ପାର୍ବତୀ ବା ଗଙ୍ଗେଶ୍ୱର ଗୀତିନାଟ୍ୟ
ବୈଷ୍ଣବ ପାଣି · ଭାଗ ୫ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଦୃଶ୍ୟ
(ଜଙ୍ଗଲ ପତ୍ରକୁଟୀର ଦ୍ୱାରଦେଶେ ଶବର ଶବରୀ)
ଶବର – ଓ ଏତୋ ଶବରୀ, ଆଜି ପରା ଆମ ରଜାର ନଢ଼େଇ ଜିତ୍ ହବାରୁ ସାଇ ସାଇ ନାଟଗୀତରେ ଫାଟିପଡ଼ୁଚି । ତୋ ମୋ ମୁହଁଟା ପଡ଼ିଆପଡ଼ିବ କିଆଁ ମ ଶବରୀ ?
ଶବରୀ – ଓରେ ଶବରା, ବଜା ତ ଘୁମୁରା ଗାଉଚି ମୁଁ ମୋ ଗୀତ ।ଶବର – ବଜାଉଚି ଘୁମୁରା ଗାଉଚି ମୁଁ ମୋ ପଦ ନାଚ ତ ଶବରୀ ।ଶବରୀ – ଶୁଣ୍ ରେ ଭାଲୁ –ଗୀତଅଦିନେ ବଢ଼ିଲା ନଈ, ଅଣପୁରୁଷାକୁ ସରମ ନାହିଁ, ଶବର ରେ ।ନବନାଗର ରେ । ମୋ ଆଗେ ଦେଖାଉ ଛଇ, ଜାମୁଡାଳି ରେ । ୧ ।ଶବର – ବେଶ୍ ତ ଗାଇଲୁ ଶବରୀ ।ଗୀତ – ପାଚିଲା ଆମ୍ବ ଟାକୁଆ, ଚୂନା ଫେଶି ଚକି ହେଲା ପାକୁଆ । ଶବରୀ ଲୋ । ନବନାଗରୀ ଲୋ । ଆଉକି ଅଛି ବାକିଆ, ଜାମୁଡାଳି ରେ । ୨ ।ଶବରୀ – ନଈକୂଳେ ତାଳବଣ, ମାଣିଖୁଣ୍ଟି ଯେବେ ଥାଆନ୍ତା ଟାଣ । ଶବର ରେ । ନବନାଗରେ ରେ । ନୁହନ୍ତି ମୁଁ ହଇରାଣ, ଜାମୁଡାଳିରେ ।ଶବର – ଆମ୍ୱଫଳେ ବାରମାସ, ହଡ଼ାକୁ ତାଉ ତ କରିଲୁ ପରା । ଶବରୀ ଲୋ । ନବନାଗରୀ ଲୋ । ସେ କି ନ କରିବ ଚାଷ, ଜାମୁଡାଳି ରେ । ୪ ।ଶବର – ଗଡ଼ିଲା ପାକଲା ବେଲ, କୋଳଥକୁ ପାଣିଦେଇ ପେଡ଼ିଲେ, ଶବର ରେ । ନବନାଗର ରେ । ସେଠୁଁ ବାହାର ହେବ କି ତେଲ, ଜାମୁଡାଳି ରେ । ୫ ।
ଶବର – ସାଉଁଟିଲି ବିଲିଘସି, ହୁଗୁଳା ହୋଇଲେ ଟାଙ୍ଗିଆ ପଶା । ଶବରୀ ଲୋ । ନବନାଗରୀ ଲୋ । ତାର ଚୋଟ କି ନ ଯିବ ଖସି । ଜାମୁଡାଳି ରେ । ୬ ।
ଶବରୀ- ଗଡ଼ି ଗଡ଼ି ଗଲା ଗୋଡ଼ି, ହାଣି ଜାଣିଥିଲେ ବାଗରେ କାଠ ।ଶବର ରେ । ଏକାଚୋଟକରେ ଯିବ ଛିଡ଼ି । ଜାମୁଡାଳିରେ । ୭ ।ଶବରୀ – ଆମ୍ଭଗଛେ ମହୁବସା, ତୁଉ ଯଉଥିରେ କଲୁଣି ଆଶା । ଶବରୀ ଲୋ । ଟଙ୍କାରେ ସେ ପରା ମଶା । ଜାମୁଡାଳି ରେ ।୮ ।ଶବରୀ – ଶଶା ଡାକଦେଲା ବଣେ, ସାଇତି ରଖିଲେ ରହିବ ନାହିଁ । ଶବର ରେ । ସେ ତ ଚାଲିଯିବ ଏଣେତେଣେ । ଜାମୁଡାଳୀ ରେ । ୯ ।