ଏବେ ମଧ୍ୟ ବଞ୍ଚିଛି
ଗୋଦାବରୀଶ ମହାପାତ୍ର · ଭାଗ ୩ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
(୧)
ଗାଁର ଦୁଇ ଦିଗରେ ଦୁଇ ପ୍ରକାର ଚହଳ ପଡ଼ିଛି । ଏକ ଦିଗରେ ବ୍ରତ-ଉତ୍ସବର କଳରୋଳ ଓ ଅନ୍ୟ ଦିଗରେ ମୃତ୍ୟୁ-ଯାତ୍ରାର ହାହାକାର ।
ଏକ ଦିଗରେ ମଙ୍ଗଳ-ମହୁରି ସଙ୍ଗେ ନାରୀ କଣ୍ଠର ହୁଳହୁଳି ନାଦ ଆକାଶରେ ପ୍ରତିଧ୍ୱନିତ ହୋଇ ଉଠିଲାବେଳକୁ ଅନ୍ୟ ଦିଗରେ ଆକୁଳ ହୃଦୟର କରୁଣ କ୍ରନ୍ଦନଧ୍ୱନି ଆକାଶକୁ ଫଟାଇଦେବାକୁ ଚେଷ୍ଟା କରୁଛି । ଏକ ଦିଗରେ ଖିରିପିଠାର ଆୟୋଜନ ଚାଲିଥିଲାବେଳେ ଅନ୍ୟ ଦିଗରେ ଶ୍ମଶାନକୁ ଶବ ଯିବାପାଇଁ କାଠ କୁଟା, କୁଲା ମାଠିଆର ଯୋଗାଡ଼ ହେଉଛି । ଠାଏ ବସି ପୁରୋହିତ ବେଦମନ୍ତ୍ର ଉଚ୍ଚାରଣ କରୁଥିବା ବେଳେ ଅନ୍ୟ ସ୍ଥାନରେ ମୁର୍ମୂର୍ଷୁର ରୋଗଶଯ୍ୟା ପାଖେ କିଏ ବସି ଗୀତା ଭାଗବତ ଶୁଣାଇବାରେ ଲାଗିଛି । ମୋଟାମୋଟି କହିବାକୁ ଗଲେ ଏକ ଦିଗରେ ମୃତ୍ୟୁ ଓ ଆଉ ଏକ ଦିଗରେ ନବଜୀବନର ଉତ୍ସବ ଆରମ୍ଭ ହୋଇଛି !
ବ୍ରତ-ଉତ୍ସବ ଭିତରେ ଗୃହିଣୀ ଗୃହସ୍ଥକୁ ପଚାରିଲେ,‘‘ମୋ ରାମିକୁ କ’ଣ ବେଦୀରେ କିଛି ବନ୍ଦେଇବ ନାଇଁ?’’
ଗୃହସ୍ଥ ଉତ୍ତରରେ କଥା କହି ନ ପାରି କେବଳ ଲୁହ ଦି’ଟୋପା ଗଡ଼ାଇଦେଲେ । ତା’ପରେ ଲୁହ ପୋଛି ପୋଛି କହିଲେ, ‘‘ଦେବାକୁ ଆଉ କ’ର ଅଛି ? ଯାହା ଦି’ମାଣ ଥିଲା ସେଥିରୁ କିଛି ବା ମିଳିଥାନ୍ତା । ଆଜିର ସେଠା ଅବସ୍ଥା ଯାହା, ଆଉ ଆଶା ଦେଖୁନାହିଁ । ସ ବନ୍ଧକୀ ଜମିକୁ ଟଙ୍କା କିଏ ଦେବ ? ହାତ କାହା ପାଖେ ପତେଇବି !’’
ତେଣେ ମୃତ୍ୟୁ-ଲୀଳା ଭିତରେ ରୋଗଶଯ୍ୟା ପାଖେ ପୁଅ ବସି ମାଆକୁ ପଚାରିଲେ, ‘‘ମାଆ, ତୁ ତ ଚାଲିଯାଉଛୁ, ଆମ କଥା ଆଉ କ’ଣ ବୁଝିଲୁ ? ମାଆ, ମାଆ, ଶୁଭୁଛି ? କହିଥିଲି ପରା ସେ କାଗଜଟା କୁ’ଠି ରଖିଛୁ କହିଦବୁ ବୋଲି, ମାଆ. . . ମା. . . ।’’
ରୋଗିଣୀ ମୃତ୍ୟୁର ଖୁବ୍ନିକଟରେ ହୋଇ ମଧ୍ୟ କଥା କହିପାରୁଥିଲେ । ତାହା ଆଉ କଥା ହୋଇ ନ ଥିଲା, ତାହା କେବଳ ଜୀବନୀଶକ୍ତିର ନିତାନ୍ତ କ୍ଷୀଣ ଧାରା ପରି ଜଣାପଡ଼ୁଥିଲା । ଶିଥିଳିତ ପଲକ ଦୁଇଟି ମୁହୂର୍ତ୍ତକ ପାଇଁ ଫିଟାଇ ସେ ଟିକିଏ ଉପରକୁ ଚାହିଁଲେ । ତା’ପରେ ଆଖି ମୁଦିଦେଇ କ୍ଷୀଣ କଣ୍ଠରେ କହିଲେ, ‘‘ବାବୁ, ତୁ କ’ଣ କରିବୁ ତାକୁ ? ଜଣକ ଘର ବୁଡ଼େଇବ ? ମୁଁ ଦେଇଥିଲି; ମୁଁ ବୁଝିଚି. . .।’’
-‘‘ତୁ ବୁଝିଚୁ ମା’ ? କେତେବେଳେ ?’’
-‘‘ଆଜି . . .।’’
(୨)
ଶ୍ରୀରାମଚନ୍ଦ୍ରପୁର ଗାଁଟା ଉତ୍କଳ-ବ୍ରାହ୍ମଣ-ଗୈାରବର ଦୀପସ୍ତମ୍ଭ କହିଲେ ଚଳେ । ସେଠାର ଧୂଳିମାଟିଗଢା ପିଣ୍ଡା ଉପରେ ବସି କେତେ ମହାତ୍ମା ବୈଦିକ ସଙ୍ଗୀତର ମୂର୍ଚ୍ଛନାରେ ମୁକ୍ତିର ସ୍ୱପ୍ନ ଦେଖୁଥିଲେ; କେତେ ନବ ନବ ଜାଗରଣରେ ବ୍ୟଥିତ ପ୍ରାଣରେ ଆଶାର ବାଣୀ ଶୁଣାଇଥଇଲେ । ଆଜି ସବୁ ସ୍ୱପ୍ନ !
ଶ୍ରୀରାମଚନ୍ଦ୍ରପୁର ଅଛି, ସେହି ଧୂଳିମାଟିର ପିଣ୍ଡା ଅଛି; ମାତ୍ର ସେ ବେଦ-ସଙ୍ଗୀତ ଆଉ ଶୁଣାଯାଏ ନାହିଁ । ସେ ଗୈାରବର ମହିମା ଆଉ କିଏ କହିବ ? ହୁଏତ ଯୁଗଯୁଗାନ୍ତତଳର ସେହି ମଶାଣିର ପରିତ୍ୟକ୍ତ ବିଚ୍ଛିନ୍ନ ଅସ୍ଥିଖଣ୍ଡମାନ ଜୀବନ ପାଇ ଉଠିପାରିଲେ କହନ୍ତେ ବା ସେହି ଯେଉଁ ପ୍ରାଚୀନ ତରୁଶ୍ରେଣୀ ମୁଣ୍ଡ ଟେକି ଠିଆହୋଇଛନ୍ତି, କଥା କହିପାରିଲେ ସେମାନେ କହିପାରନ୍ତେ ! ତାହାଛଡ଼ା ଆଉ କେହି ନାହିଁ, ଆଉ କେହି ନାହିଁ !
ଅତୀତ ଗୈାରବର ସେହି ଏକ ଯଜ୍ଞବେଦୀ- ତଳର କଥା ଏ । ସେଠାରୁ ଦୀପ ଲିଭିଯାଇଛି, ସେଠାର ବାଣୀ ଲୁଚିଯାଇଛି, ସେଠାର ସ୍ୱପ୍ନ ଭାଜିଯାଇଛି । ଆଉ ଅଛି କ’ଣ ? ଅଛି କେବଳ ଦୁଇପାଖେ ଦୁଇଟା ପ୍ରେତପୁରୀ । ଘରଗୁଡ଼ାକ ବୋଧହୁଏ ଅତୀତ ମହିମା ଝୁରି ଝୁରି ଦୁଇପାଖେ ଲସିଯାଇ ଭୂଇଁ ସଙ୍ଗେ ମିଶିବାକୁ ଚେଷ୍ଟା କରୁଛନ୍ତି; କେତେ ଲସିଗଲେଣି ମଧ୍ୟ । ବାକି କେତୋଟି ସଂସାରର ଧନ-ଗୈାରବରେ ଆଉ କିଛି କାଳ ଆପଣାକୁ ରକ୍ଷା କରିବାର ସୁଯୋଗ ପାଇଛନ୍ତି ମାତ୍ର !
ବ୍ରତ-ଉତ୍ସବ ହେଉଥିଲା ଏହିପରି ଏକ କୁଟୀର ଘରେ । ଆୁ ମୃତ୍ୟୁ-ଲୀଳା ଚାଲିଥିଲା ଏହିପରି ଏକ ଥିଲାଲୋକର ଘରେ ।
ଯେତେବେଳେ ନଡ଼ିଆ ବରଡ଼ାର ଛାମୁଣ୍ଡିଆ ତଳେ ଶଙ୍ଖ ମହୁରି ବାଦ୍ୟରୋଳ ଭିତରେ ବାଳକକଣ୍ଠରୁ ମଧୁର ସ୍ୱର ଉଠିଲା ‘‘ଭବନ୍ଭିକ୍ଷାଂ ଦେହୀ. . .’’ ତେଣେ ସେ ପାଖେ ଗଗନଦେଶ ବିଦୀର୍ଣ୍ଣ କରି ହାହାକାର ଚିତ୍କାରଧ୍ୱନି ଡ଼ଠିଲା - ‘‘ଚାଲିଗଲୁ କିଲୋ ମାଆ !’’
