ଆମଘରର ହାଲ୍ଚାଲ୍
୧୮୭୪–୧୯୪୫
- ପଢ଼ିବା ସମୟ
- ୨୩୧ ମିନିଟ୍
- ଶବ୍ଦ
- ୩୬୯୧୮
- ସ୍ଥିତି
- ସାର୍ବଜନୀନ (Public domain)
ଉତ୍କଳ ସାହିତ୍ୟ
ଆମ ଘରର ହାଲ୍ଚାଲ୍
(୨୦ଶ ଭାଗ । ୧୩୨୪ । ୧୧ଶ ସଂଖ୍ୟା)
ପାଠକ ମହାଶୟମାନେ ଓ ଭକ୍ତିଭାଜନ ସମ୍ପାଦକ ଅବଧାନ, ନମସ୍କାର ! (ଏଥିର ଉହ୍ୟ ଉତ୍ତର–ଆୟୁଷ୍ମନ୍ତେ ! ଭବନ୍ତେ ! ଅର୍ଥାତ୍ ବୁଢ଼ାଟିଏ ହୋଇ ଘର ଦ୍ୱାର କର ରେ ବାପା !) ବହୁଦିନ ପରେ ପୁନର୍ବାର ଆପଣମାନଙ୍କ ସଙ୍ଗେ ମୁଲାକାତ, ଅର୍ଥାତ୍ ପତ୍ରିକା ପ୍ରସଙ୍ଗାତ୍ । କଥା ଅଛି, ‘‘ବତେଇ ଦିଏ ପରକୁ, ବୁଦ୍ଧି ନ ଆସେ ଘରକୁ ।’’ ଦାଣ୍ଡପିଣ୍ଡାରେ ବସି ସଦର ଦରକା ଜଗୁ ଜଗୁ ବାଡ଼ିଆଡ଼େ ଗୋରୁ ଗାଈ ପଶି କୋଶଳା କିଆରି ଖଣ୍ଡକ ସତ୍ୟାନାଶ କରି ସାରିଲେଣି; ଅର୍ଥାତ୍ ଦୁନିଆର ହାଲଚାଲ ଦେଖି ଗୋପିଆ ଭାଇ, ମଧୁଆ ଦାଦି, କଣ୍ଠିଆ ନନା, ଜଗା ଭାଇନା, ବିଶିଆ କକୈଙ୍କୁ ତିଆରୁ ତିଆରୁ ଓ ନନାଙ୍କ ବସ୍ତାନି ଫିଟାଇ ପରର ମାଛିଆପାତକ ପାଇଁ ବ୍ୟବସ୍ଥା କାଢ଼ୁ କାଢ଼ୁ ଆପଣା କାମ ଓ ମଣିଷପଣିଆ ଶେଷ ! ପୂର୍ବର ବଡ଼ବଡ଼ୁଆମାନେ ମଧ୍ୟ କହିଯାଇ ଅଛନ୍ତି, ‘‘ରାଜନ୍ ! ସର୍ଷପମାତ୍ରାଣି ପରଚ୍ଛିଦ୍ରାଣି ପଶ୍ୟସି, ଆତ୍ମନୋ ବିଲ୍ୱର ପାଣି ପଶ୍ୟନପି ନ ପଶ୍ୟସି’’ । ସାଧାରଣତଃ ଦେଖାଯାଏ ଯେ, ମନୁଷ୍ୟ ପରର ଦୋଷକୁ ଦେଖିବାକୁ ଯେଉଁ ଦର୍ଶନବଡ଼ା (Magnifying) ଚଷମା ବ୍ୟବହାର କରେ ଓ ଯେତେ କସରତ୍ କରେ, ନିଜର ଦୋଷ ଦେଖି ତାହା ସଂଶୋଧନ କରିବାକୁ ଯେବେ ତହିଁରୁ କଳାଏ ମାତ୍ର ଆୟାସ ସ୍ୱୀକାର କରୁଥାନ୍ତା, ତାହାହେଲେ ମନୁଷ୍ୟର କେତେ ଉନ୍ନତି ହେଉ ନ ଥାନ୍ତା ! ଆପେ ଅସମ୍ପୂର୍ଣ୍ଣ, କିନ୍ତୁ ପରର ଅସମ୍ପୂର୍ଣ୍ଣତା ଦେଖି ପର ପୁଅର ଠେଙ୍ଗୁରେ ଚୋଟେ ହାଣିଦେବାକୁ ମନୁଷ୍ୟ ଟିକିଏ ସୁଦ୍ଧା କୁଣ୍ଠିତ ହୁଏ ନାହିଁ । ଆପେ ପରଶ୍ରୀକାତର, ଆପେ ପରଧନଲୋଲୁପ, ଆପେ ସ୍ୱାର୍ଥପର, ଆପେ ଧର୍ମଧ୍ୱଜୀ, ଆପେ ପାପୀ, ଆପଣାର ଏ ବିକୃତିଗୁଡ଼ିକ ନିଜ ଆଖିରେ ପଡ଼େନାହିଁ; କିନ୍ତୁ ପର ପୁଅର ଟିକିଏ ହଲଚଲିଆ ଖୋଇ ଦେଖା ପଡ଼ିଲାକ୍ଷଣି ମନୁଷ୍ୟ ‘ପରୋପଦେଶେ ପାଣ୍ଡିତ୍ୟଂ’ ଜାହେର କରେ ! ଏହା ମନୁଷ୍ୟ ପ୍ରକୃତିର ଗୋଟିଏ ସ୍ୱୀକାର୍ଯ୍ୟ । ଲେଖକ ଖୋଦ ଏ ପ୍ରକୃତିସୁଲଭ ସ୍ୱୀକାର୍ଯ୍ୟରୁ ବହିର୍ଭୁତ ନୁହେଁ । ମୁଁ ନିଜେ ମଧ୍ୟ ଅନୁଭବ କଲିଣି ଯେ, ଯେଉଁ ଦୁର୍ଗୁଣଗୁଡ଼ାକ ପରପୁଅଙ୍କଠାରେ ଦେଖିଲାମାତ୍ରକେ ମୋ ମୁହଁ ଲେଫେଡ଼ି ହୋଇଯାଏ, ମୋଠାରେ ସେହିଗୁଡ଼ିକ ପୂର୍ଣ୍ଣମାତ୍ରାରେ ବିରାଜିତ । ତେବେ ପ୍ରଭେଦ ଏତିକି ଯେ, ସେମାନଙ୍କର ସ୍ୱରୂପ ଦାଣ୍ଡ ଲୋକେ ମତ୍ପ୍ରସାଦାତ୍ ଦେଖନ୍ତି, ମୋର ସ୍ୱରୂପକୁ ମୁଁ ଚୋଗା ଚପକନ୍ ତଳେ ଘୋଡ଼ାଇ ରଖି ସମାଜର ଉପଦେଶକ ଓ ଉପକାରକର ଆସନ ଓ ମର୍ଯ୍ୟାଦା ଲାଭ କରିବାକୁ ଉଚ୍ଛନ୍ନ ହେଉଥାଏ । ମନୁଷ୍ୟ ଯେତିକି ଏ ବିଷୟ ଦୃଢ଼ଭାବରେ ଚିନ୍ତା କରିବ, ସେତିକି କମ୍ ପରିଛିଦ୍ରାଦ୍ୱେଷୀ ପରଦୋଷବିଜ୍ଞାପକ ହେବ । ଆଉ ମଧ୍ୟ ମନୁଷ୍ୟପ୍ରକୃତିର ଆଉ ଗୋଟିଏ ଲକ୍ଷଣ ମୁଁ ନିଜ ଅନୁଭବରୁ ଠଉରାଇ ପାରିଅଛି । ବିଲାତର ଜଣେ ଖ୍ୟାତନାମା ଲେଖକ କହିଥିଲେ, ‘‘Critics are cut down poets’’ ଅର୍ଥାତ୍ ମୁଁ ନିଜେ ଯେଉଁ କାର୍ଯ୍ୟ ଲାଗି ଚେଷ୍ଟାକରି ସେଥିରେ ଅକୃତକାର୍ଯ୍ୟ ହୋଇ କଚଡ଼ା ଖାଇଅଛି, ଯେବେ ଅନ୍ୟ କେହି ସେହି କାର୍ଯ୍ୟରେ କୃତକାର୍ଯ୍ୟ ହେଲା କିମ୍ୱା ସେ କାର୍ଯ୍ୟରେ ହାତ ହେଲା, ତେବେ ତାହା ଦେଖି ମୋ ଦିହ ସହେନାହିଁ । ଏହାକୁ କହନ୍ତି ‘ପରଶ୍ରୀକାତରତା’ । ଏଥିର ଉପଯୁକ୍ତ ଉତ୍ତର :–‘‘କରେ ! ମୁଁ ଖାଉଥାଏଁ ମୋହର ପିଠା, ତୋର କିଆଁ ଦାନ୍ତନିକୁଟା ?’’ ଅର୍ଥାତ୍ ମୋ ବାଡ଼ିଖଣ୍ଡି ବୁଜିଦେବାକୁ ତୁ ରାତି ଦିନ ଅନିଦ୍ରା ହେଉଛୁ କାହିଁକି ରେ ? ମନୁଷ୍ୟ ଯେତିକି ଦୃଢ଼ଭାବରେ ଚିନ୍ତା କରିବ, ସେତିକି କମ୍ ପରଶ୍ରୀକାତର ହେବ !
ପାଠକମାନେ ଏ କୈଫିୟତ୍ ଦେଖି ମନେ ମନେ ବିଚାରୁଥିବେ, ‘‘ଲୋକଟାର ଆଜି ଏତେ ସଫିଆନା କାହିଁକି ? ଆଜି ଏ ପୋଖତବୈରାଗ୍ୟ କିଆଁ ?’’ ଅତଏବ ଏଥିଲାଗି ବୁଝକ ଫରଦ ଆପଣମାନଙ୍କ ନିକଟରେ ଉପସ୍ଥାପିତ କରିବା କର୍ତ୍ତବ୍ୟ । ‘‘ନନାଙ୍କ ବସ୍ତାନି’’ରୁ ଶେଷ ବିଡ଼ାଟା ବାହାର କରି ତହିଁରେ ଟୀକାଟିପଣୀ ଖଞ୍ଜି ସମ୍ପାଦକଙ୍କ ନିକଟରେ ଦାଖଲ କରିବାରୁ ସମ୍ପାଦକ ମହାଶୟ ସେ ବିଡ଼ାଟି ଉଆପସ ଘେନି ମୋ ନିକଟରେ ପହଞ୍ଚିଲେ । ସ୍ପଷ୍ଟ କଥା କହିଲେ ଜଣେ ଲାଗୁଆ ଲେଖକ ଖସିଲେ, ଏଣେ ସେ ବିଡ଼ାଟି ପତ୍ରିକାରେ ପ୍ରକାଶ କଲେ ପଞ୍ଝାଏ ଗ୍ରାହକ ଚଲ ! ଅତଏବ ପ୍ରବୀଣ ସମ୍ପାଦକ ମହାଶୟ ଲହ ଲହକା ଭାବଭଙ୍ଗୀରେ କଥାଟାକୁ ମୋଡ଼ିମାଡ଼ି ଲେଖକ ହାତରେ ସେ ବିଡ଼ାଟି ଗୁଞ୍ଜି ଦେଇ ଚାଲିଗଲେ, କହିଗଲେ, ‘‘ଲେଖାଟି ଅତି ଉତ୍ତମ ଓ ଉପାଦେୟ ହୋଇଥିଲା, ପରନ୍ତୁ ଏଁ ଏଁ–’’ ଅର୍ଥାତ୍ ଦରଖାସ୍ତ ନାମଞ୍ଜୁର ! ଆମେ ଆଧ୍ୟ ନିତାନ୍ତ ଆଠମାସିଆ ନୋହୁଁ, ଆମେ ବୁଝିନେଲୁଁ ଯେ, ଆମର ‘‘ଅତି ଲେମ୍ୱୁ ଚିପୁଡ଼ା’ ରସରେ ଖୋଦ ସମ୍ପାଦକଙ୍କ ପାଟି ମଧ୍ୟ ପିତୁଳିଆ ହେଲାଣି । ଅନୁଭବରେ ଦେଖାଯାଏ ଯେ, ଅବାରିତ ଗତିରେ ଗୋଟିଏ ସୁଅ ବହୁଅଛି, ସେ ସୁଅରେ ମହାଦ୍ରୁମ ପର୍ଯ୍ୟନ୍ତ ବହି ଯାଉଅଛନ୍ତି, କିନ୍ତୁ ସୁଅ ମୁହଁରେ ଓ ସୁଅର ଯିବା ବାଟରେ ଖଣ୍ଡେ ବଡ଼ ବାଲିଗରଡ଼ା ହାବୁଡ଼ି ଗଲାରୁ ତର୍ଜନ, ଗର୍ଜନ, ଗତି ପରିବର୍ତ୍ତନ ଆଦି ହରେକ କିସମର ପ୍ରତିଘାତର କୀର୍ତ୍ତନ ଲାଗେ । ସମ୍ପାଦକଙ୍କଠାରୁ ଏପରି ସୁଲସୁଲିଆ କଡ଼ବାଗିଆ ଡିହ ପାଇବା ଲେଖକର ଏହା ସର୍ବପ୍ରଥମ ଅନୁଭବ । ଏହି ଅନୁଭବରେ ସର୍ବପ୍ରଥମେ କିଛି ପ୍ରତିଘାତ– ତର୍ଜନ ଗର୍ଜନ ହୋଇଗଲା, ତା ପରେ ମାନ ଅଭିମାନ, ତତ୍ପରେ ଗୁମ୍ସୁମ୍, ପରିଶେଷରେ ଚକ୍ଷୁରୁନ୍ମୀଳନ ଓ ଫଳତଃ ଗତି ପରିବର୍ତ୍ତନ ହେଲା । ବିଚାରିଲି, ସମ୍ପାଦକଙ୍କୁ ଅଭିମାନ କରି ପେଶା ଓ ପସାର ବୁଡ଼ାଇବାଟା ‘ଖପରାରେ ଖାଇବା’ ନ୍ୟାୟ ହେବ । ଲେଖକର ଧାରଣା ଥିଲା ଯେ, ତାକୁ ଅନୁସରଣ ନ କଲେ ଓ ତାକୁ ପ୍ରସନ୍ନ ନ କରାଇଲେ ପତ୍ରିକାର ଦିନ ସରିବ ନାହିଁ ଓ ତା ଫାଉଣ୍ଟେନ ପେନ (ଧାରାଶ୍ରାବଣୀ ଲେଖନୀ) ପ୍ରବନ୍ଧ ପ୍ରସବ ନ କଲେ ଉତ୍କଳ ଧାରା ନିରାଧାରା ହେବ, ଉଡ଼୍ର-ସରସ୍ୱତୀ ନିରାଲମ୍ୱା ହୋଇଯିବେ, ଉତ୍କଳର ସାହିତ୍ୟ ସଂସାର ଉଚ୍ଛନ୍ନ ହୋଇଯିବ; କିନ୍ତୁ ଗତ ଦୁଇ ତିନି ସଂଖ୍ୟା ‘ସାହିତ୍ୟ’ରେ ଲେଖକଙ୍କ ନାମ ‘ପାଞ୍ଜିପୋଛ’ ହୋଇଯିବା ଅନୁଭବରୁ ଲେଖକ ବୁଝିପାରିଲା ଯେ, ତାହା ଯୋଗୁଁ କି ସାହିତ୍ୟର, କି ସମାଜର, କି ଦେଶର, କି ଗ୍ରାମର, କି ଜାତିର, କି ମାଧିଆ ଭାଇର କୌଣସି ଘରକାମ କିମ୍ୱା ଦାଣ୍ଡ ମାମଲାତ ଅଚଳ ହୋଇ ରହିବ ନାହିଁ । ଲାଭ ହେବ କେବଳ ‘ତସ୍ୟୈବ ଗଣ୍ଡଯୁଗମଣ୍ଡନ ହାନିରେଷା’ । ଯେ ହେଉ ଏହା ହେବାଦ୍ୱାରା ସମ୍ପାଦକ ବେକସୁର ଖଲାସ, ଲେଖକର ମଧ୍ୟ ଆଖିରେ ଗତ ୧୦।୧୨ ବର୍ଷ ମଧ୍ୟରେ ଯାଇଥିବା ଗୋଟାଏ ବହଳିଆ ମୋତିଆବିନ୍ଦୁ ଖସି ପଡ଼ିଗଲା । ମୁଁ ଦେଖିପାରିଲି ଯେ, ଦୁନିଆର ହାଲଚାଲ ଦେଖିବା ମନୁଷ୍ୟତା ନୁହେଁ । ନିଜ ଘର ହାଲଚାଲ ଦେଖି ନିଜ ବାଡ଼ ବୁଜିବା ମନୁଷ୍ୟତା ।
ଆଜି ଏ ଲେଖାର ଶିରୋନାମାରେ ଲେଖାଥିବା ଦୁଇପଦ କଥା ନିମନ୍ତେ ପାଠକମାନଙ୍କ ହଜୁରରେ ଏତକ ଅବତରଣିକା ଅର୍ଥାତ୍ ବୁଝଟ ଫରଦ ।
ଅତଏବ ଏ ପ୍ରସଙ୍ଗରେ ଲେଖକର ପାଠକମାନଙ୍କ ନିକଟରେ ଏତିକି ବକ୍ତବ୍ୟ ଯେ, ଯେଉଁ ଦୁର୍ଗୁଣ ଓ ମାନସିକ ବୃତ୍ତିଗୁଡ଼ାକ ମନୁଷ୍ୟ ପ୍ରକୃତିସୁଲଭ, ସେଗୁଡ଼ିକ ମୋଠାରେ ଅଛି, ଅନ୍ୟମାନଙ୍କଠାରେ ମଧ୍ୟ ଥିବା ସ୍ୱାଭାବିକ । ଏପରି ସ୍ଥଳରେ ସେଗୁଡ଼ିକ ସମ୍ମାର୍ଜନା କରିବା ନିମନ୍ତେ ସେଥିର ଆଲୋଚନା, କାରଣ ନିର୍ଦ୍ଦେଶ ଓ ପ୍ରତିକାରାନ୍ୱେଷଣ କରିବାକୁ ହେବ । ମୁଁ ନିଜେ ମୋର ଦୁର୍ଗୁଣଗୁଡ଼ିକ ସଂଶୋଧନ କରିବାକୁ ଚେଷ୍ଟାକଲେ ତଦ୍ଦ୍ୱାରା ଯେବେ ମୋ ଚକ୍ଷୁ ଫିଟିବା ସଙ୍ଗେ ସଙ୍ଗେ ମୋ ଶ୍ରେଣୀର ସମଦଶାପନ୍ନ ଅନ୍ୟ ବ୍ୟକ୍ତିମାନଙ୍କର ନିଜ ନିଜର ଦୁର୍ଗୁଣ ପ୍ରତି ଦୃଷ୍ଟି ପଡ଼େ ଓ ଫଳତଃ ସେମାନଙ୍କର ଚରିତ୍ର ଓ ପ୍ରକୃତି ସଂଶୋଧିତ ହୁଏ, ତାହାହେଲେ ଏ କାର୍ଯ୍ୟଦ୍ୱାରା ଉଭୟତ୍ର ଲାଭ ଓ ସମାଜର ମଙ୍ଗଳ । ‘‘ମୋର ଏ ଦୋଷ ଅଛି’’ ମନୁଷ୍ୟ ମନରେ ଏବଂ ଭୂତ ଉପଲବ୍ଧି ଆରମ୍ଭ ହେଲେ ‘‘ଏ ଦୋଷଗୁଡ଼ିକ ସଂଶୋଧନ କରିବା ଆବଶ୍ୟକ’’ ଏପରି କର୍ତ୍ତବ୍ୟପରାୟଣତା ସ୍ୱତଃ ମନରେ ଜାଗରୁକ ହୁଏ ଓ ଏହି ଜାଗରଣ ସଙ୍ଗେ ସଙ୍ଗେ ଚରିତ୍ର ସଂଶୋଧନ-କ୍ରିୟା ମଧ୍ୟ ଶନୈଃ ଶନୈଃ ସମ୍ପାଦିତ ହୋଇଯାଏ । ଅତଏବ ଏ ପ୍ରସଙ୍ଗରେ ଯେଉଁ ଦୋଷ ଓ ଗୁଣମାନ ଆଲୋଚିତ ହେବ, ତାହା ସବୁ ମୋର ନିଜ ଅନୁଭବସିଦ୍ଧ ଏବଂ ସେଗୁଡ଼ିକ ସାଧାରଣରେ ପ୍ରକାଶ କରିବା ଦ୍ୱାରା ମୁଁ ‘ଶିକ୍ଷକ’ର ଉଚ୍ଚ ସ୍ଥାନ ଅଧିକାର କରିବାକୁ ପ୍ରୟାସୀ ନ ହୋଇ ‘ଅନୁତପ୍ତ ଅପରାଧୀ’ର ସ୍ଥାନ ନତମସ୍ତକରେ ଗ୍ରହଣ କରୁଅଛି ।
