ପରିଚୟ *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୯୧
- ସ୍ଥିତି
- ସାର୍ବଜନୀନ (Public domain)
କାହୁଁ ଯେ ଆସିଲ, ସଖା, ଦେଇଗଲ ଦେଖା ମୋରେ ?ମୁଁ ତ ଥିଲି ନିଜନେ ମୋ, ମୋ ଦୀନ କୁଟୀର ପୂରେ ।କିପାଇଁ ଗଲ ହେ ଏଥି ନିମିଷ ମାତର ବସି,ନୟନ କନକ କୋଣେ ପ୍ରୀତି ଆଳାପନେ ହସି ?ଜାଣି ତ ନ ଥିଲି କେବେ ଶୟନ ସପନ ଭ୍ରମେ,ଚରାଚରେ ସ୍ଥିତି ତବ, ଅସୀମ ଅବନୀ ବ୍ୟୋମେ ।କେତେବେଳେ ଅନ୍ତେ, ବନ୍ଧୁ, ଶରମେ ପୁଛିଲି ନାମ,ତେବେ ହେଲେ, କେତେ ଦଣ୍ଡେ ହୋଇଗଲା ବିସ୍ମରଣ ।ଆବର ପୂଚ୍ଛିବା ଲାଗି ମନ ମୋ ବଳିଲା ନାହିଁବିସ୍ମରଣେ, ବନ୍ଧୁ ମୋର, ଉଭେଇଟି ଗଲ କାହିଁ ।ବିଦାୟ ବେଳର ସେ ଯେ ନୟନ ପଲକ ଖେଳା,ହୁଦୁଁ ହୁଦେ ବହିବାର ସରଗ ଅମୃତ ଧାରା;ଅଧବାଟୁ ସଙ୍ଗେ ମୋର ଆସି ଚିତ୍ତ ବିସାରଣେ,ଅଧ ଆଳାପନେ ଏଥି ନିବସି ମଊନ ମନେ,ବରପଦ କ୍ଷେପେ ପଥେ କି ଅଦୃଶ୍ୟ ଡୋରେ ଟାଣି,କୁଟୀର ଦୁଆରେ ମୋର ମାଗି ଯେ ନେଲ ମେଲାଣି-ସକଳ ବିସୋରି ମନୁ, ଗଲ ଅପସରି କାହିଁ,ମଉନେ ନିମିଷ ବେନି ରହିଲି ମୁଁ ବାଟ ଚାହିଁ ।ମଧୁ ଶ୍ରୀପଞ୍ଚମୀ ଆଜି, ନବ ଋତୁ ତୁଲେ ମିଳି,କି ପୁଣ୍ୟ ବିହ୍ୱଳେ ଖେଳେ ଜଗତ ଅନନ୍ତ ଶିରୀ,ନବ ପିକ ସୁଧା ସ୍ୱନେ ଶିଶୁ କଳକଣ୍ଠବାଣୀ,ଶୀତଳ ସାୟାହ୍ନ ନଭେ ବାଳୁତ ରଜନୀ ରାଣୀ;ବାତାୟନେ ବହି ଧୀରେ ଆସଇ ମଳୟଧାର,ତରୁ ସନ ସ୍ୱନ ସ୍ନେହେ ଢାଳି ଏ ପରାଣେ ମୋର ।କି ଭାବ ଲୋଡ଼ଇ କାରେ, ତିଳେକ ନୁହଇ ଜାଣି;କିଏ କେତେବେଳେ ଆସି ଫେରେ, ମୁଁ ନପାରେ ଚିହ୍ନି ।ଥିର ହୁଅ ନିମିଷେକ, ପଡୋଶୀ ବିପଞ୍ଚୀସ୍ୱନ,ତୁନି ହୁଅ ବିପଣୀର ବାଳୁତ ଅମୃତ ତାନ,ବନ ପରବତ ପଦା ସରସୀ ସାଗର ନଈ,ପ୍ରଦୋଷ ପାଟଳ ନଭ, ପୁନିଅ ନିଶୀଥ ମହୀ,-କେତେ ମୁଁ କାହାକୁ ଆଜି ତିଳେ ନ ପାରଇ ଚିହ୍ନି,ଯେତେ ଯେତେ ଆପଣାର, ମୋ ନିଜ ଆପଣା ଜିଣି ।ଏ ମହା ଅଚିହ୍ନା ଗୋଟି ଜୀବନେ ଅଛି ଯେ ରହି,ପଲକର ପରିଚୟେ ମିଶି, ସଖା, ଗଲ ତହିଁ ।ଏ ମଧୁ ସାୟାହ୍ନେ ଆଜି ହୃଦୟ ହିଲ୍ଲୋଳ ଖେଳେ,ତୁମ ସେ ବଦନ ବୀଚି ଉଠଇ ଉତ୍ତାଳ ତାଳେ ।ଅଚିହ୍ନାରୁ ଅଚିହ୍ନା ହେ, ହୁଅ ଏ ଜୀବନେ ଆସି,ସିନ୍ଧୁ ନଦୀ ଗିରିବନ ପଲ୍ଲବ କୁସୁମେ ମିଶି ।
ଏ ପଦ୍ୟର ନାୟକ ‘ନବ ପରିଚିତ ବନ୍ଧୁ’ ଜଣେ ବାଲେଶ୍ୱରବାସୀ ଯୁବକ । କବିଙ୍କ ସଙ୍ଗେ ପ୍ରଥମ ପରିଚୟବେଳେ ସେ କଲିକତାରେ ପଢ଼ୁଥିଲେ । ପରେ ସେ କୋରାପୁଟ ଜିଲ୍ଲାରେ ଶିକ୍ଷକତା କଲେ । ସେ ଜଣେ ସାହିତ୍ୟିକ, ମାତ୍ର ସାହିତ୍ୟ ସେ ନିଜେ ଲେଖିବା ଅପେକ୍ଷା ଭୁଲ ବୁଝୁଥିଲେ । ବଲାଙ୍ଗିରପାଟଣାରେ ବାଲ୍ୟଜୀବନ କଟାଇଥିବାରୁ ବନପର୍ବତର ପ୍ରାକୃତିକ ଦୃଶ୍ୟ ତାଙ୍କୁ ଭଲ ଲାଗୁଥିଲା । ଏବେ ସେ ଆଉ ଇହଧାମରେ ନାହାନ୍ତି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର