ଏବେ ମଧ୍ୟ ବଞ୍ଚିଛି
ଗୋଦାବରୀଶ ମହାପାତ୍ର · ଭାଗ ୭ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
(୧)
କେତେଟା ଆମ୍ବ, ବର, କଇଁଆ ଗଛତଳେ ଦଶ-ତିରିଶିଟା ଚାଳଘର । ତା’ ଭିତରେ ପୁଣି ସିନ୍ଦୂରବୋଳାଂ ଶାହାଡ଼ା ଗଛ, ଛବିଲେଖା ଭାଗବତପିଣ୍ଡି, ପଥରବସା ଚୁଉଁରା, ଦରଭଙ୍ଗା କୂଅଚାନ୍ଦିନୀ, ଦରପୋତା ପୋଖରୀତୁଠ ।
ଏଥିରେ ପୁଣି ଏତିକି ମାୟା, ଏମିତି ମମତା ! ତାହାରି ଭିତରେ କେଉଁ କୁଟୀର କୋଣରେ କାହାର ପ୍ରଣୟିନୀ - କିଏ କାହାର ପଲ୍ଲୀପୁରକୁ ଦିବ୍ୟପୁରରେ ପରିଣତ କରୁଛି; କିଏ ପୁଣି ଭଙ୍ଗା କାନ୍ଥ କଣା ଚାଳଘରେ ନୂଆ କରି ସଂସାର ଗଢ଼ିବାକୁ ଚେଷ୍ଟା କରଛି । ଏ ଆଶା, ଏ କଳ୍ପନା କେତେ କାହାର ପୂରଣ ହେଉଛି, ତାହା ତ ଅଲ ଗା କଥା !
ପଲ୍ଲୀ ବୋଲି କହୁଥିବା କୂଅ-ପୋଖରୀ-ମନ୍ଦିର-ଚଉଁରାପୂର୍ଣ୍ଣ କୁଟୀରମୟ ଭୁଇଁଖଣ୍ଡକୁ କିଏ ହେୟ, ନିର୍ଜୀବ ବୋଲି ମନେକରିପାରନ୍ତି; ମାତ୍ର ସହଦେବ ପାରିଲାନାହିଁ । ତା’ ଭିତରେ ତା’ର ସ୍ୱପ୍ନ-ପ୍ରତିମା । ସେ ଜଣାଇଦେଲା, ଏସବୁଥିରେ ଜୀବନ ଅଛି, ଯୁଗ-ଯୁଗାନ୍ତରର ପିତୃପୁରୁଷଙ୍କର ବହୁ ବିଚିତ୍ର ସ୍ମୃତି ଅଛି । ୟାକୁ ଭୁଲିଲେ ଜୀବନଟା ନୀରସ ହୋଇପଡ଼େ ।
ଗାଁ ନିତାନ୍ତ ଛୋଟ; ତାକୁ ପଲ୍ଲୀ କୁହାଯାଇ ପାରିବ ନାହିଁ କି ଗାଁ କୁହାଯାଇ ପାରିବ ନାହିଁ । କେତେ ଯୁଗରୁ କେଜାଣି, ବାଟୋଇ ସେ ବାଟେ ଯିବା - ଆସିବା କଲାବେଳେ ସେହି କେତୋଟି ଘରର ସମଷ୍ଟିକୁ ‘ଗମେଇ’ ବୋଲି ଡାକନ୍ତି । ଆଉ, ଆଖପାଖ ଲୋକଙ୍କ ପାଖରେ ତାହା ବାଉରିସାହି ବୋଲି ପରିଚିତ ।
