ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ · ଭାଗ ୪ / ୫ · ୨୧ଶ ଭାଗ । ୧୩୨୫ । ୧୧ଶ ସଂଖ୍ୟା (୨)
ସମ୍ପୂର୍ଣ୍ଣ ସୂଚୀପତ୍ର
ମୋ କଥାଗୁଡ଼ାକ ଥରେ ଧୀର ଚିତ୍ତ ସ୍ଥିର ବୁଦ୍ଧିରେ ଆଲୋଚନା କରିବାପାଇଁ ଦେଶବାସୀଙ୍କୁ ସବିନୟ ଓ ସନିର୍ବନ୍ଧ ଅନୁରୋଧ କରି ଆଜି ଏହିଠାରେ କ୍ଷାନ୍ତ ହେଲି ।
(୨୨ଶ ଭାଗ । ୧୩୨୫ । ୪ର୍ଥ ସଂଖ୍ୟା)
ଉତ୍କଳ ବ୍ୟାସ– ବାଲ୍ମିକୀ ଓ ଉତ୍କଳ ସରସ୍ୱତୀଙ୍କ ବରପୁତ୍ର ଫକୀର ମୋହନ ସେନାପତି ଇହସଂସାରରୁ ବିଦାୟ ଘେନି ଅମରଧାମକୁ ଚାଲିଯାଇ ଅଛନ୍ତି । ଗତ କେତେ ବର୍ଷ ମଧ୍ୟରେ ଉତ୍କଳ-ଜନନୀ ଆଧୁନିକ ଉତ୍କଳ-ସାହିତ୍ୟ କ୍ଷେତ୍ରରୁ କେତେଗୁଡ଼ିଏ ରଥୀ ଅର୍ଥାତ୍ ରାଧାନାଥ, ମଧୁସୂଦନ ଓ ଗୌରୀଶଙ୍କରଙ୍କୁ ହରାଇ ସୁଦ୍ଧା ଫକୀରମୋହନଙ୍କ ଯୋଗୁଁ ସେ ଅଭାବ ଦୃଢ଼ରୂପେ ଅନୁଭବ କରି ନ ଥିଲେ । ଆଜି ଫକୀରମୋହନଙ୍କୁ ହରାଇବା ଦ୍ୱାରା ଉତ୍କଳ-ସାହିତ୍ୟାକାଶ ଶୂନ୍ୟ ହୋଇଅଛି ବୋଲିବାକୁ ହେବ । ଚାରିଜଣଙ୍କର ନିଷ୍ଠାପର ସାହିତ୍ୟ-ସେବା ଓ ସାହିତ୍ୟ କ୍ଷେତ୍ରରେ ସାଧନା ଉତ୍କଳରେ ଦୁର୍ଲଭ । ସାହିତ୍ୟ ଓ ମାତୃଭାଷାର ସେବା କରିବାବେଳେ ଏମାନେ ସମସ୍ତ ଅଭାବ, ସମସ୍ତ ସାଂସାରିକ ଓ ଶାରୀରିକ ଦୁଃଖ ଓ ବାର୍ଦ୍ଧକ୍ୟର କଷ୍ଟ ଓ ଅସୁବିଧାକୁ ତୁଚ୍ଛ ମଣି ନିଜ ନିଜ ଜୀବନକୁ ସରସ୍ୱତୀଙ୍କ ଆରାଧନାରେ ଉତ୍ସର୍ଗ କରିଥିଲେ । ଆଧୁନିକ ଉତ୍କଳ-ସାହିତ୍ୟ-ଯୁଗରେ ଏ ଚାରିଜଣଙ୍କର ସ୍ଥାନ ସ୍ୱତନ୍ତ୍ର ଓ ଅତ୍ୟୁଚ୍ଚ; ଏହା ଉତ୍କଳ ଇତିହାସ ଲେଖକ କଳନା କରିବେ । ଉତ୍କଳ ସାହିତ୍ୟର କାବ୍ୟଯୁଗ ବା ଉପେନ୍ଦ୍ରଭଞ୍ଜ ଯୁଗର ଏବଂ ଆଧୁନିକ ଯୁଗର ସନ୍ଧିସ୍ଥଳର ଏମାନେ ଆବିର୍ଭୁତ ହୋଇ ଅଳଙ୍କାରଜଡ଼ିତ ସାହିତ୍ୟକୁ ସୁରୁଚିପୂର୍ଣ୍ଣ ଓ ସ୍ୱାଭାବିକ ପରିଚ୍ଛଦଦ୍ୱାରା ପରିପାଟୀ କରିଯାଇ ଅଛନ୍ତି । ଉତ୍କଳ-ଦୀପିକାର ପରିଚାଳନଦ୍ୱାରା ଗୌରୀଶଙ୍କର ଯେଉଁ ଏକନିଷ୍ଠତା ଦେଖାଇ ଯାଇଅଛନ୍ତି ଓ ଆଧୁନିକ ଉତ୍କଳ ଭାଷା ଗଠନ ପକ୍ଷରେ ଯେଉଁ ସାହାଯ୍ୟ କରିଅଛନ୍ତି, ତାହାର ମୂଲ୍ୟ ନିରୂପଣ କରିବା ସହଜ ନୁହେଁ ।
ଉପରୋକ୍ତ ଚାରିଜଣଙ୍କୁ ଆଧୁନିକ ସାହିତ୍ୟ ଓ ଭାଷା କ୍ଷେତ୍ରରୁ ବାଦ୍ଦେଲେ ଆଧୁନିକ ଉତ୍କଳ ସାହିତ୍ୟରେ ଗର୍ବ କରିବାର ବସ୍ତୁ ଅତି ଅଳ୍ପ ରହିଯିବ ।
ନବ୍ୟଯୁଗର ପୂର୍ବବର୍ତ୍ତୀ ଯୁଗରେ ଉତ୍କଳ ସାହିତ୍ୟର କେବଳ ମାତ୍ର ସମ୍ୱଳ ଥିଲା ପଦ୍ୟ ବା କାବ୍ୟ । ବ୍ରିଟିଶ ଜାତିର ଓଡ଼ିଶା ଅଧିକାର ସଙ୍ଗେ ସଙ୍ଗେ ଓଡ଼ିଶାବାସୀମାନେ ଯେପରି ବିଦେଶୀୟ ଭାବର ସଂସ୍ରବରେ ଆସିଲେ, ସେହିପରି ଉତ୍କଳ ଭାଷା ଓ ସାହିତ୍ୟ ମଧ୍ୟ ବିଦେଶୀୟ ଓ ବିଶେଷତଃ ବଙ୍ଗୀୟ ସାହିତ୍ୟ ଓ ଭାଷାର ସଂସ୍ରବରେ ଆସି ପୃଷ୍ଟିଲାଭ କରିବାକୁ ଲାଗିଲା । ଯେ ହେଉ ଏ ସବୁ ବିଷୟ ଆଲୋଚନା କରିବା ସାହିତ୍ୟର ଇତିହାସ ଲେଖକଙ୍କର ସୀମା । ସେ ସୀମା ମଧ୍ୟକୁ ପ୍ରବେଶ କରିବା ପାଇଁ ମୋର ବିଦ୍ୟା, ବୁଦ୍ଧି ଓ ଶକ୍ତି ନାହିଁ । ରାଧାନାଥ ଉତ୍କଳର ପ୍ରାକୃତିକ ଦୃଶ୍ୟ ଓ ଗୌରବମୟ ଅତୀତକୁ ଯେଉଁ ଭାବରେ ଚିତ୍ରିତ କରିଯାଇ ଅଛନ୍ତି, ତଦ୍ଦ୍ୱାରା ଭାବୁକ ଚକ୍ଷୁରେ ଉତ୍କଳର ପ୍ରତ୍ୟେକ ଲୋଷ୍ଟ୍ର ଖଣ୍ଡ ଓ ପ୍ରତ୍ୟେକ ଧୂଳିକଣା ସ୍ୱର୍ଣ୍ଣ ରେଣୁ ରୂପେ ଉଦ୍ଭାସିତ ହୋଇଅଛି । ଉତ୍କଳ-ପ୍ରକୃତିର ପ୍ରଚ୍ଛନ୍ନମାଧୁରୀକୁ ରାଧାନାଥ ଆଣି ଆମ୍ଭମାନଙ୍କ ଆଗରେ ରଖି ସେମାନ ଚିତ୍ରକରର ତୁଳିକାଦ୍ୱାରା ମଧୁମୟ ଓ ବିଚିତ୍ର କରି ଯାଇ ଅଛନ୍ତି । ପ୍ରତିବେଶୀ ସାହିତ୍ୟମାନଙ୍କର ଭାବ ଓ ଛଟାକୁ ସେ ଆହରଣ କରି ଆଧୁନିକ ଉତ୍କଳ ସାହିତ୍ୟକୁ ଚିରକାଳ ପାଇଁ ପରିପୁଷ୍ଟ କରିଯାଇ ଅଛନ୍ତି ।
ସାହିତ୍ୟରେ ସାହିତ୍ୟିକ ଗଦ୍ୟ ଲେଖା ମଧୁସୂଦନଙ୍କଠାରୁ ଆରମ୍ଭ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରବନ୍ଧମାଳାର ଶବ୍ଦ ବିନ୍ୟାସ, ବାକ୍ୟରଚନା, ପଦଯୋଜନାମାନ ପ୍ରତ୍ୟେକ ପାଠକର ହୃଦୟକନ୍ଦରକୁ ଝଙ୍କାରିତ କରିଦିଏ । ଉତ୍କଳ ଭାଷାର ଏହି ଓଜସ୍ମିତା ପୂର୍ବେ କେହି ଉପଲବ୍ଧି କରି ନ ଥିଲା । ମଧୁସୂଦନ ଭାଷାର ଏହି ଅଚିନ୍ତନୀୟ କ୍ଷମତା-ଉତ୍ସକୁ ପ୍ରବନ୍ଧମାଳା ଦ୍ୱାରା ଉଦ୍ଘାଟିତ କରିଥିଲେ । ଛାନ୍ଦମାଳାରେ ଉତ୍କଳର ଷଡ଼୍ଋତୁ ଚିତ୍ର ଓ ପଲ୍ଲୀ ଶୋଭା ପ୍ରତି ପ୍ରଥମେ ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷିତ ହୋଇଥିଲା । ଲୋକେ ସଭ୍ୟ, ଶିକ୍ଷିତ ଓ ମାର୍ଜିତ ହେବା ମାତ୍ରକେ ରାଜଧାନୀ ଓ ସହର ପ୍ରତି ସେମାନଙ୍କର ମମତା ବଢ଼ୁଥିଲା । କିନ୍ତୁ ‘‘ଛାଡ଼ି ବନ୍ଧୁ ନଗର ଚହଳ, ଯିବା ଚାଲ ଯେଉଁ ସ୍ଥାନେ ଗୋପାଳ କୃଷକମାନେ ଆନନ୍ଦେ କାଟନ୍ତି ଦିନ’’ ଏ କଥା ମଧୁସୂଦନ ଆମ୍ଭମାନଙ୍କୁ ଶିଖାଇଲେ । ଫଳତଃ କବିତା ମଧୁସୂଦନଙ୍କର କ୍ଷେତ୍ର ଥିଲା– ପ୍ରଥମେ ପ୍ରଥମେ ପ୍ରତ୍ୟେକ କବିତାର ଶେଷରେ ପାଠକର ମନକୁ ଲୀଳାମୟ ବିଭୁଙ୍କ ଆଡ଼କୁ କବି ଆକର୍ଷଣ କରୁ କରୁ ଶେଷରେ କବି ନିଜେ ବିଭୁପ୍ରେମରେ ଏପରି ମତ୍ତ ହୋଇ ଯାଇଥିଲେ, ଯେ ତାଙ୍କର ପ୍ରତ୍ୟେକ କବିତାରୁ ଭକ୍ତି-ପ୍ରସବଣ ବହି ପାଠକ ମନକୁ ପ୍ରେମରେ ବିଭୋର କରି ପକାଉଥିଲା । ମଧୁସୂଦନ ଜାତୀୟ ଭାବୋଦ୍ଦୀପକ ପଦ୍ୟ ଓ ସ୍ୱଦେଶ-ପ୍ରେମୋଦ୍ଦୀପକ କବିତା ଦ୍ୱାରା ମଧ୍ୟ ଉତ୍କଳ-ସାହିତ୍ୟ-କୁଞ୍ଜକୁ ଝଙ୍କାରିତ କରି ଯାଇଅଛନ୍ତି । ମଧୁସୂଦନଙ୍କ ଲେଖାରେ ଭାଷାର ମାଧୁରୀ ଭାବର ପବିତ୍ରତା ଓ ହୃଦୟର ସରଳ ବିଶ୍ୱାସ ପ୍ରତି ପୃଷ୍ଠାରେ ଉଛୁଳି ପଡ଼ିଅଛି ଓ ଉତ୍କଳ ତାକୁ ଭକ୍ତ-କବି ଆଖ୍ୟାଦ୍ୱାରା ସମ୍ମାନିତ କରିଅଛି ।
ଗୌରୀଶଙ୍କର ସମ୍ୱାଦପତ୍ରର ସମ୍ପାଦକ ରୂପ ଅବତୀର୍ଣ୍ଣ ହେବା ପୂର୍ବେ ଉତ୍କଳରେ ଗୋଟିଏ ସାଧାରଣ ସଭା ନ ଥିଲା । ପୂର୍ବେ ଲିଖିତ ଉପାୟରେ ଉତ୍କଳୀୟମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେଉ ନ ଥିବାରୁ ଉତ୍କଳ ଭାଷା ପ୍ରାଦେଶିକତାରେ ପୂର୍ଣ୍ଣ ଥିଲା; ଏମନ୍ତ କି ଉତ୍କଳଭାଷୀ ଗୋଟିଏ ଅଞ୍ଚଳରେ ବ୍ୟବହୃତ ହେଉଥିବା ଭାଷାକୁ ଅନ୍ୟ ଅଞ୍ଚଳରେ ଲୋକେ ବୁଝିପାରୁ ନ ଥିଲେ । ଭାଷାରୁ ଏହିସବୁ ପ୍ରାଦେଶିକତା ଦୂର କରି ସମଗ୍ର ଉତ୍କଳରେ ଗୋଟିଏ ସାଧାରଣ ଭାଷା ପ୍ରବର୍ତ୍ତାଇବା ବିଷୟରେ ଉତ୍କଳ-ଦୀପିକା ଯେଉଁ କାର୍ଯ୍ୟ କରିଅଛି, ତହିଁର ମୂଲ୍ୟ ନିରୂପଣ କରିବା ସହଜ ନୁହେଁ ।
ଉପରେ ଯେଉଁ ତିନିଜଣ ମହାତ୍ମାଙ୍କର ନାମ ଉଲ୍ଲେଖ କରିଅଛି, ସେମାନେ ଉତ୍କଳ-ସାହିତ୍ୟର ଗୋଟିଏ ଗୋଟିଏ ବିଭାଗକୁ ଅବଲମ୍ବନ କରି ଉତ୍କଳ ସାହିତ୍ୟକୁ ମାର୍ଜିତ, ଉନ୍ନତ ଓ ପରିପୂତ କରିଯାଇଅଛନ୍ତି । କିନ୍ତୁ ଫକୀରମୋହନଙ୍କଠାରେ ଏ ତିନିଜଣଙ୍କର କାର୍ଯ୍ୟର ସମନ୍ୱୟ ଦେଖାଯାଉଥିଲା । କି ଗଦ୍ୟ, କି ପଦ୍ୟ, କି ପାଠ୍ୟପୁସ୍ତକ, କି ଧର୍ମଶାସ୍ତ୍ର କି ଉପନିଷଦ, କି ଦର୍ଶନ, କି ଉପନ୍ୟାସ, କି ବ୍ୟଙ୍ଗୋକ୍ତି, ସବୁଥିରେ ସେ ସିଦ୍ଧହସ୍ତ ଥିଲେ । ବାଲ୍ୟକାଳରୁ ନାନା ବୈଷୟିକ ଅବସ୍ଥାରେ ସେ ସୁଖରେ ଦୁଃଖରେ ପଡ଼ି ସଂସାର ସଙ୍ଗେ ତାଙ୍କର ଏତେଦୂର ପରିଚୟ ହୋଇଥିଲା ଓ ମନୁଷ୍ୟପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବାରେ ସେ ଏପରି ପଟୁଥିଲେ ଯେ, ସେ ଯେତେବେଳେ ଯେଉଁ ରସ ଗଢ଼ିବାକୁ ଚେଷ୍ଟା କରିଅଛନ୍ତି, ଓ ଯେତେବେଳେ ପାଠକ ମନରେ ଯେଉଁ ରସ ଢାଳିବା ନିମନ୍ତେ ଚେଷ୍ଟା କରିଅଛନ୍ତି, ତାହା ସେ ଅକ୍ଳେଶରେ କରିପାରିଅଛନ୍ତି । ଓଡ଼ିଶାର କନ୍ଦି ବିକନ୍ଦି ଓ ଓଡ଼ିଆଙ୍କର ହାଲଚାଲ କିଛି ତାଙ୍କୁ ଅଜଣା ନଥିଲା– ଚରିତ୍ର ଚିତ୍ରଣ ବିଷୟରେ ସେ ସିଦ୍ଧହସ୍ତ ଥିଲେ-। ଏମନ୍ତ କି, ତାଙ୍କର କଳ୍ପିତ ଚିତ୍ର ଓ ମନୁଷ୍ୟମାନଙ୍କର ବିଷୟ ପାଠ କଲାବେଳେ ପାଠକ ବାସ୍ତବ ରାଜ୍ୟରେ, କି କଳ୍ପନା ରାଜ୍ୟରେ ଅଛି, ଏହା ବେଳେ ବେଳେ ଠଉରାଇ ହୁଏ ନାହିଁ । ଏହାଙ୍କ ପୂର୍ବରେ ଓଡ଼ିଶାରେ ଦୁଇଟା ଭାଷା ପ୍ରଚଳିତ ଥିଲା । ୧– ପୁସ୍ତକଗତ ଭାଷା, ୨– କଥିତ ଭାଷା-। ପୁସ୍ତକଗତ ଭାଷାରେ ପାଣ୍ଡିତ୍ୟ, ଅଳଙ୍କାର, ଶବ୍ଦାଡ଼ମ୍ବର ଓ ସଂସ୍କୃତମୂଳକ ଶବ୍ଦମାନ ପୂର୍ଣ୍ଣ ଥିଲା ଓ କଥିତ ଭାଷାକୁ ସାହିତ୍ୟିକମାନେ ଅତି ହେୟ ବୋଲି ମନେ କରୁଥିଲେ । ମୁଁ ଯେତେବେଳେ ଶୈଶବାବସ୍ଥାରେ ଆଖ୍ୟାନମଞ୍ଜରୀ ଓ ଛାନ୍ଦମାଳା ଆଦି ସ୍କୁଲରେ ପଢ଼ୁଥିଲି, ଗୋଟିଏ ଗୋଟିଏ ସ୍ଥାନ ଓ ବିଷୟ ମତେ ଏତେ ଭଲ ଲାଗୁଥିଲା ଯେ, ମୁଁ ସ୍କୁଲରୁ ଛୁଟି ପାଇଲେ ଘରକୁ ଯାଇ ସେହି କଥାମାନ ବୋଉ (ମାତା), ନାନୀ (ଜ୍ୟେଷ୍ଠା ଭଗିନୀ) ଆଦିଙ୍କୁ କହିବି ବୋଲି ଉଚ୍ଛନ୍ନ ହେଉଥିଲି-। କିନ୍ତୁ ଘରକୁ ଯାଇ ସେମାନଙ୍କ ଆଗରେ ସେ କଥାମାନ କହିବାକୁ ବସି ଦେଖେଁ ଯେ, ପୁସ୍ତକସ୍ଥ ସମସ୍ତ ଭାବ ମୁହଁରେ ବ୍ୟକ୍ତ କରି ପାରିବାର କ୍ଷମତା ମୋର ସେତେବେଳେ ହୋଇ ନଥିଲା-। ଅତଏବ ଅଗତ୍ୟା ପାଠ୍ୟପୁସ୍ତକ ଖଣ୍ଡିମାନ ଆଣି ସ୍ତ୍ରୀଲୋକମାନଙ୍କ ଆଗରେ ଧରି ପଢ଼ି ବସୁଥିଲି-। କିନ୍ତୁ ସେ ଭାଷା ଘରୋଇ ଭାଷା ନ ଥିବାରୁ ମୁଁ ପାଠ୍ୟପୁସ୍ତକର ଗଦ୍ୟ ବା ପଦ୍ୟାଂଶମାନ ଆବୃତ୍ତି କଲାବେଳେ ଶ୍ରୋତ୍ରୀମଣ୍ଡଳୀ ସେ ଭାଷା ବୁଝି ନ ପାରି ମୋ ମୁହଁକୁ ବଲ ବଲ କରି ଚାହିଁଥାନ୍ତି-। ମୋ ପିଲାଦିନେ (ଆଜକୁ ୩୫ ବରଷ ତଳେ) ଓଡ଼ିଆ ଭାଷାର ଏ ଅବସ୍ଥା ଥିଲା । ଭାଷାଟା ଯେତିକି ସାଳଙ୍କାର, ସାଡ଼ମ୍ୱର, ସସଂସ୍କୃତ ହେଉଥିଲା, ତାହା ସେତିକି ସାହିତ୍ୟିକ ଭାଷା ବୋଲି ଆଦୃତ ହେଉଥିଲା । ମୁଖ-ପ୍ରଚଳିତ ଭାଷାକୁ ସାହିତ୍ୟ-କ୍ଷେତ୍ରରେ ପ୍ରବେଶାଧିକାର ନିଷେଧ ଥିଲା-। ଅନ୍ୟାନ୍ୟ ଉନ୍ନତ ସାହିତ୍ୟମାନଙ୍କରେ ଦେଖାଯାଇଅଛି ଯେ, ଯେଉଁ ସାହିତ୍ୟରେ କଥିତ ଭାଷା ଓ ଲିଖିତ ଭାଷା ମଧ୍ୟରେ ପାର୍ଥକ୍ୟ ଅଳ୍ପ, ସେ ଭାଷା ସେତିକି ଉନ୍ନତ । ଇଂରାଜୀରେ ମଧ୍ୟ ଉପଦେଶ ଅଛି– ‘‘Write as you speak’’ । କିନ୍ତୁ ଆମ ଦେଶରେ ୪୦ ବରଷ ପୂର୍ବେ ଥିଲା ‘‘ Write as you do not speak’’ । ବର୍ତ୍ତମାନ ପ୍ରସଙ୍ଗରେ ଏ ସବୁ କଥା ଆଲୋଚନା କରିବାର ଅବସର ନୁହେଁ । ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ, କି ଗଦ୍ୟରେ, କି ପଦ୍ୟରେ, କଥିତ ଭାଷା ଓ ଲିଖିତ ଭାଷାକୁ ପରସ୍ପରର ନିକଟକୁ ଆଣି ଗୋଟାଏ ସର୍ବଜନବୋଧ ଭାଷା ସୃଷ୍ଟି କରିବାରେ ଫକୀରମୋହନଙ୍କର ଦୃଢ଼ ଚେଷ୍ଟା ଫଳବତୀ ହୋଇଥିଲା । ସେ ଉତ୍କଳ ସାହିତ୍ୟକୁ ଆପାମର ସାଧାରଣଙ୍କ ସମ୍ପତ୍ତି କରି ଯାଇଛନ୍ତି– ମୋର ଯେତେଦୂର ମନେ ହେଉଅଛି, ଫକୀରମୋହନଙ୍କ ‘‘ଉପହାର’’ ଓ ‘‘ପୁଷ୍ପମାଳା’’ ପଢ଼ିବା ପୂର୍ବରୁ ଆଦ୍ୟପ୍ରାନ୍ତ ଏପରି ସରଳ ଓ ପ୍ରାକୃତିକ ଭାଷା ଆଧୁନିକ ସାହିତ୍ୟରେ ମୁଁ ପଢ଼ି ନ ଥିଲି । ହୃଦୟର ଆବେଗ ଓ ପ୍ରାକୃତିକ ଚିତ୍ରକୁ ସର୍ବଜନବୋଧ ଘରୋଇ ଭାଷାରେ ପଦ୍ୟାକାରରେ ଉପସ୍ଥାପିତ କରିବାର ମାର୍ଗ ଫକୀରମୋହନ ପ୍ରଥମେ ଆଧୁନିକ ଉତ୍କଳ ସାହିତ୍ୟକୁ ଦେଖାଇଥିବାର ମୋର ଧାରଣା । ତହିଁପରେ ଉତ୍କଳ ସାହିତ୍ୟରେ ‘‘ପଲ୍ଲୀଚିତ୍ର’’ ଆଦି ସରଳ ପଦ୍ୟମାନ ମୋ ଦୃଷ୍ଟିଗୋଚର ହୋଇଥିଲା-। ମୁଁ ମଧ୍ୟ କେତେକ ସରଳ ପଦ୍ୟ ଲେଖିବାକୁ ଚେଷ୍ଟା କରିଥିଲି, କିନ୍ତୁ କୃତକାର୍ଯ୍ୟ ହୋଇପାରିଲି ନାହିଁ-। ଫକୀରମୋହନ ଉତ୍କଳରେ ଗଦ୍ୟକୁ ଯେଉଁ ଭାଷା ଦେଇ ଯାଇଅଛନ୍ତି, ସେ ଭାଷା ତତ୍ପୂର୍ବେ ସାହିତ୍ୟକ୍ଷେତ୍ରରେ ପ୍ରଚଳିତ ନ ଥିଲା ବୋଲି କହିଲେ ଚଳେ । କି ଭାଷାର ଗ୍ରାମ ମାଧୁରୀ, କି ସାମାଜିକ ଚିତ୍ର ଚିତ୍ରଣ, କି ମାନବ ପ୍ରକୃତି ବର୍ଣ୍ଣନ, କି ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନ, ସବୁଥିରେ ‘‘ଛମାଣ ଆଠ ଗୁଣ୍ଠ’’ ଉତ୍କଳ ସାହିତ୍ୟରେ ଗଦ୍ୟ ବିଭାଗରେ ଗୋଟିଏ ନବଯୁଗର ସୂଚନା କରିଥିଲା । ଖାଣ୍ଟି ଓଡ଼ିଆ ଭାଷା ଫକୀରମୋହନଙ୍କ ଲେଖାର ପ୍ରତି ଛତ୍ରରେ ପୂର୍ଣ୍ଣ । ସେ ନିଜେ ଅନେକ ଥର କଥା ପ୍ରସଙ୍ଗରେ ପ୍ରକାଶ କରିଥିଲେ ଯେ, ତାଙ୍କର ବାଲ୍ୟକାଳରେ ଓଡ଼ିଆ ପୁସ୍ତକର ସଂଖ୍ୟା ଆଙ୍ଗୁଠି ଆଗରେ ଗଣତି ହେଉଥିଲା; କିନ୍ତୁ ତାଙ୍କରି ଜୀବଦ୍ଦଶାରେ ସେ ଉତ୍କଳ ସାହିତ୍ୟ ଓ ଭାଷାର ବିଶେଷ ପୁଷ୍ଟି ଓ ଉନ୍ନତି ଦେଖି କୃତାର୍ଥ ହୋଇଥିଲେ । ଗଦ୍ୟରେ ମୁଁ ମୋ କ୍ଷୁଦ୍ର ଶକ୍ତି ଅନୁସାରେ ତାଙ୍କର ଖାଣ୍ଟି ସରଳ ଘରୋଇ ଓଡ଼ିଆ ଭାଷାକୁ ଅନୁକରଣ କରିଥିଲି ଓ ସେ ଚେଷ୍ଟାରେ ମୁଁ କେତେଦୂର କୃତକାର୍ଯ୍ୟ ହୋଇଅଛି, ତାହାର ମୀମାଂସା ଉତ୍କଳୀୟ ପାଠକ ସାଧାରଣଙ୍କଠାରେ । ଫକୀର ମୋହନ କେତେଥର ମୋର ଖାଣ୍ଟି ଓଡ଼ିଆ ଭାଷା ଯୋଗୁଁ ମତେ ଧନ୍ୟବାଦ ଦେବାକୁ ଆସି ‘ମୋର ଆଦର୍ଶ କିଏ’ ଏ ପ୍ରଶ୍ନର ଉତ୍ତରରେ ‘‘ମୋ ଲେଖା ଆପଣଙ୍କ ଲିଖନଭଙ୍ଗୀ ଓ ଭାଷା ଛଟାର ବିକୃତ ଅନୁକରଣ ମାତ୍ର’’ ଶୁଣି ପ୍ରେମରେ ଗଦ୍ଗଦ ହୋଇଥିବାର ମୁଁ ନିଜେ ଅନୁଭବ କରିଅଛି । ମୋର କୌଣସି ପ୍ରବନ୍ଧ ବା ପୁସ୍ତକ ପ୍ରକାଶିତ ହେବା ମାତ୍ରକେ ଯେଉଁ ବ୍ୟକ୍ତିମାନେ ମତେ ଉତ୍ସାହିତ କରିଥିଲେ, ସେମାନଙ୍କ ମଧ୍ୟରେ ଫକୀରମୋହନଙ୍କ ନାମ ଅଗ୍ରେ ଉଲ୍ଲେଖଯୋଗ୍ୟ । ଉତ୍କଳ ସାହିତ୍ୟର ସମସ୍ତ କ୍ଷେତ୍ର ତାଙ୍କର ପ୍ରତିଭା ଦ୍ୱାରା ଅଳଂକୃତ ହୋଇଥିଲା ଓ ଆଧୁନିକ ଉତ୍କଳ ସାହିତ୍ୟରେ ତାଙ୍କର ପ୍ରଭା ପ୍ରତିଫଳିତ ହୋଇଅଛି । ବୃଦ୍ଧ ବୟସରେ ଖିଳ ହରିବଂଶ, ଉପନିଷଦ ଆଦି ବିରାଟ ଗ୍ରନ୍ଥମାନ ଅନୁବାଦ କରିବାରେ ଏବଂ ନବ ନବ ଗଳ୍ପ ଉପନ୍ୟାସ ସୃଷ୍ଟି କରିବାରେ ସେ ଯେଉଁ ଅଧ୍ୟବସାୟ ଓ ସାହିତ୍ୟ-ସେବାର ଦୃଷ୍ଟାନ୍ତ ଦେଖାଇ ଅଛନ୍ତି, ତାହା ଆମ ଦେଶରେ ବିରଳ-। ସାମାଜିକ ଚିତ୍ର ଚିତ୍ରଣରେ ସେ ଯେଉଁ କୃତିତ୍ୱ ଦେଖାଇଅଛନ୍ତି, ତାହା ଓଡ଼ିଆ ସାହିତ୍ୟର ଅନ୍ୟତ୍ର ଦୁର୍ଲଭ ବୋଲି ମୋର ଧାରଣା । ଗାଁର ପୋଖରୀ ତୁଠଠାରୁ ଜମିଦାରଙ୍କ ଅନ୍ତଃପୁର ପର୍ଯ୍ୟନ୍ତ, ଅଦାଲତ ମିସଲଠାରୁ ତନ୍ତୀର ଦାଣ୍ଡଘର ପର୍ଯ୍ୟନ୍ତ, ସେ ଯେଉଁଠାକୁ ଯାଇଅଛନ୍ତି, ସେ ସ୍ଥାନର ଅବିକଳ ଫଟୋଗ୍ରାଫ ଆଣି ପାଠକଙ୍କ ଆଗରେ ଥୋଇଦେଇ ଅଛନ୍ତି । ଇଂରାଜୀରେ କଥା ଅଛି, ‘‘That is art which conceals art’’ ଯେଉଁ କୃତିତ୍ୱ ଏପରି ପ୍ରାକୃତିକ ଯେ ସେଥିରେ କୃତିତ୍ୱ ଅଛି ବୋଲି ସାଧାରଣ ଜାଣି ପାରନ୍ତି ନାହିଁ, ତାହାହିଁ କୃତିତ୍ୱ । ଫକୀର ମୋହନଙ୍କର କୃତିତ୍ୱ ଏହି ଶ୍ରେଣୀର । ଆନନ୍ଦର ବିଷୟ ଯେ, ସେ ନିଜେ ଆତ୍ମ ‘ଜୀବନୀ’ ଲିପିବଦ୍ଧ କରିଯାଇ ଅଛନ୍ତି ଓ ଆଶା କରାଯାଏ ଯେ ତାଙ୍କର ସୁପୁତ୍ର ମୋହିନୀ ମୋହନ ପିତୃଦେବଙ୍କର ଅପ୍ରକାଶିତ, ଅମୁଦ୍ରିତ ଗ୍ରନ୍ଥ ଓ ଲେଖା-ଗୁଡ଼ିକରୁ ଉତ୍କଳକୁ ବଞ୍ଚିତ କରିପାରିବେ ନାହିଁ ।
ଫକୀର ମୋହନଙ୍କ ସଙ୍ଗେ ମୋର ପ୍ରଥମ ବ୍ୟକ୍ତିଗତ ଆଳାପ ୧୯୦୩ ଏପ୍ରେଲ ମାସରେ ଗଞ୍ଜାମ ବ୍ରହ୍ମପୁରଠାରେ ଉତ୍କଳ ସାମାଜିକ କନଫରେନ୍ସ ସମୟରେ ଘଟିଥିଲା । ସେହି ସମୟରେ ରାଜନୈତିକ ଉତ୍କଳରୁ ଯେଉଁ କେତେକ ବ୍ୟକ୍ତି ନିମନ୍ତ୍ରିତ ହୋଇ ବ୍ରହ୍ମପୁରକୁ ଯାଇଥିଲେ, ତାଙ୍କ ସଙ୍ଗେ ମୁଁ ମଧ୍ୟ ଯାଇଥିଲି । ଏକସ୍ଥାନରେ ବସା କରି ଫକୀର ମୋହନଙ୍କ ସାହଚର୍ଯ୍ୟରେ ଯେଉଁ ସୁଖ ଲାଭ କରିଥିଲି, ତାହା ପାଶୋରି ହେବ ନାହିଁ । ଗତ (୧୯୧୮) ଏପ୍ରେଲ ମାସରେ ସୋନପୁର-ବୃହତ୍ ଖେମୁଣ୍ଡି ବିବାହ ଉତ୍ସବରେ ଯୋଗ ଦେବା ନିମନ୍ତେ ଆମ୍ଭେମାନେ ବ୍ରହ୍ମପୁରକୁ ଯାଇଥିବା ସମୟରେ ବ୍ରହ୍ମପୁରଠାରେ ଫକୀର ମୋହନଙ୍କ ସାଙ୍ଗେ ମୋର ଶେଷ ସାକ୍ଷାତ୍ ହୋଇଥିଲା– ଏହି ପନ୍ଦର ବର୍ଷ ମଧ୍ୟରେ ଅନେକ ଥର ତାଙ୍କର ସାହଚର୍ଯ୍ୟ ଲାଭ କରି ତାଙ୍କର ନିଷ୍କପଟ ସ୍ନେହ, ଯୁବକ ଲେଖକମାନଙ୍କ ପ୍ରତି ବାତ୍ସଲ୍ୟ, ଅମାୟିକ ବ୍ୟବହାର, ସରଳ ବିଶ୍ୱାସରେ ମୁଁ ମୁଗ୍ଧ ହୋଇଥିଲି । ମୋ ଲେଖା ଓ ପ୍ରବନ୍ଧ ପାଠ କରି ସେ ଅଯାଚିତ ଭାବରେ ମୋଠାକୁ ଯେଉଁ କେତେକ ଖଣ୍ଡ ପତ୍ର ସମୟ ସମୟରେ ଲେଖିଥିଲେ, ତାହା ମୁଁ ମୋର ଅକିଞ୍ଚନ ସାହିତ୍ୟ ସେବାର ପୁରସ୍କାର ସ୍ୱରୂପ ବହୁ ଯତ୍ନରେ ସମ୍ପାଦି ରଖିଅଛି । ତାଙ୍କର ଜୀବନର ଗୋଟିଏ ସାମାନ୍ୟ ଘଟଣାରୁ ତାଙ୍କର ବାଳ-ସୁଲଭ ସରଳ ବିଶ୍ୱାସର ମାତ୍ରା ଅନୁମିତ ହେବ ।
୧୯୧୫ ସାଲରେ ବାମଣ୍ଡା ରାଜକୁମାରୀଙ୍କ ମଙ୍ଗଳକୃତ୍ୟ ଉପଲକ୍ଷରେ ଆମ୍ଭେମାନେ ନିମନ୍ତ୍ରିତ ହୋଇ ବାମଣ୍ଡା ଗଡ଼କୁ ଯାଇଥିଲୁଁ– ବାମଣ୍ଡାର ସ୍ୱର୍ଗୀୟ ରାଜାଙ୍କ ସଭାରେ ସେ ‘‘ସରସ୍ୱତୀ’’ ଉପାଧି ପ୍ରାପ୍ତ ହୋଇଥିଲେ । ବାମଣ୍ଡା ଷ୍ଟେସନଠାରୁ ରେଳରୁ ଓହ୍ଲାଇ ସେ ଶ୍ରୀଯୁକ୍ତ ବିଶ୍ୱନାଥ କର ଓ ମୁଁ ଏକତ୍ର ଖଣ୍ଡେ ମଟର ଗାଡ଼ିରେ ବାମଣ୍ଡାକୁ ଯାଉଁଥିଲୁଁ । ବାଟରେ ଅନେକ ନଦୀ, ପର୍ବତ, ଅରଣ୍ୟ ଓ ଗ୍ରାମ ଆମ୍ଭେମାନେ ଅତିକ୍ରମ କରି ଯିବା ସମୟରେ ଫକୀର ମୋହନ ଆମ ଦୁହିଁଙ୍କୁ ପ୍ରତ୍ୟେକ ବସ୍ତୁର ପରିଚୟ ପଚାରୁଥିଲେ ।
ପ୍ରଥମେ ମୁଁ କହିଥିଲି ଯେ, ଏ ସବୁର ନାମ ମୁଁ କହି ପାରିବି ନାହିଁ । କିଛିକ୍ଷଣ ଗଲାରୁ ସେ ଏଥିରୁ ନିରସ୍ତ ନ ହୋଇ ପିଲାଙ୍କ ପରି ପୁନର୍ବାର ପଚାରନ୍ତି ‘‘ଏ ନଦୀଟିର ନାମ କଣ ? ଏ ପର୍ବତଟିର ନାମ କଣ ? ଏ ଗ୍ରାମଟିର ନାମ କଣ ? ଏ ଗ୍ରାମଟିର ନାମ କଣ ?’’ ମୁଁ ସଙ୍ଗେ ସଙ୍ଗେ ଗୋଟାଏ କିଛି ଉତ୍ତର ଦେଉଥାଏଁ । ଯଥା– ଏ ନଦୀର ନାମ ଖଣ୍ଡାଝରୀ, ଏ ପର୍ବତର ନାମ ସପ୍ତଶୃଙ୍ଗୀ, ଏ ଗ୍ରାମଟିର ନାମ ମହୁରି ଖଣ୍ଡି ଇତ୍ୟାଦି, ଇତ୍ୟାଦି– ବିଶ୍ୱନାଥ ବାବୁ ଏହା ଶୁଣି ମୋର ବାଚାଳତା ଓ ଚଗଲା ପଣ ଦେଖି ମୁରୁକେଇ ମୁରୁକେଇ ହସୁଥାନ୍ତି, କିନ୍ତୁ ଫକୀର ମୋହନ ମୋ ଉତ୍ତରକୁ ସରଳ ଭାବରେ ବିଶ୍ୱାସ କରି ତତ୍ତତ୍ ନଦୀ, ପର୍ବତାଦିର ନାମ ନିଜର ନୋଟ୍ ବହିରେ ଲେଖି ନେବାକୁ ପ୍ରସ୍ତୁତ । ଏହା ଦେଖି ମୁଁ ଓ ବିଶ୍ୱନାଥ ବାବୁ ହସି ହସି ତାଙ୍କୁ କହିଲୁ ଯେ, ଏ ସବୁ ନାମ କେବଳ ମୋର କଳ୍ପନାପ୍ରସାତ । ବୃଦ୍ଧ କବିଙ୍କୁ ଏ କଥା ୨।୩ ଥର ଦୃଢ଼ଭାବରେ କହିବା ପରେ ସେ ଉକ୍ତ ନାମମାନ ନୋଟ ବହିରେ ଲେଖି ନେବାର ଚେଷ୍ଟାରୁ ବିରତ ହେଲେ ଓ ମୋର ଏ ବଗୁଲିଆପଣିଆ ଦେଖି ଇଚ୍ଚହାସ୍ୟ କଲେ ।
ଫକୀର ମୋହନଙ୍କ ଜୀବନରେ ଆଉ ଗୋଟିଏ ଘଟନା ଘଟିଥିବା ବିଷୟ ଏଠାରେ ଉଲ୍ଲେଖଯୋଗ୍ୟ । ପ୍ରଥମେ ଯେତେବେଳେ ଉତ୍କଳ-ସମ୍ମିଳନୀ ପ୍ରତିଷ୍ଠିତ ହେଲା, ସେହିଦିନଠାରୁ ଉକ୍ତ ସଭାରେ ସଭାପତି ପଦ କେବଳ ରାଜା ମହାରାଜା ଆଦିଙ୍କ ଦ୍ୱାରା ଅଳଂକୃତ ହୋଇ ଆସୁଥିଲା । କଥା ପ୍ରସଙ୍ଗରେ କେହି କେହି ସମ୍ମିଳନୀର ଭାଗ୍ୟବିଧାତାଙ୍କ ମୁହଁରୁ ଶୁଣାଯାଇଥିଲା ଯେ, ସାହିତ୍ୟ ସେବକ, କବିତା ଲେଖକ ଓ ଖବର କାଗଜବାଲାଲୁଚାକ ନିକମା । ସେମାନଙ୍କ ହାତରେ ଶାଗ ସିଝେ ନାହିଁ । ଏଥିପାଇଁ ଉତ୍କଳରୁ ବଛା ବଛି ହୋଇ ଚୋଖା କାମିକା ବ୍ୟକ୍ତିମାନଙ୍କୁ ଆଜି ପର୍ଯ୍ୟନ୍ତ ଜାତୀୟ ସମ୍ମିଳନୀରେ ସଭାପତି କରାଯାଉଥିଲା । ଏବର୍ଷ ମଧ୍ୟ ପାରଳାର ଗଜପତିଙ୍କୁ ଉଚ୍ଚ ଆସନ ଅଳଂକୃତ କରିବାକୁ ନିମନ୍ତ୍ରଣ ହୋଇଥିଲା । କିନ୍ତୁ ଭଗବାନଙ୍କ ବରାଦରୁ ରାଜା ମହୋଦୟ ସଭାପତିତ୍ୱ ଗ୍ରହଣ କରିବାକୁ ଅକ୍ଷମ ହେବାରୁ ଶେଷରେ ସେହି ନିକମା ଶ୍ରେଣୀର କବିତା ବାଲା ବ୍ୟାସ-କବି ଫକୀର ମୋହନଙ୍କ ଉପରେ ସମ୍ମିଳନୀର ଉଦ୍ଯୋକ୍ତାମାନଙ୍କର ନଜର ପଡ଼ିଲା ଓ ଫକୀର ମୋହନ ବୃଦ୍ଧ ବୟସରେ ଉତ୍କଳର ଜାତୀୟ ମଣ୍ଡପରେ ନେତୃତ୍ୱ ପଦ ଦ୍ୱାରା ଗୌରବାନ୍ୱିତ ହୋଇଥିଲେ । ତାଙ୍କର ମୃତ୍ୟୁର ଅଳ୍ପଦିନ ପୁର୍ବେ ସେ ଏ ଯେଉଁ ସମ୍ମାନ ପାଇଥିଲେ, ତଦ୍ଦ୍ୱାରା ସମଗ୍ର ଉତ୍କଳୀୟ ଜାତି ଗୌରବାନ୍ୱିତ ହୋଇଅଛି ଓ ‘ପୂଜ୍ୟ ପୂଜା’ ‘ବ୍ୟତିକ୍ରମ’ କଳଙ୍କରୁ ଖଲାସ ପାଇଅଛି ।
ଫକୀର ମୋହନଙ୍କର ଆଦ୍ୟ ଜୀବନ କର୍ମମୟ ଥିଲା ଓ ପ୍ରବୀଣତା ଲାଭ କରିବା ପରେ ସେ ଜାତୀୟ ସାହିତ୍ୟକୁ ନିଜର ଅଭିଜ୍ଞତା ଓ ଅନୁଭୂତିଦ୍ୱାରା ଐଶ୍ୱର୍ଯ୍ୟଶାଳୀ କରିଯାଇ ଅଛନ୍ତି-। ତାଙ୍କର ଈଶ୍ୱର ନିଷ୍ଠା ମଧ୍ୟ ତାଙ୍କର ଲେଖାବଳିରେ ସୁସ୍ପଷ୍ଟ ପ୍ରତିଭାତ ହେଉଥିଲା । ତାଙ୍କୁ ହରାଇବା ଦ୍ୱାରା ଉତ୍କଳ ସାହିତ୍ୟ ଦରିଦ୍ର ହୋଇଅଛି ।
ମୁଁ ଏହିକଥା ଭାବୁଅଛି ଯେ, ଉତ୍କଳାକାଶରୁ ଗୋଟି ଗୋଟି ହୋଇ ଯେଉଁ ଜ୍ୟୋତିମାନେ ଖସି ପଡ଼ୁଅଛନ୍ତି, ତାଙ୍କ ସ୍ଥାନମାନ ପୂର୍ଣ୍ଣ ହେବା କଣ ଭଗବାନଙ୍କର ଅଭିପ୍ରାୟ ନୁହେଁ-।
(୨୨ଶ ଭାଗ । ୧୩୨୬ । ୮ମ ସଂଖ୍ୟା)
ଗତଥର ସାହିତ୍ୟର ବିଧାତାପୁରୁଷ ତାଙ୍କର ମତି ପରିବର୍ତ୍ତନ କରି ଗୋଟିଏ ସଂଖ୍ୟାରେ ‘ଦୁର୍ଗାପୂଜା’ ଭେଟି କାମ ସାଙ୍ଗ କରି ଦେବାରୁ ଆମକୁ ଯୋଗୀ ବେହେରାଙ୍କ କାରସାଦି କରିବାକୁ ପଡ଼ିଲା ନାହିଁ । ହେଲେ କଣ ହେବ, ଚଳିତ ମାସ ସଂଖ୍ୟା ପାଇଁ ଲାଗୁଆ ଜିନିଷଟା ତ ବନ୍ଦ ହେବାର ନୁହେଁ । ବର୍ତ୍ତମାନ ଯେପରି କାଳ ପଡ଼ିଛି, ଏଥିରେ ପେଟ ଓ ପିଠି ଚିନ୍ତା ମନୁଷ୍ୟକୁ ଦିନରାତି ଘାଣ୍ଟୁଛି । ମା ଲକ୍ଷ୍ମୀଙ୍କ ବେ-ଅନୁଗ୍ରହ ସଙ୍ଗେ ସଙ୍ଗେ ମା ସରସ୍ୱତୀ ମଧ୍ୟ ଆମ କଣ୍ଠରେ ବିଜେ କରିବାକୁ ନାରାଜ । ଦେଖାଯାଉ ଯେ, ଦାନା-କନା-ଟଙ୍କା-ସୁନା-କଂସା-ଗିନା ସବୁ ଏ କାଳରେ ମହରତ ହେଲା । କିନ୍ତୁ ମୋ ଭଳିଆ ଲେଖକଙ୍କ ଦୁରବସ୍ଥା ଯିବାକୁ ନାହିଁ । କିରେ ବାପା ! ସବୁ ଜିନିଷର ଭାଉ ବଢ଼ିଲା, ସାହିତ୍ୟର ଓ ଲେଖକଙ୍କର ଅପରାଧ କିସ ରେ ? କାଗଜର ଦର ବଢ଼ିଲା, ଛାପା କଳର ଦାମ, ଟାଇପର ଦାମ, କାଳିର ଦାମ, ପ୍ରିଣ୍ଟରର ମଜୁରି ସବୁ ବଢ଼ିଲା । କିନ୍ତୁ ଉତ୍କଳ-ସାହିତ୍ୟର ତଥାକଥିତ ଅଗ୍ରୀମ ବାର୍ଷିକ ମୂଲ୍ୟ ଯାହା ଥିଲା, ପ୍ରାୟ ସେହିତା ରହିଲା । ଏଥିର କାରଣ :– ସାହିତ୍ୟଟା necessaries (ଜୀବନର ଅବଶ୍ୟ ପ୍ରୟୋଜନୀୟ ବସ୍ତୁ) ମଧ୍ୟରେ ସୁମାରି ନୁହେଁ । ଏହା Luxury (ସଖଜିନିଷ) ମଧ୍ୟରେ । ଏ ମହର୍ଗ କାଳରେ ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ବ୍ୟୟ ସଂକୋଚରେ ବ୍ରତୀ ହୋଇ ଅଛନ୍ତି । ସରୁ ଚାଉଳ ପରିବର୍ତ୍ତରେ ମୋଟ-ଖଇର-କାଣ୍ଟିଆ ବଗଡ଼ା, ବିଲାତୀ ପତଳା ରେଶମପାଡ଼ୀ ଲୁଗା ପରିବର୍ତ୍ତରେ ଦେଶୀ ମୋଟା ଖଦି, କେରାସିନି ପରିବର୍ତ୍ତରେ ଜଡ଼ା ଓ ପୁନାଙ୍ଗ ମଥାଦହି; ଏହିପରି ଜୀବନର ଦୈନନ୍ଦିନ ଅତ୍ୟାବଶ୍ୟକ ବସ୍ତୁମାନ ବ୍ୟବହାର କରିବା ବିଷୟରେ ଲୋକେ ନିଜ ନିଜର ମତ ଓ ଅଭ୍ୟାସକୁ ସଂଯତ କରିବାକୁ ବସିଲେଣି । ଏପରି ସ୍ଥଳରେ ସାହିତ୍ୟ ପତ୍ରିକା ନ ହେଲେ ମଧ୍ୟ ମୋ ଭଳି ଅଧିକାଂଶ ଗୃହୀଙ୍କର ଚଳିବ । ଅତଏବ ସମ୍ପାଦକ ମହାଶୟଙ୍କୁ ମୁଁ ସତର୍କ କରିଦେଇ ଉପଦେଶ ଦେଉଅଛି ଯେ, ସେ କଦାପି ଏ ବୁଦ୍ଧି ବାହାର କରିବେ ନାହିଁ । ଏହି ‘ଆର’ ଟି ମିଳିବା ମାତ୍ରକେ ଅନେକ ଗ୍ରାହକ ଖସିବେ-। ମନୁଷ୍ୟ ବିପଦ, ଆପଦ, ଅଭାବରେ ପଡ଼ିଲେ ‘ଓଇ ବି ଗୁଜର ଯାଏଗା’ କରି ମନଟାକୁ ସମ୍ଭାଳି ରଖେ ଓ ଭବିଷ୍ୟତର ଆଶାର ସ୍ୱପ୍ନରେ ବର୍ତ୍ତମାନର କଠୋର ଅନୁଭବକୁ ଡୁବାଇଦିଏ ।
ବର୍ତ୍ତମାନ ଦେଖନ୍ତୁ ଯେ, ସମଗ୍ର ପୃଥିବୀ ବିପଦ ଅଭାବ ଆଦିରେ ଜର୍ଜରିତ । ଇତିଭୟ, ଶତ୍ରୁ ଭୟ, ଅତ୍ୟାଚାର ଭୟ, ଯୁଦ୍ଧ ଭୟ, ଚୋର ଭୟ, ରୋଗ ଭୟ, ମୃତ୍ୟୁ ଭୟ, ରାଜ୍ୟନାଶ ଭୟ ସମଗ୍ର ପୃଥିବୀକୁ ମାଡ଼ି ବସିଅଛି ।
