ଅଷ୍ଟକ ବିହାରୀ ଗୀତା
ମହିମା ଧର୍ମର ସନ୍ଥ କବି · ପ୍ରାୟ ୧୮୫୦–୧୮୯୫ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୩୦ ମିନିଟ୍
- ଶବ୍ଦ
- ୪୮୭୯
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ଅଧ୍ୟାୟ
କଳି ଘୋଟିଲା ଚାରିଦିଗେ ।ମୁଖେ ପ୍ରଭୁଙ୍କୁ ଡ଼ାକ ସର୍ବେ ॥
କଥା ହେଲାଣି ଅସମ୍ଭାଳ ।ଏ ପିଣ୍ଡ ପ୍ରାଣକୁ ସମ୍ଭାଳ ॥
କାଳ ଯେ ଗୃହେ ପଶିଲାଣି ।ରୋଗ ପରାୟ ଗ୍ରାସିଲାଣି ॥
କରିବ ଅଙ୍ଗେ ଅଙ୍ଗେ ପୀଡ଼ା ।ବ୍ରହ୍ମାଣ୍ଡେ ପଡ଼ିଯିବ ମଡ଼ା ॥
କାଳିକା ବୁଲୁଛି ସଂସାରେ ।ଶ୍ରୀହସ୍ତେ ଛେଦୁଛି ଚକ୍ରରେ ॥
କାରଣ ପଥ ଏବେ ଖୋଜ ।ମନରେ ହେତୁ କରି ବୁଝ ॥
କର୍ମ ଧଇଲେ ସାରତୁକ୍ୟ ।ତେବେ ସେ ଯିବ କ୍ଷୟ ପାପ ॥
କହୁଛି ମିଥ୍ୟାନୁହେ ସତ୍ୟ ।ଭଣିଲେ ଭୀମ ଅରକ୍ଷିତ ॥
ଖରାପ ହେବ ଦେଖ ଦେଖ ।ବିଅର୍ଥେ ବ୍ରହ୍ମାଣ୍ଡର ଲୋକ ॥
କ୍ଷୟ ଯାଉଛି କଳିଭୋଗ ।ଆସୁଛି ସତ୍ୟାବଦିର ଯୁଗ ॥
କ୍ଷିତିରେ ପଡ଼ୁଛି ବିପତ୍ତି ।ଧର୍ମକୁ ଧର ଧର ଚେତି ॥
କ୍ଷମା ପାଇବ ଯେବେ ଥୋକେ ।ସତ୍ୟ ଉଚ୍ଚାର କର ମୁଖେ ॥
ଖଳବଳରେ ନବଖଣ୍ଡ ।ନାଶୁଛି ଏ ପିଣ୍ଡ ବ୍ରହ୍ମାଣ୍ଡ ॥
କ୍ଷୁଦ୍ର ବୁଦ୍ଧିକି ଦୂର କର ।ଶ୍ରୀନାମ ବ୍ରହ୍ମେ ଅନୁସର ॥
ଖଡ଼ଗ ଘେନି ଯୋଗ୍ନୀଗଣ ।ବ୍ରହ୍ମାଣ୍ଡେ କଲେଣି ଭ୍ରମଣ ॥
ଖଳ ଲାଗିଛି କଳି ସତ୍ୟ ।କହଇ ଭୀମ ଅରକ୍ଷିତ ॥
ଗର୍ଭ ପୋଡ଼ୁଛି ଆଦିଶକ୍ତି ।ଖପର ଫେରୁଅଛି ପୃଥ୍ୱୀ ॥
ଗୁରୁ ଚରଣେ ସେବା କର ।ନାମକୁ ଧ୍ୟାଇ ଅନୁସର ॥
ଗତି ପାଇବ ଯେବେ ନିଶ୍ଚେ ।ପ୍ରଭୁଙ୍କୁ ଡାକ ଏବେ ଉଚ୍ଚେ ॥
ଜ୍ଞାନରେ ହୁଅ ପରିଚାର ।ବିହିତ କର୍ମମାନ କର ॥
ଗେରସ୍ତ ଭାରିଯା ସହିତେ ।ବୃଦ୍ଧ ବାଳକ ଅଛ ଯେତେ ॥
ଗୃହ କୁଟୁମ୍ବ ଆଦିକରି ।ସମସ୍ତେ ଡ଼ାକ ହରି ହରି ॥
ଗଗନେ ଘୋଟିଲାଣି ପାପ ।ତିନିଭୁବନ ତ୍ରୟଲୋକ ॥
ଗୀତେ ପ୍ରବନ୍ଧ କରି ଲେଖ ।ଭଣେ ପାମର ଭୀମ ମୁର୍ଖ ॥
ଘୋଟିଗଲାଣି ପାପମାନ ।ସୁଜନେ କର୍ଣ୍ଣ ଦେଇ ଶୁଣ ॥
ଘୋର ଅନ୍ଧାର କଳିକାଳ ।ହେଲାଣି କାନ୍ତାନୀଙ୍କ ଗୋଳ ॥
ଘାତେ ଭାଙ୍ଗିବ ବ ଦଶଦିଶ ।ନାମେ ଶରଣାଗତ ପଶ ॥
ଘଡ଼ିକି ଘଡ଼ି ଭୂମି କମ୍ପ ।ବ୍ରହ୍ମାଣ୍ଡେ ପଡ଼ୁଛି ଚମକ ॥
ଘେନି ଗଲେଣି ଚାରିଧର୍ମ ।ସେ ଯେ ଅନାଦି ମହାବ୍ରହ୍ମ ॥
ଘୋଡ଼ାଇଥିଲେ କଥାମାନ ।ଫିଟିଲା ଯୁଗଶେଷ ଜାଣ ॥
ଘୁମାଇ ଯିବେ ନରବଂଶ ।ଅଧିକ କହିଚି ମୁଁ କିସ ॥
ଘୋଷିଲା ଶ୍ରୀଗୁରୁଚରଣ ।ଭଣେ ଅଧମ ଭୀମସେନ ॥
ଅଗ୍ନିରେ ପୋଡ଼ୁଛି ସଂସାର ।ନେତ୍ରରେ ଦେଖୁ ସୁଜ୍ଞନର ॥
ଅଙ୍ଗରେ ତପନ ବହୁଛି ।ରବି ହେଙ୍ଗୁଳ ବରଷୁଛି ॥
ଅନ୍ୟାୟମାନ ଯହୁଁ କଲ ।ଫଳୁଅଛଇ ସେହି ଫଳ ॥
ଅନ୍ୟଥା ନୋହେ ଏହୁ ବାକ୍ୟ ।ସୁଜନେ କର ହେ ବିବେକ ॥
ଅଲେଖ ମହିମାକୁ ଭଜ ।କିଛି ନ କର ଏଥି ଲାଜ ॥
ଅନ୍ୟେ ନ ରୂପେ ପିଣ୍ଡପ୍ରାଣ ।ରଖିବେ ଗୁରୁ ନାରାୟଣ ॥
ଅନନ୍ତରୁପ ଅନ୍ତର୍ଯ୍ୟାମୀ ।ସକଳ ଜୀବର ସେ ସ୍ୱାମୀ ॥
ଅନାଦି ବ୍ରହ୍ମ କର ଲୟେ ।ଭୀମ ଅର୍କ୍ଷିତ ଭାବି କହେ ॥
ଚିତ୍ତରେ ଧର ଦୃଢ଼ କରି ।ନୋହିଲେ ନିଶ୍ଚେ ଯିବ ସରି ॥
ଚାପି ଆସୁଛି ବଢ଼ି ପ୍ରାୟେ ।ଧର୍ମରେ ହେଳା ନୁହ କିଏ ॥
ଚାହିଁ ମୁଁ ସଂସାର ଭବିଷ ।କହୁଛି ମୋର ନାହିଁ ଦୋଷ ॥
ଚର୍ମ ରୁମରେ ଘୋଟି ମାୟା ।ମାରା କଲାଣି ସର୍ବ କାୟା ॥
ଚାଣ୍ଡାଳ ଯୁଗ ଏବେ ଆସି ।ସବୁଙ୍କୁ କରାଉଛି ଦୋଷୀ ॥
ଚେତାଇ କହୁଅଛୁଁ ଆମ୍ଭେ ।ସୁମରି ବସ ଧର୍ମନାବେ ॥
ଚଳ ସତ୍ୟାଦି ପଥେ ସର୍ବେ ।କାମକୁ ଆଶ୍ରା କରି ଦମ୍ଭେ ॥
ଗୁରୁ ଚରଣେ ଦେଇ ମନ ।ଭଣେ ପାମର ଭୀମ ହୀନ ॥
ଛପନକୋଟି ଜୀବଜନ୍ତୁ ।ଏବେ ମନରେ କର ହେତୁ ॥
ଛାଡ଼ିଯିବାରୁ ସତ୍ୟଧର୍ମ ।ଅଚେତ ହେଉଅଛି ଭ୍ରମ ॥
ଛନ୍ଦରେ ହେଉଅଛି ମୋହ ।ଫେଡ଼ି ପାରିଲେ ଯିବ ଭୟ ॥
ଛବି କରୁଛି କଳିକାଳ ।ଡ଼ୁବାଇ ଦେଲା ଧର୍ମକୂଳ ॥
ଛ ବେଦ ପରେ ଯେହୁ ଛନ୍ତି ।ସେଠାକୁ ଲଗାଇ ଭକତି ॥
ଛାନିଆ ନୁହ ସର୍ବଜନ ।ସୁମରି ଶ୍ରୀଗୁରୁ ଚରଣ ॥
ଛନ୍ତ୍ରର ପ୍ରାୟେ ଯାର ପାଦ ।ସେ ପ୍ରଭୁ ଖଣ୍ଡିବେ ପ୍ରମାଦ ॥
ଛାଡ଼ ଅନ୍ୟାୟ କଥାମାନ ।ଭଣେ ଅର୍କ୍ଷିତ ଭୀମସେନ ॥
ଜୀବଇ ଯେମନ୍ତେ ସମସ୍ତେ ।ଏବେ ବିଚାର ଅନ୍ତର୍ଗତେ ॥
ଯତନ କରି ଧର୍ମ ଧର ।ନୋହିଲେ ପଡ଼ିବ ଖପର ॥
ଜଗିଛି କାଳ ଘରେ ଘରେ ।ଜାଣି ନ ପାରୁଛ ମନରେ ॥
ଯାଉଛି କଳିଯୁଗ ଦେଖ ।ବର୍ଣ୍ଣ ତାହାର ଅଗ୍ନିରୁପ ॥
ଯାହାକୁ ଯହିଁରେ ଭେଟିବ ।ସଙ୍ଗତେ ସାଥି କରିନେବ ॥
ଜୀବନେ ଆଶ ଯଦି ଅଛି ।ସାର ବ୍ରହ୍ମକୁ ଧର ବାଛି ॥
ଯେମନ୍ତେ ପାଇବ ଉଦ୍ଧାର ।ସୁଜନେ ସେହି ବାଟ କର ॥
ଜାଣି ମନରେ କର ଧ୍ୟାନ ।ଭଣେ ଅର୍କ୍ଷିତ ଭୀମ ହୀନ ॥
ଝଡ଼ି ଯେ ପଡ଼ୁଛନ୍ତି ନର ।ଯେସନେ ବୃକ୍ଷର ପତର ॥
