ରାଜଜେମାର ଗୀତ
ଗଣକବି · ୧୮୮୨–୧୯୫୬
- ସଂକଳନ: ଜୟନ୍ତ-ଜୟପାଳ ସୁଆଙ୍ଗ
- ପଢ଼ିବା ସମୟ
- ୧୦ ମିନିଟ୍
- ଶବ୍ଦ
- ୧୫୬୯
- ସ୍ଥିତି
- ସାର୍ବଜନୀନ (Public domain)
[କାହା ଭାବେ ମଜ୍ଜି ଆଜି – ବୃତ୍ତେ]
ପରତେ ନ ଥିଲା ଦାସୀ ମନରେ ଫଡ଼ିବ । ସତେ ପ୍ରାଣପତି ସଙ୍ଗେ ମୋ ଅଙ୍ଗ ଜଡ଼ିବ ।ପଦ । କରତେ ନିରତେ ହୃଦୟକୁ ମାର, ନ ଥିଲା ଜୀବନ ଜିଇ ରହିବାର । ଚିନ୍ତିଥିଲି ଦୁଃଖସ୍ରୋତ ମୋ ନାବ ବୁଡ଼ିବ ।୧। କର ଧରି ମୋତେ ଅନ୍ତର କରିଲ; ଜୟପାଳ ସଙ୍ଗେ ବିହରିଲ । ଅଭାଗିନୀ କାଳେ କାନ୍ତ ବୋଲ ନ ଏଡ଼ିବ ।୨। ରାସରସସୁଖ ସଂସାରର ସାର, ସାର ବେଗେ ତାହା ହେ ରସିକବର । ବଇ ବୋଲେ, ପ୍ରୀତି କୀର୍ତ୍ତି ଜଗତେ ଉଡ଼ିବ ।୩।
ରାଜବାଟୀ ପ୍ରାଚୀର ପାଖେ ଚମାର ପ୍ରବେଶ[ଆସ ଆସ ବରଜ କାମିନୀ – ବୃତ୍ତେ]
ଲଣ୍ଡଭଣ୍ଡ କରି ଖଣ୍ଡବଚନା ଯା’ ମୋତେ ଭଣ୍ଡି ଦେଲା ରେ । ଚାରିଦଣ୍ଡ ହେବ ବସିଲି ଅନାଇ ଘେନାଇ ଆସିବ କହିଥିଲା ରେ ।ପଦ । ନିଜ ପତି ପ୍ରୀତିରେ ଜଡ଼ି; ମୋତେ ମନୁ ଗଲା କି ହୁଡ଼ି । ପିଇ ତାଡ଼ି ନିଶା ଗାଢ଼ ପ୍ରେମ ଆଶା ଯୋଷାମଣି ଯାହା ଖଣ୍ଡି ଦେଲା ରେ ।୧। ଏ ପିଣ୍ଡାର ପାଚିରି ପାଖ, ଚରଦିନ ଏଠାକୁ ଠିକ । କି କଲା ଚାଣ୍ଡାଳୀ ଅଣ୍ଡାଳି ଅଣ୍ଡାଳି ମଲି ପଟା ଏଥେ କାଣ୍ଡି ଦେଲା ରେ ।୨। (ତେଣେ) ଲୋଡ଼ୁଥି ଭାରିଯା ରାଣ୍ଡୀ, ଚୁଲାପରେ ଚଢ଼ାଇ ହାଣ୍ଡି । କାଣ୍ଡିରୁ ତଣ୍ଡୁଳ ଦେଇ ଆସିଥିଲେ, ବଇ ବୋଲେ, ସେ କି ଭଣ୍ଡୁଥିଲା ରେ ।୩।