ଶବର – ଭାଙ୍ଗିଲା ଶବର ଚକ, ପଡ଼ିଥିବ ଯେବେ ଗୁଳାରେ ଗାଡ଼ି । ଶବରୀ ଲୋ । ଦବ ଘଡ଼ ଘଡ଼ ଡାକ । ଜାମୁଡାଳି ରେ ।୧୦।ଶବରୀ – ମଇଁଷି ଚରିଲେ ଦୂବ, ହୋଇଥିବ ଯେବେ ଚଷା ପୁଅଟା । ଶବର ରେ । ତାର ବିଳକି ପଡ଼ିଆ ହେବ । ଜାମୁଡାଳି ରେ । ୧୧ ।ଶବର – ବାଲିଆ ବରଜ ପାନ, ସବୁ ବରଷରେ ଫସଲ କଲେ । ଶବରୀ ଲୋ । ତାକୁ ଥୋଇବାକୁ ନାହିଁ ଥାନ । ଜାମୁଡାଳି ରେ । ୧୨ ।ଶବରୀ – ରାବିଲା କଜଳପାତି, ବିହନ ତ ଜମା ଭାଡ଼ିରେ ନାହିଁ । ଶବର ରେ । ମତେ କେତେ ଚେତାଉଛୁ ନିତି । ଜାମୁଡାଳି ରେ । ୧୩ ।ଶବର – ପରବତ ତଳେ ବଣ, ଏକାଥରେ ଯେବେ ଭିଡ଼ିବି ବାଣ । ଶବରୀ ଲୋ । ମୁଁତ ଝାଡ଼ିଦେବି ପଣ ପଣ । ଜାମୁଡାଳି ରେ । ୧୪ ।ଶବରୀ – ବଇଆ ଲେଖେ ଏ ଭାଷା, ଆଜି ତୋର ମୋର ପରଖ ହବ ଶବର ରେ । ପଣସ ରେ କେତେ ଖୋଷା, ଜାମୁଡାଳି ରେ । ୧୫ ।
ଚତୁର୍ଥ ଦୃଶ୍ୟ
(ପାର୍ବତୀର ପ୍ରବେଶ)
ରାଣୀ – ଏ କଥା ଆଜି – ରାଜାଙ୍କର ଏତେ ବିଳମ୍ୱ କାହିଁକି ? ଆଜି ଦାସୀମାନଙ୍କୁ ଆଦେଶ କରିଛି ସେମାନେ ଗୋଟିଏ ଫୁଲମାଳ ଶକ୍ତରଜ୍ଜୁରେ ଗୁନ୍ଥିଥିବେ । ଏ କିଏ ଦୂତ, କି ସମ୍ୱାଦ ଶୀଘ୍ର କହ ।
ଦୂତ – (ପ୍ରବେଶି) ମା, ରତ୍ନପୁର ଜେମାଙ୍କ ଶିବିକା ରହିଅଛି ନହର ବାହାରେ, ବନ୍ଦାଇ ତାହାଙ୍କୁ ଘେନି ଆସ ଅନ୍ତଃପୁରେ, ପଠାଇଲେ ଆଗେ ମୋତେ ରାଜା ଶ୍ରୀଛାମୁରେ ଦେବାକୁ ଖବର, ଆସୁଛନ୍ତି ଛାମୁ ନୃପଗଣ ଗହଣେ, ମିଳିବେ ସେ ଅତି ନିକଟରେ । ଭଗ୍ନୀଭାବେ ତୋଷ ତାଙ୍କୁ ଅତି ସମାଦରେ ଯେମନ୍ତେ ନ ହୁଏ ତାଙ୍କ ସମ୍ମାନର ଊଣା ।
ରାଣୀ – ଦୂତ, ଶୀଘ୍ର ଯାଇଁ ଦାସୀମାନଙ୍କୁ ଡାକିଦେ, ସେମାନେ ବନ୍ଦାପନା ଥାଳିନେଇ ନହର ବାହାରକୁ ଚାଲନ୍ତୁ, ମୁଁ ପଛେ ପଛେ ଯାଉଛି । ଯେଉଁ ରତ୍ନପୁର ଜେମାଙ୍କ ଗୁଣ କାନରେ ଶୁଣିଥିଲି ଆଜି ତାଙ୍କୁ ଆଖିରେ ଦେଖି ଚକ୍ଷୁ କର୍ଣ୍ଣର ବିବାଦ ଭଞ୍ଜନ କରିବି – ଯାଅ ଦୂତ ।
ଦୂତ – ଯେ ଆଜ୍ଞା !(ଅର୍ଘ୍ୟଘେନି ନାରୀଗଣ ରାଣୀ ସହ ପ୍ରବେଶ)ବନ୍ଦାପନାକରଣରାଣୀ – ରତ୍ନପୁରଜେମା ! ଆଉ କାନ୍ଦନା ଧୈର୍ଯ୍ୟଧର ।ଅନ୍ନ – ମା ! ତୋ ଆଗରେ ଏ ଦୁଃଖିନୀ ଦୁଃଖ ନ କହି କହିବି କାହା ଆଗରେ ।ଗୀତ