ଝାଙ୍କି ମାରୁଛି ନେବ ବୋଲି ।ଗୁପତେ ବୁଲୁଅଛି କଳି ॥
ଝାବଡ଼ା ବିହୀନେ ଯେତେକ ।ସଂସାର ହୋଇବ ତେତେକ ॥
ଖଟତି ନାମ ବ୍ରହ୍ମଧର ।ସତ୍ୟାଦି ସାଗର ବିହାର ॥
ଝାଡ଼ ପର୍ବତ ପରିଯନ୍ତେ ।ଶରୀର କରିଅଛି ଯେତେ ॥
ଝଞ୍ଜକା ପସରାକୁ ଛାଡ଼ ।ନାମ ବ୍ରହ୍ମକୁ କର ଦୃଢ଼ ॥
ଝୁଙ୍କି ପଡ଼ୁଛ କାହିଁପାଇଁ ।ଦୁର୍ଲ୍ଳଭ ଦେହ ଗୋଟା ବହି ॥
ଝାଡ଼ି ଗୁପତ କଥାମାନ ।ଭଣେ ପାମର ଭୀମ ହୀନ ॥
ନିଶି ଦିବସ କର ଲୟ ।ପୁଣ୍ୟରେ ଖେଳାଅ ଏ କାୟ ॥
ନିନ୍ଦିତ କଥାକୁ ନ ଡ଼ର ।କେହିତ ନୁହନ୍ତି କାହାର ॥
ନାରୀ ପୁରୁଷ ଯେତେ ଅଛ ।ସଂସାର ଭୟକୁ ନ ଘୁଞ୍ଚି ॥
ନାମକୁ ଭଜ ନିରନ୍ତରେ ।ଅପ୍ରତେ ନ କର ମନରେ ॥
ନାରାୟଣ ଯେ କଳିଯୁଗେ ।କରି ଅଛନ୍ତି ସାଧୁସଙ୍ଗେ ॥
ନିଶ୍ଚୟ ପ୍ରତ୍ୟେକ୍ଷରେ ଦେଖ ।ଧର୍ମ ହୋଇଛି ନିଜ ରୂପ ॥
ଜଗତେ ପୂରିଅଛି ସେହି ।ନୟନେ ନ ଚିହ୍ନିଲେ କେହି ॥
ନରେ ଶ୍ରୀଗୁରୁପାଦ ଧର ।ଭଣେ ଅର୍କ୍ଷିତ ଭୀର ଛାର ॥
ଟାଣ କରୁଛି କଳିକାଳ ।ବ୍ରହ୍ମାଣ୍ଡେ ପଡ଼ିଲାଣି ଶିଳ ॥
ଟମକ ବାଜି ଏ ସଂସାରେ ।ଡାକ ଦେଉଛି ନିରନ୍ତରେ ॥
ଟିଆ ହୋଇଲା ଯହୁଁ ତାର ।ଘାଣ୍ଟୁଛି ସକଳ ହୃଦର ॥
ଟଳି ପଡ଼ୁଛି ଏ ବ୍ରହ୍ମାଣ୍ଡ ।ଉଚ୍ଛନ୍ନ ହୋଇ ନବଖଣ୍ଡ ॥
ଟାପରା ନ ମଣ ଏ ବାକ୍ୟ ।ବିବେକ କର ସୁଜ୍ଞଲୋକ ॥
ଟିକାକେ ନାଶୁଛି ଏ ପୃଥ୍ୱୀ ।ପାପରେ ହୋଇ ଉତପତ୍ତି ॥
ଟେକି ଅଛନ୍ତି ଶୂନ୍ୟବାନା ।ଗୁରୁଙ୍କୁ ଶରଣ ମାର୍ଗଣା ॥
ଟାଣ ପ୍ରଭୁଙ୍କୁ ଆଶ୍ରେ କରି ।ଭୀମ ଅର୍କ୍ଷିତ କହେ ଠାରି ॥
ଠାବ ଠାବରେ ଧର୍ମକର ।ଦାନହୁଁ ପାନରେ ବିହର ॥
ଠଉରି ପାରିବ ଯେମନ୍ତେ ।ଧର୍ମପାଳନା କର ନିତ୍ୟେ ॥
ଠକୁଆ ପ୍ରାୟେ ତା ନ ମଣ ।ବିବେକ କର ହେ ସୁଜନ ॥
ଠୁଳ ହେଲାଣି ସବୁ ଆସି ।ଦେଖ ସକଳେ ଜୀବରାଶି ॥
ଠିକ ହେଲାଣି ଆସି କଣ୍ଟ ।ଏଠାରୁ କଳି ଯିବ କାଟ ॥
ଠାବେ ଧରିଲେ ଧର୍ମବାଟ ।କାଳ ଦୁର୍ଗତି ଯିବ କାଟ ॥
ଠିକଣା କହୁଅଛି ମୁହିଁ ।ସତ୍ୟ ବଚନ ମିଥ୍ୟା ନୋହି ॥
ଠାକୁର ଚରଣେ ମୋ ଆଶ ।ଭଣେ ଅର୍କ୍ଷିତ ଭୀମଦାସ ॥
ଇତି ଶ୍ରୀ ଅଷ୍ଟକ ବିହାରୀ ଚଉତିଶା ଗୀତା ଶତଧର୍ମ ସମ୍ବାଦକଥନେ ଏକପାଦ ବର୍ଣ୍ଣନେ ନାମୋ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ଡ଼ାକି କହୁଛୁ ଆମ୍ଭେ ଏବେ ।ନାମ ଆଶ୍ରିତ ହୁଅ ସର୍ବେ ॥
ଡାଙ୍କେଣୀ ବୁଲିଲେଣି ଆସି ।ଭ୍ରମିବେ ଗ୍ରାମେ ଗ୍ରାମେ ପଶି ॥
ଦଣ୍ଡଟି ପଡ଼ିବ ନିର୍ଘାତ ।ପୃଥ୍ୱୀରେ ହେବ ଉଲ୍କାପାତ ॥
ଡୋଳେ ନ ଦେଖିଅଛ ତୁମ୍ଭେ ।ମିଛ କି କହୁଅଛୁଁ ଆମ୍ଭେ ॥
ଡରିବ ଯେବେ ସର୍ବଜନ ।ନାମରେ ପଶ ହୋ ଶରଣ ॥
ଦାଣ୍ଡରେ ପଡ଼ୁଅଛି ନାମ ।ଲଭି ଭଜିଲେ ହେବ କ୍ଷମ ॥
ଡିଙ୍ଗର ବୁଦ୍ଧିରେ ନ ପଡ଼ ।ଶ୍ରୀନାମ ବ୍ରହ୍ମ କର ଦୃଢ଼ ॥
ଡାକ ଫେରାଇ ତିନିପୁର ।ଭଣେ ଅର୍କ୍ଷିତ ଭୀମ ଛାର ॥
ଢାଉ ରଙ୍ଗକୁ ଛାଡ଼ ଛାଡ଼ ।ନିଜ ପତିଙ୍କୁ ତୁମ୍ଭେ ଲୋଡ଼ ॥
ଢାଳେ ବାନାକୁ ଅନୁସରି ।ମୁଖେ ଉଚ୍ଚାର ହରି ହରି ॥
ଢାଙ୍କି ରଖିବେ ଶୂନ୍ୟ ବାନା ।ଭବ ଭୟକୁ ଭଜ ସିନା ॥
ଡେଙ୍ଗୁରା ଦେବେ ତିନିପୁର ।ଯୋଗ୍ନୀଏ ହେଲେଣି ବାହାର ॥
ଢୋକିବେ ମାନବ ରୁଧିର ।କର୍ଣ୍ଣରେ ଶୁଣ ସୁଜ୍ଞନର ॥
ଢମାଳି ନୁହ ଫୁଲାପଣ ।କ୍ଷଣକେ ଭାଜିଯିବ ଟାଣ ॥
ଢୋଲ ପରାୟ ଗଡ଼ୁଥିବ ।ଭଲ ନ କରେ କଳିଯୁଗ ॥
ଢାଙ୍କୁଣୀ ଭିତରରେ ରହି ।ଭଣେ ଅର୍କ୍ଷିତ ଭୀମଭୋଇ ॥
ଅଣାକାରକୁ କର ଲୟ ।ଘୁଞ୍ଚିବ କାଳ ମୃତ୍ୟୁଭୟ ॥
ଅଣଅକ୍ଷରେ ଠାବ କର ।ମନରେ ହେତୁ କରି ଧର ॥
ଅନ୍ୟାୟ ଦେଖି ଏ ଜଗତ ।ତେଣୁ ଡରିଲା ଆମ୍ଭ ଚିତ୍ତ ॥
ଅଣପଥରେ ସର୍ବେ ଚାଲି ।ପାତକ କଲେ ମହିଆଳି ॥
ଅଣାକାରଙ୍କ ଡାକ ଧର୍ମ ।ତହିଁରେ ଛନ୍ତି ସେହି ବ୍ରହ୍ମ ॥
ଆସ ସତ୍ୱରେ ସ୍ତୁତି କର ।ଶ୍ରୀଗୁରୁ ଛାମୁରେ ପଚାର ॥
ଅନନ୍ତ ମହିମାର କଥା ।ଗୁରୁଙ୍କ ହିତେ ସାମରଥା ॥
ଅଣବିଦ୍ୟାର ମାର୍ଗେ ଥାଇ ।ଭଣେ ଅର୍କ୍ଷିତ ଭୀମଭୋଇ ॥
ତିମିରି ଘୋଟିଲାଣି ଆସି ।ବ୍ରହ୍ମାଣ୍ଡ ନିଶ୍ଚେ ଯିବ ଭାସି ॥
ତିନିପୁରକୁ ଘୋଟି ପାପ ।ଯୁଗ ହୋଇଛି ଅଗ୍ନିମୁଖ ॥
ସ୍ତିରୀ ହେବାକୁ ବଳବନ୍ତ ।ଶୁଖି ଯାଉଛି ବାମ୍ପୀତୀର୍ଥ ॥
ତିଳପ୍ରମାଣେ ଜଳଧାରା ।ତାଡ଼ିଛି ବିଷ ଅଙ୍କ ଭାରା ॥
ତତ୍ତ୍ୱକୁ ଧର ପଞ୍ଚମନେ ।ରାତ୍ରଦିବସ ଏକଧ୍ୟାନେ ॥
ତେବେ ରହିବ ଜୀବପିଣ୍ଡେ ।ପଡ଼ିବ ନାହିଁ କାଳଦଣ୍ଡେ ॥
ତରିବା କଥା ଏବେ ଖୋଜ ।ସାର ପ୍ରଭୁଙ୍କୁ ହୃଦେ ଭଜ ॥
ତରସ୍ତ ହୋଇ ମନେ ମନ ।ଭଣେ ଅର୍କ୍ଷିତ ଭୀମସେନ ॥
ଥୋଇଛି ଗୁପତ ବ୍ରହ୍ମାଣ୍ଡ ।ପଡ଼ୁଛି ମହାଘୋର ଦଣ୍ଡ ॥
ଥରକୁ ଥର ଏ ମେଦିନୀ ।ଡାକ ପଡ଼ୁଛି ଉଚ୍ଚେ ପୁଣି ॥
ସ୍ଥାବର ଜଙ୍ଗମ ସହିତେ ।ଅସତ୍ୟ ହେବାରୁ ସମସ୍ତେ ॥
