ତୃତୀୟ ସର୍ଗ — ଉତ୍କଳ କମଳା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ସର୍ଗ
ଦେଖିଲି, ବିଶାଳ ରାଜ୍ୟ ରହିଛି ବିସ୍ତୃତଅଗ୍ରଭାଗେ,- ରତ୍ନରେଣୁମୟ, ତହିଁ ରାଜେକେତେ ତୀର୍ଥ, ନଦୀ, ବନ, ଗ୍ରାମ, ରାଜଧାନୀ,(ଅଚଳ ପ୍ରାଚୀରା ପୁଣି ସାଗର-ମେଖଳା)ତାହା ହେବ ନାହିଁ ଗଣି, ମହାପୁଣ୍ୟଭୂମିସେହୁ, ତେଣୁ ହୋଇଅଛି ଦେବଦେବୀଙ୍କରମର୍ତ୍ତ୍ୟର ଉପନିବେଶ ପବିତ୍ର ଆବାସ ।ଶୋଭା-ଗନ୍ତାଘର ପ୍ରାୟ ଆଭାସେ ସେ ଦେଶ,କିନ୍ତୁ ଦିଶେ ବିଷଦୃଶ ଶ୍ରୀହୀନ ଏକାଳେ,ଶିଶିରେ ସରୋଜ ବନ ଜୀର୍ଣ୍ଣ ଶୀର୍ଣ୍ଣ ଯଥାଅଙ୍ଗୁଳି ସଙ୍କେତେ ମୋତେ ଉତ୍କଳ-କମଳାବୋଇଲେ ଦେଖାଇଦେଇ ରେ ବତ୍ସ, ଦେଖ ଏଉତ୍କଳ ପ୍ରଦେଶ ତୋର ପ୍ରିୟ ମାତୃଭୂମି,ଯୋଜନ ଯୋଜନବ୍ୟାପୀ ବିସ୍ତାର ଏହାରନେତ୍ର ଅଗୋଚର, ତେଣୁ ମୁହିଁ ସଙ୍କୋଚାଇସେ ଦେଶର ବପୁ ଦିବ୍ୟ ଯୋଗମାୟା ବଳେ,ଦେଖାଇଲି ତୋତେ, ଯେଣୁ ଦିବ୍ୟ ନେତ୍ରଧାରୀତୁହି, ତେଣୁ ତୋତେ ହେବ ସକଳ ଗୋଚର ।ଯେଉଁ ଦେଶ ସ୍ୱାଧୀନତା ନିର୍ମଳ ଅନିଳେକେଶରୀ, ଗାଙ୍ଗେୟବଂଶ-ଅବତଂସ ଭୂପେକରୁଥିଲେ ଉପଭୋଗ, ନିଖିଳ ଭାରତେଶ୍ରେଷ୍ଠ ଯେହୁ, ସ୍ୱର୍ଗେ ଯଥା ବୈକୁଣ୍ଠଭୁବନ,ସେହି ବସୁପ୍ରସୂ ପୂତ ଉତ୍କଳ ଦେଶରକି ଦୁର୍ଦ୍ଦଶା ଏବେ ହାୟ ! ଅସହ୍ୟ ଦାରୁଣ,ଏହା ଭାଷି ହେଲେ ଦେବୀ ଅଗ୍ରସରା, ସେହିମାୟାନଗରୀର ମଧ୍ୟେ, ତହୁଁ ଅନୁଗାମୀହେଲି ମୁଁ ତାଙ୍କର, ଯଥା ଗୁରୁ ପଛେ ଚେଲା,ଦେଖି ଦେଖି ଶୋଚନୀୟ ଦୃଶ୍ୟ ଅଗଣନ ।କେଉଁ ଅଂଶେ ଅତିବୃଷ୍ଟି ହୁଏ ଅନର୍ଗଳ,ପୂର୍ଣ୍ଣ ବାରିଗର୍ଭ ଘନେ ଆଚ୍ଛାଦିଣ ଘନେନଭୋଦେଶେ, ବରଷନ୍ତି ମୂଷଳ ଧାରାରେଗମ୍ଭୀର ହୁଙ୍କାରେ ଗର୍ଜି ମୂହୁର୍ମୂହୁଃ, ସତେଗଲା କି ଆକାଶ ଫାଟି ଚଡ଼ ଚଡ଼ ହୋଇଶତଖଣ୍ଡେ, ପ୍ରତେ ହୁଏ ମାନସେ ଏସନ,ଖେଳଇ ସେ ଘନକୋଳେ ଚପଳେ ଚପଳାହିରଣ୍ୟ-କିରଣମୟୀ, ବିଶ୍ୱ-ଶୋଭାରାଣୀ,ହରିକୋଳେ ଯଥା ରମା କ୍ଷୀରୋଦ-କନ୍ୟକା ।ରୁଦ୍ର ଭୀମ ପ୍ରଭଞ୍ଜନ ବହିଣ ପ୍ରଖରେକରେ ସୃଷ୍ଟି ଚୂର୍ଣ୍ଣୀଭୂତ, ପ୍ରଳୟେ ଯେସନବହେ ଅଣଚାଶ ବାୟୁ ହୋଇ ଏକଯୋଗ ।ଘନ ଘନ ଘନ ଘୋଷେ, ବତାସ ଗର୍ଜନେସତତ ବାରି ବର୍ଷଣ ଝଙ୍କାର ନିନାଦେଥରିଲା ଧରଣୀ, ସତେ ବା ଯେସନ ସେହୁପଡ଼ିବ ଲେଉଟି କିମ୍ୱା ଯିବ ଚୂର୍ଣ୍ଣ ହୋଇ !ପୂର୍ଣ୍ଣ ହେଲା ଜଳେ ନଦୀ ତଡ଼ାଗ ପ୍ରାନ୍ତର,ଚଳେ ସ୍ରୋତ ଭୟଙ୍କର ଖେଳାଇ ଭଉଁରୀକଳ କଳେ, ମୁହୂର୍ତ୍ତକେ ସୃଜି ନବାର୍ଣ୍ଣବ,ଭାସିଯାଉଅଛି କେତେ ନର ପଶୁ ପକ୍ଷୀକୀଟ ପତଙ୍ଗାଦି-କେହି ମୁମୂଷୁ, କେ ମୃତ,ପ୍ରାଣଭୟେ ଆହା କେହି ଚଢ଼ିଥିଲା ଗଛେ,କେହି ଅବା ଗୃହଛାଦେ, କିନ୍ତୁ ହାୟ ତହିଁନ ପାରିଲେ ହତଭାଗ୍ୟେ ବର୍ତ୍ତି, ମୁହୂର୍ତ୍ତକେସେ ପ୍ରଚଣ୍ଡ ଜଳସ୍ରୋତ ଉତ୍ପାଟି ପାଦପେ,ପୁଣି ଭସାଇଣ ଛାଦେ ଘେନିଗଲା ବେଗେ-ଜୀବନ-ଆତୁର ସେହି ଆରୋହୀ ସହିତେ,ଭୀଷଣ ଆବର୍ତ୍ତେ ସବୁ ଦେଲାକ ବୁଡ଼ାଇ !କେଉଁ ଖଣ୍ଡେ ଅନାବୃଷ୍ଟି ବସି ଦୃଢ଼ାସନେବିସ୍ତାରିଛି ରାଜପଣ, କଠୋର ଶାସନେତାର, ଦିଶେ ସୃଷ୍ଟି ବିଶ୍ରୀ, ପୁଣି ଭୟଙ୍କର,ପ୍ରଚଣ୍ଡ ମର୍ତ୍ତଣ୍ଡ କରେ କେଦାର, ପ୍ରାନ୍ତରଫାଟି ହୋଇଅଛି ଭୀମ ଭୁଆଁ ଗାଢ଼ମୟ ।ଶୁଷ୍କ ଜଳାଶୟ, ତହିଁ ଜଳଜନ୍ତୁଚୟଜୀବନ ବିସର୍ଜୁଛନ୍ତି ଜୀବନ ଅଭାବେ,ବହେ ତପ୍ତବାୟୁ ଖରେ ବାସର-ଯୌବନେସନେ ସନେ(ସୌରକର-ତପ୍ତା ଧରଣୀର ନୈରାଶବ୍ୟଞ୍ଜକ ଉଷ୍ଣ ପ୍ରଶ୍ୱାସ କି ସେହୁ)ଘୋର ଗ୍ରୀଷ୍ମେ ଜଳିଯାଏ ତନୁ, ଶୁଷ୍କ ହୁଏକଣ୍ଠ, ଏଣୁ ଜୀବକୁଳ ଜୀବନ୍ମୃତ ପ୍ରାୟଲଭନ୍ତି ଯନ୍ତ୍ରଣା ବହୁ, ଅସହ୍ୟ ଦାରୁଣହୁଏ ନାହିଁ ଚାହିଁ ରୌଦ୍ରେ, ଦିଗ ବିଦିଗରେଜଣାଯାଏ ଅଗ୍ନିଗୁଣ୍ଡି ବୃଷ୍ଟି ହେଲା ପ୍ରାୟ,ଶିଳ୍ପି-ଗୁରୁ ବିଶ୍ୱକର୍ମା ସୂର୍ଯ୍ୟଙ୍କୁ କି ଅବାବସାଇଅଛନ୍ତି ଶାଣେ, ରବିଙ୍କ ଶରୀରୁଁବହୁ ଦିନୁ ଘନୀଭୂତ ସିନ୍ଧୁସ୍ନାନ ମଳଅପନୋଦନ ମାନସେ ? ଛିଡ଼ିକି ତହିଁରୁଅଗ୍ନିକଣା ଆସଇ କି ଅନମ୍ୱରେ ଉଡ଼ି ?ତରୁଲତାକୁଳେ ରସ ନ ପାଇ ନୀରସ,ମୃତକଳ୍ପ, କେହି ମୃତ ଛିନ୍ନଭିନ୍ନ ହାୟ !ମେଲିଥାନ୍ତି ଯେଉଁମାନେ ଶୋଭାର ପସରାସଦା ଧରା-ଅଳଙ୍କାରରୂପେ, ସେହୁ ଏବେଦେଖାନ୍ତି ନୀରସ ରୁକ୍ଷ ଶୋଭା-ଶ୍ମଶାନରକୁତ୍ସିତ ଆଲେଖ୍ୟ, ତାହା ଅସହ୍ୟ ନେତ୍ରରନାହିଁ ଶସ୍ୟ ଶସ୍ୟକ୍ଷେତ୍ରେ, ଜଳାଶୟେ ଜଳ,ଅନ୍ନ ଜଳ ଅଭାବରେ ସର୍ବ ନାଗରିକେଦୁର୍ଭିକ୍ଷ-ରାଜାର ଦ୍ରୋହୀ ତ୍ୟକ୍ତ ପ୍ରଜା ପ୍ରାୟଭ୍ରମୁଛନ୍ତି ଦଳେ ଦଳେ ଯଦୃଚ୍ଛାକ୍ରମରେ ।