ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ · ଭାଗ ୩ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
୨୧ଶ ଭାଗ । ୧୩୨୫ । ୧୧ଶ ସଂଖ୍ୟା
ଗଲା ଥରକ ଆମ ଘରର ହାଲଚାଲ ଲେଖୁ ଲେଖୁ ମୁଁ କହିଥିଲି ଯେ, ବର୍ତ୍ତମାନ ଭାରତରେ ଯେଉଁ ଆକାଂକ୍ଷା ଜାଗ୍ରତ ହୋଇଅଛି, ଯେଉଁ ଆନ୍ଦୋଳନ ଲାଗିଅଛି, ସେଥିରୁ ଆମେ ଉତ୍କଳୀୟମାନେ ସ୍ୱତନ୍ତ୍ର ରହି ଓଡ଼ିଆ ଜାତିର ସ୍ୱାତନ୍ତ୍ର୍ୟ ଦେଖାଉଅଛୁଁ । ସେହି ପ୍ରସଙ୍ଗରେ କହିଥିଲି ଯେ, ଆମର ‘ନିଷାପ’ ମଧ୍ୟ ସ୍ୱତନ୍ତ୍ର । ଏହି ଓଡ଼ିଶୀ ମତ ବା ନିଷାପକୁ ଆମ ଗ୍ରାମରେ ‘‘କୋଦିଣ୍ଡା ନିଷାପ’’ ବୋଲାଯାଏ । କୌଣସି ଗୋଟିଏ ନିଷାପ ସାଧାରଣ ଦାଣ୍ଡ ନିଷାପରୁ ସ୍ୱତନ୍ତ୍ର ଥିବାର ଦେଖାଗଲେ ତାହାକୁ ଆମ ଗାଁ ଲୋକେ ‘କୋଦଣ୍ଡା ନିଷାପ’ ବୋଲିଥାନ୍ତି । ଏପରି ନାମକରଣରୁ ମୋର ଓ ମୋ ଗ୍ରାମବାସୀଙ୍କର ସ୍ୱ-ଦେଶ-ପ୍ରେମ ପ୍ରମାଣିତ ହେଉଅଛି । ମୋ ଘର ଗେରଦ ଓଡ଼ିଶା, ଜିଲ୍ଲେ କଟକ, ପ୍ରଗନ୍ନେ କୋଦଣ୍ଡା ଦଣ୍ଡ ପାଟରେ; ସେଥିପାଇଁ କୌଣସି ବିଶେଷ ଉଲ୍ଲେଖଯୋଗ୍ୟ ‘ନ୍ୟାୟ’ ମୋ ହାବୁଡ଼ରେ ପଡ଼ିଲେ ମୁଁ ସ୍ୱ-ପ୍ରଗନ୍ନା-ପ୍ରେମରେ ପ୍ରେମୀ ହୋଇ ସେହି ‘ନ୍ୟାୟ’କୁ ମୋ ପ୍ରନ୍ନୋର ନିଜସ୍ୱ କରିବାକୁ ପ୍ରୟାସୀ ହୋଇ ମୋ ପ୍ରଗନ୍ନା ସଙ୍ଗେ ସେହି ନିଷାପର ମହାପ୍ରସାଦ ସମ୍ପର୍କ ବସାଇଦିଏଁ ।
ମୁଁ ମଧ୍ୟ କହିଅଛି ଯେ, ମୋହର ଭଳି କର୍ମବୀର ଆମ ଜନ୍ମଭୂମିରେ ‘ସାଲୁସାଲୁ’ ହେଉଅଛନ୍ତି । ସ୍ୱ-ପ୍ରଗନ୍ନା-ପ୍ରେମ ମୋର ଏକଚେଟିଆ ନୁହେଁ । ଅତଏବ ଅନ୍ୟ ପ୍ରଗନ୍ନାବାସୀ ଓଡ଼ିଶୀ କର୍ମବୀରମାନେ ଓଡ଼ିଶାର ବିଶେଷ ବିଶେଷ ନାମରେ ବିଶିଷ୍ଟ ବିଶିଷ୍ଟ ବସ୍ତୁ, ଘଟଣା, ନିଷାପ, ଅନୁଷ୍ଠାନ ଓ ସମ୍ୱାଦପତ୍ରମାନଙ୍କର ନାମକରଣ କରିବା ସ୍ୱାଭାବିକ । ଓଡ଼ିଶାର ଉନ୍ନତିର ଏହା ଗୋଟିଏ ପ୍ରଧାନ ନିଦର୍ଶନ ବା ମାର୍କା ହେବା ଦରକାର । ଏ କିଛି ନୂଆ କଥା ନୁହେଁ । , କଥା ସବୁ ଦେଶରେ ଅଛି, ମୋ ଦେଶରେ ନ ହେବ କିଆଁ ? କୁମ୍ଭକର୍ଣ୍ଣ ଶାଢ଼ୀ, ମାଣିଆବନ୍ଦୀ ଯଥା– ରଣପୁରୀ ଦୋପଟା, ଚନ୍ଦ୍ରକଣା ଲୁଗା, ଫରାସିଡ଼ାଙ୍ଗା ଧୋତି, ମାର୍କିନ କପଡ଼ା, କାଶ୍ମୀରୀ ଶାଲ, ବ୍ରହ୍ମପୁରୀ ପାଟ, କୁଆଁରପୁରିଆ ହଳଦି, ଗୁଣ୍ଟୁର ଘିଅ, କଣ୍ଠପୁରୀ ଜଡ଼ା, ଶାନ୍ତିପୁରୀ ଚାଦର; ଏହିପରି ଖୋଜିଲେ ହଜାର ହଜାର ଅଞ୍ଚଳ-ବାଚକ ଶବ୍ଦ ହାବୁଡ଼ରେ ପଡ଼ିବ । ତେବେ ମୋର ମୋ ଜାତୀୟ ବୀରଙ୍କର ଦୋଷ କଅଣ ହେଲା ଯେ ମୋ ଗ୍ରାମ ବା ମୋ ଦେଶ ବା ମୋ ପ୍ରଗନ୍ନାର ନାମରେ କୌଣସି ଘଟଣା ବା ନିଷାପର ନାମକରଣ କଲି ମୋ ଅପରାଧ ଅପରିମାର୍ଜନୀୟ ? ଅତଏବ ମୋର ପ୍ରସ୍ତାବ ଏହି କି, ଆମ ଦେଶର ଯେତେଗୁଡ଼ିଏ ବିଶେଷତ୍ୱ ଅଛି, ସେଗୁଡ଼ିକର ଗୋଟିଏ ସ୍ଥାନ ବା ଅଞ୍ଚଳ ଅନୁସାରେ ନାମକରଣ କଲେ ଭବିଷ୍ୟତର ଇତିହାସ ସଂଗ୍ରାହକମାନଙ୍କ ପକ୍ଷରେ ଉତ୍କଳର ନବ-ଇତିହାସ-ସଂକଳନର ମାର୍ଗ ସୁକର ହେବ । ଏ ଗୋଟାଏ ବାଜେ ପ୍ରସ୍ତାବ ମନେ ପଡ଼ିଗଲା ବୋଲି ଏଠାରେ ଲେଖିଦେଲି । ଆପଣମାନେ ମନେ କରିବେ ନାହିଁ ଯେ, ମୁଁ ବର୍ତ୍ତମାନ ଆପଣମାନଙ୍କୁ ଯେଉଁ ହାଲଚାଲ କହିବ, ତାହା ସଙ୍ଗେ ଏ ପ୍ରସ୍ତାବର କିଛି ବିଶେଷ ସମ୍ପର୍କ ଅଛି ।
ଏ ପ୍ରବନ୍ଧର ଆରମ୍ଭରୁ ଭାରତରେ ବର୍ତ୍ତମାନ ଜାଗରିତ ହୋଇଥିବା ଉନ୍ନତି ଆକାଂକ୍ଷାର ପ୍ରସ୍ତାବନା କରୁଥିଲି । ସେହି ଆକାଂକ୍ଷାର ନିଦର୍ଶନ ସ୍ୱରୂପ ସମଗ୍ର ଉତ୍କଳଭାକ୍ଷୀ ପ୍ରଦେଶ ଏକଶାସନାଧୀନ ରହିବା ପାଇଁ ଆମ୍ଭେମାନେ ରାଜ-ସରକାରଙ୍କଠାରେ ଆଜକୁ ୧୦।୧୫ ବର୍ଷ ହେବ ଅଳି କରୁଅଛୁଁ । ସମଗ୍ର ଉତ୍କଳବାସୀ ଓ ଉତ୍କଳଭାକ୍ଷୀ ଏକଶାସନବର୍ତ୍ତୀ ନ ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କର ଜାତୀୟ ଉନ୍ନତି ଓ ରାଜନୈତିକ ଏକତା ସଂସାଧିତ ହୋଇ ପାରିବ ନାହିଁ; ଆମର ଜାତୀୟ ଜୀବନ (National life) ବହଳ (Solid) ହୋଇ ପାରିବ ନାହିଁ । ଏ ସମ୍ୱନ୍ଧରେ କାହାରି ମତଦ୍ୱୈଧ ହୋଇ ନ ପାରେ । ଦେଖନ୍ତୁ ଯେ, ଆମେ ଓଡ଼ିଆ ପୁଏ ‘ବାର ଜାତି ତାର ଗୋଲା’ ହୋଇ ଆମର ସ୍ୱାତନ୍ତ୍ର୍ୟ ହରାଇ ସାରିଥାଇଁ । ଥୋକେ ବଙ୍ଗାଳିଙ୍କ ତଳେ, ଥୋକେ ତେଲେଙ୍ଗାଙ୍କ ସଙ୍ଗେ, ଥୋକେ ମରହଟ୍ଟାଙ୍କ ସଙ୍ଗେ, ଥୋକେ ବିହାରୀଙ୍କ ସଙ୍ଗେ ମିଶିଯାଇ କ୍ରମଶଃ ଆମର ଜାତି ହୀନବଳ ହୋଇଅଛି । ସବୁଠାରେ ମଧ୍ୟ ଦେଖାଯାଇଅଛି ଯେ, ଆମେ ଯେଉଁ ଜାତିଙ୍କ ସଙ୍ଗେ ‘ଘରଦୁଆର’ କରିଅଛୁଁ, ସେମାନେ ଆମ ଜାତିକୁ ସମ୍ମାନ ଚକ୍ଷୁରେ ଦେଖି ନାହାନ୍ତି । ସେହି ସେହି ଜାତିମାନେ ଆମ ଜାତିକୁ ଯେଉଁ ନାମରେ ସମ୍ୱୋଧନ କରିଥାନ୍ତି, ଯଥା:– ବଙ୍ଗ ଦେଶରେ ‘ଉଡ଼େ’, ଦକ୍ଷିଣରେ ‘ଉଡ଼୍ଡ଼ିବାଡ଼ୁ’, ପଶ୍ଚିମରେ ‘ଓଡ଼ିଆ’, ସେ ନାମ ସଙ୍ଗେ ଆଦର, ଭକ୍ତି, ସମ୍ମାନ ବା ସ୍ନେହର ଗନ୍ଧ ସମ୍ୱନ୍ଧ ନ ଥାଏ । ମୁଁ ବେଳେ ବେଳେ ବିଚାରେଁ, ସବୁ ଓଡ଼ିଆଯାକ ଏକାଠେଇଁ ହୋଇଗଲେ କଣ ଏ ଗନ୍ଧଟା ଆମ ଦିହରୁ ଛାଡ଼ିଯିବ ? ମୁଁ ବେଳେ ବେଳେ ଭାବେ, ଗୁଡ଼ାଏ ମଣିଷ ଏକାଠେଇଁ ହେଲେ ଏ ଗନ୍ଧଟା ବେଶି ହେବ ପରା ? ଭାରତରେ ଆମରି ଭଳି ଆଉ ଅନେକଗୁଡ଼ିଏ ଜାତି ଅଛନ୍ତି । ବଙ୍ଗାଳି, ତେଲେଙ୍ଗା, ମରହଟ୍ଟୀ, ପାର୍ସୀ, ମାରବାଡ଼ି, ତାମିଳି, ବିହାରି, ଶିଖ, ପଶ୍ଚିମା । ଆଚ୍ଛା ଯେବେ ଆମକୁ ଗୋଟାଏ ସ୍ୱତନ୍ତ୍ର ଶାସନ ଦିଆଯିବ, ତେବେ ଏମାନଙ୍କୁ ତ ଏହିପରି ଗୋଟିଏ ଗୋଟିଏ ରାଜଗି ଦିଆଯିବା ଦରକାର । ଏଥିର ଉତ୍ତର ଏହିକି, ଆଉ ସମସ୍ତଙ୍କର ଯାହା ଇଚ୍ଛା ତାହା ହେଉ, ଆମର ‘ଝଲକଲଡ଼ୁ’ ଆମକୁ ମିଳିଲେ ହେଲା । ଆମେ ଓଡ଼ିଆଯାକ ଯେପରି ଏକ-ଶାସନାଧୀନ ରହିବାକୁ ଅଳି କରୁଥାଇଁ, ସବୁ ତେଲେଙ୍ଗାମାନେ ମଧ୍ୟ ଏକ-ଶାସନାଧୀନ ରହିବାକୁ ଏହିପରି ଅଳି କଲେଣି । ଦକ୍ଷିଣାଞ୍ଚଳରେ ଯେପରି ତେଲଗୁମାନେ ଆମଙ୍କୁ ତାଙ୍କ ଇଲାକାରେ ଛାଡ଼ିଦେବାକୁ ନାରାଜ, ଉତ୍ତର ପୂର୍ବରେ ବଙ୍ଗାଳିମାନେ ଆମଙ୍କୁ ତାଙ୍କ ‘ହସ୍ତବୁଜି’ ରୁ ଛାଡ଼ି ଦେବାକୁ ନାରାଜ, ଉତ୍ତରରେ ବିହାରିମାନେ ଓ ପଶ୍ଚିମରେ ‘ହିନ୍ଦି’ ଓ ମରହଟ୍ଟୀମାନେ ମଧ୍ୟ ସେହିପରି ଆମଙ୍କୁ ହାତଛଡ଼ା କରିବାକୁ ନାରାଜ । ଉପରୋକ୍ତ ଉନ୍ନତ ଜାତିମାନେ ତତ୍ତତ୍ ପ୍ରଦେଶାନ୍ତର୍ଗତ ଉତ୍କଳଖଣ୍ଡକୁ ତାଙ୍କର ‘ତେଲ-ହଳଦୀ-ପାଟଣା’, ‘ପାନଖିଆ ଜାଗିରି’ ସ୍ୱରୂପ ପୁରୁଷାକ୍ରମେ ଭୋଗ ଦଖଲ କରି ଆସୁଅଛନ୍ତି । ଆମରି ସୁବିଧା ପାଇଁ ସେମାନେ ଆମଠାରୁ ଦସ୍ତ ବରଦାର ହେବେ କିଆଁ ? ଆମେ ମଧ୍ୟ ଦେଖି ପାରିଥାଇଁ ଯେ, କେତେ ବର୍ଷ ପୂର୍ବେ India Government (ଭାରତ ସରକାର) ସମସ୍ତ ଉତ୍କଳଭାଷୀ ପ୍ରଦେଶକୁ ସ୍ୱତନ୍ତ୍ର ଶାସନାଧୀନ ରଖିବାକୁ ସଂକଳ୍ପ କରିଥିଲେ ମଧ୍ୟ Madras Government (ମାନ୍ଦ୍ରାଜ ସରକାର) ତାଙ୍କ ଅଧୀନସ୍ଥ ଉତ୍କଳ-ଖଣ୍ଡରୁ ଦସ୍ତବରଦାର ହେବାକୁ ଅନିଚ୍ଛା ପ୍ରକାଶ କରିବାରୁ ବିଧିବିଡ଼ମ୍ବନାରୁ ଆମ ଫଟା କପାଳ ପୂର୍ବପରି ଦଦରା ରହିଗଲା । ଆମେ ଓଡ଼ିଆଯାକ ଆମରି ଘରେ ମଧ୍ୟ ନିଜର ବିଶେଷତ୍ୱର ପ୍ରତିଷ୍ଠା କରିବାକୁ ସମର୍ଥ ହୋଇଥାଇଁ କି ? ଆଧୁନିକ ରାଜନୈତିକ ଓଡ଼ିଶାରେ ମଧ୍ୟ ଆମ୍ଭେମାନେ ନିଜର ସ୍ୱାତନ୍ତ୍ର୍ୟ ଓ ବିଶିଷ୍ଟତା ବଜାୟ ରଖିବାକୁ ସମର୍ଥ ହୋଇ ପାରିଥାଇଁ କି ? ମୁଷ୍ଟିମେୟ ପାରସି (Parsees) ଜାତି ମଧ୍ୟ ତାଙ୍କର ଆଦିମ ନିବାସରୁ ପଳାଇ ଆସି ଭାରତରେ ଆପଣାର ବିଶେଷ ସ୍ଥାନ ଅଧିକାର କରି ପାରିଅଛନ୍ତି । ମୁଷ୍ଟିମେୟ ଭାରତୀୟମାନେ ପ୍ରଥମେ କୁଲିରୂପେ ଆଫ୍ରିକାକୁ ଯାଇ ସେଠାରେ ବହୁ ଆନ୍ଦୋଳନ ପରେ ଆପଣାର ଦାବି ସୁପ୍ରତିଷ୍ଠିତ କରିବାକୁ ସମର୍ଥ ହୋଇଅଛନ୍ତି । ମୁଷ୍ଟିମେୟ ମାରବାଡ଼ି ଜାତି ବ୍ୟବସାୟ ଉପଲକ୍ଷରେ ଦେଶ ବିଦେଶକୁ ଯାଇ ସେଠାରେ ମଧ୍ୟ ଆପଣାର ସ୍ୱାତନ୍ତ୍ର୍ୟ ବଜାୟ ରଖି ପାରିଅଛନ୍ତି । ଏପରି ସ୍ଥଳରେ ଶହେ ମହଣ ଘିଅ ନ ହେବାରୁ ଆମର ରାଧା ନାଚୁ ନାହାନ୍ତି ବୋଲି ଆମେ ଯେଉଁ ହୁରି ପକାଉଅଛୁଁ, ତାହା କେତେଦୂର ଅନୁଭବସୁସିଦ୍ଧ, ତାହା ମୁଁ ଠିକ୍ରୂପେ ସମଜି ପାରୁନାହିଁ । ‘ଜାତି’ ‘ଜାତି’ ବୋଲି ଆମେ ଦିନରାତି ରାବ କଲେ ସୁଦ୍ଧା ବ୍ୟକ୍ତିବିଶେଷର ସମଷ୍ଟିରେ ଜାତି ଗଠିତ । ବ୍ୟକ୍ତିବିଶେଷଙ୍କର କ୍ରିୟା ଓ ଉନ୍ନତି ଦ୍ୱାରା ଜାତିର ଟେକ ବଜାୟ ରହିଥାଏ । ବ୍ୟକ୍ତିଗତ ଭାବରେ ଆମେ ଆମର ବିଶେଷତ୍ୱ ପ୍ରତିଷ୍ଠିତ କରିବାକୁ ଓ ବଜାୟ ରଖିବାକୁ ଅପାରଗ; ଏପରି ସ୍ଥଳରେ ହଜାରେ ବିରାଡ଼ିକୁ ଗୋଠରେ ପୂରାଇ ଦେଲେ ସେମାନେ ବାଘ ହୋଇଯିବେ କିମ୍ୱା କୋଟିଏ ଓଡ଼ିଆଙ୍କୁ ଏକାଠେଇଁ କରିଦେଲେ ସେମାନେ ଗୋଟାଏ ଉନ୍ନତ ଜାତି ହୋଇଯିବେ, ଏ ଯୁକ୍ତିରେ ମୋ ମନ ମାନୁ ନାହିଁ । ବରଞ୍ଚ ମୁଁ ଅନୁଭବରେ ଦେଖି ପାରିଅଛି ଯେ, ରାଜନୈତିକ ଓଡ଼ିଶାରୁ ବିଚ୍ଛିନ୍ନ ଓଡ଼ିଆମାନେ ଆପଣାର ଜାତୀୟ, ବ୍ୟାବହାରିକ, ବୈଷୟିକ, ଭାଷାଗତ, ସାମ୍ପ୍ରଦାୟିକ ବିଶେଷତ୍ୱ ଯେଉଁ ପରିମାଣରେ ବଜାୟ ରଖିବାକୁ ସମର୍ଥ ହୋଇ ଅଛନ୍ତି ଆମେ ନିପଟ ଓଡ଼ିଶା (Orissa Proper)ରେ ଥାଇ ସୁଦ୍ଧା ସେହି ହାରରେ ଆମର ଉତ୍କଳୀୟତ୍ୱ ଦୃଢ଼ କରିବାକୁ ସମର୍ଥ ହୋଇ ନାହୁଁ । ଉତ୍କଳଭାକ୍ଷୀ ଅଞ୍ଚଳର ଅନ୍ଦାଜ କିସ୍ମତ୍ ବାରପଣ Orissa Proper (ଆଧୁନିକ ରାଜନୈତିକ ଓଡ଼ିଶା)ର ଅନ୍ତର୍ଭୁକ୍ତ ଥାଇ ସୁଦ୍ଧା ଆମେ ଓଡ଼ିଆଯାକ କେତେକ ଶତାବ୍ଦୀ ବଙ୍ଗଦେଶ ଅଧୀନରେ ଥାଇ ବଙ୍ଗାଳିଙ୍କ ସଙ୍ଗେ ଆପଣାର ବିଶେଷତ୍ୱକୁ ଲୀନ କରି ଦେଇଅଛୁଁ । ଆଚ୍ଛା, ଗତ କେତେ ବର୍ଷ ହେଲା ଆମେ ନବ ସୃଷ୍ଟ ବିହାରୋତ୍କଳ ପ୍ରଦେଶ (The province of Behar and Orissa)ର ଅନ୍ତର୍ଭୁକ୍ତ ହୋଇ ଏହି ନବ ପ୍ରଦେଶରେ ଆମର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠିତ କରିବାକୁ ସମର୍ଥ ହୋଇଥାଇଁ କି ? ପ୍ରଚଳିତଭାଷା ଅନୁସାରେ ରାଜନୈତିକ ବିଭାଗର ସୃଷ୍ଟି (Administrative Union of Orissa on a linguistic basis) ହେଲେ ମଧ୍ୟ ସେହି ସୀମା ମଧ୍ୟରୁ କେତେକ ଓଡ଼ିଆ ବାହାରେ ରହିଯିବ ଓ କେତେକ ଅଣଓଡ଼ିଆ (Non Oriya) ଏହି ସୀମା ଭିତରେ ପଶିଯିବେ । କାରଣ, ଆଧୁନିକ ଯୁଗରେ ଭାରତରେ ଯେଉଁ ସମ୍ମିଶ୍ରଣ ଆରବ୍ଧ ହୋଇଅଛି, ସେହି ସମ୍ମିଶ୍ରଣ ଓ ଉପନିବେଶ ପ୍ରଭାବରେ ଏକ ଅଞ୍ଚଳରେ ବିଭିନ୍ନ ଭାଷାଭାଷୀ ଲୋକେ ବସତି କରି ଆସି ଅଛନ୍ତି । ‘‘Thus far and no farther’’ ଏହି ପର୍ଯ୍ୟନ୍ତ ଉତ୍କଳଭାଷୀ ଅଞ୍ଚଳରେ ସୀମା ବୋଲି ଗୋଟିଏ ସୀମାରେଖା (boundary-line) ସୁନିଶ୍ଚିତ ଭାବରେ ଦିଆଯାଇ ପାରିବ ନାହିଁ । ଯେଡ଼େ Linguistic basis (ଭାଷାଗତ ଭିତ୍ତି)ରେ ଗାର ଟାଣିଲେ ସୁଦ୍ଧା ଥୋକେ ପଦାରେ ରହିଯିବେ, ଥୋକେ ଅଣଓଡ଼ିଆ ଏ ସୀମା ଭିତରକୁ ଆସିଯିବେ । ଯେତେକ ଓଡ଼ିଆ ପଦାରେ ରହିଯିବେ, ତାଙ୍କର ଅବସ୍ଥା କଅଣ ହେବ ? ତାଙ୍କ ପାଇଁ ଫେର Backward people (ଅନୁନ୍ନତ ଜାତି) Down trodden people (ନିଷ୍ପିଷ୍ଟ ଜାତି) Benighted people (ଅନ୍ଧାରକଣା ଜାତି) ଆଇନ ବା ବିଧି ଚଳାଇବାକୁ ହେବ । ସେମାନଙ୍କ ଆର୍ତ୍ତନାଦ ଶୁଣିବ କିଏ ? ବା ଶୁଭିବ କେତେଦୂର ? ନା, ସେମାନଙ୍କୁ ଏ ସୀମା ବହିର୍ଭୂତ ଅଞ୍ଚଳରୁ ଉଠାଇ ଆଣି ଚିଲିକାର ହ୍ରଦକୁ ପୋତି ଗୋଟିଏ ଶିକ୍ଷା-ଉପନିବେଶ (Penal Settlement) ବସାଇବାକୁ ହେବ ? ନା, ଯେତେ ଅଣଓଡ଼ିଆ ଆମର ଏ Linguistic Boundary (ଭାଷାଗତ ସୀମା) ମଧ୍ୟରେ ଗଳି ପୁଛି ରହିଯିବେ, ତାଙ୍କୁ ଏ ସୀମାର ବାହାରକୁ ଘଉଡ଼ି ଦେବାକୁ ହେବ ? ନା, ଆଜି ଯେପରି କଟକରେ ‘‘Bengalee Settler’s Association’’ ହୋଇଅଛି, ଭାଷାଗତ ସୀମା ବାହାରେ ରହିଯିବା ଓଡ଼ିଆଙ୍କ ପାଇଁ ସେହିପରି ‘‘Oriya Settlers Association’’ ପ୍ରତିଷ୍ଠା କରିବାକୁ ହେବ ? ଏତେ କରି ସୁଦ୍ଧା ଫେରି ସେହି ମୁଷ୍ଟିମେୟ ଉନ୍ନତ ଜାତିଙ୍କ ରାଜତ୍ୱ ବଳବତ୍ ନ ହେବ କି ? ଏ ସବୁ ମହା ଗହନ ସମସ୍ୟା । ଆମ ଭିତରୁ କେତେଜଣ ଏ କଥା ଦୃଢ଼-ଭାବରେ ଭାବୁଥାଇଁ ? (ଓଃ ! ରାମଚନ୍ଦ୍ରଃ ! ଦେଶର ଓ ଜାତିର କର୍ମବୀରମାନଙ୍କୁ ଏପରି ପଟାପଟ୍ ଗମାର ବୋଲି କହିଦେବାଟା ମୋ ପକ୍ଷରେ କେଡ଼େ ଗମାର-ପଣିଆ !) ଆପାତତଃ ଏ ସମସ୍ୟାକୁ ମୁଁ ଭାବି ନାହିଁ କିମ୍ୱା ପୂରଣ କରିବାକୁ ଚେଷ୍ଟା କରି ନାହିଁ । ଫଳ କଥା ଏହି ହେବ ଯେ, ଆମେ ଆଜି ଯେଉଁଠାରେ ଥାଇଁ, The United Province of Utkal ‘ସମ୍ମିଳିତ ଉଡ଼୍ର ପ୍ରଦେଶ’ର ସୃଷ୍ଟି ହେଲେ ମଧ୍ୟ ଆମେ ସେହିଠାରେ ରହିବା । ‘ଭାଇ ଭାଇ ଠାଇଁ ଠାଇଁ’ ନ ହୋଇ ସବୁ ଭାଇଯାକ ଏକାଠେଇଁ ଏକା ଘରେ ରହିବାକୁ ସୁଖ ନ ପାଏ କିଏ ? ଏ ଅବଶ୍ୟ ଗୋଟାଏ ଭାରି ସୁଖ– କିନ୍ତୁ ଏ ସୁଖ ଭୋଗ କରିବା ଲାଗି ଏ ‘ଏକାନ୍ନ– ଏକ ବାସ’ରେ ରହିବା ଲାଗି ଭାଇମାନଙ୍କର ଯେଉଁ ଉଦ୍ୟମ, ପରିଶ୍ରମ ଓ ଧନ୍ଦାରେ ଲାଗିବା ଦରକାର, ତାହା ସବୁ ଆମର ଅଛି କି ? ସବୁ ଭାଇଙ୍କର ସେତକ ତାକତ୍ ନ ହେବାଯାକେ ସମସ୍ତଙ୍କୁ ଆଣି ଏକ ଘରେ ରୁଣ୍ଡ କରିବାର ଅର୍ଥ ଏହି ଯେ, ସମସ୍ତେ ଛୁଟୁପୁଟୁ ହୋଇ ଦାନା-କନା ନ ପାଇ ମରିବା । ସବୁ ଭାଇଯାକ ବୁଡ଼ି ମଲାବେଳେ କୁଣ୍ଢିଆକୁଣ୍ଢେଇ ହୋଇ ଏକ ଜାଗାରେ ମରିବାରେ ଯେ ସୁଖ ନାହିଁ, ମୁଁ ଏ କଥା କହୁ ନାହିଁ । କିନ୍ତୁ ସଭ୍ୟ ଜଗତରେ ଏହାଛଡ଼ା ଅନ୍ୟାନ୍ୟ ଉତ୍କୃଷ୍ଟତର ସୁଖ ଓ ଆନନ୍ଦ ଅଛି । ବ୍ୟକ୍ତିଗତ ଉଦ୍ୟମହୀନତା, ପରମୁଖାପେକ୍ଷିତା, ପରନିର୍ଭରତା, ଅନୁଗ୍ରହ-ଭିକ୍ଷା, ପ୍ରତିକୂଳ ଉପାଦାନ ସଙ୍ଗେ ଯୁଦ୍ଧ କରିବାକୁ ଅନିଚ୍ଛା, କୂପମଣ୍ଡୁକତା, ଅଦୂରଦର୍ଶିତା, ଆତ୍ମମ୍ଭରିତାରେ ମୋ ଜୀବନ ପୂର୍ଣ୍ଣ– ମୋ ମୁହଁ ଆଗରେ କେହି ଦୟାକରି ଥାଳିଏ ଭାତ ଥୋଇଦେଲେ ମୁଁ ବିନା ପରିଶ୍ରମରେ ସେତକ ଉଦରସ୍ଥ କରିବି ବୋଲି ଦିନରାତି ଈଶ୍ୱରଙ୍କୁ ଡକା ପକାଉଅଛି– ଏପରିସ୍ଥଳରେ ମୋ ସମକର୍ମା ଓ ସମଧର୍ମାଙ୍କ ସଂଖ୍ୟା ବଢ଼ାଇବାକୁ ମୋର ଦିନରାତି ଭାବନା । ମୁଁ ଯେଉଁଠାକୁ ଯାଏଁ, ମୁଁ ଯେଉଁଠାରେ ଥାଏ ଏହି କର୍ମଯୁଗରେ ମତେ ଘୋର ସଂଗ୍ରାମଦ୍ୱାରା ଜୀବିକା ନିର୍ବାହ କରିବାକୁ ହେବ; ପ୍ରତିଯୋଗିତାକୁ ଡରି, ପରିଶ୍ରମକୁ ଡରି, ହିହ ମିହନ୍ତ ନ କରି ବାଏଁ ବାଏଁ ବେଖରଚାରେ ଅନ୍ୟ ଜାତିଙ୍କ ସମକକ୍ଷ ହେବାକୁ ହୁରି ପକାଇଲେ ସଭ୍ୟଜଗତ୍ ମୋ ରଡ଼ି ଶୁଣିବ କିଆଁ ? ଉପସ୍ଥିତ ଅଭାବ, ଅସୁବିଧା, ପ୍ରତିଦ୍ୱନ୍ଦିତା, କଟାକ୍ଷ ଓ ପ୍ରତିକୂଳ ଉପାଦାନ ସତ୍ୱେ ଯେବେ ମୁଁ ମୋର ଅଧିକାର ଓ ସ୍ଥାନ ବଜାୟ ରଖିବାକୁ ଶିଖିପାରି ନାହିଁ, ତେବେ ଅନୁକୂଳ ଉପାଦାନ ପାଇଲେ ମୁଁ ଆହୁରି ସୁସ୍ଥି ଓ ପରିଶ୍ରମ-କାତର ନ ହେବି, ଏ କଥା ନାହିଁ କରିବ କିଏ ? ଭାରତବାସୀଙ୍କୁ ସ୍ୱାୟତ୍ତ-ଶାସନ-ପ୍ରଣାଳୀ ପ୍ରଦତ୍ତ ହେଲେ ସେହି ‘ଦୋହି’ ରେ ଉନ୍ନତ ଜାତି ଓ ସମ୍ପ୍ରଦାୟମାନେ ଅନୁନ୍ନତ ଜାତିଙ୍କ ଉପରେ ଅଧିକାର ବିସ୍ତାର କରିବେ ବୋଲି ଯେପରି କେତେକ ଅନୁନ୍ନତ ସମ୍ପ୍ରଦାୟ ହୁରି ଛାଡ଼ୁଅଛନ୍ତି, ଓଡ଼ିଆଙ୍କୁ ‘‘ସମ୍ମିଳିତ-ଉତ୍କଳ’’ ଶାସନ-ପ୍ରଣାଳୀ ଦିଆଗଲେ ସେହି ଦୋହିରେ ଉନ୍ନତ ‘କଟକି’ ମାନେ ଅନୁନ୍ନତ ଉତ୍କଳୀୟଙ୍କ ଉପରେ ଅଧିକାର ବିସ୍ତାର କରି ତାଙ୍କ ଦାନା ପାଣିରେ ଧୂଳି ଦେବେ ବୋଲି ‘ମାଲୁଆ’ ଓଡ଼ିଆଯାକ ହୁରି ଛାଡ଼ିବା ସ୍ୱାଭାବିକ ।
