ତୃତୀୟ ଦୃଶ୍ୟ — ବଡ଼ଲୋକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଦୃଶ୍ୟ
ଗୁହାଳର ସମ୍ମୁଖଭାଗ[ସୁଲୋଚନା ଗୋଦହନେ ନିଯୁକ୍ତା, ଅଦୂରେ କେଶବର ବଂଶୀବାଦନ ଓ ରଘୁର ଗୀତଗାନ ।]କେଶ ଓ ରଘୁ – (ଗୀତ)ରାଗ ସାବେରୀ । ତାଳ ଝୁଲା ।ତୋ ଘେନି ଗୋପୀଙ୍କ ଜୀବନ ରେ ନୀଳ-ରତନ ।ତୋ ବିନା ନାହିଁ ତାଙ୍କ ଧନ ରେ । ଘୋଷ ।ତୁ ଗୋରୁ ଚରାଉ ବନେ ରେ ଭଙ୍ଗିଆ ଗୋଈ ଜଗିଥାନ୍ତି ବାଟ,ଯିବାଆସିବାବେଳେ ତୁ କେତେ ନ ଲଗାଉ ନାଟ ରେ । ୧ ।କେତେ ରଙ୍ଗ ତୁହି ଜାଣୁରେ ରଙ୍ଗିଆ ଖେଳୁ ଗୋପାଳଙ୍କ ସଙ୍ଗେ,ତୋର ବଂଶୀ ଶୁଣି ଦୁଧିଆଳୀ ଅଧିକ ଦେବାକୁ ମଙ୍ଗେ ରେ । ୨ ।ସାନ ବଡ଼ ସବୁଠାରୁ ରେ କାଳିଆ ସଦାବେଳେ କରୁ ଅଳି,ଗୋପପୁର ନରନାରୀ ସମସ୍ତେ ତୋ ବଳେ ବଳୀ ରେ । ୩ ।ସୁଲୋ – (ଗାଈ ଦୁହିଁସାରି) କେଶବ, ବାଛୁରୀ ଫିଟାଇ ଦେ, ଶାଉଁଳୀ ଆଜି ଦୁଧ ବେଶୀ ଦେଲା ନାହିଁ ଫଳ ଯାଇଚି ।କେଶ – (ବାଛୁରୀ ଫିଟାଇଦେଇ) ମୁଁ ପରା କହୁଥିଲି କାଲି ଗୋଠରେ ଫଳଗଲା ।ରଘୁ – ସବୁ ଗାଈ ଆମର ଫଳ ଗଲେ ।[ଚନ୍ଦ୍ରକଳାର ପ୍ରବେଶ ।]ସୁଲୋ – ନେ ଠେକିଟା ନେ, (ଠେକି ବଢ଼ାଇଦେବା) - ସେ ହାଣ୍ଡିକ ଦୁଧ କେତେ ହେଲା-?ଚନ୍ଦ୍ର – (ଠେକି ନେଇ ଦେଖି) ସେ ହେଲା ବାରସେର - ଏ ଚାରିସେର ହେବ ।ସୁଲୋ – ଯା ରଖିଦେଇ ଆ - କେଶବ ଓ ରଘୁ ଦାସ ପକାଇ ସାରିଲେ ମୁ ଯାଉଚି, ଚାଣ୍ଡେ ଦିଟା ରାନ୍ଧିଦେଇ ସେମାନେ ଗୋଠକୁ ଗାଈ ନେଇ ଯିବେ[ଚନ୍ଦ୍ରକଳାର ଠେକି ଘେନି ପ୍ରସ୍ଥାନ ।]
କେଶବ, ରଘୁ, ଆଜି ସହଳ ଯେପରି ଗୁହାଳ ପୋଛିଲ ନିତି ସେହିପରି କରିବ-। ଦିଅ ଏଥର ଏ ଗାଈକି ଗୁହାଳ ଭିତରକୁ ନିଅ - ବାଛୁରୀ ପିଉଥାନ୍ତୁ, ଘାସ ପକାଇ ଦିଅ ଖାଇକରି ଗୋଠକୁ ଯିବ ।
[କେଶବ ଓ ରଘୁ ଗାଈବାଛୁରୀଙ୍କି ଘେନିଯିବା ।]
(ଗୁହାଳ ଆଡ଼କୁ ଅନାଇ ହାତ ଯୋଡ଼ି) ଓଁ ଦୁହୀୟନ୍ ମିତ୍ରଧିତୟେ ୟୁବାକୁ ରାୟେ ଚ ନୋ ମି ମୀତଂ ବାଜବତ୍ୟୈ । ଇଷେ ଚ ନୋ ମିମୀତଂ ଧେନୁମତ୍ୟୈ । (ନମସ୍କାର କରଣ ।)
[ପ୍ରିୟବତୀର ପ୍ରବେଶ ।]
ପ୍ରିୟ – କି ସହି ! ଗୁହାଳ କାମ ସଇଲାଣି ପରା ? ମୁଁ ବଂଶୀ ଗାଉଣା ଶୁଣି ତରଭର ହୋଇ କାମ ସାରି ଆସୁଚି । ତୁମର ଏ ଗୁହାଳକୁ ରାଜା ମହାରାଜାଙ୍କ ଉଆସ ଲାଗେ ନାହିଁ ପରା - କେଡ଼େ ନିର୍ମଳ, ଚାରିଆଡ଼େ ଚହଟ ଚିକଣ ଦିଶୁଛି ଆଉ ହୋମ ଧୁଆଁରେ ମହକୁଚି ପଡ଼ି ।
ସୁଲୋ – ହଁ ସେ ଏହିକ୍ଷଣି ସଇଲା । ଗାଈଙ୍କି ଘାସ ଦିଆ ସଇଲେ ମୁଁ ଯିବି - ଗଣ୍ଡାଏ ଖାଇଲେ ଗୋଠିଆ ଗୋଠକୁ ଯିବେ ।ପ୍ରିୟ – ସହି ! ତୁମେ ଏକା ସଂସାରରେ ପୁଣ୍ୟବତୀ - କାହା ଭାଗ୍ୟରେ ଆଉ ଏତେ ପୁଣ୍ୟ ଘଟେ କି ! (ଗୀତ)ରାଗ ଦକ୍ଷିଣକାମୋଦୀ । ତାଳ ଆଠତାଳୀ ।ଆହା ମୋ ପରାଣ-ମିତଣି । ତିନିଭୁବନ ରମଣୀମଣିରେ । ପଦ ।ତୋର ସମ ଗୁଣବତୀ ତିନିପୁରେ ନାହିଁ ସତି ।ସଦା ମନ ଥିବି ତୋର କତିରେ । ୧ ।ଦିବା ନିଶି ଚକ୍ର ପରି ଧନ୍ଦା କରି ବୁଲ ଘୁରି ।ତିଳେ ଅଳସ ନାହିଁ ତୋହରି ରେ । ୨ ।
ଋଷି-କନ୍ୟା ସରଳତା ମଧୁପରି ବାଣୀ ମିଠା ।
ଦିବ୍ୟ ସୁନ୍ଦର ସବୁ ତୋ କଥା ରେ । ୩ ।
ସ୍ନେହ-ଡୋରେ ସବୁ ପ୍ରାଣୀ ଧରିଅଛୁ ସଦା ଟାଣି ।
ପାରେ କେ ତୋ ଭାଗ୍ୟ ବଖାଣି ରେ । ୪ ।
ସୁଲୋ – ସହି ଏତେ କଥାକୁ ମୁ ସରି ନୁହେଁ - ମୋ ପରି ଦୁଃଖିନୀ ସାରା ସଂସାରରେ ପାଇବ ନାହିଁ । ମୋ ଭଳି ହତଭାଗିନୀ ବସୁନ୍ଧରା କେବେ ଧରି ନ ଥିଲା କି ନ ଧରା ମୁ ସଧବା ହୋଇ ବିଧବା ! ବିଧବାଙ୍କ ସ୍ୱାମୀ ନାହିଁ ବୋଲି ଗୋଟାଏ ଦୁଃଖ - ମୋର ସ୍ୱାମୀ ଥାଉଁ ଥାଉଁ ମୁଁ ଡରି ରହିଚି ।
