ଲାବଣ୍ୟବତୀ ଓ ଚନ୍ଦ୍ରଭାନୁ
ବୈଷ୍ଣବ ପାଣି · ଭାଗ ୫ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଦୃଶ୍ୟ – ରାଜବାଟୀ
ରାଜା ମନ୍ତ୍ରୀ ପ୍ରବେଶ
ରାଜା- ମନ୍ତ୍ରୀବର ! ବରକୁ ବରଣ କରାଇ ଯଥାବିଧିରେ ଯେ ଯାହା ସ୍ଥାନମାନ ନେଲେ ତ ? ଏବେ ଶୀଘ୍ର ବିଭାର ଯୋଗାଡ଼ କର । ଭୃତ୍ୟମାନଙ୍କୁ ଆଦେଶ ଦିଅ ସେମାନେ ଛାୟାମଣ୍ଡପ ପ୍ରସ୍ତୁତ କରନ୍ତୁ ।
ଗୀତବଡ଼ କଠିନ ପ୍ରେମର ପାଠ- ବୃତ୍ତେ
ମନ୍ତ୍ରୀ, ଆଦେଶ ମୋର ବଜାନ୍ତୁ ସକଳେ ବାଦ୍ୟ ଛନ୍ତି ଯେତେ ବାଦ୍ୟକାର । ପଦ । ଶଙ୍ଖ ଘଣ୍ଟା କଲ୍ଲୋଳ, ତାଳ ରବା ମର୍ଦ୍ଦଳ ଢୋଲ ଦମା ଟମକ ଯେ ବିଜିଘୋଷ ନାଗେଶ୍ୱର ।୧। ମିଳି ଗଣକଗଣ, ମଙ୍ଗଳାଷ୍ଟକ ପୁଣି, ପାଠ କରିବେ ସରବେ ବେଦୀ ପାଶେ ନିରନ୍ତର ।୨। ମଣ୍ଡପେ ବସି ମନ୍ତ୍ର, ପଢ଼ିବେ ପୁରୋହିତ, ଦେଶ କାଳ ବାକ୍ୟ କରି ବିଭା ଦେବେ କନ୍ୟାବର ।୩। ମିଳି ଗଣିକା ଯୂଥ, ଦାଣ୍ଡେ କରିବେ ନୃତ୍ୟ, ଭାଟେ ଗାଇବେ କବିତା ଛନ୍ତି ଯେତେ କଏବାର ।୪। ସାଧବା ନାରୀ ମିଳି, ଦିଅନ୍ତୁ ହୁଳହୁଳୀ, ଚଳ ବେଦୀ ପାଶେ ଭାଷେ ବଇଷ୍ଣବ କବିବର ।୫।
ମନ୍ତ୍ରୀ- ଚାଲ ନରନାଥ, ବିଭା ମଣ୍ଡପକୁ ଦଶଦଣ୍ଡ ପରେ ବିଭା ଲଗ୍ନ ପଡ଼ିଯିବ । ମୁଁ ଯାଉଚି ସମସ୍ତ ଉପକରଣ ପଠାଇଦେବି ।ରାଜା- ହଉ, ତୁମ୍ଭେ ଯାଅ, ମୁଁ ଯାଉଚି ।ଯଥାବିଧି ବିଭାକାର୍ଯ୍ୟ ସମାପନ- ଚନ୍ଦ୍ରଭାନୁର ଏକାକୀ ଭ୍ରମଣ
ଚନ୍ଦ୍ର- ରେ ତପନ ! ମୋ’ଠାରେ ତୋର ଏତେ ହିଂସା କାହିଁକି । ଯଦି କେହି ମୋର ଦୂତହୋଇ ଶୀତକୁ ଏଠାକୁ ଆଣନ୍ତା ତୋର ଏ ତେଜ ରହନ୍ତା ନାହିଁ । ତୁ ଦିନସଙ୍ଗେ ମଧ୍ୟ କ୍ଷୀଣ ହୋଇଯାନ୍ତୁ, ରାତ୍ରି ଦୀର୍ଘ ହୁଅନ୍ତା । କାମୀ-କାମିନୀମାନେ କେତେ ସୁଖଭୋଗ କରନ୍ତେ । ରେ ମିହିର ! ଯେତେ ଅଭିସାରୀ ସ୍ତ୍ରୀପୁରୁଷ ଏ ଜଗତରେ ଅଛନ୍ତି ତାଙ୍କ ନିଶ୍ୱାସ ବତାସ ହୋଇ ତୋତେ ଉଡ଼ାଇ ନ ନେଉଚି କିପାଇଁ ? ତୋର ନାମ ପରା ଭାନୁ, ଏହି ମୋ’ଠାରେ ତୋ’ର ମିତ୍ରସ୍ନେହ । ଏ ମୋ’କଥା ଶୁଣିଥା ।
ଗୀତା- ଯାଅ ଗୋ ଉର୍ବଶୀ- ବୃତ୍ତେ
ଯା’ ଯା’ରେ ମାର୍ତ୍ତଣ୍ଡ ଅସ୍ତାଚଳକୁ । ନ ଦଣ୍ଡ ଯୁବା ଯୁବତୀ କୁଳକୁ । ପଦ । ହୋଇ ଅନୁଭବୀ, ରହିଛୁ କି ଭାବି । ଗାଳିଦେଲି ନ ଘେନୁ ଯା ଛଳକୁ ।୧। ବିରହରେ ଘାରି, ଗୁରୁପତ୍ନୀ ହରି । ଅଖ୍ୟାତି ରଖିଲୁ କାଳ କାଳକୁ ।୨। ବରିଆଣି ରାହୁ, ସାରିବି ତୋ’ ଦାଉ, ଗିଳି ଚଳିବ ସେ ନିଜ ଆଳକୁ ।୩। ତେଣେ ପ୍ରିୟା ମୋର, କାମେ ଜରଜର, ହୋଇ ତେଜୁଥିବ ଅଶ୍ରୁ ଜଳକୁ ।୪। ମଣ୍ଡି କେଳିପୁର, ଥିବେ ସଖୀ ବାର, ପିନ୍ଧାଉଣ ଥିବେ ସେ ନୀଳଚେଳକୁ ।୫। କରୁଥିବେ ବେଶ, ବଇଷ୍ଣବ ଭାସ ଗଭାରେ ଖଞ୍ଜି ତା ଫୁଲ ମାଳକୁ ।୬। (ଚନ୍ଦ୍ରଭାନୁର ପ୍ରସ୍ଥାନ)
ସଖୀମାନେ ଲାବଣ୍ୟବତୀକୁ ବେଶ କରିବା ଗୀତ
ଆସ ରସିକାମଣି ବେଶ ସାଜିଦେବୁ ଗୋ । ମାଜି ଘନକେଶ ଫୁଲ ଖଞ୍ଜିଦେବୁ ଗୋ । ପଦ । ଚନ୍ଦ୍ରଝୁମ୍ପି ଦେଇ, କେତେକୀ ଚଢ଼ାଇ, ଗଜଗତି ମତିକି ତୋ’ ରଞ୍ଜିଦେବୁ ଗୋ ।୧। ନିର ଶଶିଜିତ ତାଟଙ୍କକୁ ମିତ । କର୍ଣ୍ଣଦେଇ ମାର ଗର୍ବ ଗଞ୍ଜିଦେବୁ ଗୋ ।୨। ନାସେ ନାସାମଣି, ଘେନ ଯୋଷାମଣି । ପତି ମତି ଧୈର୍ଯ୍ୟ ଦମ୍ଭ ଭାଞ୍ଜିଦେବୁ ଗୋ ।