ବିବାସିନୀ
ରାମଶଙ୍କର ରାୟ · ଭାଗ ୧୮ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଏକତ୍ରିଂଶ ପରିଚ୍ଛେଦ
ଆମନ୍ତ୍ରଣ
ମାୟାଧରଙ୍କ କଥାରେ ରଘୁନାଥ ଯେମନ୍ତ ଆଶ୍ଚର୍ଯ୍ୟାନ୍ୱିତ ତେମନ୍ତ ଦୁଃଖିତ ହୋଇଥିଲେ-। ସେ ତ ମାୟାଧରଙ୍କୁ ଆଗହୁଁ ଜାଣିଥିଲେ । କେତେବେଳେ କେତେ କୁଟିଳ ଭାବ ଜାତ କରାଇ କାହାର କେତେ ଅନିଷ୍ଟ କରିବ ଏ ଘେନି ସତତ ଜଗି ଚାଲିବାକୁ ହେଉଥିଲା । ମାତ୍ର କିଏ ଜାଣିଥିଲା ଯେ ପାପିଷ୍ଠ ରସକଳାଙ୍କୁ ହସ୍ତଗତା କରିବା କାରଣ ଇଚ୍ଛୁକ ହେବ ? ଦୁଷ୍ଟ ଲୋକ ସିନା ନିଆଁ ଗିଳନ୍ତି ! ଯାହା ହେଉ ମାୟାଧର ଯେ ରସ-କଳାଙ୍କୁ ପାଇବା କାରଣ ଏତେ ବ୍ୟସ୍ତ ଏହା ଦେଖି କିଏ ହାସ୍ୟ ସମ୍ୱରଣ କରି ପାରିବ ?
ରଘୁନାଥ ସପ୍ତାହକାଳ କଳାବତୀଙ୍କି ରୋଗଶଯ୍ୟାରେ ଜଗି ଜଗି ନିତାନ୍ତ ବ୍ୟସ୍ତ ଅଛନ୍ତି ଏବଂ ଗତକାଲିଠାରୁ କଳାବତୀଙ୍କର ଜ୍ଞାନ-ସଞ୍ଚାର ହୋଇଥିବାରୁ ବ୍ୟସ୍ତତା ଅନେକ ପରିମାଣରେ ହ୍ରାସ ହୋଇଥିଲେ ହେଁ ଚିନ୍ତା-ସ୍ରୋତ ନିବାରିତ ହୋଇ ନାହିଁ । ତଥାପି ପୂର୍ବଠାରୁ କଥଞ୍ଚିତ୍ ଶାନ୍ତ ମନରେ ତେଲ ଲଗାଇ ସ୍ନାନାର୍ଥ ଯିବା ସମୟରେ ମାୟାଧରଙ୍କୁ ଦେଖି ଆନନ୍ଦିତ ହୋଇ ତାଙ୍କ ସଙ୍ଗେ ଦୁଇ ଚାରିଟା ମିଷ୍ଟାଳାପ କରି ଚିନ୍ତିତ ମନକୁ ଆହୁରି ଶାନ୍ତ କରିବାର ଯାହା ଆଶା କରିଥିଲେ ତାହାତ ମୟାଧରଙ୍କ ସଙ୍ଗେ କଥାବାର୍ତ୍ତା ହେଲା ଉତ୍ତାରୁ ଏକାବେଳକେ ଅସମ୍ଭବ ହୋଇଗଲା ଏବଂ ମାୟାଧର ଯେ ତାଙ୍କର କିଛି ଅନିଷ୍ଟ କରି ପାରିବେ ଏହା ଆଦୌ ବିଶ୍ୱାସ ନ କରି ବରଂ ପର ପାଇଁ ଗର୍ତ୍ତ ଖୋଳି ତହିଁରେ ପଛକୁ ମାୟାଧର ନିଜେ ନ ପଡ଼ନ୍ତି ଏହି ଭାବନାରେ କିଞ୍ଚିତ୍ ବ୍ୟସ୍ତ ହେଲେ ମଧ୍ୟ ମାୟାଧର ଦ୍ରୁତପଦବିକ୍ଷେପରେ ଗମନ କରୁଥିବା ଦେଖି ଲୋକଟାର ଦୁର୍ଭାବନା ଚିନ୍ତା କରତଃ ମନେ ମନେ ହସିଥିଲେ ।
ସପ୍ତାହକାଳ କଳାବତୀଙ୍କ ମୁଖରେ ପଥ୍ୟ ଗଳିବା ତେଣିକି ଥାଉ ଔଷଧ ଗଳିବା କଠିନ ହୋଇଥିଲା । ଖାଇବା ମଧ୍ୟରେ କେତେ କେତେବେଳେ କିଛି କିଛି ଜଳ ଏବଂ କେତେବେଳେ ଅବା କିଞ୍ଚିତ ଦୁଗ୍ଧ ଦିଆ ଯାଉଥିଲା । ମାତ୍ର ଗତରାତ୍ରିରୁ ରୋଗ ହଟିବାର ଆରମ୍ଭ ହୋଇ ଆଜି ଦୁଇପ୍ରହରସୁଦ୍ଧା ଚାରିପଣ ରୋଗ ଭଲ ହୋଇଅଛି ଏବଂ ରୋଗୀକି ଭାତର ମଣ୍ଡ ଦୁଗ୍ଧବିମିଶ୍ରିତ କରି ଆଜି ସକାଳେ ଦିଆଯିବା ପର ଗାଢ଼ ନିଦ୍ରାରେ ରୋଗୀ ଶୋଇବାର ଦେଖି ଅଚିରେ ଆରୋଗ୍ୟ ହେବାର ଆଶା ଜନ୍ମିଅଛି । ସୁତରାଂ ଆଜି ରଘୁନାଥଙ୍କୁ ଭାତ ରୁଚିଲା । ପ୍ରତ୍ୟହ ଯେଉଁ ଅନ୍ନବ୍ୟଞ୍ଜନ ତାଙ୍କୁ ଅସୁଖକର ଏବଂ ସ୍ୱାଦୁବିହୀନ ବୋଲି ଜଣାଯାଉଥିଲା ଆଜି କେଜାଣି ବିଧି ତହିଁରେ କି ସୁଧା ମିଶ୍ରିତ କରି ରଘୁନାଥଙ୍କ ସମକ୍ଷରେ ଉପସ୍ଥିତ କରାଇ ଅଛନ୍ତି ଯେ ତାହା ତାଙ୍କୁ ଅଭାବନୀୟରୂପେ ଭଲ ଲାଗିଲା । ରଘୁନାଥ ଖାଇବାରେ ଏତେ ତୃପ୍ତି ବୋଧ କଲେ ଯେ ଜନ୍ମକାଳରୁ ଏ ପର୍ଯ୍ୟନ୍ତ ଏରୂପ ସୁଭୋଜନ କେବେ କରିଥିବାର ତାଙ୍କ ସ୍ମୃତିପଥରେ ଉଦିତ ହେଲା ନାହିଁ । ରଘୁନାଥଙ୍କ ମାତା ମଧ୍ୟ ନିତି ପୁତ୍ର ନିକଟରେ ବସି ତାହାର ଖାଇବା ଭଲ ହେଉ ନ ଥିବାର ଦେଖି ବଡ଼ ଉଦ୍ବିଗ୍ନା ଥିଲେ, ଆଜି ପୁତ୍ର ଚାରୋଟି ଭଲ ଖାଇଥିବା ହେଖି କିଞ୍ଚତ୍ ଆଶ୍ୱସ୍ତା ହେଲେ ଏବଂ ରୋଗୀର ଅବସ୍ଥା କିଞ୍ଚିତ୍ ଭଲ ହୋଇଥିବାର ଏଥୁଁ ଅନୁମାନ କରି ପଚାରିଲେ ‘ରଘୁ, ରୋଗୀ କିପରି ଅଛି ?’ ରଘୁନାଥ ବିନୀତ ଭାବରେ ଉତ୍ତର କଲେ ‘ଆଜି ଚାରିପଣରେ ରୋଗ ହଟି ଯାଇଛି’-। ବୃଦ୍ଧା ଏ ଉତ୍ତରରେ ଅତ୍ୟନ୍ତ ଆହ୍ଲାଦିତା ହୋଇ ଜଗଦୀଶ୍ୱରଙ୍କଠାରେ ପୁତ୍ରର ମଙ୍ଗଳକାମନା କଲେ ଏବଂ ତହିଁ ସଙ୍ଗେ ସଙ୍ଗେ କିରୂପେ ଶୀଘ୍ର ତାଙ୍କର କଠିନ ଜୀବନର ଅବସାନ ହୁଏ ତାହା ମଧ୍ୟ ଜଣାଇଲେ ।
ସଂସାର ବଡ଼ କଠିନ । ମଲେ ଭଲ, ନ ମଲେ ଗତି ନାହିଁ । ପୁତ୍ର ନିକଟରେ ମାତାର ମୃତ୍ୟୁ କେଡ଼େ ବାଞ୍ଚ୍ଥନୀୟ ! ମାତା ପୁତ୍ର ଥାଉଁ ଥାଉଁ ମରିବା ନିମିତ୍ତ ଈଶ୍ୱରଙ୍କୁ କେତେ ଅବା ହୃଦୟର ନିଭୃତତମ ସ୍ଥାନରୁ ପ୍ରାର୍ଥନା ନ କରେ ! କେତେ ବିନୀତଭାବରେ ଅବା ପୃଥିବୀର ସୁଖସର୍ବସ୍ୱ–ଆପଣାର ଜୀବନ ଅର୍ପଣ ନ କରେ ! ମାତ୍ର ବେଳେ ବେଳେ କଠିନ କାଳ ଯେ ସେହି ଜୀବନଠାରୁ ଅଧିକ ବହୁମୂଲ୍ୟ ପ୍ରିୟତମ ପୁତ୍ରକୁ ମାତା ଅନାଇ ଥାଉଁ ଥାଉଁ ଘେନି ଚାଲିଯାଏ ତାହା କାହା ହୃଦୟରେ ସହିବ ? ସେ ଦୃଶ୍ୟରେ ଛାତି କି ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇ ଯାଏ ନାହିଁ ? ସେ ଦୃଶ୍ୟରେ ଆପଣାରେ ଜୀବନକୁ ଅତି ଅକିଞ୍ଚିତ୍କର ଜ୍ଞାନ କରି ମନୁଷ୍ୟ କି ମରିବାକୁ ନିତାନ୍ତ ଇଚ୍ଛୁକ ହୁଏ ନାହିଁ ? ମାତ୍ର କି ହେବ ? କାଳ ଆପଣାର କାର୍ଯ୍ୟ ଚିରକାଳ ସାଧନ କରିବ । ତୁମ୍ଭ ଆମ୍ଭର ମୁଖ ଅପେକ୍ଷା କରିବା ତାହାର କାର୍ଯ୍ୟ ନୁହେଁ । ଯେତେବେଳେ ପ୍ରାଣଠାରୁ ପ୍ରିୟତମ ପୁତ୍ର ବିୟୋଗରେ ମାତା ଅତୀବ ଶୋକବିହ୍ୱଳା ହୋଇ ଛାତିରେ ଘନ ଘନ ହାତ ମାରୁଥିବ–କାହିଁକି ଛାତିଫାଟି କଠିନ ପ୍ରାଣ ବାହାରି ଯାଉ ନାହିଁ ବୋଲି ଉଚ୍ଚସ୍ୱରେ ଆର୍ତ୍ତନିନାଦ କରି କ୍ରନ୍ଦନ କରୁଥିବ–ସେତେବେଳେ କାଳ ବିନା ଆଉ କିଏ ଛାତିକି ପ୍ରସ୍ତରଠାରୁ ଅଧିକତର କଠିନ କରେ ? ଯେଉଁ ଛାତି ସୁକୋମଳ କୁସୁମ ସ୍ପର୍ଶରେ ଫାଟିଯାଏ ସେତେବେଳେ କିଏ ତାକୁ ଲୌହାଠାରୁ ଅଧିକ କଠିନ କରାଏ ଯେ ଶତ ଶତ ବଳପୂର୍ଣ୍ଣ କରାଘାତରେ ସୁଦ୍ଧା ତାହାର କିଛିହିଁ ଇତରବିଶେଷ ହୁଅଇ ନାହିଁ ? ସାମାନ୍ୟ ମର୍ମ୍ମବେଦନାରେ ଲୋକ ସଂସାରରୁ ଚାଲିଯିବାର ଦେଖା ଯାଉଅଛି । ମାତ୍ର ଏଡ଼େ ବେଗବତ୍ଶୋକରେ ସୁଦ୍ଧା କଠିନ ସଂସାର ଛାଡ଼ିବାକୁ ବାଟ ଖୋଜି ଖୋଜି ମାତାକୁ ମିଳଇ ନାହିଁ ! କାଳ କଠିନ ହୋଇ ମାତାକୁ ସଂସାରରେ ରଖି ଗଲା ଏବଂ କଠିନ ସଂସାର ସେ ମାତାଠାରୁ ସୁଦ୍ଧା ଆପଣାର କାର୍ଯ୍ୟ କରାଇ ନେବାକୁ ଛାଡ଼ଇ ନାହିଁ ! ଯେତେବେଳେ ମରିବାକୁ ଚିତ୍ତ ସତତ ଧାବମାନ ସେତେବେଳେ ମରିବାକୁ ନ ପାରି ବଞ୍ଚିଅଛ ବୋଲି ସଂସାର କ୍ଷମା କରଇ ନାହିଁ–ବରଂ ପୂର୍ବଠାରୁ ସମଧିକ ବଳ ପ୍ରୟୋଗପୂର୍ବକ କାର୍ଯ୍ୟ ନିଅଇ ! ପାଠକେ ! ଏ ସଂସାର କଠିନ ନୁହେ ତ କିସ ?
