ପାର୍ବତୀ ବା ଗଙ୍ଗେଶ୍ୱର ଗୀତିନାଟ୍ୟ
ବୈଷ୍ଣବ ପାଣି · ଭାଗ ୨ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଦୃଶ୍ୟ
(କଞ୍ଚୁକୀର ଏକାକୀ ପ୍ରବେଶ)
କଞ୍ଚୁକୀ – (ସ୍ୱଗତ) ଓଃ, ମଣିଷ କି ଗଣ୍ଡଗୋଳରେ ପଡ଼ି ଲଣ୍ଡଭଣ୍ଡ ହଉଚି ହୋ, ଦଣ୍ଡେ ଖଣ୍ଡେ ଏ ଶଳା ଆଖିକି ଫୁରସତ୍ ନାହିଁ । ଏ ଛାତୁଟା ଉପରେ ହାତୁଟାକୁ ଟେକି ମଣିଷ କେତେ ଅନେଇବ । ରଜାଟା କହିଚି ଯେଉଁଦିନ ଲଢ଼େଇର ମଜାଟା ବାହାରିବ, ଶତ୍ରୁ ସଜା ପାଇବ, ତୁ ସେଇଦିନ ଆଲୁଅ ଦିହୁଳି ପାହାଡ଼ ଶିଖରେ ଦେଖିବୁ । ହା ତୁ ପର ଗୋଲାମି, ତାକୁ ପାଇବାକୁ ଫେରି ମଣିଷ ଦବ ସଲାମି । ଆମର ମୋଟା ଚାଉଳ ହେଲେ ତାଙ୍କର ଫେର ପୂରା ବାଲାମି ପୁଣି ସେଥେରେ କେତେ କେତେ ବଦନାମି ! କରଜ କରି ଖାଇ ଘରଡିହ ପଛେଇ ଯିବ ନିଲାମି, ବାବା ଏ କାମକୁ ଯେ ମନ ଦବ ତାଠଉଁ ଜମା ଛାଡ଼ିନାହିଁ ଓଲାମି । ବାବା, ଏହି ଗୋଲାମି ଗୋଲାମିରେ ବୁଢ଼ା ହେଲି, ଚମ ଧଡ଼କିଲା, ହାତ ନଡ଼କିଲା, ନାକ ଭଡ଼କିଲା, ଆଉ କେତେଦିନେ ଆମର ବାବା ଯାଇଁ ସ୍ୱର୍ଗଦ୍ୱାରେ ହାଜର । ଆରେ ବାବା, ରାଜା ହେବାଟା ପୁଣି ଏମନ୍ତେ ଝିଞ୍ଜଟ । ହରଦମ କିଏ ରାଜ୍ୟ ନେଇଯିବ ବୋଲି ଛାତି ଦକ ଦକ, ମନ ରକ ରକ, ଖାଲି ବାହାରଟା ସିନା ଜକ ଜକ, ଭିତରଟା ଭାରି ଅଳିଆ, କାଳିଆ, ଗୋଳିଆ, ପ୍ରଜା ହେଲେ ମେଳିଆ, ତାଙ୍କ ଭାଡ଼ିରୁ ଚାଲିଲା ଓଳିଆ । ଆରେ ବାବା, ମତେ ଯେବେ କେହି ଜବରାନ୍ ରାଜା ହେବାକୁ କହେ ମୁଁ କେବେ ସେ କାଦୁଅରେ ନ ପଶେ । (ପେଟ ଚିପିଧରି) ଏ ପାଇଖାନା ଯିବାଟା କିଏ କଲା ହୋ, ଗୋଟାଏ ଲୋଟା, ଗୋଟାଏ ଗାମୁଛା, କାହାର କାହାର ବିଡ଼ି ସିଗାରେଟ, କାହାର କାହାର ଖଇନୀ ନ ହେଲେ ତଳ ଦରଜା ଶଳା ନ ଖୋଲେ । ଛେଳି ମେଣ୍ଢା ହାତୀ ହରିଣ ଚଢ଼େଇ ଓଗେର ଜାତିମାନଙ୍କର ତ ବେଶ୍ – ଯେଉଁଠି ତଲାସ ସେଇଠି ଖଲାସ, ଧୁଆଧୋଇ କିଛି ନାହିଁ । ବୁଢ଼ା ମଣିଷକୁ ବିଧାତା ଏତକ ନ ଦେଇଥିଲେ ତାର ବା କୋଉ କାମ ଅଟକୁ ଥିଲା ? ଏ କିଏରେ ବାବା, ଏତ ସେଇ ହାରମଯାଦି ଉଗ୍ରଚଣୀ ! ମତେ ତ ମାଇପିଙ୍କୁ ଦେଖିଲେ ଭେରି ଡରମାଡ଼େ, କାହିଁକି ନା ପିଲାଦିନୁଁ ମୁଁ ସେ ଚାଟଶାଳୀରେ ଭାରି ପଣ୍ଡିତ, କାମଶାସ୍ତ୍ର ବହି ଉପର ପୃଷ୍ଠା ମଲାଟ ଉପରେ ମୋର କାରବାର ।
ଦାସୀ– (ପ୍ରବେଶି) କିରେ ଖଣ୍ଡିଆ କେଞ୍ଚେର ବୁଢ଼ା, ଏଠି ଏକାକୀ କାହା ସଙ୍ଗରେ ବରବର ହଉଚୁ କି ?