ସ୍ଥାନକୁ ଭ୍ରଷ୍ଟ ଯେଣୁ କଲେ ।ଧର୍ମ ଯେ ଶୂନ୍ୟେ ଉଠିଗଲେ ॥
ସ୍ଥବିର କର ମନ ବୁଦ୍ଧି ।ରଖିବେ କରୁଣା ବାରିଧି ॥
ଥୟ ରହିବ ପଞ୍ଚ ପ୍ରାଣ ।ସେହୁ ଭଜିବ ନାରାୟଣ ॥
ସ୍ଥିତି ପାଇବେ କଳିକାଳେ ।ସୁଖେ ରହିବ ରବିତଳେ ॥
ଅଦ୍ୟ ଗାଢ଼ରେ ଦେଇ ଚିତ୍ତ ।ଭଣିଲେ ଭୀମ ଅରକ୍ଷିତ ॥
ଦର୍ଶନ କର ଉଦେ ଅସ୍ତ ।ନାମକୁ ଧର ପଞ୍ଚଭୂତ ॥
ଦୟା ହୋଇବ ତେବେ ଯାଇଁ ।ସେ ପ୍ରଭୁ ମହା ପୁଣ୍ୟ ଦେହୀ ॥
ଦିନ ପାଇଲା ଦେଖୁଁ ଦେଖୁଁ ।ହିତରେ କହୁଛି ତୁମ୍ଭଙ୍କୁ ॥
ଦୁର୍ଭିକ୍ଷ ପଡ଼ୁଛି ସଂସାରେ ।ଅବସ୍ଥା ବ୍ରହ୍ମ ପ୍ରଳୟରେ ॥
ଦାରିଦ୍ର୍ୟ ଦୁଃଖ ଯେବେ ଯିବ ।ସତ୍ୟଧର୍ମକୁ କର ଠାବ ॥
ଦେଇ ଅଛନ୍ତି ପାଦେ ଧର୍ମ ।ନ ବୁଝି ହେଉଅଛ ଭମ ॥
ଦାନହିଁ ଦିଅ ଅନ୍ନବସ୍ତ୍ର ।ତହିଁ ବ ଜିବ କାଳଚକ୍ର ॥
ଦୟାରେ ହୁଅ ପରିତ୍ରାଣ ।ଭଣେ ଅର୍କ୍ଷିତ ଭୀମସେନ ॥
ଧର୍ମକୁ ସ୍ଥାପ ଘରେ ଘରେ ।ସତ୍ୟ ପ୍ରଚାର ନିରନ୍ତରେ ॥
ଧରିତ୍ରୀ ଉଶ୍ୱାସ ପାଇବ ।ପାତକମାନ ପୋଡ଼ିଯିବ ॥
ଧର୍ମପଥକୁ କର ଆଶା ।ନାହିଁ ବା ଅନ୍ୟଟି ଭରସା ॥
ଧର୍ମେ ଯେ ଆତଯାତ ହେବ ।ସେ ପ୍ରାଣୀ ସଂସାରେ ରହିବ ॥
ଧରିବ ଯେବେ ଦୃଢ଼ କରି ।କଳିଯୁଗକୁ ହେବ ପାରି ॥
ଧାଇଁ ଆସୁଛି ଦେଖ କାଳ ।ପୃଥ୍ୱୀକି ହୋଇବାକୁ ସଲ ॥
ଧରି ସେ ମାଡ଼ି ବସିଲାଣି ।ସବୁଙ୍କୁ ମେଳଛ କଲାଣି ॥
ଧ୍ୟାଇ ସେ ଗୁରୁପାଦଗତ ।ଭଣିଲେ ଭୀମ ଅରକ୍ଷିତ ॥
ନାମଟି କଳିଯୁଗେ ସାର ।ତେଣୁଟି ଚଳୁଛି ସଂସାର ॥
ନିଦ୍ରା ପରାୟେ ପାପ-ପଙ୍କ ।ଅଙ୍ଗରେ ଘୋଟିଅଛି ଦେଖ ॥
ଦିଶୁଛି ପ୍ରତ୍ୟେକ ନେତ୍ରରେ ।ବୃକ୍ଷବକଳ ସ୍ୱରୂପରେ ॥
ନାଶୁଛି ପିଣ୍ଡ ବ୍ରହ୍ମାଣ୍ଡକୁ ।ଡ଼ୁବାଇ ସତ୍ୟାଦି ଧର୍ମକୁ ॥
ନିସତ ନୁହଁ ସୁଜ୍ଞଜତ ।କର ଶ୍ରୀଗୁରୁ ଧର୍ମମାନ ॥
ନବଖଣ୍ଡରେ କଳି ପଶି ।ସବୁଙ୍କୁ କରାଉଛି ଦୋଷୀ ॥
ନିନ୍ଦା କରାଇ ସର୍ବମୁଖେ ।ଅଚେତ କରାଇ ପ୍ରତ୍ୟକ୍ଷେ ॥
ନବ ଅଦ୍ଭୂତେ ପଦେ ଧ୍ୟାଇ ।ଭଣେ ପାମର ଭୀମଭୋଇ ॥
ପାଷାଣ ହେଲେଣି ଦେବତାଉଚିତ ପ୍ରମାଣ ଏ କଥା ॥
ପାତକେ ଏ ପିଣ୍ଡବ୍ରହ୍ମାଣ୍ଡ ।ଛିଣ୍ଡି ଯାଉଛି ଖଣ୍ଡ ଖଣ୍ଡ ॥
ପରଚେ ହୁଅ ଗୁରୁପାଦ ।ତେବେ ଘୁଞ୍ଚିବପରମାଦ ॥
ପଣ୍ଡିତଜନ ଅଛ ଯହିଁ ।ବୁଝିବେ ଶ୍ରୋତା ଚିତ୍ତ ଦେଇ ॥
ପୁଣ୍ୟକୁ ବାଞ୍ଛା ଯେବେ ଅଛି ।ଧର୍ମକୁ ଲୋଡ଼ ଏବେ ବାଛି ॥
ଫେଡ଼ିବ ସକଳ ଦୁର୍ଗତି ।ପାଇବ ସୁଗତି ମୁକତି ॥
ପିତା ଅଟନ୍ତି ଗୁରୁଦେବ ।ତାଙ୍କ ଚରଣେ କର ଭାବ ॥
ସେ ପୁଣ୍ୟ ବ୍ରହ୍ମପଦେ ଧ୍ୟଇ ।ଭଣେ ଅର୍କ୍ଷିତ ଭୀମଭୋଇ ॥
ଫଳୁଛି କଲା କର୍ମମାନ ।ଜାଣି ନ ପାରୁଛ ସୁଜନ ॥
ଫଳ ସ୍ମୃତିରେ ଅଛ ମାତି ।ମାୟାରେ ନ ପାରୁଛ ଚେତି ॥
ଫାଟୁଛି ବ୍ରହ୍ମାଣ୍ଡ କପାଳ ।ତେଣୁ ହୋଇଛି ଖଳବଳ ॥
ଫଟାଇ କହୁଅଛୁଁ ଆମ୍ଭେ ।ବିବେକ ନ କର ନା ତୁମ୍ଭେ ॥
ଫେଡ଼ିବେ ଯେତକ ସଙ୍କଟ ।ପ୍ରଭୁଙ୍କୁ ହୃଦେ ଧରି ରଟ ॥
ଫୁଲାପଣରେ ନୁହ ବାଇ ।କହୁଛି ସଂଶୟ ଫିଟାଇ ॥
ଫୁଟି ଗଲାଣି ତିନିପୁରେ ।ଧର୍ମ ଫେରୁଛି ସର୍ବଦ୍ୱାରେ ॥
ଫେଡ଼ି ଧର୍ମାଦି ପାଦ ଲିହି ।ଭଣେ ଅର୍କ୍ଷିତ ଭୀମଭୋଇ ॥
ବାଇ ହେଉଛ ସୁଜ୍ଞ ନର ।ଏବେ ଉପାୟ ତୁମ୍ଭେ କର ॥
ବ୍ରହ୍ମାଣ୍ଡେ ରହିବ ଯେମନ୍ତ ।ଇଷ୍ଟଧର୍ମକୁ ପାଳ ନିତ୍ୟ ॥
ବିହି ଦିଅନ୍ତି ଦୟା କ୍ଷମା ।ସମସ୍ତେ ଭଜ ହେ ମହିମା ॥
ବିରୋଧ ନ କର ଦୀକ୍ଷାକୁ ।ପଚାର ଧର୍ମ ଅତିଥିଙ୍କୁ ॥
ବ୍ରହ୍ମ ଚଣ୍ଡାଳ ଯୁଗ ଏହି ।କାହାକୁ ନ ରଖିବ ମହୀ ॥
ବିଷ୍ଣୁ ଭକତ ଏବେ ହୁଅ ।ମହିମା ଧର୍ମ ଦୀକ୍ଷା ନିଅ ॥
ବଡ଼ ବିଖ୍ୟାତ ଏ ଅଟଇ ।ଏଥିରୁ ସାର ଆଉ ନାହିଁ ॥
ବ୍ରହ୍ମଭକ୍ତିରେ ଦେଇ ଚିତ୍ତ ।ଭଣଇ ଭୀମ ଅରକ୍ଷିତ ॥
ଭାରଦା କରି କଳିଯୁଗ ।ନେଲାଣି ସର୍ବ ଜାତିବର୍ଗ ॥
ଭାରି ହେଲାଣି ଦିନୁଦିନ ।ହରି ନେଉଛି ପ୍ରାଣୀମନ ॥
ଉତ୍ପାତ ହେଲାଣି ବ୍ରହ୍ମାଣ୍ଡ ।ସଚରା ପୃଥ୍ୱୀ ନବଖଣ୍ଡ ॥
ଭାସି ଯିବାକୁ ବସିଅଛି ।ବହୁତ ବେଳ ନୁହେଁ କିଛି ॥
ଭରସା ହେଲାଣି ଏ ଯୁଗ ।ସରି ଗଲାଣି କଳିଭୋଗ ॥
ଭୟ ନିବାର ନିଜ ମନୁ ।ଆନ ନ ଦିଶେ ଗୁରୁବିନୁ ॥
ଭାବକୁ ନିକଟ ସେ ଗୁରୁ ।ଉଦ୍ଧାର କରନ୍ତି ହସ୍ତରୁ ॥
ଭାବି ମୁଁ କରିଅଛି ଆଶ ।ଗୀତରେ ଭଣେ ଭୀମଦାସ ॥
ଇତି ଶ୍ରୀ ଅଷ୍ଟକ ବିହାରୀ ଗୀତା ସୁଜନ ଜନହିତା ଶ୍ରୀ ଗୁରୁପ୍ରସନ୍ନେବେଦାନ୍ତପଦ ବଖାଣନ୍ତେ ସ୍ୱଧର୍ମ ବର୍ଣ୍ଣନେ ନାମୋଦ୍ୱିତୀୟୋଽଧ୍ୟାୟଃ ॥
ତୃତୀୟ ଅଧ୍ୟାୟ
ମହିମା ନାମ ଆଶ୍ରେକର ।ବ୍ରହ୍ମାଣ୍ଡେ ଅଛ ଯେତେ ନର ॥
ମହୀମଣ୍ଡଳରେ ରହିବ ।ପୃଥ୍ୱୀକି ବିହନ ହୋଇବ ॥
ମନ ଭିତରେ କର ଭକ୍ତି ।ନାମ ରହିବ ଯତି ପତି ॥
ମନୁଷ୍ୟ ଜନମ ଲଭିଛ ।ପଶୁ ପରାୟ ହେଉଅଛ ॥
ମିଛକୁ ଛାଡ଼ି ହୃଦୟରୁ ।ତେବେ ପ୍ରସନ୍ନ ହେବେ ଗୁରୁ ॥
ମହା ଧନ୍ଦିଳ ଉଠୁଅଛି ।ନାମ ଭଜିଲେ ହେବ ବାଛି ॥
