ଏବେ ମଧ୍ୟ ବଞ୍ଚିଛି
ଗୋଦାବରୀଶ ମହାପାତ୍ର · ଭାଗ ୨ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
(୨)
ଭାଇଗା ଦିନେ ଘରୁ ବାହାରିଗଲା; ପୁଣି ଦିନେ ଫେରିଆସିଲା । ଏ ମଧ୍ୟରେ ଗୋଟିଏ କ୍ଷୁଦ୍ର ଜୀବନର ଦୁଃଖମୟ କାହାଣୀ ଲୁଚିରହିଚି ।
କନକନିଆ ଶୀତ-ରାତିର ଶେଷ ପ୍ରହରରେ ତରୁ ପତ୍ରଗହଳରୁ ଯେତେବେଳେ କାକରେ ଝରୁଥିଲା, ସେହି-ପରି ଅସମୟରେ ପ୍ରତାପପୁର ଗାଁର ପୂର୍ବତଟରେ ଦି’ ଚାରିଟା କୁକୁର ଏକାବେଳକେ ଭୁକିଉଠିଲେ । ସେ ଶବ୍ଦ ଶୁଣି କୁଡ଼ିଆ ଭିତରେ କାହିଁ ହୁଏତ ମାଆ କୋଳରେ ପିଲା ଚମକିଥିବ, ରୋଗୀ ଶେଯରେ ପଡ଼ି ନିତାନ୍ତ ବିରକ୍ତ ହୋଇଥିବ, ସରବରାକାରଙ୍କ ସୁଖନିଦ୍ରା ଭାଜିଯିବାଫଳରେ ସୁକୋମଳ ରେଜେଇ ଉପରେ କଡ଼ ଲେଉଟାଇ ସେ କୁକୁରବଂଶକୁ ଅଭିଶାପ ଦେଇଥିବେ; କିନ୍ତୁ କୁକୁର ଯାହାକୁ ଦେଖି ଭୁକିଲେ ସେ କିଛି ବିଚଳିତ ହେଲାନାହିଁ । ଗଛଗହଳ ତଳେ, ଛାଇଛାଇଆ ଅନ୍ଧାର ଭିତରେ ପ୍ରେତପରି ସେ ଚାଲିଗଲା । ତା କାନପାଖେ ଥଣ୍ଡା ଉତ୍ତରା ପବନ ସାଇଁସାଇଁ ବହିଯାଉଥିଲା । ଅବାଟ ବାଟରେ ପାଦ ତଳେ ଗୋଡ଼ି ଗଳିଯାଉଥିଲା । କାହା ପ୍ରତି ତାର ଲକ୍ଷ୍ୟ ନଥିଲା । ଦେହରେ ତାର ଖଣ୍ଡେ ଲୁଗା । ସେଥିରୁ କାନିଏ ପିନ୍ଧି ଆର କାନିରେ ପିଠିର ଦଶପଣ ଆବୃତ କରିଥିଲା । ସତର ବର୍ଷର ସୁପରିଚିତ ଗାଁଟିକୁ ଛାଡ଼ି ସେ ଯେଉଁ ପ୍ରତରୂପୀ ମାନବଛାୟାଟି ଧୀରେ ଧୀରେ ଦୂର ଲକ୍ଷ୍ୟରେ ଚାଲିଗଲା, ସେଇ ହେଉଚି ଭାଇଗା ।
ଭାଇଗା ଗଲା ବିଦେଶକୁ ଟଙ୍କା ଅରଜି ନୁହେଁ, ପେଟ ପୋଷି । ଯିବା ଆଗରୁ ସେ କେତେ ଦିନ କେତେ ରାତି କେତେ ଥର ଘରୁ ଗୋଡ଼ କାଢ଼ିଥିଲା, ପୁଣି କେତେ ଥର ଫେରିଆସିଥିଲା । ପୁରୁଣା ଘରଖଣ୍ଡକର ମାୟା, ପରିଚିତ ରାସ୍ତାଘାଟର ମମତା, ଗାଁର ଆକର୍ଷଣ ସବୁ ଏଡ଼ି ସେ ଯାଇପାରିଥାନ୍ତା; ମାତ୍ର ତାହା ଭିତରେ ଯେ ତାର ମା’ ଥିଲା, ତାକୁ ସେ ସହଜରେ ଛାଡ଼ିପାରୁ ନଥିଲା । ଯିବ ଯିବ ବୋଲି କେତେ ଥର ବସି ଭାବିଥିଲା, କେତେ ଥର ଉଠି ମୂକ ହୋଇ ଠିଆହୋଇଥିଲା, ନିରାଶ ପ୍ରାଣରେ କେତେ ଥର ମାଆ ପାଖେ ବସି କାନ୍ଦିଥିଲା । କେତେବେଳେ ବା କି ମଧୁର ସ୍ୱପ୍ନ ଦେଖି ହସି ହସି ମାଆକୁ କହିଥିଲା - ‘‘ମାଆ, ରାମିଆ ଅଇଲା ରେଙ୍ଗୁନରୁ ଯେ, ବିଶେ ସୁନା ଆଣିଛି ବୋଲି ଲୋକ କହୁଛନ୍ତି । ମୁଁ ଗଲେ ପାଏ ଆଣିପାରିବି ନାହିଁ? ମାଠୁଁ କଣ ସେ ବଡ଼ ପାରିବାର?’’ ମାଆ ତା କଥା ଶୁଣି ଆଖିରୁ ଲୁହ ଗଡ଼େଇ କହେ - ‘‘ବଡ଼ ହେଲେ ଯିବୁ ରେ ବାବୁ; ବିଶେ କିଆଁ, ପାଞ୍ଚ ବିଶା ଆଣିବୁ ।’’ କେବେ କେବେ ଭାଇଗା ଶୋଇବା ଶେଯରେ ବାଉଳି ହୋଇ କହେ - ‘‘ମାଆ, ଲଗା ଚୁଲି । ଆଜି ଆଣିଚି ସାତ ପଇସା । ଯାଉଚି ଚାଉଳ କିଣିଆଣିବି ।’’ ସାତ ପଇସା ଯେ ବେଳେବେଳେ ଅରଜେ, ସେ ଯେ ରେଙ୍ଗୁନ ଗଲେ ବିଶା ବିଶା ସୁନା ଆଣିବା କଳ୍ପନା କରପାରୁଚି, ଏଇ ହେଉଚି ଭାଇଗା ପକ୍ଷରେ ବଡ଼ କଥା । ସେ ସୁନା ଆଣିବ, ସୁନା ବିକିବ, ମାଆକୁ ପୋଷିବ - ଏ ମଧୁର କଳ୍ପନା କରୁ କରୁ ବେଳେବେଳେ ତା ଭିତରେ ଯବନିକା ପଡ଼ିଯାଏ । ଆଖି ବୁଜି ଭାବୁଥାଏ । ଆଖି ଫିଟାଇ ଦେଖେ ଘରଟା ଅନ୍ଧାର ! ଦି’ଓଳି ହେଲା ଚୁଲି ଲାଗିନାଇଁ । ଆଉ କେବେ କେବେ ସେ ଚାହିଁକରି ଚମକିପଡ଼େ । ତା’ପରେ ମାଆକୁ କହେ, ‘‘ମା, ଟଙ୍କାଏ ଖଜଣା ତ ବାକି ଥିଲା, ନାହାକ କଣ ସେଥିପାଇଁ ଘରଡ଼ିହଖଣ୍ଡକ ନେଇଯିବ ?’’ ମାଆ ପୁଅକୁ ଜାକିପକାଇ କଣ ଭାବି ଛେପ ଢ଼ୋକିଦିଏ ।
ଏହିପରି ଅନେକ ଦିନ ଅନେକ କଥା ପରେ ସେଦିନ ରାତିରେ ଭାଇଗା ଗଲା ବିଦେଶକୁ । ସେ ଯିବ, ପଇସା ଅର୍ଜିବ, ଆସି ଘରଖଣ୍ଡକ ମୁକୁଳେଇ ମାଆକୁ ପୋଷିବ । ଗଲାବେଳେ ତାଟି ଫିଟେଇ ମାଆ ପୁଅକୁ ଯେତେବେଳେ ବିଦାୟ ଦେଲା, ପଣତକାନିରେ ଲୁହ ପୋଛି ପୋଛି କହିଲା - ‘‘ଗଣ୍ଠି ରେ, ଧନ ରେ, ଯେଉଁଠି ଥା ତୋରାଣି ମନ୍ଦାକରେ ଭାତମୁଠେ ଖାଉଚୁ ବୋଲି ଜାଣିଲେ ମାଆ ତୋର ବଞ୍ଚିଛି ବୋଲି ଭାବିବୁ ।’’
ଏ ଗଲା ଗୋଟିଏ ଦିନ ।
(୨)
ଆଉ ଗୋଟିଏ ଦିନ । ପ୍ରତାପପୁର ସିନା ଗାଁ ନାଁ; କିନ୍ତୁ ଗାଁର ସମସ୍ତେ ପ୍ରତାପୀ ନୁହନ୍ତି । ଗାଁର ସରବରାକାର ବା ନାହାକ ଛଡ଼ା ସମସ୍ତେ ପ୍ରାୟ ଗରିବ । ରାଜ୍ୟରେ ଦିନେ ଶବ୍ଦ ହେଲା - ଭାଇଗାମା’ ଆଉ ବଞ୍ଚିବ ନାହିଁ । ସେଥିଲାଗି ନାହାକେ ତାକୁ ବାଡ଼ିପାଖ ପିଣ୍ଡାରୁ ଉଠେଇ ଗୁହାଳଘର ପିଣ୍ଡାକୁ ନେଇଯାଇଛନ୍ତି ।