(ଗୀତ) ରାଗ ଭୈରୋଁ । ତାଳ ଏକତାଳୀ ।ଦିନୁ ଦିନୁ ପ୍ରାଣସଜନି ଗୋ ଡରିଯାଏ ଭାଳି ତନୁ ।ପତି ପାଶରେ ସତୀ ବଢ଼ଇ (ପତି ପାଶେଥିଲେ ସତୀ ବଢ଼ୁଥାଇ) ଫୁଲି ଉଠଇ ମନୁ । ପଦ ।ପାଶରେ ମୋର ବାସରେ କେହି ଧରିବାକୁ ନାହିଁ ସାହା ।ଉପାସ ଭୋକରେ ମରି ଯାଉଥିଲେ କରିବାକୁ ନାହିଁ ଆହା । ୧ ।କରମହୀନ ମୋଠାରୁ ଦୀନ ସଂସାରେ ଦେଖିବ ନାହିଁ ।ପତି-ପଦଧୂଳି ଯେବେ ନ ପାଇଲି କି ହେବ ସକଳ ଥାଇ । ୨ ।ପତି ମୋର ଗତି ପତି ମୋ ମୁକତି ନାମ ଜପୁଥାଏଁ ସଦା ।ସଂସାର ସାର ଅଭାବେ ତାର ଦିଶିଥାଏ ମୋତେ ପଦା । ୩ ।
ପ୍ରିୟ – ସେକଥା ମାପିଲେ କି ହେବ ? ତୁମେ ରତ୍ନଗର୍ଭା - ପେଟରେ ଯାକୁ ଧରିଥିଲ ତାର ନାମ ଆଜି ଚାରିଆଡ଼େ ବାଜୁଚି ! ଆଜି ବିଲାତରୁ ଯେଉଁ ଚିଠି ଆସିଲା ତହିଁରୁ ଜଣାଗଲା ସେ ଆଉ ଦଶଦିନେ ଏଠାରେ ପହଞ୍ଚିବ ।
ସୁଲୋ – ତୁମମାନଙ୍କ ଆଶୀର୍ବାଦ ଘେନି ସେ ବଢ଼ୁଚି । ମୁଁ ତ ଚାରିବର୍ଷ ହେଲା ତାକୁ ନ ଦେଖି ବାୟାଣୀ ପରା ହୋଇ ଗଲିଣି - ଆଖିର ତାରା ଖସି ପଡ଼ିଲା ପରି ଦିଶୁଚି ! ଈଶ୍ୱର ଯେଉଁ ଦିନ ମୁକୁନ୍ଦକୁ କୋଳରେ ଆଣି ଦେବେ ସେଦିନ ମୋ ପିଣ୍ଡରେ ପ୍ରାଣ ପଶିବ ।
ପ୍ରିୟ – ଆହା ! ଯାହାର ସ୍ୱାମୀସୁଖ ନାହିଁ ତାର ଘର ଅରଣ୍ୟ ପରି । ସେ ଅରଣ୍ୟରେ ପୁତ୍ର ଏକା ବାଟର ସଙ୍ଖାଳି - ପୁତ୍ର ବୋଲି ପୁତ୍ର, ସବୁ ପାସ କରି ଜୟଡଙ୍କା ବଜାଇ ଆସୁଚି !
ସୁଲୋ – ସହି, ମୁକୁନ୍ଦକୁ ଚାରିବର୍ଷ ହେଲାଦିନୁଁ ସ୍ୱାମୀସଙ୍ଗେ ମୋର ଦେଖା ନାହିଁ - ଆଜି କୋଡ଼ିଏବର୍ଷ ପୁରିଲା । ରାଜତ୍ନ ପରି ଜମିଦାରୀରୁ ଷୋଳବର୍ଷ ହେଲା କଡ଼ାଏ କଉଡ଼ି ମିଳେ ନାହିଁ, - ଗୁମାସ୍ତାକୁ ଭଲମନ୍ଦରେ ଡକାଇବାରେ ସେ ଦୁଇ ଚାରିଥର ମୁହ ମୋଡ଼ି ଦେଇ ଅପମାନ କରିବାରୁ ଆଉ ତାକୁ ଡକାଏ ନାହିଁ । ଭାଗ୍ୟବଳକୁ ଭଗବାନ ପଠାଇଲା ପରି ସନ୍ନ୍ୟାସୀ ଆସି ମନ୍ତ୍ର ଦେଇ ଗଲେ - ଦୁଧ ପୁଷ୍ଟି ସାଧନ କରେ, ଦୁଧ ମିତ୍ର, ଦୁଧ ଦୁଃଖଦୂରକାରୀ; ଈଶ୍ୱର ଉପଦେଶ ଦେଇଚନ୍ତି ଦୁଧକୁ ଜୀବନ ପରି ମଣି ଗୋରୁ ରଖି କାର୍ଯ୍ୟ ଚଳାଇଲେ ଜ୍ଞାନ ଓ ପୋଷଣ ଉଭୟ ହେବ । ମୋର ଗୋରୁ ଦେବତା । ତାଙ୍କରି କଥା ମାନି ମୁ ଈଶ୍ୱରକୁ ଡାକି ଗୋରୁଙ୍କ ସେବାରେ ଲାଗି ପୁଅକୁ ଏଠାରୁ ପାସ କରାଇ ବିଲାତି ପଠାଇଲି । ଏତେ ଖର୍ଚ୍ଚ ଗୋରୁଙ୍କ ଲାଗି ମୋତେ ଜଣାଗଲା ନାହିଁ ଆଉ ତୁମେବି ମୋର ସହାୟ ହୋଇଥିଲ । ତୁମର ସ୍ୱାମୀ ଯୁଗେ ଯୁଗେ ବଞ୍ଚିଥାନ୍ତୁ । - ଗାଈ ମୋର ଧନ, ଗାଈ ମୋର ଜୀବନ, ଗାଈଙ୍କ କଲ୍ୟାଣରୁ ମୋର ପରିତ୍ରାଣ । ସନ୍ନ୍ୟାସିଙ୍କ ଆଜ୍ଞାରେ ସଙ୍ଗୀତ ଶୁଣାଇବାରୁ ଗାଈଙ୍କ ଦୁଧ ଯେମନ୍ତ ଅଧିକ ହେଲା ମୋର ବି ଅଭାବ ତେମନ୍ତ ଘୁଞ୍ଚିଲା ।
ପ୍ରିୟ – ଯାହା କହିଲ ଯଥାର୍ଥ - ସ୍ତ୍ରୀର ସର୍ବସ୍ୱ ସ୍ୱାମୀ । ସ୍ୱାମୀପଦ ସେବା କରିବାକୁ ନ ପାଇଲେ ସଂସାର ବିଷପ୍ରାୟ ଲାଗେ । ଚୌଧୁରୀ ଏଡ଼େ ଅବୁଝା ହୋଇଗଲେ ଯେ ଥରେ ହେଲେ ଭୁଲରେ ଝଞ୍ଜା ଭିତରକୁ ଗୋଡ଼ ପକାଇଲେ ନାହିଁ । ଗୁମାସ୍ତା କଥାରେ ପଡ଼ି ସବୁ ନଷ୍ଟ କଲେ ।
ସୁଲୋ – ଥାଉ, ତାଙ୍କ ନିନ୍ଦା ଶୁଣିବା ସୁଦ୍ଧା ମୋର ଉଚିତ ନୁହେ ।[ଚନ୍ଦ୍ରକଳାର ପ୍ରବେଶ ।]ଚନ୍ଦ୍ର
ମା ଚାଲ, ଚୁଲ୍ଲୀ ଲଗାଇବ - ମୁଁ ପରିବା କାଟି ଚାଉଳ ଧୋଇଧାଇ ରଖି ଦେଇଚି । କାଲି ସଞ୍ଜବେଳୁଁ ଦାରିଆଣୀଙ୍କି ଘେନି ବଗିଚାକୁ ଯାଇଚନ୍ତି ଯେ ଏତେବେଳଯାଏ ଦେଖା ନାହିଁ । - ହାବୁଡ଼େ ପଡ଼ନ୍ତେତ ମୁଁ ସେ ମାଣିକରତନ ଯୋଡ଼ିଙ୍କ ମୁହଁ ଫୁଲାଟା ପାଞ୍ଚଣବାଡ଼ିରେ ଭାଙ୍ଗି ଦିଅନ୍ତି - ଅଇଣ୍ଠାଖିଆ ଧିଟଙ୍କ ପୁଣି ଗରବ କେତେ ! ମାଗିଖିଆଙ୍କର ଚାତୁରୀ କେଡ଼େ !