୩। ଗଳେ ଚାପସରି, ମୁକୁତା ଦୋସରି । ଶମ୍ଭୂ ଉରଜେ ଲମ୍ବାଇ ପୂଜିଦେବୁ ଗୋ । କନକ କଙ୍କଣ, କରେ ପିନ୍ଧାଇଣ । ବନ୍ଧୁ ଭୁଜେ ବାଜୁବନ୍ଧ ବାନ୍ଧିଦେବୁ ଗୋ ।୫। ଚନ୍ଦ୍ରଭାନୁ ପାଇଁ, ଚନ୍ଦ୍ରହାର ନେଇ । ହରିକଟି ତୋ’ କଟିରେ ଆଜି ଦେବୁ ଗୋ ।୬। ବଇଷ୍ଣବ ଭାଷ, କୁଞ୍ଚି ଝୀନବାସ । ପିନ୍ଧାଇ କେଳିମନ୍ଦିରେ ତେଜିଦେବୁ ଗୋ ।
କମଳା- ସଖି, କାନ୍ତ ସଙ୍ଗ ପାଇ ସଙ୍ଗସଖିକି ପ୍ରଭାତ ବନସରି ତେଜିଦେବ ନାହିଁଟି । ବେଶ ତ ସରିଲା ଲାଜ ଲାଜ କାହିଁକି- ଆସ କେଳି ମନ୍ଦିରକୁ, ତେଣେ ପରା ଘଣ୍ଟି ନାଦକୁ ମୃଗ କର୍ଣ୍ଣ ଡେରିଲାପରି, ତୁମ୍ଭ ନୂପୁର ଧ୍ୱନିକୁ କାନଡେରି ଏକା ବସି ବେସ୍ତ ହେଉଥିବେ ।
ଗୀତ- ମାଧବ ହେ ବୁଝାଇଲି ବାର- ବୃତ୍ତେ
ନାଗର ହେ କର ଭୋଗ ସୁଧାଘଟ । ଥୋଇଥିଲୁ ତୁମ୍ଭ ପାଇଁ କରିଣ ଆକଟ । ପଦ । ହୋଇ ତରତର ତୃଷାତୁରେ ଯେବେ ନ ବାରି ଶଠ ଲମ୍ପଟ । ବ୍ୟାଧି ଅଙ୍ଗକୁ ଅଧିକ ପିଅନ୍ତେ ବିଧିରେ ଜାଣିଥା ନିଶ୍ଚେ ଫାଟିଯିବ ପେଟ ।୧। ଏ ନବ ବାଳିକା ଦେଖ ସେଫାଳିକା ତୁମ୍ଭେ ପରା ଭାନୁ ଅଟ । ସହି ନ ପାରିବ ଅରୁଣ କିରଣ ମହୀରେ ଲୋଟିବ ମହିଳା ମୁକୁଟ ।୨। ଏଣିନେତ୍ରୀ ଆଉ ଏଣିକି ଆମ୍ଭର ନୁହଇ କର୍ଣ୍ଣାଟରାଟ । ତୁମ୍ଭର ଦରଦ ତୁମ୍ଭେ ସାଇତିବ ରଖି ନ ଜାଣିଲେ ଶେଷେ ହେବ ଛଟପଟ ।୩। ବାରଣ ଗତିକି ଚାରଣ ଡିଆଇଁ ଦେଇଗଲୁ ହୁଅ ଭେଟ । ବରଣ କରିଚି କାରଣ ଆଶାରେ ବଇଷ୍ଣବ ଭଣି ମାର ଭଣ୍ଡାର ତା’ ଲୁଟ ।୪। (ମଧୁଶଯ୍ୟାରେ ଛାଡ଼ି ସଖୀମାନଙ୍କର ପ୍ରାସ୍ଥାନ ।)
ଚନ୍ଦ୍ର- ପ୍ରିୟେ ଆଉ ଲାଜ କାହାକୁ- ଆସ ପଲଙ୍କକୁ ଆସ- ମୁଁ ପରା ତୁମ୍ଭର ।ଗୀତ- ଆସ ଆସେ ମୋ କୋଳକୁ- ବୃତ୍ତେ