ଚମାରୁଣୀର ପ୍ରବେଶ ଓ ଉକ୍ତି- ପ୍ରତ୍ୟକ୍ତି ଗୀତ[ସାନୁଜ ନନାକୁ ଡାକ – ବୃତ୍ତେ]ସ୍ତ୍ରୀ – ସାପଖିଆ, ବୋପାର ନାଆଁ, ଦିଶିବ ନାହିଁ ତୁ ଏଣିକି ଆ ଆ ।ପୁ – ଚୁପୁ ଚୁପୁ କରି କହ ଲୋ ଛେଉଣ୍ଡି, ୟାଡ଼କୁ ନ ଆସି ସିଆଡ଼ୁ ଯାଆ ।ପଦ ।ସ୍ତ୍ରୀ – ବସିଅଛି କାହାର ଆଶେ, ରାଜାଘର ପାଚେରି ପାଶେ ?ପୁ – ମୁଉଁ ଯେବେ କଲି ମୋହର କରମ, ତୁ ଦେଖୁନାହିଁ ତୋହର ରାହା ।୧।ସ୍ତ୍ରୀ – ଛାର ତୁ’ଟା ଚମାର ଜାତି, ହୋଇବୁ ପଡ଼ିଥିବୁ ହୋଇ ଉପରମୁହାଁ ।୨।ସ୍ତ୍ରୀ – ଛୁଆପିଲା ଖାଉଡ଼େ ଦେଇ, ଆସଅଛୁ ନାଗର ହୋଇ ।ପୁ – ସମାଳେ ତାହାଙ୍କୁ, ଦବୁ ତୁ କାହାକୁ, ସେତେବେଳେ ମନେ ନ ଥିଲା ଏହା ।୩।ସ୍ତ୍ରୀ – ଏଠୁ ଗଲେ ଛାଞ୍ଚୁଣୀ ବାଡ଼ି, ପିଠିରେ ତୋ ନାଚିବେ ପଡ଼ି ।ପୁ – ଏ ମଜା କି ଆଉ ମିଳିବ ସେଠାରେ, ପଳା ପଳା ଘରେ, ଭାଷେ ବଇୟା ।୪।(ଚମାରୁଣୀ ପ୍ରସ୍ଥାନ)ଚମାର – ଆସିଲା ନାହିଁ କିପାଇଁ ଏତେବେଳଯାଏ ?ଜେମା – (ପ୍ରବେଶି) ଆସିଲିଣି ନାଥ, କିଛି କର ନାହିଁ ଭୟ ।ଚମା – କିପାଇଁ ଚାଣ୍ଡାଳୀ ଏତେ କରୁ ଆଜି ଡେରି ?(ପୃଷ୍ଠେ ଲାଠି ପାହାର)ଜେମାର– ମାର ନାହିଁ ଆଉ ଶୁଣ କାରଣ ତାହାରି ।[ଆଗୋ ଯମୁନା ଯିବ କେ – ବୃତ୍ତେ]
ପତି ଆସିଛନ୍ତି ବହୁଦିନ ପରେ । ଲୋକ ଅପବାଦେ ଡରିବାରୁ ଏତେ ହେଲା ଡେରି । କୋପ ଆଉ ନ ବହ ମୋ ପରେ ।ପଦ । ଥିଲି ତାଙ୍କ କତି ନିଦ୍ରା ଘୋଟନ୍ତେ ତାହାଙ୍କୁ, ତୁମ୍ଭ ପ୍ରେମ ହେଜି ଆସିଲାଇଁ ତେଜି । ଫିଙ୍ଗନାହିଁ ଜଞ୍ଜାଳ କୂପରେ ।୧। ତୁମ୍ଭ ଆମ୍ଭ ପ୍ରୀତି ରହିଅଛି ଚିରକାଳ; ରହି କିଛି ଦିନ ଯିବେ ସେ ଭବନେ । ମୂରୁଛି କି ରହିବେ ବାପରେ ।୨। ପ୍ରେମ ଜାଣେ ନାହିଁ ଉଚ୍ଚ ନୀଚ ବଡ଼ ସାନ; ତାହା ଅନୁଭବ କରିଛି ଯେ ଲାଭ, ବଇ କହି ଲାଗିଛି ଥୋପରେ ।୩।
(ଚମାରର ଗୀତ)