କଞ୍ଚୁକୀ– ଚୁପ୍ ବେ ରାଣ୍ଡୀ, ମୁଁ ଏଠି ମୋ ହାତକୁ କହୁଚି, ଗୋଡ଼କୁ କହୁଚି, ତ ତୁ ରାତିରେ ଏକା ଶୋଉ ନିତି କାହା ସାଙ୍ଗରେ ଭୁଟୁ ଭୁଟୁ ହଉ ?
ଦାସୀ– ମୁଁ ମୋ ମନକୁ କହେ ।
କଞ୍ଚୁକୀ– ମୁଁ ସେମନ୍ତେ ଏ କୋଠା ଛାତ ଉପରେ ବସି ଏ ଜହ୍ନକୁ କହେ । ହଉ ତୁ କୁଆଡ଼େ ଯାଉଚୁ ଯା, ନୃମୁଣ୍ଡମାଳିନୀ କୁଳକୁଣ୍ଡଳିନୀ, ଏଠି ତ ପଣାପାଣି କିଛି ନାହିଁ, ଖାଲି ଖାଲି ଉଭା କିଆଁ ?
ଦାସୀ– ଆରେ ତୋଠେଇଁ ଅଛି ଯୋଉ ରସ ଛଣା ପଣା, ମୁଁ ପରା ତାକୁ ପିଇବାକୁ ହେଇଯାଉଚି ବଣା । ଆରେ କଣା ଖାସି, ତୋ ସାତପୁରୁଷରେ କିଏ ରଙ୍ଗିକି ଥଟା କରିଥିଲା ।
କଞ୍ଚୁକୀ– ଆଲୋ, ଶୁଣ ଶୁଣ ।–ଗୀତ–(ବନା ମା, ଅନା ଥରେ ମୋ ଆଡ଼କୁ–ବୃତ୍ତେ)ରଙ୍ଗି ତୁ ମୋ ସଙ୍ଗେ ଲାଗିଛୁ କାହିଁକି ?ଦାସୀ–ତୋ ଭଙ୍ଗୀ ଚେହେରାରେ ରସି, ମଙ୍ଗେଇବି ଅଛି ଆସି, ପାରିକର କାମ ନଈକି । ପଦ ।କୁଞ୍ଚୁକୀ–ଆଲୋ, ଆଲୋ, କାତ ତ ମୋ କତିରେ ନାହିଁ ।ଦାସୀ–ଆଉଲା କେଣେ ହଜାଇଲୁ ରେ ତୁହି ।କଞ୍ଚୁକୀ–ନହଲା ମୁହଁ ମୋ ଆଗେ ମରିଯିବି ସଙ୍ଗେ ସଙ୍ଗେ ପିଲାଦିନ ଡରେ ମାଇକି ।୧।ଦାସୀ–ଆରେ ରେ, କବିରାଜ କତିକି ଯାଆ ।କଞ୍ଚୁକୀ–ଆଲୋ ଲୋ ନୁହେ ସେତ ମଣିଷ କିଆ ।ଦାସୀ–କେଉଁ ଜନମେ କି ପାପ କରି ଭୋଗୁଛୁ ଏ ତାପ, ଜଣା ତା ଜଗତସାଇଁକି ।୨।କଞ୍ଚୁକୀ–ଆଲୋ ଲେ, ନୁହେଁ କି ମୁଁ ମଣିଷ ଜଣେ ।ଦାସୀ–ଆରେ ରେ ପଶୁ, ଯେହୁ ରସ ନ ଜାଣେ ।କଞ୍ଚୁକୀ–ରସ ଛଅ ପରକାର, ଆହାରରେ କାରବାର, ଦେଖାନା ଏ ଟୋକି ଛଇକି ।୩।ଦାସୀ–ଆରେ ରେ ରେ, ରସିକେ ତା ଜାଣନ୍ତି ଭାଉ ।କଞ୍ଚୁକୀ–ଆଲୋ ତା ବୁଢ଼ା ଦିନେ ଶିଖିବି ଆଉ ।