ଅଷ୍ଟାବିଂଶ ପରିଚ୍ଛେଦ — ବିବାସିନୀ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିଘରେ ସପ୍ତସପ୍ତତିବର୍ଷ ବୟସ୍କା ବୃଦ୍ଧା ମାତା ଛଡ଼ା ଆଉ କେହି ନାହିଁ । ସେ ମଧ୍ୟ ନିତାନ୍ତ ଜରାଜୀର୍ଣ୍ଣା ଏବଂ ତାଙ୍କର ସେବା ମଧ୍ୟ ଏହାଙ୍କୁ କରିବାକୁ ପଡ଼ଇ । ଘରକରଣା ବୃଦ୍ଧା ଏକମନରେ ସମ୍ପନ୍ନ କରି ପୁତ୍ରକୁ ତହିଁରୁ ବିରତ ହେବାକୁ ସହସ୍ରଥର ନିଷେଧ କଲେ ସୁଦ୍ଧା ପୁତ୍ର ନାନାପ୍ରକାର କାର୍ଯ୍ୟ ମାତାଙ୍କ ନିମିତ୍ତ ସମ୍ପନ୍ନ କରି ମାତାଙ୍କୁ ନାନା ରୂପରେ ସାହାଯ୍ୟ କରନ୍ତି ଏବଂ ଯତ୍ନପୂର୍ବକ ମାତାଙ୍କ ନିକଟରେ ବସି ଭୋଜନାଦିର ବ୍ୟବସ୍ଥା କରି ମାତାଙ୍କୁ ନାନା ପ୍ରକାର ସନ୍ତୋଷ ପ୍ରଦାନ କରନ୍ତି । ପାଠକେ ! ଆଜିକାଲି ପତ୍ନୀର କାଳ । ଯେ ପର୍ଯ୍ୟନ୍ତ ଲୋକ ବିବାହ କରି ନ ଥାନ୍ତି ସେ ପର୍ଯ୍ୟନ୍ତ ମାତାକୁ ମନେ କରନ୍ତି ମାତ୍ର ବିବାହ କଲା ଉତ୍ତାରୁ ପତ୍ନୀଗତପ୍ରାଣ ହୋଇ ମାତାଙ୍କୁ ଆଉ ମନେ ରଖି ପାରନ୍ତି ନାହିଁ । ଗୋଟିଏ ମନରେ ଏବେ କେତେ କଥା ରଖିବେ ! ଯେପର୍ଯ୍ୟନ୍ତ ପତ୍ନୀ ନ ଥିଲେ ସେ ପର୍ଯ୍ୟନ୍ତ ତାଙ୍କୁ ମନେ ରଖୁଥିଲେ ମାତ୍ର ଯେତେବେଳେ ମାତା ପତ୍ନୀ ଆଣି ପୁତ୍ରକୁ ଦେଲେ ସେତେବେଳେ ଆଉ ମାତାଙ୍କୁ ପଚାରିବାର ଆବଶ୍ୟକତା କି ଅଛି ? ଏଣୁ ମାତାଙ୍କୁ ସେବା କରିବା ତେଣିକି ଥାଉ ଅନେକ ସ୍ଥଳରେ ଏବେ ଅନ୍ନବିନା ମାତାଙ୍କର ମୃତ୍ୟୁପର୍ଯ୍ୟନ୍ତ ସଂଘଟିତ ହେଉଥିଲେହେଁ ପୁତ୍ରମାନେ ପଚାରନ୍ତି ନାହିଁ । ହାୟ ! କି କାଳରେ ଆମ୍ଭେମାନେ ପ୍ରବେଶ କରିଅଛୁଁ-! କାହିଁ ଜନ୍ମଦାତ୍ରୀ ମାତାଙ୍କ ସେବା କରିବା ଦ୍ୱାରା ଆପଣାର ଜନ୍ମ ସାର୍ଥକ କରିବୁ ନା ତାଙ୍କୁ ଏକାବେଳକେ ପାସୋରି ଯିବାକୁ ହେଲା ! ମାତାଙ୍କଠାରୁ ପତ୍ନୀ କି ଏତେ ଅଧିକ ସ୍ନେହମୟୀ ?