ଭାଇଗାମା’ ! ଯେ ଶୁଣିଲା, ସେ ‘ଆହା’ କଲା । ପ୍ରତାପପୁର ଗାଁରେ ସାତପୁଅର ମା’ ଯେବେ କିଏ ଥିଲା, ତେବେ ସେ ହେଉଚି ଏ ଭାଇଗାମା’ । ଗାଁରେ ବୁଢ଼ୀ ଯେବେ କିଏ, ତେବେ ସେ ହେଉଚି ଭାଇଗାମା’ । ପୁଣି ଏବେ ଗାଁରେ ଅନାଥିନୀ ଯେବେ କିଏ, ତେବେ ସେ ମଧ୍ୟ ସେଇ ଭାଇଗାମା’ ! ଗୋଟି ଗୋଟି ହୋଇ ଭେଣ୍ଡା ବୟସରେ ଛଅ ପୁଅ ମଲେ । କୁମୁଟି, ମାରୁଆଡ଼ି, ମହାଜନ ବିଲବାଡ଼ି ନିଲାମ କରିନେଲେ । ଥିଲା କେବଳ ଡ଼ିହଖଣ୍ଡକ । ଖଜଣା ବାକିରେ ନାହାକେ ଦୁଆରେ ତା’ର କଣ୍ଟା ଛାଟି ଦେଇଛନ୍ତି ।
ବୁଢ଼ୀ ନାହାକ ଘର ଗୁହାଳ ପିଣ୍ଡାରେ ପଡ଼ି ଦିନେ କହୁଥିଲା - ‘‘ନ ଆସୁ ପଛକେ, ତୋରାଣି ସାଥିଲେ ଭାତ ଗୁଣ୍ଡାଏ ହେଲେ ଖାଉଥାଉ ।’’ ନାହାକେ ପିଣ୍ଡା ସେପଟେ ଥାଇ ଶୁଣୁଥିଲେ, ‘‘କ’ଣ ଭାଇଗାମା’, ଭାଇଗା ଆସିବ ଆଜିକାଲି; ଚିଠି ଦେଇଥିଲା ।’’ ବୁଢ଼ୀ ଚମକିପଡ଼ି କହିଲା - ‘‘ଧନ ମୋର, ସଙ୍ଖାଳି ମୋର, ଖାଇବାକୁ ପାଉଚି ? ନାଇଁ, ନାଇଁ, ନ ଆସୁ, ନ ଆସୁ । ସେ ମୁଠିଏ ଖାଇବାକୁ ପାଉଚି ତ ଥାଉ । କାହିଁକି ଆଣୁଚ ?’’
ବୁଢ଼ୀ ମୁହଁମାଡ଼ି ଶୋଇପଡ଼ିଲା । ଏ ଉଦ୍ବେଗରେ ତା’ର ଭଙ୍ଗା ବୁକୁତଳୁ ଶୂଳ ଉଠିଲାପରି ହେଲା ।
ରାତି ପହରକୁ ପ୍ରତାପପୁର ଗାଁର ପୂର୍ବପଟେ ପଲେ କୁକୁର ଭୁକିଉଠିଲେ । ଗାଁର ପିଲାମାନେ ଦାଣ୍ଡରେ ଖେଳୁଥିଲେ । କହିଲେ-‘‘ବାର୍ହା ଗଡ଼ିଲା ।’’ ନାହାକେ ବିଚାରିଲେ, ଖମାରରେ ଲୋକ ଶୁଆଇବି, ଚୋର ଆସିଲେଣି; ମାତ୍ର ତେଣେ ଶେଯରେ ତାଇ ଭାଇଗାମା’ କ୍ଷୀଣ କଣ୍ଠରେ କହିଲା - ‘‘ଏମିତି ତ କୁକୁର ସେ ରାତିରେ ଭୁକିଥିଲେ...।’’
ଦେଖୁ ଦେଖୁ ମୁହୂର୍ତ୍ତକ ମଧ୍ୟରେ ଗାଁରେ ଚହଳ ପଡ଼ିଗଲା - କିଏ ଜଣେ ଆସି ଭାଇଗାମା’ର କଣ୍ଟାବୁଜା ଦୁଆରୁ କଣ୍ଟା ଆଡ଼ଉଚି । ହାତକେ ଲଣ୍ଠନ ଓ ହାତକେ ଠେଙ୍ଗା ଧରି ନାହାକେ ଦଳବଳ ସହିତ ଧାଇଁଆସିଲେ । ସାଙ୍ଗେ ସାଙ୍ଗେ ପାଞ୍ଚଟା ପୋଷା କୁକୁର ତାଙ୍କୁ ଗୋଡ଼ାଇ ଚାଲିଲେ । ଭୟ ଓ କୈାତୂହଳରେ ଗାଁରେ ଚହଳ ପଡ଼ିଗଲା । ଏପରି ସମୟରେ ଭାଇଗାର ଭଙ୍ଗା ଘର ଆଗରେ ଆଲୁଅକୁ ମୁହଁ ଉପରକୁ ନେଇ ନାହାକେ କହିଲେ-‘‘କିରେ ଭାଇଗା, ଏ କ’ଣ ? ଆ-ଆ-ଆ, ମା’ ଅଛି ଆମ ଘରେ । ତୁ ତ ଗଲୁ, ତାକୁ ପାଳନ୍ତା କିଏ ?’’