କେତେକ ସମ୍ୱଲପୁରିଆ ଭାଇମାନଙ୍କଠାରୁ ପ୍ରକାଶ ପାଇଅଛି ଯେ, ସମ୍ୱଲପୁର ଓଡ଼ିଶାରେ ମିଶିବାଦ୍ୱାରା ସମ୍ୱଲପୁରର ଚାକିରିକ୍ଷେତ୍ରରେ ‘କଟକି’ଙ୍କ ପ୍ରଭାବ ଓ ପ୍ରତାପ ବଢ଼ିଅଛି ମାତ୍ର । ସେମାନଙ୍କ ପକ୍ଷରେ ଫଳ କଥା ‘ପୁନର୍ମୂଷିକୋଭବ’ । ଏ କଥା କେତେଦୂର ଅନୁଭବ-ସିଦ୍ଧ ସତ୍ୟ ଉପରେ ପ୍ରତିଷ୍ଠିତ, ଏହା ଦେଶର କର୍ମବୀରମାନେ ଭାବନ୍ତୁ । କିନ୍ତୁ ମୋର ନିବେଦନ ଏହି ଯେ, ସ୍ୱାଧିକାର ପ୍ରତିଷ୍ଠା କରିବାକୁ ସମର୍ଥ ନ ହେବା ପର୍ଯ୍ୟନ୍ତ ଶତ ‘ରାଜନୈତିକ ଏକୀକରଣ’ (Administrative Union) ଦ୍ୱାରା ଆମର କିଛି ହେବ ନାହିଁ । ସ୍ୱାୟତ୍ତ-ଶାସନ-ନୀତିର (Home-rule) ବିରୋଧୀ ଦଳମାନେ ଏଥି ବିରୁଦ୍ଧରେ ଯେଉଁ ଯୁକ୍ତିମାନ ଦେଖାଯାଉଅଛନ୍ତି, ସେ ଯୁକ୍ତିମାନ ‘ଉତ୍କଳଭାଷୀ ପ୍ରଦେଶର ଏକୀକରଣ’ ପ୍ରସ୍ତାବ ବିରୁଦ୍ଧରେ ଅଧିକତରରୂପେ ପ୍ରଯୁଜ୍ୟ ହୋଇପାରେ । ଯାହାହେଉ, କୌଣସି ଅଧିକାର ଦାବି କରିବା ଓ ପାଇବା ବଡ଼ ଆନନ୍ଦର କଥା, କିନ୍ତୁ ସେ ଅଧିକାରର ସଦ୍ବ୍ୟବହାର କରିପାରିବା ଆହୁରି ଆନନ୍ଦର କଥା । ଫଳତଃ ମୁଁ ଅନୁଭବ କରିଅଛି ଯେ, ଯେତେବେଳେ ମୋର କୌଣସି ଜରୁରି ଦରକାର ପଡ଼େ, ସେତିକିବେଳେ ମୁଁ ଏହି ‘ଓଡ଼ିଆ ଢୁଆ’ କାଢ଼େଁ ।
ଆମର ଅଧିକାଂଶ ‘ଓଡ଼ିଶୀ-ଦାବି’କୁ ବିଶ୍ଳେଷଣ କଲେ ଓ ତହିଁର ପାଟକନା-ଗୁଡ଼ିଆ ଜନ୍ମପତ୍ରିକା ଉଦ୍ଘାଟନ କଲେ ତହିଁରେ ମୂଳରେ ଏହି ବ୍ୟକ୍ତିଗତ-ଲାଭ ଗୂଢ଼ଭାବରେ ନିହିତ ଥିବାର ପ୍ରତୀୟମାନ ହେବ । କୌଣସି ସମ୍ୱାଦପତ୍ରରେ କିମ୍ୱା ସଭାସମିତିରେ ‘‘ଓଡ଼ିଆଙ୍କର ଦାବି ଉପେକ୍ଷିତ ହେଉଅଛି; Orissa for Oriyas ଓଡ଼ିଶାଟା ଓଡ଼ିଆଙ୍କ ‘ଗୋଚର’ ଢୁଆ ଦେଖିଲା ମାତ୍ରକେ ଯେବେ ଉଣ୍ଡି ଜାଣିବ, ତେବେ ଏ ରଡ଼ିକର୍ତ୍ତା ସମ୍ପାଦକ, ସଭାପତି, ସହକାରୀ ଖୋଦ ବା ତାଙ୍କ ସହଚର, ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବ, ଜାତି, ବିରାଦର, ଅନ୍ତର, ପ୍ରତ୍ୟାନ୍ତର, ଭାତାନ୍ତର ଭିତରୁ ଜଣେ କେହି ପ୍ରାର୍ଥୀ, ଅର୍ଥୀ, ପ୍ରତ୍ୟର୍ଥୀ, ବୃତ୍ୟର୍ଥୀ, ସ୍ଥିତ୍ୟର୍ଥୀ, ପ୍ରୀତ୍ୟର୍ଥୀ, ଗତ୍ୟର୍ଥୀ ରୂପରେ ମଉଜୁଦ ଥିବାର ଠିକଣା ମିଳିପାରିବ । ଏ ଜାତୀୟ ଜୀବଙ୍କ (ଖବରକାଗଜବାଲା କିମ୍ୱା ସଭାବାଲା) ସଙ୍ଗେ ତୁମର ସମ୍ପର୍କ ନ ଥିଲେ, ତୁମର ସପ୍ତପୁରୁଷ କଞ୍ଚା କିମ୍ୱା ପାଚିଲା, କିମ୍ୱା ଦର ପାଚିଲା, କିମ୍ୱା କଞ୍ଚାସୁଆଦି ଓଡ଼ିଆ ହୋଇଥିଲେ ମଧ୍ୟ ତୁମ ଗନ୍ଧ ପଦାକୁ ବାହାରିବ ନାହିଁ । ‘‘ଅମୁକ ଲୋକର ବାଡ଼ିଦୁଆରେ ବହେ ଅଳିଆ, ଅମୁକ ଲୋକ ଦେଶର ଓ ଜାତିର ଶତ୍ରୁ, ଅମୁକ ଲୋକ ଦେଶଦ୍ରୋହୀ ଓ ଜାତିଦ୍ରୋହୀ’’ ଇତ୍ୟାଦି ସାଧାରଣ ଢକା ବାଜିଲେ ଦେଖିପାରିବ ଯେ ‘ସମ୍ପାଦକ ବିରାଦରାନ୍ତରାନ୍’ଙ୍କ ସଙ୍ଗେ ବ୍ୟକ୍ତିଗତ ଭାବରେ ଅପରାଧୀ ବିଚାରାର ଅପଡ଼ । ଜଣେ ହାକିମ ମୋ ମାମଲା ଡିସ୍ମିସ୍ କରିଦେଇ ଅଛନ୍ତି, କୌଣସି ପଦସ୍ଥ ବ୍ୟକ୍ତି ମତେ ସମ୍ମାନ ଦେଖାଇ ନାହାନ୍ତି, କୌଣସି ଅଧିକାରୀ ବ୍ୟକ୍ତି ମୋର ପ୍ରାର୍ଥନା ମଞ୍ଜୁର କରି ନାହାନ୍ତି, କିମ୍ୱା ମତେ ଚାକିରି ଖଣ୍ଡେ ଦେଇ ନାହାନ୍ତି । ତହିଁଆର ଦିନ ମୋର ଓ ମୋ ଘରଆଡ଼ର ବୈବାହିକ ଓ ଅବୈବାହିକ ସମ୍ପର୍କୀୟ ବ୍ୟକ୍ତିମାନଙ୍କ ଅନୁଗ୍ରହକୁ ଦେଶରେ କେତେ ସମ୍ପାଦକୀୟ ମନ୍ତବ୍ୟ, କେତେ ସଭାର ନିର୍ଦ୍ଧାରଣ ଉଦ୍ଘୋଷିତ ହୋଇଯିବ ଓ ତହିଁଆରଦିନ ବ୍ୟବସ୍ଥାପକ ସଭାର ମଞ୍ଚ ପର୍ଯ୍ୟନ୍ତ କମ୍ପିଯିବ ଓ ଜାତିଟା ଉଚ୍ଛନ୍ନ ହେଲା ବୋଲି ଆ-ଗୋଦାବରୀ– ଆ-ସୁବର୍ଣ୍ଣରେଖା ରୋଳ ପଡ଼ିଯିବ । ଅତଏବ ଯେ ପର୍ଯ୍ୟନ୍ତ ଉତ୍କଳର ଜାତୀୟ ଅଭିଧାନରୁ ଓଡ଼ିଆ ଜାତିର ଆଧୁନିକ Concentric (କୈନ୍ଦ୍ରିକ) ଅର୍ଥର (ଓଡ଼ିଆ ଜାତିର ଅନ୍ତର୍ଭୁକ୍ତ, ମୋ ‘ଜାତି’ର ଅନ୍ତର୍ଭୁକ୍ତ, ମୋ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ, ମୋ ବିରାଦରାନ୍ତରାନ୍ତର୍ଭୁକ୍ତ, ମୋ ଗ୍ରାମର ଅନ୍ତର୍ଭୁକ୍ତ, ମୋ ଦଳର ଅନ୍ତର୍ଭୁକ୍ତ, ମୋ ଭକ୍ତ ଶ୍ରେଣୀର ଅନ୍ତର୍ଭୁକ୍ତ ଓ ମୋ ଅନୁଗ୍ରହ ଦୃଷ୍ଟିର ଅନ୍ତର୍ଭୁକ୍ତ ସୌଭାଗ୍ୟ-ବନ୍ତ ବ୍ୟକ୍ତିବିଶେଷ) ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ, ସେ ପର୍ଯ୍ୟନ୍ତ Home rule (ସ୍ୱାୟତ୍ତ ଶାସନ) ବୋଲ Utkal Union (ସମଗ୍ର ଉତ୍କଳଭାଷୀ ପ୍ରଦେଶର ଏକୀକରଣ) ବୋଲ, Orissa for Oriyas (ଓଡ଼ିଶାରେ ଓଡ଼ିଆଙ୍କର ଷୋଳପଣ କିସମତ) ବୋଲ, ଏଗୁଡ଼ିକ ଜାତୀୟ ଅବନତି ଦିଗକୁ ଅଗ୍ରସର ହେଉଥିବ । ଯେଉଁ ସାମ୍ପ୍ରଦାୟିକତା ଓ ବ୍ୟକ୍ତିଗତ ନୀଚତା ଆମକୁ Indian (ଭାରତୀୟ) ସୀମାରୁ ଟାଣି ଉତ୍କଳୀୟରେ, ସେଥିରୁ ଟାଣି ‘ଓଡ଼ିଆ’ରେ ପହଞ୍ଚାଇଛି, ସେହି ସଂକୀର୍ଣ୍ଣତା ଯୋଗୁଁ ଆମରି ଭିତରେ ଚାରି ଛତିଶ ପାଟକ, ବ୍ରାହ୍ମଣ–ଶୁଦ୍ର, କରଣ–ଖଣ୍ଡାଏତ, କ୍ଷତ୍ରିୟ–ମହାନାୟକ, ଶାସନୀ–ପଣ୍ଡା, ତନ୍ତି–ତାମିଳି, ତେଲି–ତୁଳାଭିଣା, ଜାତିଆ–ଅନ୍ତର, କଟକୀ–ପୁରିଆ, ସମ୍ୱଲପୁରିଆ–ଗଞ୍ଜାମିଆ, ସହରି–ମଫସଲି, ବଜାରି–ହାଟୁଆ, ଛୁଆଁ–ଅଛୁଆଁ ଆଦି ହରେକ କିସମର ଭେଦ-ଜ୍ଞାନରେ ପକାଇ ସ୍ୱାର୍ଥନ୍ଧତାର ପଙ୍କରେ ଆମକୁ ଘୋଷାରୁଥିବ । ଏଥିରୁ କେତେ ଗୁଡ଼ିଏ ଦୁର୍ଗୁଣ ଶିକ୍ଷାଦ୍ୱାରା ପରିହାର୍ଯ୍ୟ, କେତେଗୁଡ଼ିଏ ଦୁର୍ଗୁଣ ମାନବ ପ୍ରକୃତିର ଅପରିହାର୍ଯ୍ୟ, ସେଗୁଡ଼ିକ ଯଥାସାଧ୍ୟ ଦୂର ବା କାମ କରି ନାହିଁ ମନୁଷ୍ୟତା । ବ୍ୟକ୍ତିଗତ ଉନ୍ନତି ଓ ଉଦାରତା ବ୍ୟତିରେକେ ଜାତୀୟ ଉନ୍ନତିର ଆଶା ସୁଦୂରପରାହତ । ଅନ୍ୟାନ୍ୟ ଉନ୍ନତ ଜାତି ମଧ୍ୟରେ ଯେଉଁ ସ୍ୱାର୍ଥତ୍ୟାଗ ଓ ନିଃସ୍ୱାର୍ଥତାର (Self-sacrifice and Selflessness) ଉଦ୍ରେକ ହୋଇଅଛି, ଆମ ଜାତି ତହିଁରୁ କେତେ ପଛରେ ! ମୋ ହାତରେ କାଗଜ କଲମ ପଡ଼ିଲେ, ଅଧିକାର ପଡ଼ିଲେ, ସମ୍ୱାଦପତ୍ରର ଭାର ପଡ଼ିଲେ, ସଭାରେ ନିର୍ଦ୍ଧାରଣ ଓ ବକ୍ତୃତା କରିବାର କ୍ଷମତା, ତହିଁର ମୁଁ ଯେଉଁ ପରିମାଣରେ ସଦ୍ବ୍ୟବହାର ବା ଅପବ୍ୟବହାର କରିବାର ଦେଖାଯାଉଅଛି, ମୁଁ ତତ୍ତତ୍ ପରିମାଣରେ ଉନ୍ନତ ବା ଅବନତ । ଏହି ବ୍ୟକ୍ତିଗତ ଉନ୍ନତି ବା ଅବନତି ଉପରେ ଜାତିର ଭବିଷ୍ୟତ ନିର୍ଭର କରେ । ବ୍ୟକ୍ତିଗତ ଆଦର୍ଶ ଓ ଅନୁଭୂତି ଦ୍ୱାରା ଜାତିର ଜୀବନ ଗଠିତ ହୁଏ । ମୁଁ ମୋ ନିଜର କାର୍ଯ୍ୟକ୍ଷେତ୍ରରେ ମୋର ବ୍ୟକ୍ତିଗତ ବିଶେଷତ୍ୱ ପ୍ରତିଷ୍ଠିତ କରିପାରିଲେ, ମୋହରି ଆଦର୍ଶର ଉଚ୍ଚତାକୁ ମୋହରି ଘରେ କାର୍ଯ୍ୟତଃ ସୁପ୍ରତିଷ୍ଠିତ କରିପାରିଲେ ମୋହରି ପରି ବ୍ୟକ୍ତିବିଶେଷର ସମଷ୍ଟି ଦ୍ୱାରା ଜାତିର ଆଦର୍ଶ ଓ ଜୀବନ ଗଠିତ ଓ ପୁଷ୍ଟ ହେବ । ଏଥିପାଇଁ ଯେଉଁ ଉପାଦାନ ଦରକାର, ତାହା ମୋର ନାହିଁ । ଅଛି କେବଳ ଜାତୀୟ କିଳିକିଳା ରାବ, ଦୋହି ଜଗନ୍ନାଥ ରଡ଼ି । କେବଳ ବୃଥା ରାବରେ ଫଳ ନାହିଁ । ଓଡ଼ିଶାରେ ଯେପରି ବଙ୍ଗାଳି– ଓଡ଼ିଆ କନ୍ଦଳ ଲାଗିଅଛି, ମାନ୍ଦ୍ରାଜରେ ଦେଖିଲି ଯେ ତୈଲଙ୍ଗ– ତାମିଲ କନ୍ଦଳ ମଧ୍ୟ ଲାଗିଅଛି; କିନ୍ତୁ ସେଠାରେ ତେଲଗୁମାନେ ଆପଣାର ଜାତୀୟ, ସାମ୍ପ୍ରଦାୟିକ, ବ୍ୟାବହାରିକ ଓ ସାହିତ୍ୟିକ ବିଶେଷତ୍ୱ ଅକ୍ଷୁର୍ଣ୍ଣ ରଖିବାକୁ ସମର୍ଥ ହୋଇଅଛନ୍ତି– ତାମିଲମାନଙ୍କ ପ୍ରାଧାନ୍ୟ ସତ୍ତ୍ୱେ ତେଲଗୁମାନେ ନିଜ ନିଜର ଅଧିକାର, ନିଜର ଭାଷା, ନିଜର ସାହିତ୍ୟ, ନିଜର ବ୍ୟବହାର ଅକ୍ଷୁର୍ଣ୍ଣ ରଖିଅଛନ୍ତି ଓ ରାଜନୈତିକ ଉଚ୍ଚ ଆସନମାନଙ୍କରେ ଆପଣାର ବିଶେଷତ୍ୱର ମାର୍କା ମାରି ପାରିଅଛନ୍ତି । ଅତଏବ ତାଙ୍କ ମୁହଁରେ ‘‘Union of Telgu speaking tracts under a separate administration’’ (ତେଲଗୁଭାଷୀ ଅଞ୍ଚଳମାନଙ୍କର ରାଜନୈତିକ ଏକୀକରଣ) ଡୁହା ଶୋଭା ପାଉଅଛି । ପରନ୍ତୁ ଆମରି ଦେଶରେ ଆମରି ଓଡ଼ିଆ-ପ୍ରଧାନ ଅଞ୍ଚଳରେ ଆମ୍ଭେମାନେ ଆମ୍ଭମାନଙ୍କର ବିଶେଷତ୍ୱ ବଜାୟ ରଖିପାରି ନାହୁଁ । ଓଡ଼ିଶାର ଆଧୁନିକ ରାଜନୈତିକ ସୀମାର ବାହାରେ ଓଡ଼ିଆମାନେ ଅନ୍ୟ ବଳବାନ୍ ଜାତିଙ୍କ ଅଧୀନରେ ରହି ସୁଦ୍ଧା ଯେଉଁ ବିଶେଷତ୍ୱର ଟେକ ରଖିବାକୁ ସମର୍ଥ ହୋଇଅଛନ୍ତି, ସେମାନଙ୍କୁ ଆମ ସାଙ୍ଗକୁ ଆଣି ତାଙ୍କୁ ମଧ୍ୟ ‘ଲାଙ୍ଗୁଡ଼ିଖଣ୍ଡି’ ନ କହିବାଯାକେ ଆମର ମନବୋଧ ନାହିଁ । ସେଥିପାଇଁ କହନ୍ତି ‘ସ୍ୱୟମ୍ସିଦ୍ଧଃ କଥଂ ପରାନ ସାଧୟତି ।’