ମନୁଷ୍ୟର କେତେଗୁଡ଼ିଏ ପଶୁ ପ୍ରକୃତି ଅଛି ଅର୍ଥାତ ସେ ସବୁ ପ୍ରକୃତି ସମ୍ୱନ୍ଧରେ ମନୁଷ୍ୟ ପଶୁ ସଙ୍ଗେ ସମାନ; କିନ୍ତୁ ଈଶ୍ୱର ମନୁଷ୍ୟକୁ ଯେଉଁ ବିବେକ, ଜ୍ଞାନ, ସତ୍ସାହସ, ସତ୍ପ୍ରତିଜ୍ଞା ଆଦି ଦେଇଅଛନ୍ତି, ତଦ୍ଦ୍ୱାରା ମନୁଷ୍ୟ ସେହି ପାଶବିକ ପ୍ରକୃତି ଓ ରିପୁମାନଙ୍କୁ ଦମନ କରି ନୈତିକ ଯୁଦ୍ଧରେ ଜୟୀ ହୋଇ ନିଜର ମନୁଷ୍ୟତାକୁ ବଜାୟ ରଖିପାରେ । ଏହି କ୍ଷମତା ଯୋଗୁଁ ମନୁଷ୍ୟ ପଶୁଠାରୁ ଉନ୍ନତ ।
ନିଜର, ନିଜ ଘରର, ନିଜ ସମାଜର, ନିଜ ଜାତିର ଦୋଷଗୁଡ଼ିକ ସରଳଭାବରେ ଆଲୋଚନା କରିବା ନିମନ୍ତେ ‘‘ଆମେ ଘରର ହାଲଚାଲ’’ର ପ୍ରସ୍ତାବନା ।
୧॥ ଦେଖାଯାଏ ଯେ, ମନୁଷ୍ୟ ଅଧିକାଂଶ ସ୍ଥଳରେ କର୍ତ୍ତବ୍ୟ କାର୍ଯ୍ୟ କରିବାରେ ତ୍ରୁଟି କରିଥିବାର ଦେଖାଗଲେ ଓ ତହିଁ ନିମନ୍ତେ ତାକୁ କୈଫିୟତ ପଚରାଗଲେ ସେ କହେ, ଅମୁକ କାର୍ଯ୍ୟରେ ମୋର ଚାରା ନ ଥିଲା, ଅମୁକ କାର୍ଯ୍ୟ ମୁଁ ନାଚାର ହୋଇ କଲି । କିନ୍ତୁ ଯେବେ ମନୁଷ୍ୟ ଏପରି ସ୍ଥଳରେ ବିବେକ ଓ ଭଗବାନଙ୍କୁ ସାକ୍ଷୀ ରଖି ସେ କାର୍ଯ୍ୟର କାରଣ ଅନୁସନ୍ଧାନରେ ପ୍ରବୃତ୍ତ ହୁଏ, ତେବେ ଦେଖିପାରିବ ଯେ, ଯାହା ସେ ନାଚାର ହୋଇ, ବାଧ୍ୟ ହେଇ, ଅନନ୍ୟୋପାୟ ହୋଇ କଲା ବୋଲି ବିଚାରେ କିମ୍ୱା ପ୍ରକାଶ କରେ, ସେ କାର୍ଯ୍ୟ ନିମନ୍ତେ ସେ ନିଜେ ଦାୟୀ । ‘‘ମୋ ନାଚାରିରେ ଅମୁକ କାର୍ଯ୍ୟ ହୋଇଗଲା, ମୁଁ ଅକଳରେ ପଡ଼ି ଏ କାର୍ଯ୍ୟଟା କରି ପକାଇଲି’’ ଏସବୁ କେବଳ ମନଭୁଲା ଓ ଲୋକଫୁସୁଲା କଥା । ଅଧିକାଂଶ ସ୍ଥଳରେ ଦେଖାଯାଏ ଯେ, ନିଜର କର୍ତ୍ତବ୍ୟ କାର୍ଯ୍ୟର ତ୍ରୁଟି ନିମନ୍ତେ ମନୁଷ୍ୟ ନିଜେ ଦାୟୀ । ମନୁଷ୍ୟର ଦୃଢ଼ କର୍ତ୍ତବ୍ୟଜ୍ଞାନ ଥିଲେ ଓ ଦୃଢ଼ସଙ୍କଳ୍ପ ଥିଲେ ସେ କଦାପି କର୍ତ୍ତବ୍ୟ କାର୍ଯ୍ୟରେ ତ୍ରୁଟି କରିବ ନାହିଁ କିମ୍ୱା ସାପ ମାରି ପର ଗଳାରେ ପକାଇବ ନାହିଁ । ଏହିପରି ମଧ୍ୟ ଦେଖାଯାଏ ଯେ, ଅଧିକାଂଶ ସ୍ଥଳରେ ‘ସମୟର ଅଭାବ’ ଯୋଗୁଁ ଅମୁକ କାର୍ଯ୍ୟ ହୋଇପାରିଲା ନାହିଁ ବୋଲି ଆମ୍ଭେମାନେ ଯେଉଁ କୈଫିୟତ ଦେଇଥାଉଁ, ତାହା ଅମୂଳକ ଅଟେ । ମନୁଷ୍ୟର ଦୃଢ଼ତା ଓ ନିଷ୍ଠା ଥିଲେ କାର୍ଯ୍ୟ କରିବା ନିମନ୍ତେ ତାକୁ ସମୟର ଅଭାବ ପଡ଼ିବ ନାହିଁ । ବ୍ୟବସାୟ ବୋଲ, ସରକାରୀ କାର୍ଯ୍ୟ ବୋଲ, ଚାକିରି ବୋଲ, ଏ ସବୁ କ୍ଷେତ୍ରରେ ଆମ୍ଭମାନେ ଦେଖିଥାଇଁ ଯେ, ପରିଶ୍ରମୀ ଓ ନିଷ୍ଠାପର ଲୋକ ନିଜର ବ୍ୟବସାୟ ସମ୍ପର୍କୀୟ କାର୍ଯ୍ୟ ଅଥବା ଜୀବିକା ନିର୍ବାହ କରିସାରି ଅନ୍ୟାନ୍ୟ ଅନେକ କାର୍ଯ୍ୟ କରିବାକୁ ଅନେକ ସମୟ ପାଏ ।
ସ୍ୱର୍ଗୀୟ ଶ୍ରୀଯୁକ୍ତ ରମେଶଚନ୍ଦ୍ର ଦତ୍ତ ସି. ଆଇ. ଇଙ୍କ ଜୀବନଚରିତ ପାଠ କରୁଥିଲି । ସେଥିରେ ଦେଖିଲି, ସେ ଉଚ୍ଚ ସରକାରୀ କାର୍ଯ୍ୟ ଓ କଠୋର ଶାସନ କାର୍ଯ୍ୟରେ ଅହର୍ନିଶ ବ୍ୟାପୃତ ଥାଇ ସୁଦ୍ଧା ବହୁ ଗବେଷଣାପୂର୍ଣ୍ଣ ବୃହତ୍ ବୃହତ୍ ସାହିତ୍ୟିକ ବ୍ୟାପାର ସମାଧାନ କରିବାକୁ ସମୟ ପାଇଥିଲେ । ତାଙ୍କ କୃତ ଋଗ୍ବେଦର ଅନୁବାଦ, ରାମାୟଣ ଓ ମହାଭାରତର ଅନୁବାଦ, ଭାରତ ବର୍ଷର ଇତିହାସ ଏଥିର ଜ୍ୱଳନ୍ତ ଉଦାହରଣ ଅଟେ । କେବଳ ରମେଶଚନ୍ଦ୍ର କାହିଁକି ? ପୃଥିବୀର ମହାପୁରୁଷମାନଙ୍କ ଜୀବନ ପର୍ଯ୍ୟାଲୋଚନା କଲେ ଆମ୍ଭେମାନେ ଦେଖିପାରିବା ଯେ, ସମୟର ଓ ଶକ୍ତିର ସଦ୍ବ୍ୟବହାର କରିବା ଦ୍ୱାରା ସେମାନେ ଦେଶର, ସମାଜର ଓ ଜାତିର ମହୋପକାର ସାଧନ କରି ଯାଇଅଛନ୍ତି ଓ ପ୍ରଚଣ୍ଡ ସଦନୁଷ୍ଠାନମାନ ସମାଧାନ କରିପାରି ଅଛନ୍ତି । ମୁଁ ମଧ୍ୟ ନିଜର କ୍ଷୁଦ୍ର ଅନୁଭବରେ ଦେଖି ପାରିଅଛି ଯେ, ଯେତେବେଳେ ମୁଁ ମୋର ବ୍ୟାବହାରିକ ବ୍ୟବସାୟ (Profession)ରେ ବିଶେଷଭାବରେ ବ୍ୟସ୍ତ ଥାଏଁ ଅର୍ଥାତ୍ ଚଳନ୍ତି କଥାରେ ଯାହାକୁ କହନ୍ତି ମରିବାକୁ ତର ନ ଥାଏ, ସେହି ସମୟରେ ଅନ୍ୟାନ୍ୟ କାର୍ଯ୍ୟ (ସାହିତ୍ୟ ଚର୍ଚ୍ଚା, ପଠନ, ଲିଖନ ଆଦି) ସମଧା କରିବାକୁ ମୁଁ ଅବସର ପାଇଥାଏ,’’ ଅଥଚ ଯେତେବେଳେ ନିଷ୍କର୍ମା ହୋଇ ବସିଥାଏ, ସେତେବେଳେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟ ନ କରି ଆଳସ୍ୟରେ ସମୟ ନଷ୍ଟ କରିଥାଏ । ଆମ୍ଭମାନଙ୍କର ଧାରଣା ଅଛି ଯେ, କୌଣସି କାର୍ଯ୍ୟରେ ବିଶେଷ ବ୍ୟସ୍ତ (busy) ହୋଇ ମନ ଖରାପ ହୋଇଗଲେ କାର୍ଯ୍ୟରେ ମନ ଲାଗେ ନାହିଁ ଓ ତତ୍ପରେ କେତେ ସମୟ ଆଳସ୍ୟ (ବିଶ୍ରାମ)ରେ ନ କଟାଇଲେ ପୁନର୍ବାର ମନ କାର୍ଯ୍ୟ କରିବାକୁ ଅଗ୍ରସର ହୁଏ ନାହିଁ । କିନ୍ତୁ ଫଳତଃ ଦେଖାଯାଏ ଯେ, ଏକ କାର୍ଯ୍ୟରୁ ବିଶ୍ରାମ ନେବାକୁ ହେଲେ ଏକଦମ୍ ଆଳସ୍ୟରେ ଗୁମସୁମ ନ ରହି କାର୍ଯ୍ୟାନ୍ତରରେ ଲାଗିଗଲେ ତାହା ମଧ୍ୟ ବିଶ୍ରାମ ତୁଲ୍ୟ ଫଳଦାୟକ ହୁଏ ଓ ଏହି ପରିବର୍ତ୍ତନ କିମ୍ୱା କାର୍ଯ୍ୟାନ୍ତର ପରେ ପୂର୍ବବର୍ତ୍ତୀ କାର୍ଯ୍ୟ କରିବାକୁ ମନ ଲାଗେ । ଆମ୍ଭେମାନେ ଯେତେ ସମୟ ଆଳସ୍ୟ କିମ୍ୱା ଜଡ଼ତାରେ ଅପବ୍ୟୟ କରୁଁ, ସେହି ସମୟତକ ଯେବେ ନିଜ ନିଜର ପ୍ରକୃତ ଅନୁକୂଳ ଅଥଚ ମଙ୍ଗଳକର କାର୍ଯ୍ୟରେ ନିୟୋଗ କରୁଥାନ୍ତି, ତାହାହେଲେ ଅଭାବନୀୟ କାର୍ଯ୍ୟମାନ ସମଧା କରିବାକୁ ସମର୍ଥ ହେଉଥାନ୍ତୁ । ଏହା ବୋଲି ଯେ ପ୍ରକୃତରେ କେତେକ ସ୍ଥଳରେ କୌଣସି କାର୍ଯ୍ୟ କରିବାକୁ ସମୟର ଅଭାବ ନ ଘଟେ, ମୁଁ ତାହା କହୁନାହିଁ । କିନ୍ତୁ ଆମ୍ଭେମାନେ ‘ସମୟାଭାବ’ର ଦୋହି ଦେଇ ଯେତେ କାର୍ଯ୍ୟ ନ କରୁଁ, ପ୍ରକୃତରେ ନିଜ ନିଜର ଜୀବିକା ନିର୍ବାହ କରିସାରି ଆମ୍ଭେମାନେ ଯେଉଁ ଅବସର ପାଉଁ, ସେହି ଅବସରର ସଦ୍ବ୍ୟବହାର କରୁଥିଲେ ଆମ୍ଭେମାନେ ଅନେକ କାର୍ଯ୍ୟ କରି ପାରୁଥାନ୍ତୁ ଓ ନାନା ଉପାୟରେ ଦେଶର ଓ ସମାଜର ଓ ନିଜର ମଙ୍ଗଳଜନକ କାର୍ଯ୍ୟ କରିବାକୁ ସମର୍ଥ ହେଉଥାନ୍ତୁ । ଇଂରାଜୀ ଜାତି, ଜାପାନୀ ଜାତି, ଆମେରିକା ଓ ଅନ୍ୟ ଉନ୍ନତ ଜାତିମାନେ ଏତେ ଉନ୍ନତ କାହିଁକି ? ଏଥିରେ ଏକମାତ୍ର ଉତ୍ତର ଏହିକି, ସେମାନେ ସମୟର ଓ ଅବସରର ସଦ୍ବ୍ୟବହାର କରିବାକୁ ଶିଖିଅଛନ୍ତି । ଯେଉଁ ସମୟ ମୁଁ ନିଷ୍କର୍ମା ହୋଇ ବୃଥା ଗଳ୍ପ, ପଶା, ତାସ ଖେଳ, ଆହାରାନ୍ତ ଚିଆଁ-ପହଡ଼ରେ କଟାଇଅଛି, ସେହି ସମୟରେ ଯେବେ ମୁଁ କୌଣସି ଲୋକହିତକର (Useful) କାର୍ଯ୍ୟ କରିଥାନ୍ତି, ତାହାହେଲେ ଆଜି ମୁଁ କେତେ ବାଟରେ ସମାଜର ଉପକାର ଓ ନିଜର ମାନସିକ ଉନ୍ନତି କରିପାରି ନଥାନ୍ତି ? ମନୁଷ୍ୟ ଓ ପଶୁ ମଧ୍ୟରେ ପ୍ରଭେଦ ଚିନ୍ତାଶୀଳତା ଓ ବିବେକାନୁଧାବନ କରିବାର ଶକ୍ତି । ପଶୁର ଜୀବନ କାର୍ଯ୍ୟର ଜୀବନ, ମନୁଷ୍ୟର ଜୀବନ ମଧ୍ୟ ତାହା; କିନ୍ତୁ ପଶୁ ପଛକୁ ଦୃଷ୍ଟି କରିପାରେ ନାହିଁ, ମନୁଷ୍ୟ ତାହା କରିପାରେ; ନିଜ ଜୀବନର ପୂର୍ବବର୍ତ୍ତୀ ଘଟନାମାନଙ୍କ ପ୍ରତି ଦୃଷ୍ଟି ପକାଇ ଗତ ଅନୁଭବରୁ ବିଗତ ତ୍ରୁଟିମାନ ଉପଲବ୍ଧି କରି ସେହି ଶିକ୍ଷାଦ୍ୱାରା ନିଜର ଭବିଷ୍ୟତ ଜୀବନ ଓ କାର୍ଯ୍ୟପ୍ରଣାଳୀ ଗଠନ କରିନାହିଁ ମନୁଷ୍ୟତା । ‘‘ଠିକି ଶିଖିବାକୁ’’ ଭାବି ପାରି ନାହିଁ ମନୁଷ୍ୟତା ! ମୋ ପକ୍ଷରେ ଯାହା ସତ୍ୟ, ଯାହା କରଣୀୟ, ତୁମ ପକ୍ଷରେ ମଧ୍ୟ ତାହା, ସମାଜ ପକ୍ଷରେ, ଜାତି ପକ୍ଷରେ ମଧ୍ୟ ସେହିତା । ଯେଉଁ ଜାତିର ଲୋକେ ସମୟର ଓ ଅବସରର ଯେତିକି ସଦ୍ବ୍ୟବହାର କରିବାକୁ ଶିଖିଅଛନ୍ତି, ସେହି ଜାତି ସେତିକି ପରିମାଣରେ ସଭ୍ୟ ଓ ଉନ୍ନତ । ଯେଉଁ ଜାତିର ଲୋକେ ଉଦରାନ୍ନ ସଂସ୍ଥାନ ନିମନ୍ତେ ଯେତିକି ଆୟୋଜନ ଶକ୍ତି ଓ ଆୟାସ ଅତ୍ୟାବଶ୍ୟକ, ସେତିକି ସାଙ୍ଗ କରି ଅବଶିଷ୍ଟ ସମୟ ଓ ଶକ୍ତିକୁ ବୃଥାରେ ନଷ୍ଟ କରନ୍ତି, ସେହି ଜାତି ସେତିକି ଅବନତ ଓ ଅସଭ୍ୟ ।
ଆଜି ଆମ ଘରର ହାଲ୍ଚାଲ୍ରୁ ଏହି ପଦକ ।
(୨୧ଭାଗ । ୧୩୨୪ । ୧ମ ସଂଖ୍ୟା)