ଥାଉ, ସେ କଥାରେ ପ୍ରୟୋଜନ ନାହିଁ । ଆମ୍ଭମାନଙ୍କର କଥିତ ଯୁବକ ମାତାଙ୍କ ସେବାରେ ଅତ୍ୟନ୍ତ ନିରତ ଥିଲେ ଏବଂ ମାତାଙ୍କ ସେବା କରିବାଦ୍ୱାରା ଆପଣାର ଜୀବନ ସାର୍ଥକ ବୋଲି ମନେ କରୁଥିଲେ । ମାତା ସୁଦ୍ଧା ସେବାରେ ସନ୍ତୁଷ୍ଟ ଥାଇ ସତତ ଈଶ୍ୱରଙ୍କଠାରେ ପୁତ୍ରର ଆୟୁ ଏବଂ ମଙ୍ଗଳ କାମନା କରୁଥିଲେ । ପୁତ୍ରର ମଧ୍ୟ ଅଭାବ କିଛି ନ ଥିଲା । ଈଶ୍ୱର ଧନଦ୍ରବ୍ୟରେ ତାଙ୍କୁ ସୁଖୀ କରିଥିଲେ ଏମନ୍ତ କି ଖାଇ ପିଇ ପର ପ୍ରତିପୋଷଣ ଏବଂ ଧର୍ମ୍ମାଚରଣ କରିବାକୁ ତାହା ଯଥେଷ୍ଟ ଥିଲା । ଦୁଃଖ ମଧ୍ୟରେ କେବଳ ପତ୍ନୀ ନାଶ । ତାହା ଆଜକୁ ପାଞ୍ଚବର୍ଷ ହେଲା ହୋଇଅଛି-। ପତ୍ନୀଟି ଅତୀବ ଗୁଣବତୀ ଥିଲେ । ଶାଶୁର ଏକମାତ୍ର ବୋହୂ ହୋଇ ଅତ୍ୟନ୍ତ ଆଦରଣୀୟା ଥିଲେ ସୁଦ୍ଧା ଗର୍ବକରି ପାଟିରେ ସାତପର ଉଠାଉ ନ ଥିଲେ ବରଂ ଅଧିକତର ଆଦର ପ୍ରାପ୍ତ ହୋଇ କିରୂପେ ତାହା ପରିଶୋଧ କରିବେ ଜାଣି ନ ପାରି ସତତ ଶାଶୁଙ୍କୁ ସନ୍ତୁଷ୍ଟା କରିବାରେ ନିରତା ଥିଲେ । ଦିନେ ନୋଟିଏ ପାଣି ଶାଶୁଙ୍କ ନିକଟରେ ଆଣିଦେବାକୁ ଶାଶୁଙ୍କୁ କହିବାକୁ ହୋଇ ନାହିଁ । ବେଳ ଜାଣି ଶାଶୁଙ୍କୁ ସମୁଦାୟ ଯୋଗାଇ ଦେଉଥିଲେ ଏବଂ ଘର କରି କେବେ କୌଣସି କଥାରେ ଦୋଷ ହେଲେ ଶାଶୁଙ୍କ ଗୋଡ଼ଧରି କ୍ଷମା ପ୍ରାର୍ଥନା କରୁଥିଲେ । ପାଠକପାଠିକାମାନେ ଆମ୍ଭ ଉପରେ ବିରକ୍ତ ହେବେ ନାହିଁ ମାତ୍ର ଆଜି କାଲିର ବୋହୂମାନେ ଶାଶୁଙ୍କ ଗୋଡ଼ ଧରିବା ତେଣିକି ଥାଉ ଶାଶୁଙ୍କ ମୁଣ୍ଡରେ ନିଜ ନିଜ ପଦରଜ ଦେବାକୁ ଛାଡ଼ନ୍ତି ନାହିଁ ! ସେମାନେ ପ୍ରକୃତି ପୁରୁଷର ଅନନ୍ତଲୀଳା ମନେ କରି ଆପଣାକୁ ଘରର ସର୍ବସ୍ୱ ବୋଲି ଜ୍ଞାନ କରନ୍ତି ଏବଂ ତାଙ୍କ ମତରେ ବୃଦ୍ଧା ମାତା ତାଙ୍କର ସେବା କରିବା କାରଣ ଈଶ୍ୱରାଦେଶରେ ବଞ୍ଚିଅଛନ୍ତି ଏତିକି ମାତ୍ର !! ସେ ଯାହା ହେଉ ବୃଦ୍ଧା ଏପରି ବଧୂହରାଇ ଯେ ଅତ୍ୟନ୍ତ ଶୋକବିହ୍ୱଳିତା ହୋଇଥିଲେ ବୋଲିବା ଅଧିକ । ଯୁବକ ମଧ୍ୟ ଗୁଣବତୀ ଭାର୍ଯ୍ୟା ହରାଇ ନିତାନ୍ତ ଶୋକବିହ୍ୱଳିତ ହୋଇଥିଲେ । ବିବାହ ଦିନଠାରୁ ପତ୍ନୀ ସ୍ୱାମୀସେବାରେ ନିୟତ ନିଯୁକ୍ତା ଥିଲେ । ଶାଶୁ ଆଉ ସ୍ୱାମୀ ଭିନ୍ନ ତାଙ୍କର ଇହସଂସାରରେ ଆଉ କେହି ନ ଥିଲା ପ୍ରାୟ ତାଙ୍କୁ ଜଣାଥିଲା ଏବଂ ଶାଶୁ ଓ ସ୍ୱାମୀର ସନ୍ତୋଷସାଧନ କରିପାରିଲେ ସେ ସ୍ୱର୍ଗକୁ ଯିବେ ବୋଲି ଯେମନ୍ତ ରୁଝି ରଖିଥିଲେ । ସେ ଯେପରି ଭାବରେ ସ୍ୱାମୀଙ୍କର କାର୍ଯ୍ୟ ଚଳାଉଥିଲେ ଆଜ୍ଞାକାରିଭୃତ୍ୟ ସୁଦ୍ଧା ସେପରି ମନ ଯୋଗାଇ ପାରିବ ନାହିଁ । ସଂସାରରେ ଈଶ୍ୱରଙ୍କ ମାୟା ବୁଝିବା କଠିନ । ମାତା କି ପୁତ୍ର କେହି ଥରେ ଭାବି ନ ଥିଲେ ଯେ ଏପରି ଗୁଣବତୀ ରମଣୀ ତାଙ୍କୁ ଛାଡ଼ି ଚିରକାଳ ନିମନ୍ତେ ଚାଲିଯିବେ । ଉଭୟେ ରମଣୀଙ୍କ ସେବାରେ ସନ୍ତୁଷ୍ଟ ଥାଇ ତାଙ୍କୁ ସର୍ବଦା ସୁଖରେ ରଖିବା ନିମିତ୍ତ ପ୍ରୟାସ ପାଉଥିଲେ । ମାତ୍ର ମନୁଷ୍ୟର ଚେଷ୍ଟା ବା ଇଚ୍ଛାରେ ଜଗତରେ କିଛି ହୁଅଇ ନାହିଁ । ହଠାତ୍ କାଳ ଉପସ୍ଥିତ ହୋଇ ଜ୍ୱରରୋଗର ବାହାନାରେ ଶୋକସନ୍ତପ୍ତ ଭୂମି ବିଲୁଣ୍ଠିତ ସ୍ୱାମୀ ଓ ଶାଶୁଙ୍କ ନିକଟରୁ ତାଙ୍କୁ ଘେନି ଚାଲିଗଲା ! କାହାରି ଆୟତ୍ତ ନାହିଁ ! ସେ କାଳ ଅତି ଦୁର୍ଦ୍ଦମନୀୟ ! ସେ କାହାରି କଥା ଶୁଣଇ ନାହିଁ-! କେବେ ଉତ୍କୋଚ ନେଇ ଦଣ୍ଡେ ସୁଦ୍ଧା ଅପେକ୍ଷା କରଇ ନାହିଁ ! ଏପରି ଗୋଟାକୁ ଯେ ବିଧାତା କାହିଁକି ସଂସାରରୁ ରତ୍ନବୃନ୍ଦ ହରଣ କରିବା କାରଣ ନିଯୁକ୍ତ କରିଅଛନ୍ତି ତାହା ତାଙ୍କୁ ଗୋଚର ! ଅଥବା ସେ ଅତ୍ୟନ୍ତ ପ୍ରଭୁଭକ୍ତ ! ପ୍ରଭୁର ଆଜ୍ଞାପାଳନରେ ଦଣ୍ଡେ ସୁଦ୍ଧା ହେଳା କରଇ ନାହିଁ । କିଅବା କାର୍ଯ୍ୟଭିଡ଼ରୁ କାହାରି କଥା ଶୁଣଇ ନାହିଁ ! ବୃଦ୍ଧା ଓ ଯୁବକ କେତେ ଅବା ମନେକରି ନ ଥିଲେ ଯେ ଆଉ ଦଣ୍ଡେ ହେଲେ ରମଣୀ ବଞ୍ଚି ରହନ୍ତୁ । ମାତ୍ର ନିର୍ଦ୍ଦୟ କାଳ ତାହା ଶୁଣିଲା ନାହିଁ । ପ୍ରଭୁର ଆଦେଶରେ ତାହାର ହୃଦୟ ବଜ୍ରରୁ ବଳି କଠିନ ହୋଇ ଯାଇଅଛି ! ତାଙ୍କର ମୃତ୍ୟୁରେ ଘର ଅନ୍ଧକାର ହୋଇଗଲା ! ବୃଦ୍ଧାର ଶୋକ ସମ୍ଭାଳି ହେଲା