ଏ କେତେଗୁଡ଼ିଏ ଅବାନ୍ତର କଥା କହିପକାଇଲି । ସମଗ୍ର ଉତ୍କଳଭାଷୀ ଅଞ୍ଚଳକୁ ଏକଶାସନାଧୀନ ରଖିବାକୁ ବେଳେ ବେଳେ ଆମର ମୁଖିଆମାନେ ଯେଉଁ ଯୁକ୍ତି ଦେଖାଉଅଛନ୍ତି, ତାହା ଶୁଣି ମତେ ବଡ଼ ହସ ମାଡ଼େ । ସେଦିନ ବିଶାଖାପାଟଣା ଜିଲ୍ଲା ଅନ୍ତର୍ଗତ କୁରୁପମ୍ ରାଜ୍ୟର ଯୁବରାଜଙ୍କ ସଙ୍ଗେ ଆମ ତାଳଚେର ରାଜ୍ୟର ଜେମାଙ୍କ ମଙ୍ଗଳକୃତ୍ୟ ପ୍ରସଙ୍ଗରେ ଜଣେ ଯୁକ୍ତି ଦେଖାଇଲେ ଯେ, ଏହି ସମ୍ୱନ୍ଧରୁ ଓଡ଼ିଶା ଗଞ୍ଜାମ ସଙ୍ଗେ ମିଳିବାର ଆକାଂକ୍ଷା ପ୍ରତିପନ୍ନ ହେଉଅଛି । ମୟୂରଭଞ୍ଜ ମହାରାଜା ରାଜପୁତାନାର ଜଣେ ଜେମାଙ୍କ ପାଣିଗ୍ରହଣ କରିବା ସମୟରେ ଏ ଯୁକ୍ତି ପ୍ରଦର୍ଶିତ ହୋଇଥିଲେ ବୋଧହୁଏ ଭାରତ ସରକାର (India Goverment) ଓଡ଼ିଶା ସଙ୍ଗେ ରାଜପୁତାନାର (Administative Union) ଏକୀକରଣ ପ୍ରସ୍ତାବ ଶିରୋଧାର୍ଯ୍ୟ କରିଥାନ୍ତେ ! କୌଣସି ଇଂଲଣ୍ଡୀୟଙ୍କ ସଙ୍ଗେ ଫ୍ରେଞ୍ଚଙ୍କର ମଙ୍ଗଳକୃତ୍ୟ ହେଲେ ସଭ୍ୟଜଗତ୍ ଇଂଲଣ୍ଡ ଓ ଫ୍ରାନ୍ସକୁ ଏକଶାସନାଧୀନ ରଖିବାକୁ ମତ ଦେବେ ! ଆଜି କୁରୁପମ୍ ରାଜବଂଶ ସଙ୍ଗେ ଓଡ଼ିଶା ରାଜବଂଶର ବିବାହ ସମ୍ୱନ୍ଧ ନୂତନ ନୁହେଁ । କୁରୁପମ୍ ରାଜାଙ୍କ ମାତା ଓଡ଼ିଶାର କନ୍ୟା । ଓଡ଼ିଶାର ରାଜବଂଶମାନେ ବିବାହସୂତ୍ରରେ ମଧ୍ୟପ୍ରଦେଶ ଓ ଛୋଟନାଗପୁରର ରାଜବଂଶମାନଙ୍କ ସଙ୍ଗେ ସମ୍ୱନ୍ଧ । ଗଞ୍ଜାମ ଅଞ୍ଚଳର ରାଜବଂଶମାନ ମଧ୍ୟପ୍ରଦେଶସ୍ଥ ରାୟପୁର ଓ ବିଶାଖାପାଟଣା ଆଦିର ରାଜବଂଶମାନଙ୍କ ସଙ୍ଗେ ବିବାହସୂତ୍ରରେ ଆବଦ୍ଧ । ଏ ଯୁକ୍ତିଦ୍ୱାରା ତତ୍ତତ୍ ପ୍ରଦେଶମାନ ଏକଶାସନାଧୀନ ରହିବାର ଆବଶ୍ୟକତା ପ୍ରତିପନ୍ନ ହୋଇ ନ ପାରେ । ଓଡ଼ିଆ ମାତା (Mother Utkal) ଓ ଗଞ୍ଜାମ କନ୍ୟାଙ୍କ (Ganjam daughter) ମଧ୍ୟରେ ରାଜନୈତିକ ପ୍ରଣାଳୀ (Gulf of Administration) ବ୍ୟବଧାନ ଥିବା ଚିତ୍ରଦ୍ୱାରା ମଧ୍ୟ ପ୍ରସ୍ତାବିତ, (Utkal Union) (ଉତ୍କଳ ସମ୍ମିଳନ) ଯୁକ୍ତି ସମର୍ଥିତ ହୋଇଅଛି । ମାତା ଓ ପୁତ୍ର ଏକାନ୍ନ ଏକ ବାସରେ ରହିବାର ଦେଖାଅଛି । କିନ୍ତୁ ‘ଘରଜୋଇଆଁ’ ଛଡ଼ା ମା ଓ ଝିଅ ଏକାନ୍ନ ଏକ ବାସରେ ରହିବାର ଏ ସଂସାରରେ ଦେଖା ନାହିଁ । କନ୍ୟା ବିବାହ ହେବା ପରେ ନିଜ ସ୍ୱାମୀଘରକୁ ଯାଇ ମାତାଙ୍କଠାରୁ ପୃଥକ୍ ରହନ୍ତି । ଏପରି ସ୍ଥଳରେ ଏହି ‘ମାତା-କନ୍ୟା’ ଚିତ୍ରଟି ଉପସ୍ଥିତ କ୍ଷେତ୍ରରେ କେଉଁ ଯୁକ୍ତିକୁ ସମର୍ଥନ କଲା, ତାହା ବୁଝାଯାଉ ନାହିଁ । ଏ ଦୁଇଗୋଟି ଉଦାହରଣରୁ ଆମ ଜାତିର ‘ଭାବୁକତା’ର ଗଭୀରତା ସହଜରେ ନିରୂପଣ କରାଯାଇପାରେ । ଏଣିକି ପୋଥି ବଢ଼ାଇବା ଦ୍ୱାରା କଥାଗୁଡ଼ାକ ବେଶୀ ବ୍ୟକ୍ତିଗତ ହୋଇଯିବା ଭୟରେ ଆଜି ଘରର ହାଲଚାଲ ଏହିଠାରେ ସମାପ୍ତ କରିବାକୁ ପଡ଼ିଲା । ଫଳ କଥା ଏହିକି, ଆମର ଯୋଗ୍ୟତା ନ ହେବା ଯାକେ ଗଭର୍ଣ୍ଣମେଣ୍ଟ ଆମକୁ ଜାତୀୟ ମାର୍କା ଦେଇ ପାରିବେ ନାହିଁ । କେବଳ ଖଣ୍ଡକେତେ ସରକାରୀ ଚାକିରି ଓ ବୃତ୍ତି ମିଳିବ ମାତ୍ର । ଗଭର୍ଣ୍ଣମେଣ୍ଟ ସ୍ତ୍ରୀଶିକ୍ଷା ପାଇଁ କଟକରେ ଗୋଟିଏ କଲେଜ ସ୍ଥାପନ କରିଦେବେ ମାତ୍ର, କିନ୍ତୁ ସେଥିରେ ଓଡ଼ିଆ ଝିଅ ଆଣି ଭର୍ତ୍ତି କରବାକୁ ଆଇନ ପାଶ୍ କରି ପାରିବେ ନାହିଁ । କୃଷିଶିକ୍ଷା ପାଇଁ ସରକାର ବାହାଦୂର କଟକ ବିଦ୍ୟାଧରପୁରରେ ଗୋଟିଏ ଆଦର୍ଶ କୃଷିକ୍ଷେତ୍ର ସ୍ଥାପନ କରିଦେବେ, କିନ୍ତୁ ସେଥିରେ ଅନୁକରଣରେ ନିଜ ନିଜ କ୍ଷେତ୍ରରେ କୃଷିର ଉନ୍ନତି କରିବାପାଇଁ ରାମ ପଧାନ, ଶାମ ସାକଲ ଓଗେରଙ୍କୁ ବାଧ୍ୟ କରିପାରିବେ ନାହିଁ । ସରକାର ବାହାଦୂର ଆମକୁ ସ୍ୱାୟତ୍ତ ଶାସନର କ୍ଷେତ୍ର ଦେବାପାଇଁ ଆମ ହାତରେ ନିର୍ବାଚନ-ପ୍ରଥା, ମ୍ୟୁନିସିପାଲଟି ଦେବେ; କିନ୍ତୁ ଯୋଗ୍ୟ ଲୋକଙ୍କୁ ନିର୍ବାଚନ ନ କରିବାପାଇଁ ଆଇନ ପାଶ୍ କରି ପାରିବେ ନାହିଁ କିମ୍ୱା ମ୍ୟୁନିସିପାଲଟି ଶାସନ-ପ୍ରଣାଳୀରେ ମନୋନିବେଶ କରିବାପାଇଁ ନିର୍ବାଚିତ କମିଶନରମାନଙ୍କୁ ବାଧ୍ୟ କରି ପାରିବେ ନାହିଁ । ଏସବୁ ଉଦାହରଣ ମାତ୍ର । ଏ ସବୁକୁ ଆପଣମାନେ ନିଜର ‘Ruling’ ବୋଲି ଘେନି ଆଜ୍ଞା ହେବେ ନାହିଁ ।
ସମଗ୍ର ଭାରତବର୍ଷ ଯେତେବେଳେ Responsible form of Goverment (ସ୍ୱାୟତ୍ତ ଶାସନ) ପାଇବ, ସେତେବେଳେ ଆମେ ବଳେ ବଳେ ଆମ କିସମତ୍ ମଥୋଟ ମୁତାବକ ସେ ଅଧିକାର ପାଇବା । ସରକାର ବାହାଦୂର Linguistic Basis (ଭାଷାମୂଳକ ଭିତ୍ତି)ରେ ପ୍ରଦେଶ– ବିଭାଗ କଲାବେଳେ ସମଗ୍ର ଉତ୍କଳଭାଷୀ ସମଗ୍ର ପ୍ରଦେଶକୁ ଏକଶାସନଭୁକ୍ତ କରିଦେବେ; କିନ୍ତୁ ଏତିକିରେ ଆମର ଗଙ୍ଗାସ୍ନାନ ଫଳ ହୋଇଯିବ ନାହିଁ– ଆମ୍ଭମାନଙ୍କୁ ପ୍ରତିନିୟତ ବ୍ୟକ୍ତିଗତ ଚେଷ୍ଟା, ଉଦ୍ୟମ, ଶିକ୍ଷା ଆଦର୍ଶ ଓ ସାଧନା ଦ୍ୱାରା ନିଜେ ନିଜେ ଉନ୍ନତ କରିବାକୁ ହେବ । ତାହା ନ ହେଲେ ଏସବୁ କେବଳ ‘ମାଳିକୁ ଛେଳି ଅଡ଼ୁଆ’ କାମ ମାତ୍ର ହେବ– କେବଳ ବହେ ଲେଖାଏଁ ହଲାପଟା ହେବା ମାତ୍ର ।
(୨୧ଶ ଭାଗ । ୧୩୨୫ । ୧୨ଶ ସଂଖ୍ୟା)
ମୁଁ ଆମ ଘରର ହାଲଚାଲ ଦାଣ୍ଡରେ ପକାଇବା ଯୋଗୁଁ କେତେକ ବନ୍ଧୁଙ୍କର ‘ଅନୁରାଗ’– ଭାଜନ ହୋଇଅଛି । ‘ବନ୍ଧୁ’ ଶବ୍ଦର ଅନେକଗୁଡ଼ିଏ ଅର୍ଥ ଓ ବ୍ୟବହାର ଅଛି । ମୌଳିକ ଅର୍ଥ– ଯାହାଙ୍କ ସଙ୍ଗରେ ମୋର ଗୋଟିଏ ବନ୍ଧନ (ସମ୍ପର୍କ) ଅଛି । ବନ୍ଧନଟା ସାମାଜିକ ଚଳିତ ଅର୍ଥରେ ବୈବାହିକ କଥା– ପିତୃ-ବନ୍ଧୁ, ମାତୃ-ବନ୍ଧୁ, ସ୍ୱ-ବନ୍ଧୁ, ଭଗିନୀ-ବନ୍ଧୁ, ଅପତ୍ୟ-ବନ୍ଧୁ-ମାମୁଅଜା, ମାମୁ ଓ ଗୃହିଣୀ ସାହେବାଙ୍କ ସୋଦର ବିରାଦରାନ୍, ଭଗିନୀପତି, ଭଣଜା, ସମୁଧୀ ଆଦି । ହିନ୍ଦୁମାନଙ୍କର ଜାୟାଧିକାରରେ ମୃତବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତିରେ ନିର୍ଦ୍ଦିଷ୍ଟ ବନ୍ଧୁଙ୍କର ସ୍ୱତ୍ୱଲାଭ ନିର୍ଣ୍ଣୀତ ହୋଇଅଛି । ଅର୍ଥ ଅନୁସାରେ ଏତେ ସ୍ଥଳରେ ଏ ବନ୍ଧୁ ଶବ୍ଦଟି ପ୍ରଯୋଜ୍ୟ ହେଲେହେଁ ଯେଉଁ ଜାଗାରେ ବନ୍ଧନଟା ନିଗଡ଼ ତାହାକୁ ହିଁ ‘ସମ୍ୱନ୍ଧୀ’ ବୋଲାଯାଏ । ଆମ ଦେଶରେ ସମ୍ୱନ୍ଧୀ କହିଲେ ପୁତ୍ର କନ୍ୟାଙ୍କ ଶ୍ୱଶୁରଙ୍କୁ ବୁଝାଏ । ବଙ୍ଗଦେଶରେ ଏ ଶବ୍ଦ ଗୃହିଣୀଙ୍କର ବିବୁଦରାନଙ୍କୁ ବୁଝାଏ । ବନ୍ଧୁ ଶବ୍ଦର ଆହୁରି କେତେଗୁଡ଼ିଏ ପ୍ରୟୋଗାର୍ଥ ଅଛି ।’’ ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ଶତ୍ରୁବିଗ୍ରହେ-। ରାଜଦ୍ୱାରେ ଶ୍ମଶାନେ ଚ ଯସ୍ତିଷ୍ଠତି ସ ବାନ୍ଧବଃ ।’’ ଏ ଅର୍ଥରେ ବିପଦ ଆପଦରେ ଓ ଆମୋଦ ଆନନ୍ଦରେ ଯେ ମୋ ସଙ୍ଗରେ ଯୋଗ ଦିଅନ୍ତି, ସେ ମୋର ବନ୍ଧୁ । ଶେଷୋକ୍ତ ପ୍ରୟୋଗରେ ‘ବନ୍ଧୁ’ ଶବ୍ଦର ସୀମା ଖୁବ୍ ବଡ଼ । ଆହୁରି ମଧ୍ୟ ଲେଖାଅଛି ଯେ, ଯାହା ସଙ୍ଗେ ପଦେ କଥାବାର୍ତ୍ତା ହେଲା, ସେ ହେଲେ ତୁମର ବନ୍ଧୁ । ‘‘ସମ୍ୱନ୍ଧ ମା ଭାଷଣ ପୂର୍ବମାହୁଃ ସମ୍ୱନ୍ଧିନଂ ସାପ୍ତପଦୀନ ମୁଚ୍ୟତେ-।’’ ଏହିପରି ଏ ଶବ୍ଦଟିର ଅନେକ ପ୍ରୟୋଗ ଅଛି । ଏସବୁ ପ୍ରାଚ୍ୟ ପ୍ରୟୋଗ ପାଶ୍ଚାତ୍ୟ ସଭ୍ୟତା ଅନୁସାରେ ବନ୍ଧୁ ଶବ୍ଦର ପ୍ରୟୋଗରେ ମଧ୍ୟ ବେଶୀ ଧରପଗଡ଼ ହୁଏ ନାହିଁ । ଏ ଶବ୍ଦଟା ଆଧୁନିକ ସଭ୍ୟ ସମାଜରେ ଗୋଟାଏ ‘କାଏଦା’ (Etiquette) ଯୁକ୍ତ ବାକ୍ୟ ମାତ୍ର । ନିଃସମ୍ପର୍କୀୟ ବ୍ୟକ୍ତି ଏମନ୍ତ କି ଶତ୍ରୁ, ପ୍ରତିଦ୍ୱନ୍ଦୀ ଓ ପଶୁମାନଙ୍କୁ ସୁଦ୍ଧା ବନ୍ଧୁ ଶବ୍ଦରେ ସମ୍ୱୋଧନ କରାଯାଏ । ଆଜିକାଲି ଆମ୍ଭେମାନେ ଯେଉଁ ସଭ୍ୟତା-ମନ୍ତ୍ରରେ ଶିକ୍ଷିତ ଓ ଦୀକ୍ଷିତ ହେଉଥାଇଁ, ସେଥିରେ ବାହାରର ‘କାଇଦା’ ଓ ଢଙ୍ଗଟା ଠିକ୍ ରହିଲେ, ‘କାଗଜ କଲମ-ଦୋରସ୍ତ’ ରହିଲେ ହେଲେ । ଭିତରର କଥା ଯାହା ଇଚ୍ଛା ତାହା ହେଉ, ବାହାରର ‘କାଏଦା’ ଦୋରସ୍ତ ହେଲେ ହେଲା । ତୁମ ଦିହରେ ରମ୍ପା, ଯାଦୁ, କାଛୁ, କୁଣ୍ଡିଆ, ଘିମିରି, ବାତଫୁଟ, ବାତରକ୍ତ, ଆଳୁମାତ୍ରା, କଳା ଓ ଧଳା ଜାଇମନ୍ଦା ସବୁ ଥାଉ, କିନ୍ତୁ ବାହାରେ ଫେସନ ମୁତାବକ କାଟଛାଣ୍ଟ ହୋଇଥିବା ପୋଷାକ ତୁମର ସବୁ ବାଗକୁ ଘୋଡ଼ାଇ ପକାଇବ । ତୁମେ ହାକିମ ହୋଇ ଯାହା ଇଚ୍ଛା ତାହା କର, ପର ପୁଅର ଚଳନ୍ତି, ଅଚଳନ୍ତି, ପୋତା, ନୋତା, ନିଧି, ନିଖାତ, ଉଡ଼ନ୍ତି, ବହନ୍ତି, ସଜୀବ, ନିର୍ଜୀବ ଖଞ୍ଜ ଅଖଞ୍ଜ ସବୁ ପ୍ରକାରର ସମ୍ପତ୍ତି ପ୍ରତି ତୁମର ପୂର୍ଣ୍ଣ ‘ମମତା’ ଥାଉ, ତୁମର ଘରେ ଖୋଦ ତୁମେ ତାଣ୍ଡବ କରୁଥାଅ, କିନ୍ତୁ ଦାଣ୍ଡକୁ ବାହାରି ପଡ଼ିଲାକ୍ଷଣି ତୁମେ ହାକିମ ପୋଷାକ ଲଗାଇ ପାଗ ପଟୁକା ବାନ୍ଧି ମିସଲରେ ପହଞ୍ଚିଯାଅ, ତୁମେ ହୋଇଯିବ ‘ଧର୍ମାବତାର’, ‘ଖୋଦାବନ୍ଦ’, ‘ଖାମିନ୍ଦ’, ‘ମା– ବାପ’, ‘ଦୁନିଆକା ବାଦସା’ । ଚାରିଅଣାର ବାସନା ତେଲ ପାଇଁ ଆଠଅଣା ଖରଚ କରି ଶିଶି, ଛାପା, ମୋହର, ଛାପ-ଚିକଣିଆ ମଲାଟ ଓ ବିଜ୍ଞାପନ ଦରକାର । ବାହାରର ଥାଟଟା ଦୋରସ୍ତ ରହିଲେ ପାଠ ଶେଷ । ଭିତରେ ଯାହା ଇଚ୍ଛା ତାହା ଥାଉ, ସେଥିରେ ଯାଏ କେତେ ଆସେ କେତେ ? ସେହିପରି ବର୍ତ୍ତମାନ ‘Dear friend’ (ପ୍ରିୟ ବନ୍ଧୁ) କଥାର ପ୍ରୟୋଗ ସଙ୍ଗେ ପ୍ରକୃତ ବନ୍ଧୁତାର ସତ୍ତା ରହିବାର ଆବଶ୍ୟକ ନାହିଁ । ଅତଏବ ଯାହାଙ୍କ ସଙ୍ଗେ ମୋର କରମର୍ଦ୍ଦନ ଚଳେ ବା ଚଳିବାର କୌଣସି ବାଧା ନାହିଁ, ତାଙ୍କ ସଙ୍ଗେ ବନ୍ଧୁତା ଥାଉ କି ନ ଥାଉ ସେ ମୋର ବନ୍ଧୁ । ମୁଁ ଏହି ଅର୍ଥରେ ଉପରେ ବନ୍ଧୁ ଶବ୍ଦଟା ପ୍ରୟୋଗ କରିଅଛି । ଏପରି ‘ବନ୍ଧୁ’ଙ୍କ ମତ ପ୍ରତି ଅବଦିଥା ପ୍ରଦର୍ଶନ କରିବାର ଜୁ ନାହିଁ-। ସମୟ କାଟିବା ଲାଗି, ବସିବା ବେଳେ କାଶିବା ପରି ମୁଁ ଯେଉଁ ପୃଷ୍ଠା କେତେ ଗାରେଇଁ ପକାଏ, ସେଥିରେ କୌଣସି ଲୋକ କିଛି ଶିକ୍ଷା ପାଇବ ବା ତାହା ପଢ଼ି କୌଣସି ବ୍ୟକ୍ତିର ଶାରୀରିକ, ମାନସିକ, ଆଧ୍ୟାର୍ମିକ, ସାମାଜିକ ବା ବୈଷୟିକ ଉନ୍ନତି ହେବ, ଏପରି ଆଶା ମୁଁ କେବେ କରି ନାହିଁ-। ମୋ ଭଳି ପୃଥିବୀରେ ଅନେକ ନିଷ୍କାର୍ମ ଅଛନ୍ତି । ସମୟ କାଟିବା ପାଇଁ କିଏ ପଶା, ତାସ, ଗଞ୍ଜପା, ଚଉସାର, ବାଘବଜାରି, ନ୍ୟାୟବଳ ଖେଳନ୍ତି; କିଏ ଦୈନିକ ଓ ନୈଶ ବିଦ୍ୟାଳୟ, ସଭା, ସମିତି, ବ୍ଳକ, ଆସୋସିଏସନ, କମେଟୀ, ଭିକ୍ଷୁକ ଓ ପ୍ରଚାରକ ସମ୍ପ୍ରଦାୟ କରନ୍ତି । କିଏ ସଂକୀର୍ତ୍ତନ, ପାଲା, ଗୋଟିପୁଅ, ରାମଲୀଳା, କୃଷ୍ଣଲୀଳା, ବୋହୂ ସୁଆଙ୍ଗ, ଚନ୍ଦ୍ରାବତୀ ହରଣ କରନ୍ତି କିଏ ଭାଙ୍ଗ, ଆପୁ, ଚଉସ, ଚଣ୍ଡୁ, ଗୁଡ଼ାଖୁ, ନିକା, ଅଲବଲା, କୋକେନ, ସେବନ କରନ୍ତି; କିଏ ସଙ୍ଗୀତ, ଚଉପଦୀ, କାବ୍ୟ, ନାଟକ, ଉପନ୍ୟାସ, ପାଠ୍ୟପୁସ୍ତକ ପାଠ କରନ୍ତି । କିଏ ସନ୍ଧ୍ୟାବେଳେ ଖଞ୍ଜଣୀ ଓ ଚଙ୍ଗି ମାଡ଼ ଓ ଘୁମୁରା ମାଡ଼ କରନ୍ତି; ମୁଁ କାଗଜ କଲମ ଧରି ବହେ ରାମ୍ପେ । ଏହା ବୋଲି ଯେ ଅନ୍ୟାନ୍ୟ କାଳକଟା ଅବଲମ୍ବନର ମୁଁ ଧାରେ ଧାରେ ନାହିଁ, ଏକଥା ମୁଁ କହୁ ନାହିଁ; ଅଳ୍ପ ବହୁତ ମୋର ପଶା ଆଦି, ବିଦ୍ୟାଳୟ ଆଦି, ସଂକୀର୍ତ୍ତନ ଆଦି, ଭାଙ୍ଗ ଆଦି, ସଙ୍ଗାତ ଆଦି, ଖଞ୍ଜଣୀ ମାଡ଼ ଆଦି ସବୁ ମାଲ ମସଲା ଅଛି । କିନ୍ତୁ ଗୁଡ଼ିଏ କାଗଜ କଲମ ମତେ ମାଗଣା ବା ଶସ୍ତାରେ ମିଳିବାରୁ ଓ ସେଥିରେ ଅନ୍ୟ ସହଚର ଓ ସହଚରୀଙ୍କର ସାହଚର୍ଯ୍ୟ ଆବଶ୍ୟକ ନ ଥିବାରୁ ମୋ ମନକୁ ଯାହା ଆସେ ତାହା ଗାରେଇ ଯାଏଁ । ମୋ ଭଳି ନିଷ୍କାର୍ମ ସମ୍ପାଦକ ଅଛନ୍ତି, ସେ ସେଗୁଡ଼ାକ ତାଙ୍କ କାଗଜରେ ପୂରଣ କରିଦିଅନ୍ତି, ତାଙ୍କ ଭଳି ଫେର ଥୋକେ ନିଷ୍କର୍ମା ଅଛନ୍ତି ଯେ, ସେମାନେ ସେ ଗୁଡ଼ାକ ପଢ଼ି କାଳ କାଟନ୍ତି ।
ମୋର ଉପରୋକ୍ତ ‘ବନ୍ଧୁ’ମାନଙ୍କ ମଧ୍ୟରୁ ଏଥିପୂର୍ବେ କେହି କେହି ମୋତେ ଲମ୍ୱା ଲମ୍ୱା ସାର୍ଟିଫିକଟ ଦେଇଥିଲେ ଓ କହିଥିଲେ ଯେ, ମୁଁ ଉତ୍କଳ ସାହିତ୍ୟରେ ଜଣେ ଖ୍ୟାତନାମା, ଉଦୀୟମାନ, ଉଚ୍ଚ ଶ୍ରେଣୀର ଫୁଟନ୍ତ ଲେଖକ । ବର୍ତ୍ତମାନ ସେ ବନ୍ଧୁମାନଙ୍କର ମତ ଓ ମତି ପରିବର୍ତ୍ତିତ ହୋଇଥିବାର ମୁଁ ଦେଖୁଅଛି । କଥା କଥାକେ ମୋର ବନ୍ଧୁମାନେ ବୁରାଅଛନ୍ତି ଯେ, ମୋର ଆଗର ଉଚ୍ଚ ଧରଣର ଲେଖା ଉଭେଇ ଗଲାଣି, ଏବେ ମୋ ଲେଖା କେବଳ ନୀଚତା ଓ ସ୍ୱାର୍ଥଖେଳା ଓ ପରଦ୍ୱେଷରେ ପୂର୍ଣ୍ଣ । ବନ୍ଧୁମାନଙ୍କର ଏହି ଉକ୍ତିର ସାରବତ୍ତା ମୁଁ ହାଉଲେ ହାଉଲେ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁଅଛି । ଯେତେବେଳେ ମୁଁ ଦୁନିଆର ହାଲଚାଲ ଲେଖୁଥିଲି, ସେତେବେଳେ ମୋ ଲେଖାରେ ନାନା ବିଷୟର, ନାନା ବ୍ୟକ୍ତିଙ୍କର, ନାନା ଘଟଣାର ଚର୍ଚ୍ଚା କରୁଥିଲି;ଏହି ଅନଧିକାର ଚର୍ଚ୍ଚା ଯୋଗୁଁ ଉତ୍କଳର ଅନେକ ପଦସ୍ଥ ବ୍ୟକ୍ତି ମୋ ଉପରେ ଖପ୍ପା ହୋଇଥିଲେ, ହେବା ମଧ୍ୟ ସ୍ୱାଭାବିକ୍– ‘‘ତୋର ସମୟ ନ କଟିଲା ବୋଲି ତୁ ପରଦିହକୁ ଖେଞ୍ଚିବୁ, ଏ କେଉଁଠା ନିଷାପ ? ତୁ ପର ପାଇଁ ଗାତ ଖୋଳିଲେ ପରପୁଏ ମଧ୍ୟ ତୋ ଲାଗି ଖଣି ଖୋଳି ତତେ ଉପରକଣ୍ଟା ତଳକଣ୍ଟା କରିବେ ।’’ ଏ ସବୁ କଥା ଦେଖି ମୁଁ ସ୍ଥିର କଲି ଯେ, ଦୁନିଆର ହାଲଚାଲ ନ ଉଣ୍ଡି, ମୋ ଘରର ହାଲଚାଲ ଲେଖିଲେ, ମୋରି ଖେଞ୍ଚା ମୋରିଠେଇଁ ବାଜିବ, ସେଥିରେ ଅନ୍ୟ କେହି ଦାଉଘାତ ହେବେ ନାହିଁ । ଏ ପାଞ୍ଚ ପାଞ୍ଚି ମୋ ଘର କଥା ଦାଣ୍ଡରେ ପକାଇ ସ୍ଥିର କଲି । ସେଥିରେ ମଧ୍ୟ ଦେଖିଲି ଯେ, ଘର କଥା କହୁ କହୁ ମୋର ସାଇ ପଡ଼ିଶା, ଭାଇ ଭଗାରି, ଜମିଦାର ପ୍ରଜା, ପରିବାର ବିରାଦର, ସମଧର୍ମା, ସମକର୍ମା, ଚାକର ବାକର, ସାଆନ୍ତାଣି ପୋଇଲୀ, ବନ୍ଧୁବାନ୍ଧବ ଆଦିଙ୍କ କଥା ପ୍ରସଙ୍ଗକ୍ରମେ ଉଠୁଅଛି । ଏହା ଦେଖି ମୋର ପିଲାଦିନର ଶିକ୍ଷାଗୁରୁ ବୁଢ଼ା ବାଞ୍ଛାନିଧି ମାଷ୍ଟର ହୁଲର କରୁଅଛନ୍ତି– ‘‘ଆୟୁର୍ବିତ୍ତଂ ଗୃହଚ୍ଛିଦ୍ରଂ ।’’ ଘରଆଡ଼େ (Secretary Home Department) ଗୃହ ବିଭାଗର ମାଲିକ (ଗୃହିଣୀ ଗୃହ ମୃଚ୍ୟତେ) ଅଭିମାନ କରୁଅଛନ୍ତି– ‘‘ଆମ ଘରଟା ତୁମର ଷୋଳପଣି ହସ୍ତବୁଜି ମାହାଲ ନୁହେ । ତୁମ ଇଲାକାଧୀନ ଅଂଶ(ଯଥା– ଦାଣ୍ଡପିଣ୍ଡା, ସଦର ଦରୋଜା, କଚେରିମେଲା, ଦାଣ୍ଡମାମଲତ, ସଦର ଗୁମାସ୍ତା, ବିଲବାଡ଼ି ଧନ୍ଦା ଏସବୁ ନେଇ ତୁମେ ଦାଣ୍ଡରେ ପକାଅ, କିନ୍ତୁ ପରଦା ଆଢ଼ୁଆଳରେ ବସ୍ତୁ ଓ ଜୀବଙ୍କ ଟାଣିନେଇ ଦାଣ୍ଡରେ ଠିଆ କରାଇବାକୁ ତୁମେ କିଏ ? ଆମ ଖାସମାହାଲର ବାଡ଼ିତରଫର ଏକାଧିପତି ମାଲିକ ଆମେ । ତୁମର ସେଥିରେ ପାଟି ଫିଟାଇବାର ଜୋ ନାହିଁ ।’’ ଦେଶଗୁରୁ, ସମାଜଗୁରୁ, ଜାତିଗୁରୁମାନେ ମଧ୍ୟ କହୁଅଛନ୍ତି, ‘‘ତୁମ କଥା ତୁମେ ଦିନରାତି ବିଳିବିଳାଉଥାଅ, କିନ୍ତୁ ହୁସିଆର ! ଆମ ଦିହରେ ତୁମର ‘‘ଛାଇ ବାଇ ଲେନ୍ଦରା ଲାଗିଲେ ତୁମର ମଗଜ ଥଣ୍ଡା କରିଦେବୁ ।’’ ପଣ୍ଡିତ ଆପଣେ କହୁଅଛନ୍ତି– ‘‘ସତ୍ୟଂ ବ୍ରୂୟାତ୍ ପ୍ରିୟଂ ବ୍ରୂୟାତ୍ମାବ୍ରୂୟାତ୍ସତ୍ୟମପ୍ରିୟଂ’’ ବାଲା ଦସ୍ତି ପାଗଳ କହୁଅଛି– ‘‘ସବ୍ କହୋ, ମରମ୍ ମତ୍ କହୋ-!’’ ଏହିସବୁ ନାନାଦି ଅଭିଯୋଗ ମଧ୍ୟରେ ପଡ଼ି ମଝିରେ ମଝିରେ ମୁଁ ଭାବୁଛି ଯେ ସିଂହବାହିନୀ ମା ସାରଳାଙ୍କ ଦୟାରୁ ଏପରି କୌଣସି ପ୍ରସଙ୍ଗ ଲେଖନ୍ତି, ଯେଉଁଥିରେ ମୋର ଖୋଦ୍ ନିଜର କଥା ବ୍ୟତୀତ ଅନ୍ୟ କିଛି ପ୍ରସଙ୍ଗ ନ ରହନ୍ତା । କିନ୍ତୁ ଏଥିର ମଧ୍ୟ କୌଣସି ମୀମାଂସା କରି ନ ପାରି ନଡ଼ବଡ଼ ହେଉଅଛି । ଅବଶ୍ୟ ପଣ୍ଡିତମାନେ ଲେଖାକୁ ଦୁଇ ଭାଗରେ ବିଭକ୍ତ କରିଥାନ୍ତି– Subjective (ମାନସିକ), Objective(ବୈଷୟିକ); ପ୍ରଥମ ଶ୍ରେଣୀ ଲେଖାରେ ନିଜର ଆଭ୍ୟନ୍ତରୀଣ ଭାବ ଓ ଚିନ୍ତା ପ୍ରକାଶ କରିଥାଏ । ଦ୍ୱିତୀୟ ଶ୍ରେଣୀରେ ଲେଖକ ବାହାରର କୌଣସି ବସ୍ତୁ ବା ଘଟଣା ବା ଜୀବକୁ ଅବଲମ୍ୱନ କରି କୌଣସି ବିଷୟ ଚର୍ଚ୍ଚା କରିଥାଏ । ପ୍ରଥମ ଶ୍ରେଣୀର ଲେଖକଙ୍କ ଲେଖା ଭାବୁକତା ଓ ଉଚ୍ଚ ଚିନ୍ତାରେ ପୂର୍ଣ୍ଣ । ଦ୍ୱିତୀୟ ଶ୍ରେଣୀର ଲେଖକ ନିମ୍ନ ଶ୍ରେଣୀର, ଅର୍ଥାତ୍ ଆଶା-ବାଡ଼ିଖଣ୍ଡେ ନ ହେଲେ ସେମାନେ ଖୋଜେ ଆଗକୁ ଗୋଡ଼ ବଢ଼ାଇ ପାରନ୍ତି ନାହିଁ-। ମୋ ଲେଖା ପ୍ରତି ବନ୍ଧୁମାନଙ୍କର ‘ଅନୁରାଗ’ ଦେଖି ମୁଁ ବିଚାର କରିଅଛି ଯେ, ଦିନାକେତେ କୌଣସି ଗୁରୁଙ୍କଠାରେ ତାଲିମ ହୋଇ ଲେଖିବାର କାଇଦା କଟକଣାଟା ଶିଖିନେଇ ଏଣିକି ତୁଚ୍ଛା (Subjective) ସମ୍ପର୍କଶୂନ୍ୟ ଲେଖା ଲେଖିବି । ଧର୍ମଚିନ୍ତା, ଆଧ୍ୟାତ୍ମ ଚିନ୍ତା, ନୈତିକ ଚିନ୍ତା, ସ୍ୱପ୍ନ ଦର୍ଶନ, ହରି କଥା, ଶାସ୍ତ୍ର କଥା ଏହିସବୁ ଏଣିକି ମୋ ଲେଖାରେ ରହିବ । ତାହାହେଲେ ମୋର କୌଣସି ସଜୀବ ଓ ସତେଜ ବନ୍ଧୁ ବାନ୍ଧବ, ସରଦାର ବିରାଦାର, ଅନ୍ତର ଓ ପ୍ରତ୍ୟନ୍ତରଙ୍କଠାରେ ଆଁଚ ବାଜିବ ନାହିଁ । ପାଠ ମଧ୍ୟ ଡ଼ାକୁଛି– ‘‘ଯାଦୃଶୀ ଭାବନା ଯତ୍ର ସିଦ୍ଧିର୍ଭବତି ତାଦୃଶୀ ।’’ ମୋର ଏ ଭାବନାକୁ ଭଗବାନ୍ ସିଦ୍ଧ କରି ମତେ ଗୋଟିଏ ଗୁରୁଙ୍କ ନିକଟରେ ହାବୁଡ଼ାଇବେ ବୋଲି ମୋର ଆଶା ହେଉଅଛି । ସେ ଦିନ ପର୍ଯ୍ୟନ୍ତ ଘରର ହାଲଚାଲ ଲେଖି ସମୟ କଟାଇବା ଛଡ଼ା ଅନ୍ୟ ଉପାୟ ନାହିଁ । ଅତଏବ ‘ବନ୍ଧୁ’ମାନଙ୍କ ନିକଟରେ କିଛିଦିନ ମହଲତ ପ୍ରାର୍ଥନା କରୁଅଛି । ତା ପରେ ପ୍ରକୃତ ଜଗତକୁ ଛାଡ଼ି ଲେଖକ କାଳ୍ପନିକ, ମାନସିକ ଓ ସ୍ୱପ୍ନ ଜଗତରେ ଚାଲବୁଲ କରିବ ଓ ତଦ୍ଦ୍ୱାରା ଅନ୍ୟ କାହାରି ଦିହରେ ଲେଖକର ହାଉଆ ବାଜିବ ନାହିଁ ।
(୨୨ଶ ଭାଗ । ୧୩୨୫ । ୧ମ ସଂଖ୍ୟା)
୧୯୧୮ ଇଷ୍ଟର ବା ଗୁଡ଼ଫ୍ରାଇଡ଼େ ଓ ଦୋଳ ଯାତ୍ରା ଛୁଟିରେ କଟକ ସହରଟି ‘ମେଳନ’ରେ ସରଗରମ ହୋଇ ଉଠିଥିଲା । ଦୋଳ ସମୟରେ ସଂକୀର୍ତ୍ତନ ମେଳ ଓ ରାଧାକୃଷ୍ଣ ଠାକୁରମାନଙ୍କର ‘ମେଳନ’ ହେବାର ଆମ ଦେଶରେ ନୂଆ କଥା ନୁହେଁ । ‘ଯଥା ଦେହେ ତଥା ଦେବେ’ ଏହି ପ୍ରବାଦ ଅନୁସାରେ ମନୁଷ୍ୟମାନେ ମଧ୍ୟ ଗୋଟିଏ ଗୋଟିଏ ଠାକୁର । ଠାକୁର ମେଳନ ପରି ମନୁଷ୍ୟ ମେଳନ ମଧ୍ୟ ଆମୋଦ ଆହ୍ଲାଦର ସ୍ଥଳ । ସମଗ୍ର ଭାରତରେ ଏହି ଛୁଟିରେ କେଉଁଠାରେ ପ୍ରାଦେଶିକ ସମିତି (Provincial Conference) କେଉଁଠାରେ ଜାତୀୟ ସମିତି (National association), କେଉଁଠାରେ ବ୍ୟବସାୟିକ ସମିତି ଓ ପ୍ରଦର୍ଶନୀ (Industrial Conference and Exhibition) ସବୁ ହୋଇଗଲା । ଆମ ଓଡ଼ିଶା ଭାରତୀୟ ଅନ୍ୟ କୌଣସି ଦେଶ ଅପେକ୍ଷା ମାନରେ, ମହତ୍ତ୍ୱରେ, ମର୍ଯ୍ୟାଦାରେ କମ୍ ନୁହେଁ । ଅତଏବ ଓଡ଼ିଶାର କେନ୍ଦ୍ର କଟକଠାରେ କେତେଗୁଡ଼ିଏ ମେଳନ (Conference) ହେବା ସ୍ୱାଭାବିକ ଓ ଆଇନସଙ୍ଗତ । ଏହା ନ ହୋଇଥିଲେ ବରଂଚ ଆମ ଉତ୍କଳୀୟ ଜାତିର ନିର୍ଜୀବତା ପଦାରେ ପଡ଼ିଥାନ୍ତା । ଏହିସବୁ ଜାତୀୟ ଅନୁଷ୍ଠାନରେ ଯେଉଁ ଯେଉଁ ଅଭିନୟମାନ ହେଲା, ତାହା ବାହାରରୁ ଦେଖଣାହାରୀ ସ୍ୱରୂପ କଳନା କରିବା ସହଜ ନୁହେଁ । କାରଣ ସରକାରୀ ଛୁଟିଦିନ ମାନଙ୍କରେ ମୁଁ ଗେର୍ଦ ଓଡ଼ିଶା ଜିଲ୍ଲେ କଟକ । ପ୍ର । କୋଦଣ୍ଡା ତାଲୁକେ ରଘୁନାଥପୁରଠାରେ ମୋର (Domestic Conference) ଗାର୍ହସ୍ଥ୍ୟ ସମ୍ମିଳନୀରେ ଯୋଗ ଦେବାର ସୁବିଧା ପାଇଥାଏଁ । ବିଶେଷତଃ ଦୋଳ ସମୟରେ ଆମ ଗ୍ରାମରେ ଠାକୁର ଦୋଳ ବେଦିରେ ବିଜେ କରନ୍ତି, ଗାଁରେ ଘର ଘର ବୁଲି ଭୋଗ ଖାନ୍ତି । ଗ୍ରାମର ଠାକୁର ମେଳନରେ ଯୋଗ ଦିଅନ୍ତି ଓ ଫଗୁ ଖେଳନ୍ତି । ଏହି ଦୋଳ ସମୟରେ ମଧ୍ୟ ପ୍ରତ୍ୟେକ ଗୃହସ୍ଥ ଆପଣାର ଗୃହସ୍ଥ ନିମନ୍ତେ ଚାକର, କୋଠିଆ, ଗୋରୁ ଜଗୁଆଳ ବନ୍ଦୋବସ୍ତ କରନ୍ତି । ଗ୍ରାମର ସେବାକାରୀ ଭଣ୍ଡାରି, କମାର, କୁମ୍ଭାର, ଧୋବା ଆଦିଙ୍କୁ ଯାତ୍ରା ଖରଚ ଦେଇ ଆଗାମୀ ବର୍ଷକ ନିମନ୍ତେ ଗାର୍ହସ୍ଥ୍ୟ ଯନ୍ତ୍ର (Domestic machine) ରେ ତେଲ ଦିଅନ୍ତି; ଆଗାମୀ ବର୍ଷ ନିମନ୍ତେ ଘର ଛାଆଣି, ଆଗାମୀ ଫସଲ ନିମନ୍ତେ ଚାଷ, ଆଗାମୀ ବର୍ଷ ନିମନ୍ତେ ଧାନ୍ୟ ସଞ୍ଚୟ, ଆଗାମୀ ବର୍ଷ ନିମନ୍ତେ ଲୁଗାପଟାର ବ୍ୟବସ୍ଥା କରନ୍ତି । ଏସବୁ ଯାହାଙ୍କୁ କରିବାକୁ ନ ପଡ଼େ, ସେମାନେ ଭାଗ୍ୟବାନ୍ । ପରନ୍ତୁ ଯେ ଏସବୁ କାମର ବ୍ୟବସ୍ଥା କରିପାରି ସାଧାରଣ କାର୍ଯ୍ୟ ଓ ସଭାସମିତିରେ ଯୋଗ ଦେଇପାରନ୍ତି, ସେମାନେ ଆହୁରି ଭାଗ୍ୟବାନ୍ । କିନ୍ତୁ ‘ଏସବୁ ଘରୋଇ କାର୍ଯ୍ୟ ଯୋଗୁଁ ମୁଁ ସଭା ସମିତିରେ ଯୋଗ ଦେବାକୁ ଅକ୍ଷମ’ ଏକଥା କହିଲେ ଲୋକେ ମତେ ନିତାନ୍ତ ସ୍ୱାର୍ଥାନ୍ଧ ବୋଲି କହିବେ– ଏଥିଲାଗି ଆଧୁନିକ ସଭ୍ୟତା କାଏଦା ଅନୁସାରେ ‘ଘରଧନ୍ଦା’ କଥା ଗୋପନ ରଖି ଅନ୍ୟ ଗୋଟିଏ Excuse (ବାହାନା) ଆଶ୍ରୟ ନେବା କାଏଦା ସଙ୍ଗତ ।
ଗତ (୧୯୧୮ ମାର୍ଚ୍ଚ) ଦୋଳ ଓ ଗୁଡ଼ଫ୍ରାଇଡ଼େ ଛୁଟିରେ କଟକଠାରେ Utkal Union Conference, All Orissa Bengalee Settlers’ Conference, All Orissa Students’ Conference, ଆଦିକାଣ୍ଡ ଏଜନ ଅନ୍ତକାଣ୍ଡ Orissa Domiciled Bengalees’ Arbitration Conference ଏହିପରି କେତେଗୁଡ଼ିଏ ସଭାସମିତିର ଅଧିବେଶନ ହୋଇ ଯାଇଅଛି । ଏଗୁଡ଼ିକରୁ ଓଡ଼ିଶାରେ ବଡ଼ବଡ଼ୁଆ ଲଗାଏତ ଟୋକାଟାକରିଆମାନଙ୍କ ମଧ୍ୟରେ ଜୀବନ ଥିବାର ସ୍ପଷ୍ଟ ପ୍ରମାଣିତ ହୋଇଅଛି । ଅଳ୍ପ ବହୁତ ଆମ ସମସ୍ତଙ୍କର ଜୀବନ ଅଛି । ଯେଉଁ ହଡ଼ା ବୁଢ଼ା କଙ୍କାଳବିଶିଷ୍ଟ ଘୋଡ଼ା ପିଠିରେ କୋରଡ଼ା ମାଡ଼ ଖାଇ ବଗି ଟାଣେ, ତାହାର ଜୀବନ ଅଛି, ଆଉ ଯେଉଁ ଲୋକ କୋରଡ଼ା ମାଡ଼ ଦେଇ ସେ ଘୋଡ଼ାକୁ ହଙ୍କାଏ, ତାହାର ମଧ୍ୟ ଜୀବନ ଅଛି, ଗାଡ଼ି ଚାଲିଲାବେଳେ ଘୋଡ଼ାର ଜୀବନୀଶକ୍ତି ଓ କୋଚମାନର ଜୀବନୀଶକ୍ତିର ସମ୍ମିଳିତ ବଳର କାର୍ଯ୍ୟ ସଂସାର ଦେଖୁଥାଏ । ଯେଉଁ ଜୀବନୀଶକ୍ତି ବଳରେ ସବଳ ଦୁର୍ବଳକୁ ଗ୍ରାସ କରିବାକୁ ଦଉଡ଼େ, ସେହି ଜୀବନୀଶକ୍ତି ବଳରେ ଦୁର୍ବଳ ସବଳର ଗ୍ରାସରୁ ଆତ୍ମରକ୍ଷା ନିମନ୍ତେ ସବଳଠାରୁ ଦୂରକୁ ପଳାଇଯାଏ । ଯେଉଁ ଶକ୍ତି କ୍ରୀତଦାସ ପିଠିରେ ଚାବୁକ ବସାଇ ତାକୁ ଦିନରାତି ଘଣା ପେଲାରେ ଲଗାଏ, ସେହି ଶକ୍ତି ପୁଣି କ୍ରୀତଦାସଠାରେ ପ୍ରବିଷ୍ଟ ହୋଇ ସେ ମାଡ଼ ଓ ଭିଡ଼ ସମ୍ଭାଳିବାକୁ ତାକୁ ବଳ ଦିଏ । ଏଥିରୁ ଆମ୍ଭେମାନେ ଦେଖିପାରୁ ଅଛୁଁ ଯେ, ଏକ ଶକ୍ତି ଭିନ୍ନ ଭିନ୍ନ ଦେହ ଓ କ୍ଷେତ୍ରରେ ପ୍ରବେଶ କରି ଭିନ୍ନ ଭିନ୍ନ ଅବତାର ଗ୍ରହଣ କରୁଅଛି । ଭଗବାନ ଗୀତା (୧୦ମ ଅଧ୍ୟାୟ) ରେ କହିଅଛନ୍ତି ‘ଦ୍ୟୁତଂ’ ଛଳୟତାମସ୍ମି ତେଜସ୍ତେଜସ୍ୱିନାମହଂ । ଦଣ୍ଡୋ ଦମୟିତାମସ୍ମି ନୀତରସ୍ମି ଦିଗୀଷତାଂ ।’ ଏଣେ ମଧ୍ୟ ଚଣ୍ଡୀରେ ଭକ୍ତ ଦୈବୀ ସଂହାରିଣୀ ଶକ୍ତିକୁ ସ୍ତବ କରୁଅଛି, ‘ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ । ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା-।’ ଏଥିରୁ ଆମ୍ଭେମାନେ ଦେଖିପାରୁଥାଇଁ ଯେ, ଏକ ଶକ୍ତି ଭିନ୍ନ ଭିନ୍ନ ଆକାର ଓ ଅବତାର ଗ୍ରହଣ କରି ଏ ଜଗତରେ ସୃଷ୍ଟି ପୃଷ୍ଟି ନଷ୍ଟ ସମ୍ପାଦନ କରୁଅଛି । ଆଧୁନିକ ପାଶ୍ଚାତ୍ୟ ଜଗତର ବୈଜ୍ଞାନିକ ଶକ୍ତି ସଂହାରକ ରୂପରେ ପ୍ରତିଦିନ ନାନା ବୈଜ୍ଞାନିକ କୌଶଳ ଓ କଳଦ୍ୱାରା ସହସ୍ର ସହସ୍ର ଜୀବଙ୍କୁ ହତାହତ କରୁଅଛି । ପୁଣି ସେହି ଶକ୍ତି ରକ୍ଷକ ଓ ସେବକ ରୂପରେ ଆହତ ପ୍ରାଣୀଙ୍କ ପ୍ରାଣରେ ମୃତସଞ୍ଜୀବନୀ ସୁଧା ଢାଳୁଅଛି । ସେହି ଶକ୍ତି ସଂଯତ ହେଲେ ତହିଁର କରାମତରେ ରେଳ, ଜାହାଜ, ଅଗ୍ନିବୋଟ ନିଜ ନିଜ ପଥରୁ ସୂତାଏ ଏଣେ ତେଣେ ଟପି ଦିନରାତି ମନୁଷ୍ୟର ସେବାରେ ଲାଗିଛି । ଫେର ସେହି ଶକ୍ତିର ବାଗ ହାତରୁ ଖସିଗଲେ ଓ ତାହା ଅସଂଯତ ହେଲେ କ୍ଷଣକେ ଶତ ଶତ ପ୍ରାଣୀଙ୍କି ଡହଳ ବିକଳ କରି ପକାଉଅଛି ।
ମୁଁ କହୁଥିଲି ଯେ, ଗତ ଦୋଳ ଛୁଟିରେ କଟକରେ ଯେଉଁ ସବୁ ସଭା, ସମିତି, ସମ୍ମିଳନୀ ଆଦିର ଅଭିନୟ ହୋଇଥିଲା, ସେଥିରୁ ଆମ ଦିହରେ ଜୀବନୀଶକ୍ତି ଥିବାର ଅନୁଭବ କରାଗଲା । କିନ୍ତୁ ସେ ଜୀବନୀଶକ୍ତିର ଲକ୍ଷ୍ୟ, ଗତି, ପ୍ରକାର ଓ କ୍ରିୟା କଣ, ତାହା ଥରେ ଅନୁସନ୍ଧାନ କରି ଦେଖିବା ଉଚିତ ଯେ, ସେ ଶକ୍ତି ରାକ୍ଷସୀ ଶକ୍ତି କି ଦୈବୀ ଶକ୍ତି ? ପାଶବ କି ଆଧ୍ୟାତ୍ମିକ ? ସ୍ୱାର୍ଥପୂର୍ଣ୍ଣ କି ନିଃସ୍ୱାର୍ଥ, ମାୟାବୀ କି ସରଳ ?