(୩)
ଗୋପୀନାଥ ବେଦୀରେ ଆଉ ରହିପାରିଲେ ନାହିଁ । ଏପର୍ଯ୍ୟନ୍ତ ଯେ ପୁଅର ବ୍ରତୋଉତ୍ସବରେ ସେ ମନ ଦେଇ ରହିଥିଲେ, ତା’ ନୁହେଁ । ତାଙ୍କର ଦେହଟା ଥିଲା କେବଳ ବ୍ରତ-ଉତ୍ସବ ଭିତରେ, ମନଟା ଥିଲା ଯାଇ ଶଯ୍ୟାଗତ ରୋଗିଣୀ ପାଖେ ।
ସେହି ଶଯ୍ୟାଶାୟିନୀ ବୃଦ୍ଧା ଗୋପୀନାଥଙ୍କ ଆତ୍ମୀୟା । ଭାଗ୍ୟଚକ୍ରରେ ପଡ଼ି ଗୋପୀନାଥ ସଂସାରରେ ନିଃସ୍ୱ ହୋଇପଡ଼ିଲେ । ଶେଷକୁ ୨୬ ସାଲ ଦୁର୍ଭିକ୍ଷରେ ପୁଅ-ସ୍ତ୍ରୀଙ୍କ ମୁହଁରେ ତୋରାଣି ଦେବାପାଇଁ ବୃଦ୍ଧାଙ୍କଠାରୁ ପଚାଶ ଟଙ୍କା କରଜ ଆଣି ଶେଷରେ ଶେଷ ସମ୍ବଳ ଦୁଇ ମାଣ ଜମିକୁ ବନ୍ଧକ ଲେଖିଦେଇଥିଲେ । ସେହି ବନ୍ଧକୀ ତମସୁକ ଫେରିପାଇବା ପାଇଁ ଗୋପୀନାଥ ବହୁବାର ଭାବିଛନ୍ତି, କାନ୍ଦିଛନ୍ତି; ମାତ୍ର ବୃଦ୍ଧାଙ୍କ ପୁଅ ସୋମନାଥଙ୍କ ଆପତ୍ତିରେ ତାହା ହୋଇପାରିଲା ନାହିଁ । ବୃଦ୍ଧାଙ୍କର ଇଚ୍ଛା ଥିଲା, କୌଣସିମତେ ଗୋପୀନାଥଙ୍କୁ ସଂସାରରେ ରଖିବେ । ସୋମନାଥ ବିଚାରୁଥିଲେ, ଦୁଇ ମାଣ ଜମିକୁ କୌଣସିମତେ ନିଜ ଜମିରେ ମିଶାଇ ବିଭବର ପରିସର ଟିକିଏ ବଢ଼ାଇବେ । ଏହି ସଂଘର୍ଷ ଫଳରେ ଦରିଦ୍ର ଗୋପୀନାଥ ବିଭବଶାଳୀ ସୋମନାଥଙ୍କ ଘରଠାରୁ ବହୁଦିନ ଦୂରରେ ଥିଲେ; ଏପରି କି କଥାବାର୍ତ୍ତା ପର୍ଯ୍ୟନ୍ତ ମଧ୍ୟ ଚଳିଲା ନାହିଁ ।
ଶେଷ ମୁହୂର୍ତ୍ତର ଶେଷ କ୍ରନ୍ଦନରୋଳ ଶୁଣି ଗୋପୀନାଥଙ୍କ ମନ ଆଉ ସ୍ଥିର ରହିପାରିଲା ନାହିଁ । ସେ ଧଡ଼୍କରି ବେଦୀରୁ ଉଠି ପାଗଳଙ୍କ ପରି ସିଧା ସିଧା ଯାଇ ସୋମନାଥଙ୍କ ଘରେ ପହଞ୍ଚି ବୃଦ୍ଧାଙ୍କ ମୃତ୍ୟୁ-ଶଯ୍ୟା ପାଖେ ମୁଣ୍ଡ ବାଡ଼େଇ ଗଡ଼ିଗଲେ । କହିଲେ - ‘‘ଆହା, ମା’ . ଚାଲିଗଲ ।’’
ଏହି ପଦକରେ ଗୋପୀନାଥଙ୍କର ସହସ୍ର ସୁପ୍ତ ସ୍ମୃତି ପୁଣି ପ୍ରାଣରେ ଜିଇଉଠିଲା । ଯେତେବେଳେ ସେ ନିତାନ୍ତ ଶୈଶବରେ ପିତୃମାତୃହୀନ ହୋଇପଡ଼ିଥିଲେ, ଏହି ବୃଦ୍ଧା ତାଙ୍କୁ କୋଳକୁ ନେଇ ଜୀବଦାନ ଦେଇଥିଲେ । ଜୀବନର ୨୦ ବର୍ଷଯାଏ ସେ ତାଙ୍କୁ ପବିତ୍ର ବାତ୍ସଲ୍ୟରସରେ ପାଳି ଶେଷରେ ସଂସାର ଭିତରେ ଗୃହସଂସାର ଗଢି ଛାଡ଼ିଦେଲେ । ଆହା, ବୃଦ୍ଧା ଥିଲେ ତାଙ୍କ ଜୀବନର ଦେବୀ, ହୃଦୟର ଆନନ୍ଦମୟୀ ମୂର୍ତ୍ତି ।
ଗୋପୀନାଥ ଭାବିପାରିଲେ ନାହିଁ. . .ମା’ କି ସତେ ପୁଅକୁ ଭସାଇ ଦେଇ ଚାଲିଗଲା ! ଗଲାବେଳେ କିଛି କହିଗଲା ନାହିଁ . . . ଗୋପୀନାଥ ଖାଲି ଲୁହ ଗଡ଼େଇଲେ ।
କୋକେଇରେ ଶବ ମଶାଣିକି ଗଲା ପରେ ଗୋପୀନାଥ ଘରକୁ ଫେରି ଦେଖିଲେ ଏପାଖେ ଆଉ ଏକ ଚହଳ ପଡ଼ିଛି । ତାଙ୍କର ବନ୍ଧକୀ ତମସୁକଟି ବୃଦ୍ଧା ମୃତ୍ୟୁ ପୂର୍ବରୁ କାହା ହାତରେ ବ୍ରତବେଦୀରେ ଭିକ୍ଷା ଦେବାପାଇଁ ପଠାଇସାରିଛନ୍ତି ।
କଥାଟା ଶୁଣି ଗୋପୀନାଥ ଥକା ହୋଇ ବସିପଡ଼ିଲେ । ତାଙ୍କ ଜୀବନପକୁ ପୂର୍ଣ୍ଣ କରି, ତାଙ୍କ ପ୍ରାଣକୁ ଧନ୍ୟ କରି ସ୍ନେହମୟୀ ଜନନୀରୂପରେ ସେହି ବୃଦ୍ଧାଙ୍କର ଉଜ୍ଜ୍ୱଳ ମୂର୍ତ୍ତି ତାଙ୍କ ଆଖିଆଗରେ ଖେଳିଗଲା । ପାଟିରୁ ପଦେ ମାତ୍ର ବାହାରିଲା - ‘‘ମା, ପଦେ ହେଲେ କହିଗଲ ନାହିଁ ।’’
ଶ୍ମଶାନର ତୀବ୍ର ଶିଖା ଯେତେବେଳେ ଜିହ୍ୱା ହଲାଇ ଖେଳିଉଠିଲା, ଗୋପୀନାଥ ପାଗଳ କରି ଦୂର ପୋଖରୀ ହୁଡ଼ାରେ ଠିଆହୋଇ ସେହି ଚିତାନଳ ପ୍ରତି ପ୍ରାଣର ପ୍ରଣତି ଜଣାଉଥିବାର ଲୋକ ଦେଖିଲେ ।
ମୁଣ୍ଡା-ଶାହାଡ଼ା
ସେ ଯୁଗର ରାମଚନ୍ଦ୍ର ସୁନାର ମୂର୍ତ୍ତିକୁ ସୀତା ବୋଲି ଗ୍ରହଣ କଲେ, କେହି ହେଲେ ଆପତ୍ତି କଲେ ନାହିଁ; ମାତ୍ର ଗଙ୍ଗା ନାହାକ ଯେଉଁ ଦିନ ଗୋଟାଏ ଶାହାଡ଼ା ଗଛକୁ ତା’ର ପ୍ରଣୟିନୀ ବୋଲି କହି ଘନ- ଘନ ଚୁମ୍ବନ ଦେବାକଥା ଚାରିଆଡ଼େ ରାଷ୍ଟ୍ରହେଲା, ଲୋକେ ତାକୁ କହିଲେ ପାଗଳ । କାରଣ ରାମଚନ୍ଦ୍ର ଥିଲେ ଅଯାଧ୍ୟାର ରାଜା; ଆଉ ଆମର ଗଙ୍ଗା ନାହାକ ହେଲା ଏ ଯୁଗର ବାଜପୁର ଗାଁର ଏକ ବଗିଚାର ମାଳୀ !!
ବଗିଚାରେ କେତେ ପ୍ରକାର ଗଛ ଅଛି । ଜାଇ, ଯୂଇ, ମଲ୍ଲୀ, ମାଳତୀଠାରୁ ଆରମ୍ଭ କରି ଜାମୁ, କମଳା, ସପେଟା, ଲେମ୍ବୁ ପର୍ଯ୍ୟନ୍ତ ରହିଛି । ଫୁଲଗଛ ଅଛି; ଫଳଗଛ ମଧ୍ୟ ଅଛି । ଫୁଲ ଫଳ କିଛି ନ ଥାଇ ରଙ୍ଗିନ୍ଗଛ ମଧ୍ୟ ଶୋଭାପାଉଛି । ଏ ସବୁର ସାର୍ଥକତା ଅଛି । ଫୁଲର ସୁବାସ ଅଛି, ଫଳର ସ୍ୱାଦ ଅଛି, ପତ୍ରର ସୈାନ୍ଦର୍ଯ୍ୟ ଅଛି; ମାତ୍ର ଗୋଟିଏ କଥା ବୁଝି ହେଲା ନାହିଁ, କି କାରଣରୁ ଗଙ୍ଗା ନାହାକ ଏଡ଼େ ବଡ଼ ବଗିଚା ଭିତରେ ଗୋଟିଏ ଶାହାଡ଼ା ଗଛ ପାଳିଛି !
ସେହି ଶାହାଡ଼ା ଗଛଟାକୁ ଖାଲି ଶାହାଡ଼ା ଗଛ କହିଦେଲେ ଚଳିବ ନାହିଁ, ତାହା ଏକ ମୁଣ୍ଡାଶାହାଡ଼ା । ଦେଖିଲେ ଜଣାପଡ଼େ ତାହା ଯେପରି ଦୈତ୍ୟଯୁଗର ଏକ ଭୂତ ! ଗଣ୍ଡିରେ ଖାଲି ଗଣ୍ଠିପରେ ଗଣ୍ଠି ଉପରକୁ ଛତା ଟେକିଲା ପରି କେତେଗୁଡ଼ିଏ ଖଣ୍ଡିଡ଼ାଳ ଦେହରେ ଖାଲି ଛୋଟ ଛୋଟ ପତ୍ର । ସତେ ଅବା ଭୂତଟା କେତେ କାଳ ହେଲା ମୁଣ୍ଡରେ ତେଲହାତ ନ ମାରି, ବାଳ ନ ସଜାଡ଼ି ସେହିପରି ଠିଆହୋଇଛି ।
ମୁଣ୍ଡାଶାହାଡ଼ା ! - କେତେ ଯୁଗର, କେହି ତାହା ଜାଣନ୍ତି ନାହିଁ । ଗାଁର ସବୁଠାରୁ ବୁଢାଙ୍କୁ ତାଙ୍କର ଇତିହାସ ପଚାରିଲେ ସେ କହନ୍ତି ଯେ, ତାଙ୍କ ଗୋସେଇଁବାପେ କେବେ ଥରେ ସେହି ଗଛକୁ ବାହା ଦେଇ ତୃତୀୟପକ୍ଷ ଗ୍ରହଣ କରିଥିଲେ, ଆଉ ସେ କହୁଥିଲେ ତାଙ୍କ ପୂର୍ବରୁ ଅନେକ ଲୋକ ତାହାରି ମୂଳେ ଅନେକ ହାତଗଣ୍ଠି ପକାଇ ବାହା ହୋଇଛନ୍ତି । ତେଣୁ ଗଛଟାକୁ ଦେଖିଲେ ଖାଲି ଯେ ତା’ର ବୃକ୍ଷ ଅସୁନ୍ଦର ବିକଟ ରୂପ ଆଖିରେ ପଡ଼େ ତାହା ନୁହେଁ; କେତେଗୁଡ଼ିଏ ପ୍ରଣୟର ପତଳା ପରଦାର କାଳର କେତେ ବର୍ଷ-ତରଙ୍ଗ ଭେଦ କରି ନବ ନବ ରୂପରେ ଆଖି ଆଗରେ ଛାୟା ପରି ନାଚିଯାଏ । କି ଚମତ୍କାର !
ସତ୍ୟଯୁଗର ଗଛ ! କିଏ କହିବ ? ସେ ଯେବେ କଥା କହୁଥାନ୍ତା, ଅନେକ ଲୋକର ଅନେକ ରହସ୍ୟ ଜଣାପଡ଼ନ୍ତା । ପ୍ରଣୟର ବହୁମୁଖୀ ସ୍ରୋତର ଗତି ସେ ଦେଖାଇପାରନ୍ତା !
ସେ କିଛି କହେ ନାହିଁ- ସେ କେବଳ ଲୀଳା ଦେଖେ । ଦେଖେ ତାହାରି ମୂଳେ ପ୍ରଣୟର କେତେ କେତେ ଲୀଳା ଚାଲିଛି । ଦାସେ ହସୁଛନ୍ତି, ପରିଡ଼େ ଆସୁଛନ୍ତି, ମହାନ୍ତିଏ ଆସୁଛନ୍ତି -ତାହରି ପାଖେ ଠିଆ ହୋଇ କାହାର ଲାଲ ଟକ୍ଟକ୍ମଧୁର ଅଧର କଳ୍ପନା କରି, କାହାର ଘନକୃଷ୍ଣ କେଶଗୁଚ୍ଛ ମାନସ-ଚକ୍ଷୁରେ ଦେଖି, କାହାର କୋମଳ କରପଲ୍ଳବର ସ୍ପର୍ଶ କଳ୍ପନାରେ ଅନୁଭବ କରି ତାକୁହିଁ ସାକ୍ଷୀ ରଖି ସମସ୍ତେ ଚାଲିଯାଉଛନ୍ତି ! ପ୍ରଣୟର ସାକ୍ଷୀ, ପରିଣୟର ସାକ୍ଷୀ, ଯୁବତୀର ସାକ୍ଷୀ, ବୃଦ୍ଧର ସାକ୍ଷୀ, ଭଙ୍ଗୁର ସଂସାରର ଭଙ୍ଗୁରତାର ସାକ୍ଷୀ ସେହି ଅବହେଳିତ ମୁଣ୍ଡାଶାହାଡ଼ା । ସେ ବଗିଚାର ଏକ ପୁଣ୍ୟମୟ କୋଣାର୍କ କହିଲେ ଚଳେ । ଓଡ଼ିଶାର ମହାରାଣୀ ମାୟାଦେବୀଙ୍କ ସ୍ମୃତି ଉପରେ କୋଣାର୍କ ତିଆରି ହେଲା; ମାତ୍ର ମୁଣ୍ଡା ଶାହାଡ଼ାମୂଳେ ଯେ କେତେ କେତେ ମାୟାଦେବୀ ସ୍ମୃତିରୂପେ ରହିଛନ୍ତି, କିଏବା ଗଣନା କରି କହିବ ? ତାଜମହଲର ପ୍ରତି ପଥରଖଣ୍ଡର ପ୍ରେମିକ ପ୍ରଣୟର ଛବି ଦେଖନ୍ତି; ମାତ୍ର ବାଜପୁର ବଗିଚାର ମୁଣ୍ଡା ଶାହାଡ଼ା ଗଛର ପ୍ରତି ପତ୍ରେ ପତ୍ରେ କେତେ ଯେ ପ୍ରଣୟ ନିଃଶ୍ୱାସ ପୂରିରହିଛି, ତାହା ସେପାଖେ ଯିବା ଆସିବା କରୁଥିବା କେହି ପ୍ରଣୟ-ପାଗଳ ଆଦୈା ଅନୁଭବ କରିପାରେ ନାହିଁ । ମନୁଷ୍ୟ କି ବୋକା !