ଦାସୀ–ଆଦିକି ଯେ ସାଧି ନାହିଁ, ନିଧି ସେ ପାଇବ କାହିଁ, ବୃଥା ତ ଆସିବା ମହୀକି ।୪।କଞ୍ଚୁକୀ–ହଉ ହଉ ତୁ ମୋ ଅବଧାନ ହୋଇ ପାଠ ପଢ଼ାନା, କୁଆଡ଼େ ଯିବୁ ଯା ।ଦାସୀ–ଚାଲ ଖଣ୍ଡିଆ ରାଣୀ ପଠେଇଛନ୍ତି କଣ ତୋଠଉଁ ନଢ଼େଇ ଖବର ବୁଝିବେ ।କଞ୍ଚୁକୀ–ମୁଁ ବାବା କଭି ତୋ ସାଙ୍ଗରେ ନ ଯାଏ, ତୁ ଯେ ଏକବାର ଗରମ, ମୁଁ ଯେ ଏକବାର ନରମ ।ଦାସୀ–ଏ ଖଣ୍ଡିଆ ବାଡ଼ିପଡ଼ାକୁ ଛାଡ଼ିଲାଣି ଧରମ । ସେ ଯୋଗେ ୟା ମୁହଁରେ ଟିକିଏ ନାହିଁ ସରମ ।(ଉଭୟଙ୍କର ପ୍ରସ୍ଥାନ)
ପ୍ରଥମ ଦୃଶ୍ୟ
ଶିବିର(କୌଶଲ୍ୟା ଏକାକୀ ଆସନରେ ଉପବେଶନ ।)
କୌଶଲ୍ୟା– (ସ୍ୱଗତ) ଆଜି ଏ କି ଅମଙ୍ଗଳ ନେତ୍ର ପଥରେ ଦେଖୁଚି, ଦିନେ ତ ଏପରି ଦେଖେ ନାହିଁ । ତେଣେ ଯୁବରାଜ ସେନା ଘେନି ରଣ କାର୍ଯ୍ୟରେ ଲିପ୍ତ । ଶୁଣୁଛି ପ୍ରତିଦିନ ଲଢ଼େଇରେ ଆମ୍ଭର ଜୟ ହେଉଚି, ତେବେ ଏ କୁଲକ୍ଷଣ ଦେଖୁଚି କାହିଁକି । ଏଠି ତ ପିତା ମୋତେ ସ୍ୱୟଂ ଏଠାରେ ରଖି ସମସ୍ତ ତତ୍ତ୍ୱ ନେଉଛନ୍ତି । କାହିଁରେ ତ କିଛି ଅସୁବିଧା ନାହିଁ । ଏ କଣ ଏତେବେଳେ ମୋ ନିକଟକୁ ପିତାଙ୍କର ଆସିବାର କାରଣ ! କଣ ପିତା, ପ୍ରଣାମ ଶ୍ରୀପଦେ ।
ଗଙ୍ଗେଶ୍ୱର–ମା କୌଶଲ୍ୟା ! ତୋର ତ ଚଳିବାର କାହିଁରେ ଅସୁବିଧା ଘଟୁ ନାହିଁ ?କୌଶଲ୍ୟା–ନା ପିତା, ଆପଣଙ୍କ ଦୟାରୁ, ଜଗତ୍ପତି ଜଗନ୍ନାଥଙ୍କ କରୁଣାରୁ ମୋର କାହିଁରେ ଅସୁବିଧା ନାହିଁ ।
ଗଙ୍ଗେଶ୍ୱର–ଆଛା ମା, ତୋତେ ଗୋଟିଏ କଥା ପଚାରିବି, ମୋତେ ତାର ପ୍ରକୃତ ଉତ୍ତରଦାନେ ସୁଖୀ କରିବୁ । ଆଛା ମା କହନି, ଜଗତରେ ଭଲ ପଦାର୍ଥ ପାଇବା ଆଶା କାହାର ନାହିଁ ? ଆଉ ଗୋଟିଏ ପ୍ରଶ୍ନ–ବୃକ୍ଷ ରୋପଣ କଲା ଲୋକ ଫଳଭୋଗୀ ହୁଏ କି ନା ?