ମୋହେ ଘୁମିବେ ନରବଂଶ ।ନରେ ଭକ୍ଷିବେ ନରମାଂସ ॥
ମହିମା ଚରଣକୁ ଧ୍ୟାୟି ।ଭଣେ ଅର୍କ୍ଷିତ ଭୀମଭୋଇ ॥
ଜାଣୁଛ ଚଉଦଭୁବନ ।ବ୍ରହ୍ମଅନଳରେ ଦହନ ॥
ଜମ୍ବୁଦ୍ୱୀପରେ ଯେତେ ଅଛ ।ସାକ୍ଷାତେ ନେତ୍ରେ ତ ଦେଖୁଛ ॥
ଜୀବ ତ ବିପ୍ରସନେ ଆସି ।ବ୍ରହ୍ମାଣ୍ଡେ ଘୋଟିଲାଣି ପଶି ॥
ଜୀବନେ ବଞ୍ଚିବ ଯେମନ୍ତେ ।ଏବେ ଉପାୟ କର ଚିତ୍ତେ ॥
ଯୋଗ୍ନୀ କାନ୍ତାନୀ ପଲ ପଲ ।ବ୍ରହ୍ମାଣ୍ଡେ କରନ୍ତି ଚହଳ ॥
ଜଗତକରତାଙ୍କୁ ଭଜ ।ଛାଡ଼ି ସଂସାର ମତ ବାକ୍ୟ ॥
ଜାଣୁ ତ ଅଛ ଯେ ପ୍ରତ୍ୟକ୍ଷ ।କିମ୍ପା ହେଉଛ ଅବିବେକ ॥
ଜଗତନାଥ ପାଦେ ଚିତ୍ତ ।ଭଣଇ ଭୀମ ଅରକ୍ଷିତ ॥
ରସା ମେଦିନୀ ଟଳମଳ ।ଆଗକୁ ନ ଦିଶୁଛି ଭଲ ॥
ରହି ନୋହିବ ବିନା ଧର୍ମେ ।ଚିତ୍ତ ନିବେଶ ନେଇ ବ୍ରହ୍ମେ ॥
ନର ମନରେ କଲେ ହେଲା ।ଭବରେ ବୁଡ଼ିଯିବ ଭେଳା ॥
ରଡ଼ି ଛାଡ଼ୁଛୁ ବସୁମତୀ ।ଭାରା ଯେ ନ ସହଇ ପୃଥ୍ୱୀ ॥
ସ୍ୱାମୀ ନାମକୁ ଆଶ୍ରେକରେ ।ସତ୍ୟାଦି କର୍ମ ବେଗେ ଧର ॥
ରକ୍ଷା କରିବେ ମହାପ୍ରଭୁ ।ସମର୍ପି ହୁଅ ବେଗେ ବାବୁ ॥
ରାଷ୍ଟ୍ର ବିପ୍ଲବ ହୋଇଲାଣି ।କାଳଚକ୍ରହିଁ ଫେରିଲାଣି ॥
ରଖି ଶ୍ରୀ ଗୁରୁପାଦେ ମନ ।ଭଣେ ପାମର ଭୀମ ହୀନ ॥
ଲାଗିଗଲାଣି ଠାବେ ଠାବେ ।କାନ୍ତାନୀଗୋଳ ଚାରିଦିଗେ ॥
ଲୁହାର ମଇ ମାଡ଼ିଲାଣି ।ମଡ଼ା ବ୍ରହ୍ମାଣ୍ଡେ ପଡ଼ିଲାଣି ॥
ଲୁହା ଖପର ଜାତ ହୋଇ ।ପକାଇ ଯାଇଅଛି ନେଇ ॥
ଲଙ୍ଘି ଗଲାଣି ଦେଖୁ ଦେଖୁ ।ବୋଲିଣ ଏ ତିନି ପୁରକୁ ॥
ଲୟ ଲଗାଅ ପ୍ରଭୁପାଦେ ।ଏ ଆତ୍ମା ଉଦ୍ଧାରିବ ଯେବେ ॥
ଲକ୍ଷଣ ଆଚାରରେ ଚାଲ ।ଗୁରୁ ବଚନ ପ୍ରତିପାଳ ॥
ଲଘୁ ପାଇବ ନିଶ୍ଚେ ପଛେ ।ମହା ପ୍ରଭୁଙ୍କୁ ଡାକ ଉଚ୍ଚେ ॥
ଲଭି ଶ୍ରୀ ଗୁରୁ ପାଦଗତ ।ଭଣିଲେ ଭୀମ ଅରକ୍ଷିତ ॥
ବିଷମ ହେଲା ଏ ସଂସାର ।ମୋତେ ତ ଦିଶୁଛି ଅସାର ॥
ବହୁତ ଅନ୍ୟାୟ ହେଉଛି ।ଯୁଗର ସଂଖ୍ୟା ଛିଡ଼ୁଅଛି ॥
ଚଳ ଚଳରେ କଳିଯୁଗ ।କରୁଛି ମାଡ଼ିବସି ଭୋଗ ॥
ଭ୍ରମି ଯାଉଛ ସର୍ବଲୋକ ।ଜଗତ ସରିଲାଣି ଦେଖ ॥
ବେଳହୁଁ ନାମ ଆଶ୍ରେ କର ।ନୋହିଲେ ନ ଦିଶେ ଉଦ୍ଧାର ॥
ବଡ଼ାଇ କହୁଅଛୁଁ ଆମ୍ଭେ ।ମନେ ନ କର ଆଉ ତୁମ୍ଭେ ॥
ବ୍ରହ୍ମାଣ୍ଡ ହେଉଛି ପ୍ରଳୟେ ।ବିଧର୍ମେ ବଞ୍ଚି ନୋହେ କିଏ ॥
ବ୍ରହ୍ମଜ୍ଞାନକୁ ସାବଧାନ ।ଭଣେ ପାମର ଭୀମ ହୀନ ॥
ଶୂନ୍ୟ ହେଲାଣି ନବକ୍ଷିତି ।ଲୋଡ଼ ସେ ପ୍ରଭୁ ଯହିଁଛନ୍ତି ॥
ସକଳ ଦେଇ ସେ ଚରଣେ ।ଭଗତି ହୁଅ ଅନୁକ୍ଷଣେ ॥
ଶକତ ଗୁରୁ ସେ ଅଟନ୍ତି ।ସେହି ଚରଣେ କର ପ୍ରୀତି ॥
ସ୍ୱାମୀ ଅଟନ୍ତ ଏ ଜୀବର ।ସେହୁ ବ୍ରହ୍ମକୁ ଠାବ କର ॥
ସଙ୍କଟ ପଡ଼ିଛି ବ୍ରହ୍ମାଣ୍ଡେ ।ବସୁଧା କାନ୍ଦୁଛି ପ୍ରଚଣ୍ଡେ ॥
ସତ୍ୟକୁ ଆଶ୍ରେ କର ଏବେ ।ବିସ୍ତାରି କହିଦେଲୁ ଆମ୍ଭେ ॥
ଶୂନ୍ୟ ପ୍ରଭୁଙ୍କ ଧର ଚେତି ।ତେବେ ପାଇବ ଗତିମୁକ୍ତି ॥
ସେବଇ ଗୁରୁପଦଗତ ।ଭଣଇ ଭୀମ ଅରକ୍ଷିତ ॥
ଷୋହତି ଆସୁଅଛି ମାଡ଼ି ।ପଡ଼ୁଛି ଅକାଳ ଘଡ଼୍ଘଡ଼ି ॥
ଶୁଭୁଛି କାଳଭୟ କଥା ।ଶ୍ରୀନାମ ବ୍ରହ୍ମକର ଚିନ୍ତା ॥
ଶାପ ପଡ଼ୁଛି ସେ ବ୍ରହ୍ମରୁ ।ଅତି ଅନ୍ୟାୟ ଅଧର୍ମରୁ ॥
ଶନିଶ୍ଚରଟି ପଡ଼ିଅଛି ।ତେଣୁ ଏ ଦଣ୍ଡ ପଡ଼ୁ୍ଅଛି ॥
ଶକତ ହୋଇ ନାମ ଭଜ ।କ୍ରିୟାକର୍ମକୁ ବେଗେ ତେଜ ॥
ଶୁଣିବା ସାଧୁ ସୁଜ୍ଞଜନ ।ବ୍ରହ୍ମକର୍ମରେ ଦିଅ ମନ ॥
ସମ୍ଭାଳି ଧର ହୃଦୟରେ ।ଅପ୍ରତେ ନ କର ଚିତ୍ତରେ ॥
ସଦଗୁରୁଙ୍କ ପଦେ ଧ୍ୟାୟି ।ଭଣେ ପାମର ଭୀମଭୋଇ ॥
ହରଣ ହୋଇବାରୁ ଫଳ ।ସମସ୍ତେ ହେଉଛ ବିକଳ ॥
ହରାଇ ପୂର୍ବର ସୁକୃତ ।ଜାଣି ହେଉଛ ପଶୁମତ ॥
ହତ କରୁଛି କଳି ପାପ ।ତେଣୁଟି ପଡ଼ୁଛି ସନ୍ତାପ ॥
ହିଂସା ବାଦକୁ ଦୂର କର ।ମହିଁମା ସାଗରେ ବିହର ॥
ହିତରେ କହୁଅଛୁ ଆମ୍ଭେ ।କେହି ନ ଯାନ୍ତି କାରସଙ୍ଗେ ॥
ହରିଙ୍କି ଯେ ଭାଜିଲା ତାର ।ନୋହିଲେ ନୁହନ୍ତି କାହାର ॥
ହେଲାଣି ଯେତେ କଥାମାନ ।ଏବେ ସମ୍ଭାଳ ସୁଜ୍ଞଜନ ॥
ହାକି କହଇ ଭୀମ ଭୋଇ ।ଶ୍ରୀଗୁରୁପାଦେ ଚିତ୍ତ ଦେଇ ॥
କ୍ଷମାଦି ସାଗର ସଂସାରେ ।ଦ୍ୱିଜଏ ବୈଷ୍ଣବ ବେଶରେ ॥
କ୍ଷିତି ମଣ୍ଡଳେ ଭୂମି ଭୋଗେ ।ଯତି ବେଶରେ ଚାରିଯୁଗେ ॥
ଖେଳୁଅଛନ୍ତି ଦେହ ବହି ।ଦେବ ମାନବେ ଭେଦ ନାହିଁ ॥
ଖଣ୍ଡିଆ ନୁହନ୍ତି ସେ ପ୍ରଭୁ ।ଅଙ୍ଗରେ ପୁରିଅଛି ସବୁ ॥
କ୍ଷିନ୍ନବେଶରେ ଚାରି ଯୁଗେ ।ପାଇନାହାନ୍ତି ବେଦମାର୍ଗେ ॥
ସଞ୍ଚାର କରୁଛନ୍ତି ସେହି ।ବ୍ରହ୍ମାଣ୍ଡେ କ୍ଷୀର ନୀର ଦେଇ ॥
ଖଣ୍ଡି ସକଳ ପାପମାନ ।ମହିମା ଭଜ ସାଧୁଜନ ॥
କ୍ଷମେ ମହିମାପାଦେ ଆଶ ।କ୍ଷଣେ ଭଣିଲେ ଭୀମଦାସ ॥
ଇତି ଶ୍ରୀ ଅଷ୍ଟକ ବିହାରୀ ଚଉତିଶା ଗୀତା ସୁଜନ ଜନମନହିତା ଧର୍ମପ୍ରକାଶ କଥନେ ଆଗମ ନିଗମ ବିଚାରଣେ ଭୂତ ଭବିଷ୍ୟ-ବାର୍ତ୍ତା ବଖାଣ ନାମୋ ତୃତୀୟୋଽଧ୍ୟାୟଃ ॥
