କୁଞ୍ଜବନ ଗଡ଼
୧୭୮୧–୧୮୬୬
- ସଂକଳନ: ତିଆସି କଳା
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୪୩
- ସ୍ଥିତି
- ସାର୍ବଜନୀନ (Public domain)
ରଘୁନାଥ ସୂତ୍ରରାୟ ସେତେବେଳେ ଦଶପଲ୍ଲାରେ ଜଣେ ଖାନଦାନ୍ ଲୋକ । ତିନିଘର ଘୋଡ଼ା ସେ ତାଙ୍କ ନିଜ ଶାଳରେ ରଖିଥାନ୍ତି । କେତେ ପୁରୁଷ ପୂର୍ବେ ତାଙ୍କ ପରିବାର ଗଞ୍ଜାମରୁ ଏ ରାଜ୍ୟକୁ ଆସିଥିଲେ ।
ରଘୁନାଥ ସୂତ୍ରରାୟ ଶିଳ୍ପକଳାରେ ଜଣେ ଅଦ୍ୱିତୀୟ ଭାସ୍କର । କାଠ ଖୋଳି ସେ ନାନା ପୌରାଣିକ ଚିତ୍ର ଏପରି ସୁନ୍ଦର ଭାବରେ ଅଙ୍କନ କରନ୍ତି ଯେ, ତାହା ସାତପାଟଣା, ଯାହାକି ଗଡ଼ ନିକଟବର୍ତ୍ତୀ ବ୍ୟବସାୟୀ ଗ୍ରାମ, ସେଠାରେ କୁମୁଟି ସୌଦାଗରମାନଙ୍କଦ୍ୱାରା ଦେଶ ବିଦେଶରେ ବିକ୍ରୟ ହୋଇଥାଏ ବହୁ ଚଢ଼ାଦରରେ । ତେଣୁ ସୂତ୍ରରାୟ ପରଂପରୀ ଧରି ବହୁ ଧନର ମାଲିକ ଥାନ୍ତି-। ତେଣୁ ରାଜପରିବାରର ଭଞ୍ଜନୃପତିମାନେ ତାଙ୍କ ପରିବାରକୁ ଖାତିର କରନ୍ତି । ତାଙ୍କ ଘର ପଶ୍ଚିମ ସାହି ବଡ଼ ପୋଖରୀ ହୁଡ଼ାକୁ ଲାଗିଥାଏ । ବଡ଼ ପୋଖରୀର ଉତ୍ତର ପାଖେ ବାଉଁଶ ଲଟି । ଦକ୍ଷିଣ ପାଖେ ବିଲମାଳ ଏବଂ ପଠାଣ କେତେ ଘର ସେଠାରେ ଥାନ୍ତି । ପଠାଣମାନେ ପାଇକ ବୃତ୍ତିକରି ପେଟ ପୋଷନ୍ତି । ପଠାଣ ସାହି ଉପରକୁ ନାହାକ ପଡ଼ା ଗଉଡ଼ ସାହି, ଦୁଧ, ଦହି, ଛେନା, ଲହୁଣୀ, ଲବଣୀ, ସର, ଘିଅ ଯାହା ଖୋଜ, ଆଠ ପ୍ରହର ମିଳିବ । ବିଶେଷରେ ପୂର୍ବ ସାହିରେ ଗଡ଼ର ମଝି ଛକ କଡ଼କୁ ରଥୀ ଭାସ୍କରଙ୍କ ଘର ପାଖାପାଖି ଯେଉଁ ନୀଳକଣ୍ଠ ଶିବ ଥାନ୍ତି, ତାଙ୍କଠାରେ ରାତି ପାହିଲେ ରାତି ଦୁଇଘଡ଼ି ଯାଏ ଦହି ଉଖୁଡ଼ା ଭୋଗ ଲାଗେ । ଟଭା ଫଳ ସାଙ୍ଗକୁ ଲହୁଣୀ ମେଞ୍ଚାଏ ନିଶ୍ଚିୟ ମଞ୍ଜନ (ଘଷିବା) ଲାଗି ଲୋଡ଼ା ହୁଏ । ଏଣେ ପାର୍ବତୀଙ୍କ ମାଜଣା ଲାଗି ଫକା ସିନ୍ଦୂର ସାଥିକୁ ଘିଅ ମେଞ୍ଚାଏ ଲୋଡ଼ା ହୁଏ । ଘିଅ ଦୀପ ଦିନରାତ୍ର ଜଳେ । ମନ କାମନା ଯେ ଯାହା କରୁ ସଫଳ ହୁଏ, ଏକଥା ବାଜି ବଜା । ଯେତେବେଳେ ବ୍ରାହ୍ମ ମୂହୁର୍ତ୍ତରୁ ଶଙ୍ଖ ଧ୍ୱନି ପରେ ସେବାସୀ ମାଳୀ ମହାପାତ୍ର ‘‘ଗଙ୍ଗାଧର ହେ ! ସର୍ବାରିଷ୍ଟ ଖଣ୍ଡିବାକୁ ଅଜ୍ଞା ହେଉ” ବୋଲି ପାଟିକରେ, ସେ ଧ୍ୱନି ଶୁଣି ପ୍ରସନ୍ନ ମନରେ ଗଡ଼ର ନରନାରୀ ମଙ୍ଗଳମୟ ଶିବ ସର୍ବରିଷ୍ଟ ଖଣ୍ଡିଲେ ବୋଲି ଭାବି ନରସ୍କାର କରି ଶଯ୍ୟାତ୍ୟାଗ କରିଥାନ୍ତି । ସେଇଥିପାଇଁ ଗଉଡ଼ ସାହିରେ ନିତି କରାବର ଲାଗିଥାଏ । ତେଣୁ ସେଠା ଦହି, ଘିଅ ବିଶୁଦ୍ଧ । ଠାକୁର ଲାଗି ପଦାର୍ଥରେ କପଟ କଲେ, ବଂଶ ବୁଡ଼ିଯିବ ବୋଲି ଗଉଡ଼ ସାହିରେ ନିତ୍ୟ ପ୍ରବଚନ । ଦହି ସାଥୀକୁ ପକ୍କା ତଉଲ ଉଖୁଡ଼ା ନଡ଼ିଆ ପାତି ପକାଇ ଗୁଡ଼ିଆ ଘର ଅତି ଶୌଚରେ ହାଣ୍ଡିରେ ସାଇତି ରଖିଥାଏ । ତା ସାଙ୍ଗକୁ ଘିଅ ଖୁରୁମୁଆଁ ।
ବାଉଁଶ ଲଟି ଡେଇଁଲେ ଜମି ଭୂମି । ଏଣେ ଚାରିକୋଶ ଆକ୍ରାନ୍ତର ଆମ୍ବତୋଟା ବଡ଼ ପୋଖରୀଠୁ ଦେଖାଯାଏ । ଏ ତୋଟାରେ ପଶିଗଲେ ପୁତ୍ରଶୋକ ଦୂର ହୋଇଯିବ । ତୋଟାଗଛ ତଳେ ଭାତ କୁଢ଼େଇ ଖାଇହେବ । ଟିକିଏ ଅସଫା ଦେଖିବ ନାହିଁ—ଚାରି କୋଶ ଆକ୍ରାନ୍ତଯାକ । ନିଜେ ନିଳକଣ୍ଠ ପାର୍ବତୀଙ୍କୁ ଘେନି ତୋଟା ଭ୍ରମଣ କରନ୍ତି, ଲୋକେ ଆଖିରେ ଦେଖିଥିବାର କହନ୍ତି । ଥରେ ପରା କୋଉ ପଠାଣ ସେହି ତୋଟା ଭିତରେ ମଇଳା କରିଥିଲା । ସେ ମଇଳା କରିସାରି ବଡ଼ ପୋଖରୀକୁ ଆସି ଶୌଚ ହେବାକୁ ଭାବିଥିଲା । ଉପରମୁହାଁ ପଠାଣ ଆସୁ ଆସୁ ଗୋଖର ସାପ ମାରିଲା ତିନି ଚୋଟ । ମୁହୂର୍ତ୍ତକେ ସେ ଖତମ । ତେଣୁ ପରମ୍ପରା ଧରି ସେ ତୋଟାକୁ ଦେବତାର ବିଚରଣ ଭୂମି ମନେକରି ଲୋକେ ବରଂ ସଫା ସୁତୁରା କରୁଥିଲେ‚ କେହି ମଇଳା କରିବାର ଶୁଣା ନ ଥିଲା । ଖରାଦିନରେ ବିଶେଷରେ ବସନ୍ତଠାରୁ ବର୍ଷାଯାଏ ସେ ତୋଟାରେ ଲୀଳା ଲାଗିଥାଏ । ଦେଖିବ ରଜାପୁଅ, ରଜାଝିଅଠୁ ସେଠି କିଏ ଯେ ନ ଥାନ୍ତି, ତା ନାହିଁ । ଗୀତ ଭାଗବତଠୁ ଆରମ୍ଭ କରି ଶାସ୍ତ୍ର ପୁରାଣ ଯାଏ ସେଠି ଚର୍ଚ୍ଚା ହୁଏ । ସେ ଚାରି ମାସ ଘରେ ଲୋକେ ପ୍ରାୟ ରହନ୍ତି ନାହିଁ । ଅସହ୍ୟ ଗ୍ରୀଷ୍ମ ମଧ୍ୟ ସେ ତୋଟାରେ ପଶିଲେ ଲୋକ ଭୁଲିଯାଏ ।