ନାହିଁ ! ପୁତ୍ର ମନର ଶୋକ ମନରେ ମାରି ମାତାଙ୍କୁ କେତେ ମତେ ବୁଝାଇ ନିଜବସନରେ ମାତାର ଅଶ୍ରୁପ୍ରୋଞ୍ଛନ କଲେ । ମାତ୍ର ସେ ଅଶ୍ରୁ ବନ୍ଦ ହେବାର ନୁହଇ ! ବର୍ଷାକାଳୀନ ନିର୍ଝର ପ୍ରାୟ ଅନବରତ ନେତ୍ରଦ୍ୱୟରୁ ଅଶ୍ରୁଧାରା ବିଗଳିତ ହେଉଅଛି–ସଂସାରର ସାନ୍ତ୍ୱନା ବୃଦ୍ଧା ମାତାଙ୍କୁ ଅଣ୍ଟିଲା ନାହିଁ ! ଅଣ୍ଟିବ ଅବା କିପରି ? ବୃଦ୍ଧା ତ ଏ ବୟସରେ ବୋହୂକୁ ଗଣ୍ଠିଧନ କରି ରଖିଥିଲା ତାହା ଚୋରି ଯିବା କି ସାମାନ୍ୟ କଥା ! ସେ ତ ବୃଦ୍ଧାର ନୟନ ପିତୁଳା ହୋଇଥିଲେ–ତାଙ୍କୁ ହରାଇବାରୁ ବାସ୍ତବରେ ଦୃଷ୍ଟିଶକ୍ତି ଅଧିକକ୍ଷୀଣା ହୋଇଗଲା ! ସେତ ବୃଦ୍ଧାର ଜୀବନ ହୋଇ ରହିଥିଲେ–ତାଙ୍କ ବିନା ବୃଦ୍ଧାର ଅଣ୍ଟା ଭାଙ୍ଗିଗଲା ? ସେ ତ ବୃଦ୍ଧାର ଯଷ୍ଟି ହୋଇ ରହିଥିଲେ–ତାଙ୍କୁ ଦେଖିବାକୁ ନ ପାଇ ବୃଦ୍ଧା ବିଛଣାରୁ ଉଠିଲେ ନାହିଁ ! ବୃଦ୍ଧାର ଏ ଶୋକ ଅନୁଭବୀ ବିନା ଆନ କେହି ବୁଝି ପାରିବେ ନାହିଁ । ବୃଦ୍ଧା ବୋହୂକୁ ହରାଇ ଶର୍ଯ୍ୟାରୁ ଉଠିବାର ଆଶା ଚିରକାଳ ନିମନ୍ତେ ତ୍ୟାଗ କରିଥିଲେ ।
କିନ୍ତୁ କି ହେବ ? ଶୋକ କଲେ କି ମୃତବ୍ୟକ୍ତି ଫେରି ଆସଇ ! ବୃଦ୍ଧା କେତେ ଅବା ବାହୁନାଇ କାନ୍ଦି ନ ଥିଲେ । ତାଙ୍କ କ୍ରନ୍ଦନରେ ଗଛପତ୍ର ସୁଦ୍ଧା ଝଡ଼ି ପଡ଼ି ଥିଲା ମାତ୍ର କାଳକୁ ସେ ସବୁ ଅଣ୍ଟିଲା ନାହିଁ । ତାହାକୁ କିଛିହିଁ ଫେରାଇ ପାରିଲା ନାହିଁ । ବୃଦ୍ଧା ଶଯ୍ୟାରୁ ନ ଉଠିଲେ କାଳର କି ଯାଏ ! ସୁଃଖଦୁଃଖରେ ସେ ସତତ ରଙ୍ଗ ଦେଖୁଅଛି । ତୁମ୍ଭେ କାନ୍ଦି ଗଡ଼ିଗଲେ ସୁଦ୍ଧା କାଳ ନଇବାର ପାତ୍ର ନୁହଇ । ତୁମ୍ଭେ ନିଜେ ମରି ଯାଇ ପାର ମାତ୍ର କାଳ ସେଥିପାଇଁ ମୃତବ୍ୟକ୍ତିକି ଆଣି ଦେବ ନାହିଁ । ଏ କିଛି ନୂତନକଥା ନୁହଇ । ଚିରକାଳ ଏହା ଆମ୍ଭେମାନେ ଦେଖି ଆସୁଅଛୁଁ ମାତ୍ର ରକ୍ତମାଂସର ଶରୀର ବୁଝିବ କି ? ଯୁବକଙ୍କୁ ଏ କଥା ଉତ୍ତମରୂପେ ଜଣାଥିଲା । ତଥାପି ତାଙ୍କୁ ଶୋକ କି ଊଣା ହେଲା ? କିନ୍ତୁ ଶୋକ କରିବାକୁ ଅବସର ପାଇଲେ ନାହିଁ ପତ୍ନୀବିୟୋଗ ରୂପ ଶୋକ ସୁଦ୍ଧା ମାତାଙ୍କ ନିମିତ୍ତ ସହିବା କର୍ତ୍ତବ୍ୟ ଜ୍ଞାନକରି ହୃଦୟର ନିଭୃତତମ କନ୍ଦରରେ ଶୋକକୁ ଘୋଡ଼ାଇ ରଖି ମାତାର ସାନ୍ତ୍ୱନାରେ ନିଯୁକ୍ତ ହେଲେ । କାଳକ୍ରମେ ମାତା ଶାନ୍ତ ହେଲେ ସତ୍ୟ ମାତ୍ର ଆଉ ଶଯ୍ୟାରୁ ଉଠି ପାରିଲେ ନାହିଁ । କେବେ ଉଠି ପୁତ୍ର ପାଇଁ କ୍ଷଣେ କାର୍ଯ୍ୟ କଲେ ପରକ୍ଷଣରେ ଅଣ୍ଟା ପିଠି ଲାଗି ଯାଏ -ସୁତରାଂ ଶଯ୍ୟାରେ ବାଧ୍ୟହୋଇ ପଡ଼ି ରହନ୍ତି । ପୁତ୍ର ମଧ୍ୟ ସେବାର ତ୍ରୃଟି କରନ୍ତି ନାହିଁ । ମାତା ତାଙ୍କର ସର୍ବସ୍ୱ-ଇଶ୍ୱର ରୂପରେ ତାଙ୍କ ନିକଟରେ ମାତା ବର୍ତ୍ତମାନ ବୋଲି ତାଙ୍କୁ ଜଣାଥିଲା ଏବଂ ଦଣ୍ଡେ ହେଲେ ମାତାଙ୍କ ନିକଟରେ ଥାଇ ସେବାରେ ତ୍ରୁଟି କରୁ ନ ଥିଲେ । ଆହା ! ମାତୃସେବାରେ ଯାହାର ଜୀବନ ତିଳକ ନିମନ୍ତେ ସୁଦ୍ଧା ଅତିବାହିତ ହୁଏ ସେ କେଡ଼େ ଧନ୍ୟ-! ସେ କେଡ଼େ ମହାନ୍ ! ତାହାର ଗୁଣ ବାସୁକୀ ସହସ୍ର ମୁଖରେ କି ଗାଇ ପାରିବେ ?
ତେବେ ଗୋଟିଏ କଥା । ମାତାଙ୍କ ସେବାରେ ଜୀବନ ଅତିବାହିତ କଲେ ସୁଦ୍ଧା ଗୁଣବତୀ ଭାର୍ଯ୍ୟା ହରାଇ ଯୁବକର ଆଉ ଦାରପରିଗ୍ରହ କରିବା କାରଣ ମତି ବଳିଲା ନାହିଁ । ମାତ୍ର ମାତାଙ୍କର ଇଚ୍ଛା ଯେ ପୁତ୍ର ଆଉ ଗୋଟିଏ ବିବାହ କରୁ । ମାତାପୁତ୍ରରେ ବେଳେ ବେଳେ ତର୍କବିତର୍କ ହୁଅଇ । ପୁତ୍ର ଅତୀବ ନମ୍ରଭାବରେ ମାତାଙ୍କୁ ବୁଝାଇ ଦିଅନ୍ତି ଯେ ଆର ବହୂଟି ଆସିଲେ ସେ ଯଦି ମୁଖରା କି ଅବାଧ୍ୟା ହେବ ତେବେ ପୁତ୍ରର ପାପ ଭିନ୍ନ ପୂଣ୍ୟ ନାହିଁ । ମାତା ଏଥିର ମର୍ମ୍ମ ବୁଝି ପାରନ୍ତି ସତ୍ୟ ମାତ୍ର ଘର ତ କରିବାକୁ ହେବ–ଏହେତୁ ପୁତ୍ରକୁ ନାନାପ୍ରକାର ବୁଝାନ୍ତି । ଏହି ରୂପରେ ପାଞ୍ଚବର୍ଷ ଅତୀତ ହୋଇଅଛି । ତହିଁ ଉତ୍ତାରୁ ପୁତ୍ର ଦିନେ ଏହି ରୋଗଶଯ୍ୟାଶାୟିତା ରମଣୀ ଘେନି ଘରେ ଉପସ୍ଥିତ ।
