ବଡ଼ଲୋକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିନାଟ୍ୟୋଲ୍ଲିଖିତ ବ୍ୟକ୍ତିମାନଙ୍କର ନାମପୁରୁଷଚୌଧୁରୀ ଭୋଳାନାଥ ସାମନ୍ତରାୟଜମିଦାରମୁକୁନ୍ଦପୁତ୍ରରତନ ଓ ମାଣକମୋ’ ସାହେବ ଦ୍ୱୟଭଜନ ଲେଙ୍କାମାଳୀବାମଦେବଶିକ୍ଷିତବ୍ୟକ୍ତିହରିସଙ୍ଗୀତ ଓସ୍ତାଦଲକ୍ଷଣସାଜବାଲାପାଣ୍ଡବ ସାହୁଗୁଡ଼ିଆସାଧୁପଣ୍ଡାଲୁଗାବେପାରୀଘନସାହୁତେଲୀଚୈତନ ଦେତାମ୍ବୁଳୀମଦନ ଓ ପଦନଭଡ଼ୁଆଦ୍ୱୟମହନ୍ତ ପ୍ରେମାନନ୍ଦ ଗୋସ୍ୱାମୀମଠଧାରୀଚାନ୍ଦମଣିଗୁମାସ୍ତାକେଶବ ଓ ରଘୁଗୋପାଳଦ୍ୱୟଧୁନ୍ଦା ଓ ବୁନ୍ଦାପ୍ରହରିଦ୍ୱୟଦ୍ୱାରୀ, ବୈଷ୍ଣବଦଳ, ନାଟଦଳ, ପିଆଦା, ଚପରାସୀ, କେଳା, ସାଧୁ, ଚୌକୀଦାର, ଶିଳ୍ପୀ, କନ୍ଧ ଇତ୍ୟାଦି ।ସ୍ତ୍ରୀସୁଲୋଚନାଭୋଳାନାଥର ସ୍ତ୍ରୀଚନ୍ଦ୍ରକଳାଦାସୀପ୍ରିୟବତୀବାମଦେବର ସ୍ତ୍ରୀସ୍ୱର୍ଣ୍ଣଲତାବାମଦେବର କନ୍ୟାଯାମିନୀ ଓ କାମିନୀସ୍ୱର୍ଣ୍ଣଲତାର ସହଚରୀନେତୀ ଓ ପେତୀବେଶ୍ୟାଦ୍ୱୟଦାସୀ, କେଲୁଣି ଓ କନ୍ଧୁଣୀ ।* ସନ ୧୯୧୩ ଖ୍ରୀଷ୍ଟାବ୍ଦରେ ରଚିତ ଓ ଅଭିନୀତ ।ପ୍ରସ୍ତାବନା(ଗୀତ ଗାଉଁ ୨ ଅଦୃଷ୍ଟ - କୁମାରୀମାନଙ୍କର ଏକ ଏକ ହୋଇ ପ୍ରବେଶ ଓ ନୃତ୍ୟ ।)ରାଗିଣୀ ଶଙ୍କରା । ତାଳ ଆଡ଼ଖେମଟା ।ପ୍ରଥମ ଅଃ କୁଃ – କେ ଧନୀ କେ ଜ୍ଞାନୀ ମାନୀ କେ ବୋଲ ବଡ଼ ସଂସାରେ ।ଦ୍ୱିତୀୟ ଅଃ କୁଃ – ପରକୁ ଯେ କରେ ବଡ଼ ଛାର ସର୍ବେ ତାହାଠାରେ । ଘୋଷା ।ତୃତୀୟ ଅଃ କୁଃ – ହୀରା ଯେ ପଥର ପରାଚତୁର୍ଥ ଅଃ କୁଃ – ଦୁଃଖିକି ଦିଅଇ ଧରା,ପଞ୍ଚମ ଅଃ କୁଃ – ଜ୍ୟୋତି ତାର ପରପାଇଁ ପରଖି ନିଅ ବେଭାରେ । ୧ ।
ସମ୍ବନ୍ଧିତ ରଚନା
ଇଚ୍ଛାବତୀ ହରଣ ସୁଆଙ୍ଗବୈଷ୍ଣବ ପାଣି ବୈଷ୍ଣବ ପାଣି
ସ୍ୟମନ୍ତକମଣିହରଣବୈଷ୍ଣବ ପାଣି ବୈଷ୍ଣବ ପାଣି
ସମସ୍ତେ – ଯେ କାନ୍ଦଇ ପରପାଇଁ ଦେଶହିତେ ରତଥାଇଁ,
ତୁଳସୀ- ପତର ପରି ସୁବାସ ଆପେ ବାହାରେ । ୨ ।
(ଅଦୃଷ୍ଟ - କୁମାରୀମାନଙ୍କର ପ୍ରସ୍ଥାନ ଓ ଯବନିକା ପତନ ।)
ପ୍ରଥମ ଅଭିନୟ
ପ୍ରଥମ ଦୃଶ୍ୟ
ଉଦ୍ୟାନ(ରତନ ଓ ମାଣିକର ଗୋଟିଏ ଲେଖାଏଁ ଗୋଡ଼ରେ ଘୁଙ୍ଗୁର ବାନ୍ଧି ଧରାଧରି ହୋଇ ନୃତ୍ୟସହିତ ଗୀତ ଗାଉଁ ୨ ପ୍ରବେଶ ।)ରତ ଓ ମାଣି – (ଗୀତ)ରାଗିଣୀ କାଫି । ତାଳ କବାଲୀ ।ଯୋଡ଼ି ଯୋଡ଼ି ରତନେ କି ବାହାର ।କେଡ଼େ ଚକଚକ ଜକଜକ ଝକମକ ତାର -ପଡ଼ିଗଲେ ଆଖି ଥରେ ଟାଣେ ବାର ବାର । ଘୋଷା ।ଅନ୍ଧାର ସଂସାର ଯେବେ ଚନ୍ଦ୍ର ସୂର୍ଯ୍ୟ ନାହିଁ,ଶୋଭେ ସର ସରୋଜିନୀ କୁମୁଦିନୀ ଥାଇ,ଗୀତ ବାଦ୍ୟ ଯୋଡ଼ି ଘେନି ସଭା ଅଳଙ୍କାର ମାନି, -ଯୋଡ଼ି ନାଟୁଆରେ ନାଟ ଅଭିନୟ ସାର ।୧।ବୋତଲ ଗିଲାସ ଯୋଡ଼ି ନ ହେଲେ ନ ଚଳେ,ଯୋଡ଼ି ମୋ’ ସାହେବ ହେଲେ ମଜା କେତେ ବଢ଼େଗୁରୁଚାଟ ସୁରାଚାଟ ହେବ ଯେବେ ଯୋଡ଼ି ଭେଟ -ଭବସିନ୍ଧୁ ଅବହେଳେ ହୋଇଯିବ ପାର ।୨।[ଭଜନାର ପ୍ରବେଶ ।]ଭଜ – (ହସ୍ତ୨) ବାହାବା ! ବାହାବା ! ଗଙ୍ଗା ଯମୁନା ଏକାଠି ମିଳି ବହି ଯାଉଛନ୍ତି ! (ସେହି ସ୍ୱରରେ)କ୍ଷୀରନୀର ମିଳାଇ ଗୋପାଳ ଯାଏ ତରି,ଗଙ୍ଗା- ଯମୁନା ସଙ୍ଗମେ ପାପଯାଏ ଡରି,ଦୁଇମନ ଏକ ହେଲେ ପ୍ରଭେଦ ନ ଥାଇ ତିଳେ -ଗୋଡ଼କେ ଘୁଙ୍ଗୁର ମଜା ଲୁଟେ ଭାରଭାର ।
ରତ ଓ ମାଣି – (ପରସ୍ପରକୁ ଅନାଇ ଭଜନାକୁ ଅଙ୍ଗୁଳି ଦେଖାଇ ନିଶାଭୋଳରେ) ଠିକ କହିଛି - ଠିକ କହିଛି ! ରତନକୁ ରତନ ଚିହ୍ନେ - ଭଜନା ମାଳିରତନ । !
