ପିଣ୍ଡିକ ରାୟଗୁରୁ
୧୭୮୧–୧୮୬୬
- ସଂକଳନ: ତିଆସି କଳା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୪୦
- ସ୍ଥିତି
- ସାର୍ବଜନୀନ (Public domain)
ସେତେବେଳେ ପିଣ୍ଡିକ ରାୟଗୁରୁ ଦଶପଲ୍ଲା କୁଞ୍ଜବନ ଗଡ଼ରେ ଦନ୍ତା ଲୋକ । ସଂସ୍କୃତ ଭାଷାରେ ଯେପରି ପ୍ରବୀଣ‚ ଓଡ଼ିଆ ଭାଷାରେ ତହୁଁ ବଳି । ଚାରି ଥର ତୀର୍ଥ କରିଛନ୍ତି— ଭୂ−ଭାରତ-। ତାଙ୍କର ଗୋଟିଏ ଦୋଷ ଯେ ସେ ଷାଠିଏ ବର୍ଷ ବୟସରେ ନରସିଂହପୁର ବଡ଼ ହରିଚନ୍ଦପୁର ଶାସନ ସାହିର ମିଛୁ ମିଶ୍ରଙ୍କ କନ୍ୟା ବାର−ବରଷୀ ପାରିକୁ ବିଭା ହେଲେ । ବିଭା ହେବାର ଆଠ ବର୍ଷ ହୋଇଯାଇଥାଏ । ତଥାପି ଅପବାଦ ତୁଟି ନଥାଏ । ବୁଢ଼ା ଅତି ବୀର ପୁରୁଷ । ଖଣ୍ଡା ଧରି ଯୁଝି ପାରନ୍ତି । ରାତ୍ର ପାଇଲେ ମୁଦ୍ଗର ବୁଲାନ୍ତି । ଏଇ ଅଠଷଠୀ ବର୍ଷରେ ଯୁବା ତାଙ୍କ ପାଖରେ ଛିଡ଼ା ହୋଇପାରିବେ ନାହିଁ । ପାରିର ଏବେ ବୟସ କୋଡ଼ିଏ । ପୁଅ ଝିଅ ତିନୋଟିର ମାଆ ସେ ହେଲାଣି-। କିନ୍ତୁ ରାୟଗୁରୁଙ୍କର ଅପବାଦ ସେମିତି ଥାଏ । ତାର ପରା ଟୋକୀଟା ଆଉ କେତେବର୍ଷ ଭୋଗିବ-? ବୁଢ଼ାଟା ଦିନେ ଠୋକିନା ମରିଯିବ । ଏପରି ପ୍ରଚାର ଚାଲିଥାଏ ।
ନୀଳକଣ୍ଠ ବଉଳବନରେ ଯଦୁମଣିଙ୍କ ମଧୁର ଧ୍ୱନୀ ଶୁଣି ରାୟଗୁରୁ ପତ୍ନୀ ପାରି ଦେବୀ ବିଚଳିତ ହୋଇ ସ୍ୱାମୀଙ୍କୁ କହିଥିଲେ ଯେ ସେଇ ପିଲାଠାରୁ ସେ ଜଗନ୍ମୋହନ ରାମାୟଣ ପୂରା ଶୁଣନ୍ତେ । ବୃଦ୍ଧ ରାୟଗୁରୁ ନବୀନା ଜାୟାର ସବୁ ଅନୁରୋଧ ରକ୍ଷା କରୁଥିଲେ । ସେ ଦେଖିଲେ ସୁକୁମାର ଚିତ୍ରକାର ପିଲା । ରଥୀ ଭାସ୍କରଙ୍କୁ କହି ସେହି ଯଦୁମଣିଙ୍କୁ ଘରକୁ ନେଇଗଲେ ।