ଏ ସଂସାରଟା ଶିକ୍ଷାର ସ୍ଥଳ– ମନୁଷ୍ୟର ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ତା ଜୀବନଟା ଶିକ୍ଷାରେ ବିତିଯାଏ । ଖଡ଼ି ଧରିବାର ବହୁ ପୂର୍ବରୁ ଶିଶୁର ଶିକ୍ଷା ଆରମ୍ଭ ହୋଇଥାଏ ଓ ବିଦ୍ୟାଳୟ ଛାଡ଼ିବାର ବହୁକାଳ ପରେ ସୁଦ୍ଧା ମନୁଷ୍ୟର ଶିକ୍ଷା ଶେଷ ହୋଇ ନ ଥାଏ । ଯେବେ ମନୁଷ୍ୟ କେବଳ ବିଦ୍ୟାଳୟରେ ପାଇଥିବା ଶିକ୍ଷା ଛଡ଼ା ଅନ୍ୟ ଶିକ୍ଷା ପାଉ ନ ଥାନ୍ତା ଓ ବିଦ୍ୟାଳୟର ଶିକ୍ଷାକୁ ଏକମାତ୍ର ସମ୍ୱଳ କରି ସଂସାରରେ ପଶୁଥାନ୍ତା, ତାହାହେଲେ ପଦେ ପଦେ ଠୋକର ଖାଇ ଛୋଟା ହୋଇ ଯାଉଥାନ୍ତା, ଦିନଯାକ ମାଡ଼ ଖାଇ ଖାଇ ଗୟାଁ ହେଉଥାନ୍ତା । ଏଥିପାଇଁ ଏ ସଂସାରରେ ଖାଲି ପୋ ପାଠୁଆଙ୍କର ଆଦର ବା ଉନ୍ନତ ନଦାରଦ, କହିଲେ ଚଳେ । ଯେଉଁ ଲୋକ ‘ପାଠ’ ସଙ୍ଗେ ଯେତିକି ‘ସାଠ’ ମିଶାଇ ଦୁନିଆରେ ଚଳ ବିଚଳ ହୁଏ, ତାହାର ସେତିକି ଉନ୍ନତି ଓ ସେ ସଂସାରର ଧକ୍କା ସେତିକି ସମ୍ଭାଳିବାକୁ ସମର୍ଥ ହୁଏ । ଏ ‘ସାଠ’ଟା ସଂସାରର ନିଜସ୍ୱ– ଇସ୍କୁଲ ପାଠ୍ୟପୁସ୍ତକରେ ଏ ‘ସାଠ’ ଟା ବେଶି ନ ଥାଏ । ପୋଥି ପାଠ ପଢ଼ି ଯେ ବିଦ୍ୱାନ୍ ହୁଏ, ସେ ‘ପାଠୁଆ’ (Theoretical) ନାମଧାରୀ ହୁଏ । ତାକୁ ଇଂରାଜୀରେ ‘Book worm’ (ବହିର ପୋକ) ବୋଲାଯାଏ । କିନ୍ତୁ ସେ ‘ପାଠ’ ସଙ୍ଗେ ଯେ ‘ସାଠ’ ମିଶାଇ କାମରେ ପାଠ ସାଠ ଉଭୟଙ୍କୁ ଲଗାଏ, ସେ ହୁଏ ‘ସଂସାରୀ’ (Practical) । ତାକୁ ଇଂରାଜୀରେ କହନ୍ତି, Worldlywise ବା ବିଷୟୀ । ପ୍ରଥମରେ ଯେତେବେଳେ ମୁଁ ପାଠ୍ୟାବସ୍ଥା ଛାଡ଼ି ସଂସାରରେ ପଶିଲି, ସେତେବେଳେ ମନରେ ବିଚାରିଥିଲି ଯେ, ଆଲମାରିକୁ ଆଲମାରି ବହି ପଢ଼ି ମୁଁ ଯେଉଁ ଇଲମ ହାସଲ କରିଅଛି, ସେହି ଇଲମ ବଳରେ ଏ ଦୁନିଆଟା ଟପିଯିବି । କିନ୍ତୁ ସଂସାରରେ ପଶି ଦେଖିଲି ଯେ, ପୋଥିପାଠଗୁଡ଼ାକ କିମିତି କିମିତି ଅଡ଼ୁଆ ତଡ଼ୁଆ ହେଲା ଭଳି ଜଣା ପଡ଼ିଲା । ପାଠ ଡାକିଲା, ‘‘ସତ୍ୟଂ ବ୍ରୂୟାତ୍’– ସଂସାରର ସାଠ ଡାକିଲା, ‘‘ପ୍ରିୟଂ ବ୍ରୁୟାତ୍ । ନବୂୟାତ୍ ସତ୍ୟମ ପ୍ରିୟଂ ।’’ ଯେବେ ସତ୍ୟମ ପ୍ରିୟଂ ବ୍ରୂୟାତ୍ । ତେବେ ତୁମ କପାଳରେ ଧକ୍କାଟିଏ, ବିଧାଟିଏ, ଚାପୁଡ଼ାଟାଏ ଥୁଆ, ଏଥିକି କିଏ କଣ କରିବ ରେ ବାପା ! ତୁମେ ପ୍ରିୟଂ ବ୍ରୂୟାତ୍’ ନ କରିବ, ଏଣେ ଧକ୍କାକୁ ଡରିବ, ଏପରି ହେଲେ ଚଳିବ କିଆଁ ? ଗୋଟିଏ ସାଠର ଉଦାହରଣ ଦେଲି । ସଂସାରରେ ପଶିଲେ ଦୁନିଆରେ ଘର କଲେ ଏହିପରି ଅନେକ ‘ସାଠ’ ହାବୁଡ଼ରେ ପଡ଼ିଯାଏ । ସେହି ସାଠଗୁଡ଼ିକ ଆୟତ୍ତ କରି ପାରିଲେ ଓ ପାଠ ସଙ୍ଗେ ସାଠକୁ ଲଗାଇ ପାରିଲେ ମନୁଷ୍ୟ ଏ ସଂସାରର ହଂସାଉଡ଼ା ଦାଉକୁ ସମ୍ଭାଳିବାକୁ ସମର୍ଥ ହୁଏ । ଏହି ସାଠ ଶିଖୁ ଶିଖୁ ‘କଳିଷଠା’ ତହବିଲରୁ ମୋର ବାରଅଣା ବଏ ସରିଲାଣି । ରେସମ ବେପାରରୁ ଆସି ଝୋଟ ବେପାରରେ ରହିଲାଣି, ତଥାପି ଏ ‘ସାଠ’ ଶିକ୍ଷା ସାଙ୍ଗ ହେଲା ନାହିଁ । ମନେ ମନେ ବିଚାରୁଛି ଯେ, ଏ ଶିକ୍ଷା ବାଲିଶଯ୍ୟା ପର୍ଯ୍ୟନ୍ତ ଲାଗିଥିବା ସଂସାରରେ ଯେଉଁ ଇଲାକାକୁ ନିରେଖି କରି ଦେଖ, ଦେଖିବ ଯେ, ସବୁ ଇଲକାରେ ଏ ‘ସାଠ’ ର କରାମତ ଜାହେର । ସରକାରୀ ଆଇନବହିର ‘ପାଠ’ ଡାକିଲା, ଅମୁକ ଦରଖାସ୍ତ ଖଣ୍ଡ ଦେବାକୁ ହେଲେ କିମ୍ବା ଅମୁକ ମକଦ୍ଦମା ଦାଏର କଲେ, ଏତେକର କୋଟଫିସ୍ ଦେବାକୁ ହେବ କିନ୍ତୁ ସରଜମିନରେ କଚେରି ପିଣ୍ଡାରେ ପହଞ୍ଚି ଦେଖିଲା ବେଳକୁ ଏ ‘ପାଠ’ ଲିଖିତ କଉଡ଼ି ଉପରେ କଚିରିଆ ସାଠ ଲିଖିତ ଅଣ୍ଟାଗୁଞ୍ଜା, ବାଜେ ଖରଚ, ଓକିଲ ମୁକ୍ତାରଙ୍କ ପୁରସ୍କାର; ବକ୍ସିସ୍, ଲେଖାଇ ମେହନ୍ତନା, ରୋଜିନା, ମାପୁଆରି, ସାଲିଆନା ତଦବିର ଖରଚା, ରୋସମ ଇତ୍ୟାଦି ଖରଚ କରି ନ ପାରିଲେ ତୁମ ମାମଲା ବାଏଁ ବାଏଁ ଖଲାସ । ସଂସାରରେ ପଶିଲେ ସଂସାରିଆ ପାଠ ଶିଖ, କଚେରିକୁ ଆସିଲେ କଚେରିଆ ସାଠ ଅଭ୍ୟାସ କର, ଏହିପରି ଯେଉଁ ଦେଶକୁ ଯିବ, ସେହି ଦେଶର ସାଠ ଶିଖି ସେହି ସାଠକୁ ପାଠ ସଙ୍ଗେ ଜାରଣ ମାରଣ କରି ପାରିଲେ ତୁମର ମନ୍ତ୍ର ସିଦ୍ଧ ହେବ । ନଇଲେ ତୁମ ‘ପୋଥିପାଠ’ ପୋଥିରେ, ମୋ ବାଡ଼ି ବାଇଗଣ ମୋ ବାଡ଼ିରେ । ମୋର ଆଉ ଗୋଟିଏ ଅନୁଭବ କଥା ଏଠାରେ ଲେଖୁଅଛି ।
ଅନେକ ସମୟରେ ଯେବେ କେହି ବନ୍ଧୁ ମତେ ପଚାରନ୍ତି, ‘‘ହଇକି ହେ ଆପଣେ ! ଅମୁକ କାର୍ଯ୍ୟ କଲ ନାହିଁ କିଆଁ ? ଅମୁକ ସ୍ଥାନକୁ ଗଲ ନାହିଁ କିଆଁ ? ଅମୁକ ଚିଠି ଖଣ୍ଡିକ ଲେଖିଲ ନାହିଁ କିଆଁ ?’’ ଏଥିର ଉତ୍ତରରେ ମୁଁ କହେଁ, ‘‘ଆରେ ଭାଇସାହେବ ! ମତେ ମରିବାକୁ ସୁଦ୍ଧା ଦଣ୍ଡେ ତର ନାହିଁ । ମୋର ଅନୁପସ୍ଥିତିରେ ମୋ ସଂସାରଟି ଦଣ୍ଡେ ଚଳିବ ନାହିଁ । ମୋ ଧନ୍ଦାରେ ମୋ ଫନ୍ଦାରେ ମୋ ଖନ୍ଦାରେ ମୋ ରନ୍ଧାରେ ମୁଁ ଦିନରାତି ଲାଗିଛି । ମୁଁ କୌଣସି କଥାକୁ ଦଣ୍ଡେ ନ ଚାହିଁଲେ ମୋ ଫନ୍ଦାଟି ଖିନିଖରାପ ହୋଇଯିବ । ଏଥିପାଇଁ ମୁଁ ଅମୁକ କାର୍ଯ୍ୟରେ ଯୋଗଦେଇ ପାରିଲି ନାହିଁ ।’’ ଏ ଉତ୍ତରଟା ଅନେକ ସମୟରେ ଲୋକଭୁଲା ଉତ୍ତର ନୁହେଁ । ପ୍ରକୃତରେ ଅନେକ ସମୟରେ ଏହା ମୋର ହୃଦୟର ବିଶ୍ୱାସ ହୋଇଥାଏ ଓ ସେହି ହୃଦୟର ବିଶ୍ୱାସକୁ ବନ୍ଧୁମାନଙ୍କ ଆଗରେ ମୁଁ ପ୍ରକାଶ କରି କୈଫିୟତ୍ ଦେଇ ନିଷ୍କୃତି ଲଭିଥାଏଁ ମାତ୍ର । କିନ୍ତୁ ଯେବେ ମୋର ଆଖି ଥାନ୍ତା, ଯେବେ ମୋର ଦୃଷ୍ଟିଶକ୍ତି ଥାନ୍ତା, ତେବେ ମୁଁ ସଂସାରରେ ଶତ ଶତ ଉଦାହରଣ ଦେଖି ଚେତି ପାରୁଥାନ୍ତି । କାହାର ଅନୁପସ୍ଥିତିରେ ଭଲା ସଂସାରରେ କେଉଁ କାର୍ଯ୍ୟଟା ଅଚଳ ରହିଲାଣି ? ମନୁଷ୍ୟ ସଂସାରକୁ ଯେତେ ଜାବୁଡ଼ି ଧରିବ, ସଂସାର ତାକୁ ସେତିକି ଭିଡ଼ି ଧରିବ । ମନୁଷ୍ୟ ବିଚାରୁଛି ଯେ, ମୋ ବିହୁନେ ଏ ସଂସାର ଅଚଳ ହୋଇଯିବ । କିନ୍ତୁ ଫଳତଃ ତାହା ନୁହେଁ । ଫଳରେ ଦେଖାଯାଉଅଛି ଯେ, ଘୋର ବିଷୟୀ ଲୋକର (ଯେ ମନେ ମନେ ଗେଣ୍ଟ କରିଥାଏ ଯେ, ସେ ଆଖି ବୁଜିଲା ବାସିଦିନ ତା ସଂସାର ଓ ତହିଁ ସଙ୍ଗେ ସଙ୍ଗେ ବହିର୍ଜଗତଟା ତା ବିହୁନେ ଚରମାର ହୋଇଯିବ) ମୃତ୍ୟୁପରେ ତା ଘର ଓ ବାହାରର ସଂସାରକୁ ଈଶ୍ୱର ଏକ ପ୍ରକାର ଚଳାଇ ନିଅନ୍ତି ଓ ତା ମରିବା ପରେ, ବଡ଼ ଜୋର ଦଶଖପରା ପଡ଼ିବା ଯାଏ ତା ପାଇଁ କାନ୍ଦ ବୋବାଳି ଓ ବାହୁନା ବାହୁନିର ରୋଳ ଲାଗିଥାଏ ତାହା ହାଉଲେ ହାଉଲେ କମିଯାଏ ଏବଂ ତେଣିକି ସଂସାରଟି ପୂର୍ବବତ୍ ଚଳେ । ଈଶ୍ୱର ତାର ନିରାଶ୍ରୟ ଅନାଥ ବାଳବଚାଙ୍କ ପାଇଁ ପରିଚାଳକ ଓ ଅଭିଭାବକ ଆଣି ଜୁଟାଇ ଦେଇ ମିଞ୍ଜା ମାରି ନିଅନ୍ତି । ମୁଁ ନିଜେ ଅନୁଭବରୁ ବୁଝିଛି ଯେ ମୁଁ ମୋ ଘରେ ‘ଧନ ଜନ ଗୋପଲକ୍ଷ୍ମୀ ପରିବେଷ୍ଟିତ ହୋଇଥିଲା ବେଳେ ମନେ ମନେ ବିଚାରେ ଯେ ଏତେ ବଡ଼ କାରଖାନାର ଏକମାତ୍ର କେନ୍ଦ୍ର ଓ ଚରଖି ଏବଂ ପରିଚାଳକ ମୁଁ । ମୁଁ ଦଣ୍ଡେ କେଉଁଆଡ଼େ ଚାଲିଗଲେ ଏ ଝଟଝଟିଆ କାରଖାନାଟି କେଉଁଆଡ଼େ ଭସ୍ମ ହୋଇଯିବ ପରା । କିନ୍ତୁ କାର୍ଯ୍ୟାନ୍ତରରେ ସ୍ଥାନାନ୍ତରକୁ ମୁଁ ଚାଲିଗଲେ ସ୍ଥାନାନ୍ତରରେ ଥାଇ ଅନେକ ସମୟରେ ଉପଲବଧି କରେଁ ଯେ, ମୋ ଅନୁପସ୍ଥିତି ଯୋଗୁଁ ମୋ ଘରେ କୌଣସି ଧନ୍ଦା ବାକି ରହେ ନାହିଁ, କୌଣସି ଲୋକ ଅଖିଆ ରହେ ନାହିଁ, କି କୌଣସି ଫନ୍ଦା ପଡ଼ିଆ ରହେ ନାହିଁ । ଯେବେ ଏହି କଥା ମୁଁ ହୃଦୟଙ୍ଗମ କରିପାରୁଥାନ୍ତି, ତାହାହେଲେ ସଂସାରକୁ ଏତେ କାମୁଡ଼ି ଜାବୁଡ଼ି ଧରନ୍ତି ନାହିଁ; କିନ୍ତୁ ଈଶ୍ୱର ସେ ବୁଦ୍ଧି ତ ଦେଉ ନାହାନ୍ତି । ଏଇଥିପାଇଁ ବାଇଦା ସେ ଖଞ୍ଜଣି ମାଡ଼ୁଆ ଶରୀରଭେଦ ଚଉତିଶା ରଚନା କରି ‘ହୁଙ୍କାଗୋସେଇଁଙ୍କ ଗାଦି ପାଖରେ, ‘ରତ୍ନବଟ’ର ଚଉତରା ମୂଳରେ ‘ଭାଗବତଟୁଙ୍ଗୀ’ର ପିଣ୍ଡାତଳେ ‘‘ଶୁଖା ଖଡ଼ ଖଡ଼ ଖଡ଼ ଖଡ଼ ମିଛ ମାୟାରେ ପଡ଼ି ତୁ ଲଡ଼ବଡ଼ ଲଡ଼ବଡ଼’’ ଭଜନ ଗାଇ ଦୁନିଆକୁ ଚେତାଇବାରେ ଲାଗିଅଛନ୍ତି । ଲୋକ ଏହା ଜାଣୁଛି, ଏହା ବୁଝୁଛି, ତଥାପି ଏ ମାୟାର ଜାବୁଡ଼ି ଧରିଛି । ପାଠ ରହିଛି– ‘‘ଅହନ୍ୟହନି ଭୂତାନି ଗଚ୍ଛନ୍ତି ଯମମନ୍ଦିରଂ । ଶୋଷାଶ୍ମିରତ୍ୱ ମିଚ୍ଛନ୍ତି କିମାଶ୍ଚର୍ଯ୍ୟମତଃପରଂ ।’’ ଏ ପୋଥିପାଠ ସମସ୍ତେ ଜାଣନ୍ତି, କିନ୍ତୁ ଦୁନିଆରେ ପନ୍ଦର ପଣ ଊଣେଇଶ ଗଣ୍ଡା ତିନିକଡ଼ା ଦୁଇକ୍ରାନ୍ତ ପନ୍ଦର ବିଶ୍ୱା ଲୋକେ ସଂସାରରେ ପଶି ଏ ପାଠତକ ପାସୋରି ପକାନ୍ତି କିମ୍ୱା ଏ ପାଠ କେଉଁ ଖେଦାରେ ଥାଏ, ସେ ଖେଦା ଖଣ୍ଡକ ଖତଗଦାରେ ମାଡ଼ି ଦିଅନ୍ତି । ଭଡ଼ାଗାଡ଼ିର ଗୋଟାଏ ଘୋଡ଼ା ମରିଗଲେ କିମ୍ୱା ଖଚିରା ହୋଇଗଲେ ଗାଡ଼ିର ମାଲିକ ଘୋଡ଼ା ଛ ଟଙ୍କା ଦାନା ନ ଟଙ୍କାରୁ ରକ୍ଷା ପାଇବା ଲାଗି ସେ ଅକାମିକା ଘୋଡ଼ାଟିକୁ ଗୁଳି ଟିପିଦିଏ କିମ୍ୱା ସନ୍ତରା ବଣକୁ ଆଡ଼େଇ ଦିଏ ଓ ତହିଁ ଆରଦିନ ବଜାରରୁ ଆଉ ଗୋଟିଏ ଘୋଡ଼ା ମୂଲେଇ ଆଣି ତା ଗାଡ଼ିରେ ଲଗାଇ ପୂର୍ବପରି ତା ଭଡ଼ାଗାଡ଼ିକୁ ଜଳାଏ । ବେଳେ ବେଳେ ମୋ ମନରେ ହୁଏ ଯେ, ଏ ଦୁନିଆଟା ଏହିପରି ଭଡ଼ା-ଗାଡ଼-ଖାନା ଏବଂ ଖୋଦ ‘ଖୋଦା’ ଏଥିର ନିୟାମକ, ଚାଳକ ଓ ମାଲିକ । କାହାପାଇଁ ଏ ସଂସାରରେ କେଉଁ କାମ ବାକି ରହେ ନାହିଁ । ଦେଖ ଯେ, ଆସମୁଦ୍ରକ୍ଷୀତିଶ, ଆନାକରଥବତ୍ତ୍ମୀ ରୁଷିଆସାମ୍ରାଜ୍ୟର ‘ଯୁଗ ରାଇଜ’କାରୀ ଯଥେଚ୍ଛାଚାରୀ ସମ୍ରାଟ ‘ଜାର’ (Tzar) ଙ୍କ ବିନା ରୁଷିଆ ସାମ୍ରାଜ୍ୟ ଦଣ୍ଡେ ଚଳିବ ନାହିଁ ବୋଲି ଜଗତର ଧାରଣା ଥିଲା । କିନ୍ତୁ ସେହି ସାମ୍ରାଜ୍ୟନିୟନ୍ତା ‘ଜାର’ ସମ୍ରାଟ ଆଜି ରାଜେନ୍ଦ୍ରାସନର ପାଗପଟୁକା ଲଠି ସୋଠା, ମୁକୁଟ ସାତଦୀପ ସବୁ ଛାଡ଼ି ଫକୀରର ଝୁଲି ଧଇଲେଣି । ଅଥଚ ରୁଷିଆର କି ଅନ୍ତର୍ଦେଶିକ କି ବହିର୍ଦେଶିକ ସମସ୍ତ ସମସ୍ୟାମାନ ପୂର୍ବବତ୍ ଚାଲୁଛି ଓ ଚାଲିବ । ରୁଷିଆ ସମ୍ୱନ୍ଧରେ ଯାହା, ‘ଆମ ଘର’ ସମ୍ୱନ୍ଧରେ ମଧ୍ୟ ସେହିତା । ଆରେ ଅବୁଝା ମନ ! ଆରେ ବାଇମନ ! ଏ କଥା ବୁଝି ଏ କଥା ଅମୁଜ ଓ ଏହି କଥାଟି ପାସୋରି