ତୃତୀୟ ପ୍ରସ୍ତାବ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୯
- ସ୍ଥିତି
- ସାର୍ବଜନୀନ (Public domain)
ପାଠ୍ୟପୁସ୍ତକ ନିର୍ବାଚନ କରିବା ଶିକ୍ଷକତା କାର୍ଯ୍ୟର ଗୋଟିଏ ପ୍ରଧାନ ଅଙ୍ଗ । ଏଥିରେ ମଧ୍ୟ ଦେଶ- କାଳ- ପାତ୍ର ବୁଝି ଚଳିବାର ଉଚିତ୍ । କେଉଁ ଶ୍ରଣୀର ଛାତ୍ର ପଢିବେ, ସେମାନଙ୍କର ବୟସ କେଳେ, ସେମାନଙ୍କର କେତେଦିନଯାଏ ବିଦ୍ୟାଳୟରେ ରହିବାର ସମ୍ଭେବନା, କଣ ପଢିଲେ ଉତ୍ତର କାଳକୁ ସେମାନଙ୍କର କାର୍ଯ୍ୟରେ ଲାଗିବ, ଏ ବିଷୟମାନ ଶିକ୍ଷକମାନେ ପ୍ରାୟ ଆଦୈା ଭାବନ୍ତିନାହିଁ । ପ୍ରତ୍ୟେକ ଶ୍ରେଣୀର ବିଦ୍ୟାଳୟରେ ଏହି ତ୍ରୁଟି ଲକ୍ଷିତ ହୁଏ । ଯେଉଁ ପୁସ୍ତକରେ ଛାତ୍ରମାନଙ୍କର ଦନ୍ତସ୍ଫୁଟି ହେବ ନାହିଁ, ଏଭଳି ଅନେକ ପୁସ୍ତକ ଛାତ୍ରମାନଙ୍କୁ ପାଠ୍ୟପୁସ୍ତକରୂପେ ଦିଆଯାଏ । ଏଥିର କୁଫଳ ଏହା ସଙ୍ଗେ ସଙ୍ଗେ ଫଳେ । ଛାତ୍ରମାନେ ବର୍ଷ ମଧ୍ୟରେ ପୁସ୍ତକର ଆଠ ଦଶ ପୃଷ୍ଠାରୁ ଅଧିକ ପଢିପାରନ୍ତି ନାହିଁ, ପୁଣି ସେହି ଆଠ ଦଶ ପୃଷ୍ଠା ମଧ୍ୟରୁ ଅଳ୍ପ ସ୍ୱଳ୍ପ ଯାହା ପଢନ୍ତି ତାହା ବୁଝିପାରନ୍ତି ନାହିଁ । ଛାତ୍ରଙ୍କର ସମୟ ନଷ୍ଟହୁଏ, ଶିକ୍ଷକଙ୍କର ଯତ୍ନ ବିଫଳ ହୁଏ ଏବଂ ମନ୍ଦ ଫଳ ନିମିତ୍ତ ଶେଷକୁ ସେ ଦାୟୀ ହୁଅନ୍ତି । ପ୍ରତ୍ୟେକ ଶିକ୍ଷକଙ୍କର ବିଦ୍ୟାଳୟ ବ୍ୟବହାର୍ଯ୍ୟ ସମସ୍ତ ପୁସ୍ତକ ପଢି ସେଥି ମଧ୍ୟରେ କେଉଁ ଶ୍ରେଣୀପ୍ରତି କେଉଁ ପୁସ୍ତକ ଉପଯୋଗୀ ତାହା ପୂର୍ବରୁ ସ୍ଥିର କରିବାର ଉଚିତ ।
ପାଠଶାଳା ଶିକ୍ଷକଙ୍କ ପକ୍ଷରେ ପାଠ୍ୟପୁସ୍ତକ ନିର୍ବଚନ କରିବା ଅତି ସହଜ କଥା ନୁହେଁ । ଦେଶ-କାଳ-ପାତ୍ର ବୁଝି ସାବଧାନ ହୋଇ ପୁସ୍ତକ ବାଛିବାକୁ ହେବ-। ଗ୍ରାମ୍ୟଲୋକେ ଛାପା ପୁସ୍ତକ, ଗଦ୍ୟ ପୁସ୍ତକ, କଠିନ ସଂସ୍କୃତ ଶବ୍ଦପୂର୍ଣ୍ଣ ପୁସ୍ତକକୁ ସୁଖ ପାଆନ୍ତି ନାହିଁ । ତେଣୁ ଏମନ୍ତ ପୁସ୍ତକ ବାଛି ଦେବାକୁ ହେବ, ଯାହା ସେମାନେ ବୁଝିପାରି ପୁସ୍ତକଗତ ବିଷୟର ଆବଶ୍ୟକତା ନିଜେ ଜାଣିପାରିବେ-। ପାଠ୍ୟପୁସ୍ତକର ପଦ୍ୟାଂଶକୁ ଛାତ୍ରମାନଙ୍କୁ କଣ୍ଠସ୍ଥ କରାଇଲେ ଏବଂ ସେମାନଙ୍କ ଅଭିଭାବକମାନଙ୍କ ଆଗରେ ସେହି ପଦ୍ୟମାନ ଗାନ କରାଇଲେ ପୁସ୍ତକ ପ୍ରତି ଲୋକଙ୍କର ଆଦର ବଢିବ, ପଦ୍ୟାଂଶରେ ପ୍ରଲୋଭିତ ହୋଇ ସେମାନେ ଗଦ୍ୟାଂଶ ପ୍ରତି ଅନାସ୍ଥା ପ୍ରକାଶ କରିବେ ନାହିଁ ।
ଯେଉଁ ଶିକ୍ଷକ ଦେଶ-କାଳ-ପାତ୍ର ବୁଝି କାର୍ଯ୍ୟ କରନ୍ତି, ପାଠାଶାଳା ଛାତ୍ରମାନଙ୍କ ମଧ୍ୟରେ ମାନସାଙ୍କର ଉପଯୋଗିତା ସେ ଉତ୍ତମରୂପେ ଜାଣନ୍ତି । ଗ୍ରାମ୍ୟଲୋକ ମାନସାଙ୍କର ଅତ୍ୟନ୍ତ ପକ୍ଷପାତୀ । ଆପଣାର ସନ୍ତାନମାନଙ୍କୁ ମାନସାଙ୍କରେ ପଟୁ ଦେଖିଲେ ସେମାନେ ଶିକ୍ଷକଙ୍କର ଶିକ୍ଷାପ୍ରଣାଳୀକୁ ଆଦର କରନ୍ତି । ପ୍ରତ୍ୟେକ ଶିକ୍ଷକଙ୍କର ଏହା ସର୍ବଦା ମନେରଖି ପାଠଶାଳାରେ ମାନସଙ୍କର ଚର୍ଚ୍ଚା ନିୟମିତରୂପେ କରାଇବାର ଉଚିତ । ଯେଉଁ ଶିକ୍ଷକ ଛାନ୍ଦଗୀତ, ମାନସାଙ୍କ ଏବଂ ଜମିଦାରୀ-ସିରସ୍ତା ନିୟମିତରୁପେ ଶିକ୍ଷା ଦିଅନ୍ତି, ତାହାଙ୍କର ଶିକ୍ଷାପ୍ରତି ଗ୍ରାମବାସୀଙ୍କର ଯଥେଷ୍ଟ ଶ୍ରଦ୍ଧା ହୁଏ । ଏହି ଶ୍ରଦ୍ଧାର ସୁବିଧା ଗ୍ରହଣ କରି ଅନ୍ୟାନ୍ୟ ବିଷୟମାନ ଅତି ସହଜରେ ଶିକ୍ଷାଦିଆଯାଇପାରେ । ଅନେକ ଶିକ୍ଷକ ତାହା ନ କରି ଯେଉଁ ବିଷୟରେ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ସେମାନଙ୍କର ସହାନୁଭୂତି ଆକର୍ଷଣ କରି ନ ପାରି, ଏହିପରି ବିଷୟମାନ ଅତ୍ୟନ୍ତ ଆଡ଼ମ୍ୱର ସହିତ ଶିକ୍ଷା ଦିଅନ୍ତି ଏବଂ ଗ୍ରାମବାସୀମାନେ ସେଥିପ୍ରତି ଅନାସ୍ଥା ଦେଖାଇଲେ ସେମାନଙ୍କର ଅଜ୍ଞତାକୁ ଉପହାସ କରନ୍ତି । ଦେଶ କାଳ ପ୍ରତି ଆଦୈା ଦୃଷ୍ଟି ନ କରି ଅନେକ ଅପରିମାଣଦର୍ଶୀ ଶିକ୍ଷକ ଏହିପ୍ରକାର ନିଜ ବ୍ୟବସାୟରେ ହେତୁ ଲୋକଙ୍କର ଆଗ୍ରହତା ଉପରେ ଆରୋପ କରନ୍ତି ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ
ପ୍ରଥମ ପ୍ରସ୍ତାବ
ମଧୁସୂଦନ ରାଓ