ମାମୁ
ଫକୀରମୋହନ ସେନାପତି · ଭାଗ ୧୩ / ୨୪
ସମ୍ପୂର୍ଣ୍ଣ ସୂଚୀପତ୍ର
ସାଧୁ ସାହୁ ମହାଜନ
ସରସ୍ୱତୀ ଦେଈ ପରିଜନପ୍ରସ୍ତରୁ ବାହୁଡ଼ି ଆସି ଗନ୍ତାଘର କବାଟଟି ଆଉଜାଇ ଦେଇ ଘଡ଼ିଏଯାଏ ଗୁମ୍ମାରି ବସିଲେ । ସେ ଆପଣା କଷ୍ଟ ଖୁବ୍ ସହିପାରନ୍ତି, ହେଲେ ପର କଷ୍ଟ ତାଙ୍କ ପକ୍ଷରେ ଅସହ୍ୟ । ତାଙ୍କ ହୃଦୟଟା ଶୁଖି ନୀରସ କାଠ ପାଲଟି ଯାଇଥିଲା; ସେଥିଲାଗି ହେଉ ଅବା ସେ କାନ୍ଦିଲେ ପିଲାଗୁଡ଼ାକ ଅଧୈର୍ଯ୍ୟ ହୋଇପଡ଼ିବେ, ଏଥିପାଇଁ ପୂର୍ବେ ତାଙ୍କ ଆଖିରେ ଜଳ ଦେଖା ନ ଥିଲା । ଆଜି ତୁନିତାନି ବସିଛନ୍ତି, ଦୁଇଆଖିରୁ ଧାରା ବହିଯାଉଛି । ସରସ୍ୱତୀ ଦେଈ ସମସ୍ତଙ୍କୁ ସାନ୍ତ୍ୱନା ଦିଅନ୍ତି, ତାଙ୍କୁ ସାନ୍ତ୍ୱନା ଦେଉଛି କିଏ ? ଘଡ଼ିକ ବାଦ ଆପେ ଆପେ ସମ୍ଭାଳି ହେଲେ । ହାତ ସିନ୍ଧୁକ ଆଡ଼କୁ ଚାହିଁଲେ, ସେଟା ତୁଚ୍ଛା ପଡ଼ିଛି । ମନ ମଧ୍ୟରେ କଲେ, ଏଥିରେ ଯେତେ ଟଙ୍କା ଥିଲା ଚାରି ଛ’ଦିନେ କଟକରୁ ପଠାଇବାକୁ କହି ନଟ ତ ଘେନିଗଲା, ଆଜିଯାଏ ଦେଲାନାହିଁ– ଆଉ କ’ଣ ସେ ଦେବ ? ଯେତେଥର ସେ ଟଙ୍କା ସକାଶେ ତାକୁ ଲେଖିଲି, ତା’ର ସେଇ ଗୋଟାଏ ଉତ୍ତର–‘‘ସା’ନ୍ତଙ୍କ ନିଜ ଦେଣା ଶୁଝିନାହିଁ, ପ୍ରଜାମାନେ ମେଳିକରି ଟଙ୍କା ଦେଉନାହାନ୍ତି । ହାଏରେ ଦଇବ ! ଏ ଘରେ ପୁଣ ଦେଣା ! ଆଉ କ’ଣ ବାକି ଅଛି ଯେ ଦେଣା ପାଇଁ ଦୁଃଖ ! ଏଣେ ଦେଖୁଁ ଦେଖୁଁ ଯେ ପରିଜନଗୁଡ଼ାକ ମଲେ ଆସି–ଏ ଅଧର୍ମର ଭାଗୀ କିଏ ହେବ ? ତୁଚ୍ଛା ମୋହପାଇଁ ସମସ୍ତଙ୍କର ଏହି ହାଲ । କି ଦୁର୍ବୁଦ୍ଧି ଘଟିଲା, ନଟ କଥାରେ କ୍ୟାଁ ଭୁଲିଗଲି ? ପରିଜନଗୁଡ଼ାଙ୍କର ରୂପ ଯେମନ୍ତ ତାଙ୍କ ଆଖିରେ ଛାଇଯାଇଛି–ଆଉ କିଛି ତାଙ୍କୁ ଦିଶୁନାହିଁ । କେବଳ ଅଧାଲଙ୍ଗଳା ହାଡ଼ୁଆ ଛବି । ବେକ ଅଣ୍ଡାଳିଲେ, ପିଟା ସୁନାର ଗୋଟିଏ ମାଳି ଥିଲା, ବାହାର କରି ଖାଇବା ହାତରେ ଟେକିଧରି ଦଣ୍ଡେ ଅନାଇଲେ । ପୁଣି ଆଖିରୁ କେତେ ଟୋପା ଜଳ ପଡ଼ିଗଲା, ଚାନ୍ଦମଣି ଜନ୍ମ ସମୟରେ ଅପା ବାଧିକା ପଡ଼ିଥିଲେ, ବଞ୍ଚିବାର ଠିକଣା ନ ଥିଲା–ମୁଁ ଟିକିଏ ସେବା କରିଥିଲି, ଅପା ଭଲ ହୋଇ ଆପଣା ବେକରୁ ଏହି ମାଳିଟା କାଢ଼ି ବେକରେ ଲଗାଇ ଦେଲେ । ମୁଁ ‘ନାହିଁ’ ‘ନାହିଁ’ କରି ମାଳିଟା କାଢ଼ି ଫେରାଇ ଦେଉଥିଲି, ଭିଣୋଇ ସା’ନ୍ତ ପାଖରେ ଛିଡ଼ା ହୋଇ ମୁରୁକି ମୁରୁକି ହସୁଥାନ୍ତି, କହିଲେ,–‘‘ଏ ସରସ୍ୱତୀ ଭଗବତୀ ଦେବୀ ନମସ୍ତେ–ନିଅ–ନିଅ, ମାଳିଟା ନେଇ ବେକରେ ଲଗାଅ, ତୁମ ଅସୁନ୍ଦର ବେକଟାକୁ ସୁନ୍ଦର ଦିଶିବ–ମତେ କେହି ଯାଚୁ ନାହିଁ, ମତେ ଦେଲେ ଲଗାନ୍ତି ।’’ ମୁଁ କହିଲି, ‘‘ନିଅ ନିଅ ଭିଣୋଇ ସା’ନ୍ତ, ଚପକନ ଉପରେ ଲଗାଇ କଚେରିକୁ ଯିବ–ସାହେବ ଦେଖି ଖୁସି ହେବେ ।’’ ହା ! ଭିଣୋଇ ସା’ନ୍ତ ! କାହିଁ ସ୍ୱର୍ଗରେ ଅଛ, ମୁଁ ନରକରେ ପଡ଼ି ଘାଣ୍ଟି ହେଉଛି । ପୁଣି ତାଙ୍କ ଅଜାଣତରେ ଆଖିରୁ କେତେ ଟୋପା ପାଣି ଗଡ଼ିଲା । ସେହି ହାରଟା ତଳେ ଥୋଇ ଟିକିଏ କାଗଜରେ କ’ଣ ଚାରିଧାଡ଼ି ଲେଖି ସେହି ସୁନାମାଳି ଆଉ ଭାଷାଖଣ୍ଡ ସାଧୁ ସାହୁ ମହାଜନ ପାଖକୁ ପଠାଇଦେଲେ ।
ସାଧୁ ସାହୁ ନରିପୁର କିଲ୍ଲା ମଧ୍ୟରେ ଗୋଟାଏ ଟାଣୁଆ ତେଲୀ ମହାଜନ । ନଗଦ ଟଙ୍କା ଆଉ ଧାନର କାରବାର । ଚାଳିଶ ପଚାଶ ଖଣ୍ଡ ଗ୍ରାମର ଲୋକ ତାହାର ଖାତକ । ଲୋକେ କହନ୍ତି, ସାଧୁ ସାହୁ ରାତି ଅଧରେ ଲକ୍ଷେ ଟଙ୍କା ଗଣିଦେବା ଲୋକ । ଦଶଟା ଗାଁରେ ତାହାର ଧାନକୋଠି । ମାଗିବାକ୍ଷଣି ହଜାର ଭରଣ ଧାନ ମାପିଦେବା ତା’ ପକ୍ଷରେ ବଡ଼କଥା ନୁହେଁ । ସମସ୍ତେ କହନ୍ତି–ସାଧୁ ସାହୁ ମହାଜନର କଳନ୍ତର ପରି କୋହଳ ଆଉ କାହିଁ ଦେଖିବାର ନାହିଁ । ଧାନ ବର୍ଷକୁ ସୋଇ ବଢ଼ନ୍ତିରୁ ବେଶି ନୁହେଁ । ସେପରି ନଥିଲା ଖାତକ ଗୋଡ଼ତଳେ ପଡ଼ିଗଲେ କଳନ୍ତର ବାଡ଼ଟା ଧରୋଟ ଥାଏ ନାହିଁ । ଖାତକ ଯେତେବେଳେ ଆସୁ ତାଳପତ୍ର ଡେମ୍ଫକେରେ ଗୁଜା ଖଣ୍ଡେ ଲେଖିଦେଲେ ଟଙ୍କା ହେଉ, ଧାନ ହେଉ ପାଇଲା । ଗୁଜାରେ ମଣିଷ ସାକ୍ଷୀ ଥାଏ ନାହିଁ–ଚନ୍ଦ୍ର ସୂର୍ଯ୍ୟ ଦଶଦିଗପାଳ ଧର୍ମସାକ୍ଷୀ । ତୁଚ୍ଛା ହାତରେ କେହି ବାହୁଡ଼େ ନାହିଁ । ସବୁ ଖାତକ ସାଙ୍ଗରେ ହସି ହସି କଥା– ଟାଣକରି ପଦେ କହିବାର କେହି ଶୁଣି ନାହିଁ । କେହି ଖାତକକୁ ତୁଟି ପକାଇବାକୁ ଅସୁଲ କୁଲି ବା ପିଆଦା ପଇଦଲଙ୍କୁ ମନା । ସାଧୁ ସାହୁର ହଜାର ହଗାର ଖାତକ, ହେଲେ କେହି ଖାତକ ନାମରେ ନାଲିସ ହୋଇଛି, ଏ କଥା କେହି ଭରସି ବୋଲି ପାରିବ ନାହିଁ । ଏଣେ କେହି ଖାତକ ଧାନ ବା ଟଙ୍କା ଖାଇ ବୁଡ଼ିଗଲା, ଏ ଯାଏ ଶୁଣିବାରେ ଆସି ନାହିଁ । ଏଥିର ଦୁଇଗୋଟି କାରଣ ଶୁଣାଯାଏ । ପ୍ରଥମ କାରଣ–ସାଧୁ ସାହୁ ମହାଜନଠାରୁ କରଜ ଖାଇ ବେମାନି କଲେ ବଂଶ ବୁଡ଼ିଯାଏ, ଏ କଥାଟାରେ ସାଧାରଣ ଲୋକଙ୍କର ଦୃଢ଼ ବିଶ୍ୱାସ । ଗୋପଳପୁର ଶାସନର ରାମ ପଣ୍ଡା ନାତି ବ୍ରତଘରକୁ କୋଡ଼ିଏ ଟଙ୍କା କରଜ ଖାଇ ବେମାନି କରିବାରୁ ତା’ ବଂଶଯାକ ଠାକୁରାଣୀରେ ମରିଗଲେ । ଢେର୍ ବର୍ଷ ତଳର କଥା, ହେଲେ କ’ଣ ହେଲା, ଆଖିରେ ଦେଖିବାର ଲୋକ ଅଛନ୍ତି ପରା ! ଦ୍ୱିତୀୟ କାରଣ–ବୁଢ଼ା ସା’ନ୍ତ ଭାରି ମହାଖର୍ଚ୍ଚୀ ଥଲେ, ସବୁବେଳେ ଟଙ୍କା ଲୋଡ଼ା–ସା’ନ୍ତ ଆଜ୍ଞାଟାଏ ପଠାଇଦେଲେ ସାହୁଏ ସାଙ୍ଗେ ସାଙ୍ଗେ ଟଙ୍କା ଗଣି ଦିଅନ୍ତି । ଏଥକୁ ସାମନ୍ତଙ୍କର ଭାରି କୃପା, ମହାଜନ ଟଙ୍କା କିଏ ଦେଲା, କିଏ ନ ଦେଲା ଆପେ ଆପେ ବୁଝୁଥାନ୍ତି–ଅଦିଆ ଖାତକ ଉପରେ ଦିଗବାର ମଉସିଲ ଦେଇ ଟଙ୍କା ଅସୁଲ କରାଇ ଦିଅନ୍ତି-। ଏଲାଗି ସମସ୍ତଙ୍କ ଚିତ୍ତରେ ଡରଟାଏ ଥାଏ । ସାଉଙ୍କ ଘର ଲଗାଲଗି ଆଗ ଛାମୁକୁ ଗୋଟାଏ ମେଲା– ଚଉପାଢ଼ି ଭଳିଆ ଗୋଟାଏ ଉଚ୍ଚଘର । ସେଇଟା ହେଲା ମହାଜନଙ୍କ ବେଉସା ଘର । ଦଶ ବାରଟା ପାଞ୍ଜିଆ ଅଧବଳଦେ ଲେଖାଏଁ ତାଳପତ୍ରର ପାଞ୍ଜି ପାଖରେ ଥୋଇ କେହି ଛିଣ୍ଡା ଅଖା ଖଣ୍ଡକରେ, କେହି ବା ଭୂଇଁରେ ବସି ସକାଳୁ ସଞ୍ଜଯାଏ ଦୁଇଓଳି ଲେଖନଟାଏ ଧରି ଚର୍ ଚର୍ କରି ଲେଖୁଥାନ୍ତି । କିଛି ଦୂରରେ ମହାଜନ ନିଜେ ବାଡ଼କୁ ଆଉଜି ଭୂଇଁରେ ବସିଥାନ୍ତି– ମୁଖରେ ସବୁବେଳେ କୃଷ୍ଣ କୃଷ୍ଣ ଭଜନ । ସାଧୁସାହୁଏ ଡେଙ୍ଗା ଭଳିଆ ଲୋକ– ଶ୍ୟାମଳ ବର୍ଣ୍ଣ, ମୁଖଟି ଡୌଲ– ଠିଆ ନାକ– ଆଖି ଦିଓଟି କିଛି ବଡ଼ବଡ଼– ଟିକିଏ ରଙ୍ଗା ରଙ୍ଗା ଦିଶେ ! ମୁଣ୍ଡରେ ସାନ ତେଲଚିକ୍କଣ ପେଣ୍ଡାଟିଏପଛକୁ ଝୁଲି ପଡ଼ିଥାଏ । ବେକଟି ଲମ୍ବା–ବେକ ମଝି ଆଗକୁ ଗୋଟାଏ ଗେବ ପରି ବାହାରିଛି । ଦୁଇ ବାହୁ ବଳିଲା ପରି–କିଛି ଲମ୍ବ । ଛାତି ଗୋଟାକ ଆଉ ଦୁଇ କାନ ଲୋମ ବଲ୍ବଲ୍ । ବାଲିବିଶି ବୁଣା ହଳଦିଆ ରଙ୍ଗର ନ’ ହାତି ଖଦି ଖଣ୍ଡିଏ, ଆଉ ତେଲ ଚଟ୍ଚଟ୍ ମଳିଆ ଛ’ହାତି ଖଣ୍ଡେ ଗାମୁଛା– ଏହି ପହରଣଟା ସବୁଦିନେ । ଦୁଇମାସେ, ଚାରିମାସେ ପିନ୍ଧା ଖଦି ଖଣ୍ଡ ନିହାତି ମଳିଚିକିଟା ହୋଇଗଲେ ଉଜୁଳି ଘରକୁ ଯାଏ । ହେଲେ ଗାମୁଛା କଚା ହେବ ନାହିଁ– ସେ ଖଣ୍ଡ ଯେ ଗାମୁଛା–ପବିତ୍ର ଲୁଗା–ଧୋବ ହୋଇ ଆସିଲେ ଛୁଆଁଛୁତ ହୋଇଯିବ-। ସାହୁଙ୍କର ଦୁଇ ପୁଅ । ବଡ଼ ପୁଅ ଗୋବିନ୍ଦା, ବୟସ କୋଡ଼ିଏ, ପାଞ୍ଚବର୍ଷ ହେଲା ବିଭା