ପିନ୍ଧିବା ଲୁଗା ଧଳା, ଲଗାଇଥିବା ଅଙ୍ଗି କଳା, ହାତରେ ଟର୍ଚ୍ଚଲାଇଟ୍, ଅଣ୍ଟାରେ ବଟୁଆ, କାନ୍ଧରେ ଗୋଟିଏ କାଠର ବାକ୍ସ ଓ ଖଣ୍ଡେ ଶୀତଳପଟି- ସବୁ ଏକାବେଳକେ ଶରୀର ଶରୀରରେ ବହି ଭାଇଗା ଚିତ୍ରପିତୁଳା ପରି ନାହାକଙ୍କ ପଛେ ପଛେ ଚାଲିଲ- ଠିକ୍ରେଙ୍ଗୁନ୍ଫେରନ୍ତା ଓଡ଼ିଆ ।
ସେ ପାଖେ ଦି’ହଳ ଗାଈ, ପାଞ୍ଚ ହଳ ବଳଦ ଗୋଟାଏ କୋଣରେ ହଳ, ଲଙ୍ଗଳ, ଯୁଆଳି, ଆଉ ଏକ କୋଣରେ ରଙ୍ଗମାଟି ଓ ପାଳବଡ଼ିଆ । ପାଖକେ ଭାଇଗାମା’ କନା ମୁଚୁଳାଟାଏ ମୁଣ୍ଡରେ ଦେଇ ଖଣ୍ଡିଆ ସନ୍ତରା ପଟିଟାରେ ଆଁ କରି ଚାହିଁ ପଡ଼ିଛି ।
ଭାଇଗା ସବୁ ଜିନିଷ ତଳେ ଦୁମ୍କିନା ପକାଇଦେଇ ମାଆର ଶେଯ ଉପରକୁ ଆଣ୍ଠୁମାଡ଼ି ଲଇଁପଡ଼ି ବ୍ୟଗ୍ର ବିକଳ କଣ୍ଠର ଡ଼ାକିଲା - ‘‘ମାଆ, ମାଆ, ମୁଁ ଆସିଛି, ସୁନା ଆଣିଛି ।’’ ସେ କ’ଣ କହିଲା ସେ ଜାଣେନାହିଁ । ମାଆ ତା’ର କ୍ଷୀଣ କଣ୍ଠରେ ଏତିକି ମାତ୍ର ଉତ୍ତର ଦେଲା - ‘‘ମଠେ ଖାଇବାକୁ ପାଉଥିଲୁ ?’’
ମା’ ଆଉ ପୁଅର ଉତ୍ତର ଶୁଣିଲାନାହିଁ । କେବଳ ତା’ର ନିର୍ଜୀବ ହାତଟାକୁ ପୁଅ ମୁଣ୍ଡ ଉପରକୁ ଉଠାଇବାକୁ ଚେଷ୍ଟାକଲା; କିନ୍ତୁ ପାରିଲାନାହିଁ ।
ଘଡ଼ିଏ କାଳ ସମସ୍ତେ ନୀରବ ରହିଲେ । ଶେଷକୁ ନାହାକେ କହିଲେ-‘‘ହଉ,........କାଠପତ୍ର ସଜ କର ।’’
ଏ ଗୋଟିଏ ଦିନ ।
ମାଗୁଣୀର ଶଗଡ଼
ଖଲିକୋଟର ଦୁଇଲକ୍ଷ ପ୍ରଜାଙ୍କ ଭିତରେ ପ୍ରତିଦିନ ଯିବାଆସିବା ଚାଲିଚି । କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି । ଏ ଖବର ରଖୁଛନ୍ତି ଗୃହପରିବାର ବା ସାଇପଡ଼ିଶାର ଲୋକେ; କିନ୍ତୁ ଯେଉଁ ଦିନ ମାଗୁଣୀ ଏ ସଂସାର ଛାଡ଼ି ଚାଲିଗଲା ସେଦିନ ଖବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା । ଯେ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା - ମାଗୁଣୀ ଚାଲିଗଲା ? ଆହା ! ବିଚରା ଚାଲିଗଲା !!