ଏହି ଗମେଇର ଏକପାଖରେ ଏକ ଛୋଟିଆ ନଈ ଓ ଅନ୍ୟ ଏକପାଖରେ ଗୋଟିଏ ଛୋଟିଆ ପାହାଡ଼ । ଓଡ଼ିଶାରେ ମଲାଗୁଣୀଠାରୁ ଆରମ୍ଭ କରି ମହାନଦୀ ପର୍ଯ୍ୟନ୍ତ କେତେ ସାନ ବଡ଼ ନଦୀ ଅଛି; ମାତ୍ର ସେହି ଗମେଇ ପ୍ରାନ୍ତ ପ୍ରବାହିନୀ ଛୋଟ ନଈଟିକି ମଗେଇବାସୀ ଜଗତର ଏକମାତ୍ର ନଈ ବୋଲି ମନେ କରି ଆସିଛନ୍ତି । ତାଙ୍କ ଗାଁ ପାଖର ସେହି ଛୋଟ ପାହାଡ଼ଟିର ମହିମା ତାଙ୍କ ପକ୍ଷରେ ଅତୁଳନୀୟ । ମହେନ୍ଦ୍ର, ମେଘାସନ, ମାଲ୍ୟଗିରି କାହିଁ କେଉଁଠି ଦୂରରେ ଅଛି ପରା ! ତାହା ଗମେଇବାସୀଙ୍କ ଆଖିକି କବିର କଳ୍ପନା ବା ସ୍ୱପ୍ନର ଛାୟା ହୋଇପାରେ; ମାତ୍ର ସେହି ଛୋଟ ପାହାଡ଼ଟି ତାଙ୍କ ଆଗରେ ଅତି ରମଣୀୟ ମେରୁ ପର୍ବତ ! ପାହାଡ଼ରେ ଫୁଲ ଫୁଟିଲେ ଗାଁରେ ନବଜୀବନ ସଞ୍ଚାର ହୁଏ । ନଈର ତରଙ୍ଗ ପରି ସେମାନଙ୍କ ପ୍ରାଣରେ ସ୍ନେହପ୍ରୀତି ଢଳଢଳ । ପାହାଡ଼ର ଅଚଳ ପଥରଖଣ୍ଡି ପରି ସେମାନଙ୍କ ସାହସ ଅତି କୋଠର । ମୋଟାମୋଟି କହିବାକୁ ଗଲେ, ସେହି ପାହାଡ଼ ଆଉ ନଈ ଭିତରେ ରହି ମାନବଜାତିର ସେହି ଏକ ବିଚ୍ଛିନ୍ନ ଅଂଶ ସତେ ଅବା ନଈପରି, ପାହାଡ଼ପରି ଜୀବନ୍ତ, ସତେଜ, ଅଚଳ ରହି ସଂସାରପଥରେ ଯାତ୍ରା ଆରମ୍ଭ କରିଛନ୍ତି ।
(୨)
କେତେ ବର୍ଷ ପରେ, କେହି କହିପାରିବେ ନାହିଁ, କାଳର ପରିବର୍ତ୍ତନ ଘଟିଲା । ସେହି ପରିବର୍ତ୍ତନ ଫଳରେ ପାହାଡ଼ ତାଙ୍କୁ ଆଉ ଧୈର୍ଯ୍ୟ ଶିକ୍ଷା ଦେଇ ପାରିଲା ନାହିଁ; ନଈ ତାଙ୍କୁ ହସାଇ ନଚାଇ ପାରିଲାନାହିଁ । ସେମାନେ ହା-ହୁତାଶ ଭାବରେ ଏଣେତେଣେ ବୁଲିଲେ ।
ଛବିଶ ସାଲ ଦୁର୍ଭିକ୍ଷର ଦାରୁଣ ଧକ୍କାରେ କେତେ ଗୌରବମୟ ଉଆସ ତ ଭାଙ୍ଗି ପଡ଼ିଲା, ଗେମଇ ଗାଆଁର ବାଉଁଶ ବେଢ଼ାପୋତା ତାଟିଲଗା ଦଦରା କୁଟୀର କଥା କିଏ ପଚାରେ ? ତଥାପି ପେଟଚାଖଣ୍ଡକ ପାଇଁ ସେମାନେ ପାହାଡ଼କୁ ତାଡ଼ିଦେବାକୁ ଉଦ୍ୟମ କଲେ । ଟାଙ୍ଗୁରାମୁଣ୍ଡରେ ପଥର ବୋହି କେତେ କୁବେର ଭଣ୍ଡାରର ଭିତ୍ତି ପକାଇଦେଲେ, ବଡ଼ ବଡ଼ ଦ୍ରୁମକୁ ଖଣ୍ଡ ଖଣ୍ଡ କରି ଗାଁ ଗାଁ ଭରତି କରିଦେଲେ, ତଥାପି ପେଟ ପୂରିଲାନାହିଁ । ଅନ୍ନହୀନ, ସାହାସୀନ, ବସ୍ତ୍ରହୀନ, ଦୀନହୀନ ଭାବରେ ଗ୍ରାମବାସୀ କିଏ କୁଆଡ଼େ ଚାଲିଗଲେ ।
ସହଦେବ ଜାତିରେ ବାଉରି । ବସରେ ବାଇଶି ବର୍ଷର ଭେଣ୍ଡା । ଆକରରେ ସେହି ପାହାଡ଼ ତଳିଆ, ନଈକୂଳିଆ ଭେଣ୍ଡା ଗଜାଗଛ ପରି । ତେଣୁ ଦୁର୍ଭିକ୍ଷର ଧକଖକା ତାକୁ ହଲଚଲ କରିବା ପାଇଁ ବହୁତ ଦିନ ଲାଗିଲା । ସେ ଦେଖିଲା, ତା’ର ସେହି ଛୋଟ ଗାଆଁଟିର କେତୋଟି ନିତି-ପରିଚିତଙ୍କ ଶେଷ ଚିତା ଗାଆଁମୁଣ୍ଡ ବରଗଛ ମୂଳରେ ଡହଡହ ହୋଇ ଜଳିଉଠିଲା । କାହା କଣ୍ଠରେ କେତେ କରୁଣ ସ୍ୱର ସେହି ପାହାଡ଼ର ଦାରୁଣ ପଥରଗୁଡ଼ାକ ତରଳାଇବାକୁ ଚେଷ୍ଟାକଲା । ସେ ସବୁ ଶୁଣିଲା, ସବୁ ଦେଖିଲା; ମାତ୍ର କାହାକୁ କୌଣସିଥିରୁ ବିରତ କରାଇ ପାରିଲାନାହିଁ ।
ଶେଷକୁ ତା’ର ଆସିଲା ପାଳି । ଯେତେବେଳେ ତା’ର ଛାତିର ହାଡ଼ ଗଣିହେଲା, ଆଣ୍ଠୁଗଣ୍ଠିର ଠୁଙ୍ଗି ଦିଶିଲା, ଆଖି କୋରଡ଼ କୋରଡ଼ ହେଲା, ସେପରି ଅବସ୍ଥାରେ ଦିନେ ସେ କୁଡ଼ିଆ ଭିତରେ ନିତାନ୍ତ ହତାଶ ଭାବରେ ବସିପଡ଼ି ତା’ ଜୀବନର ଏକମାତ୍ର ସାଥୀ ଚମ୍ପେଇକି ଚାହିଁ କହିଲା - ‘‘ଆଉ କ’ଣ ପାରିବି ?’’
ସହଦେବ ପରିବାର ସାହସ ଟିକକ ହରାଇଲା । ଦିନରାତି ସେହି ଏକାକଥା ଭାବିଲା - ‘ଆଉ କ’ର ପାରିବି ?’ ଚମ୍ପେଇକି ପାଖରେ ରଖି ଭାବିଲା, ଚମ୍ପେଇକି ଦୂରରେ ରଖି ଭାବିଲା, ଚମ୍ପେଇକି କୋଳରେ ଧରି ଭାବିଲା - ନ ଭାବି ସେ ରହିପାରିଲା ନାହିଁ । ଠିକ୍କଲା, ଯିବ ଦୂରକୁ ରୋଜଗାର କରି ।
ଚାରିଟି ଆଖିରୁ ଲୁହ ବୋହିଲା । ଦୁଇଟି ବୁକୁ-ତଳେ କି ଆଘାତ ପ୍ରତିଘାତ ଲୀଳା ଚାଲିଥିଲା, ସେହି ଦୁଇ ବୁକୁ ପରସ୍ପର ବୁଝିଲେ । ଦୁଇଟି ନାସିକାରୁ ନିଃଶ୍ୱାସ ଏକେବେଳକେ ଘନଘନ ବହିଲା । ଚାରିଟି କରତଳ, ଚାରିଟି ଚରଣ ଏକାବେଳକେ ଥରିଲା । ଏହା ପରେ ଦିନେ ଏକ ରାତିରେ ସହଦେବ ବାହାରି ପଡ଼ିଲା ରୋଜଗାର କରିବାକୁ ।