ନ ପକାଇ କିମ୍ୱା ଆଳକୁଚି ମାଳକୁଚିରେ ଏ ଟିପାଖଣ୍ଡିକ ନ ପକାଇ ସଂସାରରେ ନିର୍ଲିପ୍ତ ଭାବରେ କାମ କର । ତୁ ଆସିଛୁ ମୂଲ ଲାଗିବାକୁ, ବୋଝ ବୋହିବାକୁ, ଗୋଡ଼ ଧୋଇବାକୁ । ତୋ କାମରେ ତୁ ଲାଗ । ତାହାହେଲେ ଦେଖି ପାରିବୁ ଯେ, ତୋ ସଂସାରକୁ ତୋ ଘରୁ ଅନେକ ଅଶାନ୍ତି, ଅନେକ କନ୍ଦଳ କମିଯିବ ଓ ତୁ ବଞ୍ଚି ଥାଉଁ ଥାଉଁ ଦେଖିଯିବୁ ଯେ, ଏ ସଂସାରଟା ଦୁଃଖର ସଂସାର, ଅଶାନ୍ତିର ସଂସାର, ସନ୍ଦେହର ସଂସାର ନୁହେଁ, ଏହା ଗୋଟିଏ ଅପରୂପ ଅଭାବନୀୟ ଶାନ୍ତିମୟ ଲାଳାକ୍ଷେତ୍ର ଅଟେ । ତୋ ଘଡ଼ିକ ତୁ କସରତ୍ କରିବାକୁ ଆସିଛୁ, ତା ଘଡ଼ିକି ବିତିଗଲେ ତୋ ସ୍ଥାନ ପୂରଣ କରିବା ପାଇଁ ତୋର ଅସଲ ମାଲିକ ବ୍ୟବସ୍ଥା ଅବଶ୍ୟ କରିବେ । ତୋର ଏଥିପାଇଁ ଏତେ ପରିସ୍ରାପୋଡ଼ା କାହିଁକି ରେ ? ମୁଁ ଅହର୍ନିଶ ସଂସାରର ରୀତି ନୀତି ଦେଖୁଛି; ଏ ଦୁନିଆରେ ମୋ ଆଖି ଆଗରେ ଶତ ଶତ ଶିକ୍ଷଣୀୟ ଘଟଣା ଦେଖୁଛି; ନୀତି-ଉପଦେଶପୂର୍ଣ୍ଣ ଶତ ଶତ ପୁସ୍ତକ ପାଠ କରୁଛି; ସଂସାରରୁ ଟିକେ ତଫାତ୍ ହୋଇ ରହି କର୍ତ୍ତବ୍ୟକାର୍ଯ୍ୟ ସମ୍ପାଦନ କରିବାପାଇଁ ପୁଞ୍ଜା ପୁଞ୍ଜା ଶ୍ଳୋକ କଣ୍ଠସ୍ଥ କରୁଛି ଓ ଶହ ଶହ ଲୋକଙ୍କୁ ପୋଥି ପାଠରୁ ସଦୁପଦେଶ ଦେଇ ମୋର ପାଣ୍ଡିତ୍ୟ ଦେଖାଉଛି । ତଥାପି ମୋ ନିଜର କାର୍ଯ୍ୟ କରିବା ବେଳ ଉପସ୍ଥିତ ହେଲାକ୍ଷଣି ଏ ସବୁ କେଉଁଆଡ଼େ ପାସୋରି ପକାଉଛି ! କିମାଶ୍ଚର୍ଯ୍ୟମତାପରଂ ? ଏହିଗୁଡ଼ିକ ମନକୁ ବୁଝାଇବା ପାଇଁ ମୋ ଅବୁଝା ମନକୁ ଅବାଟରୁ ବାଟକୁ ଆଣିବା ପାଇଁ ‘ଆମ ଘରର ହାଲଚାଲ’ର କଳ୍ପନା ।
(୨୦ଶ ଭାଗ/ ୧୩୨୪/ ୩ୟ ସଂଖ୍ୟା)
ମୋର ନିଜର ‘ସ୍ୱରୂପ’ ମୋତେ ଯାହା ଜଣା, ସଂସାରରେ ଅତି ଅଳ୍ପ ଲୋକ ତାହାର ସାକ୍ଷାତକାର ଲାଭ କରିଅଛନ୍ତି । ସେ ସ୍ୱରୂପଟା କାଚ ଘଟାଟୋପ ଭିତରେ ପୂରାଇ କଳା କଳା ପରଦା ଦେଇ ପଦା ହାଉଆ ତହିଁରେ ଯେପରି ନ ଲାଗେ, ସେହିପରି ଅତି ଯତ୍ନରେ ତାକୁ ମୁଁ ଦିନ ରାତି ଘୋଡ଼ାଇ ରଖିଥାଏଁ । ବେଳେ ବେଳେ ସେ ଆଲମାରିର ଚାବିଟା ମୋ ଗରହୁସିଆରି ବଖତରେ ୟା ତା ହାବୁଡ଼ରେ ପଡ଼ିଗଲେ ତାକୁ କେହି କ୍ୱଚିତ୍ ଦେଖନ୍ତି, କିନ୍ତୁ ସେ ପିତୁଳାଟିକୁ ଓଲଟ ପାଲଟ କରି ସମସ୍ତେ ଦେଖିବାକୁ ତର ପାନ୍ତି ନାହିଁ । କେହି ଯେବେ ଲୁଚା ଚୋରା କରି ଗୁମର ଦେଖନ୍ତି,, ତାହା ପଦାରେ ପ୍ରକାଶ କରିବା କାଠିକର ପାଠ । କାରଣ ତାହାହେଲେ ପ୍ରଶ୍ନ ଉଠିବ ଯେ, ‘‘କାଚ ଆଲମାରିର ଚାବି ତ ମୋ କମରରେ, ତୁମେ ସେ ଆଇନା ବାଡ଼ର କଳା ପରଦାର ପଛ ଆଡ଼ର ପିତୁଳାଟିକୁ ଦେଖିବ କେମିତି ?’’ ଅତଏବ ତୁମେ ସେ ପିତୁଳାଟିର ବିବରଣ ଦାଣ୍ଡରେ ବାହାର କଲାବେଳକୁ ତୁମ ନାମରେ ପ୍ରଥମ ଅଭିଯୋଗ– (୧) ପିଙ୍ଗଳକୋଡ଼ର ଅନଧିକାର ପ୍ରବେଶ ଲଗାଏତ ଚୌର୍ଯ୍ୟାପରାଧ ଓ (୨) ଅପବାଦ ଦଫା । ବିନା ମୋ ଘରଟି ମୁଁ ନ ଫିଟାଇଲେ ଆଇନର ବଡ଼ବାପାଙ୍କ ବାପା ମଧ୍ୟ ମୋ କାଚ ଆଲମାରିର କଳା ପରଦା ଟେକି ଦେଖିବାକୁ ଅସମର୍ଥ । ଯେବେ କେହି ଗିଲାଗୁଜାରିଆ କରି ଛପଟିଆ ମାରି ଦେଖେ ବା ଦେଖିବାକୁ ସୁବିଧା ପାଏ, ତେବେ ମଧ୍ୟ ମୋ ଆଲମାରିର Contents ର (ମଧ୍ୟସ୍ଥଳସ୍ଥ ସରଞ୍ଜାମ) ସ୍ୱରୂପ ସମ୍ୱନ୍ଧରେ ପ୍ରମାଣାଭାବ ।
ଏଥିପାଇଁ ଦେଖୁଛି ଯେ, ଅନେକ ଲୋକ ଜାଣୁଛନ୍ତି ଯେ, ମୋ କାଚ ଆଲମାରିର କଳା ‘କନାଟିବାଡ଼’ ପଛଆଡ଼େ ବିକଟାଳ ଅସ୍ଥିକଙ୍କାଳମାଳା, କଥାପି ମୋ ସାମନାରେ ସେ କଥା କହିବାକୁ ଦୁନିଆରେ ଅତି ଅଳ୍ପ ସଂଖ୍ୟକ ଲୋକଙ୍କର ସାହସ ବା ପ୍ରମାଣ ଉପସ୍ଥିତ ।
ତୁମେ ଜାଣୁଛ ଯେ, ମୁଁ ପାଜି, ଜୁଆଚୋର, ପରାନିଷ୍ଟକାରୀ ଇତ୍ୟାଦି, ଇତ୍ୟାଦି; କିନ୍ତୁ ମତେ ଭେଟିବା ମାତ୍ରକେ ନମସ୍କାର, ବଚସ୍କାର, ପୁରସ୍କାର, ପରିଷ୍କାର ଇତ୍ୟାଦି ଇତ୍ୟାଦି ଇତ୍ୟାଦି ସାଉଁଳିଆ ସମାଜବୋଧିଆ ସମ୍ୱୋଧନରେ ମତେ ସନ୍ତାପିତ କରୁଅଛ । କାରଣ ଅସଲ କଥାଟା ତୁମେ ମୋ ଆଗରେ କହିଲେ ତାହା ବିଚ ବଜାର ଦାଣ୍ଡ ମଝିରେ ପ୍ରମାଣ କରାଇବା ପାଇଁ ତୁମ୍ଭଙ୍କୁ ଆଚ୍ଛା ପଟାଏ ଲଣ୍ଡଭଣ୍ଡଆରେ ପଡ଼ିବାକୁ ହେବ । ଏଥିପାଇଁ ‘‘ମହାଶୟ, ମହାଭାଗ, ଧର୍ମାବତାର, ଖୋଦାଏନ୍ଦ, ପ୍ରିୟବର’’ ଇତ୍ୟାଦି ସମ୍ୱୋଧନର ସୃଷ୍ଟି । ଜାଣୁଛ ଯେ, ମୁଁ ଅଧର୍ମ ଦେବତାଙ୍କର ସରଦାର ଖାନସମା, ତଥାପି ମତେ ସମ୍ୱୋଧନ କରୁଛ, ‘ଧର୍ମାବତାର ।
ଏ କଥା ବେଶି ଧରାପଡ଼େ ଓକାଲତି ଓ ମୁକ୍ତାରି ପେଷାରେ । ଆମ୍ଭେମାନେ ପେଟ ବିକଳରେ ପର ବୁଜୁଳା ନେଇ ବାର ଦୁଆର ହେଉଁ । ଏ କଥା ଅଳ୍ପ ବହୁତ ସମସ୍ତେ ଜାଣନ୍ତି । ପର ପୁଅକୁ ପର ପୁଅ ମାଇଲା । ଆଚ୍ଛା ଯା ଚାଲିଯା ସିଧାଏ ସିଧାଏ ଓକିଲ ମୁକ୍ତାରଙ୍କ ପାଖକୁ, ନଇଲେ ଓକିଲ ମୁକ୍ତାରଙ୍କ ପାଖକୁ ବାଟ କଢ଼ାଇବା ବାଟମାରଣାଙ୍କ ପାଖକୁ । ଯେ ବିଧାଟିଏ ଖାଇ ଆସିଥାଏ, ସେ ଫେରି ଆସି ଆମ ମହକୁମାରେ ଦଣ୍ଡବତି ଟଙ୍କାଟିଏ ଥୁଏ । ସେଇକ୍ଷଣି ପର ପୁଅର ଦୁଃଖ କାହାଣୀ ଧାତୁ ଆକାରରେ ଆମ ସାମନାରେ ପହଞ୍ଚିବା ମାତ୍ରକେ ଆମ ହୃଦ ଭିତରର ଫୁଲବୁକୁ ଫଗୁଆ ମା ଗଉଡ଼ୁଣୀର ପସରାରେ ଥିବା ଅଉଲ ନମ୍ୱରର ଗୁଆ ଲହୁଣି ଭଳିଆ କଅଁଳ ଗାଧୁଆ ବେଳ ହେବା ମାତ୍ରକେ ତରଳିଯାଏ ଓ ଆମ ନିଜ ପୁଅଙ୍କର ଅର୍ଶ ବେମାରି ହେଲେ ଆମ ମନଟାକୁ ଯେତେ ବାଧି ନ ଥାଏ, ପର ପୁଅର ଦୁଃଖରେ ମନଟା ତହୁଁ ଅଧିକ ଗୋଳେଇ ଘାଣ୍ଟି ହୁଏ-।
(ନୋଟ୍– ଓଃ ! ପାଠକ ଅବଧାନ । କଲମ ଧରି ଗରହୁସିଆରରେ କେତେବେଳେ କଣ କାଣ୍ଡିଏ ପ୍ରସ୍ରାବକ ଲେଖନରୁ ବାହାରି ପଡ଼ିଲେ ଲେଖକକୁ କେତେ କାଲୁବାଲୁ ହେବାକୁ ପଡ଼େ-! ଲେଖୁ ଲେଖୁ ପୁଅଙ୍କ ବେମାରି କଥା ଲେଖି ହୋଇଯିବା ମାତ୍ରେ ଆପଣମାନେ ଏଥିର ବୁଝଟ ଫର୍ଦ୍ଦ ପାଇଁ ଆଖି ତରାଟି କରି ବସି ସାରିଲେଣି ! ପର ବୁଜୁଳା ବାନ୍ଧି ଦାଣ୍ଡକୁ ବାହାରିଲେ ଆପଣା ନିଜ ବୁଜୁଳାର ଖବର ଦସ୍ତୁର ମୁତାବକ ନେବାର ଆବଶ୍ୟକ ହୋଇପଡ଼େ । ଏଥିପାଇଁ ପରକଥା କହୁ କହୁ ଘର କଥା ବାହାରିପଡ଼େ । ଲେଖକ ନିଜ ଅନୁଭବରୁ ମଧ୍ୟ ଦେଖିଛି ଯେ, ‘‘ଦୁନିଆର ହାଲ୍ଚାଲ୍’’ ଫିଟାଇବାକୁ ପଡ଼ୁଛି । ହେଉ, କଅଣ କରାଯାଏରେ ବାପା ! ଅନ୍ୟ ବେମାରି କଥା ନ କହି ଅର୍ଶ ବେମାରି କଥାଟା ମନେ ପଡ଼ିବାର କାରଣ ଅଛି ।
ଅର୍ଶ ବେମାରିଟା ଗୋଟାଏ ପୈତୃକ ଓ ମିତାକ୍ଷରା ଶାସ୍ତ୍ରାଧୀନ ପରିବାରର ଇଜିମାଲି ସମ୍ପତ୍ତି । ଅର୍ଥାତ୍ ପିତାଙ୍କର ବା ପିତାମହଙ୍କର ସେ ବେମାରିଟି ଥିଲେ ପରବର୍ତ୍ତୀ ପୁରୁଷଙ୍କର ଦେହରେ ତାହା ବିକାଶ ପାଇବା ସ୍ୱାଭାବିକ । ଇମିତି କେତେ ଗୁଡ଼ିଏ ରୋଗ ଅଛି, ଯଥା:- ବାତଜ୍ୱର ଓ ତାଙ୍କର ଅର୍ଦ୍ଦଳୀ ନାନା ସ୍ଥାନର ଆୟତନ ଓ ଘନଫଳ ବୃଦ୍ଧ, ଅପସ୍ମାର, ଶ୍ୱାସ ଇତ୍ୟାଦି । ଯୋଗକୁ ଲେଖକଙ୍କର ଅର୍ଶଟି ବଂଶଗତ ଓ ପୈତୃକ ସମ୍ପତ୍ତି । ଦାୟଭାଗର ପୈତୃକ ସମ୍ପତ୍ତି ପିତାଙ୍କ ଅନ୍ତେ ପୁଅ ପାଏ । କିନ୍ତୁ ମିତାକ୍ଷରା ଶାସ୍ତ୍ରାଧୀନ ପରିବାରରେ ପୈତୃକ ସମ୍ପତ୍ତିରେ ଜନ୍ମକାଳରୁ ପୁତ୍ର ପିତାଙ୍କ ସଙ୍ଗେ ହିଂସାଦାର ହୁଏ ଏବଂ ପିତାଙ୍କ ମୃତ୍ୟୁପରେ ପିତାଙ୍କ ହିଂସାକୁ ସରଭାଇଭର ଅର୍ଥାତ୍ ମୃତପିତୃକ ଉତ୍ତରାଧିକାରୀ ପୁତ୍ର ପାଏ । ଏପରି ବଂଶରେ ବାପେ ବଞ୍ଚି ଥାଉଁ ଥାଉଁ ଅର୍ଥାତ୍ ପୁଅର ନାବାଲଗ ନ ଯାଉଣୁ ଅର୍ଶରୋଗ ପୁଅଙ୍କଠାରେ ଦେଖାଦିଏ । ଲେଖକ ନିଜେ ସେହି ରୋଗ ଭୋଗି ସେ ରୋଗର ଜ୍ୱାଳା ଯନ୍ତ୍ରଣା ଉତ୍ତମରୂପେ ବୁଝିଛି । ଏପରି ସ୍ଥଳରେ ପୁଅଙ୍କୁ ସେ ରୋଗ ହେବା ମାତ୍ରକେ ପୁତ୍ର କି କଷ୍ଟ ପାଉଛି; ତାହା ବୁଝିବାକୁ ଲେଖକକୁ ଜାଣିବାକୁ ବାକି ରହେ ନାହିଁ । ଅନ୍ୟ କୌଣସି ସ୍ୱ-ଅନୁଭବ ବହିର୍ଭୂତ ରୋଗରେ ପୁଅ ପଡ଼ିଲେ ବାପେ କେବଳ ଅନୁମାନ ଅର୍ଥାତ୍ ଅନ୍ଦାଜି ଉପରେ ବିଶ୍ୱାସ କରି ପୁଅଙ୍କ କଷ୍ଟ ବୁଝି ନିଅନ୍ତି । କିନ୍ତୁ ନିଜ ଅନୁଭବ-ସିଦ୍ଧ ଅର୍ଶ-ରୋଗରେ ପୁଅ ଆକ୍ରାନ୍ତ ହେଲେ ସେ ଜ୍ୱାଳାର କରାମତ ବାପଙ୍କୁ ବୁଝାଇବାପାଇଁ ମାଧବକରେ ଖୋଜା ପଡ଼ନ୍ତି ନାହିଁ-। ଏପରି ସ୍ଥଳରେ ମୁଁ ନିଜେ ଦେଖିଅଛି ଯେ, ପୁଅକୁ ଅର୍ଶରୋଗ ଆକ୍ରମଣ କରିବାର ଦେଖି ମୋ ମନ ଯେତେ ବ୍ୟସ୍ତ ହୋଇ ନ ଥିଲା ବା ନ ହୁଏ, ପର ପୁଅ ମୋ ପାଖକୁ ମାଲି-ମୋକଦ୍ଦମା ପାଇଁ ଆସିଲେ ମୋ ମନଟା ଖଡ଼େଦମ୍ ପିଚୁତାର ଭଳିଆ ପିଗିଲି ଯାଏ । ପାଠକ ଅବଧାନ ! ବର୍ତ୍ତମାନ ବୁଝିବା ହେଲେ ତ, କାହିଁକି ପରକଥା କହୁ କହୁ ଘର କଥା କଲମରୁ ବାହାରି ପଡ଼ିଲା ? ଇତି-।)
ମୁଁ ନିଜେ ଅନୁଭବରୁ ଦେଖିଅଛି ଯେ, କୌଣସି କୌଣସି ହାକିମ ଗଧଡ଼୍ ଭଙ୍ଗଡ଼, ଚଷଡ଼, ଫସଡ଼, ଅଣ୍ଟାଖୋସଡ଼ ଇତ୍ୟାଦି ବିଭୂଷିତ ହୋଇ ମିସଲ ଜମାଇ ବସିଥାନ୍ତି । ଆମେ ମକ୍ଳେଲର ଜୀବନନାଟିକାଟିମାନ ଧରି ତାଙ୍କ ହଜୁରରେ ହାଜର ହୋଇ ଆମର ପଦ୍ମତୋଳା ‘ବୋଲି’ ଆରମ୍ଭ କରୁ– ଢମଣାଙ୍କୁ ଗୋଖରଙ୍କ ମନ୍ତ୍ର କାଫିବ କାହୁଁ ?
