ବିବାସିନୀ
ରାମଶଙ୍କର ରାୟ · ଭାଗ ୧୦ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତଦଶ ପରିଚ୍ଛେଦ
ଜଟିଆକୁଦ
ବୁଢ଼ାଲିଙ୍ଗର ଆହୁରି ପୂର୍ବକୁ ମହାନଦୀର ଗଭୀର ଜଳରାଶି ମଧ୍ୟରେ ସାଗରଗର୍ଭଗତ ଦ୍ୱୀପ ପ୍ରାୟ ଯେଉଁ ସୁରମ୍ୟ କାନନାବୃତ ସୁପ୍ରଶସ୍ତ ମୃତ୍ପିଣ୍ଡ ମସ୍ତକୋତ୍ତୋଳନ କରି ବିପଥଗାମୀ ବଣିକାଦିଙ୍କି ଅଥବା ଦୂରଦେଶାଗତ କ୍ଳାନ୍ତ ଖେଚର କିଅବା ସୁଖସେବୀ ଜୀବଜନ୍ତୁ ଅଥବା ଧର୍ମାଚାରୀ ମୁନିୠଷିଙ୍କି ଆଶ୍ରୟ ଦେବା କାରଣ ଇଙ୍ଗିତ କରୁଅଛି ତାହା ବହୁକାଳରୁ ଜଟିଆକୁଦ ନାମରେ ଲୋକରେ ପରିଚିତ ହୋଇ ଆସୁଅଛି । ଆମ୍ଭେମାନେ ପୂର୍ବେ କହିଅଛୁଁ ଯେ ଇଂଲଣ୍ଡକୀର୍ତ୍ତ ଆନିକଟଦ୍ୱାରା ମହାନଦୀର ଜଳ ଅପହୃତ ହୋଇଅଛି ଏବଂ ତହିଁ ସଙ୍ଗେ ସଙ୍ଗେ କାଳର ଅପ୍ରତିହତ ପ୍ରଭାବରୁ ସ୍ରୋତୋଗତିରେ କାଳକ୍ରମେ ଗର୍ବିର ଗର୍ବ ଖର୍ବହେଲା ପ୍ରାୟ କୁଦଟି ମଧ୍ୟ ମହାନଦୀରେ ଲୀନହୋଇ ଯାଇଅଛି । ଲୀନହୋଇ ଯାଇଅଛି ସତ୍ୟ, ମାତ୍ର ତାହାର ଅଧିକୃତସ୍ଥଳ ଦେଖିଲେ ଅଦ୍ୟାପି ନବଗ୍ରାମବାସୀ କାହିଁକି ଯେ ଥରେ ଜଟିଆକୁଦ ଦେଖିଅଛି ତାହାର ପୂର୍ବର ସୁଖମୟ ସ୍ମୃତି ଅଭୁତପୂର୍ବ ରୂପେ ଜଟିଆକୁଦକୁ ମନରେ ଜାଗରୂକ କରେ । ବାସ୍ତବରେ ଜଟିଆକୁଦଟି ଦେଖିବାକୁ ବଡ଼ ସୁନ୍ଦର ଥିଲା । ମହାନଦୀର ଅନ୍ୟାନ୍ୟ କୁଦଠାରୁ ଏହାର ପ୍ରକୃତରେ ଶୋଭା ଅଧିକ । ବିଶ୍ୱସ୍ରଷ୍ଟାର ଯେ ଅପୂର୍ବ ତୂଳିକାରେ ଛବିଳ ଓଡ଼ିଶା ଅଙ୍କିତ ହୋଇଅଛି ତାହା ବିଶେଷରୂପେ ଜଟିଆକୁଦଠାରେ ବୁଲି ଯାଇଥିବାର ଦେଖାଯାଏ । ଚତୁର୍ଦ୍ଦିକରୁ ଅତ୍ୱୁଚ୍ଚ ଅତଡ଼ା ଶତ୍ରୁ ହସ୍ତର କୁଦକୁ ରକ୍ଷା କରିବା ଆଶାରେ ଶୋଭିତ ହୋଇଅଛି । ସ୍ରୋତୋମୟ ଗଭୀର ଜଳରାଶି ସେ ଉଚ୍ଚ ଅତଡ଼ା ଦେଖି ଆହୁରି ଭୟରେ ପଳାତକ ଶତ୍ରୁସୈନ୍ୟର କୋଳାହଳ ପ୍ରାୟ କଳରବ କରି ପଳାୟନ କରୁଅଛି । ଚତୁର୍ଦିକରେ ଉଚ୍ଚ ଅତଡ଼ା ଉପରେ ଆହୁରି ଉଚ୍ଚ ବୃକ୍ଷାବଳୀ ଦୁର୍ଗପ୍ରାଚୀର ପ୍ରାୟ ଶୋଭିତ ହୋଇ ରହିଅଛି ଏବଂ ନାନାପ୍ରକାର ଲତାବଲ୍ଲରୀ ବୃକ୍ଷମାନଙ୍କରେ ବିଜଡ଼ିତ ଥାଇଁ ପତ୍ରପୁଷ୍ପ ଦାମରେ ପ୍ରାଚୀରକୁ ଶୋଭିତ କରି ସେ ଶୋଭା ଜଳଦର୍ପଣରେ ଦେଖିବା ସଙ୍ଗେ ସଙ୍ଗେ ଦୁର୍ଗଟି ଦୁର୍ଗମ ବୋଲି ଜଣାଇ ଦେଉ ଅଛି । ମଧ୍ୟରେ ଠାବେ ଠାବେ ବଡ଼ ବଡ଼ ବୃକ୍ଷମାନ କୁଦର ଗୌରବ ବୃଦ୍ଧି କରୁଅଛି । ନାନାପ୍ରକାର ପୁଷ୍ପବୃକ୍ଷ ଅଯତ୍ନସମ୍ଭୁତ ହୋଇ ବିଶ୍ୱସଷ୍ଟାର ଶିଳ୍ପଚାତୁରୀକି ଲକ୍ଷ୍ୟକରି ପୁଷ୍ପୋପହାର ଘେନି ଠିଆ ହୋଇ ଅଛନ୍ତି, ମଧ୍ୟ ଶତ ଶତ କଣ୍ଟାକୋଳି ବୃକ୍ଷ ଫଳଭାରରେ ଅବନତ ହୋଇ ପ୍ରକୃତିର ଅମୃତମୟ ଡାଲା ଘେନି କ୍ଳାନ୍ତ ପଥିକର ଚିତ୍ତବିନୋଦାର୍ଥ ଦୁର୍ଗ ମଧ୍ୟରେ ପ୍ରଚ୍ଛନ୍ନ ଭାବରେ ବିରାଜିତ ହୋଇ ରହିଅଛନ୍ତି । ପାଠକେ ! ପୌଷମାସତ କୋଳିର ସମୟ । ଏତେ ପ୍ରଚୁର କଣ୍ଟାକୋଳି ଫଳ ଅନ୍ୟ କୌଣସି ସମୟରେ ମିଳଇ ନାହିଁ ଏବଂ ଏହି ମାସରେ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଅନେକ ଲୋକେ ବିଶେଷତଃ ବାଳକବାଳିକାମାନେ ଦିବାଭାଗରେ ଉକ୍ତ କୁଦକୁ ଯାଇ ପ୍ରକୃତିର ସେହି ସୁଧାମୟ ଡାଲାର ରସାସ୍ୱାଦନ କରି ଚରିତାର୍ଥ ହୁଅନ୍ତି । ମାତ୍ର ସନ୍ଧ୍ୟା ନୋହୁଣୁ ସମସ୍ତେ ଫେରି ଆସନ୍ତି । ରାତ୍ରରେ ହନୁମାନ ଦାସ ବ୍ୟାଘ୍ର ଉପରେ ଚଢ଼ି ଇତସ୍ତତଃ ପରିଭ୍ରମଣ କରନ୍ତି–ସୁତରାଂ ଭୟରେ ପଠାରେ କିଏ ରହିବ ?
ଆମ୍ଭେମାନେ ଯେଉଁ ସମୟର ଘଟନାବଳୀ ଲେଖୁଅଛୁଁ ସେ ସମୟରେ ଜଟିଆକୁଦର ଗୌରବ ହନୁମାନ ଦାସଙ୍କ ହେତୁ ବିଶେଷ ବର୍ଦ୍ଧିତ ହୋଇଥିଲା । ଏବେ ସେ କୁଦ ନାହିଁକି ସେ ହନୁମାନ ଦାସ ନାହାନ୍ତି । କାଳପ୍ରଭାବରୁ ଭୂତରେ ଭୂତ ମିଶିଯାଇ ଅଛି ଏବଂ ଲୋକଚରିତ୍ର ସ୍ମୃତିପଥରେ ସେମାନଙ୍କୁ ଆଣୁ ନ ଥିଲେ କାଳର ବିଶାଳ ବିସ୍ମୃତିଗର୍ଭରେ ସେମାନେ ବିଲୀନ ହୋଇଥାନ୍ତେ । ପ୍ରକୃତରେ ଜଟିଆକୁଦ ଏବଂ ହନୁମାନ ଦାସ ଏ ଅଞ୍ଚଳରେ ପୂରାକାଳରେ ଲୋକଙ୍କ ମନରେ ଚମକ ଜଗାଇ ରଖିଥିଲା ଏବଂ ଆପଦବିପଦରେ ଲୋକେ ଜଟିଆକୁଦକୁ ଯାଇ ହନୁମାନ ଦାସଙ୍କର ଶରଣ ଘେନି ପାରିଲେ ଆପଣାକୁ ପରମ ଭାଗ୍ୟବାନ୍ ମଣୁଥିଲେ । ଅଧିକ କି କହିବୁଁ କୁଜଙ୍ଗର ଭୂୟାଁମାନେ ଡକାଇତୀ କରିବାକୁ ଆସି ସୁଦ୍ଧା ଏହାଙ୍କୁ ସମ୍ମାନ କରୁଥିଲେ ଏବଂ ତାଙ୍କୁ ଦେଖା ନ ଦେଇ ବାହୁଡ଼ି ଯିବା ସେମାନେ ଅମଙ୍ଗଳ ସୂଚକ ବୋଲି ବୁଝୁଥିଲେ ।
ଜଟିଆକୁଦର ଠିକ୍ ମଧ୍ୟଭାଗରେ କଣ୍ଟାକୋଳିର ବିସ୍ତୃତ ବନ ଥିଲା । ତହିଁମଧ୍ୟରେ ଅନେକ ଦୂର ପର୍ଯ୍ୟନ୍ତ ଗୋଟିଏ ଅପ୍ରଶସ୍ତ ବାଟଥିଲା । ସେହିବାଟର ଉଭୟପାର୍ଶ୍ୱରେ ଧାଡ଼ି ହୋଇ କଣ୍ଟାକୋଳି ଗଛ ଓ ଉପରେ ତହିଁର ଶାଖାମାନ ମିଳିତହୋଇ ସୂର୍ଯ୍ୟଦେବଙ୍କୁ ବାଟଟି ଲୁଚାଇ ରଖି ପରମ ସୁଖରେ ବାଟର ଶୋଭା ବର୍ଦ୍ଧନ କରିଅଛି । ସୁତରାଂ ବାଟରେ ଗଲାବେଳେ ସୁଡ଼ଙ୍ଗରେ ଗମନ କଲା ପ୍ରାୟ ଜଣାଯାଇ ବିଜନସ୍ଥାନରେ ମନରେ ଅପୂର୍ବ ବୈରାଗ୍ୟଭାବ ଜାତ ହୁଏ । ଠିଆହୋଇ ଯିବାର ଉପାୟ ନାହିଁ । ଗଳି ଗଳି ଯାଇ ଅବଶେଷରେ ଗୋଟିଏ ବଟବୃକ୍ଷ ମୂଳରେ ଏକ ହୁଙ୍କା ପୁଷ୍ପ-ଚନ୍ଦନ-ଚର୍ଚ୍ଚିତ ହୋଇ ବିରାଜିତ ଥିବା ଏବଂ ତହିଁ ପାର୍ଶ୍ୱରେ ହନୁମାନଙ୍କ ପର୍ଣ୍ଣକୁଟୀର ଅବସ୍ଥାପିତ ଥିବା ଦେଖାଯିବ ।
