ଲାବଣ୍ୟବତୀ ଓ ଚନ୍ଦ୍ରଭାନୁ
ବୈଷ୍ଣବ ପାଣି · ଭାଗ ୩ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଦୃଶ୍ୟ
(ରଙ୍ଗ ଟୁଙ୍ଗୀ । ଲାବଣ୍ୟବତୀ ସଖିଗଣ ସହ ପ୍ରବେଶ)
ଲାବଣ୍ୟ- ସଖିଗଣେ ଶୁଣିଛ, ଆଜି କର୍ଣ୍ଣାଟ ରାଜନନ୍ଦନ ବ୍ରହ୍ମଚାରୀ ହସ୍ତରେ ଯେଉଁ ପତ୍ର ଦେଇଥିଲେ ତାହା ପଢ଼ି ଏକାବେଳକେ ମୁଁ ଜ୍ଞାନଶୂନ୍ୟ ହୋଇଗଲି । ସଖି ସତେ ସେ ଦୁର୍ଲଭ ପଦାର୍ଥ ମୋତେ ମିଳିବ ! ଯାହା ଲେଖା ହୋଇଥିଲା ତାହା ଯେବେ ସତ୍ୟ ହୋଇଥାଏ, ତାହାହେଲେ ପ୍ରେମିକ ଏ ଜଗତରେ ବିରଳ । ସଖି, ସତେ କି ଏପରି ପୁରୁଷ ଭାଗ୍ୟକୁ ମିଳିବ !
ଗୀତ(କଳାମାଣିକ - ବୃତ୍ତେ)
ସତେ ପୂର୍ବ ଭାନୁ ଯାଇଁ ପଶ୍ଚିମେ ଉଇଁବ ଗୋ । ସତେ କି ସେ ଅବସନ୍ତେ ବସନ୍ତ ବହିବ । କାମକଳା କି ଗୋ । ପରିମଳା କି ଗୋ ।୧। ଚଳିବ ଅଚଳ ଅଗ୍ନି ଲାଗିବ ଶୀତଳ, ସତେ କି ହେବ ଏକତ୍ର ଆକାଶ ପାତାଳ । କାମକଳା କି ଗୋ ।୨। ପତିବ୍ରତା ନାରୀ ଯେବେ ହୋଇବେ ବିଟପୀ । ରହିବ ବାତ ମୁଠାରେ ଖଣ୍ଟ ହେବେ ତପୀ । କାମକଳା କି ଗୋ ।୩। ପଶୁ ପହଁରିବ ସିନ୍ଧୁ ମଳୁ ବୈଦ୍ୟ ହେବ । ତେବେ ଲଭିବି ଏକାନ୍ତେ ଭାଷେ ବଇଷ୍ଣବ । କାମକଳା କି ଗୋ ।୪।
କାମ- ରାଜଜେମା ! ପ୍ରେମ ପୁଣି ପ୍ରାଣୀକି ଏପରି ଅନ୍ଧ କରିପକାଏ ଆଉ ପାଇବାକୁ କ’ଣ ବାକି ରହିଲା । ସ୍ୱପ୍ନେ ଭେଟ, ଚିତ୍ରବାଡ଼ ଦର୍ଶନ, ମାଲୁଣୀଠାରୁ ଶିବାଦେଶ ଶ୍ରବଣ; ଶୁକବ୍ରହ୍ମଚାରୀ, ବୋଇତିଆଳ, ଇନ୍ଦ୍ରଜାଲିକଠାରୁ ସନ୍ଧାନ ମିଳିବା ଏତେ ତ ସଇଲାଣି । ଏତିକି ରହିଚି ବାକି, ହୋଇନାହିଁ ପ୍ରତ୍ୟକ୍ଷରେ ଦୁହିଁଙ୍କର ଚାରିଆଖି ।
ବିମଳା- ସେ ଯେବେ ଜେମା ତମଠାକୁ ପତ୍ର ଦେଲେ ତୁମେ ଖଣ୍ଡେ ତାଙ୍କଠାକୁ ଦଉନା, ସେ କ’ଣ ମନେକରିବେ ?