ପୁତ୍ରକୁ ବୟସ ତ୍ରିଂଶଦ୍ବର୍ଷ । ଯେଉଁ ରମଣୀଟି ଘରକୁ ଆନୀତା ହେଲେ ସେ ଯୁବତୀ । ବିବାହ ନ କରି ଘରକୁ ରମଣୀଟିଏ ଆଣିବା ଅନୁଚିତ । ଏ ହେତୁ ମାତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ପୁଣି ମନେ କଲେ ପୁତ୍ର ଅବା ତୋଳାକନ୍ୟା କରି ମାତାଙ୍କୁ ନ ଜଣାଇ ଘରକୁ ରମଣୀଟିଏ ଆଣିଅଛି । ହେଉ, କୌଣସି ମତେ ବିବାହ କଲେ ହେଲା । ମାତ୍ର ରମଣୀ ଯେ ରୋଗ-ପୀଡ଼ିତା ! ମାତା ଆଉ ସମ୍ଭାଳି ପାରିଲେ ନାହିଁ- ପୁତ୍ରକୁ ତହିଁର କାରଣ ପଚାରିଲେ । ପୁତ୍ର ମାତାଙ୍କୁ ବୁଝାଇ ଦେଲେ ଯେ ରମଣୀ ରୋଗରେ ଅଯତ୍ନ ଭାବରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିଲେ । ତାଙ୍କୁ ସେବାକରି ଯଦି ବଞ୍ଚାଇ ପାରନ୍ତି ଏହେତୁ ସ୍ଥାନାଭାବରେ ଘରକୁ ଘେନି ଆସି ଅଛନ୍ତି । ମାତା କୁଳଶୀଳର କଥା ପଚାରିଲେ ଏବଂ ପୁତ୍ରଠାରୁ ଯେଉଁ ଉତ୍ତର ପାଇଲେ ତହିଁରେ ଜାତିମର୍ଯ୍ୟାଦାରେ ଊଣା ନ ଦେଖି ଆଶ୍ୱସ୍ତା ହେଲେ ଏବଂ ରମଣୀର ରୋଗପୀଡ଼ାରେ ସୁଦ୍ଧା ଯେ ଟିକିଏ ସୌନ୍ଦର୍ଯ୍ୟ ଥିଲା ତାହା ମଧ୍ୟ ବୃଦ୍ଧାର ମନୋହରଣ କରିବାକୁ ଅରୋଗ୍ୟ ହେଲେ ଏହି ରମଣୀକି ପୁତ୍ରକୁ ବିବାହ ଦେବେ ବୋଲି ସ୍ଥିର କରି ବୃଦ୍ଧା ଟିକିଏ ଚେଇଁ ଉଠିଥିଲେ ! ଯୁବକ ମଧ୍ୟ ନିର୍ବିବାଦରେ ଏହିରୂପେ ରମଣୀକି ଆପଣା ଘରେ ରଖି ବୈଦ୍ୟ ଲଗାଇ ସେବାରେ ନିଯୁକ୍ତ ହେଲେ ।
ଦୁଇଦିନ ତଳେ ରମଣୀର ବଞ୍ଚିବାର ଆଶା ନ ଥିଲା । ମୃତ୍ୟୁର ପୂର୍ବଗାମୀ ସନ୍ନିପାତ ସର୍ବାଙ୍ଗ ଘୋଟି ଯାଇଥିଲା । ଯୁବକ ଈଶ୍ୱରଙ୍କଠାରେ କେତେ ମତେ ପ୍ରାର୍ଥନା କରିଥିଲେ ମାତ୍ର କିଛି ଫଳ ହୋଇ ନ ଥିଲା । ଆଜି ପ୍ରାତଃକାଳରୁ କିଞ୍ଚିତ୍ ପରିବର୍ତ୍ତନ ଦେଖାଗଲା ଏବଂ ସନ୍ଧ୍ୟାକୁ ଦୁଇପଣରେ ରୋଗ ଊଣା ହୋଇଥିବାର ସ୍ଥିର ଜଣାଗଲା । ସୁତରାଂ ଯୁବକ ପୂର୍ବଠାରୁ କିଞ୍ଚିତ୍ ଆଶ୍ୱସ୍ତ ମନରେ ରୋଗୀର ସେବା କରୁଅଛନ୍ତି । ଆଜି ସନ୍ଧ୍ୟା ଉତ୍ତାରୁ ରୋଗୀ ଥରେ ଦୁଇଥର ଚକ୍ଷୁ ଫେଡ଼ି ଅନାଇଥିଲେ । ସାତଦିନ ହେଲା ତାଙ୍କର ଚକ୍ଷୁ ଉନ୍ନୀଳିତ ହୋଇ ନ ଥିଲା ଏବଂ ଆଜି ଚକ୍ଷୁରୁନ୍ନୀଳନରେ ଯୁବକ ଆକାଶର ଚାନ୍ଦ ହାତରେ ପାଇ ପରମେଶ୍ୱରଙ୍କଠାରେ କୃତଜ୍ଞତା ଜ୍ଞାପନ ପୂର୍ବକ ସମଧିକ ଉତ୍ସାହରେ ରୋଗୀର ସେବା କରୁଅଛନ୍ତି । ସାତଦିନ ହେଲା ରୋଗୀର ଜ୍ଞାନ ହୋଇ ନ ଥିଲା ଏବଂ ସାତ ଦିନ ଯୁବକର ଚକ୍ଷୁରେ ନିଦ୍ରା ନାହିଁ ସେ ପରିତପ୍ତ ମନରେ ଆହାରନିଦ୍ରା ପରିତ୍ୟାଗ ପୂର୍ବକ ରୋଗୀର ସେବାରେ ନିଯୁକ୍ତ ଅଛନ୍ତି ।
ଅର୍ଦ୍ଧରାତ୍ରରୁ ଅଧିକ ଅତୀତ ହୋଇଅଛି । ରୋଗୀ ସନ୍ଧ୍ୟାସମୟରେ ଚକ୍ଷୁରୁନ୍ନୀଳନ କରି ଆଉ ଚକ୍ଷୁ ଫେଡ଼ି ନ ଥିଲେ ଏବଂ ରୋଗ ଦୁଇପଣରେ ଊଣା ପଡ଼ିଥିବାରୁ ରୋଗୀର ଜ୍ଞାନସଞ୍ଚାର ହୋଇଥିବାର ଉତ୍ତମ ବିଶ୍ୱାସ ଜନ୍ମିଅଛି । ସୁତରାଂ ରୋଗୀର ଭଲ ନିଦ୍ରା ହୋଇଥିବାରେ ଯୁବକର ସନ୍ଦେହ ନ ଥିଲା । ତଥାପି ନିବିଷ୍ଟ ମନରେ ରୋଗୀର ମୁଖମଣ୍ଡଳକୁ ଅନାଇ ଶରୀରଯନ୍ତ୍ରର କେତେବେଳେ କି ପରିବର୍ତ୍ତନ ହଠାତ୍ ଘଟିଯିବ ଏକ ଦୃଷ୍ଟିରେ ଦେଖୁ ଅଛନ୍ତି ।
କେତେକ୍ଷଣ ଉତ୍ତାରୁ ରୋଗୀ ଦୀର୍ଘନିଶ୍ୱାସ ପକାଇ ପୁନର୍ବାର ଚକ୍ଷୁ ମେଲିଲେ । ଯୁବକ ନିବିଷ୍ଟ ମନରେ ମୁଖମଣ୍ଡଳପ୍ରତି ଦୃଷ୍ଟିନିକ୍ଷେପ କରିଥିବାରେ ଛାଏଁ ରମଣୀର ଦୃଷ୍ଟି ଏକାବେଳକେ ଯୁବକର ଦୃଷ୍ଟିରେ ମିଶିଗଲା । ଯୁବକର ଆଉ ଆନନ୍ଦର ସୀମା ରହିଲା ନାହିଁ ଏବଂ ମନେ ମନେ ଈଶ୍ୱରଙ୍କୁ ପ୍ରଭୁତ ଧନ୍ୟବାଦ ଦେଲେ । ଯୁବକର ମୁଖମଣ୍ଡଳ ସମ୍ପୂର୍ଣ୍ଣରୂପେ ଯୁବତୀର ଚକ୍ଷୁରେ ଅଙ୍କିତ ହେବା ସଙ୍ଗେ ସଙ୍ଗେ ଯୁବତୀ ଚକ୍ଷୁ ମୁଦି ଦୃଷ୍ଟିରୁ ଅନ୍ତର କରିଦେଲେ ଏବଂ ପରକ୍ଷଣରେ ଶରୀରରେ ସାମାନ୍ୟରୂପେ ଯେଉଁ କ୍ରିୟା ପ୍ରକାଶ କଲେ ତହିଁରେ ରମଣୀ କିଞ୍ଚିତ୍ ଲଜ୍ଜାସଙ୍କୁଚିତା ହେବାର ଜଣାଗଲା ।
ଜ୍ଞାନ ହୋଇଥିବାର ଆଉ ପ୍ରମାଣର ପ୍ରୟୋଜନ ନାହିଁ । ଯୁବକ ମନରେ ସହସ୍ରଥର ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ । ତାଙ୍କର ହୃଦୟ ଆନନ୍ଦରେ ନୃତ୍ୟ କଲା । ଆନନ୍ଦ ଶରୀରରେ କମ୍ପ ଜାତକଲା ଏବଂ ଯୁବକ ସେ ଆନନ୍ଦରେ ବିହ୍ୱଳ ହୋଇ ନିଦ୍ରା ପାସୋରି ପୁଣି ଯୁବତୀର ମୁଖମଣ୍ଡଳକୁ ଅନାଇ ରହିଲେ ।
