ଅନାଥ ଶିଶୁ *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୧
- ସ୍ଥିତି
- ସାର୍ବଜନୀନ (Public domain)
ଆଉ କିପାଁ ରାବୁ, ଶିଶୁ, ବିକଳେ ଏଭଳି ?ବୃଥା ତୋର ଏତେ ଡାକ, ଏତେ ତୋର ଅଳି !ପାଷାଣ ପାଦପଗଣ କି କରିବେ ଶୁଶି ?ବୃଥା ଏତେ ଆକୁଳତା, ନ ହୁଅ ବାହୁନି ।ଏହି ଯେ ଆସିଲି ମୁହିଁ ନଉ ପୃଷ୍ଠେ ବସି,ବନ୍ଧୁଗଣ ମେଳେ ଯିବି ନାଚି ଖେଳି ହସି;ଶୁଣୁ ଶୁଣୁ କାନ୍ଦ ତୋର ନ ଶୁଭିବ ଆଉ,ରୂପଟି ତୋ ଲୁଚି ପୁଣି ଯିବ ଚାହୁଁ ଚାହୁଁ ।କିପାଇଁ ରାବୁ, ରେ ଶିଶୁ, କାହାକୁ ଅନାଇଁ ?କେହି କି ଭାଳଇ ତିଳେ ତୋ ବେଦନା ପାଇଁ ?ଏହିକ୍ଷଣି ଘୋଟିଯିବ ନିବିଡ଼ ଅନ୍ଧାର;ନ ଦିଶିବ କୂଳ, ପନ୍ତା, ପାଣି କି ପାହାଡ଼ ।ସେତେବେଳେ କି କରିବୁ ଅଭାଗା ପରାଣି,କେଉଁଠାରେ ଆଶ୍ରା ନେବୁ ନିଜ ଲୋଡ଼ା ଜାଣି ?କୁଆ ଶୁଆ ବସା ଖୋଜି ଯିବେ ତହିଁ ଉଡ଼ି,ମାଛ ବେଙ୍ଗ ଯିବେ ସୁଖେ ପାଣିତଳେ ବୁଡ଼ି;ଚିଲିକା ମଜ୍ଜିବ ନିଜ ନିଶୀଥ ଶୟନେ,ପାଷାଣ ପାଦପେ ନିଦ୍ରା ଭଜିବେ କାନନେ ।ତୁହି ଏକା କି କରିବୁ, ଅନାଥ ଶିଶୁଟି,ରାତି ସାରା ରାବି ରାବି ଯିବ କି ତୋ ବିତି ?ସେନେହେ ଯେ ପାଳିଥିଲା ଦୁଃଖିନୀ ଜନନୀ,କେତେ ପରି ଝୁରୁଥିବ ବିକଳେ ବାହୁନି;ଜାଣୁଥିବ ହରାଇଛି ପରାଣର ଧନ,କାହୁଁ ସେ ବୁଝିବ ତୋର ଏ ଦୁଃଖ କଷଣ ?ପଶୁକୁଳେ ଜନମିଛି ସରଳ ସେନେହେ,କି ଜାଣିବ କି ବିଚାର ମାନବ-ହୃଦୟେ ?ନିରଦୟ ହାତେ ଭିଡ଼ି ଯେଉଁ କ୍ରୂର ପ୍ରାଣୀଛାଡ଼ିଲା ଏ ଅପନ୍ତରା ଦ୍ୱୀପେ ତୋତେ ଆଣି,ତା ମରୁ କୋଟରେ ଶିଶୁ ଜନମି କି ନାହିଁ ?ସ୍ନେହ ପ୍ରୀତି ବିନ୍ଦୁ ହୃଦେ ନାହିଁ କି ସେ ପାଇ ?ଜଳଧି ଦେବତା ମା ଗୋ, ଜଗତତାରିଣି,ଏ ଜଳ କଲ୍ଲୋଳେ କେଳି କରୁଛ ଜନନି,କୋଳେ ତୋଳି ରଖି ଏହି ଅନାଥ ଶିଶୁଟି,ଜଳ ବେଣୁ ତାନେ ଦିନ ଯାଉ ତାର ବିତି ।
ଚିଲିକା ଭିତରେ ପାହାଡ଼ରେ ଥିବା କାଳିଜାଇ ଦେବୀଙ୍କଠାରେ ବଳି ଦେବାକୁ ଲୋକେ ଯେଉଁସବୁ ବୋଦା ନିଅନ୍ତି, ତାଙ୍କୁ ନ ହାଣି ପାହାଡ଼ରେ ଛାଡ଼ିଦେଇ ଆସନ୍ତି । କବି ଥରେ ସାଙ୍ଗସାଥୀଙ୍କ ସହିତ ସେଠାକୁ ଯାଇଥିଲେ । ଲେଉଟିଲାବେଳେ ନାଆ ଚଳିବାର ଦେଖି ଛେଳିଛୁଆଟିଏ ବହୁତ ରାବିଲା । ମାତ୍ର ନାଉରୀ ତାକୁ ନାଆରେ ଆଣିବାକୁ ନାସ୍ତି କଲା । ନାଉରୀଙ୍କର ବିଶ୍ୱାସ, କାଳିଜାଇ ପାହାଡ଼ରୁ ଜନ୍ତୁ ଆଣିଲେ ନାଆ ବୁଡ଼ିଯିବ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