ଲାବଣ୍ୟ- ସଖିଗଣେ ! ମୁଁ ପ୍ରକୃତଭାବେ ଉତ୍ତର ନଦେଇ ତୁମ୍ଭ ନାମରେ ଛଳନା କରି ପତ୍ର ତାଙ୍କଠାକୁ ଲେଖୁଚି । ମୋ ନିକଟକୁ କଲମ କାଗଜ ରଙ୍ଗସ୍ୟାଇ ଘଡ଼ିଟା ଦିଅ ।
କମଳା- ହଁ, ହଁ, ଏତ ରଙ୍ଗକଥା; ଆକୁ ରଙ୍ଗରେ ଲେଖିଲେ ଭଲ । ଦୁଃଖ କଥା ହେଲେ ସିନା କଳାରେ ଲେଖନ୍ତ । ଏ ପରା ସ୍ନେହର ପତ୍ର ଓ ରଙ୍ଗରୁ ସ୍ନେହର ଚିହ୍ନ ଜଣାଯିବ ।
ଲାବଣ୍ୟ- କମଳା ! ତୁମ୍ଭେ ମୋତେ ଏତେ ପରିହାସ କରନା, ଲେଖନୀ ଉପକରଣମାନ ପାଖକୁ ଦିଅ ।ବିମଳା- ହଉ ନିଅ ।
ଲାବଣ୍ୟ- (ପତ୍ର ଲେଖି ମନ୍ତ୍ରୀ ଜେମାକୁ ଦେବା) କାମକଳା ଦେଖିଲ, ଏହିପରି ଲେଖା ଠିକ୍ ହୋଇଚି ତ । ମନକୁ ଗଲେ ମୁଦ ଦେଇ ଆମ୍ଭ ବ୍ରାହ୍ମଣଙ୍କ ହସ୍ତରେ ଶୁକ ସହିତ ଯୁବରାଜଙ୍କଠାକୁ ଶୀଘ୍ର ପଠାଇଦିଅ ।
କାମ- (ପତ୍ରପଢ଼ି) ଜେମାଦେଈ ! ତୁମେ ଆମମାନଙ୍କ ମୁଣ୍ଡରେ ଅଠା ବୋଳିଲ କିଆଁ ? ସେ କ’ଣ ଏ ଭାବଗର୍ଭକ ଲେଖନୀ ଓ ଶବ୍ଦ ଯୋଜନାରୁ ତୁମ୍ଭ ନିଜ ଲେଖା ବୋଲି ଗଣିପାରିବେ ନାହିଁ ? ଚନ୍ଦ୍ରଲୋକକୁ ମେଘମାଳା ଯେତେ ଘୋଡ଼ାଇଲେ ସେ ନିଶ୍ଚେ ବାହାରକୁ ଫୁଟି ପଡ଼ିବ । ହଉ ଚାଲ । ପତ୍ର ମୁଦି ବ୍ରହ୍ନଚାରୀ ଶୁକ ହସ୍ତରେ ପଠାଇଦେବା ।
କମଳା- ଜେମାମଣି ! ଚାଲ ଆମ୍ଭେମାନେ ଯିବା ?(ସମସ୍ତଙ୍କର ପ୍ରସ୍ଥାନ)
ଦ୍ୱିତୀୟ ଅଙ୍କ
(ପଞ୍ଚମ ଦୃଶ୍ୟ)ଚନ୍ଦ୍ରଭାନୁ ସଖାଗଣ ସହ ପ୍ରବେଶ ।
ଚନ୍ଦ୍ର- ସଙ୍ଗାତ ପତ୍ରନେଇ ଯେ ବ୍ରହ୍ନଚାରୀ ସିଂହଳ ଗଲା ସେ ଏବେ ଯାଏ ନ ଫେରିଲା କାହିଁକି ? କହୁଁ କହୁଁ ଗ୍ରୀଷ୍ମ ଗତହୋଇ ବର୍ଷା ଉପଗତ ହେଲା । ସଙ୍ଗାତ ଏ ବର୍ଷାକାଳ ବିରହ ଉତ୍ତେଜକ ଦ୍ରବ୍ୟ ଜଳରେ ସିନା ଶୀତଳ ହୁଅନ୍ତା । ଏ ବିରହାନଳ ଜଳଯୋଗ ପାଇଁ ଅଧିକ ଜଳୁଚି । ଗମ୍ଭୀର ଘନ ଗର୍ଜନ, କରାଳ କରକା ପାତ, ଡାହୁକ ଡାକ, ଭେକରଡ଼ି, ପ୍ରବଳ ପ୍ରଭଞ୍ଜନର ଶନଶନ ଶବ୍ଦ, ଏମାନେ ଗୋଟିଏ କାମରାଜାର ଅନୁଚର । ରେ ନିଷ୍ଠୁର ନୀରଦ ! ଧାତା କି ତୋତେ ବିରହୀ ଯୁବକଯୁବତୀକୁଳ ନିର୍ମୂଳ କରିବାକୁ ଜଗତରେ ସୃଷ୍ଟି କରିଥିଲା ।
