ପ୍ରଭୁପରାୟଣତା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୪
- ସ୍ଥିତି
- ସାର୍ବଜନୀନ (Public domain)
ଏକାଦ ୟୁରୋପର ଅନ୍ତର୍ଗତ ଅଷ୍ଟ୍ରିଆ ଦେଶର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଆପଣାର ସ୍ତ୍ରୀଙ୍କ ସହିତ ଶକଟରେ ବସି ରାଜଧାନୀ ଅଭିମୁଖରେ ଯାତ୍ରାକରୁଥିଲେ । ତାହାଙ୍କ ପଛେ ପଛେ ଜଣେ ଭୃତ୍ୟ ଅଶ୍ୱପୃଷ୍ଟରେ ଆରୋହଣ କରି ଯାଉଥିଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଅରଣ୍ୟପଥରେ ଯାତ୍ରାକରୁଥିବା ସମୟରେ କେତେଗୁଡ଼ିଏ ବ୍ୟାଘ୍ର ଭୀଷଣ ଗର୍ଜନ କରି ତାହାଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଧାବମାନ ହେଲେ । ସମସ୍ତଙ୍କର ପ୍ରାଣହାନିର ଆଶଙ୍କା ଦେଖି ସେ ପ୍ରଭୁଭକ୍ତ ଭୃତ୍ୟଟି ପ୍ରଭୁଙ୍କୁ ଜଣାଇଲେ, ‘‘ଯଦି ଅନୁମତି ଦେବେ, ତାହାହେଲେ ଏ ଅଶ୍ୱଟି ଛାଡ଼ିଦେବି ଏବଂ ମୁଁ ଶକଟର ପୃଷ୍ଠଭାଗରେ ବସିଯିବି । ବ୍ୟାଘ୍ରମାନେ ଅଶ୍ୱକୁ ଆକ୍ରମଣ କରି ହତ୍ୟାକରିବା ସମୟରେ ଦ୍ରୁତବେଗରେ ଶକଟ ଚାଳନ କଲେ ନଗରର ନିକଟବର୍ତ୍ତୀ ହୋଇପାରିବା ।’’ପ୍ରଭୁ ଏଥିରେ ସମ୍ମତ ହେବାରୁ ଭୃତ୍ୟ ସେହିପରି କଲେ । ଅଶ୍ୱଟିକୁ ପ୍ରାପ୍ତ ହେବାମାତ୍ରେ ସେ ହିଂସ୍ରଜନ୍ତଚମାନେ ଭୀଷଣ ଗର୍ଜ୍ଜନ ସହ ଆକ୍ରମଣ କରି ଖଣ୍ଡ-ବିଖଣ୍ଡ କରି ପକାଇଥିଲେ ଏବଂ ତାହାର ହକ୍ତପାନ କରିସାରି ସେହି ରକ୍ତାକ୍ତ ମୁଖରେ ଅଧିକ କ୍ରୋଧରେ ଶକଟ ଅଭିମୁଖରେ ଧାବମାନ ହେଲେ । ଶକଟ ତେତେବେଳେ ଅନେକ ଦୂର ଅଗ୍ରସର ହୋଇଥିଲେହେଁ ନଗର ନିକଟରେ ପହଞ୍ଚି ପାରି ନ ଥିଲା । ଏପରି ସମୟରେ ବିଷମ ସଙ୍କଟ ଦେଖି ସେ ଭୃତ୍ୟ ପୁଣି ପ୍ରଭୁଙ୍କୁ ଏହି କଥା ଜଣାଇଲେ, ‘‘ଯଦି ମୋହର ସ୍ତ୍ରୀ-ପୁତ୍ରଙ୍କୁ ପାଳନ କରିବାକୁ ଆପଣଙ୍କର ଆପତ୍ତି ନ ଥାଏ, ତାହାହେଲେ ମୁଁ ବ୍ୟାଘ୍ରମାନଙ୍କ ସମ୍ମୁଖକୁ ଯିବି । ସେମାନେ ଯେତେବେଳେ ମୋତେ ଆକ୍ରମଣ କରି ହତ୍ୟାକରିବେ, ସେହି ଅବସରରେ ଆପଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ନିରାପଦରେ ନଗରରେ ଉପସ୍ଥିତ ହୋଇପାରିବେ ।’’ ପ୍ରଭୁ ଏ କଥାରେ ପ୍ରଥମେ ସମ୍ମତି ପ୍ରକାଶ କରୁ ନ ଥିଲେ; କିନ୍ତୁ ଯେତେବେଳେ ଦେଖିଲେ ଯେ, ତାହା ନ କଲେ କାହାରି ପ୍ରାଣ ରକ୍ଷା ହେବ ନାହିଁ, ସେତେବେଳେ ଅତିକଷ୍ଟରେ ଅନିଚ୍ଛାସତ୍ତ୍ୱେ ସମ୍ମତି ଜଣାଇଲେ । ଭୃତ୍ୟ ତତ୍କ୍ଷଣାତ୍ ଶକଟରୁ ଅବତରଣକରି ନରରକ୍ତପିପାସୁ ବ୍ୟାଘ୍ରମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ । ତାହାଙ୍କୁ ଆକ୍ରମଣ କରିବା ଅବକାଶରେ ସେହି ଧନାଢ୍ୟ କାଉଣ୍ଟ ପଡ଼ସ୍କି ବେଗରେ ଗାଡ଼ି ଦଉଡ଼ାଇ ନଗରରେ ସସ୍ତ୍ରୀକ ପହଞ୍ଚିଥିଲେ । ଭୃତ୍ୟଟି ପ୍ରଭୁଙ୍କ ଲାଗି ପ୍ରାଣଦାନ କରି ନ ଥିଲେ ସେ ଦିନ କାଉଣ୍ଟ ଏବଂ ତାଙ୍କ ସ୍ତ୍ରୀଙ୍କ ପ୍ରାଣରକ୍ଷା ହୋଇ ନ ଥୀନ୍ତା । ଏହି ପ୍ରଭୁପରାୟଣତା ଗୁଣରୁ ଭୃତ୍ୟଟି ପୃଥିବୀରେ ଚିରସ୍ମରଣୀୟ ହୋଇଅଛନ୍ତି । ଯେଉଁ ସବୁ ଗୁଣଯୋଗେ ଲୋକ ମୃତ୍ୟଉତ୍ତାରେ ସୁନାମ ରଖେ, ସେହିସବୁ ଗୁଣ ଅର୍ଜନ କରିବା ପ୍ରତ୍ୟେକ ଲୋକର ବାଞ୍ଚ୍ଥନୀୟ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