ଚତୁର୍ଥ ଅଧ୍ୟାୟ
କ୍ଷମା ହୋଇବ ଯେବେ ଭାରା ।ସତ୍ୟକୁ କର ହୋ ପସରା ॥
କ୍ଷତିରେ ଧର୍ମ କର୍ମ କରି ।ତେବେ ହୋ ଯିବ ସ୍ୱର୍ଗପୁରୀ ॥
ଖଣ୍ଡ ତପସ୍ୟା ହୀନ କର ।ଆଦ୍ୟରୁ ପ୍ରାନ୍ତଯାଏ ଧର ॥
କ୍ଷମା ପ୍ରଭୁଙ୍କ ସର୍ବେ ଡାକ ।ସମସ୍ତେ ହୋଇ ଏକମୁଖ ॥
କ୍ଷିତିରେ ସର୍ବେ ଯିବେ ପଡ଼ି ।ମାଡ଼ି ଆସୁଛି ଶୂନ୍ୟବଢ଼ି ॥
ଖେଳଟି ସତ୍ୟ କଳି ଆଦି ।ଏ ଦୁଇ ଲାଗିଛନ୍ତି ବାଦୀ ॥
କ୍ଷିତିମଣ୍ଡଳେ ବାଣ ପଡ଼ି ।ଏ ପୃଥ୍ୱୀ ଯାଉଅଛି ପୋଡ଼ି ॥
କ୍ଷୟ ଯାଉଛି କାଳ କଳି ।ଭୀମ ଅର୍କ୍ଷିତ କହେ ଭାଳି ॥
ହରି ନାମକୁ ଆଶ୍ରେ କର ।କଳିଯୁଗରୁ ହେବ ପାର ॥
ହାଣି ଯାଉଛି କାଳଖଣ୍ଡା ।ପିଣ୍ଡ ବ୍ରହ୍ମାଣ୍ଡ କରି ଗୁଣ୍ଡା ॥
ପଡ଼ି ଅବସ୍ଥା ମନ୍ଦଗତି ।ପାପରେ ଭରିଲାଣି କ୍ଷିତି ॥
ହଜାଇ ହେତୁ ଗୁଣ ବୁଦ୍ଧି ।ହୃଦରେ ନ ପାରୁଛି ଭେଦି ॥
ହରଷ ହୋଇଲାଣି ଫଳ ।ଆବର ପୁଷ୍ପ ଫଳମୂଳ ॥
ହୋଇ ଗଲାଣି କଥାମାନ ।ମନରେ ହେତୁକରି ଜାଣ ॥
ହାସ୍ୟ ନ କର ତୁ ମନରେ ।ଦେଖ ଭାସୁଛି ଏ ସଂସାରେ ॥
ହିତ କହୁଛି ନରେ ଚେତ ।ଭଣିଲେ ଭୀମ ଅରକ୍ଷିତ ॥
ଶୂନ୍ୟ ପୁରୁଷ କୃପା କର ।ଏ ପିଣ୍ଡ ବ୍ରହ୍ମାଣ୍ଡ ଉଦ୍ଧାର ॥
ଶରଣ ବାରେ ରଖ ରଖ ।ନିବାର ଅକାଳ ଭୟେକ ॥
ସମ୍ଭାଳ କର ପିଣ୍ଡ ପ୍ରାଣ ।ପ୍ରଭୁ ତ ବ୍ରହ୍ମାଣ୍ଡ ଧାରଣ ॥
ସଂସାର ସରିଲାଣି ଦେଖ ।ନରେ ହେଲେଣି ଗଜମୂର୍ଖ ॥
ସ୍ୱାମୀ ତା ଜାଣିବା ପୁରୁଷ ।ବିପତ୍ତି କରାଅ ଉଶ୍ୱାସ ॥
ସାହସ କରିଛନ୍ତି ନରେ ।ମିଛକୁ ଏ ଘୋର ସଂସାରେ ॥
ସମ୍ଭାଳ ଏ ତୁମ୍ଭ ଭଗତ ।ପୃଥ୍ୱୀ ହେଉଛି ସମାପତ ॥
ସତ କହୁଛି ନରେ ଚେତ ।ଭଣିଲେ ଭୀମ ଅରକ୍ଷିତ ॥
ସମସ୍ତେ ଗୁରୁ ସେବା କର ।ଅଲେଖ ନାମ ଅନୁସର ॥
ଶରଣ ପଶ ପାଦତଳେ ।ଲଜ୍ଜା ନ କର ଏତେବେଳେ ॥
ସମ୍ଭାଳି ରଖିବେ ଶୀଗୁରୁ ।କରୁଣା ଅଭୟପଞ୍ଜରୁ ॥
ସତ୍ୟକୁ ଯେହୁ ଥିବ ଧରି ।କଳି କବଳୁ ହେବ ପାରି ॥
ସଂଶୟ ନ କର ମନରେ ।ତରିବ ଯେଉଁ ପରକାରେ ॥
ସତ୍ୟ ବିଚାର କର ବୁଦ୍ଧି ।ତେବେ ତରିବି ବାରାନିଧି ॥
ସାଗର ବିପତ୍ତି ଏ ଅଟେ ।ଏହାକୁ ଖଡ଼ଗ ନ କାଟେ ॥
ଶବଦ ବ୍ରହ୍ମ କରି ଧ୍ୟାନ ।ଭଣେ ପାମର ଭୀମ ହୀନ ॥
ସ୍ୱର୍ଗ ପାତାଳ ମଞ୍ଚପୁର ।ଦେଖ ହେଲାଣି ନାରଖାର ॥
ସରି ଯାଉଛି ଦେଖୁ ଦେଖୁ ।ଗୋଚର ନୋହୁଛି କାହାକୁ ॥
ଶିର ଉପରେ ଛନ୍ତି ପ୍ରଭୁ ।ଦୂରକୁ ଯାଉଅଛି ସବୁ ॥
ସାର ବ୍ରହ୍ମକୁ ଲୟ କର ।ସାଧୁଙ୍କ ସେବାରେ ବିହର ॥
ସର୍ବଦା କର୍ତ୍ତା ଅଟେ ଯେହୁ ।ବୈଷ୍ଣବ ବେଶେ ଛନ୍ତି ସେହୁ ॥
ସ୍ମୃତିପଥରେ ଭେଦ କର ।ତେବେ ସେ ପାଇବ ଗୋଚର ॥
ସରୁ ସାଧୁତ ଲୋକ ସେହି ।ଭାଗ୍ୟେ ପାଇଛି ନରଦେହୀ ॥
ଶରଣ ପଶି ନରେ ଚେତ ।କହଇ ଭୀମ ଅରକ୍ଷିତ ॥
ବ୍ରହ୍ମ କର୍ମାଦି କର ସବୁ ।ଉଦ୍ଧରି ଦେଇ ଯିବେ ପ୍ରଭୁ ॥
ବାତୁଳ ହେଉଛ କିପାଇଁ ।ଉତ୍ତମ ନରଦେହ ବହି ॥
ବେଦଶାସ୍ତ୍ରକୁ ଦେଖ ଦେଖ ।କିପାଇଁ ହେଉଛି ବିମୁଖ ॥
ବହୁତ ହେଲାଣି ଅନ୍ୟାୟେ ।ଏଥିରେ ସାକ୍ଷୀ ମହୀ କିଏ ॥
ବାଜି ଗଲାଣି କାଳ ଶର ।ଆତୁର ହେଲାଣି ଶରୀର ॥
ବ୍ରାହ୍ମଣମାନେ ବେଦକ୍ରମେ ।ଏବେ ହୋ ଚାଲ ସତ୍ୟଧର୍ମେ ॥
ବ୍ରହ୍ମ ପ୍ରଳୟ ଘୁଞ୍ଚିଯିବ ।ବସୁଧା ଉଶ୍ୱାସ ହୋଇବ ॥
ଭ୍ରହ୍ମ ଜ୍ଞାନକୁ କରି ଲୟେ ।ଭୀମ ଅର୍କ୍ଷିତ ଫେଡ଼ି କହେ ॥
ଲୟ ଲଗାଅ ପଦ୍ମପାଦ ।ତେବେ ଘୁଞ୍ଚିବ ପରମାଦ ॥
ଲଙ୍ଘିଣ ଯେଣୁ ଏ ଧର୍ମକୁ ।ବିପତ୍ତି ପଡ଼ୁଛି ଅଙ୍ଗକୁ ॥
ଲାଗିଗଲାଣି ବ୍ରହ୍ମ ଅନ୍ତେ ।ବିବେକ ନାହିଁ କାର ଚିତ୍ତେ ॥
ଲୋଭ ମୋହକୁ ଛାଡ଼ି ସର୍ବେ ।ବଡ଼ାଇ କହୁଅଛି ଆମ୍ଭେ ॥
ଲୟରେ ଭକ୍ତି ଯେ କରିବ ।ସେ ପ୍ରାଣୀ ସଂସାରୁ ତରିବ ॥
ଲକ୍ଷେ ଯୋଜନେ ଥିଲେ ପ୍ରଭୁ ।ବିପତ୍ତି ଖଣ୍ଡିବେ ସେ ସବୁ ॥
ଲାବଣ୍ୟ ମୁରତି ଦେଖିବ ।କଳିରୁ ଯେହୁ ବର୍ତ୍ତିଯିବ ॥
ଲୟ ଲଗାଅ ପାଦଗତ ।କହଇ ଭୀମ ଅରକ୍ଷିତ ॥
ରଟି ପାରିଲେ ସତ୍ୟ ପାଦେ ।ମିଳିବ ସୁଧାରସ ଛନ୍ଦେ ॥
ରସା ମେଦିନୀ ଟଳ ମଳ ।ବୁଡ଼ିଗଲାଣି ଧର୍ମ୍ମକୁଳ ॥
ରହି ପାରିବ ପାନ କରି ।ନୋହିଲେ ନିଶ୍ଚେ ଯିବ ସରି ॥
ଉଡୁଛି ଅନନ୍ତ ବାସୁକୀ ।ବିକଳ ହୋଇ ମହାଦୁଃଖୀ ॥
ରଖିବ ଯେବେ ପିଣ୍ଡ ପ୍ରାଣ ।ଗୁରୁ ଚରଣେ ଦିଅ ମନ ॥
ରିଷ୍ଟରୁ ବଞ୍ଚାଇ ରଖିବେ ।ଅଭୟବାନା ଉଡ଼ାଇବେ ॥
ରହିବ ଯୁଗେ ଯୁଗେ କୀର୍ତ୍ତି ।ହୋଇବ ବ୍ରହ୍ମର ଭକତି ॥
ରକ୍ଷା କରିବେ ପିଣ୍ଡ ପ୍ରାଣ ।ଭାବି କହଇ ଭୀମ ହୀନ ॥
ଜୀଇଁବ ଯେମନ୍ତ ସୁଜନ ।ଡାକି କହୁଛି ବୋଲ ଘେନ ॥
ଯାବତ ବିଷୟାକୁ ଛାଡ଼ ।ନାମ ବ୍ରହ୍ମକୁ କର ଦୃଢ଼ ॥
ଜାଣୁତ ଅଛ ଯେ ପ୍ରତ୍ୟେକ୍ଷେ ।ସାହସ ଉଡ଼ୁଅଛି ମୁଖେ ॥
ଯୋଗରେ ରଖ ପିଣ୍ଡ ପ୍ରାଣ ।ବ୍ରହ୍ମରେ ନ କର ଭ୍ରମଣ ॥
ଜାଗ୍ରତ କରି ଏବେ ଧର ।ସକଳ କର୍ମ ଦୂର କର ॥