ଗୀତ(ଶୁଣ ଲୋ ସୁନୀତି- ବୃତ୍ତେ)
ଆରେ ରେ ଜଳଦ ତୁ ପରା ପ୍ରାଣୀର ବଳଦଟି ଚିରକାଳ । ମୋହ କପାଳେ କାଳ ହେଲୁ କିପାଁ ତୁ ସ୍ୱଭାବ ଛାଡ଼େ କି ଖଳ । ନୀଚଜନେ ତୋ’ ମେଳି । ସହୁ ନାରୀମାନଙ୍କର ଗାଳି ।୧। ମକ ମକ ଶାମୁକର ଡାକ ଶୁଣି ପିକ ହୋଇଯାଏ ମୂକ । ପେଣ୍ଡା ପେଣ୍ଡା ଗେଣ୍ଡା ନକ୍ରମକ୍ର ଗଣ୍ଡା ଗଣ୍ଡା ଲଭୁଥାନ୍ତି ସୁଖ ! ସ୍ୱଚ୍ଛ ସଲୀଳରାଶି, ହୋନ୍ତି ଆବିଳ ତୋ ତୁଲେ ମିଶି ।୨। ନାନାଜାତି ପୋକ ମକ୍ଷିକା ମଶକ ତୋଷୁ ତୁ ଏ ରସାରେ । ଅଂଶବଂଶ ମରା ଡାହୁକ ତୋ ଯୋଗେ ସରେ ଘେନେ ଭଲ ମାରେ । ଏହା ଦେଖିଣ ହଂସ, ଯାଇଁ ମାନସରେ କଲେ ବାସ ।୩। ସନ୍ଧ୍ୟାରେ ଅନ୍ଧାରେ ଧନ୍ଦାରେ ଡରନ୍ତି ପଦାରେ ନ ଆସି କେହି । ବୃଦ୍ଧିକରୁ ନଦନଦୀରେ ସଧୀରେ କେତେ ଶସ୍ୟ ନେଉ ଧୋଇ । ତଟତରୁ ଉପାଡ଼ି, ନେଇ ସାଗର ଦେଉ ଫୋପାଡ଼ି ।୪। ଘରବୁଡ଼ା କୁଳବୁଡ଼ା ତୋର ରୀତି ଚଢ଼ାଉ ବିରହ ତାପ । ବିଯୋଗୀ ନାରୀ ପୁରୁଷ ଭୋଗୁଥାନ୍ତି ତୋ ଯୋଗେ କେତେ ସନ୍ତାପ । ତୋର ସ୍ତନିତଧ୍ୱନି । ବକ୍ର କରକାକୁ କରେ ଘେନି ।୫। ବାର ବାର କରି କରିଣ ପ୍ରହାର ଉଚ୍ଚ ଗଛ ପଡ଼େ । କୋମଳ ପଲ୍ଲବ ଲତିକା ନ ସହି ମହୀପରେ ଝଡ଼ିପଡ଼େ । ବଇଷ୍ଣବ ଭାରତୀ, କେତେ ଗାଇବି ତୋ’ ମନ୍ଦ ରୀତି ।୬।
ଋତୁ- ମିତ୍ର ! ଦେଖ ଶୁକ ବ୍ରହ୍ନଚାରୀ ଏତିକି ବେଳକୁ ତୁମ୍ଭର ରୋଗର ଔଷଧ ଘେନି ପହଞ୍ଚିଲେଣି ।ଚନ୍ଦ୍ର- ବ୍ରହ୍ନଚାରୀ ଆସ ଆସ, ପତ୍ରର ଉତ୍ତର ଆଣିଚ ତ ।ବ୍ରହ୍ନ- (ପ୍ରବେଶ) କର୍ଣ୍ଣାଟ ଯୁବରାଜଙ୍କର ଜୟ ହେଉ । ନିଅନ୍ତୁ ଏ ପତ୍ର ।ଚନ୍ଦ୍ର- (ପତ୍ର ପାଇ ହୃଦେ ଲଗାଇ ଚୁମ୍ୱି ) ସଙ୍ଗାତ ଏ ହୃଦୟ ଶୀତଳ ହେଲା- ଓଃ ଏବେ ଯେ ଚକ୍ଷୁ କର୍ଣ୍ଣର ବିବାଦ ଉପସ୍ଥିତ ।ୠତୁ- ସଙ୍ଗାତ ଆଉ ଡେରି କାହିଁକି ? ଦୁହିଁଙ୍କର ବିବାଦ ପଢ଼ି ତୁଟାଇଦିଅ । ଡାକି ପଢ଼- ଆମ୍ଭଙ୍କୁ କ’ଣ ଶୁଣାଇବ ନାହିଁ ?ଚନ୍ଦ୍ର- ନା ସଙ୍ଗାତ ମୁଁ ପଢ଼ୁଛି ତୁମ୍ଭେ ଶୁଣ । (ପତ୍ରପାଠ)ଶ୍ରୀ ଦୁର୍ଗାମାଧବ ଶରଣ