ସମ୍ଭାଳି ନ ପାରି କେହି ଉଦରର ଜ୍ୱାଳାଭକ୍ଷନ୍ତି ଅଖାଦ୍ୟ ନାନା, ପିଅନ୍ତି, ଅପେୟ,ସଂଗ୍ରହି କେ ବନ୍ୟମୂଳ ବନ୍ୟପତ୍ର ଆଦିସିଦ୍ଧ କରୁଁ କରୁଁ ତାକୁ, ନ ପାରିଣ ସହିଦୁର୍ଭାର କ୍ଷୁଧାର ବାଧା, ଅଳ୍ପ ସିଦ୍ଧ ସେହିଅତ୍ୟୁଷ୍ଣ ପଦାର୍ଥେ, ଦିଏ ଗର୍ଭକୁ ନିକ୍ଷେପିବେନି ହାତେ,- ତରତରେ; ଖାଏ କେହି ଅବାବୃକ୍ଷର ବକଳ କାଢ଼ି କଞ୍ଚା ସେହିପରି ।ଅଖାଦ୍ୟ ଖାଦନେ ପୁଣି ଅପେୟ ପାନରେ,ନାନା ସଂକ୍ରାମକ ରୋଗେ ନାଗରିକ ଲୋକେହୋଇଣ ଆକ୍ରାନ୍ତ, ହାୟ ଲଭୁଛନ୍ତି କ୍ଳେଶ,କେହି ଥରେ ଥରଥରେ ଜ୍ୱରେ, ବାତେ ଯଥାରମ୍ଭାପତ୍ର, ବାଜୁଅଛି ଦନ୍ତେ ଦନ୍ତ ଶୀତେ,ନାହିଁ ବସ୍ତ୍ର ତାର, ଯେଣୁ ଭୂସମ୍ପତ୍ତି ସହବସ୍ତ୍ର ଅଳଙ୍କାର ଆଦି ସକଳ ସମ୍ୱଳେବିକି ପୂର୍ବୁଁ ଲଗାଇଛି ଉଦର ପୂଜାରେତେଣୁ ବିଲୁଣ୍ଠି ସେ ରୌଦ୍ରେ, କରଇ ପ୍ରଳାପ;କେବେ ଉଚ୍ଚ ସ୍ୱରେ କେବେ ଗୁଣୁଗୁଣୁ ହୋଇଗାଏ କେତେ ଗୀତ, ଯଥା ଉପସ୍ଥିତ କବି ।କାହିଁ ବା କୁନ୍ଥନେ ରତ ଆମାଶୟ ରୋଗୀ,ମର୍ଦ୍ଦି ବଳେ ଉଦରକୁ ମୂହୁଃ ବେନି କରେ,କ୍ଷଣେ ଉଠେ, କ୍ଷଣେ ବସେ, କ୍ଷଣେ ନଇଁପଡ଼ିକୁନ୍ଥାଏ କଷ୍ଟରେ ସ୍ତମ୍ଭେ ଟାଣି ଧରି ହାତେ ।କାହିଁ ଅତିସାରଗ୍ରସ୍ତ ପଞ୍ଜରାସ୍ଥିସାରଭୁଞ୍ଜେ ଗରିଷ୍ଠ ଭୋଜନ ଫଳ, ଯାଉଁ ଯାଉଁବହିର୍ଭୁମେ, ଅସମ୍ଭାଳେ ତାର ପାଦ ଦେଇବହି ଆସେ ମଳ, ଯଥା ବରଷା ସମୟେବହିଆସେ ଜଳଧାରା ବୃକ୍ଷକାଣ୍ଡ ଦେଇ ।କାହା ଦେହୁଁ ଶୋଷେ ଲହୁ ବିସୂଚୀ-ପିଶାଚୀନର ଶୋଣିତ-ଲୋଲୁପା, ଶୋଷଣନିପୁଣା,ସେ ତୀବ୍ର ଶୋଷଣେ ଖରେ ହୋଇଯାଏ ଚୋପାରୋଗୀ ଦେହ, ସଙ୍କୋଚଇ ଯଥା ରସମୟସୁପକ୍ୱ ରସାଳ ଫଳ, ଖାଦକ ଶୋଷଣେ ।ମୁଖ, ମଳଦ୍ୱାର ବାଟେ ଜଳ ଅନର୍ଗଳହୁଏ ବହିର୍ଗତ, ତହୁଁ ଗୁରୁ ପିପାସାରେହୋଇ ରୋଗୀ ବ୍ୟତିବ୍ୟସ୍ତ ଖୋଜେ ସଦା ଜଳ,କିନ୍ତୁ ଅହୋ ! ନାହିଁ ଜଳ ଘରେ ତାର, ରୋଗୀହୋଇ ଶୁଷ୍କକଣ୍ଠ, କରେ ପ୍ରଳାପ ବହୁତ-ଗମ୍ଭୀର, ଭୀତିଦ କ୍ଷୀଣ ଅର୍ଦ୍ଧଭଙ୍ଗସ୍ୱରେ;ଶିରାମୟ ଶରୀରରୁ ଉଠେ ଶିରାମୟୀସେ ତୀବ୍ର ଯନ୍ତ୍ରଣା ରୋଗୀ ନ ପାରିଣ ସହିପ୍ରହାରଇ ହସ୍ତପଦ ଧରଣୀ ଉପରେପୁନଃ ପୁନଃ, ସନ୍ତରଣ ଶିକ୍ଷାର୍ଥୀ ଯେପରିକଚାଡ଼ଇ ହାତଗୋଡ଼ ଜଳେ ଶିକ୍ଷାବାଳେ ।କୋଟରସ୍ତ ଚକ୍ଷୁ, ଦନ୍ତପନ୍ତି ବାହାରକୁପଡ଼ିଛି ବାହାରି ଛାଡ଼ି ଦଶନବସନ, *ମୁଖେ ନାସାରନ୍ଧ୍ରେ ପଶି ମକ୍ଷିକାମଣ୍ଡଳୀହେଉଛନ୍ତି ଘଣ ଘଣ, ହାୟ ସେହି ରୋଗୀ*ଓଷ୍ଠାଧରଜୀବନ୍ତେ ନରକଭୋଗ ଭୋଗେ ରୋଗେ ପଡ଼ି ।ମେଲିଛି ବସନ୍ତ କାହିଁ ଅନନ୍ତ କ୍ଷମତା,କାର ଦେହ ଯାଇଅଛି ଫଳି ଘଞ୍ଚେ ଅତିଆପାଦମସ୍ତକ, ନାହିଁ ସ୍ଥାନ ଥୋଇବାକୁତିଳ ତହିଁ, ଅଠା ସହ ମସୁର ମିଶାଇବୋଳିହେଲା ପ୍ରାୟ ଦିଶେ ସର୍ବାଙ୍ଗ ବନ୍ଧୁର;ଅସ୍ୱାଭାବିକରୂପରେ ଫୁଲିଯାଇ ଦେହକିଏ ମୁଣ୍ଡ କିଏ ଗୋଡ଼ ହେଉ ନାହିଁ ବାରି ।ଏହିପରି ଦୁରାରୋଗ୍ୟ ଦାରୁଣ ଆମୟେହୋଇଣ ଆକ୍ରାନ୍ତ କେତେ ଶିଶୁ ବୃଦ୍ଧ ଯୁବାହୁଅନ୍ତି ଗତାସୁ, ତାଙ୍କ ଶବଦେହ ବହିଆତ୍ମୀୟେ, କୁଣପରଥେ ନିଅନ୍ତି ଶ୍ମଶାନେଧାଡ଼ି ଧାଡ଼ି ହୋଇ, ହାୟ ! ନରଜୀବନରମହାଯାତ୍ରା ସେହୁ, ଯେଣୁ ସେ ଯାତ୍ରାର ଗତିହୁଏ ନାହିଁ ପଶ୍ଚାନ୍ମୁଖୀ କାହିଁ କେଉଁକାଳେ ।ପୋଡ଼ା ପୋତା ଘଟେ ନାହିଁ ଭାଗ୍ୟେ ସକଳର,କେତେ ଶବଦାହୀ ଜନେ, ମଡ଼ା ପରେ ମଡ଼ାଦେଇ ଆସୁଛନ୍ତି ନେଇ ଗଡ଼ାଇ ଶ୍ମଶାନେ,ବିସ୍ତୀର୍ଣ୍ଣ ଶ୍ମଶାନ ଗୋଟା ଯାଇଅଛି ପୂରିଚଣ୍ଡ ରୁଦ ଦୃଶ୍ୟେ, ତାହା ଦେଖିଲେ ନୟନେ,(ଅକ୍ଷମ ଯେ ତୀବ୍ର ଦୃଶ୍ୟ ଧାରଣେ ଈକ୍ଷଣ)ଫାଟିଯାଇ ଚକ୍ଷୁ ନିଶ୍ଚେଁ ହେବ ରକ୍ତପାତ !ପଡ଼ିଛି ଅସଂଖ୍ୟ ଶବ ବିକୃତ ଆକୃତି,ପଡ଼ିଛି କି ଆହା କାଳ-କୁଠାର କୁନ୍ତନେସୁବିସ୍ତୃତ ଉଦ୍ୟାନର ସର୍ବ ତରୁରାଜିଛିନ୍ନ ଭିନ୍ନ ହୋଇ, ତହିଁ ଲାଗିଅଛି ଶିବା-ଗୃଧ୍ର, ଶ୍ୱାନ ଆଦି ସର୍ବ ମାଂସାଶୀ ଜୀବରମହାଭୋଜୀ, ପାଇଣ ସେ ଚିରାଭିଳଷିତସୁଖ-ଖାଦ୍ୟ ଅପର୍ଯ୍ୟାପ୍ତ, ରତ ଅବିରତଗ୍ରାସେ, ଗ୍ରାସ ପରେ ଗ୍ରାସ ପୁଣି ମହାଗ୍ରାସତା ଉପରେ, ଏହିପରି ବାରମ୍ୱାର ଅତି-ଭୋଜନରେ ପଡ଼ି ଆହା ଅଜୀର୍ଣ୍ଣ କବଳେଲଭନ୍ତି ପଞ୍ଚତ୍ୱ କେତେ, କେତେ ଅବା ରତହର୍ଷ କଳରବେ, ସେହି କରାଳ ତୁମୁଳକୋଳାହଳେ ମୁଖରିତ ଦିଗ ଦିଗନ୍ତର ।ସେମାନେ ଦୁର୍ଭିକ୍ଷ ରକ୍ଷ ପ୍ରସାଦ ପ୍ରୟାସୀ,ମିଳିଛି ତା ଯୋଗୁଁ ମହାଭୋଜୀର ସମ୍ଭାର,ତେଣୁ କରନ୍ତି କି ସେହୁ କୋଳାହଳ ଛଳେକୃତଜ୍ଞତାବ୍ୟଞ୍ଜୀ ତାର ଜୟ ଜୟକାର ।