ମାଗୁଣୀ କିଏ ? ଖଲିକୋଟର ସେ ରାଜା ନୁହେଁ, ଏ କଥା ନିଶ୍ଚୟ । ସେ ରାଜ୍ୟର ନେତା ନୁହେଁ, ଏ କଥା ସମସ୍ତେ କହିବେ । ସେ କର୍ମୀ ନୁହେଁ, ଏ କଥା ସମସ୍ତେ ଜାଣନ୍ତି । ସେ କେବେ ସତ୍ୟାଗ୍ରହରେ ଯୋଗଦେଇନାହିଁ କି ରଜାକୁ ଖଜଣା ଦେଇନାହିଁ । ତା’ ବେକରେ କିଏ ଫୁଲମାଳ ଲମ୍ବାଇନାହିଁ କି ସେ କାହା ଗଳାରେ ମାଳା ଲମ୍ବାଇବା ଦରକାର ପଡ଼ିନାହିଁ । ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇ- ନାହିଁ କି ଦିଅଁ- ଦେଉଳରେ ପରଜନ୍ମରେ ସ୍ୱର୍ଗଲାଭପାଇଁ ଜପତପ କରିନାହିଁ । ସେ କେବଳ କରିଛି ଗୋଟିଏ କାମ- ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନ-ପଥରେ ଲଢ଼େଇ କରିଛି । ସେ ଲଢ଼େଇ ଦେଶପାଇଁ ନୁହେଁ, ଜାତିପାଇଁ ନୁହେଁ; ତାହା ନିଜର ପେଟଚାଖଣ୍ଡକ ପାଇଁ । ତଥାପି, ମାଗୁଣୀର ମୃତ୍ୟୁ-ଖବର ପାଇ ସମସ୍ତେ କହିଲେ- ଆହା ! ବିଚରା ଚାଲିଗଲା !
ଗଡ଼ରେ ପଚାରିଲେ ତ ସମସ୍ତେ କହିବେ ମାଗୁଣୀ କିଏ, ଦୂର ଜଙ୍ଗଲତଡ଼ ପଲ୍ଲିଗାଁରେ ମଧ୍ୟ ତା’ର ପରିଚୟ ମିଳିପାରିବ । ମାଗୁଣୀ ଖଲିକୋଟର କେହି ନୁହେଁ, ସେ ଜଣେ ଶଗଡ଼ିଆ - ଦୁଇଟା ବଳଦ ଓ ସେ - ଏ ତିନି ମିଶି ଗୋଟାଏ ସଂଘ ଗଢ଼ିଥିଲେ; ଯାହା କି ଦୁଇଲକ୍ଷ ଲୋକଙ୍କ ମନକୁ ଛୁଇଁଗଲା ।
ପ୍ରତିଦିନ ଖଲିକୋଟ ଗଡ଼ର ସୂର୍ଯ୍ୟ ଉଏଁ ଓ ଅସ୍ତ ହୁଏ । ଘନଘୋର ବର୍ଷାଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣୀକି ଦେଖି ବେଳ ଜାଣନ୍ତି । ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ାଘୋଡ଼ି ହୋଇ ଲୋକେ ବସିଥିଲାବେଳେ ମାଗୁଣୀ ନିଜ ପରିଚିତ ସାଙ୍ଗ ଦୁଇଟିକୁ ଶଗଡ଼ରେ ଯୋଚି ପାହାଡ଼ତଳେ ଗୀତ ବୋଲି ଚାଲିଯାଏ । ଲୋକେ କହନ୍ତି, ମାଗୁଣୀ ସେମାନଙ୍କର ଗୋଟାଏ ଘଣ୍ଟା । ବର୍ଷାଦିନେ ବର୍ଷା ଘୁଞ୍ଚିଯାଇପାରେ; ଖରାଦିନେ ଖରାତାତି ଊଣା ହୋଇପାରେ; କିନ୍ତୁ ମାଗୁଣୀର ଶଗଡ଼ ଦିନେହେଲେ ବନ୍ଦ ହୁଏନାହିଁ । ସେ କହେ ରଜାଘରେ ଯୋଡ଼ା ଯୋଡ଼ା ମୋଟ କାର ଅଛି ସତ; କିନ୍ତୁ ତା’ ପରି ଇଞ୍ଜିନିୟର ନାହାନ୍ତି । ତା’ ଶଗଡ଼ ରଜାଘର ମୋଟରଠୁଁ ବଳେ । ବାରବର୍ଷର ଅତି-ପରିଚିତ ସାଥୀ କାଳିଆ ଓ କସରା ବଳଦ ଉପରେ ସେ ହାତ ମାରି ଆଉଁଶିଦେଲେ ତା’ ଗାଡ଼ିରେ ପମ୍ପ ଦିଆହୁଏ । ଯେତେବେଳେ ସେ ଶଗଡ଼ ଉପରେ ବସି