[ମାଣିକ, ରତନ, ଭଜନ ଓ ପ୍ରେମାନନ୍ଦ ଭୋଳାନାଥକୁ କାନ୍ଧରେ ଘେନି ପ୍ରବେଶ ।]
ମାଣି, ରତ, ପ୍ରେମା ଓ ଭଜ – (କାନ୍ଧରୁ ଓହ୍ଲାଇ ଭୋଳାନାଥକୁ ତଳେ ଥୋଇଦେଇ) ମା, ଏ ମଦ ଖାଇ ଏକାବେଳକେ ବେହୋସ ହେଇଯାଇଚନ୍ତି - ଯେତେ ପାଣି ଢାଳିଲୁଁ ହୋସ ହେଲାନାହିଁ ।
ଚନ୍ଦ୍ର – (ଘୋର ପାଟିକରି) ଏ ଅଇଣ୍ଠାଖିଆ ଛତରାଏ ସବୁ ସାଇଲେ ! ଏ କୁଳାଙ୍ଗାର ବାଳୁଙ୍ଗାକୁ ଘର ଭାଙ୍ଗିବାପାଇଁ ବିଧାତା କାହିଁକି ଜନ୍ମ ଦେଇଥିଲେ ! (ଗୁହାଳ ଦୁଆରୁ ପାଞ୍ଚଣ ଦୁଇଖଣ୍ଡ ଦୁଇ ହାତରେ ଉଠାଇ ମାଣିକ ପ୍ରଭୃତିଙ୍କି ପ୍ରହାର ।)
ମାଣି, ରତ, ପ୍ରେମା ଓ ଭଜ – (କାନୁମୁଣ୍ଡ ଆଉଁସି ନିଶାଯୁକ୍ତସ୍ୱରେ) ଓହୋ ! ଓହୋ ! ମା କାଳୀ, ରକ୍ଷା କର - ରକ୍ଷା କର ! (ପଳାୟନ) ।[ଚନ୍ଦ୍ରକଳା ପଛରେ ଗୋଡ଼ାଇଯିବା ।]
ସୁଲୋ – (ଉଚ୍ଚୈଃସ୍ୱରେ) ମୋ ମାଲୋ, ମୋରତ ସବୁ ସମ୍ପତ୍ତି ସଇଲା ଲୋ । (କାନ୍ଦୁ କାନ୍ଦୁ ଭୋଳାନାଥର ମୁହଁ ଓ ହାତ ଦେଖି ଗୋଡ଼ ଧରି) ସହି, କି ବୁଦ୍ଧି କରିବି-? - ଏତ କାଠପରି ହୋଇଚନ୍ତି !
ପ୍ରିୟ – ସହି, ବିପଦବେଳେ ଧୈର୍ଯ୍ୟ ଧରିବା ଉଚିତ । ଥୟ ଧର - ମୁଁ ଯାଇ ତାଙ୍କୁ ଡାକିଆଣେଁ - ଔଷଧପତ୍ର କରିବା ।[ବାମଦେବ ସହିତ ଚନ୍ଦ୍ରକଳାର ପ୍ରବେଶ ।]ହେଇଟିତ ଆସିଲେଣି - ଚନ୍ଦ୍ରୀ ଯାଇ ଡାକି ଆଣିଲା, ଭାରୀ ବୁଦ୍ଧିମତୀ ।ବାମ
ଚନ୍ଦ୍ରକଳା ବେଶ କରିଛି - ସେମାନେ ମାଡ଼ର ଉପଯୁକ୍ତ ପାତ୍ର - ଲହୁଲୁହାଣ ହୋଇ ଦଉଡ଼ି ପଳାଇଲେ । (ଭୋଳାନାଥ ନିକଟରେ ବସି ହାତ ଗୋଡ଼ ମୁଁହଁ ନାକ ଦେଖି) ଆଉ କିଛି ନାହିଁ - ନାଡ଼ିରୁ ଜୀବନ ଛାଡ଼ି ଯାଇଛି- ଛାତି ଫାଟି ଦେହରୁ ଢେର ରକ୍ତ ବାହାରିଯାଇ ମୃତ୍ୟୁ ଘଟିଲା । - ହାୟ ! (ଆପଣା ଆଖିରୁ ଲୁହ ପୋଛି) ଧନମଦରେ ମାତି ସଂସାରରେ ଯେଉଁମାନେ ଏତେ କୁକ୍ରିୟା କରନ୍ତି ତାଙ୍କର ଏହି ପରିଣାମ ।
ସୁଲୋ – (ପାଟିକରି କାନ୍ଦି) ମୋ ବଉଲୋ ! ମୋ କପାଳେ (ସ୍ୱାମୀ ପାଦ ଉପରେ ଢଳି ପଡ଼ିବା ।)ଚନ୍ଦ୍ର – (ବାଡ଼ି ପକାଇଦେଇ) ଏ କି ହେଲା ! (ସୁଲୋଚନାକୁ ଧରି ବସିବା ।)ବାମ – ପାଣି ଆଣ, ପାଣି । (ସୁଲୋଚନାର କାନ ଫୁଙ୍କିବା ।)
ପ୍ରିୟ – (ଲୁହ ପୋଛୁ ୨) ମୁଁ ଆଣୁଚି (ଦଉଡ଼ିଯାଇ ନେପଥ୍ୟରୁ ପାଣି ଢାଳେ ଆଣି ସୁଲୋଚନାର କପାଳ ଓ ମୁଣ୍ଡରେ ପାଣି ଲଗାଇ ପାଟିକରି) ସହି ! ସହି ! ସହି !
