ପାର୍ବତୀ ବା ଗଙ୍ଗେଶ୍ୱର ଗୀତିନାଟ୍ୟ
ବୈଷ୍ଣବ ପାଣି · ଭାଗ ୪ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଦୃଶ୍ୟ–ଜାଗାଘର
(ଚାରିଜଣ ପଣ୍ଡା ଭାଙ୍ଗ ଉପକରଣ ଘେନି ଭାଙ୍ଗ ଘୋଟିବା ।)
୧ମ ପଣ୍ଡା –ଆରେ ଗୋବର୍ଦ୍ଧନ ଭାଇନା, ଆଜି ଯେମନ୍ତେ ରାଗୁଆ ପାଚକଟା ହେବ । ଯେମନ୍ତେ ପିଇଦେଇ ପେଟରେ ଯୋଡ଼େ ଫୁଟୁକି ମାରିଦେଲାଖୁଣୁ ପଛପଟ ଲୁଗା ଖୋଲିବାକୁ ଫୁସରତ୍ ନ ରହେ ।
୨ୟ ପଣ୍ଡା –ହାଃ, ହାଃ, ହାଃ, ହାଃ, ପରମାନନ୍ଦ ନନା ସବୁଦିନେ ତୋର ଏ ଭାଣ୍ଡୁଆ ଖୋଇ ଗଲା ନାହିଁ । ଫେର ତ ଢାଳେ ପାଣି ଗୋଟାଏ ଗାମୁଛା ନବାଯାଏ ଦମ୍ ରହିବା ଦରକାର । ଭାଇ ଏକା ଯୋଉଦିନ ଭାଙ୍ଗ ସଙ୍ଗକୁ ଚୁଡ଼ାଘଷା ଆଉ କଦଳୀ ମନ୍ଥାଟା ହୋଇଥାଏ ସେଦିନ ନିଶାଟା ଭାରି ବଢ଼ିଆ ।
୩ୟ ପଣ୍ଡା –ଆରେ ଛାଡ଼ିଗଲୁ ରେ ନନା, ତା ସଙ୍ଗକୁ ଯେବେ ଦୋଳମଣ୍ଡପ ସାଇ ଆଖଡ଼ା ଟୋକା ସଙ୍ଗିତରୁ ପଦେ ପଦେ ହଉଥିବ ଯେମନ୍ତେ ପରା ମଣିକାଞ୍ଚନ ଯୋଗ ।
୪ର୍ଥ ପଣ୍ଡା–ଆରେ ଶୁଣିଚୁନା, ଆଜି ରତ୍ନପୁର ବିଜୟ ନିଶାଣ ଦେଖି ସେ ବୁଢ଼ା କଞ୍ଚୁକୀ କଣ ରାଣୀମାଙ୍କୁ ତାଙ୍କ ହୁକୁମରେ ଆଜି ଫୁଳମାଳ ପତାକାରେ ବଡ଼ଦାଣ୍ଡ ଫାଟି ପଡ଼ୁଚି । ରାଜା ଆସିଲେ ନାଟ ହବ, ବାଣ ଫୁଟିବ । –
୧ମ ପଣ୍ଡା –ତେବେ ଆଜି ମଉଜଟା ଷୋଳବିଶ୍ୱା ହେବ । ଧରିବୁ ଲୋକନାଥ ମର୍ଦ୍ଦଳଟା, ମୁଁ ଗୋଟାଏ ପଦ ଗାଉଚି ।(ମର୍ଦ୍ଦଳ ବଜାଇ ଗୀତ)ଗୀତରାମା ରେ ତୁ ମୋ ନେତ୍ର ପ୍ରତିମା ।ଶତପତ୍ର ନେତ୍ରା ଚିତ୍ତ ଚନ୍ଦ୍ରମା । ପଦ ।ଶମ୍ଭୁ ଉରଜା ମୋ ଡମ୍ବରମୁଝା । ଜମ୍ବୁନଦଗୋରୀ ନାଗରୀ ରଜା । ୧ ।ଅମ୍ବୁଜଚରଣା ଜିମୁତକେଶା । ଦମ୍ଭୀ ଦମ୍ଭ ହଜା ତୋ ନାସା ଭୂଷା । ୨ ।୨ୟ ପଣ୍ଡା –ଆରେ ପରମାନନ୍ଦ ଆଉ କଣ ରାଗ ନ ଥିଲା, ପୁରୁଣା ମରହଟିଆ ରାଗଟାଏ ଗାଇଲୁ, ସେଟା ପୁଣି ପହପଟ ତାଳ ।୩ୟ ପଣ୍ଡା –ହଁରେ ଭାଇନା ପହପଟ ତାଳ, ଗୋଟାଏ ଝୁଲା ଫୁଲା ବୋଇଲେ ସିନା ମନଭୁଲା ହବ, ଆଚ୍ଛା ଆଚ୍ଛା ମୁଁ ଗୋଟାଏ ବୋଲୁଛି ବଜା ବଜା ।ଗୀତ