ଭଜ – ଆଉ କଣ ଘୁଙ୍ଗୁର ମିଳିଲା ନାହିଁ ଯେ ଗୋଟାଏ ଗୋଟାଏ ଗୋଡ଼ରେ ଘୁଙ୍ଗୁର ବାନ୍ଧିଛ ?ରତ – ଆରେ ଗୋଟାଏ ଗୋଡ଼କୁ ତ ରାଇଜ ନାହିଁ - ଦିଟା ହେଲେ ସ୍ୱର୍ଗକୁ ଯାଇ ସାରିଥାନ୍ତୁଁଣି !ମାଣି – ଆରେ ଭଜନା - ତୁ - ତୁ- ବଗିଚା ଛାଡ଼ି ଯାଇଥିଲୁ କୁଆଡ଼େ ?ଭଜ – (ପୂର୍ବ ରାଗରେ)ମାଳୀ ବଗିଚାର ରାଜା କାହାକୁ ନ ଡରେ,ଭଜନା ମାଳୀର ରାଜା ତା ହୁକୁମ କରେ,ରସିକ ଭାବୁକ ଗୁଣୀ ମାଳୀ ମତୁଆଲା ପୁଣିବୈକୁଣ୍ଠେ ଭଜିବ ମାଳି - ସୁଖ ପାରାବାର ।ମାଣିଆଉ ଦୁନିଆରେ ରହିବୁ ନାହିଁ - ସଶରୀରେ ସ୍ୱର୍ଗବାସ ! ଆରେ ଚଉଁରିରେତ ହଳେ ଘୁଙ୍ଗୁର ଥିଲା, ପିନ୍ଧି ଆସିଲୁଁ । - ବୋତଲ କାହିଁ ?ରତ – ଭଜନା ରସିକ ହୋଇ ଗଲାଣି - ମଦ ଖାଇ ଶିଖିଲା ଦିନୁ ଆଉ ବଗିଚା କାମରେ ତାର ମନ ନାହିଁ ।
ଭଜ – ସାନ୍ତେ ଦରମା ଦେବାକୁ ଯେମନ୍ତ ଭଜନା କାମ କରିବାକୁ ତେମନ୍ତ । ତୁମେ ମଦ ଖୁଆଇ ଶିଖାଇଲ - ମୁ ଚୁଟି କାଟି ବାବୁ ହେଇଗଲି । (କାଖରୁ ବୋତଲ ବାହାରକରି ଦେଖାଇ ଗୀତ)
ରାଗିଣୀ ଝିଝିଁଟ । ତାଳ ଛପକା ।ଲାଲ ଗୁଲାଲ ବୋତଲ ତୁ ଭଜ ବାରେ ।ଆଉ ରାଧାକୃଷ୍ଣ ନାମ ଭଜ ନା ରେ । ଘୋଷା ।ଚୁଟି କେବେ ରଖ ନା ରେ ଖାଲି ଗୋଡ଼େ ଯା ନା -ତାଳପତ୍ର ଛତା କେବେ ଧର ନା ରେ । ୧ ।ରତ – ମୁଁ ତ ଦିନେ ଟୋପାଏ ତୋତେ ଦେଇଥିଲି !ଭଜ – ବସ୍- ସେହି ଟିକିକ ପାଇ ଜଗାଇ ମାଧାଇ ପରି ଉଦ୍ଧାର ହୋଇ ଯାଇ ଖାଲି ତାକୁଇ ଭଜୁଛି । ସାନ୍ତେ
ତାକୁଇ ଭଜୁଛନ୍ତି – ଗାଁ ଯାକ ତାଙ୍କ ଲାଗି ଉଦ୍ଧାର ହୋଇ ଯାଇ ସେଇଆ ଭଜୁଛନ୍ତି, ଆଉ ଭଜନା ତୁମ ଯୋଗେ ମିଠା ଟିକିଏ ପାଇ ତାକୁ ଛାଡ଼ି ଆଉ କିଛି ଭଜୁ ନାହିଁ ।
ରତ – ସେହିଟା ତୋର ପରା ଭଜନ ହୋଇ ଗଲାଣି ।
ଭଜ – ଆଉ କିସ କରିବି ମୋ’ ସାହେବ ବାବୁ ? ଦରମା ଫରମା ତ ବର୍ଷେ ହେଲା ମିଳିବାକୁ ନାହିଁ - ବଗିଚାରେ ଯାହା ହୁଏ ସବୁ ବିକି ଭାଙ୍ଗି ଖାଉଛି - ଜମିଦାରଙ୍କର କେହି ଆସନ୍ତି ନାହିଁ ଯେ ଧରିବେ । ଥରେ ଥରେ ଗାଁରୁ ନିତିଆ-ମା ମଣିଷ ପଠାଇ ଦିକ୍କରେ, - କଣ କରିବ, ବାହା ହେଇଥିଲି, ପୁଅଟା ହେଇଛି, ନ ଦେଲେ ସେ ବଞ୍ଚିବେ କିପରି ? କଲମ ଫଲମ ଯାହା ବାନ୍ଧିଥାଏଁ ବିକି ତାକୁ ଅଧେ ଦିଏଁ ଆଉ ଅଧକରେ ଲାଲଗୁଲାଲ ସେବା କରେଁ ।
ରତ – କାନ୍ଧରେ ଗୋଟାଏ ନୂଆ କୁର୍ତ୍ତା କି ରେ ?
ଭଜ – ହଁ ବାବୁ ! ଜାଡ଼ଦିନ ହେବ ବୋଲି ଗୋଟାଏ ମଣିଷମୁଣ୍ଡିଆ ଆାମ୍ବଗଛର କଲମୀ କରି ସାଆନ୍ତଙ୍କ ଗ୍ରାମକୁ ଯାଇଥିଲି । ସାନ୍ତେ ଭାରୀ ଖୁସି ହୋଇ କୁର୍ତ୍ତାଟିଏ ଆଉ ପାଞ୍ଚୋଟି ଟଙ୍କା ବକ୍ସିସ୍ ଦେଲେ ।
ମାଣି – କଲମୀଟା କଣ ହେଲା ?ଭଜ – ସାଆନ୍ତେ କହିଲେ ବଗିଚାରେ ଲଗାଇବାକୁ - ସେ ଆସୁଛନ୍ତି ନାଁ ଦେଖୁଛନ୍ତି- ମୁଁ ହାଟରେ ଟଙ୍କାଟିକୁ ବିକି ଦେଲି ।ରତ – କେମନ୍ତ ? ଭଲ ନିମକସଚ୍ଚା ଚାକରଟିଏ ଏକା !
ଭଜ – ମୋ’ ସାହେବ ବାବୁ, ପେଟ ପୋଷ ନାହିଁ ଦୋଷ, କଥା ଅଛି । - ଆଉ ମୁଁ କଣ ଏକା ଚୋର ? ତନ୍ତି ସୂତା ଚୋରାଏ, ଦର୍ଜୀ ଲୁଗା ଚୋରାଏ, କେଉଟ ମାଛ ଚୋରାଏ, ବଢ଼େଇ କାଠ ଚୋରାଏ, ଅବଧାନ ପାଠ ଚୋରାଏ, ଓସ୍ତାଦ ଘତ ଚୋରାଏ, ବଣିଆ ସୁନା ଚୋରାଏ, ଆଉ ଘରଣୀ କନା ଚୋରାଏ ।
ରତ – ଶାସ୍ତ୍ର ତ ତୋହରି ମୁହଁରେ ! - ଟଙ୍କା କଣ କଲୁ ?ଭଜ
ପାଞ୍ଚଟଙ୍କାରୁ ରେସା ଖାଇ ଗୁମାସ୍ତାଏ ଦେଲେ ପାଞ୍ଚସୁକା ; ମୁଦିଠୁ ଭୁଜାବାଲୀ ଯାଏ ସମସ୍ତଙ୍କର କାଳୀ ହୋଇଥିଲା ତାଙ୍କୁ ଦେଲି ଆଉ ଦଶଅଣାର ମାଲ ଆଣିଲି ।
ରତ – ମାଲ କାହିଁକି କିଣିଲୁ ? କହିଥିଲେତ ବିଲାତୀ ମାଲ ବୋତଲେ ଦେଇଥାନ୍ତି, ଶ ଶ ବୋତଲ ଧରା ହୋଇଛି ।
ଭଜ – ହଁ ତା ହେଇଥାନ୍ତା, - ଶୁଣି ନାହଁ କି ସ୍ୱଦେଶୀ ସ୍ୱଦେଶୀ ବୋଲି ଚାରିଆଡ଼େ ହୁରି ପଡ଼ିଛି, ସେଇଆ ହାଟରେ ଶୁଣି ଶୁଣ୍ଢିଠାରୁ ସ୍ୱଦେଶୀ ବୋତଲେ ଆଣିଲି ପରା ! (ମାଣିକକୁ ବୋତଲ ଦେବା !)
ମାଣି – (ବୋତଲକୁ ନିରୀକ୍ଷଣ କରି) ଏ ବୋତଲ କି ସ୍ୱଦେଶୀ !ଭଜ – ସବୁ ସୁଅ ଦେଶରେ ଭାସି ଯାଉଛି ! (ରତନକୁ କୁର୍ତ୍ତା ଦେବା ।)ରତ – (କୁର୍ତ୍ତା ମେଲାଇ ଦେଖି) ବାଃ ଏତ ଗରମ କୋଟ । ଆ, ମୁଁ ତୋତେ ପିନ୍ଧାଇ ଦେବି । ତୋର ତ ଚୁଟି ନାହିଁ - ସାଜିବ ।
ଭଜ – ଚୁଟି ଥିଲେ ବି ପୂଜାବାଲାଙ୍କ ପରି ସାଜିଥାନ୍ତି ! ମୁଁ ପିନ୍ଧିବି ଯେ, ମୋତେ ଦିଅ-। (କୋଟ ନେଇ ଓଲଟା ପିନ୍ଧି ପିଠିଆଡ଼ କରି) ଦିଅ ବାବୁ ବୋତାମ ଲଗାଇ ଦେବଟି ।
ରତ – ଆରେ ଓଲୁ, ଓଲଟା ହେଲା ଯେ - ମୁଁ ପିନ୍ଧାଇ ଦିଏଁ ।
ଭଜ – ନା ନା ଏହିବାରେ ପିନ୍ଧନ୍ତି - ହଠାତ୍ବାବୁ ପରା ! ବୋତାମଗୁଡ଼ାକ ଆଗରେ ହେଲେତ ବାବୁ ହାତରେ ବୋତାମ ଲଗାନ୍ତେ, ଚାକର ଲୋଡ଼ା ହୁଅନ୍ତା କାହିଁକି ?
