ଜୟପାଳର ଉତ୍ତର – ଗୀତ
ଗଣକବି · ୧୮୮୨–୧୯୫୬
- ସଂକଳନ: ଜୟନ୍ତ-ଜୟପାଳ ସୁଆଙ୍ଗ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୯୬
- ସ୍ଥିତି
- ସାର୍ବଜନୀନ (Public domain)
[ଦିଅ ଦିଅ ନନ୍ଦରାଣୀ ଗୋ ଆଣି – ବୃତ୍ତେ]
ତାତ ମୋତେ କହିଲ ଯାହା, ଜୀବ ଥାଉଁ କେଭେ ନ ହେବ ଏହା । ଭାବ ବସି ତିଳେ ଲାଭ ହାନି ବଳେ ଜଣାପଡ଼ିଯିବ ଦିଶିବ ରାହା ।ପଦ । ଦୁହେଁ ସ୍ୱଚ୍ଛ ସୂତାରେ ବନ୍ଧା, ହେଲେ ହେଉ ପଛକେ ନିନ୍ଦା । ବଜ୍ରନାଦେ ଡରି ମହୀ ତେଜି ଗିରି ପଳାଇଛି କାହିଁ ଦେଖିଛ ଏହା ।୧। ହୀରା କାହିଁ ଛାଡ଼ି କୌନୂର, ହୋଇ ରହିଅଛି ଅନ୍ତର, ବେନିଙ୍କର ଭାବ, ତେମନ୍ତ ଘେନିବ, ଆଉ ଦେଖ ଯେହ୍ନେ, ଚୂମ୍ବକ ଲୁହା ।୨। ଶରଧାରେ ବାଧା ଦିଅନା, ମନେ ଘେନ କ୍ରୋଧ ବହନା । ବଇ ଯୋଡ଼େ ପଦ, ସେହି ଦ୍ୱାର ରୁଦ୍ଧ କରଣେ ବଳିବ କାହାର ହିଆ ।୩।
(ଉଭୟ ପସ୍ଥାନ)ରାଜା ଦୂତକୁ ଆଦେଶ ଦେବା – ଗୀତ[ଜୟ ରଘୁନାଥ – ବୃତ୍ତେ]
ଯାଅ ଦୂତେ ମିଳି ଘେନି ସ୍ୱର୍ଣ୍ଣଥାଳ ଦିଅ ରାଜ୍ୟରେ । ଯେ ଏହାକୁ ନେବ ଦୁହିଁଙ୍କର ଭାବ ଭାଙ୍ଗିଣ ଦେବ ସଜରେ । ଏହାପରେ କେତେ, ପୁରସ୍କାର ଦେବି ମୋର ହାତେ ।୧। ମୂଲ୍ୟ ଲକ୍ଷେ ଟଙ୍କାଠାରୁ ଅଧିକା ନୋହିବ ସେ ଥାଳି ଜାଣ ଖରେ । ବଜାଇ ବାଜଣା ଠାବେଠାବେ ଜଣା ଯେ ଧରିବ ତାକୁ ଆସି କରେ; ଜାଣ ନିଶ୍ଚେ ଆସି । କାଟିଦେବ ଦମ୍ଭ ପୂର୍ବ ଫାଶି ।୨। ଅବିଳମ୍ବେ ଥାଳି ଘେନି ହାତେ ସାଥେ ସାଥେ ଏଣୁ ଯାଅ ଚଳି । ଅଣାଅ ମୋ ପାଶ ବଇଷ୍ଣବ ଭାଷ ନ ସରେ ଦିବସ ନିଶିଭାଳି, ଦୁହିଁଙ୍କର କଥା, ଜାଳିଦିଏ ହୃଦ ଯେହ୍ନେ ଚିତା ।୩।
ରାଜାଦେଶେ ଦୂତେ ନାଗରାଦେବା ଓ ବେଶ୍ୟାଗଣ ଗୀତ ଗାଇ ପ୍ରବେଶ[ଆଜି ଜନନି ଗୋ ତୋର କୋଳୁଁ – ବୃତ୍ତେ]