ଶଙ୍ଖକଣ୍ଠି ବୃଥାକରୁ ଶଙ୍କା କାହିଁକି ରେ । ତୋ’ ପ୍ରୀତିଧନେଟି ରଙ୍କ ମୁହିଁକି ରେ । ପଦ । ପଙ୍କଜାକ୍ଷୀ ଓଷ୍ଠସୁଧା ଦେଇ ହର ମାର ବାଧା । ସେଦିନ ସେକଥା ମନେ ନାହିଁକି ରେ ।୧। ସ୍ୱପନେ ଶିବା ଯେମନ୍ତେ, ଭେଟାଇଲେ ତୋତେ ମୋତେ । ଶିବ ଦରଶନେ ପୁଣି ଯାଇକି ରେ ।୨। ପ୍ରେମପତ୍ର ପଠାପଠି ବିଧାତାର ଘଟାଘଟି । ଏକାଳେ ସଫଳ ହେଲା ସେହିକି ରେ । ଯା ଯୋଗେ ଏତେ ବିପତ୍ତି, ମିଳିଛି ସେହି ସମ୍ପତ୍ତି । ବସ ପଲଙ୍କେ ଭାବଇ ବଇକି ରେ ।୪।
ଲାବଣ୍ୟ- ଜୀବେଶ୍ୱର ! ମୋର ଅନ୍ତର ବାହାର ତୁମ୍ଭଙ୍କୁ ସବୁ ଜଣା । ଯେ ପ୍ରକୃତ ପ୍ରେମିକ ପ୍ରେମିକା ହୋଇଥିବେ, ସେ ନିଶ୍ଚେ ଆମ୍ଭର କେତେ କଷ୍ଟ ସେ ଅନୁଭବ କରିବେ ।
ଚନ୍ଦ୍ର- ସୁନ୍ଦରୀ ! ଚାଲ ପଲଙ୍କ ଅଙ୍କକୁ ମନକଥା ସବୁ ଫିଟାଇ କହିବି । ରାତ୍ର ଅଧିକ ହେଲାଣି ।(ଉଭୟର କର ଧରାଧରି ହୋଇ ପ୍ରସ୍ଥାନ)
ଷଷ୍ଠ ଦୃଶ୍ୟ
(ସଖିଗଣ ଲାବଣ୍ୟବତୀକି ଘେନ ପ୍ରବେଶ ।)କମଳା- ସଖି ! ଆଜି କାହିଁକି ପଦ୍ମଫୁଲଟି ମଉଳି ଯାଇଛି । ସବୁ ମଧୁଯାକ ପିଇ କ’ଣ ମଧୁକର ଉଡ଼ି ଯାଇଛି ।କାମ- ନା ସଖି, ତା’ ନୁହେଁ, ରାହୁ ଚନ୍ଦ୍ରକୁ ଗିଳୁଥିଲା, ଚକ୍ରକୁ ଦେଖି ପଳେଇ ଯିବାରୁ ତା’ର ଦନ୍ତକ୍ଷତ ଚନ୍ଦ୍ରଠାରେ ଜଣାଯାଉଛି ।ଲାବଣ୍ୟ- ସଖି, ସବୁ ମୁଁ ଜାଣିପାରୁଛି । ତୁମ୍ଭେ ତ ଯେତେବେଳେ ବୈଦ୍ୟ, ରୋଗ କ’ଣ ତୁମକୁ ଛପି ରହିବ । ମୋତେ ଛଳାନା ।ପରିମଳା – ମଲା ଛଳାଇବୁ ନାହିଁ, ଏଥିପାଇଁ କେତେ ଅର୍ଦ୍ଦୋଳି ସହିଛୁ ମନକଥା ଫିଟେଇ କହି ଦିଅ ।ଗୀତ– କଳାମାଣିକ- ବୃତ୍ତେ