ଶ୍ରୀ ଶ୍ରୀ ବୀରବର ପ୍ରଣୟପ୍ରବର କାମମୋହନ କାମିନୀମନ୍ମଥମହୋଦଧିମନ୍ଥନକର, କରୁଣାର୍ଦ୍ର ହୃଦୟ ଲୋକାଭିରାମ, ନୃପକୁମାରୀଙ୍କ ଚତୁର୍ବର୍ଗ ସୁଖଦାୟକ ନୃପକୁମାର ଚନ୍ଦ୍ରଭାନୁଙ୍କ ଚରଣକମଳେଷୁ, ବିଭୋ ନାଗରେନ୍ଦ୍ର ନୃପନନ୍ଦନ ! ଆମ୍ଭେ ସହଚରୀବୃନ୍ଦ ଶୀଛାମୁରେ ଏହି ନିବେଦନ କରୁଅଛୁଁ ଯେ ଆପଣ ଏତେ ଦାତାଶୀଳ ହୋଇ ଆମ୍ଭର ମନ-ଧନକୁ ଚୋରିକରି ନେଲ କାହିଁକି ? ହେ ନାଗର, ଆମ୍ଭେ ଜାଣୁ ତୁମ୍ଭେ ଇନ୍ଦ୍ରଜାଲ ମାୟା ଜାଣିଛ, ସେ ଯେଗେ ଆମ୍ଭ ସଖୀକି ଚାରି ଦିଗରେ ନିଜ କାୟାକୁ ଦେଖାଉଛ; ଯାର ଇନ୍ଦ୍ରପୁରଠାରୁ ସହସ୍ର ଗୁଣେ ସୁନ୍ଦର ପୁର ସେ ଆମ୍ଭେ ଜେମା ନେତ୍ରରେ ଗୃହ କଲେ କାହିଁକି ? ହେ ମନମୋହନ ! ପଦ୍ମବନକୁ କୁହୁଡ଼ି ପୋଡ଼ିଲା ପରି ତୁମ୍ଭ ପ୍ରଣୟ କୁହୁଡ଼ି ଆମ୍ଭ ସଖୀର ହୃଦୟ ପଦ୍ମବନକୁ ପୋଡ଼ିପକାଉଚି । ତୁମ୍ଭେ ଦୂତସହ ଆସି ବସନ୍ତରୂପେ ଦେଖା ନ ଦେଲେ କିଛି ଭଲ ହେବ ନାହିଁ, ଆଉ ଅଧିକ କି ଲେଖିବୁ । ଯେବେ ଆମ୍ଭ ପ୍ରିୟସଖୀଠାରେ କରୁଣାଥିବ ତେବେ ଶିବରାତ୍ରୀ ନାମରେ ଉତ୍ସବ ସେତୁବନ୍ଧ ରାମେଶ୍ୱରଠାରେ ଆସନ୍ତା ଫାଲ୍ଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ହେବ । ସେଠାକୁ ଆମ୍ଭେ ସମସ୍ତେ ଜେମାଙ୍କୁ ନେଇ ଶିବ ଦର୍ଶନକୁ ଯାଇଥିବୁଁ, ସେଠାରେ ଯେପରି ରାଧାକୃଷ୍ଣଙ୍କର ମିଳନ ହେବ । ଏଥିରେ ଲେଶମାତ୍ର ତ୍ରୁଟି କରିବ ନାହିଁ । ଏହା ସତ୍ୟ ସତ୍ୟ ତ୍ରିବାର ସତ୍ୟ ଅଟେ । ଆମ୍ଭେ ସେପର୍ଯ୍ୟନ୍ତ ଭରସା ଦେଇ ରସାମଣ୍ଡନାକୁ ତୁମ୍ଭ ପାଇଁ ବଞ୍ଚାଇ ରଖିଲୁଁ । ଆମ୍ଭମାନଙ୍କ ରାଣ ନିଶ୍ଚୟ ଆସିବ ।ଇତି । ତୁମ୍ଭର ସ୍ନେହାଧୀନା ସଖୀଗଣ ।
ଋତୁ- ସଙ୍ଗାତ ଆଉ ଭାବନା କ’ଣ, ଆସନ୍ତା ଶିବଚତୁର୍ଦ୍ଦଶୀରେ ରାଧାକୃଷ୍ଣଙ୍କର ମିଳନ ହେବ । ଶ୍ରୀକୃଷ୍ଣ କୁଞ୍ଜରେ ପହଞ୍ଚିଲେ ସଖାମାନଙ୍କୁ ପଚାରେ କିଏ ? ସଙ୍ଗାତ ଏ ପତ୍ର କାହାର ଲେଖା ଜାଣିପାରୁଛ ?