ସମଗ୍ର ପୃଥିବୀବ୍ୟାପୀ ମହାସାଗର, ସଭ୍ୟ ରାକ୍ଷସ ଜର୍ମାନୀର ପ୍ରବଳ ଅତ୍ୟାଚାର, ସମଗ୍ର ପୃଥିବୀବ୍ୟାପୀ ଜ୍ୱରରୂପୀ (Influenza) ମହାମାରୀ, ପୃଥିବୀର ଅଧିକାଂଶ ସ୍ଥଳରେ ବର୍ଷା ଅଭାବରୁ ଫସଲର ଦୂରବସ୍ଥା, ଯୁଦ୍ଧ ଯୋଗୁଁ ବ୍ୟବସାୟ ବାଣିଜ୍ୟର କ୍ଷତି ଏସବୁ ଆମ୍ଭମାନଙ୍କୁ ଘୋଟି ରହିଅଛି । ବଳୁଆ ଓ ମଜଭୁତ ଲୋକମାନେ ଯୁଦ୍ଧରେ ଲକ୍ଷ ଲକ୍ଷ ପ୍ରାଣତ୍ୟାଗ କରୁଅଛନ୍ତି, ଯୁଦ୍ଧ ବ୍ୟୟରେ ସଭ୍ୟ ଜାତିମାନେ କଙ୍ଗାଳ ଓ ଦେଣାଦାର ହୋଇଗଲେଣି; ବର୍ଷା ଅଭାବରୁ, ବନ୍ୟା ଇତ୍ୟାଦି ଯୋଗୁଁ, ଫସଲର ଦୁରବସ୍ଥା ଯୋଗୁଁ କୃଷକମାନଙ୍କ ଘରେ କାନ୍ଦ ବୋବାଳି ପଡ଼ିଅଛି; ଜିନିଷ ଅଭାବରୁ, ରେଳ ଓ ଜାହଜ ଅଭାବରୁ, ଆସନ୍ନ ଦୁର୍ଭିକ୍ଷର ସମ୍ଭାବନାରୁ ମହାଜନ ଓ ବଣିଜମାନେ ମୁଣ୍ଡରେ ହାତ ଦେଇ ବସିଅଛନ୍ତି; ଗରିବଗୁରୁବା ଓ କିଣିଖିଆମାନେ ଦାନା ଓ କନା ଅଭାବରୁ ଓଷ୍ଠାଗତ ପ୍ରାଣ ଓ କୌପୀନଗତ-ଇଜ୍ଜତ ହୋଇ ସାରିଲେଣି; ବାକି ଯେତକ ଅଛନ୍ତି, ତାଙ୍କ ପାଇଁ Influenza (ସାନ୍ନିପାତିକ-ବିକାର-ଜ୍ୱର) ଉପସ୍ଥିତ । ଏହି ସଙ୍କଟ ସମୟରୁ ମନୁଷ୍ୟ କିପରି ଜୀବନ ଘେନି ବର୍ତ୍ତିବ, ଏହା ସେହି ବିଶ୍ୱବିଧାତା ଭଗବାନଙ୍କୁ ଜଣା । ପୃଥିବୀରେ ଯେତେ କାଳରୁ ସଭ୍ୟତା ଆରମ୍ଭ ହେଲାଣି, ବୋଧହୁଏ ଏପରି ମହା ସଂକଟ କାଳ ଯୁଗପତ୍ ତେବେ ସମଗ୍ର ପୃଥିବୀକୁ ଗ୍ରାସିଥିଲା କି ନାହିଁ, ସନ୍ଦେହ । ଇତିହାସରୁ ଦେଖାଯିବ ଯେ, ପୂର୍ବେ ଯେଉଁସବୁ ଯୁଦ୍ଧ, ଦୁର୍ଭିକ୍ଷ, ଅନାବୃଷ୍ଟି, ଅତି ବୃଷ୍ଟି, ମହାମାରୀ ଆଦି ଘଟିଥିଲା, ସେମାନ ସାମୟିକ ଓ ଐକଦେଶିକ ଭାବରେ ଘଟିଥିଲା, ଏକ ଅଞ୍ଚଳରେ ଅଭାବ ହେଲେ ଅନ୍ୟ ଭାଗ୍ୟବାନ ଅଞ୍ଚଳମାନ ସେ ଅଭାବକୁ ପୂରଣ କରି ପାରୁଥିଲେ; କିନ୍ତୁ ୧୯୧୪ ସାଲ ଠାରୁ ପୃଥିବୀର ମହାସମର ଆରମ୍ଭ ହୋଇ ଏହି ୪ ବରଷ ମଧ୍ୟରେ ତାହା ଭୀଷଣାକାର ଧାରଣ କରି ଶେଷକୁ ଚଳିତ ୧୯୧୮ ସାଲରେ ସମଗ୍ର ପୃଥିବୀ ରୋଗ, ଶୋକ, ଦୁଃଖର ଚରମ ସୀମାରେ ପହଞ୍ଚିଅଛି । ଏଥିର ଏକମାତ୍ର ସାନ୍ତ୍ୱନା ‘ଓଇ ବି ଗୁଜର ଯାଏଗା ।’
ଚଳିତ ୧୯୧୮ ସାଲ ନାନା କାରଣରୁ ପୃଥିବୀର ଇତିହାସରେ ଗୋଟିଏ ଚିରସ୍ମରଣୀୟ ବର୍ଷ ହୋଇ ରହିବ । ଏବର୍ଷ ପୃଥିବୀର ବିଭିନ୍ନ ଦେଶକୁ ଯୁଗପତ୍ ଯେତେଗୁଡ଼ାଏ ବିପଦରେ ପକାଇ ଦେଇଅଛି, ଏପରି କେବେ ଘଟି ନ ଥିଲା । ଦୁଃଖନିଶା ଅମା ରଜନୀ ଅବଶ୍ୟ ପ୍ରଭାତ ହେବ । ଭଗବାନ ଅବଶ୍ୟ ପୃଥିବୀର ଏହି ଅନ୍ଧକାର ରଜନୀକୁ ପୁହାଇବେ । କାରଣ ଏକ ମହାପ୍ରଳୟରେ ସମଗ୍ର ପୃଥିବୀକୁ ଟୁବ୍କିନି ଲୋପ କରି ଦେବା ଭଗବାନଙ୍କର କଦାପି ଅଭିପ୍ରେତ ହୋଇ ନ ପାରେ । ପୃଥିବୀର, ତଥା ପ୍ରତ୍ୟେକ ମନୁଷ୍ୟର ଦଶା ‘ପେଣ୍ଡୁଲୁମ’ (Pendulum) ଝୁଲିବା ପରି । ପେଣ୍ଡୁଲୁମ ଶେଷସୀମାକୁ ଯାଇ ପହଞ୍ଚିଲେ, ସେଠାରୁ ପଛଆଡ଼କୁ ଫେରେ । ଏଥିଯୋଗୁଁ ମନରେ ସାନ୍ତ୍ୱନା ହେଉଅଛି ଯେ, ବର୍ତ୍ତମାନ ଅନୁଭୂତି ଭୀଷଣ ଅବସ୍ଥା ବେଶିଦିନ ରହିବ ନାହିଁ । ଏଥିର ମଧ୍ୟ ସୂଚନା ଦେଖାଯାଉଅଛି । ଆଶା ହେଉଅଛି, ଏ ପ୍ରଳୟଙ୍କର ଯୁଦ୍ଧ ପରେ ସମଗ୍ର ପୃଥିବୀରେ ଅବ୍ୟବଚ୍ଛିନ୍ନ ଶାନ୍ତି ସଂସ୍ଥାପିତ ହେବ, ଦୁଷ୍ଟ ଦମନ, ସାଧୁ ପରିତ୍ରାଣ, ଦୁଷ୍କୃତ ବିନାଶନ, ଧର୍ମ ସଂସ୍ଥାପନ ହେବ– ପଶୁ-ବନ-ଗର୍ବିତ ଜର୍ମାନୀର ପରାଜୟର ଓ ପୃଥିବୀରେ ଚିରଶାନ୍ତି ସ୍ଥାପନର ସମୟ ନିକଟବର୍ତ୍ତୀ ହେଲା ପରି ଜଣା ପଡ଼ୁଅଛି । ଇଂରାଜ ଜାତି ଓ ମିତ୍ରପକ୍ଷୀୟ ଶକ୍ତିମାନଙ୍କର ଯେଉଁ ଧନ, ବଳ ଓ ମନୁଷ୍ୟ କ୍ଷୟ ହୋଇଅଛି, ତହିଁର ଫଳ ଭବିଷ୍ୟତରେ ସମଗ୍ର ପୃଥିବୀ ଉପଭୋଗ କରିବ । ଏହି ଯୁଦ୍ଧ ସମସ୍ତଙ୍କର ଆଖିରୁ ପରଳ କାଢ଼ି ଦେଇଅଛି; ଏଣିକି ପୃଥିବୀ ଯଥେଚ୍ଛାଚାରର କ୍ରୀଡ଼ାଭୂମି ହେବ ନାହିଁ; ଜାତିବିଶେଷର ଏକଚେଟିଆ ବାଣିଜ୍ୟ-କ୍ଷେତ୍ର ହେବ ନାହିଁ; ବ୍ୟକ୍ତିବିଶେଷର ବିହାର-ସ୍ଥଳ ହେବ ନାହିଁ; ସଭ୍ୟ ଜାତିଙ୍କର ଅସଭ୍ୟ ଜାତିଙ୍କ ଉପରେ ଅଧିକାର-ଚାଳନର କ୍ଷେତ୍ର ହେବ ନାହିଁ । ଯେଉଁମାନେ ଆଧୁନିକ ସଭ୍ୟତାର ମାହାତ୍ମ୍ୟ ଓ ଗୌରବ ଘୋଷଣା କରୁଥିଲେ, ସେମାନେ ଆଜି ଦେଖି ପାରିଅଛନ୍ତି ଯେ, ଏହି ପାଶ୍ଚାତ୍ୟ ସଭ୍ୟତା ତଳେ ଅସଭ୍ୟତା, ବର୍ବରତା, ନିଷ୍ଠୁରତା, ଅବିଚାର ପ୍ରଚ୍ଛନ୍ନ ହୋଇ ରହିଥିଲା ଓ ସୁଯୋଗ ପାଇବା ମାତ୍ରେ ତାହା ସୀମା ଲଙ୍ଘନ କରି ବାହାରକୁ ବାହାରି ସମଗ୍ର ଜଗତକୁ ଜାଳି ପୋଡ଼ି ଭସ୍ମକରି ଦେବାକୁ ବସିଅଛି । ଏହି ମହାସମରରେ ପାଶ୍ଚାତ୍ୟ ସଭ୍ୟତାର materialism (ନୀଚ ବୈଷୟିକତା) ନିଜର ପ୍ରକୃତ ଆକାରକୁ ଆଉ ଲୁଚାଇ ରଖି ପାରିଲା ନାହିଁ । ସେହି ଯୁଦ୍ଧ ଯୋଗୁଁ ଆଜି ଭାରତ ନିଜର ମହତ୍ତ୍ୱ, ଦାୟିତ୍ୱଜ୍ଞାନ ଓ କର୍ତ୍ତବ୍ୟନିଷ୍ଠା ସମଗ୍ର ପୃଥିବୀକୁ ଦେଖାଇବାକୁ ସମର୍ଥ ହେଲା ଏବଂ ଆଜି ଭାରତ ମିତ୍ରପକ୍ଷ ଶକ୍ତି ସଙ୍ଗେ ଆପଣାର ଅର୍ଥ, ବଳ ଓ ରକ୍ତ ଢାଳି ଦୁଷ୍କୃତ-ବିନାଶ କାର୍ଯ୍ୟରେ ସାହାଯ୍ୟ କରି ନିଜେ ଧନ୍ୟ ହୋଇଅଛି, ଆଜି ଭାରତର ଲୁପ୍ତ-ରତ୍ନ, ଲୁପ୍ତ-ସାହସ, ଲୁପ୍ତ କ୍ଷମତା ପୁନରୁଜ୍ଜୀବିତ ହୋଇଅଛି । ଆଜି ସମଗ୍ର ସଭ୍ୟଜଗତର ଦୃଷ୍ଟି ଭାରତ ଓ ଭାରତବାସୀଙ୍କ ପ୍ରତି ଆକୃଷ୍ଟ ହୋଇଅଛି । ଭଗବାନ୍ ମନୁଷ୍ୟକୁ ଯେତେ ଯେତେ ଦୁଃଖ ଓ ବିପଦରେ ପକାନ୍ତି, ତହିଁ ମଧ୍ୟରେ ତାଙ୍କର ବିଶ୍ୱ ମଙ୍ଗଳମୟ ଉଦ୍ଦେଶ୍ୟ ନିହିତ ଥାଏ । ମନୁଷ୍ୟ ଆପଦରେ ମ୍ରିୟମାଣ ଓ କିଂକର୍ତ୍ତବ୍ୟ-ବିମୂଢ଼ ହୋଇଯିବାରୁ ସେହି ମଙ୍ଗଳମୟ ଉଦ୍ଦେଶ୍ୟକୁ ପ୍ରଥମେ କଳ୍ପନା କରି ପାରି ଉପସ୍ଥିତ ବିପଦ ପାଇଁ କୋଡ଼ି କଚାଡ଼ି ହୁଏ । ମନୁଷ୍ୟ ପକ୍ଷରେ ଯାହା, ଜାତି ପକ୍ଷରେ ମଧ୍ୟ ସେହିତା-। ଏହି ଯେ କାଳରୂପୀ ମହାସମର ସମଗ୍ର ପୃଥିବୀକୁ ବର୍ତ୍ତମାନ ଘୋଟିଗଲା, ତହିଁ ମଧ୍ୟରେ ଭଗବାନଙ୍କର ବିଶ୍ୱ-ଜନୀନ ମଙ୍ଗଳମୟ ଉଦ୍ଦେଶ୍ୟ ନିହିତ ନାହିଁ ବୋଲି କିଏ କହିବ ? ଏ ଯୁଦ୍ଧ ନ ହୋଇଥିଲେ ଭାରତବାସୀଙ୍କ ନାମରେ ଥିବା କେତେଗୁଡ଼ିଏ କଳଙ୍କ ଅପନୋଦନ ହୋଇ ପାରି ନ ଥାନ୍ତା, ସମଗ୍ର ଜଗତକୁ ଆନ୍ତରିକ ରାଜଭକ୍ତିର ନିଦର୍ଶନ ଦେଖାଇବାକୁ ଭାରତବାସୀମାନେ ସୁଯୋଗ ପାଇ ନ ଥାନ୍ତେ; ଭାରତବାସୀଙ୍କୁ ତାଙ୍କର ପ୍ରାପ୍ୟ ସ୍ୱାୟତ୍ତଶାସନ ଅକୁଣ୍ଠିତ ଚିତ୍ତରେ ଦେବା ନିମନ୍ତେ ବ୍ରିଟିଶଜାତି ସୁଯୋଗ ପାଇ ନ ଥାନ୍ତେ; କୃଷ୍ଣ ଗୌର ଚର୍ମ ମଧ୍ୟରେ ପ୍ରଭେଦ ଖୁବ୍ କମ୍, ଏକଥା ପୃଥିବୀ ଅନୁଭବ କରିବାପାଇଁ ସୁଯୋଗ ପାଇ ନଥାନ୍ତା; ପାଶ୍ଚାତ୍ୟ-ସଭ୍ୟତାଭିମାନ ମଧ୍ୟରେ କି ମହାକାଳ ଫଳ ନିହିତ, ତାହା ସମଗ୍ର ଜଗତ୍ ଅନୁଭବ କରିବାକୁ ସୁବିଧା ପାଇ ନ ଥାନ୍ତେ । ଇଂରାଜୀରେ କଥା ଅଛି ‘Necessity is the mother of invention’ ଅର୍ଥାତ୍ ମନୁଷ୍ୟ ଅଭାବରେ ପଡ଼ିଲେ ଅଭାବ ପୂରଣ କରିବା ପାଇଁ ଉପାୟ ଉଦ୍ଭାବନ ଆପେ ଆପେ କରିନିଏ । ଆମର ଯେଉଁ ଅଭାବମାନ ଅନ୍ୟ ଦେଶ ପୂରଣ କରୁଥିଲା, ଆଜି ଯୁଦ୍ଧ ଯୋଗୁଁ ସେହି ଦେଶମାନ ଆମ ନିମନ୍ତେ ଉକ୍ତ ପଦାର୍ଥ ଗୁଡ଼ିକ ପଠାଇବାକୁ ଅସମର୍ଥ ହେବାରୁ ସେ ଅଭାବ କିପରି ଆମେ ଆମରି ଦେଶର ପଦାର୍ଥ ଦ୍ୱାରା ପୂରଣ କରିବ; ଏହା ଆମକୁ ଗଭୀର ରୂପେ ଭାବିବାକୁ ପଡ଼ିଲା । ଆଜି ଭାରତର ବୈଷୟିକ ଭବିଷ୍ୟତ୍ ଉଜ୍ଜ୍ୱଳ । ଆମର ନିତ୍ୟ ବ୍ୟବହାର୍ଯ୍ୟ ଅନେକ ପଦାର୍ଥ ପାଇଁ ଆମ ଦେଶରୁ ଅନ୍ୟ ଦେଶକୁ raw material ଆଦିମ ଉପାଦାନ; ଯଥା–(ତୁଳା, ଝୋଟ, ଚମଡ଼ା, ପଶମ, ବନ୍ୟଜାତ ପଦାର୍ଥ, ଶସ୍ୟ) ରପ୍ତାନି କରାଯାଇ ତେଣୁ ତିଆରି ପଦାର୍ଥମାନ ଯଥା– (ଲୁଗା, ଅଖା, ଜୋତା, ଆଲୁଆନ, ମାର୍କାମରା ଔଷଧ ଓ ମଦ୍ୟ) ଆମଦାନି ହୋଇ ଆମ୍ଭମାନଙ୍କ ଅଭାବମାନ ପୂରଣ ହେଉଥିଲା । –ଏଣିକି ଏ ଦେଶରେ କଳ କାରଖାନାମାନ ସ୍ଥାପିତ ହୋଇ ଏ ଦେଶରେ ଉକ୍ତ ପଦାର୍ଥମାନ ପ୍ରସ୍ତୁତ ହେବାର କଳ୍ପନା ଲାଗିଅଛି ଓ ଏଥିପାଇଁ ଗଭର୍ଣ୍ଣମେଣ୍ଟ ବଦ୍ଧପରିକର ହୋଇଅଛନ୍ତି । ଯେଉଁ ଜାତିମାନେ ବ୍ୟବସାୟ ବାଣିଜ୍ୟ ଓ କଳ କାରଖାନାରେ ମାତି ଅଭାବ ଓ ଉଦର ପୂରଣର ଆଦିମ ଉପାୟ କୃଷି ଆଡ଼କୁ ମନ ଦେଉ ନ ଥିଲେ, ଆଜି ସେମାନେ ପୁନର୍ବାର କୃଷିର ଉନ୍ନତି ପ୍ରତି ମନ ଦେବାକୁ ଶିଖିଲେଣି । ଏହି ସବୁ ଦେଖି ମୁଁ ଭାବୁଅଛି ଯେ, ଏ ମହାଯୁଦ୍ଧରୁ ସମଗ୍ର ଜଗତ୍ ଯେଉଁ ଅଭିଜ୍ଞତା ଓ ଶିକ୍ଷା ଲାଭ କଲା, ତାହା ଆଉ ଭୁଲିବ ନାହିଁ । ଏଥିପାଇଁ କହୁଥିଲି ଯେ, ବିଂଶ ଶତାବ୍ଦୀର ଏହି ସମୟ (୧୯୧୪ ଠାରୁ ୧୯୧୮) ପୃଥିବୀର ଗୋଟିଏ ଚିରସ୍ମରଣୀୟ ଯୁଗ ରୂପରେ ମାର୍କାମରା ହୋଇ ରହିବ । ବର୍ତ୍ତମାନ କର୍ମାନୀ ଓ ତାହାର ମିତ୍ରଶକ୍ତିମାନେ ପାଶବ ବଳର ହେୟତା ଅନୁଭବ କରିପାରି ଯୁକ୍ତରାଜ୍ୟର ସଭାପତିଙ୍କ President of the United State) ସନ୍ଧି ପ୍ରସ୍ତାବରେ ସମ୍ମତ ହୋଇ ଅଛନ୍ତି ଓ ଆଶା କରାଯାଏ ଯେ, ମହାଯୁଦ୍ଧର ଅନୁଭବ ଓ ଶିକ୍ଷା ପରେ ଯେଉଁ ସନ୍ଧି ସ୍ଥାପିତ ହେବ, ତାହା ଚିରସ୍ଥାୟୀ ହେବ । ସ୍ୱାଧୀନତାପ୍ରିୟ ବ୍ରିଟିଶ ଜାତି ଓ ତାଙ୍କର ମିତ୍ରଶକ୍ତିମାନେ ଏହି ଚିରସ୍ଥାୟୀ ସନ୍ଧି ସ୍ଥାପିତ ହେବାର ସୁଦିନ ଆସିବାର ଆଶାରେ ଯେଉଁ ସ୍ୱାର୍ଥ–ତ୍ୟାଗର ଉଦାହରଣ ଦେଖାଇ ଅଛନ୍ତି, ତାହା ପୃଥିବୀରେ ବିରଳ–ସମଗ୍ର ପୃଥିବୀରେ ଶାନ୍ତି ବିରାଜିତ ହେବ, ସବଳ ଜାତି ନିର୍ବଳ ଜାତି ଉପରେ ଆଉ ଅତ୍ୟାଚାର ବା ଅଧିକାର ନ କରିବ, ପରାକ୍ରାନ୍ତ ସମ୍ରାଟ କ୍ଷୁଦ୍ର ଅସହାୟ ଜାତିକୁ ପ୍ରପୀଡ଼ିତ ନ କରିବ, ପ୍ରତ୍ୟେକ ଦେଶବାସୀଙ୍କ ହସ୍ତରେ ତତ୍ତତ୍ ଦେଶ ଶାସନ କରିବାର ଓ ଶାସନପଦ୍ଧତି ସ୍ଥିର କରିବାର କ୍ଷମତା ଓ ଅଧିକାର ରହିବ, ନିଜ ନିଜର ବୈଷୟିକ ଉନ୍ନତି କରିବା ନିମନ୍ତେ କେହି କାହାରିକୁ ବାଧା ଦେଇ ପାରିବେ ନାହିଁ; ପୃଥିବୀରେ ସତ୍ୟର ଜୟ, ଧର୍ମର ଜୟ, ସ୍ୱାଧୀନତାର ଜୟ, ଅଧର୍ମର ପରାଜୟ, ପାପର ପରାଜୟ, ପାଶବ ଶକ୍ତିର ବିନାଶ ଉଦ୍ଘୋଷିତ ହେବ– ଏହି ନୀତି ଗୁଡ଼ିକ କାର୍ଯ୍ୟରେ ପରିଣତ କରିବା ଲାଗି ଇଂରାଜ ଜାତି ଓ ଆମର ମିତ୍ରଶକ୍ତିମାନେ ଏହି ମହାଯୁଦ୍ଧ ରୂପ ବେଦିକାରେ ଅଜସ୍ର ଧନ, ଜନ ଅକୁଣ୍ଠିତ ଚିତ୍ତର ଢାଳିଦେଇ ଅଛନ୍ତି ଓ ଏହି ବଳି (Sacrifice)ର ଫଳ ସମଗ୍ର ଜଗତ୍ ଭୋଗ କରିବ । ଭଗବାନ କରନ୍ତୁ, ଏ ସୁଦିନ ଶୀଘ୍ର ଆସୁ ।
ଇତିମଧ୍ୟରେ ଭାରତରେ ଜ୍ୱର ରୂପୀ ମହାମାରୀ ଉପସ୍ଥିତ ହୋଇ ବଡ଼ସାନ ସବୁ ଶ୍ରେଣୀରୁ ଟିକସ ଆଦାୟ କରୁଅଛି ଓ ସଙ୍ଗେ ସଙ୍ଗେ ବର୍ଷା ଅଭାବରୁ ଶାରଦୀୟ ଫସଲର ଅବସ୍ଥା ଅତି ମନ୍ଦ । ଗଭର୍ଣ୍ଣମେଣ୍ଟ ଯେଉଁ ଯେଉଁ ଅଞ୍ଚଳରେ କେନାଲ ଖୋଳାଇ ଅଛନ୍ତି, ସେ ଅଞ୍ଚଳମାନଙ୍କରେ ଶସ୍ୟର ଅବସ୍ଥା ଉତ୍ତମ– କିନ୍ତୁ ଭାରତରେ ଏପରି କେନାଲ-ରକ୍ଷିତ ଅଞ୍ଚଳ ବେଶି ନୁହେଁ । ଏସବୁ କାରଣରୁ ଏତେବେଳଠାରୁ ଅନ୍ନାଭାବ ଘୋଟଅଛି । ଏଥିପାଇଁ କେତେକ ସ୍ଥାନରେ ଲୁଟ୍ପାଟ ହୋଇ ଯାଇଅଛି । ଦେଶର ବର୍ତ୍ତମାନ ଅବସ୍ଥାରେ ଧନୀ-ଦରିଦ୍ର, ଜମିଦାର-ପ୍ରଜା, ମହାଜନ-ଖାତକ, ହାକିମ-ଆସାମୀ ସମସ୍ତେ ଏକମନ ହୋଇ ଚେଷ୍ଟା କଲେ ଆସନ୍ନ ଦୁର୍ଭିକ୍ଷର ଦାଉ ଅନେକ ପରିମାଣରେ କମିଯିବ ଏଥିରେ ସନ୍ଦେହ ନାହିଁ । ଏ ଅନ୍ନ ବସ୍ତ୍ର ସଙ୍କଟ ସମୟରେ ଆମ୍ଭେମାନେ ନିଜେ ନିଜେ ନିଜ କ୍ଷେତ୍ରରେ ଉଦ୍ୟମ, ସ୍ୱାର୍ଥତ୍ୟାଗ, ଆତ୍ମନିର୍ଭର ଓ ଅଧ୍ୟବସାୟର ଉଦାହରଣ ନ ଦେଖାଇଲେ ଭାରତବାସୀଙ୍କର ପରମୁଖାପେକ୍ଷିତା ରୂପ କଳଙ୍କ ମୋଚନ ହେବ ନାହିଁ । ଆଜି ଥାଉ ।
(୨୨ଶ ଭାଗ । ୧୩୨୬ । ୯ମ ସଂଖ୍ୟା)