ଏହି ହେଉଛି ଦୁଇଟି ଜୀବନର ଏକ ରାତିରେ ଶେଷ ପ୍ରହରର ଇତିହାସ ।
(୩)
ତା’ପରେ....ତା’ପରେ ଆଉ ଏକ ରାତିରେ....। ବିଶ୍ୱଜଗତର ଅଣୁ-ପରମାଣୁ ପରି ବେଳେବେଳେ ଯେଉଁ ଅନ୍ଧକାର ଘୋଟିଯାଏ, ସେ କେବଳ ଅନ୍ଧକାର ବୋଧହୁଏ ଗମେଇ ଗାଆଁକୁ ଜଡ଼ କରିଦେଇଛି । ଛୋଟ ନଈଟି ପାଗଳିନୀ ପରି କୂଳସୀମା ଭୁଲି ଚାଲିଛି; ଛୋଟ ପାହାଡ଼ଖଣ୍ଡକ ସାଇଁସାଇଁ ଗର୍ଜୁଛି ।
ଏହିପରି ଏକ ଭୀଷଣ ରାତିରେ ସହଦେବ ତା’ର ଗମେଇ ଗାଆଁର ଭଙ୍ଗା କୁଡ଼ିଆଖଣ୍ଡିକରେ ବସି ଭାବୁଛି । ଏକାକୀ ସେ; ମାତ୍ର ଭାବନା ତା’ର ବହୁତ । ତା’ର ଘରେ ଆଲୁଅ ତ ନାହିଁ; ହୃଦୟ ଭିତରେ ମଧ୍ୟ ଆଲୁଅ ନାହିଁ । ଆଲୁଅ ବୋଲି ସେ ଯାହା ଆପଣା ହୃଦୟର କେଉଁ ନିଭୃତତମ କୋଣରେ ଅନୁଭବ କରୁଛି, ତାହା ତା’ ଜୀବନର ଚାରିବର୍ଷ ତଳର ଗୋଟିଏ ସ୍ମୃତିର ଉାୟା ମାତ୍ର ! ସେହି ସ୍ମୃତିର ଛାୟାଟି - ଠିକ୍ଚମ୍ପେଇର ବେଶ ଓ ଚମ୍ପେଇର ହାସ ! ସେ କ’ଣ କରିବ ? କାହାକୁ ଡାକିବ । ? ଅନ୍ଧାର ଭିତରେ ଉଠିପଡ଼ି ତାକୁ ଜାକିପକାଇବ ବୋଲି ହାତ ବଢ଼ାଇଲା । ଦେଖିଲା, ଖାଲି ଅନ୍ଧାକାର ଛଡ଼ା କିଛି ନାହିଁ । ସେ ଛାୟା ଚାରି ବର୍ଷତଳର ସ୍ମୃତିଛାୟା ମାତ୍ର ।
ଚାରି ବର୍ଷତଳେ ସେ ଯେତେବେଳେ ଗାଁ ଛାଡ଼ି ବିଦେଶ ଗଲା, ଚମ୍ପେଇ ଓଦାକନା ପେଟରେ ଦେଲାପରି ରହି ତା’ ବାଟ ଚାହିଁଲା । କ୍ରମେ ତିନି ଦିନରେ ଓଳିଏ ଚୁଲି ଲାଗିଲା । ତହିଁରେ ପୁଣି ଆଜି ମୁଠିଶାଗ ତ କାଲି ବଣସାରୁ ପତର ।
ହତଭାଗିନୀର ଏହି ଦଶା-ବିପର୍ଯ୍ୟୟ ଯେତେବେଳେ ଶେଷ ସୀମାରେ, ସହଦେବ କୂଅ-ପୋଖରୀ-ମନ୍ଦିର-ଚଉଁରାପୂର୍ଣ୍ଣ ପଲ୍ଲୀଟିର ମଧୁର- ମାୟାରେ ଟାଣି ହୋଇ ଆସି ଘରେ ପହଞ୍ଚିଲା । ସନ୍ଧ୍ୟାରେ ଆସି ଦେଖିଲା ତା’ କୁଟୀର ଖଣ୍ଡିକ ଜୀବନ ସନ୍ଧ୍ୟାରେ । ଘାସରେ ପଥ ବାରିହେଉନାହିଁ । ଆସନ୍ନ ଅନ୍ଧକାର ଜୀବନର ଦୁଃଖଦୁର୍ଦ୍ଦଶା ସଙ୍ଗେ ମାଡ଼ିଆସୁଛି ।