ଅହୋ ! କି ଭୀଷଣ ଚିତ୍ର ଆଙ୍କିଛି ଶ୍ମଶାନନିଜ ଦେହେ, ଅସ୍ଥିମାଳେ ଭସ୍ମଜାଳେ ହୋଇବିମଣ୍ଡିତ, ଧରିଛି ସେ ଶିବଙ୍କର ଭୂତି ।ଗଡ଼ିଅଛି ଗଣ୍ଡା ଗଣ୍ଡା ନରମୁଣ୍ଡ ତହିଁ,ବିଜନ ଭୀଷଣ ସ୍ଥଳୀ, ହୋଇ ମୂର୍ତ୍ତିମତୀନାନା ବିଭୀଷିକା ତହିଁ, ରତ କି ସରବେବିକଟ ତାଣ୍ଡବ ନୃତ୍ୟେ ? ଆଗ୍ନେୟ ମନ୍ଦିର-ପ୍ରାୟ ତାହାଙ୍କର, ଜଳେ କେତେ ଚିତାଗଦାସ୍ଥାନେ ସ୍ଥାନେ, ଲହଲହି ଜିହ୍ୱା; କାହିଁ ଅବାଶିବାଗଣ ହର୍ଷେ ଫାଡ଼ି ଶବର ଉଦରଓଟାରି ଆଣନ୍ତି ଖରେ ଅନ୍ତ ସହ ନାଡ଼ ।କାହିଁ ବା ନରକପାଳେ ରକ୍ତ, ବସା, ମେଦଘୋଳିଯାଇ ରହିଅଛି, ଶ୍ମଶାନ-କାଳୀରଭୋଗଯୋଗ୍ୟ ସୂର୍ଯ୍ୟପାଗି ସୁରା ଅବା ସେହୁ !କାହିଁ ବା ଶବ ଉପରେ ଗୃଧ୍ର ପକ୍ଷୀ ବସି,ଡ଼େଣା ଝାଡ଼ି ଝାଡ଼ି, ବଜ୍ରସମ ଥଣ୍ଟେ ତାରଟାଣିଆଣି ଖଣ୍ଡେ ଖଣ୍ଡେ ଖାଉଛି କଲିଜା,ହାତଗୋଡ଼ ଖଞ୍ଜା ଟାଣି ଗିଳେ ହାଡ଼ଗିଳା,ପଡ଼ିଅଛି କେତେ ସ୍ଥାନେ ଗୋଟା ଗୋଟା ହୋଇଶୁଷ୍କ ଶବ, ଶୁଖିଯାଇ ମାଂସଚର୍ମ ସବୁଦିଶେ ଭୟଙ୍କର, ସେହୁ ଦେଶଦ୍ରୋହୀ ପାପୀ,ତେଣୁ ନ ଛୁଅନ୍ତି ତାକୁ କୁଆ କି କୁକ୍କୁର !ବିଜେ କରିଛନ୍ତି କାହିଁ ଚାମୁଣ୍ଡା ଭୈରବୀ,ହସ୍ତରେ ପ୍ରଚଣ୍ଡ ଖଣ୍ଡା; ନରମୁଣ୍ଡମାଳଲମ୍ୱିଅଛି ବକ୍ଷସ୍ଥଳେ, ଚିତ୍ରାଙ୍ଗ ଶାର୍ଦ୍ଦୂଳ-ଚର୍ମ ହୋଇ ପରିହିତା ଉପବିଷ୍ଟା ଦେବୀନରାସ୍ଥି ନରକଙ୍କାଳ ସ୍ତୁପ-ସିଂହାସନେ;ସଙ୍ଗରେ କିଙ୍କରୀଦଳ ଉଲଗ୍ନ ମୂରତି,କଜ୍ଜଳ-କୃଷ୍ଣାଙ୍ଗୀ ସର୍ବେ ମୁକୁଳିତ କେଶେଢାଙ୍କିହୋଇ ଦିଶୁଛନ୍ତି ଭଲ୍ଲୂକୀ ପରାୟେ ।ଭାଲପଟେ ସୁବିଶାଳ ସିନ୍ଦୂର ମୁଣ୍ଡଳାଜ୍ୱଳନ୍ତ ଅନଳ ପ୍ରାୟ ଦିଶେ ଦାଉଦାଉ;ନର ରକ୍ତ ମାଂସ ଗନ୍ଧେ ଉନ୍ନତ୍ତା ସରବେ,ନାଚୁଛନ୍ତି ଘନଘନ କରତାଳି ମାରି,କେବେ ବା ହୃତ୍କମ୍ପୀ ଉଚ୍ଚ ହୁଳାହୁଳି ନାଦେ;ନାଚୁ ନାଚୁ କେହି ନରକପାଳ-ପାତ୍ରରେପାନ କରେ ମୂହୁର୍ମୂହୁଃ ରୁଧିର-ପ୍ରପାନ;ଚୋବାଏ ନିଷ୍ଠୁରେ କେହି ନରହସ୍ତ, ପଦ,ଯଥା ଈକ୍ଷୁଦଣ୍ଡ, ପଡ଼େ ରକ୍ତ ବହି ମୁଖୁଁ;ଦିଶେ ସେ ବୀଭତ୍ସ ମୁଖ ହାସ୍ୟରେ ଭୀଷଣ ।କେହି ବା ଚୋବାଏ ମୁଣ୍ଡେ ମଣ୍ଡାପିଠା ପରି,କାହିଁ ଅବା ଭୟଙ୍କରୀ କିଙ୍କରୀମଣ୍ଡଳୀନୃମୁଣ୍ଡ-କୁଣ୍ଡଳା ଭୀମା ଦୂରନ୍ତା ଦୁର୍ମୁଖା,ଘେନି ନରମୁଣ୍ଡ କରେ ସଦ୍ୟ ଛିନ୍ନ, ରତକନ୍ଦୁକ କ୍ରୀଡ଼ାରେ, ତହୁଁ ଶୋଣିତର ଛିଟା,ପଡ଼ୁ ପଡ଼ୁ ତଳେ ତାକୁ ଦେଉଛନ୍ତି ଲେହିବିସ୍ତାରି ଆରକ୍ତ ଲୋଳ କରାଳ ରସନା !କାହିଁ ବା ପଡ଼ିଣ ଶବ ଯାଉଅଛି ପଚି,ଫୁଟାଇ ଚର୍ମକୁ ତାର ଲାଙ୍ଗୁଳିଆ କୀଟେହେଉଛନ୍ତି ହଳ ହଳ ତହିଁ, ବର୍ଷକାଳେଫୁଟାଇଣ ରସା-ପୃଷ୍ଠ ଯଥା ମହୀଲତା ।ହାୟ ! ଯେ ଶରୀର ଥିଲା ଶୋଭାର ଆଧାର,ଯତ୍ନର ରତ୍ନ, ତାର କି ପରିଣାମ ଏବେ !କଣ୍ଟକ ଆଘାତେ ଯେହୁ ମଣୁଥିଲା କ୍ଳେଶ,କୃମିକୀଟ ଭକ୍ଷ୍ୟ ହାୟ ଶେଷେ ସେ ଶରୀର !ଶ୍ମଶାନ ସାମ୍ୟ ଭୂଖଣ୍ଡ, ନାହିଁ ନାହିଁ ରାଜା,ପ୍ରଜା, ଧନୀ, ଦୀନ, ମୂର୍ଖ, ପଣ୍ଡିତର ଭେଦକିଛି, ତହିଁ ସକଳର ଅନ୍ତିମ ଆସନ,ସେହି ଏକା ଭସ୍ମେ, ସେହୁ ସର୍ବଗ୍ରାସୀ ସ୍ଥଳୀ;ମାନବର ସତ୍ତା ତହିଁ ଭଜଇ ବିଲୟ ।ନିରେଖି ଏସନ ଦୃଶ୍ୟ ବିକଟ କରୁଣପୁଣି ବୀଭତ୍ସ ଅଦ୍ଭୁତ ଆଲୋଡ଼ିଲା ହୃଦ-ମୋର ଶୋକେ ଭୟେ କ୍ଷୋଭେ, ତହୁଁ କର ଯୋଡ଼ିକହିଲି କାତର ସ୍ୱରେ ଦେବୀଙ୍କୁ ଏସନ,-‘‘ମାତଃ ! କେତେ ମୁଁ ଦେଖିବି ନରଦେହ ବହିଏ ଦୃଶ୍ୟ ଆଉ ? ଅସହ୍ୟ ଜୀବିତ ଜନରତାହା, ଦେଖି ଦେଖି ସିନା ହେବି ଖାଲି ଦହିଦୁର୍ବାର ଯାତନାନଳେ; କି ଫଳ ତହିଁରେ ?ଚାଲ ଏବେ ଅନ୍ୟ ଦିଗେ’’ । ତଥାସ୍ତୁ ଉଚ୍ଚାରିଚାଲିଲେ ଅଗ୍ରତେ ଦେବୀ ଅନ୍ୟ ଦିଗମୁଖେ,ତହୁଁ ଏକତାରେ ପଛେ ଗୋଡ଼ାଇଲା ପ୍ରାୟବିକ୍ରମ, ଗମିଲି ମୁହିଁ ଦେବୀଙ୍କ ପଶ୍ଚାତେ ।
ଚତୁର୍ଥ ସର୍ଗ
ଯାଉଁ ଯାଉଁ ଏକସ୍ଥାନେ ଦେଖିଣ ଗୋଟିଏବଟତରୁ, ଶତଶାଖ, ଦେବୀ ବସିଗଲେତହିଁ, ବସିବାକୁ ମୋଇତ ଦେଇ ଅନୁମତି ।ମରକତ ଛତ୍ର ପ୍ରାୟ ସେହି ମହାତରୁସୁନ୍ଦର, ବିଶାଳ, ଉଭା ବହୁଦୂର ବ୍ୟାପି,ବିଲମ୍ୱିଛି ଅବରୋହ ଆପାଦମସ୍ତକ,ଆହା ! କିବା ଊର୍ଦ୍ଧ୍ୱବାହୁ ଜଟିଳ ତାଫସହୋଇଛନ୍ତି ଧ୍ୟାନେ ମଗ୍ନ, ମୋକ୍ଷଲାଭ ଆଶେ ?ସେ ତରୁକୁ ଆଉଜିଣ ନାରୀମୂର୍ତ୍ତି ଏକ(ଦୁର୍ଦ୍ଦିନ ନଳିନ ପ୍ରାୟ ମଳିନବଦନା)ଉପବିଷ୍ଟା, ଚାରୁଦେହା ମଳିନବସନା,ବଙ୍କିମ ଠାଣିରେ ଭାଙ୍ଗି ଗ୍ରୀବା, ଅଛନ୍ତି ସେନିବେଶିଣ ଅଶ୍ରୁସିକ୍ତ-ଗଣ୍ଡଦେଶେ କର,ଆହା, ଶିଶିରାମ୍ୱୁସିକ୍ତ ସରୋଜିନୀଟିଏପଡ଼ିଛି କି ଆନ ପଦ୍ମ ପାଖୁଡ଼ାରେ ଢଳି ?ବିଲୁକିତ କେଶବ୍ୟାଜେ ସେ ପୁଷ୍ପକୁ କିବାବେଢ଼ିଛନ୍ତି ଚଉପାଶୁଁ ଭ୍ରମରନିକର ।କି ଅଜ୍ଞାତ ଗୁରୁ ଶୋକେ ହୋଇଛି ତାଙ୍କରନେତ୍ର ଅପଲକ, ଅଙ୍ଗ, ପ୍ରତ୍ୟଙ୍ଗ ଅବଶ,ଦିଶୁଛନ୍ତି ସେହୁ ଯଥା କରୁଣ ରସରଜୀବନ୍ତ ପ୍ରତିମା । ସ୍ଫୁରୁ ନାହିଁ ବାକ୍ୟ ମୁଖୁଁ,କେବଳ ସେ ଛାଡ଼ଛନ୍ତି ଦଣ୍ଡକେ ଘଡ଼ିକେନୈରାଶ୍ୟ-ସୁଚକ ଦୀର୍ଘ ତପ୍ତ ଖରଶ୍ୱାସ ।ଆକଣ୍ଠ ଶୋକଗ୍ରସ୍ତା ସେ ନାରୀଶିରୋମଣି,ନୁହନ୍ତି ଚିହ୍ନିତା ମୋର; ତଥାପି କେଜାଣିକାହିଁକି ଦେିଲାକ୍ଷଣି ହୃଦୁଁ ଭକ୍ତି ମୋରହେଲା ପ୍ରଧାବିତ ତାଙ୍କ ପ୍ରତି, ତାଙ୍କ ଶୋକ(ହେଲେ ହେଁ ଅଜ୍ଞାତ ମୋର) ଦେଲା ହୃଦେ ପ୍ରାଣେମହାବ୍ୟଥା, ସ୍ପର୍ଶି ମୋତେ ବିଦ୍ୟୁତ ବେଗରେ ।ନ ଜାଣିଣ ତଥ୍ୟ କିଛି ଏହି ପ୍ରସଙ୍ଗର,ଦୋଳି ହେଲା ହୃଦ ମୋର ସଂଶୟ-ଦୋଳାରେସଘନେ, ଜିଜ୍ଞାସା ହେଲା ଅତୀବ ପ୍ରବଳ,କମଳମୁଖୀ ଉତ୍କଳ-କମଳାଙ୍କୁ ତହୁଁପଚାରିଲି ଯୁକ୍ତକରେ ବିନୀତ ବଚନେ-‘‘ଦେବି ? ଦେବୀ କି ମାନବୀ ଉପବିଷ୍ଟାଧନୀକାହିଁକି ବା ଧରିଛନ୍ତି ଅନାଥିନୀ ବେଶ ?କୌଣସି ସମ୍ପର୍କ ମୋର ନାହିଁ ତାଙ୍କ ସହ,ତେବେ କିପାଁ ତାଙ୍କ ଶୋକ ତୀବ୍ର ପ୍ରତିଘାତେକମ୍ପୁଅଛି ଅନ୍ତରର ଅନ୍ତସ୍ତଳ ମୋର ?ବଖାଣନ୍ତୁ କୃପା ବହି ଏଥିର କାରଣ ।’’ଉତ୍ତରିଲେ ଦେବୀ, ‘‘ଏହି ଅନିନ୍ଦ୍ୟା ସୁନ୍ଦରୀତୋର ମହା ମହୀୟସୀ ଉତ୍କଳ-ଜନନୀ,ପାଦପ ସଙ୍ଗେ ସମ୍ପର୍କ ଫଳରେ ଯେପରିସେହିପରି ତୋ ସମ୍ପର୍କ ଫଳର ଯେପରିସେହିପରି ତୋ ସମ୍ପର୍କ ଦେବୀଙ୍କ ସଙ୍ଗତେ,ତାଙ୍କରି ପରମାଣୁରେ ଗଠିତ ତୋ ଦେହ
ଯେଣୁ, ତେଣୁ ତାଙ୍କ ଶୋକଚ୍ଛାୟା, ପ୍ରତିଫଳେ
ତୋ ହୃଦ-ମୁକୁରେ । ବତ୍ସ ! ମୋର ପ୍ରତିକୃତି
ଅଟନ୍ତି ଏ ଦେବୀ, ତେଣୁ ନାହିଁ ଭେଦେଭେଦ
ତାଙ୍କର ମୋହର କିଛି, ଜୀବାତ୍ମା ସେ ଦେବୀ,
ପରମାତ୍ମା ବୋଲି ମୋତେ ଘେନ ତୁ ତାଙ୍କର,
ଭୁଞ୍ଜିବ ଜୀବାତ୍ମା ଦୁଃଖ ଏ ମର ଶରୀରେ
କିନ୍ତୁ ନୁହେଁ ତହିଁପାଇଁ ପରମାତ୍ମା ଦାୟୀ,
ଖରା ବର୍ଷା ଖାଏ ସିନା କୁଲାୟ କେବଳ;
କିନ୍ତୁ ବାୟା ବିହଙ୍ଗର କି ଯାଏ ତହିଁରେ ?
ଏହି ହେତୁ ଏକା ଦେବୀ ଭୁଞ୍ଜୁଛନ୍ତି କ୍ଳେଶ,
ନିର୍ଲିପ୍ତା ହେତୁ ମୁଁ ଭବଜଞ୍ଜାଳରହିତା ।
ଦେବୀଙ୍କ ଏ ଉପସ୍ଥିତ ଦୁର୍ଦ୍ଦଶା ନିଦାନ
ଅଟେ କେତେ ଦୁଷ୍ଟ ଦୁଷ୍ଟା, ସେମାନେ ସତତ
ଘେରିର ଚୌପାଶୁ ତାଙ୍କୁ କରନ୍ତି ଧର୍ଷଣ,
ଜାନକୀଙ୍କି ଯଥା (ପ୍ରତି-ବିରହ ବିଧୁରା ଶୋକକ୍ଷୀଣା ଦେହା)
ଘେରି ଦୁର୍ମୁଖା ଚେଟିଏ
ଧର୍ଷିଲେ ପୂର୍ବେ ଲଙ୍କାର ଅଶୋକ କାନନେ ।
ସେ ଦୁଷ୍ଟ ଦୁଷ୍ଟାଏ ଏବେ ଆସି ଏକେ ଏକେ
ଆଚରିବେ ନିଜ ନିଜ କ୍ରୁର ଅଭିନୟ,
ମୁହୂର୍ତ୍ତେ ଅପେକ୍ଷା କର ଦେଖିବୁ ସକଳ ।
ରୋଧୁଛି ମୁଁ ମାୟାବଳେ ଚକ୍ଷୁକର୍ଣ୍ଣ ପଥ
ଅନ୍ୟର ଏ ସ୍ଥଳେ; ସେହି ମାୟାପ୍ରଭାବରେ
ଦେଖିବୁ ତୁ ସକଳର ସର୍ବକାର୍ଯ୍ୟ, ପୁଣି
ଶୁଣିବୁ ସକଳ କଥା; କିନ୍ତୁ ତୋର ରୂପ
ହେବ ନାହିଁ ଅନ୍ୟେ ଦୃଷ୍ଟ, ବଚନ ତୋହର
ମୋ ଭିନ୍ନ ନୋହିବ କାର ଶ୍ରବଣ-ଅତିଥି ।’’
ନୀରବନ୍ତେ ଏହା ଭାଷି ଇନ୍ଦିରା ସୁନ୍ଦରୀ,
ରହିଲି ମୁଁ ଭାବି ଦୃଶ୍ୟ ଦର୍ଶନ ଆଶୟେ
ସମୁତ୍ସୁକେ, ସମୁତ୍ସକେ ଯଥା ବସିଥାଏ
ଯାତ୍ରାସଭା ମଧ୍ୟେ ଯାତ୍ରା ପୂର୍ବରୁ ଦର୍ଶକ ।
କେତେ କ୍ଷଣ ପରେ ଦୂରେ ଶୁଭିଲା ଚୌଦିଗେ
ନାନାବାଦ୍ୟ କୋଳାହଳ, ଗହଳ ପୃଥୁଳ,
ବାଜିଲା ମୃଦଙ୍ଗ ସହ ଝାଞ୍ଜ କରତାଳ
ମନ୍ଦିରା, ମହୁରୀ, ବୀଣା, ବେଣୁ, ଘଣ୍ଟା ଘଡ଼ି
ଶଙ୍ଖ, ଶିଙ୍ଗା, ତୁରୀ, ଭେରୀ, ବେହେଲା, ସେତାରା,
ମର୍ଦ୍ଦଳାଦି ଐକ୍ୟ ତାନେ ସିନ୍ଧୁନାଦ ପ୍ରାୟ
ଶୁଭିଲା ଚହଳ ଘୋର, କମ୍ପିଲା ଶରୀର ।
ସେହି ଭୀମ ବାଦ୍ୟ ରୋଳେ ଭାଙ୍ଗିଯାନ୍ତେ ଖରେ
ଉତ୍କଳ ମାତାଙ୍କ ମୂର୍ଚ୍ଛା, ବସିଲେ ସଳଖି
ଆଉଜି ପାଦପେ ଦେବୀ, ନିବର୍ତ୍ତିଲା ତହୁଁ
ବାଦ୍ୟରୋଳ ଅକସ୍ମାତ, ନିବର୍ତ୍ତଇ ଯଥା
ବଜ୍ରଧ୍ୱନି-ଦକ୍ଷିଣାଶେ ଅଗସ୍ତ୍ୟ ଉଦୟେ ।
ସଂଜ୍ଞା ଲଭି ମହାଦେବୀ ଉତ୍କଳ-ଜନନୀ
ବିଳପିଲେ ଏହିରୂପେ ଛାଡ଼ି ଦୀର୍ଘଶ୍ୱାସ,-
‘‘କେତେ ମୁଁ ସହିବି କଷ୍ଟ ଆଉ ଦଗ୍ଧ ପ୍ରାଣେ,
କେତେ ମୁଁ ସହିବି ହାୟ ତୀବ୍ର ଆକ୍ରମଣ
ଏହି ଦୁଷ୍ଟ ଦୁଷ୍ଟାଙ୍କତ୍ତ ? ସର୍ବେ ମହାମୁଦେ
ମହାଗର୍ବେ ଆସୁଛନ୍ତି ବଜାଇ ବାଜଣା
ପୋତିବାକୁ ହୃଦେ ମୋର ବିଜୟ ନିଶାଣ ।
ରିପୁର ଏ ଗର୍ବ ଖର୍ବ କରିବାକୁ କେହି
ନାହିଁ କି ମୋ ପୁତ୍ର ମଧ୍ୟେ ଜଣେ ହେଁ ସକ୍ଷମ !