ବିପରୀତ ରତିରେ ମାତି ରାତି ପୁହାଇଲା ସୁରସବତୀ । ପଦ । ଖୋଷି ଭାଲେ ଡୋଳା ସୁଅଙ୍ଗିନୀ ବାଳା ଦତ୍ତ କଲା ମୋତେ ସୁରସମ୍ପତ୍ତି । ବିମ୍ବାଧରା ଧୀରେ ଚାଳନ୍ତେ ନିତମ୍ବ କଟି ଘଣ୍ଟି ରଟି ମୋହିଲା ମତି । ୧ । ବେଣୀର ନର୍ତ୍ତନ ଏ ଚିତ୍ତ କର୍ତ୍ତନ କରି ଦେଲା ଧରି ନୋହିଲା ଧୃତି । ବିନ୍ଦୁ ବିନ୍ଦୁ ଝାଳ ଅଳକା ତଳକୁ ଚନ୍ଦ୍ର କି ଶିଶିର କରଇ ବାନ୍ତି । ୨ । ରସିକାମଣିର ନାସିକାମଣିର ଝୁଲା ଚାହିଁ ଦେଲେ ସେକାଳେ ଯତି । ତେଜିଣ ବିଭୂତି ଇଚ୍ଛିବେ ଏ ଭୂତି ବଇ ତହିଁ ପାଇଁ ଛାଡ଼ିଛି ଜାତି । ୩ ।
୧ମ ପଣ୍ଡା –ଆରେ ଏମନ୍ତେ ହେଲେ ହବକି । ଦେ ଦେ କଣ ଅଛି ସଡ଼ାଏ ସଡ଼ାଏ ଦେ । ଏକା ଗୋଟାଏ ଆଖଡ଼ା ଟୋକା କେଉଁଠୁ ସଜିଲ କରିଥିବୁ, ସେ ଯେମନ୍ତେ ମୁରଲୀ ଭଲ ଫୁଙ୍କି ପାରୁଥିବ । ଦେ ଦେ କଣ ଅଛି ଦେ ଖାଇ ପୋଖରୀ ଯିବା ।
୨ୟ ପଣ୍ଡା –ଆଉ ବେହିପୋ ପାଚକ ଅଛି, ନନା ଯେଉଁ ବିପରୀତ ରତି ବର୍ଣ୍ଣନା ଗୀତଟା ଗାଇଲା ସେଥିରେ ତ ବାଡ଼ିରେ ତାଳ ଠୁଙ୍କୁ ଠୁଙ୍କୁ କୁଣ୍ଡି ଏକାବେଳକେ ଦିଫାଳେ, ମତେ କଣ ଜଣାଅଛି କି ?
୩ୟ ପଣ୍ଡା –ଯା ବେହିପୋ, ଯେଉଁଦିନ ମଣିଷ ଷୋଳପଣିଆ ମଉଜଟା ପାଞ୍ଚିଥିବ ସେ ଦିନ ସବୁ ଖରାପ । ଦେ ଦେ କଣ ଅଛି ଆଣ, ଏକା ଟୋକା ସଜିଲ ଭାର ମୋ ଉପରେ ରହିଲା, ଟଙ୍କା ଗଣ୍ଡେ ନେଲେ ନବ, ଆଗେ ବେହିପୋ ମୁରଲୀ ଫୁଙ୍କି ଚାଲ ।
ଚତୁର୍ଥ ଦୃଶ୍ୟ–କକ୍ଷ
(ପାର୍ବତୀ ଓ ଦାସୀର ପ୍ରବେଶ)
ଦାସୀ – ମହାଦେଈ ! ଏମନ୍ତେ କଣ ହଉଚି କି ଆଜକୁ କେତେଦିନ ହେବ ତୁମର ତ ଖିଆପିଆ ନାହିଁ । ଯେଉଁଠି ବସୁଛ କଣ ହଜେଇଲା ପରି ହଉଚ, କଣ ହୋଇଚି କହୁ ନା । କବିରାଜ ଡାକତର କଣ ଅଭାବ ଅଛନ୍ତି ।
ରାଣୀ – ଦାସୀ ଲୋ ତୁ ସେକଥା କଣ ଶୁଣିବୁ– ମୋ ମନରେ ଯେଉଁ ରୋଗ ପଶିଚି ସେ କଣ ଔଷଧରେ ଭଲ ହେବ । ଶୁଣିବୁ ତ ଶୁଣ–ଗୀତ–(ଶ୍ରୀରାଧା ବାତୁଳୀ–ବୃତ୍ତେ ।)କି କହିବି ଦାସୀ ଏ ମୋ ଦୁଃଖରାଶିଭାସୁଛି ମୁଁ ମହା ଚିନ୍ତା ନୀରେ ।ମିଶିଛି ମଙ୍ଗଳେ ଅମଙ୍ଗଳ ଆସିଗଲା କାଲି ଆମ୍ଭ ସୌଧଶିରେ ।ବସି ଗୃଧ୍ର ଏକ । ହଲାଇଲା ଲମ୍ବ ଥଣ୍ଟ ବେକ ।ଘଡ଼ ଘଡ଼ ହୋଇ ପଡ଼ଇ ଚଡ଼କ ଦେଖିଛନ୍ତି ତାହା ଭୃତ୍ୟଯାକ । ୧ ।
ଦାସି ! ମୁଁ ଆଉ କଣ କହିବି, ମଙ୍ଗଳେ ଅମଙ୍ଗଳ ଆସି ପହଞ୍ଚି ଅଛି । ଆମ୍ଭର ଏହି ସୌଧ ଚୂଡ଼ାରେ ଗୃଧ୍ରପକ୍ଷୀ ଆସି ବସି ରାବ ଦେଉଥିଲା, ଏହା ସବୁ ଭୃତ୍ୟମାନେ ଦେଖିଛନ୍ତି ।
