୟା ସୀତା ମାନବତୀ ପରି ବିମାନରେ ବସି କାନ୍ଦିବାକୁ ଲାଗିଲା । ଏହି ସମୟରେ ତାର ମୁଖ ଓ ଚକ୍ଷୁର ଡୋଳାଦ୍ୱୟକୁ ଦେଖି ବୋଧ ହେଉଥିଲା, ପବନ କମ୍ପିତ ପଦ୍ମ ପୁଷ୍ପ ଉପରେ ଭ୍ରମର ବସିବାକୁ ମକରନ୍ଦ ସବୁ ଖସି ପଡ଼ୁଛି କି ?
ବିନ୍ୟସ୍ତ ଉରଜପରେ ଦେଉଛି କି ଶମ୍ଭୁ ଶିରେକଣ୍ଠଶଙ୍ଖେ ବିରାଜିତ ମାଳୀ ।ବିଧିରେ ସଲିଳଶାୟୀ ସଲୀଳେ ଆରମ୍ଭ ହୋଇପ୍ରଣାଳୀ ରଞ୍ଜନ ରୋମାବଳୀ ସେ ।ବେଣୀପରେ । ବିଶ୍ରାମିଛ ଅନୁସରି ଫଣୀ ।ବିଚାରନ୍ତି ଦେଖି ଲଙ୍କାର ରମଣୀ ସେ । ୨୬ ।ବେଶହୀନ କ୍ଷୀଣ ଦିଶେ ବିହୀନ ହରଷେ ବସେପ୍ରସନ୍ନ ଦିଶେ ଏସନ ଏବେ ।ବ୍ରହ୍ମାଣ୍ଡସାର ସୁନ୍ଦରୀ ଜାଳକ ତିଳକପରିତିଳକୁ ଶୋଭା ଯା ନ ପାଇବେ ସେ ।ବ୍ରହ୍ମାକେତେ । ବସି କଳ୍ପିଛନ୍ତି କେତେ କଳ୍ପେ ।ବଲ୍ଲଭୀ ଏ ହେବ ପୁଣି କେତେ ତପେ ସେ । ୨୭ ।ବିଧାତା ଜଟାଧାରୀକି ଦେଇ ଦିବ୍ୟ ସୁନ୍ଦରୀକିଶିବେ ଉମା ରାମେ ସୀତା ଦେଖ ।ବିସର୍ଜନ୍ତା ପଛେ ଜୀବ ଲେଉଟାଇ ଏଡ଼େ ଦ୍ରବ୍ୟଆଣି ଧିକ ପୁଂସ ଦଶମୁଖ ସେ ।ବୋଲେ କେହି । ବାରେ ଆଉ ନ ବୋଲେ ଏ ଭାଷ ।ବଶ ତ ନୋହିଲା ରଖି ହେବ କିସ ସେ । ୨୮ ।ବାହି ରଥ ପଥେ ନେଇ ନୀଳଠଣା ପାଶେ ଯାଇସୈନ୍ୟଦ୍ୱନ୍ଦ୍ୱ ଦ୍ୱନ୍ଦ୍ୱ ଘୋରତରବାହିଗଲା ପରବତେ ହନୁମନ୍ତ ପରବତେମାରିବାକୁ ଚତ୍ରିଣୀ ଉପରେ ସେ ।ବଳେ ନାହିଁ । ବାହା ପାର୍ଥିବୀସ୍ୱରୂପ ଚାହିଁ ।ବାସବାରି ତାକୁ ଉଚ୍ଚେ ଏହା କହି ସେ । ୨୯ ।ବିବାଦ ଆରମ୍ଭ ତୁମ୍ଭ ଆମ୍ଭର ଏ ସାତକୁମ୍ଭ-କୁମ୍ଭସ୍ତନୀ ଘେନି ଯାଉ ସଳି ।ବାଳ ଧରି କରବାଳ ଘେନି ମାରନ୍ତେ ପ୍ରବାଳ-ଅଧରୀ ଗଳାରେ ଗଲ ଗଳି ସେ ।ବିଚ୍ଛେଦନ । ବିଗ୍ରହ ମସ୍ତକ ମଣ୍ଡୁଁ ମହୀ ।ବୋଲି ହନୁମାନ କି କଲୁରେ ଦ୍ରୋହୀ ସେ । ୩୦ ।
୨୬ଶ ପଦ :- ବିନ୍ୟସ୍ତ-ସ୍ଥାପିତ । ଉଗଜପରେ-କୁଚ ଉପରେ । ଶମ୍ବୁଶିରେ-ଶିବଙ୍କ ମସ୍ତକ ଉପରେ ।ସଲିଲଶାୟୀ-ଜଳଶାୟୀ । ସଲୀଳେ-କୌତୁକରେ, । ରଞ୍ଜନ-ଶୋଭନ । ରୋମାବଳୀ-ରୋମରାଜି ।
୨୬ଶ ପଦ :- ସେହି ମାୟା ସୀତା ସ୍ୱକୀୟ ସ୍ତନ ଉପରେ କଣ୍ଠଦେଶକୁ ସ୍ଥାପନ କରି ଇନ୍ଦ୍ରଜିତର ବିମାନ ଉପରେ ବସିଥିବା ସମୟରେ ଲଙ୍କା ରମଣୀମାନେ ତାକୁ ଦେଖି ପଚାରିଲେ, ଏହାଙ୍କର କଣ୍ଠରେ ଥିବା ସୁବର୍ଣ୍ଣ ବା ମୁକ୍ତା ମାଳାରୂପ ମାଳୀ କଣ୍ଠରୂପୀ କୁଚରୂପୀ ଶିବଙ୍କ ଉପରେ ଜଳ ଢାଳୁଛି କି ? ( ମରଣ ଭୟରେ ତାର ଆକ୍ଷିରୁ ଅଶ୍ରୁଧାରା କଣ୍ଠଉପର ଦେଇ ପ୍ରବାହିତ ହେଉଅଛି ) । ଶିବ ସ୍ୱଭାବତଃ ଜଳଶାୟୀ ଅଟନ୍ତି, ଏଣୁ ଏହି କୁଚଶମ୍ଭୁଙ୍କର ଶଯ୍ୟା ସ୍ଥାନୀୟ ଜଳଧାରା କୌତୁକରେ ପ୍ରବାହିତ ହୋଇ ଏହି ରମଣୀର ରୋମାବଳୀ ଆକାର ଧାରଣ କରି ଅଛି କି ? ଏବଂ ଶିବଙ୍କୁ ସର୍ପ ଅନୁସରଣ ରହିଥାଏ, ସେହିପରି ଏହାଙ୍କୁ ଅନୁସରଣ କରି ଊର୍ଦ୍ଧ୍ୱଦେଶରେ ରହିଥିବା ବେଶୀ ସର୍ପ କି ?’’
