ଲାବଣ୍ୟବତୀ ଓ ଚନ୍ଦ୍ରଭାନୁ
ବୈଷ୍ଣବ ପାଣି · ଭାଗ ୨ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଦୃଶ୍ୟ
ଶୟନାଗାରଚନ୍ଦ୍ରଭାନୁର ନିଦ୍ରା ନାଶ ଓ ବିଳାପ
ଚନ୍ଦ୍ର- ଜୀବେଶ୍ୱରି ! ଟିକିଏ ରହ ରହ, ପଳାନାହିଁ ପଳାନାହିଁ । ହାୟ ହାୟ ମୋତେ ଦେଖାଦେଇ କାହିଁ ଲୁଚିଗଲୁ ? ରେ ଅରୁଣାଧରି ! ଆଉ ଥରେ କରୁଣା କରି ତୋର ମୋହିନୀ ମୂର୍ତ୍ତି ମୋତେ ଦେଖା ।
ଗୀତ(କୀର୍ତ୍ତନ- ବୃତ୍ତେ)
ଦରିଦ୍ରେ ଦେଇ ରତନ, କି ଭାବି ବାଳୀ ରତନ, ପୁଣି ଘେନି ପଳାଇଲୁ, କି କଷ୍ଟେ କରି ପତନ । ପଦ । ନିଶ୍ଚେ ଅତନୁ ଅନଳେ, ଜଳିଗଲି ଚାହାଁ ଡୋଳେ, ବରଷି ବଚନ ସୁଧା ଲିଭାଇ କର ଯତନ ।୧। ନୁହେଁ ସ୍ୱପନ ଏହି, ବଳେ ଗଳେ ଗଳାହାର ଗଲୁ ଦେଇ । ତୋ ଲପନ ଚୁମ୍ୱି ମଧୁ ଅଛି ପିଇ । ବାସେ କୁଙ୍କୁମର ରଙ୍ଗ, ବିରାଜଇ ସଙ୍ଗ ଭଙ୍ଗ, କି କାରଣେ କଲୁ ସହି । ରସାମଣ୍ଡନା, ଆଉ ଧଇର୍ଯ୍ୟ ଦ୍ରୁମକୁ ଖଣ୍ଡନା । ପ୍ରୀତିଧନ ଦାନ ଦେଇ ତଣ୍ଡନା । ଦାସ ଦୋଷ କରିଥିଲେ ଭଣ୍ଡନା, ବଇ ବୋଲେ ବର୍ଣ୍ଣିବି କି ଦେଲୁ ଯେ ଭାବ ନୂତନ ।୨।
ଆରେ ଆରେ ବିଶ୍ୱବିମୋହିନୀ, ଥିଲେ ଦାସଠାରେ ତୋର ଦୟା, ଦେଖା ସେହି ମୋହିନୀ ଛବିକି । ଜାଣୁଛି କଥା ତୋତେ କହିଲା କାଳରେ, କଲା ବିଶ୍ୱକାନ୍ତି ସାର ଠୁଳ ଏକ ଠାବେ, ଯହୁଁ ଆଣିଥିଲା କାନ୍ତିସାର, ମିଶି କିରେ ଗଲୁ ସେହି ସେହି ପଦାର୍ଥରେ, ନେତ୍ର ନୀଳୋତ୍ପଳରେ, ମୁଖ ଚନ୍ଦ୍ରରେ, କେଶ ଘନରେ, ନାଶା ତିଳପୁଷ୍ପରେ, ଦଶନ ମୁକ୍ତାରେ, ଅଧର ବିମ୍ୱଫଳରେ, ବାହୁ ମୃଣାଳଦଣ୍ଡରେ, କୁଚ ଶ୍ରୀଫଳରେ, ଉଦର କମଳଦଳରେ; ନାଭି ଜଳ ବ୍ୟାଳରେ, କଟୀ ସିଂହରେ, ଜାନୁ ମର୍କତ ସ୍ତମ୍ଭରେ, ଗତି ହଂସରେ, କରଜ ନିଆଳୀରେ; ଅଙ୍ଗୁଷ୍ଠି ଚମ୍ପକ କଢ଼ିରେ, ଭୂରୁ ଇନ୍ଦ୍ର କୋଦଣ୍ଡରେ, ହାସ ବିଧୂ କିରଣରେ, ଏହି ଏହି ପଦାର୍ଥରେ ପୁଣି ମିଳାଇଗଲୁ ନା ତା ନୁହେଁ, ମୋତେ ଛଳନା କରି ଲଳନାତିଳକ ଏ ଦଣ୍ଡ ଦେଉଛୁ । ତୋର ଚିତ୍ରପଟ ଦେଖିବାରୁ କି ମୋ’ ଚିତ୍ତ ବିଭ୍ରମ ହେଲା । ତେଣୁ ସ୍ୱପ୍ନରେ ଦେଖିଲି, ଯେବେ ସ୍ୱପ୍ନ ତେବେ ଏ ମୁକ୍ତାରଞ୍ଜିତ ରତ୍ନହାର କାହାର ।