ରଘୁନାଥଙ୍କ ମାତା ଅପରିସୀମ ଦୁଃଖ ସହ୍ୟ କରି ସୁଦ୍ଧା ସଂସାରରେ ରହି ଅଛନ୍ତି । ଦୁଃଖମୟ ଜୀବନ ବୋଲି ସଂସାର ତାଙ୍କ ପ୍ରତି ଦୟା ବହି କୋମଳଭାବରେ କାର୍ଯ୍ୟ ନେଉ ନାହିଁ । ସେ ଏକଭାବରେ ଥାଇ ଯାହାଠାରେ ଯେଉଁରୂପ କର ପ୍ରାପ୍ୟ ତାହା ଆଦାୟ କରି ଚାଲି ଯାଉଅଛି । ରାଜ-କର କଂସାନୋଟା ବିକ୍ରୟରେ ଶେଷ ହୁଅଇ ମାତ୍ର ସଂସାରକରକୁ ପ୍ରାଣଦାନ ସୁଦ୍ଧା ଅଣ୍ଟଇ ନାହିଁ ! –ସେ ଯାହାହେଉ ରଘୁନାଥଙ୍କ ମାତା ଇହଜୀବନ ଶେଷ କରିବାକୁ ପ୍ରାର୍ଥନା କରିବାରେ ଊଣା ନ ଥିଲେ ସୁଦ୍ଧା ଯେ ପର୍ଯ୍ୟନ୍ତ ତାଙ୍କର ଇହଲୀଳା ଶେଷ ହୋଇ ନାହିଁ ସେପର୍ଯ୍ୟନ୍ତ କାଳ ତାଙ୍କୁ ଛୁଇଁବ କାହିଁକି ? ଏହିରୂପେ କାଳକୁ ସତତ ପ୍ରାର୍ଥନା କରୁ କରୁ ଯେର୍ଯ୍ୟନ୍ତ ବଞ୍ଚିଅଛନ୍ତି ସେ ପର୍ଯ୍ୟନ୍ତ ଯେ ପୁତ୍ର ମୁଖ ଦେଖୁଅଛନ୍ତି ଏହାକୁ ବହୁମାନ୍ୟ କରିବା ଉଚିତ ଏବଂ ରଘୁନାଥଙ୍କ ମାତା ମଧ୍ୟ ତଦ୍ଧେତୁ ଜଗଦୀଶ୍ୱରଙ୍କଠାରେ କୃତଜ୍ଞତା ଜଣାଇବାକୁ ଊଣା ନ ଥିଲେ । ଏହିରୂପେ ପୁତ୍ରର ଶୁଭକାମନା କରି ପୁତ୍ରର ସୁଭୋଜନ ଓ ଶ୍ରମ-ସଫଳତାରେ ଆନନ୍ଦିତା ହୋଇ ଯତ୍କିଞ୍ଚିତ୍ ଖାଦ୍ୟ ବିଷ୍ଣୁଙ୍କୁ ଅର୍ପଣ କରଣାନନ୍ତର ଭୋଜନ କରି ଶଯ୍ୟାଶାୟିନୀ ହେଲେ । ରଘୁନାଥ ମାତାଙ୍କ ନିକଟରେ ବସି ତାଙ୍କୁ ଭୋଜନ କରାଇ ଦେଇ ଶେଯ ବିଛାଇ ଦେଲେ ଏବଂ ପୁତ୍ରର ସେବାଶୁଶ୍ରୁଷାରେ ମାତା ସାତିଶୟସନ୍ତୁଷ୍ଟା ହୋଇ ଯେଉଁ ଆଶୀର୍ବାଦ କଲେ ତହିଁରେ ଶତଗୁଣ ସୁଖାୟୁ ବର୍ଦ୍ଧିତ ନ ହେବ କି ?
ହାୟ ହାୟ ! କିଏ ଏପରି ମାତୃସେବା କରି ପାରେ ? କିଏ ସେ ଅପରିଶୋଧନୀୟ ଋଣ ପରିଶୋଧ କରିବାକୁ ଏପରି ଭାବରେ ଚେଷ୍ଟା କରିପାରେ ? କିଏ ଅଦୃଶ୍ୟରୂପି ଈଶ୍ୱରଙ୍କର ସାକ୍ଷାତ୍ମୂର୍ତ୍ତି ଦେଖି ପୂଜା କରିବା ଦ୍ୱାରା ଆପଣାର ଜୀବନକୁ ଧନ୍ୟ କରିପାରେ ? ହାୟ ! ଆମ୍ଭେମାନେ ବଡ଼ ବିଷମ ସମୟରେ ଉପସ୍ଥିତ ହୋଇଅଛୁଁ । ପୁରାଣ–ପୃଷ୍ଠାରେ ମାତୃଭକ୍ତିର ଲକ୍ଷ ଲକ୍ଷ ଉଦାହରଣ ଥିଲେ ସୁଦ୍ଧା ଆମ୍ଭେମାନେ ତାହା ଫେଡ଼ି ଦେଖୁ ନାହୁଁ ଏବଂ ଦେଖିଲେ ସୁଦ୍ଧା କାଳଗତିରେ ତାହା ବିସ୍ମୃତ ହେଉଅଛୁଁ । ଆଜି ମାତାକୁ ପୁତ୍ର ପ୍ରହାର କରୁଥିବାର ଦେଖାଯିବ, ମାତାକୁ ପୁତ୍ର ଅନ୍ନ ବିନା ପୀଡ଼ା ଦେଉଥିବାର ଦେଖାଯିବ, ମାତାକୁ ପୁତ୍ର ତ୍ୟାଗ କରି ଅଭାବନୀୟ କଷ୍ଟ ଦେଉଥିବାର ଦେଖାଯିବ, ମାତ୍ର ପାଠକେ ! କହନ୍ତୁ ତ କେତେ ସ୍ଥାନରେ ମାତୃ-ପୂଜାଦ୍ୱାରା ପୁତ୍ର-ସଂସାରର କଥା ତେଣିକି ଥାଉ–ଆପଣାର କୁଳ ଉଜ୍ଜ୍ୱଳ କରୁଥିବାର ଦେଖାଯିବ ? ଯେଉଁ ବିଷମ କାଳ ଆମ୍ଭମାନଙ୍କୁ ସ୍ୱଧର୍ମରୁ ସୁଦ୍ଧା ଅନ୍ତର କରାଉ ଅଛି ସେ କାଳ ମାତୃପୂଜାଦ୍ୱାରା ଧର୍ମ ରକ୍ଷା, କୁଳ ଉଦ୍ଧାର ଅଥବା ସଂସାର ପବିତ୍ର କରିବାକୁ ଦେବାର ଆଶା କରିବା ବୃଥା । ଯେଉଁ ଲୋକ ଏ କାଳରେ ସୁଦ୍ଧା ମାତୃପୂଜାଦ୍ୱାରା ନିଜ ଜୀବନକୁ ଧନ୍ୟ କରତଃ କୁଳ ଉଜ୍ଜ୍ୱଳ କରି ସଂସାରରେ ଅପୂର୍ବ ଦୃଷ୍ଟାନ୍ତ ରଖି ଯାଉଅଛନ୍ତି ତାହାଙ୍କୁ ଅତୀବ ସୌଭାଗ୍ୟଶାଳୀ ବୋଲିବାକୁ ହେବ-।