ତରୁ ସଂସାରର ମୁଣ୍ଡା ଶାହାଡ଼ାକୁ ମାନବ ସଂସାର ମୁଣ୍ଡାଶାହାଡ଼ା ଗଙ୍ଗା ନାହାକ କେବଳ ଚିହ୍ନେ । ଗଙ୍ଗାର ବୟସ କେତେ ଗଙ୍ଗା ତ ଜାଣେ ନାହିଁ, ସେହି ଦଶ-ପାଞ୍ଚ ଖଣ୍ଡ ଗାଁ ଲୋକେ ମଧ୍ୟ କହିପାରନ୍ତି ନାହିଁ । ତା’ର ଗ୍ରନ୍ଥିଳ ଦେହ ଉପରେ ମୁଣ୍ଡଟା ଗୋଟେ ବଡ଼ ଛତା ପରି - ସତେ ଯେପରି ଗୋଟେ ଚଳନ୍ତି ମୁଣ୍ଡାଶାହାଡ଼ା ! ତା’ର କଥା ବିଚିତ୍ର, ତା’ର ବେଶଭୂଷା ଅଦ୍ଭୁତ ! କେତେ ବର୍ଷ ହେଲା ଖରା, ବର୍ଷା, ଶୀତ କାକର ତା’ ସଙ୍ଗେ ଲଢ଼ି ଲଢ଼ି ପରାସ୍ତ ହୋଇଛନ୍ତି । ରାତିରୁ ରାତିଯାଏ ସେ ବଗିଚାରେ ରହେ, ଗଛଗୁଡ଼ାକୁ ମଣିଷ ପରି ପାଳେ ।
ଏହି ମୁଣ୍ଡାଶାହାଡ଼ା ଗଙ୍ଗା ନାହାକକୁ ଲୋକେ ପାଗଳ କହିବାର ଅନେକ କାରଣ ଅଛି । ବଗିଚା ଭିତରେ ଯେତେ ଯେତେ ଗଛ ଅଛି, ଗଙ୍ଗା ସେ ସବୁ ଗଛକୁ ମଣିଷର ନାଁ ଦେଇ ଡ଼ାକେ - ସତେ ଯେପରି ସେଗୁଡ଼ାକ ତା’ର ପିଲାପିଚିକା ! କାହା ନାଁ ରାମ, କାହା ନାଁ ଭଗିଆ, କାହା ନାଁ ମଦନା, କାହା ନାଁ ଗୋପୀ, କାହା ନାଁ ହରି । ମୁଣ୍ଡା ଶାହାଡ଼ା ଗଛଟିକୁ ସେ ଡ଼ାକେ ‘ଚମ୍ପା’ ବୋଲି ।
ଶାହାଡ଼ା ଗଛଟାକୁ ଚମ୍ପା ବୋଲି କହିଲେ ଅନେକେ ଆଶ୍ଚର୍ଯ୍ୟ ହେବେ । ଶୁଣିବାକୁ ମଧ୍ୟ ନିତାନ୍ତ ଅସୁନ୍ଦର । ମୂକ ଗଛଗୁଡ଼ାକ ବୋଧହୁଏ ଚମ୍ପାଗଛ ପ୍ରତି ଏହି ଘୋର ଅପାମାନରେ ବିଦ୍ରୋହୀ ହୋଇ ଉଠୁଥିବେ; ମାତ୍ର ଗଙ୍ଗା କେବେହେଲେ ତା’ର ମତ ବଦଳାଏ ନାହିଁ ।
ଏ କଥା ଦେଖି ଲୋକେ କହନ୍ତି - ‘‘ପାଗଳ ଗଙ୍ଗା, ବାୟା ଗଙ୍ଗା ।’’
ଗଙ୍ଗା ସବୁ ଓଲଟା କଥା କରେ । ବଡ଼ିସକାଳୁ ମୁଣ୍ଡାଶାହାନା ମୂଳଟି ଓଳାଇ ଦେଇ ତାର ଶୁଖିଲା ପତ୍ରଗୁଡ଼ିକ ଝାଡ଼ିଦେଇ ଆଗ ତାକୁ ବୁହାଟେ କୁଣ୍ଢାଇ ପକାଏ । ତା’ପରେ ତା’ ସଙ୍ଗେ କଥାବାର୍ତ୍ତା ଚଳାଏ । କହେ - ‘‘ଚମ୍ପା, ଚମ୍ପା, ସତ କହ; ଥରେ ସତ କହ, ଲୋକେ ଓଲା କି ମୁଁ ଓଲା । ତୁ ପରା ସାକ୍ଷୀ ମୋର; ତୁ ନ କହିଲେ କିଏ କହିବ ?’’- ଏହାକି ଗଛଟାକୁ ଘନଘନ ଚୁମ୍ବନ ଦିଏ ।
ଶାହାଡ଼ା ଗଛଟା ସଙ୍ଗେ କଥା ! ଯେ ଶୁଣେ, ସେ ହସେ । ଶାହାଡ଼ା ଗଛଟାକୁ ଚୁମ୍ବନ ! ଯେ ଦେଖେ, ସେ ଅବାକ୍ହୁଏ । ମାତ୍ର ଲୋକଙ୍କର ହସରେ ବା ଥଟ୍ଟାରେ ଗଙ୍ଗାର କିଛି ଯାଏ-ଆସେ ନାହିଁ । ଆଖି ବୁଜିଲା ପରି ତା’ କାର୍ଯ୍ୟ ସେ କରିଯାଉଥାଏ ।
ଦିନେ ଗଙ୍ଗା ସହିତ ଦେଖାହେଲା । ପଚାରିଲି - ‘‘ଗଙ୍ଗା କହିଲା - ‘‘ଚମ୍ପା ।’’
-‘‘ଚମ୍ପା ?’’
-‘‘ହଁ, ବାବୁ !’’ କହି ସେ ଆଗେ ଆଗେ ଚାଲିଲା । ମୁଁ ତା’ ପଛେ ପଛେ ଚାଲିଲି । ସେ ଗୋଟାଏ ନର୍ଧୂମ ଶାହାଡ଼ା ଗଛମୂଳେ ଠିଆହୋଇ କହିଲା -
‘‘ଦେଖିଲ ବାବୁ ! ଦେଖ ।’’
ଅବାକ୍ହୋଇ ଗଛଟାକୁ ଚାହିଁରହିଲି - ‘‘ଚମ୍ପା ଗଛ ? କାହିଁ ?’’
ସେ କହିଲା - ‘‘ଚିହ୍ନିପାରୁନ ବାବୁ ? ଏଇ ପରା ।’’
କହିଲି - ‘‘ଦୂର୍ପାଗଳ, ଏ ତ ଗୋଟାଏ ମୁଣ୍ଡାଶାହାଡ଼ା ।’’
ମୋ କଥାଶୁଣି ଗଙ୍ଗା ଖାଲି ଠୋ-ଠୋ ହସିଉଠିଲା । ସେ କି ଉଦ୍ଦାମ-ହାସ୍ୟରୋଳ । ହସି ହସି ସେ ଗଛକୁ ଢ଼ଳିପଡ଼ିଲା, ଆଗକୁ ଝୁଙ୍କିପଡ଼ିଲା; ଗଛଟାକୁ ଲୁଣ୍ଢେଇ ଧରି ହସିଲା..ଖାଲି ହସିଲା ।
ହସ ତା’ର ବନ୍ଦ ହେଲା; ମାତ୍ର ସେ କ’ଣ ଭାବିଲା ପରି ଗଛଟାକୁ ଜାକିଧରି ଅନେକ ସମୟ ନୀରବରେ ଠିଆହେଲା । କିଛି ରହସ୍ୟ ବୁଝିନପାରି ପଚାରିଲି - ‘‘ଗଙ୍ଗା, ଏ କ’ଣ ?’’
ମୁହଁକୁ ଗମ୍ଭୀର କରି ଗୋଟାଏ କିଛି ଗୁରୁତର କଥା ଉପକ୍ରମ କଲା ପରି ସେ କହିଲା -
‘‘ଶୁଣିପାରୁନ ବାବୁ ? ମୋର ଚମ୍ପା କ’ଣ କହୁଛି, ଶୁଣିପାରୁନ ? ମୋ’ରି ଦୁଆରେ ବାଦ୍ୟ ବାଜିଲା, କାହାଳୀ ବାଜିଲା; ମୁଁ ରହିଲି ସାକ୍ଷୀ । ବର୍ଷକ ପରେ ଦେଖିଲି, ମୁଁ ଯାହାପାଇଁ ସାକ୍ଷୀ ଥିଲି, ତାକୁ ସେଇ ଦାସଘର ପୁଅ କାଳୀଟା ବୋଲି ବାଡ଼େଇ ବାଡ଼େଇ ମାରିଦେଲା । ଥରେ ଆସିଥିଲା ଗୁଡ଼ିଆ ଘରର ବୁଢ଼ା । ପାଞ୍ଚଟି ବାଳିକାର ହାତ ଧଇଲା ପରେ ସେ ମୋ’ରି ପାଖରେ ଆସି ଠିଆହେଲା । ଓହୋ ! ସେ ଝିଅଟି ସେଥର ଉଖୁଡ଼ା ଚଟୁରେ ମାଡ଼ ଖାଇ ଖାଇ ମଲା । ପଲେଇ ଘରର ବୁଢ଼ା, ପଧାନ ଘରର ସାନ, ସାମଲ ଘରର ମଝିଆଁ - କ’ଣ କହିବି, କେତେ ବା କହିବି ? ଲୋକେ କହନ୍ତି, ସଂସାରରେ ପୁରୋହିତ ବୋଲି ଜଣେ କିଏ ଅଛି ! ପୋଡ଼ିଯାଉ ସେ ପୁରୋହିତ । ମୋତେ ସାକ୍ଷୀ ରଖି ଆଗ ପଛ ନ ବିଚାରି ସେ ସମସ୍ତଙ୍କୁ ଆଣି ମୋ’ରି ପାଖେ ଠିଆକଲା । ଥରେ ନୁହେଁ, ଦି’ଥର ନୁହେଁ, ଚାରି-ପାଞ୍ଚ ଥର ଲେଖାଏଁ ମୁଁ ସେହିମାନଙ୍କ ସାକ୍ଷୀ ।’’
ଗଙ୍ଗା ନାହାକର ଏ ବକ୍ତୃତା ଶୁଣି ମୁଁ ଅବାକ୍ଭାବରେ ଠିଆହେଲି । ଭାବିଲି - ଏ କ’ଣ ସ୍କୁଲ୍ରେ କ୍ଲାସ୍ରେ ଇତିହାସ ପଢ଼ାଉଛି କି କ’ଣ ? ପାଗଳ ବୁଢ଼ା କି ଜୀବନର ଏତେ କଥା ଅନୁଭବ କରିପାରେ ?
ପଚାରିଲି - ‘‘ଆଚ୍ଛା ଗଙ୍ଗା, ଚମ୍ପା ତ ସମସ୍ତଙ୍କ କଥା କହୁଚି, ତମ କଥା ଭଲା କ’ଣ କହୁଚି ?’’
-‘‘ମୋ କଥା ? ମୋର ଚମ୍ପା ସେ, ମୋ କଥା କହିବ ନାଇଁ ?’’
-‘‘କହ ଭଲା - ଶୁଣେ ।’’
ବୁଢ଼ା ଗଙ୍ଗା ଯେ ଗଳ୍ପ କହିଲା, ଶୁଣି କାଠ ହୋଇଗଲି । ସେହିଦିନୁ ବୁଝିଲି, ମଫସଲ ବାଜପୁରର ଅବହେଳିତ ମାଳୀ ଗଙ୍ଗା ନାହାକ ବୁଢ଼ା ପାଗଳ ନୁହେଁ - ସେ ଏକ ପ୍ରଚଣ୍ଡ ତାଜମହଲର ମାଲିକ, ଏକ କୋଣାର୍କର ଅଧିକାରୀ ।
ଗଳ୍ପଟା ହେଉଛି - ଗଙ୍ଗାକୁ ଯେତେବେଳେ କୋଡ଼ିଏ ବର୍ଷ ବୟସ, ତା’ର ବିଭାପାଇଁ ବାପ-ମା’ କନ୍ୟା ଖୋଜିଲେ । କେତେ ଆଡ଼ୁ କେତେ ପ୍ରସଙ୍ଗ ଆସିଲା । ଗଙ୍ଗା ୟା’ ହାତରେ, ତା’ ହାତରେ ସବୁ ପ୍ରସଙ୍ଗକୁ ନାହିଁ କରିଦେଲା । ବାପ-ମା’ କେତେ ଗାଳିଦେଲେ; ଶେଷକୁ ଆଉ କିଛି ଦିନ ଅପେକ୍ଷା କରି ତୁନି ହୋଇ ରହିଲେ ।
ଗଙ୍ଗା ଚାକିରି କରୁଥିଲା ମଳିପଡ଼ା ସରବରାକାରଙ୍କ ଘରେ । ଚାକିରି ଭିତରେ ତାକୁ ଘରର ଜଣେ ମଣିଷ ପରି ସବୁ କାମ କରିବାକୁ ପଡ଼ୁଥିଲା । ସରବରାକାରଙ୍କ ଝିଅ ଚମ୍ପା ଦିନେ ଗଙ୍ଗାକୁ ଗୋପନରେ ଆସି କହିଲା - ‘‘ଗଙ୍ଗା, ତୁ ଜଣକୁ ମାରିପାରିବୁ ?’’
ଗଙ୍ଗା କହିଲା - ‘‘ନା, ମୋ’ ହାତରେ ସେ କାମ ହବ ନାହିଁ ।’’
ଚମ୍ପା ତା’ ହାତଟାକୁ ଧରିପକାଇ ରୁଦ୍ଧକଣ୍ଠରେ କହିଲା - ‘‘ମୋତେ ମାରିପାରିବୁ ନାଇଁ? ମୋତେ ଆଉ ଜଣେ ମାଇଲେ ତୁ ସମ୍ମାଳିବୁ ?’’
ଯୁବତୀର କଥା ଗଙ୍ଗା ମନକୁ ଟିକିଏ ଲାଗିଲା । ସେ ଜାଣିଲା ଯେ, ଚମ୍ପା ପାଇଁ ଯେଉଁ ଅଶୀ ବର୍ଷର ପଞ୍ଚମ ପକ୍ଷ ବର ସାଙ୍ଗେ ବିଭାକଥା ଉଠିଛି, ତାହାରି ଫଳ ଏ । ତା’ ମନରେ ଭାବାନ୍ତର ପହଞ୍ଚିଲା ।
ଚମ୍ପା ଗଙ୍ଗାର ଆହୁରି ପାଖକୁ ଲାଗିଯାଇ କହିଲା - ‘‘ତୁ ରେଙ୍ଗାମ ଦେଖିଛୁ . . .? ମୁଁ ଯିବି, ଆଉ ତୁ ଯିବୁ ।’’
ସେ ରାତିରେ ଗଙ୍ଗା କେବଳ ସ୍ୱପ୍ନ ଦେଖିଲା ଚମ୍ପାକୁ । ଚମ୍ପା କେବଳ ଆଶା ରଖିଲା ଗଙ୍ଗାଠାରେ ।
ଦିନ-ଦିନ କର କେତେ ଦିନ ଗଲା । ଚମ୍ପା ନାଁ ଶୁଣିଲେ ଗଙ୍ଗା ଅନ୍ୟମନସ୍କ ହେଲା; ଗଙ୍ଗାକୁ ଦେଖିଲେ ଚମ୍ପାର ଦେହମୁଣ୍ଡ ଶୀତେଇ ଉଠିଲା । ଗଙ୍ଗା ଘରର ଆଉ କାହା ପ୍ରତି ଚାକର ହୋଇପାରେ; ମାତ୍ର ଚମ୍ପା ପ୍ରତି ନୁହେଁ. . . ।
ଦୁଇଟା ତରୁଣ ପ୍ରାଣରେ କ୍ରମେ ଏକାବେଳକେ ଏକା ତାଳରେ ନିଶ୍ୱାସ ବହିଲା - ଏକାବେଳକେ ନିଶ୍ୱାସ ଉଠିଲା ।
ପଞ୍ଚମ ପକ୍ଷ ବର ପ୍ରସଙ୍ଗ ପର୍ବତ ପରି ସେ ଆଡ଼ୁ ମାଡ଼ିଆସିଲା, ଏଣେ ଏ ଯୁଗଳ ପ୍ରାଣ ପବନ ପରି ବିଚଳିତ ହୋଇଗଲା । ରାତିରେ ଦେଖା ହେଲା, ଦିନରେ ଦେଖା ହେଲା, ଦୁହେଁ ଦୁହିଁଙ୍କୁ ଖୁବ୍ନିକଟରେ ଚିହ୍ନିଲେ ।
ଲୋକେ କହିବେ ୟା’କୁ ଘୋର ଅନ୍ୟାୟ !!