ବ୍ରାହ୍ମଣ ସିନା ସଂକଳ୍ପ କରି ପୁରାଣ ପଢ଼ନ୍ତି । କିନ୍ତୁ ମହାପଣ୍ଡିତ ରାୟଗୁରୁଙ୍କ ଘରେ ଅଭିନବ ଘଟଣା ଘଟିଲା । ଶୁଦ୍ର ତରୁଣଦ୍ୱାରା ପବିତ୍ର ରାମାୟଣ ଚରିତ ବ୍ରାହ୍ମଣ ଘରେ ପଠିତ ହେଲା । ଆଜ୍ଞାଧୀନ ଯଦୁମଣି ଏଇଠି ଉତ୍ତମ ଖାଦ୍ୟ, ଉତ୍ତମ ବ୍ୟବହାରରେ ନିରନ୍ତର ମୋହିତ ହୋଇ ମାମୁଁ ଅଜା ଘରଠାରୁ ରାୟଗୁରୁଙ୍କ ଘରକୁ ଅଧିକ ମନେ କଲେ । ରଥୀ ଭାସ୍କରଙ୍କର ରାୟଗୁରୁ ସଙ୍ଗାତ ଓ ବନ୍ଧୁ । ତେଣୁ ଯଦୁମଣିଙ୍କ ମାଇଁ ଆଈ ପିଲା ଘେନି କିଛି ଚିନ୍ତିତ ନ ଥିଲେ । ବରଂ ରାୟଗୁରୁଙ୍କ ଯୋଗୁଁ ପିଲାର ପାଠ ଶାସ୍ତ୍ରରେ ଉନ୍ନତି ହେବ ବୋଲି ଜାଣି ଆନନ୍ଦିତ ଥିଲେ ।
ଦିନରେ ରାୟଗୁରୁ ବିଭିନ୍ନ ସଂସ୍କୃତ କାବ୍ୟ ସହିତ ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ସୁଭଦ୍ରା ପରିଣୟ ଆଦି ଭଞ୍ଜଙ୍କ କାବ୍ୟକବିତା ଯଦୁମଣିଙ୍କୁ ଅର୍ଥକରି ବୁଝାନ୍ତି-। ଯଦୁମଣି ଅତି ନିବିଡ଼ ଭାବରେ ତାହା ବୁଝନ୍ତି ଯେପରି, ମନେ ରଖନ୍ତି ମଧ୍ୟ ସେହିପରି । ହୟଗ୍ରୀବ କୃପାରୁ ପାଠ ହୁଏ । ସାହିର ବହୁ ଝିଅବୋହୂ ଶୁଣିବାକୁ ଆସନ୍ତି । ଯେପରି ଗୋଟିଏ ଯାତ୍ରା ବସେ ।
ରାୟଗୁରୁଙ୍କ ପଡ଼ିଶା ଘର ହେଉଛନ୍ତି ରଘୁନାଥ ସୂତ୍ରରାୟ । ତାଙ୍କ ଘରକୁ ବାଡ଼ି ପାଖେ ବାଟ ଥାଏ । ଧନବନ୍ତ ସୂତ୍ରରାୟଙ୍କ ଗର୍ବିତା ସ୍ତ୍ରୀ କେବେ ରାୟଗୁରୁଙ୍କ ଖୁଆଡ଼କୁ ଆସିବାର ଦେଖା ନ ଥାଏ । କାରଣ ସେ ଚିତ୍ରକାର ଘରର ରମଣୀ ହେଲେହେଁ ଅତି ନୀତିସଂପନ୍ନା ଥାଆନ୍ତି । ରାୟଗୁରୁ ତିତି ତିନୋଟି ବିବାହ କଲେ, ତାଙ୍କୁ ଅଣ୍ଟିଲା ନାହିଁ । ତିନି ଥରରେ ଧର୍ମ ଛାଡ଼ । ତଥାପି ରାୟଗୁରୁ ଚତୁର୍ଥ ଥର ବିବାହ କରିବାକୁ ପୁଣି ଏକ ପରମା ସୁନ୍ଦରୀ ଷୋଷଶୀ ଯୁବତୀକୁ ବଧୂ କରି ଆଣିବାରୁ ସେ ଅସନ୍ତୁଷ୍ଟ ଥାନ୍ତି । ଅବଶ୍ୟ ଧନ ଲୋଭରେ ତାର ପିତା ସିନା ବିକ୍ରୟ କରିଦେଲେ । ବୁଢ଼ା ମୃତ୍ୟୁ ପରେ ସେ ବାଳିକା କିପରି କ’ଣ କରିବ ଭାବି ସେ ଅସ୍ଥିର ଥାନ୍ତି । ଏଣେ ଗ୍ରାମ, ଗଡ଼ ସବୁଆଡ଼େ ଲେକେ ପ୍ରବଚନ ଗଢ଼ି ଗାଉଥାନ୍ତି—
ଆଲୋ ପାରବ
ବୁଢ଼ା ଘଇତାକୁ ଏଡ଼େ ଗରବ !