ବାମ – (ସୁଲୋଚନାର ମୁଣ୍ଡ ଓ କପାଳରେ ପାଣି ଦେଇ ପରେ ହାତ ଦେଖି) ଆଉ ଡାକିଲେ କି ହେବ ? ଏ ମହାସତୀ ! ସ୍ୱାମୀ ପାଦ ଧରି ଏକାବେଳକେ ଇହସଂସାର ତ୍ୟାଗ କଲେ ।
ଚନ୍ଦ୍ର – (ପାଟିକରି କାନ୍ଦି) ଆମର ସଂସାର ସଇଲା ! ଏବେ କାହାକୁ ମୁଁ ନିତି ମା ବୋଲି ଡାକିବି ! କାହାସଙ୍ଗେ ଅଳି ଲଗାଇବି ! ମୋ ମାଲୋ ! (ଲୁହ ପୋଛିବା ।)
[କେଶବ ଓ ରଘୁର ଦ୍ରୁତବେଗରେ ପ୍ରବେଶ ।]
କେଶ ଓ ରଘୁ – (କାନ୍ଦୁ ୨) ଆମର ମା କି ଆମକୁ ଛାଡ଼ି ଚାଲିଗଲେ ! (ସୁଲୋଚନା ନିକଟକୁ ଯାଇ) ମା, ମା- ଆଉ କି ଶୁଣିବ ନାହିଁ, କୁଆଡ଼େ ଚାଲିଗଲ ! (ଲୁହପୋଛି) ଆମକୁ ଆଉ କି ଅନାଇବ ନାହିଁ - କିଏ ଆମକୁ ଆଉଁସି ପାଉଁସି ଆଉ ପୋଷିବ । ଗାଈଯାକ ଲୁହ ଗଡ଼ାଇ ଅନେଇଚନ୍ତି - ଖାଉନାହାନ୍ତି, ତାଙ୍କୁ ଖୋଇବ କିଏ !
ପ୍ରିୟ – (କାନ୍ଦି ଛାତିରେ ହାତମାରି) ହାୟ ହାୟ, ମୋର ବୁକୁ ଫାଟି ଯାଉନାହିଁ ଯା ! ମୁକୁନ୍ଦ ଆସି ଘରେ କଅଣ ଦେଖିବ ! ମୋର ସତୀଲକ୍ଷ୍ମୀ ସହୀ କୁଆଡ଼େ ଚାଲିଗଲେ !
ବାମ – (ଆଖିରୁ ଲୁହ ପୋଛୁ ୨) ଦେଖ, ଆଉ କାନ୍ଦିଲେ କି ହେବ ? ଚାଲ ଏ ଦୁଇଜଣଙ୍କୁ ଧରି ଅଗଣା ଭିତରକୁ ନେଇଯିବା ।- ମୁ କାରଖାନାରୁ ଲୋକ ଡାକିଆଣିବି - ଏକାଚିତାରେ ଏ ଦୁହିଙ୍କ ସତ୍କାର ହେବ ।
[ବାମଦେବ, କେଶବ ଓ ରଘୁ ଭୋଳାନାଥକୁ ଟେକିନେଇ ଆଗେ ୨ ଓ ତତ୍ପଶ୍ଚାତ୍ ପ୍ରିୟବତୀ ଓ ଚନ୍ଦ୍ରକଳା ସୁଲୋଚନାକୁ ଟେକିନେଇ ପ୍ରସ୍ଥାନ ଏବଂ ଅଦୃଷ୍ଟ-କୁମାରୀ ମାନଙ୍କର ପ୍ରବେଶ ।]
ଅଃ କୁଃ – (ନୃତ୍ୟ ସହିତ ଗୀତ)ରାଗିଣୀ ସିନ୍ଧୁ ଭୈରବୀ । ତାଳ ଆଡ଼ଖେମଟା ।ସତୀ ପତିପ୍ରାଣଠାରୁ ସଂସାରେ କେ ବୋଲି ବଡ଼ ।ଗୃହରୁ ଗୃହିଣୀ ବଡ଼ ବିଭବ ଚରିତ୍ର-ବଳ । ଘୋଷା ।ସଂସାର-ସୁଖ ଆଧାର, ଗୁଣୀ ଗୁଣେ କରେ ସାର,ନିର୍ଗୁଣେ ଦୁଃଖସାଗର ।କି ହେବ ଧନ ଯୌବନ ନ ଥିଲେ ସୁବ୍ୟବହାର । ୧ ।ନିଶାବେଶ୍ୟାରେ ପିପାସା ବୁଡ଼ାଏ ଆଶା ଭରସା, ଅନ୍ତିମେ ଘୋଟେ ଦୁର୍ଦ୍ଦଶା ।ଧନେ ବଡ଼ ନୁହେ କେହି ଗୁଣେ ଏକା ସମାଦର । ୨ ।ପିତାପରି ବିଶ୍ୱପାତା ବେଦେ କହିଛନ୍ତି କଥା, ନ କର କେବେ ଅନ୍ୟଥା ।ସଦାଚାରେ ମାତି ସର୍ବେ ଜନମ କର ସଫଳ । ୩ ।ଯବିନିକାପତନ ।ଦ୍ୱିତୀୟ ଅଭିନୟ
ପ୍ରଥମ ଦୃଶ୍ୟ
ରାଜମାର୍ଗ[କେଳା ଦୁଇଜଣଙ୍କ ଧୁଡ଼କି ବାଦନ ଓ କେଳୁଣୀ ଦୁଇଜଣଙ୍କ ଗୀତଗାଇ ନୃତ୍ୟ ଓ ଏବଂ କେତେଜଣ ଦର୍ଶକ ଉପସ୍ଥିତ ।]କେଳୁ – (ନୃତ୍ୟସହିତ ଗୀତ)ରାଗ ଆଶାବରୀ । ତାଳ ଝୁଲା ।ନିକୁଞ୍ଜକାନନ ଶ୍ୟାମ ଘେନି ସିନା ଶୋଭାବନ । ପଦି ।ବ୍ରଜବାଳୀ ଭକ୍ତିରସରେ ଘେରିଛନ୍ତି ଚଉପାଶରେ ।ନିଶି ଦିବସରେ କୌତୁକ ନ ସରେ ଛାଡ଼ିବାକୁ ନାହିଁ ମନ । ୧ ।ଯାହାର ଯେମନ୍ତ କାମନା ପାଉଛନ୍ତି ନାହିଁ କା’ମନା ।ସକାଳେ ସୁମନା ପିନ୍ଧାଇ ସୁମନା ଭୁଞ୍ଜୁଛନ୍ତି ଶ୍ୟାମଧନ । ୨ ।ମୁକତି-ସାଧନ ଏମନ୍ତ ମୁଖେ କେ କହିବ କେମନ୍ତ ।ଯେ ଭାବେ ଯେମନ୍ତ ସେ ପାଏ ତେମନ୍ତ ରାଧା-ମନ ବୃନ୍ଦାବନ । ୩ ।
ଚାଉଳ ଭାଜିଲେ ଝାଇଁ । ମୁହଁ ଧାଇଁ ଥାଏଁ ସବୁରିପାଇଁ ମୋହପାଇଁ କେହିନାହିଁ । ଅଖ ପଡ଼ିଥିଲେ ଗାଡ଼ି ଚଳୁଥାଏ ବୁଲି ପଡ଼ୁଥାଏ ପହି । ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।- ହାଁ ଲୋ ହାଁ ହାଁ ହାଁ ହାଁ ।
କେଳାଦ୍ୱୟ – ୟେ ସାନ୍ତେ ଗୋଟିଏ ଗୋଟିଏ ପଇସା ଦିଅ ।କେଳୁ – (ହାତପତାଇ ବୁଲି) ୟେ ସମସ୍ତେ ଗୋଟିଏ ଗୋଟିଏ ପଇସା ଦେଲେ ଆମର ପେଟ ପୁରିଯିବ ।୧ମ ଦର୍ଶ – ପଇସା କଣ ଆମେ ଏଠିକି ଆଣିଛୁଁ ଦେବୁଁ ।୧ମ କେଳୁ – ୟେ ସାଆନ୍ତେ ତେବେ ଆଉ ନାଟ ଦେଖିଲ କାହିଁକି ?୨ୟ ଦର୍ଶ – ତୁମେମାନେ ନାଚିଲ, ଆମେ ଦେଖିବାକୁ ଠିଆହୋଇ ଗଲୁଁତ ଦୋଷ ହେଲା-!୨ୟ କେଳୁ – ୟେ ସାନ୍ତେ ମାଗିଖାଇବା କଥା । ଲାଜ-ସରମ-ମୁଣ୍ଡଖାଇ ନାଚିଲୁଁ - କେତେ କୁଆଡ଼େ ଯାଉଚି, ପଇସାଟା ଦେଲେ କି ସରିଯିବ-!