‘Man proposes, God disposes’ ମନୁଷ୍ୟ ବିଚାର କରେ, ‘ଏଷା କରେଙ୍ଗା, ତେଷା କରେଙ୍ଗା,’ କିନ୍ତୁ ‘ଦଇବ ଦଉଡ଼ି, ମଣିଷ ଗାଈ, ଯେଣିକି ଓଟାରେ ତେଣକି ଯାଇ-।’ ଛାର ମନୁଷ୍ୟର କରାମତ କେତେ ? ମନୁଷ୍ୟର ଚାରା କେତେ ? ମନୁଷ୍ୟର ବା କସରତ୍ କେତେ ? ଦିହରେ ବଳ ବୟସ ଥିବାଯାକେ ମନୁଷ୍ୟ କୁଦୁଥାଏ, ନାଚୁଥାଏ, କିନ୍ତୁ ଅଢ଼େଇ ଦିନିଆ ଢଙ୍ଗ ମନୁଷ୍ୟକୁ ଶୀଘ୍ର ଛାଡ଼ି ପଳାଏ, ସେତେବେଳେ ମନୁଷ୍ୟ ଉପଲବ୍ଧି କରେ, ‘ଆରେ-! ମୁଁ ତୁଚ୍ଛାଟାକୁ ଏତେ ଡିଆଁ କୁଦା ମାରୁଥିଲି ! ମୋ ଦେହି ତ ଶାଗ ସିଝିବ ନାହିଁ ! କଲା ବାଲା ଆଉ ଜଣେ, ମୁଁ କେବଳ ରାମଲୀଳାର ପିତୁଳି ମାତ୍ର ।’ ମନୁଷ୍ୟ ଏ କଥା ସମଜି ଗଲାରୁ, ସଂସାର କ୍ଷେତ୍ରରେ ଠେକିଯାଇ ଏକଥା ଶିଖିଗଲାରୁ ତାହାର ମଗଜ ଥଣ୍ଡା ହୋଇଯାଏ । ମନୁଷ୍ୟ ବିଚାରିଥାଏ, ମୁଁ ଘର କରିବି, କୋଠା କରିବି, ରୋଜଗାର କରିବି, ଚାକିରି କରିବି, ପୁଅ ମାଇପ କରିବି, ସଂସାର କରିବି, ଦୁନିଆରେ ବଡ଼ ହେବି, ନାମ କରିବି, ବାହାଦୁରି ପାଇବି, ଶହେ ଘର ଭାଙ୍ଗି ମୋ ଘର କରିବି, ୟାକୁ ଧରିବି, ତାକୁ ମାରିବି, ୟା ଘର ପୋଡ଼ି ଦେବି, ତା ଘର ଲୁଟିକରି ବୋହି ଆଣିବି, ୟାକୁ ସଜା ଦେବି, ତାକୁ ଜବତ୍ କରିବି, ମାମଲା କରିବି, ଦରବାର କରିବି, ଇତ୍ୟାଦି; କିନ୍ତୁ ଫଳତଃ ଦେଖାଯାଏ ଯେ, ଏ ବଡ଼ ପଣ ଅଢ଼େଇ ଦିନିଆ, ସେ ଅଢ଼େଇ ଦିନ ବିତିଗଲେ ମନୁଷ୍ୟ ହାତରେ କୁଟା ଖଣ୍ଡିକ ଦିଖଣ୍ଡ ହୋଇପାରେ ନାହିଁ, ମନୁଷ୍ୟ ଖାଲି ବଲ ବଲ କରି ଚାହିଁଥାଏ ଓ ଚାହିଁ ଜଳକା ହୋଇଥାଏ ।
ଏଥିପାଇଁ ମହାଜନମାନେ ଡାକିହାକି ନାଗରା ବଜାଇ ସମସ୍ତଙ୍କୁ ହୁସିଆର ଦେଇଅଛନ୍ତି ଯେ, ‘‘ନଳିନୀ-ଦଳ-ଗତ-ଜଳମତି ତରଳଂ ।’’ ‘‘ଶୁଖା ଖଡ଼୍ ଖଡ଼୍ ଖଡ଼୍ ଖଡ଼୍– ମିଛ ମାୟାରେ ପଡ଼ି ତୁ ନଡ଼ବଡ଼୍ ନଡ଼ବଡ଼୍ ।’’ ସଂସାରରେ ଆମେ ଏହି କଥା ଦେଖୁଥାଇଁ, ଶୁଣୁଥାଇଁ, ପଢ଼ୁଥାଇଁ, ଗୁଣୁଥାଇଁ, ଠେକୁଥାଇଁ, ତଥାପି ଏ ଜ୍ଞାନ ତ ଆମ୍ଭମାନଙ୍କର ହେଉ ନାହିଁ । ସଂସାରରେ ପଶି ଆମେ କହୁଛୁଁ ‘‘ପେଟ ପୋଷ, ନାହିଁ ଦୋଷ ।’’ ‘‘ଆମେ ଅମର, ଅଜର ।’’ ‘‘ଆମେ କୋଳି ଖାଇ କୋଳି ମଞ୍ଜି ପୋତିଛୁଁ ।’’ ଏହାକୁ ହିଁ କହନ୍ତି ‘ମୋହ’ ‘ମାୟା’ । ଏହି ମୋହ ଓ ମାୟାର ନିଶା ଆମ୍ଭମାନଙ୍କୁ ଦିନରାତି ଘୋଟିଛି ଓ ଆମର ନିଜର ହେୟତା, କୀଟସ୍ୟ କୀଟତା ଅନୁଭବ କରିବାକୁ ଆମଙ୍କୁ ଶକ୍ତି ଦେଉ ନାହିଁ । ଏହି ସମ୍ବନ୍ଧରେ ଜଣେ ବିଶିଷ୍ଟ ବନ୍ଧୁଙ୍କ ସଙ୍ଗେ କଥା ପଡ଼ିବାରୁ ସେ ମତେ ପଚାରିଥିଲେ, କେଉଟା ବଡ଼ ? ପାଶ୍ଚାତ୍ୟ ଆଦର୍ଶ (ideal), ନା ପ୍ରାଚ୍ୟ ଆଦର୍ଶ (ideal) ? ପାଶ୍ଚାତ୍ୟମାନଙ୍କର କର୍ମମୟ (materialistic) ଜୀବନ ଓ ମନୁଷ୍ୟର ଶେଷ ବାହାଦୁରି ‘‘He died while in harness’’ ଅର୍ଥାତ୍ କର୍ମକ୍ଷେତ୍ରରେ ଲାଗୁ ଲାଗୁ ଅମୁକଙ୍କର ପ୍ରାଣ ଗଲା । ପ୍ରାଚ୍ୟଙ୍କର ଭାବମୟ (idealistic) ଜୀବନ; ଆମର ଶେଷ ବାହାଦୁରି ‘‘ବାର୍ଦ୍ଧକ୍ୟେ ମୁନିବୃତ୍ତିନାଂ ଯୋଗେନାନ୍ତେ ତନୁତ୍ୟଜାଂ ।’’ ବନ୍ଧୁଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୁଁ ଅନେକ ଭାବିଲି । ବିଚାରିଲି, ବନ୍ଧୁ ୫ ବରଷ ପୂର୍ବରୁ ମତେ ଏ ପ୍ରଶ୍ନ ପଚାରିଥିଲେ ମୁଁ ନିଶ୍ଚୟ ପାଶ୍ଚାତ୍ୟ ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଇଥାନ୍ତି; କିନ୍ତୁ ଏଥିମଧ୍ୟରେ ଭଗବାନ୍ ମୋ ଆଖିରୁ ଅନେକ ପରଦା ପରଳ କାଢ଼ି ଦେଇ ଅଛନ୍ତି; ସେଥିପାଇଁ ଆଗର ରକ୍ତର ଗରମି, ଆଇନ ବ୍ୟବସାୟର ଦାଉଁ, ଦେଶହିତୈଷୀର କିଳିକିଳା, ଦେଶନେତା ହେବାର ମାଦକତା, ଖବର କାଗଜରେ ନାମ ଛାପା ହେବାର ପ୍ରଲୋଭନ ଅନେକ ପରିମାଣରେ ଉଭେଇଁ ଯାଇଅଛି ଓ କର୍ମକ୍ଷେତ୍ରରେ ବେଙ୍ଗଳାରେ ଘୋଷାରି ହେବା ପାଇଁ ମୋ ଦେହରେ ବନ୍ଧା ହୋଇଥିବା ଦାଉଣି (harness) ବର୍ତ୍ତମାନ ଦୁର୍ଗନ୍ଧମୟ ବୋଧ ହେଲାଣି; ଅତଏବ ଗାଡ଼ି ଓଟାରୁ ଓଟାରୁ ହଡ଼ା ଘୋଡ଼ାର ପ୍ରାଣ ଯିବା ଆଦର୍ଶଟା ଏବକୁ ମତେ ଭଲ ଲାଗୁ ନାହିଁ । ଏଥିପାଇଁ ବନ୍ଧୁଙ୍କୁ ଉତ୍ତର ଦେଲି, ‘ପୁତ୍ର ନିବେଶି ପତ୍ନୀପାଶ’ ଆକାଂକ୍ଷାଟା ମତେ ଅପେକ୍ଷାକୃତ ଉଚ୍ଚ ବୋଲି ବୋଧ ହେଉଅଛି । ଏ ବିଷୟରେ ବନ୍ଧୁଙ୍କ ସଙ୍ଗେ ଅନେକ ‘ଦୁଃଖ ସୁଖ’ ହେଲି । ମୁଁ ଅନୁଭବ କରୁଅଛି ଯେ, ସଂସାରରେ ମନୁଷ୍ୟର ଆକାଂକ୍ଷାର ଶେଷ ନାହିଁ । ଗୋଟିଏ ଆକାଂକ୍ଷା ପୂର୍ଣ୍ଣ ନ ହେଉଣୁ ଆଉ ଗୋଟିଏ ଆକାଂକ୍ଷା ମନରେ ଉଦୟ ହେଉଅଛି, ଏ ଅଗ୍ନିର ନିର୍ବାପନ ନାହିଁ । ‘‘ନିଃସ୍ୱୋବ୍ୟଷ୍ଟି ଶତଂ ଶତୀ ଦଶଶତଂ ଲକ୍ଷଂ ସହସ୍ରାଧିପଃ ।’’ ଗରିବ ଲୋକ ଶତ ମୁଦ୍ରା ଆକାଂକ୍ଷା କରେ ‘ଶତୀ ସହସ୍ର ମୁଦ୍ରା ଓ ସହସ୍ରାଧିପ ଲକ୍ଷ ମୁଦ୍ରା ପାଇବାକୁ ଆଶା କରୁଥାଏ । ଏ ଆଶା ଏତିକିରେ ବୋଧ ସୋଧ ହୁଏ ନାହିଁ । ଏଥିରୁ ମନକୁ ଫେରାଇବା ବଡ଼ ସହଜ ନୁହେଁ । ମୁଁ ଗତ ପନ୍ଦର ବର୍ଷ ହେବ ସଂସାରରେ ପଶି ଦେଖୁଛି ଯେ, ମୁଁ ମଧ୍ୟ ଏହି କୁହୁକରେ ମାତିଅଛି । ଏ ଦ୍ୱନ୍ଦ୍ୱରୁ ଅପସୃତ ହୋଇ ଶାନ୍ତିରେ ନିଭୃତ ନିଳୟରେ ବସି ଧର୍ମଚର୍ଚ୍ଚା, ସାହିତ୍ୟ ଚର୍ଚ୍ଚା, ଜ୍ଞାନ ଚର୍ଚ୍ଚା ଆଦି କରିବାର ଛବି ବହୁକାଳରୁ ହୃଦୟରେ ଟଙ୍ଗା ହୋଇଅଛି ମାତ୍ର, କିନ୍ତୁ ସେ ଛବି ଖଣ୍ଡକୁ ଚାହିଁ ତହିଁର ମାଧୁର୍ଯ୍ୟ ଉପଲବ୍ଧି କରିବାକୁ ବେଳ ହେଉ ନାହିଁ । ଏ ପନ୍ଦର ବର୍ଷ ହେଲା କେବଳ ମହଲତ ନେଇ ଆସୁଅଛି ଓ ବର୍ତ୍ତମାନ ଦେଖିପାରୁ ଅଛି ଯେ, ଏପରି ବାରମ୍ବାର ମହଲତ ନେଉଥିବା ଯୋଗୁଁ ମତେ ଯେତେ ମୁଲତବି ଖର୍ଚ୍ଚା ଅଣ୍ଟାରୁ ଗଣିବାକୁ ପଡ଼ିଲାଣି, ସେତକ ଶେଷକୁ ମକଦ୍ଦମା ଖରଚାରୁ ଢେର ବଳି ପଡ଼ିବ । ଏ ମୁଲତବି ଖରଚା ଅପବ୍ୟୟ ପାଇଁ ଦାୟୀ ମୋ ଅବୁଝା ମନ । ବିଚାରୁଅଛି, ବ୍ୟବସାୟରେ ଲକ୍ଷପତି ହେବି, ଖେତାବ ପାଇବି, ତକମା ପାଇବି, ଛପା କାଗଜରେ ଧନ୍ୟ ଧନ୍ୟ ପଦ ପାଇବି, କୋଠାବାଡ଼ି, ନଅର, ଉଆସ, ଜମିଦାରି ରାଜଗି କରିବି, ଶାଲ ଦୋଶାଲ ଘୋଡ଼ି ହେବି, ଯୋଡ଼ିଗାଡ଼ି ଓ ମଟର ହଙ୍କାଇବି, ଦେଉଳ ତୋଳାଇବି, ପୋଖରୀ ଖୋଳାଇବି ଇତ୍ୟାଦି ଯେତେଗୁଡ଼ିଏ ଆଦର୍ଶ ମନରେ ଥାପି ବ୍ୟବସାୟରେ ପଶିଗଲି, ସେଗୁଡ଼ାକ ଏକଦମ ତ୍ୟାଗ କରି ନିପଟ ମଫସଲରେ ଆପଣା କୁଡ଼ିଆରେ ବସି, ମୋଟ ଖାଇ ରୋଟ ପିନ୍ଧି ଏ କର୍ମମୟ ଜୀବନଟାକୁ କଳଙ୍କିତ (ruted) କରିଦେବି ଓ ମୋ ନାମଟା ଜାତୀୟ ପାଞ୍ଜିରୁ ପୋଛା ହୋଇଯିବ, ଏ କଥା ଏ ଦେହ ସହିବ ନାହିଁ; ମୋ ଅନୁପସ୍ଥିତିରେ ମୋ କାରଖାନା କିଏ ସମ୍ଭାଳିବ ? ମୋର ବିନା ରୋଜଗାର, ବିନା ସାହାଯ୍ୟ, ବିନା ତଦାରଖ, ବିନା ପ୍ରଭୁତ୍ୱ, ବିନା କରାମତ୍ ଜାଦେରିରେ ମୋ ଘର, ମୋ ସଂସାର, ମୋ ପରିବାର, ମୋ ବାଲବଚା ଦଣ୍ଡେ ଚଳିପାରିବେ ନାହିଁ-। ହାଇରେ ବିଧାତା ! ନିର୍ବାଧ ମନୁଷ୍ୟ ସବୁବେଳେ ବିଚାରୁଛି ଓ ଗଣାପୋଛା କରୁଛି ଯେ–
ଇଦମଦ୍ୟମୟା ଲବ୍ଧମିମଂ ପ୍ରାପ୍ସ୍ୟେ ମନୋରଥଂ
ଇଦମସ୍ତୀଦମପି ମେ ଭବିଷ୍ୟତି ପୁନର୍ଦ୍ଧନଂ ।
ଅସୌ ମୟା ହତଃ ଶତ୍ରୁର୍ହନିଷ୍ୟେ ଚାପରାନପି ।
ଈଶ୍ୱରୋଽହମହଂ ଭୋଗୀ ସିଦ୍ଧୋଽହଂ ବଳବାନ ସୁଖୀ ।
ଆଢ଼୍ୟୋ ଭିଜନବାନସ୍ମି କୋଽନ୍ୟୋଽସ୍ତି ସଦୃଶୋମୟା ।
(ଭଗବତ୍ ଗୀତା ୧୬ ଅଧ୍ୟାୟ)
(ଆଜି ମୁଁ ପାଇଲି ଏହା, କାଲି ମୁଁ ପାଇବି ତାହା,
ମନୋରଥ ମୋର ଯାହା, ହୋଇବ ପୂର୍ଣ୍ଣ ।
ଆଜି ଅଛି ଏତେ ଧନ, କାଲି ହେବ ପୁଣି ଧନ
ଧନର ଉପରେ ଧନ ପାଇବି ପୁଣ ।
ଆଜି ଏ ଶତ୍ରୁ ବଧିଲି, ଆଉ ବଧିବି ମୁଁ କାଲି,
ଶତ୍ରୁ ମୁଖେ ଦେଇ କାଳି ହେବି ମୁଁ ଜୟୀ ।
ମୁଁ ଈଶ୍ୱର, ମୁହିଁ ଭୋଗୀ, ସିଦ୍ଧ ସୁଖୀ, ବଳୀ, ଯୋଗୀ,
ମୋହଠାରୁ ବଳି ସୁଖୀ ସଂସାରେ ନାହିଁ ।
ଧନ ଜନ ଲକ୍ଷ୍ମୀ ମୋତେ ବେଢ଼ି ଅଛନ୍ତି ନିରତେ
ପୂଜା କରନ୍ତି ସମସ୍ତେ ମୋ ପାଦ ଚାହିଁ ।
ମୋ ପରି ବଳୁଆ କେହି ସାରା ସଂସାରରେ ନାହିଁ,
ଏହା ଭାବି ଦିବା ନିଶି ବିଚରେଁ ମୁହିଁ ।)
କିନ୍ତୁ ମନୁଷ୍ୟ ! ବିଚାରି ପାରୁନାହିଁ ଯେ, ଏ ସବୁ କେଳା କୁହୁକ ବୁଢ଼ିଆଣୀ ଜାଲ ଭଳିଆ କେଉଁଆଡ଼େ ମିଳାଇ ଯିବ । ସେତେବେଳେ ତତେ ଜଗିବାକୁ, ତତେ ସେବା କରିବାକୁ ତୋ ସଙ୍ଗରେ କେହି ଗୋଡ଼ାଇ ଯିବେ ନାହିଁ । ସେତେବେଳେ ତୋର ଧର୍ମ (ଅର୍ଥାତ୍ ସନ୍ତୋଷ-ଶାନ୍ତି ପରିବୃତ ବିବେକ) ଏକା ତୋର ସାଥୀ ହେବ । ଏକଥା ମନୁଷ୍ୟ ଯେବେ ଭାବୁଥାନ୍ତା, ତେବେ ପୃଥିବୀରୁ ୧୫ ପଣ ପାପ, ଅତ୍ୟାଚାର, ଜୁଲମ, ଅନାଚାର, ଅବିଚାର କେଉଁଆଡ଼େ ଲିଭିଯାନ୍ତା । ଆଉ ସଂସାର ଯାହାକୁ ଭାଗ୍ୟବିପର୍ଯ୍ୟୟ ବୋଲି ଭାବୁଅଛି, ପ୍ରକୃତରେ ସେହି ଅବସ୍ଥା ପରିବର୍ତ୍ତନ ଦ୍ୱାରା ପ୍ରକୃତ ମନୁଷ୍ୟତା ଫୁଟି ଉଠନ୍ତା । ଏ ସଂସାରଟା ଧୂଳି ଖେଳ ବୋଲି ଯେଉଁମାନେ କହି ଯାଇ ଅଛନ୍ତି, ସେମାନେ ନିତାନ୍ତ ଗମାର ନ ଥିଲେ ବା ଅନଭିଜ୍ଞ ନ ଥିଲେ । ‘ଧୂଳିର ଏ ମର କଳେବର ।’ ଧୂଳିରେ ଘର କରିବାକୁ ହେବ, ଧୂଳିରେ ଟଙ୍କା କମାଇବାକୁ ହେବ, ଧୂଳିରେ ପୁଅ ମାଇପ କରିବାକୁ ହେବ, ଧୂଳିରେ ବଡ଼ ଲୋକ ହେବାକୁ ହେବ, ଶେଷରେ ଏ ସମସ୍ତ ଧୂଳିରେ ମିଶିଯିବ ଓ ତୋର ଦେହ ମଧ୍ୟ ଧୂଳିରେ ମିଶିଯିବ । ‘‘ଯୁଗକୁ ଯୁଗ ଏହିମତେ, ପରମାନନ୍ଦ ଏ ଜଗତେ ।’’ ଏ ସଂସାରରେ କର୍ମରୂପ ଆବର୍ତ୍ତରେ ମୁଁ ଏପରି ବେଗରେ ଘାଉଁରି ଖାଉଛି ଯେ, ମୁଁ ଭାବୁଛି, ମୋ ସଂସାରର ଭାର କେନ୍ଦ୍ର-ବିନ୍ଦୁଟି ମୋର ମସ୍ତିଷ୍କ ମଧ୍ୟରେ ଅବସ୍ଥିତ । କିନ୍ତୁ ମୁଁ ଥରେ ଭାବି ପାରୁନାହିଁ ଯେ, ମୁଁ ମଲା ବାସି ଦିନ ମୋ ପାଇଁ କେଉଁ କଥା, କେଉଁ କାରଖାନା ଅଟକି ଯିବ ନାହିଁ, କେଉଁ କାମ ଅଚଳ ହୋଇ ପଡ଼ି ରହିବ ନାହିଁ । କିନ୍ତୁ ସମସ୍ତେ ଯେବେ ଏପରି ଭାବି କର୍ମମୟ ଜୀବନରୁ ଓ କର୍ମକ୍ଷେତ୍ରରୁ ଅପସୃତ ହେବେ, ତେବେ ଏ ସଂସାରର ଲୀଳା ଚଳିବ କିପରି ? ମୋହ ନିଶା, ମାୟା ବନ୍ଧନ ତୁଟିଗଲେ ସଂସାର ଶଗଡ଼ର ଅଣକିଳି ହୁଗୁଳି ଗଲେ ଦୁନିଆଟା ଚଳିବ କିପରି ? ଏଥିପାଇଁ ଧର୍ମଶାସ୍ତ୍ର ଓ ମହାଜନ ଚରିତ ଓ ସତ୍ସଙ୍ଗରୁ ଆମ୍ଭମାନଙ୍କୁ ଉପଦେଶ ଗ୍ରହଣ କରିବାକୁ ହୁଏ । ଭଗବାନ ଗୀତାରେ କହିଅଛନ୍ତି, ‘‘କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।’’ ମନୁଷ୍ୟର କର୍ମରେ ଅଧିକାର ଅଛି, କିନ୍ତୁ ଫଳରେ ଅଧିକାର ନାହିଁ । ମନୁଷ୍ୟ ଯେତେବେଳେ ଆପଣାର ହେୟତା ଉପଲବ୍ଧି କରି ଆପଣାକୁ ବିଶ୍ୱ ବ୍ରହ୍ମାଣ୍ଡ ରୂପ କଳର ଗୋଟିଏ କ୍ଷୁଦ୍ରାଦପି କ୍ଷୁଦ୍ର ଅଂଶବିଶେଷ ବୋଲି ବିଚାର କରି, ଫଳ ପ୍ରତି ଆସକ୍ତି ପରିତ୍ୟାଗ କରି କର୍ତ୍ତବ୍ୟାନୁରୋଧରେ କର୍ମକ୍ଷେତ୍ରରେ ପ୍ରବେଶ କରେ, ସେତେବେଳେ ଏକା ମନୁଷ୍ୟ ସୃଷ୍ଟିକର୍ତ୍ତାଙ୍କ ଉଦ୍ଦେଶ୍ୟ ଉପଲବ୍ଧି କରିବାକୁ ସମୟ ହୁଏ । ଲୋକେ କହନ୍ତି, ‘ସମସ୍ତେ ଯୋଗୀ ହେଲେ ଭିକ ଦେବ କିଏ ?’ ସମସ୍ତେ ସଂସାରବିରାଗୀ ହେଲେ ସଂସାର ଅତଯାତ ହେବ କିପରି ? ଦେଶବାସୀଯାକ ସମସ୍ତେ ବଇଷମ ହେଲେ ଲୋକସଂଖ୍ୟା ବଢ଼ିବ କାହୁଁ ? ଏଥିପାଇଁ ସଂସାରରେ ରହି ସଂସାର ଧର୍ମ ପାଳନ କରି ସଙ୍ଗେ ସଙ୍ଗେ ବୈରାଗୀ ହେବା ନିମନ୍ତେ ଭଗବାନ ଅର୍ଜ୍ଜୁନଙ୍କୁ ଉପଦେଶ ଦେଇଅଛନ୍ତି– ଜନକ ଆଦି ସମ୍ରାଟମାନେ ଗୃହସ୍ଥ ଧର୍ମରେ ବ୍ୟାପୃତ ଥାଇ ମଧ୍ୟ ଋଷି ଥିଲେ । ସଂସାରରେ ଥାଇ ସଂସାରରେ ଲିପ୍ତ ନ ହେବା ସହଜ କଥା ନୁହେଁ । ଏହା ଶିକ୍ଷା କରିବାକୁ, ଏହା ସିଦ୍ଧ କରିବାକୁ କଠିନ ସାଧନା ଆବଶ୍ୟକ । ସଂସାରରେ ଜଣେ ହେବା, ଅଥଚ ସଂସାରର ବନ୍ଧନରେ ପଡ଼ିବା ନାହିଁ, ଏ ସାଧନା ପାଇଁ ମନ ଆବଶ୍ୟକ, ପ୍ରେମ ଆବଶ୍ୟକ, ବିଶ୍ୱଜନନୀ ମୈତ୍ରୀ ଆବଶ୍ୟକ, ଭକ୍ତି ଆବଶ୍ୟକ ଓ ଉପଯୁକ୍ତ ଗୁରୁ ଆବଶ୍ୟକ । ଏ ସଂସାରର ଜଞ୍ଜାଳ ମଧ୍ୟରେ ଏହା ସମସ୍ତଙ୍କ ଭାଗ୍ୟରେ ଘଟେ ନାହିଁ, ମୋ ଭାଗ୍ୟରେ ଘଟୁ ନାହିଁ , ଏହା କିଛି ବିଚିତ୍ର ନୁହେଁ । କିନ୍ତୁ ଏହା ଘଟି ପାରିଲେ ମନୁଷ୍ୟର କ୍ଷୁଦ୍ର ଜୀବନ ସାର୍ଥକ ହୁଅନ୍ତା । ଦେଖାଯାଉ, ଭଗବାନଙ୍କ ବରାଦ କେତେଦୂର, ଆମ ଦଉଡ଼ କେତେଦୂର-। ଏଥିପାଇଁ ପ୍ରଥମେ କହୁଥିଲି– Man proposes, God disposes.