ରତ – ହେଲା, ତୋରି କଥା ହେଉ । (ବୋତାମ ଲଗାଇଦେଇ) ଚାଲ ତୋତେ ଏହି ବେଶରେ ସାଆନ୍ତଙ୍କ କତିକି ନେଇଯିବି ।ଭଜ – ଚାଲ, ବସାରେ ଆଗେ ମାଲ ଟିକିକ ମାରିଦେବା । (ପୂର୍ବ ରାଗରେ ଗୀତ)ଭୂଜା ଚୂଡ଼ା କନ୍ଦ ଉଖୁଡ଼ା ଆଉ ଏବେ ଖାନା ।ସ୍ୱର୍ଗଗଙ୍ଗା- ପାଣି- ବୋତଲ ଛାଡ଼ ନାରେ ।ଲାଲ ଗୁଲାଲ ବୋତଲ ତୁ ଭଜ ବାରେ ।
[ସଂକୀର୍ତ୍ତନ କରୁ ୨ ନୃତ୍ୟଭଙ୍ଗୀରେ ଏକଦଳ ବୈଷ୍ଣବର ପ୍ରବେଶ ଏବଂ ରତନ, ମାଣିକ ଓ ଭଜନାର ବିଦ୍ରୁପାତ୍ମକ ନାନା ପ୍ରକାର ନୃତ୍ୟ ଓ ଅଙ୍ଗଭଙ୍ଗୀ-।]
ବୈଷ୍ଣବଦଳ – (କୀର୍ତ୍ତନ)ରାଗିଣୀ ସୁରଟମିଶ୍ରିତ । ତାଳ ଏକତାଲା ।ପ୍ରାଣର ପ୍ରିୟ ଭାଇ ପିଅ ହରିନାମ - ସୁଧା ମୁଖେ ।ବସୁଧା ଭୁଲାଇ ସେହି ସୁଧା ନେଇ ବୈକୁଣ୍ଠେ ବସାଏ ସୁଖେ । ଘୋଷା ।ସେହି ସୁଧା – ସୁରାଠାରୁ ବଳେ ଭାଇ,ନିଶା – ବଳି ତାକୁ ଆନ ନାହିଁ,କେତେ ପ୍ରେମ ଘେନି ଭକ୍ତ - ବାଞ୍ଛା ମାନି ରାଧାକୃଷ୍ଣରୂପେ ଲୋକେଅବତରିଲେ -ଭକତ- ଉଦ୍ଧାର ପାଇଁ,ପ୍ରେମ, ଶୁଦ୍ଧପ୍ରେମ, ପ୍ରେମବିନା ସ୍ୱାର୍ଥ ଆନ ନାହିଁ ,ଭଜ ଦିନରାତି ଭାବଭୋଳେ ମାତି ହରିବୋଲ ସୁଖେଦୁଖେ-ହରିବୋଲ ହରିବୋଲ ହରି ହରି ବୋଲ ବୋଲ ମୁଖେ ।୧।ମାନମୟୀ ସେହି ରାଧା ପାଇ ପାଇ ପାଏ ବାଧା,ଦୟାମୟ କୃଷ୍ଣ ପ୍ରେମୀ ଆସେ ପାଶେ ନୁହେଁ ଜାଣି,ଭାଙ୍ଗିବା ପାଇଁ ସେ ମହତ ଗୁମାନ ଧରେ ପାଦପଦ୍ମ ବେନି -ଭକ୍ତପାଦ ଶିର ମଣ୍ଡେ - ବିନୟୀ ନ ଛାଡ଼େ ଦଣ୍ଡେ,ନ ପାଇବ ଏଡ଼େ ପ୍ରେମମୟ ପ୍ରଭୁ ଭ୍ରମି ଭ୍ରମି ତିନିଲୋକେ -ହରିବୋଲ ହରିବୋଲ ହରି ହରି ବୋଲ ବୋଲ ମୁଖେ ।୨।
ଭଜ – (ମୁଖ ଭଙ୍ଗୀକରି) ବାଃ ! ବାଃ ! ଖାଲି ଗାଇଲୁ ! ପିଅ ହରିନାମ ମୁଖେ ! ପିଅ ହରିନାମ ମୁଖେ ! ପିଅ ହରିନାମ ମୁଖେ - ମୁହଁତ ଅଛି, ନାମଟା ପିଇବ କିପରି ? ଏଁ
ରତ – (ତତ୍ବତ୍) ପିଅ ହରିନାମ ମୁଖେ ! ସୂରାଟାତ ପିଇବା ପଦାର୍ଥ - ନାମଟା କେମନ୍ତେ ପିଇବ ? ଏଗୁଡ଼ାକ ତୁଚ୍ଛା ଗାଲୁଆ !ମାଣି – (ତଦ୍ଦତ୍) ପିଅ ହରିନାମ ମୁଖେ ! ସୁରା ପିଇ କେମନ୍ତ ନିଶା ହୋଇଛି ଦେଖ - ନାମଟାରେ ନିଶା ହେବ କେଉଁଆଡ଼ୁ ?ବୈଷ୍ଣବଦଳ – (ବିନୀତଭାବେ) ରାଧେକୃଷ୍ଣ ! ହରେକୃଷ୍ଣ ! କିଛି ଭଗତଙ୍କୁ ଦେବନାହିଁ ?
ଭଜ – (ପୁର୍ବବତ୍) ଭଗତ - ଶୁଖିଲା ଭଗତ ! ମେଲାବାଡ଼ ପାଇ ପଶି ଆସି ଗାଲୁମାରି ଆହୁରି ମାଗୁଛନ୍ତି - (ହାତମୁଠା ଟେକି) ଦେବି ଯେ ମୁଥେ !
ରତ – (ପୂର୍ବବତ୍) ମାର , ମାର - ଭଣ୍ଡବୈଷ୍ଣବ ! (ମାରିବାକୁ ହାତ ଉଠାଇବା ।)ମାଣି – (ପୂର୍ବବତ୍) କି ମଜା ଭାଙ୍ଗିଦେଲେ ରେ - ଲଗାଅ (ମାରିବାକୁ ଗୋଡ଼ାଇବା-।)ବୈ,ଦ – (ପାଟିକରି) ଆରେ ମାରିପକେଇଲେ ହୋ ! (ପଳାୟନ)[ରତନ, ମାଣିକ ଓ ଭଜନାର ବୈଷ୍ଣବଦଳକୁ ଗୋଡ଼ାଇ ପ୍ରସ୍ଥାନ ।]ପଟ-ପରିବର୍ତ୍ତନ
ଦ୍ୱିତୀୟ ଦୃଶ୍ୟ
ବୈଠକଖାନା[ଭୋଳାନାଥ ତକିଆ ଆଉଜି ଉପବିଷ୍ଟ, ସମ୍ମୁଖରେ ଦୁଇଟା ବୋତଲ, ଗିଲାସ ଓ ଚାଟ ରକ୍ଷିତ]
ଭୋଳା – (ସ୍ୱର୍ଗତ) ଧର୍ମହେଲା ହିନ୍ଦୁ - ତାକୁ ବଳି ଧର୍ମ ନାହିଁ ! ବାରମାସରେ ତେର ପର୍ବ - ଗୋଟାଏ ନ ଯାଉଣୁ ଆଉ ଗୋଟାଏ । ନିଶ୍ଚିନ୍ତ ବସି ଆମୋଦ କରୁଥାଅ ଆଉ ମଦ ଖାଉଥାଅ । ସ୍ୱର୍ଗରେ ଦେବତା ମାନେ ମଦ ଖାନ୍ତି - ଋଷିମାନେବି ମଧୁପାନ କରୁଥିଲେ, ଏବେ ଛଙ୍କା - ନିରୋଳା - ଖାଣ୍ଟି ମଧୁ- ସୋମରସ ସୁନ୍ଦର ବୋତଲରେ ବିଲାତରୁ ଆସି ଦାଣ୍ଡହାଟରେ ଗଡ଼ଗଡ଼ାଉଛି-। ଯେତେ ଖାଇବ ଖାଉଥାଅ, ଯେତେ ମଜାମାରିବ ମାରୁଥାଅ । ଏଥର ଗଣେଶ ପୂଜାକୁ ହଜାରେ ବୋତଲ ଆମଦାନୀ କରିଛି, ଅଣ୍ଟିବ ଯେ ।
[ଦ୍ୱାରୀର ପ୍ରବେଶ ।]ଦ୍ୱାରୀ – (ହାତଯୋଡ଼ି) ଆଜ୍ଞା ସାନ୍ତେ ! ବାମଦେବ ବାବୁ ଆସିଛନ୍ତି ।
ଭୋଳା – (ବିରକ୍ତ ଭାବେ) ଓଃ ! ସେ ଦେବତାକୁ ବାମ ! - ଏତେବେଳେ କାହିଁକି ଦିକ୍ କରିବାକୁ ଆସିଲେ ? ନ ଡାକିଲେ ଦାଣ୍ଡରେ କେତେଗୁଡ଼ାଏ ଯାଇ ବକିବେ-। ଉଠା, ଏ ବୋତଲ ଗିଲାସ ଚାଟ ସେ ପାଖରେ ରଖି ଡାକି ଦେ ।
ଦ୍ୱାରୀ – (ତଦ୍ବତ୍) ହଜୁର ! ଆଃ, କଣ ଗୁଡ଼ାଏ ଆର୍ଯ୍ୟ ମତଧରି ଏ ବାମଦେବର କୌଣସି ପର୍ବନାହିଁ ! ତାର ଖାଲି ହୋମ ଆଉ କାମ - ସୃଷ୍ଟିଟାକୁ ଅଲଗା କରିଦେଲା !
[ବାମଦେବର ପ୍ରବେଶ]ବାମ – (ଦୁଇହାତ ଟେକି) । ନମସ୍ତେ, ଭୋଳାନାଥବାବୁ ନମସ୍ତେ !ଭୋଳା – (ଦୁଇହାତରେ ନମସ୍କାର କରି) ନମସ୍ତେ ! କୁଆଡ଼େ ଆସିଲ ? ବସ ।ବାମ – (ଉପବେଶନ କରି) ମୁଁ ଗୋଟାଏ ଭଲ ପରାମର୍ଶ ଦେବାକୁ ଆସିଛି - ଶୁଣିବତ କହିବି ।ଭୋଳା – ଭଲ ଯେବେ ଶୁଣିବି ନାହିଁ ? - ତୁମ୍ଭର ଭଲ କି ଆମ୍ଭର ଭଲ ?ବାମ – ଉଭୟ ପକ୍ଷର ଭଲ, ଦେଶର ଭଲ ଆଉ ତୁମ୍ଭର ଭଲ ହେଲେ ଆମ୍ଭର ଭଲ-।ଭୋଳା – କି କଥା କିସ ?