୧ମ ଦର୍ଶ – ତୁମକୁ ନାଚିବାକୁ କିଏ କହୁଥିଲା ?କେଳାଦ୍ୱୟ – ୟେ ସାନ୍ତେ ଏମତେ ଚଳୁଚ କାହିଁକି ? (କେଳୁଣୀ ପ୍ରତି) ଆସ ଆସ ହେ, ସେ ଶୁଖିଲାମୁହା ନ ଦେବେ ତ ନାହିଁ ।[ଚପରାସୀ ସହିତ ବାମଦେବର ପ୍ରବେଶ ।]ବାମ – କି ଗୋଳମାଳ ଲଗାଇଛ ?୧ମ କେଳୁ – ୟେ ସାନ୍ତେ ଆମେ ଗୀତଗାଇ ନାଚୁଥିଲୁଁ, ଏମାନେ ଠିଆହୋଇ ଦେଖୁଥିଲେ - ପଇସାଟିଏ ମାଗିଲେ ବି ଦେଲ ନାହିଁ ।କେଳାଦ୍ୱୟ – ୟେ କାରଖାନା ସାନ୍ତେ ଆସିଲେଣି - ୟାଙ୍କ ଆଗେ ଗୋଟିଏ ଗୀତଗାଇ ନାଚ, ବକ୍ସିସ୍ମିଳିବ । (ଧୁଡ଼ୁକି ବାଦନ ।)କେଳୁ – (ନୃତ୍ୟସହିତ ଗୀତ)ରାଗିଣୀ ଭୈରବୀ ! ତାଳ ଝୁଲା ।ପରମାଦ ଯେ ଅପବାଦରେ ପଡ଼େ ଆଦର ନାହିଁ ନା ।ମାଧବକଥା ସାଧବ ଜାଣି ପାଦ ଇଚ୍ଛଇ ନା । ପଦ ।ଉନମାଦକ ବଂଶୀ ନାଦ ଶୁଣିବା ସଙ୍ଗେ ହରେ ବିଷାଦ ।ନ କର ତାର ପରୀବାଦ ବାଦ ବହ ନା । ୧ ।ଯାଦବ ମାଗ ଯା’ଦବ ଜାଣି ଅନ୍ତରବାଣୀ ଅନ୍ତରଯାମୀ ।ସାଦରେ ମନସାଧରେ ଡାକ ଅନ୍ତର କର ନା । ୨ ।
ଦାନ୍ତୁଡ଼ୀ ବୋହୁ ମୋ ଘରକୁ ଶିରୀ । ଚୋର ନ ପଶଇ ଦାନ୍ତକୁ ଡରି । ଛି ଲୋ ଛତୁ । ପାଣି ବରଷିଲେ କେତେ ମାତନ୍ତୁ । ଚୁଛାକୁ ଏତେ । ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ । ପିତଳ ଗୁଣାକୁ ନାକ ଟାଉଁ ଟାଉଁ ସୁନା ଗୁଣା ଥିଲେ ହୁଅନ୍ତୁ କେତେ । ହଁ । ଲୋ ହାଁ ହାଁ ହାଁ ବେଶ୍ ।
କେଳା – ୟେ ସାନ୍ତେ କିଛି ଦିଅ ଖାଇବା ।ବାମ – ତୁମ୍ଭେମାନେ ନିତି କେତେ ଉପାୟ କର ?୧ମ କେଳା – ୟେ ସାନ୍ତେ ଟିକସ ନ କରିବୁ କହିବୁଁ ।ବାମ – ନାହିଁ ନାହିଁ, ଡର ନାହିଁ - ମୁଁ ପଞ୍ଚାଏତ ପ୍ରେସିଡେଣ୍ଟ ନୁହେଁ ।୧ମ କେଳାୟେ ସାନ୍ତେ କେଉଁଦିନ ଦିଅଣା, କେଉଁଦିନ ଦିସେର ଚାଉଳ କେଉଁଦିନ କିଛି ନୋହିଲାତ ଉପାସ ରହିଲୁଁ ।ବାମ – ମୁ ତୁମ୍ଭମାନଙ୍କ ଖାଇବାର ଉପାୟ କରିଦେବି । କାମ କରିବ ?୨ୟ କେଳା – ୟେ ସାନ୍ତେ ଆମେ କେଳା ଭିକାରୀ ଲୋକ, ଛୁଇଁଲେ ଜାତି ଯିବ - ଆମେ କି ପାଇଟି କରିବୁଁ ?କେଳୁ – ୟେ ସାନ୍ତେ ଆମେ କେଳୁଣୀ ଗୁଡ଼ାକ, ଆମକୁ କିଏ ଠାଁ ଦେବ ନା ସାଇତିବ-।
ବାମ – ମୋ କାରଖାନାରେ ଜାତି ନାହିଁ, ସେଠି ଛୁଆଁ ଅଛୁଆଁ ନାହିଁ - ସମସ୍ତେ ସମାନ । ଯେ କାମ କଲା ତାର ମାନ ବେଶୀ । ତୁମ୍ଭେମାନେ ମୋ କଥା ମାନିବତ ମୁ ଉପାୟ କରି ଦେବି - ଜଣକେ ଦିନ ଚାରିଅଣାରୁ ଊଣା ପାଇବ ନାହିଁ ।
୧ମ କେଳା – ୟେ ଆମକୁ ଖିରସ୍ତାନ କରିବୁ କି ? ୟେ ସେ ସାହେବ କେଳାକେଳୁଣୀ କେତେ ଜଣଙ୍କୁ ଖିରସ୍ତାନ କରି କାମ ଦେଇଥିଲେ ଯେ ଜାତିରେ କେହି ତାଙ୍କ ହାତରେ ପାଣି ଛୁଇଁଲେ ନାହିଁ । ଖିରସ୍ତାନମାନେ ବି ଜାତି କେଳା ବୋଲି ବାରିଲେ । ସେମାନେ କେତେ କଷ୍ଟ ପାଇ ତଣ୍ଡରେ ପଡ଼ି ପୁଣି ଆମ ଜାତିକି ଫେରିଆସିଲେ ।
ବାମ – ନାହିଁ, ନାହିଁ - ମୁଁ ଖିରସ୍ତାନ କରିବି ନାହିଁ । ତୁମ୍ଭେମାନେ ଯେପରି ହିନ୍ଦୁ ଅଛ ସେହିପରି ହିନ୍ଦୁ ରହିବ । ମୁଁ କାମକରାଇବାକୁ ନେଲା ଆଗରୁ ତୁମକୁ ହୋମ କତିରେ ବସାଇ ଶୁଦ୍ଧ କରି ଦେବି ।
୨ୟ କେଳା – ୟେ ହୋମ କତିକି ତ ଆମକୁ କେହି ଯିବାକୁ ଦିଅନ୍ତି ନାହିଁ - ତୁ ଯେବେ ହୋମ କତିରେ ଆମକୁ ବସାଇ ଶୁଦ୍ଧ କରିବୁ ଆମ ତୋର ଗୋଲାମ ହେବୁଁ ।
୧ମ କେଳା – ଆଉ ଅନାଚାର କରିବୁ ନାହିଁ ।କେଳୁ – ଯାହା କରିବାକୁ କହିବୁ କରିବୁଁ ।
ବାମ – ମୁ କହୁଛି କେଳାମାନେ ମୋର ଚମଡ଼ା-କାରଖାନାରେ ଆଉ କେଳୁଣୀମାନେ ଲୁଗାକାରଖାନାରେ କାମ କରିବେ । ଯେଉଁ କେଳାମାନେ ଗୋଧି ସାପ ଧରି ଦେବେ ସେମାନେ ସାପ ଗୋଟିକୁ ଚାରିଅଣା ପାଇବେ ।
କେଳା – (ଆନନ୍ଦରେ ହେଣ୍ଡି ମାରି ବଜାଇ ଲମ୍ଫ ପ୍ରଦାନପୂର୍ବକ) ବାହୁଆ ! ବାହୁଆ ! ! ୟେ ଆମେ ଯେତେ କେଳା ଏ ଅଞ୍ଚଳରେ ଅଛୁଁ ସମସ୍ତେ ଲାଗିଯିବୁଁ ।- ୟେ ତୁ ଏତେ ଗୋଧି ସାପ କିସ କରିବୁ ରେ ?