କିମ୍ବଦନ୍ତୀ ଏରୂପ ଯେ ଜଣେ ଗୋପବାଳକ ଜଟିଆକୁଦକୁ ପ୍ରତିଦିନ ଗୋରୁ ଚରାଇବାକୁ ଯାଉଥିଲା । ଦିନେ ଦିବା ଦୁଇପ୍ରହର ସମୟରେ ହଠାତ୍ ଏକ ଦୁଧିଆଳୀ ଗାଈକି ଦେଖିବାକୁ ନ ପାଇ ଗୋପବାଳକ ଖୋଜୁ ଖୋଜୁ ଯାଇ କଣ୍ଟାକୋଳିର ବିଶାଳ ଅରଣ୍ୟରେ ପ୍ରବେଶ କରି ଇତସ୍ତତଃ ଖୋଜିବାରେ ରତ ହେଲା । ଅବଶେଷରେ ଅନେକ ଦୂରଯାଇ ଦେଖିଲା ଯେ ଗୋଟିଏ ବଟବୃକ୍ଷ-ମୂଳରେ ଏକ ହୁଙ୍କା ଉପରେ ଗାଈଟି ଠିଆ ହୋଇଅଛି ଏବଂ ସ୍ତନରୁ କ୍ଷୀରଧାରା ନିର୍ଗତ ହୋଇ ହୁଙ୍କା ଉପରେ ପଡ଼ୁଅଛି । ମାତ୍ର କ୍ଷୀରଧାର ଗଡ଼ି ଯାଉନାହିଁ । ଅଥଚ କିଏ ତାହା ଶୋଷଣ କରି ନେଉଅଛି ତାହା ମଧ୍ୟ ଦେଖା ଯାଉନାହିଁ । ଗୋପବାଳକ ଥରେ ମନେ କଲା ହୁଙ୍କା ଭାଙ୍ଗିବ, ମାତ୍ର ପରକ୍ଷଣରେ ମନରେ ଅପୂର୍ବ ଭକ୍ତି ଓ ବୈରାଗ୍ୟଭାବ ଜାତହେବାରୁ ତହିଁରୁ ବିରତ ହେଲା । ସଂସ୍କାର–ବଶବର୍ତ୍ତୀ ହୋଇ ବୁଝିଲା ଯେ ହୁଙ୍କାରେ ମହାପୁରୁଷ ଅଛନ୍ତି ଏବଂ ତାଙ୍କ ସେବାରେ ଗାଭୀ କ୍ଷୀରଧାରା ବୁହାଉ ଅଛି । ଚିନ୍ତା କରୁ କରୁ ମନରେ ଅପୂର୍ବ ଭାବ ଜାତ ହେଲା । ସମସ୍ତ ଚରାଚର ଗାଭୀରୂପରେ ତାକୁ ପ୍ରତ୍ୟକ୍ଷ ହେଲା । ସେହି ଗାଭୀ ମହାପୁରୁଷ ସେବାରେ ରତ ଥିବା ତାହାକୁ ଜଣାଗଲା । ବିଶ୍ୱବ୍ରହ୍ମାଣ୍ଡ ଭକ୍ତିଭାବରେ କ୍ଷୀରଧାରା ବୁହାଉଅଛି ଏବଂ ବିଶ୍ୱସ୍ରଷ୍ଟ୍ରା ଅଣୁପରମାଣୁରେ ପ୍ରକାଶିତ ଥାଇ ତାହା ସେବନ କରୁଅଛନ୍ତି । ଅପୂର୍ବଭାବ ! ହୁଙ୍କା ଆଗରେ ବିସ୍ମୟାପନ୍ନ ହୋଇ ଯାହା ଚିତ୍ରପୁତ୍ତଳିକା ପରି ଠିଆ ହୋଇ ରହିଥିଲା କ୍ରମେ ଏ ଭାବରେ ଉନ୍ନତ୍ତ ହୋଇ ଗୋପବାଳକ ନୃତ୍ୟ କଲା । ଈଶ୍ୱର ବିଶ୍ୱମୟ ଏବଂ ବିଶ୍ୱ ଈଶ୍ୱରମୟ ! ସ୍ରଷ୍ଟା ସ୍ୱେଚ୍ଛାକ୍ରମେ ସୃଷ୍ଟରୂପେ ପ୍ରକାଶିତ ହୋଇ ସାରସୁଧା ସେବନ କରୁଅଛନ୍ତି ! ସ୍ରଷ୍ଟା ସୃଷ୍ଟିରୁ ସାର ନିର୍ଗତ କରି ସେ ସାର ଶୋଷଣ କରୁଅଛନ୍ତି ! ଯେଉଁଠାରୁ ସାର ନିର୍ଗତ ହେଲା ପ୍ରକାରାନ୍ତରେ ସେହିଠାକୁ ସାର ଧାଇଁ ଯାଉଅଛି ! ଅପୂର୍ବ କୌଶଳ ! ଅପୂର୍ବସୃଷ୍ଟି ! ଅପୂର୍ବ ଭାବ ! ଏ ଭାବରେ ଭାବୁକ ଉନ୍ମତ୍ତ ହୋଇ ନୃତ୍ୟ ନ କଲେ ଆଉ ନୃତ୍ୟ କରିବ କେଉଁଠାରେ ? ଗୋପାଳକର ବିଷୟବୁଦ୍ଧି ହଜିଗଲା । ବିଧିନିର୍ଦ୍ଦେଶରୁ ଗୋପବାଳକର ଗୋପ-ବାଳକତ୍ୱ ଶେଷ ହେଲା । ଆଉ ସେ ପୂର୍ବର ଗୋପବାଳକ ନାହିଁ । ଆଉ ତାହାର ଘର ପ୍ରତି ମାୟା