ହା ପୁତ୍ରେ ! ସକଳେ ତୁମ୍ଭେ ଥାଉଁ ଥାଉଁ ପ୍ରାଣେ
ଭୁଞ୍ଜୁଥିବି କେତେ କାଳ ଏ ଯନ୍ତ୍ରଣା ମୁହିଁ
ଆଣ୍ଠୁ କୁଡ଼ୀ ପ୍ରାୟ, ତିଳେ କି ରେ ନୁହେଁ ଦୁଃଖୀ
ମାତୃଦୁଃଖେ ? କି କହିବି ମନ୍ଦ ମୋ କପାଳ !’’
ଏମନ୍ତ ସମୟେ ଏକ ବିକଟ ପୁରୁଷ
ଦୀର୍ଘନଖ, ଉପଗତ ତହିଁ ଆଚମ୍ୱିତେ,
ତାର ଦନ୍ତଶ୍ରେଣୀ, କେଶ, ହସ୍ତପଦାଙ୍ଗୁଳି
ପରସ୍ପର ଅସଂଲଗ୍ନ, ଯାକିଣ କାଖରେ
ଦୁଷ୍ଟ ତୃଣବିଡ଼ାଟାଏ, ଦୃଢ଼ ତୀକ୍ଷ୍ଣ ନଖେ
ଛିଡ଼ାଉଛି ତାକୁ ସଦା ଟିକି ଟିକି କରି,
ମସ୍ତକେ ରକ୍ତ ଉଷ୍ଣୀଷ, ଆଭାସଇ ଯଥା
ଧ୍ରୁବ କିଂଶୁକ ମସ୍ତକେ କୁସୁମ ସ୍ତବକ ।
ଲେଖା ତହିଁ ଅତ୍ୟୁଜ୍ଜ୍ୱଳ ଆଗ୍ନେୟ ଅକ୍ଷରେ-
‘‘ଅନୈକ୍ୟ’’ ବୋଲିଣ; ତାର ଆକାରୁଁ ଆଭାସେ
ମହାଦୁଷ୍ଟମତି ଦୁଷ୍ଟ, ଗରଜି ଗମ୍ଭୀରେ
ଦେବୀଙ୍କୁ ନିରେଖି ସେହୁ ବୋଇଲା ଏସନ-
ଲୋ ଉତ୍କଳ ! କି କହିଲୁ କହ ଆଉ ଥରେ,
ଡ଼ାକୁଛି ପୁତ୍ରଙ୍କୁ ପରା ସାହା ହେବାପାଇଁ ?
କିପାଁ ପୋଷୁ କାଙ୍ଗାଲୁଣି, ଏ ଦୁରାଶା ମନେ ?
ଦେଖ ଯାଇ ପୁତ୍ରେ ତୋର ସୁଖେ ଛନ୍ତି ଶୋଇ,
ଘୋର ଅଦଃପତନର ଗଭୀର ଗହ୍ୱରେ ।
ଥିଲା ତୋ ସୁଦିନ ଯେବେ ଆ ଲୋ ଗରବିଣି !
ପ୍ରକାଶି ମୋ ପ୍ରତି ପରା ବିଜାତୀୟ ଘୃଣା
ଦେଉ ନ ଥିଲୁ ଟିକିଏ ପାଖରେ ପୂରାଇ ?
ପୁତ୍ରବଳେ ବଳୀୟାର ଥିଲୁ ତୁ ସେକାଳେ;
କାହାନ୍ତି ସେ ପୁତ୍ରେ ତୋର, କାହିଁ ସେ ଗରବ,
ସେ ସୁଖ-ରଜନୀ ତୋର ବେଗେ ଯାନ୍ତେ ପାହି
ପଡ଼ିଲୁ ହାବୁଡ଼େ ମୋର, ନାହିଁ ଆଉ ଚାରା,
ହେବୁ ଚିରକାଳ ମୋର ପଦ-ବିଦଳିତା,
ଉତ୍ଫଣା ଫଣିନୀ ଯଥା ଫଣିଭୁବ ପଦେ ।
ଅନୈକ୍ୟ ଏସନ କଳ୍ପି ହୁଅନ୍ତେ ନୀରବ
ଆସିଲା ଅପର ଏକ ସ୍ଥୂଳକାୟ ରିପୁ,
ପକାଏ ପହଣ୍ଡ ସେହୁ ଦଣ୍ଡକେ ଘଡ଼ିକେ,
ମଠଗତି ଦେଖି ତାର ହୁଏ ଅନୁମିତ
ଘଡ଼ିକ ବାଟକୁ ସେହୁ ଚାଲିବ ଦିନକେ ।
ଘନ ଘନ ଅଙ୍ଗ ମୋଡ଼ି ମାରି ଦୀର୍ଘ ହାଇ
ଢୁଳାଇ ପଡ଼ୁଛି ଦୁଷ୍ଟ ଚାଲୁ ଚାଲୁ ପଥେ;
ଅଯତ୍ନରୁ ମସ୍ତକସ୍ଥ କେଶରାଶି ତାର
ଯାଇଅଛି ଜଟା ବାନ୍ଧି, ଅତି କଷ୍ଟେ ତହିଁ
ଗଳାଇଣ ଦୀର୍ଘନଖ କୁଣ୍ଡାଇବା ବେଳେ,
ପଡ଼ନ୍ତି ଉକୁଣୀ ଝଡ଼ି ପଣ ପଣ ହୋଇ !
ଦୋହଲେ ବକ୍ଷରେ ଲୌହନିର୍ମିତ ପଦକ
ଅତି ବିଶ୍ରୀ କଳଙ୍କିତ ଖୋଦିତ ତହିଁରେ
ଅସ୍ପଷ୍ଟ ଅକ୍ଷରରତ୍ନ ‘‘ଆଳସ୍ୟ’’ ବୋଲିଣ ।
ଉପସ୍ଥିତ ହୋଇ ଦୁଷ୍ଟ ଦେଖିଣ ସେଠାରେ
ଅନୈକ୍ୟେ, ପ୍ରହରେ ଯାଏ ହସିଲା ଆହ୍ଲାଦେ,
ଦୁର୍ଜନ-ସଙ୍ଗଳାଳସୀ ସତତ ଦୁର୍ଜନ;
ଦୈବେ ଯଦି ଭେଟେ ସେହୁ ସମଧର୍ଜିଜନେ
ଅପୂର୍ବ ଆନନ୍ଦ ତେବେ କରେ ଉପଭୋଗ;
ଅମାଦୃଷ୍ଟେ ଚୌର ଯଥା, ତିମିର-ପ୍ରଣୟୀ ।
ଅନନ୍ତର ଯାଇ ଦୁଷ୍ଟ ଅନୈକ ସମୀପେ,
ମହାପ୍ରେମଭରେ ତାକୁ ଆଲିଙ୍ଗି ଆଦରେ
(ପାଦପେ ବଲ୍ଲରୀ ପ୍ରାୟ) ବୋଇଲା ସମ୍ବୋଧି
‘‘ସଖେ ! ସୌଭାଗ୍ୟ ସୁଦିନ ଆଜି, ହେବ ବହୁ
ବନ୍ଧୁ ସମ୍ମିଳନ ଆନ ମିତ୍ରେ ପଶ୍ଚାତେ ସଭିଏଁ,
ସକଳେ ମିଳିଣ ଆଜି ଏହି ଉତ୍କଳୀକି
ଧରଷି ଚୌପାଶୁଁ ନେବା ପୂର୍ବ ପ୍ରତିଶୋଧ ।
ନୋହଛନ୍ତି ଉପସ୍ଥିତ ଯାବତ ବନ୍ଧୁଏ,
ଜାବତ କରିବା ଆସ ଅନ୍ୟ ବାକ୍ୟାଳାପ ।
ଏ କାଳେ ଶୁଭିଲା ପୁଣି ହାଟଶବ୍ଦ ପ୍ରାୟ
ଘୋର ଘୋ ଘୋ ରବ ଦୂରେ ଦେଖିଲି ନିରେଖି
ଆସୁଛି ପୁରୁଷ ଚଢ଼ି ଦିବ୍ୟ ଚତୁଦ୍ଦୋଳେ;
(ନାନାବର୍ଣ୍ଣ ନାନା ଜାତି ରତନେ ଖଚିତ)
ପ୍ରତିଫଳ ସେ ରତନେ ବରମାଳିକର
ବିକାଶେ ବିବିଧ ବିଭା ଇନ୍ଦ୍ରଧନୁନିଭ,
ମଣି-ରତ୍ନ-ବିମଣ୍ଡିତ ବସନ-ଭୂଷଣେ
ଆବୃତ ଆରୋହି ଦେହ-ଅଳଙ୍କାର ଭାରେ
ଭାରାକ୍ରାନ୍ତ ସଦା ସେହୁ, ତଥାପି ସେବକେ
ଖଞ୍ଜୁଛନ୍ତି ସର୍ବାଙ୍ଗରେ ନାନା ଆଭରଣ-
ବେଢ଼ିଛନ୍ତି ଆରୋହୀରେ ଚୌପାଶେ କିଙ୍କରେ,
କେହି ଧରିଛନ୍ତି ଟେକି ପିନ୍ଧାକୁଞ୍ଚ, କେହି
ବକ୍ଷଲମ୍ବୀ ରତ୍ନ-ପୁଷ୍ପାହାର, କେହି ଅବା
ଧରିଅଛି ଟେକି କାନ୍ଧ ଉତ୍ତରୀୟାଞ୍ଚଳ ।
ସିଞ୍ଚଇ ଅତର କେହୁ, ବିଞ୍ଚେ କେ ଚାମରେ,
ସ୍ତାବକେ ଛାମୁରେ ଉଭା, ରତ ସ୍ତୁତିପାଠେ ।
ଅଗ୍ରେ ଅଗ୍ରେ ଚାଲିଛନ୍ତି ବାରାଙ୍ଗନାଦଳ
ମତ୍ତ ତୈର୍ଯ୍ୟତ୍ରିକେ ସର୍ବେ, ବିବିଧ ଭଙ୍ଗୀରେ,
କାହିଁବା ଗୁଟୁପ ନାଚ ଲାଗିଛି ଆଟୋପେ ।
କୁଟିଳେ ଖେଳାଇ ପୁଚ୍ଛ ଉଡ଼ଇ ପତାକା
ଫର ଫରେ ଅଗଣିତ, ଚିତ୍ର- ଚେଳଖଚୀ,
‘‘ଜୟ ବିଳାସର ଜୟ’’ ଲିଖିତ ତହିଁରେ ।
ପଶ୍ଚାତେ ଉଭୟ ପାର୍ଶ୍ୱେ ଭକ୍ତ ସଙ୍ଗିଦଳ
ଚାଲିଛନ୍ତି ନାନା ଯାନବାହନେ ଆରୋହି,
କେହି ଅବା ପଦବ୍ରଜେ, ଉଚ୍ଚାରି ଉଚ୍ଚରେ
‘‘ଜୟ ବିଳାସର ଜୟ’’ ପୃଥୁଳି ନିନାଦେ;
ଅନୁଯାତ୍ରୀ ଚାଲିଛନ୍ତି କହି ନାନା କଥା ।
କେହି କହେ ଜଳି ନାହିଁ ଘରେ ଚୁଲି ମୋର
ସପ୍ତ ଦିବାନିଶି, ବାଲି ଡ଼ାକିଲା ଡ଼ାକୁଆ,-
‘‘ବିଜେ ହେବେ ନୃପମଣି ଉତ୍କଳ ବିଜୟେ,
ସଜ ହୋଇ ସର୍ବେ ବେଳ ଛଅ ଘଡ଼ିଠାରେ
ରାଜସିଂହଦ୍ୱାରେ ଯାଇ ହେବ ଉପସ୍ଥିତ ।’’
ଶୁଣି ଏ ଘୋଷଣାବାଣୀ ପଡ଼ିଲା ଭାଳୁଣି,
ନାହିଁ ମୋର ଉପାନହ, ଯିବି ମୁଁ କିପରି
ନଗ୍ନପଦେ କାଲି ଭଲା ନୃପତି ଗହଣେ ?