୨୭ଶ ପଦ :- ବେଶହୀନ-ଭୂଷଣବିହୀନ । କ୍ଷୀଣ-କୃଶ । ବ୍ରହ୍ମାଣ୍ଡସାର ସୁନ୍ଦରୀ-ଜାଳକତିଳକପରି, ବ୍ରହ୍ମାଣ୍ଡ ମଧ୍ୟରେ ଶ୍ରେଷ୍ଠ ସୁନ୍ଦରୀ, ସମୂହର ଭୂଷଣ ସ୍ୱରୂପ ଯେଉଁ ସ୍ତ୍ରୀ, ସେ । ବଲ୍ଲଭୀ-ସ୍ତ୍ରୀ । ତପ-ତପସ୍ୟା । ତିଳକ-ତିଳ ପ୍ରମାଣରେ ।
୨୭ଶ ପଦ :- ସେହି ଲଙ୍କାର ସ୍ତ୍ରୀମାନେ ପୁନର୍ବାର ବିଚାରିଲେ ‘‘ଏତେକାଳ ଏଠାରେ ବେଶହୀନ ଓ କ୍ଷୀଣ ହୋଇ ବିରସରେ ରହିଥିଲେ ସୁଦ୍ଧା ଏହାର ମୁଖମଣ୍ଡଳ ବର୍ତ୍ତମାନ ପ୍ରଫୁଲ୍ଲ ଦେଖା ଯାଉଅଛି । ଏହି ବ୍ରହ୍ମାଣ୍ଡ ମଧ୍ୟରେ ଥିବା ସୁନ୍ଦରୀ ସ୍ତ୍ରୀମାନଙ୍କ ମଧ୍ୟରେ ଯେ ଶ୍ରେଷ୍ଠାସୁନ୍ଦରୀ ସେ ଏହାର ଶୋଭାକୁ ‘ତିଳକ’ ମାତ୍ର ସମାନ ସୁଦ୍ଧା ସମାନ ହେବ ନାହିଁ । କେତେ ବ୍ରହ୍ମା ବସି କେତେ ଯୁଗ କଳ୍ପନା କରି ଏହାକୁ ଗଢ଼ିଅଛନ୍ତି । ଓ ହୋ ! ପୁଣି କେତେ ତପସ୍ୟା କରି ଥିବାରୁ ସେହି ପତିର ଏ ବଲ୍ଲଭା ହୋଇଅଛି ।’’
୨୮ଶ ପଦ :- ଉମା-ପାର୍ବତୀ । ବିସର୍ଜନ୍ତା-ତ୍ୟାଗ କରନ୍ତା । ଜୀବ-ପ୍ରାଣ । ଦଶମୁଖ-ରାବଣ ।
୨୮ଶ ପଦ :- ସେମାନଙ୍କ ମଧ୍ୟରୁ କେହି ଜଣେ କହିଲା, ‘‘ବୋଧହୁଏ ବିଧାତା ସଦୟ ହୋଇ ତପସ୍ୱୀମାନଙ୍କୁ ପରମାସୁନ୍ଦରୀ ରମଣୀମାନଙ୍କୁ ଦେଇଅଛି । ତାହା ନ ହେଲେ ପରମା ସୁନ୍ଦରୀ ପାର୍ବତୀ ଓ ସୀତା ଜଟାଧାରୀ ଶିବ ଓ ରାମଙ୍କୁ ପ୍ରାପ୍ତ ହେଲେ କିପରି? ରାବଣ ମଲେ ପଛେ ମରନ୍ତା । କିନ୍ତୁ ପୁରୁଷ ହୋଇ ଯାହା ଜୀବନ ଥାଉଁଥାଉଁ ଏତେ ବଡ଼ ସୁନ୍ଦରୀକୁ ଆଣି ଲେଉଟାଇ ଦେଉଛି ।, ଏଣୁ ତାକୁ ଧିକ୍ ।’’ ଏହା ଶୁଣି ଅନ୍ୟ କେହି କହିଲା, ‘‘ଆଉ ଥରେ ଏପରି କଥା କହନା, ସେ ତ ବଶ ହେଲା ନାହିଁ, ତାକୁ ରଖି କି ଲାଭ ହେବ ?’’