ଆଉ କଣ ହୋଇଛି ଶୁଣ–ଦିବସରେ ଶୁଭେ ପେଚକ ନିସ୍ୱନମାଧବୀ ମଣ୍ଡପ ଲତାକୁଞ୍ଜେ ।ଦେଖିଲି ଏ ନେତ୍ରେ କ୍ଷେତ୍ର ବଡ଼ଦାଣ୍ଡେନକ୍ଷତ୍ରମାନ ଖସନ୍ତି ସଞ୍ଜେ ।ଆଗୋ ସହଚରୀ ! ଏ ଦଶା ଭୋଗୁଛି କି ବିଚାର ।ଘନ ଘନ ଦକ୍ଷନେତ୍ର ଅନଶନ ନାଚେ ଧଇର୍ଯ୍ୟ ନ ପାରେ ଧରି । ୨ ।
ସହଚରୀ ! ଦିବସରେ ମାଧବୀମଣ୍ଡପ ଲତାକୁଞ୍ଜରେ ପେଚକର ଧ୍ୱନି ଶୁଣାଯାଉଛି, ସଞ୍ଜ ସମୟରେ ଆକାଶରୁ ନକ୍ଷତ୍ରମାନେ ଖସିପଡ଼ୁଛନ୍ତି, ସଦାସର୍ବଦା ମୋର ଦକ୍ଷିଣ ଆଖି ନାଚୁ ଅଛି, ମୋର ଧଇର୍ଯ୍ୟ କିଁପାଇ ଯେ ଅଧୈର୍ଯ୍ୟ ହେଉଛି ତାହା କିଛି ଜାଣିପାରୁ ନାହିଁ ।
ଆବର ଯେ ଦୁଃଖ ଖେଳେ ଏ ମାନସେପରକାଶି ନୋହେ ପର ଆଗେ ।ହୋଇଥିଲେ ସତ ମୋହରି ଆଗତନ ପାଇବ କେହି ଚାରିଯୁଗେ ।ଆଗୋ ପ୍ରିୟସଖି ! ଉଡ଼ିଯିବ ପିଣ୍ଡୁ ପ୍ରାଣପକ୍ଷୀ ।ନୀଳଶଇଳ ଦେଉଳ ନାଥେ ଚିନ୍ତି ପଦ ଛନ୍ଦେ ବଇଷ୍ଣବ ଦୁଃଖି । ୩ ।
ସହଚରି ! ଆଉ ଗୋଟିଏ ଦୁଃଖ ମୋର ଏ ହୃଦପଟରେ ଯାହା କି ଖେଳୁଅଛି, ତାହା କାହା ଆଗେ ପ୍ରକାଶ କରିପାରୁ ନାହିଁ । ଯଦି ଏହା ସତ ହୋଇଥାଏ ତାହାହେଲେ ମୋର ଏ ପ୍ରାଣପକ୍ଷୀ ପିଣ୍ଡରୁ ବାହାରିଯିବ ।
ଦାସୀ – ମହାଦେଈ ! ତୁମ୍ଭେ ଏହା କାହିଁକି କହୁଛ ମ ? ତୁମ୍ଭେ ରାଜାଙ୍କୁ ଅନେକଦିନୁ ନ ଦେଖିବାର ମନ ସେମନ୍ତ ଗୋଳେଇଘାଣ୍ଟି ହେଉଥିବ । ଛି ଅମଙ୍ଗଳ ଗୋଟାଏ କଣ, ଯାର ନିଜେ ଜଗନ୍ନାଥ ରକ୍ଷାକାରୀ ତାର କି ଅମଙ୍ଗଳ ସମ୍ଭବ !
ରାଣୀ – ଦାସୀ ଲୋ, ତୁ ମତେ ଏଣେ ତେଣେ ଭୁଲା ନା, ଦାସୀ ଆଜି ଗରୁଡ଼ଖମ୍ବ ନିକଟରେ ଅଧ୍ୟା ପଡ଼ିବାରୁ ଯେ ଅଶରିରୀ ଶୂନ୍ୟବାଣୀ ଶୁଣିଲି ତହିଁରୁ ଜାଣୁଛି ହୃଦୟମଣି କୌଶଲ୍ୟାର ମୋର ବିଦେଶରେ କୌଣସି ବିପଦ ପଡ଼ିଛି । ପୁଣି ବୃଦ୍ଧ କଞ୍ଚୁକୀ ଆସି କେତେଦିନ ପୂର୍ବେ କହୁଥିଲା ଯେ ମାଧବୀମଣ୍ଡପ ମକର ଉଦ୍ୟାନଠାରେ ଗୋଟିଏ ଛାୟାମୂର୍ତ୍ତି କଣ ନିତି ଦେଖୁଛି । ତୁ ଯା, ମୁଁ ଏସବୁ କଥା ଶୁଣି ମୋ ମନରେ ନାନାଦି ସନ୍ଦେହ ହେଉଛି । ବୃଦ୍ଧ ତ କେବେ ମିଛ କହେ ନାହିଁ । ତୁ ଗଲୁ, ତାକୁ ମୋ ନିକଟକୁ ଡାକି ଆଣିବୁ । ମୁଁ ଯାଉଛି ଜଗବନ୍ଧୁଙ୍କ ସନ୍ଧ୍ୟା ଆରତି ଦର୍ଶନକୁ ।
ଦାସୀ – ଯେ ଆଜ୍ଞା ! (ପ୍ରସ୍ଥାନ)