ଏହିରୂପେ ପୁତ୍ରର ଅମୃତମୟ ହସ୍ତ ପ୍ରସାରିତା ଶଯ୍ୟାରେ ଅପୂର୍ବ ଶାନ୍ତିର ସଂପୂର୍ଣ୍ଣ ହୃଦୟରେ ମାତା ଶୟନ କଲାରୁ ରଘୁନାଥ କଳାବତୀଙ୍କ କକ୍ଷକୁ ଗମନ କଲେ । କଳାବତୀ ଅଦ୍ୟାପି ଶୟନ କରି ଅଛନ୍ତି । ତିନି ଘଣ୍ଟାରୁ ଅଧିକକାଳ ଗାଢ଼ ନିଦ୍ରାରେ ଶୟନ କରିଥିବାର ଦେଖି ଭାବୀ ମଙ୍ଗଳ ଆଶାରେ ରଘୁନାଥ ପ୍ରଫୁଲ୍ଲ ହୃଦୟରେ ରୋଗୀର ଶଯ୍ୟାପାର୍ଶ୍ୱରେ ଶେଯ ପକାଇ ଶୟନ କଲେ । ଇତଃସ୍ତତଃ ଭାବୁଁ ଭାବୁଁ ତାଙ୍କୁ ମଧ୍ୟ କିଞ୍ଚିତ୍ ନିଦ୍ରା ହୋଇଗଲା । ମାତ୍ର କଳାବତୀଙ୍କ ଶରୀର ଉତ୍ତମରୂପେ ଆରୋଗ୍ୟ ଲାଭ କରି ନ ଥିବା ହେତୁ ମନ କିଞ୍ଚିତ୍ ଚଞ୍ଚଳ ଥିବାହେତୁ ହଠାତ୍ ନିଦ୍ରା ଭଙ୍ଗ ହୋଇଗଲା । ଉଠି ଦେଖିଲେ କଳାବତୀ ଚେଇଁ ଅଛନ୍ତି । ଏହା ଦେଖି ରଘୁନାଥ ନିଜେ ଶୋଇପଡ଼ି ଥିବାର ଜାଣି କିଞ୍ଚିତ୍ ଲଜ୍ଜିତ ହେଲେ । ଏହା ରଘୁନାଥଙ୍କ ଭଳି ଲୋକଙ୍କ ପକ୍ଷେ ସ୍ୱଭାବିକ ଏବଂ ସର୍ବଥା କ୍ଷମନୀୟ ଅଟଇ । ସାତ ସାତ ଦିନ ଦିବାରାତ୍ର ଜଗିଲା ଉତ୍ତାରୁ ରୋଗୀର ଅବସ୍ଥା କଥଞ୍ଚିତ୍ ଭଲ ହୋଇଥିବାର ଜାଣି ରୋଗୀ ଶୋଇଥିବା କାଳରେ ଗଡ଼ପଡ଼ ହେଉଁ ହେଉଁ କିଞ୍ଚିତ୍ ଶୋଇପଡ଼ିବା ବଡ଼ ଗୁରୁତର କଥା ନୁହଇ ବଂର ନ ଶୋଇଲେ ତାକୁ ଲୋକେ ପାଗଲ ହୋଇଥିବାର ବୋଲି ପାରନ୍ତି । ତଥାପି ସରଳସ୍ୱଭାବସମ୍ଫନ୍ନ ରଘୁନାଥ କିଞ୍ଚିତ୍ ଲଜ୍ଜିତ ହୋଇ ହଠାତ୍ ଶଯ୍ୟାରୁ ଉଠି ରୋଗୀନିମିତ୍ତ ଦୁଧ ଆଉଟା ହୋଇ ରଖାଯାଇଥିବା ଶିକା ନିକଟକୁ ଯାଇ ତାଟିଆରେ କିଞ୍ଚିତ୍ ଦୁଧ ନେଇ ଆସି କଳାବତୀଙ୍କ ଶଯ୍ୟାପାର୍ଶ୍ୱରେ ତାଙ୍କୁ ଖୁଆଇବା ଅଭିଳାଷରେ ଉପବେଶନ କଲେ ।
କାଲିରାତ୍ରରୁ ଅନାଇବା ଉତ୍ତାରୁ ରଘୁନାଥ ପଟ୍ଟନାୟକ ନାମରେ କଳାବତୀଙ୍କ ମନରେ କେତେ କେତେ ଚିନ୍ତା ଉଦିତ ହୋଇଥିଲା । ମୃତସ୍ୱାମୀ ପୁନର୍ଜୀବିତ ହୋଇ ଆସିବାର ଆଜିକାଲି ସଂସାରରେ ଦେଖା ନାହିଁ । ସାବିତ୍ରୀ ପ୍ରାୟ କେହି ଅବା ସତୀ ଥାଇପାରନ୍ତି ମାତ୍ର ମୃତସ୍ୱାମୀକି ଏ କାଳରେ ଶମନ-ହସ୍ତରୁ ଫେରାଇ ଆଣିବା ଦୁଃସାଧ୍ୟ । ପୁଣି ସ୍ୱାମୀ ନ ହେଲେ ଅପରିଚିତ ଲୋକ ଏତାଦୃଶ ସେବା କରିବାର କାହିଁ ଦେଖା ନାହିଁ ଏବଂ ସ୍ୱାମୀ–ନାମ ଧାରଣ କରିଥିବା ଅପରିଚିତ ଜଣେ ଲୋକକୁ ଏତେଦୂର ଆପଣାର ପରି ସଂସାରରେ ପାଇବା ମଧ୍ୟ ସ୍ୱପ୍ନପ୍ରାୟ । ଏସବୁ ଆନ୍ଦୋଳନ କରି କଳାବତୀଙ୍କ ମନରେ ନାନା ପ୍ରକାର ଭାବ ଉଦିତ ହେବା କେବଳ ସ୍ୱାଭାବିକ । ଆଜି ସକାଳରୁ ଶତଥର ରଘୁନାଥଙ୍କ ମୁଖକୁ ଅନାଇ ଦେଖୁଅଛନ୍ତି । କାଲି ସିନା ନାମ ଶୁଣିଥିଲେ ମାତ୍ର ଆଜି ଦୃଷ୍ଟିଶକ୍ତିର ସମଧିକ ସଞ୍ଚାରରେ ଶତଥର ରଘୁନାଥଙ୍କୁ ଆପଣା ସ୍ୱାମୀ ପ୍ରାୟ ରୂପ ଧରି ପାର୍ଶ୍ୱେ ବସି ନିରନ୍ତର ସେବା-ନିରତ ଥିବାର ଦେଖୁଅଛନ୍ତି । ସେ ଦୃଷ୍ଟି ଆଉ ତୃପ୍ତିଲାଭ କରିପାରୁ ନାହିଁ । ଯେତେଥର ଦେଖୁଅଛନ୍ତି ସେତେଥର ଅଧିକାଧିକ ରୂପରେ ରଘୁନାଥ ଆପଣା ସ୍ୱାମୀ ତୁଲ୍ୟ ପ୍ରତୀୟମାନ ହେବାରୁ ନବ ନବ ଭାବରେ ମନ ମୋହିତ ହେଉଅଛି । ଅଧିକ ଆଉ କି ବୋଲିବୁଁ ଯାଦୁକର ଯେପରି ଯାଦୁବିଦ୍ୟାଦ୍ୱରା ଲୋକଙ୍କୁ ମୋହିତ କରି ଆପଣା ମନୋଽଭିମତ ଆଡ଼କୁ ଧାବିତ କରାଏ ସେହିପରି ରଘୁନାଥଙ୍କଠାରେ ତାଙ୍କର ରୂପ, ଗୁଣ ଓ କ୍ରିୟାକଳାପରେ କଳାବତୀ ମୋହିତା ହୋଇଗଲେ ଏବଂ ଯାହା କରିବାକୁ ଇଚ୍ଛା କରିବେ ତହିଁକି ଲେଶମାତ୍ର ଆପତ୍ତି କରିବାର ଶକ୍ତି କଳାବତୀଙ୍କର ରହିଲା ନାହିଁ ।