୨୯ଶ ପଦ :- ସୈନ୍ୟଦ୍ୱନ୍ଦ୍ୱ-ଉଭୟ ସୈନ୍ୟ । ଦ୍ୱନ୍ଦ୍ୱ-ଯୁଦ୍ଧ । ଚିତ୍ର-ରଥ । ପାର୍ଥିବୀସ୍ୱରୂପ-ସୀତାଙ୍କସ୍ୱରୁପ । ବାସକରି-ଇନ୍ଦ୍ରଜିତ ।
୨୯ଶ ପଦ :- ଇନ୍ଦ୍ରଜିତ ରଥକୁ ନିର୍ଦ୍ଧିଷ୍ଟ ପଥରେ ନେଇ ନୀଳ ସେନାପତି ଥିବା ସ୍ଥାନ ନିକଟରେ ଉପସ୍ଥିତ ହେବାରୁ ସଙ୍ଗେ ସଙ୍ଗେ ଉଭୟେ ସୈନ୍ୟଙ୍କ ମଧ୍ୟରେ ଘୋରତର ଯୁଦ୍ଧ ଆରମ୍ଭ ହେଲା । ଏହି ସମୟରେ ହନୁମାନ ଏକ ପର୍ବତ ଧାରଣ କରି ତାହାକୁ ଇନ୍ଦ୍ରଜିତର ପର୍ବତସମ ରଥ ଉପରେ କଚାଡ଼ିବାକୁ ଉଦ୍ୟତ ହେବା ସମୟରେ ସେହି ରଥରେ ସୀତାଙ୍କୁ ଦେଖି ପର୍ବତ ନିକ୍ଷେପ କରିବାକୁ ତାର ଇଚ୍ଛା ବଳିଲା ନାହିଁ । ଏହି ସମୟରେ ଇନ୍ଦ୍ରଜିତ ତାକୁ ଉଚ୍ଚସ୍ୱରରେ କହିଲା –
୩୦ଶ ପଦ :- ବିବାଦ-ଯୁଦ୍ଧ । ସାତକୁମ୍ଭକୁମ୍ଭସ୍ତନୀ-ପୂର୍ଣ୍ଣଘଟସ୍ତନ । ସଳି-ଅରିଷ୍ଟ । କରବାଳ-ଖଡ଼୍ଗ । ପ୍ରବାଳଅଧରୀ-ନବପଲ୍ଲବାଧରୀ । ବିଗ୍ରହ-ଶରୀର । ଦ୍ରୋହୀ-ପାପୀ ।
୩୦ଶ ପଦ :- ‘‘ରେ ବାନର ! ଏହି ସୁବର୍ଣ୍ଣକୁମ୍ଭସ୍ତନା ସୀତାକୁ ନେଇ ତୁମ୍ଭ ଆମ୍ଭ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜିଠାରୁ ଶେଷ ହୋଇଯାଉ ।’’ ଏହା କହି ସେ ସେହି ସ୍ତ୍ରୀର ଚୁଟି ଧରି ଖଡ଼୍ଗ ପ୍ରହାର କରିବାରୁ ଖଡ଼୍ଗ ସେହି ରକ୍ତୋଷ୍ଠୀର କଣ୍ଠରେ ଗଳିଗଲା ଏବଂ ତାହାର ଦେହରୁ ମୁଣ୍ଡ ଛିଣ୍ଡି ଭୂମିରେ ନିପତିତ ହେଲା । ଏହା ଦେଖି ହନୁମାନ କହିଲା, ‘ରେ ଦ୍ରୋହୀ ତୁ କ’ଣ କଲୁ ?’
ବସୁଧାଭୃତପ୍ରହାରି ଶତାଙ୍ଗକୁ ଚୂର୍ଣ୍ଣ କରିଭୟେ ହୟେ ଆରୋହୀ କର୍ବୁର ।ବେଗେ ପଶିଲା ନଗରେ ପାବନି ଗତ ନଗରେଗରେ ଘାରିଲା ପ୍ରାୟେ ଶରୀର ସେ ।ବାଟେ ଯାଉଁ । ବୃଦ୍ଧ ଜାମ୍ବବନ୍ତଙ୍କୁ ଦେଖିଲେ ।ବ୍ୟାକୁଳିତ ହୋଇ ସକଳ କହିଲେ ସେ । ୩୧ ।ବଦନ ମ୍ଳାନ ଅନାଇଁ ଦୁଇଜଣଙ୍କର ତହିଁପଚାରୁଁ କହିଲେ ଶ୍ରୀରାମରେ ।ବିଖଣ୍ଡନ କଲା ଶିର ରାବଣ ତୀକ୍ଷ୍ଣ ଅସିରଯେଉଁ ସୀତା ଧରାଜାତା ତାରେ ସେ ।ବିଜ୍ଞାନ ସେ । ବିଞ୍ଚି ସଞ୍ଚି ନୀର ଶାନ୍ତି କଲେ ।ବାସ କେଶ ଅସମ୍ଭାଳେ ବାହାରିଲେ ସେ । ୩୨ ।ବୈଦେହୀ ଜାନକୀ ସୀତା ମୈଥିଳୀ ମହୀଦୁହିତାଯୋଜନଗନ୍ଧା ନାମାଦି ପୂର୍ବେ ।ବିନ୍ୟାସ କରିଣ ହା ହା ଦେଖେ ତାକୁ ରଘୁନାହାଶୋଭିତ ଆତପ ନନୀ ଭାବେ ସେ ।ବହିଅଛି । ବିଘାତନ ସ୍ଥାନରେ କୀଲାଲ ।ବସେ ସ୍ତମ୍ଭେ ଚକ୍ର ଉରଜ ଯୁଗଳ ସେ । ୩୩ ।ବସ୍ତ୍ର ଶୁଷ୍କ ଫେନମତେ ହଂସାବଳୀ ବେନି-ପ୍ରାନ୍ତେଅସ୍ତ ବ୍ୟସ୍ତ ସୂଭୁଜ ମୃଣାଳ ।ବିପୁଳ ଉରୁ ପୁଲିନ ମଳିନକର ନଳିନରୋମାବଳୀ ଶାଇବାଜଜାଳ ସେ ।