ଗୀତ ପଦେ ବେଲିଦିଏ, ‘‘ରାମ ଯେ ଲଇଖଣ ଗଲେ ମୃଗ ମାରି’’ - ତା’ର ମୋଟର ଚାଲେ । ସେତେବେଳେ ଶ୍ୟାମଳ ତରୁପତ୍ରତଳେ, ଗିରିକନ୍ଦର ଭିତରେ ପ୍ରତିଧ୍ୱନି ଉଠେ । ଅର୍ଦ୍ଧସୁପ୍ତ କୁକୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି; ପଲ୍ଲିର ବୁଲା କୁକୁରଦଳ ଚମକିଉଠି ଗାଁରେ ଚହଳ ପକାଇ ଦିଅନ୍ତି । ଘଡ଼ଘନ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ ଅଭିମୁଖେ ।
ପଚାଶ ବର୍ଷର ମାଗୁଣୀ ବାର ବର୍ଷର ସାଥୀ ବଳଦଙ୍କୁ ଧରି ଯେତେବେଳେ ଭଡ଼ା ବୋହି ଚାଲେ ସତୁରି ଅଶୀ ବର୍ଷତଳର କାହାଣୀ ପାଣିପରି ବହିଯାଏ । ସେ କହେ ଆଗ ତା’ ନିଜ କଥା - ତା’ରେ କେବେ ବାପ-ମା’ ଥିଲେ, ସେ କେବେ ସୁଖରେ ବଢି ଖଟରେ ଶୋଉଥିଲା, ସେ କେବେ ଘରେ ବସି ଦୁଇଓଳି ପେଟପୂରାଇ ଖାଉଥିଲା; ଆଉ, ଜଣକର ମଧୁର ମିଳନରେ ପୁଣି ଜୀବନର ସକଳ ଦୁଃଖ ଭୁଲିଯାଉଥିଲା । ସେ ଗଢିଥିଲା ଗୋଟାଏ ସ୍ୱପ୍ନ-ରାଜ୍ୟ । ସେ ରାଜ୍ୟର ସେ ଥିଲା ରାଜା । ରାଣୀ କରି ଯାହାକୁ ଆଣିଥିଲା ଜୀବନଟା ସେ ହସାଇ ହସାଇ ନଚାଉଥିଲା । ତାର ଅଧରତଳେ ସେ ଅମୃତ ପିଉଥିଲା, ତାର ନିଃଶ୍ୱାସରେ ସେ ସୁବାସ ବାରୁଥିଲା ଓ ତାର ପାଦତଳେ ସେ ଫୁଲ ଫୁଟିବାର ଦେଖୁଥିଲା । କିନ୍ତୁ ସେ ସ୍ୱପ୍ନ ତାର ବେଶୀ ଦିନ ରହିଲାନାହିଁ । ସ୍ୱପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେ ପାଖକୁ । ଏପାଖେ ଦୁଇଟି ବଳଦ ଘେନି ଗାଁରୁ ଷ୍ଟେସନକୁ ଓ ଷ୍ଟେସନରୁ ଗାଁକୁ ଦିନକେ ଦୁଇଥର ଯାଇ ତାକୁ ଆରଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା ।
ଶଗଡ଼ ବାହିଲାବେଳେ ଏ କଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ । ନିଜେ ଦୁଇ ଟୋପା ଲୁହ ନିଜର ଚିରା କାନିରେ ପୋଛିଦେଇ ବଳଦ ଉପରେ ହାତମାରି ପୁଣି କହେ ଆଉ ଗୋଟାଏ ଗଳ୍ପ । ଲୋକଙ୍କ ବାଟ ସରିଯାଏ; କିନ୍ତୁ ତାର ଗଳ୍ପ ସରେନାହିଁ । ସେ କହେ, ତା ଶଗଡ଼ରେ ନ ବସିଛି କିଏ ? ବସି ନଥିଲେ ବସି ନଥିବେ ଖଲିକୋଟର ରଜା । କିନ୍ତୁ, ଦେବାନ କହ, ମାନେଜର କହ, ଓକିଲ କହ, ମହାଜନ କହ, ଏପରିକି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ - ସମସ୍ତେ ବସିଛନ୍ତି ତା ଶଗଡ଼ରେ । ଏ ସବୁ କଥା କହିଲାବେଳେ ସେ ଏଡ଼େ ଉତ୍ସାହରେ କହେ ଯେ, ବେଳେବେଳେ ବଳଦ ଦୁଇଟା ଠିଆହୋଇଗଲେ ମଧ୍ୟ ସେମାନଙ୍କୁ ଅଡ଼ାଏ ନାହିଁ । ଜାଣିପାରିଲେ କହେ- ଏ ପଶୁଗୁଡ଼ାକ ମଧ୍ୟ ଏ କଥା ଶୁଣିବାକୁ କାନୋଉଛନ୍ତି ।
ମାଗୁଣୀର ଶଗଡ଼ ବଳଦ ଖଲିକୋଟର ଗୋଟାଏ ବିରାଟ ଇତିହାସ ନହେଲେ ମଧ୍ୟ ସେ ଇତିହାସର କେତେଟା ପୃଷ୍ଠା । ସେ ଇତିହାସ କହେ- ଏ ଶଗଡ଼ ରାଜ୍ୟର ସମସ୍ତିଙ୍କି ଚିହ୍ନିଛି । କେତେ ବାଳବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି, କେତେ ସୁହାସିନୀ କୁଳବଧୂ ବାପଘରୁ ଶାଶୁଘରକୁ ମଧ୍ୟ ଯାଇଛନ୍ତି । ଖଜଣାଗଣ୍ଡାକ ଦେଇ ନପାରି ଯେଉଁ ଦିନ ମଣ୍ଡଳ ଗାଁର ଗଦା ରାଉଳ ଜେଲ୍ଗଲା, ସେଇ ଦିନ ତା ଘରର ଛାଞ୍ଚୁଣୀମୁଣ୍ଡା ଆଦି ଏଇ ଶଗଡ଼ରେ ବୁହାହୋଇ ଆସି ରଜାଘର କଚିରି ଦୁଆରେ ଜମାହୋଇଥିଲା । ଯେଉଁ ଦିନ ବେନ୍ଦାଳିଆ ଗାଁର ମଧୁ ରଥେ ନରହତ୍ୟା ଅପରାଧରେ ଧରାହେଲେ, ସେଦିନ ସେ ଏଇଗାଡ଼ିରେ ବସି ଯାଇଥିଲେ । ଏଇ ଗାଡ଼ିରେ ବସି ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି । ଏଇ ଗାଡ଼ିରେ ରଇତନେତାଏ ହାତକଡ଼ା ପଡ଼ି କଚିରିକି ଯାଇଛନ୍ତି । ଏଇ ଗାଡ଼ି ସୁଖ ଦେଖିଛି; ଦୁଃଖ ଦେଖିଛି । ଲୁହ ବୋହି ଏଇ ଗାଡ଼ିର ଶୁଖିଲା ପାଳଗଦି ଓଦା ହୋଇଯାଇଛି, ହସରୋଳରେ ଏଇ ଗାଡ଼ି କେତେ କମ୍ପିଛି ।
ଏଇ ସବୁ କଥା କହି ମାଗୁଣୀ ଯେତେବେଳେ ଗାଡ଼ି ଚଳାଏ, ମନେହୁଏ ମାଗୁଣୀ ଗୋଟାଏ ଜୀବନ୍ତ ଇତିହାସ । ଏଇପରି ଦଶ-ପାଞ୍ଚଟା ଇତିହାସକୁ ଏକାଠି କଲେ ଓଡ଼ିଶାରେ ଗୋଟାଏ କୋଣାର୍କ ତିଆରି ହୁଅନ୍ତା ।
ଦିନେ ମାଗୁଣୀ ଶୁଣିଲା ତା ଗାଡ଼ିରେ ଆଉ ଲୋକେ ବସିବେ ନାହିଁ । କାରଣ ସିଂହଘର ଗୋଟାଏ ମୋଟର ବସ୍ଆଣୁଛନ୍ତି । ଶୁଣିଲାମାତ୍ରେ ସେ ହସି ହସି ଆକାଶ ଫଟେଇଦେଲା । କହିଲା,‘‘ମୋଟର ବସ୍! ତା କ’ଣ ମୋ କାଳିଆ-କସରାଙ୍କୁ ଟପିଯିବ ? ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି, ଲୋକେ କଣ ମୋ ଗାଡ଼ି ଛାଡ଼ି ସେ ଗାଡ଼ିକି ଯିବେ ?’’ ତା’ରି ଏ କଥା ଶୁଣି ସମସ୍ତେ ହସିଲେ ସତ; ମାତ୍ର ସେ ଖାତିରି କଲାନାହିଁ । ଦୁଇ-ଚାରି ଦିନ ଗଲା; ଦେଖୁ ଦେଖୁ ଗଡ଼ରେ ମୋଟର ବସ୍ପହଞ୍ଚିଲା । ଲୋକେ କହିଲେ- ଏଥର ମାଗୁଣୀର ବ୍ୟବସାୟ ବୁଡ଼ିଲା । ଏକାବେଳେ ୨୦ ଜଣଙ୍କୁ ଧରି ଘଣ୍ଟାକେ ଯେ ୪୦ ମାଇଲ ଯିବ, ମାଗୁଣୀ କି ତାକୁ ବଳିଯିବ ?