ଚନ୍ଦ୍ର- ୟାକୁ ପରା ସଖୀମାନେ ଲେଖିଛନ୍ତି ।
ୠତୁ- ମିତ୍ର ତୁମ୍ଭେ ମନେକରନା ଏ ସଖୀଙ୍କ ଲେଖା । ଏତେ ଚତୁର ବୁଦ୍ଧିରେ ପତ୍ର ଲେଖିବା ରାଜବାଳା ଛଡ଼ା ଅନ୍ୟକେହି ନୁହେଁ । ପରୋକ୍ଷଭାବରେ ତାଙ୍କ ନାମରେ ଛଳାଇ ଲେଖିଛନ୍ତି । ଯେତେ ଲୁଚାଇଲେ ଅନଳ ବସ୍ତ୍ର ଭିତରେ କି ଲୁଚି ରହି ପାରିବ ?
ଚନ୍ଦ୍ର- ବ୍ରହ୍ମଚାରୀ ! ତୁମ୍ଭେ ଯାଇ କହିବ ଯେ ଆମ୍ଭେ ସଙ୍କେତ ଦିନକୁ ନିଶ୍ଚୟ ରାମେଶ୍ୱରରେ ପହଞ୍ଚିଥିବୁଁ; ତୃଷାତୁର ଜଳ ନିକଟକୁ ନ ଯାଇ ସ୍ଥିରଭାବେ ରହିପାରେ କି ? ତୁମ୍ଭେ ଶୀଘ୍ର ଏକଥା ସଖୀମାନଙ୍କୁ କହିବ ।
ବ୍ରହ୍ମ- ଯେ ଆଜ୍ଞା ! ଯାଉଚି । (ପ୍ରସ୍ଥାନ)
ଚନ୍ଦ୍ର- ଆହା ସତେ ମାର-ଦର୍ପଧ୍ୱଂସନ ରାମେଶ୍ୱରଦେବ ମୋତେ ମାର ଦରରୁ ରକ୍ଷା କରିବେ । ହେ ଅକର୍ମଦାନୀ ମହେଶ, ସତେ ମହୀଶ-କୁମାରୀ ସହିତ ତବ ସମ୍ମୁଖରେ ସାକ୍ଷାତ- କରିବି । ହେ ଭୂତଭାବନ ! ଏ ତୁମ୍ଭ କରୁଣା ।
ଗୀତା- (ହାଇରେ ଦୁର୍ଦ୍ଦଣ୍ଡ ବହି- ବୃତ୍ତେ)
ବିଭୂତିଭୂଷଣ ବିଭୂତିଦାୟିନୀକି ଯେବେ । ଲଭିବି ତବ ଭବନେ ଜାଗର ଉତ୍ସବେ ।୧। ତେବେ ଯୋଗ-ଭଙ୍ଗିନୀ ସଙ୍ଗରେ ଯୋଗ ହୋଇ । ଆଗରେ ପୂଜିବି ଲକ୍ଷେ ଚମ୍ପକ ଚଢ଼ାଇ ।୨। ଚମ୍ପାଗୋରୀ ଅନୁକମ୍ପା ବହି ମୋହଠାରେ । କମ୍ପାଇ ତା’ ନାସାମଣି ଭାସିବ ମିଠାରେ ।୩। ଆଶୁତୋଷ ଉରଜା ତୋଷିବ ରତିରସେ । ଭାବବତୀ ବତିଶଦ୍ୱିଗୁଣ ବନ୍ଧେ କି ସେ ।୪। ରୁଣ୍ଡିଭୂତ ଦ୍ୱିଜଗୋତ୍ର କଲି ଚଣ୍ଡିଆଳେ । ଚଣ୍ଡୀ ଗୁଣାଇବି ଦେଇ ଜବାଫୁଲ ମାଳେ ।୫। କାଳୀ ପାଖେ ଦେବି ଗଣ୍ଡା ଗଣ୍ଡା ବଳି ଭୋଜା । କୁକ୍କୁଟ ମେଷ ମହୀଷ କୋଟି କୋଟି ଅଜା ।୬। ଭେଟ ହେବା କଣ୍ଟ ଯେବେ ନିକଟ ହୁଅନ୍ତା । ବଇ ବୋଲେ ମଙ୍ଗଳା ଘେନନ୍ତେ ସୁନା-ଚିତା ।୭।
ୠତୁ- ସଙ୍ଗାତ ! ସମୟ ଆମ୍ଭ କାର୍ଯ୍ୟ ଲାଗି ଦାୟି ନୁହେଁ, ଷଡ଼ ୠତୁକୁ ଚାରି ୠତୁ କରିବ କାହାର ଶକ୍ତି ? ଚାଲ ଶୀତ ଅନ୍ତେ ବସନ୍ତ ଆସିଯିବ, ରାତ୍ର ବେଶି ହେଲାଣି ଚାଲ ଭୋଜନ କରି ଟିକିଏ ବିଶ୍ରାମ କରିବା । (ଉଭୟଙ୍କ ପ୍ରସ୍ଥାନ ।)
