ଦୁର୍ଗର ନିଦ୍ରାଭଙ୍ଗ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୭୧
- ସ୍ଥିତି
- ସାର୍ବଜନୀନ (Public domain)
କେତେ ଯୁଗ ପରେ ଦିନେ,କେଶରୀ ଯୁଗର ଦୁର୍ଗ ଗୋଟିଏ ଜାଗିଲା ଆପଣା ମନେ ।ବୁକୁ ପରେ ତାର ରୁଦ୍ର ଉଦାର ବଟ ତରୁ ଥିଲା ବସି,ପାଷାଣ ଦୁଆରେ ଶିଉଳୀ ମାଳିକା ଲିପି ଦେଇଥିଲେ ମସୀ ।କଙ୍କର ଗୋଡ଼ି ଏଣେ ତେଣେ ପଡ଼ି କ୍ଷତ କରିଥିଲେ ତନୁ,କାହିଁ ମାଟି ଖାଇ ରହିଥିଲା ଯାଇ ଖଡ଼ଗ ପରଶୁ ଧନୁ ।ଦେବ ମନ୍ଦିରେ କାହିଁଦେବ ଅର୍ଚ୍ଚନା ସଙ୍ଗୀତ ତାନ ନଥିଲେ ଜୀବନେ ରହି ।ଥରୁଥିଲା ଥର ଥର,ଭଗ୍ନ ପାଷାଣ ଇଟା ତଳେ ତଳେ କ୍ଷୀଣ ନାଡ଼ି ଅବିରଳ ।ମାଜଣା ପୋଖରୀ ଘାଟେ ପାଟ ଦେହେ ନ ଥିଲେ ନଅର ବାଳା,ନଅର ଚନ୍ଦ୍ରଶାଳେ ଖସିପଡ଼ି ନଥିଲା ବଉଳ ମାଳା ।ନ ଥିଲା କନକ ରଜତ ଭୂଷଣ, ନ ଥିଲେ କେ ପୁରଜନ,ଚାରିପାଖେ ବନ ଘୋର ନିର୍ଜନ—ସତେଅବା ଶମସାନ !ଖାଲି ବହୁଥିଲା ନଈକେତେ ଯୁଗୁ ସେ ଯେ କି ଦୂର ଲକ୍ଷ୍ୟେ ଗୋପନ ବାରଣ କହି ।ନୟନ ମେଲାଇ ଦେଖିଲା ଦୁର୍ଗ ରହିଛି ଉପରେ ନଭ,ତଳେ ତାର ମାଟି ହୋଇଛି ସକଳ ଜୀବନର ଗଉରବ ।ତାହାରି ପୁରୁଣା ତପନ ଯାଉଛି ହସି ତା ଉପରେ ଚାଲି,ହେଲେ ବିଭାବରୀ ଗୋଟି ଗୋଟି କରି ତାରା ଆସନ୍ତି ଖାଲି ।କାହାଠୁ ଶୁଣିବ କଥା ?ବୁଝି ନ ପାରଇ ଦୁର୍ଗ ସେ ପରା, ଗଭୀର ତାହାର ବ୍ୟଥା ।ନୀରବ ତାହାର ମର୍ମ କାହାଣୀ ଝରଇ ପଥର ତଳେ,ସ୍ୱପ୍ନ ଭାଜିଲା, ପରାଣେ ରାଜିଲା ବାସନା କି କୁତୂହଳେ !ତରୁ କହେ ତାରେ-ମୂର୍ଖ କି ହେଲୁ ତୋ ପରେ ଜନମ ମୋରକହିବି କି ଭଳି ତୋ ଜନମ କଥା ଅଜ୍ଞାନ ତରୁବର !ପାଷାଣ କହଇ ତହିଁ,ଦୁର୍ଗ ଜନନୀ ! ଦୁର୍ଗ ଜନନୀ ! କି କଥା କହିବି ମୁହିଁ ?ଶୁଣିଛି ମୁଁ ବାରେ ଏହି ଅଙ୍ଗନେ ପଦ କିଙ୍କିଣି ତାନ,ବୀଣା ତୁଲେ କା’ର ପ୍ରାଣ କରୁଥିଲା ଉନ୍ମନ ଯଉବନ ।କେତେ ଯେ ରଙ୍ଗ ଚରଣ ପରଶି ଗଲେ ମୋର ବୁକେ କାହିଁ,କାହାର କମ୍ର କର ଲାଗି ଥରୁଥିଲି ମୁଁ ଥାବରଦେହୀ ।ଆଉ କିଛି ନାହିଁ ଜାଣେ,ପଡ଼ିଲି ଜୀବନ ସମାଧିରେ ମୋର ଘନ ଅନ୍ଧାର କୋଣେ ।କାହିଁ ଲେଖାଥିଲା ପ୍ରାଚୀର ପୃଷ୍ଠେ ଚିତ୍ର ମଳିନ ବେଶେ,ଦୁର୍ଗ ପଚାରେ- ‘ମୋ ଜୀବନ କଥା କହି କି ପାରିବୁ ଲେଶେ ?’ଚିତ୍ର କହିଲା- ‘ଫାଟିଲା ଯେ ଦିନ ଏ ମୋର ପ୍ରାଚୀର ଛାତି,ଶୁଖିଛି ମୋହର ସେ ଦିନୁ ଜୀବନ, ବିମଳ ଲୋଚନ ଜ୍ୟୋତି ।’