ପଡ଼ିଲାଣି ଜଣା, ପଡ଼ିଲାଣି ଜଣା । ହୁଡ଼ିଲୁଣି ବାଟ ହୋଇ ବଣା ।ପଦ । ଆସି ନିଜ ପତି, ତୋଷିଲା ତୋ ମତି । ଶୋଷାଇଲା ପ୍ରେମଛଣା ପଣା ।୧। ଆଉ ଠକାଠକି, ନ ହେବ ଏଣିକି । ମଣନା ତୁ ମୋତେ ଦିନକଣା ।୨। ମନରଖା ବାଣୀ, ନ ଶୁଣା ରମଣି ! ନ କରିବୁ ତିଳେ ମନ ଊଣା-।୩। କହୁଛି ଉପାୟେ, ବଇଷ୍ଣବ କହେ । ଯିବ ସବୁ ଭୟେ ଦିଅ ହଣା ।୪।
ଚମାର – ଜେମା, ଯେବେ ତୋର ମୋର ପ୍ରୀତି ରହିବ; ତେବେ ଏ କଟୁରି ଧରି ଯା, ତୋର ସ୍ୱାମୀ ବେକରେ ଦେ ଏକ ଚୋଟ, ତହୁଁ ସବୁ ମେଣ୍ଟିଯିବ ପଟାପଟ, ଏ କଟୁରି ମୋର ଗଛକଟା, ମାରିଦେଲେ ଛିଡ଼ିଯିବ ଏକା ବଟା ।
ରାଜଜେମା କଟୁରି ହସ୍ତେ ପ୍ରସ୍ଥାନ – ଜୟପାଳର ଗୀତ[ସେ ମୋତେ ବରିଛି ପ୍ରାଣଧନ – ବୃତ୍ତେ]
ଅବିଶ୍ୱାସୀ ନାରୀ କୁହନ୍ତି କାହାରି, ଆଜି ଦେଖିଲି ମୁଁ ତାଙ୍କ ରୀତିକି । ନୀଚ ଜାତି ସଙ୍ଗେ ମାତି ରସରଙ୍ଗେ, ନାଶୈବାକୁ ଯାଏ ନିଜ ପତିକି ।ପଦ । କୁଳ–ଧରମ ମରମ ନ ବୁଝିଲା ନ କରିଲା, ତାର ସ୍ଥିର ମତିକି । କରି କି ଦୁଷ୍କୃତ ହରିଛି ସୁକୃତ, ବରୁଛି ତ ନିଜ ଜନ୍ତୁପତିକି ।୧। ସଖା ପ୍ରାଣରକ୍ଷା ଦୀକ୍ଷା ବହି ମନେ, ନ ଭାବିଲା ତିଳେ ଲାଭକ୍ଷତିକି । ଲୁଚଇ କି ପାପ ଯେତେ କଲେ ଗୋପ୍ୟ, କଳା କରିଦିଏ ଧଳା କାନ୍ତିକି ।୨। ବିଳମ୍ୱରେ କାଳ ହେବଟି ବିଫଳ, ପାଞ୍ଚିବାର ବେଳ ନାହିଁ ଏଥିକି । ବଇଷ୍ଣବ କହି, ଆଜିଠାରୁ କେହି ବିଶ୍ୱାସ ନ ଯିବ ପତିଘାତୀକି ।୩। (ପ୍ରସ୍ଥାନ)