ହେଲାଣି–ପନ୍ଦର ବର୍ଷର ପାରିଲା ବୋହୂଟି ଘରେ । ସାନ ପୁଅର ବୟସ ବାର–ଗାଁ ଇସ୍କୁଲରେ ପଢ଼େ । ଏହି ବରଷ ଆସନ୍ତା ମେ ମାସରେ ତାହାର ବିଭା ହେବାର ପ୍ରସଙ୍ଗ ଚଳୁଛି । ବଡ଼ ପୁଅ ଗୋବିନ୍ଦା ଗାଁସ୍କୁଲ ମାଇନର କ୍ଲାସ ପର୍ଯ୍ୟନ୍ତ ପଢ଼ିଛି । ହେଲେ କ’ଣ ହେଲା, ସାହୁର ଜାଣିବାରେ ସେଇଟା ନିର୍ବୁଦ୍ଧିଆ– କାମ ପାଇଟିରେ ମନ ନାହିଁ, କବୁତର ପୋଷେ, ଗୁଡ଼ାଏ ଗୋବରା ଚଢ଼େଇ ପିଞ୍ଜରାରେ ପୂରେଇଛି । ପାତଳ ଦଶହାତି ବାସି ଧୋବଲୁଗା ପିନ୍ଧେ, ଅଙ୍ଗା ଲଗାଏ, ବାସତେଲ ମୁଣ୍ଡରେ ଲଗାଏ, ଜୋତା ମାଡ଼େ । ସାହୁଙ୍କୁ ଏଗୁଡ଼ାକ ଭଲ ଲାଗେ ନାହିଁ, ମନ ମଧ୍ୟରେ ଖପା ହୁଅନ୍ତି, ସାହୁଆଣୀ ଡରରେ କିଛି କହିପାରନ୍ତି ନାହିଁ । ପଦେ କଥା କହିଲେ ସାହୁଆଣୀ ବାଘୁଣୀ ପରି ଗର୍ଜିବେ । ମଝିଆଁ ପୁଅଟି ବାହୁଡ଼ିବା ଦିନୁ ପୁଅମାନଙ୍କୁ ପଦେ କଥା କହିବାକୁ ଗେରସ୍ତକୁ ଦିଅନ୍ତି ନାହିଁ । ପୁଅମାନେ ଯାହା ଇଚ୍ଛା କରନ୍ତୁ, ଆପେ ମଧ୍ୟ କିଛି ବୋଲନ୍ତି ନାହିଁ । ସାହୁଆଣୀ ଶ୍ରୀମତୀ ବି କିଛି ଡେଙ୍ଗୀ–ଦେହ ରଙ୍ଗଟି ସୁନ୍ଦର । ନେତ୍ର–ନାସିକା ମୁଖଟି ଏମନ୍ତ ଡୌଲ ଯେ, ଦେଖିଲେ ଗୋଟିଏ ଦେବୀ ପ୍ରତିମା ପରି ଜଣାଯାଏ । ଶ୍ରୀମତୀ ଗାଁ ଯାକର ସାହୁଆଣୀ ମା, ବାପର ମା’, ପୁଅର ବି ମା', ଶାଶୁର ମା', ବୋହୁର ବି ମା' । ସମସ୍ତେ ତାଙ୍କୁ ସାହୁଆଣୀ-ମା' ବୋଲି ଡାକନ୍ତି-। ସତକୁ ସତ ସେ ଗାଁଯାକ ଲୋକଙ୍କୁ ପୁଅଝିଅ ପରି ମଣନ୍ତି । କେହି ବାଧକି ପଡ଼ିଲେ, ତା’ ପାଖକୁ ଛ’ଥର ଧାଇଁ ଯାଉଥିବେ । ଗାଁରେ କିଏ ଖାଇଲା ନଖାଇଲା ତନଖି କରନ୍ତି । ଗାଁରେ କାହାରି ବାହାପୁଆଣିରେ ଥିଲା ନଥିଲା ଚଳାଇ ନିଅନ୍ତି । ସାହୁଙ୍କ ଦୁଆରୁ ଅତିଥି ବାହୁଡ଼େ ନାହିଁ-। ଘରେ ପଟେ ଚୁଡ଼ା, ମାଠିଆଏ ଗୁଡ଼– ହାଣ୍ଡିଏ ପଖାଳ ସବୁବେଳେ ଥୁଆ; କେତେବେଳେ କିଏ ଭୋକିଲା ଶୋଷିଲା ପହଞ୍ଚିଯିବ ପରା । ସେହିପରି ବି ପହଞ୍ଚନ୍ତି । ଗାଁଲୋକେ କହନ୍ତି, ସାହୁଆଣୀଙ୍କର ଲକ୍ଷ୍ମୀ ପହରା, ସେ ଗୋଡ଼ ଦେବା ଦିନୁ ଗାଁରେ କାହାରି ଦୁଃଖ ନାହିଁ । ସାହୁଙ୍କ ଏଡ଼େ ବଡ଼ନ୍ତି ସାହୁଆଣୀଙ୍କ ଧର୍ମବଳରୁ । ସାହୁଆଣୀଙ୍କର ବି ଷୋଳ ହାତ ଲମ୍ବ ହଳଦିଆ କସ୍ତା ବାଲିବିଶି ବୁଣା ଶାଢ଼ି ଖଣ୍ଡେ ପହରଣ, ଦୁଇ ହାତରେ ଦୁଇ ଦୁଇ ବିଶା ଚାରି ବିଶା ଓଜନର ପିତ୍ତଳ ବାହିବଳା, ହାତଗଣ୍ଠି କତିରୁ କହୁଣିଯାଏ ଲାଗିଛି । ଆଙ୍ଗୁଳିରେ ଯୋଡ଼ାଏ ରୂପାର ଛାପ ମୁଦି । ବେକରେ ମାଳେ ସୁନା ଦାନା, ଆଉ ମାଳେ ଗୋଡ଼ଲଗା ଟଙ୍କାମାଳି-। ଦୁଇ କାନରେ ଦୁଇ ତୋଳା ଓଜନ ପିଟା ଚାରିଖଣ୍ଡିଆ ସୁନା କାନଚମ ଟାଣି ଆଣିଲାଣି-।
