ନର ଓ ମୟୂର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୯
- ସ୍ଥିତି
- ସାର୍ବଜନୀନ (Public domain)
ହସ୍ତୀର ଉପରେ ବସିଥିଲେ ନରବରଚିତ୍ରମୟ ପରିଚ୍ଛଦେ ମଣ୍ଡି କଳେବର ।ଶିଖରୀ ଶିଖରେ ରହି ଶିଖୀ ତାହା ଚାହିଁ,ସହି ନ ପାରିଲା ତାଙ୍କ କୃତ୍ରିମ ବଡ଼ାଇ ।କେକାରବେ ଡାକଦେଲା ବିସ୍ତାରି ସ୍ୱପୁଚ୍ଛ,ନୁହ ନୃପ ମୋ’ ସମାନ ରମ୍ୟ ଅବା ଉଚ୍ଚ ।ଦେଖ ମୋତେ, ମୋହଠାରୁ ଅଟ କେଡ଼େ ଖର୍ବକି ଘେନି ନିଜକୁ ଉଚ୍ଚ ମଣି କର ଗର୍ବ ।ମୋର ପୁଚ୍ଛ ସଙ୍ଗେ ଯଦି କରିବ ତୁଳନା,ନିଶ୍ଚୟ ମଣିବ ନିଜ ବେଶକୁ ଅଲଣା ।ତୁମ୍ଭେ ବା ବୋଲିବ ଅଛି ମାନବର ଜ୍ଞାନ,ପକ୍ଷିଜାତି ହେବ କାହିଁ ମାନବ ସମାନ ?ଭେକର ବିକଟ ରବେ ନଥାଏ ମୋ’ କର୍ଣ୍ଣ,ନାଚୁଥାଏ ଊର୍ଦ୍ଧେ ଶୁଣି ଜଳଦ ଗର୍ଜନ ।ନୀଚର କୁବାଣୀ ସହି ଉଚ୍ଚର ଭର୍ତ୍ସନା,ହିତ ମଣି କର କି ହେ ଉଚ୍ଚର ଅର୍ଚ୍ଚନା ?ଭୟଙ୍କର ବିଷଧର କରେଁ ଗର୍ଭସାତ,ନାଶ କି ଜିଘାଂସା ହେଲେ ତୁମ୍ଭ ହୃଦେ ଜାତ ?ଇନ୍ଦ୍ରଧନୁ ଦରଶନେ ବଢ଼େ ମୋ’ ଆନନ୍ଦ,ପରଶିରୀ ହୁଅଇ କି ତୁମ୍ଭ ପ୍ରୀତିପ୍ରଦ ?ପର୍ବତେ ମୋ’ ଯେଉଁ ସୁଖ ସେ ସୁଖ ଭୂମିରେ,ସମ ସୁଖୀ ଥାଅ କି ହେ ପ୍ରାସାଦେ କୁଟୀରେ ?[୧୯୧୪ ମଇ, ଉତ୍କଳ ସାହିତ୍ୟରେ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