(ଜେମା ଜୟନ୍ତ ବେକେ କଟୁରି ଆଘାତ ଓ ପଛରୁ ଜୟପାଳର ପ୍ରବେଶ)ଜୟପାଳର – ଓଃ. କି କଲା ପାପିଷ୍ଠା ରମଣୀ,ଆସୁ ଆସୁ ପକାଇଲା ହାଣି;ନ ପାରିଲି ରକ୍ଷାକରି ସଖାପ୍ରାଣ ମୋର ।ପ୍ରାଣପକ୍ଷୀ, ସଖା ସଙ୍ଗେ ତେଜି ଯା’ରେ ଏ ଦେହପଞ୍ଜର ।ଜେମା – (ହଠାତ୍) କେ ଅଛ ହେ, ବେଗେ ରକ୍ଷାକରକାହୁଁ ଆସି ଖଣ୍ଟ ପାମର,କାଟିଦେଲା ମୋର ପତି ଶିର ।ଦୂତ ଦେଖି ଯୁବରାଜଙ୍କୁ ଜଣାଇବା ଗୀତ[କଂସ ଆଜ୍ଞାରେ ଡଗର – ବୃତ୍ତେ]
ଧାଇଁଆସ ଯୁବରାଜ, ହୋଇଛି ଆଶ୍ଚର୍ଯ୍ୟ କାର୍ଯ୍ୟ, ଜେମାବାସେ ପଶି ଏକ ଖଣ୍ଟ । ଜେମା ଛାଡ଼ୁଅଛି ହୁରି, ଧରି ତା କରେ କଟୁରି; ଜୋଇଁ ବେକେ ମାରିଦେଲା ଚୋଟ ।୧। ରକତେ ଜର୍ଜର ଘର, ମୁଣ୍ଠଗଣ୍ଡି ଦୁଇଧାର, ନାଛଇ କବନ୍ଧ ବନ୍ଧ ତଳେ । ପତିଶାସ୍ତି ନେତ୍ରେ ଦେଖି ଧଇର୍ଯ୍ୟ ନ ପାରି ରଖି ଜୀବନ ତେଜିବ ଜେମା ବଳେ ।୨। ଦେଖୁ ଦେଖୁ କେତେ ସୁଖ ସାରିଲା ଖଣ୍ଟ, ମୂରୁଖ ଅଯଶ ଘୋଷିବ ଦେଶେ ଦେଶେ । ଜେମାମଣି ହେବେ ରାଣ୍ଡ କାଳକ କୋଡ଼ିବେ ମୁଣ୍ଡ, ବିପ୍ର ବଇଷ୍ଣବ ରସେ ଭାଳେ ।୩।
ଯୁବରାଜ ଜେମାପାଶେ ପ୍ରବେଶ – ଗୀତ[ଖେଳନ୍ତି ଯମୁନା କୂଳେ – ବୃତ୍ତେ]
ପାଜିର ଏତେ ସାହାସ, କଲା ନାଶ ।ପଦ । ଚିତ୍ତରୁ ଦକା ଛାଡ଼ି ପକୟା ହାତେ ବେଢି, ହିତ ନ ବୁଝିଲା ଲେଶ ।୧। ପଶିଛି ଜେମା ଆଳେ, କ୍ଷମା ନାହିଁ କପାଳେ, କଲା ଅସୁମାର ଦୋଷ ।୨। ବରି ମଣିଛି ଯେଣୁ, ସରିବି ଲାଜେ ତେଣୁ । ମରଣୁ ବଳିଲା କ୍ଳେଶ । ପରାଣଦଣ୍ଡ ଲାଭ; କାରଣ ୟାର ହେବ; ବୈଷ୍ଣବ ଚରଣ ଭାଷ ।୪।
ଜୟପାଳ ଯୁବରାଜ ପ୍ରତି –ଗୀତ[ଦଇବରେ ଏଡ଼େ ଦାରୁଣ – ବୃତ୍ତେ]