ୟା’ ପଛେ ପଛେ ଆସିଲା ପଞ୍ଚମ ପକ୍ଷ ବର ସଙ୍ଗେ ଷୋଡ଼ଶୀର ପ୍ରୀତିବନ୍ଧନର ଦିନ; ମାତ୍ର ବେଦୀ ଅପୂର୍ଣ୍ଣ ରହିଲା, ଉତ୍ସବ ଅଧାରେ ରହିଲା । ବିଭାଦିନର ପୂର୍ବ ରାତିରେ ଦେଖାଗଲା, ଚମ୍ପା ଘରେ ନାହିଁ । ସେ ରାତି ରାତି ଗାଁ ସୀମା ପାରହୋଇ ଏକ ଶାହାଡ଼ା ଗଛରେ ଦଉଡ଼ିଖଣ୍ଡକରେ ଓହଳିଛି !
ୟା’ ପରେ ଗଙ୍ଗାର କଥା । ଗଙ୍ଗା ଆଉ ବିଭା ହେଲା ନାହିଁ । ସେ ଆସି ବଗିଚାର ମାଳୀ ହୋଇ ଚାକିରି କଲା । ଆଉ ଚମ୍ପା ଶୋଇଥିବା ଶାହାଡ଼ା ଗଛମୂଳେ ତା’ ଜୀବନର ପ୍ରଣୟ-ଦୀପ ଜାଳିଦେଲା । ଲୋକେ ତାକୁ କହିଲେ, ପାଗଳ । ସେ ଶାହାଡ଼ା ଗଛକୁ ଡ଼ାକିଲା, ‘ଚମ୍ପା !’
ସେହି ଦିନୁ ଯେତେବେଳେ ସେହି ବଗିଚାବାଟେ ଯିବାକୁ ହୁଏ, ପ୍ରଥମେ ସେହି ଶାହାଡ଼ା ଗଛଟାରେ ଆଖି ପଡ଼େ । ଶେଷରେ ସଂସାରର ଏକ କ୍ଷୁଦ୍ର କୋଣରେ ଜଣେ ଯେ ଜଣକ ପାଇଁ ଏପରି ତରୁପତ୍ର ମୃତ୍ତିକା ପାଷାଣ ସୀମା ଭୁଲି ଭାବିପାରେ, ଏହା ଭାବି ଭାବି ଜଡ଼ୀଭୂତ ହେବାକୁ ହୁଏ ।
ମୁଁ ଯେ ରେଙ୍ଗୁନରୁ ଫେରିଲି !
ଦିବସର ଶେଷ ଜୀବନରେ ସନ୍ଧ୍ୟା ଯେତେବେଳେ ଆସି ନନ୍ଦପୁରରର ଶ୍ୟାମଳ ସୁନ୍ଦର ତରୁକୁଞ୍ଜମୟ ଗିରି ପ୍ରଦେଶରେ ଦେଖାଗଲା, ସହଦେବ ସେତେବେଳକୁ ବାଟର ବାଟୋଇ - ଘରେ ଆସି ପହଞ୍ଚେ ନାହିଁ ।
ପଲ୍ଲୀର ସନ୍ଧ୍ୟା । ତାହା ଶୁଣିବାର ନୁହେଁ; ଦେଖିବା କଥା । ଦୂର ପାହାଡ଼ର ଶିଖରଦେଶରୁ ଆରମ୍ଭ କରି ଏଣେ ପାଦତଳର କ୍ଷୁଦ୍ର ଘାସଟି ପର୍ଯ୍ୟନ୍ତ ବିରାଟ ପ୍ରକୃତି କନକ-ଜଳରେ ଗାଧୋଇଲା ପରି ଦେଖାଯାଉଥାଏ । ଖଣ୍ଡେ ଖଣ୍ଡେ ମେଘ କେବେ କେବେ ଗୋଠଛଡ଼ା, ଦଳଛଡ଼ା, ବାସଫେରନ୍ତା କୁଆ ବଣି ପକ୍ଷୀ ପରି ଆକାଶର ଏ ପାଖେ ସେ ପାଖେ ସେହି କନକସ୍ରୋତରେ ଭାସୁଥାନ୍ତି । ଗଗନରେ ଚହଳ, ଧରଣୀରେ ଉତ୍ସବ - ଏ ସବୁ ପାରହୋଇ ବାଟୋଇ ସହଦେବର ଅନ୍ତର ଭିତରେ କି ଏକ ମହୋତ୍ସବ ରଚନା ଚାଲିଥିଲା ।
ଖାଲି ଏତିକି ନୁହେଁ, ପଲ୍ଲୀର ପୋଖରୀକୂଳରେ ପଲ୍ଲୀବାସିନୀ ବାଳିକାଦଳ କେତେ ରଙ୍ଗର କେତେ ଫୁଲ ତୋଳି, କେତେ ହସ, କେତେ ବେଶ ଫୁଟେଇ ଫୁଟେଇ, କାହା ଭୟରେ କାହା ଲୟରେ ତରତର ହୋଇ ଚାଲିଥାନ୍ତି; ମାତ୍ର ସହଦେବ ସେ ପୋଖରୀହୁଡ଼ା, ସେ ବାଳିକାମେଳା, ସେ ଶୋଭାର ଭେଳା କିଛି ନ ଦେଖି, ଦେଖୁଥାଏ ଆଉ ଗୋଟିଏ ଛବି । ସେ ଛବି ଠିକ୍ଦୁଇଟି ଆଖି ଓ ଗୋଟିଏ ମୁହଁ ।
ସନ୍ଧ୍ୟା ଯାଇ ଅନ୍ଧକାର ଆସୁଛି; ମାତ୍ର ସହଦେବ ହୃଦୟରୁ ଅନ୍ଧକାର ଯାଇ ଆଲୋକ ଆସୁଛି । ପଶ୍ଚିମର କନକ କିରଣ, ଆକାଶର ମେଘ, ଧରଣୀର ବାଳିକା, କାହା ପ୍ରତି ତାର ଦୃଷ୍ଟି ନାହିଁ - ଅଛି ତାର ଗାଁ ଭିତରେ ଗୋଟିଏ ବଖରା ଘର, ତା’ରି ଭିତରେ ଦୁଇଟି ପାଦ, ଦୁଇଟି ଆଖି, ଦୁଇଟି କମ୍ପିତ କର, ଗୋଟିଏ ଉଦ୍ବିଗ୍ନ ହୃଦୟ ।
ସଂସାରର ଠିକ୍ଏହିପରି ଏକ ସମୟରେ ସହଦେବ ତରତରରେ ପାଦ ଚାଲି ନନ୍ଦପୁରର ସରବରାକାରଙ୍କ ପଡ଼ିଶାଘରେ ଯାଇ ପହଞ୍ଚିଲା । ସେତେବେଳକୁ ସରବରାକାର ବାବୁ ତାଙ୍କର ତୃତୀୟ କିସ୍ତି ଅସୁଲ ପାଇଁ ସାତଟା ବସ୍ତାନି ବିଡ଼ା ଧରି ପିଣ୍ଡାରେ ବସି ସାରିଥିଲେ । ପିତଳ ଦୀପଟାରେ କାଣ୍ଟି ଜଡ଼ାତେଲ ପଶି ଦେଢ଼ଇଞ୍ଚ ଉଚ୍ଚରେ ଶିଖା ଟେକି ବତି ଜଳୁଥିଲା । ସେହି ଆଲୋକରେ ତାଙ୍କରି ଚିକ୍କଣ ଥନ୍ତଲ ପେଟଟା ଯାହା କିଛି ବାରିହେଉଥିଲା । ଖାରୁଆ କନାର ବସ୍ତାନିଗୁଡ଼ାକ ପ୍ରଜାଙ୍କର ଖଜଣା ଭାର ବହି ବହି ନିର୍ଜୀବ ବେଶରେ ମୁଦା ହୋଇ ପଡ଼ିରହିଥିଲା ।
ସହଦେବ ଆଗ ସେହି ପରିଚିତ ବସ୍ତାନି ବିଡ଼ା ଦେଖି ଚମକି ପଡ଼ିଲା । ସେହି ନଥିବିଡ଼ା ଭିତରୁ କି ଦାରୁଣ ଅଭିଶାପ ବାହାରି ଯେ ତାକୁ ଏତେକାଳ ପ୍ରବାସୀ କରି ରଖିଥିଲା, କେବଳ ସେ’ହିଁ ଜାଣେ । ସେହି ନଥିବିଡ଼ା ଭିତରେ ଦିନେ ଯେ ତାର ସକଳ ଭାଗ୍ୟଡ଼ୋରି ବନ୍ଧାଥିଲା, ବାହାର-ଜଗତ ତାହା ଜାଣେ ନାହିଁ । ତାହାରି ଲାଗି ସେ ମାଣେ ବିଲ ବିକି, ଦୁଇଟା ଦୁଧିଆଳୀ ଗାଈ ବନ୍ଧା ଦେଇ ତେବେକେ ମଧ୍ୟ ଥୟ ଧରି ପାରିଲା ନାହିଁ । ଯେବେ ସେ ରେଙ୍ଗୁନ ଯାଇ ମାସକୁ ଦଶ ଟଙ୍କା କରି ପାଞ୍ଚ ବରଷ ଶୁଝି ନ ଥାନ୍ତା, ପୁରୀ ଜେଳ୍ହିଁ ତାର ହୋଇଥାନ୍ତା ଘର ।
ସେହଦେବ ସେହି ରୁମଲୁଚା ଅନ୍ଧାର ଭିତରେ ଚମକି ପଡ଼ି ତରତରରେ ଘର ଭିତରକୁ ପଶିଗଲା । ଦୀର୍ଘ ପାଞ୍ଚବର୍ଷ ହେଲା ରେଙ୍ଗୁନରେ ଥାଇ ଫେରିଲାବେଳେ ସେ କିପରି ଭାବରେ ଘରକୁ ଆସିବ, ଏ ବିଷୟରେ ସେ ଗତ କେତେ ଦିନ, କେତେ ରାତି ଯେ ଭାବିଥିଲା, ଠିକ୍ନାହିଁ । ହାତରେ ବୁଜୁଳା ଧରିବ, କି କାନ୍ଧରେ ବୁଜୁଳା ଧରିବ; ଏ ଆଗ କଥା କହିବ, କି ସେ ଆଗ କଥା କହିବ; ଯାଇ ଠିଆହେବ, କି ବସିପଡ଼ିବ - ଏ ସବୁ ବିଷୟରେ ତା’ର କଳ୍ପନାର ସୀମା ନ ଥିଲା; ମାତ୍ର ଘର ଭିତରକୁ ପଶିଲାବେଳକୁ ସେସବୁ କଥା ରକ୍ଷା କରିବାପାଇଁ ବେଳ ଅଣ୍ଟିଲା ନାହିଁ । ପଶିଯାଇ ସେ ଏକ ଦୀର୍ଘନିଶ୍ୱାସ ଛାଡ଼ିଦେଲା ।
ଫୁଟିଲା ମଲ୍ଲିଫୁଲ ଉପରେ ଭଅଁର ବସିଲା ପରି ଆଖି ଦୁଇଟିକୁ ଆନନ୍ଦରେ ଫୁଟାଇ ରଖି ଯଶୋଦା ଏକ ବିଚିତ୍ର ଭାବ ଦେଖାଇଲା । ସେହି ଖୋଳାଡ଼ୋଳା ଦୁଇଟାକୁ ଏକଲୟରେ ସ୍ଥିର ରଖି ସେ ସହଦେବ ମୁହଁକୁ କେବଳ ଚାହିଁରହିଲା । କି ଭାବରେ ତାକୁ ସେ ଅଭ୍ୟର୍ଥନା କରିବ, କିଛି ସ୍ଥିର କରି ପାରିଲା ନାହିଁ । ଏଡ଼େବେଗେ ଏପରି ଭାବରେ ଯେ ସହଦେବ ଆସି ହାଜର ହୋଇଯିବେ, ଏକଥା ତା’ କଳ୍ପନାର ଶତଲକ୍ଷ ଯୋଜନ ଦୂରରେ ଥିଲା ।
ଯଶୋଦା - ସେହଦେବର ସେହି କଳ୍ପନାମୟୀ । ଦେହରେ ତାର ଅଳଙ୍କାର ନାହିଁ, ଆଖିରେ ତାର ଲୁହ ନାହିଁ, ଅଧରରେ ତାର ହାସ୍ୟରେଖା ସୁଦ୍ଧା ନାହିଁ । ଏ କ’ଣ କୈଳାସନାଥଙ୍କ ଲକ୍ଷ୍ୟରେ ତପୋରତା ମୂର୍ତ୍ତି ! ଆଗରେ ଯଶୋଦାର ଏ ବେଶ ଦେଖି ସହଦେବର ଆଉ ଧୈର୍ଯ୍ୟ ରହିଲା ନାହିଁ । ତାର ସକଳ କଳ୍ପନା ପାଣି ହୋଇଗଲା । ଯେଉଁ ବାହୁ ଦୁଇଟା ଆଲିଙ୍ଗନ ପାଇଁ ପାଞ୍ଚବର୍ଷ ହେଲା ବ୍ୟଗ୍ର ଥିଲା, ତାହା କୋହଳ ହୋଇଗଲା । ଭାବନା ଜଡ଼ ହୋଇ ହୃଦୟର କେଉଁ କୋଣରେ ଜମାଟ ବାନ୍ଧି ରହିଗଲା । କେବଳ କାଠ ପିତୁଳା ପରି ସେ ଦଦରା କାନ୍ଥଟାକୁ ଆଉଜି ପଡ଼ିଲା ।
ମାତ୍ର ଯଶୋଦା - ତପୋରତା ପାର୍ବତୀ ସେ । ସେତେବେଳେ ତାର ଆନନ୍ଦର ସୀମା ନାହିଁ ? ଦେଖୁ ଦେଖୁ ଆଖି ଓଦା ହୋଇ ଆସିଲା, କଣ୍ଠ ଥରିଲା । କ’ଣ କହିବ, କହିପାରିଲା ନାହିଁ । କେଡ଼େ ଦୁଃଖର ତୁଷାରଗିରି ତରଳିଗଲା ସତେ !