ରାଣୀ – ଆଜି ମାଧବୀମଣ୍ଡପ ମକର ଉଦ୍ୟାନକୁ ରାତି ପ୍ରହରକ ପରେ ଗଲେ ସମସ୍ତସନ୍ଦେହ ଦୂର ହେବ । ହେ ପ୍ରଭୁ ଜଗନ୍ନାଥ ଚକ୍ରାୟୂଧ, ତୁମ୍ଭେ ଭରସା ।(ପ୍ରସ୍ଥାନ)
ଚତୁର୍ଥ ଅଙ୍କ
ପ୍ରଥମ ଦୃଶ୍ୟ – ଉଦ୍ୟାନ
(କଞ୍ଚୁକୀର ଏକାକୀ ପ୍ରବେଶ ।)
କଞ୍ଚୁକୀ – (ସ୍ୱଗତ) ଆରେ ବାବା, ଏ ଯେ ସନ୍ଧ୍ୟା ଆସିଲା ଏ ତ ସନ୍ଧ୍ୟା ଦୁହେଁ, ଏ ଗୋଟିଏ ଆମର ମାରକଦଶାର ସନ୍ଧିସ୍ଥଳେ । ସେ ଛାୟାମୂର୍ତ୍ତି କଥା ମନେପଡ଼ିଲେ ଏକାବେଳେକେ ରକ୍ତପାଣି ଠିକ୍ ତ ରାଜଜେମାଙ୍କ ଆକୃତି । ଏ କିଏରେ ବାବା ୟାଡ଼କୁ ତ କଣ ଆସ୍ତେ ଆସ୍ତେ ଆସିଲା, ଏପରି ତ ସେ କେବେ ମୋ କତିକି ଆସେ ନା, ସେ ସେହି ମାଧବୀମଣ୍ଡପଠାରେ ବୁଲେ, ଏ ତ କଣ ପାଖକୁ ପାଖକୁ ଆସୁଚି । ଦୁର୍ଗା, ଦୁର୍ଗା, ଦୁର୍ଗା, –ହାତ୍ ହାତ୍ ଦୁର୍ଗା ତ ଏଇଥର ତଣ୍ଟିରେ ମୁହଁ ନଗେଇଲେ । ଆଲୋ ମୁଁ ନିହାତି ମଲାରକ୍ତ, ଶୁଖି ଚମ ଧଡ଼ ଧଡ଼, ଖଡ଼ା ଚୋବେଇବାକୁ ମନ କରନା । ମା’ ଏଠି କ’ଣ ଭଲ ଭଲ ମାଲ ଅଭାବ ଅଛି, ମା, ମା, ମା !
ଦାସୀ – (ପ୍ରବେଶ) ଆରେ ଖଣ୍ଡିଆ, ତୋ ତେପନପୁରୁଷରେ ମତେ କିଏ ଡାହାଣୀ କହିଥିଲା, ତୋ ମୁଣ୍ଡକୁ ମୋଡ଼ୁଛି ରହ ।କଞ୍ଚୁକୀ – ଆଲୋ ମୁଁ ତ ସେଇଆ କହୁଚି । ଘଣ୍ଟିକା ତ ମୁଣ୍ଡ କତିରେ, ତତେ ବେଶିବାଟ ହାତ ବଢ଼ିଇବାକୁ ପଡ଼ିବ ନାହିଁ, ହାତ୍ ହାତ୍ ।ଦାସୀ – ଖଣ୍ଡିଆ ଫେର ପାଟିକଲା ।କଞ୍ଚୁକୀ – ଆଉ କଣ ତୁ ମତେ ଚୁପ୍ଚାପ୍ ଖଲାସ କରିବୁ ।ଦାସୀ – ଆରେ କଣା ଖାସି, ମୁଁ ପରା ରାଣୀଙ୍କ ଅଙ୍ଗଲଗା ଦାସୀ ।କଞ୍ଚୁକୀ – ଯେବେ ତୁ ଜାଣୁ ଖାସି, ତୋ ମନ କାହିଁକି ମୋଠେଇ ଅଛି ରସି ।ଦାସୀ – ମଲା, ମୁଁ ପରା ସେଥିପାଇଁ ତୋ ଦିହରେ ନିଇତି ହେଉଚି ଘଷି । ଖଣ୍ଡିଆର ଅନ୍ତ ନାହିଁ ନା ପିତ୍ତ ନାହିଁ ନା ଦାନ୍ତ ନାହିଁ ।କଞ୍ଚୁକୀ – ଅସଲ ତ କହିବୁ ଡଙ୍ଗା ବୋହିବାକୁ ମୋ ପାଖରେ କାତ ନାହିଁ ! ହଉ ହଉ, କୁଆଡ଼େ ଯାଉଚୁ ଯା’ ।ଦାସୀ – ମଲା ତୁ ଏମନ୍ତେ ରସିକ ଯେ ମୁଁ ଦିନରାତି ଉଠେଇ ବସେଇ ଦଉ ନାହିଁ, ଖଣ୍ଡିଆ ବୁଢ଼ା ।ଗୀତବୁଢ଼ା ତୋତେ ନାହିଁକି ସରମ । ଫାଟିଲାଣି ଖଣ୍ଡିଆ କରମ ।ଗରମକୁ କାଟେ ସିନା ହେଲେ ଗରମ । ପଦ ।ରସାଇ ଜାଣୁ ନା ନାରୀ ବସାଇ କୋଳେ,ହସାଇ ଜାଣୁ ନା ବାହୁ ବେଢ଼ାଇ ଗଳେ;ଜଳେ ମରମ, ଗଳେ ଘରମ, ବିଧିବଳୁଁ ବୁଦ୍ଧି ଘଟିଲାଣି ଭରମ । ୧ ।