କଳ୍ପନା-ସୁନ୍ଦରୀ
୧୮୬୪–୧୯୩୪
- ସଂକଳନ: କଳ୍ପନା କୁଞ୍ଜେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୩୮
- ସ୍ଥିତି
- ସାର୍ବଜନୀନ (Public domain)
ପୂର୍ଣ୍ଣ କର ଆଶା ସମ କାହିଁଛ ଗୋ କଳ୍ପନା-ସୁନ୍ଦରୀ,ଦରଶନ ମାଗେ ତବ ଦୀନ କବି ନେତ୍ରେ ନୀର ଭରି;ଆଗମିଲ ଏ ଧରାରେ ଅୟି ପ୍ରିୟତମା !ଦରଦୀ କବିରେ ସତେ ଦେଇ ଗଲ କ୍ଷମା,ଆସ ଗୋ ପରାଣ ସାଥୀ,ଯିବା ନବ ହର୍ଷେ ମାତି;ମୁକ୍ତ ନଭେ,ସଗୌରବେ ।୧।ଭୁଜେ ଭୁଜ ଦିଅ ଛନ୍ଦି ପ୍ରେମପାଶେ କର ଗୋ ବନ୍ଧନ,ମଧୁମୟ ସ୍ପର୍ଶେ ତବ ଧନ୍ୟ ମଣେ ଆଜ ମୁଁ ଜୀବନ;କିନ୍ତୁ ହାୟ ! ଗଲ କେଣେ ନ ପାରିଲି ଜାଣି;ଆଶାସୌଧ କରି ଚୂର୍ଣ୍ଣ କାହିଁ ଗଲ ରାଣି !ଚଉଦିଗ ଶୂନ୍ୟ ମଣେ,ଶିଥିଳ ମୋ ତନୁ କ୍ଷଣେ;ବାରେ ଆସ,ମୋର ପାଶ ।୨।ଉନ୍ମାଦ ମୁଁ ? ଶୂନ୍ୟ ପୁରେ ଦେଖେ ମୋର ମାନସୀ ମୂରତିଉଭା ମୋର ପୁରୋଭାଗେ ସ୍ମିତ ହାସେ ଆସଇ ମୋ କତି;ନୟନ-ଅପାଙ୍ଗେ ମୋର କରି ବିଚଳିତ,ହୃଦେ ହୃଦ ଛନ୍ଦିବାକୁ ଦିଅଇ ଇଙ୍ଗିତ,ସମ୍ମୁଖ ମୋ ଶୂନ୍ୟ ଏବେ !ପ୍ରିୟା ଅନ୍ତର୍ହିତା ତେବେ ?ଏ କି ମାୟା !ନୁହେ କାୟା !! ।୩।ଏ କି ଶୁଣେ କର୍ଣ୍ଣ ମମ ଶୂନ୍ୟ ଗୃହେ ବଲ୍ଲକୀ-ନିକ୍ୱଣ,ପ୍ରତେ ହୁଏ ସତେ ଅବା ମାନସୀର ମଧୁର ଗୁଞ୍ଜନ;ଅଛି କି ମାନସପଟେ ଏ ଦୀ ପ୍ରାର୍ଥନା,ମଣ୍ଡ ମୋର ଶୂନ୍ୟ ଅଙ୍କ ହେ ବରବରନା;ଆଲିଙ୍ଗିଣ ଥରେ ମାତ୍ର,ସାର୍ଥକ କରିବି ଗାତ୍ର;ଆସ ହେଜି,ବ୍ରୀଡ଼ା ତେଜି ।୪।ଏହି ଯେ ସମ୍ମୁଖେ ସମ ମାନସୀ ଆସଇ ତଳି ଢଳି,ସବୁଜିମା ଧରାପରେ ସେ କି ଅବା ପ୍ରସ୍ଫୁଟିତ କଳି;ରକ୍ତିମ ଅଧରେ ତାର ସ୍ମିତ ହାସ ଫୁଟେ,ନୟନ-ଅପାଙ୍ଗ ହାୟ ଚିତ୍ତ ମୋର ଲୁଟେ;ବକ୍ଷେ ତା ଜଡ଼ାଇ ବକ୍ଷ,ଲିହି ଗଣ୍ଡେ ଚୁମ୍ବ ଲକ୍ଷ;ଦିବାରାତି,ପ୍ରେମେ ମାତି ।୫।ଶୂନ୍ୟ ଲାଗେ ବକ୍ଷ ମମ କାହିଁ ମୋର କଳ୍ପନା-ସୁନ୍ଦରୀ,ନିଃଶେଷିବା ପୂର୍ବୁଁ ତାର ମୁଖୁଁ ମଧୁ ଗଲା ଅପସରି;ହରିଛି ମୋ ସୁଖ-ସ୍ୱପ୍ନ ରୂକ୍ଷ ବାସ୍ତବତା,ଦରଦୀ ପରାଣେ ମୋର ଦେଇ ଗୁରୁବ୍ୟଥା;ନ ଲୋଡ଼େ ବାସ୍ତବ ରାଜ,କଳ୍ପନାରେ ଗଢ଼େଁ ତାଜ;ନିରୁପାୟମୁଁ ଯେ ହାୟ ! ।୬।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