ଏ ସବୁ ଦେଖି ସହଦେବ କିନ୍ତୁ ପାପଚିନ୍ତାରେ ବୁଡ଼ିଲା । କ୍ଷୀଣ ଛାୟା ପରି ମନରେ ତା’ର ଭାବନା ଖେଳିଲା, ‘ବିଧବା ହୋଇପଡ଼ିଲା ! ମୋତେ ସତେ ଭୁଲିଗଲା. . . .।’ ପଚାରିଲା -
‘‘ଯଶୋଦା. . .’’
ଲୁହ ଢ଼ଳଢ଼ଳ ଆଖିରେ ଯଶୋଦା ଖାଲି ଚାହିଁରହିଲା ।
-‘‘ଶେଷକୁ ଏ’ୟା ହେବାକୁ ଥିଲା . . .’’
ଯଶୋଦା କହିଲା - ‘‘ହଁ, ଆଗ ଗୋଡ଼ଖଡ଼ୁଯାକ କାଢ଼ିଲି . . .’’
ପାଞ୍ଚବର୍ଷ ପରେ ପରିଚିତା ମୁହଁରୁ ଏ ପ୍ରଥମ କଥା । ସହଦେବ ଚମକିଲା ପରି ହୋଇ ପଚାରିଲା - ‘‘ଆଗ ! ତା’ପରେ ?’’
-‘‘ତା’ପରେ ହାତରୁ, ନାକରୁ, କାନରୁ କାଢ଼ିଥିବି । ଆଜି ତ ମଥାମଣିଟି କାଢ଼ିଛି . . . ’’
ସହଦେବ ଆଉ ଧୈର୍ଯ୍ୟ ଧରି ପାରିଲା ନାହିଁ । ପଚାରିଦେଲା - ‘‘ତାହା ହେଲେ ଶୁଦ୍ଧଘର . . .?’’
ଯଶୋଦା କିଛି ବୁଝିପାରିଲା ନାହିଁ ।
-‘‘ଶୁଦ୍ଧଘର କିମିତି କରିବୁ ବୋଲି ଭାବିଥିଲୁ ?’’
ଯଶୋଦାର ମୁହଁରୁ ପାଣି ମରିଗଲା । ସେ ଆତୁରରେ ଧଇଲା ପରି ସହଦେବର ହାତକୁ ଧରି ପକାଇଲା - ‘‘କେଡ଼େ କଥା କହିଲ ସତେ, କେଡ଼େ କଥା କହିଲ !’’
ଦୁହେଁ ଅନେକ ସମୟ ନୀରବ ।
ତା’ ପରେ ଯେତେବେଳେ କଥା ଆରମ୍ଭ ହେଲା ସହଦେବ ବୁଝିଲା - ସାମାନ୍ୟ କେତୋଟି ଟଙ୍କା ଚକ୍ରବୃଦ୍ଧି ହିସାବରେ ସୁଧମୂଳ କଷି ସରବରାକାର ତା ଉପରେ ଯେ ଭାର ଲଦିଥିଲେ, ତା ଶୁଝିବାଲାଗି ସେ ରେଙ୍ଗୁନଠାରୁ ମାସକୁ ମାସ ଦଶଟଙ୍କା କରି ପଠାଇଛି । ଦଶଟଙ୍କା ଲେଖାଏଁ ପାଇଲା ବାଦ୍ଆଉ ଅଧିକା ଦୁଇ ଟଙ୍କା କରି ଶୁଝିଲେ ପାଞ୍ଚବରଷରେ ଶୁଝ୍ପାଇବ ବୋଲି ଯଶୋଦା ଭୁଲ ହିସାବରେ ଦେହର ଅଳଙ୍କାରପତ୍ର ବିକି ଶୁଝିଆସିଛି । ସରବରାକାର ମଧ୍ୟ ଆଗ୍ରହରେ ତାହା ଗ୍ରହଣ କରି ଆସିଛନ୍ତି ।
ଟଙ୍କା ଶୁଝି, ବିଧବା ବେଶ ପିନ୍ଧି ଯଶୋଦା ଯେ ଏତେ କାଳ ବାଟ ଚାହିଁ ରହିଥିଲା, ଏ କଥା ବୁଝିପାରି ସହଦେବର ବୁକୁ ଭିତରଟା ପୁଲକି ଉଠିଲା ! ସେହି ବିଧବା ବେଶ ତାକୁ ଆହୁରି ସୁନ୍ଦର ଦେଖାଗଲା । ନିରାଭରଣା ଯଶୋଦାକୁ ସେ କୋଳରେ ଜାକିଧରି, ଲୁହ ଢ଼ଳଢ଼ଳ ଆଖିରେ ସରବରାକାରଙ୍କ ଘର ଆଡ଼କୁ ଚାହିଁ କହିଲା - ‘‘ମୁଁ ଯେ ରେଙ୍ଗୁନରୁ ଫେରିଲି !ତୋ’ରି ପାଇଁ ଫେରିଲି, ଯଶୋଦା ।’’
ସହଦେବର କଥା କଣ୍ଠ ପାଖେ ଅଟକି ଗଲା । ଯଶୋଦା ସହଦେବର ମୁହଁ ପାଖେ ମୁହଁ ରଖି ଉତ୍ତର ଦେଲା - ‘‘ହଁ, କେବଳ ତୁମରି ପାଇଁ ମୁଁ ଏ ଅଳଙ୍କାରପତ୍ର ବିକିଛି ସିନା !’’
ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ
ଓଡ଼ିଶାର ଖୁବ୍କମ୍ଲୋକ ଯେଉଁ ଗାଆଁଖଣ୍ଡିକୁ ଜାଣିଛନ୍ତି ସେହି ଗାଆଁଟା ନାଁ ହେଉଛି ‘ସିଆଳି’ । ସିଆଳି ଗାଆଁକୁ ବେଶୀ ଲୋକ ଜାଣିବାର କିଛି କାରଣ ନାହିଁ । ସେ ଗାଆଁ ଭିତରେ ପକ୍କାଘର ନାହିଁ, ସେ ଗାଆଁକୁ ଭଲ ବାଟ ନାହିଁ, ସେ ଗାଆଁର ଲୋକେ ପାଠ ମଧ୍ୟ ପଢ଼ି ନାହାନ୍ତି । ଗୋବର ଗାଡ଼ିଆରେ କଇଁ ଫୁଟିଲା ପରି ଗୋପାଳ ଯେ କିପରି ସେଠାରେ ଫୁଟିଲା, ତାହା ହେଉଛି ଓଡ଼ିଶାର ନାନା ଆଶ୍ଚର୍ଯ୍ୟଜନକ ଘଟଣା ଭିତରୁ ଗୋଟିଏ ।
ଓଡ଼ିଶା ମୁଲକରେ ସିଆଳି ବୋଲି ଗୋଟିଏ ଗାଆଁ ଅଛି, ଆଉ ସେହି ଗାଆଁରେ ତା’ର ଘର ବୋଲି ଗୋପାଳ କେବେ ଭୁଲରେ ସୁଦ୍ଧା କାହା ଆଗେ ନିଜର ପରିଚୟ ଦିଏ ନାହିଁ । ଗାଆଁ ନାଁ ପଚାରିଲେ ସେ ଗୋଟାଏ ଚାଲାକି କରି ଥାନାର ନାଁଟା କହିଦିଏ । କଥାଟା ସେଥିରେ ପ୍ରାୟ ଘୋଡ଼େଇ ହୋଇଯାଏ । ସିଆଳିର ଲୋକେ ମୁଣ୍ଡଝାଳ ତୁଣ୍ଡେ ମାରି ପେଟ ପୋଷନ୍ତି । କିଏ ମୂଲ ଲାଗେ, କିଏ ପନିପରିବା ବିକେ, କିଏ ବା ପାଇଟି ନ ପାଇଲେ ଭିକ ମାଗି ଚଳେ । ଏଗୁଡ଼ାକ ସମାଜର ନିତାନ୍ତ ତଳଶ୍ରେଣୀ ଲୋକଙ୍କ କାର୍ଯ୍ୟ - ଗୋପାଳ ଏ କଥା ପାଠ ପଢ଼ି ବୁଝିଛି । ତେଣୁ ସେ କଟକର ପକ୍କାଘର ଭିତରେ ଏଗୁଡ଼ାଙ୍କୁ ଆତ୍ମୀୟ ଦୃଷ୍ଟିରେ ବା ଶ୍ରଦ୍ଧାଚକ୍ଷୁରେ ଦେଖେ ନାହିଁ । ଏ କଥା କଳ୍ପନା କଲେ ତାର ଲୋମ ଟାଙ୍କୁରି ଉଠେ । ଭାବେ, ସିଆଳି ଗାଆଁଟା ଯେବେ ସମତଳ ଅଞ୍ଚଳରେ ତ ସେ ଆସି ବସିଛି ଗୈାରୀଶଙ୍କର ଶୃଙ୍ଗରେ ! ତାର ପାଠଠାରୁ ଗାଁଲୋକଙ୍କ ସ୍ଥାନ କେତେ ତଫାତ !
ପିଲାଦିନର ଅନେକ କଥା ପକ୍କାଘର ଭିତରେ ଗୋପାଳର ମନେପଡ଼େ; ମାତ୍ର ଗୋଟିଏ କଥାକୁ ସେ କେବେ ହେଲେ ମନରୁ ପାଶୋରି ପାରେ ନାହିଁ । ସେ ନିତାନ୍ତ ଛୋଟ ଥିଲାବେଳେ ତାର ବାପା ଜଣେ ତହସିଲଦାରଙ୍କର ପିଆଦା ଥିଲେ । କାଠବିକା ବ୍ୟବସାୟ ଛାଡ଼ି ସେ ପିଲାକୁ ଧରି ତହସିଲଦାରଙ୍କୁ ଗୋଟିଏ ବର ମାଗିଥିଲେ । ପାଞ୍ଚବର୍ଷ ପରେ ବଦଳି ହେବା ସମୟରେ ତହସିଲଦାର ବାବୁ ଅନୁରକ୍ତ ଭୃତ୍ୟ ପ୍ରତି ବଡ଼ ଶୁଭଦୃଷ୍ଟି ପକାଇଲେ । ତାହାରି ଫଳରେ ଗୋପାଳ କଟକ କଲେଜ ପର୍ଯ୍ୟନ୍ତ ଯାଇପାରିଛି । ଏବେ ତହସିଲଦାର ନାହାନ୍ତି କି ତାର ବାପା ନାହାନ୍ତି ।
ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ଉତ୍କଳମଣିଙ୍କ କରୁଣ ଆହ୍ୱାନରେ ଓଡ଼ିଶା ବୁକୁର କଠୋର ପଥର ଖଣ୍ଡ ସୁଦ୍ଧା ତରଳି ଯାଉଥିଲା । ମହାନଦୀର କରାଳ ବନ୍ୟାରେ ଶହ ଶହ ଲୋକ ଭାସିଗଲେ; ହଜାର ହଜାର ଘର ଭାଜିଗଲା, ବିଲ ଉପରେ ସାତଫୁଟ ପାଣି ଠିଆହେଲା, ଗଛ ଉପରେ ମଣିଷ ଆଶ୍ରୟ ନେଲା, ସ୍ଥଳ ନ ପାଇ ଚାଳ ଉପରେ ମାଆ ସନ୍ତାନ ପ୍ରସବ କଲା, ଛାଡ଼ି ନ ପାରି ପିତା ପୁତ୍ରର ଶବକୁ ଜାକିଧରି ଗଛରେ ଲାଖିରହିଲା - ଏସବୁ କାହାଣୀ ଶୁଣି ପଥର ତରଳିବା ଅସମ୍ଭବ କ’ଣ ?
ଉତ୍କଳମଣିଙ୍କର ଏ ଡ଼ାକ ସମସ୍ତଙ୍କ କାନରେ ବାଜିଲା । କଲେଜ ଭିତରର ଏକ କୋଠରିରେ ଗୋପାଳ ମଧ୍ୟ ଏ କଥା ଶୁଣିଲା । ଦଳ ଦଳ ଛାତ୍ର ବନ୍ୟାରେ ଲମ୍ପ ଦେବାକୁ ବାହାରିଲେ । ବନ୍ୟାର ଏ ଅତ୍ୟାଚାରରେ କେତେ ଯୁବକପ୍ରାଣରୁ ଏପରି ତପ୍ତ ଶ୍ୱାସ ଉଠିଲା ଯେ କଲେଜ ଭିତ୍ତି ପର୍ଯ୍ୟନ୍ତ ଥରିଗଲା - ଓଡ଼ିଶା ଯେବେ ଗଲା, କାହା ଘେନି କଲେଜ ?