ଯମ ଭୁବନକୁ ନ ଯିବ ।ଅଭୟ ପଞ୍ଜରେ ପଶିବ ।ଜଗି ପାରିଲେ ଆଗ ପଛ ।ମୁଖରେ ନ ଆସିବ ମିଛ ॥
ଜଗତ କରତାକୁ ଧ୍ୟାୟି ।କହେ ଅର୍କ୍ଷିତ ଭୀମ ଭୋଇ ॥
ମହିମା ଭଜ ସର୍ବଜନ ।ଯେ ଅଛ ଧରଣୀ ସୁଜନ ॥
ମହୀମଣ୍ଡଳେ ସେ ରହିବ ।କଳଙ୍କୀ ସ୍ୱରୂପ ଦେଖିବ ॥
ମନ ପବନ ଏକ କରି ।ଯେହୁ ଭଜିବ ଦୃଢ଼େ ଧରି ॥
ମହାପ୍ରଭୁଙ୍କୁ ସେ ପାଇବ ।ସତ୍ୟରେ ବିହନ ହୋଇବ ॥
ମହିମା ରଖିବ ସଂସାରେ ।କେହି ନୁହନ୍ତି ରଖିବାରେ ॥
ମହତ ଉତ୍ତମ ପୁରୁଷ ।ଅଟନ୍ତି ଭଗତ ବିଶ୍ୱାସ ॥
ମିଛକୁ ଛାଡ଼ି ସତ କହ ।ପ୍ରଭୁ ଆଶ୍ରିତେ ସର୍ବେ ରୁହ ॥
ମହିମା ଚରଣେ ଶରଣ ।ଭଣେ ଅର୍କ୍ଷିତ ଭୀମ ହୀନ ॥
ଇତି ଶ୍ରୀ ଅଷ୍ଟକ ବିହାରୀ ଚଉତିଶା ଗୀତା ସୁଜନଜନ ହିତା ଏକପାଦବର୍ଣ୍ଣନେ ଭକ୍ତିମାର୍ଗ କଥନେ ନାମ ଚତୁର୍ଥୋଽଧ୍ୟାୟ ॥
ପଞ୍ଚମ ଅଧ୍ୟାୟ
ଭରସା ହେଉଛି ଏ ଯୁଗ ।ତେଣୁ ନାଶୁଛି ଚାରିଯୁଗ ॥
ଭାବେ ମଜ୍ଜିଲେ ଆତ୍ମା ଚିହ୍ନି ।ତେବେ ଲଭିବ ବ୍ରହ୍ମଜ୍ଞାନୀ ॥
ଭରସା କରି ଗୁରୁପାଦ ।ତେବେ ସେ ଘୁଞ୍ଚିବ ପ୍ରମାଦ ॥
ଭାସି ଯାଉଛି ନବଖଣ୍ଡ ।ପୁଣ୍ୟ ପବିତ୍ର କର ପିଣ୍ଡ ॥
ଭାଇ ବନ୍ଧୁର ସ୍ନେହ ଛାଡ଼ ।ଆତ୍ମା ଭକ୍ତିରେ କର ଦୃଢ଼ ॥
ଭାବନା ଲୋକ ସିନା ଏହି ।ଅଭାବେ ନ ରହନ୍ତି କେହି ॥
ଭ୍ରଷ୍ଟ ଯେ ହୋଇଲାଣି ପୃଥ୍ୱୀ ।ଥୟ ନୋହୁଛି କାହା ମତି ॥
ପଡ଼ି ସେ ଶ୍ରୀଗୁରୁ ଚରଣ ।ଗୀତାରେ ଭଣେ ଭୀମ ହୀନ ॥
ବ୍ରହ୍ମ ଜ୍ଞାନକୁ କର ଲୟ ।ଘୁଞ୍ଚିବ କାଳଦଣ୍ଡ ଭୟ ॥
ପଦୁପାଦକୁ କର ଲୟେ ।ବ୍ରହ୍ମରେ ପଖାଳ ଏ କାୟେ ॥
ବ୍ରହ୍ମରେ ରଖ ପଞ୍ଚମନ ।ବଶ ହୋଇବେ ନାରାୟଣ ॥
ବୁଦ୍ଧିକି କରି ଆଗୁ ସାର ।ଅନାମ ବ୍ରହ୍ମରେ ପ୍ରଚୁର ॥
ବଡ଼ିମା କଥା ଛାଡ଼ ଚିତ୍ତୁ ।ନିଜ ନାମକୁ କର ହେତୁ ॥
ବଳାଅ ଗୁରୁପାଦେ ମତି ।ପୂର୍ବ ହେତୁକୁ ଧର ଚେତି ॥
ବୁଝି ବିଚାରି କାର୍ଯ୍ୟ କର ।ଶ୍ରୀଗୁରୁ ଆଜ୍ଞାରେ ବିହର ॥
ବ୍ରହ୍ମରେ ହୋଇ ଆତଜାତ ।ଭାବେ ଭଣଇ ଭୀମ ଭକ୍ତ ॥
ଫିଟାଇ କହୁଅଛି ଆମ୍ଭେ ।ଏକାନ୍ତ ଭାବ କର ସର୍ବେ ॥
ଫୁଲା ପଣକୁ ଦୁରେ ଏଡ଼ି ।କପଟ କଥାମାନ ଛାଡ଼ି ॥
ଫରୁଆ ଭିତରେ ପଡ଼ିଛି ।ନିଷ୍କାମ ନ କଲେ ନ ବଞ୍ଚି ॥
ଫଳକୁ ଦେଖି ବାଇ ନୁହ ।ସାର୍ଥକ କର୍ମେ ମନ ଥୁଅ ॥
ଫଳ ସ୍ମୃତିରେ ନୁହ ବାଇ ।କହୁଛି ସଂଶୟ ଫିଟାଇ ॥
ଫିସାଦ କଥାମାନ ଛାଡ଼ ।ଏକାନ୍ତ ନାମ ବ୍ରହ୍ମେ ଜଡ଼ ॥
ଫନ୍ଦାକୁ ଦୃଢ଼ କରି ଧର ।ଅଲେଖ ବ୍ରହ୍ମରେ ବିହର ॥
ଫୁଙ୍କା ବନ୍ଧରେ ଦେଇ ଚିତ୍ତ ।ଆତ୍ମା ଭକ୍ତିରେ ଦିଅ ମନ ॥
ପୁଣ୍ୟରେ ପଖାଳ ଏ କାୟେ ।ତେଣୁଟି ବ୍ରହ୍ମ ଘଟେ ରହେ ॥
ପରତେ ହୁଅ ଅଲେଖଙ୍କୁ ।ଶରୀରେ ଭେଦ କର ତାଙ୍କୁ ॥
ପାରି କରିବେ ଏ ଦୁସ୍ତରୁ ।ଏ ଘୋର ସଂସାର ସାଗରୁ ॥
ପିଣ୍ଡରେ ପୂରିଅଛି ସେହି ।ସ୍ମୃତିରେ ଭେଦ କଲେ ପାଇ ॥
ପୂର୍ଣ୍ଣନନ୍ଦଟି ଅଟେ ପୁର୍ଣ୍ଣ ।ବାହାରେ ଭ୍ରମୁଛି ସୁଜନ ॥
ପୃଥ୍ୱୀ ପ୍ରଳୟ ହେବ ଦେଖ ।ଜୀବକୁ ବ୍ରହ୍ମରନ୍ଧ୍ରେ ରଖ ॥
ପୂର୍ଣ୍ଣ ବ୍ରହ୍ମରେ ମୁଖେ ଘୋଷ ।ମହିମା ସାଗରରେ ପଶ ॥
ନାମଟି ଚାରିଯୁଗେ ସତ୍ୟ ।ବ୍ରହ୍ମରେ ପାଇଟି ମୁକତ ॥
ନିଶି ଦିବସ ଲୟ କର ।ଶୂନ୍ୟ ବ୍ରହ୍ମକୁ ଦୃଢ଼େ ଧର ॥
ନିସତ ନୁହ ସୁଜ୍ଞଜନ ।ଏକ ବ୍ରହ୍ମକୁ କର ଧ୍ୟାନ ॥
ନରେ ହୋଇଲେ ମନେ ଦୁଜା ।ପଶ୍ଚାନ୍ତେ ପାଇବଟି ସଜା ॥
ନୟନ ଥାଉ ଥାଉ ଜଣା ।ମାୟାରେ ହେଉଅଛ ବଣା ॥
ନାରୀ ପୁରୁଷ ଏକାବେଳେ ।ବିହର ଅଲେଖ ମଣ୍ଡଳେ ॥
ନାମ ବ୍ରହ୍ମକୁ କର ଲୟେ ।ଭୀମ ଅର୍କ୍ଷିତ ଫେଡ଼ି କହେ ॥
ଧର୍ମରେ ହୁଅ ଆତଯାତ ।ମୁକ୍ତି ହୋଇବ ପରାପତ ॥
ଧର୍ମରେ ରହିବ ଧରଣୀ ।ସପତ ସାଗର ମେଦିନୀ ॥
ଧାରଣା କର ନିରିବେଦ ।ଶରୀରେ ଭେଦକୁ ସମ୍ପାଦ ॥
ଧରି ମୁଖରେ ଦୃଢ଼େ ଜପ ।ଯେବେ ଦେଖିବ ବ୍ରହ୍ମରୁପ ॥
ଧର୍ମଟି ଶୂନ୍ୟ ବ୍ରହ୍ମ ଅଟେ ।ପୂରି ରହିଛି ସର୍ବ ଘଟେ ॥
ଧରି ହୃଦରେ ଦୃଢେ ଭଜ ।ବିଷୟା କର୍ମମାନ ତେଜ ॥
ଧର୍ମ ନାବରେ ବସ ସବୁ ।ଭୟରୁ ଉଦ୍ଧାରିବେ ପ୍ରଭୁ ॥
ଧ୍ୟାୟି ଶ୍ରୀଗୁରୁ ପାଦଗତେ ।ଭଣିଲେ ଭୀମ ଅରକ୍ଷିତ ॥
ଦାନହିଁ ଦିଅ ପିଣ୍ଡପ୍ରାଣ ।ସୁମରି ଶ୍ରୀଗୁରୁ ଚରଣ ॥
ଦୟା ହୋଇବ ତେବେ ଯାଇଁ ।ନିଶ୍ଚିନ୍ତେ ରହିବ ଏ ମହୀ ॥
ଦଇବ କରତା ଅଟନ୍ତି ।ଭାବିଲେ ସେ ଦୃଶ୍ୟ ହୁଅନ୍ତି ॥
ଦିନ ପାହିଲା ହେଲା ଶେଷ ।ପଡ଼ୁଛି ଅକାଳ ଭବିଷ ॥
ଦୁସ୍ତରୁ ବଞ୍ଚିବ ଯେମନ୍ତେ ।ଧର୍ମ୍ମକୁ ଆଶ୍ରେ କର ଚିତ୍ତେ ॥
ଦହ୍ୟ ହେଉଛି ଏ ବ୍ରହ୍ମାଣ୍ଡ ।ଆବର ପୃଥ୍ୱୀ ନବଖଣ୍ଡ ॥
ଦୋସରା ସତ୍ୟଯୁଗ ହେବ ।ଏଥିକୁ ଧର୍ମ ଚାହିଁଥିବ ॥
ଦୟାଳୁ ପୁରୁଷ ଚରଣ ।ସୁମରି ଭଣେ ଭୀମ ହୀନ ॥
ଥରକୁ ଥର କାଳକୂଟ ।ବ୍ରହ୍ମାଣ୍ଡେ ପଡ଼ିବ ସଙ୍କଟ ॥
ଥରିବ ଏ ନବ ମେଦିନୀ ।କାଳ ଘୋଟିବ ପୁର ତିନି ॥
ଥୋଇ ଅଛନ୍ତି ୟାକୁ ଗୁରୁ ।କରୁଣା ଅଭୟ ପଞ୍ଜରୁ ॥