ବାମ – ମୁଁ ଚମଡ଼ା ତିଆରି କରି ବିଲାତ ପଠାଇବି ।କେଳୁ – ୟେ ଆଉ ଲୁଗାସବୁ କିସ ହେବ କି ?ବାମ – ତୁମ୍ଭେମାନେ ପିନ୍ଧିବ ଆଉ ଦେଶ-ଲୋକେସବୁ ପିନ୍ଧିବେ ।କେଳୁ – (ଆନନ୍ଦରେ ଘେରାଏ ବୁଲିଯାଇ) ବେଶ୍ ବେଶ ?ବାମ – ଚପରାସି । ଯାଅ ତେବେ । ଏମାନଙ୍କୁ ସଙ୍ଗେ ଘେନି ଯାଅ ମେନେଜରଙ୍କ ଜିମା କରିଦେଇ ହୋମର ଆୟୋଜନ କର, ମୁ ଯାଉଛି ।[ଚପରାସୀ ସହିତ କେଳା ଓ କେଳୁଣୀଙ୍କର ପ୍ରସ୍ଥାନ ଓ ଗୋପୀଯନ୍ତ୍ର ଓ ରାମକାଠି ବଜାଇ ଗୀତ ଗାଉଁଗାଉଁ ଏକଦଳ ସାଧୁର ପ୍ରବେଶ ।]ସାଧୁ – (ଗୀତ)ରାଗ ଭୈରୋଁ । ଢାଳ କହେରୁଆ ।କେହି ଅଧଲାଏ ପାହୁଲାଏ ଦିଅ ହେ ଦାତା ଭୋକେ ମରିଯାଇ ।ଦେବାଠାରୁ ପୁଣ୍ୟ ନାହିଁ ଅନ୍ତେ ସ୍ୱର୍ଗ ପାଇ । ପଦି ।ଅନ୍ନଦାନ ମହାପୁଣ୍ୟ, ଯେ କରେ ସେ ହୁଏ ଧନ୍ୟ,ଗୁଣେ ଦେଇଥିଲେ ଦୁଣେ ଲାଭ ହୁଏ ଭାଇ । ୧ ।ମାଟି ହେବ ମାଟିଦେହ, ଦାରା ସୁତ ଧନ ଗୃହ,ଏକା ଧର୍ମ ଛଡ଼ା ଆନ ସଙ୍ଗେ ଯିବ ନାହିଁ । ୨ ।ଦେଇଛନ୍ତି ଭଗବାନ ଦାନେ ହୁଅ ପୁଣ୍ୟବାନ,ଅମର ସଂସାରେ ହୁଅ ପାପୁଁ ପାଅ ତ୍ରାହି । ୩ ।ଠାକୁରେ ଭଲ କରନ୍ତୁ ! ବାବୁ କିଛି ସାଧୁଙ୍କ କଥା ବୁଝ, ଦୁଇ ଦିନ ହେଲା ଖାଇ ନାହୁଁ ।ବାମ – ଦୁଇଦିନ ନ ଖାଇ ବୁଲୁଛ ? ଚେହେରା ଦେଖି ଦୁଇଦିନ ନ ଖାଇଲା ପରିତ ଜଣାଯାଉ ନାହିଁ ।ଜନୈକ ସା – ଯେ ଦୁଇଦିନ ସେ ଦୁଇଓଳି ।ବାମ – ତେବେ ଦିନେ ଖାଇ ନାହଁ ।- କାଲି କେଉଁଠି ଥିଲ ?
ଜ, ସା – ସିଦ୍ଧବଳଦେବ ବାବୁଙ୍କ ଘରେ ଥିଲୁଁ ଯେ ତାଙ୍କର ସାଧୁସେବାରେ ସର୍ବସ୍ୱ ନିଲାମ ହୋଇ ଗଲାଣି । ସେ ବିଚାରା ଶ୍ରମ କରି ବୁଲି ବୁଲି ୟାଠୁ ତାଠୁ ମାଗି ଯାଚି କିଛି ଆଣିଦେଲେ ତାହାହିଁ ଠାକୁରଙ୍କ ଭୋଗ ଲାଗିଲା ।
ବାମ – ତେବେ କାଲି ରାତି ଓଳିକ ଖାଇ ନାହଁ ।
ଜ, ସା – ରାତ୍ରକୁ କଟରପାମଠରେ ମଉଛବା ହୋଇଥିଲା - ସେଠାକୁ ଗଲାବେଳକୁ ପଙ୍ଗତ ବଢ଼ିଲାଣି । ଯାହାଥିଲା ମହନ୍ତ ବିଚାରା ଆଣିଦେଲା - ପୂର୍ଣ୍ଣଭୋଜନ ହୋଇଗଲା ।
ବାମ – ତେବେ ମିଛକଥା କହିଲ !ଜ, ସା – ସେଟା ଆମର ବୋଲି - କଡ଼ାକଡ଼ି ଉପାସ ନ କହିଲେ କେହି ଦେବେ ନାହିଁ-। ସଂସାର ତ ମିଛ !