ବିକଳେ ଊର୍ଦ୍ଧ୍ୱେ ଚାହିଁ,ପ୍ରାଚୀନ ଦୁର୍ଗ ପଚାରେ ବଉଦେ-‘କହି କି ପାରିବ ଭାଇ ?’—‘ଜାଣେ ମୁଁ ଏ ତଳେ ଟେକିଥିଲା ଥରେ ପଥରେ ଛାଇ କେ ମଥା,ଭାଜି ସେ ପଡ଼ିଲା, କହି ମୁଁ ପାରଇ ଏତିକି ମାତ୍ର କଥା ।’ତପନ କହଇ-‘ମୋ ଆଲୋକ ତଳେ ଯୁଗ ଯୁଗ ଯୁଗ ଧରି,ଫୁଟଇ ତୁଟଇ କେତେ ତୋହ ପରି, ଲକ୍ଷ୍ୟ ମୁଁ ନାହିଁ କରି ।’କହେ ତାରା ଅବଶେଷେ‘ମୋ ପରି ତୁ ଫୁଟି ଉଠିଥିଲୁ ବୋଲି ଏତିକି ମୋ ମନେ ଆସେ ।ବହୁଥିଲା ନଈ ସଙ୍ଗୀତ ଗାଇ ଦୁର୍ଗ ପଚାରେ ଧୀରେ-ତୋ ତୀରବାସୀ ମୁଁ ବନ୍ଧୁ ଗୋ, କଥା କହିବୁ କି ମୋରେ ବାରେ ।’—‘ତୀରେ ତୀରେ ମୋର ତୁମ ପରି ବାର ଶହ ଘର ଅଛି ପଡ଼ି,ଯାଉଛି ମୁଁ ଖାଲି ଭଙ୍ଗୁର ଦେଶେ ଶାଶ୍ୱତ ଗୀତ ବୋଲି ।’ନ ଶୁଣି ଜୀବନ କଥା,ରହିଲା ମୌନେ କେଶରୀ ଦୁର୍ଗ ଅଳସ ନୁଆଁଇ ମଥା ।କେତେ ଯୁଗ ପରେ ପଥିକ କିଏ ସେ ଆସିଲେ ସେ ପଥେ ଚାଲି,କହିଲେ—‘ଏ ଦେଶ କନକ ରେଣୁରେ ମାନବେ କହନ୍ତି ବାଲି ।’ତଟିନୀ ଅଧରେ ବୁଝିଲେ କି ବାଣୀ ଚାହିଁଲେ ଗଗନ ତୀରେ,ଶୁଭ୍ର କପୋଳେ ମହିମୋଜ୍ୱଳ ଲହରୀ ଖେଳିଲା ହେଳେ ।କି ବା ସେ ପାଇଲେ ଧନ,ସଂଧାନ ଅବା ମିଳିଲା କାହାର ଅକୁହା ଗୋପନ ସ୍ୱନ !ପରଶି ସଧୀରେ ପାଷାଣ ତଳପେ ବାଲିରେ ନୁଆଁଇ ଶିର,ବଟ ତରୁ ତୀରେ ବିଶ୍ରାମେ ବାରେ ପିଇଲେ ତଟିନୀ ନୀର ।ବଜ୍ର ଆସିଲା, ଚମକ ପଶିଲା ଭଗ୍ନ ଦୁର୍ଗପୁରେ,ହସିଲା ତପନ ନିତି ଦିନ ପରି ବଉଦ ଭାସିଲେ ଦୂରେ ।ଉଠିଲା ମୋହନ ଗୀତି,ପଥିକ ମରମେ, ତଟିନୀ ପୁଳିନେ, ଭଗ୍ନ ପ୍ରାଚୀରେ ନିତି ।ନୀରବ ଦୁର୍ଗ ପାଇଲା କି ଅବା କୋଟିଏ ଜୀବନେ ବାସ,ଯୁଗ ଯୁଗାନ୍ତ ତିମିର ଅନ୍ତେ ଦେଖିଲା ଆବର ରାସ ।ଗଗନ, ପବନ, ଜଳଧି, ଭୁବନେ ଉଛୁଳି ଉଠିଲା ବାଣୀ,ଦୁର୍ଗ ଦୁଆରେ ପଥିକ କବିର ଶୁଭେ ସଙ୍ଗୀତ ବାଣୀ-‘ଜୟ ହେ ଦୁର୍ଗ ଜୟ !ଦେଇଛ ଏ ଜାତି ଜୀବନେ ଜୀବନେ ମୁକ୍ତିର ବରାଭୟ ।ତୁମ ବାଲି ରେଣୁ ସ୍ୱର୍ଗର ବେଦ, ମର୍ତ୍ତ୍ୟର ପିରାମିଡ଼,ପାଷାଣ ଏ ତବ ହିମାଚଳ ଶିରେ ତୁମେ ଶିବ ଶଙ୍କର ।ତରୁଣୀର ମନ, ତରୁଣ ମର୍ମ, ବୀର ଦୁର୍ଦ୍ଦମ ବେଶ,ତୁମରି ମରଣ ଶଯ୍ୟା ତଳପେ କରିଛ ସନ୍ନିବେଶ ।ତୁମରି ବକ୍ଷ ତଳେଆହ୍ୱାନ କେତେ ବହ୍ନି ଶିଖାରେ ଜୀବନ ଉଜଳି ଜଳେ ।’
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