ଗୋପାଳ ତ ସେ ଦିନ ଭାତ ଥାଳି ପାଖେ ବସିଲା ନାହିଁ । ରାତିରେ ଶେଯରେ ଶୋଇ ପାରିଲା ନାହିଁ ମଧ୍ୟ । ସନ୍ଧ୍ୟାବେଳୁ ସେ ଚଉକି ଉପରେ ବସି ବସି ଚିନ୍ତା କଲା । ତା ଚିନ୍ତାଭିତରେ ଗୋଟାଏ ଅତୀତ ଜୀର୍ଣ୍ଣ ଜଗତ୍ର ନିତାନ୍ତ ଅସ୍ପଷ୍ଟ ଛାୟା ଦେଖାଗଲା । କି ଦୀନହୀନ ବେଶ ସେହି ଜଗତ୍ର ! ଗ୍ରାମଗହଳର କୋଳାହଳ ଭିତରେ ଗୋଟିକର ମୁହଁରେ ହେଲେ ହସ ନାହିଁ । ବିଲରେ ପାଣି, ଘରେ ପାଣି, ପ୍ରତି ଆଖିରେ ପାଣି ! ବିଲ ପଡ଼ିଆର କୂଳଥଳ ମିଳୁନାହିଁ, ହୃଦୟରେ ଭାବନାର କୂଳଥଳ ମିଳୁନାହିଁ; ଏ ପ୍ରାଚୀନ ଜାତିଟାର ଶକ୍ତିଶାଳୀ ବଂଶଧରଗଣ ଶକ୍ତି ହରାଇ କୁଆଡ଼େ ଭାସିଯାଉଛନ୍ତି, ତାହା କଳ୍ପନା କରି ହେଉନାହିଁ । ସବୁଆଡ଼େ ହାହାକାର, ସବୁଆଡ଼େ ଚିତ୍କାର । ସେହି ଭିତରେ ଗୋପାଳ ଦେଖିପାରିଲା ତା’ର ସେହି ପୂର୍ବ-ପରିଚିତ ସିଆଳି ଗାଁର ଚିତ୍ର । ସେ ଗାଁର ଲୋକେ ଭାସି ଯାଇଛନ୍ତି, ଗାଆଁର ପୂର୍ବପଟ ସେହି ଭାଗବତ ଘରଟା ଆଉ ନାହିଁ । ଗ୍ରାମଦେବତୀ ବାଉତେଈଙ୍କ ମଣ୍ଡପର ପଥର ଖୁଣ୍ଟ କେବଳ ପାଣି ଉପରକୁ ଦେଖାଯାଉଛି । ଗାଆଁର ଯେଉଁ ଉଚ୍ଚ ମଶାଣି ଭୂଇଁଖଣ୍ଡକ ସମସ୍ତଙ୍କର ଆଶ୍ରୟସ୍ଥଳ, ସେଠାର ବଡ଼ ବରଗଛକୁ କିଏ ଆଶ୍ରୟ ଦେଇପାରିନାହିଁ ! ତା’ର ବୁକୁ ଦାଉଁଦାଉଁ ପଡ଼ିଲା ଉଠିଲା । କେବେ ତ ସେ ପକ୍କାଘରେ ବସି ସିଆଳି କଥା ଭାବି ନାହିଁ; ଏତେ ଦିନେ ସେହି ସ୍ମୃତି କାହିଁକି ଜାଗିଲା, ସେ ତତ୍ତ୍ୱ ସେ ଖୋଜିବାକୁ ଚେଷ୍ଟା କଲା ନାହିଁ । ସେ କେବଳ ଆଖିଆଗରେ କେତେଗୁଡ଼ାଏ ବିଭଙ୍ଗ ଚିତ୍ର ଦେଖିଲା; ବେଳେ ବେଳେ ଚମକିଲା ପରି ଚଉକିରେ ସିଧା ହୋଇ ବସି ଗୋଟାଏ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲା । କଇଁଫୁଲ ପରି ଧଳା ଶେଯଟାରେ ସେ ବହୁବାର ଏପାଖ ସେପାଖ କଡ଼ ଲେଉଟାଇଲା । ଆଖି ଫିଟାଇ ରଖି ଯାହା ଚିନ୍ତା କଲା, ଆଖି ମୁଦି ରଖି ସେହି କଥା ମଧ୍ୟ ଭାବିଲା ଗୋଟାଏ କ୍ଷୁଦ୍ର ପଲ୍ଳୀର ହତଭାଗାଙ୍କ ଚିତ୍କାର ତାର ପ୍ରାଣକୁ ବେଳେ ବେଳେ ଚମକାଇ ଦେଲା । ବରଫ-ଶୁଭ୍ର କାନ୍ଥଦେହରେ ସେ ପ୍ରେତଛାୟା ଦେଖି ପାରିଲା । କିଏ କହିଲା,‘ଗୋପାଳ ଗୋପାଳ, ଗୋପାଳ’, କିଏ କହିଲା,‘ଗୋପାଳ ବାବୁ !’ ଗୋପାଳ ଆଉ ଶୋଇବ କ’ଣ ?
ଦିନେ ସ୍ୱେଚ୍ଛାସେବକଦଳ ବନ୍ୟା ଅଞ୍ଚଳରେ କାମ କରିବାପାଇଁ ଯେତେବେଳେ ବାହାରିଲେ, ଗୋପାଳ ମଧ୍ୟ ସେମାନଙ୍କ ସଙ୍ଗେ ବାହାରିଲା । ବାହାରିବା ଆଗରୁ ସ୍ୱଚ୍ଛାସେବକମାନଙ୍କୁ ବହ ଆୟୋଜନ କରିବାକୁ ହେଲା । କେତେଦିନପାଇଁ ଲୁଗାପଟା ଓ ଖାଦ୍ୟପେୟର ବ୍ୟବସ୍ଥା ହେଲା । କଲେଜ ଭିତରୁ ଗାଁ ଭିତରକୁ ଯିବା ଅନ୍ୟ ସ୍ୱେଚ୍ଛାସେବକଙ୍କ ପକ୍ଷରେ ଯାହା ହେଉ ନା କାହିଁକି, ଗୋପାଳ ପକ୍ଷରେ ଗୋଟାଏ ନୂତନ କଥା । କଲେଜରୁ ଗାଆଁ ତ କମ୍ତଫାତ୍ନୁହେଁ ! କେତେ ଦିନ ରହିବାକୁ ହେବ, କିଏ ଜାଣେ ? ସେଥିପାଇଁ ଦଶ ପାଞ୍ଚ ଖଣ୍ଡ ଅଧିକା ଲୁଗା ନ ହେଲେ ନ ଚଳେ । ଯେଉଁଠାରେ ଲୋକେ ଖାଇବାକୁ ପାଉନାହାନ୍ତି, ସେଠାରେ ପ୍ରତିଦିନ ଜଳଖିଆ ବା ମିଳିବ କୁଆଡ଼ୁ ? ତେଣୁ ଇସ୍ତିରୀଦିଆ ଲୁଗାଗୋଚ୍ଛା ସହିତ କମଳା, ଅଙ୍ଗୁର, ଖଜରା, ଚିନି, ଅଟା, ଷ୍ଟୋଭ ପର୍ଯ୍ୟନ୍ତ ବ୍ୟବସ୍ଥା ଗୋପାଳ ଅନ୍ୟମନସ୍କ ଭାବରେ କରି ପକାଇଲା । ବନ୍ୟାସ୍ରୋତ ପଛେ ପଛେ ସ୍ୱେଚ୍ଛାସେବକ ସ୍ରୋତ ଗାଁ-ଗହଳକୁ ଚାଲିଲେ ।
ଦିଗନ୍ତବିସ୍ତୃତ ବିଲ ପଡ଼ିଆ-ସେ ଭିତରେ ମଫସଲର ଚିହ୍ନ ସୁଦ୍ଧା ନାହିଁ । ବନ୍ୟାର କରାଳ ଜିହ୍ୱା ସବୁ ଶେଷ କରି ଦେଇଛି । ଦୂରରୂ ଦେଖିଲେ ଠାଏ ଠାଏ ଗଛଗହଳରେ କେତେଟା ଘର ଦେଖାଯାଉଛି, ତାହାରି ଭିତରେ ହତଭଗା ଚାଷୀଭାଇଙ୍କର ସଂସାର । ସେ ଭିତରକୁ ଯିବାକୁ ହେଲେ କାଦୁଅ, ପାଣି, କଣ୍ଟା, ଖୁଞ୍ଚା, ଅମଡ଼ା ରାସ୍ତା - ସବୁ ଭେଟିବାକୁ ପଡ଼ିବ । ସେ ଭିତରର ଜୀବଙ୍କ ସେବା କରିବାକୁ ହେଲେ ନିଜକୁ ମଶା, ମେଲେରିଆ ଜ୍ୱର, ମହାମାରୀ, ବସନ୍ତର ସମ୍ମୁଖୀନ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ । କଟକ-ବ୍ରହ୍ମପୁରର ରାଜରାସ୍ତା ସେଠାରେ ନାହିଁ କି ପୁରୀର ବଡ଼ଦାଣ୍ଡ ସେଠାରେ ନାହିଁ । ତେଣୁ କଟକ କୋଠରିଠାରୁ ଯେ ଏହା ବହୁତ ଦୂରରେ, ତାହା ଗୋପାଳ ବୁଝିବାକୁ ବାକି ରହିଲାନାହିଁ ।
କଟକ ଛାଡ଼ିଗଲାବେଳେ ଗୋପାଳର ମନ ଯେପରି ଥିଲା, ବନ୍ୟା ଅଞ୍ଚଳର ମାଧପୁର କେନ୍ଦ୍ରକୁ ଆସିଲା ବେଳକୁ ତହିଁର ଘୋର ପରିବର୍ତ୍ତନ ଘଟିଯାଇଛି । ତିନି ଦିନର ରାସ୍ତା ତାକୁ ଲାଗିଛି ଠିକ୍ତିନି ବର୍ଷେ ପରି । ଚାଲି ଆସିବାରେ ତା’ର ଚାରିଟା ଇସ୍ତିରୀଦିଆ ଧୋତି କାଦୁଅ ଛିଡ଼ିକି ନଷ୍ଟ ହୋଇଯାଇଛି । ସାଙ୍ଗରେ ବୋହିଥିବା ସୁରେଇର ଛଣା-ପାଣି ସରିଯିବା ଫଳରେ ବାଟରେ ଭଲ ପାଣି ଟୋପାଏ ପିଇବାକୁ ମିଳିନାହିଁ । ଜୋତା ଲଗାଇବାର ଆଦୈା ସୁବିଧା ଘଟିନାହିଁ । ତେଣ ଅନଭ୍ୟସ୍ତ ଗୋଡ଼ରେ ଦୁଇଟା କଣ୍ଟା ଗଳିଛି ଓ ଗୋଟାଏ ଗେଣ୍ଡା କାଟିଛି । ଆଣିଥିବା ଜଳଖିଆ ଅଧାରୁ ବେଶି ଶେଷ ପାଇଛି । ଏପରି କ୍ଷେତ୍ରରେ ତା’ର ମନ ଖୁବ୍ବିଗିଡ଼ି ଯାଇଛି ।
ଚାଉଳଦିଆ କେନ୍ଦ୍ର - କେବଳ ସେଠାରେ ଜନସମୁଦ୍ର ! ଦରିଦ୍ର, ନିଃସହାୟ ପଲ୍ଲୀବାସୀ ପ୍ରାଣପ୍ରିୟ ପିଲା-କୁଟୁମ୍ବ ଧରି ମୁଠାଏ ମୁଠାଏ ଚାଉଳ ପାଇଁ ସେଠାରେ ଜମାହୋଇଛନ୍ତି-ମୁଠାଏ ପାଇଲେ ପୁଅଠାରୁ ବାପ, ଭାଇଠାରୁ ଭାଇ ଭିଡ଼ି ଓଟାରି ଗିଳି ପକାଇବାରେ କୁଣ୍ଠାବୋଧ କରୁ ନାହାନ୍ତି । ସେଠାରେ ଗୋପାଳର କର୍ତ୍ତବ୍ୟ ? ସେ ଗୋଟାଏ ଦୀର୍ଘଶ୍ୱାସ ପକାଇଲା । ତା’ ପରେ ଧୀରେ ଧୀରେ ରୁମାଲରେ ମୁହଁ ପୋଛି, ତା’ର ଇସ୍ତିରୀଦିଆ ଲୁଗା କାହା ଦେହକୁ ନ ଲାଗିଲା ପରି ବଡ଼ ସାବଧାନରେ ଠିଆ ହେଲା । କିନ୍ତୁ ଚାରିଆଡ଼େ ତ କଙ୍କାଳ, ଚାରିଆଡ଼େ ତ ଦରିଦ୍ର, ସେ କାହାକୁ କରଛଡ଼ା ହୋଇ ରହିବ ? ଦିନେ ଦୁଇଦିନ ଗଲା, ସେ ମୁଠି ଚାଉଳ ଦେବାରେ ଅଭ୍ୟସ୍ତ ହେଲେ ମଧ୍ୟ ଲୋକଙ୍କ ବ୍ୟବହାରରେ ନିତାନ୍ତ ଉତ୍ତ୍ୟକ୍ତ ହୋଇ ଉଠିଲା - କିଏ ପାଖକୁ ମାଡ଼ିଆସୁଛି, କିଏ ଉପରେ ପଡ଼ୁଛି, କିଏ କୁଞ୍ଚ କାନି ଧରି ଭିଡ଼ୁଛି, କିଏ ହାତ ଧରି ଟାଣୁଛି । ପ୍ରତି ମୁହୂର୍ତ୍ତରେ ତାକୁ ବ୍ୟତିବ୍ୟସ୍ତ ହେବାକୁ ପଡ଼ୁଛି । ମନ ନିତାନ୍ତ ତିକ୍ତ ହୋଇଉଠୁଛି । କେଡ଼େ ବୋକା ଲୋକଗୁଡ଼ାକ ! ଭଦ୍ରାମି ଜାଣନ୍ତି ନାହିଁ ? ଖାଇବାକୁ ନାହିଁ ବୋଲି ଭଦ୍ରଲୋକର ଲୁଗା ଭିଡ଼ିବେ ? ଛି !
ଖାଲି ଯେ ଗୋପାଳ ଏ କଥା ମନରେ ଭାବିଲା ତା’ ନୁହେଁ, କାର୍ଯ୍ୟରେ ମଧ୍ୟ ଦେଖାଇଦେଲା । ବିରକ୍ତ ହେଲା, ନାକ ଟେକିଲା, ହାତ ଛିଞ୍ଚାଡ଼ିଲା, ଫୋପାଡ଼ିଲା ପରି ଚାଉଳ ଦେଲା । ଦରିଦ୍ର ପଲ୍ଲୀବାସୀ ତଥାପି ଶିଖିପାରିଲେ ନାହିଁ - ଏଇ ହେଉଛି ଗୋପାଳ ମନରେ କଷ୍ଟ !
