ନୁହେ ଯେବେ ସଭ୍ୟ ପରିବାର *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୫୧
- ସ୍ଥିତି
- ସାର୍ବଜନୀନ (Public domain)
ନବ ରାଜଧାନୀ ଏବେ ପ୍ରାସାଦେ ଶୋଭନଇତିହାସ ଗର୍ଭେ ଲୁପ୍ତ ଏକାମ୍ର କାନନ ।ଉତ୍ସଙ୍ଗେ ଥିଲା ଯେ ତାର ମକା ବାଡ଼ି ଗୋଟି,ଫଳ ଭାରେ ଗଛ ତଳେ ଯାଉଥିଲେ ଲୋଟି ।ମକାରେ ଯହୁଁ ମୋ ଥାଏ ଶରଧା କିଞ୍ଚିତେ,ଯାଇ ତହିଁ ପ୍ରବେଶିଲି ଦିନେ ପ୍ରତ୍ୟାଶିତେ ।ଭାବିଲି, ନବିକି ଦେଉଥିବେ ତ ମାଗଣା,ବଡ଼ଘର ଜନ ପରା, ସମୁନ୍ନତମନା ।ସରମ ନିରୋଧି ମକା ମାଗିଲି ମୁଁ ଏକ;ନମଣିଲି ତିଳେ, ହାନି ଲଭିବ ମୋ ଟେକ ।ଥିଲା ଉଭା ନାରୀ, ଶୁଣି କରିଦେଲା ନାହିଁ,ପଶିଗଲା ସୌଧେ ତ୍ୱରା ବଦନ ବୁଲାଇ ।ସଙ୍ଗୀ ମୋର ସଙ୍ଗେ ସଙ୍ଗେ କ୍ରୋଧ ଜର ଜର,କି ଅବା କହନ୍ତେ, ଯେଣୁ ସ୍ୱଭାବେ ମୁଖର ।ଦ୍ରୁତପଦେ ଘେନି ତାଙ୍କୁ ବାହୁଡ଼ିଲି ପଥେ,ବିଚାରିଲି କି ଭ୍ରମେ ମୁଁ ପଡ଼ିଗଲି ସତେ ।ରୂପେ କି ସୁନ୍ଦରୀ ନାରୀ, ବେଶ ଅନୁପମ,ଦେଖନ୍ତେ ଝଲସେ ନେତ୍ର ତୁଷ୍ଟ ହୁଏ ମନ ।ଦ୍ୱାରୁ ପଳାଇଲା ଯେହ୍ନେ ଲକ୍ଷ୍ମୀ ରୁଷ୍ଟ ମତି,ନ ଗଣିଲା ହୃଦେ ମୋର କି ହୋଇବ ଗତି ।ବାଇଶ ବରଷ ତଳ ସ୍ମୃତି ମୋ ଅନ୍ତରେ,ଡେଇଁ ଖରେ ଆସି କାହୁଁ ନାଚିଗଲା ଥରେ ।ସୁଦୂର ପ୍ରବାସେ ରାଞ୍ଚି ନଗରୀ ଉପାନ୍ତେ,ତିନି ସଙ୍ଗୀ ସହ ଦିନେ ବୁଲୁଥିଲି ପ୍ରାତେ ।ଶରତ ପ୍ରଭାତ ଶୋଭା ଫୁଟି ଚଉପାଶେ,ସ୍ୱରଗ ସମ୍ପଦ ଢଳେ ଅବନୀ ଆକାଶେ ।ବାଟେ ଏକ ମକା ଖେତ ଫୁଲ ଫଳେ ଭରା,ତା ଶ୍ରେଷ୍ଠ ସମ୍ଭାର ସତେ ବାଢ଼ିଅଛି ଧରା ।ଓରାଙ୍ଗ ଯୁବତୀ ଗୋଟି, ଏକା ତହିଁ ବସି,ସୂତା ହାତେ କାଟେ, ଗୀତ ଗାଉଅଛି ହସି ।ସେ ଶରତ ଶିରୀ ମଧ୍ୟେ ସେ କି ଏକ ଶିରୀ,ବିଭବେ ଟପଇ ସାରା ବନ ନଦୀ ଗିରି ।ଚାରି ସଙ୍ଗୀ ଯାଇ ମକା ମାଗିବାରେ ତାକୁ,ଦେଲା ଅନୁମତି ତ୍ୱରା ନିଜେ ତୋଳିବାକୁ ।