(୨୨ଶ ଭାଗ । ୧୩୨୬ । ୧୦ମ ସଂଖ୍ୟା)
ଆମ ଘରର ହାଲଚାଲ ପ୍ରସଙ୍ଗରେ ଗତଥର ମୁଁ କହିଥିଲି ଯେ, ଏଣିକି ପାଗ ପଟକା ଦିହରୁ କାଢ଼ି ମଫସଲରେ ଖଣ୍ଡେ ରୋଟା ପିନ୍ଧି: ମୁଠାଏ ମୋଟା ଖାଇ ପଡ଼ି ରହିବା ପାଇଁ ମନଟା ଭାରି ଉଚ୍ଛନ୍ନ ହେଉଅଛି; କିନ୍ତୁ ‘‘ଘଟନା ଚକ୍ର’’ରେ ସେ କଥା ବର୍ତ୍ତମାନ ହୋଇପାରୁ ନାହିଁ । କେବେ ଯେ ଯାହା ହେବ, ତାହା ସେହି ବିଶ୍ୱନିୟନ୍ତା ନୃସିଂହନାଥଙ୍କୁ ଜଣା । ବର୍ତ୍ତମାନ ସଭ୍ୟତାର ପ୍ରଭାବରେ ଲୋକେ ଗ୍ରାମ ପଲ୍ଲୀ ଛାଡ଼ି ସହର ଆଡ଼କୁ ଧାଉଡ଼ି ଲଗାଇ ଆସୁଥିଲେ । ଧନୀ ଓ ବଡ଼ଲୋକମାନେ ମଫସଲରେ ଏକାଟିଆ ହୋଇ ପଡ଼ି ରହିବାଠାରୁ ସହରରେ ଆସି ସହରର ମଉଜ ମଜଲିସ୍ ଓ ନାଟ ତାମସାରେ ଯୋଗ ଦେଇ ନିଜର ସମୟ ଓ ପଇସାକୁ ବ୍ୟୟ କରିବା ଅଧିକତର ଆନନ୍ଦମୟ ବୋଲି ବାଧ୍ୟ କରୁଥିଲେ । ଶିକ୍ଷିତ ଲୋକମାନେ ମଫସଲରେ ରାମ ସେଠୀ, ଶାମ ସାମଲଙ୍କ ସହବାସକୁ ତୁଚ୍ଛ ମଣି, ଗ୍ରାମରେ ଥାଇ ଆପଣା ବୁଦ୍ଧି ବିଦ୍ୟାରେ କଳଙ୍କି (rust) ଲଗାଇବା ଅପେକ୍ଷା ସହରକୁ ଆସି ସହରର କାର୍ଯ୍ୟାଳୟ, ବିଦ୍ୟାଳୟ, ବିଚରାଳୟ, ସଭାଳୟମାନଙ୍କରେ ଆପଣାର ବୁଦ୍ଧି ବିଦ୍ୟାକୁ ଶାଣ ଦେଇ ନେବା ଅଧିକତର ସୁଖମୟ ମଣୁଥିଲେ-। ଅଶିକ୍ଷିତ ଲୋକମାନେ ମଧ୍ୟ ଗ୍ରାମରେ ପଡ଼ିରହି ଦିନଯାକ ମୁଣ୍ଡ ପାଣି ଗୋଡ଼ରେ ମାରି ଚାଷଧନ୍ଦା ଓ ମୂଲ ଲାଗି ଧାନ ଛ ସେର ବା ପଇସା ଦି ଅଣା କମଉ କମଉ ଆପଣା ବଳ ବୟସଟା ଅକାରଣ ଗମେଇ ଦେବା ଅପେକ୍ଷା ସହରକୁ ଆସି ହାକିମ ହୁକୁମା ଓ ବଡ଼ ଲୋକଙ୍କ ପାଖରେ ଦରମାଖିଆ ଚାକିରି କରି, ଗୋଦାମ ଓ କଳକାରଖାନାରେ, ଅଫିମ ମହକୁମାମାନଙ୍କରେ ପେଟପୁରା ଚାକିରି କରି ପଇସା କମେଇବା ଅଧିକତର ଆନନ୍ଦମୟ ବୋଧ କରୁଥିଲେ । ବାକି ରହିଗଲେ ମଫସଲରେ କେବଳ ଲୁଚାଏ ନିଷ୍କର୍ମା, ନିର୍ବଳୁଆ ଓ ନିର୍ବୁଦ୍ଧିଆ । ସେମାନଙ୍କ ଦେହି ଶାଗ ସିଝିବ ନାହିଁ । ଫଳତଃ ସେହିମାନଙ୍କ ହାତରେ ଗ୍ରାମର କୃଷି, ଗ୍ରାମର ସ୍ୱାସ୍ଥ୍ୟ ରହିଲା । ଏଥିପାଇଁ ଗ୍ରାମକୁ ସ୍ୱାସ୍ଥ୍ୟକର ରଖିବା ଓ କୃଷିର ଉନ୍ନତି କରିବା ଏ ଦୁଇକଥା ଅସମ୍ଭବ ହେଲା । ମନୁଷ୍ୟ ଯେଡ଼େ ଇଚ୍ଛା ତେଡ଼େ ବଡ଼ ହେଉ, ଯେଡ଼େ କରାମତ୍ଦାର ହେଉ, ଯେଡ଼େ ପଢ଼ୁଆ ବା ଧନୀ ହେଉ, ଈଶ୍ୱର ତା ଦେହର ମଝିରେ ଗୋଟାଏ ଲମ୍ୱ ଓସାରିଆ ଗହୀର ରଖି ଅଛନ୍ତି, ସେଇଟାକୁ କଞ୍ଚା ସଢ଼ା, ଅସିଝା, ଦରସିଝା ତିଅଣ ଦେଇ ଦିନକେ ଦୁଇଥର ଠାରୁ ଚାରିଥର ଭରତି କରିବାକୁ ହେବ । ସେଥିର ଉପାଦାନ ବିଦ୍ୟାଳୟ, କାର୍ଯ୍ୟାଳୟ, ବିଚାରାଳୟ, ସଭାଳୟ, କାରଖାନାଳୟରେ ମିଳିବ ନାହିଁ-। ତାହା ଜନ୍ମାଇବ ମଫସଲର କୃଷିକ୍ଷେତ୍ର । ମା ବସୁଧା ଶସ୍ୟପ୍ରସୂ ନ ହେଲେ ରାଜା ପ୍ରଜା, ଧନୀ ଦରିଦ୍ର, ବିଦ୍ୱାନ, ମୂର୍ଖ, ଗୁରୁ-ଶିଷ୍ୟ, ଓକିଲ ମକ୍କେଲ, ଡାକ୍ତର ମଳୁ, ସୁଖୀ ଦୁଃଖୀ, ସାହେବ ଖାନସମା, ସଭାପତି ସମ୍ପାଦକ, ହାକିମ ଆସାମୀ, ହିନ୍ଦୁ ମୁସଲମାନ, ଗୃହୀ ବୈରାଗୀ ସମସ୍ତେ ଉପାସରେ ଶୁଖିବେ ଓ ମରିବେ । ଏମାନଙ୍କୁ ପୋଷିବା ଭଳି ଶସ୍ୟ ‘‘ନିବାରବୀଜ ଜାତ ବିନା କର୍ଷଣେ’’ ହେବ ନାହିଁ ।
ପୃଥିବୀ ଶସ୍ୟପ୍ରସୁ ହେବା ନିମନ୍ତେ କୃଷି ଆବଶ୍ୟକ । କୃଷି ନିମନ୍ତେ ଭଲ ଜମି, ଭଲ ବିହନ, ଭଲ ବଳଦ, ଭଲରୂପେ କର୍ଷଣ, କୃଷିର ଉତ୍କୃଷ୍ଟ ପ୍ରକ୍ରିୟା ଜଳସେଚନ ଆଦି ଦରକାର । କିନ୍ତୁ ଏହା କରିବ କିଏ ? କୃଷିକ୍ଷେତ୍ରମାନ ସହରରୁ ବହୁ ଦୂରରେ ଅର୍ଥାତ୍ ନିପଟ ମଫସଲରେ । ମନୁଷ୍ୟ ସହରରେ ରହି ମଫସଲରେ କୃଷିକାର୍ଯ୍ୟ କରିବା ଅସମ୍ଭବ । ଯେଉଁମାନେ ମଫସଲ ଛାଡ଼ି ସହରକୁ ବାସ କରିବାକୁ ଆସିବେ, ସେମାନଙ୍କ ଦେହି ଜମି ତରତୁଦ ଆବାଦ କାର୍ଯ୍ୟ ସାଧନ ହେବା ଅସମ୍ଭବ-। ଅତଏବ ଫଳତଃ ଯେଉଁ ଲୁଚାକ ମଫସଲରେ ପଡ଼ି ରହିବେ, ସେହିମାନେ କୃଷିରେ ଲାଗିବେ-। କିନ୍ତୁ ମଫସଲବାସୀଙ୍କ ମଧ୍ୟରୁ ଯାହାଙ୍କର ବୁଦ୍ଧି ଅଛି, ବଳ ଅଛି, ବୟସ ଅଛି, କଳ ଅଛି ସେମାନେ ମଫସଲ ଛାଡ଼ି ସହରରେ ରହିଲେ । ଯେତେକ ନିକର୍ମା, ଅକ୍ଷମ, ନିର୍ବୁଦ୍ଧିଆ, ନିର୍ବଳୁଆ ଓ ଯେଉଁମାନଙ୍କର ମଫସଲରେ ମୋଟ ଖାଇ ରୋଟ ପିନ୍ଧି ପହି ରହିବା ଛଡ଼ା ଗତ୍ୟନ୍ତର ନାହିଁ, ସେହିମାନେ ହେଲେ ଆମ ଦେଶରେ କୃଷିର କର୍ତ୍ତା, ହର୍ତ୍ତା ବିଧାତା । କୃଷିରୁ ଉତ୍ପନ୍ନ ଦ୍ରବ୍ୟରେ ସଂସାର ଆତଯାତ ହେଉଅଛି ଓ ହେବ । ଯାହା ଉପରେ ଦୁନିଆ ନିର୍ଭର କରୁଅଛି, ତହିଁର ଚାବି ରହିଲା ମୂର୍ଖ ଓ ନିର୍ବୁଦ୍ଧିଆ ଗରିବଙ୍କଠାରେ । ଏଥିରେ ଅବଶ୍ୟମ୍ଭାବୀ ଫଳ ଏହିତା ହେଉଅଛି ଯେ, ଆମ ଦେଶର ଲୋକସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଅନୁପାତ ଅନୁସାରେ କୃଷିର ଉନ୍ନତି ହେଉ ନାହିଁ-। ଯେଉଁ ଭୂମି ଆଗେ ୪ ଜଣ ଲୋକଙ୍କ ପେଟ ପୂର୍ଣ୍ଣ କରୁଥିଲା, ବର୍ତ୍ତମାନ ସେ ଭୂମି ୪୦ ଜଣ ଲୋକଙ୍କ ପେଟ ପୂରିବା ପାଇଁ ଶସ୍ୟ ଉତ୍ପାଦନ କଲେ ସମସ୍ତଙ୍କ ପେଟ ପୂରନ୍ତା– କିନ୍ତୁ ସେଥିରୁ ସାବକ ୪ ଜଣଙ୍କ ପେଟ ପୂରିବା ଭଳି ଶସ୍ୟ ଉତ୍ପନ୍ନ ହେବା ଲାଗି ଯେଉଁ ବୁଦ୍ଧି, ଉଦ୍ୟମ ଓ ପରିଶ୍ରମ ଦରକାର, ତାହା ହେଉ ନାହିଁ । ଆମ ଦେଶରେ ‘ଚଷା’ ଠାରୁ ବଳି ତୁଚ୍ଛ ଗାଳି ନାହିଁ ! ଏଥିର ଶେଷଫଳ ଏହିତା ହେଉଅଛି ଓ ହେବ ଯେ, ଆମର ଧନ ଜନ ଗୋପଲକ୍ଷ୍ମୀରେ ସୀମା ରହିବ ନାହିଁ; କିନ୍ତୁ ପେଟର ଦାନା ପାଇଁ ଅନ୍ୟାନ୍ୟ ଶସ୍ୟ-ପ୍ରସୂ ଦେଶମାନଙ୍କ ଉପରେ ନିର୍ଭର କରିବାକୁ ହେବ । ଦେଶରେ ସମୃଦ୍ଧିଶାଳୀ ନଗରମାନଙ୍କର ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ବିଭବଶାଳୀ ଜନପଦମାନଙ୍କର ସଂଖ୍ୟା କମିବ । ସଭ୍ୟତାର ବୃଦ୍ଧି ସଙ୍ଗେ ଦେଶରେ ରେଳ, ଜାହାଜ, ଅଗ୍ନିବୋଟ, ହାଓଆ ଗାଡ଼ି, ଶୂନ ଗାଡ଼ିର ବୃଦ୍ଧି ହେଲା ଓ ଆମ ଦେଶରେ ଶସ୍ୟ ନ ହେଲେ ମଧ୍ୟ ଆମ ହାତରେ ପଇସା ଥିଲେ ଅନ୍ୟ ଦେଶରୁ ଶସ୍ୟ ଆମଦାନି କରି ଆମ ପେଟ ପୋଷି ପାରିବା । ଆମ୍ଭେମାନେ ଏହି ‘ଗେଣ୍ଟ’ରେ ବସିଥାଉଁ; କିନ୍ତୁ କୌଣସି କାରଣରୁ ସଭ୍ୟତାର ଏ ସବୁ ସୁବିଧା ଓ କଳ ଦିନକ ପାଇଁ ସୁଦ୍ଧା ବିଗିଡ଼ିଗଲେ ତହିଁଆର ଦିନ ଆମ୍ଭମାନଙ୍କୁ ଉପବାସରେ ମରିବାକୁ ହେବ । ଆଧୁନିକ ସଭ୍ୟତାର କରାମତ୍ ମୁଁ ଯେମିତି ଦେଖୁଅଛି, ମୋ ମନରେ ସେତିକି ଏହି ଧାରଣା ଦୃଢ଼ତର ହେଉଅଛି । ଦେଶର ନୈସର୍ଗିକ ବିଭବ ଉପରେ ନିର୍ଭର ନକରି କୃତ୍ରିମ ବିଭବ ଉପରେ ନିର୍ଭର କଲେ ତହିଁର ଅବଶ୍ୟମ୍ଭାବୀ ଫଳ ହଟହଟା ଓ ଉପବାସ ।
ପାଶ୍ଚାତ୍ୟ ସଭ୍ୟତା ଯେତେ ଆମ ଦେଶକୁ ଆକ୍ରମଣ କରୁଅଛି, ଦେଶରେ ନଗର ସୃଷ୍ଟି, ଜନପଦର ବିନାଶ, କୃଷିର ଅବନତି, ପରମୁଖାପେକ୍ଷିତାର ବୃଦ୍ଧି ପରିଲକ୍ଷିତ ହେଉଅଛି ଓ କର୍ମାନୁସାରେ ଜାତି ବିଭାଗର ଲୋପ ସଙ୍ଗେ ସଙ୍ଗେ ଧନାନୁସାରେ ଜାତି ବିଭାଗର ସୃଷ୍ଟି ହେଉଅଛି-। ମରହଟିଆ ପୁରୁଣା କାଳର କଥା ଛାଡ଼ି ଦିଅନ୍ତୁ । ମୁଁ ଜଗତ ୪୦ ବର୍ଷ ମଧ୍ୟରେ ଯାହା ଦେଖୁଅଛି, ସେଥିରୁ ମୋର ଧାରଣା ହେଇଅଛି ଯେ, ଆମ୍ଭମାନଙ୍କ ଦେଶରେ ‘ଅଢ଼େଇ ଦିନିଆ’ ବିଭବ ବଢ଼ିଅଛି, କିନ୍ତୁ ନୈସର୍ଗିକ ବିଭବ କମୁଅଛି । ମୁଁ ନିଜେ ପିଲାଦିନେ (ଅର୍ଥାତ୍ ୩୦ ବର୍ଷ ତଳେ) ଏପରି ଗୃହସ୍ଥ ଦେଖିଅଛି, ଯେଉଁମାନେ କେବଳ ଲୁଣ ଗୃହସ୍ଥର ଦୈନନ୍ଦିନ ବ୍ୟବହାରପଯୋଗୀ ଅନ୍ୟାନ୍ୟ କୌଣସି ବସ୍ତୁମାନଙ୍କ ପାଇଁ ପର ଉପରେ ନିର୍ଭର କରୁ ନ ଥିଲେ । ବସୁମାତାଙ୍କ ପ୍ରସାଦରୁ ସେମାନଙ୍କର ନିଜ ନିଜର ଭୂମିର ଉତ୍ପାଦାନରୁ ଭାତ, ଡାଲି, ତିଅଣ, ମାଛ, ଜାଳିବା ତେଲ, ପିନ୍ଧିବା ଲୁଗା, ଶୋଇବା ବିଞ୍ଚଣା ସବୁ ହେଉଥିଲା । ମୋ ପିଲାଦିନେ ଏପରି ଗୃହସ୍ଥ ଦେଶରେ ପଣ ପଣ ମିଳୁଥିଲେ । କିନ୍ତୁ ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରୁ ଫି କଥାରେ ଦାଣ୍ଡକୁ ବଜାରକୁ ନ ବାହାରିଲେ ଓ ଅନ୍ୟ ଉପରେ ନିର୍ଭର ନ କଲେ, ନ ଚଳେ । ଏବେ ଏପରି ଗୃହସ୍ଥ ‘‘ଔଷଧ ପାଇଁ ଆଖିରେ ପକାଇବାକୁ’’ ଖୋଜିଲେ ମଧ୍ୟ ମିଳିବା କଷ୍ଟକର । ଏହାକୁ ହିଁ ପାଶ୍ଚାତ୍ୟ ସଭ୍ୟତାର ଅଭିଧାନରେ କହନ୍ତି, ‘Division of labour’ ବା ‘କର୍ମ-ବିଭାଗ’-! ଆଧୁନିକ ସଭ୍ୟତାର କଳ ଠିକ୍ମତେ ଚଳୁଥିବା ପର୍ଯ୍ୟନ୍ତ ସବୁ କଥା ବେଧଡ଼କ । ଆମ ଦେଶରେ ଖାଦ୍ୟର ଅଭାବ ହେଲା, ଜାହାକରେ ରେଙ୍ଗୁନରୁ ଖୁଦ ଅଣାଇ ନେବା; ମୋ ଦେଶରେ ବସ୍ତ୍ରାଭାବ ହେଲା, ଆଚ୍ଛା, ବିଲାତୀ ଓ ମାର୍କିନ ଲୁଗା ଆଣି ଆମର କାମ ଚଳାଇ ନେବା; ଜାଳିବା ତେଲର ଅଭାବ ହେଲା, ବିଦେଶରୁ ବିଲୋରି ଲମ୍ପ, ବିଜୁଳି ବତୀ, ଗେସ୍ବତୀ, କେରୋସିନ, ପେଟ୍ରୋଲ ତେଲ ଆଣି ଘରଦ୍ୱାର ହାଲୋରମୟ କରିଦେବା; ଶଗଡ଼ ଗାଡ଼ି ଟାଣିବାପାଇଁ ଭଲ ବଳଦର ଅଭାବ ହେଲା, ବିଦେଶରୁ ବଗି, ଟମଟମ୍, ଫିଟନ, ମଟର ଶୂନଗାଡ଼ି ଓ ହାଓଆ ଗାଡ଼ି ଆଣି ମନ ଓରମାନ ମେଣ୍ଟାଇ ନେବା; ଖାଇବାକୁ ଶାକସବଜି ଓ ପରିବାପତ୍ର ଅଭାବ ହେଲା, ବିଦେଶରୁ ପାର୍ଶଲ ଦ୍ୱାରା ନାନାଦି ରକମର ଦେବଭୋଗ୍ୟ ବସ୍ତୁ (ଯଥା– ରୁଟି, ବିସ୍କୁଟ, କେକ, ବୈଜ୍ଞାନିକ ଉପାୟରେ ବହୁ ଦୂରରୁ ଆନୀତ ଅଥଚ ସୁରକ୍ଷିତ ଓ ତଟକା ଫଳମୂଳ, ମାଛ ମାଂସ) ସରବରାହ କରି କର୍ଣ୍ଣ ଓ ଜିହ୍ୱାର ବିବାଦ ମେଣ୍ଟାଇ ଦେବା । ଦୁଧର ଅଭାବ ହେଲା, ବିଦେଶରୁ Condensed milk (ବସା-ଦୁଧ) କିଣି କାମ ଚଳାଇଦେବା । ଏହିପରି ଦେଖାଯାଉଅଛି ଯେ, ଗୋଡ଼ର ଜୋତାଠାରୁ ଆରମ୍ଭ କରି ମୁଣ୍ଡର ଛତା ପର୍ଯ୍ୟନ୍ତ, ଶୋଇବା ବସିବା ଆସନଠାରୁ ଲଗାଏତ ଝାଡ଼ା ଫେରିବା ବାସନ ପର୍ଯ୍ୟନ୍ତ, ଘରେ ଜାଳିବା ଦୀପଠାରୁ ବିବାହ ଉତ୍ସବରେ ଆବଶ୍ୟକ ଦିହୁଡ଼ି ଆଲୋକମାଳା ପର୍ଯ୍ୟନ୍ତ, ରାତି ପିନ୍ଧା ପଖାଳକରାଠାରୁ ଦରବାରର ଲାଖି ପୋଷାକ ପର୍ଯ୍ୟନ୍ତ ଆମର ଦୈନନ୍ଦିନ ବ୍ୟବରୋପଯୋଗୀ ପ୍ରାୟ ସମସ୍ତ ପଦାର୍ଥ ପାଇଁ ଆମକୁ ଆଉ ଚିନ୍ତା କରିବାକୁ ହେଉ ନାହିଁ-। ଦରକାର ହେବା ମାତ୍ରକେ ଦୂର ବିଦେଶରୁ ଆମ ପାଇଁ ବେପାରି ମହାଜନମାନେ ଆଉଲ୍ ଆଉଲ୍ ଦେବଭୋଗ୍ୟ ବସ୍ତୁମାନ ସରବରାହ କରି ଆଣି ଗଞ୍ଜ ମାରି ରଖି ଦେଇଅଛନ୍ତି । କେବଳ ଆମେ ଅଜ୍ ପଇସା ଗୁଡ଼ିଏ କମାଇ ପାରିଲେ ଯଥେଷ୍ଟ ହେବ । ଆଗେ ପୁରାଣ ଆଦିରେ ଶୁଣାଅଛି ଯେ, ପ୍ରବଳ ପରାକ୍ରାନ୍ତ ବୀରମାନଙ୍କୁ ଦେବତା ଓ ଦିକ୍ପାଳମାନେ ଖଟୁଥିଲେ; ବାୟୁ ଦେବତା ପଙ୍ଖା କରୁଥିଲେ, ଅଗ୍ନି ଦେବତା ନିଆଁ ଯୋଗାଉଥିଲେ, ବରୁଣ ରତ୍ନ ଭେଟି ଦେଉଥିଲେ, ଇନ୍ଦ୍ର ପାଣି ଯୋଗାଉଥିଲେ ଓ ବିଜୁଳି ବତି ଯୋଗାଉଥିଲେ, ବିଶ୍ୱକର୍ମା ନଅର ଉଆସ ତୋଳି ଦେଉଥିଲେ, ଅଶ୍ୱିନୀ କୁମାରମାନେ ଔଷଧ ଯୋଗାଣ କରାଉଥିଲେ; ଏବେ ଦେଖାଗଲା ଯେ, ପାଶ୍ଚାତ୍ୟ ବିଜ୍ଞାନ, ପାଶ୍ଚାତ୍ୟ ସଭ୍ୟତା ବଳରୁ ଫି ଘରେ ଘରେ ଦେବତାମାନେ ଆମର ସେବାରେ ଲାଗି ଅଛନ୍ତି, ଅଗ୍ନିଦେବତା ଆମ ପାଇଁ ରେଳ ଜାହଜ ଚଳାଇ ଅଛନ୍ତି, ଇନ୍ଦ୍ର ବିଜୁଳିବତି ଯୋଗାଉ ଅଛନ୍ତି, ପବନ ଦେବତା କଳପଙ୍ଖା ଚଳାଉ ଅଛନ୍ତି ଇତ୍ୟାଦି, ଇତ୍ୟାଦି, କିନ୍ତୁ ମୁଁ ଭାବେ, ଏଗୁଡ଼ାକ ଦ୍ୱାରା ଆମେ ଉନ୍ନତ କରୁଅଛୁ, ନା ଅବନତି ଲଭୁଅଛୁ ? ପାଶ୍ଚାତ୍ୟ ବିଜ୍ଞାନ ଦ୍ୱାରା ଅଦୃଷ୍ଟ ପୂର୍ବ, ଅଶ୍ରୁତ ପୂର୍ବ, ଅନାସ୍ୱାଦିତ ପୂର୍ବ, ଅନାଘ୍ରାତ ପୂର୍ବ, ଅସ୍ପୃଷ୍ଟ ପୂର୍ବ ଜିନିଷ ଓ ଘଟନାମାନ ପ୍ରତ୍ୟକ୍ଷୀଭୂତ ହେଉଅଛି; କିନ୍ତୁ ବିଜ୍ଞାନ ଦିଓଟି କଥା ବଦଳାଇ ପାରି ନାହିଁ-