ସେହି ଜୀବନୀଶକ୍ତି ଅଶୀବର୍ଷର ଅସ୍ଥିକଙ୍କାଳବିଶିଷ୍ଟ ବୃଦ୍ଧ ଦେହରେ ପ୍ରବେଶ କରି ତାଙ୍କୁ ଯୁବକଜନୋଚିତ ତେଜରେ ବଳୀୟାନ କରିଦେଲା । ସେହି ଶକ୍ତି ଓଢ଼ଣାନସିନ ସ୍ତ୍ରୀଲୋକଙ୍କ ମହଲରେ ପ୍ରବେଶ କରି ତାଙ୍କୁ ଆଣି ସମ୍ମିଳନୀ ମଣ୍ଡପରେ ପରଦା ଭିତରେ ଓ ପରଦା ବାହାରେ ଠିଆ କରାଇ ହେଲା, ସେହି ଶକ୍ତି ଲୋକନାୟକ ଦେଶସେବକଙ୍କଠାରେ ଆବିର୍ଭୂତ ହୋଇ ସେମାନଙ୍କୁ ମାତୃପୂଜା ମଣ୍ଡପରେ ‘ବୃକ୍ଷସ୍ୟ ବୃକ୍ଷଣଂ’ ସ୍ପର୍ଶ କରାଇ ଦେଇ ଗୋପଲୀଳା ସୁଆଙ୍ଗର ସୂତ୍ରଧର କରାଇ ଦେଲା । ସେହି ଶକ୍ତି କଚୁଆନ, ସହିସ, ଘାସି, ମେହେନ୍ତର, ପାଣ, ହାଡ଼ି, ଡମ, ଚମାରଙ୍କୁ ସାମାଜିକ ରସାତଳକୁ ଝିଙ୍କି ଆଣି ସମ୍ମିଳନୀ ମଣ୍ଡପରେ ସମାଜର ଶୀର୍ଷସ୍ଥାନୀୟ ଜାତ୍ୟଭିମାନୀ ବ୍ରାହ୍ମଣ କରଣଙ୍କ ସଙ୍ଗେ ବାଉଁଶପଟି ଉପରେ ବସାଇ ହେଲା । ସେହି ଶକ୍ତି ଆମ ଦେଶର କପାଚାଷ, ଜଗନ୍ନାଥ ମନ୍ଦିରର ଜୀର୍ଣ୍ଣସଂସ୍କାର, ଦେଶୀୟ ତନ୍ତ ପ୍ରତିଷ୍ଟା, ଓଡ଼ିଶାର ଲୁଣ ଆମଦାନି ଆଦି ସମ୍ୱନ୍ଧରେ ମହତୋମହୀୟାନ୍ ଆଡ଼ମ୍ୱରପୂର୍ଣ୍ଣ ପ୍ରସ୍ତାବମାନ ଓଡ଼ିଆ ଜାତିଙ୍କ ଦ୍ୱାରା ସମର୍ଥିତ, ଅନୁମୋଦିତ ଓ ‘କରତାଳିତ’ କରାଇ ଦେଲା । ସେହି ଶକ୍ତି କୋଟି ସନ୍ତାନଙ୍କ କପୋଳକଳ୍ପିତ ପ୍ରତିନିଧିମାନଙ୍କର ଦୈନନ୍ଦିନ ଲୁଣ ମାଲପା ଖରଚର ଉପାୟ ଉଦ୍ଭାବନ କରି ମାତୃପୂଜା ମଣ୍ଡପରେ ଗୋଟିଏ ଜାତୀୟ ପାଣ୍ଠିର ଲୁହା ସିନ୍ଦୁକ ପ୍ରତିଷ୍ଠିତ କରାଇ ଦେଲା । ଏପରିକି, ସେହି ଜୀବନୀଶକ୍ତି ମୋହନ-ମନ୍ତ୍ର ଫୁଙ୍କି ଦେବାରୁ ‘‘ଭୂମିକମ୍ପ ହେବ ଧରଣୀ ଫାଟିବ ଉଠିବେ ସହସ୍ରଭୁଜା’’ ର ଇସ୍ତିହାର ଜାରି କରିଦେଲା । ସେହି ଶକ୍ତି ସେହି ସହସ୍ର ଭୁଜାଙ୍କୁ ପ୍ରଥମ ପଦରେ ‘ମାତା’ କରି ଦେଇ ପର ପଦରେ ଲିଙ୍ଗ ଭେଦ ବର୍ଜନ କରି ତାଙ୍କୁ ‘ଭ୍ରାତା ଅବତାରରେ ଦେଖାଇ ଦେଲା । ସେହି ଶକ୍ତି କୃଷକର ସ୍ୱେଦ ପ୍ରସୂତ ଫସଲକୁ (ସୁନା) ଅସରଫିରେ ପରିବର୍ତ୍ତିତ କରି ବିଲଠାରୁ ରାଜକୋଷ ପର୍ଯ୍ୟନ୍ତ ଗୋଟିଏ ହାଇଲେଭଲ କେନାଲ ଖୋଳିଦେଇ ସେଥିରେ ସମସ୍ତଙ୍କୁ ଭସାଇ ନେଲା । ସେହି ଶକ୍ତି ରାଜନୈତିକ ଓ ଧର୍ମସମ୍ୱନ୍ଧୀୟ ଆନ୍ଦୋଳନ ବିବର୍ଜିତ ସାବକ ନାବାଲଗ ଉତ୍କଳ-ସମ୍ମିଳନୀକୁ ଆଣି ରାଜନୈତିକ ଦେଶ ମିଶ୍ରଣ-ଲୁଣ ପୋକ୍ତାନି ନିଷ୍କ୍ରିୟ ପ୍ରତିରୋଧରେ (Passive resistance) ପହଞ୍ଚାଇ ଦେଲା । ସେହି ଶକ୍ତି ହିନ୍ଦୁଙ୍କ ନିଜସ୍ୱ ଧର୍ମାନୁଗତ ଜଗନ୍ନାଥ ମନ୍ଦିରକୁ କଲିଚୁନ ଦ୍ୱାରା ସଫେଦ କରାଇ ଦେଲା । ଉତ୍କଳ-ସମ୍ମିଳନୀର ଜୀବନ-ନାଟିକା-କମିଟିକୁ ଜନୈକ ବିଶିଷ୍ଟ ବ୍ୟକ୍ତିଙ୍କର ନାମ ଉଠିଯିବାର ପ୍ରସ୍ତାବ ହେବାମାତ୍ରକେ ସେହି ଶକ୍ତି ଗୋଟିଏ Village peasant ର (ମଫସଲିଆ ଚଷା) ବକ୍ଷରେ ବିରାଜମାନ ହୋଇ ଏ ପ୍ରସ୍ତାବକୁ inmediately (ଖଡ଼େଦମ opposed) (ବ୍ୟର୍ଥ) କରାଇ ଦେଲା । ଏସବୁ ସ୍ୱ ଚକ୍ଷୁରେ ଦେଖି ସେହି ଶକ୍ତିର କରାମତ ଅନୁଭବ କରିବା ଭଳି ଭାଗ୍ୟ ଯେଉଁମାନଙ୍କର ନାହିଁ, ମୁଁ ତହିଁ ମଧ୍ୟରୁ ଜଣେ । କିନ୍ତୁ ଆମ ହିନ୍ଦୁଶାସ୍ତ୍ର ଅନୁସାରେ ଯେ ତୀର୍ଥକୁ ଯାଇ ନ ପାରେ, ସେ ଘରେ ବସି ତୀର୍ଥୋଦକକ ଆଣି ମୁଣ୍ଡରେ ଛିଞ୍ଚି ହୋଇ ତୀର୍ଥଯାତ୍ରୀଙ୍କ ସମାନ ଫଳ ଲାଭ କରେ । ମୁଁ ସେହିପରି ଘରେ ବସି ମୋ ଭାଇ, ଭାୟା, ପୁତୁରା, ନାତି ଓଗେର ଯେଉଁମାନେ କି ସେ ତୀର୍ଥ ମାଡ଼ ଆପଣାକୁ ଧନ୍ୟ କରିଅଛନ୍ତି, ସେମାନଙ୍କଠାରୁ ଏଥର ହାଲଚାଲ ଶୁଣି ଏଥିର କରାମତ ଉପଲବ୍ଧ କରି ଆପଣାକୁ ଧନ୍ୟ ମଣିଲେ ଓ ଶେଷରେ ସେହି ‘ଶକ୍ତି’କୁ ଆରାଧନା କରି ଗୀତାର ୧୦ମ ଅଧ୍ୟାୟର ‘ଯଚ୍ଚାପି ସର୍ବଭୂତନଂ ବୀଜଂ ତଦହ ମର୍ଜ୍ଜୁନ ! ନ ତଦସ୍ତି ବିନା ଯତସ୍ୟାନ୍ମୟା ଭୂତଂ ଚରାଚରଂ । ଅଥବା ବହୁ ନୈତେନ କି ଜ୍ଞାତେନ ତବାର୍ଜ୍ଜୁନ । ବିଷ୍ଟଭ୍ୟାହମିଦଂ କୃତସ୍ନ ମେକାଂ ଶେନ ସ୍ଥିତୋ ଜଗତ୍ ।’ ସ୍ତବ ପାଠ ଦ୍ୱାରା ମୋର ବାସନା ପୂର୍ଣ୍ଣ କଲି ।
ଯେଉଁ ଶକ୍ତିର କରାମତି ଏଡ଼େ, ଯେଉଁ ଶକ୍ତି ଏପରି ଅସାଧ୍ୟ ସାଧନ କରିପାରେ, ଏପରି ଅକଥ୍ୟ କଥନ କରିପାରେ, ଏପରି ଅଭାବନୀୟ ଭାବନା କରିପାରେ, ସେହି ମାୟାବିନୀ ଶକ୍ତିକୁ ମୋର ଓ ସମଗ୍ର ଜାତିର ତ୍ରିକାଳ ସନ୍ଧ୍ୟାରେ ସାଷ୍ଟାଙ୍ଗ ନମସ୍କାର ।
ଆମେ ପିଲାଦିନରୁ ପାଠ ପଢ଼ି ଆସିଲେଇଁ, ‘ଧର୍ମର ଜୟ, ସତ୍ୟର ଜୟ, ପାଶବ ବଳର ପରାଜୟ ।’ କିନ୍ତୁ ବର୍ତ୍ତମାନ୍ ଜର୍ମାନୀ ଘୋଷଣା କରୁଅଛି, ‘ଅଧର୍ମର ଜୟ, ଅସତ୍ୟର ଜୟ, ପାଶବ ବଳର ଜୟ ।’ ଏହି କନ୍ଦଳରେ ସମଗ୍ର ସଭ୍ୟ ଜଗତ୍ ନିଜ ନିଜର ସାମର୍ଥ୍ୟ ଓ ସ୍ୱାର୍ଥକୁ ବଳି ଦେଇ ଧର୍ମର ଜୟ, ସତ୍ୟର ଜୟ ନିମନ୍ତେ ପ୍ରାଣ ସମ୍ପିଦେଇ ଅଛନ୍ତି । ଆମ ସମସ୍ତଙ୍କ ମନରେ ଏହି ଦମ୍ଭ ଅଛି ଯେ, ଭଗବାନ ଧର୍ମର ସୃଷ୍ଟି କରି, ସମସ୍ତଙ୍କ ଧର୍ମରେ ଆତଯାତ କରି ଶେଷରେ ଅଧର୍ମ, ଅସତ୍ୟକୁ କଦାପି ବିଜୟୀ କରାଇ ଦେବେ ନାହିଁ । ଜର୍ମାନୀର ବଳଦୃପ୍ତ ସେନା ଓ ସେନାପତିମାନେ ପାଶବ ବଳ ଦ୍ୱାରା ଲକ୍ଷ ଲକ୍ଷ ନିରୀହ ପ୍ରାଣୀଙ୍କୁ ହତ୍ୟା କରୁଅଛନ୍ତି, ଶତ ଶତ ନଗର ଧ୍ୱଂସ କରୁଅଛନ୍ତି, ସହସ୍ର ସହସ୍ର କୀର୍ତ୍ତି ଲୋପ କରୁଅଛନ୍ତି । ସେହି ପାଶବ-ବଳ-ଦୃପ୍ତ ଜର୍ମାନୀ ସେନା-ନିୟାମିକା ଶକ୍ତି ବିବେକ ଓ ଅନ୍ତର୍ଜାତୀୟ ବିଧି ବିଧାନକୁ ପ୍ରତି ମୁହୂର୍ତ୍ତରେ ପଦଦଳିତ କରୁଅଛି । ଏହି ବିଶ୍ୱବ୍ୟାପୀ ମହାସମରରେ ରାକ୍ଷସୀ ଶକ୍ତି ଓ ଦୈବୀଶକ୍ତି ମଧ୍ୟରେ କନ୍ଦଳ ଲାଗିଅଛି– ଭଗବାନଙ୍କ ରାଜ୍ୟରେ ସତ୍ୟର ଜୟ ନିଶ୍ଚୟ ହେବ, ଧର୍ମର ଜୟ ନିଶ୍ଚୟ ହେବ, ଅଧର୍ମର ଜୟ ନିଶ୍ଚୟ ହେବ । କିନ୍ତୁ ଅଧର୍ମ କ୍ଷଣକାଳ ଲାଗି ଚେଇଁଉଠି ଜଗତକୁ ବ୍ୟତିବ୍ୟସ୍ତ କରୁଅଛି ମାତ୍ର ! ଅପରନ୍ତୁ ଦେଖିବାକୁ ଗଲେ ଏ କନ୍ଦଳରେ ସତ୍ୟ ଓ ଧର୍ମ ବିଷମ ଅଗ୍ନି ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବା ପରେ ଜଗତରେ ଧର୍ମର ଗାରିମା ଓ ସତ୍ୟର ଗାରିମା ବଢ଼ିବ । ରାବଣ ‘ସୀତାଙ୍କୁ ହରଣ କରି ପାଶବ ବଳ ଦ୍ୱାରା ରାମଚନ୍ଦ୍ରଙ୍କୁ ଦିନାକେତେ ତ୍ରସ୍ତ ବ୍ୟସ୍ତ କରି ପକାଇଲା । କିନ୍ତୁ ଶେଷରେ ଦୈବୀଶକ୍ତିର ଜୟ, ପାଶବ ଶକ୍ତିର ପରାଜୟ ହେଲା । ଏହାହିଁ ସଂସାରର ନିୟମ । ଏହାହିଁ ବିଶ୍ୱନିୟନ୍ତାଙ୍କ ସୃଷ୍ଟିର ଉଦ୍ଦେଶ୍ୟ । ବର୍ତ୍ତମାନ ଜର୍ମାନୀ ରାକ୍ଷସୀ ଶକ୍ତିର ଉପାସନା କରୁଅଛି– ଆମର ମିତ୍ରପକ୍ଷମାନେ ଦୈବୀଶକ୍ତିର ଆରାଧନା କରୁଅଛନ୍ତି । ବର୍ତ୍ତମାନ ଓଡ଼ିଶାର ଯେଉଁ ଶକ୍ତି ଆମ୍ଭମାନଙ୍କ ରଙ୍ଗଭୂମିରେ ନଚାଉ ଅଛନ୍ତି, ସେ କେଉଁ ଶକ୍ତି ? ଦୈବ୍ୟ ଶକ୍ତି ? ନା ରାକ୍ଷସୀ ଶକ୍ତି ? ସେ ଶକ୍ତିଙ୍କୁ ଶତଶ୍ୟ ନମସ୍କାର ।
ଏ ଗଲା ଓଡ଼ିଶାର ମହତୋମହୀୟସୀ ସୂତ୍ରଧାରିଣୀ ‘ଶକ୍ତିଙ୍କ’ର ଆବାହନ । ଏହାପରେ ଶକ୍ତିପୂଜା ଓ ଉପକ୍ରମଣିକା । ସବୁ ବଡ଼ ବଡ଼ୁଆ ଭାଇମାନଙ୍କୁ ମୁଁ ବିନୀତ ଭାବରେ ପଚାରୁଛି ଯେ, ସେମାନେ ଆଜିକି ୧୪ ବର୍ଷ ହେଲା ଆମର ଏ ଉତ୍କଳ ସମ୍ମିଳନୀରେ ଯୋଗ ଦେଉଅଛନ୍ତି, ଏଥିଲାଗି ଅନେକ ସ୍ୱାର୍ଥତ୍ୟାଗ, ବକ୍ତୃତା, ପ୍ରଚାର, ଆୟ ବ୍ୟୟ, ବୃକ୍ଷ-ବୃଷଣ-ସ୍ପର୍ଶନ, ଶବ-ସମିତି-ଗଠନ ଓ ଜାତୀୟ ପାଣ୍ଠି ସର୍ଜନ ହୋଇ ଆସୁଅଛି– କିନ୍ତୁ ଯେଉଁ ଶକ୍ତି ଅନ୍ତରାଳରେ ଥାଇ ଏସବୁ କସରତ୍ ବର୍ଷକେ ଥରେ ସମ୍ମିଳନୀ ମଣ୍ଡପରେ ଦେଖାଇ ଆସୁଅଛି ଓ ସମସ୍ତଙ୍କୁ ଗାଇ ବାଇ ନଚାଇ ଶିଖାଉଅଛି, ସେ କି ଶକ୍ତି ? ବର୍ଷକଯାକ କୃଷକ ତା ବିଲବାଡ଼ି ଧନ୍ଦାରେ ଲାଗିଛି, ମୂଲିଆ ମିସ୍ତ୍ରୀ ତା ଫନ୍ଦାରେ ଲାଗିଛି, ସଇସ ଘୋଡ଼ା କାମରେ ଲାଗିଛି, ମେହେନ୍ତର ଝାଡ଼ୁ ବରଦାରିରେ ଲାଗିଛି, କୀର୍ତ୍ତନମଣ୍ଡଳୀ ଖୋଳ କରତାଳରେ ଲାଗିଛନ୍ତି । ସମ୍ମିଳନୀର ଅଧିବେଶନର ଓଳିକ ପୂର୍ବରୁ ସମ୍ମିଳନୀ ଚାଳକ ଶକ୍ତମାନେ ପ୍ରଚାର ଓ ନିମନ୍ତ୍ରଣରେ ଲାଗିଯାଇ କୁହୁକ ଦେଖାଇ କାହାକୁ ଖୋଳ ପୂଜା ନିମନ୍ତେ ଆଠଅଣା ପଇସା ଦେଇ ବା ଦେବାର ଆଶା ଦେଇ ସମସ୍ତଙ୍କୁ ଆଣି ସମ୍ମିଳନୀ ମଣ୍ଡପରେ ରୁଣ୍ଡ କରାଇ ଦେଉଅଛନ୍ତି ଓ ବହିର୍ଜଗତକୁ ଦେଖାଉ ଅଛନ୍ତି ଯେ, ଓଡ଼ିଶାର untouchable class (ଅସ୍ପୃଶ୍ୟ ସମ୍ପ୍ରଦାୟ), mass (ପାମରସାଧାରଣ) ଓ meanest peasant (ନୀଚତମ କୃଷକ) ସମ୍ମଳନୀର ବୀଜମନ୍ତ୍ର ଗ୍ରହଣ କରି ସାରିଲେଣି । ଏହା କୁହୁକ ଓ ଗୋପଲୀଳା ସୁଆଙ୍ଗ ନୁହେଁ ତ ଆଉ କଣ ? ଆଜିଯାକେ ସମ୍ମିଳନୀ ପାଇଁ କେତେ ଚାନ୍ଦା ଉଠିଲା, କେତେ ବ୍ୟୟ ହେଲା, ସମ୍ମିଳନୀ ପ୍ରଭାବରୁ ଦେଶରେ ଦେଶରେ କି ସ୍ଥାୟୀ ଅନୁଷ୍ଠାନ ହେଲା, ସମ୍ମିଳନୀ କେଉଁ ନିୟମରେ ପରିଚାଳିତ, ଏସବୁ କେହି ଠିକ୍ କରି କହି ପାରିବେ କି ?