ବୁଢ଼ା ଘଇତାଟି ମରି ଯାଆନ୍ତି ।
ପାରବ ଗରବ ଭାଜି ଯାଆନ୍ତ ।
ସୂତ୍ରରାୟଙ୍କ କାମିନୀ ମୁକ୍ତା ଦେଇ ବାଡ଼ ସନ୍ଧିରେ ଉଣ୍ଡି ପାରିବ ମଧୁର ରୂପଶ୍ରୀ କେତେ ଥର ଦେଖି ବ୍ୟାକୁଳ ହୋଇଛନ୍ତି—ଟିକିଏ ଦୁଃଖ ସୁଖ ହୁଅନ୍ତେ । ପାରିର ଗୀତ ଭାଗବତ ମଧ୍ୟ ସେ କେତେଥର ଶୁଣିଥାନ୍ତି । କାରଣ ପାରି ପାଠଶାଠରେ ନିର୍ଜିତ ଥାଏ । ଯାହାବା ନ ଥିଲା ତାକୁ ଚଉଷଠୀ କଳାରେ ରାୟଗୁରୁ ନିର୍ଜିତ କରିଛନ୍ତି । ସେ ଆଠ ବର୍ଷ ହେଲା ଆସି ଏଇଠି ଅଛି । ସେ ଯୁବତୀ ହୋଇଛି । ଏଇଠି ସେ ରାୟଗୁରୁଙ୍କଠାରୁ ସବୁ ଶିକ୍ଷା କରିଛି ।
ଏ ଯୁବକଟି କିଏ ? ଏଇ ସୁନ୍ଦର ତରୁଣଟି କା’ର ? ରୂପ ସାଥିକୁ ତାର ମଧୁର ଧ୍ୱନୀରେ ସୂତ୍ରରାୟଙ୍କ ପରିବାର ଉଚ୍ଛନ୍ନ ହୋଇଉଠିଲେ । ସେମାନେ ଧନବନ୍ତର ଆଭିଜାତ୍ୟକୁ ଭୁଲି ଦିନେ ରାୟଗୁରୁଙ୍କ ଅଗଣାକୁ ବାଟ ଫିଟାଇ ଏକ କବାଟ ଦୁଆରବନ୍ଧ ଲଗାଇଲେ । ରାୟଗୁରୁ ଓ ପାରିର ଆନନ୍ଦ ଦେଖେ କିଏ ? ସେହି ସୂତ୍ରରାୟ ବିଶାଳ ପରିବାରର ପୁତ୍ର କନ୍ୟାମାନେ ମାଡ଼ି ଆସିଲେ । ଯେଉଁଦିନ ସୂତ୍ରରାୟଙ୍କ ପତ୍ନୀ ମୁକ୍ତା ଦେଇ ପାରିର ପହଣ୍ଡରେ ପାଦ ଦେଲେ, ସବୁ ଦୁଃଖ ସେ ଭୁଲିଗଲେ । ରାୟଗୁରୁ ଆସନ ପକାଇଦେଲେ । ମୁକ୍ତା ଦେଈ ବୃଦ୍ଧ ରାୟଗୁରୁଙ୍କୁ ପ୍ରଣାମ କଲେ । ରାୟଗୁରୁ ଆଶୀର୍ବାଦ କଲେ—’‘ମନୋବାଞ୍ଛା ସିଦ୍ଧିରସ୍ତୁ, ଅହ୍ୟ ସୁଲକ୍ଷଣୀ ଭବ ।”
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