୧–ଲୋକୋତ୍ପାଦନର ସର୍ବପ୍ରଧାନ ଉପକରଣ (ସ୍ତ୍ରୀ)
୨–ଖାଦ୍ୟୋତ୍ପାଦନର ସର୍ବପ୍ରଧାନ ଉପକରଣ (ଭୂମି) ।
ପୁଲାଙ୍ଗ ମାଲପା ଓ ମାଟି ଦୀପରେ ଆମ ଘର ଉଜାଲା ହେଉଥିଲା, ଏବେ ତହିଁ ପରିବର୍ତ୍ତରେ ବିଜୁଳିବତିରେ ବେଶ କାମ ଚଳୁଅଛି; ଆଗେ ଆମ ଦେଶର ତନ୍ତୀ ବାପୁଡ଼ା ଆମ ପାଇଁ ପିନ୍ଧା ଦୋସଡ଼ା, ଜାମାରୁ ଯୋଡ଼ ଏକପଟା ଦୋପଟା କରୁଥିଲା, ଏବେ ସେଥିପାଇଁ କଳ ହୋଇ ଆମର ବସ୍ତ୍ରାଭାବକୁ ଶତଗୁଣ ଦୂର କଲାଣି; କିନ୍ତୁ ଲୋକୋତ୍ପାଦନ ଓ ଶସ୍ୟୋତ୍ପାଦନ ପାଇଁ ବିଧାତା ସୃଷ୍ଟି ଆଦ୍ୟରୁ ଯେଉଁ ଉପକରଣ ଦିଓଟି ସୃଷ୍ଟି କରିଥିଲେ, ପାଶ୍ଚାତ୍ୟ ସଭ୍ୟତା ବିଜ୍ଞାନ ତହିଁ ବଦଳରେ ଅନ୍ୟ କିଛି Substitute (ପଦାର୍ଥାନ୍ତର) ଆବିଷ୍କାର କରି ପାରିନାହିଁ । ନିକଟ ଭବିଷ୍ୟତରେ ଯେ ପାରିବ, ଏହା ମୁଁ କଳ୍ପନା କରି ପାରୁନାହିଁ । ଏପରି ସ୍ଥଳରେ ଏ ସୃଷ୍ଟିର ଯୋଡ଼ିଏ ବିଶିଷ୍ଟ ଅଭାବ ପୂରଣ କରିବା ପାଇଁ ଅଗତ୍ୟା ଆମ୍ଭମାନଙ୍କୁ ମାନ୍ଧାତାଙ୍କ ଅମଳର ସେହି ପୁରୁଣାକାଳିଆ ପଦାର୍ଥ ଦିଓଟି ଉପରେ ନିର୍ଭର କରିବାକୁ ହେବ । ବିଜ୍ଞାନ ବଳରେ ସଂସାରରେ ସବୁ ଅଭାବ ପୂର୍ଣ୍ଣ ହେଉଅଛି ଓ ହେବ; କିନ୍ତୁ ଏ ଦିଓଟି ଅଭାବ ପୂରଣ ପାଇଁ ଯାହା ଥିଲା, ତାହାହିଁ ଅଛି ଓ ରହିବ । ଲୋକସଂଖ୍ୟା ବୃଦ୍ଧି ପ୍ରସଙ୍ଗ ମୋର ବର୍ତ୍ତମାନ ଆଲୋଚ୍ୟ ବିଷୟ ନୁହେଁ । ଅତଏବ ସେ ସମ୍ୱନ୍ଧରେ ଏଠାରେ ପଦେ ଅଧେ ଅବତାରଣା କରିବା ଅସ୍ୱାଭାବିକ ହେବ ବୋଲି ସେ ପ୍ରସଙ୍ଗର ଇସାରା ମାତ୍ର କଥା ପ୍ରସଙ୍ଗରେ କହିଲି । ବର୍ତ୍ତମାନ କୃଷି ସମ୍ୱନ୍ଧରେ ବିଚାର କରାଯାଉ । ମନୁଷ୍ୟ ବଞ୍ଚି ରହିବାପାଇଁ ଖାଦ୍ୟ ଏକାନ୍ତ ଆବଶ୍ୟକ । ସେ ଖାଦ୍ୟ ପ୍ରତ୍ୟକ୍ଷଭାବରେ ହେଉ ବା ପରୋକ୍ଷଭାବରେ ହେଉ ବସୁମାତା (ଭୂମି) ଆମ୍ଭମାନଙ୍କୁ ଯୋଗାନ୍ତି । ନିରାମିଷଭୋଜିମାନେ ଯାହା ଖାନ୍ତି, ତାହା ଭୂମିରୁ ଉତ୍ପନ୍ନ, ଆମିଷାଶୀମାନେ ଯେଉଁ ଜୀବଜନ୍ତୁଙ୍କ ଦ୍ୱାରା ଆପଣାର କ୍ଷୁନ୍ନି ବୃତ୍ତି କରନ୍ତି, ସେ ଜୀବଜନ୍ତୁମାନଙ୍କ ଆହାର ଭୂମିରୁ ଉତ୍ପନ୍ନ ବା ସଂଗୃହୀତ, ଅତଏବ ଶସ୍ୟହିଁ ମନୁଷ୍ୟ ବଞ୍ଚି ରହିବାର ସର୍ବପ୍ରଧାନ ଓ ସର୍ବପ୍ରଥମ ଆଶ୍ରୟ । ତାହା ଭୂମିରୁ ହିଁ ଉତ୍ପନ୍ନ ହେବ । ଭୂମିରୁ ଶସ୍ୟ ଉତ୍ପନ୍ନ ହେଲେ ମଧ୍ୟ ତାହା ବିନା ପରିଶ୍ରମ, ବିନା କୃଷିରେ ହେବ ନାହିଁ–ଯାହା ଇଚ୍ଛା ତାହା କରି ଗୁଡ଼ିଏ ପରିଶ୍ରମ କଲେ ହେବ ନାହିଁ । ଦିନକୁ କ୍ଷେତ୍ରମାନ ପୂର୍ବ ଅପେକ୍ଷା ବେଶୀ ଫଳ ଉତ୍ପନ୍ନ ନ କଲେ ବଢ଼ୁଥିବା ଲୋକସଂଖ୍ୟା ପାଇଁ ଯଥେଷ୍ଟ ଖାଦ୍ୟ ମିଳିବ ନାହିଁ । ଏଥିପାଇଁ ଫସଲର ଉନ୍ନତିକଳ୍ପେ ଉନ୍ନତତର କୃଷିପ୍ରଣାଳୀମାନ (ଯଥା– ଉତ୍କୃଷ୍ଟ ବୀଜ ସଂଗ୍ରହ ଓ ସଂରକ୍ଷଣ, ଲାଭପ୍ରଦ ଫସଲ ପ୍ରବର୍ତ୍ତନ, ଗଭୀର ଚାଷ, ଜଳସେଚନ, ଭୂମିରେ ବଳପ୍ରଦ ସାର ପ୍ରଦାନ ଆଦି) ଅବଲମ୍ବନ କରିବାକୁ ହେବ । ଏହା କରିବ କିଏ ? ଯେଉଁମାନଙ୍କର ବୁଦ୍ଧି ଅଛି, ବିଦ୍ୟା ଅଛି, ଧନ ଅଛି, ଜ୍ଞାନ ଅଛି, ସେମାନେ ଗ୍ରାମ ଛାଡ଼ି ସହରକୁ ଛୁ ! ସମସ୍ତେ ଯୋଗୀ ହେଲେ ଭିକ ଦେବ କିଏ ? ଫଳତଃ ନିର୍ବୁଦ୍ଧିଆ, ମୂର୍ଖ, ନିର୍ଦ୍ଧନ, ଅଜ୍ଞାନୀ ଲୋକଯାକଙ୍କ ଉପରେ କୃଷି କରିବାର ଭାର ପଡ଼ିଅଛି । ସେଥିରେ ଅନିବାର୍ଯ୍ୟ ଫଳ ଏହିତା ହେଉଅଛି ଯେ, ଆମ ଦେଶରେ କୃଷିର ଉନ୍ନତି ହେଉନାହିଁ ଓ ଦିନକୁ ଦିନ କୃଷକ ଶ୍ରେଣୀଙ୍କ ଅବସ୍ଥା ଅତି ଶୋଚନୀୟ ହୋଇ ଉଠୁଅଛି– ସେମାନଙ୍କ କ୍ଷେତର ଆୟରୁ ଲାଭ ହେବା କଥା ଦୂରେ ଥାଉ, ସେମାନଙ୍କ ନିଜର ପେଟ ପୋଷି ହେବା ଅସମ୍ଭବ ହୋଇ ପଡ଼ୁଅଛି ଓ ସେମାନେ ଦାରିଦ୍ର୍ୟ ଓ ଋଣରେ ଅହରହଃ ପ୍ରପୀଡ଼ିତ । ଯେଉଁମାନଙ୍କର ପାଞ୍ଚ ବାଟୀ ଦଶ ବାଟୀ ଚାଷ ଅଛି, ସେମାନେ ମଧ୍ୟ ମୂର୍ଖ ହଳିଆ ମୂଲିଆଙ୍କ ଉପରେ କୃଷିର ଭାର ଛାଡ଼ି ଦେଇ ସହରରେ ରହିଅଛନ୍ତି । ତାଙ୍କୁ ଯେତିକି ମିଳିଲା ସେତିକିରେ ‘ଯଥା ଲାଭ’ । ଏପରି ସ୍ଥଳରେ ତାଙ୍କର ମଧ୍ୟ ବ୍ୟୟକୁ ଚାହିଁ କୃଷିରୁ ଆୟ ହେଉ ନାହିଁ । କୃଷକ ଉପରେ ଓ କୃଷିର ମଙ୍ଗଳ ଉପରେ ଦେଶର ଅନ୍ନସଂସ୍ଥାନ ନିର୍ଭର କରୁଅଛି– କୃଷକ ଟାଣୁଆ ନ ହେବା ପର୍ଯ୍ୟନ୍ତ ଓ କୃଷି ଗୋଟାଏ ଲାଭଜନକ ଅବଲମ୍ବନ ନ ହେବା ପର୍ଯ୍ୟନ୍ତ ଦେଶ ପ୍ରକୃତ ପ୍ରସ୍ତାବରେ ସୁସ୍ଥ ହେବ ନାହିଁ । ବିଶେଷତଃ, ଭାରତବର୍ଷ କୃଷିପ୍ରଧାନ ଦେଶ । ଶତକରା ୯୦ ଜଣ କୃଷି ଉପରେ ନିର୍ଭର କରନ୍ତି । ଏପରି ସ୍ଥଳରେ କୃଷିର ଉନ୍ନତି କରିବାର ଉପାୟମାନ ଅବଲମ୍ବିତ ନ ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଦେଶକୁ ଦାରିଦ୍ର୍ୟ ଘୋଟି ରହିଥିବ । ଯେତେବେଳେ ଦେଶର ବିଦ୍ୱାନ, ଧନୀ ଓ ଜ୍ଞାନୀ ଲୋକମାନେ କୃଷି ଆଡ଼କୁ ଆଖି ଦେବେ ଓ କୃଷିର ଉନ୍ନତି କରିବେ, ସେତେବେଳେ କୃଷି ଗୋଟିଏ ଲାଭଜନକ ଅବଲମ୍ବନ ହୋଇ ଉଠିବ; ମଧ୍ୟବିତ୍ତ ଓ ଗରିବ କୃଷକମାନେ ସେହି ପ୍ରଣାଳୀ ଅବଲମ୍ବନ କରି ସ୍ୱଚ୍ଛନ୍ଦରେ ଜୀବିକା ନିର୍ବାହ କରିପାରିବେ । ଏହାକୁ ଗଭର୍ଣ୍ଣମେଣ୍ଟ କୃଷିର ଅତ୍ୟାବଶ୍ୟକତା ଉପଲବ୍ଧି କରି ସ୍ଥାନେ ସ୍ଥାନେ ଆଦର୍ଶ କୃଷିକ୍ଷେତ୍ରମାନ ସ୍ଥାପନ କରି ସେଥିରେ ଉନ୍ନତ ଓ ଲାଭଜନକ କୃଷି ପ୍ରକ୍ରିୟାମାନ ପରୀକ୍ଷା ଓ ପ୍ରବର୍ତ୍ତନ କରି ସାଧାରଣ କୃଷକକୁ ସେହି ବାଟ ଦେଖାଇବା ପାଇଁ ଚେଷ୍ଟା କରୁଅଛନ୍ତି । କିନ୍ତୁ ଯେତେବେଳ ଯାଏ ଦେଶର ଶିକ୍ଷିତ, ପଦସ୍ଥ ଓ ବିଭବଶାଳୀ ଲୋକମାନେ ସେ ଆଡ଼କୁ ମନ ଦେଇ ନାହାନ୍ତି, ସେତେବେଳ ପର୍ଯ୍ୟନ୍ତ ସାଧାରଣ କୃଷକ ଆଦର୍ଶ କୃଷିକ୍ଷେତ୍ରର ମାହାତ୍ମ୍ୟ ଉପଲବ୍ଧି କରି ଆଦର୍ଶ କୃଷିକ୍ଷେତ୍ରର ଉଦାହରଣରୁ ପ୍ରାପ୍ତ ଶିକ୍ଷାକୁ କାର୍ଯ୍ୟରେ ପରିଣତ କରି ପାରିବ ନାହିଁ । ବର୍ତ୍ତମାନ ଦେଖାଯାଏ ଯେ, ଭଦ୍ରଲୋକ ଚା ଧନ୍ଦାରେ ଓ ବିଲବାଡ଼ିରେ ଲାଗିବାର ଦେଖାଗଲେ ତାଙ୍କୁ ଲୋକେ କହନ୍ତି, ‘‘ଆପଣ ଏଡ଼େ ଲୋକ ହୋଇ ଏ ଛୋଟ କାମରେ ଲାଗୁଛ ।’’ କିନ୍ତୁ ଯେତେବେଳେ କୃଷି କାମରେ ଲାଗିବା ଆଉ ଛୋଟ-କାମ, ହେୟ କାର୍ଯ୍ୟରେ ସୁମାରି ହେବ ନାହିଁ, ସେତେବେଳେ ଯାଇ କୃଷିର ଉନ୍ନତି ହେବ । ଇଂଲଣ୍ଡ, ଜର୍ମାନି, ଆମେରିକାରେ ବଡ଼ ବଡ଼ ଲୋକମାନେ କୃଷିକୁ ଗୋଟିଏ ଲାଭଜନକ ବ୍ୟବସାୟରେ ପରିଣତ କରିଅଛନ୍ତି । କିନ୍ତୁ ଆମ ଦେଶରେ ସେଇଟା ସବୁଠାରୁ ନିଉଁଛୁଣା ଜୀବିକା ହୋଇଅଛି । କୃଷକର ବର୍ତ୍ତମାନ ପରିଲକ୍ଷିତ ଶୋଚନୀୟ ଅବସ୍ଥା ଆମ ଦେଶର ଗୋଟିଏ ପ୍ରହେଳିକାମୟ ସମସ୍ୟା ହୋଇ ଉଠିଅଛି । ସେ ସମସ୍ୟାର ସାଧନା ନ ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ପରମୁଖାପେକ୍ଷୀ ହୋଇ ରହିବାକୁ ହେବ । ସାଧାରଣ କୃଷକର ଯଥେଷ୍ଟ ଭୂମି ନାହିଁ, ଯଥେଷ୍ଟ ମୂଳଧନ ନାହିଁ, ଯଥେଷ୍ଟ ବୁଦ୍ଧି ନାହିଁ, ଯଥେଷ୍ଟ ବିଦ୍ୟା ନାହିଁ । ଏଗୁଡ଼ିକ ପୂରଣ କରିବା ନିମନ୍ତେ କେତେଗୁଡ଼ିଏ ଅନୁଷ୍ଠାନ ଦରକାର । ଗଭର୍ଣ୍ଣମେଣ୍ଟ ସେ ଆଡ଼କୁ ଦୃଷ୍ଟି ପକାଇଛନ୍ତି ସତ୍ୟ, ଦେଶରେ ପ୍ରାଥମିକ ଶିକ୍ଷା ବିସ୍ତାର, ଆଦର୍ଶ କୃଷିକ୍ଷେତ୍ର ସ୍ଥାପନ, ସମବାୟ ଋଣ ସମିତି ସ୍ଥାପନ, ଜମିଦାର ଓ ମହାଜନଙ୍କ ଦାଉରୁ କୃଷକଙ୍କୁ ରକ୍ଷା କରିବା ପାଇଁ ବ୍ୟବସ୍ଥା ପ୍ରବର୍ତ୍ତନ ଏହିପରି କେତେଗୁଡ଼ିଏ ଅନୁଷ୍ଠାନର ସୂଚନା ହୋଇଅଛି ମାତ୍ର । କିନ୍ତୁ ଏସବୁ ସିଦ୍ଧ ହେବା ନିମନ୍ତେ ଦେଶର ମୁଖିଆମାନେ ଅଣ୍ଟା ନ ଭିଡ଼ିଲେ ଓ ନିଜେ ଉଦାହରଣ ଓ ଉଦ୍ୟମ ଦ୍ୱାରା ବାଟ ନ ଦେଖାଇଲେ କୃଷକମାନେ ‘‘ଆଜି ଯେ ତିମିରେ, କାଲି ସେ ତିମିରେ ।’’ ଏଥିପାଇଁ ମୁଁ କହୁଥିଲି ଯେ ସମସ୍ତେ ଗ୍ରାମ ଛାଡ଼ି, ଦେଶ ଛାଡ଼ି କେବଳ ଚାକିରି ଓ ରୋଜଗାର ଉପରେ ନିର୍ଭର କଲେ ହେବ ନାହିଁ, ନିଜ ଦେଶରେ, ନିଜ ଗ୍ରାମରେ ରହି କୃଷକମାନଙ୍କୁ ହେୟ, ଅପଦାର୍ଥ ବୋଲି ଜ୍ଞାନ ନ କରି, କୃଷିକୁ ଜୀବିକାନିର୍ବାହର ଗୋଟିଏ ନଗଣ୍ୟ ଉପାୟ ବୋଲି ମନେ ନ କରି, ଯେଉଁମାନଙ୍କର ଭୂମି ଅଛି, ଶକ୍ତି ଅଛି, ବିଦ୍ୟା ଅଛି, ବୁଦ୍ଧି ଅଛି, ଧନ ଅଛି, ସେମାନେ କୃଷିର ଓ କୃଷକର ଉନ୍ନତି ପ୍ରତି ମନ ଦିଅନ୍ତୁ । ଏଥି ନିମନ୍ତେ କିଛି ସ୍ୱାର୍ଥତ୍ୟାଗ କରିବାକୁ ହେବ ନାହିଁ । ବିଦ୍ୱାନ୍ମାନେ କୃଷି ଆଡ଼କୁ ମନ ଦେଲେ କୃଷିର ଉନ୍ନତି ଉପାୟ ଅବଲମ୍ବନ ଦ୍ୱାରା କୃଷିର ଲଭ୍ୟ ତାଙ୍କ ପ୍ରତି ମଧ୍ୟ ଆୟଜନକ ଓ ଲାଭଜନକ ହେବ ବୋଲି ମୋର ଧାରଣା । ସଙ୍ଗେ ସଙ୍ଗେ ତାଙ୍କ ପ୍ରବର୍ତ୍ତିତ ଉପାୟମାନ ସାଧାରଣ କୃଷକ ଅବଲମ୍ବନ କରି, ତାଙ୍କ ଉଦାହରଣକୁ ଅନୁକରଣ କରି ସାଧାରଣ କୃଷକର ଅବସ୍ଥା ମଧ୍ୟ ପରିବର୍ତ୍ତିତ ହେବ । ଏତଦ୍ଦ୍ୱାରା ଦେଶର ବୈଷୟିକ ଉନ୍ନତି ଅବଶ୍ୟମ୍ଭାବୀ । ଏଥିପାଇଁ ମୋର ଧାରଣା ହୋଇଅଛି ଯେ, ବର୍ତ୍ତମାନ ପଲ୍ଲୀରୁ ସହର ଆଡ଼କୁ ଯେଉଁ ସ୍ରୋତ ଉଜାଣି ବହୁଅଛି, ତାହା ଫେରାଇ ପଲ୍ଲୀର କରାମତି ଜାହେର କରିବା ପ୍ରତି ପ୍ରତ୍ୟେକ ଶିକ୍ଷିତ ଓ ପଦସ୍ଥ ବ୍ୟକ୍ତିଙ୍କର ଦୃଷ୍ଟି ପଡ଼ିବା ଅତ୍ୟନ୍ତ ଆବଶ୍ୟକ ହୋଇ ଉଠିଅଛି । ପଲ୍ଲୀ ଆମ୍ଭମାନଙ୍କ ଅବସର ବାସର (holiday) ସମୟର କ୍ରୀଡ଼ାଭୂମି (Recreation ground) ନ ହୋଇ ଆଠକାଳି-ବାରମାସି କାର୍ଯ୍ୟକ୍ଷେତ୍ର ରୂପେ ପରିବର୍ତ୍ତିତ ହେଉ । ପଲ୍ଲୀ ଗ୍ରାମରେ ଶିକ୍ଷିତମାନଙ୍କ ପାଇଁ ଯଥେଷ୍ଟ କାର୍ଯ୍ୟକ୍ଷେତ୍ର ଉନ୍ମୁକ୍ତ ରହିଅଛି । ଦେଖାଯାଉଛି ଯେ, ଅନ୍ୟାନ୍ୟ କ୍ଷେତ୍ରରେ ଆଗକରି ବିଦେଶୀମାନେ ଆସି ଆମ ଦେଶରେ ଲାଭଜନକ ଉପାୟ ଓ ବ୍ୟବସାୟମାନ ଅବଲମ୍ବନ କରି ଆମ ଦେଶରୁ ସରଲବଣୀତକ ଛାଣି ନେଲା ପରେ ଆମ ଦିହରେ ଚେତା ପଶୁଅଛି ଓ ଆମେ ସେ ଉପାୟ ଧରିଅଛୁଁ; କିନ୍ତୁ ଆମେ କର୍ମକ୍ଷେତ୍ରରେ ଉପସ୍ଥିତ ହେଲା ବେଳକୁ, ଉକ୍ତ ଲାଭଜନକ ବ୍ୟବସାୟରେ ପଶିଲା ବେଳକୁ ‘ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି’, ଏ କ୍ଷେତ୍ରରେ ମଧ୍ୟ ଯେତିକି କରିବା ପାଇଁ ବାକି ଅଛି ସେତକ ଶେଷକୁ ଯେପରି ଆମ ହାତରୁ ନ ଖସେ । ନଚେତ୍ ଆମେ ‘ପାଗ ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ-।’ ଆମ ଦେଶର ବାଣିଜ୍ୟ ଆମ ହାତରୁ ଯାଇଅଛି, ଲାଭଜନକ ବ୍ୟବସାୟ ଯାଇଅଛି, ଜମିଦାରୀ ଯାଇଅଛି, ଚାକିରି ଯାଇଅଛି, ଅଛି କେବଳ ବାକି ସେତିକି– ଭିଟାମାଟି । ସେତକ ଚାଲିଗଲେ ଆମେ ଚିରକାଳ କଙ୍ଗାଳ ହୋଇ ପଡ଼ିଥିବା । ଆମରି ଧନରେ ଅନ୍ୟ ଲୋକମାନେ ବିଭବ କରିବେ-। ଆମେ ବଲବଲ କରି ଅନାଇଥିବା । ଏତିକି ଥାଉ ।