ଯୁବରାଜ, ବାରେ ରଖ ମୋ ଅରଜ । ପରାଣଦଣ୍ଡ କାରଣେ ହୋଇଛି ମୁଁ ସଜ ।ପଦ । ଦୋଷୀକୁ ଦଣ୍ଡ ବିଚାର, ଜେମାଙ୍କୁ ତବ ପଚାର । ସତ ବ୍ୟକ୍ତ କରନ୍ତୁ ସେ ତେଜି ମନୁ ଲାଜ ।୧। ନୀଚ ଚମାର ସହିତ, ତା ପ୍ରେମେ ହୋଇ ମୋହିତ । ସେ ଯୋଗେ ନାଶିଲେ ପ୍ରାଣ ମୋ ମିତ୍ରରେ ଆଜ ।୨। ଦେବି ପ୍ରମାଣ ଏହାର, କନ୍ୟାର ପୃଷ୍ଠେ ପ୍ରହାର । ଚିହ୍ନ ରହିଥିବ ଝୀନବସନ ବରଜ ।୩। ସେ ପାମର ଗଛକଟା, ଅସ୍ତ୍ର ଅଟେ ଏହି ଗୋଟା । ସନ୍ଦେହ ତୁଟାଇ ମୋତେ ଦିଅନ୍ତୁ ଖାରଜ ।୪। ସଖା ପ୍ରାଣ ରକ୍ଷା ଆଶେ, ପଶିଲି ଆସି ଏ ବାସେ । ରଖି ନ ପାରିଲି ଭାଷେ ବଇଷ୍ଣବ ଦ୍ୱିଜ ।୫।
ଜୟପାଳ – ଯୁବରାଜ ! ମୋର ନାମ ଜୟପାଳ, ଏହାଙ୍କ ଦୁଃଖେ ମୋର ଆଜି ଏ ସନ୍ନ୍ୟାସ ବେଶ । ଚମାର ସହିତ ଜେମାର ଗୁପ୍ତମନ୍ତ୍ରଣା ମୁଁ ଗୋପନରେ ରହି ସମସ୍ତ ଶୁଣିଛି, କଣ କରିବି, ଦୁର୍ଭାଗ୍ୟବଶରୁ ମିତ୍ରର ପ୍ରାଣ ରଖି ପାରିଲି ନାହିଁ । ହା ମିତ୍ର ଜୟନ୍ତ, ମୋତେ ଆଜି ଅନନ୍ତ କଷଣରେ ଫିଙ୍ଗି ତୁମ୍ଭେ ଶାନ୍ତିଧାମକୁ ଚାଲିଗଲ । ଯୁବରାଜ ! ଯେ ଯେ ସଙ୍କେତ କହିଲି, ତାହା ଛାମୁ ସ୍ୱଚକ୍ଷୁରେ ଦେଖନ୍ତୁ । ଆପଣଙ୍କ ପ୍ରାଚୀର ପାଖରେ ଏ ଘଟଣା; ଚମାର ସେଠାରେ ଏ ପର୍ଯ୍ୟନ୍ତ ରହିଛି । ମିତ୍ରର ମଧୁର ଭାଷ ଶୁଣିବାକୁ ମୁଁ ଗୋପନରେ ବସିଥିଲି, ଜାଣିପାରୁଛି ସେ ନୃଶଂସ ସହିତ ଆଗରୁ ଜେମାର ପାପପ୍ରଣୟ ଥିଲା । ମୋର ପ୍ରମାଣ ଗ୍ରହଣକରି କ୍ଷମା ଦେବାର ବିହିତ ହୁକୁମ ସାଦର ହେଉ ।
ଯୁବରାଜ ସମସ୍ତ ନିଦର୍ଶନ ଦେଖି – ଗୀତ[ମୋତେ କାହିଁକି ଡକରା ହେଲା – ବୃତ୍ତେ]
ଦୂତ ବେଗେ ଯା ଜେମାକୁ କର ସୀମା ପାରି । କ୍ଷମା ନ ପାଇବ ତିଳେ ଏ ପାମରୀ ।ପଦ । ନାଶିଲା ଯେ ନିଜ ପତି, ନୀଚ ଜନ ସ୍ନେହେ ମାତି । ଆଉ କେଉଁ କଥା ନ ପାରିବ କରି ।୧। ଚମାରକୁ ଧରି ଶୂଳି, ଦିଅ ଦୂତଗଣେ ମିଳି, କଳଙ୍କ କଳା ଏ ଆମ୍ଭ ରାଜପୁରୀ ।୨। ଜୟପାଳ ଦିଅ ଛାଡ଼ି, ଏ ଦୋଷରେ ନାହିଁ ପଡ଼ି । ପୋଡ଼ିବା ଏ ଶବ ଚାଲ ସର୍ବେ ଘେରି । ଆଗରୁ ଏହାକୁ କାଢ଼, ଚଢ଼ାଅ ବିବିଧ ମାଡ଼ । ବଇଷ୍ଣବ ଯୋଡ଼େ ପଦ ଚିନ୍ତି ହରି ।୪।