ସୌଭାଗ୍ୟବଶରୁ କିନ୍ତୁ ବିଦେଶସ୍ଥ ଭାଇ
ପଠାଇଲା ଦଶ ଟଙ୍କା ହୁଣ୍ଡିଆ ହାତରେ,
ସେତକ ଦେଇଣ ପୁଣି କାଳି ରଖି କିଛି
ତକ୍ଷଣେ କିଣିଲି ଏହି ପାଦୁକାଯୁଗଳ ।
କେହି କହେ ଥିଲା ନାହିଁ ଘୋଟକ ମୋହର,
ବଡ଼ କଷ୍ଟ ହେଉଥିଲା ଚାଲିବାକୁ ବାଟ,
ପରିଶୋଧ ଅଭିପ୍ରାୟେ ଉତ୍ତମର୍ଣ୍ଣ ୠଣ
ଜମି ବିକି ରଖିଥିଲି ମୁଦ୍ରା ଦୁଇ ଶତ,
ଏକାଳେ ନୃପ-ନବରୁ ଆସିଲା ହକରା
ଅତି ତ୍ୱରା ସଜ ହୋଇ ଯିବାକୁ ବାହାରି,
ଦେଇଣ ଅଗତ୍ୟା ତହୁଁ ସେହି ମୁଦ୍ରାତକ
ଦିନକପାଇଁ ଏ ଘୋଡ଼ା ଆଣିଲି ଭଡ଼ାରେ ।
ଏହିରୂପେ ନାନାମତେ କହି କହି କଥା
ମିଳିଲେ ଆସି ଉତ୍କଳ-ଜନନୀ ସମୀପେ,
ଦେଖି ତହୁଁ ପୂର୍ବାଗତ ବନ୍ଧୁଦ୍ୱୟେ, ହେଲେ
ଅତୀବ ଉସତ, ଯଥା ନିଧି ପାଇ ଦୀନ ।
ପୁଚ୍ଛାପୁଚ୍ଛି ହୋଇ ସର୍ବେ ସ୍ୱାଗତ ସମ୍ବାଦ,
ବସିଲେ ଅପର ବନ୍ଧୁ ପ୍ରତୀକ୍ଷାରେ ତହିଁ ।
ଏଥୁଅନ୍ତେ ପ୍ରବେଶିଲା କୁରୂପା ରମଣୀ -
ଏକ, ଦନ୍ତୁରା ଭୀଷଣା, ସ୍ୱୟଂ ବିଭୀଷିକା
ଉପସ୍ଥିତ ହେଲା ଅବା ମୂର୍ତ୍ତି ପରିଗ୍ରହ;
ପରିଧାନ ଜୀର୍ଣ୍ଣକନ୍ଥା ଅତୀବ ମଳିନ,
ଶତ ଗ୍ରନ୍ଥିଯୁକ୍ତ, ତୈଳ ବିନା ତନୁ ତାର
ଦିଶଇ ପାଣ୍ଡୁର ବର୍ଣ୍ଣ ଶରଭଦ୍ର ଯଥା;
ବିମଣ୍ଡିତ ଦକ୍ଷକର ଅୟସ୍କଙ୍କଣରେ,
କିନ୍ତୁ ଦକ୍ଷେତର ହସ୍ତ ବର୍ଜିତ ଭୂଷଣ ।
ଅତୀବ ଦୁର୍ବଳା ସେହୁ, ଯଷ୍ଟି ଭରାଦେଇ
ଚାଲୁ ଚାଲୁ ମୁହୂର୍ମୁହୁଃ ବସୁଅଛି ପଥେ ।
ସଙ୍ଗେ ଉପାସିକାଦଳ କଙ୍କାଳାସ୍ଥିସାର,
ଚାଲିଛନ୍ତି ଅଗଣିତ, ଦିଶନ୍ତି ସକଳେ
କୁଶ୍ରୀ ବିଭୀଷଣା ଯଥା ଦୁର୍ଭିକ୍ଷା-ପୀଡ଼ିତା ।
କାହାର ସମ୍ବଳ କୁଣ୍ଡା ବାହାର ବା ଖୁଦ;
ପୂରାଇ ଅଣ୍ଟିରେ ତାହା ଚାଲୁଁ ଚାଲୁଁ କେହୁ
ଦେଉଅଛି ମୁଠା ମୁଠା ତୁଣ୍ଡକୁ ନିପେକ୍ଷି;
ଆରମ୍ଭିଛି କେହୁ ଗଳ୍ପ, ହସୁଅଛି କେହୁ,
କେହି କା ଚାଲିଛି କହି ସୁଖଦୁଃଖ କଥା;
କେହି କହେ ଆଗୁଁ ବିକି ଖାଇଥିଲି ସବୁ
ବାକୀ ଥିଲା କଂସା ବଳାପଟେ, ଦେଇ ତାହା
ଆଣିଲି ଚାଉଳମାଣେ କାଲି ସଞ୍ଜବେଳେ,
କିନ୍ତୁ ଥିଲା ନାହିଁ ଲୁଣ, କି ରାନ୍ଧିବି ଆଉ
ପିଇଦେଇ ପାଣି ପେଟେ ପଡ଼ିଲି ମୁଁ ଶୋଇ ।
କେହି କହେ, ଜଞ୍ଜାଳିଆ ପିଲାଟା ମୋହର
କଲା ଅଳି ଦୁଧ ପାଇଁ କାଲି, କି କରିକି,
କାହୁଁ ବା ପାଇବି ଅର୍ଥ ଦେବି ଦୁଧ କିଣି,
ଭାବି ଭାବି ତହୁଁ, ଗୋଳି ପାଣିରେ ପିଠଉ,
ଦୁଧ ବୋଲି କହି ତାକୁ ଦେଲି ବହଲାଇ ।
ଏହିରୂପେ କହି କହି ସର୍ବେ ନାନା କଥା,
ମିଳିଲେ ଆସି ଉତ୍କଳ-ଜନନୀ ଛାମୁରେ ।
ଉପବିଷ୍ଟ ପୂର୍ବାଗଳ ଦୁଷ୍ଟଗଣେ ତହୁଁ
ଉଠି ଶଶବ୍ୟସ୍ତେ, ସର୍ବେ ପ୍ରସାରିଣ କର,
‘‘ଆସ ଗୋ ଦୀନତା ଭଗ୍ନି, ଆସ ଆସ’’ କହି
ଆଲିଙ୍ଗି ଆଦରେ ତାଙ୍କୁ, ବସାଇ ଗହଣେ
ଶିଷ୍ଟ ସମ୍ଭାଷଣେ ଦୁଷ୍ଟେ ରତ ପରସ୍ପରେ ।
ଅନନ୍ତର ନାରୀ ଏକ ଆରୋହି ଶିବିକା
ଉତ୍ତରିଲା ତ୍ୱରା ତହିଁ, ଅତି ଅଲକ୍ଷଣୀ
ନାରୀଏ ତାହାର ପୁଣି ଶିବିକା ବାହିକା-
ଧରିଅଛି ସେହୁ ଏକ ହସ୍ତେ ପଶାପାଲି,
ଆନେ ଜୁଆପେଡ଼ି, ଭୃତ୍ୟମଣ୍ଡଳୀ ତାହାର
ବେଢ଼ିଛନ୍ତି ଚଉପାଶେ ଶତ ପ୍ରହରଣେ;
ବସାଇଛି ଦକ୍ଷେତର ତର୍ଜନୀରେ କେହୁ
ଗୋବରା ଚଢ଼ାଇ, କେହି ପିନ୍ଧି ରଙ୍ଗଧଡ଼ି
ଲୁଗା, କୁଞ୍ଚ ଲେଉଟାଇ ଖୋଷିଣ କଟିରେ,
ଭଙ୍ଗୀରେ କୁସୁମ ତହିଁ କରିଛି ରଚନା;
ଚଉତାଇ କେହୁ ଅବା ପାକଲା ଗାମୁଛା
ତ୍ରିକୋଣେ, ମଣ୍ଡିଛି ତାହା ସ୍କନ୍ଧ ପୃଷ୍ଠଦେଶେ;
କେହି ଗାଏ ଗ୍ରାମ୍ୟଗୀତ, କେହି ରସଗୀତ
(ପଟଯୁକ୍ତ ଯାହା ଛଙ୍କା ଆଦିରସ ପୁଟେ)
କେହି ବା ଉଚ୍ଚରେ ଗାଏ ଦକ୍ଷିଣୀ ଚୌପଦୀ ।
ବେନି ବର୍ଣ୍ଣେ ପେଣ୍ଡାବାଳେ ଖୋଷିଛି କେ ଫୁଲ,
ଦୋଳଇ କଟିରେ କାର ରଙ୍ଗ ପାନମୁଣା
ମୃଦୁଳେ, କେହି ବା ବର ନାଗରପଣରେ
ବସାଇଛି ସୁନାଚାନ୍ଦି ଛାମୁଦାନ୍ତଦ୍ୱୟେ ।
କାହିଁ ବା ମାଦକସେବୀ କରଇ ବକ୍ତୃତା-
ହେ ମାନବେ ! ମହାଭାଗ୍ୟେ ଲଭିଛି ସକଳେ
ଦୁର୍ଲ୍ଲଭ ମାନବଜନ୍ନ, କିନ୍ତୁ କ୍ଷଣସ୍ଥାୟୀ
ତାହା, ଏହା ଜାଣି ତେଜି ପାପପୁଣ୍ୟ ଭ୍ରମ
କରିଯାଅ ସୁଖଭୋଗ, ପାପପୁଣ୍ୟ ସିନା
ତୁଚ୍ଛା ଶାସ୍ତ୍ରର ଡ଼ରାଣ, ନୋହି ତହିଁ ଭୀତ
କରିଯାଅ କରିଯାଅ ଯଦୃଚ୍ଛାଚରଣ ।
ଦେଖି ଏ ବ୍ୟାପାର ଲଭି ତାଟକା ଅପାର