ରଘୁନାଥ କଳାବତୀଙ୍କ ଶଯ୍ୟାପାର୍ଶ୍ୱରେ ବସି କଳାବତୀଙ୍କ ହସ୍ତଧାରଣପୂର୍ବକ ତାଙ୍କୁ ଧୀରେ ଧୀରେ ଉଠାଇ ଆପଣା ବାମସ୍କନ୍ଧରେ ତାଙ୍କର ମସ୍ତକ ରକ୍ଷା କରି ଦୁଗ୍ଧପାନ କରାଇଦେଲେ-। କଳାବତୀ କୃତଜ୍ଞତା ପାଶରେ ନିତାନ୍ତ ଆବଦ୍ଧ ଥାଇ ମୁଗ୍ଧମନରେ ଅମୃତ ପାନ କଲେ ଏବଂ ସେ ମନରୁ ରଘୁନାଥଙ୍କର ମଙ୍ଗଳନିମିତ୍ତ ଇଶ୍ୱରଙ୍କଠାରେ ଯେଉଁ ନୀରବ ପ୍ରାର୍ଥନା ହେଲା ତାହା ଅତି ଅମୂଲ୍ୟ ।
ଦୁଗ୍ଧପାନ ଉତ୍ତାରୁ କଳାବତୀଙ୍କି ଶଯ୍ୟାରେ ଶୟନ କରାଇଦେଲାରୁ ସେ ପୁଣି ଶୟନ କଲେ ଏବଂ ଦେଖୁଁ ଦେଖୁଁ ଗାଢ଼ ନିଦ୍ରାରେ ଅଭିଭୂତା ହୋଇଗଲେ । ରଘୁନାଥ ଶଯ୍ୟାପାର୍ଶ୍ୱରେ ବସି ରୋଗୀର ରୋଗ କଥଞ୍ଚିତ୍ ଆରୋଗ୍ୟ ହୋଇଥିବାରୁ ଈଶ୍ୱରଙ୍କୁ ଶତ ଧନ୍ୟବାଦ ପ୍ରଦାନ କଲେ ଏବଂ ରୋଗୀର ମୁଖମଣ୍ଡଳକୁ ନିବିଷ୍ଟ ମନରେ ଅନାଇ ରହିଅଛନ୍ତି ଏମନ୍ତ ସମୟରେ ଦ୍ୱାରଦେଶରେ କରାଘାତ ହେବାର ଶବ୍ଦ ଶ୍ରୁତିଗୋଚର ହେଲା ।
ରଘୁନାଥ ତରତର ହୋଇ ଯାଇ ଦ୍ୱାର ଫିଟାଇଦେଲେ ଏବଂ କୁଜଙ୍ଗରାଜାଙ୍କ ଲୋକ ଦ୍ୱାରଦେଶରେ ସମୁପସ୍ଥିତ ଥିବାର ଦେଖାଗଲା । ତାକୁ ରଘୁନାଥ ଭିତରକୁ ଡାକି ଦ୍ୱାର ଲଗାଇଦେଲେ । ଲୋକଟା ରଘୁନାଥଙ୍କୁ ଛାମୁଙ୍କଠାରୁ ଆସିଥିବାର କହି ଚିଟାଉ ଖଣ୍ଡିଏ ବଢ଼ାଇଦେଲା । ରଘୁନାଥ ଚିଟାଉ ପଢ଼ି ଅବଗତ ହେଲେ ଯେ ତାଙ୍କର ବହୁକାଳ ଅଦର୍ଶନରେ ରାଜା ଦୁଃଖିତ ହୋଇଅଛନ୍ତି ଏବଂ ଶୀଘ୍ର ଛାମୁଙ୍କ ନବରକୁ ଯାଇ ଭୋଜନ କରିବା ସକାଶେ ରାଜା ସେହି ପତ୍ରଦ୍ୱାରା ଆମନ୍ତ୍ରଣ କରି ପଠାଇଅଛନ୍ତି । ରଘୁନାଥ ପତ୍ରପଠାନ୍ତେ ସେ ଲୋକକୁ ଖାଇବାକୁ ଦେଇ ଏବଂ ଘରେ ଏକ ରୋଗୀ ପଡ଼ିଥିବା ଓ ସେ ଆରୋଗ୍ୟ ଲାଭ କରିଆସୁଥିବା ଓ ଚାରିଦିନ ମଧ୍ୟରେ ଛାମୁରେ ଉପସ୍ଥିତ ହୋଇ ପାରିବା ମର୍ମ୍ମରେ ଖଣ୍ଡିଏ ନମ୍ରଭାବ ବ୍ୟଞ୍ଜକ ପତ୍ର ଲେଖି ତତ୍ସହିତ ଲୋକକୁ ବିଦାୟ କରିଦେଇ ପୁଣି କଳାବତୀଙ୍କ କକ୍ଷରେ ଉପନୀତ ହେଲେ ।
ଦ୍ୱାତ୍ରିଂଶ ପରିଚ୍ଛେଦ
ଖାଡ଼ଙ୍ଗା
ତଦନ୍ତ ଉତ୍ତାରୁ ଡୁମନସର୍ଦ୍ଦାରଙ୍କ ଦ୍ୱାରା ପ୍ରେରିତ ହୋଇ ଦାସ ଖାଡ଼ଙ୍ଗା ସୁବାଦାରଙ୍କ ସମକ୍ଷରେ ଉପନୀତ ହେଲା । ସେ ମନେ ମନେ ଆପଣାକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷୀ ବୋଲି ଜାଣେ ଏବଂ ସର୍ଦ୍ଦାର ମଧ୍ୟ ସୁବାଦାରଙ୍କୁ ସେ ନିର୍ଦ୍ଦୋଷୀ ଥିବାର ଜଣାଇଅଛନ୍ତି । ଏଥୁଁ ଏହା ମନରେ ମୁକ୍ତି ପାଇବାର ସମ୍ପୂର୍ଣ୍ଣ ଆଶା ଜାଗରିତ ହୋଇଅଛି ଏବଂ ସେହେତୁ ମନ ମଧ୍ୟ ବିଶେଷ ଦମ୍ଭ ଅଛି । ତେଣେ ମାତା ଆଉ ପତ୍ନୀ ସନ୍ତାନଗଣ ସଙ୍ଗେ ସଙ୍ଗେ ଆସିଅଛନ୍ତି । ସେମାନଙ୍କୁ ଦେଖି