(୨୨ଶ ଭାଗ । ୧୩୨୬ । ୧୧ଶ ସଂଖ୍ୟା)
ବର୍ତ୍ତମାନ ସମଗ୍ର ଜଗତରେ ଭବିଷ୍ୟତରେ ଅବିଚ୍ଛିନ୍ନ ଶାନ୍ତି ବିରାଜମାନ କରିବ ବୋଲି ମିତ୍ର ଶକ୍ତିଯାକ ଫ୍ରାନ୍ସ ରାଜଧାନୀ ପାରୀ ନଗରୀରେ ଶାନ୍ତି-ସମ୍ମିଳନୀର (Peace Conference) ବଇଠକ ଆରମ୍ଭ କରିଅଛନ୍ତି– ସେଥିରେ ଆମେରିକା ଯୁକ୍ତରାଜ୍ୟର ପ୍ରେସିଡ଼େଣ୍ଟ ଉଇଲସନ୍ ପ୍ରଥମ ଆହୁତି ଦେଇ ଶାନ୍ତି ଦେବୀଙ୍କୁ ଆବାହନ କରିଅଛନ୍ତି । ତାଙ୍କ ବକ୍ତୃତାରେ ଯେଉଁ ସାର୍ବଜନୀନ ମୈତ୍ରୀବ୍ରତ ଉଦ୍ଘୋଷିତ ହୋଇଅଛି, ତାହା ଜଗତର ପ୍ରତ୍ୟେକ ସଭ୍ୟଜାତିର ଅବଲମ୍ବନୀୟ । ସମଗ୍ର ଜଗତର ଶକ୍ତିମାନଙ୍କୁ ଅନୁମୋଦିତ ଆନ୍ତର୍ଜାତୀୟ ବିଧାନ ମାନଙ୍କ ଦ୍ୱାରା ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଯେଉଁ League of Nations (ଆନ୍ତର୍ଜାତୀୟ ସଂଘ) ପ୍ରତିଷ୍ଠା ହେବାର ପ୍ରସ୍ତାବ ଚାଲିଅଛି, ସେହି ପ୍ରସ୍ତାବକୁ ଶାନ୍ତି ସମ୍ମିଳନୀରେ ଉପସ୍ଥାପିତ କରିବା ଉପଲକ୍ଷରେ ପ୍ରେସିଡ଼େଣ୍ଟ ଉଇଲସନ୍ ଯେଉଁ ଉଦାର ନୀତିମାନଙ୍କର ସାମାନ୍ୟ କଥନମାନ ଘୋଷଣା କରିଅଛନ୍ତି, ତାହା କାର୍ଯ୍ୟରେ ପରିଣତ ହୋଇ ପାରିଲେ ଜଗତରେ ଅଚିରେ ଚିରଶାନ୍ତି ବିରାଜିତ ହେବ, ଏଥିରେ ସନ୍ଦେହ ନାହିଁ । ପ୍ରତି ଦେଶର ଓ ପ୍ରତ୍ୟେକ ଜାତିର ଶାସନପ୍ରଣାଳୀ ତତ୍ତତ୍ ଜାତିର ବ୍ୟକ୍ତିମାନଙ୍କଠାରେ ଶାସନଭାର ନ୍ୟସ୍ତ । ସେମାନେ ଶାସିତମଣ୍ଡଳୀର ପରିଚାରକ ସ୍ୱରୂପ ଆପଣାକୁ ବିବେଚନା କରିବେ, ଦୁର୍ବଳ ଓ କ୍ଷୁଦ୍ର ଜାତିମାନ ପ୍ରବଳ ଓ ପରାକ୍ରାନ୍ତ ଜାତିମାନଙ୍କ ଦ୍ୱାରା ନିଷ୍ପିଷ୍ଟ ଓ ଲୁପ୍ତ ହେବେ ନାହିଁ । ଏହି ଆନ୍ତର୍ଜାତୀୟ ସଂଘ ଯେଉଁ ବିଧିମାନ ପ୍ରଣୟନ କରିବେ, ତାହା ସମସ୍ତ ଜାତି ପାଳନ କରିବାକୁ ବାଧ୍ୟ ହେବେ, ତାହା ପାଳିତ ନ ହେଲେ ଲଙ୍ଘନକାରୀ ପ୍ରତି ଦଣ୍ଡ ହେବାର ଉପାୟ, କ୍ଷମତା ଓ ଉପକରଣ ସେହି ସଂଘଠାରେ ଅର୍ପିତ ହେବ; ଉକ୍ତ ସଂଘରେ ବିଭିନ୍ନ ଜାତିର (Nations) ପ୍ରତିନିଧିମାନେ ସଭ୍ୟଶ୍ରେଣୀଭୁକ୍ତ ହେବେ; ଆନ୍ତର୍ଜାତୀୟ (International) ବିବାଦମାନ ଏହି ସଂଘ (League) ମୀମାଂସା କରିବେ ଓ ସଂଘଙ୍କର ଫଏସଲକୁ ସମଗ୍ର ଜଗତ୍ ନତମସ୍ତକରେ ଗ୍ରହଣ କରିବେ । ଏ ସାମାନ୍ୟକଥନ ଓ ପ୍ରସ୍ତାବମାନ କେବେ କାର୍ଯ୍ୟରେ ପରିଣତ ହେବ, ତାହା ସେହି ବିଶ୍ୱନିୟନ୍ତା ଭଗବାନଙ୍କୁ ଜଣା; କିନ୍ତୁ ଏଗୁଡ଼ିକ କାର୍ଯ୍ୟରେ ପରିଣତ ହେଲେ ସମଗ୍ର ଜଗତ୍ ଶାନ୍ତ ହେବ, ପ୍ରବଳ ପରାକ୍ରାନ୍ତ ଜାତିର ପରରାଜ୍ୟାଧିକାର ଆକାଂକ୍ଷା ଆଗରେ ଦୁର୍ବଳ ଜାତି ଆପଣାକୁ ବଳି ଦେବ ନାହିଁ । ଭଗବାନ୍ ଏ ଦିନ ଆଣିଲେ ପୃଥିବୀରୁ ଯୁଦ୍ଧରୂପ ‘କାଳ’ ଚିରକାଳ ପାଇଁ ବିଦାୟ ଗ୍ରହଣ କରିବ ।
ବିଗତ ଯୁଦ୍ଧରେ ଭାରତବର୍ଷ ଇଂରାଜ-ସାମ୍ରାଜ୍ୟ ପ୍ରତି ଐକାନ୍ତିକ ମମତା ଦେଖାଇ ଯୁଦ୍ଧକ୍ଷେତ୍ରର ଧନ-ଜନ-ମନ-ପ୍ରାଣ ଢାଳି ଦେବାକୁ କୁଣ୍ଠିତ ହୋଇ ନାହିଁ । ଏଥି ସ୍ୱାର୍ଥତ୍ୟାଗର ଫଳସ୍ୱରୂପ ଭାରତବର୍ଷ ଆଜି ସଭ୍ୟ ଜାତିମାନଙ୍କ ସଙ୍ଗେ ଗୋଟିଏ ଆସନ ପାଇ ପାରିଅଛି । ଆଜିପର୍ଯ୍ୟନ୍ତ ପାଶ୍ଚାତ୍ୟ ସଭ୍ୟଜଗତରେ ଯେତେଗୁଡ଼ିଏ Peace Conference (ଶାନ୍ତି ସମ୍ମିଳନୀ) ର ବୈଠକମାନ ହୋଇଥିଲା । ଭାରତ ବିଜିତଜାତିରୂପେ ପରିଗଣିତ ହୋଇ ସେଥିରେ ପ୍ରବେଶାଧିକାର ପାଇ ନ ଥିଲା । କିନ୍ତୁ ଆଜି ଉଦାର ବ୍ରିଟିଶ ଜାତି ଭାରତକୁ ସ୍ୱାୟତ୍ତ ଶାସନ ଦେବା ଲାଗି ପ୍ରତିଶ୍ରୁତ ହୋଇ ଅଛନ୍ତି ଓ ଭାରତବାସୀଙ୍କୁ ରାଜକୀୟ ସମାନ ଅଧିକାର ପ୍ରଦାନ କରିବାକୁ କୁଣ୍ଠିତ ହେଉ ନାହାନ୍ତି, Peace Conference (ଶାନ୍ତି ସମ୍ମିଳନୀ)ରେ ଭାରତୀୟ ପ୍ରତିନିଧିମାନଙ୍କୁ ଆଜି ଯେଉଁ ଆସନ ମିଳିଲା, ଭାରତବାସୀ ତଦ୍ଯୋଗ୍ୟ ବୋଲି ସଭ୍ୟଜଗତକୁ ଦେଖାଇ ପାରିଲେ ଭାରତର ଦୁର୍ଦ୍ଦଶା ରହିବ ନାହିଁ । ବ୍ରିଟିଶ ଜାତିର ଏହି ଉଦାରନୀତି ଆଜି ତାକୁ ସମଗ୍ର ସଭ୍ୟଜଗତରେ ପୂଜ୍ୟ ଓ ସମ୍ମାନାର୍ହ କରିଅଛି । ଜନୈକ ଭାରତୀୟଙ୍କୁ ‘Lord’ (ଲର୍ଡ଼) ଉପାଧି ଦେଇ ଇଂଲଣ୍ଡରେ ପ୍ରତିଷ୍ଠିତ ଭାରତ-ଶାସକ-ସମିତିର (India Council) ସହକାରୀ ସମ୍ପାଦକ (Under Secretary of State for India) ରୂପେ ବରଣ କରି ଉଦାର ଇଂରାଜୀ ଜାତି ସମଗ୍ର ଜଗତକୁ ଦେଖାଇ ଦେଇ ଅଛନ୍ତି ଯେ, ଭାରତବର୍ଷକୁ ଉଚ୍ଚ ଆସନ ଦେବାର ପ୍ରସ୍ତାବ କେବଳ ମାତ୍ର ‘‘ପୋଥି ପାଠ’’ ନୁହେଁ । ଯେଉଁ Lord ଉପାଧି ବ୍ରିଟିଶମାନଙ୍କର ଏକଚାଟିଆ ଥିଲା, ଯେଉଁ House of Lordsରେ ବ୍ରିଟିଶ ଜାତୀୟ କୁଳୀନ ବ୍ୟକ୍ତିମାନଙ୍କର ପ୍ରବେଶାଧିକାର ଥିଲା,, ସେଥିରେ ଆଜି ବ୍ରିଟିଶ ଜାତି ଜଣେ ଭାରତୀୟଙ୍କୁ ସ୍ୱେଚ୍ଛାରେ ବରଣ କରିଅଛନ୍ତି ଓ ସମାନ ଅଧିକାର ପ୍ରଦାନ କରି ଅଛନ୍ତି । ଭାରତ ପକ୍ଷରେ ଏହାଠାରୁ ବଳି ଗୌରବର ବିଷୟ କଣ ହୋଇପାରେ ? ସମ୍ରାଟ୍ ପଞ୍ଚମଜର୍ଜ ପାର୍ଲିଆମେଣ୍ଟ ମହାସଭା ଉଦ୍ଘାଟନ କରିବା ଉପଲକ୍ଷରେ ଯେଉଁ ଅବତାରଣା କରି ବକ୍ତୃତା କରିଅଛନ୍ତି, ସେଥିରେ ଭାରତ ପ୍ରତି ଯେଉଁ ସ୍ନେହ ଓ ଆଶାର ବାଣୀ ଶୁଣାଇଅଛନ୍ତି, ତାହା ଶୁଣି କେଉଁ ଭାରତବାସୀର ହୃଦୟ ଆନନ୍ଦ ଓ ଆଶାରେ ନାଚି ଉଠିନାହିଁ ? ବିଲାତର ଷ୍ଟେଟ ସେକ୍ରେଟାରୀ ଓ ଭାରତର ବଡ଼ଲାଟ୍ ଭାରତର ଶାସନ-ସଂସ୍କାର ସମ୍ବନ୍ଧରେ ଯେଉଁ ପ୍ରସ୍ତାବମାନ (India Reforms Scheme) ଖସଡ଼ା କରିଅଛନ୍ତି, ସେ ସମ୍ବନ୍ଧରେ ବର୍ତ୍ତମାନ ପାର୍ଲିଆମେଣ୍ଟ ନିଯୁକ୍ତି କମିଟିମାନ ସରଜମିନ ତଦନ୍ତ ଓ ଅନୁସନ୍ଧାନ କରୁଅଛନ୍ତି ଓ ସେମାନେ ରିପୋର୍ଟ କରିବା ମାତ୍ରକେ ତାଙ୍କ ରିପୋର୍ଟ ପାର୍ଲିଆମେଣ୍ଟରେ ଉପସ୍ଥାପିତ ହୋଇ ଶୀଘ୍ର ଭାରତୀୟ ଶାସନ-ସଂସ୍କାର ବିଧିମାନ ପାର୍ଲିଆମାଣ୍ଟର ଚଳିତ୍ ବୈଠକରେ ପାଶ୍ କରିବେ ବୋଲି ସମ୍ରାଟ ଘୋଷଣା କରିଅଛନ୍ତି ।
ଏ ସବୁ ଆଶାର ଚିହ୍ନ ମଧ୍ୟରେ ଖଣ୍ଡେ ଖଣ୍ଡେ କଳାମେଘ ଉଇଁବାର ଦେଖାଯାଉଛି । ଭଗବାନ୍ କରନ୍ତୁ, ସେ ମେଘଖଣ୍ଡମାନ ଫସର ଫାଟିଯାଉ ଓ ସମଗ୍ର ସଭ୍ୟ ଜଗତରେ ଅବିଚ୍ଛିନ୍ନ ଶାନ୍ତି ପ୍ରତିଷ୍ଠିତ ହେଉ । ଏହିସବୁ ଖଣ୍ଡ-ବାଦଲ ମଧ୍ୟରେ ଆୟର୍ଲଣ୍ଡର ବିଦ୍ରୋହ, ଚିନ-ଜାପାନ ବିବାଦ, ଆଫ୍ରିକା ଯୁକ୍ତ ରାଜ୍ୟରେ କେତେଜଣ ଉଦ୍ଦାମ ବ୍ୟକ୍ତିଙ୍କର ବ୍ରିଟିଶ ସାମ୍ରାଜ୍ୟରୁ ସମ୍ପର୍କ ଛିନ୍ନ କରିବାର କଳ୍ପନା, ଭାରତର ରାଜଦ୍ରୋହ ଆଇନକୁ (Sedition Law) ଚିରସ୍ଥାୟୀ-ରୂପେ ବିଧିବଦ୍ଧ କରିବାର ପ୍ରୟୋଜନୀୟତା, ଜର୍ମାନ ସେନାପତି ହିଣ୍ଡେନବର୍ଗଙ୍କ ଦ୍ୱାରା ବହୁ ଲକ୍ଷ ସେନା ସଂଗ୍ରହର ସମ୍ବାଦ ଉଲ୍ଲେଖଯୋଗ୍ୟ ଅଟେ । ବର୍ତ୍ତମାନ ମିତ୍ରଶକ୍ତିମାନଙ୍କ ମଧ୍ୟରେ ଯେଉଁ ବିଜ୍ଞ ପଣ୍ଡିତମାନେ ଅଛନ୍ତି, ସେମାନେ League of Nations ର ମୂଳଭିତ୍ତି ପ୍ରତିଷ୍ଠା କରିବାକୁ ଦୃଢ଼ସଂକଳ୍ପ ହୋଇଅଛନ୍ତି । ସେହି ମୂଳଦୁଆଟି ଠିକଣା ହୋଇଗଲେ ପୃଥିବୀର ସମସ୍ତ ରାକ୍ଷସୀ ଶକ୍ତି, ସମସ୍ତ ଜିଗୀଷା, ଜିଙ୍ଘାସା, ରାଜ୍ୟ-ଲିପ୍ସା, ପରରାଜ୍ୟ ଅଧିକାର କରିବାର ଦୁରାକାଂକ୍ଷା ସମୂଳରେ ଉତ୍ପାଟିତ ହେବ ।
ସଭ୍ୟଜଗତର ଏହି ହାଲଚାଲ ସଙ୍ଗେ ଆମ ଘରର ହାଲଚାଲ ଦୃଢ଼ଭାବରେ ସମ୍ବନ୍ଧ । ଇଉରୋପ ଖଣ୍ଡରେ ମହାସାଗର ହୋଇଥିଲେ ମଧ୍ୟ ତହିଁର ଫଳ ଆମ ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିଅଛି, ସେହିପରି ବର୍ତ୍ତମାନ ଯେଉଁ ଆନ୍ତର୍ଜାତୀୟ ସଂଘ ପ୍ରତିଷ୍ଠିତ ହେବାର ସୂତ୍ରପାତ ହେଉଅଛି, ତହିଁର ଅମୃତମୟ ଫଳ ଓ ଉପକାର ଆମେ ସମସ୍ତେ ଘରେ ଘରେ ପାଇବା ।
ଆମ୍ଭେମାନେ ବର୍ତ୍ତମାନ ଦେଖିପାରିଥାଉଁ ଯେ, ସବୁ କାର୍ଯ୍ୟରେ ଭଗବାନଙ୍କର ଗୂଢ଼ ବିଶ୍ୱଜନୀନ ଉଦ୍ଦେଶ୍ୟ ନିହିତ ଅଛି– ପାଶ୍ଚାତ୍ୟ ସଭ୍ୟ ଜାତିମାନେ ଆପଣାକୁ ଜ୍ଞାନୀ, ସଭ୍ୟ, ଶିକ୍ଷିତ, ବିଜ୍ଞାନୀ ବୋଲି ଗର୍ବରେ ସ୍ଫୀତ ହେଉଥିଲେ ଓ ଅନ୍ୟ ଜାତିମାନଙ୍କୁ ବର୍ବର, ଅଜ୍ଞ ଓ ଅନ୍ଧ ବୋଲି ଆସ୍ଫାଳନା କରୁଥିଲେ । ଆଜି ଜର୍ମାନୀର ରାକ୍ଷସୀ ମାୟାରୁ ଯେଉଁ ଯୁଦ୍ଧ-ବହ୍ନି ସମଗ୍ର ପୃଥିବୀରେ ଯୁଗପତ୍ ଜଳି ଉଠିଲା, ସେଥିରୁ ଦେଖାଗଲା ଯେ, ପାଶ୍ଚାତ୍ୟ ସଭ୍ୟତାର ଆବରଣ ମଧ୍ୟରେ ନିଷ୍ଠୁରତା, ବର୍ବରତା, ଲୋଭ, ଅବିଚାର ପୂର୍ଣ୍ଣମାତ୍ରାରେ ରହିଅଛି । ଏହା ଉପଲବ୍ଧି କରି ପାଶ୍ଚାତ୍ୟ ଜାତିମାନେ ନିଜ ନିଜ ଘର ସାଫି କରିବାକୁ ଚେଷ୍ଟା କରୁଅଛନ୍ତି । ଆଜି ସମଗ୍ର ଜଗତରେ ଯେଉଁ ଶାନ୍ତି-ହୋମର ଆୟୋଜନ ଲାଗିଅଛି, ତାହା ଏହି ନର-ପିଶାଚ-ଯୁଦ୍ଧର ଗୋଟିଏ ଅମୃତମୟ ଫଳ ଅଟେ ଓ ଏହା କାର୍ଯ୍ୟରେ ପରିଣତ ହେଲେ ଆଜି ମହାଯୁଦ୍ଧରେ ଯେଉଁ ଲକ୍ଷ ଲକ୍ଷ ମହାଜୀବ ବଳି ପାଇ ଅଛନ୍ତି, ସେହି ଯାଗର ସୁଫଳ ସମଗ୍ର ଜଗତ୍ ଅଚିରେ ଭୋଗ କରିବ । ଆଧୁନିକ ସଭ୍ୟତା ଓ ବୈଷୟିକ ଉନ୍ନତି ଆମ୍ଭମାନଙ୍କୁ ଓ ବିଶେଷତଃ ଭାରତବାସୀଙ୍କୁ ପର-ମୁଖାପେକ୍ଷୀ ହେବାକୁ ଶିଖାଉଥିଲା– ଆମ୍ଭେମାନେ ଆମ୍ଭମାନଙ୍କ ଅଭାବପୂରଣ କରିବାକୁ ଶିଖୁଥିଲୁଁ– ଏହି ସମୟରେ ଏ ମହାଯୁଦ୍ଧ ପୃଥିବୀକୁ ଘୋଟି ଯିବାରୁ ବିଦେଶରୁ ମାଲମାନ ଆସିବା ଅସମ୍ଭବ ହୋଇ ଉଠିଲା ଓ ପୂର୍ବେ ଆମ୍ଭେମାନେ ବିଦେଶରୁ ଯେଉଁ ଯେଉଁ ଛାପଚିକିଣିଆ ସୌଖୀନ ଓ ପ୍ରୟୋଜନୀୟ ଦ୍ରବ୍ୟମାନ ପାଉଥିଲୁଁ, ତାହାର ଆମଦାନି ଏକପ୍ରକାର ବନ୍ଦ ହୋଇଗଲା । ସମସ୍ତ ଜିନିଷ ମହର୍ଗ ହେଲା ଓ ସମସ୍ତ ଅଭାବ ଅସୁବିଧା ଅନୁଭବ କଲେ । ବିଦେଶରୁ ଆନୀତ ପଦାର୍ଥମାନଙ୍କ ଦ୍ୱାରା ଏ ଅଭାବମାନ ଦେଶୀୟ ଦ୍ରବ୍ୟମାନଙ୍କ ଦ୍ୱାରା ଦୂର କରିବା ନିମନ୍ତେ ସମସ୍ତେ ଜାଗ୍ରତ ହୋଇଅଛନ୍ତି– ଦେଶରେ କୃଷି ପ୍ରତି, ଶିଳ୍ପ ପ୍ରତି, ଦେଶୀୟ ବ୍ୟବସାୟ ପ୍ରତି, ଦେଶୀୟ ପ୍ରଚ୍ଛନ୍ନ ଶକ୍ତିମାନଙ୍କର ସଦ୍ବ୍ୟବହାର ପ୍ରତି ଆମ୍ଭମାନଙ୍କର ଦୃଷ୍ଟି ପଡ଼ିଅଛି । ଏଥିର ଫଳରେ ଆମ ଦେଶରେ ଅନେକଗୁଡ଼ିଏ ଲୁପ୍ତ ସମ୍ପଦର ପୁନରୁଦ୍ଧାର ହେବ, ଲୁପ୍ତ ବ୍ୟବସାୟମାନ ପୁନରୁଜ୍ଜୀବିତ ହେବ । ଲୁଗାର ଅଭାବ ଦୂର ହେବା ପାଇଁ ଦେଶରେ କପାଚାଷ ବଢ଼ିବ, ଦେଶର ମ୍ରିୟମାଣ ତନ୍ତୀମାନେ ପୁନର୍ବାର ଜୀଇଁ ଉଠିବେ, ତୈଳର ଅଭାବ ପୂରଣ ହେବାପାଇଁ ସୋରିଷ, ଜଡ଼ା ଆଦି ଫସଲ ଆବାଦ ହେବ । ଘରର ଅଭାବମାନ ଘରେ ଘରେ ପୂରଣ ହେବ । ଦେଶୀୟ ଶିଳ୍ପର ଉନ୍ନତି ହେବ, ଦେଶରେ ଯୌଥକାରବାରମାନ ଉଦ୍ଘାଟିତ ହେବ; ଏହିପରି ଦେଶର ଅନେକଗୁଡ଼ିଏ ପ୍ରଚ୍ଛନ୍ନ ଓ ଲୁପ୍ତ ପ୍ରାୟ ବିଭବର ସଦ୍ବ୍ୟବହାର କରିବାକୁ ଆମ୍ଭେମାନେ ଶିଖିବୁ । ସରକାର ମଧ୍ୟ ଏ ବିଷୟରେ ଭାରତବାସୀଙ୍କୁ ସାହାଯ୍ୟ କରିବା ନିମନ୍ତେ ଦୃଢ଼ପରିକର ହୋଇଅଛନ୍ତି । ଏଥିଲାଗି ସ୍ଥାନେ ସ୍ଥାନେ ଶିଳ୍ପାଗାର, ବାଣିଜ୍ୟାଗାର, କଳକାରଖାନା, କୃଷିଖାନା ପ୍ରତିଷ୍ଠା କରିବା ବିଷୟରେ ଗଭର୍ଣ୍ଣମେଣ୍ଟ ବିଶେଷ ଉଦ୍ୟମ କରୁଅଛନ୍ତି । ଏସବୁ ଦେଖି ମନେ ହେଉଅଛି, ଏ ମହାଯୁଦ୍ଧରେ କ୍ଷତିପୂରଣସ୍ୱରୂପ ଭାରତର ଶ୍ରୀବୃଦ୍ଧି ସଙ୍ଗେ ସଙ୍ଗେ ଆମ ଘରର ମଧ୍ୟ ଶ୍ରୀବୃଦ୍ଧି ହେବ । ଏଥିପାଇଁ ବିଶ୍ୱନିୟନ୍ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଶୁଭ-ପରିଣାମ ପ୍ରଚ୍ଛନ୍ନ ଭାବରେ ନିହିତ ଥିବାର ଦେଖାଯାଏ ।