ପୁଚ୍ଛିଲି ମୁଁ ସାନୁନୟେ କମଳାଙ୍କୁ ଡାକି,
ମାତଃ, କିଏ ଏ ରମଣୀ ଶିବିକାରୋହିଣୀ ।
ଉତ୍ତରିଲେ ମୃଦୁସ୍ୱରେ ଉତ୍କଳକମଳା-
ବତ୍ସ ! ଏ ‘‘ଅବିଦ୍ୟା’’, ଦୁଷ୍ଟା ସରସ୍ୱତୀ ବୋଲି
ଧରେ ଅନ୍ୟ ନାମ ଏକ, କାର୍ଯ୍ୟାକାର୍ଯ୍ୟଭେଦ
ନାହିଁ ଏ ଦୁଷ୍ଟାର କିଛି, ଚରିତ୍ରଗ୍ରାସିନୀ
ଏହୁ, ପଡ଼ିଲେ କୁହୁକେ ତାର, ମାନବର
ମାନବତା ବିବେକତା ଲୁପ୍ତ ହୁଏ ସବୁ ।
ଅନନ୍ତର ଦୋଳାରୋହୀ ଆନ ନାରୀ ଏକ
ଅତିବୃଦ୍ଧା ପ୍ରବେଶିଲା ଖରେ ଆସି ତହିଁ,
ବସିଛି ସେ ଶିର ନିହି ବେନି ଆଣ୍ଠୁ ପରେ
ଦୋଳା ମଧ୍ୟେ, ଛନ୍ଦିଦେଇ ହସ୍ତପଦଦ୍ୱୟେ,
ହୋଇଯାଇଅଛି ଅଙ୍ଗ ଅସାଢ଼ ତାହାର
ପକ୍ଷଘାତ ରୋଗୀ ପ୍ରାୟ, ମୂର୍ତ୍ତିରୁ ଆଭାସେ,
ଯାଇଛି ଅବଶ ହୋଇ ବୁଦ୍ଧି ସୁଦ୍ଧା ତାର ।
ସୂପ୍ତକି ସତେତ ସେହୁ ହେଉ ନାହିଁ ବାରି,
ନାହିଁ ତୁଣ୍ଡେ ଭାଷା, ମାତ୍ର ଥରେ ଥରେ କେବେ
ଉଠୁଛି ବିଳିବିଳାଇ ସୂପ୍ତ ଶିଶୁ ପ୍ରାୟ,
ପ୍ରଳାପୁ ପ୍ରଳାପୁ ପାଟି ଯାଏ ଖନି ବାଜି ।
ଦେଖି ତାକୁ ଉପବିଷ୍ଟ ଦୁଷ୍ଟଦୁଷ୍ଟାଗଣ,
ଉଠିଆସି ଖରେ, ନେଲେ କରି ଧରାଧରି
ବସାଇଲେ ପୁଣି ନେଇ ସ୍ୱକୀୟ ସମାଜେ ।
ନିରେଖି ଉତ୍କଳଲକ୍ଷ୍ମୀ ଏ ସର୍ବ ବ୍ୟାପାର,
ହସିଉଠେ ମୋତେ ଚାହିଁ ବୋଇଲେ ଏସନ,-
ରେ ପୁତ୍ର, ଚିହ୍ନିଲୁଟି କି ଏ ମହାଦୁଷ୍ଟାକୁ ?
ଜଡ଼ତା ଏହାର ନାମ, ସ୍ପର୍ଶମାତ୍ରେ ଏହୁ
କରିଦିଏ ମାନବକୁ ହୁଣ୍ଡା, ପଶୁପ୍ରାୟ,
ତେଣୁ ବଦ୍ଧବୁଦ୍ଧି ନର ପାରେ ନାହିଁ ବୁଝି
ବଜ୍ରାଘାତ, ପୁଷ୍ପଜାତ କିଛି, ସୁଖ ମଣେ
ଆହାରେ ବିହାରେ ଆଉ ଶୟନେ ବିଳାସେ,
ତହୁଁ ଲଭେ ଅଧୋଗତି, ଜନ୍ମ, ମୃତ୍ୟୁ ଜରା-
ଏ ତିନି କଷଣ ସୁଦ୍ଧା ଭୁଞ୍ଜେ ବାରମ୍ବାର ।
ଅତଃପର ନୀରବନ୍ତେ ଉତ୍କଳ-କମଳା,
ଦେଖିଲି ପୁରୁଷ ଏକ ଆସୁଛି ଅଦୂରେ
ପିନ୍ଧି ଗେରୁଆ ଗାମୁଛା, ଯାକିଅଛି କାଖେ
ମୋଡ଼ି ଧୋବଲୁଗା ଖଣ୍ଡେ, ଅଧୋବଦନରେ
ଡ଼େଇଁ ଡ଼େଇଁ ଚାଲୁଅଛି ଅତି ସାବଧାନେ,
ଦୈବେ ଯେବେ ମାଡ଼ିବ ସେ ବାଇଜି * ଖପରା
ପଥେ, ହୋଇଯିବ ତେବେ ଲୁଗାଖଣ୍ଡି ମାରୁ,
* ବର୍ଜିତ ଶବ୍ଦଜ
ବାନ୍ଧିଅଛି ଡ଼େଉଁରିଆ ଗଳାରେ ବାହୁରେ
ଦ୍ୱାରେ ଦ୍ୱାରେ, ତହିଁ ପୁଣି ବନ୍ଧାଅଛି ଦୃଢ଼େ
ଛାଞ୍ଚୁଣୀ କେରାଏ, ସେହୁ ରଖିବ ତାହାକୁ
ଭୂତ ପ୍ରେତ ଆକ୍ରମଣ-ଡାହାଣୀ କବଳୁ,
ପ୍ରମାଦୁ, ସଙ୍କଟୁ ପୁଣି ସକଳ ପୀଡ଼ାରୁ ।
ପଶ୍ଚାତେ ବେନି ପାରୁଶେ ସ୍ତାବକମଣ୍ଡଳୀ,
ଚାଲିଛନ୍ତି ହର୍ଷଭରେ କହି ନାନାକଥା ।
କେହି କହେ ଗତକାଲି ଭାଇବୋହୂ ମୋର
ବସିଥିଲା ଅଗଣାରେ, ନ ଜାଣି ମୁଁ ତାହା
ଚାଲିଯାନ୍ତେ ସେହି ପଥେ, ପଡ଼ିଗଲା ଛାୟା
ମୋର ତା ଉପରେ, ସର୍ବେ ଶୁଣିଣ ଏ କଥା
ଗଣିଲେ ପ୍ରବୀଣଗଣ ମହା ଅମଙ୍ଗଳ,
ତହୁଁ ଏ ମହା ଅଶୁଭ ପ୍ରତିକାର ପାଇଁ
ବୁଡ଼ି ଗାଳି ଗଙ୍ଗୋଦକ ପିଇ ତଦନ୍ତରେ
କଳଇ ବୁଲି ବୁଲି ଅଷ୍ଟସମ୍ଭୁ ଦରଶନ ।
କେହି କହେ ପାଠପଢ଼ା ନାହିଁ ଆମ୍ଭ କୁଳେ,
ବାଳକାଳୁ ବୁଦ୍ଧିମାନ ଦେଖିଣ ପୁତ୍ରକୁ
ବିଚାରିଲି ପଢ଼ାଇବି ତାକୁ ପାଠ କିଛି
କିନ୍ତୁ କି କହିବି ଭାଇ ଅମଙ୍ଗଳ କଥା,
ଦିନେମାତ୍ର ଯାଇଅଛି ସେହୁ ବିଦ୍ୟାଳୟେ,
ପରଦିନ ସଂଘଟିଲା ବିବିଧ ବିପଦ,
ହେଲା ତାକୁ ଭାରି ଜ୍ୱର, ବୃଦ୍ଧ ପିତା ମୋର
ଯାଉଁ ଯାଉ ତୁଚ୍ଛାଟାରେ ପଡ଼ିଲା କଚାଡ଼ି,
ମୁହଁ ମାଡ଼ି, ଗଲା ଝଡ଼ି ଦନ୍ତଧାଡ଼ି ତାର,
ତିନି ଦିନ ଯାଏଁ ପୁଣି ହଜିଲା ବଳଦ ।
ତହୁଁ ଲଭି ମହାଭୟ, ଜୁହାରିଣ ଦୁରୁଁ
ପାଠେ ନିଷେଧିଲି ପୁତ୍ରେ ପଢ଼ିବାକୁ ଆଉ ।
ସମର୍ଥି ଏ କଥା କେହୁ ବୋଲଇ ଏସନ, -
ପଢ଼ୁ ପଢ଼ୁ ନାତି ମୋର କୁସଙ୍ଗରେ ପଡ଼ି
ଯୋତା ମାଡ଼ି ଖାଉଥିଲା ପାନ, ଦେଖି ତାହା
ଦିନେ ମୁହିଁ, ଜାତିଧର୍ମ ଯିବା ଭୟେ, କିଛି
ନ କହି କାହାକୁ, ଡ଼ାକି ଗୋପନେ ତାହାକୁ
କରାଇଲି ସୁପବିତ୍ର ପଞ୍ଚଗବ୍ୟ ପାନେ,
ସେହି ଦିନୁ ପାଠପଢ଼ା ଛଡ଼ାଇଲି ତାର ।
କେହି କହେ ଏ କାଳେ ତ ପଢ଼ିଲେ ନାରୀଏ,
ଏ ହେତୁ ଘଟୁଛି ସଦା ନାନା ଦୁର୍ଘଟଣା,
ଲକ୍ଷ୍ମୀଅଂଶୁ ନାରୀଙ୍କର ଜନ୍ମ ଯେଣୁ, ତେଣୁ
ଲକ୍ଷ୍ମୀ ଆରାଧନା ସଦା କର୍ତ୍ତବ୍ୟ ତାଙ୍କର,
କିନ୍ତୁ ଏବେ ଛାଡ଼ି ତାଙ୍କୁ, ପୂଜନ୍ତି ସେମାନେ