‘‘ସାପ, ଗିଧଡ଼, ହାକିମ, ହଡ଼ା
ନାଚନ୍ତି ପାଇଣ ଲାଙ୍ଗୁଡ଼ ମୋଡ଼ା !’’
ଏମିତି ଗୋଟାଏ ଆଧୁନିକ ଘଟଣାମୂଳକ ଢଗର ଅନୁସରଣ କରି ଆମେ ତାଙ୍କ ଲାଞ୍ଜକୁ ମିସଲର କଡ଼ପଟ ବାଟେ ଦାଉ ଦେଖି ଟିକିଏ ଆଉଁସି ଦେଉଁ:– (‘‘Your Honour ! (ଅର୍ଥାତ୍ ହେ ହଜୁରଙ୍କ ଅନ୍ତରାତ୍ମାରେ ବିରାଜମା କରୁଥିବା ‘ସତ୍’ ପଦାର୍ଥ !) ହଜୁରଙ୍କ ଠାରୁ ବଳି ସଂସାରରେ କେହି ନାହିଁ ।’’
‘‘ଧର୍ମାବତାର (Your Honour ମକଦମାର କୁଲ ହାଲଟା ଠିକେ ଠିକେ ଯାହା ବୁଝି ନେଲେଣି, ଆମେ ଗମାର ଏତେ ମେହେନତ୍ କରି ତହିଁରୁ କାଣିଚାଏ ବୁଝି ପାରି ନାହୁଁ ।’’
‘‘ହଜୁରଙ୍କର ବହୁକାଳ ବ୍ୟାପୀ ମୂଲ୍ୟବାନ୍ ଅନୁଭବକୁ ‘(Your Honours extensive and valuable experience ଆମ୍ଭେ (ମକ୍କେଲ ପକ୍ଷରୁ) ସନିର୍ବନ୍ଧ ଆବାହନ (appeal) କରୁଅଛୁ ।’’
‘‘ଶ୍ରୀ ଧର୍ମାବତାର ଆଇନର ସନ୍ଧି ବିସନ୍ଧି (the hair-splitting intricacies of the law) ଓ ଆଇନ କର୍ତ୍ତାଙ୍କ ଗୃଢ଼ ଉଦ୍ଦେଶ୍ୟ (the inmost intention of the Legislature) ଯାହା ଉଆକବକାର ଅଛନ୍ତି, ଅଧୀନ ସେଥିରୁ ଶତାଂଶ ସୁଦ୍ଧା ଜାଣେ ନାହିଁ ।’’
‘‘ଶ୍ରୀ ହଜୁରଙ୍କ ଆଗରେ ଗୁଡ଼ାଏ ଗପ ପପି ହଜୁରଙ୍କର ମୂଲ୍ୟବାନ୍ ସମୟ ନଷ୍ଟ କରିବାକୁ ଅଧୀନ ଚାହେ ନାହିଁ । (I do not like to waste your Honour valuable time by irrelevant talk)’’
‘‘ଧର୍ମାବତାର ଗରିବର ମା ବାପ, ଅଧୀନ ଦେଖି ପାରୁଛି ଯେ, ମୋ ମକ୍କେଲର ସାତ ପୁରୁଷଙ୍କ ବହୁ ଭାଗ୍ୟରୁ ଆଜି ମୋ ମକ୍କେଲର ବିଚାର ଶ୍ରୀ ହଜୁରଙ୍କ ନିରପେକ୍ଷ ଓ ଅନୁଭବୀ ଇଜ୍ଲାସକୁ ଆସିଅଛି । ‘‘It is the ulter good fortune of my client that his case is now before an impartial and experienced Court like your Honour’’ ‘‘ହଜୁର ଧର୍ମର ବିଲଫଏଲ ଅବତାଲ ଅର୍ଥାତ୍ ‘‘ତୁ ନାଥ ପରମ ଦୟାଳୁ– ବୁଝି ପାରୁଛୁ ଖମ୍ୱଆଳୁ ।’’
ଏହିପରି ସବୁ ବଛା ବଛି ଗାରିଡ଼ିମନ୍ତ୍ର ଆବୃତ୍ତି କରୁ କରୁ ମକ୍କେଲର ଧର୍ମବଳ ବଳିଆର ଥିଲେ ଏଥିରୁ କାଣ୍ଡିଏ ଖଣ୍ଡେ ଗୋଖର ଗନ୍ଧ ଲାଗିଥିବା ହାକିମଙ୍କ ଲାଙ୍ଗୁଡ଼ରେ ଲାଗିଥାଏ-। ଦେବତା ନିଜର ସମ୍ମାନ ସାଧାରଣଙ୍କ ଚକ୍ଷୁରେ ଏତେ ଉଚ୍ଚ ଥିବାର ଭାବି ହିଂସାଚିପୁଡ଼ା ମୁରୁକିହସା ମାରି ମକ୍କେଲର ମକଦମାର କନ୍ଦି ବିକନ୍ଦି ପଶିବାକୁ ଝଡ଼ିଝୁଡ଼ି ହୁଅନ୍ତି ଓ ବିରାଡ଼ି ଯେପରି ଶିକାର ଦେଖି ଫୁଲେ ସେହିପରି ଫୁଲନ୍ତି ।
ସେଥିରୁ ମକଦମାର ହାଲଚାଲ, ପ୍ରମାଣର ଅବତାରଣା, ସାକ୍ଷୀ ଜବାନବନ୍ଦି, ଦଲିଲ ପ୍ରମାଣ, ଜବାବସୁଆଲର ଢେଉ ଉଠେ । ହାକିମ କେତେବେଳେ ରାମ୍ପନ୍ତି, କେତେବେଳେ କମ୍ପନ୍ତି, କେତେବେଳେ ଶମ୍ପନ୍ତି, କେତେବେଳେ ଝାମ୍ପନ୍ତି, କେତେବେଳେ ଲମ୍ପନ୍ତି, କେତେବେଳେ ଖୁମ୍ପନ୍ତି ଏହିପରି ନାନା ପ୍ରକାର ନିଜର ଅପରୂପ ମାଧୁରୀକୁ ଆମ ଆଗରେ ଫୁଟାନ୍ତି । ତାଙ୍କର ଆଇନଜ୍ଞାନ, ଅଭିଜ୍ଞତା, ମସ୍ତିଷ୍କରେ ଥିବା ମସଲାର କାଠିନ୍ୟ ଆଦି ସବୁ ଆମେ ଠଉରାଇ ନେଉଁ । ଯେନତେନ ପ୍ରକାରେଣ ଆମ ଫିସ୍ତକ କାନିରେ ବାନ୍ଧି (ଓଃ ! ରାମ ! ପାକିଟିରେ ପୂରାଇ) ଆମେ ଘରକୁ ଫେରୁଁ । ଆମ ମକ୍କେଲ ମହୁ ଚାଟିବା ଭଳି ମୁହଁ କରି ଘରକୁ ଫେରେ । ଆମେ କଚେରିରୁ ଫେରି ଘରେ ଆସି ପହଞ୍ଚିଲେ କିମ୍ୱା ଓକିଲଖାନାରେ ଗପ ପଡ଼ିଲେ ଯେଉଁ ହାକିମ ଆମ ସାଉଁଳିଆ ମର୍ଦନରେ ଲାଞ୍ଜ ଫୁଲାଇ ଥିଲେ, ତାଙ୍କର ଆମେ ଯେଉଁ ବର୍ଣ୍ଣନାଟା କରୁ, ଖୋଦ ହାକିମ ଯେବେ ସେଥିରୁ ପଣେ ଶୁଣୁଥାନ୍ତେ, ତାହାହେଲେ ତାଙ୍କର କେତେ ଚେତନା ପଶୁ ନ ଥାନ୍ତା ? କିନ୍ତୁ ତାଙ୍କୁ ସାମନାରେ କହୁଛି କିଏ ?
ହାକିମଙ୍କଠାରେ ଯେଉଁ ନିଶାପ ଖଟିଲା, ଆମଠାରେ ଯେ ତାହା ନ ଖଟିବ, ଏହା କିଏ କହିବ ? ସିଆଣା ମକ୍କେଲ ଆମ ପାଖରେ କନ୍ଦା କଟା କରି, ତା ପେଟରେ ଓଦାକନା, ପିଠିରେ ଚିରାକନା ପକାଇ ଆମଠାରୁ ଚଉକଷିଆ କାମ ନେଇ ସାରି ଆମ ଆଖିରେ ଧୂଳି ପକାଇ ଆମଙ୍କୁ ଫଳେ ପୁଷ୍ପେ ବୋଧସୋଧ କରିଦେଇ ଘରକୁ ଚାଲିଯାଏ । କିନ୍ତୁ ଗାଁରେ ପହଞ୍ଚି ଭାଗବତଘର ପିଣ୍ଡା କିମ୍ୱା କୀର୍ତ୍ତନ ଆଖଡ଼ା ବୈଠକ ବେଳେ ସେ ଆମର ଯେଉଁ ରୂପ ଓ ଗମାର ପଣିଆ ତା ଗାଁବାଲାଙ୍କ ଆଗରେ ଚିତ୍ର କରି ଠିଆ କରାଏ, ସେ ରୂପରୁ କାଣିଚାଏ ଯେବେ ଆମ ଦୃଷ୍ଟିଗୋଚର ହେଉଥାନ୍ତା, ତେବେ ଆମେ ନିଜେ କେତେ ପରିମାଣରେ ଚୈତନ୍ୟ ଲାଭ କରିଥାନ୍ତୁ । ଆମର ମଧ୍ୟ କେତେ ପର-ଘରବୁଡ଼ା ପ୍ରବୃତ୍ତି ଓ ଅଭ୍ୟାସ ଅଛି ।
ସେ କଥା ଆମଙ୍କୁ ମୁହେଁ ମୁହେଁ କହିବାକୁ ମକ୍କେଲ ବାଡ଼ାର ସାହସ କାହିଁ ?
ଅତଏବ ମୁଁ ଯେତେ ଏ ସଂସାରରେ ବୁଲୁଅଛି, ସେତିକି ଦେଖୁଅଛି ଯେ, ଆମେ ସମସ୍ତେ କୁହୁକରେ ମାତିଅଛୁ । ଆମ ପ୍ରତି ଲୋକେ କି ମତ ପୋଷଣ କରୁ ଅଛନ୍ତି ତାହା ବୁଝୁ ନାହିଁ, ବୁଝିବାକୁ ଚେଷ୍ଟା ମଧ୍ୟ କରୁ ନାହିଁ । ଆଜି ଏତିକିରେ ଥାଉ ।
(୨୧ଶ ଭାଗ । ୧୩୨୪ । ୪ର୍ଥ ସଂଖ୍ୟା)
ପାଠକ ଓ ଆଇନଜ୍ଞ ବ୍ୟକ୍ତିମାନେ ଓ ନିତାନ୍ତ ନିପଟି ମଫସଲର ଚଉକିଦାର, ଦଫାଦାର, ପ୍ରେସିଡ଼େଣ୍ଟ, ସାଧାରଣ ପଞ୍ଚାଏତ, ଜମିଦାରଙ୍କ ତହସିଲଦାର, ଛାମୁକରଣଠାରୁ ଆରମ୍ଭ କରି ଜମିଦାରଙ୍କ ପିଆଦା ଓ ହଳିଆ ପର୍ଯ୍ୟନ୍ତ ସମସ୍ତେ ଚୋରିର ସଂଜ୍ଞା ଉତ୍ତମରୂପେ ଜାଣନ୍ତି । ଏଥିର ସଂଜ୍ଞା ଜ୍ଞାନ ପାଇବା ମାତ୍ରକେ ମନୁଷ୍ୟ ଜାତି ସ୍ୱତଃ ଜାଣିଯାଏ ଓ କଥାରେ କହନ୍ତି, ‘ଚୋରକୁ ମାଡ଼’ ଦେବା କଥା କେହି କାହାକୁ ବତାଇ ଦିଏ ନାହିଁ । ପଧାନ ବାପୁଡ଼ାର ବାଡ଼ିରେ ରାଉତପୁଅ ପଶିଛି, ରାଉତପୁଅ ଧରା ପଡ଼ିଗଲା– ଦିଅ ତା ଉପରେ ଦୁଇପୁଞ୍ଜା ପଚିଶିପଳିଆ ଥୋଇ । ରାଉତପୁଅର ହାରିଗୁହାରି କେହି ନାହିଁ । ଆଚାର୍ଯ୍ୟଙ୍କ ବାଡ଼ିଆଡ଼ଟାକୁ ତିହାଡ଼ିଏ ସନ୍ଧ୍ୟା ପରେ ତାଙ୍କର ଆପଣାର ସଦର ଦରଜା ବୋଲି ସିଦ୍ଧାନ୍ତ କରି ସେହି ସିଦ୍ଧାନ୍ତକୁ କାର୍ଯ୍ୟରେ ପରିଣତ କରିଅଛନ୍ତି; ଆଚାର୍ଯ୍ୟେ ଆପଣେ ସାନ୍ତରାଙ୍କ ଘରକୁ ନିତି ପୁରାଣ ବୋଲିବାକୁ ଯାନ୍ତି– ତେଣୁ ରାତି ପହରକଠାରେ ଘରକୁ ଫେରିଆସି ଖଞ୍ଜାରେ ପଶି ମରଦ ପୁଅର ଦିହର ଗନ୍ଧ ବାରି ହଲା କରନ୍ତି । ହଲା ଶୁଣି ସାଇ ପଡ଼ିଶାଏ ଆଚାର୍ଯ୍ୟଙ୍କ ଖଞ୍ଜାରେ ରୁଣ୍ଡ ହୋଇ ଦରଣ୍ଡା ଦରଣ୍ଡି କରି ତିହାଡ଼ିଙ୍କୁ ଧରପଗଡ଼ କଲା ମାତ୍ରକେ ଗାଁ ବାଲାଙ୍କ ବାଡ଼ି, ପାଞ୍ଚଣ, ହାତ, କହୁଣି, ଆଙ୍ଗୁଠି, ଗୋଡ଼ ସମସ୍ତେ ତିହାଡ଼ିଙ୍କ ଅବୟବର ଯଥୋପଯୁକ୍ତ ଅଙ୍ଗପ୍ରତ୍ୟଙ୍ଗ ଓ ତ୍ୱକ, ଘ୍ରାଣ, ଶ୍ରବଣାଦି ଇନ୍ଦ୍ରିୟମାନଙ୍କ ସଙ୍ଗେ ପ୍ରାଜାପତ୍ୟ ଓ ଗାନ୍ଧର୍ବାଦି ସମ୍ପର୍କ ସ୍ଥାପନ କରିଦିଅନ୍ତି । ଏ ସମ୍ବନ୍ଧ ସ୍ଥାପନ ପାଇଁ ଘଟକ ବ ଉପଦେଶକ ଦରକାର ହୁଏ ନାହିଁ । କେହି କାହାକୁ କହିବାକୁ ହୁଏ ନାହିଁ, ଅଥଚ ତ୍ରିପାଠୀ ମହାଶୟ ପଞ୍ଚୋପଚାର ଓ ଷୋଡ଼ଶୋପଚାର ପୂଜାର ମାଧୁର୍ଯ୍ୟ ଓ ମିଷ୍ଟତା ଉପଲବ୍ଧି କରୁ କରୁ ତାଙ୍କ ଆଖି, କାନ, ନାକ ଆଦି ସବୁ ବହିରିନ୍ଦ୍ରିୟଯାକ ବୁଜି ହୋଇଯାଏ । ଏଥିପାଇଁ କହିଲି ଯେ, ‘ଚୋରି’ କଣ, ‘ଚୋରି’ କିଏ ଓ ‘ଚୋର ପାଇଁ କଣ ପଥ୍ୟ’ ଏ କଥା କେହି କାହାକୁ ବତାଇ ଦିଅନ୍ତି ନାହିଁ । ଅଥଚ ଜଣ ଜଣ କରି ଧରି ପଚାର, ଚୋରିର ସଂଜ୍ଞା କହ, ପ୍ରଶ୍ନ ଶୁଣିଲା ମାତ୍ରକେ ସମସ୍ତେ ପହିଲେ ହାଉଳି ଖାଇଯିବେ । ଏ ସମସ୍ୟା ପୂରଣ କରିବା ନିମନ୍ତେ ସରକାର ଆଇନ ବହି କରି ସେଥିରେ ଚୋରି ଚମାରି, ଜୁଆଚୋରି, ଜବରାନି, ଜନାକାରି, ଜଳଡ଼ୁବି, ମଣିଷମାରୁ, ବାଟମାରୁ ଆଦି ନିତ୍ୟ ପ୍ରତ୍ୟକ୍ଷ ଘଟନାମାନଙ୍କ ସୀମା ବାଉଣ୍ଡରି ମାପ କଲା ଭଳି ନିରୂପଣ କରି ଦେଇଅଛନ୍ତି । ଉପସ୍ଥିତ ବିଷୟର ଆଲୋଚନା ଉପଲକ୍ଷରେ ଏଠାରେ ‘‘ଚୋରୀ’’ର ସରକାରୀ ସଂଜ୍ଞା ଦିଆଗଲା; ତାହା ଏହି-:–
‘‘Whoever intending to take dishonestly any moveable property out of the possession of any person without that person’s consent, moves that proprety in order to such taking is said to commit theft,’’