ମଧ୍ୟ ଚିତ୍ତ ଆଶ୍ୱସ୍ତ ଅଛି । ସ୍ୱଭାବତଃ ମନୁଷ୍ୟର ମନକୁ ପାପ ଆଗେ ସ୍ପର୍ଶ କରେ । ବେଳେ ବେଳେ ହଠାତ୍ କାଳେ ସୁବାଦାର ଶାସ୍ତି ପ୍ରଦାନ କରିବେ ଓ ତାହାହେଲେ ବୃଦ୍ଧ ଆଉ ପତ୍ନୀ ଓ ସନ୍ତାନଗଣର କି ଦଶା ହେବ ଏହା ମନ ମଧ୍ୟରେ ଉଦିତ ହୋଇ ଚିତ୍ତ ଅଲୋଡ଼ିତ କରି ମସ୍ତକ ଭ୍ରମାଇ ଦେଉଅଛି ଏବଂ ସଙ୍ଗେ ସଙ୍ଗେ ମନକୁ ଦମ୍ଭ କରି ଈଶ୍ୱରଙ୍କଠାରେ ପୂର୍ବଠାରୁ ଅଧିକରୂପେ ଆତ୍ମ-ସମର୍ପଣ କରୁଅଛି ।
ମାତା ଆଉ ପତ୍ନୀର ଚକ୍ଷୁର ଅନବରତ ଅଶ୍ରୁଧାରା ବହି ମୁଖମଣ୍ଡଳ ଆବିଳ ହୋଇଅଛି-। ସେମାନେ ତ କୌଣସି ମତେ ମନକୁ ପ୍ରବୋଧ ଦେଇପାରୁ ନାହାନ୍ତି । ସର୍ପପ୍ରାୟ ଦୂରନ୍ତ ସୁବାଦାରଙ୍କ ଗ୍ରାସରୁ ରକ୍ଷା ପାଇବା ସପ୍ତଜନ୍ମର ତପସ୍ୟାର ଫଳ ବୋଲି ଦୁଷ୍କର ଜ୍ଞାନ କରିଅଛନ୍ତି ଏବଂ ସର୍ଦ୍ଦାର ତାଙ୍କୁ ନିର୍ଦ୍ଦୋଷୀ କରି ରଖିଥିଲେ ସୁଦ୍ଧା ଯେପର୍ଯ୍ୟନ୍ତ ସୁବାଦାର ଖାଡ଼ଙ୍ଗାକୁ ଛାଡ଼ି ଦେଇ ନାହାନ୍ତି ସେପର୍ଯ୍ୟନ୍ତ ସେମାନେ ଖାଡ଼ଙ୍ଗାର ମୁକ୍ତିପକ୍ଷରେ ବିଶ୍ୱାସ କରିପାରୁ ନାହାନ୍ତି ।
ଏଆଡ଼େ ସୁବାଦାର ଚୌଧୁରୀଙ୍କ ସର୍ବନାଶ-ବାର୍ତ୍ତା ଶୁଣି ଆଗହୁଁ କୋପରେ ଅଗ୍ନିପ୍ରାୟ ହୋଇଯାଇଥିଲେ । ତହିଁଉତ୍ତାରୁ ତାଙ୍କର ମୃତ୍ୟୁବାର୍ତ୍ତା ଶୁଣି ଅତିକୋପରେ ଏକ ପ୍ରକାର ପାଗଳ ହୋଇଗଲେ ଏବଂ ବାସ୍ତବରେ ତାହା ଶାନ୍ତ କରିବା ଉଦ୍ଦେଶ୍ୟରେ ଦେଶସୁଦ୍ଧା ଲୋକଙ୍କୁ ମାରି ପକାଇବା କାରଣ ଶତଥର ଶପଥ କରିଥିଲେ । ସୁବାଦାର କୋପାନ୍ୱିତ ହୋଇଥିବା ସମସ୍ତଙ୍କୁ ଏକପ୍ରକାର ଜଣାଥିଲା ମାତ୍ର ସେ କୋପର ମାତ୍ରା ଯେ ଏତେ ଅଧିକ ହୋଇଥିଲା ଏହା ସତତ ନିକଟରେ ନ ଥିବା ଲୋକଙ୍କୁ ଜଣାଯିବା ଅତ୍ୟନ୍ତ ଅସମ୍ଭବ । ରାଜା ହୋଇ ବିଚାରର ପକ୍ଷପାତୀ ହେବା ସର୍ବଥା ଶ୍ରେୟସ୍କର ମାତ୍ର ରାଜା ଯେ ବିଚାରକୁ ଜଳାଞ୍ଜଳି ଦେଇ ଯାହା ଇଚ୍ଛା ତାହା କରି ଚାଲିଯିବେ ଏ କଥା ସମସ୍ତେ ସହଜରେ ବିଶ୍ୱାସ କରିପାରିବେ ନାହିଁ । ତେବେ ଜନ୍ତୁମୁଖରୁ ଆହାର ଛଡ଼ାଇ ନେଲେ ସେ କି କରି ନ ପାରେ ? ଯେତେବେଳେ ସୁବାଦାରଙ୍କୁ ପ୍ରଚୁର ଆହାର ଦେଉଥିବା ଲୋକଙ୍କୁ ଆହାର ଯୋଗାଇବାର ପଥ ଆହୁରି ପରିଷ୍କୃତ କରିବା ସମୟରେ ଦେଶଲୋକେ ମୃତ୍ୟୁମୁଖରେ ପାତିତ କଲେ ସେତେବେଳେ ସୁବାଦାର କି ସେ ଦେଶଲୋକଙ୍କର କିଛି ବାକୀ ରଖିବେ ? ପ୍ରକୃତକଥା କହିବାକୁ ଗଲେ ସେତ ଦୁର୍ଭିକ୍ଷପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବାର କଳ୍ପନା ସ୍ୱପ୍ନରେ ସୁଦ୍ଧା ନ କରି ଦେଶଲୋକଙ୍କୁ ମାରି ରଖିଅଛନ୍ତି–ତହିଁ ଉପରେ ଅବା ଆଉ କି ସମ୍ଭବି ପାରେ ? ବାକୀ କେବଳ ଖଡ଼ଗାଘାତରେ ସୁବାଦାରଙ୍କ କୋପ ଶାନ୍ତିହେତୁ ବଳିଦାନ ଏବଂ କାଳକୁ ତାହା ଅନେକେ ଶ୍ରେୟସ୍କର ମଣିଅଛନ୍ତି ।