ପୁଣି କିୟତ୍କାଳ ପରେ ରମଣୀ ଚକ୍ଷୁରୁନ୍ନୀଳନ କଲେ । ପୁଣି ସେ ଚକ୍ଷୁରେ ଯୁବକର ପ୍ରଫୁଲ୍ଲ ବଦନମଣ୍ଡଳ ଅଙ୍କିତ ହେଲା । ସଙ୍ଗେ ସଙ୍ଗେ ରମଣୀ ଚକ୍ଷୁ ମୁଦିଲେ ଏବଂ ସଙ୍ଗେ ସଙ୍ଗେ ଲଜ୍ଜାସଙ୍କୁଚିତା ହୋଇଥିବାର ଭାବ ଶରୀରରେ ଜାତ ହେଲା । ଏବଂ ଧୀରେ ଧୀରେ ହସ୍ତ ଚାଳନପୂର୍ବକ ବସ୍ତ୍ର ସଜାଡ଼ି ଦେଇ ଅତି ମୃଦୁସ୍ୱରରେ କହିଲେ ‘‘କିଏ’’ ।
ଯୁବକ ଦେଖିଲେ ରମଣୀର ସମ୍ପୂର୍ଣ୍ଣ ଜ୍ଞାନର ବିକାଶ ହୋଇଅଛି ଆଉ ଜୀବନର ଭୟ ନାହିଁ । ଅପରିଚିତ ଲୋକ ନିକଟରେ ଥିବାରୁ ରମଣୀର ଲଜ୍ଜାଭାବ ପର୍ଯ୍ୟନ୍ତ ଜାତ ହୋଇଅଛି ଏବଂ ବାକ୍ଶକ୍ତି ପୂର୍ବଭାବରେ ଉପସ୍ଥିତ ହୋଇ ନ ଥିବାରୁ କେବଳ ‘‘କିଏ’’ ବୋଲି ଜାଣିବା କାରଣ ବ୍ୟକ୍ତ କଲେ । ଯୁବକର ମନ ମୋହିତ ହୋଇଗଲା । ଯୁବତୀ ଯେ ବଞ୍ଚିବେ ତହିଁରେ ଯୁବକର ଦିନେ ଆଶା ହଜି ଯାଇଥିଲା । ଆଜି ‘‘କିଏ’’ ଶବ୍ଦର ଉଚ୍ଚାରଣରେ ଯୁବକର ବଳ ସାତଗୁଣ ହୋଇଗଲା । ସେ ‘‘କିଏ’’ ଶବ୍ଦ କେଜାଣି କେତେ ଅମୃତ ଆଣିଥିଲା ଯେ ଯୁବକର ମୃତପ୍ରାୟ ଶରୀର ଜୀବନସ୍ଫୁର୍ତ୍ତିରେ ନୃତ୍ୟ କଲା । ‘‘କିଏ’’ ଶବ୍ଦ ଅନେକ ଥର ଅନେକ ଲୋକଙ୍କ ମୁଖରୁ ଯୁବକ ଶୁଣି ଅଛନ୍ତି ମାତ୍ର ବର୍ତ୍ତମାନ ଯେଉଁ ‘‘କିଏ’’ ଶବ୍ଦ ଶ୍ରବଣେନ୍ଦ୍ରିୟରେ ସୁଧାଧାରା ଢାଳି ଦେଲା ତାହା ଜୀବନରେ କେବେ ଶୁଣି ନାହାନ୍ତି କି କେବେ ଭୁଲିବେ ନାହିଁ ।
ଯୁବକ ମନେ କଲେ ଉତ୍ତର ନ ଦେଲେ ରମଣୀର ମନ ଚଞ୍ଚଳ ହୋଇ ଅଧିକ ମନ୍ଦ ହୋଇ ପାରେ ତେଣୁ ଧୀରେ ଧୀରେ କହିଲେ ‘‘ତୁମ୍ଭେ ସ୍ଥିର ହୋଇ ଶୁଅ । କିଛି ମାତ୍ର ଚିନ୍ତା ନ କର-। ଏ ତୁମ୍ଭର ଘର । ମୋହର ନାମ ରଘୁନାଥ ପଟ୍ଟନାୟକ ।’’
ଉତ୍ତର ଶୁଣିବା ମାତ୍ରକେ ରମଣୀର ଗାତ୍ର ରୋମାଞ୍ଚିତ ହୋଇ ଇଷତ୍ କମ୍ପିତ ହେଲା ମାତ୍ର ଶରୀରରେ ବଳ ନ ଥିବାରୁ ଆଉ କିଛି କହି ପାରିଲେ ନାହିଁ । ରଘୁନାଥ ମଧ୍ୟ ନୀରବ ହୋଇ ନିବିଷ୍ଟ ମନରେ ରମଣୀର ମୁଖମଣ୍ଡଳ ଧ୍ୟାନ କରୁ କରୁ ପୂର୍ବବତ୍ ଶୁଶ୍ରୂଷାରେ ବ୍ରତୀ ହେଲେ ।