ଶୁଣ ସଜନୀ ଗୋ, ବାଜୁଅଛି ବାଜଣା ଦାଣ୍ଡେ । ଜଣାଯାଉ ନାହିଁ ରାଜାଦୂତେ ଡାକୁଛନ୍ତି ତୁଣ୍ଡେ ।ପଦ । ଯେ ଜୟନ୍ତ ଜୟପାଳ, ମଧ୍ୟେ କରିବ ଅମେଳ, ଲକ୍ଷେ ଟଙ୍କାର କାଞ୍ଚନ ରଙ୍ଗ ତା ଲଭିବ ଚାଣ୍ଡେ ।୧। କେତେକେତେ ନରନାରୀ ନିରେଖନ୍ତି ଧାରି ଧାରି, ବଳୁନାହିଁ କି ସାହସ ଭାର ବହିବାକୁ ମୁଣ୍ଡେ ।୨। ଚାଲ ସଙ୍ଗ ହୋଇ ଯିବା, ସେହି ରଙ୍ଗ ଭାଙ୍ଗିଦେବା ମନବେଗ ମେଣ୍ଟାଇବା ବଇ କହି ଭାଷ ଭାଣ୍ଡେ ।୩।
ଥାଳି ଘେନି ରାଜା ପାଶେ ପ୍ରବେଶ(ବେଶ୍ୟାଙ୍କ ଗୀତ)
ଭାଙ୍ଗିଦେବୁଁ ସଙ୍ଗ, କଲୁ ଅଙ୍ଗୀକାର, ନେଇ ଏ କାଞ୍ଚନ ପାତ୍ରକୁ ହେ । ଅନାଇଣ ମନ ମନାଇ ନେବୁଟି ତେରଛାଇ ଆମ୍ଭ ନେତ୍ରକୁ ହେ ।୧। ନାସାଫୁଲା ଚାହିଁ ଯିବ ଉଡ଼ି ହଂସା ଦେଖି କମନୀୟ ଗାତ୍ରକୁ ହେ । ଇଙ୍ଗିତେ ସଙ୍ଗୀତେ ମୋହିପାରୁ ହେଳେ ଜାଣୁ ମନଭଙ୍ଗା ସୂତ୍ରକୁ ହେ ।୨। ପାଶେ ଥିଲା ଯାକେ ସେବୁଁ ଦାସୀପରି, କେତେ କେତେ ରାଜପୁତ୍ରଙ୍କୁ ହେ । ଆଡ଼ ହେଲେ ଲେଶ ମାସକରେ ଥରେ ନ ଆଣୁ ହୃଦୟ କ୍ଷେତ୍ରକୁ ହେ ।୩। ଯେ ଆମ୍ଭ ପ୍ରେମରେ ଜଡ଼ିବ ଭ୍ରମରେ ପୋଡ଼ିବୁ ତା ରାଜଛତ୍ରକୁ ହେ । ବଇଷ୍ଣବ ଭଣି ଶିଖିଅଛୁଁ ପୁଣି ପୁରୁଷମାରଣୀ ମନ୍ତ୍ରକୁ ହେ ।୪।
ରାଜା – ବେଶ୍ୟଗଣେ, ତୁମ୍ଭେ ଏ ସୁବର୍ଣ୍ଣ ଥାଳିପାତ୍ର ଘେନି ଜୟନ୍ତ ଜୟପାଳର ପ୍ରମୋଦ ଆଳକୁ ଚଳ, କଥାକୁ କାର୍ଯ୍ୟରେ ଧାର୍ଯ୍ୟ କଲେ ଅଶେଷ ପୁରସ୍କାରରର ଭାଜନ ହେବ ।
ବେଶ୍ୟା – ଯେ ଆଜ୍ଞା !ବେଶ୍ୟାଗଣ ଜୟନ୍ତ ଜୟପାଳ ବାସ ପ୍ରବେଶ; ରାଜପୁତ୍ର ଓ ମନ୍ତ୍ରିପୁତ୍ର – ଗୀତ(କୀର୍ତ୍ତନ ସୁର)
ବାରେ ବାରଙ୍ଗନେ ଆସ ଗୋ ଭବନେ କରିବା ଆମୋଦପ୍ରମୋଦ ମିଳି । କର ନୃତ୍ୟଗୀତ ହର ଆମ୍ଭ ଚିତ୍ତ ସୁସ୍ୱରକୁ କର୍ଣ୍ଣେ ଦିଅ ଗୋ ଢାଳି ।ପଦ । ଟେକି ଉଚ୍ଚ କୁଚ ଦୂରୁ ଫେରି ନାଚ ଚାହାଁ ବେନି ବାହା ଊର୍ଦ୍ଧ୍ୱକୁ ତୋଳି । ଗୋଳାପଣାଛଣା ସେ ବଚନବୀଣା, ବଜାଇ ମଜାଇ ମାର ଗୋ ତାଳି ।୧। କଳିବାକୁ ତୁମ୍ଭ ଗୁଣ ଗଉରବ ମୋହିବ କେ ଅଛି କହ ସେଭଳି । ଦୋହଲାଇ କଟି କୁଟିଳକୁନ୍ତଳା ଯତି-ମତି-ଧୃତି ପକାଅ ଦଳି ।୨। ଉଡ଼ାଅ ପଣନ୍ତ ଯେହ୍ନେ ମାର ନେତ୍ର ଜଡ଼ାଉରେ ଊର ଯାଉ ସେ ଝଳି । ତୁଳିତଳପରେ ଚାଟୁ ଗଳପରେ ପହୁ ରାତି ବଇ ଏ ରସେ ଭାଳି-।୩।