ଜୟପାଳ ସଂସ୍କାର ସ୍ଥାନେ ପ୍ରବେଶ – ଗୀତ[ବହୁଦିନ ପରେ ପାଇଛି ହେ ଦେଖା – ବୃତ୍ତେ]
ଆହା ପ୍ରାଣସଖା ଭାଲେ ଥିଲା ଲେଖା ବିଦେଶ ଜେଜିଲ ଅଙ୍ଗ ହେ । ବିନା ଦୋଷେ ମୋତେ ଦୋଷୀ ଅଛ ଯେତେ ନାଶିଲ କେମନ୍ତ ସଙ୍ଗ ହେ ।ପଦ । ଯେବଣ ତନୁରେ ଭାନୁର କିରଣ ଲାଗନ୍ତେ ଦିଶେ ବିଭଙ୍ଗ ହେ । ଆଜି ସେ ଅଙ୍ଗାର ଭସ୍ମ ହୋଇଅଛି ହୁଡ଼ି ପୂର୍ବ ଅନୁରାଗ ହେ ।୧। ଲୋଡ଼ିଣ ପାଇଲି ହାଡ଼ ଚାରିଖଣ୍ଡ ଗୋଟାଇ ରଖିବି ଆଗ ହେ । ମାଳା ପରି ଗଳେ ଲମ୍ବାଇ ବୁଲିବି ତୁଟାଇ ହୃଦୟାବେଗ ହେ । ଏ ଚିତା ବିଭୂତି ଦେହେ ବୋଳି, ହଟାଇବି ବିଚ୍ଛେଦ ତରଙ୍ଗ ହେ । ବଇଷ୍ଣବ ଭାଷ, ତେଜିଲି ଏ ଦେଶ ଘୋଟିବାରୁ ବନ୍ଧ ରୋଗ ହେ ।୩।
ଜୟପାଳ – (ସ୍ୱଗତ) ଦେଖେ, ମୋର ସ୍ତ୍ରୀ ଅନେକ ଦିବସ ହେବ ତାର ପିତାଗୃହେ ରହିଛି । ଏହି ତ ଶେଷ ପରୀକ୍ଷା, ଏଇ ଯେ ମୋର ଶ୍ୱଶୁରାଳୟ । ଶରୀର ପତନ ଅବା ମନ୍ତ୍ରର ସାଧନ ଏହିଠାରୁ ଜଣାଯିବ ।
ଜୟପାଳ ସ୍ତ୍ରୀ ପାଶେ ପ୍ରବେଶ – ଜେମାର ଗୀତନାଥ ଏତିକି ମାଗୁଣି ମୋହର – ବୃତ୍ତେ
ପତି ଯତିବେଶ କହ କାହିଁକି, କାହାନ୍ତି ତୁମ୍ଭର ମଇତ୍ର ଜୟନ୍ତ ସଙ୍ଗେ ସେ କି ଆସିନାହିଁ କି ।ପଦ । ଆଲୋକିତ ପରା ଯାଉଅଛି ଜଣା, ପଥେ ଆସୁ ଆସୁ ହୋଇଲ କି ବଣା । ଊଣା ହୋଇଛି କି ମନର ସରାଗ କହ ତା ପରାଣସହୀ କି ।୧। ବାର ବରଷରେ ମନେପଡ଼ିଲା, ବାଟୁ ପଡ଼ିବା କଣ୍ଟା କେ କାଢ଼ିଲ । ବଢ଼େ ବେଳୁଁ ବେଳ; ଚିନ୍ତା-ନଦୀ ଜଳ ବୁଡ଼ାଇବ ସୁଖ-ମହୀ କି ।୨। ଫେଇ ଭାଷ ମୋତେ ହୃଦୟ ଭାବ, ଜୀବଧବେ ଚାହିଁ ଯାଉ ଏ ଜୀବ, ଜୀବଧନ ବାସେ ଚଳିବି ହରଷେ ତାର ଦ୍ୱିଜ ବଇକି ।୩।