ଏହିରୂପେ ଅତି କୋପାବିଷ୍ଟ ଆରକ୍ତ ଚକ୍ଷୁବିଶିଷ୍ଟ ସୁବାଦାରଙ୍କ ନିକଟରେ ଦାସ ଖାଡ଼ଙ୍ଗା ବଳିଦାନର ଛାଗଳ ପରି ସମୁପସ୍ଥିତ ହେଲା । ଏହାର ଦେହର ରକ୍ତ ଭୟରେ ଶୁଖି ଯାଉଅଛି ମାତ୍ର ସୁବାଦାରଙ୍କ ରକ୍ତ ତେଜୋମୟ ହୋଇ ଅଗ୍ନିସ୍ଫୁଲିଙ୍ଗରୂପେ ଚକ୍ଷୁର୍ଦେଶରୁ ବାହାରି ପଡ଼ୁଅଛି ଏବଂ ତାହା ଦେଖି ଖାଡ଼ଙ୍ଗାର ରକ୍ତ ଆହୁରି ଶୁଖିଯାଉଅଛି । ବୃଦ୍ଧା ମାତା ଓ ପତ୍ନୀ ଅନତିଦୂରେ ବୃକ୍ଷମୂଳରେ ଠିଆ ହୋଇଅଛନ୍ତି ଏବଂ ଖାଡ଼ଙ୍ଗାର ଶରୀରର ଦୁର୍ଦ୍ଦଶା ଦେଖି ସେମାନଙ୍କ ଜୀବନ ନ ଥିଲା ପରି ଜଣାଯାଉଅଛି । ଖାଡ଼ଙ୍ଗା ଆସିବା ସଙ୍ଗେ ସଙ୍ଗେ ବ୍ୟାପାର ଦେଖିବା କାରଣ କେତେକ ଜଣ ଦର୍ଶକ ମଧ୍ୟ ରୁଣ୍ଡ ହୋଇଅଛନ୍ତି କାରଣ ସେ ଦିନକୁ ଚୌଧୁରୀଙ୍କ ଡକାୟତି ଓ ମୃତ୍ୟୁବାର୍ତ୍ତା ଏବଂ ଖାଡ଼ଙ୍ଗାର ଦୁର୍ଦ୍ଦଶା ଚତୁର୍ଦ୍ଦିକରେ ରାଷ୍ଟ୍ର ହୋଇଯାଇଅଛି । ଭୁୟାଁମାନେ ଡକାୟତି କରିଥିବାର ମଧ୍ୟ ଚତୁର୍ଦ୍ଦିଗରେ ଚହଳ ପଡ଼ିଅଛି ଏବଂ ତହିଁ ସଙ୍ଗେ ସଙ୍ଗେ ଖାଡ଼ଙ୍ଗା ଡକାୟତି କରି ନ ଥିବାର ରାଷ୍ଟ୍ର ହୋଇ ତାହାର ଅକାରଣ ବନ୍ଦିବାସରେ ସମସ୍ତଙ୍କର ସହାନୁଭୂତି ଆକର୍ଷିତ ହୋଇଅଛି ।
ସୁବାଦାରଙ୍କୁ ସେ ସବୁ ସ୍ପର୍ଶ କରିପାରି ନାହିଁ । ସେ ତ ଲୋକଙ୍କ ମଧ୍ୟରେ ନ ଥାନ୍ତି କିମ୍ୱା ତାଙ୍କ ସଙ୍ଗେ ମିଶିବା ଅଥବା ତାଙ୍କ କଥା ଶୁଣିବାକୁ ଚାହାନ୍ତି ନାହିଁ । ଏ ସବୁ ତାଙ୍କୁ ସ୍ପର୍ଶ କରିବ କାହିଁକି ? ଏହା ଯେ କେମନ୍ତ ରାଜଧର୍ମ ତାହା ସୁବାଦାରଙ୍କୁ ଏକା ଜଣାଥିବ ଅଥବା ନିତାନ୍ତ ଲୋଭୀ ହେଲେ ଏହିପରି ଅମନୁଷ୍ୟତା ସଞ୍ଜାତ ହୁଅଇ । ସେ ଯାହା ହେଉ ଖାଡ଼ଙ୍ଗାକୁ ଦେଖିବା ମାତ୍ରକେ କୁପିତ ସୁବାଦାର ‘‘ଏହି ଲୋକଟା ଚୌଧୁରୀର ମୃତ୍ୟୁର କାରଣ’’ ବୋଲି ବଜ୍ରନିନାଦରେ କହି ଉଠି ଶତଗୁଣ କୁପିତ ହୋଇଗଲେ । ଆଉ ସମ୍ଭାଳେ କିଏ ? ଡୁମନ ସର୍ଦ୍ଦାରଙ୍କ ରିପୋର୍ଟ ଖଣ୍ଡିକ ବଢ଼ାଇ ଦେବାକୁ ସୁଦ୍ଧା ପ୍ରହରୀର ସାହସ ହେଲା ନାହିଁ । କିଞ୍ଚିତ୍କ୍ଷଣ ପରେ ସୁବାଦାର ଗମ୍ଭୀର ସ୍ୱରରେ ପ୍ରକାଶ କଲେ ‘‘ଡୁମନ ସର୍ଦ୍ଦାର ଲେଖା ଦେଇଛନ୍ତି କି ନାହିଁ ?’’ ପ୍ରହରୀ କିଛି ନ କହି ରିପୋର୍ଟ ଖଣ୍ଡିକ ସୁବାଦାରଙ୍କ ହାତକୁ ବଢ଼ାଇଦେଲା ।
ସୁବାଦାର ରିପୋର୍ଟକୁ ସାତଥର କରି ପାଠ କଲେ । ସାତ ଥର ପାଠ କରି ସୁଦ୍ଧା ରାଗଶାନ୍ତ ହେଲା ନାହିଁ ବରଂ ହନ୍ତାରକକୁ ଦେଖି ସର୍ପର କୋପ କ୍ରମେ କ୍ରମେ ଅଧିକ ହେଲା ପ୍ରାୟ ତାଙ୍କର କୋପ ବୃଦ୍ଧି ହେବାରେ ରହିଲା । ଅନନ୍ତର ଅତି କୁପିତଚିତ୍ତରେ ଘୋର ଗର୍ଜନରେ ‘ଡୁମନ ସର୍ଦ୍ଦାର’, ‘‘ଅତି ଅକର୍ମଣ୍ୟ ଲୋକ’’ ଇତ୍ୟାଦି ସ୍ପଷ୍ଟ ଏବଂ ଅସ୍ପଷ୍ଟ କେତେ କଥା କହି ପ୍ରହରୀକି ଡାକି କହିଲେ ‘‘ଏ ଲୋକକୁ ଶୂଳୀ ଦିଅ’’ ।
ସର୍ବନାଶ ! ବଜ୍ର ପତନ ହେବା କଥା ଲୋକଙ୍କୁ ଜାଣିବାକୁ ବିଳମ୍ୱ ହୁଅଇନାହିଁ ଏବଂ ଜାଣିବା ସଙ୍ଗେ ସଙ୍ଗେ ଲୋକେ ସ୍ତବ୍ଧ ହୋଇଯାନ୍ତି । ଆଉ ଯାହା ଉପରେ ବଜ୍ର ପଡ଼ଇ ତାହା କଥା ଅବା କି କହିବା ! ସୁବାଦାରଙ୍କ ମୁଖରୁ ସେ ନିଷ୍ଠୁର ଆଦେଶ ବାହାରିବା ମାତ୍ରକେ ଖାଡ଼ଙ୍ଗା କାଷ୍ଠବତ୍ ହୋଇଯାଇ ପଛକୁ ଟଳି ପଡ଼ିଲା ଏବଂ ସେ ଟଳିପଡ଼ିବା ସଙ୍ଗେ ସଙ୍ଗେ ଅନତିଦୂରବର୍ତ୍ତୀନୀ ତାହାର ମାତା ଓ ପତ୍ନୀ ସୁଦ୍ଧା