ଏଥିର ତରଜମା ଏହି:– ଯେ କେହି ଆସାମୀ କାହାର ବେଆଇନ ଲାଭ କିମ୍ୱା କାହାର ବେଆଇନ କ୍ଷତି କରିବା ଅଭିପ୍ରାୟରେ କୌଣସି ଚଳନ୍ତି ସମ୍ପତ୍ତିକୁ ଉକ୍ତ ସମ୍ପତ୍ତିର ତାତ୍କାଳିକ ଦଖଲକାରର (ବା ଜିମାଦାରର) ବିନା ଅନୁମତିରେ ତାହାର ଦଖଲରୁ ନେଇଯିବା ଅଭିପ୍ରାୟରେ ଉକ୍ତ ପଦାର୍ଥକୁ ସ୍ଥାନାନ୍ତର କରେ, ତେବେ ଉକ୍ତ ଆସାମୀ ଚୋରି ଅପରାଧ କଲା ବୋଲି ବୋଲାଯିବ । ଗୋଟିଏ ଘଟନା ଉଦାହରଣ ଦେଲେ ଏ ସଂଜ୍ଞାଟା ଖୋଲା ହୋଇଯିବ । ତୁମେ ଅଳସୁଆ, ତୁମେ କୃପଣ, ତୁମେ ଦିହସଞ୍ଚା, ଏଥିପାଇଁ ତୁମ ବାଡ଼ିଖଣ୍ଡେ ପଡ଼ିଆ ରଖିଛି । ଅଥଚ ମୁଁ ଦିହ ମିହନ୍ତ କରି ଓ କଉଡ଼ି ଖରଚ କରି ଓ ମୂଲ ଲଗାଇ ମୋ ବାଡ଼ିଖଣ୍ଡିକ ବୁଜି ସେଥିରେ ଡେଙ୍ଗା କୋଶଳା ପଟାଳିଟାଏ କରିଛି । ସେ କୋଶଳା କିଆରି ଦେଖି ତୁମ ପାଟି ପାଣେଇଲା । ତୁମେ ବିନା ଖରଚା ଓ ବିନା ମିହନ୍ତରେ ଆପଣା ଜିହ୍ୱାଲାଳସାକୁ ବୋଧ କରିବା ଉଦ୍ଦେଶ୍ୟରେ (ଏହାକୁ ହିଁ ଆଇନ ଭାଷାରେ କହନ୍ତି– Dishonest intention ଅର୍ଥାତ୍ ତୁମର ବେଆଇନ ଲାଭ କରିବା ଓ ମୋର ବେଆଇନ କ୍ଷତି କରିବା ଉଦ୍ଦେଶ୍ୟ) ମୁଁ ଦାଣ୍ଡ ଆଡ଼କୁ ଯାଇଥିବାର ସୁଯୋଗ ପାଇ ମତେ କିମ୍ୱା ମୋ ଅନୁପସ୍ଥିତିରେ ମୋ ଘରେ ଥିବା ପ୍ରାଣୀଙ୍କୁ ନ କହି (ଏହାକୁ ଆଇନର ଭାଷାରେ କହନ୍ତି– Without the consent of the person in possesion ଅର୍ଥାତ୍ ତାତ୍କାଳିକ ଦଖଲକାରତ ବିନାନୁମତିରେ) ମୋ କୋଶଳା କିଆରିଟିକୁ ପଦା କରି ମୋ ଘର ବାଡ଼ିର ସୀମାରୁ କିମ୍ୱା ମୋ କୋଶଳାପଟାଳିର ହିଡ଼ରୁ କୋଶଳାଶାଗତକ ନେଇ କିମ୍ୱା ନେବାର ସମସ୍ତ ଆନୁସଙ୍ଗିକ ଆୟୋଜନ କଲ । ତେବେ ତୁମେ ସରକାରୀ ପିଙ୍ଗଳକୋଡ଼ (Penal Code)ର ୩୭୯ ଦଫା (ଚୌର୍ଯ୍ୟାପରାଧ) ମୁତାବକ କାର୍ଯ୍ୟ କରିଅଛ ବୋଲି ବିବେଚିତ ହେବ ।
ଅଥଚ ଗାଁରେ ଆବାଳବୃଦ୍ଧବନିତାଙ୍କୁ ପଚାର, ସମସ୍ତେ ଏକମୁଖରେ କହିବେ ଯେ, ଅମୁକ ଲୋକ ମତେ ନ କହି ମୋ ବାଡ଼ିରେ ପଶି ମୋ କୋଶଳାତକ ନେଲାରୁ ସେ ଚୋରି କଲା, ଏଥିରେ ପଚାରିବାର ବୁଝିବାର କିସ ଅଛି ? ଅତଏବ ଦେଖାଗଲା ଯେ, ମୋ ଜିନିଷ ଯେବେ ପରପୁଅ ମତେ ନ କହି ନେଲା, ତାହାହେଲେ ଏ ହେଲା ‘ଚୋରି’ ଏବଂ ନେବା ବ୍ୟକ୍ତି ହେଲା ‘ଚୋର’ ଏବଂ ତାକୁ ଉପଯୁକ୍ତ ସମ୍ବର୍ଦ୍ଧନା ‘ଆଗେ ମାଡ଼ ପଛେ ବିଚାର’ । ସାଧାରଣରେ ଚୋରି ଅର୍ଥରେ ଏହି କଥା ବୁଝାଯାଏ । କିନ୍ତୁ ଆପଣା ଜିନିଷକୁ ଆପେ ନେଲେ ‘ଚୋରି’ ହେବ– ଏକଥା ଯେବେ କାହାକୁ କହିବ, ତେବେ ଏହା ଶୁଣି କେହି କେହି ପ୍ରଥମେ ହସିବେ, କହିବେ, ‘‘ଆପଣା ଜିନିଷ ଆପେ ନେଲେ ତାହା ଚୋରି ହେବ କିପରି ?’’ ଆଇନରେ ମଧ୍ୟ ଏପରି ଚୋରିର ଉଦାହରଣ ଅଛି । ମନେ କର, ମୁଁ ମୋ କଂସା ଖଣ୍ଡକ ତୁମ ପାଖରେ ବନ୍ଧା ପକାଇ ତୁମଠାରୁ କିଛି କଉଡ଼ି ବାଏ କରିଛି । ତୁମର ମୋ ଉପରେ ସେହି ବାବଦରେ ଯାହା ପାଉଣା ହେଲା, ତାହା ମୁଁ ପରିଶୋଧ କରିନାହିଁ, ଅଥଚ ଦିନେ ଦେଖିଲି ଯେ, ତୁମ ଦାଣ୍ଡ ଦୁଆର ଦରମେଲା ହୋଇଛି ଓ ଦାଣ୍ଡଘରେ କେହି ନାହିଁ, ସେ କଂସା ଖଣ୍ଡିକ ତୁମ ଦାଣ୍ଡଘର ଘୋଡ଼ଚି ଉପରେ ଥୁଆ ହୋଇଛି, ଏ ସୁଯୋଗ ପାଇ ତୁମର ପ୍ରାପ୍ୟତକ ଫାଙ୍କିଦେବା ମତଲବରେ ମୁଁ ତୁମ ଘରେ ପଶି ତୁମ ଅନୁପସ୍ଥିତିରେ କାହାକୁ କୁହାପୁଛା ନ କରି ମୋର ସେହି କଂସା ଖଣ୍ଡିକ ଉଠାଇ ନେଇ ଚମ୍ପଟ ଦେଲି-। ମୋରି କଂସା ମୁଁ ନେଲି, ଅଥଚ ଏହା ‘ଚୋରି’ ହେଲା । କାରଣ ମୋ ଜିନିଷକୁ ମୁଁ ନେବା ଦ୍ୱାରା ମୁଁ ତୁମର ବେଆଇନ କ୍ଷତି କରିବି ଅର୍ଥାତ୍ ତୁମର ମୋ ଉପରେ ଥିବା ବନ୍ଧକ ବାବଦ ପାଉଣା ତୁମଙ୍କୁ ଫାଙ୍କିଦେବି ବୋଲି ମୋର ଉଦ୍ଦେଶ୍ୟ ଥିବାରୁ ଏହା ‘ଚୋରି’ ବୋଲି ଧରାଗଲା । ଅନେକ ସମୟରେ ଦେଖାଯାଏ ଯେ, ସାଧାରଣ କଥାଭାଷାରେ ଆମେ କେତେକ ସ୍ଥଳରେ ‘ଚୋରି’ ଶବ୍ଦ ବ୍ୟବହାର କରୁଁ, କିନ୍ତୁ ଆଇନ ଅନୁସାରେ ତାହା ‘ଚୋରି’ ସଂଜ୍ଞାରେ ପଡ଼ିବ ନାହିଁ । ଗାଈଟିଏ ଏଡ଼େ ପହ୍ନା କାଢ଼ିଛି, ଅଥଚ ତାକୁ ଦୁହିଁଲା ବେଳକୁ ଏତେ ଟିକିଏ କ୍ଷୀର ଦେଲା । ତୁମେ ଗାଈର ବିନା ମଞ୍ଜୁରିରେ ଜବରଦସ୍ତି କରି ତାର ନିଜର ବାଛୁରୀର ବେଆଇନ କ୍ଷତି କରିବା ଏବଂ ତୁମ ନିଜର ଉଦର ପୂର୍ତ୍ତି ଆଦି ଲାଭ କରିବା ଉଦ୍ଦେଶ୍ୟରେ ଗାଈଠାରୁ କ୍ଷୀର ନେବାକୁ ବସିଲା, ତୁମେ ହେଲ ସାଧୁ ପୁରୁଷ, କିନ୍ତୁ ଗାଈ ବିଚାରୀ ଆପଣା ବାଛୁରୀ ପାଇଁ ଟିକିଏ କ୍ଷୀର ସାଇତି ରଖିଲା ବୋଲି ସେ ହେଲା ‘ଚୋରଣୀ ଗାଈ’ ଓ ତାକୁ ଦାଣ୍ଡରେ ସମସ୍ତେ ଅପନିନ୍ଦା (Defamation)ଦେଲେ ଯେ ‘‘ଏ ଗାଈଟା କ୍ଷୀର ଚୋରାଏ !’’ ଗାଈର ପାଟି ଫିଟୁଥିଲେ ଓ ଗାଈ ପାଇଁ ନିରପେକ୍ଷ ବିଚାରକର୍ତ୍ତା ଥିଲେ ଗାଈ ତୁମ ନାମରେ ୩୭୯(ଚୋରି) ଦଫାରେ ଅଭିଯୋଗ କରିପାରନ୍ତା ଓ ତୁମ ସାଇପଡ଼ିଶାଙ୍କ ନାମରେ ୫୦୦(ଅପବାଦ) ଦଫାରେ ନାଲିସ କରନ୍ତା । ଏହିପରି ଅନେକ ଜାଗାରେ ‘ଚୋରି’ ଶବ୍ଦ ବେଆଇନ ବ୍ୟବହାର ହେଉଥିବାର ଦେଖାଯାଏ । ଯଥା– ହାକିମମାନଙ୍କର ‘ଚୋରା ଗସ୍ତ’, ‘ଚୋରା ବସନ୍ତ’, ‘ଚୋରି କବାଟ’, ‘ଚୋରି ଲଣ୍ଠନ’, ଇତ୍ୟାଦି ଇତ୍ୟାଦି– ଲେଖକ ସବୁ ଉଦାହରଣଯାକ ନିଃଶେଷ କରିଦେଲେ ପାଠକେ କଣ କରିବେ ?
ମୁଁ ନିଜେ ଦେଖିଛି ଯେ, ମନୁଷ୍ୟ ଅନେକ ସମୟରେ ଆପଣା ଘରେ, ଆପଣା ସମ୍ପତ୍ତିରେ, ଆପଣା ପାରିବାରିକ ଓ ସାଂସାରିକ ସୀମା ମଧ୍ୟରେ ଚୋରି ଆରମ୍ଭ କରିଦିଏ ଓ ସେ ଚୋରି ଧରା ପଡ଼ିଲେ ଭାରି ହଲାପଟା ହୁଏ । ଦାଣ୍ଡ ଚୋର ଧରା ପଡ଼ିଲେ ସେ ବିଚରା ବିଧାଟିଏ, କହୁଣିଆଟିଏ ପାଇ ତା ଦୁଷ୍କୃତର ପ୍ରାୟଶ୍ଚିତ୍ତ କରେ । କିନ୍ତୁ ଏ ଚୋରି ଧରା ନ ପଡ଼ୁ ପଛକେ, ସନ୍ଦେହ ହେଲେ ସୁଦ୍ଧା ତୁମ କପାଳରେ ବାର ଅବସ୍ଥା ଭୋଗ ହୁଏ ।
ଏହି ପ୍ରସଙ୍ଗ ଟିକିଏ ସାଫ ସୁତରା କରିବାର ଯୋ ନାହିଁ । ବୃଦ୍ଧ ଚାଣକ୍ୟ ହୁଲର ପକାଉଅଛନ୍ତି– ‘‘ଆୟୁର୍ବିତ୍ତଂ ଗୃହଚ୍ଛିଦ୍ରଂ ।’’ ଏପରି ସ୍ଥଳରେ ନିଜର ପାରବାରିକ ବା ସାଂସାରିକ ଅନୁଭବ ପଦାରେ ପ୍ରକାଶ କରିବାକୁ ଗଲେ ଲୋକେ କହିବେ, ଏ ଲୋକଟା ବାତୁଳା ଘରଲୋକେ କହିବେ, ‘ମଲା ! ଆପଣା ମହତ ପଦାରେ ପକାଇବାକୁ ୟାଙ୍କୁ ସରମ ନାହିଁ !’ ସଂସାରରେ ଲୋକେ ‘‘ପରୋପଦେଶେ ପାଣ୍ଡିତ୍ୟଂ’ କରିବାକୁ ଭାରି ତିଆର । କଥାରେ କହନ୍ତି, ‘‘ବୁଦ୍ଧି ନ ଆସେ ଘରକୁ, ବତେଇ ଦିଏ ପରକୁ ।’’ ମୋ ଘରେ ଅନେକ ଅଭିନବ କାଣ୍ଡ ଘଟୁଛି, ଅଥଚ ମୁଁ ଚାହେଁ ଯେ ସେଗୁଡ଼ାକ ମୋ ଘରବାଡ଼ିର ସୀମା ନ ଟପୁ । କିନ୍ତୁ ତୁମ ଘରେ ଜିରାଟିଏ ଫୁଟିଲା, ସେତେବେଳକୁ ଦେଖ ମୋର ‘ପରୋପଦେଶେ ପାଣ୍ଡିତ୍ୟଂ, ଦେଖ ମୋର ମୁରବୀ ପଣିଆ, ଦେଖ ମୋର ଆସ୍ଫାଳନ-! ଏହି ଆସ୍ଫାଳନ ପାଇଁ ଲେଖକକୁ ମିଳିଥିଲା ‘‘ଦୁନିଆର ହାଲଚାଲ ।’’ ବର୍ତ୍ତମାନ ସେ ବାଟ ବନ୍ଦ-।
‘‘ଆପଣା ହସ୍ତେ ଜିହ୍ୱା ଛେଦି, କେ ତାର ଅଛି ପ୍ରତିବାଦୀ ।’’ ‘‘ଆମ ଘରର ହାଲଚାଲ’’ ଚାଣକ୍ୟଙ୍କ ପିଙ୍ଗଳ କୋଡ଼ ଆଗରେ ଧରା । ଏଥିପାଇଁ ଲେଖକକୁ ଅନେକ ସମୟରେ ଇତସ୍ତତଃ ହେବାକୁ ପଡ଼େ । କିନ୍ତୁ ଯେତେବେଳେ ‘ଘରର ହାଲଚାଲ’ର ଭେକ ନେବାକୁ ହୋଇଅଛି, ସେତେବେଳେ ଦିହରେ ଯାଉ ନ ଯାଉ, ସେ ଭେକ ଧରି ଭିକ ମାଗିବାକୁ ହେବ । ଆପଣ ‘‘ଘର’’ ଏହି ଶବ୍ଦଟି କହିଲେ ସେଥିରେ ଆପଣାର ଘରବାଡ଼ି ଓ ହତା ଫାଟକର ସୀମା ମଧ୍ୟରେ ବାସ କରୁଥିବା କେତେଗୁଡ଼ିଏ ପାରିବାରିକ, ସାଂସାରିକ, ବୈଷୟିକ, ବ୍ୟାବସାୟିକ ଜୀବଙ୍କୁ ତହିଁର ଅନ୍ତର୍ଭୁକ୍ତ କରିବାକୁ ହେବ । ଫଳତଃ ଆପଣାର ଘର ସଙ୍ଗେ ସଂଶ୍ଳିଷ୍ଟ ଓ ସଂଶ୍ଳିଷ୍ଟ ‘ଘରଆଡ଼’ ପରିବାର, କୁଟୁମ୍ୱ, ସପିଣ୍ଡ, ସମାନୋଦକ, ବନ୍ଧୁ, ସହଚର, ସମସ୍କନ୍ଧ, ସମଧର୍ମା, ପିତୃପିତାମହ, ପ୍ରପିତାମହାଦି ବଡ଼ବଡ଼ୁଆଙ୍କଠାରୁ ଆରମ୍ଭ କରି ପୁତ୍ର ପୌତ୍ର ପ୍ରପୌତ୍ରାଦି ପିଲାପିଲି ପର୍ଯ୍ୟନ୍ତ ସ୍ତ୍ରୀ ପୁଂ ନପୁଂସକ ଲିଙ୍ଗବାଚକ ପ୍ରାଣୀ ଓ ଆପଣା ଘରେ କାମ ଚଳାଉଥିବା ମେନେଜର, ତହସିଲଦାର, ଜମାଦାର, ମାଷ୍ଟରଙ୍କଠାରୁ ଧରି ଘରର କୋଠିଆ, ହଳିଆ, ରାଜ, ମୂଲିଆ ପର୍ଯ୍ୟନ୍ତ ଅନେକ ଲୋକଙ୍କ ଆଚାର ବ୍ୟବହାର ଓ କାର୍ଯ୍ୟକଳାପକୁ ଆଲୋଚନା କରିବାକୁ ହେବ । ଏଥିଲାଗି କଥାଟା କିପରି କହିଲେ ଲେଖକତ୍ୱର ଗାରିମା ରହିବ, ଏଣେ ଗୃହଛିଦ୍ର ପଦାରେ ପ୍ରକାଶ ନ ହେବ ଓ ସେଥିଲାଗି ଘରଆଡ଼େ ହଲାପଟା ପାଇବାକୁ ନ ହେବ, ଏହାହିଁ ଲେଖକ ଭାବି କଥାଟାର ସୂଚନା ମାତ୍ର ଆରମ୍ଭ କରି ଏ ସଂଖ୍ୟା ‘ସାହିତ୍ୟିକ ଦାୟିତ୍ୱ’ରୁ ଖଲାସ ପାଇଲା । ଏହି ‘‘ମୁଁ ଖାଉଥାଏ ମୋହର ଭାତ, ତୋର କିଆଁ ଗାଲରେ ହାତ ।’’