ମନ୍ଦିର ଅଚଳ ପାଷାଣ ପ୍ରତିମା ଉପରେ ପତାକା ଫରଫର ଉଡ଼ିଲା ପରି ମୂକ ଜଡ଼ ସହଦେବ ଉପରେ ଭଙ୍ଗା ଘରଖଣ୍ଡକରେ ଝଡ଼ତୋଫାନ ବହିଗଲା । ସେ ସେଥିକି ତିଳହେଲେ ଖାତିରି କଲା ନାହିଁ; ତାକୁ କିଛି ଜଣାପଡ଼ିଲା ନାହିଁ ମଧ୍ୟ ।
ଗାଁ ଲୋକେ କହିଲେ - ‘‘ଜଣେ ଗଲା ଜାତିରୁ; ଆଉ ଜଣେ ଆସିଛି ଜାତି ହେବ ।’’
(୪)
ସେ ଦିନ ରାତିର ଭୀଷଣତା କ୍ରମେ ବଢ଼ିଲା । ବଜ୍ର ମାଇଲା, ବିଜୁଳି ମାଇଲା - ସେଥିପ୍ରତି ସହଦେବର ଶ୍ରବଣପଥ ମୁକ୍ତ ନ ଥିଳା; ମାତ୍ର ଦୁଆରେ ଯେତେବେଳେ କିଏ ହାତମାରି ଡାକିଲା - ‘‘କିଏ ଅଛ ?’’ ସେ ଚମକି କାନେଇଲା ।
ସହଦେବ ଭାବାବିଷ୍ଟଭାବରେ ଉଠି ଠିଆହେଲା । ଟିକିଏ ଖଣ୍ଡିକାଶ, ତା’ ପରେ ପୁଣି ସେହି ଏକ ସ୍ୱର - ‘‘କିଏ ଅଛ କି ?’’
ସହଦେବ ତାଟିଟା ଫିଟେଇ ଦେଇ କେବଳ ମୂକଭାବରେ ଠିଆ ହୋଇ ଦେଖିଲା, ଆଗରେ ଏକ ମୂର୍ତ୍ତି । ମୁଣ୍ଡରେ ତା’ର ତେଲହାତ ବାଜିଛି କି ନାହିଁ ଅନ୍ଧକାରରେ ବାରିହେଲା ନାହିଁ ସତ; ମାତ୍ର ବୁଢ଼ୀମା’ ଗଳ୍ପରେ ଥିବା ଭୁତୁରିମୁଣ୍ଡୀର ମୁଣ୍ଡପରି ତାହା ଏକ ପ୍ରକାଣ୍ଡ ଆକାରର ଦେଖାଗଲା । ସେ ଘରକୁ ପଛେଇ ଯାଇ ଦୀପରେ ଆଲୁଅ ଜାଳିଦେଲା । ସେ ମୂର୍ତ୍ତି ଘର ଭିତରେ ମିଞ୍ଜିମିଞ୍ଜି ଜଳୁଥିବା ଦୀପାଲୋକରେ ଯାଇ ଠିଆହେଲା । ତା’ର ଆଖି ଦୁଇଟା ତାଳୁରେ କେଉଁଠି ଖୋସି ହୋଇ ମୁହଁରେ ହାଡ଼ ଦେଖାଯାଉଥିଲା ସହଦେବ ବିସ୍ମୟ ଆବେଗରେ ପାଟିକରି କହିଲା - ‘‘ଚମ୍ପେଇ !!’’
ଭୂତ, ନା ପ୍ରେତ ନା ପିଶାଚ ? ତା’ର ଅଧର କେତେ ଥର ମେଲା ହେଲା; କେତେ ଥର ପଡ଼ିଲା; ମାତ୍ର ସହଜରେ ସ୍ୱର ବାହାରିଳା ନାହିଁ । ଶେଷରେ ବଡ଼ କଷ୍ଟରେ ସେ କଣ୍ଠରୁ ବାହାରିଲା -
‘‘ଆହା ! ଏଡ଼ିକି ନିଷ୍ଠୁର !! କେତେ ଦିନ କେତେ ରାତି ଚାହିଁ ଚାହିଁ . . . ଶେଷକୁ…!!’’