ନାହିଁ । ସନ୍ଧ୍ୟାସମାଗମରେ ଆଉ ତାହାର ଘରକୁ ବାହୁଡ଼ି ଯିବାର ଅଭିଳାଷ ନାହିଁ । ଆଉ ତାହାକୁ ପିତାମାତା ସ୍ନେହରେ ନବଘନ ବୋଲି ଡାକିବେ ନାହିଁ । ଏବେ ସେ ପୂର୍ବର ନବଘନ ଦାସ ଗୋପବାଳକ ନୁହେଁ । ଏବେ ସେ ଅପୂର୍ବଭାବରେ ଉଦ୍ଦୀପିତ ହୋଇଅଛି ! ଅପୂର୍ବ ଦେବଭାବରେ ସଜ୍ଜିତ ହୋଇ କ୍ରମେ ତାହାର ଶରୀରର କାନ୍ତି ସତେଜ ହୋଇ ଉଠିଲା । ଯେ ଗୋପବାଳକକୁ ପୂର୍ବେ ଧରି ସମାଦର କରୁଥିଲା ଏବେ ତାହାର ତେଜରେ ତାହା ନିକଟକୁ ସେ ଲୋକ ଯିବାକୁ ସଙ୍କୁଚିତ ହେବ । ଧନ୍ୟ ବିଧାତାଙ୍କର ସୃଷ୍ଟି କୌଶଳ ! କ୍ଷଣକେ କେତେ ପରିବର୍ତ୍ତନ ସୃଷ୍ଟିରେ ସଂଘଟିତ ହୋଇ ନ ପାରେ ! ଯେ କ୍ଷଣକାଳ ପୂର୍ବେ ପୂର୍ଣ୍ଣ ଗୋପବାଳକ ରୂପରେ ବିଚରଣ କରି ନିତାନ୍ତ ମାୟାମୂଢ଼ ହୋଇ ବିଷୟ-ଚିନ୍ତାରେ ନିମଗ୍ନ ଥିଲା ସେ ପୁଣି ଅପୂର୍ବ ବ୍ରହ୍ମଭାବରେ ଅନୁପ୍ରାଣୀତ ହୋଇ ସଂସାରକୁ ଇଙ୍ଗିତ ମାତ୍ରକେ ଚିହ୍ନି ପକାଇଲା ! ସବୁ ଈଶ୍ୱରଙ୍କ ମାୟା ! ସବୁ ସୃଷ୍ଟିରକ୍ଷାର୍ଥ ଲୋକ-ଶିକ୍ଷାର ଅପୂର୍ବ ଉଦାହରଣ !
ନବଘନ ଦାସ ଏହିରୂପେ ଦେବଭାବରେ ଉନ୍ମତ୍ତ ହୋଇ କେତେକ୍ଷଣ ଉତ୍ତାରୁ ନୃତ୍ୟ ସମ୍ବରଣ କରି ସ୍ଥାନ ପରିଷ୍କାର କରି ଓଳାଇ ଦେଲେ । ପରିଷ୍କୃତ ହେଲାରୁ ସ୍ଥାନଟି ଅପୂର୍ବଶ୍ରୀ ଧାରଣ କଲା । ଅପୂର୍ବ ଗୋପବାଳକ ଚିନ୍ତାନିମଗ୍ନ ହୋଇ ସେହିଠାରେ ବସି ରହିଲେ । କ୍ରମେ ନିଦ୍ରା ଆସି ତାଙ୍କୁ ଅଭିଭୂତ କଲା ଏବଂ ନିଦ୍ରାଯୋଗେ ସ୍ୱପ୍ନାବେଶରେ ଈଶ୍ୱରାଦେଶ ପାଇ ସେହିଠାରେ ପର୍ଣ୍ଣକୁଟୀର ନିର୍ମାଣକରି ହନୁମାନ ଦାସ ଆଖ୍ୟା ଗ୍ରହଣ ପୂର୍ବକ ବିରାଜିତ ହେଲେ । ଗାଭୀଟି ସେବାରେ ନିଯୁକ୍ତା ରହିଲା ।
ପରଦିନ ପିତାମାତା ଆସି ନବଘନକୁ ଫେରାଇ ନେବାକୁ ଚାହିଲେ, ମାତ୍ର ନବଘନ କହିଲେ ‘ମୁଁ ଆଉ ତୁମ୍ଭର ନବଘନ ନୁହେଁ । ମୁଁ ହନୁମାନ ଦାସ ! ମୋର ବ୍ରତ ତୁମ୍ଭେ ଭଗ୍ନ କରିବ ନାହିଁ । ଯାଅ, ମହାପୁରୁଷଙ୍କଠାରେ ଭକ୍ତି କର, ତୁମ୍ଭର ପରମମଙ୍ଗଳ ହେବ ।’ ପିତାମାତା ବାହୁଡ଼ି ଆସିଲେ । ଗ୍ରାମଲୋକେ ମଧ୍ୟ ଯାଇ ହନୁମାନ ଦାସଙ୍କୁ ଦେଖି ବାହୁଡ଼ି ଆସିଲେ । କେହି ଫେରାଇ ଆଣି ପାରିଲେ ନାହିଁ ।
ଦିନ ଦିନ ହନୁମାନ ଦାସଙ୍କ ନାମ ଈଶ୍ୱରେଚ୍ଛାରେ ଚତୁର୍ଦ୍ଦିକରେ ପ୍ରଚାରିତ ହେଲା । କ୍ରମେ ରୋଗୀ ଅସାଧ୍ୟ ରୋଗର ଔଷଧ ଏବଂ ସ୍ତ୍ରୀମାନେ ପୁତକାମନାରେ ବର ପ୍ରାପ୍ତ ହୋଇ କୃତାର୍ଥ ହେଲେ ଏବଂ ହନୁମାନ ଦାସଙ୍କ ପ୍ରତିପତ୍ତି ଏତେଦୂର ଜାଗରୂକ ହେଲା ଯେ କେହି ତାଙ୍କ ନାମରେ ମସ୍ତକ ନ ନୁଆଇଁ ରହିପାରିଲେ ନାହିଁ ଏବଂ ଅଚିରେ ଲୋକରେ ବିଦିତ ହେଲା ଯେ ହନୁମାନ ଦାସ ନିଶାଯୋଗେ ବ୍ୟାଘ୍ର ଆରୋହଣ ପୂର୍ବକ ସୃଷ୍ଟିର ମଙ୍ଗଳାମଙ୍ଗଳ ପରିଦର୍ଶନ କରନ୍ତି-।