ବାମ – ସେ ତୁମ୍ଭର ଭୁଲ ! ଈଶ୍ୱର ସତ୍ୟ ଆଉ ସତ୍ୟରେ ସଂସାର ଚଳୁଛି । ତୁମ୍ଭର ବ୍ୟବସାୟ ମିଛ - ମିଛ କଥା କହି ପାପ ଅର୍ଜିବାକୁ ହେଲା । ସତ୍ୟଧର୍ମ ଛାଡ଼ି ବାଟ ବହକି ଯାଇ ମାରା ପଡ଼ିଛ - ଏ ତୁମ୍ଭର ଶିକ୍ଷାର ଦୋଷ ।- ଶାସ୍ତ୍ର କହିଛି ଭିକ୍ଷାବୃତ୍ତି କଦାପି କରିବ ନାହିଁ - ଭିକ୍ଷାୟାଂ ନୈବ ନୈ ବ ଚ ।
ଜ, ସା – ଆଉ ଭିକ୍ଷା ନ କରି କି କରିବୁଁ ? ଠାକୁରଙ୍କର ଯେଉଁ ଦିନ ଇଚ୍ଛା ହେଲା ସେ ଖାନ୍ତି, ଆମେମାନେ ପ୍ରସାଦ ପାଉଁ, ଯେଉଁଦିନ ନୋହିଲା - ସେ ଉପାସ, ଆମେବି ଉପାସ ।
ବାମ – ଠାକୁରତ ସବୁଠି ଅଛନ୍ତି - ତାଙ୍କର ଅଭାବ କିଛି ନାହିଁ, ତାଙ୍କର ଐଶ୍ୱର୍ଯ୍ୟ ଅସୀମ । ତୁମ୍ଭର ପେଟ ପରି ତାଙ୍କର ପେଟ ନାହିଁ - ତୁମ୍ଭେମାନେ ତାଙ୍କୁ ଚିହ୍ନି ନାହଁ । ସେ କହିଛନ୍ତି ପ୍ରାଣୀ ମାତ୍ରକେ ପରିଶ୍ରମ କରିବେ - କାଳେ ଅଳସୁଆ ହୋଇଯିବେ ବୋଲି ଆଶ୍ଚର୍ଯ୍ୟ କୌଶଳରେ ପେଟ ଗଢ଼ିଛନ୍ତି । - ସଂସାର ଗୋଟିଏ ମହାଯଜ୍ଞ । ଯଜ୍ଞପୁରୁଷ ଯଜ୍ଞର ସୃଷ୍ଟି କରି ଖାଇବାରୂପ ଯଜ୍ଞ ସକାଶେ ଉଦରରୂପେ ହୋମକୁଣ୍ଡ ଖଞ୍ଜିଛନ୍ତି । ମନୁଷ୍ୟ ଅନ୍ୟ ଜୀବ ପରି ନୁହେଁ - ସେ ସର୍ବଦା ପୁରୁଷାର୍ଥୀ ହୋଇ ଯଜ୍ଞଦ୍ୱାରା ମନୁଷ୍ୟ-ଜୀବନ ସଫଳ କରିବ । ଈଶ୍ୱର ବେଦରେ ଗାଇଛନ୍ତି - ଓ ଆୟୁର୍ୟଜ୍ଞେନ କଳ୍ପତାମ୍ ପ୍ରାଣୋୟଜ୍ଞେନ କଳ୍ପତାଞ୍ଚକ୍ଷୁର୍ୟଜ୍ଞେନ କଳ୍ପତାଂ ଶ୍ରୋତ୍ରଂ ୟଜ୍ଞେନ କଳ୍ପତାମ୍ପୃଷ୍ଟଂ ୟଜ୍ଞେନ କଳ୍ପତାମ୍ । ୟଜ୍ଞଂ ୟଜ୍ଞେନ କଳ୍ପତାମ୍ ପ୍ରଜାପତେଃ ପ୍ରଜା ଅଭୁମ ସ୍ୱର୍ଦେବା ଅଗନ୍ନାମୃତା ଅଭୁମ । ଈଶ୍ୱରଙ୍କ ଆଜ୍ଞା ପାଳି ବ୍ରହ୍ମଚର୍ଯ୍ୟଦ୍ୱାରା ବେଦାଦି ଶାସ୍ତ୍ରାଧ୍ୟୟନ କରି ଈଶ୍ୱରସମାନ ଗୁଣକର୍ମଶାଳୀ ରାଜାଙ୍କ ଉପଯୁକ୍ତ ପ୍ରଜା ହୋଇ ବିଦ୍ୱାନ୍ ପୁରୁଷଙ୍କ ପ୍ରାପ୍ୟ ସୁଖଲାଭ କରି ପୃଥିବୀରେ ଯଶୋଲାଭ କରିବ । ଏହା ନ କଲେ କେହି ମୋକ୍ଷର ଅଧିକାରୀ ହୋଇ ପାରିବ ନାହିଁ ।
ସାଧୁ – (ପରସ୍ପରକୁ ଅନାଇ ଆଶ୍ଚର୍ଯ୍ୟଭାବସୂଚକ ଅନୁମୋଦନବ୍ୟଞ୍ଜକ ଇଙ୍ଗିତାଦି କରି) ଯାହା କହିଲ ଯଥାର୍ଥ ଆଜିଠାରୁ ଆପଣ ଆମ୍ଭମାନଙ୍କ ଗୁରୁ !
ବାମ – ତେବେ ଗୁରୁବଚନ ପାଳନକର । ଆମ କାରଖାନାକୁ ଆସ, ଦିନବେଳେ କାମ କରିବ ଆଉ ରାତ୍ରକୁ ମୁଁ ବେଦପଢ଼ି ସତ୍ୟଧର୍ମର ଉପଦେଶ ଦେବି ।ସାଧୁ – ହେଉ, ହେଉ ।- ବେଦ ଶୁଣି ଆମର ଶରୀର ପବିତ୍ର ହେବ ![ସଂକୀର୍ତ୍ତନ କରୁ୨ ବୈଷ୍ଣବ ଦଳର ପ୍ରବେଶ ।]ବୈଷ୍ଣ – (କୀର୍ତ୍ତନ ଗୀତ)କୀର୍ତ୍ତନ ସ୍ୱର ଓ ତାଳ ।ସୃଷ୍ଟିକାଳ ଘେନି ରାଧାକୃଷ୍ଣ ବେନି ଯୁଗଳମ ରତି ଧରି ।କ୍ଷୀର ନୀର ପରି ମିଳି ଯାଇଛନ୍ତି ଏକ କୃଷ୍ଣ ଆର ଗୋରୀ । ଘୋଷା ।ସଂସାରମୟ ରାଧାକୃଷ୍ଣ ରାଧାକୃଷ୍ଣେ ତଳେ ଜଗତ ।ରାଧା ଶୁଭ୍ର ସପ୍ତବର୍ଣ୍ଣସମ୍ମିଳିତ କୃଷ୍ଣ ବର୍ଣ୍ଣହୀନ ତହିଁ ଲୁକ୍କାୟିତଫୁଟିଛି ରାଧିକା ଯେସନ ସ୍ଥିରସୌଦାମିନୀକେଡ଼େ ଆଶ୍ଚର୍ଯ୍ୟ ରୂପ କେ କଳି ପାରିବ ସଂସାର ଶୋଭେ ରାଧାରାଣୀ !ସେହି କୃଷ୍ଣର ଅନନ୍ତ ଲୀଳାକେ କଳି ପାରିବ ତାଙ୍କରି କଳାତ୍ରିଭଙ୍ଗି ମା ଠାଣି ତ୍ରିଲୋକ ବଖାଣି, ମୃଦୁ ବଂଶୀଧ୍ୱନି ପ୍ରିୟ ସତ୍ୟବାଣୀ -ରୂପ ଘେନି ରାଧା ସକଳ ଦେଖାଏ - ଅନନ୍ତ ଲୀଳା,କୃଷ୍ଣ ବୋଲି ଖୋଜି କେହିତ ନ ପାଏ - ଅନନ୍ତ ଲୀଳା,କ୍ଷୀର ଭେଦି ନୀର ପାଇବା କଠିନ, ତହୁଁବଳି କୃଷ୍ଣ ରାଧାରେ ପ୍ରଚ୍ଛନ୍ନ, -ନାହିଁ ଭେଦାଭେଦ -କୃଷ୍ଣ ଶିରେ କେବେ ଶୋହେ ଶ୍ରୀରାଧିକାପାଦ,ଆନନ୍ଦନିଳୟେ ସଦାନନ୍ଦେ ରହେ ଶ୍ରୀମତୀ ଯୁଗଳେ ସଚ୍ଚିଦାନନ୍ଦ ।ଭବସିନ୍ଧୁ ପାରେ ଯେବେ ଯିବୁ ବାରେ ଡାକ ରାଧାକୃଷ୍ଣ ପ୍ରାଣ ଭରି । ୧ ।ବାମ – ଠିକ୍ ଗାଇଛ ।ବୈଷ୍ଣ – ରାଧେକୃଷ୍ଣ ! ବାବୁ କିଛି ଦିଅ ରାଧାରାଣୀଙ୍କ ଭୋଗ ଲାଗିବ ।