(୫)
ଶେଷକୁ କ’ଣ ହେଲା, ସହଦେବ ଆଗରୁ ଶୁଣିଥିଲା । ସେ ଶେଷରେ ବଡ଼ ଧୈର୍ଯ୍ୟରେ ସହିତ ଉତ୍ତର ଦେଲା - ‘‘ମଣିଷ ହୋଇ ଯେ ଥିଲା, ସେ ଭୂତ ହୋଇ ଆସିଲା ଆଜି !! ଆଉ କାହିଁକି . . . ?’’
ଏତିକି କହି ସେ ମୁଣ୍ଡରେ ହାତ ଦେଇ ବସିପଡ଼ିଲା । ତାକୁ ବୁଦ୍ଧି ଦିଶିଳା ନାହିଁ, ତାକୁ ସ୍ୱପ୍ନ ଦିଶିଲା । ପରିଷ୍କାର ଦିବାଲୋକରେ ଦେଖିଲା ପରି ସେ ଦେଖିଲା - ଘର ଛାଡ଼ି, ବନ୍ଧୁ ସଖାସୋଦର ଛାଡ଼ି ସେ ଗଲା ରେଙ୍ଗୁନ । କି ନିର୍ଯ୍ୟାତନା ସେ ନ ଭୋଗିଲା ! ମରଣର ଝଡ଼ତୋଫାନ ଭିତରେ ବଞ୍ଚିବା ପାଇଁ ତା’ର ଅଭିଯାନ ଆରମ୍ଭ ହେଲା । ଦିନକ ତା’ର ଯୁଗେ ହେଲା । ଚାରିବର୍ଷରେ ତା’ର କେତେ ସହସ୍ର ଯୁଗ ଭୋଗହେଲା । ରେଙ୍ଗୁନ ଗଳିରେ ପେଟକୁ ପୂରା ନ ଖାଇ, ମନବୋଧ କରି ଲୁଗା ନ ପିନ୍ଧି, ଚମ୍ପେଇର ସ୍ୱପ୍ନ ଦେଖି ଦେଖି ସେ ଜୀବନଯଜ୍ଞରେ ବର ଲାଭ କଲା । ଆହା-ହା ! କି ମଧୁର ହାସ ତା’ର । ଯୌବନର ପ୍ରଥମ ପରିଚୟରେ, ବାସର ରାତିର ପ୍ରଥମ ପଲକରେ, ତରୁଣ ତନୁର ପ୍ରଥମ ସ୍ପର୍ଶରେ, ମୁକୁଳିତ କୁନ୍ତଳର ପ୍ରଥମ କର-ସଞ୍ଚାଳନରେ କି ତଡ଼ିତ ବା ସେ ହୃଦୟରେ ଅନୁଭବ କରି ନ ଥଇଲା । ତା’ ପରେ ଜୀବନର ଜଞ୍ଜାଳ ! କି ମଧୁମୟ ତାହା ! ଜଙ୍ଗଲରୁ କାଠ ବୋହିଆଣିଲେ, ନଈରୁ ମାଛ ଧରିଆଣିଲେ, ଗଛରୁ ଫୁଲ ତୋଳିଆଣିଲେ, ଜଣେ ଜଣକୁ ହସାଇଲା, ଜଣେ ଜଣକୁ ନଚାଇଲା - ନାଚି ନାଚି ହସି ହସି କୁଡ଼ିଆଖଣ୍ଡିକରେ ଜୀବନର ସୁଅ ବୁହାଇଦେଲେ । ଜାହାଜ ଯେତେବେଳେ ଛାଡ଼ିଲା, ସମୁଦ୍ରରେ ତରଙ୍ଗ ଯେତେବେଳେ ନାଚିଲା, ଗଗନରେ ତାରକା ଯେତେବେଳେ ଫୁଟିଲେ, ସେ ଚମ୍ପେଇର ଚାଲି, ଚମ୍ପେଇର ହାସ କେବଳ ଦେଖିଲା । ତାକ୍ଷପରେ ଘର ଯେତିକି ପାଖେଇଲା, ଚମ୍ପେଇ ତା’ର ସେତିକି ନିକଟତର ହେଲା । ଚମ୍ପେଇ ତା’ର ଗଳା ଧରି ଓହଳିଲା, ଦୁଇଟା ବହୁଦିନର ତାପିତ ଅଧର ତାହାରି ଆଡ଼କୁ ଧୀରେ ଧୀରେ ଆସିଲା ।
ସେ ଅଧରକୁ ମିଶୋଇ ଦେବାକୁ ଚେଷ୍ଟାକଲା । ଦେଖିଲା, ହାତ ତା’ର ଶୂନ୍ୟରେ ଦରାଣ୍ଡୁଛି । ଚମକି ଡାକିଲା କେବଳ - ‘‘ଚମ୍ପେଇ !’’