ତୃତୀୟ ଅଙ୍କ
୧ମ ଦୃଶ୍ୟ- ଶୟନ ଗୃହ
ଲାବଣ୍ୟବତୀର ଶୟନ ପାର୍ଶ୍ୱେ ସଖୀଗଣ ଉପବେଶନ ।କାମ- ସଖୀ ସ୍ଥିରହୁଅ ! ପ୍ରାଣୀର ସବୁବେଳେ ସବୁକାଳେ ଅବସ୍ଥା ସମାନ ରହେ ନାହିଁ । ଅବଶ୍ୟ ତୁମ୍ଭର ଏ ଦୁର୍ଦ୍ଦିନ ଯାଇ ସୁଦିନ ଆସିବ ।ଲାବଣ୍ୟ- ହେ ରମାରମଣ ! ତମ୍ଭେ ଏ ଜୀବର କର୍ତ୍ତା, ଶିବ ଶିବ ଶିବ ।କାମ- ସଖୀ ! ମାର-ଅରି ନାମକୁ କବଚ କରି ମାରଶର ମୁଖରୁ ତ୍ରାଣ ପାଅ ।
ପରିମଳା- ସଙ୍ଗାତ ତୁମ୍ଭେ କ’ଣ ନିଜ କଥାରୁ ଜାଣିପାରୁନାହଁ । ଏ ବର୍ଷା କାଳ ବିବରଣୀ ରମଣୀଙ୍କର କାଳ । ଏ ୠତୁରେ କାହିଁକି ଏପରି ହୁଏ କେ ଜାଣି ? କାମକଳା ! ଦେଖୁଛ ତ ରାଜବାଳା କେତେ କଷ୍ଟ ନ ପାଉଛନ୍ତି !
ଗୀତ- (ଆଜି କେଳି କଉତୁକି- ବୃତ୍ତେ)
ରହି ନ ପାରିବ ସହି ଏ ବରଷା ରସାରେ ଯୋଷା ରତନ । ଘଡ଼ି ଘଡ଼ି ଚେତା ଉଡ଼ିଯାଉଛି ତା’ ପଡ଼ିଗଡ଼ି ତଳେ ହେଉଚି ଅଚେତନ । ବହନ୍ତେ ଘନ ଘନ, ପ୍ରବଳ ପ୍ରଭଞ୍ଜନ, ଚାହାଁନ୍ତେ ଝଲକାଏ, ବିଦ୍ୟୁତ ପୁନଃ ପୁନଃ । ହୋଇଣ ଛନଛନ, ନୟନୁ ତେଜ ବନ । ଦିନକୁ ଦିନ କ୍ଷୀଣ ଭଜଇ ଅପଘନ । ପଦ । ଘଡ଼ଘଡ଼ି ରଡ଼ି ତଡ଼ିତ ଅଙ୍ଗିକି, ନିରତେ ଦିଏ ତରାସ । ଯଡ଼ି ତହିଁ ଭେକ ଟକମକ ପଦ ଶଙ୍ଖକଣ୍ଠୀ ଶ୍ରୁତି ଯୁଗ କରେ ପରାଣ ।୧। ବଲ୍ଲଭ ବିରହେ ମୃଣାଳ ପଲ୍ଲବେ, ବଲ୍ଲଭୀ ଶୟନ କରି । ଦୁର୍ଲଭ ମଣି ନାମ ଜପଇ ଅବିରତେ, ସୁଲଭ ଆଶାରେ କମଳମାଳ ଧରି ।୨। ଗଳା ମୋତିହାର ବାଳା କରି ବିହାର, ଫିଙ୍ଗଇ ଏଣେ ତେଣେ ।୩। କାହାକୁ ପଚାରି ଏ ରୋଗ ଉପଚାର; ନୋହିଲେ ଚାର ବରଗି । ଆଣ କାନ୍ତ ସନ୍ଦେଶ, ବଇଷ୍ଣବ ଭାଷ, ନ ଥିଲେ ଚିକିତ୍ସକ କଷଣ ଭୋଗେ ରୋଗୀ ।୪।
କାମ- ସଖି ପରିମଳେ ! ଆମେ ତ ନାରୀ ଜାତି- ଦାଣ୍ଡ ବନ୍ଧ ଡେଇଁବାକୁ ମନା । କାହାପାଖକୁ ଯିବୁ ? ସମସ୍ତେ ବସି ଏଠି ଗୋଟିଏ ଉପଚାର ଚିନ୍ତା କରି ଯେବେ ଜେମାକୁ ଦିଅନ୍ତେ, ତାହା ହେଲେ ଏ ରୋଗ ଟିକିଏ କମିଯାଆନ୍ତା । ଯେଉଁ ବଇଦ କଥା କହିଲେ ସେ ବଇଦ କ’ଣ ପାଖରେ ଅଛି ?