ବିଲୋକିତେ । ବୋଇଲେ ମୋଘନରସଦାୟି ।ବସି କୋଳେ ପକାଇଲେ ତାକୁ ନେଇ ସେ । ୩୪ ।ବିଭାକର ବଂଶେ ଜାତ ଘେନି ସେ ହେଲେ ଏମନ୍ତତାଙ୍କ ସଜ୍ଞା ଭ୍ରମ ଛାୟାଠାରେ ।ବୋଲନ୍ତି ରାଘବ ମୁହିଁ ବିହାର କରିବି କାହିଁପ୍ରେମସିନ୍ଧୁ ଜୀବନ ହୀନରେ ଯେ ।ବରାରୋହା ! ବୋଲାଇ ମୁଁ ରାମ, ରମା ତୁହି ।ବାନ୍ଧବୀ ଗଉରୀ ଘେନି ଶିବ ମୁହିଁ ଯେ । ୩୫ ।୩୧ଶ ପଦ :- ବସୁଧାଭୃତ-ପର୍ବତ । ହୟେ-ଅଶ୍ୱରେ । କର୍ବୁର-ରାକ୍ଷସ । ଗରେ-ବିଷଦ୍ୱାରା ।
୩୧ଶ ପଦ :- ତତ୍ପରେ ହନୁମାନ ପର୍ବତ ପ୍ରହାର କରି ଇନ୍ଦ୍ରଜିତର ବୀରତ୍ୱକୁ ଚୂର୍ଣ୍ଣକରି ଦେଲା । ତେଣୁ ସେ ଗୋଟାଏ ଘୋଡ଼ାରେ ଚଢ଼ି, ଭୟରେ ପଳାଇଯାଇ ଲଙ୍କାଗଡ଼ ମଧ୍ୟରେ ପ୍ରବେଶ କଲା । ବିଷଜ୍ୱାଳାରେ ଶରୀର ଘାରି ହେଲେ ଲୋକ ଯେପରି ଗମନ କରେ, ହନୁମାନ ସେହିପରି ହୋଇ ସୁବେଳ ପର୍ବତ ଯିବାକୁ ଲାଗିଲା । ହନୁମାନ ବାଟରେ ଯିବା ସମୟରେ ବୃଦ୍ଧ ଜାମ୍ବବାନକୁ ଦେଖି ଦୁଃଖିତ ହୋଇ ସେହି କଥା କହିଲା ।
୩୨ଶ ପଦ :- ମ୍ଳାନ-ମଳିନ ବା ବିମର୍ଷ । ରାବଣି-ଇନ୍ଦ୍ରଜିତ । ଅସି-ଖଡ୍ଗ । ଧରାଜାତା-ପୃଥିବୀତନୟା । ନୀର-ପାଣି । ବାସ-ଲୁଗା । କେଶ-ବାଳ ।
୩୨ଶ ପଦ :- ଜାମ୍ବବ ଓ ହନୁମାନ ବିରଷବଦନରେ ରାମଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହେବାରୁ ରାମ ସେ ଦୁହିଁଙ୍କୁ କହିଲେ, ‘ତୁମ୍ଭଦୁହିଁଙ୍କ ମୁଖ ମଳିନ ହୋଇଛି କାହିଁକି ?’’ ସେ ଦୁହେଁ କହିଲେ, ‘‘ହେ ଦେବ । ଇନ୍ଦ୍ରଜିତ ଶୋଣିତ ଖଡ୍ଗରେ ପୃଥିବୀ ପୁତ୍ରୀ ସୀତାଙ୍କର ମୁଣ୍ଡ ଛେଦନ କଲା ।’ ଏହା ଶୁଣିବା କ୍ଷଣି ରାମଚନ୍ଦ୍ର ଅଚେତନ ହୋଇଗଲା । ଏହି ସମୟରେ ହନୁମାନ ଓ ଳାମ୍ବବ ତାଙ୍କୁ ବିଞ୍ଚି ଓ ତାଙ୍କ ମୁଖରେ ଜଳସିଞ୍ଚି ସଚେତ କରାଇଲେ । ଚେତନାପ୍ରାପ୍ତ ରାମଚନ୍ଦ୍ର ଉଦ୍ବେଗ ପୂର୍ଣ୍ଣଚିତ୍ତରେ ସୀତାଙ୍କୁ ଦେଖିବା ନିମିତ୍ତ ଦୌଡ଼ିଲେ ।
୩୩ଶ ପଦ :- ବିନ୍ୟାସ କରି-ପ୍ରୟୋଗ କରି ବା ବସାଇ । ରଘୁନାହା-ରାମଚନ୍ଦ୍ର । ଆତପ-ଗ୍ରୀଷ୍ମ । ବିଘାତନ-ଆଘାତ । କୀଲାଲ-ରକ୍ତ । ଉରଜ-ସ୍ତନ ।
୩୩ଶ ପଦ :- ବୈଦେହୀ, ଜାନକି, ସୀତା, ମୈଥିଳୀ, ମହୀସୁତା ଓ ଯୋଜନଗନ୍ଧା ପ୍ରଭୃତିମାନଙ୍କ ପୂର୍ବରେ ରାମଚନ୍ଦ୍ର ହା ଶବ୍ଦ ଯୋଗକରି ( ହା ବୈଦେହୀ, ହା ଜାନକୀ ଇତ୍ୟାଦି ଉଚ୍ଚାରଣ କରି ) ଯୁଦ୍ଧଭୂମି ପତିତା ଛିନ୍ନ ମସ୍ତକା ମାୟାସୀତାଙ୍କୁ ଦେଖିବାକୁ ଲାଗିଲେ । ସେହି ମାୟାସୀତା ଗ୍ରୀଷ୍ମକାଳୀନ ନଦୀପରି ଦେଖାଯାଉ ଥିଲା । କାରଣ ଗ୍ରୀଷ୍ମକାଳରେ ନଦୀରୁ ଜଳ ଶୁଷ୍କହୋଇ ଯାଇଥାଏ, ଏଣୁ ଲୋକମାନେ ନଦୀ ଗର୍ଭକୁ ଖୋଳି ଜଳ ବାହାର କରିଥାନ୍ତି । ସେହିପରି ଏହାଙ୍କର ଛେଦନସ୍ଥାନରୁ ରକ୍ତ ବାହାର ହେଉଥିଲା ଏବଂ ଗ୍ରୀଷ୍ମକାଳୀନ ନଦୀ ମଧ୍ୟରେ ସ୍ତମ୍ଭୀଭୂତ ହୋଇ ଚକ୍ରବାକ ଚକ୍ରବାକୀ ବସିଥିଲା ପରି, ସେହି ମାୟାସୀତାର ଦେହସ୍ଥ ସ୍ତନ ଦୁଇଟି ଦେଖା ଯାଉଥିଲା ।