ଶୁଣିବୁ କି ଦାସୀ ଦଶା ଶ୍ରବଣ ଦେଇ ଗୋ । ମାଗୋ କରୁଣାମୟୀ । ପଦ । ମୋ ସମ ଦୁଃଖିନୀ ଯୋଷା, ନାହିଁ ନ ଥିବ ଏ ରସା । ଭାଷାରେ ସଂସାରରେ କେ ତା ପାରିବ କହି ଗୋ ।୧। ଜନ୍ମକାଳୁ ମାତୃହୀନା, ହୋଇଥିଲି ମୁହିଁ ସିନା । ଏତେଦିନେ ଜନକେ ବସିଲି ହରାଇ ଗୋ ।୨। ମୋର ଦୋଷେ ରତ୍ନପୁର–ପତି ହେଲେ ଛାରଖାର । ଗଙ୍ଗେଶ୍ୱର କରେ ଶିର ଲୋଟିଲା ମହୀ ଗୋ ।୩। ହୋଇ ତବ ପୁତ୍ରବଧୂ, ତରିଥାନ୍ତି ଦୁଃଖସିନ୍ଧୁ, ଏବେ ସପତଣୀ ହେବି ଭାଷଇ ବଇ ଗୋ ।୪।
ରାଣୀ – ମା ମୁଁ ସବୁ ଶୁଣିଚି, ସବୁ ଜାଣିଚି, ତୁ ମୋର ପୁତ୍ରକୁ ପ୍ରାଣ ମନ ଦାନକରିବା କଥା ଏ କାନ ଶୁଣିଚି । ଯେପରି ବିହଙ୍ଗ ଦ୍ୱାରା ତା ସଙ୍ଗେ ତୋର ଉପବନରେ ପ୍ରଥମ ସାକ୍ଷାତ୍ – ସେକଥା ମୋତେ ଅଜଣା ନାହିଁ । ମା ତୁନି ହୁଅ ।
ଗୀତ
ଗତ କଥାକୁ ନ ଭାଳ ମାନ ମୋ ଚିତ୍ତ ସ୍ଥିରକର ଦୁଃଖ ରେ । ପଦ । ତୋ ଦୁଃଖ ମୋ ଦୁଃଖ ସମାନ ଧରାରେ ଧୀରା ଅଧୀରା ନୁହେଁ ତିଳେ । ନୁହେଁ ତିଳେ ଏତେବେଳେ ଭୁଲ ମା ଭୁଲ ଗଲେ ଯାଇଁ । ସତେ ଚନ୍ଦ୍ରରୁ ଶିଶିର ବରଷିଲା ପରା ମୁଖଚନ୍ଦ୍ରୁ ଝାଳ ନ ବୁହା ମା ।୧। ମୋର କଣ୍ଠମାଳୀ ସୁନା ଦେହ କାଳି ପକା ନା ଅକାରଣେ ଆଉ । ଦକା ଯାଉ, ମହାବାହୁ । ସେ ଆରତି ଆରତ ହଟା । ନୀଳଚକ୍ରେ ଅନା ଉଡ଼ାଉଛି ବାନା । କଳୁଅଛି ଆମ୍ଭ ବିକଳ ମା ।୨।
ମା ଚାଲ ମୋ କୋଠରିକି, ସବୁ କଥା ମନରୁ ଭୁଲି ଯା ।ଅନ୍ନ –ମା କରୁଣାମୟି ! ସତେ କରୁଣା ପାଇ ଏ ମାତୃପିତୃହୀନା ଧନ୍ୟା ହେବ ।(ଉଭୟର ପ୍ରସ୍ଥାନ)
ପଞ୍ଚମ ଅଙ୍କ
ପ୍ରଥମ ଦୃଶ୍ୟ
(କଞ୍ଚୁକୀର ପ୍ରବେଶ ।)
କଞ୍ଚୁକୀ – ଏଇ ଯେ ତୋପ ପଡ଼ିଲା, ରାଜା ଆସିଲେ ପରା, ରାଣୀ ମାଆଙ୍କୁ ଡାକି ଏତିକିବେଳେ ମଉଜଟା ଦେଖେଇ ଦବା ଦରକାର୍ । ଯାହାହେଉ ରାଣୀ ମା ବି ବେଳଜାଣି ଏଠାକୁ ବିଜେ ହେଲେଣି । ମା ! ଦେଖନ୍ତୁ ଗହଣ ଦେଖନ୍ତୁ ।