ସ୍ଥିତି ପାଇବେ ସତ୍ୟ ଯୁଗେ ।କଳିରୁ ଯେହୁ ବର୍ତ୍ତିଥିବେ ॥
ସ୍ଥାବର ଜଙ୍ଗମ ପର୍ଯ୍ୟନ୍ତେ ।ମହା ପ୍ରଭୁଙ୍କୁ ଲୋଡ଼ ଚିତ୍ତେ ॥
ଥୟେ ରହିବ ପିଣ୍ଡେ ପ୍ରାଣ ।ଯେହୁ ଭଜିବ ନାରାୟଣ ॥
ଥିଲାର କଥା ମାନ ସର୍ବେ ।ଗୋପନ ହୋଇଲାଣି ଏବେ ॥
ସ୍ଥବିର କର ବୁଦ୍ଧିଚିତ୍ତ ।କହଇ ଭୀମ ଅରକ୍ଷିତ ॥
ତ୍ରିକାଳ ବିପତ୍ତି ଏ ଆସି ।ବ୍ରହ୍ମାଣ୍ଡ ପକାଉଛି ନାଶି ॥
ଲାଗିଛି ତ୍ରିଗୁଣ ଦଉଡ଼ି ।ସକଳ ପଡ଼ୁଅଛି ଝଡ଼ି ॥
ତରିବା ବାଟ ସର୍ବେ କର ।ନିଜ ନାମକୁ ଦୃଢ଼େ ଧର ॥
ତ୍ରିପୁର ପ୍ରଳୟ ହେଉଛି ।କେ ଅଛି କ୍ଷମା କର କିଛି ॥
ତିଆରି କହୁଅଛୁ ଆମ୍ଭେ ।ଅଖଣ୍ଡ ଯଜ୍ଞ କର ତୁମ୍ଭେ ॥
ତେବେ କରିବ ଜଳ ବୃଷ୍ଟି ।ପାଳିବ ନବଦ୍ୱୀପା ସୃଷ୍ଟି ॥
ଟାକି ପାରିଲେ ଅଛି ଏବେ ।ନୋହିଲେ ଭାସିଯିବେ ସର୍ବେ ॥
ତିନି ଭୁବନେ ତାଙ୍କ ଦେହୀ ।ବିସ୍ତାରି କହେ ଭୀମ ଭୋଇ ॥
ଅନାଦି ବ୍ରହ୍ମ ଆଶ୍ରେ କର ।ରଖିବେ ଅଭୟ ପଞ୍ଜର ॥
ଅଣଅକ୍ଷରେ ଦିଅ ଚିତ୍ତ ।ମୁଖେ ଉଚ୍ଚାର ସତ୍ୟବ୍ରତ ॥
ଅନନ୍ତ ଗର୍ଭରେ ରହିବ ।ଜନ୍ମ ମରଣରୁ ତରିବ ॥
ଅକ୍ଷ ଅକ୍ଷରେ କର ତତୁ ।ପାଇବ ପୂର୍ବ ଜନ୍ମ ହେତୁ ॥
ଅଣ ସାଧନା କର ଏବେ ।ହେତୁ ରହିବ ଚାରିଦିଗେ ॥
ଅଣ ବିକାରେ କର ସଙ୍ଗ ।ଲୀନ ହୋଇବ ବ୍ରହ୍ମଅଙ୍ଗ ॥
ଅରୂପ ବ୍ରହ୍ମରେ ମିଶିବ ।ଅଶେଷ ବ୍ରହ୍ମାଣ୍ଡ ଦିଶିବ ॥
ଅନାଦି ଗୁରୁପାଦେ ଚିତ୍ତ ।ଭଣିଲେ ଭୀମ ଅରକ୍ଷିତ ॥
ଢୁକିଲା କାଳବେଳ ଆସି ।କେ ଅଛି ପ୍ରଭୁ ଦାସ ଦାସୀ ॥
ଢଳି ପଡ଼ିବ ଦେଖ ଦେଖ ।ଶୂନ୍ୟ ବ୍ରହ୍ମଙ୍କୁ ଉଚ୍ଚେ ଡାକ ॥
ଢାଙ୍କୁଣୀ ଭିତରେ ରଖିବେ ।ଅଶେଷ ଭୟ ନିବାରିବେ ॥
ଢମାଳି ନୁହ ସାଧୁଜନ ।ଅଲେଖ ବ୍ରହ୍ମେ ଦିଅ ମନ ॥
ଢାଳେ ବାନାକୁ ଆଶ୍ରେ କର ।ଆନନ୍ଦ ସାଗରେ ବିହର ॥
ଢୋକି ପିଇବ ମକରନ୍ଦ ।ଘୁଞ୍ଚିବ ମାୟା ମୋହ ଦ୍ୱନ୍ଦ ॥
ଢୁଳାଇ ପଡ଼ିବ ଜଗତ ।ଏବେ ହୋ ହେତୁକରି ଚେତ ॥
ଢଳି ପଡ଼ିଛି କ୍ଷମା କର ।କହେ ଅର୍କ୍ଷିତ ଭୀମ ଛାର ॥
ଡାକି କହୁଛୁ ଆମ୍ଭେ ଉଚ୍ଚେ ।ଦୋଷ ନ ଦେବ ଆଉ ପଛେ ॥
ଡକା ପଡ଼ିଛି ତିନିପୁରେ ।ଚେତାଇ ଧର ସୁଜ୍ଞନରେ ॥
ଡାଳକୁ ଛାଡ଼ି ମୂଳ ଧର ।କଳିକାଳରୁ ହେବ ପାର ॥
ଡ଼ିଙ୍ଗର ସଙ୍ଗତେ ନ ପଡ଼ି ।ବିଷୟା କଥାମାନ ଛାଡ଼ି ॥
ଡୋଳାରେ ଦେଖୁଅଛ ଯେତେ ।ବହିତ ଗଲେଣି ସମସ୍ତେ ॥
ଡେଙ୍ଗ ଜଗତିର ଉପର ।ତହିଁ ଅଛନ୍ତି ଅଣାକାର ॥
ଡରିଲେ ଲଭି ନୋହେ ତାଙ୍କୁ ।ଛନ୍ଦି ଦେଉଛ ଦେଖୁ ଦେଖୁ ॥
ଡଙ୍ଗରା ପରାୟକ ହୋଇ ।ଭାବେ ଭଣିଲେ ଭୀମ ଭୋଇ ॥
ଇତି ଶ୍ରୀ ଅଷ୍ଟକ ବିହାରୀ ଗୀତା ସୁଜ୍ଞଜନ ମନହିତା ଏକପାଦବର୍ଣ୍ଣନେ ଜ୍ଞାନପାଦ ବିଚାରଣେ ନାମ ପଞ୍ଚମ ଅଧ୍ୟାୟ ॥
ଷଷ୍ଠ ଅଧ୍ୟାୟ
ଠଉର ନ ଦିଶଇ ବୁଦ୍ଧି ।କଳି ହେଲାଣି ବାରାନିଧି ॥
ଟାଣମାନଙ୍କୁ ଭାଙ୍ଗି ଦେଇ ।ଧର୍ମକୁ ଦେଲାଣି ବୁଡ଼ାଇ ॥
ଠାକୁର ପାଦେ ସେବା କର ।ନିଷ୍କାମ ବ୍ରହ୍ମରେ ବିହର ॥
ଠେଲି ଲହରୀ ଆସୁଅଛି ।ଉପାୟ ନ ଦିଶୁଛି କିଛି ॥
ଠୁଳ ଶୂନ୍ୟକୁ କର ଲୟ ।ହୃଦରୁ ଛଡ଼ାଇ ସଂଶୟ ॥
ଠିକଣା କରି ନାମ ଧର ।ହୃଦରେ ସୁବୁଦ୍ଧି ବିଚାର ॥
ଠକି ଦେଲାଣି କଳିଯୁଗ ।ବୁଡ଼ାଇ ଦେଇ ଧର୍ମନାବ ॥
ଠିଆ ହୋଇଛି କରଯୋଡ଼ି ।ଭୀମ ଅର୍କ୍ଷିତ କହେ ଫେଡ଼ି ॥
ଟାପରା କରି କଳିକାଳ ।ମହତ ନେଲାଣି ସକଳ ॥
ଟାଣ ପ୍ରଭୁଙ୍କ ଦୃଢ଼େ ଧର ।କଳିଯୁଗରୁ ହେବ ପାର ॥
ଟେକି ରଖିବେ ଭବାର୍ଣ୍ଣବୁ ।ଅନ୍ଧାର ଯାମିନୀରେ ପ୍ରଭୁ ॥
ଟାଣ ଉପାଡ଼ି ଫିଙ୍ଗୁଅଛି ।କାହାରି ଟାଣ ନ ରଖୁଛି ॥
ଟଳି ନ ପଡ଼ି ଦମ୍ଭେ ଥାଅ ।ଗୁରୁ ଚରଣେ ଚିତ୍ତ ଥୁଅ ॥
ଟିଆକୁ କଲାଣି ନିକଟ ।ପଡ଼ୁଛି ନାନା ନଟ କୁଟ ॥
ଟାକି ପାରିଲେ ବେନି ଘଡ଼ି ।ଯୋଗୀଏ ପଳାଇବେ ଛାଡ଼ି ॥
ଟିକା ଯେ ମାତ୍ର ଏବେ ଅଛି ।ଭୀମ ଅର୍କ୍ଷିତ କହେ ବାଞ୍ଛୁ ॥
ନିଶି ଦିବସେ ଲୟ କର ।ଅନାମ ବ୍ରହ୍ମରେ ବିହର ॥
ଅମଡ଼ା ଅପଡ଼ା ସେ ଭୂଇଁ ।ଅନାମ ଯେହୁ ନାମ ନାହିଁ ॥
ନିଷ୍କାମ ସେହି ଅଟେ ପୁର ।ସେହି ସ୍ଥାନକୁ ଆଶ୍ରେ କର ॥
ନିଗମ ଅଛି କି ତହିଁରେ ।ଭଜ ନ ପାରେ ସେହୁ ପୁରେ ॥
ନିଷ୍ଠାରେ ନାମ ହୁଏ କାଳ ।ନ ଯାଏ ଅଲେଖ ମଣ୍ଡଳ ॥
ନାରୀ ପୁରୁଷ ହୋଇ ଏକ ।ଅଟନ୍ତି ସେମାନେ ବିବେକ ॥
ନୂଆ ହୋଇବ ଏହୁ ପୃଥ୍ୱୀ ।ତେଣୁ ଲାଗୁଛି ଉତପତ୍ତି ॥
ନିଷ୍କାମ ବ୍ରହ୍ମେ ଦେଇ ଚିତ୍ତ ।ଭଣିଲେ ଭୀମ ଅରକ୍ଷିତ ॥
ଝଞ୍ଜିଣ ଭିତରେ ନ ପଡ଼ ।ନିଜ ପ୍ରଭୁଙ୍କୁ ଏବେ ଲୋଡ଼ ॥
ଝଟତି ବୁଝିବେ ସେ କଥା ।ହୃଦରୁ ଛଡ଼ାଇବେ ଚିନ୍ତା ॥
ଝଟକ ବିଦ୍ୟୁ ତାଙ୍କ ରୂପ ।ଏହି ବ୍ରହ୍ମାଣ୍ଡେ ଥିବେ ଦେଖ ॥
ଝାଡ଼ ପର୍ବତ ବନେ ଖୋଜ ।ବେଦ ଶାସ୍ତ୍ରକୁ ପଢ଼ି ବୁଝ ॥
ଯାବତ ଭିତରେ ଯେ ପ୍ରଭୁ ।ସେଠାରେ ଲୋଭ ଅଛି ବାବୁ ॥