ଗୋପାଳଠାରୁ ସମସ୍ତେ ଚାଉଳ ନିଅନ୍ତି; କିନ୍ତୁ ଗୋପାଳ ଦେଖେ, ଅର୍ଗଳି ପାଖେ ଗୋଟିଏ ବୁଢ଼ା କେବଳ ଠିଆ ହୋଇ ଫେରିଯାଏ । ସେ ପାଖକୁ ଆସି ମାଗେ ନାହିଁ କି ମାଗିବା ପାଇଁ କାହାକୁ କହେ ନାହିଁ । ଗୋପାଳ ତାକୁ ଦେବ ବୋଲି ବିଚାରେ; ମାତ୍ର ଗହଳି ପାରହୋଇ ଯାଇ ଦେଇପାରେ ନାହିଁ । ଦିନେ, ଦୁଇ ଦିନ, ଚାରି ଦିନ ଗଲା; ବୃଦ୍ଧର ସେହି କରୁଣ ଦୃଷ୍ଟି ଗୋପାଳ ଭୁଲିପାରିଲାନାହିଁ; କେବଳ ପରିଚିତ ମୁହଁ ପରି ତାକୁ ଜଣାପଡ଼ିଲା । ଦିନେ ଆଗରୁ ଲୋକ ଆଡ଼େଇ ଆଡ଼େଇ ସେ ଯାଇ ବୃଦ୍ଧ ପାଖେ ପହଞ୍ଚିଲା । ପଚାରିଲା - ‘‘ନେଲେଣି ?’’
ବୁଢ଼ାଟି ମୁଣ୍ଡ ଟୁଙ୍ଗାରି କହିଲା - ‘‘ହଁ ।’’
-‘‘ତେବେ ଠିଆହୋଇଛ ?’’
ବୃଦ୍ଧ ତା’ର ଶୁଖିଲା ଧଳା ଛେପ ଲାଗିଥିବା ଓଠକୁ ଶୁଖିଲା ଜିଭରେ ଚାଟି ଥରେ ଦି’ଥର ପାଟି ବୁଲାଇଲା । ତା ପରେ ଗୋପାଳ ମୁହଁକୁ ଥୁ ଥୁ କରି ଦୁଇ ଲେଣ୍ଡା ଛେପ ପକାଇ ଆଖି ତରାଟି ଚାହିଁ ରହିଲା ।
ଖୁବ୍ଚହଳ ତ ପଡ଼ିଗଲା, ଗୋପାଳର ମୁହଁ କଳା ପଡ଼ିଗଲା । ସମସ୍ତେ କହିଲେ - ‘‘ସିଆଳିର ସାନ୍ତରା କଲେ କ’ଣ ?’’ ଗୋପାଳ ସେ ରାତି ରାତି ରାଗ, ଅପମାନ, ବିରକ୍ତିରେ କଟକ କୋଠରି ଅଭିମୁଖେ ଯାତ୍ରାକଲଶ । ତା’ର ଚାରିଦିନ ପରେ କଟକରେ ଉତ୍କଳମଣି ସାଧାରଣ ସଭାରେ କାନ୍ଦି କାନ୍ଦି ହାତ ପ୍ରସାରି ମାଗିଲେ, ‘‘କାହାରି ଛିଣ୍ଡା ଲୁଗା ଅଛି, ତାହା ମଧ୍ୟ ଦେଲେ ଦରିଦ୍ରର ସେବାରେ ଲାଗିବ ।’’
ଦରିଦ୍ରର ସେବା ! ଛିଣ୍ଡା ଲୁଗା ! ଗଭୀର ବିରକ୍ତିରେ ମୁଣ୍ଡ ପୋତି ବସିରହି କଲେଜ ଘରେ ଗୋପାଳ ପୁଣି ଚମକିଲା । ନିଜର ଲୁଗାପଟାକୁ ଚାହିଁଲା - ଦେଖିା, ଖଣ୍ଡିଏ ସୁଦ୍ଧା ଛିଣ୍ଡା ନାହିଁ, ଖଣ୍ଡିଏ ସୁଦ୍ଧା ଚିରା ନାହିଁ ! ପୁଣି ମୁଣ୍ଡ ପୋତିଲା, ପୁଣି ଟେକିଲା । ଯେ ଭଦ୍ରାମି ଜାଣେ ନାହିଁ, ତା’ର ପୁଣି ସେବା କରିବାକି ହେବ ? - ଗୋପାଳ ଏଥିର ତତ୍ତ୍ୱଖୋଜି ପାଇଲାନାହିଁ । ଛିଣ୍ଡାଲୁଗା । ପୁରୁଣା ଲୁଗା । କାହାପାଇଁ ? ଗୋପାଳ ମୁଣ୍ଡ ଟେକି ନିଜର ଲୁଗାକୁ ପୁଣି ଚାହିଁଲା - ସଫା ଆଖି ମେଲାକରି ଦେଖିଲା ସେହି ଲୁଗାରେ ସେହି ଅର୍ଗଳି ପାଖ ବୃଦ୍ଧର ଛବି ! ଆଖି ମଳିଲା, ରୁମାଲରେ ଆଖି ପୋଛିଲା । ରୁମାଲକୁ ଚାହିଁ ଦେଖିଲା, ସେଥିରେ ଛେପ ଲାଗିନାହିଁ । ତଥାପି ସେହି ବୃଦ୍ଧ ଆଖି ଆଗରେ ! ବୃଦ୍ଧ-ବାସ୍ତବିକ ବୃଦ୍ଧ । କେବଳ ହାଡ଼ ଉପରେ ଚମ ଛାଉଣି ହୋଇଛି । ବିରାଟ ବପୁର କଙ୍କାଳ ସେ ! ସେ କାନ୍ଦୁ ନାହିଁ, ସେ ହସୁ ନାହିଁ । ଉଲଗ୍ନ ବେଶରେ ଲୁଗାର ପ୍ରତି ସୂତାଦେହରେ ସେ ଜଡ଼ିତ ହୋଇ ରହିଛି । ଉତ୍କଳମଣିଙ୍କର ଏହି କି ସେହି ଦରିଦ୍ର !! ଏହାରି ସେବାପାଇଁ ଛିଣ୍ଡା ଲୁଗା !! ଗୋପାଳ ମୁହଁ ପୋଛି ଠିଆହେଲା । ଦୁଆରମୁହଁରେ ଶବ୍ଦ ହେଲା ଦିଅ, ଲୁଗା ଦିଅ । ଲୁଗା ଦିଅ । ସ୍ୱେଚ୍ଛାସେବକଙ୍କ ମୁହଁକୁ ଚାହିଁ ଗୋପାଳ ପ୍ରଥମେ କିଛି କହିପାରିଲା ନାହିଁ । ଜଣେ କହିଲା ‘‘ସେଟା ଦିଅ’’, ଜଣେ କହିଲା-‘‘ଏଟା ଦିଅ ।’’ ଗୋପାଳ ମନା କଲା ନାହିଁ । ହାତରେ ଭିଡ଼ିଆଣି ବଢ଼ାଇ ଦେଲା - ସତେ ଯେପରି ସହି ସ୍ୱେଚ୍ଛାସେବକଙ୍କ ଗହଣରେ ସେହି ବୃଦ୍ଧଙ୍କୁ ସେ ଦେଖି ପାରିଲା । ଖଣ୍ଡକୁ ଖଣ୍ଡ ଲୁଗା, କାମିଜ ଦେଉ ଦେଉ ପଚାରିପକାଇଲା - ‘‘କ’ଣ ବୁଢ଼ାପାଇଁ ?’’ ସମସ୍ତେ ହସିଉଠି କହିଲେ - ‘‘ନା . . .ପିଲା, ବୁଢ଼ା,ବୁଢ଼ୀ, ଯୁବକ, ଯୁବତୀ ସମସ୍ତଙ୍କ ପାଇଁ ।’’ ଗୋପାଳ ମୁହଁ ପୋତି ପୁଣି ମୁହଁ ପୋଛିଲା ।
ଏହି ଘଟଣାର ମାସକ ପରେ ଗୋପାଳ ଯେତେବେଳେ ଆଖି ଛଳଛଳ କରି, ଆଣ୍ଠୁଡ଼ିଆଁ ଲୁଗା ଖଣ୍ଡିଏ ପିନ୍ଧି ମାଧପୁର କେନ୍ଦ୍ରର ସେହି ଅର୍ଗଳି ପାଖେ ଠିଆହୋଇ ଚାଉଳ ଦେଉଥିଲା, ସିଆଳି ଗାଁର ବୃଦ୍ଧ ସାନ୍ତରା ବାଡ଼ି ଭରାଦେଇ ଗୋପାଳର ହାତ ଧରି କହି ପକାଇଲେ-
‘‘ବାବୁ, ଉତ୍କଳମଣିଙ୍କ ସାଥିରେ ଏବେ ତୁ ଗାଆଁକୁ ଫେରିଆସିଲୁ ?’’
ଗୋପାଳର ମୁହଁ ହସରେ ଫାଟିପଡ଼ିଲା । କହିଲା- ‘‘ହଁ, ଫେରିଆସିଲି ତୁମରି ଯୋଗୁଁ । ତୁମର ଛେପ ମୋ ଆଖିରେ ଲୁହ ପାଲଟିଗଲା । ଏବେ ବଝିଛି, ସେହି ଛେପ ଦରିଦ୍ର-ପ୍ରାଣର ପ୍ରତିବାଦ ।’’
ଦୁର୍ନାମ
ଗାଁରେ ଲକ୍ଷ୍ମୀଧରର ଦୁର୍ନାମ ବେଶି । ସକାଳ ନାହିଁ, ସନ୍ଧ୍ୟା ନାହିଁ, ସବୁବେଳେ ସେ କେବଳ ଗାଁରେ ବୁଲେ, ବାରଲୋକଙ୍କ ପାଖେ ବାରକଥା ଆଲୋଚନା କରେ । ସେ କଥା କହିଲା ବେଳେ ତା’ ଓଠର ସଞ୍ଚାଳନ ଦେଖିବାକୁ ଲୋକଙ୍କୁ ଭଲ ଲାଗେ, ଚାହିଁଲାବେଳେ ଚକ୍ଷୁର ମାଧୁରୀ ଦେଖିବାକୁ ସୁଖ ଲାଗେ, ହସିଲବେଳେ ମୁଖଶ୍ରୀ ଦେଖିବାକୁ ପ୍ରୀତିକର ବୋଧହୁଏ; ମାତ୍ର ସେ ଯେଉଁ ଯୁକ୍ତି କରେ, ଯେଉଁସବୁ ସୃଷ୍ଟିଛଡ଼ା କଥାମାନ କାହୁଁ ତୋଳିଆଣିଲା ପରି କହିଦିଏ, ତାହା ଶୁଣିବାକୁ କେହି ପ୍ରସ୍ତୁତ ହୁଅନ୍ତି ନାହିଁ । ସେ କଥାଗୁଡ଼ାକୁ ବାଦ୍ ଦେଇ ସେ ଯେବେ ତା’ର ଓଠ, ଚାହାଣି ଆଉ ମୁଖଶ୍ରୀ ଦେଖାଇ ସବୁବେଳେ ଆଉ କିଛି କହୁଥାନ୍ତା, ତାହାହେଲେ ଗାଁଲୋକଙ୍କର ସେ ହେଇଥାନ୍ତା ଆଦରର କୋଠଧନ ।
ଲୋକେ କହନ୍ତି, ଲକ୍ଷ୍ମୀଧର ଲକ୍ଷ୍ମୀଧର ନୁହେଁ ଯେ, ସେ ଏକ ଲକ୍ଷ୍ମୀଛଡ଼ା । କାରଣ ସେ କହେ - ଆଗେ ଦିଅଁଗୁଡ଼ାକ ପୁଣି କେବେ ମଣିଷଙ୍କ ପରି କଥା କହିପାରୁଥିଲେ; ପରେ ଏହି ମଣିଷଜାତିଟାର ଖୋସାମତିଆ କଥା ଶୁଣି ଶୁଣି ଲାଜରେ ପଥର ପାଲଟିଯାଇଛନ୍ତି ! ମଣିଷ ସଂସାରରେ ଦିଅଁଙ୍କୁ ପ୍ରାର୍ଥନା କରି ମୁକ୍ତି ଲୋଡ଼ିଆଣିବା ପରିବର୍ତ୍ତେ ପାପ ବରଣ କରିଛି । ଏ କଥା ଶୁଣି ଗାଁର ବୁଢ଼ା ବୁଢ଼ା ତେଜିଉଠନ୍ତି; କହନ୍ତି - ‘‘ନାସ୍ତିକ ! ନାସ୍ତିକ !’’
ଲକ୍ଷ୍ମୀଧର କେବେ କେବେ କହେ, ଏହି ଯେଉଁ ତିଳକଧାରୀ ବାବାଜିଦଳ ଖରାଦିନିଆ ଦି’ପହରେ ଦୁଆରମୁହଁରେ ବସି ଶ୍ରୀଚୈତନ୍ୟ ନାମାବଳି ଗାନ କରିଛନ୍ତି ବା ଏହି ଯେଉଁ ଚକୁଳିଆ ପଣ୍ଡାଦଳ ରାତିଅଧରେ ଆସି ପୂର୍ବଜନ୍ମର ପିତୃପିତାମହଙ୍କ ଗୈାରବରେ ଭୋଜନର ବ୍ୟବସ୍ଥା କରିବସୁଛନ୍ତି, ଆଗେ ଏହି ଜୀବଗୁଡ଼ାଙ୍କୁ ଗୁଳି କରି ମାରିବା ଦରକାର ! କାରଣ ଏଗୁଡ଼ାକ ମୂର୍ଖ ଲୋକଙ୍କୁ ଦିଅଁଙ୍କ ନାଁ ଶୁଣାଇ, ଜଣାଣ ବୋଲି, ଖୋସାମତି କରି ମଣିଷକୁ ପୁଣି ପଥର ପାଲଟେଇବାକୁ ଚେଷ୍ଟା କରୁଛନ୍ତି ! ଏମାନେ ଦେଶର ଯେତେ ଉପକାର କରୁଛନ୍ତି , କ୍ଷତି କରୁଛନ୍ତି ତହିଁରୁ ବହୁତ ବେଶି । ଏମାନେ ମଲାଙ୍ଗ, ଏମାନେ କୁଆ ବସାରେ କୋଇଲିର ଡ଼ିମ୍ବ । ପୁରୀର ମଠ, ଗାଁ-ଗାଁର ପଥର ଦେଉଳ, ପାଣିକୂଳରେ ତୀର୍ଥଘାଟ ଏହିମାନଙ୍କ ଜରିଆରେ ମୁଣ୍ଡ ଟେକିଉଠିଛି ।
ଜପତପ-ପୂଜା-ଉପାସନାପରାୟଣ ବ୍ୟକ୍ତି ଏ କଥାରେ ମାର୍ ନ ମାର୍ହୋଇ କହନ୍ତି - ‘‘ଏ ବର୍ଷ ଗାଁରେ ଯେ ଭଲ ଫସଲ ହେଲାନାହିଁ, ତାହା କେବଳ ଏହି ପାଷଣ୍ଡଟା ଯୋଗୁଁ ! ସବୁ କଥାର ମୂଳ ଏଟା ।’’
ଲକ୍ଷ୍ମୀଧର ଏ କଥାର ଉତ୍ତରରେ କହେ, ‘‘କହନ୍ତୁ ଭଲା, ଅନନ୍ତ ଅନ୍ଧାର ଭିତରେ ଅନନ୍ତକାଳ ଅନ୍ଧ ପରି ଜିଇ ରହି ହାହାକାର କରିବା ଅପେକ୍ଷା ଆଲୋକ ଭିତରେ ମୁହୂର୍ତ୍ତେକାଳ ଆନନ୍ଦରେ କରତାଳି ଦେଇ ମରିବା ଭଲ ନୁହେଁ ? ଓଡ଼ିଶାର ଉନ୍ନତି ପାଇଁ ଜନସଂଖ୍ୟା ଗଣତି ହେବା ଆଶାରେ ପରାନ୍ନଜୀବୀ ଠକ ବାବଜିଗୁଡ଼ାଏ ଗଣତି ଦେଇ ବିଶାଳ ଭୂଖଣ୍ଡର ଅନ୍ନକ୍ଲିଷ୍ଟଙ୍କ ଦୃଶ୍ୟ ଦେଖିବା ଅପେକ୍ଷା ହୃଷ୍ଟପୁଷ୍ଟ, ସୁସ୍ଥ ସବଳ, ବିଜୟୀ, ଗୈାରବବାନ୍, ଉଦାର କର୍ମଠ ଅଳ୍ପ ଲୋକ ନେଇ ସଂକୁଚିତ ଉତ୍କଳର ମହିମା-ସଙ୍ଗୀତ ଶୁଣିବା ଭଲ ନୁହେଁ ?’’