ରାଣୀ – (ପ୍ରବେଶ) କହ ବୃଦ୍ଧ ! କେଉଁ ରାଜା ସର୍ବାଗ୍ରେ ସୁବର୍ଣ୍ଣନିର୍ମିତ ହାଉଦାରେ ବସି ଆସୁଛନ୍ତି, ମତେ ଜଣ ଜଣ କରି ଚିହ୍ନାଇ ଦେ ।
କଞ୍ଚୁକୀ – ମା ! ଏ ଯେ ଆଗରେ ହସ୍ତୀ ପରେ ସୁନା ହାଉଦାରେ ବସି ଆସୁଛନ୍ତି ସେ ବ୍ରାହ୍ମଣ ବୌଦ୍ଧରାଜ, ଏହାଙ୍କ ଗଡ଼ ମହାନଦୀ ତଟରେ । ତତ୍ପରେ ଯେ ଆସୁଛନ୍ତି ସେ ତାଳଚେରାଧୀଶ୍ୱର । ତାଙ୍କ ଗଡ଼ ମହାନଦୀ ତଟରେ, ହିଙ୍ଗୁଳୀ ଏହାଙ୍କର ଅଧିଷ୍ଠାତ୍ରୀ ଦେବୀ । ଆହୁରି ଶୁଣ ରାଣୀମା ।
ଗୀତ
ବାଣପୁର ନରରାଟେ ନିରେଖ ରାଣୀ । ପଦ । ତାଙ୍କ ପଛେ ବାଙ୍କିନାଥ, ଦେଖ ସ୍ଥିରକରି ଚିତ୍ତ, ବରଛାଧାରୀ ସୈନିକେ ପରକାଶୁଛନ୍ତି ଠାଣି । ୧ । ଏ ଯେ ରାଜା ଦରପଣ, ଦାନେ ନୁହଁନ୍ତି କୃପଣ, ମହାବିନାୟକ ବରେ ରୋଗ ଋଣେ ଛନ୍ତି ଜିଣି । ୨।
ବରାହ ପାଳିତ ସ୍ଥଳୀ, ତା ପରେ କନିକା ଆଳି, ଏମନ୍ତ ଆଗତ କେତେ ବିପ୍ର ବଇଷ୍ଣବ ଭଣି । ୩ ।
ରାଣୀ – ବୃଦ୍ଧ, ତୁ ଯା ! ସିଂହାରୀ ବିନ୍ଧାଣୀମାନଙ୍କୁ କହିବୁ, ସେ ଗୋଟାଏ ଶକ୍ତରଜ୍ଜୁରରେ ଫୁଲହାର ଗୁନ୍ଥି ରଖିଥିବେ । ତା ପରେ ନାରୀମାନଙ୍କୁ କହ ଯେ ସେମାନେ ଅର୍ଘ୍ୟଥାଳୀ ଘେନି ନବର ସିଂହଦ୍ୱାରକୁ ଚାଲନ୍ତୁ, ମୁଁ ସେଠାକୁ ତୋର ପଛେ ପଛେ ଯାଉଛି ।
କଞ୍ଚୁ – ହଉ ରାଣୀମା ମୁଁ ଚାଲିଲି । (ପ୍ରସ୍ଥାନ)
ରାଣୀ – ନରାଧମ ! ଆଜି ତୋର ମହାଯାତ୍ରାର ପର୍ବ ଦିବସ ଦେଖିବି ପାର୍ବତୀର ତୀକ୍ଷ୍ଣ କୃପଣଧାର ମୁଖରୁ କିଏ ତତେ ରଖିବ ... ଯାଏଁ । (ପ୍ରସ୍ଥାନ)
(ରାଜାଙ୍କର ପ୍ରବେଶ ।)
ଗଙ୍ଗେଶ୍ୱର –କାହିଁ ! ମହାରାଣୀଙ୍କର ଆସିବାରେ ଏତେ ଉଛୁର କାହିଁକି ? ଜଣାଯାଏ ବିଦେଶରେ ଅଧିକ ଦିନ ଗତ ହେବା ମୋ’ ପ୍ରତି ମନରେ ଦୁଃଖ କରିଛନ୍ତି । ନା, ଏହି ଯେ ନାରୀଗଣେ ପରିବେଷ୍ଟିତା ହୋଇ ମୋତେ ବନ୍ଦାଇ ନେବାକୁ ଆସିଲେ ।
(ନାରୀଗଣ ସହ ରାଣୀ ପ୍ରବେଶ –ବନ୍ଦାପନା ହୁଳହୁଳୀ ଅର୍ଘ୍ୟଦାନ)ପ୍ରିୟେ ! ମୁଁ ଜାଣୁଛି ତୁମ୍ଭେ ମୋ ପ୍ରତି ଅଭିମାନ କରିଛ ।ଗୀତ
ଆରେ ଘନଜଘନା, କି ପାଇଁ ମନ ଊଣା କରିଛୁ ବନପ୍ରିୟବଚନା ରେ । ପୀନଉରଜା ବହୁଦିନ ହେବାରୁ ଗତ ମୀନନେତ୍ରା ନ କର ବଞ୍ଚନା ରେ । ପଦ । ହିମକରେ ମକର ଉଦ୍ୟାନେ ରଙ୍କନିଧି ଦୁହେଁ କରିବ ପ୍ରୀତି ରଚନା ରେ । ମନେରଖ ନିକର, ତୋହ କରେ ମୋ କର ମିଳନ ହେବ କିଛି ପାଞ୍ଚନା ରେ । ୧ । ଉତ୍କଳ ନରଙ୍କର କୁମର ଭୃତ୍ୟ ମୋର, ମୁଁ ତୋ କିଙ୍କର ଭୁଲ ଶୋଚନା ରେ । ପଞ୍ଚବାଣ ମୁଖରୁ ତ୍ରାଣ କରିବୁ ଭୀରୁ ଘଞ୍ଚଚିକୁରା ଦୋଷ ବାଛନା ରେ । ୨ ।
ପ୍ରିୟେ ବହୁଦିବସ ବିଦେଶରେ ଗତ ହେବାରୁ ମୋ ପ୍ରତି ମନରେ କଷ୍ଟ କରିଚ, ମୁଁ କି ସେ ଅଭିମାନ ରଖିବି । ବହୁଦିନ ତରବାରି ଧାରଣ କରି କର କର୍କଶ ଭାବକୁ ଧାରଣ କରିଛି । ତୁମ୍ଭର କୋମଳ କରସ୍ପର୍ଶରେ ତାହା ଦୂରୀଭୂତ କରାଅ । ବୀରହୃଦୟ ମାୟାମମତାଶୂନ୍ୟ ନ ହେଲେ ସେ କୌଣସି କାର୍ଯ୍ୟରେ ଜୟୀ ହୋଇ ନ ପାରେ । ଆଜି ଦୋଳପୂର୍ଣ୍ଣମୀ, ତୁମ୍ଭେ ମୁଁ ଏକପକ୍ଷ, ଆଉ ନାରୀଗଣେ ଏକ ପକ୍ଷ ହୋଇ ପିଚକାରୀ ଅବରି କେଳି କରିବା । ମୁଁ ରାଜକୁମାରକୁ ଘେନି ଦିଅଁ ଦର୍ଶନକୁ ଚାଲିଲି, ତୁମ୍ଭର ମୋର ସେହିଠାରେ ଭେଟ ।
ରାଣୀ– ଜୀବେଶ୍ୱର ! ମୁଁ ମଧ୍ୟ ମୋର ମନଭାବ ତୁମ୍ଭଙ୍କୁ ସେହିଠାରେ ଜଣାଇବି । ମାଧବୀମଣ୍ଡପଠାରେ ସ୍ୱହସ୍ତରେ ଗୋଟିଏ ଫୁଲଦୋଳି ପ୍ରସ୍ତୁତ କରାଇ ରଖିଥିବି, ସେ ଦୋଳିରେ ତୁମ୍ଭଙ୍କୁ ବସାଇ ନିଜ କରେ ଝୁଲାଇବି । ତୁମ୍ଭେ ଯାଅ ମୁଁ ଯାଉଛି । (ରାଜାର ପ୍ରସ୍ଥାନ)
ଯାଉଛି, ନର ଶୃଗାଳର ଉଚିତ ଦଣ୍ଡ ସେହି ମାଧବୀମଣ୍ଡପଠାରୁ ହେବ । ଦାସୀମାନଙ୍କ ନିର୍ମିତ ଫୁଲମାଳ ନେଇ ଦୋଳି ସଜାଏଁ । ଝୁଲାଇଲାବେଳେ ବେକକୁ ଦୃଢ଼ଭାବେ ବନ୍ଧନ କରିବି । ହଁ ବସ୍ତ୍ର ଭିତରେ ମୋର ଶାଣଦିଆ ତରବାରି ଖଣ୍ଡି ଲୁଚାଇ ନେବାକୁ ହବ । ଯାଏଁ ବେଶଭଭୂଷାରେ ସଜ୍ଜିତ ହୋଇ ପ୍ରସ୍ତୁତ ହୁଏଁ । (ପ୍ରସ୍ଥାନ)
ଦ୍ୱିତୀୟ ଦୃଶ୍ୟ
(ମାଧବୀମଣ୍ଡବ– ଗାୟିକାଗଣଙ୍କ ପ୍ରବେଶ, ତତ୍ପରେ ରାଣୀଙ୍କର ପ୍ରବେଶ ।)
ରାଣୀ – ଗାୟିକାଗଣେ ! ତୁମ୍ଭେମାନେ ସମସ୍ତେ ଏଠାରେ ନୃତ୍ୟ ଗୀତ କରିବାକୁ ହେବ, ତୁମ୍ଭେ ଏକପକ୍ଷ –ମୁଁ ଆଉ ରାଜା ଏକପକ୍ଷ ହୋଇ ପିଚକାରୀ ମାରିବାକୁ ହେବ, ଡରିବ ନାହିଁ, ସ୍ୱୟଂ ସେ ଆଦେଶ ଦେଇଛନ୍ତି । ଏଇ ତ ରାଜା ଆସିଲେଣି–ମେଘକୁ ତ ଚାହୁଁ ଚାହୁଁ ବରଷା ।