(ଋତୁଧ୍ୱଜର ପ୍ରବେଶ)
ୠତୁ- ସଙ୍ଗାତ, କ’ଣ ପାଗଳ ହେଲ, କାହିଁକି ସନ୍ନିପାତ ରୋଗୀପରି ପ୍ରଳାପ କରୁଛ ? ମୁଁ କହୁଛି ଦମ୍ଭଧର, ନିଶ୍ଚୟ ସେ କୁମ୍ଭସ୍ତନୀ ଦିନେ ତୁମ୍ଭରି ହେବ । ଜଣାଯାଏ ନିଶ୍ଚେ କେହି ଦେବୀ ନିଦ୍ରାବଶେ ତୁମ୍ଭ ଦୁହିଁକି ଏକତ୍ର କରିଚି, ତା ନହେଲେ ଏ ସଂକେତମାନ ପରିଲକ୍ଷିତ ହୁଅନ୍ତା ନାହିଁ । ଅଗସ୍ତି ପରା ମୁନି ସପ୍ତସାଗରକୁ ଚଳୁ କଲେ, ମର୍କଟଗଣ ବନବିହାରୀ ହେଲେ, ଧ୍ରୁବପରି ସାତବର୍ଷ ବାଳକ ବ୍ରହ୍ମଦର୍ଶୀ ହେଲେ । ଏପରି କେତେ ଅସମ୍ଭବ ଜଗତରେ ସମ୍ଭବୁଛି; ତୁମ୍ଭ ପକ୍ଷରେ ଏହା ଘଟିବା ଅସମ୍ଭବ ନୁହେଁ । ମନବଳ ଥିଲେ ଧନ ନିଶ୍ଚୟ ମିଳେ ।
ଚନ୍ଦ୍ର- ସଙ୍ଗାତ, ସେ ବାରଣ-ଗମନାକୁ ମୁଁ ନ ପାଇଲେ ନିଶ୍ଚୟ ମରଣ ମୋତେ ବରଣ କରିବ । ମୋର ପ୍ରାଣ ଆଶା ବୃଥା ।ପୁରୋଧାପୁତ୍ର- ରାଜପୁତ୍ର, ସେ ଅମଙ୍ଗଳ କଥା ହୃଦକୁ ଆଣନା, ଏ ଦଶା ତୁମ୍ଭ ଶତ୍ରୁକୁ ନଘଟୁ, ମୋର ସାନକଥା ଶୁଣ ।ଗୀତ(ଆରେ କୁମର ମୋହର- ବୃତ୍ତେ)
ନିଷ୍ଠା କରିବା ଏ ଚେଷ୍ଟା ରାଜସୁତ । ବିଶ୍ୱସ୍ରଷ୍ଟା ନିର୍ମାଣିଛି ସେ ନାରୀକି, ତୁମ୍ଭଭୋଗ ଲାଗି ଜାଣିଛି ମୁଁ ତ । ପଦ । ସିଂହଳ ଦ୍ୱୀପେ ଅଛି ସେ ସିଂହଳ ଦ୍ୱୀପେ । ସାଧୁ ଶୁକ ବ୍ରହ୍ନଚାରୀ ତା’ ର ସମୀପେ । ଯାଇଛନ୍ତି ଜେମା ନିକଟେ; ଫେରିଲେ ତେଣିକି ଉପାୟ ଅଛି ବହୁତ ।୧। ତେଜିବ ଜୀବ କି ଯୋଗେ ତେଜିବ ଜୀବ । ନିଶ୍ଚେ ରାଜୀବନୟନା ଦିନେ ଭଜିବ । ଲକ୍ଷ୍ମୀ ଏକା ଜାଣ ନାରୟଣ ପାଇଁ ଆନ ଲଭିବାକୁ କେ ସାମରଥ ।୨। ସେ ଯେଣୁ ଅଟେ ଅବଳା, ନିଶ୍ଚେ ସେହି ପୁଂସ ହେବ ତା ଗଳା ମାଳା । ସେ ନୃପକୁମାରୀ ଅତି ସୁକୁମାରୀ ତୁମ୍ଭେ ତ କୁମାର କୁମାରବତ । ଶଶୀ ଶଶାର ଯେ ଭାବ ଶଶୀ ଶଶାର, ସେହି ଭାବ ହେବ ତ ନବ ନବ ଯୋଷାର । ଅଙ୍କରେ ମିଶିବ ଶଙ୍କର-ଉରଜା ବିପ୍ର ବଇଷ୍ଣବ ରଚେ ଏ ଗୀତ ।୪।
ଋତୁ- ପୁରୋଧା ପୁତ୍ର ଯା କହିଲେ ତା’ ପ୍ରକୃତ । ଉପାୟ କଲେ ଅସାଧ୍ୟ ସାଧନ ହୁଏ । ଚାଲ ଆମ୍ଭ କର୍ଣ୍ଣାଟରୁ ସିଂହଳକୁ ବିନୋଦା ନାମକ ବାଜୀକରକୁ ଆଜି ପଠାଇବା । ସେ ଗୋଟିକାଞ୍ଜନ ସ୍ତମ୍ଭନ, ମୋହନ, ବଶ୍ୟ, ଉଚ୍ଚାଟନ ବିଦ୍ୟାରେ ଅତି ସୁଦକ୍ଷ । ମହା ମହା ଗୁରୁମାନେ ତାକୁ ଗୁରୁ କରି ମାନିଥାନ୍ତି । ଗଦପଦ ବିଷବିଦ୍ୟାରେ ମଧ୍ୟ ଜଣେ ସେ ଧନ୍ୱନ୍ତରୀ ପରି । ପ୍ରେମରୂପା ନାମରେ ଯେ ନଟୀ ସଙ୍ଗରେ ଅଛି ସେ ମଧ୍ୟ ତା’ର କୁଳବିଦ୍ୟାରେ ଅତି ଚତୁରୀ । ତାକୁ ସେଠାକୁ ପଠାନ୍ତେ ସେ ରାଜଦରବାରରେ ଯାଇ କୁହୁକଦ୍ୱାରା ତୁମ୍ଭର ରାଜ୍ୟ ଓ ଚିତ୍ରପଟ ଦେଖାଇ ଉଚ୍ଚାଟ କରି ଆସିବ । ରାଜା ତାହାର ଗୁଣରେ ବଶ ହୋଇ ଅନେକ ପୁରସ୍କାର ମଧ୍ୟ ତାକୁ ଦେବେ । ଶୀଘ୍ର ଏହାର ଯୋଗାଡ଼ କରିବା ।
ଚନ୍ଦ୍ର- ଚାଲ ସଙ୍ଗାତ, ଏକଥା ମୋ ମନକୁ ଆସିଲା । ଶିଷ୍ୟ ଉପଶିଷ୍ୟ ସହ ତାକୁ କିଛି ଧନ ଦେଇ ସିଂହଳକୁ ପଠାଇବା ।(ସମସ୍ତଙ୍କର ପ୍ରସ୍ଥାନ)
ଦ୍ୱିତୀୟ ଅଙ୍କ
ପ୍ରଥମ ଦୃଶ୍ୟ
ରାଜସଭାସିଂହଳ ରାଜା ମନ୍ତ୍ରୀ ସହ ପ୍ରବେଶ
ରାଜା- ମନ୍ତ୍ରୀ ! କେତେ ଦିନ ହେଲା ସନ୍ନ୍ୟାସୀ ଜେମା-ଚିତ୍ର ଘେନି ଦେଶ ପର୍ଯ୍ୟଟନକୁ ଗଲେ; କାହିଁକି ସେ ଫେରିଲେ ନାହିଁ, ତାଙ୍କୁ ନ ଦେଖି ମନ ବଡ଼ ଅସ୍ଥିର ହେଉଛି ।
ମନ୍ତ୍ରୀ- ରତ୍ନେଶ୍ୱର ମହାରାଜ ! କିଛି ଚିନ୍ତା କରନ୍ତୁ ନାହିଁ । ଈଶ୍ୱରଙ୍କ କାର୍ଯ୍ୟ ଈଶ୍ୱର ଚଳାଇବେ । ମାନବ ତା’ର ଉପଲକ୍ଷ ମାତ୍ର । ମୁଁ ଶୁଣୁଛି ସନ୍ନ୍ୟାସୀ ଫେରି ଆସିଲାଣି, ବୋଧହୁଏ ବର୍ତ୍ତମାନ ଛାମୁରେ ଭେଟିବେ ।
ସନ୍ନ୍ୟାସୀ- (ପ୍ରବେଶି) ଜୟ ଶିବଶମ୍ଭୁ ହର ହର ମହାଦେବ । ମହାରାଜାଙ୍କର ଜୟ ହେଉ ।ରାଜା- ଜ୍ଞାନାନନ୍ଦ ! କହିଲ କେଉଁ ଦେଶକୁ ଜେମା-ଚିତ୍ରପଟ ନେଇ ଗଲ । ସେହି ରାଜଫୁଙ୍ଗବ କନ୍ୟାରୂପ ଦେଖି କଅଣ କହିଲେ ?ସନ୍ନ୍ୟାସୀ- ରତ୍ନେଶ୍ୱର ମହାରାଜା ! ଶୁଣନ୍ତୁ ତେବେ ।ଗୀତ(ଯେଉଁ ହରି ହରି ପକାଉଛି ହୁରି- ବୃତ୍ତେ)
