ରୋଗ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ଦ୍ୱିତୀୟ ଭାଗ)
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୩
- ସ୍ଥିତି
- ସାର୍ବଜନୀନ (Public domain)
ଯେଉଁ ପଦ କରୁଥିଲା ସଦା ବିଚରଣ,ପର୍ବତଶିଖରଦେଶ ବନ ଉପବନ ।ଶତକ୍ରୋଶକୁ ଯେ ପଦ ପଦଜ୍ଞାନ କରେ,ପାଦକ ସହସ୍ରକ୍ରୋଶ ଆଜି ତା ପକ୍ଷରେ ।ଯେ ପଦ ଗମନ କରେ କାଶୀ, ପେଶୋଆର,ସେ ପଦ ଆଜି ନ ଯାଏ ଘରର ବାହାର ।ଯେଉଁ ପଦ ବୁଲି କରୁଥିଲା ତୀର୍ଥାଟନ,ସେ ପଦ କିପାଁଇ ଆଜି ହୁଏ ଅଚଳନ ।ଆହା ରୋଗ ହେତୁ ପଦ ଅଟେ ଏ ପ୍ରକାର,କି କରି ନ ପାରେ ଏହି ରୋଗ ଦୁରାଚାର ।ଯେ ହସ୍ତେ କଠିଣ କାର୍ଯ୍ୟ ହୁଏ ସମାଧାନ,କେତେ ଶତ୍ରୁଙ୍କୁ ଯେ ଦେଇଥିଲା ଅପମାନ ।ଅସଂଖ୍ୟ ପ୍ରକାର ଶିଳ୍ପକାର୍ଯ୍ୟର କୌଶଳେ,ଧନ୍ୟବାଦ ମିଳେ ସଦା ପୁଣି ଯାହା ବଳେ ।ଅତି ଅସାଧ୍ୟ ସାଧନ ଯେ ହସ୍ତ କରଇ,ଆଜି ସେ ଅବଶ ହୋଇ କାହିଁ ନ ଚଳଇ ।ଆହା ରୋଗ ହେତୁ ହସ୍ତ ଅଛି ଏପ୍ରକାର,କି କରି ନ ପାରେ ଏହି ରୋଗ ଦୁରାଚାର ।ଯେଉଁ ଚକ୍ଷୁ ଦେଖୁଥିଲା ପ୍ରକୃତିର ଶୋଭା,ସାଗର ପର୍ବତ ବନ ଆଦି ମନୋଲୋଭା,ନଦୀ, ସରୋବର, ହ୍ରଦ ତଡ଼ାଗ ନିକର,ମନୋରମ ଦେବାଳୟ ଅଟ୍ଟାଳିକାଘର ।ଚନ୍ଦ୍ର ସୂର୍ଯ୍ୟ ତାରାଗଣ ଗଗନମଣ୍ଡଳ,ଦର୍ଶନ ଯେ କରୁଥିଲା ସକଳ ନିର୍ମଳ ।ଅତିକ୍ଷୁଦ୍ର କୀଟ ଜୀବ ରେଣୁ ଆଦି କରି,ଯେ ଚକ୍ଷୁ ଦର୍ଶନ କରେ ସବୁ ବାରି ବାରି ।ସେ ଲୋଚନ ପକ୍ଷେ ଆଜି ଜଗତ ଅନ୍ଧାର,କି କରି ନ ପାରେ ଏହି ରୋଗ ଦୁରାଚାର ।ଯେ କର୍ଣ୍ଣ ଶୁଣିଛି କେତେ ବେଦାଦି ପୂରାଣ,ଅତିଅଳ୍ପ ସ୍ୱର ଯାକୁ ନୁହଇ ଗୋପନ ।ଯେଉଁ କର୍ଣ୍ଣ ବିପଣୀରେ ଶୁଣଇ ବଚନ,ସେ କର୍ଣ୍ଣ ନ ଶୁଣେ ଆଜି ମହା ବଜ୍ରସ୍ୱନ ।ଅତି ଗୋପନରେ ଯେହୁ ଶୁଣଇ ମନ୍ତ୍ରଣା,ସଙ୍ଗୀତଶାସ୍ତ୍ରର ନାନା ସ୍ୱର ଯାକୁ ଜଣା ।