(୨୩ଶ ଭାଗ । ୧୩୨୬ । ୧ମ ସଂଖ୍ୟା)
ମାନବ ଜାତିର ଜଣେ ଗୁରୁ କହି ଅଛନ୍ତି, ‘Man, know theyself’ ଅର୍ଥାତ୍ ‘‘ଆହେ ମନୁଷ୍ୟ ! ଆପଣଙ୍କୁ ଚିହ୍ନ !’’ ଆପଣ ଭିତରେ ଯେଉଁ ପାଞ୍ଚ ମନ ପଚିଶ ପ୍ରକୃତି ଅଛି, ଆପଣାର ମନ ଓ ଶରୀର କ୍ଷେତ୍ରରେ ବିବେକଜ୍ଞାନ ସଙ୍ଗେ ହରଘଡ଼ି ଷଡ଼ରିପୁମାନଙ୍କର ଯେଉଁ ବିଷମ ବିବାହ ଲାଗିଅଛି, ସେ ସମସ୍ତ ଆଗ ଥୟ କରି ଜାଣିଲେ ପଛେ ଆପଣାକୁ ମନୁଷ୍ୟ ମଧ୍ୟରେ ସୁମାରି କରିବ । କାରଣ ଏସବୁ ନ ଠଉରାଇ, ଆପଣର ‘ଜୁ’ ନ କଳି ସରଜମିନକୁ ଗସ୍ତ କରିବାକୁ ବାହାରିଲେ ଅନର୍ଥ ଛଡ଼ା ଇଷ୍ଟ ନାହିଁ । ସଂସାରରେ ଚଳିବାକୁ ହେଲେ ପ୍ରଥମେ ଆପଣା ମନ ଚିହ୍ନିବା ଦରକାର । ସେତକ ଠିକଣା କରି ସାରିଲେ ପର ମନ ଚିହ୍ନିବାକୁ ହେବ । ମୁଁ ନିଜେ ଫଳତଃ ଅନୁଭବ କରିଅଛି ଯେ, ମୁଁ ଯେତେଥର ଆପଣା ମନକୁ ନ ଚିହ୍ନି ପରର କାର୍ଯ୍ୟକଳାପ ସମାଲୋଚନା ବା ବିଚାର କରିବାକୁ ଯାଇଅଛି, ସେତେଥର କେବଳ ଅନର୍ଥରେ ପଡ଼ିଅଛି । ପରର କାର୍ଯ୍ୟକଳାପ ଉପରେ ଯେଉଁ ବ୍ୟକ୍ତି ବିଚାର କରି ଆସନ ଗ୍ରହଣ କରେ, ତାହାର ପ୍ରଥମ ଚିନ୍ତା ଏହି ହେବା ଉଚିତ– ‘‘ଅମୁକ ଲୋକ ଯେଉଁ ଘଟଣାଚକ୍ରରେ ପଡ଼ି ସେ କାର୍ଯ୍ୟ କରିଅଛି, ମୁଁ ନିଜେ ସେହିପରି ଘଟଣାଚକ୍ରରେ ପଡ଼ିଥିଲେ କିପରି କାର୍ଯ୍ୟ କରିଥାନ୍ତି ?’’ ଯେବେ ଦେଖି ପାରିବ ଯେ, ମୁଁ ଏବମ୍ଭୁତ ଘଟଣାଚକ୍ରରେ ପଡ଼ିଥିଲେ ଏ ବ୍ୟକ୍ତି ଅପେକ୍ଷା ଉଚ୍ଚତର ବା ନିର୍ଦ୍ଦୋଷତାର କାର୍ଯ୍ୟ କରିଥାନ୍ତି, ତେବେ ଏ ବ୍ୟକ୍ତି ଦଣ୍ଡାର୍ହ; ଯେବେ ମୁଁ ଘଟଣାଚକ୍ରରେ ପଡ଼ିଥିଲେ ଏ ବ୍ୟକ୍ତି ଅପେକ୍ଷା ନୀଚତର ବା ଅଧିକ ଦୋଷଜନକ କାର୍ଯ୍ୟ କରିଥାନ୍ତି, ତେବେ ଏ ବ୍ୟକ୍ତି କ୍ଷମାର୍ହ କିମ୍ବା ଅନ୍ତତଃ କରୁଣାର୍ହ । ଏଥିପାଇଁ ବିଚାରକର ଆସନ, ସମାଲୋଚକର ଆସନ ସାଧାରଣତଃ ଉଚ୍ଚତର କଳ୍ପିତ ହୋଇଥାଏ । କ୍ରୋଧହୀନତା, ଦ୍ୱେଷହୀନତା, ଧୈର୍ଯ୍ୟଶୀଳତା ଏ ସବୁ ବିଚାରକର ଗୋଟିଏ ଗୋଟିଏ ପ୍ରଧାନ ଗୁଣ । ଏ ଗୁଣମାନ ନ ଥିଲେ ବିଚାର ବା ସମାଲୋଚନା ସମୀଚୀନ ହୋଇପାରେ ନାହିଁ । ବିଚାରକ ବା ସମାଲୋଚକ ଆସନ ଗ୍ରହଣ କଲା ପୂର୍ବରୁ ମନୁଷ୍ୟକୁ ‘ରାତି ପିନ୍ଧା’ ପୋଷାକ, ପଖାଳକରା ଲୁଗା ପାଲଟି ପକାଇବାକୁ ହେବ, ବିଚାରକଙ୍କ ପୋଷାକ ପିନ୍ଧିବାକୁ ହେବ । ଯାହାର କାର୍ଯ୍ୟକଳାପ ଉପରେ ମୁଁ ରାୟ ବା ଦଣ୍ଡାଜ୍ଞା ଦେବାକୁ ଯାଉଅଛି, ତା ସଙ୍ଗେ ମୋର ବ୍ୟକ୍ତିଗତ ବୈର, ମନୋମାଳିନ୍ୟ, ମତଭେଦ, ନାନା ବିଷୟରେ ବିବାଦ ଥାଇପାରେ; କିନ୍ତୁ ବିଚାରକର ପବିତ୍ର ଆସନରେ ମୁଁ ଗୋଡ଼ ଦେଲାକ୍ଷଣି ମୋଠାରେ ଗୋଟିଏ କଠୋର କର୍ତ୍ତବ୍ୟ ଲଦି ହୋଇଯାଏ, ଏଥିପାଇଁ ଅଦାଲତରେ ବିଚାରାସନରେ ବସିବା ସମୟରେ ବିଚାରପତିଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ପୋଷାକ (gown)ର ବ୍ୟବସ୍ଥା ହୋଇଥିବାର ଦେଖାଯାଏ । ବିଚାରକ-ପଦବୀର ଗାମ୍ଭୀର୍ଯ୍ୟ ବିଚାରକ ଓ ଜନସାଧାରଣ ବିଶେଷଭାବରେ ଉପଲବ୍ଧି କରିବେ, ଏହି ଉଦ୍ଦେଶ୍ୟରେ ବିଚାରାସନରେ ସ୍ୱତନ୍ତ୍ର ପୋଷାକ ପିନ୍ଧିବାର ବ୍ୟବସ୍ଥା ହୋଇଅଛି । କିନ୍ତୁ ସରକାର ସିନା ପୋଷାକର ବ୍ୟବସ୍ଥା କରିଦେଇ ବସିଅଛନ୍ତି, ବିଚାରକଙ୍କ ମନର ଅଳିଆ ସଫା କରିବା କ୍ଷମତା ସରକାରଙ୍କର ନାହିଁ । କାରଣ ସଂସାରରେ ଦେଖାଯାଉଅଛି ଯେ, ବହୁଶଃ ଅବିଚାର ଦ୍ୱାରା ବିଚାରାସନମାନ କଳୁଷିତ ହେଉଅଛି, ବିଚାରକଙ୍କ ହାତରେ ନ୍ୟସ୍ତ ଥିବା କ୍ଷମତାର ଅପବ୍ୟବହାର ହେଉଅଛି, ବିଚାରାଳୟରେ ଅନେକ ବିଭ୍ରାଟ, ବ୍ୟଭିଚାର ଘଟୁଅଛି । ଏସବୁ କ୍ଷମତାର ଅପଚୟ ଅନିବାର୍ଯ୍ୟ । ବିଚାରକଙ୍କ ଉଚ୍ଚ ସ୍ଥାନକୁ ଯୋଗ୍ୟ ହେବାପାଇଁ କଠୋର ସାଧନା, କଠୋର ସଂଯମ ଆବଶ୍ୟକ । ଆପଣାର ବ୍ୟକ୍ତିଗତ ଖେୟାଲ, ବ୍ୟକ୍ତିଗତ ବିଦ୍ୱେଷ, ବ୍ୟକ୍ତିଗତ ମତ ଏଗୁଡ଼ିକ ହୃଦୟରୁ ପୋଛି ନ ପକାଇଲେ ବିଚାରକ ପ୍ରତି ମୁହୂର୍ତ୍ତରେ ବାଟ ହୁଡ଼ିବା ଅବଶ୍ୟମ୍ଭାବୀ ହୋଇଉଠେ-। ମନୁଷ୍ୟ ପକ୍ଷରେ ବ୍ୟକ୍ତିଗତ ସ୍ୱାର୍ଥକୁ ସାର୍ବଲୌକିକ ସ୍ୱାର୍ଥ ଆଗରେ ବଳି ଦେବା ଯେଉଁପରି କଷ୍ଟସାଧ୍ୟ, ସାଧାରଣଙ୍କ ମତ ଆଗରେ ବ୍ୟକ୍ତିଗତ ଜୀବନକୁ ବିସର୍ଜନ କରିବା ଯେଉଁପରି କୃଚ୍ଛ୍ରସାଧ୍ୟ, ବିଚାରକଙ୍କ ପକ୍ଷରେ ବ୍ୟକ୍ତିଗତ ଦ୍ୱେଷ, କ୍ରୋଧ ଆଦି ତ୍ୟାଗ କରି ବିବେକ ଓ କର୍ତ୍ତବ୍ୟଜ୍ଞାନ ଦ୍ୱାରା ଆପଣା ବିଚାରକୁ ନିୟନ୍ତ୍ରିତ କରିବା ମଧ୍ୟ ସେହିପରି କଷ୍ଟସାଧ୍ୟ । ଏଥିରେ କେତେ ଜଣ କୃତକାର୍ଯ୍ୟ ହେଉଅଛନ୍ତି, ତାହା ଦେଖିବାକୁ ଗଲେ ଓ ସେଗୁଡ଼ିକ ତନ୍ନ ତନ୍ନ କରି ସମାଲୋଚନା କରିବାକୁ ଗଲେ ଜଣ ଜଣକର ବିଷୟ ଘେନି ଗୋଟିଏ ଗୋଟିଏ ‘ମହାଭାରତ ଗ୍ରନ୍ଥ’ ହୋଇଯିବ । ତା ପରେ ମଧ୍ୟ ଦେଖାଯାଏ ଯେ, ଘଟଣା ବେଳେ ପକ୍ଷମାନେ ଯେଉଁ ଘଟଣା-ଚକ୍ର ଆବର୍ତ୍ତରେ ପଡ଼ି ଆପଣାର ବିବେକଜ୍ଞାନ ରୂପ ଭାରକେନ୍ଦ୍ରକୁ ଥୟ କରି ନ ପାରି ବାଟ ହୁଡ଼ିଯାନ୍ତି, ବିଚାରକ ବିଚାରକାମଡ଼ାରେ ବିଜୁଳିବତି ଓ ଫଙ୍ଖା ତଳେ ଗଦିଲଗା ଚୌକିରେ ବସି ହାଓଆ ଖାଉ ଖାଉ ପକ୍ଷମାନଙ୍କର ଘଟଣାକାଳୀନ ଅବସ୍ଥା ଠଉରାଇ ନେବା ସହଜ କଥା ନୁହେଁ । ଏହି ସବୁ ଥୟ କରି ଛୁଞ୍ଚି ମାଛି ପରଖ କରି, ନିକିତି ତୁଳ ରାୟ ଦେବା ପ୍ରକୃତ ବିଚାରକର କାର୍ଯ୍ୟ । ସମାଲୋଚକ ପକ୍ଷରେ ମଧ୍ୟ ଉପରୋକ୍ତ ମନ୍ତବ୍ୟମାନ ପ୍ରୟୋଜ୍ୟ ଅଟେ ।
ସାଧାରଣତଃ ଦେଖାଯାଏ ଯେ, ସମାଲୋଚକ ‘ପରପୁଅ’ ସମ୍ବନ୍ଧରେ ଯେଉଁପରି ସମାଲୋଚନା କରିଅଛନ୍ତି, ସେହି ଆଦର୍ଶ ଘେନି ସେ ଆପଣାର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିପାରନ୍ତି ନାହିଁ– ଏଥିଲାଗି ଲୋକେ କହିଥାନ୍ତି– ‘‘ବତେଇ ଦିଏ ପରକୁ, ବୁଦ୍ଧି ନ ଆସେ ଘରକୁ-।’’ ‘‘ରାଜନ୍ ! ସର୍ଷପ ମାତ୍ରାଣି ପରଚ୍ଛିଦ୍ରାଣି ପଶ୍ୟସି । ଆତ୍ମନୋ ବିଲ୍ୱରୁପାଣି ପଶ୍ୟନ୍ନପି ନ ପଶ୍ୟସି-।’’ ‘‘ଗୋଦରି ଲୋ ! ଆପଣା ଗୋଡ଼କୁ ଚାହିଁ’’ ଇତ୍ୟାଦି । ସାଧାରଣତଃ ଦେଖାଯାଏ ଯେ, ଅଳ୍ପ ବହୁତ ସମସ୍ତେ ପରର କାର୍ଯ୍ୟକଳାପକୁ ସମାଲୋଚନା କରିଥାନ୍ତି ଓ ଅଧିକାଂଶ ସମାଲୋଚକ ପର ଉପରେ ଅଳିଆଗଦା ଲଦିଦେଇ ମନ ସୁଖ ଭୋଗ କରନ୍ତି; କିନ୍ତୁ ଆମ୍ଭେମାନେ ସମାଲୋଚକର କଠୋର ଓ ପବିତ୍ର କର୍ତ୍ତବ୍ୟ ଉପଲବ୍ଧି କରୁଥିଲେ, ଆପଣା ଆପଣା ଅନୁଭବରୁ ମନୁଷ୍ୟ ଦୁର୍ବଳତା ଓ ଘଟଣାଚକ୍ର ଉପରେ ମନୁଷ୍ୟର ଅନଧିକାର ହୃଦୟଙ୍ଗମ କରୁଥିଲେ, ପୃଥିବୀରେ ତୀବ୍ର ସମାଲୋଚନା, କଠୋର କଟାକ୍ଷପାତର ମାତ୍ରା ଅନେକ ପରିମାଣରେ କମୁଥାନ୍ତା-। ଆହୁରି ମଧ୍ୟ ଦେଖାଯାଏ ଯେ, ଅନେକ ସମାଲୋଚନାର ଅପ୍ରିୟତାର ମୂଳ ଅନୁସନ୍ଧାନ କଲେ ତହିଁରେ ବ୍ୟକ୍ତିଗତ ପୂର୍ବେବୈର, କାର୍ଯ୍ୟକ୍ଷେତ୍ରରେ ପ୍ରତିଦ୍ୱନ୍ଦିତା, ସମାଲୋଚିତ ବ୍ୟକ୍ତିଙ୍କ ଶତ୍ରୁପକ୍ଷୀୟ ବ୍ୟକ୍ତିଙ୍କର ଗୁପ୍ତ ପ୍ରେରଣା ଧରା ପଡ଼ିଯାଏ । କିନ୍ତୁ ଜନସାଧାରଣ ସେ କଥା ବୁଝନ୍ତି ନାହିଁ-। ଅଧିକାଂଶ ସମୟରେ ସମାଲୋଚକ ଯେଉଁ କୁହୁଡ଼ି ଓ ଜାଲ ମେଲି ଦେଇଥାନ୍ତି, ସେଥିରେ ସାଧାରଣ ଅନ୍ଧାରକଣା ହୋଇଯାନ୍ତି ଓ ସମସ୍ତ ତଥ୍ୟ ଅନୁସନ୍ଧାନ ନ କରି ଜନସାଧାରଣ ମଧ୍ୟ ସମାଲୋଚକଙ୍କ ଢୁଆ ଧରି ହଡ଼ା ଠେଙ୍ଗୁରେ କୁଆ ହାଣିଲା ଭଳିଆ ରକ୍ତବୁହା କରି ପକାନ୍ତି-। ମୁଁ ମଧ୍ୟ ଏ ଦୋଷରୁ ବହିର୍ଭୁତ ନୁହେଁ । ମୁଁ ନିଜେ ମଧ୍ୟ ଏହିପରି କେତେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ଠେଙ୍ଗୁରେ ଥଣ୍ଟ ବସାଇଅଛି । ତତ୍କାଳୀନ ଘଟଣାଚକ୍ରରେ, ଘଟଣାଚକ୍ରର ଉତ୍ତେଜନାରେ, ରକ୍ତର ଉଷ୍ଣତାରେ, ବ୍ୟକ୍ତିଗତ ଭାବର ଆବେଗରେ ମୁଁ ମୋର ପବିତ୍ର କର୍ତ୍ତବ୍ୟ ଭୁଲିଯାଇ କେତେ ଲୋକଙ୍କୁ ‘କୁଆ ବୁଆ’ କରିଅଛି । ବର୍ତ୍ତମାନ ମୁଁ ମୋର ହେୟତା, ଅଯୋଗ୍ୟତା, ଅପଦାର୍ଥତା, ଅକିଞ୍ଚନତ୍ୱ କେତେକ ପରିମାଣରେ ଉପଲବ୍ଧି କରିପାରିଅଛି । ତଥାପି ବେଳେ ବେଳେ ଏ ଅବୁଝା ମନ ‘ଲଗାମ’ ମାନୁନାହିଁ, ଅଙ୍କୁଶକୁ ଡରୁନାହିଁ କାହିଁକି ? ଯେଉଁ ସ୍ଥାନରେ ବସିବାକୁ ମୋର ଅଧିକାର ନାହିଁ, ମୋର ଶକ୍ତି ନାହିଁ, ମୋର ଯୋଗ୍ୟତା ନାହିଁ, ମୋର ପବିତ୍ରତା ନାହିଁ, ସେ ସ୍ଥାନ ପାଇବା ନିମନ୍ତେ ମୁଁ ବେଳେ ବେଳେ ପ୍ରଣୋଦିତ ହେଉଛି କିଆଁ ? ମୁଁ ବସ୍ତୁତଃ ଯାହା ନୁହେଁ, ଜନସାଧାରଣଙ୍କ ଆଖିରେ ତାହା ଅପେକ୍ଷା ଗୋଟିଏ ଉଚ୍ଚତର ଚିତ୍ର ପ୍ରତିପାଦିତ କରିବାକୁ ମୁଁ ଏତେ ଉତ୍କଣ୍ଠିତା କିଆଁ ? ମୋର ଯେତେଗୁଡ଼ିଏ ସାଧାରଣ ସୁଲଭ ଦୋଷ ଓ ମଇଳା ଅଛି, ସେଗୁଡ଼ିକ ରଙ୍ଗିନ୍ ଛିଟପରଦା ତଳେ ଲୁଚାଇବାକୁ ମୋର ଏତେ ଉଦ୍ବେଗ କାହିଁକି ? ‘ପରୋପଦେଶେ ପାଣ୍ଡିତ୍ୟଂ’ ପ୍ରକାଶ କରିବାକୁ ମୁଁ ସର୍ବଦା ମୁସ୍ତେଜ ହେଉଅଛି କିଆଁ ? ମୁଁ ପ୍ରକୃତରେ ଯାହା, ତାହା ଯଦି କେହି ଦାଣ୍ଡରେ ଫିଟାଇ କହି ଦେଉଅଛି, ସେଥିପାଇଁ ମୁଁ ତାହା ଉପରେ ବିରକ୍ତ ହୁଏ କିଆଁ ? ମୁଁ ଯେଉଁ ପ୍ରଣାଳୀରେ ପରର କାର୍ଯ୍ୟ ସମାଲୋଚନା କରିଥାଏଁ, ସେଂହି ପ୍ରଣାଳୀରେ, ସେହି ଅନୁପାତରେ ମୋ କାର୍ଯ୍ୟକଳାପ କେହି ସମାଲୋଚନା କଲେ ମୁଁ ନିଆଁ ଖପରା ହୋଇଯାଏ– କାହିଁକି ? ଏହା ମନୁଷ୍ୟ ପ୍ରକୃତିର ଦୁର୍ବଳତା ଛଡ଼ା ଆଉ କିଛି ନୁହେଁ । ମୁଁ ଯେଉଁ କଥା ଲାଗି ପରକୁ ଧିକ୍କାର କରେ, ଦଣ୍ଡ ଦିଏଁ, ଖୁଣୁଥାଏଁ, ମୋଠାରେ ସେହି ସେହି ଦୁର୍ଗୁଣମାନ ପୂର୍ଣ୍ଣମାତ୍ରାରେ ରହିଅଛି, ଅଥଚ ତାହା ସଂଶୋଧନ କରିବାକୁ ମୋର ଆନ୍ତରିକ ଇଚ୍ଛା; କିନ୍ତୁ ପରପୁଅ ସେ କଥା କଲା ମାତ୍ରକେ ମୁଁ ତାହା ବିଚ୍ ବଜାରରେ ନାଗରା ଦେଇ ଜାହେର କରିଦିଏଁ । ଏହା ମନୁଷ୍ୟପ୍ରକୃତିର ଦୁର୍ବଳତା । ଏ ଦୁର୍ବଳତା ଏଡ଼ି, ଏ ବୀଚତାର ଉପରକୁ ଉଠିପାରିଲେ ମନୁଷ୍ୟ ଦେବତ୍ୱ ଆଡ଼କୁ ଅଗ୍ରସର ହୁଏ ନଚେତ୍ ‘‘ଯେତେ ମାଠୁଥିବ ମାଠ, ମୁଁ ସେହି ଦରପୋଡ଼ା କାଠ ।’’ ଏଥିପାଇଁ କବି ଗାଇଲେ :–