କହ ଶଶି ହାସୀ କାଲି ଗଲା ନିଶି ଭାବ । ମିଳନ କାଳରେ କିସ କଲା ସେ ବଲ୍ଲଭ । କେଳି କୁଶଳା ରେ ।୧। ଫୁଲଗଭା ବେଣୀ ଫିଟି ପୃଷ୍ଠ ଦେଶେ ଲୋଟେ । ବିପରୀତ ବେଳେ କାନ୍ତ ଭିଡ଼ିଲେ କି ଆଣ୍ଟେ । ୨। ଗଣ୍ଡ ମଣ୍ଡଳେ ଲାଗିଛି ତାମ୍ବୁଳର ଦାଗ । ଚୁମ୍ବିବାରୁ ପତି ଅତି ବହିଣ ସରାଗ ।୩। ଫିଟି ଯାଇଛି କଟିରୁ ସୁଝୀନ ବସନ । ଉରଜେ ଫୁଟି ଦିଶଇ କରଜର ଚିହ୍ନ ।୪। ଗଳା ଗଜମୋତି ତୁଟି ଲମ୍ବେ କେରାକେରା । ଉରେ ପଡ଼ି ଦୋଳେ ହର ଶିରେ ନାଗପରା । ୫। ବିନ୍ଦୁ ବିନ୍ଦୁ ହୋଇ ଝାଳ ଗଳଇ ବଦନୁ । ଚନ୍ଦ୍ର କି ଶିଶିର ବାନ୍ତିକରେ ଅନୁମାନୁ ।୬। ଶ୍ରମ ଝାଳେ ଲିଭିଅଛି ଚନ୍ଦନ କସ୍ତୁରୀ । ସେତ କାମାତୁର ତୁ ତ ତହୁଁ କାମାତୁରୀ । ୭। କି ମନ୍ତ୍ର ପଢ଼ି ଅନ୍ତର କଲୁଣି ଆମ୍ଭଙ୍କୁ । ବଇ ବୋଲେ ହଜାଇଛୁ ପୂରବ ଦମ୍ଭକୁ ।୮।
ପରିମଳା –ହଉ ନ କହିଲେ କାହିଁ – ଚାଲ ମାଜଣା ବିଧି କରିବା । (ସମସ୍ତଙ୍କର ପ୍ରସ୍ଥାନ)ଋତୁଧ୍ୱଜ ରାଜା ପାଶେ ପ୍ରବେଶଋତୁ– ସିଂହଳ ନାଥ ! ଯୁବରାଜ ଆଜି ରାଜ୍ୟକୁ ଯିବେ । ତାଙ୍କୁ ମେଲାଣି କରନ୍ତୁ । ସେ ଯୋଗେ ମୋତେ ଛାମୁକୁ ପଠାଇଲେ ।ରାଜା- ମନ୍ତ୍ରୀପୁତ୍ର ! ତୁମ୍ଭେ ଯାଅ ମୁଁ ତା’ର ସମସ୍ତ ସୁବିଧା କରିଦେଉଅଛି । (ପ୍ରସ୍ଥାନ)ଫାର୍ଶ - ଜଣେ ସ୍ତ୍ରୀ ଜଣେ ପୁରୁଷ ପ୍ରବେଶଗଲୁ ନାହିଁ ନାତି କାହିଁକି– ବୃତ୍ତେପୁ- କେଣେ ଯାଉ କମଳି ଅପା, ଏତେ ତୋର ତରତର କାହିଁକି ?ସ୍ତ୍ରୀ- ରଜା ଝିଅ ଜୋଇଁ ବିଦାହେଉଛନ୍ତି ଗଦା ତୋତେ ଏହା ଜଣାନାହିଁ କି । ପଦ ।ପୁ- ହଉଛି ନା ଯମକ ଭାରି, ଦେଲା କେତେ ଘୋଡ଼ା ସୁଆରି ?