ଗଙ୍ଗେଶ୍ୱର –(ପ୍ରବେଶି) ଧନ୍ୟ ଧନ୍ୟ ରାଜରାଜେଶ୍ୱରୀ, ଏ ସ୍ଥାନଟି ଆଜି ମର୍ତ୍ତ୍ୟବୈକୁଣ୍ଠର ରଙ୍ଗମଞ୍ଚ ପରି ସାଜିଛି । ଆଚ୍ଛା ଗାୟିକାଗଣେ, ଆଜି ଦୋଳପୂର୍ଣ୍ଣିମା ସମୟକୁ ଲକ୍ଷ୍ୟକରି ଗୀତ ଓ ରାଗଭାବ ଯେପରି ଗଛି ଯାଇଥିବ, ଗୋଟିଏ ଗୀତ ଗାଇ ଅବିର ଖେଳ କର ।
ଗାୟିକା –ଯେ ଆଜ୍ଞା ! (ଗାୟିକାଗଣଙ୍କ ନୃତ୍ୟ ଗୀତ)
ଗାଅ ଗାଅ ଗାଅ ସହଚରୀ ନାଚ ନାଚ ନାଚ ଧୀରି ଧୀରି । ଝୁମୁ ଝୁମୁ ଝୁମୁ, ଘୁମୁ ଘୁମୁ ଘୁମୁ ନାନାରଙ୍ଗେ ଭଙ୍ଗେ ତାନ ଧରି । ପଦ । ଅବିର ଉଡ଼ାଅ ଅବିରତେ, ରବି ଛବି ଜିଣି ଯାଉ ବାତେ । ଝର ଝର ଝର ନିଶିର ଶିଶିର ବରଷେ ମାର ଗୋ ପିଚକାରୀ ।୧। ବହିଣ ବସନ୍ତ ଘନ ଘନ, ଭୁଲାଉ ଅଛି ପ୍ରାଣମନ, ପୂନେଇର ଜହ୍ନ କିରଣ କେସନ ବିଞ୍ଚଇ ହସଇ ବନଗିରି ।୨।
ରାଣୀ – ଗାୟିକାଗଣେ, ତୁମ୍ଭେମାନେ ଅନ୍ତରାଳକୁ ଯାଅ ।ଗାୟିକା – ଯଥା ଆଜ୍ଞା ରାଜରାଣୀ । (ପ୍ରସ୍ଥାନ)
ରାଣୀ – ନାଥ, ମୋ ଜୀବର ଜୀବନ, ମାଧବୀମଣ୍ଡପଲତା ତଳକୁ ଦୋଳି ଉପରକୁ ଚାଲନ୍ତୁ । ସେଠାରେ ତୁମ୍ଭଙ୍କୁ ଦୋଳିରେ ବସାଇ ତୁନି ତୁନି ଗୋଟିଏ ଗୀତ ଗାଇ ଝୁଲାଇବି, ମୋ ମନୋଭାବ ଶୁଣାଇ ଚିରଦିନ ପାଇଁ ତୁମ୍ଭର ଇହଧାମରେ ଶାନ୍ତି ବିଧାନ କରାଇବି ।
ଗଙ୍ଗେଶ୍ୱର –ଧନ୍ୟ ରାଜରାଜେଶ୍ୱରୀ, ସତେ ଏ ହତଭାଗ୍ୟ ଆମ୍ଭେ ତୁମ୍ଭର କରର କ୍ରୀଡ଼ା – କନ୍ଦୁକ ହୋଇ ସେ କୋକିଳ – ବିନିନ୍ଦିତ ସଙ୍ଗୀତ ସ୍ୱର ଶୁଣିମା, ଧନ୍ୟ ଲୀଳାମୟ, ଏ ମର୍ତ୍ତ୍ୟଧାମ ରଙ୍ଗମଞ୍ଚରେ ଅଭିନେତା ସ୍ୱୟଂ ଗଙ୍ଗ, ଅଭିନେତ୍ରୀ ସ୍ୱୟଂ ରାଣୀ, ପାର୍ବତୀ ଚାଲ ଦୋଳିଠାକୁ ଚାଲ ।
(ଦୋଳିରେ ବସାଇ ଗୀତ ଗାଇ ଗାଇ ଝୁଲାଉ ଝୁଲାଉ କର ବନ୍ଧନ)ଗୀତ
ଝୁଲ ଚିତ୍ତ ପ୍ରଫୁଲ୍ଲ ଚନ୍ଦ୍ରମା । ତୁଲ୍ୟ ମୋହିବ ଯାହାର କିଙ୍କରୀକି ସୁର – ବାମା । ପଦ । ଭାଲପଟେ ଯାହା ଯାର, ଲେଖିଥାଏ ବେଦ ବର । ସେ ସେହି ସଜା ଭୋଗେ ଏ ଜଗତେ କାରବାର । କ୍ଷମାନିଧି ତାହାର ବିହି ନ କରନ୍ତି କ୍ଷମା । ୧ । ତବ କୃତ କର୍ମଫଳ । ବିହିବ ଏ ଫୁଲ ମାଳ । ଥିବ କାଳକାଳକୁ କାଳଦଣ୍ଡେ କଷତୁଳ । ପୂର୍ଣ୍ଣ ଶଶଧରେ ମୋର ତୋଳି ବୋଳିଦେଲେ ଅମା ।୨।