ତାହା ସତ୍ୟ ଅବା ମିଥ୍ୟା ହେଉ ତହିଁରେ ଆମ୍ଭମାନଙ୍କର କୌଣସି ପ୍ରୟୋଜନ ନାହିଁ, ମାତ୍ର ପାଠକେ ହନୁମାନଦାସଙ୍କ ପ୍ରଭାବ ଏଥିରୁ ଉତ୍ତମରୂପେ ଜାଣି ପାରିବେ । ବ୍ୟାଘ୍ରାରୋହଣ କରିବା ବିଷୟ ଲୋକରେ ଘୋଷିତ ହେବା ସାମାନ୍ୟ କ୍ଷମତାର ପରିଚାୟକ ନୁହେ । ଏ ଅଞ୍ଚଳରେ କେବଳ ଆଉ ଜଣେ ସନ୍ନ୍ୟାସୀଙ୍କ ଭାଗ୍ୟରେ ଏହା ଘଟିଥିଲା । ତାଙ୍କର ନାମ ଗିରିଧାରୀ ଦାସ ଓ ସେ ସୁବିଶାଳ କାଇଜଙ୍ଗ ବନରେ ଅପୂର୍ବ କୁଞ୍ଜ ନିର୍ମାଣ କରି ସନ୍ନ୍ୟାସ ଧର୍ମାଚରଣରେ ନିରତ ଥିଲେ-।
ଆମ୍ଭେମାନେ ଯେଉଁ ପୌଷପୂର୍ଣ୍ଣିମା ରାତ୍ରର କଥା କହି ଆସୁଅଛୁଁ ସେ ରାତ୍ରକୁ ହନୁମାନ ଦାସ ଜଟିଆ କୁଦକୁ ଗିରିଧାରୀ ଦାସଙ୍କୁ ନିମନ୍ତ୍ରଣ କରି ଆଣିଥିଲେ । ଉଭୟ ସନ୍ନ୍ୟାସୀ ବିଜନବନରେ ଈଶ୍ୱରରାଧନାରେ ବହୁକାଳ ଉନ୍ମତ୍ତ ଭାବରେ ନିମଗ୍ନ ଥାଇ ଅବଶେଷରେ ରାତ୍ରି ପ୍ରାୟ ଦ୍ୱିପ୍ରହର ସମୟକୁ ପ୍ରସାଦ ସେବା କରି ମହାନଦୀର ଅପୂର୍ବ ଶୋଭା ସନ୍ଦର୍ଶନାର୍ଥ ଜଟିଆକୁଦର ଏକପ୍ରାନ୍ତରେ ବସି ନାନାପ୍ରକାର କଥାବାର୍ତ୍ତାରେ ନିମଗ୍ନ ରହି ଚିତ୍ତବିନୋଦନ କରୁଥିଲେ । ଏମନ୍ତ ସମୟରେ ପୂର୍ବଦିଗରୁ ଦଶଖଣ୍ଡ ଜାଲିଆ ଆସି ପହୁଞ୍ଚିଲା । ପୂର୍ବ ପରିଚ୍ଛେଦରେ ଆମ୍ଭେମାନେ ପାଠକମାନଙ୍କୁ ‘ଜାଲିଆ’ ଶବ୍ଦଟି ଉପହାର ଦେଇଅଛୁଁ । କୁଞ୍ଜଙ୍ଗ ଅଞ୍ଚଳରେ ଏହି ଆଖ୍ୟାର ନୌକା ବିଶେଷ ଦେଖାଯାଏ ଏବଂ ଡକାୟତମାନଙ୍କର ଜାଲିଆ ବିଶେଷ ପ୍ରୟୋଜନୀୟ-। ଯେତେବେଳେ କୁଞ୍ଜଙ୍ଗ ଭୂୟାଁଙ୍କଦ୍ୱାରା ଏହା ଚାଳିତ ହୁଏ ସେତେବେଳେ ଏଥିର ଗତି ବିଦ୍ୟୁତ୍ପରି ବୋଧ ହୁଏ । ଘଣ୍ଟାକେ ପାଞ୍ଚ କ୍ରୋଶଠାରୁ ଦଶକ୍ରୋଶ ପର୍ଯ୍ୟନ୍ତ ଏକ ଏକ ଜାଲିଆ ଗତି ବିସ୍ତାର କରିପାରେ ସୁତରାଂ ଜାଲିଆ ସାହାଯ୍ୟରେ କୁଜଙ୍ଗର ଭୂୟାଁମାନେ ଏକ ଏକ ରାତ୍ରରେ ବହୁଦୂର ଗମନ କରି ଡକାୟିତୀ କରିବା ଆଶ୍ଚର୍ଯ୍ୟର ବିଷୟ ନୁହଇ ଏବଂ ଏହେତୁ ତାଙ୍କୁ ଧରିବା ମଧ୍ୟ କଠିନ-।
ଜାଲିଆମାନ ପହଞ୍ଚିଲାରୁ ଆଗଜାଲିଆରୁ ଜଣେ ନାବିକ କୁଦକୁ କୁଦିପଡ଼ି ଦଉଡ଼ି ଘେନି ଗଛରେ ବାନ୍ଧିବାକୁ ଉପରକୁ ଗଲା । ଉପରେ ହନୁମାନ ଦାସ ଓ ଗିରିଧାରୀ ଦାସ ବାଜିଦ୍ୱୟ ବସିଅଛନ୍ତି । ତାଙ୍କୁ ଦଣ୍ଡବତ୍ ପ୍ରଣାମକରି ଦଉଡ଼ି ନିକଟବର୍ତ୍ତୀ ଗଛରେ ବାନ୍ଧିଦେଲା । ହନୁମାନ ଦାସ ପଚାରିଲେ ‘କିହୋ ? ଆଜିତ ବହୁତ ଆଡ଼ମ୍ବର ।’ ନାବିକ ଉତ୍ତର କଲା ‘ମହାରାଜ ! ନାଟଟା ଆଜିର ବଡ଼ ରସାଳ’ । ନାବିକ ଏହା କହି ଜାଲିଆ ନିକଟକୁ ତଳକୁ ଚାଲିଗଲା ଏବଂ ଦେଖୁ ଦେଖୁ ୧୬ ଜଣ ଲୋକ ଆସି ବାବାଜୀଙ୍କି ଦଣ୍ଡବତ୍ ପ୍ରଣିପାତ ହେଲେ ।