ଟଳିପଡ଼ିଲେ ! ଛୁଆ ଦିଓଟି କିଛି ନ ଦେଖି କାଷ୍ଠପ୍ରାୟ ହୋଇ ଟିକିଏ ରହିଯାଇ ଚିତ୍କାର କଲେ । ସେ ଚିତ୍କାର ଏ ଦୁର୍ଘଟନାକୁ ଆହୁରି ଭୟଙ୍କର କରିଦେଲା ଏବଂ ଲୋକେ ଏହା ଦେଖି ଯତ୍ପରୋନାସ୍ତି ବ୍ୟଥିତ ହେଲେ । ସଙ୍ଗେ ସଙ୍ଗେ ଲୋକଙ୍କ ମଧ୍ୟରେ ଭୟାନକ ଚହଳ ପଡ଼ିଗଲା । ‘‘ଉଠାଅ’’ ‘‘ଉଠାଅ’’ ବୋଲି ସୁବାଦାର ଭାରୀ ତେଜରେ ଆଦେଶ ପ୍ରଦାନ କଲେ ଏବଂ ପ୍ରହରୀମାନେ ତିନିଜଣଙ୍କୁ ଉଠାଇବାକୁ ଯାଇ ସେମାନଙ୍କର ଇହଲୀଳା ସାଙ୍ଗ ହୋଇଥିବାର ଦେଖିଲେ ।
ଏ କଥା ସୁବାଦାରଙ୍କୁ ଗୋଚର ହେଲା । ସେ ଆଦେଶ କଲେ ‘‘ନଦୀରେ ଲାସ୍ ପକାଇ ଦିଅ’’ । ଏହି ଆଦେଶ କରି କଚେରୀ ବନ୍ଦ କରତଃ ଅନ୍ତଃପୁରକୁ ବିଜେ ହେଲେ ।
ବାହାରେ ଭାରୀ ଗୋଳମାଳ । ଆଉ କିଞ୍ଚିତ୍କ୍ଷଣ ବାହାରେ ଥିଲେ ସୁବାଦାରଙ୍କ କପାଳରେ ପ୍ରହାର ପର୍ଯ୍ୟନ୍ତ ଘଟିଥାନ୍ତା । ଲୋକେ ମନୋନିବେଶପୂର୍ବକ ଏକ ନିର୍ଦ୍ଦିଷ୍ଟ ମୀମାଂସାରେ ଉପନୀତ ହେବା ପୂର୍ବରୁ ସୁବାଦାର ଦେହୁଡ଼ି ବନ୍ଦ କରିଦେଲେ । ବାହାରର ଲୋକେ ବାହାରେ ଅନେକ କ୍ଷଣ ଗୋଳମାଳ କରି ଚାଲିଗଲେ ଏବଂ ପ୍ରହରୀମାନେ ମୃଦାରକୁ ନେଇ କାଠଯୋଡ଼ୀର ପବିତ୍ର ଜଳରେ ନିକ୍ଷେପ କଲେ । ଯେଉଁ ସନ୍ତପ୍ତ ହୃଦୟରେ ଖାଡ଼ଙ୍ଗା ଓ ତାହାର ମାତା ଏବଂ ଭାର୍ଯ୍ୟା ଇହଲୀଳା ସମ୍ୱରଣ କଲେ, ଯେଉଁ ଶୋକାନଳ ସମଧିକ ପ୍ରଜ୍ଜ୍ୱଳିତ ହୋଇ ତାଙ୍କର ଅନ୍ତରାତ୍ମାକୁ ଦଗ୍ଧ କରତଃ ଇହସଂସାରରୁ ସେମାନଙ୍କୁ ଅନ୍ତର କଲା ତାହା କାଠଯୋଡ଼ୀର ସ୍ୱଚ୍ଛ ଶୀତଳ ଜଳରେ ନିର୍ବାପିତ ହେଲା ନାହିଁ । ସେ ଜଳ ମୃତ ଶରୀରମାନଙ୍କୁ ନଚାଇ ନଚାଇ ସଂସାରରେ ରଙ୍ଗ ଦେଖାଇ ଘେନି ଚାଲି ଗଲା ମାତ୍ର ଯେତେଦୂର ଗଲା ସେତେଦୂର ଲୋକମାନଙ୍କର ଦୃଷ୍ଟି ଓ ସହାନୁଭୂତି ଆକର୍ଷଣ କରି ସୁବାଦାରଙ୍କର ସର୍ବନାଶର କାରଣ ହେଲା ।
ଆଉ ପିଲାଦ୍ୱୟ ? ସେହି ଦୋଷ-ଶୂନ୍ୟ ପ୍ରକୃତିର ସରଳ ପ୍ରତିମାଦ୍ୱୟ ? ସେ ଯେ କିଛି ବୁଝି ନ ପାରି କେତେବେଳଯାଏ ଛଳ ଛଳ କରି ଅନାଇ ରହି ବର୍ତ୍ତମାନ ଅଜସ୍ର ଅଶ୍ରୁ ତ୍ୟାଗପୂର୍ବକ କ୍ରନ୍ଦନ କରୁଅଛନ୍ତି ! ହାୟ ! ବିଧାତଃ ! ଏ ଅଜ୍ଞାନ ପ୍ରତିମାଦ୍ୱୟଙ୍କ କପାଳରେ କି ଏହା ଲିହିଥିଲେ ? ପିଲାଟିଦିନରୁ କି ଦୋଷରୁ ଏତେ କଷ୍ଟ ସହିବାକୁ ବ୍ୟବସ୍ଥା କରିଥିଲେ ? କିଏ ଆମ୍ଭମାନଙ୍କୁ ଏଥିର ଉତ୍ତର ଦେବ ? ପୂର୍ବଜନ୍ମର ବାସନା କି ଏହିରୂପେ ଚରିତାର୍ଥ ହୁଅଇ ? ପୂର୍ବଜନ୍ମର ସଂସ୍କାରରୁ ଜୀବ କି ଏ ଫଳ ଭୋଗ କରଇ ? ତାହା ନ ହେଲେ ଆଉ ଉତ୍ତର ନାହିଁ । କି ଅବା ଶାନ୍ତି ନାହିଁ । ବିଧାତାଃ ! ଲୋକେ ତୁମ୍ଭଙ୍କୁ ମଙ୍ଗଳମୟ କହନ୍ତି ମାତ୍ର ଆମ୍ଭମାନଙ୍କର ତାହା ବୁଝିବାକୁ କ୍ଷମତା ନାହିଁ-।
ପାଠକେ ! ଆଉ ପିଲାଦ୍ୱୟଙ୍କ କଥା କହି କି ହେବ ? ଜନୈକ ପ୍ରହରୀ ଏକମାତ୍ର ପୁତ୍ରକୁ ଅଳ୍ପ ଦିନ ହେଲା ହରାଇ ଅତ୍ୟନ୍ତ ଶୋକବିହ୍ୱଳ ହୋଇଥିଲା । ସେହି ଲୋକ ଦୟା ବହି ପିଲାଙ୍କୁ ଘେନି ଯାଇ ଶୋକପୀଡ଼ିତା ପତ୍ନୀର ଶୋକାପନୋଦନାର୍ଥ ଘରକୁ ପଠାଇ ଦେଲା ।