୩୪ଶ ପଦ :- ହଂସାବଳୀ-ହଂସସମୂହ । ମୃଣାଳ-ପଦ୍ମଦାଡ଼ । ପୁଲୀନ-ନଦୀତଟ । ନଳିନ-ପଦ୍ମ । ଶଇବାଳାଜାଳ-ପାଣି ଶିଉଳି ସମୂହ ।
୩୪ଶ ପଦ :- ( ସେହି ସୀତା ଯେଉଁ ଲୁଗା ପିନ୍ଧିଥିଲା ତାହା ଗ୍ରୀଷ୍ମକାଳୀନ ନଦୀସ୍ଥ ଶୁଷ୍କ ଫେନପରି, ସେହି ଲୁଗାର ଦୁଇ ପ୍ରାନ୍ତରେ ଲେଖା ହେଉଥିବା ହଂସାବଳୀ ହଂସ ସମୂହପରି, ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଭୁଜ ଦୁଇଟି ପଦ୍ମନାଡ଼ ପରି, ମନୋହର ଜଙ୍ଘ ଦୁଇଟି ନଦୀର ଦୁଇକୁଳ ପ୍ରଦେଶପରି ଓ ରୋମବଳି ନଦୀରେ ଥିବା ପାଣିଶିଉଳି ପରି ଦେଖା ଯାଉଥିଲା । ରାମଚନ୍ଦ୍ର ତାକୁ ଦେଖି କହିଲେ, ‘‘ଆହା ମୋ ଘନ ରସ ଦାୟିନି !’’ ତତ୍ପରେ ସେହି ସ୍ଥାନରେ ବସି ତାକୁ ନେଇ କୋଳରେ ଧଇଲେ । ନଦୀ ମଧ୍ୟ ‘ଘନ ରସ ଦାୟିନୀ’ ଜଳ ଦାନ କାରିଣୀ ଓ ସ୍ନାନାର୍ଥୀର କ୍ରୋଡ଼ ଚୁମ୍ବିନୀ ଅଟେ, ସେ ହେତୁ ନାଭି ପର୍ଯ୍ୟନ୍ତ ଜଳରେ ସ୍ନାନ କରିବାକୁ ଧର୍ମ ଶାସ୍ତ୍ରକାରମାନେ ଉପଦେଶ ପ୍ରଦାନ କରି ଅଛନ୍ତି ) ।
୩୫ଶ ପଦ :- ବିଭାକରବଂଶେ-ସୂର୍ଯ୍ୟବଂଶରେ ।
୩୫ଶ ପଦ :- ରାମଚନ୍ଦ୍ର ସୂର୍ଯ୍ୟବଂଶରେ ଜନ୍ମ ହୋଇଥିବାରୁ ସୂର୍ଯ୍ୟଙ୍କର ନିଜସ୍ତ୍ରୀ ସଂଜ୍ଞାର ଦାସୀ ଛାୟାଠାରେ ସଂଜ୍ଞାଭ୍ରମ ହେଲାପରି, ତାଙ୍କର ମାୟାସୀତାରେ ପ୍ରକୃତ ସୀତା ବୋଲି ଭ୍ରମ ଜ୍ଞାନ ହେଲା, ଏଣୁ ସେ କହିଲେ, ‘‘ଗୋସୀତେ ! ମୁଁ ରାଘବ (ରାଘବ ମାଛ ) ଏବଂ ତୁ ମୋର ପ୍ରେମସିନ୍ଧୁ (ଆନନ୍ଦଦାୟକ ସମୁଦ୍ର) ତୋର ଜୀବନ ଜଳ ଅଟେ । ସେହି ‘ଜୀବନ’ ଜଳ ତ ଶୂନ୍ୟ ହୋଇଗଲା, ଆଉ ମୁଁ କେଉଁଠାରେ ( କାହାଠାରେ ) କ୍ରୀଡ଼ା କରିବି? ରେ ସୁନ୍ଦରୀ ! ମୁଁ ରାମ ଏହି ମନୋହର ନାମକୁ ପାଇଥିବାରୁ, ତୁ ମୋର ‘ରମା’ ମନୋହାରିଣୀ ହୋଇଥିଲୁ । ରେ ବାନ୍ଧବୀ ! ତୁ ‘ଗୋରୀ’ ପାର୍ବତୀଙ୍କର ମନୋହର ରୂପଧାରଣୀ ବା ମଙ୍ଗଳକାରିଣୀ ହୋଇଥିବାରୁ ମୁଁ ତୋହ ଲାଗି ‘ଶିବ’ ମଙ୍ଗଳସ୍ୱରୂପ ହୋଇଥିଲି ( ଅର୍ଥାତ୍ ତୁମ୍ଭେ ଥିଲ ବୋଲିମୋର ସମସ୍ତ ବିଷୟରେ ମଙ୍ଗଳ ଘଟୁଥିଲା ) ।’