ନୀତିବଚନ ବହିର୍ଭୂତ ‘‘ଆପଣା ପଦାର୍ଥରେ ଆପେ ଚୋରି କରିବା’’ ଉଦାହରଣକୁ ଖୋଲି କରି ନ ଲେଖି ଯେ ଯାହାର ଅନୁଭବରେ ଏପରି ଚୋରି କରୁଅଛନ୍ତି, ସେମାନେ ନିଜେ ନିଜେ ଚିନ୍ତା କରିବା ନିମନ୍ତେ ପାଠକ ପ୍ରପାଠକମାନଙ୍କୁ ଅବସର ମିଳିବ ଓ ଭବିଷ୍ୟତରେ ଏ ପ୍ରସଙ୍ଗର ବ୍ୟାଖ୍ୟା କରିବା ନିମନ୍ତେ ଲେଖକ ନିଜର ଅନୁଭବସିଦ୍ଧ ଘଟନାମାନ ଯୋଗ କରିବାକୁ ସୁବିଧା ଓ ମାଲ ମସଲା ପାଇବ ବୋଲି ଆଶାକରି ଆଜି ଏତିକିରେ ଖଲାସ ।
(୨୧ଶ ଭାଗ । ୧୩୨୪ । ୫ମ ସଂଖ୍ୟା)
ଗତ ସଂଖ୍ୟା ‘ସାହିତ୍ୟ’ରେ ଲୋକେ ସଂସାରରେ ନିଜ ଧନରେ ନିଜେ କିପରି ଚୋରି କରନ୍ତି, ଏହି କଥାର ଅବତାରଣା କରିଥିଲି ଓ ସେହି ପ୍ରସଙ୍ଗରେ ବୃଦ୍ଧ ଚାଣକ୍ୟଙ୍କୁ ନଜିର ଦେଇ କହିଥିଲି ଯେ, ‘ଆୟୁର୍ବିତ୍ତଂ ଗୃହଛିଦ୍ରଂ’ ପଦାରେ ପ୍ରକାଶ କରିବା ଅନୁଚିତ । ପରକଥା କହିବାକୁ ହେଲେ ପିଙ୍ଗଳକୋଡ଼ର ଦଫା ଆଡ଼କୁ ନଜର ରଖି କାମ କରିବାକୁ ହୁଏ । କିନ୍ତୁ ଆପଣା ଘରର ହାଲଚାଲ ଦାଣ୍ଡରେ କହିବାକୁ ଗଲେ ଲୋକ ଗାଇ ବଜାଇ ଆପଣା ଘରକଥା ପଦାରେ ପକାଏ । ଲୋକେ ଢଗରେ କହନ୍ତି, ‘‘ସଲଜ୍ଜ ଗାଏ, ନିଲଜ୍ଜ ଗାଏ, ଅତି ନିଲଜ୍ଜ ନାଚି ନାଚି ଯାଏ ।’’ ଯେ ଆପଣା ଘର କଥା ଦାଣ୍ଡ ଲୋକଙ୍କ ଆଗରେ କହେ, ତାଠାରେ ଏହି ମାର୍କା ମରାଯାଏ । କିନ୍ତୁ ଜଣକର ମର୍ଯ୍ୟାଦାରେ ଜଳାଞ୍ଜଳି ଦେଇ କୌଣସି ଘରକଥା ପ୍ରକାଶ କଲେ ଯେବେ ତଦ୍ଦ୍ୱାରା ବିନା ପିଙ୍ଗଳକୋଡ଼ିର ଆଶ୍ରାରେ ଆପଣା ଶ୍ରେଣୀର ଆଉ ପାଞ୍ଚଜଣଙ୍କ ଆଖି, କାନ, ଫିଟେ, ତେବେ ମନୁଷ୍ୟ ନିଜ କ୍ଷୁଦ୍ର ସୀମାରେ କିଛି କାର୍ଯ୍ୟ କରିବାକୁ ସମର୍ଥ ହେଲା ବୋଲି ମନରେ ଆନନ୍ଦ ଲାଭ କରେ ।
ସାଧାରଣରେ ଦେଖାଯାଏ, ଯେଉଁ ପଦାର୍ଥ ବା ଜୀବ ଡେଙ୍ଗରେ ଯେତିକି ବଢ଼େ, ତା ଉପରେ ସମସ୍ତଙ୍କ ନଜର ତେତିକି ଅଧିକ ପଡ଼େ । ଏ ନିୟମ ସଜୀବ ଓ ନିର୍ଜୀବ ଉଭୟଙ୍କର ଏକ । ସମାଜ ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଦେଖୁଥାଇଁ ଯେ, ‘ଡେଙ୍ଗା ମୁଣ୍ଡରେ ଠେଙ୍ଗା’ । ଅନ୍ୟ ସବୁ ରଙ୍ଗ ବିଶିଷ୍ଟ ପଦାର୍ଥ ଦେହରେ ପୁଳାଏ ମଇଳା ଲାଗୁ, ତା ପ୍ରତି କାହାରି ଆଖି ପଡ଼େ ନାହିଁ; କିନ୍ତୁ ବାସି ଧୋବ ଲୁଗାରେ ସୋରିଷ ଆକାରରେ କଳା ଟୋପାଏ ଲାଗିଲା ମାତ୍ରକେ ଲୋକଙ୍କ ଆଖିଟା ପହିଲେ ସେହିଠାକୁ ଟାଣି ହୋଇଯାଏ । ଡେଙ୍ଗା ଗଛରେ ଚଡ଼କ ପଡ଼େ । ଡେଙ୍ଗା ଗଛ ଉପରେ ତୋଫାନର ପହିଲି ମାଡ଼ ପହଞ୍ଚେ । ଏଥିପାଇଁ ବିଜ୍ଞାନ ବଳରେ ଡେଙ୍ଗା ଜିନିଷ ଓ ମନ୍ଦିର ଆଦିକୁ ପବନ ଓ ଚଡ଼କର ଦାଉରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଲୋକେ ବୈଜ୍ଞାନିକ ପଞ୍ଜରା ଆବିଷ୍କାର କରିଅଛନ୍ତି । ସମାଜ ଓ ବ୍ୟବସାୟ କ୍ଷେତ୍ରରେ ଦେଖାଯାଏ ଯେ, ଯେଉଁ ଲୋକ ଆପଣା ଦିହକୁ ନ କିଳି ଡେଙ୍ଗରେ ବଢ଼େ, ସେ ଦିନେ ଠେଙ୍ଗାଏ ପାଏ । (ନୋଟ ! ‘ଦିହ କିଳିବା’ ଶବ୍ଦଟି ଟିକିଏ ଖୋଲାସା କରି ବୁଝାଇଦେବା ଉଚିତ । ‘କିଳିବା’ ଶବ୍ଦ କବାଟ ଆଦି ସମ୍ୱନ୍ଧରେ ବ୍ୟବହାର କରାଯାଏ । କବାଟ କିଳିଦେଲେ ସେ ଘରେ ଚୋର ପଶି ପାରନ୍ତି ନାହିଁ । ସେହିପରି ମନୁଷ୍ୟକୁ ଗୁଣି ଗାରିଡ଼ି ମନ୍ତ୍ରଯନ୍ତ୍ର ନ କାଟିବ ବୋଲି ଗୁଣିଆମାନେ ମନୁଷ୍ୟ ଦିହକୁ କିଳି ଦିଅନ୍ତି ଓ ଯାହାର ଦିହ କିଳା ହୋଇଥାଏ, ତା ବିରୁଦ୍ଧରେ ଯେତେ ଗୁଣି ଗାରିଡ଼ି ମନ୍ତ୍ରଯନ୍ତ୍ର ପ୍ରୟୋଗ କର, ସେସବୁ ବୃଥା ହୋଇଯାଏ । ସେହିପରି ସମାଜରେ ଓ ବ୍ୟବସାୟ କ୍ଷେତ୍ରରେ ଯେ ଡେଙ୍ଗାରେ ବଢ଼େ, ସାମାଜିକ ଓ ସାଂସାରିକ ତୋଫାନ ଦାଉରୁ ଆପଣା ମୁଣ୍ଡକୁ ‘ଅକାଟୁ’ କରିବା ଉଦ୍ଦେଶ୍ୟରେ ସେ ଯେବେ ଇଷ୍ଟଦେବତାଙ୍କୁ ପ୍ରସନ୍ନ କରାଇ ନିଜର ଦେହ ନ କିଳେ, ତେବେ ତାହା ମୁଣ୍ଡରେ ଠେଙ୍ଗା ପ୍ରହାର ଅବଶ୍ୟାମ୍ଭାବୀ । ଯାହା ଦେହ ଆଧୁନିକ ଯୁଗସୁଲଭ ଉପାୟରେ କିଳା ହୋଇଥାଏ, ସେ ଯେଡ଼େ ଇଚ୍ଛା ସେଡ଼େ ଡ଼େଙ୍ଗା ହେଉ ପଛକେ, ତା ଉପରେ ସାମାଜିକ ଝଡ଼ ଓ ଚଡ଼କ ପଡ଼େ ନାହିଁ-। ମୁଁ ନିଜେ ଅନୁଭବରେ ଦେଖିଅଛି ଯେ, ଜଣେ ଜଣେ ମୋଠାରୁ ଅଧିକ ଡେଙ୍ଗା ବ୍ୟକ୍ତି କେତେ କେତେ ରକମର ଅଲରା ଅଳିଆ ମୁଣ୍ଡରେ ବୋହୁଛନ୍ତି– ଅଥଚ ତାଙ୍କ ମୁଣ୍ଡରେ କାହାରି ଚୋଟ ବସୁ ନାହିଁ । କିନ୍ତୁ ମୁଁ ତହିଁର କାଣିଚିଆ କୌଣସି ଆଲୁ ବାଲୁ କାମ କରିବା ମାତ୍ରକେ ମେ ମୁଣ୍ଡରେ ଶହେ ଠେଙ୍ଗା ବସିଯାଉଛି । ଏଥିର କାରଣ କଣ ? ମୋଠାରୁ ଅଧିକ ଡେଙ୍ଗା ଅଭିଜ୍ଞ ବ୍ୟକ୍ତି ସାମାଜିକ ପ୍ରକ୍ରିୟାରେ ଦେବତାରାଧନା କରି ନିଜର ଦେହଟି ‘କଳି’ ଆପଣା ଦିହକୁ ‘ଅକାଟୁ’ କରିପାରି ଅଛନ୍ତି, କିନ୍ତୁ ମୁଁ ତାହା ପାରି ନାହିଁ । ମୁଁ ମଧ୍ୟ ଅନୁଭବରୁ ଶିକ୍ଷା ଲାଭ କରି ଯେଉଁ କ୍ଷେତ୍ରରେ ମୁଁ ମୋ ଦିହ କିଳିବାକୁ ସମର୍ଥ ହୋଇଅଛି, ସେଠେଇଁ ଦେଖିଛି ଯେ, ମୁଁ କେତେ ପ୍ରକାର ଅସନଟିଆ କାମ କରି ସୁଦ୍ଧା ମୋ ଦିହଟି ଅକାଟୁ ହୋଇଅଛି । ଅଥଚ ମୋଠାରୁ କମ ଡେଙ୍ଗା ଲୋକେ ମୋ ପରି ସିଆଣା ନୁହନ୍ତି ବୋଲି ସମାଜର ସବୁ ଚୋଟଯାକ ତାଙ୍କରି ଉପରେ ଓ ସେମାନେ ‘ନ ଖାଇ ନ ପିଇ କଇଥା ଚୋର’ ହେଉଅଛନ୍ତି । ଏଥିପାଇଁ କହନ୍ତି– ଧୋବଧାଉଳିଆ ଚେରି କରନ୍ତି, ରଙ୍କୁଣୀ ଦେଖିଲେ ମାରି ଗୋଡ଼ାନ୍ତି । ଅର୍ଥାତ୍ ଧୋବଧାଉଳିଆଙ୍କୁ ଦିହ କିଳି ଆସେ । ରଙ୍କୁଣୀ ବିଚାରି ସେ କଦର ଓ ସେ ମନ୍ତ୍ର ଜାଣେ ନାହିଁ । ସମାଜରେ ଯେତେଗୁଡ଼ିଏ ଉପାୟ କରି ମୋ ଦିହ ମୁଁ କିଳି ପାରିଅଛି, ସେଗୁଡ଼ିକ ପାଠକମାନଙ୍କୁ ଉପହାର ଦେବାପାଇଁ ମୋର ଭାରି ଇଚ୍ଛା ହୋଇଅଛି । କିନ୍ତୁ ମୁଁ ଏ ପର୍ଯ୍ୟନ୍ତ କୌଣସି ପ୍ରକ୍ରିୟାରେ ସିଦ୍ଧି ଲାଭ କରିପାରି ନାହିଁ ବୋଲି ମୋ ଭଳି ‘ଖଣ୍ଡିଉଡ଼ା’ ଦେବା ବ୍ୟକ୍ତିଙ୍କ ଉପକାରାର୍ଥେ କେତେଗୁଡ଼ିଏ ଗୁପ୍ତ ମନ୍ତ୍ର ପ୍ରକାଶ କଲି । ଯେଉଁମାନଙ୍କର ଗୁଣିଗାରିଡ଼ିରେ ଅଭିଜ୍ଞତା ଅଛି, ସେମାନେ ଅବଶ୍ୟ ଜାଣିଅଛନ୍ତି ଯେ, କୌଣସି ମନ୍ତ୍ର ଯନ୍ତ୍ର ପ୍ରୟୋଗ କରିବାକୁ ହେଲେ ସେଥିପାଇଁ କେତେଗୁଡ଼ିଏ ଉପକରଣ ଓ ଚଣ୍ଡୀ ଚାମୁଣ୍ଡାଙ୍କ ପୂଜା ଓ ବଳି ସାମଗ୍ରୀ ଦରକାର । ସେହିପରି ଏ ଦିହ କିଳିବା ପାଇଁ କେତେଗୁଡ଼ିଏ ସାମଗ୍ରୀ ଓ କାର୍ଯ୍ୟ ଦରକାର ।
୧ମ କାର୍ଯ୍ୟ–ଗ୍ରାମ ଦେବତାଙ୍କ ମାଜଣା । ଆମ ସମାଜରେ କୌଣସି ମଙ୍ଗଳ କାର୍ଯ୍ୟ କରିବା ପୂର୍ବରୁ ଗୃହସ୍ଥ ଗ୍ରାମଦେବତା ଠାକୁରାଣୀଙ୍କୁ ମାର୍ଜନା କରେ– ସେହିପରି ମଧ୍ୟ ଗ୍ରାମରେ ମାରୀଭୟ, ବସନ୍ତ ଆଦି ହେଲେ ଠାକୁରାଣୀ ମାଜଣା କରାଯାଏ । ସମାଜ ଓ ବ୍ୟବସାୟରେ ମଧ୍ୟ ସେହିପରି ଗୁଡ଼ିଏ ପୂଜା ଓ ଅପୂଜା ଗ୍ରାମଦେବତା ଓ ବଣଦେବତା ଅଛନ୍ତି । ସେଗୁଡ଼ିକଙ୍କୁ ଯଥୋପଚାରରେ ପୂଜା ନ କଲେ କୌଣସି ସାମାଜିକ ବା ବ୍ୟାବସାୟିକ ଗୁଣିଗାରିଡ଼ି ପ୍ରୟୋଗ କରି ହେବ ନାହିଁ । ଗ୍ରାମଦେବତାମାନଙ୍କ ବିଜେସ୍ଥଳୀ ବାଟ ଦେଇ ଯିବା ଆସିବା କରିବା ବେଳେ ଓ ତାଙ୍କୁ ମୁଣ୍ଡିଆଟାଏ ମାରିବା ଅବଶ୍ୟ କର୍ତ୍ତବ୍ୟ । ଆଉ ତୁମ ଭାଗ୍ୟକୁ ଯେବେ ଗ୍ରାମଦେବତା ତୁମ ଉପରେ ପ୍ରସନ୍ନ ହୁଅନ୍ତି, ତେବେ ସେ ନିଶାରାତିରେ ଜଗତ୍ ପ୍ରଦକ୍ଷିଣ କରିବାକୁ ବାହାରିଲା ବେଳେ ଯେବେ ତୁମେ ତାଙ୍କର ଦର୍ଶନ ପାଇବ, ତେବେ ତୁମ ଦେହରେ ତାଙ୍କ ଶ୍ରୀହସ୍ତର ଗଉରୀ ବେତ ଲାଗିଗଲେ ତୁମେ ଚିରକାଳ ସକାଶେ ଅକାଟୁ ହୋଇଯିବ । ଆମର ଆଧୁନିକ ସଂସାର ଦେବତାମାନେ ‘ଉଦ୍ୟାନ ସମ୍ମିଳନ’ (ଗାର୍ଡ଼ନ ପାର୍ଟି), ସାନ୍ଧ୍ୟ ମିଳନ (ଇଉନିଙ୍ଗ ପାର୍ଟି, ଚାହା ସମ୍ମିଳନ (ଟି ପାର୍ଟି), ଭୋଜନ ମିଳନ (ଡିନର ପାର୍ଟି)କୁ ଭାରି ଭଲ ପାନ୍ତି । ପୁରୁଣାକାଳିଆ ଗ୍ରାମଦେବତାମାନଙ୍କ ଭଳିଆ ଏମାନେ ଉଦରମ୍ଭରୀ ଓ ଏକୁଟିଆ ବାରହା ନୁହନ୍ତି । ଏମାନେ ୫ ଜଣ ସାମାଜିକ ଜୀବଙ୍କ ସଙ୍ଗେ ଉପରୋକ୍ତ ପୂଜାମାନ ପାଇବାକୁ ଭଲ ପାନ୍ତି । ଏସବୁ ଆୟୋଜନ ପାଇଁ ଯେଉଁ ଯେଉଁ ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟ ଦରକାର, ତହିଁର ଡାବ ଅଛି । ସେ ଡାବ ଗୁଡ଼ିଏ ସଂଗ୍ରହ କରିପାରିଲେ ଯେଉଁ ଅନୁଷ୍ଠାନ ପାଇଁ ଯେଉଁ ଡାବ ଦରକାର, ତାହା ବାଛି ବାଛି ‘କ୍ଷେତ୍ରେ କର୍ମ ବିଧୀୟତେ’ । ଏହି ଦେବତାମାନଙ୍କୁ ଭେଟିବା ସକାଶେ ପଣେ ଦେଢ଼ ପଣ ସାକ୍ଷୀଗୋପାଳଙ୍କୁ ନିମନ୍ତ୍ରଣ କରିବାକୁ ହେବ । ଆମନ୍ତ୍ରିତ ବ୍ୟକ୍ତିଗଣ ଭେକ ପିନ୍ଧି ଏ ସମ୍ମିଳନରେ ଯୋଗ ଦେବେ ଓ ଦେବତା ଦେଖିପାରିବେ ଯେ, ତୁମର ଏତେଗୁଡ଼ିଏ ଲୋକଙ୍କ ଉପରେ ଆଧିପତ୍ୟ, ଅଧିକାର, ସମ୍ପର୍କ ଓ ପ୍ରଭୃତ୍ୱ ଅଛି । ଠାକୁରାଣୀ ମାଜଣା ଓ ଠାକୁରାଣୀ ପୂଜା ସରିଲେ ଏମାନେ ମଧ୍ୟ ଭୋଗ ପାଇବେ ଓ ହରିବୋଲ ଦେବେ । କିନ୍ତୁ ଯେଉଁ ଦେବତାଙ୍କୁ ଭେଟିବା ସକାଶେ ଏମାନଙ୍କୁ ନିମନ୍ତ୍ରଣ ହୋଇଥିବ, ତାଙ୍କ ସଙ୍ଗେ ଏମାନଙ୍କର ‘ଭେଟ’ ନଦାରଦ । ମୋର ବହୁ ଭାଗ୍ୟକୁ ଏହିପରି ଗୋଟିକେତେ ଠାକୁରାଣୀ ମାଜଣାରେ ମୋତେ ଡାକରା ହୋଇଥିଲା । ମୋ ଭଳିଆ ଆଉ ପଣେ ଖଣ୍ଡେ ପଗଡ଼ିଦିଆ ମୁଣ୍ଡ ସେଠାରେ ରୁଣ୍ଡ ହୋଇଥିଲେ । ଯେଉଁ ଗୁଣିଆ ଆମଙ୍କୁ ସେ ଦେବତାମାନଙ୍କୁ ଭେଟିବାକୁ ଆମନ୍ତ୍ରଣ କରିଥିଲେ, ସେ ଦେବଦେବୀଙ୍କ ପଞ୍ଚୋପଚାରରେ ବ୍ୟସ୍ତ ରହିଲେ ଓ ଆମେ ପଞ୍ଝାକୁପଞ୍ଝା ଶେଉଳ ମାଛ ଜାଆଁଳ ଭଳି ମନ୍ଦା ଧରି ସେଠାରେ ଖେଳୁଥାଉଁ । ଦେବତାଙ୍କୁ ଭେଟିବା ଦୂରେ ଥାଉ, ଦେବତାଙ୍କ ଦେହର ଚୁଆ ହଳଦୀ ଗନ୍ଧ ସୁଦ୍ଧା ଆମେ ପାଇଲୁଁ ନାହିଁ । ଦେବତା ମାଜଣା ଓ ପୂଜା ଶେଷ ହେଲାରୁ ଆମ୍ଭେମାନେ ନୈବେଦ୍ୟ ସାମଗ୍ରୀରୁ କିଛି କିଛି ଉଦରସ୍ଥ କରି ପୂର୍ଣ୍ଣପେଟରେ ଘରକୁ ଫେରିଲୁଁ ଓ ଦେଖିଲୁ ଯେ, ଆମ ସର୍ଦ୍ଦାର ଗୁଣିଆ ଏହି ମାଜଣା ଦ୍ୱାରା ଆପଣା ଦିହକୁ କିଳିନେଲେ ଓ ଦେବତା ତାଙ୍କ ଉପରେ ଭାରି ପ୍ରସନ୍ନ ହୋଇ ତାଙ୍କ ଦିହରେ ଗଉରୀବେତ ଲଗାଇ ଦେଇ ତାଙ୍କୁ ବର ଦେଇ ଚାଲିଗଲେ । ଦିହକୁ ଅକାଟୁ କରିବାକୁ ହେଲେ ଏପରି ‘ଠାକୁରାଣୀ ମାଜଣା’ ଠାରୁ ବଳି ପ୍ରକୃଷ୍ଟ ଉପାୟ ଆଧୁନିକ ସମାଜରେ ନାହିଁ ।
୨ୟ କାର୍ଯ୍ୟ– ଦେବତାଙ୍କ ଅଙ୍ଗ ସମସ୍ତେ ଛୁଇଁବେ ନାହିଁ, ସେଥିପାଇଁ ଦେବତାଙ୍କ ଶ୍ରୀଅଙ୍ଗ ଛୁଇଁ ତାଙ୍କୁ ମାଜଣା କରିବା ସକାଶେ ଜଣେ ମାଳୀ ବା ମାଲୁଣୀ ଠିକଣା କରିବାକୁ ହେବ । ଯେଉଁମାନେ ଗୁଣିଗାରିଡ଼ି ଜାଣନ୍ତି, ସେମାନେ ଅବଶ୍ୟ ‘‘ନିତୈମା ଧୋବଣୀ, ପିତୈମା ପତର ସଉରୁଣୀ’’ ଙ୍କ ନାମ ଶୁଣିଥିବେ– ଗୁଣିଗାରିଡ଼ି ବଳରେ ଏହିମାନେ ଦେବତାଙ୍କୁ ଏପରି ବଶ କରିଅଛନ୍ତି ଯେ, ଏମାନଙ୍କ ନାମ ଶୁଣିବା ମାତ୍ରକେ ଦେବତା ପ୍ରସନ୍ନ ହୋଇଯାନ୍ତି । ଏହିମାନଙ୍କ ହାତ ଲାଗିବା ମାତ୍ରକେ ଦେବତାଙ୍କ ଶ୍ରୀଅଙ୍ଗରୁ ଆଳସ୍ୟ ଛାଡ଼ିଯାଏ । ତୁମେ ହଜାରେ ଆୟୋଜନ କର, ହଜାରେ ଟଙ୍କା ଖରଚ କର, କିନ୍ତୁ ଦେବତାଙ୍କର ଶ୍ରୀଅଙ୍ଗ ସଙ୍ଗେ କାରବାର କରିବା ପାଇଁ ଦିଓଟି ଗୋଟିଏ ନିତୈମା, ପିତୈମା ଠିକଣା କରି ନ ପାରିଲେ ତୁମର ସବୁ ପରିଶ୍ରମ ବୃଥା ହେଲା । ଏହିମାନେ ହେଲେ ଦେବତାଙ୍କର ମୁହୁଣ୍ଡା । ଦେବତା ଯାହା ଆଜ୍ଞା କରିବେ, ସେ ଆଜ୍ଞାମାନ ଏହିମାନଙ୍କ ମୁହଁ ଦେଇ ବାହାରିବ । ଏହିମାନେ ଦେବତାଙ୍କ ଆଜ୍ଞାମାଳ ଓ ଗଉରୀବେତ ଏ ସଂସାରରେ ବୁଲାଇବାର ଅଧିକାରିଣୀ ଅଟନ୍ତି । ଏମାନେ ହେଲେ ଦେବତାଙ୍କର ‘କାଳସୀ’ । ବିନା କାଳିସୀରେ ଦେବତା ‘ଉଭା’ ହେବେ ନାହିଁ । ଯାହାଙ୍କ ଭାଗ୍ୟକୁ ଏପରି ଗୋଟାଏ ଖଣ୍ଡେ କାଳିସୀ ମିଳିଯାନ୍ତି, ସେ ଯେତେବେଳେ ବିଚାରିବେ, ସେତେବେଳେ ଦେବତାଙ୍କୁ ଉଭା କରାଇ ପାରନ୍ତି, ଦେବତାଯାକ ତାଙ୍କ ବାରିଦୁଆର ଖରକିବା ପର୍ଯ୍ୟନ୍ତ ଖଟିଥାନ୍ତି ଓ ଏପରି ଭାଗ୍ୟବାନମାନଙ୍କୁ କୌଣସି ପ୍ରକାର ସାମାଜିକ କିମିଆ କାଟୁ କରେ ନାହିଁ ।
୩ୟ-ଉପକରଣ ସଂଗ୍ରହ– ସଭ୍ୟତା ବୃଦ୍ଧି ସଙ୍ଗେ ଦେବତାମାନଙ୍କର ଆଚାର ଓ ରୀତିନୀତି ଯେଉଁପରି କ୍ରମଶଃ ପରିବର୍ତ୍ତିତ ହେଉଅଛି, ଧୂପ ଦୀପ, ଯାନବାହାନ ଇତ୍ୟାଦି ମଧ୍ୟ ତଦନୁରୂପ ଆଧୁନିକ ରୂପ ଧାରଣ କରୁଅଛି । ରମ୍ଭା, ରସାଳ, ନାରିକେଳ ସ୍ଥଳରେ ଅଙ୍ଗୁର, କିସ୍ମିସ, ବାଦାମ, ପିସ୍ତା, ଆପୋଲ, ବେରି ଇତ୍ୟାଦି; ଘିଅ ଦୀପ ପରିବର୍ତ୍ତରେ ଗ୍ୟାସବତୀ ବା ବିଜୁଳିବତୀ; ଝୁଣା ଧୂପ ପରିବର୍ତ୍ତରେ ମହତାପ; ଚକ୍ରି, ଆସମାନ ଗୋଲା ଆଦି ମଧ୍ୟସ୍ଥ ବାରୁଦର ଧୂପ; ପଇଡ଼ପାଣି ଓ ଅଧରପଣା ପରିବର୍ତ୍ତରେ ସେରି; ସାମ୍ପେନ, ପୋର୍ଟ, ମେଡ଼ିରା ଆଦି ପ୍ରପାନକ; ଗଦ୍ଧ-ଚନ୍ଦନ ପରିବର୍ତ୍ତରେ ଲାଭେଣ୍ଡର, ଏସେନସ୍, ଓଡ଼ିକଲୋନ, ପମେଟମ୍, ଫେସ୍କ୍ରିମ ଇତ୍ୟାଦି; ଗାମୁଛା ପିନ୍ଧା ପୂଜକ ଗୋସାଇଁ ମହାପ୍ରଭୁଙ୍କ ପରିବର୍ତ୍ତରେ ପୋଷାକ-ତକମା-ପଟି-ଧାରୀ ଖାନସମା ବବୁରୁଚି; ସ୍ତବ ସ୍ତୋତ୍ର ପରିବର୍ତ୍ତରେ ଆଡ଼୍ରେସ୍; ଟୋଷ୍ଟ ଆଦି ଚିତ୍ତାକର୍ଷକ ବୋଲି; ବୀଣା ପରିବର୍ତ୍ତରେ ପିଆନୋ, ହାରମନିଅମ୍; ବିମାନ ଓ ରଥ ପରିବର୍ତ୍ତରେ ମଟର ଓ ଘୋଡ଼ାଗାଡ଼ି ଆଦି ଏହିପରି ଆଧୁନିକ ଉପକରଣ ସାଜସଜ୍ଜା ଧୂପଦୀପ ନୈବେଦ୍ୟ ଗନ୍ଧପୁଷ୍ପ ଯୋଗାଡ଼ କରି ଆଧୁନିକ ଦେବତାଙ୍କର ପୂଜା କରାଗଲେ ରାଜାନାଂ ରାଜପୁତ୍ରଂ ବା ରଜମନ୍ତ୍ରିଣମେବ ବା ରାଜ୍ୟଂ ବା ସର୍ବବିଘ୍ନେଶୋ ବଶଂ କୁର୍ଯ୍ୟାତ୍ସରାଷ୍ଟ୍ରକଂ । ଫଳ ପ୍ରାପ୍ତିରେ ମଧ୍ୟ ବିଳମ୍ୱ ଘଟେ ନାହିଁ । ପକ୍ଷ, ମାସ, ତ୍ରିମାସରେ ଫଳ ମିଳିଯାଏ । ନିତାନ୍ତ ‘‘ଷଡ଼୍ଭିର୍ମାସୈର୍ବରଂ ଲଭେତ୍ । ସଂବତ୍ସରେଣ ସଂସିଦ୍ଧିଂ ଲଭତେ ନାତ୍ର ସଂଶୟଃ ।’’ ଏ ସମ୍ୱନ୍ଧରେ ଏଠାରେ ଏତିକିମାତ୍ର ନିବେଦ୍ୟ ଯେ, ଗୃହ ଦେବତା, ଗ୍ରାମ ଦେବତା, ନଗର ଦେବତା, ବନ ଦେବତା, ପ୍ରଗନ୍ନା ଦେବତା, ଥାନା ଦେବତା, ସବଡ଼ିଭିଜନ ଦେବତା, ବିଭାଗ ଦେବତା, ପ୍ରବେଶ ଦେବତା, ଦେଶ ଦେବତା, ମହାଦେଶ ଦେବତା, ସାମ୍ରାଜ୍ୟ ଦେବତା; ଜଳ ଦେବତା, ସ୍ଥଳ ଦେବତା, ଇଷ୍ଟ ଦେବତା, ଅନିଷ୍ଟ ଦେବତା; ଏହିପରି ଭିନ୍ନ ଭିନ୍ନ ଇଲାକାରେ ଭିନ୍ନ ଭିନ୍ନ କରାମତ ବିଶିଷ୍ଟ ଦେବତା ଅଛନ୍ତି– ଭିନ୍ନ ଭିନ୍ନ ଦେବତାଙ୍କର ଭିନ୍ନ ଭିନ୍ନ ପୂଜାପଦ୍ଧତି, ପୂଜକ, ପୂଜୋପକରଣ ଆଦି ଅଛି । ସେଗୁଡ଼ିକ ଠିକଣା କରି ଗୋଟିଏ ପୂଜକ ଠିକଣା କରି ପାରିଲେ ଜାରଣ, ମାରଣ, ବଶୀକରଣ, ସ୍ତମ୍ଭନ, ମୋହନ, ଉଚ୍ଚାଟନ ଆଦି ସବୁ ପ୍ରକାର ପ୍ରୟୋଗ କରାଯାଇ ପାରିବ । ଅଥଚ ଆପଣା ଦିହ କିଳା ହୋଇ ଅକାଟୁ ହେବ । ଦେବତାମାନେ ପ୍ରସନ୍ନ ଥିଲେ ତୁମ ଅଗ ଗୋଡ଼ରେ କଣ୍ଟା ବାଜିବ ନାହିଁ, ଅଥଚ ଯେତେବେଳେ ଯେଉଁ ପ୍ରାଣୀଙ୍କୁ ମନେ କରିବ, ତୁମେ ବାଣ ମାରି ସ୍ତମ୍ଭନ ମୋହନ ବଶୀକରଣ ଉଚ୍ଚାଟନ ସବୁ କରି ପାରିବ ଓ ଦେଶରେ ସ୍ୱନାମଧନ୍ୟ ସିଦ୍ଧପୁରୁଷ ହୋଇ ଠାକୁରଙ୍କ ଆଜ୍ଞାରେ ତୁମେ ସମସ୍ତଙ୍କ ଆଖିରେ ନିଦଧୂଳି ପକାଇ ପାରିବ । କେଉଁ କାର୍ଯ୍ୟ ସାଧନ ଉଦ୍ଦେଶ୍ୟରେ କି ମନ୍ତ୍ର ଓ କବଚ ପ୍ରୟୋଗ ଦରକାର, ତାହା ଠିକଣା କରିବା ସହଚ କଥା ନୁହେଁ । ଉପରେ ଯେଉଁ ସବୁ ବାହାରର କଥା ଲେଖାଗଲା, ସେଗୁଡ଼ିକ ଦେଖା କଥା ବୋଲି ଲେଖି ହୋଇଗଲା, କିନ୍ତୁ ‘ମନ୍ତ୍ର’ଟି ପାଇବା ସହଜ ନୁହେ । ଯେଉଁ ବ୍ୟକ୍ତି ମନ୍ତ୍ର ପ୍ରୟୋଗ କରନ୍ତି, ସେ ଏକା ସେ ମନ୍ତ୍ର ଜାଣନ୍ତି, ସେ ମଧ୍ୟ ଯାହାକୁ ଇଚ୍ଛା ତାକୁ ସେ ମନ୍ତ୍ର କହି ଦିଅନ୍ତି ନାହିଁ । ପାଠ ମଧ୍ୟ ଡାକୁଛି– ‘‘ଗୁରୁର୍ଭକ୍ତାୟଦାତବ୍ୟଂ ନ ଦେୟଂ ଯସ୍ୟ କସ୍ୟଚିତ୍ ।’’ ତେବେ ମୁଁ ଶୁଣିଛି ଯେ, ଯେପରି ‘ଚଣ୍ଡୀ’କୁ ସଂପୁଟ କରି ଅର୍ଥାତ୍ ନିର୍ଦ୍ଦିଷ୍ଟ କୌଣସି ମନ୍ତ୍ରଦ୍ୱାରା ପ୍ରତ୍ୟେକ ଶ୍ଳୋକକୁ ସଂପୁଟିତ କରି ପ୍ରୟୋଗ କଲେ ଫଳ-ସିଦ୍ଧି ଅବଶ୍ୟ ହୁଏ, ସେହିପରି ପାର୍ଥିବ ଦେବତାମାନଙ୍କ ଆଗରେ ନିର୍ଦ୍ଦିଷ୍ଟ ମନ୍ତ୍ରଦ୍ୱାରା ସଂପୁଟ-ସ୍ତବ ପାଠ କଲେ ଇପ୍ସିତ ଫଳ ସିଦ୍ଧି ନିଶ୍ଚୟ ହେବ ।
‘ବଶ୍ୟସ୍ତମ୍ଭନମୁଗ୍ରବିଘ୍ନନାଶନଂ
ଦାରିଦ୍ର୍ୟ ବିଦ୍ରାବଣଂ ।
ଭୁଭଦ୍ଭୀଷମନଂ ଚଳନ୍ ମୃଗଦୃଶାଂ
ଚେତଃ ସମାକର୍ଷଣଂ ।’
ଆଦି ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ନିମନ୍ତେ ଭିନ୍ନ ଭିନ୍ନ ପ୍ରୟୋଗ ଅଛି । ଆମ ଘରେ ଥିବା ଗୋସାଇଁବାପାଙ୍କ ପୋଥି ଗାଦି ଘାଣ୍ଟି ଯେବେ କୌଣସି ସଂପୁଟ-ମନ୍ତ୍ର ମିଳିବ, ତେବେ ସମୟକ୍ରମେ ‘ସାହିତ୍ୟ’ର ପାଠକମାନେ ତହିଁର ଇସରା ଅବଶ୍ୟ ପାଇବେ । ଇତି ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ଜୀବଜନ୍ତୁ
ମଧୁସୂଦନ ରାଓ
ଆକବର
ମଧୁସୂଦନ ରାଓ
ସାବିତ୍ରୀ
ମଧୁସୂଦନ ରାଓ