ନିର୍ଜ୍ଜନ କୁଦରେ ଏରୂପେ ପ୍ରକାଣ୍ଡ ଜନତା ହେଲା । ନାବିକମାନେ କୁଦର ନାନା ସ୍ଥାନରେ ନାନା ପ୍ରକାରରେ ବିଚରଣ କରିବାରେ ପ୍ରବୃତ୍ତ ହେଲେ । କ୍ରମେ ରାତ୍ରି ଦଶଘଡ଼ିଠାରେ ଉପସ୍ଥିତ ହେଲା । ଏମନ୍ତ ସମୟରେ ମହାନଦୀର ବାଲିର ବମ୍ବାଜି ଗଛର ତୁମୂଳ ଶବ୍ଦ ଜଟିଆକୁଦରେ ଅଜାଡ଼ି ହୋଇ ପଡ଼ିଲା ଏବଂ ସଙ୍ଗେ ସଙ୍ଗେ ନାବିକମାନେ ଜାଲିଆ ଫିଟାଇ ଜଟିଆକୁଦରୁ ଯାତ୍ରା କଲେ ।
ଅଷ୍ଟାଦଶ ପରିଚ୍ଛେଦ
ନାଟରସ
ବାହାବଳୀନ୍ଦ୍ର ନନ୍ଦିକେଶ୍ୱରୀ ପଠାରେ ରଘୁନାଥଙ୍କ ସହିତ ନାଟର କଥା କହିଥିବା ବିଷୟ ପାଠକେ ବୋଧ ହୁଏ ବିସ୍ତୃତ ହୋଇ ନାହାନ୍ତି । ଏତେଦୂରରେ ଆମ୍ଭେମାନେ ସେ ନାଟର ଶେଷଭାଗରେ ପହୁଞ୍ଚିଅଛୁଁ । ନବଗ୍ରାମର ଚଉଧୁରୀଙ୍କ ଦୁଆର ରୋଷନୀ ପହୁଞ୍ଚିଲା ପରେ ଯେଉଁ ଗୋଳମାଳ ଆରମ୍ଭ ହେଲା ତହିଁର ଭୀଷଣତ୍ୱ ପାଠକେ ଅନୁମାନ କରିଥିବେ । ଏଡ଼େ ବଡ଼ ରୋଷନୀ ଦେଖୁ ଦେଖୁ ଛିନ୍ନଭିନ୍ନ ହୋଇ କେଉଁଆଡ଼େ ଚାଲିଗଲା ଠିକଣା ମିଳିଲା ନାହିଁ । ଏଡ଼େ ବଡ଼ ଜନତା ଦେଖୁ ଦେଖୁ କେଉଁଆଡ଼େ ମିଳାଇଗଲା ଜଣାଗଲା ନାହିଁ । ପ୍ରଦୀପ ଯେମନ୍ତ ନିଭିବା ପୂର୍ବରୁ ଅଧିକ ତେଜରେ ଜ୍ୱଳି ଉଠେ ସେହିପରି ରୋଷନୀ ଭଙ୍ଗ ହେବା ପୂର୍ବରୁ ବୃହତ୍ ଚନ୍ଦ୍ରଉଦିଆ ଜ୍ୱଳି ଉଠିଥିଲା । ସଙ୍ଗେ ସଙ୍ଗେ ରୋଷନୀ ଭଙ୍ଗ ହେଲା, ରୋଷନୀଗଛଧାରୀ ଲୋକେ ବେଗରେ କିଛିଦୂର ଦୌଡ଼ି ନ ଯାଉଁଣୁ ଲୋକେ ଗୋଳମାଳ କରି ତାହା ଭାଙ୍ଗି ପକାଇଲେ ! ଏଡ଼େ ବଡ଼ ଆଲୋକ ଅନ୍ଧକାରରେ ପରିଣତ ହେଲା । ବାଦ୍ୟକାରମାନେ ବାଦ୍ୟ ଘେନି ଜନତା ମଧ୍ୟରେ କେଉଁଆଡ଼େ ପଳାୟନ କଲେ ଠିକଣା ମିଳିଲା ନାହିଁ ଏବଂ ତୁମୂଳ ଗୋଳମାଳ ଜନତା ସହିତ କ୍ଷଣକାଳ ମଧ୍ୟରେ ଶେଷ ପ୍ରାପ୍ତ ହେଲା । ଅଦିନ ମେଘ ଘୋର ଆଡ଼ମ୍ବରରେ ଆକାଶରେ ଉଦୟ ହୋଇ ପ୍ରଚୁର ବର୍ଷାକରି ମିଳାଇ ଗଲା ପ୍ରାୟ ରୋଷନୀ କେଉଁଆଡ଼େ ଜନତା ସହିତ ଅନ୍ତର୍ହିତ ହୋଇଗଲା ଜଣାଗଲା ନାହିଁ । ବର୍ତ୍ତମାନ ମେଘ ପରେ ଆକାଶ ପରିଷ୍କୃତ ହୋଇଅଛି । ଜନତା ଶେଷ ହୋଇ ନବଗ୍ରାମ ଶୂନ୍ୟ ହୋଇଅଛି । ଦାଣ୍ଡରେ ଆଉ ନବଗ୍ରାମର ଲୋକ ସୁଦ୍ଧା ରହିଲେ ନାହିଁ, ଅନ୍ୟ ଗ୍ରାମର ଲୋକଙ୍କ କଥା କି ବୋଲିବୁଁ ?