କହି, ତା କାମେ ସେ ପୁଣି ଲାଗିଲା ଉଦାସେ;ନ ଚାହିଁଲା ଖେତ କେତେ ଜୂର ହୁଏ ପାଶେ ।ଚାରି ସଙ୍ଗୀ ଦଣ୍ଡ କେତେ ବୁଲି ଦେଖି ଖେତ,ପ୍ରକୃତି ପ୍ରଦତ୍ତ ଧନେ ପୂର୍ଣ୍ଣ କଲୁ ନେତ୍ର ।ଶେଷେ ଏକ ମକା ଧରି ଫେରନ୍ତେ ବାହାରେ,କି ଭାବିଲା ଯୁବତୀ ସେ ଅନାଇଲା ଢାଳେ ।ଆମ ଧନ୍ୟବାଦ ବାଣୀ କି ଶୁଣିବ କାନେ;ହସି ହସି ଗଡ଼ିଗଲା, ତା ହେତୁ ସେ ଜାଣେ ।ଚକିତେ ଚାହିଁଛୁ ଆମେ ଉଭା ଚାରି ସଙ୍ଗୀ,କି ବୁଝିବୁ ସେ ଓରାଙ୍ଗ ଯୁବତୀର ଭଙ୍ଗୀ ?ହସ ଶେଷେ ରୋଧି, ବାଳା କହେ ମୁଖେ ବାଣୀ,‘‘ଚାରିଟା ମରଦେ ଏକ ମକା ଅଛ ଆଣି !ଏ ମୋ ନିଜ ଖେତ, ଘର ଖେତରୁ ଅଲଗା,ମୁଁ ହାତେ କମଣ ୟାର କରେ, ରଖା ଜଗା ।ଜଣକେ ପଣେ ବା ନେଲେ କି ହୁଅନ୍ତା ଦୋଷ,ଗୋଟିକେ ଚାରିହେଁ କେହ୍ନେ ଲଭିଲା ସନ୍ତୋଷ ?’’କହି, ବାଳା ଆଉଥରେ ହସି ଗଲା ଲୋଟି;ତୋଳିଆଣି ଦେଲା ବାକି ତିହ୍ନିଙ୍କ ତିନୋଟି ।ସେଦିନ ଏକାମ୍ର ବନେ ସୁମରି ସେ କଥା,ଦିନସାରା ଆହା କେତେ ନ ଲଭିଛି ବ୍ୟଥା ।ପୁନର୍ଜନ୍ମେ ପ୍ରତ୍ୟୟ ମୁଁ ଥାପନ୍ତି ଅନ୍ତରେ,ମରି ଜନ୍ମ ପାରେ ଯଦି ଆଦିବାସୀ ଘରେ ।ହେଉ ସେ ଓରାଙ୍ଗ, କନ୍ଧ, ଶବର, ସାନ୍ତାଳ,କି ବାଛିବି, ନୁହେଁ ଯେବେ ସଭ୍ୟ ପରିବାରସଭ୍ୟତା ଗ୍ରାସର ମୋଡ଼ି ମନୁଷ୍ୟତା ବେକ,ଯେତେ ଉଚ୍ଚେ ଗଢ଼ୁ ମର୍ତ୍ତ୍ୟେ ମାନବ ତା ଟେକ ।
କବି ୧୯୩୨ ମସିହାରେ ବିହାର ଓଡ଼ିଶା ବ୍ୟବସ୍ଥା ସଭାରେ ଯୋଗ ଦେବାକୁ ରାଞ୍ଚି ଯାଇଥିଲେ । ତାର ଶରତ୍କାଳୀନ ବୈଠକ ରାଞ୍ଚିରେ ବସେ । ଶ୍ରୀ ନିକୁଞ୍ଜ କିଶୋର ଦାସ, ଶ୍ରୀ ରାଧା ରଞ୍ଜନ ଦାସ ଓ ଶ୍ରୀ ଜଗନ୍ନାଥ ଦାସ ମଧ୍ୟ ସେ ବ୍ୟବସ୍ଥା ସଭାର ସଭ୍ୟ ଥିଲେ । ସେମାନଙ୍କ ସହିତ କବିଙ୍କର ଗାଢ଼ ବନ୍ଧୁତା ଥିଲା । ଏ ପଦ୍ୟର ତିନି ସଙ୍ଗୀ ସେହିମାନେ ହିଁ ହୋଇଥିବେ । କବି ସେମାନଙ୍କୁ ନିଜ ସରଳ ଢଙ୍ଗରେ କେତେକ ପରିମାଣରେ ପ୍ରଭାବିତ କରି ପାରିଥିଲେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