କୌଶଲ୍ୟା–ପିତା ! ଯାହାର ବୃକ୍ଷ ତାହାର ଫଳ, ଜଗତରେ ଭଲଦ୍ରବ୍ୟ ପାଇବା ଆଶା ସବୁରି ଥାଏ । ପିତା, ଆଉ ଗୋଟିଏ କଥା ଏ ଦାସୀ ପଚାରୁଛି ଆପଣ ମୋତେ ଏହା ପ୍ରଶ୍ନ କଲାମାତ୍ରେ ଆପଣଙ୍କ ପ୍ରଭା ବଦଳି ଗଲା କାହିଁକି ?
ଗୀତ(କୀର୍ତ୍ତନ ସ୍ୱର ।)ପିତା ତବ ସୁତା ଅଳି ଏହି । ଦିନେ ତ ଏମନ୍ତ ଭାଷନାହିଁ ।ଯାହାହିଁ ତାହିତ ଜାଣିଥିଲି ମୁଁ ତ ସେହି ଭାବେ ଦେଇଅଛି କହି ।ନ ଧରିବ ଦୋଷ । କିଞ୍ଚିତରେ ଦୁହିତାର ନରଈଶ ।
ପିତା ! ଅଦ୍ୟାବଧି ଏ ପ୍ରଶ୍ନ କେବେ ଶ୍ରୀମୁଖରୁ କୌଶଲ୍ୟା ଶୁଣି ନ ଥିଲା, ମୁଁ ଯାହା ଜାଣିଥିଲି ତାହା କହିଚି । ଏହା ପଚାରିବାର ଅର୍ଥ କିସ ?
ଗଙ୍ଗେଶ୍ୱର–କୌଶଲ୍ୟା ! ତାହା ମୁଁ ତୋତେ ପରେ କହିବି ।କୌଶଲ୍ୟା–ପିତା ! ଆହୁରି କହୁଛି ଶୁଣନ୍ତୁ–ଯାହା ନିମନ୍ତେ ଯାହା ଚଉମଥା । ସଞ୍ଚି ଥୋଇଚି ହେ ଜନ୍ମଦାତା ।ବଞ୍ଚିତ କେ ତାକୁ କରିବ ତହିଁରୁ ସୁଚିତ୍ତେ ବିଚାର ସେ ବ୍ୟବସ୍ଥା ।ପୀୟୂଷରେ ବିଷ, କିପାଁ ମିଶିଲା ପରା ଦିଶଇ ଆସ୍ୟ ।୨।କମ୍ପିତ ହୁଏ କର ଚରଣ । ସତ କହ ଦେଉଚି ମୋ ରାଣ ।ମାଗିଲେ ପିଣ୍ଡରୁ ପ୍ରାଣ ପାରେ ଦେଇ ମନ୍ତ୍ର ଯନ୍ତ୍ର ତନ୍ତ୍ର ଶ୍ରୀଚରଣ ।ବଇଷ୍ଣବ ଭାଳି । ଇଷ୍ଟ ନାମଟି ଅଟେ ମୋ କଣ୍ଠମାଳି ।୩।
ପିତା ! ପ୍ରଶ୍ନ କଲା ମାତ୍ରେ ଆପଣଙ୍କ ହସ୍ତ ପଦ କମ୍ପି ଉଠିଲା କାହିଁକି ? ପିତା, ତୁମ୍ଭେ ମୋର ମନ୍ତ୍ର ଯନ୍ତ୍ର ତନ୍ତ୍ର ସମସ୍ତ, ତୁମ୍ଭପାଇ ଏ ପ୍ରାଣ ମଧ୍ୟ ଦେଇ ପାରେ । ଯଦି ଆପଣଙ୍କ ରୋଗମୁକ୍ତି ପାଇଁ ନରପିତ୍ତ ଲୋଡ଼ା ହୁଏ ହସି ହସି ଏ ହୃଦୟ ଚିରି ନେବାପାଇଁ ଦେଖାଇ ଦେବି । ମୋତେ ସମସ୍ତ କାରଣ ଖୋଲି କହନ୍ତୁ ।
ଗଙ୍ଗେଶ୍ୱର – ମା କୌଶଲ୍ୟା ! ତା ମୁଁ ତତେ ଅନ୍ୟବେଳେ କହିବି । ଏକ୍ଷଣେ ତୋର ସଖୀମାନେ ଆସଲେଣି, ମୁଁ ଯାଉଚି । (ପ୍ରସ୍ଥାନ)ସଖିଗଣେ ଗୀତ ଗାଇ ପ୍ରବେଶ ।(ନନ୍ଦସୁତ ମୋର ଜୀବିକା–ବୃତ୍ତେ ।)କି ସୁନ୍ଦର ଚାନ୍ଦନୀ ରାତି । ସରସ କରଇ ନୀରସ ମତି ।ପରଶିଲା ମାତ୍ରେ ବସନ୍ତ ଅନିଳ ବରଷି ଗଲା କି ସୁଧା ସମ୍ପତ୍ତି । ପଦ ।ନୀଳ ନଭେ ଫୁଟିଛି ତାରା ଗୋଟି ଗୋଟି ହୋଇ ସେ ପରାବାଣ୍ଟୁ ଅଛି ବାସ ବିକଶି କାନନେଯୂଇ ଜାଇ ଚମ୍ପା ମଲ୍ଲୀ ମାଳତୀ ।୧।କହୁ କହୁ ପଞ୍ଚମତାନ କରି ପିକ ଗାଉଚି ଗାନଭ୍ରମର ଗୁଞ୍ଜନ ଝିଙ୍କାରି ଝଙ୍କର ବିରହୀ ଯୁବତୀ ଯୁବକଘାତୀ ।୨। (କୌଶଲ୍ୟା ସହ ସମସ୍ତଙ୍କ ପ୍ରସ୍ଥାନ)
ଦ୍ୱିତୀୟ ଦୃଶ୍ୟ–ନଦୀତୀର
(ଓଡ଼ିଶା ଯୁବରାଜ ଏକାକୀ ପ୍ରବେଶ ।)
ଯୁବରାଜ –ଆହା କି ରମଣୀୟ ଏ ସ୍ଥାନଟି ! ସାଳନ୍ଦୀ ଜଳରାଶି ସାୟଂ ସମୀରଣ ସ୍ପର୍ଶରେ କଳ କଳ ନାଦ କରି ରତ୍ନପୁର ଦୁର୍ଗର ପଶ୍ଚିମପଟ ତଟର ପଦଧୌତ କରୁଚି । ଆହା ଚକ୍ରବାକ ଚକ୍ରବାକୀଙ୍କ ପ୍ରଣୟସୂଚକ ଧ୍ୱନି କେମନ୍ତ ମଧୁର । ଅଦୂରେ ଯେଉଁ ଉପବନଟି ଦେଖୁଛି ସେ ଦିନ ଏଠାରେ ହତଭାଗାର ଗୋଟିଏ ଭାଗ୍ୟ ପରୀକ୍ଷା ହୋଇଯାଇଚି । ରତ୍ନପୁର ରାଜବାଳା ମୋ ପ୍ରତି ତାଙ୍କର ମନ ପ୍ରାଣ ଅର୍ପଣ କରିବା ସୂଚକ ଇଙ୍ଗିତରେ ଜଣାଇଦେଇଛନ୍ତି । ହା ଅନ୍ନପୂର୍ଣ୍ଣା । ପୂର୍ଣ୍ଣେନ୍ଦୁବଦନା ! ସତେ ଏ ଦୀନ ତୋତେ କୋଳରେ ଧରି ଜୀବନ ସାର୍ଥକ କରିବ । ହା ରାଜକୁମାରୀ ସୁକୁମାରୀ, କେବେ ସେ ବୀଣାବିନିନ୍ଦିତ କଣ୍ଠରେ ପ୍ରାଣେଶ୍ୱର ବୋଲି ଡାକିବୁ ।
ଗୀତ–(ଆଜି ରଜନୀରେ ସ୍ତବ୍ଧ ହେଲେ ରାଜପୁରୀ–ବୃତ୍ତେ)ଆହାରେ ଘଟଉରଜା ଝଟକହାସିନି ।ପଦ ।କଟକମଣ୍ଡନା ପୀୟୂଷଭାଷିଣି । ଆରେ ହାଟକବରନା !ତୁ କି ଛଟକେ କିଣିଛୁ ମୋର ଏ ମାନସ ମୋହନ ।୧।