ବୋଲାଉ ସୀତା ସଂସାରେ ତାପ ତାରିଣୀ ଯୋଗରେମଗ୍ନ ହୋଇଥିଲି ସୁଲଗରେ ।ବିଧାତା କରାଇ ଲୀନ ହରିପଦେ ତା ଭାବନକରି ଭାଗୀ ହେବି ସନ୍ତାପରେ ଯେ ।ବରାରୋହା ! ବୋଲାଇବା ପଦ୍ମିନୀ ସକାଶେ ।ବିନାଶିତା ହେଲୁ କିବା ଚନ୍ଦ୍ରହାସେ । ୩୬ ।ବଲ୍ଲଭ ସଙ୍ଗେ ବଲ୍ଲଭୀ ଅଗ୍ନି ପ୍ରବେଶକୁ ଲଭିସେହି କଥା ବିପରୀତ ହେବ ।ବିପରୀତରେ ହୋଇଛି ପୁରୁଷ ବାଳମୃଗାନ୍ଧୀଏତେ କଥା ବିଫଳରେ ଯିବ ସେ ।ବହନରେ । ବିହଗର୍ତ୍ତ ଦହନରେ ଆଣି ।ବଡ଼ କର ଭାଷେ ଏହା ରଘୁମଣି ସେ । ୩୭ ।ବାରତା ଅଶୋକ ବନେ ହେଲା ସୀତା ସନ୍ନିଧାନେତ୍ରିଜଟା ସମର୍ପା ଆଦି ହସି ।ବାନର ସ୍ୱରୂପେ ଆସି ପେଷିଲେ ଏକ ରାକ୍ଷସୀବିଭୀଷଣ କର୍ଣ୍ଣେ ଗଲା ଭାଷି ସେ ।ବଚସ୍ଫୁତ । ବ୍ୟର୍ଥ ଏ ଶବକୁ ତ୍ୟଜ ।ବର୍ଣ୍ଣେ ନ ଚିହ୍ନିଲେ ଚିହ୍ନ ଏବେ ହେଜ ସେ । ୩୮ ।ବାୟୁଜେ ପୁଚ୍ଛେ ଆଉ ସେ ଆନ ନୋହେ ସୀତା ଏ ଯେସର୍ଜି ବାଣୀ ଚାହିଁଲେ ଆନନ୍ଦ ।ବଧୂନ୍ତୁଦେ ହୋଇ ଘାତୀ ଦିବସରେ ହୀନଜ୍ୟୋତିନିଶାପତି ପତନ ବିଧାନ ସେ ।ବେଗେ ଆଣି । ବନଜକରେ ଅଧର ଚାହିଁ ।ବିଳପୁଷ୍ଟକ୍ଷତ ଦେଖେ ତହିଁ ନାହିଁ ସେ । ୩୯ ।ବନ୍ଦିଲେ ସେହି କାବରେ ରଖିଲେ ନାହିଁ କୋଳରେଶବକୁ ସର୍ବେ ସେ କଥା କହି ।ବିଚିତ୍ର ଭଣେ ମାରୁତି ବିହିଲା ଏଡ଼େ ସୁମୂର୍ତ୍ତିଶ୍ରୁତିରେ ଏ କଥା ଶୁଣି ନାହିଁ ଯେ ।ବିଭୀଷଣ । ବିଖ୍ୟାତ ପ୍ରୟାଗ ତୀର୍ଥେ ଝାସ ।ବୋଧ ହେଲା ଶୁଣି ସମସ୍ତ ମାନସ ସେ । ୪୦ ।
୩୬ଶ ପଦ :- ସୀତା-ବୈଦେହୀ, ଗଙ୍ଗା । ସୁଲଗରେ-ଶୁଲଗ୍ନରେ ଅର୍ଥାତ୍ ଉତ୍ତମବେଳାରେ । ବାରିଣୀଯୋଗ-ବାରୁଣୀଯୋଗ, ନିବାରଣଯୋଗ । ଲୀନ-ବିନାଶ । ହରିପଦେ-ବିଷ୍ଣୁ ପାଦରେ, ଯମଘରେ । ଚନ୍ଦ୍ରହାସରେ-ଚନ୍ଦ୍ର କିରଣରେ, ଖଡ୍ଗରେ ।
୩୬ଶ ପଦ :- ରାମଚନ୍ଦ୍ର ପୁଣି କହିଲେ, ‘‘ଗଙ୍ଗା ‘ତାପ’ ଆଧ୍ୟାତ୍ମିକ ଆଧିଦୈବିକ, ଆଧିଭୌତିକ ତ୍ରିବିଧ କଷ୍ଟର ବିନାଶକାରିଣୀ ହୋଇଥିବାରୁ, ଲୋକମାନେ ଉତ୍ତମ ଲଗ୍ନ ଓ ଯୋଗରେ ଅର୍ଥାତ୍ ମହାବାରୁଣୀ ସମୟରେ ତାଙ୍କର ଶ୍ରୋତରେ ‘ମଗ୍ନ’ ସ୍ନାନ କଲାପରି, ତୁମ୍ଭେ ସଂସାର ମଧ୍ୟରେ ସେହି ଗଙ୍ଗା ନାମରେ ଅଭିହିତ ହେଉଥିବାର ଜାଣି ଏବଂ ମୋ କନ୍ଦର୍ପ ଦୁଃଦ୍ଧ ହାରିଣୀ ହେବ ବୋଲି ସ୍ଥିରକରି, ମୁଁ ଉତ୍ତମ ଲଗ୍ନରେ ତୁମ୍ଭ ସହିତ ‘ଯୋଗରେ’ ବିବାହ ରୂପ ମିଳନରେ ମଜ୍ଜିଲି, କିନ୍ତୁ ବିଧାତା ଗଙ୍ଗାକୁ ବିଷ୍ଣୁଙ୍କ ପାଦରେ ଲୀନ କରାଇଲା ପରି ତୋତେ ଯମର ଗୃହରେ ବା ନଗରୀରେ ଲୁଚାଇ ରଖିଲା । ଏବେ ମୁଁ ସେହିକଥା ଭାବି ସନ୍ତାପିତ ହେବି । ରେ ଉନ୍ନତମନା । ତୁ ପଦ୍ମିନୀ ସ୍ତ୍ରୀ ବୋଲାଇବା ସକାଶେ ପଦ୍ମିନୀ ଚନ୍ଦ୍ର କିରଣରେ, ‘ବିନାଶ’ ମୁଦ୍ରିତ ହେଲାପରି ତୁ ‘ଚନ୍ଦ୍ରହାସରେ’ ଖଣ୍ଡାରେ ବିନାଶ ହେଲୁ କି ?’’