ଝଲକ ରୂପେ ନାହିଁ ମିଳେ ।ଆତ୍ମା ବିନୋଦେ ବ୍ରହ୍ମତଳେ ॥
ଝଡ଼ି ପଡ଼ିବ ସର୍ବେ ଦେଖ ।ସମ୍ଭାଳି କର ହେ ବିବେକ ॥
ଝିମିଟେ ଧାଇଁ ପାଦ ଗତ ।ଭଣିଲେ ଭୀମ ଅରକ୍ଷିତ ॥
ଯତ୍ନ କରିଣ ନାମ ଭଜ ।ହୃଦରୁ ସର୍ବ କର୍ମ୍ମ ତେଜ ॥
ଜାନୁ ଯୌବନ ଦିଅ ଦାନ ।ଦାସ ପଣରେ ନିଅ ଦିନ ॥
ଜାଣି ଆତ୍ମାରେ ଭଜ ସର୍ବ ।ତେବେ ରହିବ ପିଣ୍ଡ ଜୀବ ॥
ଜାଣିଥା ଆଗକୁ ପଛକୁ ।ପସରା ନ କରି ମିଛକୁ ॥
ଯଶ ନେବାକୁ ବସିଅଛି ।ପାପରେ ଆପ କଟାଉଛି ॥
ଯୋନି ଜନମ ଜୀବ ଯେତେ ।ଶରଣ ପଶ ହେ ସମସ୍ତେ ॥
ଯାବତ ବିପତ୍ତି ଘୋଟିବ ।ନାନା ପାପରେ ଆଶା ଯିବ ॥
ଜାଗ୍ରତେ ଧରିଥା ପୟର ।ଭଣେ ଅର୍କ୍ଷିତ ଭୀମ ଛାର ॥
ଛପନା କୋଟି ଜୀବ ଯେତେ ।ଶରଣ ପଶ ହେ ସମସ୍ତେ ॥
ଛାୟାରେ ହୁଅ ପ୍ରତିପାଳ ।ବୃକ୍ଷ ମୂଳକୁ ସର୍ବେ ଚଳ ॥
ଛତ୍ର ପରାୟେ ପାଦ ବିନ୍ଦ ।ରଖିବେ ସେ ଅନାଦି କନ୍ଦ ॥
ଛାନିଆଁ ନୁହ ସର୍ବଜନ ।ଗୁରୁ ପାଦରେ କର ଧ୍ୟାନ ॥
ଛାତିକି ଦମ୍ଭ କରି ସର୍ବେ ।ଯାହା ସେ କହିଥିଲେ ପୂର୍ବେ ॥
ଛାଡ଼ୁ ଏ ଯୁଗର ସକ୍ଷମ ।ପ୍ରଭୁ ବିତର୍କେ ନାହିଁ କ୍ଷମ ॥
ଛାଡ଼ି ଅଲଗା ହୋଇଛନ୍ତି ।ଗୁପତେ ସର୍ବେ ଦେଖୁଛନ୍ତି ॥
ଛଡ଼ ବେଦରେ ଦେଇ ମନ ।ଭଣେ ପାମର ଭୀମସେନ ॥
ଚରଣ ତଳେ ଆଶ୍ରେ କର ।ଅକ୍ଷୟ ହୋଇବ ଶରୀର ॥
ଚେତାଇ ଧର ନିଜ ପିଣ୍ଡେ ।ଚେତାଟି ରହିବ ବ୍ରହ୍ମାଣ୍ଡେ ॥
ଗୁରୁଚରଣେ ଆଶ୍ରେ କର ।ସଦ୍ଗୁରୁଙ୍କୁ ସେବା କର ॥
ଚର୍ମର ଦେହ ହୀନମାନ ।କେତେହେଁ ହେଉଛ ମଉନ ॥
ଚାପି ଆସୁଛି ମାଡ଼ି କଳି ।ଦାଣ୍ଡରେ ପଡ଼ିଛି ବୋବାଳି ॥
ଚମକ ପଡ଼ୁଛି ସଂସାରେ ।ଧନ୍ଦିଣ ମରୁଛ ମିଛରେ ॥
ଚକ୍ର ଭେଦୁଛି କାଳ ପ୍ରାୟେ ।ଲାଗି ଯାଉଛି ସର୍ବ ଦେହେ ॥
ଚିତ୍ତକୁ ବ୍ରହ୍ମରନ୍ଧ୍ରେ ଥୋଇ ।ଭଣେ ଅର୍କ୍ଷିତ ଭୀମଭୋଇ ॥
ଅଣ ଲେଖାକୁ ସର୍ବେ ଧର ।ଆନନ୍ଦ ସାଗରେ ବିହର ॥
ଉଲଟି ଅଦ୍ୟ ଅଣାକାର ।ଛପନ କୋଟି ଅବତାର ॥
ଅନାଦି ବ୍ରହ୍ମ ସେ ଅଟଇ ।ଆତ୍ମାରେ ନିମଜ୍ଜି ଲେ ପାଇ ॥
ଅହିଂସା ହୁଅ ସର୍ବଜନ ।ହିଂସାରେ ନାହିଁ ବ୍ରହ୍ମଜ୍ଞାନ ॥
ଅଡ଼ୁଆ କଥାରେ ନ ପଶ ।ଅରୂପ ବ୍ରହ୍ମ ନୁହେ ଦୃଶ୍ୟ ॥
ଅରୂପ ବୋଲି ଯାହା କହି ।ରୂପ ଅଛଇ ରୂପ ନାହିଁ ॥
ଅଣ ଅକ୍ଷରେ କର ଲୟ ।ଅନାଦି କରିବେ ବିଜୟ ॥
ଆଶ୍ରୟ କରି ପାଦଗତ ।ଭଣିଲେ ଭୀମ ଅରକ୍ଷିତ ॥
ଘଟରେ ନିରୂପଣ କର ।ଆତ୍ମା ଗୋଚରେ ତାଙ୍କୁ ଧର ॥
ଘଟରେ ଘାଟିଆ ଅଛନ୍ତି ।ଏ ଆତ୍ମା ଉଦ୍ଧାର କରନ୍ତି ॥
ଘୋର ବନଟି ଦେହ ଜାଣ ।ଯେ ରୁପେ ହେବ ପରିତ୍ରାଣ ॥
ଘଟରେ ପୁରିଛନ୍ତି ସେହି ।ଜୀବନ ଲିଙ୍ଗ ପ୍ରାୟ ହୋଇ ॥
ଘାଣ୍ଟି ହେଉଛି ବିଅର୍ଥରେ ।ପ୍ରଭୁ ଅଛନ୍ତି ଏ ଘଟରେ ॥
ଘୋଟିଅଛନ୍ତି ରୁମ ଚର୍ମ ।ଅସ୍ଥି ମାଂସରେ ସେହୁ ବ୍ରହ୍ମ ॥
ଘନ ଗର୍ଜନ ପ୍ରାୟ ହୋଇ ।ଚେତା ଶବଦେ ସଙ୍ଗେ ରହି ॥
ଘୋର ଅନ୍ଧାର କଳି ଜାତ ।ଭଣିଲେ ଭୀମ ଅରକ୍ଷିତ ॥
ଜ୍ଞାନ ସାଗରେ ସର୍ବେ ବୁଡ଼ି ।ଆଗତ କଥାମାନ ହୁଡ଼ି ॥
ଗୁରୁ ଅଟନ୍ତି ଜ୍ଞାନ ଭାର ।ଦର୍ଶନେ କରନ୍ତି ନିସ୍ତାର ॥
ଗତିକି ଯେବେ ଇଚ୍ଛା ଅଛି ।ଗତିକି ଲୋଡ଼ ବେଗେ ବାଛି ॥
ଗହାଗତକୁ କର ହେତୁ ।ଗର୍ଭ ବାସନା ମନେ ତତୁ ॥
ଗଢ଼ୁ ଅଛନ୍ତି ବାଡ଼ିପଥେ ।ଯେବଣ ବ୍ରହ୍ମ ଥିଲେ ଗୁପ୍ତେ ॥
ଗଲାଣ ଚାରି ଧର୍ମ୍ମ ଉଠି ।ଅବସ୍ଥା ହୋଇ ନାବ ସୃଷ୍ଟି ॥
ଛାଣି ନେଲେଣି କଳ ସବୁ ।ସେଯେ ଅଲେଖ ମହାପ୍ରଭୁ ॥
ଗୁରୁଚରଣେ ଦେଇ ଚିତ୍ତ ।ଭଣିଲେ ଭୀମ ଅରକ୍ଷିତ ॥
କ୍ଷେମେ ହୋଇବ ଏ ସଂସାର ।ବିଚାର କର ସୁଜ୍ଞନର ॥
କ୍ଷେତ୍ର ନୋହିଲେ ଦଣ୍ଡଧର ।ଉଶ୍ୱାସ ନୋହେ ମହୀ ଭାର ॥
କ୍ଷମା ନୋହିବ କଦାଚିତେ ।ବୁଝାଇ କହୁଅଛି ଏତେ ॥
ଖର ଦାନବ ଯଜ୍ଞ ହେଲେ ।ସନ୍ତୋଷ ଏବେ ଦିନ ପାଳେ ॥
ଖଣ୍ଡନ ହେବ ପାପମାନ ।ପାଳିବ ଚଉବର୍ଗମାନ ॥
ଖଣ୍ଡି କୁଡ଼ିଆ ଷୋଳପୁରୀ ।ହୋଇବ ଉଆଁସ ପାଚେରୀ ॥
ଖରାପ ନୋହିବ ଯେ ଧର୍ମ ।ସର୍ବ ବ୍ୟାପିତ ହେବ ବ୍ରହ୍ମ ॥
କ୍ଷମା ମହିମା ପାଦେ ଧ୍ୟାୟି ।ଭଣେ ଅର୍କ୍ଷିତ ଭୀମଭୋଇ ॥
କାରଣ ଯେହୁ ଏ ସଂସାରେ ।ଥିଲେ ଯେ ବୈଷ୍ଣବ ବେଶରେ ॥
କରି ସେ ଅନୁକୂଳ ସବୁ ।ଆଗକୁ ଥୋଇଛନ୍ତି ପ୍ରଭୁ ॥
କଳିକାଳକୁ ଦେଖି କରି ।ଯାଇ ଅଛନ୍ତି ଅପସରି ॥
କଣ୍ଟ ହେଲାଣି ଆସି ଶେଷ ।ଏଥର କଳିଙ୍କି ପ୍ରବେଶ ॥
କଳି ଯୁଗରୁ ବଞ୍ଚି ଥାଅ ।ନିଜ କର୍ମରେ ଚିତ୍ତ ଥୁଅ ॥
କଳି ଭାଜିଲେ ସତ୍ୟ ହେବ ।ଧର୍ମାଦି ବସାଇବେ ଯୁଗ ॥
କାମନାମାନ ପୁର୍ଣ୍ଣ ହେବ ।ଲଭିବ ଆନନ୍ଦ ସୁଲଭ ॥
କରତା ପାଶ ଗତେ ଆସ ।ଭଣେ ଅଧମ ଭୀମ ଦାସ ॥
ଇତି ଶ୍ରୀ ଅଷ୍ଟକ ବିହାରୀ ଚଉତିଶା ଗୀତା ସୁଜନଜନହିତାଏକପାକ ବର୍ଣ୍ଣନେ ଆଗମନିଗମ କଥନେ ନାମୋ
ଷଷ୍ଠ ଅଧ୍ୟାୟଃ ॥
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