କଞ୍ଚୁକୀ – ଆଲୋ ମରଦ ଭଣ୍ଡେଇ କାଣ୍ଡେଇ ଟୋକି ଶୁଣିବୁକି ବୁଢ଼ାଠଉଁ ପୁରାଣ ।ଗୀତଗଣ୍ଡା ଗଣ୍ଡା ଭେଣ୍ଡା ତୋତେ ପାରିବେ ନାହିଁ,ଦଣ୍ଡାବୁଲି ପେଣ୍ଡା କରି ଦେବୁ ଚଳାଇ,ହଡ଼ା ଚରମ ହେଲି କୁରୁମର କଟି ଲୋ ମେଣ୍ଟିବ କି ଟୋକୀ ସରମ ॥
ଦାସୀ – ଚାଲ ଖଣ୍ଡିଆ ରାଣୀ ଡାକିଛନ୍ତି ।
କଞ୍ଚୁକୀ – ଯା ଯା, ତୁ ଆଗେ ଆଗେ ଯା, ମୋଠେଇ ପଘା ନଗାନା, ମୁଁ ବେଶ ପୋଷା ମାନିଚି, ତୋ ପଛେ ପଛେ ଚାଲିଯିବି, କେ ଜାଣି କେତେ ମଣିଷକୁ ତୁ ଖରାପ କଲୁଣି ତାର କିଛି ଠିକ୍ ନାହିଁ ।
ଦାସୀ – ତୋର ତ ଖରାପଫରାପକୁ ଡର ନାହିଁ, ତୋର କଣ ଅଛି, ଘଣ୍ଟା କଣ୍ଟା ନା ମିନିଟ କଣ୍ଟା କଣ ଅଛି ଯେ ମୁଁ ଖରାପ କରୁଛି ।କଞ୍ଚୁକୀ – ଆଲୋ ନାହିଁ କହନା ଅଛି, ଅଛି ସେ ସେକେଣ୍ଡ କଣ୍ଟା ବକଟକ ଅଛି । (ଉଭୟଙ୍କ ପ୍ରସ୍ଥାନ)
ଦ୍ୱିତୀୟ ଦୃଶ୍ୟ – ମକର ଉଦ୍ୟାନ
ରାଣୀ ଏକାକୀ ପ୍ରବେଶ
ରାଣୀ – (ସ୍ୱଗତ) କାହିଁ କଞ୍ଚୁକୀ କଥିତ ମୂର୍ତ୍ତି ତ ଏଠାରେ ଦେଖୁନାହିଁ ତେବେ କଣ ବୃଦ୍ଧ ମତେ ମିଥ୍ୟା କହିଲା ! ନା ସେ କେବେ ମିଥ୍ୟା କହିବାର ପାତ୍ର ନୁହେଁ । (ଟିକିଏ ଚାହଁ) ଏ କଣ, କାହାର ରୋଦନ ଧ୍ୱନି କ୍ରମେ କ୍ରମେ ଏଇଦିଗରୁ ଶୁଭିଲାପରି ଜଣାଗଲା ! ଏ କଣ ମେଘ ଭିତରେ ଚନ୍ଦ୍ରାଲୋକପରି କଣ ମୂର୍ତ୍ତିଟାଏ ହଠାତ୍ ମୋ ଆଖିକି ଦିଶିଗଲା, ରେ ମନ ଦମ୍ଭ ହୋ । ଏପରି ଅଧୀର ହେଲେ
କିଛି ଶୁଣିପାରିବୁ ନାହିଁ । ଏ ଯେ ବାମା କଣ୍ଠ ।ନେପଥ୍ୟେ କୌଶଲ୍ୟାର ପ୍ରେତାତ୍ମାର ଗୀତକାହିଁଅଛୁ ସ୍ନେହେ ଡାକ ଜନନୀ ଲୋ ।ନିତି ତୋତେ ଲୋଡ଼ୁଛି ଏ ଦୁଃଖିନୀ ଲୋ । ପଦ ।ଦେଖିଥିଲୁ କୌଶଲ୍ୟାରେ କୋଳେ ବସାଇ ଗହ୍ଲାରେଏବେ ଛାୟା କାୟା ଚାହାଁ ଦାନିନୀ ଲୋ । ୧ ।ବେଶଭୂଷା ଅଳଙ୍କାର ମାଗୁନାହିଁ ଝିଅ ତୋରଶୁଣିବୁ କି ମୋ ଗୁହାରି ମାନିନୀ ଲୋ । ୨ ।
ରାଣୀ – ରେ କର୍ଣ୍ଣ ! କ’ଣ ଶୁଣୁଛୁ ତୁ ବଧୀର ହୋଇ ଯା ! ରେ ପ୍ରାଣ ! ତୁ ଏ ଦେହରୁ ବାହାରି ଯା ! ଓଃ ଏ କଣ ମୋ ହୃଦୟମଣି କୌଶଲ୍ୟା ! ମା ମା, ମୋ କୋଳକୁ ଆ, ଆସିବୁ ନାହିଁ ନାହିଁ ଦିନ କେଇଟାରେ ବାପାଙ୍କ ସ୍ନେହ ପାଇ କି ମାକୁ ଏକାବେଳେ ପାସୋରିଦେଲୁ, ଅ, ମୋ ମା !