କୁନ୍ତଳ ମତ୍ସ୍ୟ ନିଷେଧ ଭ୍ରମି ଭ୍ରମି ମାଳବରେ ହେଲି ଯାଇଁ । ଆହେ ରାଜା । ମାଳୀ କରି ତବ ବାଳା ଚିତ୍ରପଟ୍ଟ ହୃଦେ ଲମ୍ୱାଇଲେ ସେହି । ଆହେ ରାଜା ।୧। ତହୁଁ ମଘଦେଶ ବିଦେହେ ବୁଲିଣ କନାଉଜେ ପରବେଶ । ଆହେ ରାଜା । ମରୁଅଙ୍ଗ କଳିଙ୍ଗକୁ କିଣି ମରହଟେ ଦିନ ହେଲା ଶେଷ । ଆହେ ରାଜା ।୨। ନେପାଳ ମାଗଧ କୁଞ୍ଜ ଗଲେ ବୁଲି ବଙ୍ଗରେ ମିଳିଲି ଯାଇଁ । ଲୋମଶ କଳେବର କେରଳବାସୀ ଚାହିଁ ଏହା ହେଲେ ମୋହି ।୩। ଯବନେ ଜୀବନ ହରାଇବେ ଜାଣି ସିନ୍ଧୁ ରାଜ୍ୟେ ଦେଲି ଦେଖା । ବିଦଗ୍ଧେ ବିଦଗ୍ଧ ହେଲେ ବହୁ ଲୋକ ତାହା କେ କରିବ ସଂଖ୍ୟା ।୪। କନ୍ୟା ପଟ ଘେନି ମିଳିଲି କର୍ଣ୍ଣାଟେ ସର୍ବଶେଷେ ନରମଣି । ତହିଁ ଦେଖାଇ ଅଇଲି ନିଜ ରାଜ୍ୟେ ପାଣି ବଇଷ୍ଣବ ଭଣି ।୫।
ରାଜା- ଧନ୍ୟ ଜ୍ଞାନାନନ୍ଦ ! ତୁମ୍ଭେ ପ୍ରକୃତ ଯୋଗୀ । ଏତେ ଅଳ୍ପ ଦିନେ ଏତେ ରାଜ୍ୟ ବୁଲି ଅନ୍ୟ କେହି ଆସି ପାରନ୍ତା ନାହିଁ; ବସନ୍ତୁ ଆସନରେ । ସ୍ୱୟମ୍ୱର କଥା କହିଛ ତ ।
ସନ୍ନ୍ୟାସୀ- ଆଜ୍ଞା, ତାହା ଜଣାଇଛି ।ଦ୍ୱାରୀ- ମହାରାଜ ଜଣେ ଇନ୍ଦ୍ରଜାଲିକ ଆସି ଦ୍ୱାରେ ବାଦ୍ୟ ବଜାଉଛି । ଛାମୁରେ ସାକ୍ଷାତ୍ କରିବାକୁ ଇଛା କରେ ।ରାଜା- ଦ୍ୱାରୀ, ଆଚ୍ଛା ତାକୁ ଆସିବାକୁ କହ ।ଦ୍ୱାରୀ- ଯେ ଆଜ୍ଞା !(ପ୍ରସ୍ଥାନ)(ଇନ୍ଦ୍ରଜାଲିକ ନଟୀ ଓ ଶିଷ୍ୟାଗଣ ସହ ପ୍ରବେଶ)ରାଜା- ହଇ ହେ, ତୁମ୍ଭର ଘର କେଉଁଠାରେ, ତୁମ୍ଭ ନାମ କ’ଣ, ଏ ସ୍ତ୍ରୀଲୋକଟିର ନାମ କ’ଣ ?ବିନୋଦ- ମହାରାଜା ! ମୋର ଘର କର୍ଣ୍ଣାଟକ କାଞ୍ଚି ସହରରେ ! ନାମ ବିନୋଦା ଇନ୍ଦ୍ରଜାଲିକ; ଏ ମୋ ଘରଣୀ – ନାମ ପ୍ରେମରୂପା ।
ରାଜା- ଆଚ୍ଛା ତୁମ୍ଭେ ଇନ୍ଦ୍ରଜାଲ ବିଦ୍ୟା ଜାଣ । କଅଣ କଅଣ ଜାଣ, କି କି ବିଦ୍ୟା ଦେଖାଇ ପାରିବ ସମସ୍ତ ଆମ୍ଭଙ୍କୁ ଗୋଟି ଗୋଟି କରି ବୁଝାଇ କହ ।
ବିନୋଦା- ଯା ପଚାରିଲେ ତା ଶୁଣନ୍ତୁ ମହାରଜ ।ଗୀତ(କହ କେଣେ ଅଛୁ ମୋର ହଂସା ଉଡ଼ିଗଲା- ବୃତ୍ତେ)
ହେ ନୃପତି ମୁକୁଟ, ଚିତ୍ତେ କପଟ ନ ରଖି କହୁଛି ସତ । ଯେଉଁ ବିଦ୍ୟା କରିଛି ସାଧନା ହେଲେ ଅବଧାନ ଦେଖ ତୁରିତ । ପଦ । ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ଗୋଟିକା ଅଞ୍ଜନ ବଡ଼ ଅଦ୍ଭୁତ । ଗଦ ପଦ ଭେଦ ସବୁ ଜଣା ମୋତେ ଧନ୍ୱନ୍ତରୀ ଦେଖି ଯୋଡ଼ିବେ ହାତ ।