ସପ୍ତର୍ଷି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
କି ଅଦ୍ଭୁତ ତପୋବଳ ତୁମ୍ଭର ସପ୍ତର୍ଷି,ଜ୍ୟୋତିଷ୍କ ସ୍ୱରୁପ ଧରି ଅଛି ଶୂନ୍ୟେ ବସି ।ଧ୍ରୁବ ପାଶେ ଘୁରୁଅଛ ସର୍ବେ ରାତ୍ରିଦିନ,କରନ୍ତି ଭାସ୍କର ଯଥା ମେରୁ ପ୍ରଦକ୍ଷିଣ ।ଉଗ୍ର-ତପ ସାଧି ଧ୍ରୁବ ନିବସନ୍ତି ସ୍ୱର୍ଗେ,ବୃଦ୍ଧି ଲଭେ ଧର୍ମଭାବ ଧାର୍ମିକ-ସଂସର୍ଗେ ।କରିଥିଲ ଏ ଭାରତେ ଗୁଣେ ସମୁଜ୍ଜ୍ୱଳ,କରୁଛ ପ୍ରଭାରେ ଦୀପ୍ତ ଏବେ ଖ-ମଣ୍ଡଳ ।ତୁମ୍ଭର ପବିତ୍ର ଜ୍ୟୋତି ପୁଣ୍ୟର ନିଦାନ,ସାଧୁଅଛି ଧରଣୀର ଅସୀମ କଲ୍ୟାଣ ।ତବ ମାତୃଭୂମି ଏବେ ଘୃଣିତା ପତିତା,କର ତୁମ୍ଭ ଭାବେ ତାକୁ ସୁଅନୁପ୍ରାଣିତା ।ହେଉ ଜ୍ୟୋତିର୍ମୟୀ ସେହୁ ଲଭି ସମୁନ୍ନତି,ଦିବ୍ୟ ପ୍ରଭାବତୀ ଯଥା ସତୀ ଅରୁନ୍ଧତୀ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