ଗୀତ
ଆସ ଆସ ଦୁଃଖିନୀର କଣ୍ଠ ରତ୍ନମଣି । ଆସ ଲୋ କୌଶଲ୍ୟା ଭାଷ ମାଆ ମାଆ ବାଣୀ । ରୁଷିଛୁ କି ଦୋଷେ ଲୋ । ବସ କୋଳରେ ସ୍ନେହବଶେ ଲୋ । ୧ । ମନଜାଣି ନ ଦେଲି କି ରତ୍ନ ଅଳଙ୍କାର । ଅଳିକରି ନିଅ ମାଆ ମୋର । ଅଞ୍ଚଳ ମୋ ଧରି ଲୋ । କରୁନାହିଁ କି ପାଇ ଗୁହାରି ଲୋ । ୨ । ମାଆ ଲୋ କ୍ଷୁଧା କି ତୋର ଜଠରରେ ନାହିଁ, ଏଡ଼େ କଠୋର ସ୍ୱଭାବ ଶିକ୍ଷା କଲୁ ନାହିଁ । କାଖ ହେବୁ ପରା ଲୋ । ପାଖକୁ ଆସ ମୋ କଣ୍ଠହରା ଲୋ । ୩ । କିସ ଊଣା ହେଲା ତୋତେ ଏ ରାଜବନରେ । କିପାଁ ଛିଡ଼ା ହୋଇଛୁ ମା ବିରସ ଭାବରେ । ମନ ଫେଇ କହ ଲୋ । ପୋଛିଦିଅ ବଇ ନେତ୍ରୁ ଲୁହ ଲୋ ।୪। ମା, ଆ ମୋ କୋଳକୁ ଆ ।
କୌ-ପ୍ରେତ-ମାଲେ, ଏ ଅନାଥିନୀ ଦୁଃଖିନୀ କନ୍ୟା କି ତୋର ଇହଧାମରେ ଅଛି ? ମା ଏ ଛାୟାଦେହରେ ତୋର କାୟା କିପରି ସ୍ପର୍ଶ କରିବି । ମା–ମୁଁ ବେଶଭୂଷା ବା କୁଙ୍କୁମ କସ୍ତୁରୀ ସୁବାସିତ ପଦାର୍ଥ ବା ଦଧି ଦୁଗ୍ଧ ପାୟସାଦି ମାଗି ଆସିନାହିଁ । ମାଗିବି ଆସିଚି ତୋର କରୁଣା, ଶୁଣାଇବାକୁ ମୋ ଦୁଃଖ । ମା କାୟାଦେହରେ ଥିଲାବେଳେ ଯେପରି ତୋର ସୁତାର କଥା କାନକୁ ନେଉଥିଲୁ ଆଜି ଏ ଛାୟାଦେହର କଥା ଥରେ ସେହିପରି ନେବୁ କି ?
ରାଣୀ– ମା, କ’ଣ ତୋ କପାଳରେ ଘଟିଛି ମୋତେ ଶୀଘ୍ର କହ । ରେ ହୃଦୟ, ରେ ପ୍ରାଣ ଏପରି ଅସ୍ଥିର ହେଲେ ଯେ କିଛି ଶୁଣିପାରିବୁ ନାହିଁ । ସମସ୍ତ କଥା ଶୁଣିବା ଯାଏ ଏ ବଜ୍ର ନିଦାନ ବଜ୍ରପତନ ସହିବାକୁ ହେବ । ଯାହା ଯାହା ମୋର ଦୁଃଖିନୀ ଭଲପଟରେ ଘଟିଛି ତାହା ତାହା ଶୁଣିବା ଯାଏ ଏ ପାପ ପିଣ୍ଡରେ ଅବସ୍ଥାନ କର । ମା ମା, କଣ ତୋର କଥା ମତେ ଶୁଣା । ପରେ ସମସ୍ତ ଶୁଣାଇ ତୋ ସଙ୍ଗରେ ମୋତେ ପରଲୋକକୁ ନେଇ ଚାଲ । ମାତା ସୁତା ଦୁହେଁ ଏକତ୍ର ଏକସ୍ଥାନରେ ବାସକରିବା ।
କୌ- ପ୍ରେତ – ମା, ମୁଁ, ତୋତେ ସେ ଘୃଣ୍ୟ କଥା କଣ କହିବି । ମୁଁ ଜାଣେନା ଯେ ପିତାଙ୍କ ହୃଦ ସୁଧା ଭାଣ୍ଡରେ ଏପରି ଗରଳ ମିଶିଚି ବୋଲି, ମା ଯାହା ଏ ହୀନ କପାଳୀ ଦୁହିତା ଭାଲ ପଟରେ ଘଟିଚି ତା ଶୁଣ ।
ଗୀତ