୧। ମାୟାରେ ମୁଁ ମୟ ଦାନବେ ଜିଣିବି ଗ୍ରୀଷମରେ ଆଣିପାରିବି ଶୀତ । ଏ ନାରୀରତନ ଗୁଣ ଅକଳନ ଚାହିଁ ବଶ ହେବେ ଗଉରୀକାନ୍ତ ।୨। ନୃତ୍ୟ ଦେଖି ରମ୍ଭା ଉର୍ବଶୀ ହାରିବେ ତେଜିବେ ବାସବ ଅମର ବିତ୍ତ । ଉଣା ହେବ ବୀଣା ସ୍ୱରକୁ ଏହାର ଗାଉଥିବା କାଳେ ପ୍ରେମସଙ୍ଗୀତ ।୩। ପଣ ପଣକରେ ଜଣେ ନ ମିଳିବେ ଆମ୍ଭ କୁଳେ ଦେବ ଏ ନାରୀବତ । କରନ୍ତୁ ଆଦେଶ ଦେଖିବେ କି ଦୃଶ୍ୟ ବଇ ବୋଲେ ସନ୍ଧ୍ୟା ହେଲା ଆଗତ ।୪।
ରାଜା- ଇନ୍ଦ୍ରଜାଲିକ, ଯାଅ ତୁମ୍ଭେ ଖିଆପିଆ ସାରି ସଜହୁଅ । ଆମ୍ଭେ ମଧ୍ୟ ସନ୍ଧ୍ୟା ସାରି ଆସୁ, ତୁମ୍ଭଙ୍କୁ ଏହି ଆଦେଶ ହେଲା । ଆଜିରାତ୍ରରେ ରାମାୟଣ ବିଷୟ ଏଠାରେ ଦେଖାଇବ ।
ବିନୋଦା- ମହାରାଜା ଛାମୁଙ୍କର ଯେ ଆଦେଶ ହେବ । ଆମେ ଯାଉଚୁ । ଧନ୍ଦା ବଢ଼େଇ ଆସୁ ।(ସମସ୍ତଙ୍କର ପ୍ରସ୍ଥାନ)
ଦ୍ୱିତୀୟ ଦୃଶ୍ୟ
କୋଠାଛାତସଖୀ ସହ ଲାବଣ୍ୟବତୀର ପ୍ରବେଶ(କାଲି ରଜନୀରେ ସଖୀ ଦେଖିଲି ସ୍ୱପନ- ବୃତ୍ତେ)
କି ଅଦ୍ଭୁତ ମାୟା ସଖୀ ନକଲା ସେ ବାଜିକର । ରଘୁପତି ଆଗେ ପତି ଯୋଡ଼ିଛନ୍ତି ବେନିକର ।ପଦ । ଜଣାଉଛନ୍ତି ଏତିକି ଦିଅ ଲାବଣ୍ୟବତୀକି । ଲଭିଣ ତା’ ସଙ୍ଗତିକି ତା’ ପଦେ ହେବି କିଙ୍କର ।୧। ପ୍ରାଣକାନ୍ତଙ୍କ ଏ ବାଣୀ, ଶୁଣି କର୍ଣ୍ଣେ ରଘୁମଣି । ଅସ୍ତୁ ଭଣି ଦେଲେ ଆଜ୍ଞା ଲଭିବୁ ଚିନ୍ତା ନକର । ତୁମ୍ଭଙ୍କୁ ଦେଖାନ୍ତେ ତାହା ହରି ଘେନିଗଲା ମାୟା ।୨। ଜାଣି ନପାରିଲି ପାଶେ ଥାଇଁ ସଙ୍ଗିନୀ ନିକର ।୩। କହୁଥାନ୍ତି ସଭାଲୋକ, ଦେଖାଇ ଇନ୍ଦ୍ରଜାଲିକ, ରାମାୟଣର ନାଟକ ଏ କି ଛଳନା ତାଙ୍କର ।୪। ପେଶିଲେ କି ଜୀବଧବ, ଦେଖାଇବାକୁ ଏ ଭାବ । ପଦଛନ୍ଦେ ବଇଷ୍ଣବ କି ଶକତି କୁହୁକର ।୫।
କାମକଳା-ସଙ୍ଗାତ, ଏତେଦିନେ ସପନ କଥାକୁ ମାଳିନୀ କଥା, ମାଳିନୀ କଥାକୁ ଏକଥା କେମନ୍ତେ ମିଶିଗଲା । ତୁମ୍ଭ ମନ ମାନିଲା । ଏ ଇନ୍ଦ୍ରଜାଲିକ ନିଶ୍ଚେ ତୁମ୍ଭ ପତିର ଚର । ମନେକର ତୁମ୍ଭ ମନରେ ପୂର୍ବଭାବକୁ ଜାଗ୍ରତ କରିବା ଯୋଗେ ଏଠାକୁ ଏ ଲୋକକୁ ପଠାଇଥିଲେ । ତା’ ନହେଲେ ସମସ୍ତେ ଦେଖନ୍ତେ ରାମଶାସ୍ତ୍ର, ତୁମ୍ଭେ ଦେଖନ୍ତ କାମଶାସ୍ତ୍ର !