ପରିମଳା- ସଖି ! ଯେଉଁ ସନ୍ନିପାତରେ ମକରଧ୍ୱଜ ପୂର୍ଣ୍ଣଚନ୍ଦ୍ର ଦରକାର, ସେ କି ତତଲା ଭାତରେ ଭଲ ହେବ ? ଏକଥା ତ ମୋ ମନକୁ ଜମା ଯାଉ ନାହିଁ ।
କାମ- ମଲା ! ସେକିଲେ କ’ଣ ଶରଦ କମୁ ନାହିଁ । ମୁଁ ଗୋଟିଏ ତୁଟୁକା ମୂଳମୂଳିକା କହୁଛି ଶୁଣିଲ ତମ ମନକୁ ଯିବ କି ନାହିଁ?ଗୀତ- (ଖେଳନ୍ତି ଯମୁନାକୂଳେ- ବୃତ୍ତେ)
କମଳା ଗୋ ! ବଇଦ କର ମନକୁ । ପଦ । ହେଉଛି ଏତେ ସରି, ଦେଖିବ ହେମ-ଗୋରୀ, ନାଗର ଚନ୍ଦ୍ରଭାନୁକୁ ।୧। ଆଗରେ ଦେଖାଇବା, ବାଗରେ ଚଖାଇବା, ଭାସ୍କର ଅନୁପାନକୁ ।୨। ବିଧୁ ଚନ୍ଦ୍ର ଚନ୍ଦନେ, ବୋଲନ୍ତି ବୁଦ୍ଧଜନେ, ଆରି ଚନ୍ଦନ ଚୂର୍ଣ୍ଣକୁ ।୩। ଭାସ୍କର ଭାନୁଯୋଗ, କରି ତହିଁର ସଙ୍ଗ, ବୋଳ ସୁତନୁ ତନୁକୁ ।୪। ବଇଷ୍ଣବ ରଚନ, କରାଅ କିଛି ପାନ, ସୁମରି ଭଗବାନକୁ ।୫।
କମଳ- ମନ୍ତ୍ରୀଜେମା ! ତୁମ୍ଭେ କିଛି ମନ୍ଦ କହିନାହିଁ । ସନ୍ନିପାତରେ କ’ଣ ବରଫ ଲେଡ଼ା ହୁଏ ନାହିଁ କି ? ବିଧୁ ଚନ୍ଦ୍ରକୁ, ବିଧୁ କର୍ପୂରକୁ, ବିଧୁ ଶ୍ରୀକୃଷ୍ଣଙ୍କୁ କୁହାଯାଏ । ଭାସ୍କର ଆଉ ଚନ୍ଦନକୁ ଏକତ୍ର ମିଶାଇ ଅଙ୍ଗରେ ଲଗାଇଲେ ଚନ୍ଦ୍ରଭାନୁ ମିଳିଲା ନାହିଁକି ? ତେବେ ଏ କୃତ୍ରିମ ! ଜେମା ମୌଳିକ ଦ୍ରବ୍ୟ ଲୋଡୁଚି । ଏ ଉପଚାର କ୍ଷଣସ୍ଥାୟୀ । ରାମେଶ୍ୱର ଯିବା କଥା ରାଜା- ରାଣୀଙ୍କର ପଡ଼ିଥିଲା । ସେକଥା ମେଘମାଳା ମୋତେ କହୁଥିଲେ । ଜାଗର ତ ନିକଟ ହେଲାପରି । କହୁଁ କହୁଁ ଦିନ କେଇଟା କାଲି ପରି ଗଡ଼ି ଯିବ ।
ପରିମଳା- ଚାଲିବଟି ଅବେଳରେ ଖିଆପିଆ କଲେ ଫେର୍ ବାହାର ଭିତର ସବୁ କଳ ବିଗିଡ଼ିଯିବ ।ଦାସୀ- (ପ୍ରବେଶି) ଜେମାଙ୍କୁ ମା ଡାକୁଛନ୍ତି, ଚଞ୍ଚଳ ଚାଲ ।)(ସମସ୍ତଙ୍କର ପ୍ରସ୍ଥାନ)
ଦ୍ୱିତୀୟ ଦୃଶ୍ୟ
ରାମେଶ୍ୱର କ୍ଷେତ୍ରେ କେଶରବନେ ସୈନ୍ୟ ସମାବେଶ,ଚାରିମିତ୍ର ସହ ଚନ୍ଦ୍ରଭାନୁର ଉପବେଶନ ।