[କହ କହ ବନଲତା – ବୃତ୍ତେ]
ସହି, ନ ସହିବ ମହୀ କହିବି ଯେବେ ସେ କଥା । ଛଡ଼ାଇ ନେଇଛି ବିହି ମିତ୍ରକୁ ମୋ ମନ୍ତ୍ରିସୁତା ।ପଦ । କାଟି ମମ ପ୍ରେମଡୋରେ; ରସିଲେ ଶ୍ୱଶୁରପୁରେ । ଛୁଟିଗଲା ପ୍ରାଣ ତହୁଁ ଦେଇ ଗଲେ ଘୋର ଚିନ୍ତା ।୧। ରାଜଜେମା କଲା ନାଶ; ପୂରାଇବ ବୋଲି ଆଶ । ସେ ଦୋଷେ ଛାଡ଼ିଲା ଦେଶ ଦୂରକଲା ତାର ଭ୍ରାତା ।୨। ସଖା ସନ୍ତାପେ ସନ୍ନ୍ୟାସୀ ସାଜିଛି ରେ ଶଶୀହାସି ! ବିପ୍ର ବଇଷ୍ଣବ ଭାଷି, ଲେଶ ନାହିଁ ଏଥି ମିଥ୍ୟା ।୩।
ମନ୍ତ୍ରୀଝିଅ – ଭୋଜନ କାର୍ଯ୍ୟ ସାରି ନିଦ୍ରାପଲଙ୍କେ ନିଦ୍ରା ଯାଅ । ପଥଶ୍ରାନ୍ତ ହୋଇଛ; ଆଉ ଭାବିଲେ ସଖା କି ଫେରିବେ ?ଜୟପାଳ – ପ୍ରିୟେ, ତୁମ୍ଭେ କାର୍ଯ୍ୟ ସାରି ଶୟନ କର; ମୋର ଆଜି ଉପବାସ; ମୋତେ ନିଦ୍ରା ଢାଙ୍କିଲାଣି ।(ଉଭୟଙ୍କର ଶୟନ, କିଛିକ୍ଷଣପରେ)
ମନ୍ତ୍ରୀଝିଅ – ଆଜି ଦେବୀ ଦୁର୍ଗତିନାଶିନୀ ଦୁର୍ଗାଙ୍କର କଥା ସଫଳ ହୋଇଛି । ସେ ମୋତେ କହିଥିଲେ ବାରବରଷରେ ସ୍ୱାମୀସୁଖ ପାଇବୁ । ପତିଙ୍କୁ ଅତି ଶୀଘ୍ର ନିଦ୍ରା ହୋଇଗଲା, ଏତିକିବେଳେ ଦେବୀଦର୍ଶନରୁ ଯାଇ ଫେରିଆସେ ।
ମନ୍ତ୍ରୀଜେମା ଦୁର୍ଗାଳୟେ ପ୍ରବେଶ – ସ୍ତବ[ଶାରଦେ ସିଂହବାହିନୀ – ବୃତ୍ତେ]
ଭକ୍ତ ଆରତଖଣ୍ଡିକେ ମା ଚଣ୍ଡିକେ ।ପଦ । ପ୍ରଚଣ୍ଡ ମାର୍ତ୍ତଣ୍ଡ ଜିଣି, ଶୋଭା ତୋର ନେତ୍ର ବେନି, ରକ୍ତସିନ୍ଦୂରମଣ୍ଡିକେ ।୧। ଚଣ୍ଡମୁଣ୍ଡସଂହାରିଣୀ, ହର-ହୃଦୟହାରିଣୀ, ଦୁଷ୍ଟ ଦାନବଦଣ୍ଡିକେ ।୨। ଲିପ୍ତ ଚାମଣ୍ଡାଗଣେ, ମୁକ୍ତ ତୋ ଅନୁକ୍ଷଣେ, ତୃପ୍ତ ଛାଗଳ-ଗଣ୍ଡିକେ ।୩। ବଇଷ୍ଣବ ବଇରୀ, ବିନାଶ ଖଡ୍ଗ ଧରି, ମହିଷାସୁରଭଣ୍ଡିକେ ।୪।