୩୭ଶ ପଦ :- ବଲ୍ଲଭସଙ୍ଗେ-ପତିସହ । ବଲ୍ଲଭୀ-ସ୍ତ୍ରୀ । ବାଳମୃଗାକ୍ଷୀ-ଶିଶୁ ମୃଗର ଆଖିପରି ଯାହାର ଆଖି ।
୩୭ଶ ପଦ :- ‘‘ପତ୍ନୀ ପତିସହ ଚିତାଅଗ୍ନିରେ ପ୍ରବେଶ କରେ, ମାତ୍ର ସେହି କଥା ଏଠାରେ ବିପରୀତ ହେବ । (ବର୍ତ୍ତମାନ ମୁଁ ତୋ ସହିତ ଅଗ୍ନିରେ ପ୍ରବେଶ କରିବି) । କିନ୍ତୁ ଏହା ଅନୁଚିତ ହୋଇଯାଇ ନ ପାରେ କାରଣ ବିପରୀତ ରତି କରିବା ସମୟରେ ସ୍ତ୍ରୀ ଯାହା କି ପୁରୁଷର ଅଧିକାର ବା ସ୍ଥାନ ଲାଭ କରିଥାଏ, ତାହା କଣ ବିଫଳ ହୋଇଯିବ କି ? ( ନିଶ୍ଚୟ ସଫଳ ହେବ) । ଶୀଘ୍ର ଅଗ୍ନି ଆଣି ଗାତଖୋଳ ।’’ ରାମଚନ୍ଦ୍ର ଏହିପରି ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ ।
୩୮ଶ ପଦ :- ସନ୍ନିଧାନେ-ସମୀପରେ ବା ନିକଟରେ । ଚିହ୍ନ-ସଙ୍କେତ ।
୩୮ଶ ପଦ :- ‘ରାମ ମୃତା ମାୟାସୀତାସହ ଚିତାରେ ପ୍ରବେଶ କରୁଛନ୍ତି, ଏହି କଥା ଅଶୋକ ବନରେ ପ୍ରଚାରିତ ହୁଅନ୍ତେ, ତ୍ରିଜଟା, ସମର୍ପା ପ୍ରଭୃତି ସୀତାଙ୍କର ସଖୀମାନେ ତାଙ୍କ ନିକଟକୁ ଆସି, ଏହି କଥା କହି ହସିବାକୁ ଲାଗିଲେ ଏବଂ ଜଣେ ରାକ୍ଷସୀକୁ ବିଭୀଷଣଙ୍କ ନିକଟକୁ ପଠାଇଲେ । ସେହି ରାକ୍ଷସୀ ବାନର ରୂପ ଧାରଣ ପୂର୍ବକ ଆଗମନ କରି ବିଭୀଷଣଙ୍କ କାନରେ ସମସ୍ତ କଥା କହି ଫେରିଗଲା । ତହୁଁ ବିଭୀଷଣ ରାମଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ‘‘ପ୍ରଭୋ ! ଏ ଶବକୁ ତ୍ୟାଗ କରନ୍ତୁ । ଯଦି ବର୍ଣ୍ଣ ଦେଖି ଆପଣ ଏହାକୁ ଚିହ୍ନିପାରୁ ନାହାନ୍ତି ତାହା ହେଲେ ଏବେ ଚିହ୍ନ ଦେଖି ହେଜନ୍ତୁ-ଏ ପ୍ରକୃତ ସୀତା କି ?’
୩୯ଶ ପଦ :- ବାୟୁଜ-ହନୁମାନ୍ । ଆନନ୍ଦ-ମୁଖ । ବିଧନ୍ତୁଦ-ରାହୁ । ନିଶାପତି-ଚନ୍ଦ୍ର । ବନଜକର-ପଦ୍ମହସ୍ତ । ବଳିପୁଷ୍ଟକ୍ଷତ-କାକକ୍ଷତଚିହ୍ନ ।
୩୯ଶ ପଦ :- ବିଭୀଷଣଠାରେ ଏହିପରି କଥାଶୁଣି, ରାମଚନ୍ଦ୍ର ହନୁମାନକୁ ପଚାରିଲେ, ‘ଏହି ରମଣୀ ସୀତା ନୁହେଁ ଅନ୍ୟ ଜଣେ କି ?’ ଏହିକଥା କହିବା ପରେ ସେହି ସ୍ତ୍ରୀରମୁଖକୁ ଦେଖିଲେ । ସେହି ମୁଖ ରାହୁଗ୍ରସ୍ତ ଚନ୍ଦ୍ରପରି ଜ୍ୟୋତିହୀନ ହୋଇ ଭୂତଳରେ ପତିତ ହୋଇଥିଲା । ରାମଚନ୍ଦ୍ର ସ୍ୱୀୟ ପଦ୍ମହସ୍ତରେ ଶୀଘ୍ର ସେହି ମୁଖକୁ ଉଠାଇ ଆଣି ତାହାର ଓଷ୍ଠକୁ ଚାହିଁଲେ କିନ୍ତୁ ସେଥିରେ କାକର ଚଞ୍ଚୁକ୍ଷତ ଚିହ୍ନ ଥିବାର ଦେଖିଲେ ନାହିଁ ।
୪୦ଶ ପଦ :- ବନ୍ଦିଲେ-ପ୍ରଶଂସା କଲେ । ମାରୁତି-ହନୁମାନ । ଶ୍ରୁତିରେ-କର୍ଣ୍ଣରେ, ବେଦରେ । ସୁମୂର୍ତ୍ତି-ଉତ୍ତମ ମୂର୍ତ୍ତି, ସ୍ମୃତି ଶାସ୍ତ୍ର ।