ବାମ – କଥା ଏହିତା, କର୍ଜଦାମ କରି ତୁମ୍ଭର ସମ୍ପତ୍ତିବାଡ଼ି ସବୁ ଚାଲିଯାଉଛି - ମୁ୍ଁ କହୁଥିଲି ବାକୀ ଯେତକ ଅଛି ଗୋଟାଏ କାରବାରରେ ଲଗାଇଲେ ଦୁଇଚାରି ବର୍ଷ ମଧ୍ୟରେ ଯାହା ଥିଲା ତାର ଚତୁର୍ଗଣ ହୋଇଯିବ ।
ବାମ – ମୁଁ ବିଲାତକୁ ଲେଖି ଗୋଟାଏ ସାହେବ ଅଣାଇ ଇଷ୍ଟିମିଟ କରିଛି ଚମଡ଼ାର କାରଖାନା କରିବି । ଦୁଇଲକ୍ଷ ମୂଳଧନ ହେଲେ ଏହିକ୍ଷଣି କାରବାରଟି ଚଳିବ ମୋ କତିରେ ଲକ୍ଷେ ଅଛି ଆଉ ଲକ୍ଷେ ଟଙ୍କା ଦଶଟଙ୍କିଆ ଅଂଶ କରି ଉଠାଇବି । ତୁମ୍ଭେ ଯେବେ ଯବାବ ଦିଅନ୍ତ ମୁଁ ତୁମ୍ଭରି ବାକି ଜମିଦାରୀ ବିକ୍ରି କରି ମହାଜନ ପରିଶୋଧ କରି ଦିଅନ୍ତି, ଯାହା ବଳନ୍ତା ମୋ କାରବାରର ଅଂଶରେ ଲାଗନ୍ତା ।
ଭୋଳା – କେତେ ହେବ ବୁଝିଥିଲ ?
ବାମ – ମୁଁ ଗୋଟାଏ ମୋଟାମୋଟି ହିସାବ କରି ଦେଖିଛି ତୁମ୍ଭର ଦଶହଜାର ଟଙ୍କା ସଦରଜମାର ଜମିଦାରୀ କେହି ଚାରି କେହି ପାଞ୍ଚ ଗୁଣାରେ ନିଲାମ ହୋଇଗଲା କାହାରି ଟଙ୍କା ପରିଶୋଧ ପାଇପାରିଲା ନାହିଁ । ବାକୀ ଯେ କୋଡ଼ିଏ ହଜାର ଟଙ୍କାର ଜମିଦାରୀ ଅଛି ମୁଁ କୋଡ଼ିଏ ଗୁଣାରେ ବିକ୍ରୀ କରିଦେଇ ମହାଜନଙ୍କୁ ତିନିଲକ୍ଷ ଟଙ୍କା ଶୁଝି ଲକ୍ଷେ କାରବାରରେ ଲଗାନ୍ତି ।
ଭୋଳା – ଆଉ ମୁଁ ଖାଇବି କଣ ?- କାରବାରରୁତ ଠୋପଟାକ୍ ଲାଭ ମିଳିବ ନାହିଁ ।
ବାମ – ମୁଁ ମାସକୁ ମାସ ଦେଢ଼ଶ ଟଙ୍କା ଦେବି ଲେଖି ଦେଉଛି । ବର୍ଷେ ଗଲାଠୁ ଲାଭ ନିଶ୍ଚୟ ହେବ ଆଉ ତେତେବେଳେ ହଜାର ହଜାର ହେଉଁ ହେଉଁ ଲକ୍ଷେ ଲକ୍ଷେ ବର୍ଷକୁ ଲାଭ ଉଠିବ । ମୁଁ ସବୁ ସଜିଲ କରିଛି ଏଠାରୁ ବିଲାତ ପର୍ଯ୍ୟନ୍ତ ଯୋଗାଯିବ - ଜାହାଜରେ ଦିଜାହାଜ ମାଲ ଚାଲିବ ।
ଭୋଳା – (ହାତଯୋଡ଼ି) ବାମଦେବ ବାବୁ ମାଫ କରିବେ - ଟେକାପାଣିରେ ମୁଁ ଚଳି ପାରିବି ନାହିଁ । ତୁମ୍ଭେ ସିନା ଆର୍ଯ୍ୟଧର୍ମରେ କଣଗୁଡ଼ାଏ ବେଦର ଦୀକ୍ଷା ପାଇ ପୂଜାପୂଜି ଛାଡ଼ି ଦେଇ ଖାଲି ଟିକିଏ ହୋମରେ କାମ ସାରି ବାଣିଜ୍ୟ ବ୍ୟବସାୟରେ ଲାଗିଛ ଆଉ ଯେଉଁ ଆଡ଼େ ମନ ଦେଉଛ କରି ପକାଉଛ । ଆମ୍ଭେ ଧର୍ମ ଛାଡ଼ି ପାରିବୁ ନାହିଁ - ବାପଦାଦା ଅମଳର ପୂଜାପୂଜି ଛାଡ଼ି ନ ପାରୁଁ । ଏହିତ ଗଣେଶପୂଜା ଆସୁଛି - କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ - ତୁମ୍ଭର ମାସକୁ ଦେଢ଼ଶ ଟଙ୍କା ସମୁଦ୍ରକୁ ଶଙ୍ଖେ ପାଣି । ତୁମ୍ଭେ ଲେଖାପଢ଼ା ଶିଖି ଓକାଲତୀ କରି ସରକାରରୁ ଖେତାବ ପାଇ ଆଜି ତେଲ -କାରଖାନା, କାଲି ଲୁଗା-କାରାଖାନା ଯାହା ଚାହୁଁଛ ତାହା କରି ପକାଉଛ । ଦିନାକେତେ ଚାଷ କରି ନିଜେ ଲଙ୍ଗଳ ଧଇଲ, ଆଜି ପୁଣି ମୋଚିର କାମ କରି ସକାଳୁ ଚମ ଛୁଇଁବାକୁ ଯାଉଛ । ଯାଅ, ଅନ୍ୟଯାଗା ଦେଖ - ଆମର ଧର୍ମ ଥିଲେ ସବୁ ଅଛି ଗୋଟିଏ ଜମିଦାରୀ ଚାଳିଶ ପଟ ଦାମ ହୋଇଛି, ଗୁମାସ୍ତା ପଚାଶ ପଟ ଲଗାଇଛି । ଏହାକୁହିଁ ଦେଣା ନିଅଣ୍ଟ – ମୋ’ ପାଇଁ ଭାବିବ ନାହିଁ । ତୁମ୍ଭେ ତେଲୀ, ତାମ୍ବୁଳୀ,ଚଷା, ବାଉରି ଯାହାଙ୍କୁ ଘେନି କାରଖାନା ସବୁ କରୁଛ ତାଙ୍କପାଇଁ ଭାବୁଥାଅ ।
ବାମ – ମୁଁ ତ ତାଙ୍କରିପାଇଁ ଭାବୁଛି ଆଉ ଈଶ୍ୱରଙ୍କୁ ଡାକୁଛି । ଯେଉଁମାନେ ଦୁଃଖୀ, ଯେଉଁମାନେ ପରିଶ୍ରମ କରିଥାନ୍ତି ସେହି ଚଷାଭୁଷା କାରିଗର ସମସ୍ତଙ୍କୁ ଯେବେ ଭଲକାମରେ ଲଗାଇବି ତେବେ ଦେଶର ଦଶା ଫେରିଯିବ । ବାଣିଜ୍ୟେ ବସତେ ଲକ୍ଷ୍ମୀଃ । ତୁମ୍ଭେ ତ ଦେହଯାକ ପୂଜାପୂଜି କରି ଉଡ଼ାଇଲ- କେତେ କାହାର ଉନ୍ନତି କଲଣି ?
ହେଉ ଆସ, ଧର୍ମନିନ୍ଦା କରନାହିଁ କି କଥା ବଢ଼ାଅନାହିଁ - ପାଠଟା ଆଉ ଯାଗାରେ ପକାଇବ ।- ମୋର ବହୁତ କାମ ଅଛି, (ହାତ ଉଠାଇ ନମସ୍କାର କରି) ନମସ୍ତେ ।
ବାମ – (ହାତ ଉଠାଇ ନମସ୍କାର କରି) ନମସ୍ତେ ! ଓଷଧ ରୋଗିକି ଭଲ ଲାଗେନାହିଁ ହେଉ, ନ ଖାଇଲେ ପଛକୁ ବୁଝିବ । ତୁମ୍ଭର ଗୁମାସ୍ତା ଯେମନ୍ତ ପେଟପାଇଁ ପରାମର୍ଶଦାତା ମୋ’ ସାହେବ ରତ୍ନଯୋଡ଼ିକ ବି ତେମନ୍ତ (ପ୍ରସ୍ଥାନ ।)
ଭୋଳା – (ସଜାଡ଼ି ହୋଇ ବସି) ପାପ ଗଲା ! ମୋ’ ସାହେବଙ୍କର ଆଜି ଉଛୁର କାହିଁକି -ସନ୍ଧ୍ୟା ସମୟରୁ ଆସନ୍ତି, ରାତି ଯେ ଘଡ଼ିଏ ହେଲାଣି ![ରତନ ଓ ମଣିକର ଭଜନାକୁ ଧରି ପ୍ରବେଶ ।]କି ରତନମାଣିକ ! ଭଜନାକୁ ଧରି ଆଣୁଛ ଯେ, କଣ କରିଛ ?ରତ – (ଭଜନାକୁ ଓଲଟାଇ ଦେଖାଇବା ।)ଭୋଳା – ଆରେ କୋଟଟା ଓଲଟା ପିନ୍ଧିଛୁ ? (ଉଚ୍ଚହାସ୍ୟ)ରତ – ମୁଁ ଯେତେ କହିଲି ଆଗଆଡ଼େ ବୋତାମ ଲଗା ମାନିଲା ନାହିଁ ।
ଭଜ – (ବୁଲିପଡ଼ି ହାତଯୋଡ଼ି) ହଜୁର - ସାନ୍ତେ -ବାବୁଭାୟାମାନେ ଆଗଆଡ଼େ ଲଗାନ୍ତି ବୋଲି ମୁ ବି ତା’ କରିବି ! (ସ୍ୱରଭଙ୍ଗିକ୍ରମେ) ଏବେ -ଆ -ଦ - ବୀ ମୁଁ କେବେ କରିବି ନାହିଁ ! -ମୋର କି ବୁଦ୍ଧି ନାହିଁ ?