ବାହାଘରବେଳେ ଗୋବିନ୍ଦା ଭାରି ଗୋଟାଏ ଗୋଳମାଳ କଲା, ବୋହୂ ହାତରେ କଟକୀ ରୂପାଗହଣା, ବେକରେ କାନରେ ସୁନାଗହଣା ନ ଲଗାଇଲେ ବାହା ହେବ ନାହିଁ । ମା’ ବାପା ଆଉ ଗାଁ ଲୋକେ ଢେର୍ ବୁଝାଇଲେ, ଜାତିରେ ନାହିଁ– ସାତ ପୁରୁଷରୁ କୁଳରେ ନାହିଁ, ସେ କଥାଟା କେମିତି ହେବ । କଥାଟା ସା’ନ୍ତଙ୍କ କାନରେ ବାଜିଲା, ଏକାବେଳକେ ହୁକୁମ ସାଙ୍ଗେ ସାଙ୍ଗେ ବୋହୂ ଅଳଙ୍କାରର ଡାବ ଆସିଲା– ବୋହୂ ସକାଶେ ହଜାରେ ଟଙ୍କାର ଅଳଙ୍କାର କଟକରୁ ତିଆରି ହୋଇ ଆସିବ । ସାଆନ୍ତଙ୍କ ଆଜ୍ଞା ମେଣ୍ଟନ କରୁଛି କିଏ ? ଶ୍ରୀମତୀ ଉଆସକୁ ଯାଇ ଢେର୍ କାନ୍ଦିଲା, ଗଡ଼ିଲା । ମଣିମା ବି ଆଜ୍ଞା କଲେ, ଏଥିରେ କିଛି ଦୋଷ ନାହିଁ । ଦୋଷ ମେଣ୍ଟିବା ପାଇଁ ଯୁଗଳକିଶୋର ମନ୍ଦିରରେ ଶଏ ଆଠ ମୂର୍ତ୍ତି ବ୍ରାହ୍ମଣ ଭୋଜନ ହେଲା । ଜାତିମାନେ ଅଡ଼ିବସିଲେ, ଶାକାନ୍ନ ମିଷ୍ଟାନ୍ନ ଦୁଇବେଳା ଖାଇଲେ । ବୋହୂର ଅଳଙ୍କାର ସବୁ କଟକ ତିଆରି–ସା’ନ୍ତ ଆପେ ବରାଦ କରି ବନାଇ ଆଣିଥିଲେ । ବୋହୂଟି ବି ସୁନ୍ଦର ଦେଖିବାକୁ । ଶ୍ରୀମତୀ କହିବାରେ, ଗୁଣ ଢେର୍–ଶାଶୁର ସବୁକଥା ମାନେ ।
ସାହୁ ଆଉ ସାହୁଆଣୀ ମଧ୍ୟରେ ଯେପରି ପ୍ରେମ, ଅଶିକ୍ଷିତ ସାଧାରଣ ଲୋକ ଘରେ ସେପରି ଅଳ୍ପ ଦେଖାଯାଏ । ସକାଳୁ ଉଠି ମୁହଁ ଧୋଇଲା ପାଣି ଲୋଟାଏ ଥୋଇଦେବାଠାରୁ ପାଲଟା ଲୁଗାଖଣ୍ଡ କାଚିବାଯାଏ ସ୍ୱାମୀର ସମସ୍ତ କାର୍ଯ୍ୟ ଶ୍ରୀମତୀ ଆପେ କରିବେ । ଚାକର ଚାକରାଣୀ ଅଛନ୍ତି, ହେଲେ ସେ ସବୁ କାମରେ ହାତ ଦେବେ ନାହିଁ । ସ୍ୱାମୀ ଭୋଜନ କରି ଉଠିଗଲେ, ଯେତିକି ପ୍ରସାଦ ଛାଡ଼ିଥିବେ ତେତିକି ସେବା । ସଞ୍ଜଠାରୁ ରାତି ଛ’ଘଡ଼ିଯାଏ ସ୍ୱାମୀ ଗୋଡ଼ରେ ତେଲ ମର୍ଦ୍ଦନ କରୁଥିବେ । ସ୍ୱାମୀର ଉଚ୍ଚିଷ୍ଟ ବିନା କୌଣସି ପଦାର୍ଥ ହେଉ ପଛକେ ସାହୁଆଣୀ ଛୁଇଁବେ ନାହିଁ । ଏତେ ହେଲେ କ’ଣ ହେଲା, ଦୁଇଜଣଙ୍କ ମଧ୍ୟରେ ନିତି କଳି । ସାହୁଙ୍କର ଗୋଟାଏ ସ୍ୱଭାବ ଆଖିବୁଜି ବସି ସବୁବେଳେ କୃଷ୍ଣ କୃଷ୍ଣ କହୁଥିବେ । ଦିନ ଦୁଇପହର ଗଡ଼ିଗଲାଣି । ପାଞ୍ଜିଆମାନେ ପାଞ୍ଜିରେ ଡୋରି ଦେଇ ଯେ ଯାହା ଘରକୁ ଗଲେଣି, ସାହୁଏ ଆଖିବୁଜି ବସି କୃଷ୍ଣ କୃଷ୍ଣ କରୁଛନ୍ତି । ଚାକିରିଆ ଗୁରୁବାରିଆ ଦୁଇଥର ଡାକିଗଲାଣି, ଶେଷରେ ସାହୁଆଣୀ ଘରଭିତରୁ ଗର୍ଜି ଆସିବେ–ଚିକିଟାଟା ଠକରାଟା–ଆପେ ଖାଇବ ନାହିଁ, ଘରେ ସମସ୍ତଙ୍କୁ ଭୋକରେ ମାରିବ । ପାଖକୁ ଆସି ନ ଗର୍ଜିଲେ, ସାହୁଙ୍କର ଚେତା ବସେ ନାହିଁ । ସାହୁଏ ଖପାଟା ହୋଇ କହନ୍ତି, ‘‘ଆଃ ! କୃଷ୍ଣ କୃଷ୍ଣ ! ତୁନି ତୁନି କହନ୍ତି–ଗୋବିନ୍ଦା ମା’ଟା ବଡ଼ କଳିହୁଡ଼ି ! ରୋଜ ଏହି କଳି ।’’
ଚଉଦଘଡ଼ିଆ ବେଳ–ସାହୁଏ ତାଙ୍କ ବେଉସାଘର ପିଣ୍ଡାରେ ବସି ଆଖିବୁଜି କୃଷ୍ଣ କୃଷ୍ଣ କରୁଛନ୍ତି । ପାଞ୍ଜିଆମାନେ ଆପଣା ଆପଣା କର୍ମରେ ବ୍ୟସ୍ତ–ଦଶ ପନ୍ଦରଟା ଖାତକ ସେମାନଙ୍କୁ ବେଢ଼ି ବସିଛନ୍ତି । ଉଆସ ଭିତିରିଆ ପଢ଼ିଆରୀ ମଦନ ମହାକୁଡ଼ ବାଉଁଶ ବାଡ଼ିଟାଏ ଠୁକୁରୁ ଠୁକୁରୁ କରି ନଇଁ ନଇଁ ସାହୁଙ୍କ ପାଖରେ ପହଞ୍ଚିଲା । ଧାଈମା ଏହି ସୁନା ମାଳି ଆଉ ଭାଷା ଦେଇଛନ୍ତି’ କହି ସାହୁଙ୍କ ହାତକୁ ବଢ଼ାଇ ଦେଲା । ଭିତିରିଆ ପଢ଼ିଆରୀ ଧାଈମା’ଙ୍କ ଭାଷା ଆଣିଛି ଦେଖି ସାହୁଏ ଧଡ଼ପଡ଼ ହୋଇ ଛିଡ଼ା ହୋଇଗଲେ–ଭାଷା ଆଉ ସୁନାମାଳିଟା ତିନିଥର ମୁଣ୍ଡରେ ଲଗାଇଲେ । ସେ ପଢ଼ି ଜାଣନ୍ତି ନାହିଁ, ଜଣେ ପାଞ୍ଜିଆ ଭାଷା ପଢ଼ି ଶୁଣାଇଦେଲା–ଧାଈମା ଲେଖିଛନ୍ତି, ‘‘ସୁନା ମାଳିଟା ରଖି ତିନିଶ ଟଙ୍କା ଆଉ ତିରିଶ ଭରଣ ଧାନ କରଜ ଦେବ । ଆସନ୍ତା ମକର ମାସରେ ଖଞ୍ଜା ମୌଜାରୁ ଖଜଣା ଆଉ ଧାନ ଆସିଲେ, ମୂଳ କଳନ୍ତର ଶୁଝଟ କରିଦିଆଯିବ ।’’ ସାହୁଏ କାନ୍ଦିପକାଇଲା ପରି ହୋଇ କହିଲେ, ‘‘କୃଷ୍ଣ କୃଷ୍ଣ ! ଧାଈମା’ଙ୍କୁ ମୋର ଲକ୍ଷ ଲକ୍ଷ ମଜୁରା କହିବ । ଏହି ମାଳି ଆଉ ତିନିଶ ଟଙ୍କା ଘେନିଯା–କୟାଳ ଅଇଲେ, ପଛନ୍ତେ ଧାନ ମପାଇ ପଠାଇଦେବି । ଧାଈମାଙ୍କୁ କହିବ, ମୁଁ କ’ଣ ଏଡ଼େ ନିମକହାରାମ ହେଲି ମାଳି ରଖି ଟଙ୍କା ଦେବି, ପୁଣି କଳନ୍ତର ନେବି ? ଏସବୁ ବିଷୟ କାହାର ? ଯେତେବେଳେ ଯେତେ ଟଙ୍କା ଲୋଡ଼ା ଘେନି ଯାଉଥିବ । ଅନ୍ନଦାତା ହାକିମ–ଅବୋଧ ପିଲା, ମୋ ବିଷୟ ସବୁ ଆଉ କେଉଁଦିନ ଲାଗି ?’’
ହେ ପାଠୁଆ ନଟବର ଦାସ ! ବେଳେ ଆସି ମୂର୍ଖ ସାଧୁସାହୁର ବେଭାରଟା ଦେଖିଯାଆନ୍ତୁ !