ମନ୍ତ୍ରୀଝିଅ – ମାଭୈ ଭୀମକେଶା, ଅପରାଧ କନ୍ୟାରକ୍ଷମାକରମା’ ! ଏହି ଅଭାଗିନୀର ରସ ରେ ଭରସାକେବଳ ତୋର ପଦ । ପଳାଉ ମୋ ସମସ୍ତ ଆପଦ ।ଦୁର୍ଗାଙ୍କର ଉତ୍ତର – ଗୀତ[ମେଲାଣି କରରେ ନନ୍ଦ ଆନନ୍ଦରେ ବୃତ୍ତେ]
ଯାଅ ରେ ନାଗରୀଗୋରୀ ପୂରିଛି ପୂର୍ବ-କାମନା । ସ୍ୱାମୀ ସଙ୍ଗେ ରଙ୍ଗେ କାଳ କାଟ ରେ ଗଜଗମନା ।ପଦ । ବରବରନା ହରଷେ, ପାଇଲୁ ବାରବରଷେ, ହାର ପରକାର ଗଳେ ଭରି ଥିବୁ ରେ ସୁମନା ।୧। ବାମା ଘେନ ଏହି ବର, ତୋହର ଯେ ବାମକର । କାଣୀ ଅଙ୍ଗୁଷ୍ଠିରେ ସୁଧା ରହିଲା ନୁହ ବିମନ ।୨। ମରିଥିବା ଜୀବ ଅଙ୍ଗେ, ବାଜିଯିବ ଯେବେ ବେଗେ । ବଞ୍ଚିବ ସେ ସଙ୍ଗେ ସଙ୍ଗେ ନ ମାନିବ ବିହି ମନା ।୩। ନ ବାଧିବ ଭୋଜ ଶୋଷ, ଯା ଯା ଜେମା ପତି ପାଶ, ବିପ୍ର ବଇଷ୍ଣବ ଭାଷ, ଅସତ ପଥ ଗମ ନା ।୪।
ମନ୍ତ୍ରୀଜେମା ପତିପାଶେ ପ୍ରବେଶ । ଜୟପାଳ ନିଦ୍ରା ନାଶ – ଗୀତ[କେଡ଼େ ଗେଲେ ଗେଲେ ଝୁଲେ ଫୁଲ – ବୃତ୍ତେ]
ମଠା କଥାରେ ମୋହି ଏ ଖଟେ ଯାଉଛୁ ଶୋଇ । ହଟକରି ଶଠ, ପ୍ରେମେ ଦୁଷ୍ଟ ହେଲୁ ରେ ବାଇ ।ପଦ । ତୁମ୍ଭ ନାରୀଜାତିଟା, ଏଡ଼େ ପତିଘାତିଟା, ଖଟା କରିପାର ଘଣ୍ଟାକରେ ସମସ୍ତ ମହୀ ।୧। ମୁଠା ଭିତରେ ଭରି, ଜୀବ ନେବ ଓଟାରି, ବାକ୍ୟକଟାଉରେ ଭଣି କୀଟ କଣ୍ଟକ ହୋଇ ।୨। ପଟାପଟି ନ କର, ହଟା ସଂଶୟ ମୋର, ଅଙ୍ଗ ଭାବନା ଭାବନା ରସେ ଭାଷଇ ବଇ ।୩।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