ଗର୍ଭଧାରୀଣୀ ଲୋ ଶୁଣ । ତୋର ଦୁହିତାର ହତ କାରଣ, କି ଜନନୀ ଲୋ । ଜନ୍ମଦାତା କି ଏଡ଼େ ଦାରୁଣ । ୧ । ସେନାଙ୍କୁ କହିଲେ ଦିନେ । ସଭାରେ ବସାଇ ମୋ ବିଦ୍ୟମାନେ, କି ଜନନୀ ଲୋ । ରତ୍ନପୁର ନିରେଶ ନିଧନେ । ୨ । ଯେହୁ ରତ୍ନପୁର ମୋତେ । ଜୟ କରାଇଣ ଦେବ ତୁରିତେ; କି ଜନନୀ ଲୋ । ଦେବି ଏ କନ୍ୟା ଗୋଟି ତା ହାତେ । ୩ । ସରବେ ମୋର ଲୋଭେ ପଡ଼ି ଚାଲିଗଲେ ନିଜ ଛାଉଣୀ ଛାଡ଼ି; କି ଜନନୀ ଲୋ । ସେବିଲି ମୁଁ ପିତା ଯୋଡ଼ି । ୪। ଦିନେ ଭାଷିଲେ ପିଅର । ବୃକ୍ଷ ଯାର ଫଳ ନୁହେ କି ତାର କି; ଜନନୀ ଲୋ । ନ ବୁଝିଣ ସେ କପଟ ଗୀର । ୫ । ଅଙ୍ଗୀକାର ମୁଁ କରନ୍ତେ । ଯାହା ଯାହା କଲେ ସେ ରାତ୍ରେ ମୋତେ, କି ଜନନୀ ଲୋ । ହେଲି ପାପଗର୍ଭ ଅନାୟତ୍ତେ । ୬ । କାରାବଦ୍ଧେ ମୋତେ ରଖି । ପୁତ୍ର ପ୍ରସବିବା ନୟନେ ଦେଖି, କି ଜନନୀ ଲୋ । ବେନି ସୈନିକ କହିଲେ ଡାକି । ୭ । ଧବଳୀ ନିକଟେ ନେଇ । ସଚ୍ଛିଦ୍ର କନକ କଳସ ଦେଇ, କି ଜନନୀ ଲୋ । ସୁତ ସହ ବୁଲାଇଲେ ସେହି । ୮ । ଯେଠାରୁ ସରିବ ନୀର । ସେହିଠାରେ ଖୋଳିବେ ସରୋବର, କି ଜନନୀ ଲୋ । ହେବ ପ୍ରାୟଶ୍ଚିତ୍ତ ଏ ପାପର । ୯ । ଗୋପନେ ଆଦେଶ ଦେଲେ । ଗିରି ଗୁହାରେ ପାଷାଣ ଢାଙ୍କିଲେ, କି ଜନନୀ ଲୋ । ମୋତେ ସଦ୍ୟଜାତ ଶିଶୁ ତୁଲେ । ୧୦ । ସେଠାରୁ ଘଟିଲା ଯାହା । ତୋ ଦୁହିତା ହୀନ କରମେ ମାଆ କି, ଜନନୀ ଲୋ । ବଇଷ୍ଣବ ବୋଲେ ଶୁଣ ତାହା, କି ଜନନୀ ଲୋ । ୧୧ ।
ରାଣୀ – ଓଃ କଣ ଶୁଣୁଚି, ହସ୍ତପଦ ଅବଶ, ଏକାବେଳେ ବାକ୍ଶକ୍ତି ରହିତ ! ମାଲୋ ମା, କଣ ହେଲା ସେଠାରୁ କହ?
କୌ – ପ୍ରେତ – ମା, ତତେ ସେ ଅମାନୁଷୀ କାଣ୍ଡ କଣ କହିବି ? ସେ ଗୁହାରେ ସାପ ନଥିଲେ ଯେ, ଯେତେ ତାଙ୍କୁ କାନ୍ଦି କାନ୍ଦି ଡାକିଲି ଦୁଃଖିନୀକି ପାପିନୀ ଭାବି କେହି ବିଷଦନ୍ତରେ ଦଂଶନ କଲେ ନାହିଁ । ଦିବସରେ ଶିଳାଚ୍ଛିଦ୍ରରେ ସୂର୍ଯ୍ୟ ରଶ୍ମିପଡ଼ି ପୁତ୍ରଟିର ମୁଖ ଦେଖାଇ ଅଧିକ କଷ୍ଟ ଦେଉଥାଏ । ମୁଁ ଅନାହାରରେ ରହିବାରୁ ମୋର ସ୍ତନ ବେନିରୁ କ୍ଷୀର ଶୁଖିଗଲା, ପୁତ୍ରଟି ଆହାର ନପାଇ ସାତଦିନ ପରେ ପ୍ରାଣତ୍ୟାଗ କଲା । ମୋର ଆଖିରେ ଲୁହ ନ ଥିଲା ଯେ ପୁଅପାଇଁ କାନ୍ଦିବି ବୋଲି । ଏଣେ ଜଠର ଯାତନା ବଳାଇବାରୁ ଆଉ କାନ୍ଦ ମାଡ଼ିଲା ନାହିଁ ମା, ଯେଉଁ ସନ୍ତାନ ପାଇବା ଆଶାରେ ନାରୀମାନେ ବାର ବ୍ରତ ତେର ଉପବାସ କରନ୍ତି, ଯାହା ପାଇଁ ରମଣୀ ଭାଗ୍ୟବତୀରେ ଗଣନା ହୁଅନ୍ତି, ମା କ୍ଷୁଧା ଜ୍ୱାଳାରେ ତାର ସଢ଼ା ଶରୀର ଖାଇବାକୁ ଉଣ୍ଡାଳିଲି । ମାତା କେବେ ପୁତ୍ରଶବ ଖାଏ ଏହା କେହି ଶୁଣି ନ ଥିବେ, ଏହା ମୋ କପାଳକୁ ଘଟିଲା । ସେ ସବୁ ଭୋଜନରେ ତିନିଦିନ ପ୍ରାଣ ଧାରଣ କଲି, ପରେ ଏ ପ୍ରାଣ ପୁଣି ପରଲୋକକୁ ଚାଲିଗଲା । ମା ତୋତେ ସେ ଅମାନୁଷୀ କାଣ୍ଡ କ’ଣ ଶୁଣାଇବି ? ଦୋଷୀ କେବେ ନିଜ ଦୋଷ ଢାଙ୍କି ପରକୁ ଏପବରି ଦଣ୍ଡ ଦିଏ ? ପିତା ମୋ ନାମରେ ପରଦାର ପାପ ଗର୍ଭର କଳଙ୍କ ଜଗତକୁ ଦେଖାଇବା କାଳକୁ ରଖାଇ ଦେଇଛନ୍ତି । ମା, ଏତିକି କହିବି ବୋଲି ତିନିମାସ ହେବ ଏ ମାଧବୀ ମଣ୍ଡପ ଲତାତଳେ ବୁଲୁଛି । ମା, ରାତ୍ର ଯେ ପାହି ଆସିଲାଣି, ପ୍ରଭାତରେ ଦେବତାମାନେ ସ୍ୱର୍ଗଦ୍ୱାର ଦେଇ ଜଗବନ୍ଧୁଙ୍କ ଆଳତି ଦେଖିବାକୁ ଆସିବେ । ଏତେବେଳେ ପ୍ରେତ ଯୋନୀଙ୍କ ରହିବାକୁ କ୍ଷେତ୍ରରେ ମନା ।
ଗୀତ
ଯାଉଚି ଯାଉଚି ମାଆ ଲୋ ତୋର ଦେଖା ଏତିକି । ନ ପାଇବୁ ସୁତାକୁ ପୁଣି ସ୍ଥିର କର ମତିକି । ୧ । ସ୍ନେହବାଣୀ ଭାଷିବୁ ନାହିଁ ମାଆ ମାଆ ଏ ଡାକ । କୋଳେ ଧରି ଚୁମିବୁ ନାହିଁ ଦଣ୍ଡେ ଏ ଚାନ୍ଦମୁଖ । ୨ । ଯେତିକି ଶୁଣିଲି ଏତିକି ତୋର ସୁସ୍ୱର ବାଣୀ । ମୋ ପରା ଦୁଃଖିନୀ ତୋ ଗର୍ଭେ ଜାତ ନ ହେଉ ପୁଣି । ୩ । ତୋହପରା ଜନନୀ ମୋତେ ମିଳୁ ଗୋ ଜନ୍ମ ଜନ୍ମେ । ମୋ ସମାନ ଦଶା ନ ଘଟୁ କେବଣ ନାରୀ କର୍ମେ । ୪ । ବାହାର ବିଦାୟ ଦେଇ ଅନ୍ତରେ ଥିବୁ ରଖି । ତୋ କୌଶଲ୍ୟା ପ୍ରତି ଏ ଦୟା ଭାଷେ ବଇୟା ଦୁଃଖୀ । ୫ । (ପ୍ରସ୍ଥାନ) ରାଣୀ – ମାଲୋ ମା, ସତେକି ଚାଲିଗଲୁ ! (ପତନ, ଉଠି ଗୀତ)
ଗୀତ
କାହିଁ ଗଲୁ ମାଆ ମାଆ କୋଳେ ଆ ଆ ମୋର କଣ୍ଠ ରତନମଣି । କେଣେ ଗଲୁ ହଜି ମରୁଅଛି ଖୋଜି ମନର ରଞ୍ଜାଇ ସାଜିବି ବେଣୀ ॥ ପଦ । କାହିଁ କଲୁ ମୋ ନେତ୍ର ପସରା । କାହିଁ ଦୁଃଖିନୀ ଦୁଃଖ ପାସୋରା । ହାୟ ହାୟ ରହ ରହ କହ କହ ଥରେ ଶୁଣା ସେ ଅମିୟ ବାଣୀ । ମରତେ ପରତେ ନାହିଁ ଦେବୁ ସ୍ନେହ ବୀଜ ବୁଣି । ୧ ।
ମା ମା, ସତେକି ଚାଲିଗଲୁ ! ରେ ନରପିଚାଶ, ତୋର ରକ୍ତ ନ ଦେଖିବା ଯାଏ ଏ ଚିତ୍ତ ସ୍ଥିର ନାହିଁ । ଛି ଛି ଧିକ୍ ଧିକ୍ ତୋତେ ! କି ଇନ୍ଦ୍ରିୟ ଲାଳସା ତୃପ୍ତି ପାଇଁ ସ୍ଥାନ ମିଳିଲା ନାହିଁ । ନିଜର ଔରସର ଦୁହିତାଠାରେ ପିତାର ପାଶବିକ କାମନାପୋଷଣ ନରାଧମ ! ତୁ ନରଶ୍ରେଷ୍ଠ ନୋହୁ । ନରକ କୀଟ – ଯେ ଦିନ ପାର୍ବତୀର ତୀକ୍ଷ୍ମ ତରବାରୀ ଧାର ତୋ ରକ୍ତପାନ କରିବ ତାହା ଜଗତ୍ପତି ନୀଳଶୈଳ ଦେଉଳରେ ଥାଇ ସ୍ୱନେତ୍ରରେ ଦେଖିବେ, ସେହିଦିନ ଏ ହୃଦୟ – ନିଆଁ ନିର୍ବାପିତ ହେବ । ମା ଲୋ ମା ତୁ ସେହିଦିନ ତୋର ଦଣ୍ଡଦାତା ଭଣ୍ଡ ପିତାର ଛିନ୍ନମୁଣ୍ଡ ଦର୍ଶନ କରି ସେହି ରକ୍ତପାନ କରି ତୋର ଚିର ଅନଶନ ବ୍ରତ ଉଦ୍ଯାପନ କରିବୁ – ମା – ମା – ମା । (ପ୍ରସ୍ଥାନ)