ଗୀତ – ଘଟକ ହୋଇ ସେ ଦିନ ମୋ ଚଟକ ଗୋଟି । ଭେଟ କଲା ଏ କଣ୍ଟକ କାନନେ ବିମ୍ବୋଷ୍ଠୀ । ଆରେ କଣ୍ଠିରବମଝା । ତଟିନୀ ତଟେ ଦାସେ କିଁପା ଦେଉ ସଜା ।୨।
ରେ ବିମ୍ୱୋଷ୍ଠି ! ଏ କଣ୍ଟକ କାନନେ ତଟିନୀ ତଟରେ ବିଧାତା କାହିଁକିତୋ ସଙ୍ଗେ ଭେଟକଲା, ସେହିଦିନଠାରୁ ଏ ଦାସରେ କିଁପା ସଜା ଦେଉଅଛୁ ।
ଗୀତ – ଘଟ ମାରପୁର ତୋ ବିହୀନେ ଗଲେ ଘଟ । ବାଟ ଫିଟିଯାନ୍ତା ମେଣ୍ଟିଯାନ୍ତା ସବୁ ନଟ । ନଟ ବଇଷ୍ଣବ ଭାଷ । ଚାଟସୁତା କାଟିବୁ କି ମାର ତ୍ରାସ ଫାଶ ।୩।
ରେ କଣ୍ଠିରବମଝା ! ତୋ ବିହୁନେ ଏ ଘଟରୁ ପ୍ରାଣ ବାହାରିଗଲେ ସମସ୍ତ ନଟ ମେଣ୍ଟିଯାନ୍ତା । ହା ପିତା ! ତୁମ୍ଭେ ବୃଦ୍ଧ କାମୁକ ହୋଇ କେମନ୍ତ ରତ୍ନପୁରକୁ ଆଜି ଶ୍ମଶାନରେ ପରିଣତ କରିବାକୁ ଯାଉଚ । ଏ କିଏ ଆସୁଚି, ଆମ୍ଭ ଦୂତ ମୋତେ ଖୋଜି ଖୋଜି ଆସୁଚି ପରା ।
ଦୂତ– ଯୁବରାଜ ! କି କର ଏ କାନେ,ରଣବାଦ୍ୟ ନ ଶୁଭେ କି କାନେ,କି ଦଶା ଭୋଗିବେ ସେନା ସେନାପତିହୀନେ ।ଯୁବରାଜ –ହଉ ଚାଲ, ଦୂତ ଦେଖା ଅଗ୍ରେ ପଥ,ଯାହା କରିବେ ଜଗତପତି ଜଗନ୍ନଥ । (ଉଭୟର ପ୍ରସ୍ଥାନ)
ତୃତୀୟ ଦୃଶ୍ୟ–ଶବିର
ଗଙ୍ଗେଶ୍ୱର ଏକାକୀ ପ୍ରବେଶ ।
ଗଙ୍ଗେଶ୍ୱର –(ସ୍ୱଗତ) ଓଃ କି ଅପମାନ, ପିତାର ଦୁହିତାଠରୁ ଅପମାନ, ଦେଖୁଚି ସେହି ସମୟରୁ କୌଶଲ୍ୟାର ମୁଖମଣ୍ଡଳ ପାଣ୍ଡୁରବର୍ଣ୍ଣ, ପୟୋଧରର ଅଗ୍ରଭାଗ କୃଷ୍ଣବର୍ଣ୍ଣ ଧାରଣ କରି ଆନୁ ଆନ ସ୍ଥାନ ମାନରେ ଗର୍ଭଲକ୍ଷଣ ପ୍ରକାଶ ପାଉଚି, ଏ ନିଶ୍ଚୟ ମୋର ଦୁଃଖର ଓ ଲଜ୍ଜାର କାରଣ ହେବ, ସନ୍ତାନ ନିଶ୍ଚୟ ମୋହର ଆକୃତି ଧାରଣ କରି ଜନ୍ମ ହେବ, ଏତିକିବେଳୁ ତାର ପ୍ରତିକାର ଦରକାର, ଏ ସମ୍ୱନ୍ଧରେ କୌଣସି ସୈନିକ ଦ୍ୱାରା ପାପଗର୍ଭ ହେବା ପ୍ରଚାର କରି ବନ୍ଦିନୀ ଭାବେ ରଖିବି । ସନ୍ତାନ ପ୍ରସବ ହେଲେ ତେଣିକି ଅନ୍ୟ ଉପାୟ କରିବାକୁ ହେବ, କେ ଅଛରେ ଭୃତ୍ୟ ?