ବଧିର ହୋଇଛି ଆହା ସେ କର୍ଣ୍ଣ ସୁନ୍ଦର,କି କରି ନ ପାରେ ଏହି ରୋଗ ଦୁରାଚାର ।ଯେଉଁ ନାସା ଘେନୁଥିଲା ବହୁତ ଆଘ୍ରାଣ,ଅତର କର୍ପୂର ଆଦି ସୁଗନ୍ଧ ଚନ୍ଦନ ।ଚମ୍ପକ ମଲ୍ଲିକା ଜାତି ଯୂଈ ନାଗେଶ୍ୱର,ମରୁଆ ନିଆଳୀ ଆଦି ସୁଗନ୍ଧ ପୁଷ୍ପର ।ସେ ନାସା ପକ୍ଷରେ ଆଜି ଆଘ୍ରାଣତ ଭାର,କି କରି ନ ପାରେ ଏହି ରୋଗ ଦୁରାଚାର ।ଯେଉଁ କଣ୍ଠ କରୁଥିଲା ମଧୁର ସୁସ୍ୱନ,ଶୁଣି ବିମୋହିତ ହେଉଥିଲେ ମୁନିଜନ ।ନାନାରୂପ ଗୀତ ଛାନ୍ଦ ରାଗିଣୀ ସହିତ,ଗାନ କରୁଥିଲା ସବୁ କରି ନିରୂପିତ ।ଆଜି କରୁନାହିଁ କଣ୍ଠ କାହିଁ ପାଇଁ ସ୍ୱର,କି କରି ନ ପାରେ ଏହି ରୋଗ ଦୁରାଚାର ।ନାନା ସ୍ୱାଦ ଭୋଗ କରୁଥିଲା ଯେ ରସନାତାକୁ କିପାଁ ହୋଇଅଛି ଆଜି ସବୁ ମନା ।ଶ୍ରୀମଣ୍ଡା ଖଇରଚୁର ଶ୍ରୀକର୍ପୂରକେଳି,ସନ୍ଦେଶ ଲାଲମୋହନ କୋରା ସରପୁଳି ।ମୋହନଭୋଗ ମିଠାଇ ସୁମଧୁର ଗଜା,ସୁପକ୍ୱ ରସାଳ ରମ୍ଭା ଯାର ନିତି ପୂଜା ।ସେ ରସନା ପକ୍ଷେ ଆଜି ସବୁ ତିକ୍ତକର,କି କରି ନ ପାରେ ଏହି ରୋଗ ଦୁରାଚାର ।ଯେଉଁ ଦନ୍ତ କରୁଥିଲା ପ୍ରସ୍ତର ଚର୍ବଣ,କଠିନ ନୁହଇ ତାକୁ ଶ୍ରୀଫଳ ଭକ୍ଷଣ ।ନାନାରୂପ ଫଳ ମୂଳ ଚୂନା କରୁଥିଲା,ଆହା ସୁନା ଦନ୍ତ କିପାଁ ବିମନା ହୋଇଲା ।ସେ ଦନ୍ତେ ଚର୍ବଣ ଆଜି ବଡ଼ କଷ୍ଟକର,କି କରି ନ ପାରେ ଏହି ରୋଗ ଦୁରାଚାର ।ଯେ ଉଦରେ ଗୁରୁପାକ ଦ୍ରବ୍ୟ ପରିପାକ,ମାଂସ ମିଷ୍ଟାନ୍ନ ଯେ ଆଦି ନାନାରୂପ ଶାକ ।ଯେ ଉଦର ଖାଦ୍ୟଦ୍ରବ୍ୟ ଗଣନା ନ କରେ,ଆଜି ମହାରଣ ପୁଣି ତାହାର ମଧ୍ୟରେ ।ଘୁଘୁ ଶବ୍ଦେ ଉଦର ଯେ ଚମକି ପଡ଼ୁଛି,କି କାର୍ଯ୍ୟକୌଶଳ ତହିଁ ଭିତରେ ହେଉଛି ।କେତେ କଷ୍ଟ ହେଉଅଛି ଘେନି ଏ ଉଦର,କି କରି ନ ପାରେ ଏହି ରୋଗ ଦୁରାଚାର ।୯।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