ରୋଷନୀ ଶେଷ ହେଲା । ବାଦ୍ୟକାରମାନେ ପଳାୟନ କଲେ । ଦେଖଣାହାରି ଲୋକେ ଆଉ ରହିବେ କାହିଁକି ? ସେମାନେ ମଧ୍ୟ ପଳାୟନ କଲେ । ପାଲିଙ୍କି ସୁଦ୍ଧା କେଉଁଆଡ଼େ ଅନ୍ତର୍ହିତ ହୋଇଗଲା ଏବଂ ଯେଉଁମାନେ ବୀରବେଶରେ ଆଶାସୋଠା ଓ ବନ୍ଧୁକ ଧରିଥିଲେ ସେମାନେ ମଧ୍ୟ ଆଉ ଦେଖା ଗଲେ ନାହିଁ । ଚରାଚର ଯେପରି ଚନ୍ଦ୍ରଜ୍ୟୋସ୍ନାରେ ବିଧୌତ ହୋଇ ରହିଥିଲା ସେହିପରି ରହିଗଲା । ରୋଷନୀର ତୀବ୍ର ଆଲୋକ ତହିଁରେ କିଛିମାତ୍ର ଦାଗ ଲଗାଇ ପାରିଲା ନାହିଁ । ନୈସର୍ଗିକ ଆଲୋକକୁ ହରାଇବା ନିମିତ୍ତ ରୋଷନୀର କୃତ୍ରିମ ଆଲୋକ ଯାହା ପଣ କରିଥିଲା ଅଳ୍ପକ୍ଷଣ ଉତ୍ପାପ କରି ଦେଖୁ ଦେଖୁ ନଷ୍ଟ ହେବାରୁ ଜଣାଗଲା ଯେମନ୍ତ ଚରାଚର ଫକ୍ଫକ୍ କରି ହସୁଅଛି ! କୃତ୍ରିମ ବସ୍ତୁ ନୈସର୍ଗିକ ବସ୍ତୁଠାରେ କେତେ ଅବା ଆଣ୍ଟ କରିପାରେ ! ଦିଗ୍ବିଦକ୍ ଏହା ଦେଖି ହସି ଉଠିଲା ! ଚନ୍ଦ୍ର ତାରକା ଆକାଶରେ ଥାଇଁ ହସି ଉଠିଲା ! ଅନ୍ୟ ଗ୍ରାମର ଲୋକ ଯେ ଜନତା ଘେନି ଚାଲିଗଲେ ସେମାନେ ସୁଦ୍ଧା ହସି ହସି ଘରକୁ ବାହୁଡ଼ି ଥିଲେ ମାତ୍ର ହସିଲେ ନାହିଁ କେବଳ ନବଗ୍ରାମର ଲୋକେ ।
ରୋଷନୀ ଭଙ୍ଗ ହେବା ସଙ୍ଗେ ସଙ୍ଗେ ଚୌଧୁରୀଙ୍କ ଘରର କାନ୍ଥମାନ ତୁମୂଳ ଧ୍ୱନିରେ ଭୂମିସାତ୍ ହୋଇ ଗ୍ରାମଯାକ କମ୍ପାଇଦେଲା ଏବଂ ତହିଁରେ ଅକ୍ଳେଶରେ ଭୂୟାଁମାନଙ୍କ ଆଗମନସମ୍ୱାଦ ପାଇ ନବଗ୍ରାମର ଲୋକେ ଚମକି ପଡ଼ିଲେ । ଗ୍ରାମଯାକର ତାଟିକବାଟ ପଡ଼ିଗଲା-। ଲୋକେ ଘର ମଧ୍ୟରେ ଥାଇଁ ସ୍ତ୍ରୀପୁତ୍ରାଦି ଘେନି ଇଷ୍ଟଦେବଙ୍କୁ ସ୍ମରଣ କଲେ । ଗ୍ରାମଟି ଏହିରୂପେ ନିସ୍ତବ୍ଧ ହୋଇଗଲା ଏବଂ ତହିଁରେ ଚୌଧୁରୀଙ୍କ ଘରର କାନ୍ଥମାନଙ୍କର ପତନଶବ୍ଦ ଆହୁରି ହୋଇ ଉଠିଲା ।
ଏକଘରେ ଅଗ୍ନି ଲାଗି ତାହା ଯେପରି ଅନ୍ୟ ଘରକୁ ବିସ୍ତାରିତ ହୁଏ ସେହିପରି ଚୌଧୁରିଙ୍କ ଘରର କାନ୍ଥମାନ ପଡ଼ୁ ପଡ଼ୁ ଦାସଙ୍କ ଘରର କାନ୍ଥମାନ ପଡ଼ିବାର ଆରମ୍ଭ ହେଲା । ଯେମନ୍ତ ଗୋଟିଏ ଗୋଟିଏ କାନ୍ଥ ପଡ଼ି ତୁମୂଳଶବ୍ଦ ବିସ୍ତାରିତ କରେ ତେମନ୍ତ ଗ୍ରାମରଲୋକେ ଅଧିକତର ଭୀତ ଓ କାତର ହୋଇ ଇଷ୍ଟଦେବଙ୍କୁ ସ୍ମରଣ କରନ୍ତି । ଏହିରୂପେ କାନ୍ଥମାନ ଗୋଟିଏ ଗୋଟିଏ, ହୋଇ ପଡ଼ିବାର ଶେଷ ହେଲା । ଦାସଙ୍କ ଘରେ ଟିକିଏ ଗୋଳମାଳ ହୋଇଥିଲା ମାତ୍ର ଦୁଇଟା ଚିତ୍କାର ଧ୍ୱନିରେ ତାହା ଶେଷହୋଇ ‘ଜୟ ମହାବୀର କି ଜୟ’ ଶବ୍ଦ ଉଥିତ ହେଲା ଓ ତାହା ଗ୍ରାମଯାକ କମ୍ପାଇ ଦେଇ ଲୋକଙ୍କୁ ଅଧିକତର ଭୟରେ ଅଭିଭୂତ କଲା । ଇତ୍ୟବସରେ ଜାଲିୟାମାନ ନବଗ୍ରାମର କୂଳରେ ଲାଗିବାରୁ ତଦବସ୍ଥିତ ଲୋକେ ହୁଙ୍କାର କରି ଗ୍ରାମମଧ୍ୟରେ ପ୍ରବିଷ୍ଟ ହୋଇ ସିଧା ସିଧା ଦାସଙ୍କ ଘରେ ପହୁଞ୍ଚି ସେଠାରୁ ଚୌଧୁରୀଙ୍କ ଘରପର୍ଯ୍ୟନ୍ତ ବିସ୍ତୃତ ହୋଇଗଲେ ଏବଂ ପରକ୍ଷଣରେ ଧାନ, ଚାଉଳ, କଂସା, ବାସନ, ଲୁଗାପଟା ଅସ୍ତ୍ର ଶସ୍ତ୍ର ଇତ୍ୟାଦି ବୁହା ଆରମ୍ଭ ହେଲା ଏବଂ ନିସ୍ତବ୍ଧ ଗ୍ରାମଦାଣ୍ଡରେ ନିଶାଚର ପ୍ରାୟ ଏମାନଙ୍କୁ ବିଚରଣ କରିବା ଦେଖାଗଲା ।
ବୁହାବୋହି ଶେଷ ହେଲା । ରଘୁନାଥ ପଟ୍ଟନାୟକ ଲୋକମାନଙ୍କୁ ‘ମହାବୀର କି ଜୟ ’ ଶବ୍ଦ ଉଚ୍ଚାରଣ କରିବାକୁ ଇଙ୍ଗିତ କରନ୍ତେ ତୁମୂଳ ଧ୍ୱନିରେ ‘ଜୟ ମହାବୀରକି ଜୟ’ ଶବ୍ଦ ଉଥିତ ହୋଇ ନବଗ୍ରାମକୁ ଦୋହଲାଇ ଦେଲା ଏବଂ ଭୂମିକମ୍ପରେ ଲୋକେ ଦୋହଲିଲା ପରି ବାସ୍ତବରେ ଭୟବିଜଡ଼ିତ ଲୋକେ ଇଷ୍ଟଦେବଙ୍କୁ ସ୍ମରଣ କରୁ କରୁ ଦୋହଲି ଯାଇଥିଲେ !
ଡକାୟତି ଶେଷ ହେଲା । ରଘୁନାଥଙ୍କ ଆଦେଶକ୍ରମେ ଡକାୟତମାନେ ଗୋବର୍ଦ୍ଧନ ଦାସଙ୍କ ଓ ତାଙ୍କ ଭାର୍ଯ୍ୟାର ଗଳା ଚିପି ପ୍ରାଣ ଘେନି ଥିଲେ । ବର୍ତ୍ତମାନ ସେମାନଙ୍କ ମୃତଶରୀର ବଂଶଖଣ୍ଡରେ ବାନ୍ଧି ପାପର ସମୁଚିତ ପ୍ରତିଫଳର ଧ୍ୱଜାସ୍ୱରୂପ ଦାସଙ୍କ ଦାଣ୍ଡଦ୍ୱାରର ଉଭୟପାର୍ଶ୍ୱରେ ଡକାୟତମାନେ ପ୍ରୋଥିତ କଲେ । ଏହିରୁପେ କାର୍ଯ୍ୟ ଶେଷ କରି ଡକାୟତମାନେ ଏକ ଏକ ହୋଇ ନାଟସ୍ଥାନରୁ ବାହୁଡ଼ିଲେ । ରଘୁନାଥଙ୍କ ଆଦେଶକ୍ରମେ କଳାବତୀ ଓ ରସକଳାଙ୍କର ମୂର୍ଚ୍ଛାଗ୍ରସ୍ତ ହତଚେତନ ଶରୀର ବଳିଆର ସିଂହ ଓ ବାହାବଳୀନ୍ଦ୍ରଙ୍କ ଦ୍ୱାରା ନୌକାକୁ ନୀତ ହେଲା ଏବଂ କ୍ରମେ ନୌକା ଓ ଜାଲିଆମାନ ପ୍ରଭୂତ ନାଟରସ ଘେନି ନଦୀକୁଳରୁ ଖୋଲାହୋଇ ନିର୍ବିଘ୍ନେ ଜଟିଆକୁଦକୁ ଗମନ କଲା ।