ଗଙ୍ଗେଶ୍ୱର –ପ୍ରିୟେ, ମଲି ମଲି ମଲି, ଓଁ ଏତେ କର୍କଶ ଭାବରେ କର ବାନ୍ଧନା, କ୍ଷମା - କ୍ଷମା - କ୍ଷମା ।
ରାଣୀ – (କ୍ରୋଧେ) ନରାଧମ, ନରଶୃଗାଳ ! କ୍ଷମା କି କ୍ଷମା, ପ୍ରସୂତି ଅସହାୟା ଦୁର୍ବଳା ଅବଳାକୁ ଖଳବୃଦ୍ଧି ଛଳ କରି ଶିଶୁସହ ଗିରି ଗୁହାରେ ଭରିଲାବେଳେ କି ଜଗତରେ କ୍ଷମା ନ ଥିଲା ? କନ୍ୟାରତ୍ନ ସତୀତ୍ୱ ଅପହରଣକାରୀ ପିଚାଶ ! ତୋତେ କି ଇନ୍ଦ୍ରିୟ ଲାଳସା ତୃପ୍ତି ସାଧନ ପାଇଁ ସ୍ଥାନ ଜଗତରେ ମିଳିଲା ନାହିଁ ? କନ୍ୟାରତ୍ନ ସତୀତ୍ୱ ଅପହରଣକାରୀ ! ତୋ ପାଇଁ ରୌରବ କୁମ୍ଭୀପାକ ନର୍କରେ ମଧ୍ୟ ସ୍ଥାନ ନାହିଁ । ତୁ କି ଯାହା ଯାହା କାଣ୍ଡ ଭୂଖଣ୍ଡରେ କରିଚୁ ତା ଅଶ୍ରୁତ ଅବକ୍ତବ୍ୟ । ପାପିଷ୍ଠ, ତୁ ଯେ ଜଗତକୁ ଜଳାଉଥିଲୁ, ତୋ ଯୋଗେ ଜଗତ ପାପାନଳ ତେଜରେ ଜଳୁଥିଲା, ମଜି ତୋର ରକ୍ତ ପାନକରି ଧରା ଶାନ୍ତି ଭଜିବ । ଛିଛି, ଧିକ୍, ତୋ ପରା ମହାପାପୀକି ପତିଭକ୍ତି ଦେବି ଏ ଜୀବନରେ ତା ହେବନାହିଁ । ଦଶଦିଗପାଳ ସାକ୍ଷୀ, ଅଷ୍ଟବସୁ ନବଗ୍ରହ ପବନ ଅନଳ ନିଳାଚଳ ନାଥ ସାକ୍ଷୀ, ମା ଲୋ ମା କୌଶଲ୍ୟା, ଏବେ ତୋର ଭଣ୍ଡ ପିତାର ଛିନ୍ନ ମୁଣ୍ଡର ରକ୍ତପାନ କରି ଅନଶନ ବ୍ରତ ଉଦ୍ଯାପନ କର । ଯା ପାପିଷ୍ଠ, ଚିରଦିନ ପାଇଁ ଶାନ୍ତି ଧାମକୁ ଯା ।
(ଗଙ୍ଗର ଶିରଶ୍ଛେଦନ – ରାଣୀ ଭୈରବୀମୂର୍ତ୍ତିରେ ତତ୍ପରେ ଦଣ୍ଡାୟମାନ ।)ନେପଥ୍ୟେ –ସର୍ବନାଶ ସର୍ବନାଶ –କେ ଅଛ ଧାଇଁଆସ ।ଯୁବରାଜ –(ହଠାତ୍ ପ୍ରବେଶି)ଏ କିସ ଘଟଣା ଦେଖି ମଣଇ ଆଶ୍ଚର୍ଯ୍ୟ,କହ ମାତ କି ହେତୁ ଘଟିଲାଏସନ ଅବସ୍ଥା ଆଜି ପିତାଙ୍କ କରମେ ।ଦକ୍ଷକରେ ରାଜେ ରକ୍ତରଞ୍ଜିତ କୃପାଣଆରକ୍ତ ନେତ୍ର ଯୁଗଳ ତବ,କେଶ ଫିଟି ଲୋଟଇ ଚରମେମହିଷମର୍ଦ୍ଦିନୀ ଯେହ୍ନେ ରାଜନ୍ତି ସମରେତେସନ ମୂରତି କିଁପା ଆଜି ଗୋ ଜନନୀଚରଣେ ପଡୁଛି ମାତଃକହ ୟାର ପ୍ରକୃତ କାରଣ ?ଗୀତତାହା କହ କହ କହ ମାଆ, ଏହା ଘଟିଲା କାହିଁକି ?