ଉକ୍ତ ତୋଟାରେ ଗଡ଼ର ବ୍ରାହ୍ମଣମାନେ ଶୀତଳଷଷ୍ଠୀ ପର୍ବ କରିଥାନ୍ତି । ସେଠି ହାବେଳିଠାରୁ ଆରମ୍ଭ କରି ଚନ୍ଦ୍ରଉଦିଆ, କୁମ୍ପି, ଚକ୍ର ଆଦି ବାଣର ଆତସବାଜି ଦୁନିଆକୁ ମୁଗ୍ଧ କରିଦିଏ । ପ୍ରଭୁ ନିଳକଣ୍ଠ ଯେତେବେଳେ ପାର୍ବତୀଙ୍କୁ କୋଳରେ ଧରି ବିଜେ ହୁଅନ୍ତି, ଗାଁ ଦାଣ୍ଡ ବାଟଘାଟ ଦି ଦିନ ଆଗରୁ ଚକ୍ ଚକ୍ ହୋଇଉଠେ । ପଥରେ ଚୂନ ଧଉଳାଯାଏ । ଚନ୍ଦନ ଛେରା ପଡ଼େ, ଫୁଲପାଖୁଡ଼ା ବିଞ୍ଛାଯାଏ । ରାଜା ଛତ୍ର କାହାଳୀ ଧରି ଆଗରେ ପଥ କଢ଼ାନ୍ତି । ବାଦ୍ୟ ନାଦରେ ପୃଥ୍ୱୀ କମ୍ପିତ ହୁଏ । ପ୍ରଭୁ ବିଜେ ହୁଅନ୍ତି । ତୋଟା ମଝିରେ ସହସ୍ର ତରୁଣୀ ଶଙ୍ଖ, ହୁଳହୁଳି ଧ୍ୱନି କରି ଉଠନ୍ତି । ତାମଯାନରେ ରାଣୀ ବିଜେ ହୁଅନ୍ତି ।
ସେ ଦିନକ ଶ୍ରୋତ୍ରିୟ ବ୍ରାହ୍ମଣ ପୂଜା କରନ୍ତି । ଲକ୍ଷ ଗଣତି ଆମ୍ବ ଭୋଗ ଲାଗେ । ହଜାର ହଜାର ଜନତା ପ୍ରସାଦ ସେଇଠି ଖାନ୍ତି । ସେ ଆନନ୍ଦ କୋଳାହଳ କ’ଣ ବର୍ଣ୍ଣନା କରିହୁଏ ?
ନୀଳକଣ୍ଠଙ୍କ ଦେଉଳ ବଡ଼ ପୋଖରୀ ସିଧାରେ ପୂର୍ବସାଇ ମଝି କନ୍ଧିକୁ ଲାଗି । ଦେଉଳ ପାଖରେ ପୋଖରୀଟିଏ । ତଳକୁ ଖାଲି ବଉଳ ଗଛର ବଣ । ବଉଳ ବଣରେ ଯେ ପଶିଲା ସେ ବାହାରିବାକୁ ଇଚ୍ଛା କରିବ ନାହିଁ । ଫୁଲ ଫୁଟିଲେ ମହ ମହ ବାସନା । ପଲ ପଲ ଭଅଁରଙ୍କ ସଙ୍ଗୀତ ଧ୍ୱନି । ଫୁଲ ଶୁଖିଗଲେ ମଧ୍ୟ ସେହି ମହ ମହ ବାସନା ।
ଏଇ କୁଞ୍ଜବନ ଗଡ଼ରେ ୧୭।୧୮ ବର୍ଷର ଯଦୁମଣି ମାମୁଁ ଅଜା ରାଥୀ ଭାସ୍କରଙ୍କ ଘରେ ପରମ ସୁଖରେ ରହିଲେ । ମାଇଁ ଆଈ ନିତି ରାତି ପାହିଲେ ପରିହାସ କରନ୍ତି । ପରିହାସ ହିଁ ବିଭାଘର କଥା ।
ଦୁଇ ଚାରି ମାସ ପରେ ଯଦୁମଣିଙ୍କ ସ୍ୱାସ୍ଥ୍ୟ ପୂର୍ଣ୍ଣାଙ୍ଗ ହୋଇଗଲା । ଦାଣ୍ଡରେ ଅତି ମଧୁର ସ୍ୱରରେ ଉପେନ୍ଦ୍ର ଭଞ୍ଜଙ୍କ ଛାନ୍ଦ ଆବୃତ୍ତି ଶୁଣି ସର୍ବସାଧାରଣ ଲୋକଙ୍କର ନଜର ପଡ଼ିଲା ଏହି ଯୁବକ ଉପରେ ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ
ଜୀବଜନ୍ତୁ
ମଧୁସୂଦନ ରାଓ