ବେଶ୍ୟାଗଣ ନୃତ୍ୟସହ – ଗୀତ[ନାଚ ଗୋ ସୁନ୍ଦରୀ ନବଅପସରୀ – ବୃତ୍ତେ]
ହେ ରସିକବର ରସର ହସ ନହିଁ କିପାଁ ମୁଖରେ ।ପଦ । ତୁଟିଛି ସୁରସ ଳୁଟିଲା ପରାଏ ମନ ଯାଉଁ କେଉଁ ପାଖରେ । ଚାଖିଛି କେ ମଧୁ ଅଧର ମଧ୍ୟରୁ ସେ ସୁଧା ମୟୂଖ ଟେକରେ ।୧। ଶଙ୍କା ତେଜି ଚିତ୍ତୁ ଚତୁରରତନ ପ୍ରତିଦାନ ଦିଅ ରଙ୍କରେ । ବଇଷ୍ଣବ ଗିର, କଷ୍ଟ ନଷ୍ଟ କର ତେରଛେ ଅନା ନିଃଶଙ୍କରେ ।୨।
ବେଶ୍ୟାଗଣ ପୁରସ୍କାର ପାଇଁ ଉଦ୍ୟତ
ବେଶ୍ୟା – ଯୁବରାଜ ! ଯାଉଁଅଛୁ ଆମ୍ଭେ ଥାଅ ବେନି ସଖା ।ଆଉ କେତେଦିନେ ହେବ ତୁମ୍ଭ ଆମ୍ଭ ଦେଖା । ହେ ମନ୍ତ୍ରୀକୁମର, ଆମ୍ଭ ସଙ୍ଗେ ସଙ୍ଗେ ଆସ କିଛି ଦୂର । କହି ଯିବୁଁ ପଥେ ଆମ୍ଭେ ଯାହା, ନ କହିବ କାହା ପାଶେ ତାହା ।
ଜୟପାଳ – ଥାଅ ସଖା,ଆସେ ଶୁଣି ମୁହିଁ ।ବେଶ୍ୟା – (ଜୟପାଳ କର୍ଣ୍ଣେ କହିବା) କିପାଁ ଆସ, ଆଉ କଥା କିଛି ନାହିଁ ।ଜୟନ୍ତ – କି କହିଲେ ବେଶ୍ୟା, ସଖା ମୋତେ ଭାଷ ବେଗକରି ।ଜୟପାଳ – ନ କହିଣ କିଛି ଭଣ୍ଡିଦେଲେ ବାରନାରୀ ।ଜୟନ୍ତ – ହୋଇ ଏକଆତ୍ମା ଆଜି କରିଲ କପଟ ।ଜୟପାଳ – ବୃଥା କଥାରେ କି ହେତୁ ଲଗାଇଛ ହଟ ।ଜୟନ୍ତ – ହଉ ତୁମ୍ଭ କଥା ଗଲା ଜଣା ।ଜୟପାଳ – ସବୁ ଜାଣିଶୁଣି ପୁଣି ହେଉଛ ଅଜଣା ।(ଉଭୟ ପ୍ରସ୍ଥାନ)ରାଜପୁତ୍ର କ୍ରୋଧେ ଭୂମିଶଯ୍ୟାରେ ଶାୟିତ ଦେଖି ରାଣୀର ଗୀତ[କାହିଁ ପାଇଁ ଭାଇ ମସ୍ତକ – ବୃତ୍ତେ]
ମୋ ଦୁଃଖପସରା ଦୁଃଖୀସରା ଧରାରେ ଶୋଇଛୁ ରେ । କଳପ କଳପ ତଳପ ରହିଛି ଏ ଦଶା ସହୁଛୁ ରେ ।ପଦ । ଦେଲା ଅପମାନ ତୋତେ କେଉଁ ଜନ ଫେଇ ନ କହୁଛୁ ରେ । ଘନଘନ ଝାଳ ବହି ତିନ୍ତେ ତଳ ପୋଛି ନ ଦେଉଛୁ ରେ ।୧। ଫିଟୁନାହିଁ ତୁଣ୍ଡ ଏ ତ କେଉଁ କାଣ୍ଡ ଏ ଦଣ୍ଡ ପାଉଛୁ ରେ । କେଉଁ ଦୁରୁଦଣ୍ଡ ଦେଲା ସେ କେ ଭାଣ୍ଡ ମୁଣ୍ଡ ରେ ବହୁଛୁ ରେ ।୨। ଉଠି କହ ଧନ, ମେଣ୍ଟାଇବି ମାନ କଳଙ୍କ ଥୋଉଛୁ ରେ । ଭାଷେ ବଇଷ୍ଣବ, କାଳ ନ ରହିବ ଶାନ୍ତ ଯା ନୋହୁଛୁ ରେ-।୩।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