ଗୀତ(ପ୍ରାଣସଙ୍ଗନୀ ରେ କାଲି ମୁଁ କି ଲାଜେ- ବୃତ୍ତେ)
ଘଟ ଉରଜାରେ ହେଲାଣି ଏକଥା ପ୍ରଘଟ । ଫେରିଲାଣି ବ୍ରହ୍ମଚାରୀ ଘେନି ତୋର ଚିତ୍ରପଟ ।ପଦ । କର୍ଣ୍ଣାଟ ରାଜନ ସୁତ, ନିକଟେ ହେବ ପ୍ରାପତ । କହିବ କାରଣମାନ ଏଥି ଫେରିଯାଇ ନଟ ।୧। ଭାଳି ଭାଳି କୃଶକଟି, କାଳି କଲୁ ଦେହ ଗୋଟି, ଖଳିକାର ନୋହି କରୁ କଳାନାଗ ତୁଲେ ନାଟ ।୨। ଧରଣୀମଣ୍ଡନା ଧୈର୍ଯ୍ୟ ଧର ଲଭିବୁ ସୁକାର୍ଯ୍ୟ । ଆରେ ହର୍ଯ୍ୟକ୍ଷ-ମଧ୍ୟମା ଆଦରି ରହ ଅଦୃଷ୍ଟ ।୩। ଚାଲ ନାରୀ ଶିରୋମଣି । ତେଣେ ଲୋଡ଼ୁଥିବେ ରାଣୀ । ବିପ୍ର ବଇଷ୍ଣବ ଭଣି ସେ ପରା ଜଗତ ଶ୍ରେଷ୍ଠ ।୪।
ପରିମଳା-ଜେମା ଆଜି ମେଘମାଳା ଆସି ରାଣୀଙ୍କୁ ତମ ବିଭାଘର କଥା କହୁଥିଲେ । ବୋଇତିଆଳ, ଶୁକ, ବ୍ରହ୍ମଚାରୀ ସମସ୍ତେ ଫେରିଲେଣି । ରାଜା ବୋଧହୁଏ ନିକଟରେ କର୍ଣ୍ଣାଟ ଯୁବରାଜଙ୍କୁ ତୁମ୍ଭ ଲାଗି ବରଣ କରିବେ ।
ଲାବଣ୍ୟ- ପରିମଳା ! ସତେ କ’ଣ ମା ଏକଥା ଜାଣିଲେଣି ! କ’ଣ କରିବି, ମତେ ଏଣିକି ତ ତାଙ୍କୁ ଚାହିଁବାକୁ ଲାଜ ମାଡ଼ିବ ।
କାମ- ହଉ ଏଣିକି ତ ତମ ହାତରୁ ବରକୁ ତ କେହି ଛଡ଼େଇ ନେଉନାହିଁ । ଚାଲ ଜେମା ବେଳ ପରା ଗଡ଼ିଯାଉଚି । ବେଶ ହେବାର ବିଳମ୍ୱ ଦେଖିଲେ ମା ପରା ଘୋଷା ହେବେ- ଚାଲ ।
(ସମସ୍ତଙ୍କର ପ୍ରସ୍ଥାନ)
ତୃତୀୟ ଦୃଶ୍ୟ
ଶୟନାଗାରଚନ୍ଦ୍ରଭାନୁର ବିଳାପ
ଚନ୍ଦ୍ର- ହାୟ ଆଜି ଯେତେବେଳେ ଇନ୍ଦ୍ରଜାଲିକ ମୁଖରୁ ସେ କରିନ୍ଦ୍ରଗମନାର ପ୍ରଶଂସା ଶୁଣିଲି, ସେତିକିବେଳୁ ମୋତେ ସହସ୍ର ଗୁଣରେ କଷ୍ଟ ଦଉଚି । ରେ ମାର ! ମାର ନାମ କି ତୋର ମୋହରିଠାରେ ଏକା ସାର୍ଥକ କରିବୁ ।
ଗୀତ(ଘେନାଇ ଆମ୍ଭେ ଯେତେ - ବୃତ୍ତେ)
ଅରୁଣାଧାରିକି କେ କହନ୍ତା ରେ । ମାର ମାରୁଚି ମୋତେ ଅହନ୍ତାରେ । ପଦ । କରୁଣାଶୀଳା ସେହି ଫୁରୁଣ ହୃଦେ ବହି ବରଣ କରି ବାରେ ନିଅନ୍ତା ରେ ।୧। ବାରଣଗତି ସଙ୍ଗେ ବିଧୁ କିରଣେ ରଙ୍ଗେ ବିହରିଲେ ପରାଣ ରହନ୍ତା ରେ ।୨। ସାରସ କୋଷଉର ପରଶନ୍ତେ ଏ କର ବାସବ-ପଦ ତଳେ ଥୁଅନ୍ତା ରେ ।୩। ସତେ ବିହି କରିବ ଏହି ଆଶା ପୂରିବ ବଇ ବୋଲେ ସେ ବିଶ୍ୱବିହନ୍ତା ରେ ।
ୠତୁଧ୍ୱଜର ପ୍ରବେଶ
ଋତୁ- ସଙ୍ଗାତ, ଯେତେବେଳେ ଦେଖୁଚି ସେତେବେଳେ ପାଗଳ ପରି ହଉଚ ! ବାଟ ସିନା ଚାଲୁଥିଲେ ସରେ, ବସି ଭାବିଲେ କ’ଣ ଊଣା ହୁଏ ? ଚେଷ୍ଟା କର, ଚେଷ୍ଟାର ଅସାଧ୍ୟ ଜଗତରେ କିଛି ନାହିଁ ।