ବାମ – (ସାଧୁମାନଙ୍କୁ ଦେଖାଇ) ମୁଁ ଏତେବେଳଯାଏ ଏମାନଙ୍କୁ ବୁଝାଉଥିଲି ଭିକ୍ଷା କଦାପି କରିବ ନାହିଁ । ଭିକ୍ଷାରେ କେବେ ପେଟ ପୁରେ ନାହିଁ ମାତ୍ର ଫଳରେ ମନୁଷ୍ୟତା ନଷ୍ଟ ହୋଇ ନର୍କରେ ପଡ଼ିବାକୁ ହୁଏ । ତୁମ୍ଭେମାନେ କେତେ ଅପମାନ, ମାରମାର ଦୂରଦୂର ସହୁଛ । - ଯାହା ଗାଇଲ ବୁଝି ଦେଖ ଅତି ସତ୍ୟ । - ବେଦରେ ଈଶ୍ୱର କହିଛନ୍ତି ଓଁ ଦ୍ୱା ସୁପର୍ଣ୍ଣା ସୟୁଜା ସଖାୟା ସମାନଂ ବୃକ୍ଷ’ ପରିଷସ୍ୱଜାତେ । ତୟୋରନ୍ୟଃ ପିପ୍ପଳଂ ସ୍ୱାଦ୍ୱତ୍ତ୍ୟନଚିନ୍ନନ୍ୟୋ ଅଭିଚାକଶୀତ । ଜୀବାତ୍ମା ଓ ପରମାତ୍ମା ସମାନ ଭାବେ ବ୍ୟାପକରୂପ ବନ୍ଧୁ ପରି ମିଳି ସଂସାରରୂପ ବୃକ୍ଷରେ ରହିଥିଲେହେଁ ଜୀବ ଆପଣାର କର୍ମଫଳ ଭୋଗକରେ ଆଉ ସର୍ବବ୍ୟାପୀ ପରମାତ୍ମା ସାକ୍ଷୀସ୍ୱରୂପ ଥାଇ ତାହା ଭୋଗ କରାଇ ଦେଖନ୍ତି । ପରମାଣୁକୁ ପରମାତ୍ମା ରୂପ ଦେଇ ତହିଁରେ ଓତପ୍ରୋତଭାବେ ମିଳି ରହିଛନ୍ତି । ପରମାତ୍ମା ନିର୍ବିକାର, ସେ ସୂକ୍ଷ୍ମଠାରୁ ସୂକ୍ଷ୍ମ - ତାଙ୍କର ରୂପ ନ ଥିବାରୁ ଦେଖାଯାନ୍ତି ନାହିଁ, ସଂସାରର ଲୋକେ ଏକା ପରମାଣୁର ତତ୍ତ୍ୱ ଜାଣି ତାହାରି ରୂପ ଭେଦ କରି ପରମାତ୍ମାକୁ ଦେଖି ପାରିବେ । ଯାହାର ରୂପ ନାହିଁ ତାହାକୁ କୃଷ୍ଣ ଅର୍ଥାତ୍ ବର୍ଣ୍ଣହୀନ ବୋଲିବା ବିଜ୍ଞାନସମ୍ମତ । ସକଳ ବର୍ଣ୍ଣ ମିଳି ଶୁଭ୍ର ହୁଏ । ଏଣୁ ରାଧା ବା ପରମାଣୁକୁ ଶୁଭ୍ରାଙ୍ଗୀ ଅର୍ଥାତ୍ ସମସ୍ତ ବର୍ଣ୍ଣର ସମଷ୍ଟିରୂପେ କଳ୍ପନା କରିବା ସଙ୍ଗତ । ସେହି ଈଶ୍ୱର ନିରାକାର - ତାଙ୍କର ରୂପ ନାହିଁ, ତେଣୁ ବର୍ଣ୍ଣ ଅଭାବରୁ କୃଷ୍ଣ । ସାଧାରଣ ଲୋକପ୍ରିୟ ଧର୍ମ ଗୋଟାଏ ଠିଆକରିବା କାରଣ ରାଧାକୃଷ୍ଣ କଳ୍ପନା ବିଚକ୍ଷଣବୁଦ୍ଧିର କାର୍ଯ୍ୟ । ମାତ୍ର ପରମାତ୍ମା ଓ ପରମାଣୁର ମିଳନ ଜୀବମିଥୁନର ମିଳନଠାରୁ ସମ୍ପୂର୍ଣ୍ଣ ପୃଥକ୍ । ଯାହା ଲୋକେ ଲୁଚିକରି କରନ୍ତି ତାହାକୁ ଧର୍ମନାମରେ ଗୀତକରି ବୋଲିବା ସମୀଚୀନ ନୁହେଁ । ତହିଁରୁ ନାନା ପ୍ରକାର ଅନିଷ୍ଟଫଳ ବର୍ତ୍ତମାନ ସମାଜରେ ଦେଖାଯାଏ । ଓତପ୍ରୋତ ଭାବେ ମିଳନ ହେତୁ ଏକର ସର୍ବାଙ୍ଗ ଅନ୍ୟର ସର୍ବାଙ୍ଗରେ ଅଛି । ପରମାତ୍ମା ରୂପହୀନ ହେବାରୁ ତାଙ୍କର ଚରଣ ବା ମସ୍ତକ ନାହିଁ - ସୁତରାଂ ସେ ରୂପ କଳ୍ପନା ଭ୍ରାନ୍ତ ।
ବୈଷ୍ଣ – ଆପଣ ଆମର ଆଖି ଖୋଲି ଦେଲେ - ଯାହା କହିଲେ ଠିକ ।
ବାମ – ଈଶ୍ୱର ସ୍ୱୟଂ ବେଦରେ କହିଛନ୍ତି ଓଁ ସପ୍ତ ତ୍ୱା ହରିତୋ ରଥେ ବହନ୍ତି ଦେବ ସୂର୍ଯ୍ୟ । ଶୋଚିଷ୍କେଶଂ ବିଚକ୍ଷଣ । ଯେମନ୍ତ ସପ୍ତବର୍ଣ୍ଣବିଶିଷ୍ଟ ସୂର୍ଯ୍ୟରଶ୍ମିରୁ ସୂର୍ଯ୍ୟକୁ ଲୋକେ ଉତ୍ତମରୂପେ ଜାଣିପାରନ୍ତି, ସେହିପରି ସପ୍ତସ୍ୱରବିଶିଷ୍ଟ ବେଦଦ୍ୱାରା ଲୋକେ ଈଶ୍ୱରଙ୍କୁ ଜାଣି ପାରିବେ । ସତ୍ୟଶାସ୍ତ୍ରର ଜ୍ଞାନବିନା ସଂସାର ଭେଦକରି ଈଶ୍ୱରଙ୍କୁ କେହି ଦେଖପାରି ନାହାନ୍ତି କି ଦେଖି ପାରିବେ ନାହିଁ । ତୁମ୍ଭମାନଙ୍କୁ ମୋର ଲୋଡ଼ାଥିଲା - ଆସ ବେଦପାଠ ଉତ୍ତାରୁ ତୁମ୍ଭେମାନେ ନିତି ରାତ୍ରରେ ଖୋଳ କରତାଳ ଘେନି ଭଜନ କରିବ - ମୁଁ ଭଜନ ବାଛିଦେବି । ଦୁଇଓଳି ଉତ୍ତମ ଆହାର ହେବ ଏବଂ ଅନନ୍ତ ଜ୍ଞାନମୟ ସର୍ବବ୍ୟାପୀ ସତ୍ୟ ଈଶ୍ୱରଙ୍କର ସତ୍ୟକୀର୍ତ୍ତନ କରିବ ।
ବୈଷ୍ଣ – ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ । ଚାଲନ୍ତୁ । ଓଁ ରାଧେକୃଷ୍ଣ ! ଓଁ ହରି ![ସାଧୁ ଓ ବୈଷ୍ଣବମାନଙ୍କ ସହିତ ବାମଦେବର ପ୍ରସ୍ଥାନ ।]ପଟ-ପରିବର୍ତ୍ତନ ।