୪୦ଶ ପଦ :- ଏହି ସମୟରେ ସେ କାକକୁ ବହୁତ ପ୍ରଶଂସା କରିବାକୁ ଲାଗିଲେ ଓ ଶବକୁ କୋଳରୁ ଦୂରକୁ ପକାଇ ଦେଇ ସମସ୍ତଙ୍କୁ ସେହି କାକ ଚଞ୍ଚୁକ୍ଷତକଥା କହିଲେ । ତତ୍ପରେ ହନୁମାନ୍ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଇନ୍ଦ୍ରଜିତ ଏପରି ସୁନ୍ଦରମୂର୍ତ୍ତି କିପରି ନିର୍ମାଣ କଲା ? ଏପରି କପଟ ତ ବେଦରେ କିମ୍ବା ମନ୍ୱାଦି ଧର୍ମଶାସ୍ତ୍ର ମାନଙ୍କରେ ମଧ୍ୟ ଶୁଣାନାହିଁ ।’’ ବିଭୀଷଣ କହିଲେ, ‘‘ସେହି ସ୍ତ୍ରୀ ପ୍ରୟାଗ ତୀର୍ଥରେ ଝାସଦେଇ ଏପରି ମୂର୍ତ୍ତି ଧାରଣ କରିଥିଲା ।’’ ଏହି କଥାଶୁଣି ସମସ୍ତଙ୍କ ମନ ବୋଧ ହେଲା ।
ବିଷମ ସମସ୍ୟା ପୂର୍ଣ୍ଣ ପତ୍ନୀକି ପତି ଲୋକନକରି ନ ଚିହ୍ନିବା ଏହିଠାରେ ।ବାରାନିଧିରେ ପକାଇ ସେ ଶବ ସଧୀରେ ନେଇସ୍ନାନ ସାରି ଗଲେ ସୁବେଳରେ ସେ ।ବିଭାବରୀ । ବିକାଶିତହୋଇଲାଏମନ୍ତେ ।ବଢ଼ାଇ ଅଶନ ଶୟନ ସମସ୍ତେ ସେ । ୪୧ ।ବିଦଗ୍ଧ ଦୂତେ ରାବଣ ଏମନ୍ତ କରି ଶ୍ରବଣବିଦଗ୍ଧ ତାପେ ବିଚାର କଲା ।ବଳ ବୁଦ୍ଧି ଏ ସଗର- ବଂଶିକୀରତିରେ ସ୍ଥଳନ ପାଇ ନିଶ୍ଚୟ ବୁଡ଼ିଗଲା ସେ ।ବଡ଼ ରମ୍ୟ । ବୟାଳିଶ ପଦେ ଏହୁ ଛାନ୍ଦବୋଲେଉପଇନ୍ଦ୍ର ବନ୍ଦି ରାମଚନ୍ଦ୍ର ସେ । ୪୨ ।୪୧ଶ ପଦ :- ବାରାନିଧି -ସମୁଦ୍ର । ଲାବଣ୍ୟନିଧି - ସୁନ୍ଦରୀ । ଅଶନ- ଭୋଜନ ।
୪୧ଶ ପଦ :- ପତି ରାମଚନ୍ଦ୍ର ଏହି ମାୟା ରମଣୀକୁ ଦେଖି ପତ୍ନୀ ସୀତାଙ୍କୁ ଚିହ୍ନି ନ ପାରିବାରୁ ଏଠାରେ ଆଶ୍ଚର୍ଯ୍ୟ ଘଟନା ଉପସ୍ଥିତ ହେଲା । ଏହି ଘଟନାର ପରେ ସମସ୍ତେ ଶବକୁ ଯତ୍ନପୂର୍ବକ ନେଇ ସମୁଦ୍ରରେ ପକାଇଲେ ଏବଂ ସ୍ନାନ ସାରି ସୁବେଳ ପର୍ବତକୁ ଗମନ କଲେ । ଏହି ସମୟରେ ରାତ୍ରି ଉପସ୍ଥିତ ହେବାରୁ ସମସ୍ତେ ଭୋଜନ ଶେଷକରି ଶୋଇଲେ ।
୪୨ଶ ପଦ :- ବିଦଗ୍ଧତାପେ – ସନ୍ତପହୋଇ । ସଗରବଂଶିକୀରତି-ସଗରଙ୍କ ପୁଅମାନଙ୍କ କୀର୍ତ୍ତି । ବିଦଗ୍ଧ - ଚତୁର ।
୪୨ଶ ପଦ :- ରାବଣ ଚତୁର ଦୂତମାନଙ୍କଠାରୁ ଏହି ସବୁ କଥା ଶୁଣି ଅତ୍ୟନ୍ତ ମନୋଦୁଃଖର ସହିତ ବିଚାରକଲା, ମୋର ବଳ ଓ ବୁଦ୍ଧି ଏହି ସଗର-ବଂଶୀୟ ରାମଚନ୍ଦ୍ରଙ୍କୁ କୀର୍ତ୍ତି ସମୁଦ୍ରରେ ସ୍ଥଳକୂଳ ନ ପାଇ ବୁଡ଼ିଲା (ଅର୍ଥାତ୍ ମୋର ମରଣ ସୁନିଶ୍ଚିତ) । ରାମଚନ୍ଦ୍ରଙ୍କୁ ସ୍ତୁତି କରି ବୟାଳିଶ ପଦରେ ମନୋହର ଏହି ଛାନ୍ଦକୁ ଉପେନ୍ଦ୍ରଭଞ୍ଜ ରଚନା କଲେ ।
ଷଟ୍ ଚତ୍ୱାରିଂଶ ଛାନ୍ଦରାଗ-କାମୋଦୀରୁକ୍ମିଣୀ ଚଉତିଶା ବାଣୀରେ