ରତ – ବରାବର ଗଣେଶଙ୍କ ବୃଦ୍ଧି !ଭୋଳା – ବାଃ ! ବାଃ ! ନୋହିଲେ କି ଚୌଧୁରି ଭୋଳାନାଥ ସାମନ୍ତରାୟଙ୍କ ପ୍ରମୋଦଉଦ୍ୟାନର ମାଳୀ ! (ରତନକୁ ଅନାଇ) ଟିକିଏ ହୋଇଛି ପରା ?ମାଣି – ଟିକିଏ କାହିଁକି,ମୁନ୍ଦିଏ ହୋଇଛି ! ବଜାରରୁ ସ୍ୱଦେଶୀ ବୋତଲେ କିଣି ଖାଇ ଦେଇଛି - ଆଉ କଣ ତାଠି ପଇସା ଅଛି କି !
ଭୋଳା – (ନାକ ଉଠାଇ) ଇସ୍। ସ୍ୱଦେଶୀ - ବଜାରୀ ମାଲଗୁଡ଼ାଏ ଖାଇଲା ! ଆଚ୍ଛା, ତାକୁ ବସାଅ, ବିଲାତୀ ମାଲ ଦେଇ ଶୋଧ କର । ଏଣିକି ନିତି ଗୋଟାଏ ବୋତଲ ବଗିଚାକୁ ପଠାଇ ଦେବ । ବିଲାତୀପାଣି ଯେ ନ ପିଏ ସେ ଆମ୍ଭର ମାଳୀ ହେବାର ଯୋଗ୍ୟ ନୁହେଁ । ଦ୍ୱାରି -
ନେପଥ୍ୟେ – ହଜୁର ।ଭଜ – (ଭଙ୍ଗସ୍ୱରେ) ହଜୁର ମା ବାପ -ବଳିଠାରୁ ବଳି ଦାତା -ଦାନଶୌଣ୍ଡ !(ଏକ କୋଣରେ ବସିବା ।)ଭୋଳା – ସଂସ୍କୃତ କହିଲା !ରତ – ସେ ପରା ଗୁରୁଟ୍ରେନିଂରେ ପଢ଼ୁଥିଲା ।ଭଜ – (ହାତ ଯୋଡ଼ି) ହଜୁର, ସବୁ ଭୁଲି ସାଆନ୍ତଙ୍କଦ୍ୱାରେ ଭିକାରୀ ।[ଦ୍ୱାରିର ପ୍ରବେଶ ।]ଭୋଳା – ବୋତଲ, ଗିଲାସ ଆଉ ଚାଟ୍ଘେନି ଆ ।ଦ୍ୱାରୀ – (ବୋତଲ, ଗିଲାସ ଆଉ ଚାଟ୍ଆଣି ସମ୍ମୁଖେ ରଖିଦେଇ ପ୍ରସ୍ଥିତ ।ଭୋଳା – (ଖାଇସାରି ରତନ ଓ ମାଣିକକୁ ଏକ ୨ଗ୍ଲାସ ଦେବା ।)ରତ – (ଖାଇସାରି ଏକ ଗ୍ଲାସ ଭଜନାକୁ ଦେବା ।)ମାଣି – ତଟକା ଚଣାଚୁରରର୍! (ରେକାବିରୁ ଚାଟ ନେଇ ଭୋଳାନାଥ ଓ ରତନକୁ ବାଣ୍ଟି ଦେଇ ନିଜେ ଖାଇବା ।)ଭଜ – ଈଶ୍ୱର ସାଆନ୍ତଙ୍କୁ ଏହିପରି ବସାଇ ରଖନ୍ତୁ । (ମଦଖାଇ ଗ୍ଲାସ ହାତରେ ଧରି ପୁର୍ବ ରାଗରେ)ବାବୁଭୟା ସଙ୍ଗ କରିବୁ ଛୋଟଲୋକ ପାଖକୁ ଯା ନା ।ଲାଲ ବିଲାତୀ ଛାଡ଼ି ଦେଶୀ ଚାଖ ନା ରେ ।ଲାଲ ଗୁଲାଲ ବୋତଲ ତୁ ଭଜ ବାରେ ।ଆଉ ରାଧାକୃଷ୍ଣ ନାମ ଭଜ ନା ରେ ।ମାଣି – ସାବାସ୍ ! ନୋହିଲେ କି ଭଜନାନନ୍ଦ ଲେଙ୍କା - ଯେ ସେ ଲଙ୍କା ନୁହେଁ ବିଲଙ୍କା !ଭୋଳା – ବାଃ ରେ ! ମାଳୀ ବେଶ୍ଗାଇଲା । - ରସିକଟିଏ ଏକା !ଭଜ – ସାନ୍ତେ, ଭଜନା ପରି ସରସ ମାଳୀ ମିଳିବ ନାହିଁ -ଏହିପରି ମଜଲିସ୍ ଜାରୀଥାଉ, ଗଣେଶ ଠାକୁର ହାତିଶୁଣ୍ଢରେ ମଦ ଢାଳନ୍ତୁ ![ହରିର ପ୍ରବେଶ]ରତ – କିଏ ?ହରି – (ହାତଯୋଡ଼ି ଦଣ୍ଡବତ କରି) ମୁଁ ତ ଓସ୍ତାଦ - ସଙ୍ଗୀତ ପିଲା ଆଣଛି । ହୁକୁମ ହେଲେ ଗଣେଶପୂଜାକୁ ଆସନ୍ତି ।ମାଣି – ଆଜ୍ଞା, ୟେ ଆମ ଇଲାକାରେ ଆସି ଯୋଡ଼ିଏ ପିଲା ତାଲିମ କରିଛନ୍ତି ।ଭୋଳା – ଆମ ଇଲାକାରେ ? ଗୋଟି ପୁଅ ନାଚ ?ରତ – ଆଜ୍ଞା ୟେ ଗୋଟିପୁଅ ନୁହେଁ -ଯୋଡ଼ିପୁଅ !ଭୋଳା – (ଉଚ୍ଚ ହାସ୍ୟକରି) ଯୋଡ଼ିପୁଅ ! ଆଚ୍ଛା, ପିଲା ଆଣିଛ ? - ଦେଖାଅତ କେମନ୍ତ ଶିଖିଛନ୍ତି ।ହରି – ଆଜ୍ଞା ସାନ୍ତେ, ମୁଁ ପିଲାଙ୍କୁ ଡାକିଆଣେଁ । (ପ୍ରସ୍ଥାନ ।)
ଭୋଳା – ଦେଖ ରତନମାଣିକ,ୟେ ଓଡ଼ିଆଗୁଡ଼ାକ କେବେ ମଣିଷ ହେବେ ? ବାଇନାଚ ଉଠିଲାତ ପଳାଇଲେ - ତାଙ୍କପାଇଁ ସଙ୍ଗୀତପିଲା ନ ରଖିଲେ ଯାତ୍ରା ଭଣ୍ଡୋର ।
ରତ – ଆଜ୍ଞା ସେ ସାମଲିୟା ଫାମଲିଆ ବୁଝି ପାରନ୍ତି ନାହିଁ ।ମାଣି – ସୟାଁ ଶୁଣିଲେ କୟାଁ ଖାଇଲାପରି ହୁଅନ୍ତି ।ଭୋଳା – କାହିଁକି ? ଆମ ବାଈତ ଓଡ଼ିଆ ଗୀତ ବେଶ ଗାନ୍ତି ।ଭଜ – ତାଙ୍କୁ ମାଇକିନିଆ ଗନ୍ଧାଏ !