ଚନ୍ଦ୍ର- ମିତ୍ର ! ସିଂହଳ ରାଜପୁତ୍ରୀ ଶିବ ତାଙ୍କ ଦେଉଳକୁ ଦର୍ଶନ କରିଯିବେ, ମୋତେ ତାଙ୍କର ଲୋକ ପତ୍ର ଦେଇ ଜଣାଇଗଲା । କିପରି ଜଗତମୋହିନୀର ସାକ୍ଷାତ ହେବ ? ଯାହା କର୍ଣ୍ଣାଟରୁ ସେନାଘେନି ଆସି କେଶରବନରେ ରହିଲି ତାକୁ ନ ଦେଖିଲେ ମୋର ସକଳ ଶ୍ରମ ବୃଥା ହେଉଛି ।
ୠତୁ- ସଙ୍ଗାତ ! ଯେତେବେଳେ ଆକ୍ଷି ଆଗରେ ଦୀପ ରହିଲାଣି ନ ଦିଶିବ କିପରି ? ତୁମ୍ଭେ ପରା ଦର୍ଶନ ବେଳକୁ ଯିବାକୁ ପ୍ରତିପତ୍ର ଲେଖିଛ ।ଚନ୍ଦ୍ର- ହଁ ଚାଲ, ଆମ୍ଭେମାନେ ତା’ ଆଗମନ ଅନୁସରି ଦେଉଳ ବେଢ଼ା ନିକଟରେ ଠିଆହୋଇଥିବା, ଦୂତ ମଧ୍ୟ ତାଙ୍କ ସନ୍ଧାନରେ ଯାଇଛି ।ୠତୁ- ତେବେ ଚାଲ, ଉଛୁର କରନା । (ଉଭୟଙ୍କର ପ୍ରସ୍ଥାନ)ଲାବଣ୍ୟବତୀ ଓ ହେମମଞ୍ଜରୀର ପ୍ରବେଶ
ଲାବଣ୍ୟ- ସଖି ହେମମଞ୍ଜରୀ ! ଏହିକ୍ଷଣି ଶୁକ ବ୍ରହ୍ମଚାରୀ ମୋତେ ପତ୍ର ଦେଇଗଲେ । ମୁଁ ପଚାରି ପାରିଲି ନାହିଁ କର୍ଣ୍ଣାଟଯୁବରାଜ କେତେବେଳେ ଶିବ ଦର୍ଶନକୁ ଆସିବେ ।
ହେମ- ତା’ କ’ଣ ଜେମାଦେଈ ଲୁଚି ରହିବ । ସେ କ’ଣ ଗଳିଆ ପୋଛିଆ ଲୋକ ହୋଇଛନ୍ତି, ଆସିଲାବେଳେ କେତେ ବାଣ, କେତେ ନିଶାଣ, କେତେ କମାଣ ଫୁଟିବ- ଆମ୍ଭମାନଙ୍କୁ କ’ଣ ତାହା ଜଣାଯିବ ନାହିଁ । ହେଇ ତ କାମକଳା କାହିଁକି ରେ ରେ ହୋଇ ଧାଇଁଛନ୍ତି ।
ଲାବଣ୍ୟ- କି କାମ, ଏଡ଼େ ତରତରିଆ ଦଉଡ଼ କାହିଁକି ମ ? କ’ଣ ନୂଆ ଖବର ଶୁଣିଲ କି ?
କାମ- (ପ୍ରବେଶି) ସହି, ଏଥର ମନକୁ ଇଚ୍ଛାବର ବରଣ କର । ଏ ଯାତ୍ରା କେବଳ ତମରି ବିଭାଘର ହେବା ଛଳରେ ସିନା; ମୁଁ ନିଜେ ରାଣୀଙ୍କ ମୁହଁରୁ ଶୁଣିଛି- ଆଉ କେଉଁ ଚିନ୍ତା ।
ଲାବଣ୍ୟ- ସଖୀ ! ତୁମ୍ଭେ ଏ ପତ୍ର ଖଣ୍ଡକ ନେଇ ଶୁକ ବ୍ରହ୍ମଚାରୀ ହସ୍ତରେ ଦେଇ କେଶରବନକୁ ପଠାଇ ଦିଅ ।(ହେମମଞ୍ଜରୀ ପତ୍ରଘେନି ପ୍ରସ୍ଥାନ)କାମ- ଜେମା ଚାଲ, ସାହାଣମେଳା ଦର୍ଶନବେଳ ପରା ହୋଇଗଲା ।ଲାବଣ୍ୟ- ହଉ ଚାଲ । (ଉଭୟ ପ୍ରସ୍ଥାନ)