କଥା ସତ । ଦୈତ୍ୟଦାନବ ପରି ଗଡ଼ରେ ମୋଟର ବାସ୍ଟାକୁ ଦେଖି ମାଗୁଣୀର ମନରେ ଛଡ଼କା ପଶିଗଲା । ସେ କାନ୍ଦିପାରିଲା ନାହିଁ ସତ; କିନ୍ତୁ କାନ୍ଦ-କାନ୍ଦ ହୋଇ ଭାବିଲା, ସେଦିନ ଯାଇଥିଲି କୋଦଳା ସଭାକୁ । କିଏ କହୁଥିଲେ, କଳ ଜିନିଷଠୁଁ ହାତ ଜିନିଷ ଭଲ । ତା’ହେଲେ ମୋଟର କଳଠୁଁ କଣ ମୋ ଶଗଡ଼ ଭଲ ନୁହେଁ ? ଏତେ ଲୋକ ତ ସଭାରେ ବସି ଶୁଣୁଥିଲେ, ସେମାନେ କଣ ମୋ ଦୁଃଖ ବୁଝିବେ ନାହିଁ । କର୍ମୀ ନ ବୁଝିଲେ ଯିବି ଗାନ୍ଧୀଙ୍କ ପାଖକୁ । ଦରିଦ୍ରର ସାଥୀ ସେ, ଗରିବଙ୍କ ବନ୍ଧୁ ସେ; କଣ କହିବେ ମାଗୁଣୀ ମରିଯାଉ, ଆଉ, ଏ ସିଂହେ ବଞ୍ଚନ୍ତୁ ?
ଷ୍ଟେସନରୁ ଗଡ଼କୁ ସିଂହଙ୍କ ବସ୍ଚାଲିଲା, ମାଗୁଣୀର ଶଗଡ଼ ମଧ୍ୟ ଚାଲିଲା; କିନ୍ତୁ ବସ୍ପୂର୍ଣ୍ଣ, ଶଗଡ଼ ଖାଲି । ମାଗୁଣୀ ଯେତେ ଆଗରୁ ରାତିଅଧରୁ ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବସ୍ରେ । ଯେତେ ନୂଆ ଅଖାର ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଇଲେ ବସ୍ଆଡ଼କୁ । ଦିନେ ଗଲା, ଦୁଇଦିନ ଗଲା । ସେ ଦୁଇଓଳି ଖାଇକରି ଆସୁଥିଲା; ଓଳିଏ ଖାଇ ଅଇଲା । ସେ ଭାତ ଖାଇ ଆସୁଥିଲା; ତୋରାଣି ପିଇ ଅଇଲା । ସେ ଦୁଇ ଓଳିରେ ଥରେ ପିଇ ଆସୁଥିଲା; କ୍ରମେ ତିନିଓଳି ଚୁଲି ଲାଗିଲାନାହିଁ । କାଳିଆ-କସରାଙ୍କ ଛାତିହାଡ଼ ଦେଖାଗଲା । ସେମାନଙ୍କୁ ଧରି ସେ ଯେତେବେଳେ କାନ୍ଦିଲା- କିଏ କହିଲା ପାଗଳ, କିଏ ବା କହିଲା ବାୟା ।
ତା’ପରେ ଯେଉଁ ଦିନ ମାଗୁଣୀର କୁଡ଼ିଆ ଦୁଆର ଭାଙ୍ଗି ଗାଁଲୋକେ ତା ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ ପାଞ୍ଚଣ ବାଡ଼ିଖଣ୍ଡିକ ଶୁଆଇଦେଇ ମାଗୁଣୀ ଆଖି ବୁଜିଦେଇଛି । ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାରହେଲେ, ପୃଥିବୀରେ ଦୁଇଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ- ‘‘ଆହା ! ମାଗୁଣୀ ଚାଲିଗଲା !’’
ବ୍ରତଭିକ୍ଷା