ସ୍ତ୍ରୀ- ଘୋଡ଼ାବାପୁଡ଼ାକୁ ପଚାରେ କିଏସେ ଅଧେ ଧନ ନେଉଅଛି ବୋହିକି ।୧।ପୁ – ଫଟା ନୋଟା ଖଣ୍ଡିଏ ମୋର, ଦେଇଥାନ୍ତା ଭଲା ଶଶୁର,ସ୍ତ୍ରୀ – ଏ ଭାଉବଟା କି ଗରିବ ଟଙ୍କାରେ ବନ୍ଧେଇ ଦେବେ ନଈକି ।୨।ପୁ- ୟାଙ୍କ ଘରେ ଦୋଷରା ବାଟ, ବରଙ୍କର କରମ ଆଣ୍ଟ,ସ୍ତ୍ରୀ- ଯୋଉ ଘରେ ଯେଉଁ ରୁଅ ଶେଣୀ ଖଞ୍ଜା ବ୍ରାହ୍ମଣଙ୍କ ପାଇଁ ପାଣି ଦହି କି ।୩।ପୁ- ନେଲା ଯେଉଁ ସରସା ମାଲ, ଦେଖିବାକୁ ତୋ ଠଉଁ ଭଲ ।ସ୍ତ୍ରୀ - କାଣିଆଙ୍ଗୁଠିକି ଯୋଗ ହେବି ନା ମୁଁ କାଉ ଉଡ଼ୁଛନ୍ତି ତୁଚ୍ଛା ଖାଇ କି ।୪।ପୁ- ସବୁରି ତ ଗୋଟାଏ ସୁନା, ଉପରଟା ଫରକ ସିନା,ସ୍ତ୍ରୀ- ତରକ ତାରକ ତେଣିକି ରଖିଥା ବଳଦ ଟଙ୍କା କେ ଦେବ ଗାଈ କି ।୫।ପୁ- କଣାକୁ ତ ସୁନ୍ଦର କାଣୀ, ରାଜାକୁ ତ ସୁନ୍ଦର ରାଣୀ;ସ୍ତ୍ରୀ - ଜାଣିଥା ସେଇୟା କହଇ ବଇଆ ଠାଇଁଆ ଖୋଜନ୍ତି ସିନା ଠାଇଁ କି ।୬।ସ୍ତ୍ରୀ ପୁରୁଷ କଥାବାର୍ତ୍ତାପୁ- ଆଚ୍ଛା କମଳି ଅପା, ତୋଅର ମୋଅର ତ କିଛି ନାହିଁ ଆଡ଼ ବାଙ୍କ ।ସ୍ତ୍ରୀ- ମୁଁ କଣ ହୋଇଚି କି ଅଇଣ୍ଠା ଚାଟିବା ଲୋକ ।ପୁ- ମୋର ତ ଅଇଣ୍ଠା ଗୋଇଠା ଦି’ କଥାରେ ରାଜି ।ସ୍ତ୍ରୀ- ତୁ ତ ଗୋଟା ରସିକ ଭିତରେ ମଞ୍ଜି ।ପୁ- ତୁ କଣ ଠଉରେଇଲୁ ଉପର ଚୋପା ।ସ୍ତ୍ରୀ- ଥିୁ ଥୁ, ରାମ ରା, ତୁଟା ଦେଖିବାକୁ ଯୋଉ ସଫା ।ପୁ- ମୋର କଣ ଚେହେରା ଖଣ୍ଡକ ମନ୍ଦ ।ସ୍ତ୍ରୀ- ଇରେ ମୁଁ ଯାଉଛି ରେ ଝିଅ ବାହାରିଲାଣି ଉଛୁଳି ପଡ଼ୁଛି କାନ୍ଦ ।ପୁ- ଏ ଗୋଳମାଳରେ ମୁଁ ତୋ ସାଙ୍ଗ ଛାଡ଼ୁଛି ।ସ୍ତ୍ରୀ- ଖଣ୍ଡିଆ କୁ ଧରି ଦମେ କୋଡୁଛି । (ଉଭୟ ପ୍ରସ୍ଥାନ)