ଚନ୍ଦ୍ର- ମିତ୍ର ! ସେହି ଲାବଣ୍ୟବତୀ ନାମ-ମନ୍ତ୍ର ଜପ ବିନା ମୋର ଆଉ କି ଉପାୟ ଅଛି ?ଗୀତ(ବହୁଦିନ ପରେ ପାଇଛି- ବୃତ୍ତେ)
ସେହି ମୋ ଭଜନ, ସେହି ମୋ ପୂଜନ, ସେହି ମୋର ଜପ ତପ ହେ । ସେହି ମୋ ଧରମ, କରମ, ମରମ, ଜୀବ ପରମ ସ୍ୱରୂପ ହେ । ପଦ । ସେହି ମୋର ଗତି, ମୁକତି, ସମ୍ପତ୍ତି, ସେ ମୋ କ୍ଷିତି, ତେଜ, ଆପ ହେ । ସେ ମୋ ଦୁଃଖସରା, ପୀରତି ପାସୋରା, ସେହି ମୋ ଜୀବନ ଦୀପ ହେ ।୧। ସେହି ମୋ ବସନ, ଭୂଷଣ, କଷଣ, ରସାଣ ହେମ ପାଦପ ହେ । ସେହି ତୁଳାଅଙ୍ଗୀ ମୋ ଡୋଳା ପିତୁଳା, ସରସ ସୁରସ କୂପ ହେ ।୨। ସେ ମୋ ରାଜଗାଦି, ଅଷ୍ଟନିଧି ଆଦି, ବିଧିର ସୋହାଗ ଟୋପ ହେ । ବଇଷ୍ଣବ କହି, ଇଷ୍ଟ ଅଟେ ସେହି, ତା’ ପାଇଁ ଭୋଗେ ଏ ତାପ ହେ ।୩।
ଦ୍ୱାରୀ- (ପ୍ରବେଶ) ଯୁବରାଜ, ସିଂହଳ ଦ୍ୱୀପରୁ ଜଣେ ବ୍ରହ୍ନଚାରୀ ଆସି ଦ୍ୱାରେ ଦଣ୍ଡାୟମାନ, ଆଦେଶ ଦେଲେ ଛାମୁରେ ସାକ୍ଷାତ କରିବେ ।ଚନ୍ଦ୍ର- ଦ୍ୱାରୀ, ତାଙ୍କୁ ଶୀଘ୍ର ଏଠାକୁ ଆସିବାକୁ କହ ।ଦ୍ୱାରୀ- ଯେ ଆଜ୍ଞା !(ପ୍ରସ୍ଥାନ)
ଚନ୍ଦ୍ର- ସଙ୍ଗାତ ସିଂହଳ ନାମ ଶୁଣିଲାକ୍ଷଣି ଲୋମ ସମୂଳେ ସିଂହାରି ଉଠୁଛି । ଯେଉଁ ଦ୍ୱୀପରେ ଲାବଣ୍ୟବତୀ ପରି ଯୁବତୀ ଜନ୍ମଗ୍ରହଣ କରଛି ସେଠାରେ ଆଉ ଆଉ ପଦାର୍ଥମାନ କେଡ଼େ ମୂଲ୍ୟବାନ ହୋଇନଥିବ । ଜଣାଯାଏ ନୃପକୁମାରୀ କିଛି ସମ୍ୱାଦ ପଠାଇଛି ।
ବ୍ରହ୍ମ- (ପ୍ରବେଶି) ମହା ମହିମା ବର ଯୁବରାଜଙ୍କର ଜୟ ହେଉ ।ଋତୁ- ଯୋଗୀବର ! କହିଲ ସିଂହଳ ଜେମାଙ୍କର ଖବର କ’ଣ ?ଚନ୍ଦ୍ର- ହେ ବ୍ରହ୍ନଚାରି ! ସେହି ଇନ୍ଦ୍ର-ଭୂତି-ଦାୟିନୀ ଚନ୍ଦ୍ରମୁଖୀ ନରେନ୍ଦ୍ରଜେମାର କୁଶଳ ସମାଚାର ଭାଷି ଏ ପ୍ରାଣ ଶୀତଳ କର ।ବ୍ରହ୍ମ- ଯୁବରାଜ ଓ ସଚିବପୁତ୍ର ! ତୁମ୍ଭେ ଦୁହେଁ ମୋ କଥାକୁ ବାହୁଲ୍ୟ ମନେକରିବ ନାହିଁ । ଏବେ ଶୁଣ ଜେମାମଣିର ଅବସ୍ଥା ।ଗୀତ(ଆସ ଆସ ଉମା ମୋର- ବୃତ୍ତେ)
ସ୍ୱପନେ ତବ ଲପନ ଦେଖିଛି ଯେ ଦିନୁ । ଭାବି ଭାବି ଭାବବତୀ କ୍ଷୀଣ କଲା ତନୁ । କ୍ରମେ ହୋଇଲାଣି ହେ । ଅତନୁ ଅନଳ ଦହିଲାଣି ହେ ।୧। ମହିଳାମଣି ମହୀରେ ପତି ଭଜେ ମୋହ । ସହଚରୀମାନଙ୍କ ତା ହେଉଛି ଅସହ । ଅହରହ ଶିବ ହେ; ନାଶିବ ହେ ।୨। ଭୂପସୁତା ରୂପ ତବ ଚିତ୍ରବାଡ଼େ ଦେଖି । ନିରତେ ନୀରପୂରିତ ତା’ର ବେନି ଆଖି । ଝର ଝର ଝରେ ହେ । ମୀନ କି ଜୀବନ ବାନ୍ତି କରେ ହେ ।୩। ଅମା ଅନ୍ଧକାରେ ଚନ୍ଦ୍ରେ ଦେଖିବାକୁ ଆଶା । ଗୀରିଷମେ ଶିରାସାଙ୍ଗୀ ଲୋଡ଼ୁଛି ବରଷା; ହୋଇ ଖର୍ବ ତନୁ ହେ । ଗର୍ବେ କରେ ଧରି ଚିନ୍ତେ ଭାନୁ ହେ ।