ଚିର-ବିଦ୍ୱେଷିଣୀ ତାଙ୍କ ସପତଣୀ ପଦେ ।
ତହୁଁ ଲକ୍ଷ୍ମୀ ବହି କୋପ, ହରିଲେ ଧରାରୁ
ଶସ୍ୟ, ତାଙ୍କ ଅଭିଶାପୁଁ ତୁଟିଲା ଧରଣୀ-
ଶିରୀ, ହୋଇଗଲେ ନରେ ଦିନୁ ଦିନୁ ଦୀନ ।
କେ ବୋଲେ ଶୁଣ ମୁଁ କହେଁ ଦୃଷ୍ଟାନ୍ତ ଗୋଟିଏ,
ଶ୍ରୁତି-ଶ୍ରୁତ ନୁହେଁ ତାହା ଦୃଷ୍ଟି-ଦୃଷ୍ଟ କଥା,-
ଆମ୍ଭ ଗ୍ରାମେ ଥିଲେ ଏକ ଧନୀ ମହାଜନ,
କୁବେରପ୍ରତିମ, ମହାପ୍ରବଳପ୍ରତାପୀ
ଭୟେ ବାଟ ଛାଡ଼େ ତାଙ୍କୁ ପୁର୍ଣ୍ଣଗର୍ଭା ଗାଭୀ,
ଦ୍ୱାରେ ଲାଗିଥିଲା ତାଙ୍କ କଂସାର କବାଟ;
କିନ୍ତୁ ସେ ପଢ଼ାନ୍ତେ ତାଙ୍କ ନାତୁଣୀକୁ ପାଠ,
ଖଇକୁଲାରେ ପବନ ପଶିଲା ପରାଏ
ଗଲା ସବୁ ଧନରତ୍ନ କେଉଁଆଡ଼େ ଚାଲି,
ଅବଶେଷେ ବଂଶ ତାର ହୋଇଲା ନିର୍ମୂଳ ।
କେହି କହେ ଆମ୍ଭ ଘରେ ନ କରନ୍ତି କେହି
କୃଷ୍ଣବସ୍ତ୍ର ପରିଧାନ, ପିତାମହୁଙ୍କର-
ପିତାମହୀ ମୋର, ପିନ୍ଧି ଦିନେ କଳାଶାଢ଼ୀ
ଯାଇଥିଲେ ଧୋଇବାକୁ ତଡ଼ାଗେ ଚାଉଳ,
କିନ୍ତୁ ତହିଁ ପଡ଼ନ୍ତେ ସେ କୁମ୍ଭୀର କବଳେ,
ସେହି ଦିନୁ କଳାଲୁଗା ଆମ୍ଭ ଘରେ ମନା ।
ଏହିରୂପେ କହି କହି ସର୍ବେ ନାନା କଥା
ମିଳନ୍ତେ ପୂରବାଗତ ରିପୁଙ୍କ ପୁରତେ,
କଲେ ସେ ସକଳେ ତାଙ୍କୁ ପ୍ରେମେ ଆଲିଙ୍ଗନ,
ପ୍ରେମ ସମ୍ଭାଷଣ, ହୋଇ ଆନନ୍ଦେ ମଗନ,
ଯଥାଯୋଗ୍ୟ ସ୍ଥାନେ ଯାଇ ବସିଲେ ସକଳେ ।
ଲଭିଣ ବିସ୍ମୟ ମୁହିଁ ଏ ଦୃଶ୍ୟ ଦର୍ଶନେ
ଚାହିଁଲି ଜିଜ୍ଞାସୁ ନେତ୍ରେ ଦେବୀଙ୍କ ଆଡ଼କୁ ।
ବୁଝିପାରି ଆଶୟ ସେ ଆକାର ଇଙ୍ଗିତୁଁ
ମୋର, ହୋଇ ସୁପ୍ରସନ୍ନ ଭାଷିଲେ ଏ ଗୀର,
‘‘କୁସଂସ୍କାର’’ ଏ ଦୁଷ୍ଟର ନାମ, ଅଟେ ଏହୁ
ଅତୀବ ଦୁର୍ଦ୍ଧର୍ଷ, ଦୁଷ୍ଟ ବାନ୍ଧି ସମାଜର
ହସ୍ତପଦ ଦୃଢ଼ପାଶେ, କରିଦିଏ ତାକୁ
ନୈତିକ ବଳବିହୀନ, ଛନ୍ଦି ପୁଣି ନାନା-
ଦେଶାଚାରରୂପୀ ଲୌହ ନିଗଡ଼ ଶୃଙ୍ଖଳେ
ନିକ୍ଷେପେ ନେଇଣ ଘୋର ଅବନତି-କୂପେ ।
ଅନନ୍ତର ଉଭା ହୋଇ ଅନୈକ୍ୟ ସେକାଳେ,
ବୋଇଲା ସକଳ ମିତ୍ରେ ସମ୍ବୋଧି ଏସନ,-
ଶୁଣ ଭ୍ରାତୃଭଗ୍ନୀଗଣେ ମୋହର ପ୍ରସ୍ତାବ,
ଉପସ୍ଥିତ ହେଲେଣି ତ ସକଳ ବନ୍ଧୁଏ,
କିପାଇଁ ବିଳମ୍ବ ତେବେ ସ୍ୱକାର୍ଯ୍ୟ ସାଧନେ ?
ଉଠ ସର୍ବେ ଉଠ ଏହି ଶୁଭ ମୁହୂର୍ତ୍ତରେ ।
ତହୁଁ ଉଠିଣ ସକଳେ, ଗର୍ଜି ଘୋର ରବେ,
ଧାଇଁ ଯାଇ ଆକ୍ରମିଲେ ଚଉପାଶୁଁ ଖରେ
ଉତ୍କଳମାତାଙ୍କୁ, କେହି ଚଢ଼ିଲା ମସ୍ତକେ
କେହି ବନ୍ଧପରେ, କେହି ବିମର୍ଦ୍ଦିଲା ଅବା
ବକ୍ଷେ ଚଢ଼ି ଛାଡ଼ି ରଡ଼ି ରଗଡ଼ି ଦଶନ ।
ସେ ଗୁରୁ ଚାପନେ ଦେବୀ ଡ଼ାକି ପରିତ୍ରାହି,
ବିଳପିଲେ ସକରୁଣେ ମର୍ମଭେଦୀ ସ୍ୱରେ,-
‘‘ହା ପୁତ୍ରେ ! ଦେଖ ରେ ଭଲା ମୋର ଏ ଦୁର୍ଦ୍ଦଶା
ଅସହ୍ୟ, ଦାରୁଣ, ସ୍ମର ଭଲା ମନେ ଥରେ
ମାତୃ-ଉପକାର, ସର୍ବେ ମୋହଯୋଗୁଁ ସିନା
ଧରିଣ ସ୍ଥୂଳ ଶରୀର ରହିଛି ଜୀବନେ ?
ପୋଷୁଛି ମୁଁ ତୁମ୍ଭ ତନୁ ନିଜ ତନୁ ବ୍ୟୟେ,
ହାଣୁଛ ପିଟୁଛି ପୁଣି ପୋଡ଼ୁଛି ସତତ
ମୋତେ, କ୍ଷେପୁଛି ଅମେଧ୍ୟ କେତେ ମୋ ଉପରେ
ପୁଣି, କେତେ ବା ବକ୍ଷରେ ମୋର କରୁଅଛ
ମଳମୁନ ତ୍ୟାଗ, ମାତ୍ର ସେ ସକଳ ମୁହିଁ
ସହିଅଛି ଅକାତରେ, ଆଚରିଣ କ୍ଷମା
ପୁତ୍ର ବୋଲି, କିନ୍ତୁ ହାୟ ! ପାଷାଣେ କି ଗଢ଼ା
ତୁମ୍ଭ ହଆ, ନ ଦେଖ ରେ ମୋ ଯାତନା ବାରେ
ନେତ୍ରସତ୍ତ୍ୱେ, ଅନ୍ଧପ୍ରାୟ, ହା ! କି ଦୁର୍ବିପାକ !
କେଉଁ ପାପେ ନିହିଥିଲା ବିହି ମୋ କପାଳେ
ଏହା ହୋଇ ଆର୍ଯ୍ୟମାତା ମୁହିଁ, ହେବି ହାୟ,
ଆର୍ଯ୍ୟ ସତ୍ତ୍ୱହୀନା ! ପୁଣି ଭୁଞ୍ଜିବ ଲାଞ୍ଛନା
ମହାଦୁରାଚାରୀ ଏହି ପାପୀଙ୍କ ହସ୍ତରେ !
ହାୟ ପୁତ୍ରେ ! ଚିରୋଜ୍ଜ୍ୱଳ ବଦନ ମୋହର
କଳଙ୍କକାଳିମାଯୁକ୍ତ ଏବେ ତୁମ୍ଭ ଦୋଷେ !
ତୁମ୍ଭ ଦୋଷେ ସିନା, ହାୟ ଜୀବନ୍ମୃତା ମୁହିଁ !
ମୋହୋ ପୁତ୍ର ହୋଇ ହେଇ ଏଡ଼େ ଅଭାଜନ-
ସର୍ବେ ତୁମ୍ଭେ, ଜାତ ହୋଇ ଶୁକବଂଶେ, ଅହୋ
ଆଚରିଲ ଅମାପ୍ରୟ ଉଲୁକ ବେଭାର !
ହିତୈଷିଣୀ ଜନନୀର ନିରେଖି ଦୁର୍ଗତି,
ନିଶ୍ଚିନ୍ତ ସକଳେ ଅଛ, ହାୟ, ଏହି କି ରେ
ଅଟେ ତୁମ୍ଭ କୃତଜ୍ଞତା, ମାତୃବତ୍ସଳତା !’’
ଏସନ ବିଳସି ଦେବୀ ହେଲେ ଅଚେତନ ।
ଦେଖିଣ ମୂର୍ଚ୍ଛିତା ତାଙ୍କୁ ପରମ ଉଲ୍ଲାସେ
ବଜାଇ ବିଜୟ-ବାଦ୍ୟ ଦୁଷ୍ଟ ରିପୁଚୟେ,
ଯେ ଯାହା ଗନ୍ତବ୍ୟ ସ୍ଥାନେ ହେଲେ ପ୍ରତ୍ୟାଗତ ।