ଭୋଳା – ହଁ -ୟେ ଠିକ କହିଲା -ଭଜନା ଭାରୀ ବୁଦ୍ଧିମାନ ! -ଆଉ ଆମର ବାମଦେବ ବାବୁତ ବାଈ ନାଁ ଶୁଣିଲେ ମାଡ଼ିଉଠି ପଳାଇବେ - ତାଙ୍କୁ ବାଈ କି ଗୋଟିପୁଅ କିଛି ରୁଚେ ନାହିଁ ।
ରତ – ସେ ବି ମଣିଷ ନୁହନ୍ତି -ଖାଲି ପଇସା କରିବା କଳ !ମାଣି – ସେଇଥିରେ କଲବଲ ![ଯନ୍ତ୍ର ଧରି ପାଳିଆ ଓ ସୁସଜ୍ଜିତ ସଂଙ୍ଗୀତ ପିଲାଦ୍ୱୟ ସହିତ ହରିର ପ୍ରବେଶ-।]ଭୋଳା – ଆରମ୍ଭ କର ।ହରି – (ବେହେଲା ମିଶାଇ ବଜାଇବା ।)ପାଳିଆଏ – (ମାଦଳଆଦି ଠିକକରି ବଜାଇବା ।)ପିଲାଦ୍ୱୟ – (କିଞ୍ଚିତ୍କାଳ ନାଚିସାରି ଗୀତ)ରାଗ ପୂରବୀ । ତାଳ ଝୁଲା ।ଗୁମାନ କରି ବସିଲା କି ସତେ କିଶୋରୀ ।ନବନାଗରୀ ବିମ୍ବ- ଅଧରୀ । ଘୋଷା ।କେଳି ବିନା ଯାକୁ ନ ରୁଚେ ଆନ ଘୁଞ୍ଚି ବସୁଛି ସେ କରି କି ଟାଣ,ହାସ- ବିକାଶ ହୋଇଛି ନାଶ ପଙ୍କଜ -ନୟନୁଁ ବହେ ଗୋ ବାରି ।୧।ଚନ୍ଦ୍ରମାବଦନ ଦିଶେ ମଳିନ-ଦୁଃଖ ରାହୁ କଲା ଗ୍ରାସ ଆସି କେସନ,ମଳିନ କୁଞ୍ଜ ମଳିନ ମନ, ପୋତିଛି ମଥା ମୁଦି ନୟନ,ନ ଶୁଣେ ବାଣୀ ଯେତେ ବଖାଣି - ସବୁକଥା ସେ କି ଦେଲା ପାସୋରି ।୨।ଗଳା ମୋତିମାଳ ପଡ଼ିଛି ଖସି, ଅଯତନବାସେ ଅଛି କାହିଁକି ବସି,ପାଶେ ଅଛି ମୁଁ ନ ଦେଖେ ଚାହିଁ -ଭାଳୁଛି ଅବା ଯାଇଛି କାହିଁ,ଏଡ଼ିକି ଅବୁଝା ବାଳୁତ ପରାୟେ - ଦେଖ ଦେଖ ତୋର କିଙ୍କର ହରି ।୩।ରତଭଲ ବୋଲିଛି ! ସାଆନ୍ତେ ଏ ଆମ ମଜଲିସକୁ ସାଜିବେ ।ଭୋଳା – ଠିକ୍ କହିଛ । ମୁଁ ମନେ କରିଥିଲି ନୁଆ ଶିଖାଳି ଭଲ ହେବେ ନାହିଁ ପରା । ଯାହାହେଉ, ଏମାନେ ଚୌଧୁରିଙ୍କ ନାମ ରଖିବେ ।ମାଣି – ସେଥିରେ ସନ୍ଦେହ ନାହିଁ - ଯାଦୃଶୀ ଦେବତା ଯସ୍ୟ ତଥା ଭୁଷଣବାହନ ।ରତ – ଆଜ୍ଞା ଏ ଦିନାକେତେ ଟୋଲରେ ବସିଥିଲେ ।ଭୋଳା – ତା ନୋହିଲେ ସଂସ୍କୃତ ବାହାରନ୍ତା କି ?ମାଣି – ଆଜ୍ଞା ସେ ପଢ଼ା ଏ ପ୍ରସାଦରୁ ଟୋଳ ଖାଇଲାଣି । (ନାଟଦଳକୁ ଅନାଇ) ଆସ ପ୍ରସାଦ ପାଅ । (ଗିଲାସରେ ମଦ ଢାଳି ବଢ଼ାଇ ଦେବା ।)ନାଟଦଳ – (ମଦ୍ୟପାନ)[ପିଆଦାର ପ୍ରବେଶ]ପିଆ – ହଜୁର ଜୁହାର ! (ହାତଯୋଡ଼ି ଦଣ୍ଡବତ କରିବା ।)ରତ – କିଏ ?ପିଆ – ଆଜ୍ଞା ମୁଁ ଅଦାଲତର ପିଆଦା । ମହାଜନ ବାକୀ ଟଙ୍କା ସକାଶେ ଉଆରଣ୍ଟ ପ୍ରାର୍ଥନା କରିବାକୁ ମୁଁ ନୋଟିସ ନେଇ ଆସିଛି ।ଭୋଳା – କେଉଁ ମହାଜନ ?ପିଆ – ପ୍ରସାଦୀରାମ ଭଗତ ।ଭୋଳା – (ଉଚ୍ଚହାସ୍ୟ କରି) ପ୍ରସାଦୀ ଭଗତ ! ଅଦାଲତକୁ ଆସି ରାମ ଲଗାଇ ଆମକୁ ରାମାନନ୍ଦି କାଟିବାକୁ ବସିଛି -
ମାଣି – ଗୋଟାଏ ଓକିଲ ଦେଇ ଟଙ୍କା ଅସୁଲ ଦେଇଥିବାର ଆପତ୍ତି କଲେ ଗଣେଶ ପୂଜା କାହିଁକି ଛମାସ ପାର । ସେ ଆମକୁ ଚିତା କାଟିବ, କି ଆମେ ତାକୁ ଚିତା କାଟିବା, ଦେଖିବା ଦେଖି ।
ଭୋଳା – ଦିଅ ପିଆଦାକୁ ଖୁସିକରି ଦିଅ ।ରତ – ଆରେ ତୁମ୍ଭେ ତ ପୁରୁଣାପିଆଦା - ଗୁଞ୍ଜି ଗୁଞ୍ଜି ଅଣ୍ଟା ଭାଙ୍ଗି ଗଲାଣି ।ମାଣି – ପ୍ରସାଦ ପାଇଲେ ସଳଖ ହୋଇଯିବ - ନିଅ (ଗ୍ଲାସରେ ମଦ ଢାଳି ବଢ଼ାଇଦେବା ।)ପିଆ – ହଜୁର ଏଇଠିତ ପ୍ରସାଦ ମିଳେ - ଆଉ ସବୁ ନାଁକୁ ବାବୁ (ମଦ୍ୟପାନ ।)[ଲକ୍ଷଣର ପ୍ରବେଶ]ଲକ୍ଷ – (ହାତ ଉଠାଇ) ଦଣ୍ଡବତ ହଜୁର ! (ଦଣ୍ଡବତ କରଣ ।)ଭୋଳା – କିଏ ? ଲକ୍ଷଣ, କୁଆଡ଼େ ?ଲକ୍ଷ – ହଜୁର ଗତବର୍ଷ ଦୁଇଶଟଙ୍କାର ସାଜ ଦେଇଥିଲି, ଏବର୍ଷ ସେହିପରି ଦେବି କି କଣ ପଚାରିବାକୁ ଆସିଲି ।ଭୋଳା – ଦେଖ, ଏ ବର୍ଷ ଚାଳିଶ ଟଙ୍କାର ସାଜଦେବୁ - ଯେମନ୍ତ ତେଲଙ୍ଗା ହାରିଯାଇ ଆମର ହେବ ଫାଷ୍ଟ ନମ୍ବର ।ରତ – ଯେମନ୍ତ ଚୌଧୁରିଙ୍କ ନାମ ଚାରିଆଡ଼େ ବାଜିଯିବ ।ଲକ୍ଷ – ହଜୁରଙ୍କପରି ବଡ଼ଲୋକ ଆଉ କିଏ ଅଛି ? - ଖୁବ ଚକ୍ଚକିଆ କରିଦେବି - ବିଲାତିକାମକୁ ବାଜି ମାରିବ ।ମାଣି – ବସ, ତୋ ହାତରେ ସବୁକଥା - ପ୍ରସାଦ ପା । (ଗ୍ଲାସରେ ମଦ ଢାଳି ବଢ଼ାଇ ଦେବା) ।ଲକ୍ଷ – ବିଲାତୀ ପାଣି ଦେଶ ପବିତ୍ର କରିଦେଲା ! ଗଣେଶ ଠାକୁର ପଶ୍ଚିମରୁ ଆସିଥିଲେ, ତାଙ୍କ ଘର ବିଲାତରେ । (ମଦ୍ୟପାନ)[ପାଣ୍ଡବର ପ୍ରବେଶ]ପାଣ୍ଡ – (ମୁଣ୍ଡ ନୁଆଇଁ ହାତଟେକି) ଦଣ୍ଡବତ ହଜୁର !ଭୋଳା – କି ପାଣ୍ଡବ ସାହୁ ?ପାଣ୍ଡ – ହଜୁର ଗଲା ଅଙ୍କ ଅଢ଼େଇଶ ଟଙ୍କାର ସନ୍ଦେଶ ମିଠେଇ ହୋଇଥିଲା । ଏବର୍ଷ ତେତିକି ହେବ କି ବୁଝିବାବୁ ଆସିଲି ।ଭୋଳା – ଏବର୍ଷ ପାଞ୍ଚଶଟଙ୍କାର ହେବ ।ପିଆ – ବଡ଼ଲୋକଙ୍କ ଘର ବର୍ଷକୁ ବର୍ଷ ବଢ଼ିବ ନା !ରତ – ଯଥାର୍ଥ କହିଛ ।ଲକ୍ଷ – ସେ ଅଦାଲତରେ ଚାକିରି କରନ୍ତି - ତାଙ୍କଠାରୁ କହିଲାବାଲା କିଏ ଅଛି !ପାଣ୍ଡ – ହେଉଆଜ୍ଞା, ଏଥର ନୂଆ ନୂଆ ରକମ ଭଲ ଭଲ ବନାଇ ଦେବି ।ମାଣି – ଟିକିଏ ପ୍ରସାଦ ପା -ତୋ ସନ୍ଦେଶ ୟା କତିରେ ନୁହେଁ । (ଗ୍ଲାସରେ ମଦଢାଳି ବଢ଼ାଇ ଦେବା ।)
ପାଣ୍ଡ – ସନ୍ଦେଶଟା ପରା ଦେଶୀ । [ମଦ୍ୟପାନ] କେଉଁ ଦିନ ପ୍ରସାଦ ନ ପାଉଛି ଯେ -ଏଠାକୁ ଅଇଲେ ହେଲା -ଏତେ ବଡ଼ ବାବୁ ଏ ଅଞ୍ଚଳରେ ନାହିଁ ।
[ସାଧୁ ପଣ୍ଡାର ପ୍ରବେଶ]ଭୋଳା – କି ପଣ୍ଡାଏ କୁଆଡ଼େ ? - ଦଣ୍ଡବତ (ହାତ ଉଠାଇ ଦଣ୍ଡବତ୍କରଣ) ।
ସାଧୁ – (ଦୁଇ ହାତରେ ଅଞ୍ଜଳି କରି) ସର୍ବାରିଷ୍ଟ ଶୁଭମସ୍ତୁ - ଦୀର୍ଘାୟୂରସ୍ତୁ ! ଆରବର୍ଷ ଗଣେଶପୂଜାକୁ ପାଞ୍ଚଶ ଟଙ୍କାର ବୀଲାତୀ ଲୁଗା ହୋଇଥିଲା, ଏ ବର୍ଷ ସେହିପରି ଆସିବ ?