୪। ଦେଖି ସଖିଏ ଏ ଦଶା କରନ୍ତେ ଭାଳେଣି । ମୁହିଁ ତହିଁ ଯାଇଁ ପ୍ରବେଶିଲି ସେହିକ୍ଷଣି । ତବ ଗୁଣଗଣ ହେ । ପୁଚ୍ଛା କଲେ ମୋତେ ବାମାଗଣ ହେ ।୫। ମୁଁ କହନ୍ତେ ଗୁଣମଣି ଶୁଣି ସୀଉକାର । କରିଣ କରିନ୍ଦ୍ର ଗତି ଧରିଣ ମୋ କର । ଥରି ଥରି ସେହି ଯେ । ଥର ଥର ପଚାରି ବୁଝାଇ ଯେ ।୬। ସଙ୍କୋଚ ଭଜି ପତର ନଦେଲା ମୋ ହାତେ । ତରତରେ ପଠାଇଛି ବୋଧି ନାନା ମତେ । ବଇଷ୍ଣବ ଭାଷା ଯେ । ନିଶ୍ଚେ ଲଭିବ ରସଭୂଷା ଯେ ।୭।
ଚନ୍ଦ୍ର- ହା ନରେଶ ନନ୍ଦିନୀ ! ମୋ ପାଇଁ ତୁ କେତେ କଷ୍ଟ ନ ପାଉଛୁ । ମିତ୍ର, ସେହି ଛତ୍ରପତି କୁମାରୀ ଚିତ୍ରପ୍ରତିମା ରାମାମଣି କାମାତୁରା ନିକଟକୁ ଏ ବ୍ରହ୍ନଚାରୀ ହସ୍ତରେ ଖଣ୍ଡିଏ ପ୍ରଣୟ ପତ୍ର ଦେଉଛି । ମୋର ଅବସ୍ଥା ଜାଣିପାରି ସେ ଗୁଣିରତ୍ନ କି ପ୍ରତି-ଉତ୍ତର ଦେବ, ତହିଁରୁ ନିଶ୍ଚୟ ଅନୁରାଗର ଚିହ୍ନ ଜଣାପଡ଼ିଯିବ ।
ୠତୁ- ଅତି ଉତ୍ତମ, ଦିଅନ୍ତୁ । (ଚନ୍ଦ୍ରଭାନୁ ପତ୍ର ଲେଖି ବ୍ରହ୍ନଚାରୀକି ଦେବା ।)ଚନ୍ଦ୍ର- ଯତିଶ୍ରେଷ୍ଠ ! ନିଅ ।ଗୀତ(ନରେ ଭଜ ରାମ ନାମ- ବୃତ୍ତେ)
ହେ ଯୋଗୀ ଯାଅ ତରତରେ । ଏ ପତର ଦେବ ଯୋଗଭଙ୍ଗିନୀ ହାତରେ ହେ ।ପଦ । ମୁଁ ଭୋଗୁଛି ବିରହ ରୋଗ, ଭାଷିବ ନାଗରୀ ଆଗ, ଜଗତ-ମଣ୍ଡନା ଦୟା ବହିବ ଚିତ୍ତରେ ।୧। ଦେବ ସେ ତା’ ଅଙ୍ଗଯୋଗ, ଅଉଷଧି ମୋତେ ବେଗ, ତା’ ଅଧର-ସୁଧା ଅନୁପାନ ସହିତରେ ହେ ।୨। ସତ୍ୟ ତଥ୍ୟ ବାଣୀ ପଥ୍ୟ, ପାଇ ବ୍ୟାଧି ହେବ ହତ, ନେବ ପୁଂସହତ୍ୟା ଦୋଷ ନ ହେଲେ କାତରେ ହେ ।୩। କହ ଅରୁଚି ହେଲାଣି ନ ରୁଚଇ ଅନ୍ନ ପାଣି, ପାଣି ଭଣି ଝାଡ଼ିଦେଉ କାନି ପଣନ୍ତରେ ହେ ।୪।
ବ୍ରହ୍ମ- ଯୁବରାଜ ! ମୁଁ ବିଦାୟ ନେଉଛି । ନିକଟରେ ଏ ପତ୍ରର ଉତ୍ତର ପାଇବ । ସ୍ଥିର ଭାବେ ବସ, ମିଳନ କାଳ ଆଉ ଅଳ୍ପ ଦିନ ଅଛି । ମୁଁ ବିଦାୟ ନେଉଛି । ଯୁବରାଜଙ୍କ ଜୟ ହେଉ ।
ଋତୁ- ମିତ୍ର ଚାଲ, ଆମ୍ଭେମାନେ ନିତ୍ୟକର୍ମ ବଢ଼ାଇବା ।ଚନ୍ଦ୍ର- ମିତ୍ର, ମୋର ଆଉ କି ନିତ୍ୟକର୍ମ ? ନିତ୍ୟକର୍ମ ତ ଏହି ।
ଋତୁ- ମିତ୍ର, କାର୍ଯ୍ୟ ତ ଚାଲିଛି । ସବୁ କଥା ସମୟସାପେକ୍ଷ, ସମୟ ଅନୁସାରେ ଗାଭୀ ଦୁଗ୍ଧବତୀ, ବୃକ୍ଷ ଫଳବତୀ, ନାରୀ ରଜୋବତୀ, କୁଳଟା ରମଣୀ ସତୀ, ଲମ୍ପଟ ପୁରୁଷ ଯତୀ, ଚନ୍ଦ୍ର ସୂର୍ଯ୍ୟ ଗ୍ରହମାନଙ୍କର ଗତି, ସବୁ ସମୟ ଅନୁସାରେ ହୁଏ । ତୁମ୍ଭେ ଯାହା ଭାବିଛ ସେ ସମୟ ଅନୁସାରେ ଘଟିବ । ବେଶି ଭାବନା, ଆସ । (କର ଧରି ପ୍ରସ୍ଥାନ)