ବାପ ରେ ! . . . ତା’ର ବକ୍ତୃତା ଆଗରେ ଠିଆହୁଏ କିଏ ? ତା’ର ଯେ ଦୁର୍ନାମ ! ତା’ର ଆଉ ଭୟ କାହାକୁ ?
ଲକ୍ଷ୍ମୀଧରର ଏକ ବିଚିତ୍ର ଢ଼ଙ୍ଗ । ସବୁ ବେଢ଼ଙ୍ଗିଆ ଢ଼ଙ୍ଗ ତା’ର । ଗାଁର ସମସ୍ତଙ୍କ ରୁଚିଠାରୁ ତା’ ରୁଚି ଭିନ୍ନ । ସମସ୍ତେ ଚାଲନ୍ତି ବାଟରେ, ସେ ଚାଲେ ଅଣବାଟରେ । କହେ -
‘‘ଆଗେ ଯେତେବେଳେ ବାଟ ନ ଥିଲା, ସେତେବେଳେ ପୃଥିବୀରେ ଖାଲି ଅଣବାଟ ଥିଲା । ପ୍ରଥମେ ଯେତେବେଳେ ଘର ନ ଥିଲା, ଖାଲି ବନ ପ୍ରାନ୍ତର ପଡ଼ିଆ ପଡ଼ିଥିଲା, ପ୍ରଥମେ ଯେତେବେଳେ ଶାସ୍ତ୍ର ଲେଖା ହୋଇ ନ ଥିଲା, ଲୋକେ ସମସ୍ତେ ଅଶାସ୍ତ୍ରୀୟ ଥିଲେ, ଏଇ ଲୋକ ତ ସର୍ବ ପ୍ରଥମେ ଗତାନୁଗତିକ ଶୃଙ୍ଖଳା ଭଙ୍ଗ କରି ନୂତନ ନୂତନ ପନ୍ଥା ସୃଷ୍ଟି କରିଛି । ବଣ ଜଙ୍ଗଲ କାଟି ପ୍ରଥମେ ତ କିଏ ଆଗ ଘରଦ୍ୱାର କଳ୍ପନା କରିଛି ! ଅଣବାଟରେ ଆଗ ଚାଲି ଚାଲି ତ ପରେ ବାଟ ଫିଟିଛି ! ସେହି ଆଦିମ ଯୁଗରେ ଅଣବାଟ ଭିତରେ ଯେଉଁ ଲୋକ ବାଟ କଳ୍ପନା କରିଥିବ, ସେତେବେଳର ଲୋକେ କ’ଣ ତା’ର ସମାଲୋଚନା କରି ନଥିବେ !’’
ଏହିପରି ନାନାକଥା କହି ଲକ୍ଷ୍ମୀଧର ବିଧବା ବିବାହର ଆବଶ୍ୟକତାଠାରୁ ଆରମ୍ଭ କରି ମନ୍ଦିରଗୁଡ଼ାକ ଭିତରେ ସାଧାରଣ ଲାଇବ୍ରେରୀର ବିଚିତ୍ର କଳ୍ପନା କଥା ଲୋକଙ୍କୁ ଶୁଣାଇଦେଇ ଉତ୍ତେଜିତ କରିଦିଏ ।
କ୍ରମେ ତା’ର ଦୁର୍ନାମ ବଢ଼ିଲା । ଦୁର୍ନାମ କେତେଦୂର ଉଠିପାରେ, ଦିନେ ସେ କଳ୍ପନା କରିବସିଲା । ଖୁବ୍ଅନ୍ଧାର ଭିତରେ ଆଉ ଅନ୍ଧାର ନାହିଁ । ଉଜ୍ଜ୍ୱଳ ଦିବାଲୋକ ଭିତରେ ଆଉ ଦିବାଲୋକ କଳ୍ପନା କରି ହୁଏ ନାହିଁ । ତା’ର ଏ ଦୁର୍ନାମ ପରେ ଆଉ କି ଦୁର୍ନାମ ହୋଇପାରେ ?
ମା’ ବ୍ୟସ୍ତ ହେଲେ, ବାପା ବିରକ୍ତ ହେଲେ, ଗାଁଲୋକେ ଗାଳି ଦେଲେ । ଏହା ଫଳରେ ଦୁର୍ନାମ ତା’ର ବଢ଼ିଲା ସିନା, କମିଲା ନାହିଁ ।
ଦିନେ କାର୍ତ୍ତିକ ମାସର ପୂର୍ଣ୍ଣିମା ପଡ଼ିଲା । ସେ ଦିନେ ଗାଁଲୋକଙ୍କର ଠାକୁରମଣ୍ଡପରେ ଭୋଗ ।
ଭୋଗ ସରିଲା । ଦୁଇ ଧାଡ଼ି ହୋଇ ଲୋକେ ବସିଲେ । ପ୍ରସାଦ ଲାଗିଲା ।
ଏହି ପ୍ରସାଦ ଭିତରୁ ହଠାତ୍ନିଆଁ କୁହୁଳି ଉଠିଲା । ପରଷୁଣୀ ପରଷୁ ପରଷୁ ହଠାତ୍ଜଣକ ଭାବରେ ଖଣ୍ଡେ ଅଧିକା କଦଳୀ ପଡ଼ିଗଲା । ଏଥିପାଇଁ ଚିତ୍କାର ଉଠିଲା - ‘‘ଅନ୍ୟାୟ! ଅନ୍ୟାୟ !!’’
ସେହି କଦଳୀଖଣ୍ଡକ ଅଇଁଠା ପତ୍ରରୁ ଫେରାଇନେବାକୁ ଆଉ ବାଟ ନାହିଁ; ମାତ୍ର ଗୋଳମାଳ କରିବାକୁ, କଳିଗୋଳ ଲଗାଇବାକୁ ବହୁତ ବାଟ ଥିଲା । ତାହାହିଁ ହେଲା । ଦେଖୁଁ ଦେଖୁଁ ଦୁଇଟା ଦଳ ସୃଷ୍ଟି ହେଲା । ପ୍ରଥମେ ବଚନ, ତା’ ପରେ ଗର୍ଜନ, ତା’ ପରେ ଚିତ୍କାର, ତା’ପରେ ମୁଷ୍ଟି ଉତ୍ତୋଳନ, ଶେଷରେ ଠେଙ୍ଗା ବାଡ଼ି, ଢ଼ାଳ ଫୋପଡ଼ା-ଫୋପଡ଼ି. . . ଖାଲି ଗୋଳମାଳ !!
ବିବାଦ ଦାବାନଳ ପରି ଶିଖା ଟେକିଲାବେଳକୁ ଦେଖାଗଲଶ, ତେଣେ ଦିଅଁଙ୍କ ଚାଳ ଭିତରୁ କୁଣ୍ଢେ ମୋଟର ଏକ ଶିଖା ଟେକି ନିଆଁ ଜଳି ଉଠିଛି । ମୁହୂର୍ତ୍ତକେ ଚାରିଆଡ଼େ ହୋ-ହା ପଡ଼ିଗଲା । ଅଣ୍ଟାଭିଡ଼ା, ଚାଳଚଢ଼ା, ପାଣିବୁହା ଚାଲିଲା । ଫଳ କିଛି ହେଲାନାହିଁ । ଶେଷକୁ ଦିଅଁଙ୍କ ମୁଣ୍ଡରେ ଗଦାଏ ପାଉଁଶ କେବଳ ଜମା ହୋଇରହିଲା ।
ରାତି ପାହି ସକାଳ ହେଲା । ଗାଁରେ ବସିଲା କୋଠସଭା । ଦିଅଁଙ୍କ ଘରେପୋଡ଼ି କଥା ଯେତେବେଳେ ବିଚାର ହେଲା, କିଏ କହିଲା - ‘‘ଏ ସଫା ଦେଖିଛି, ଆମେ କଳି ଲାଗିଲାବେଳେ ସେ ପାଖେ ଦିଅଁଙ୍କ ପରି କିଏ ଜଣେ ବୁଲୁଥିଲେ . . . ।’’
ଶେଷରେ ଜଣେ କିଏ ଆହୁରି ଗର୍ଜନ କରି କହିଲେ - ‘‘ଆଉ ଏତେ ବିଚାରରେ କିଛି ଲାଭ ନାହିଁ । କାଲି ରାତିରେ ଯେଉଁ ସପନ ଦେଖିଲି, ଆପଣମାନେ ଶୁଣିଲେ ସତ କରିବେ ନାହିଁ । ଏ ମୋର ଦି’ଆଖି ଛଡ଼ା ତାହା ଆଉ କେହି ଦେଖିନାହିଁ । ଖାଲି ଆଉ ଦୁଇଟି ବଖରା . . .।’’
ଏତିକିବେଳେ ଲକ୍ଷ୍ମୀଧର ସମସ୍ତଙ୍କ ପଛପଟେ କରଯୋଡ଼ି ହୋଇ ଉଠି କହିଲା - ‘‘ଆପଣମାନେ ଶୁଣନ୍ତୁ-ଦିଅଁଙ୍କ ମୁଣ୍ଡ ଉପରେ କାଲି ମୁଁ ନିଆଁ ଲଗେଇଛି, ଆଉ କେହି ନୁହେଁ . . .।’’
ସମସ୍ତେ ଆଖିକୁ ତାଳୁକୁ ଖୋଷି କହିଲେ - ‘‘ଏଁ . . .’’
-‘‘ଶୁଣନ୍ତୁ ଶୁଣନ୍ତୁ, ଏଥିରେ କାରଣ ଅଛି । ଦିଅଁଙ୍କ ଭୋଗ ପାଇଲାବେଳେ ଯେଉଁମାନେ ଏପରି କଳି ଲଗାନ୍ତି, ତାଙ୍କର ଦିଅଁ ଦରକାର କ’ଣ ?’’
-‘‘ନାରାୟଣ ! ନାରାୟଣ !!’’
-‘‘ଏପରି ଲୋକଙ୍କ ହାତରୁ ଦିଅଁ ଭୋଗ ଖାଇବାକୁ ରାଜି ନ ଥିବେ । ଏ ଦେବସେବା ଧର୍ମ ନୁହେଁ ଯେ ଅଧର୍ମ ।’’- ଏତିକି କହିଦେଇ ଲକ୍ଷ୍ମୀଧର ମୁହଁ ଟେକି ଚାଲିଗଲା ।
ଲୋକେ କହିଲେ -‘‘ରାମ୍! ରାମ୍! ରାମ୍! ରାମ୍! ନାସ୍ତିକଟା କ’ଣ କଲା . . . !’’
କ୍ରମେ ଲକ୍ଷ୍ମୀଧରର ଦୁର୍ନାମ ଶତମୁଖରେ ଶୁଣାଗଲା । ସେ ଏହି ଦୁର୍ନାମର ଦୁର୍ଗ-ଶିଖରରେ ବସି-ଥିଲାବେଳେ ଦିନେ ସେ ଦେଖିଲା, ତାହାରି ଅଭ୍ୟର୍ଥନା ପାଇଁ ଗାଁର କେତେ ଜଣ ଯୁବକ ତା’ ପାଖରେ ଆସି ହାଜର ହୋଇ କହିଲେ-‘‘ଗ୍ରାମବାସୀଙ୍କି ବହ ଦୁର୍ନାମରୁ ରକ୍ଷା କଲ ।’’
ଲକ୍ଷ୍ମୀଧର କହିଲା, ‘‘ଦୁର୍ନାମ ! ତେବେ କ’ଣ ଦୁର୍ନାମ ମୁଁ ନ ଅରଜି ଅନ୍ୟଙ୍କୁ ଦୁର୍ନାମରୁ ରକ୍ଷା କରିଛି ?’’
ଉତ୍ତର ମିଳିଲା - ‘‘ନିଶ୍ଚୟ । ନ ହେଲେ ଏ ଗଣ୍ଡଗୋଳ ଫଳରେ କଚେରିରେ ଅଜସ୍ର ଅର୍ଥଶ୍ରାଦ୍ଧ ହୋଇଥାନ୍ତା । ଦେବତାହିଁ ଏ ବିପଦରୁ ରକ୍ଷା କଲେ । ସେହି ଦେବତା ତୁମେ . . .!’’
ଏ ଜନ୍ମର ତୀର୍ଥକ୍ଷେତ୍ର