ଭୃତ୍ୟଦ୍ୱୟ–(ପ୍ରବେଶି) କି ଆଦେଶ ମହାରାଜ ?ଗଙ୍ଗେଶ୍ୱର–ରେ କିଙ୍କରେ, ତୁମ୍ଭେ ଗୋଟିଏ କାର୍ଯ୍ୟକର ।ଗୀତ– (କୀର୍ତ୍ତନସ୍ୱର)
କୌଶଲ୍ୟାର କାଣ୍ଡ ଦେଖି ଭୃତ୍ୟେ ମୁଣ୍ଡ ଭ୍ରମି ଯାଉଅଛି ମୋର ରେ । ବେଳକାଳ ଉଣ୍ଡି ଉଣ୍ଡିନା କା ତୁଲେ କଲା ପାପ ପ୍ରୀତି ସାର ରେ । ପକାଇଛି ତଣ୍ଡରେ । ନିନ୍ଦା ଡିଣ୍ଡିମ ବାଜଇ ଦାଣ୍ଡରେ ।୧।
ରେ ଭୃତ୍ୟଦ୍ୱୟେ, ମୋର ଝିଅ କୌଶଲ୍ୟା ବେଳକାଳ ଉଣ୍ଡି କାହା ସହିତରେ ପାପ ପ୍ରୀତିରେ ମଗ୍ନ ହୋଇ ଗର୍ଭର ସଞ୍ଚାର ହୋଇଅଛି । ସେ ଭଣ୍ଡିନୀ ଆଜି ଜଗତରେ ନିନ୍ଦା ଡିଣ୍ଡିମ ବଜାଇଛି ।
ଗୀତ– ଅଖଣ୍ଡ ମାର୍ତ୍ତଣ୍ଡ ପ୍ରଭାରେ ବୋଳିଲା କଳଙ୍କ କାଳିମା ଚାଣ୍ଡ ରେଖଣ୍ଡ ଖଣ୍ଡ କରି ସେ ଦୁଃଖ କରତ କରତଇ ମୋ ପିଣ୍ଡ ରେ ।ତୁଣ୍ଡ ବାଜଇ ଜାଡ଼ି, କଲା ଲଣ୍ଡଭଣ୍ଡ ଧର୍ମ ଛାଡ଼ି ।୨।
ରେ ଭୃତ୍ୟ ଦ୍ୱୟେ ! ମୋର ଅଖଣ୍ଡ ମାର୍ତ୍ତଣ୍ଡରେ କଳଙ୍କର କାଳିମା ବୋଳି ଦେଲା, ସେହି ଦୁଃଖ କରତ ମୋର ପିଣ୍ଡକୁ ଖଣ୍ଡ ଖଣ୍ଡ କରି କରତି ଦେଉଛି । ସେହି ଧର୍ମଛାଡ଼ିର ଏ କଥା ଜାଣି ମୋର ତୁଣ୍ଡ ଜାଡ଼ି ହୋଇ ଯାଉଛି ।
ଗୀତ– ପଣ୍ଡିତା ଗୁଣ୍ଡରେ ମଣ୍ଡିତା ହୋଇ ଯା ଖଣ୍ଡିତା କଲା ମୋ କୀର୍ତ୍ତିକି । ଗୁଣ୍ଡି କରିଅଛି ଦଣ୍ଡକେ ଚୂରନ୍ତି ନାରୀବଧେ ହୁଏ ଭୀତିକି । ଦଣ୍ଡଧରକୁ ମାରି । ହୋଇ ହୋଇ ଯେ ଶେଷେ ଦୋଚାରୀ ।୩।
ରେ ଭୃତ୍ୟଦ୍ୱୟ ! ମୋର କନ୍ୟା ଏପରି ପଣ୍ଡିତା ହୋଇ ସେ ଯାହା ଦୋଚାରୀ କାର୍ଯ୍ୟ କଲା, ଏହା ଜାଣି ମୋର ହୃଦୟ ବିଦାର ହୋଇ ଯାଉଛି । ମୁଁ ତାହାକୁ ଏହିକ୍ଷଣି ବଧ କରନ୍ତି, କିନ୍ତୁ ନାରୀହତ୍ୟା ହେତୁ ଭୀତି ଲାଗୁଅଛି ।
୧ମ – ମହାରାଜ ! ଏକି କାମ କଥା ।୨ୟ ଭୃତ୍ୟ – ଆଜ୍ଞା ବଡ଼ଘର କଥା ଶୁଣି ଛୋଟ ଗୁଡ଼ା ଆମର କ’ଣ କରିପାରିବେ ।
ଗଙ୍ଗେଶ୍ୱର –ରେ କିଙ୍କରେ, ତୁମ୍ଭେ ଏହିକ୍ଷଣି ମୋ ଶିବିର ନିକଟରେ ଗୋଟିଏ ବନ୍ଦୀ ଗୃହ ନିର୍ମାଣ କରାଇ ପାପିଷ୍ଠାକୁ ତା ମଧ୍ୟରେ ପୂରେଇ ରଖ । ମୋ ବ୍ୟତୀତ କେହି ସେଠାକୁ ଯିବେ ନାହିଁ । ଦେଖ ସନ୍ତାନ ଜନ୍ମ ହେଲାଯାଏ ଜଣେ ଦାସୀ କେବଳ ତା ନିକଟରେ ଖାଦ୍ୟ ଓ ପାନୀୟ ଯୋଗାଉଥିବ । ଏ ଆଜ୍ଞା ଅବଜ୍ଞା କଲେ ଉଚିତ ଦଣ୍ଡଭୋଗ କରିବ ମୁଁ ଯାଉଚି । (ପ୍ରସ୍ଥାନ)
୧ମ ଭୃତ୍ୟ –ଆରେ ଭାଇ ଏଠି ତ ସେପରି ଲୋକ କେହି ନାହି ଯେ ହୋମ ଘିଅକୁ ଅଇଁଠାକରିବ । ଲଢ଼େଇରେ ଅଢ଼େଇ ବର୍ଷ ହେଲା ସମସ୍ତ ସଡୁଛନ୍ତି, ତୁଉ ଆଉ ମୁଉଁ ଦିଇଟା ତ ନିହାତି ମଲା, ଆମକୁ କିଏ କଣ ସତେ ଶୁଭେଇ କରିବ ।
୨ୟ ଭୃତ୍ୟ –ଆବେ ଆମରି ଭଳିଆ ଲୋକ କଣ ଏକା ଏପରି କାମ କରନ୍ତି । ଆମେ ତ ଯାହା ହାତ ଧରି ବାହା ହୋଇଚେ ସେ ତ ସଦାବର୍ତ୍ତ ଦିଆହୋଇଚି କେବଳ ଏ ଶଳା ପେଟ ଚାଖଣ୍ଡକ ପେଇଁ, ଆବେ ସେ ପରା ଆମ ଠାକୁରାଣୀ ।
୧ମ ଭୃତ୍ୟ –ଆଉ କଣ ଭଗୀରଥ ଭଳିଆ କାମ କିରେ, ସେ ତ ପଲେ ଟୋକୀ ଏକାଠି ଥାଆନ୍ତି । ମୁଁ ଦିନେ ତାଙ୍କ ଆଡ଼କୁ ଅନେଇଦେଲି, ଭାଇ ସେ ପରା ଆଖି ଫୋଡ଼ି ଦେଇଥାନ୍ତେ । ମୁଁ ଜାଣେ ସେ ସେଇ ରାଣ୍ଡୀଙ୍କର ପାଠ ।
୨ୟ ଭୃତ୍ୟ –ରହବେ ରହ, ତୁ ଶଳା ଭିତର ମଜା ନ ବୁଝି ସେଣେ ଉପରେ ଉପରେ କଣ ପଳେଇଚୁ । ଏ ରଜାଟାକୁ କମ ମନେ କରନା, ତେଣେ ରତ୍ନପୁର ରାଜଜେମା ୟା ପୁଅକୁ ବାହା ହବାକୁ ମନ ବଳେଇଚି ; ଏ ବୁଢ଼ାଟା ତାକୁ ଜବରାନ୍ ବାହା ହବାକୁ ବସିଚି । ସେଥିପାଇଁ ଏତେ ଲଢ଼େଇ ଭିଡ଼େଇ । ତେଣେ ଯେ ବୋହୂକୁ ରଖିବାକୁ ମନ, ଏଠି ସେ ଝିଅ ସଙ୍ଗରେ ପାପପ୍ରୀତି ନ କରିବ କାହିଁକି କହିଲୁ ?
୧ମ ଭୃତ୍ୟ –ଚୁପ୍ ବେ ଚୁପ୍, ଶଳା ରଜାଘର କଥା ପକେଇଚୁ, ଚାଲ ଚାଲ– ପତର ସାଉଁଟି ଆସି ତୋଟାମୂଲ କଲୁଣି ।
୨ୟ ଭୃତ୍ୟ –ହଉ ଚାଲ ଚାଲ, ପଛେ ବୁଝିବୁ ମୋ କଥାର ହାଲ । ଦେଖୁଚୁ ଏ ବୁଢ଼ାଟାକୁ ପଛରେ କେହି ଗୋଟିଏ ଭଲ କହୁଚି? ଏଟା ଭାରି ଟକଳା । (ଉଭୟର ପ୍ରସ୍ଥାନ)