କର କଙ୍କଣ କି ଭାବି ଫିଙ୍ଗିଲୁ ମହୀକି । ପଦ ।କି ଦୋଷ ମୋ ଦୋଷୀ ତାତ, ରୋଷ ତେଜି ଭାଷ ମାତ,କ୍ରୋଧେ ଜରଜର କିଁପା କମ୍ପାଉ ଦେହୀକି । ୧।ମୁକ୍ତକେଶେ ରକ୍ତ ଛିଟା, ନଭେ କି ସିନ୍ଦୂର ଫୁଣ୍ଟା,ଅଯଶ ଘୋଷି ରାଜାଏ ନିନ୍ଦିବେ ନାହିଁକି । ୨ ।ଉତ୍ସବେ ଉଚ୍ଛନ୍ନ ଦଶା, କିପାଁ ଘଟିଲା ସହସା,ମାଗୁଛି ଏତିକି ଫେଡ଼ି ବତାଅ ବଇକି । ୩ ।ରାଣୀ – କି କହିବି ବତ୍ସ ତୋତେ ସେ ଘୃଣ୍ୟ କାହାଣୀ,ଯାହା ଯୋଗେ ଥରୁଥିଲା ଉତ୍କଳ ଧରଣୀ,ଯାର ବାହୁବଳେ ହତ ଭୂପାଳମଣ୍ଡଳୀ ।ଯାର ଯୋଗେ ରତ୍ନପୁରଜେମା ପିତୃହୀନାତାର ପରିଣାମ ଏହି ମାଂସ ପିଣ୍ଡ ମାତ୍ର,ଯାହା ଯୋଗେ ଭଗ୍ନୀ ତୋର ଧବଳୀ ଗୁହାରେଅନଶନେ ଶିଶୁ ସହ ତେଜିଛି ଜୀବନ ।ଯା କୂଟ କପଟେ ମର ଧାମେକୁଟିଳାକ୍ଷା କନ୍ୟା ମୋର କୁଳଟାରେ ଗଣା,ଯାହା ଯୋଗେ କନ୍ୟାହରା ଆଜି ମାଆ ତୋରତାର ପରିଣାମ ଏହି ମାଂସ ପିଣ୍ଡ ମାତ୍ର ।ବତ୍ସ ରେ ! ଭାବିବୁ ନାହିଁ, ତୁ ତିଳେ ମାତା ପାଇଁ ତୋରସ୍ୱାମୀ ହତ୍ୟା କରିଅଛ ବୋଲି,ଜନ୍ତୁପତି ପଳାଇବ ଯେବଣ ନରକେହସି ହସି ପଶିବି ତହିଁରେକିନ୍ତୁ ଏ ମହାପାପିକି ଦେବି ପତିଭକ୍ତିହେବନାହିଁ ହେବନାହିଁ ହେବନାହିଁ ତାହା ।ଆଉ ଦେଖ ବତ୍ସ,ବଧୂ ମୋର ହେବ ଯେହୁ ପୋଷିଥିଲା ଖୋଷା,ଯେହୁ ପ୍ରାଣ ମନ ସମର୍ପଣ କରିଥିଲା ତୋତେସେ ଆଶା ପଥରେ ଥିଲା ଏ ଦୃଷ୍ଟ କଣ୍ଟକ ।ମୁଁ ଏହାକୁ କରିନାହିଁ ହତ୍ୟାସ୍ୱୟଂ ସୁଦର୍ଶନପାଣି ପେଷି ସୁଦର୍ଶନେପାପାତ୍ମାର କାଟିଛନ୍ତି ଶିରମୁହିଁ ତହିଁ ନିମିତ୍ତ ମାତର ।ପାପାତ୍ମାର ପାପ ଦେହ ବିନାଶ କାରଣେକୌଶଲ୍ୟାକୁ ମୋର ଗର୍ଭେ ଦେଇଥିଲେ ସ୍ଥାନସେ ଶ୍ରୀହରି ।ନେପଥ୍ୟେ –ସର୍ବନାଶ ସର୍ବନାଶ ସର୍ବନାଶ !ଯୁବରାଜ –ଏ କଣ; ଅନ୍ତଃପୁରେ କିଁପା ଶୁଭେ ନାରୀ ଆର୍ତ୍ତନାଦ, ଦେଖେ ମୁହିଁ । (ପ୍ରସ୍ଥାନ)
ରାଣୀ – ନା, ଆଉ ଏ ପାପମୁଖ ଜଗତରେ ଦେଖାଇବି ନାହିଁ । ମାଲୋ ମା, କୌଶଲ୍ୟା, ତୋ ସଙ୍ଗରେ ମୋତେ ପରଲୋକକୁ ଘେନି ଯା, ଯାଏଁ; ଏହି ନବର ମଧ୍ୟ କୂପରେ ମୋର ଶେଷ ବିଶ୍ରାମ । (ପ୍ରସ୍ଥାନ)