ଭୋଳା – ଏବର୍ଷ ହଜାର ଟଙ୍କାର ଭଲ ଭଲ ଲୁଗା ଦେବ ।ରତ – ଏବର୍ଷ ଡବଲ ।ସାଧୁ – ଆରବର୍ଷର ଦାମତ ସବୁ ମିଳି ନାହିଁ ।ମାଣି – ଟଙ୍କାକ ମାଲ ଦି ଟଙ୍କାରେ ଦେଉଛ -ବର୍ଷକ ଟଙ୍କା ଦୁଇବର୍ଷରେ ନ ନେବ କାହିଁକି ?ସାଧୁ – (କାନରେ ହାତଦେଇ) ଆରେ ରାମ ରାମ ! ଆମଠି ମିଛ ନାହିଁ - ପଇତା ଘେନି ମିଛ କଥା କହିବା ?ମାଣି – ପଈତା ଘେନି ଯେ ମଦ ପାର କରୁଛ ? ଲୁଗା ବିକୁଛ ?ସାଧୁ – ସେଟା ବିଦେଶୀ - ପଇତାରେ ସବୁପାର । ପଇତାଟା ହେଲା ହଜମୀ ଗୁଳା-।ମାଣି – ଭଲ ଭଲ, ଉତ୍ତମ ବିଦ୍ୟା ଅର୍ଜିଛ ! ନିଅ ପ୍ରସାଦ ପାଅ (ଗ୍ଲାସରେ ମଦଢାଳି ବଢ଼ାଇ ଦେବା ।)ସାଧୁ – ଭୋଳାନାଥଙ୍କ ପ୍ରସାଦ ଛାଡ଼ିବାର ନୁହେଁ । (ମଦ୍ୟପାନ ।)[ଘନ ସାହୁର ପ୍ରବେଶ]ଘନ – ଦଣ୍ଡବତ ହଜୁର । (ମସ୍ତକ ନୁଆଇ ଦଣ୍ଡବତ୍କରଣ ।)ଭୋଳା – କିରେ ତେଲି, କେଉଁ ଆଡ଼େ ?
ଘନ – ହଜୁର ଗେ ଦସ୍ତା ଷାଠିଏ ଟଙ୍କାର ତେଲ ଖର୍ଚ୍ଚ ହୋଇଥିଲା - ଏବର୍ଷ କେବେ ହେବ ? ମହାରଣା କହୁଥିଲା ପଚାଶଟା ବନୋଟି ହେବ - ଗୋଦସ୍ତା ପଚିଶଟା ହୋଇଥିଲା ।
ଭୋଳା – ଏ ବର୍ଷ ବି ଶହେ ଟଙ୍କାର ତେଲ ଦେବୁରତ – ଏ ବର୍ଷ ସବୁ ଡବଲ - ବିଲାତୀ ପାଣି ଡବଲ, ତେଲ ଡବଲ ହେବ ନାହିଁ ।ଘନ – ହେଉ ଆଜ୍ଞା ! ନୋହିଲେ କି ବଡ଼ଲୋକ । ଲମ୍ବ ରୋଷନିଟା ଠାକୁରଙ୍କ ଆଗରେ ନ ଗଲେ ଲୋକେ କହିବେ କିସ ?ମାଣି – ଠିକ ! ଏବର୍ଷ ଡବଲ ପ୍ରସାଦ - ନେ ପ୍ରସାଦ ପା (ଗ୍ଲାସରେ ମଦଢାଳି ବଢ଼ାଇ ଦେବା)ଘନ – ତେଲିମାନେ ଅନେକ ସଭ୍ୟ ହୋଇ ପ୍ରସାଦ ପାଇଲେଣି । (ମଦ୍ୟପାନ)[ଚୈତନ୍ୟ ଦେର ପ୍ରବେଶ]ଚୈତ – ଦଣ୍ଡବତ ସାନ୍ତେ ! (ହାତଯୋଡ଼ି ଦଣ୍ଡବତ କରଣ ।)ଭୋଳା – କି, ଚୈତନ କେଉଁ ଆଡ଼େ ଆସିଲ ?
ଚୈତ – ସାନ୍ତେ ଗେଲ ବଛର ଏକଲାଖ ପାନ ଉଡ଼ିଗଲ - ଏ ବଛର କେତେ ଲାଖ ଦିବ । ସାଙ୍ଗରାନ୍ ଗେଲାଙ୍କେ ମିଥ୍ୟାକେ ଅନେକ ଗାଲି ଦିଲ -ଆମର କସୁର କି ? - ଯା ବରାତ୍ଛିଲ ଦିନୁ ।
ଭୋଳା – ଏ ବର୍ଷ ଦିଲାଖ ଦେବୁ ।ଚୈତ – ହଁ ୟେ ଯେ ଲାଖେ କଥାର ଗୋଟାଏ ।ରତ – ଆଉ ଏଥର ସାଙ୍ଗ୍କେଉ କିଛି କହିବେ ନା - ଗୋଟାଏ ମାଗିଲେ ଦିଟା ଦିବୁ-।ମାଣି – ନେ ପ୍ରସାଦ ନେ - କେମତା ଲାଗୁଛେ ଦେଖ । (ଗ୍ଲାସରେ ମଦଢାଳି ବଢ଼ାଇ ଦେବା ।)ଚୈତ – ତୁମେ ପ୍ରସାଦ ନା ଖାୟାଁ ଛାଡ଼ିବେ ? (ମଦ୍ୟପାନ ।)[ନେତୀ,ପେତୀ,ମଦନ ଓ ପଦନର ପ୍ରବେଶ]ରତ – ଏବେ ମଜଲିସ ଗୁଲଜାର ! ଅପ୍ସରା ନ ହେଲେ କି ଦେବସଭା ମାନେ !ମାଣି – ପରୀ ନ ଥିଲେ ଆମ ଭଳି ଦେବତାମାନେ ମଲାପରି ।ଭୋଳା – ବସ, ବସ, ଏତେ ଉଛୁର କାହିଁକି ?ହୁକୁମ ହୋଇଥିଲା ବଗିଚାକୁ ଯିବାପାଇଁ - ସବୁ ଧନ୍ଦା ସାରି ଆସିଲୁଁ (ଉପବେଶନ ।)ପେତୀ,ମଦ ଓ ପଦ ।- (ଉପବେଶନ ।)
ମାଣି – ଆଉ ଆମେ ଏଠି ଧନ୍ଦି ହେଉଛୁଁ । ନିଅ ପ୍ରସାଦ ପାଅ - ମଧୁବାତା ଋତାୟତେ - ମଧୁ, ମଧୁ, ମଧୁ । (ଗ୍ଲାସରେ ମଦଢାଳି ବଢ଼ାଇଦେବା ।)
ଭୋଳା – ଭଲାବେଳେ ସଂସ୍କୃତ ଝାଡ଼ିଲ !ମାଣ – ନୋହିଲେ ପାଠଟା ମାଟି ହୋଇଯାନ୍ତା ଯେ । - ସେ ବେଦମନ୍ତ୍ର !ନେତୀ ଓ ପେତୀ – (ମଦ୍ୟପାନ ।)ମଦ ଓ ନଦ – (ମଦ୍ୟପାନ କରି ଯନ୍ତ୍ର ସଜାଡ଼ି ବଜାଇବା) ।ନେତୀ ଓ ପେତୀ – (ଉଠି ନୃତ୍ୟାନ୍ତେ ଗୀତ)ରାଗିଣୀ ଝିଝିଁ ଟ । ତାଳ ଖେମଟା ।ପ୍ରୀତି-ପଥ କେସନ ସେ ମିଠା ।କେଡ଼େ ସଜରେ ଲଗାଇ ଅଠା । ଘୋଷା ।ସୁଖ- ସ୍ୱପ୍ନେ ମୋହି ସହଜେ ଦିଅଇହାତେ ଇନ୍ଦ୍ରପଦ ବଡ଼ ମିଠା । ୧।ମଧୁକର ମଧୁ ସୁଧାଠାରୁ ସ୍ୱାଦୁଯେତେ ଚାଖୁଥିବି ତେତେ ମିଠା । ୨ ।ଯେତିକି ଛାଡ଼ିବ ତେତିକି ଲାଖିବଭିଡ଼ି ଭାଳିବାର ଭାରୀ ମିଠା । ୩ ।[ମହନ୍ତ ପ୍ରେମାନନ୍ଦ ଗୋସ୍ୱାମୀର ପ୍ରବେଶ]ପ୍ରେମା – ଜୟରାଧେ ! ରାଧେକୃଷ୍ଣ ! ନିତ୍ୟାନନ୍ଦ ଗୌରାଙ୍ଗର ଜୟ !ଭୋଳା – (ମୁଣ୍ଡ ନୁଆଇଁ) ଦଣ୍ଡବତ ମହନ୍ତଜୀ ! ଆପଣ କେଉଁ ଆଡ଼େ ଏତେ ବେଳେ ବିଜେ ହେଲେ ?ପ୍ରେମା – (ହାତ ଉଠାଇ) ଶ୍ରୀକୃଷ୍ଣଚୈତନ୍ୟ ପ୍ରେମପ୍ରାପ୍ତିରସ୍ତୁ !ରତ – ଆପଣ ଖବର ଦେଲେ ନାହିଁ ? ଏଠି (ବୋତଲଦେଖାଇ) ବିଲାତୀ ପାଣି (ବାଈଙ୍କି ଦେଖାଇ) ବାଈ ନାଟର ପୂଜା ହେଉଛି । -ମାଣି – ଗୋସାଇଁଙ୍କ ପୂଜା ହେବ କିପରି ?