କେହି ଶୁଣିଲେ ନାହିଁ । ଚମ୍ପେଇର ବାହକୁ ଧରିବାକୁ ଚେଷ୍ଟା କଲା, ଚମ୍ପେଇର ଗଳାକୁ ଟାଣି ଧରିବାକୁ ଇଚ୍ଛା କଲା, ତା’ର ଦୀର୍ଘଶ୍ୱାସ ୟା’ ବୁକୁତଳେ ଶୁଣିବାକୁ କାମନା କଲା - ସବୁ ବୃଥା । ଘର ଭିତରୁ ଅନ୍ଧାର ରାଜ୍ୟକୁ ବାହାରି ପଡ଼ିଲା । ତଳ ଉପର ଦଶଦିଗ ଅନ୍ଧାର, ଉପରେ ତାରା ଚନ୍ଦ୍ର ନାହାନ୍ତି, ତଳେ ତା’ ଛଡ଼ା ଆଉ କେହି ମଣିଷ ନାହାନ୍ତି । ଅଳ୍ପ ଦୂରରେ କେବଳ ସେହି ଛୋଟ ନଈଟା ଭଉଁରି ଖେଳରେ ମାତି କାହାକୁ ଅଶ୍ରୁଧାରରେ ଭସାଇ ଭଉଁରି ଖେଳରେ ମାତି କାହାକୁ ଅଶ୍ରୁଧାରରେ ଭସାଇ ଦେଲାପରି ବହିଯାଉଛି ।
ସ୍ୱର ଶୁଭିଲା - ‘କୁଳୁ-କୁଳୁ-କୁଳୁ ।’
ଚମ୍ପେଇ କ’ଣ ଡାକିଲା ?
କେତେ ପାହୁଣ୍ଡ ଆଗକୁ ଯାଇ ସହଦେବ ଥିର ହୋଇ ଠିଆ ହେଲା । ପୁଣି କିଏ କହିଲା-‘ଖଳ୍ଖଳ୍ଖଳ୍ଖଳ୍!’
ଗଛ ଗହଳିରେ ଜୁଳୁଜୁଳିଆ ପୋକ ସହସ୍ର ଆଖିରେ କାହାକୁ ଚାହୁଥିଲେ । ସହଦେବ ଦଉଡ଼ିଗଲା ତାହାରି ପାଖକୁ . . . । କାଦୁଅ ପଚ୍ପଚ୍ଶୁଭିଲା । ତା’ ପରେ ଏକମାତ୍ର ଶବଦ . . . ନଦୀ ହୁଙ୍କାର ଉଠିଲା . . . ବହମାନ ଜଳଧାରା ଆହୁରି ବିଚଳିତ ହୋଇଗଲା ! ସେହି ଗଛମୂଳେ ପାଣିକି ଚାହିଁ ସହଦେବ ବସିପଡ଼ି ଡାକିଲା - ‘‘ଚମ୍ପେଇ!’’
ପାହାଡ଼ ସେ ପାଖରୁ କିଏ ଉତ୍ତର ଦେଲା - ‘ଚମ୍ପେଇ !’
ଚମ୍ପେଇ ତ ଶୁଣିଲା ନାହିଁ, ସହଦେବ ମଧ୍ୟ ଆଉ କାହା ଡାକ ଶୁଶିଲା ନାହିଁ । ମେଘ ଡାକିଲା ନଦୀ ଡାକିଲା, ପକ୍ଷୀ ଡାକିଲା, ଶେଷରେ ସକାଳେ ଯେତେବେଳେ ମଣିଷ ଡାକିଲେ - ‘ସହଦେବ’ ! ସେ କହିଲା - ‘‘ଚମ୍ପେଇ ।’’
ଏ ଆଉ ଏକ ରାତିରେ ଶେଷ ପ୍ରହରର ଇତିହାସ ।