–୩୬–
ଟିକାଏତବାବୁଙ୍କର ମାଇନର ପାସ୍
ସାମନ୍ତ ପ୍ରତାପ ଉଦିତମଲ୍ଲ ଉତ୍ତରରାୟ ନିଜ ଗଡ଼ରେ ଯେଉଁ ମାଇନର ସ୍କୁଲ ଗୋଟାଏ ବସାଇଥିଲେ, କେବଳ ଟିକାଏତ ବାବୁଙ୍କ ଲାଗି ଆଜିଯାଏ ସେ ସ୍କୁଲଟି ଚଳୁଛି । ତାଙ୍କ ଦେଖାଦେଖି ଆଉ ତାଙ୍କ ମନ ବହଲେଇବା ପାଇଁ ନିଜଗଡ଼ ନିବାସୀ ଲୋକମାନେ ଆପଣା ଆପଣା ପିଲାଙ୍କୁ ସ୍କୁଲକୁ ପଠାଇଥାନ୍ତି । ମାଷ୍ଟର ଦରମା ସ୍କୁଲର ଆଉ ଆଉ ଖର୍ଚ୍ଚ ସବୁ ସା’ନ୍ତଙ୍କ ତହବିଲରେ ଖର୍ଚ୍ଚ ପଡ଼େ । ସା’ନ୍ତଙ୍କ ବିୟୋଗ ଦିନଠାରୁ ତାହା ବନ୍ଦ– ବର୍ତ୍ତମାନ ମଣିମାଙ୍କ ଖଞ୍ଜା ମୌଜାରୁ ଅଧେ ଦିଆଯାଏ, ବାକି ଅଧେ ପିଲାମାନଙ୍କ ଦରମାରୁ ଉଠେ । ଦୁଇମାସ ତଳେ ଟିକାଏତ ବାବୁ ମାଇନର ପରୀକ୍ଷା ଦେଇଥିଲେ । ସେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାର ଇନସ୍ପେକ୍ଟର ସାହେବଙ୍କ ଅଫିସରୁ ମାଷ୍ଟରଙ୍କ ନାମରେ ଚିଠି ଆସିଲା, ମାସକୁ ଚାରିଟଙ୍କା କରି ଜଳପାନ ପାଇ କଟକ ବଡ଼ ସ୍କୁଲରେ ପଢ଼ିବେ । ଚିଠି ପହଞ୍ଚିଲାକ୍ଷଣି ଗାଁଯାକରେ ଆନନ୍ଦର ଚହଳ ପଡ଼ିଗଲା । ଥୋକେ ଲୋକ କଥାଟା ବୁଝି–ଢେର୍ ଲୋକ କିଛି ନ ବୁଝି ଖୁସିଟାଏ ହୋଇଗଲେ । ଆଜି ପାଞ୍ଚବର୍ଷ ଉତ୍ତାରେ ଉଆସରେ ଆନନ୍ଦର ଚିହ୍ନ ଦେଖାଗଲା– ପରିଜନ ପ୍ରସ୍ତରେ ଶଙ୍ଖହୁଳହୁଳି ଶବ୍ଦ ଉଛୁଳି ପଡ଼ୁଛି । ଜଳନ୍ତା ନିଆଁରେ ପାଣି ପଡ଼ିଲେ ଗୋଟାଏ ବାମ୍ଫ ବାହାରେ–ଜେଜୀମାଙ୍କ ଆଖିରୁ ଝର ଝର କରି ପାଣି ବହିପଡ଼ିଲା । ମଣିମା ଆରୋଗ୍ୟ ଲାଭ କରିଅଛନ୍ତି ସତ; ହେଲେ ବିଷୟ ଧାରଣା ମନ ମଧ୍ୟରେ ଏଯାଏ ଜାତ ହୋଇନାହିଁ; ଭଲମନ୍ଦ କିଛି ବୁଝିପାରୁ ନାହାନ୍ତି । ନରୁର ପାସ୍ ଖବର ଶୁଣି ଘଡ଼ିଏକାଳ ଗୁମ୍ମାରି ବସିଲେ–ଦୁଇଆଖି କୋଣରେ ଦୁଇ ଟୋପା ପାଣି ଯେମନ୍ତ ଢଳ ଢଳ ହେଲା । ମଣିମାଙ୍କ ମୁଖର ଏପରି ଭାବ କେବେ ଦେଖାନଥିଲା ।
ଘୋର ଆନନ୍ଦ ବେଳେ ଭୟଙ୍କର ବିପଦ ଉପସ୍ଥିତ । ନରୁବାବୁ ଧରିବସିଲେଣି, ଇଂରାଜୀ ପଢ଼ିବାକୁ କଟକ ଯିବେ । ଉଆସରେ ଚଡ଼କଟାଏ ଯେମନ୍ତ ପଡ଼ିଗଲା । ଜେଜୀମା ତ କାନ୍ଦି କାନ୍ଦି ଅଜ୍ଞାନ– ନାତିକୁ କୁଣ୍ଡାଇ ଧରି କହିଲେ, ‘‘କଟକ କ’ଣରେ ନରୁ–ଇଂରାଜୀ ପାଠ ପଢ଼ିବୁ, ଏଇ ଉଆସରେ ବସି ପଢ଼, ଯେତେ ଟଙ୍କା ଲାଗୁ ମୁଁ ଦେବି । କଟକରୁ ଭଲ ଭଲ ମାଷ୍ଟର ଆଣି ଦେବି–ତୁ କଟକ ଯା’ନା ।’’ ନରୁବାବୁର ଏକା–ରା–ସେଇ ହଟ । ପାଞ୍ଜିଆ ପଢ଼ିଆରୀ ବୁଝାଇଲେ, ସିଠଗନ୍ତାଘରିଆଣୀ ଆଉ ଆଉ ସମସ୍ତେ ବୁଝାଇଲେ । କିଏ ଶୁଣେ–ସେଇ ଗୋଟାଏ କଥା–କଟକ ଯିବେ । ଧାଈମା ମଣିମାଙ୍କୁ କିଛି କହିନାହାନ୍ତି, ସେ ଆପେ ଆପେ କହିଲେ, ‘‘ଧାଈମା ! ନରୁ କହୁଛି ତ କଟକ ଯାଉ । ୟାଙ୍କ ବଂଶରେ ସେଇ ଗୋଟାଏ ଜିଦ୍, ଯେଉଁଟା ଧରିବେ, କରିବେ । ଏଇପରି ତାଙ୍କର’’–କ’ଣ କହିବାକୁ ଯାଉଥିଲେ, ପାଟି ଫିଟିଲା ନାହିଁ । ଧାଈମା କ’ଣ ବୁଝି ଚଞ୍ଚଳ ଆଉ ଆଡ଼କୁ ଚାଲିଗଲେ ।
ପାଟଜ୍ୟୋତିଷ ଗଣେଶ୍ୱର ଖଡ଼ିରତ୍ନେ ଆସି ଦିନଟାଏ ଧରି ଦେଇଗଲେ–ମେଷ ଶୁକ୍ଳ ପଞ୍ଚମୀ ବୁଧବାର ପୃଷ୍ଠଯୋଗିନୀ–ଅମୃତ ଯୋଗ–ବୃଷରାଶିକୁ ପଶ୍ଚିମ ଯାତ୍ରାର ଶୁଭ ବ୍ରାହ୍ମମୁହୂର୍ତ୍ତରେ ଯାତ୍ରା– ଯୁଗଳକିଶୋର ମନ୍ଦିରରେ ବିଷ୍ଣୁ ସହସ୍ର ନାମ ପାଠ ଓ ପ୍ରଭୁଙ୍କ ପାଦପଦ୍ମରେ ଲକ୍ଷେ ତୁଳସୀ ଚଢ଼ାଇବା ସକାଶେ ଦୁଇ ଜଣ ବ୍ରାହ୍ମଣ ବରଣି ହେଲେ–ଧାଈମା ନରୁ ମୁଣ୍ଡରେ ଛୁଆଁଇ ବ୍ରାହ୍ମଣ ହାତରେ ଗୁଆ ଟେକିଦେଲେ । ଉଆସରେ ପ୍ରତିଦିନ ଶଏଆଠ ମୂର୍ତ୍ତି ବ୍ରାହ୍ମଣ ଭୋଜନର ବନ୍ଦୋବସ୍ତ ହେଲା ।
ଧାଈମା ବୁଢ଼ା ଛାମୁକରଣଙ୍କୁ ଡକାଇଲେ । ଦୁଇଜଣଙ୍କ ମଧ୍ୟରେ ପରାମର୍ଶ ଚଳିଲା–ନରୁ କଟକ ଯାଇ କେଉଁଠି ରହିବ । ପାଞ୍ଜିଆ କହିଲେ, ‘‘ଦୁଇଟା ଜାଗା ଅଛି–ହେଲେ ମାମୁ ବସାରେ ବଡ଼ ଗୋଳମାଳ, ସେଠାରେ ରହିବାର ସୁବିଧା ହେବ ନାହିଁ ।’’ (ପାଞ୍ଜିଆ ସାଫ୍ ଫିଟାଇ କହିବାକୁ ଭରସିଲେ ନାହିଁ ସତ; ହେଲେ ମାମୁ ବସାରେ ରଖାଇବାକୁ ତାଙ୍କର ବିଶ୍ୱାସ ଖଟୁନାହିଁ ।) ଧାଈମା ପାଞ୍ଜିଆଙ୍କ ମନକଥା ବୁଝିଗଲେ–କହିଲେ, ‘‘ତୁମେ ଯେ କଥା କହିଲ, ସେ କଥାଟା ସତ; ହେଲେ ମୁଁ କେତୋଟି ଦୋଷ ଦେଖୁଛି । ମଉସା ବସାରେ ରହିଲେ, ନଟ ଖର୍ଚ୍ଚ ଦେବନାହିଁ; ଏଣେ ମଉସା ବି ଖର୍ଚ୍ଚ ମାଗିବେ ନାହିଁ । ଯେତେହେଲେ ତ ବନ୍ଧୁ ଖର୍ଚ୍ଚ ନ ନେଇ ତାଙ୍କ ଘରେ ରଖାଇବାଟା ମୁଁ ପସନ୍ଦ କରୁନାହିଁ । ଆଉ ଗୋଟାଏ କଥା, ନଟ ଯେପରି ମଣିଷ, ନରୁ ମଉସାଘରେ ରହିଲେ ଜାଣିଶୁଣି ଅନିଷ୍ଟ କରିବ, ଲୋକରେ ବି ଅସୁନ୍ଦର ଦିଶିବ–ଆପଣା ମାନ ମହତକୁ ଜଗି ତ ବାଟ କାଟିବାକୁ ହେବ । କରୁଣା ବାରିକ ତ ସାଙ୍ଗରେ ଯାଉଛି–ଲୋକଟା ଯେପରି ବୁଦ୍ଧିଆ, ସେହିପରି ବିଶ୍ୱାସୀ– ପୁଣି ନରୁକୁ ପ୍ରାଣରୁ ଅଧିକ ମଣେ–ସେପରି ସେ ଯେବେ ଦେଖିବ, ମଉସା ବସାକୁ ଉଠିଯିବା କେତେବେଳ ?’’ ପାଞ୍ଜିଆ ଆଉ କିଛି ନ ବୋଲି ତୁନି ହେଲେ ।
–୩୭–