ପ୍ରେମା – ମୋର ଏଇଥିରେ ପୂଜା ! ବିଲାତୀ ଜିନିଷକୁ କେହି ଲାଗେ ନାହିଁ - ବିଲାତୀ- ବିଚାର ଯୋଗେ ମାଟି ପର୍ଯ୍ୟନ୍ତ ଭଲ ତ ପାଣି ଆହୁରି ପବିତ୍ର ! ଆଉ ବାଈ - ବେଶ୍ୟାଦ୍ୱାର ମୃତ୍ତିକାଜଳେନ ନ ହେଲେ ଠାକୁରାଣୀ ପୂଜା ହୁଏ ନାହିଁ, ତେଣୁ ବାଈ ଅତି ପୂଜ୍ୟା । ସ୍ୱୟଂ ଭଗବାନ କହିଛନ୍ତି - ନାହଂ ବସାମି ବୈକୁଣ୍ଠେ ଯୋଗାନାଂ ନିକଟେ ନଚମଦଭକ୍ତା ନୃତ୍ୟଗାୟନ୍ତେ ତତ୍ର ତିଷ୍ଠାମି ନାରଦ । - ଯେଉଁଠାରେ ଭକ୍ତମାନଙ୍କର ମଦ ଭୋଜନ ଓ ନାଚଗାନ ହୁଏ ସେହିଠାରେ ଭଗବାନ ବସି ପବିତ୍ର କରିଦିଅନ୍ତି । ମନ୍ମନା ଭବ ମଦଭକ୍ତୋ ମଦଯାଜୀ ମନୁମସ୍କୁରୁ - ମଦରେ ମନ ରଖିବ, ମଦକୁ ଭକ୍ତି କରିବ, ମଦରେ ଯଜ୍ଞ କରିବ ଓ ମଦକୁ ନମସ୍କାର କରିବ । ଏସ୍ଥାନ ବୈକୁଣ୍ଠକୁ ବଳିଛି ।
ରତ – ବାଃ ବାଃ - ଆପଣ ଏକା ଭାବଗ୍ରାହିଙ୍କ ଭାବ ଟାଣି ନେଇଛନ୍ତି ।ଭଜ – ବିଲାତୀ ଶାସ୍ତ୍ର ବୋମ୍ବାଇରୁ ଟୀକା ହୋଇ ଆସିଛି - ପଣ୍ଡିତେ ଭାରୀ ଟାଣ ।ଭୋଳା – ଆପଣ ଭାରୀ ପ୍ରେମୀ - ବସନ୍ତୁ ବସନ୍ତୁ ।ମାଣି – ପ୍ରସାଦ ନିଅନ୍ତୁ ( ଗ୍ଲାସରେ ମଦ ଢାଳି ବଢ଼ାଇଦେବା ।)ପ୍ରେମା – (ଉପବେଶନ କରି) ଭୋଳାନାଥଙ୍କ ପ୍ରସାଦ ସର୍ବଦା ଗ୍ରହଣୀୟ । (ମଦ୍ୟପାନ ପୂର୍ବକ ଆନନ୍ଦରେ) ଆଉ ଗୋଟାଏ ଗୀତ ହେଉ ।ରତ – ଗୋସାଇଁ ପ୍ରସାଦ ପାଇଲେ - ଆଉ ଥରେ ସମସ୍ତେ ପାଆନ୍ତୁ ।ମାଣି – ହଁ ହଁ - ଏଥର ପ୍ରସାଦ ପରସ୍ପର ଢଳାଢଳି କରି ଖାଇବା । (ଅନ୍ୟ ବୋତଲର ମଦ ଗ୍ଲାସରେ ଢାଳି ଭୋଳାନାଥକୁ ଦେବା ।)ଭୋଳା – (ମଦ୍ୟ ପାନକରି ଗ୍ଲାସରେ ମଦ ଢାଳି ମାଣିକକୁ ଦେବା ।)ଅନ୍ୟ ସମସ୍ତେ – (ପରସ୍ପର ଢଳାଢଳି କରି ମଦ୍ୟପାନ ଓ ଚାଟ୍ଭକ୍ଷଣ) ।ଭୋଳା – ହେଉ, ଆଉ ଗୋଟାଏ ଗୀତ ହେଉ ।ମଦ ଓ ପଦ – (ଯନ୍ତ୍ର ବଜାଇବା ।)ନେତୀ ଓ ପେତୀ – (ନୃତ୍ୟ- ଗୀତ)ରାଗିଣୀ ଇମନକଲ୍ୟାଣ ।ତାଳ ଖେମଟା ।ପୀରତି -ହାଟକୁ ଯିବ ଜୀବଧନ ଆସ ହେ ।ସେ ହାଟ -ସଉଦା ଦେବ ଦିବ୍ୟଧାମେ ବାସ ହେ । ଘୋଷା ।ତହିଁ ପ୍ରେମ ବିକାକିଣା ବାଣୀ ସେ ବୀଣାଜିଣା,ରସିକେ କିଣିବେ ହେବେ ସୁଖେ ତାର ଦାସ ହେ । ୧ ।ରୂପ - ଝଟକ ଦେଖି ଲାଖି ରହିବ ଆଖି,ଫେରିବା କାଠିକ ପାଠ ତହୁଁ ନିଜ ବାସ ହେ । ୨ ।ଚାଲି ଭଙ୍ଗୀ ଚାହାଁଣି ମନକୁ ନେବ ଟାଣି ।ବଳେ ଘୋରାଇବ ଘେନି ସୁଖେ ପ୍ରେମ - ଫାଶ ହେ । ୩ ।ରସିକେ ବୁଝିକେ ବଝିବେ ରସ, ଆନେ ଲାଗିବ ତ୍ରାସ -ସଲିଳେ ସଲୀଳ ଝଷ ଇତରେ ତା ଝାସ ହେ । ୪ ।ଅନ୍ୟ ସମସ୍ତେ – (ନୃତ୍ୟଗୀତ ସମୟରେ ନିଶାଭୋଳରେ ନାନାପ୍ରକାର ବାକ୍ୟ ବ୍ୟବହାର, ଅଙ୍ଗଭଙ୍ଗୀ ଓ ନୃତ୍ୟକରଣ ।)ଏବେ ଚାଲ ସମସ୍ତେ ବଗିଚାକୁ ଯାଇ ଗଣେଶ ପୂଜାର ଆବାହନ କରିବାଭୋଳା – ରତନ, ତୁମ୍ଭେ ପଛ ହୋଇ କୋଡ଼ିଏ ବୋତଲ ବିଲାତୀ ପାଣି ଘେନିଆସ ।[ଚାନ୍ଦମଣିର ବହି ଓ କଲମ ଧରି ପ୍ରବେଶ ]ଚାନ୍ଦ – (ବହି ଦେଖାଇ) ହଜୁର ହିସାବଟା ଦସ୍ତଖତ୍ଦେବ ? (କଲମ ବଢାଇଦେବା-।)ରତ – ଆଃ ! ନିତି ଏତିକି ବେଳେ ଆସେ । - ତାଳଜ୍ଞାନ ନାହିଁ !ମାଣି – ସେଟା ତାଳକଣା !ଭଜ – ତାଳକଣା କାହିଁକି ହେବ ? - ତାର ତାଳ ଠିକ୍ଅଛି !
ଭୋଳା – (ଝୁଲୁଝୁଲୁ) କଣ କରିବ - ଗୁମାସ୍ତାତ ସକାଳୁ ଲେଖୁଛି - ଚୌଧୁରୀଘର ହିସାବ କି କମ ! ତେବେବି ବାବୁମାନେ ବାରବରଷରେ ଥରେ ହିସାବ ଦେଖନ୍ତି ନାହିଁ - ଆମର ନିତି ଦସ୍ତଖତ୍। (କଲମ ନେଇ ବହିରେ ଦସ୍ତଖତ୍କରିଦେବା ।)
ଚାନ୍ଦ – (ଏକହାତରେ ବହି ଧରି ଅନ୍ୟ ହାତରେ କଲମ ନେଇ କାନରେ ଖୋସିବା-।)[ଆଗେ ୨ ଭୋଳାନାଥ ତତ୍ପଶ୍ଚାତ୍ ଚାନ୍ଦମଣି ଓ ରତନ ଛଡ଼ା ସମସ୍ତଙ୍କର ଝୁଲି ଝୁଲି ପ୍ରସ୍ଥାନ ।]ଚାନ୍ଦ – (ଗୋଟାଏ ବୋତଲ ଉଠାଇ) ଏ ବୋତଲରେ ଥୋଡ଼ା ରହିଗଲା ।ରତ – ଯା ରହିଲା ତେତକ ତୁମ୍ଭର । - ଆଜି ହିସାବଟାରେ କେତେ ପାଇଲ ?ଚାନ୍ଦ – ଆଜି ଏତେ ନାଟକୀର୍ତ୍ତନ - ହେଇଛି ଦୁଇଶଯାକେ ।ରତ – ମୋ ଭାଗଟା ଏହିକ୍ଷଣି ଦେବ ?ଚାନ୍ଦ – ନେବ କାଲି । (ବୋତଲ ସହିତ ପ୍ରସ୍ଥାନ ।)ରତ – କାଲି ବଡ଼ସକାଳୁ ଆସିବି । (ପ୍ରସ୍ଥାନ ।)ପଟ ପରିବର୍ତ୍ତନ ।