ଶ୍ରୀଯୁକ୍ତ ଗଣେଶଲାଲ ପଣ୍ଡିତ, ଶ୍ରୀଯୁକ୍ତ ଚନ୍ଦୁଲାଲ, ଶ୍ରୀଯୁକ୍ତ ରାଧାପ୍ରସାଦ ଭଗତ, ଶ୍ରୀଯୁକ୍ତ ଏରା ଆନେୟା, ଶ୍ରୀଯୁକ୍ତ ଆକାଶି ସୋମ ଶେଖରଂ ଏମାନେ ହେଲେ ଉତ୍କଳୀୟ ଅର୍ଥାତ୍ ସମ୍ମିଳନୀର ମେମ୍ୱର; କିନ୍ତୁ ଶ୍ରୀଯୁକ୍ତ ଯୋଗେନ୍ଦ୍ରନାଥ ବୋଷ ଉତ୍କଳୀୟ ହୋଇ ପାରିବେ ନାହିଁ । ଯୋଗେନ ବାବୁଙ୍କର ଓଡ଼ିଶା ଛଡ଼ା ଅନ୍ୟତ୍ର ଭିଟା ଅଛି । କିନ୍ତୁ ପୂର୍ବୋକ୍ତ ମେମ୍ୱରମାନଙ୍କର ମଧ୍ୟ ସ୍ୱଦେଶରେ ଭିଟା ଅଛି । ଯୋଗେନ ବାବୁଙ୍କୁ ଉତ୍କଳ ସମ୍ପ୍ରଦାୟରେ ପ୍ରବେଶାଧିକାର ନିଷେଧ ହେଲା-। ଚନ୍ଦୁଲାଲ ସେଥିରେ ଉଚ୍ଚାଟନ ପାଇଲେ । ଏଥି କାରଣ ଆପଣମାନେ କିଛି ସ୍ଥିର କରିଅଛନ୍ତି କି-? କାଲି ରାଜନୈତିକ ଆନ୍ଦୋଳନ, ଧର୍ମଚର୍ଚ୍ଚା ଉତ୍କଳ ସମ୍ମିଳନୀରେ ସ୍ଥାନ ପାଇବ ନାହିଁ ବୋଲି ଘୋଷଣା ହୋଇଗଲା । ଫେର ଆଜି ଘୋଷଣା ହେଲା ଯେ, ସମ୍ମିଳନୀ ରାଜନୈତିକ ଚର୍ଚ୍ଚାରେ ଯୋଗ ଦେଇ ଦେଶ ମିଶ୍ରଣ, ଲୁଣ ପୋକ୍ତାନି, କଚେରି ଭାଷା ପ୍ରବର୍ତ୍ତନ ଆଦି ପ୍ରସ୍ତାବ କରିବେ ଓ ଜଗନ୍ନାଥ ମନ୍ଦିରର ଜୀର୍ଣ୍ଣ ସଂସ୍କାର ପାଇଁ ପାଣ୍ଠି ସ୍ଥାପନ କରିବେ । ଏ ସବୁ କରୁଛି କିଏ ଓ ହେଉଛି କିପରି ? କାଲି ସମ୍ମିଳନୀର ପରିଚାଳନ ନିମନ୍ତେ କେତେଗୁଡ଼ିଏ ନିୟମ ବିଧିବଦ୍ଧ ହେଲା-। କିନ୍ତୁ ଆଜି ଘୋଷଣା ହେଲା ଯେ, ନିୟମାଧୀନ ହୋଇ ଚଳିବା ସମ୍ମିଳନୀ ପକ୍ଷରେ କାପୁରୁଷତା । ବାହାରେ ଦେଖାଇଲା ବେଳକୁ ହେଲା ଯେ ସମ୍ମିଳନୀ ରାଜନୀତି ଚର୍ଚ୍ଚାର ସ୍ଥାନ ନୁହେଁ–ଏଥିରେ କାହାରି ଯୋଗ ଦେବାର ଆପତ୍ତି ନାହିଁ; କିନ୍ତୁ ସମ୍ମିଳନୀ ମଣ୍ଡପରେ ଢେଉ ଉଠିଲା ଯେ, ଗଭର୍ଣ୍ଣମେଣ୍ଟ ଆମ କଥା ନ ଶୁଣିଲେ ଆମେ ଉପବାସ ରହିବା ଓ Passive resistance ‘ଚୋରକୁ ମାନ କରି ଖପରାରେ ଖାଇବା’ ନୀତି ଅବଲମ୍ୱନ କରିବା । ସରକାରଙ୍କ ସଙ୍ଗେ ସବୁ ସମ୍ପର୍କ ଛିଣ୍ଡାଇ ଦେବା । ଏସବୁ କ୍ରିୟା କଳାପରେ ଓ ବାଚାଳତାରେ ସାମଞ୍ଜସ୍ୟ କାହିଁ-? ଆଜି ସମ୍ମିଳନୀ ମଣ୍ଡପରେ ‘The Oriya’ ସମ୍ୱାଦପତ୍ର ସମ୍ମିଳନୀର ମୁଖପତ୍ର (organ) ବୋଲି ଉଦ୍ଘୋଷିତ ହେଲା । ସମ୍ମିଳନୀ ଏହାର ନିତି (Policy) କେବେ ସ୍ଥିର କଲେ ? ଏହାର ଲେଖା ଉପରେ ସମ୍ମିଳନୀ କେଉଁ ଅଧିକାର (control) ଅଛି ? ଏହା ସୁପରିଚାଳିତ ଓ ସଂଯତ ହେବା ନିମନ୍ତେ ଦାୟୀ କିଏ ? ଏସବୁ କଥା ଆମ୍ଭେମାନେ ଦୃଢ଼ଭାବରେ ଭାବଅଛୁଁ କି ? ଜଣେ ସ୍ୱଜାତିବତ୍ସଳ ବ୍ୟକ୍ତି ଓଡ଼ିଆ ଖବରକାଗଜ ପରିଚାଳନ ପାଇଁ ଟ ୩୦୦୦.୦୦ ଦେବାର ପ୍ରସ୍ତାବ ସମ୍ମିଳନୀ ମଣ୍ଡପରେ ଉପସ୍ଥାପିତ ହେବା ମାତ୍ରକେ ଘନ ଘନ କରତାଳିରେ ସଭାମଣ୍ଡପ କମ୍ପି ଉଠିଲା । କିନ୍ତୁ ‘ଅମୁକ ଲୋକ ସମ୍ପାଦକ ନ ହେଲେ ମୁଁ ଏ ଟଙ୍କା ଦେବି ନାହିଁ, ଏହି Proviso (ସର୍ତ୍ତ) ମଧ୍ୟ ସେହି କରତାଳି ଧ୍ୱନିରେ ସମର୍ଥିତ ହୋଇଗଲା । ‘‘ଏ ସମ୍ବାଦପତ୍ରଟି ସମ୍ମିଳନୀ ଏତକ ସର୍ତ୍ତ ବିନା ପରିଚାଳନ କରିପାରିବେ’’ । ସମ୍ମିଳନୀର ଶକ୍ତି ଉପରେ ଯେଉଁ ଦାତାଙ୍କର ଏତକ ଆସ୍ଥା (confidence) ନାହିଁ, ସେ ସର୍ତ୍ତ ଉଲ୍ଲେଖ କରି ତାଙ୍କର ନିଜର ଜାତ୍ୟଭିମାନ ବଢ଼ାଇଲେ ନା ସମ୍ମିଳନୀର ଟେକ ବଢ଼ାଇଲେ ? ନା ‘ଓଡ଼ିଆ’ କାଗଜର ମହତ୍ତ୍ୱ ବଢ଼ାଇଲେ ? ନା ଉପସ୍ଥିତ ସମ୍ପାଦକଙ୍କର ଗାରିମା ବଢ଼ାଇଲେ ? ଏକଥା ଥରେ କେହି ଭାବୁଅଛନ୍ତି କି ? ଗୋଟିଏ central Council (କେନ୍ଦ୍ର ସଭା) ଗଠିତ ହେଲା, ସେଥିରେ କଟକରୁ ୧୫, ବାଲେଶ୍ୱରରୁ ୮, ପୁରୀରୁ ୮, ଗଞ୍ଜାମରୁ ୧୦, ସମ୍ୱଲପୁରରୁ ୫, ଗଡ଼ଜାତରୁ ୧୦ ଇତ୍ୟାଦି ଯେଉଁସବୁ ସଂଖ୍ୟା ଓ ଯେଉଁ ନାମ ସବୁ ଖଞ୍ଜା ହେଲା, ତାହା କେଉଁ ରୀତି, କେଉଁ ନିୟମ, କେଉଁ ବ୍ୟବସ୍ଥା ଓ କେଉଁ କଳ୍ପନା ଓ କେଉଁ ଗଣନା ଦ୍ୱାରା ସ୍ଥିରୀକୃତ ହେଲା ? ଏ କଥା ସବୁ କଟକଠାରେ ଖଡ଼େଦମ ଓଳିକ ମଧ୍ୟରେ ଠିକ୍ଠାକ୍ ମୀମାଂସା ହୋଇଗଲା । ଏ Council (ସମିତି) ହେଲା ଉତ୍କଳର ପ୍ରତିନିଧି ଓ ଉତ୍କଳର ଭାଗ୍ୟଚକ୍ର ନିୟାମକ !! ଏଥିପାଇଁ କହନ୍ତି– ‘ଖଜୁର ଗଛର କି ଗୁଣ ବର୍ଣ୍ଣିବି ? ମୂଳରୁ ପାହାଚ ପାହାଚ ।’ ସମ୍ମିଳନୀ ଜଣକର ବା ଜଣ କେତେକଙ୍କର ମନଗଢ଼ା ମେଢ଼ । ସେହି ଜଣକ ବା ଜଣ କେତେ ତାହାର ସୃଷ୍ଟି-ସ୍ଥିତି-ପ୍ରଳୟକର୍ତ୍ତା । ତୁମେ ଆମେ ସମସ୍ତେ କେବଳ ନାଟୁଆ, ହାଟୁଆ ଓ ବାଟୁଆ ମାତ୍ର । ଏହା ଯେଉଁପରି ଭାବରେ ପରିଚାଳିତ ହେଉଅଛି, ଏଥିରେ କେବଳ ବ୍ୟକ୍ତିଗତ ହାମ୍ବଡ଼ା ରୀତି (Self-aggran-disement), ବ୍ୟକ୍ତିଗତ ଖିଆଲ (Whims), ବ୍ୟକ୍ତିଗତ ଜିଦ୍(Personal zid), ବ୍ୟକ୍ତିଗତ ଅନୁଗ୍ରହ (favouritism), ବ୍ୟକ୍ତିଗତ ଦଳ ପ୍ରତିଷ୍ଠା ଓ ରାଜତ୍ୱ (Rule of a party-faclion) ବ୍ୟକ୍ତିଗତ ରିପୁଭାବ (Personal feelings of enmity), ବ୍ୟକ୍ତିଗତ ପ୍ରତିଷ୍ଠା କାଙ୍କ୍ଷା (Personal popularity), ବ୍ୟକ୍ତିଗତ ଗୋପଲୀଳା ସୁଆଙ୍ଗ (Personal wirepulling and manipulation) ବଢ଼ୁଅଛି । ଏହା ସମ୍ମିଳନୀର ଭକ୍ତ ଅଭକ୍ତ ସମସ୍ତେ ଗୋପନରେ ସ୍ୱୀକାର କରୁଅଛନ୍ତି, କିନ୍ତୁ ପଦାରେ ପ୍ରକାଶ କରିବାକୁ ସମସ୍ତେ କୁଣ୍ଠିତ । ଯେଉଁ ହୀନକର୍ମା ବ୍ୟକ୍ତି ଚାଳକ ବା ତାଙ୍କ ଦଳ ବା ତାଙ୍କ କାର୍ଯ୍ୟରୀତି ବିରୁଦ୍ଧରେ ପଦେ କଥା କହିବ ବା ସମ୍ମିଳନୀର କାର୍ଯ୍ୟକଳାପ ଓ ଚାଳକ-ରୀତିର ପ୍ରତିବାଦ କରିବ, ତାହା ନାମ ତିନି ପାଞ୍ଜିରୁ ପୋଛା ହେବ । ‘ସେ ଓଡ଼ିଆ ନୁହେଁ ।’ ତାକୁ ଏକଘରିକିଆ କରିବାକୁ ହେବ । ଯେଉଁ ବ୍ୟକ୍ତି କୌଣସି କଥାରେ ପ୍ରତିବାଦ କରିବାର ସମ୍ଭାବନା ଥିବ, ତାକୁ ସମ୍ମିଳନୀ ମଣ୍ଡପରେ ପାଟି ଫିଟାଇବାକୁ ଦିଆଯିବ ନାହିଁ । ତାହାର ଗୋଛି କଟାଯିବ । ଏ ସମ୍ମିଳନୀରେ ଯୋଗ ଦେଉଥିବା ଅପାମର ସାଧାରଣ ଅଧିକାଂଶ ବ୍ୟକ୍ତିଙ୍କୁ ପଚାର ‘‘କିହୋ କୁଆଡ଼େ ଆସିଥିଲ ?’’ ଏଥିର ଉତ୍ତର ପାଇବ, ‘‘ମଧୁବାବୁଙ୍କ ସଭାକୁ ଆସିଥିଲୁଁ– ମଧୁବାବୁ ବାରିଷ୍ଟର ଓ କନିକା ରାଜା ନିମନ୍ତ୍ରଣ ପତ୍ର ପଠାଇଥିଲେ, ଆସନ୍ତୁ ନାହିଁ କିପରି ?’’ ତାଙ୍କୁ ପଚାର, ‘‘କଣ ଦେଖିଲ’’– ଉତ୍ତର ‘‘ଖୁବ୍ ପାଟି, ଖୁବ ନାଟ, ଖୁବ ହାତତାଳି ଦେଖିଲୁ, ଅନେକ ରାଜା ମହାରାଜାଙ୍କୁ ଦେଖିଲୁଁ, କିନ୍ତୁ ଲୁଣ ଲୁଗା ତ ଶସ୍ତା ହେଲା ନାହିଁ ।’’
ଏ ତ ଗଲା ଆମର ସାଧାରଣଙ୍କ କଥା– ଆଚ୍ଛା, ମୁଁ ଆମ ଦେଶର ବଡ଼ବଡ଼ୁଆ-ପାମରମାନଙ୍କୁ ପଚାରୁଛି, ‘‘ବର୍ଷକୁ ଏତେ ଖର୍ଚ୍ଚାନ୍ତ ହୋଇ ବହୁ ଦୂରରୁ ଆସୁଛ, ଏ ୧୪ ବର୍ଷ ଭିତରେ କଣ ଧାରାବାହିକ କାର୍ଯ୍ୟ ହେଲାଣି ?’’ ଏଥିର ସନ୍ତୋଷଜନକ ଉତ୍ତର ନ ଦେବା ପର୍ଯ୍ୟନ୍ତ ‘ଯଥୈବାସ୍ତେ ତଥୈ ବାସ୍ତା’ ଅନ୍ୟ କଥା ଦୂରେ ଥାଉ, କେତେଦିନ ପୂର୍ବେ ଜଣେ ନଗଣ୍ୟ ଏକଘରିଆ ହତଭାଗାକୁ ଖୋଦ ମଧୁବାବୁ ପଚାରିଲେ, ‘‘କି ହୋ ! ତୁମେ ଏ ସମ୍ମିଳନୀରେ ଯୋଗ ଦେଉ ନ ଥିବା କଥା ସତ ?’’ ସେ ବ୍ୟକ୍ତି ଲିଖିତ ଜବାବ ଦାଖଲ କରି କହିଲା ଯେ, ‘‘ଏ ଗୋପଲୀଳା ସୁଆଙ୍ଗରେ, କେଳା କୁହୁକରେ, ଘର ସାହାବି ମାମଲତରେ ଯୋଗ ଦେବାକୁ ମୋ ମନ ହେଉ ନାହିଁ । ଏ ସବୁଥିରେ କେବଳ ଜଣକେତେ ସୂତ୍ରଧର, ତାଙ୍କର ଅଗ ମୂଳ କିଛି ନାହିଁ, ବ୍ୟକ୍ତି ବିଶେଷ ଯାହା କହିବେ, ତାହା ହିଁ ପାଠ, ତାଙ୍କର ପେଟ ଫୁଲାଇଲେ ସମ୍ମିଳନୀର ପେଟ ଫୁଲାଉଛି, ତାଙ୍କର ଖଇରିହାକୁଟି ହେଲା ବେଳକୁ ସମଗ୍ର ଜାତିର ଖଇରିହାକୁଟି ହେଉଛି । ସମଗ୍ର ଜାତିଟା ଯାକ ଏ ‘ହୋ’ରେ ମାତି ଅଛନ୍ତି, ମୋ ଭଳିଆ ଗୋଟାଏ ଅଧେ ଯୋଗ ନ ଦେଲେ ଯାଏ କେତେ ଆସେ କେତେ !’’ ଏ ଚିଠି ଖଣ୍ଡିକ ଯେତେ ଜଣ ସମ୍ମିଳନୀର ତଥା ଡାକ ନାମ ଭକ୍ତ ଦେଖିଲେ, ସମସ୍ତେ ରାବି ଉଠିଲେ, ‘‘ସତେ ତ ! ଭାଇରେ ! ଏ କଥା ଅକ୍ଷରେ ଅକ୍ଷରେ ସତ ! ସତକୁ ସତ ସମ୍ମିଳନୀଟା କେବଳ ଗୋଟାଏ ତାମସା ।’’ କିନ୍ତୁ ଆର ଓଳିକୁ ସେହି ନାମଜାଦା ପୁରୁଷମାନେ ବିନା ବାକ୍ୟବ୍ୟୟରେ ବ୍ୟକ୍ତିଗତ ସ୍ତବପାଠରେ ଯୋଗ ଦେଲେ । ଯେଉଁ ଜାତୀୟ ବୀରମାନେ ବିବେକର ତଣ୍ଟିକୁ ଏପରି ଚିପିଦେଇ ପାରନ୍ତି ଓ ଘଡ଼ିକୁ ଘଡ଼ି ବହୁରୂପା ଏଣ୍ଡୁଅ ଭଳିଆ କାୟା ବଦଳାଇ ପାରନ୍ତି, ସେମାନଙ୍କୁ କିଛି ଅସାଧ୍ୟ ନୁହେଁ । ସେମାନଙ୍କ ପଛଆଡ଼େ ଘୋଡ଼ାବାଳଟିଏ ଲଗାଇ ଦେଇ ପରଦା ଭିତରେ ରହି ସୂତ୍ରଧର ତାଙ୍କୁ ଯେଉଁପରି ନଚାଇବେ, ସେମାନେ ସେହିପରି ନାଚିବେ । ଯେବେ ଜଣେ ନ ନାଚିଲା ତାକୁ ‘ସାତଚକଟା, ପୋଲୁହଘଣ୍ଟା, ବିଭୂତି ଭୂଷଣ, ଗାଲିଶି କଟା’ କରି ଦିଅ, ତାହାହେଲେ ସବୁ ଅଡ଼ୁଆ ଛିଣ୍ଡିଯିବ । ମୁଁ ଭାବୁଛି ଯେ, ଦିହରେ ଛାପଚିକଣିଆ ପୋଷାକ ଲଗାଇ ବଡ଼ରୋଗ ଛଉମନ୍ଦାକୁ ଘୋଡ଼ାଇ ରଖିଲେ ଦାଣ୍ଡ ଲୋକେ ବର୍ତ୍ତମାନ ତୁମ ଦିହର ରୋଗ ଠଉରାଇ ପାରିବେ ନାହିଁ ସତ, କିନ୍ତୁ ସେହି ଛଉମନ୍ଦା ଯେତେବେଳେ ଫୁଟିଉଠି ଦିହଯାକ ମାଡ଼ିଯିବ ଓ ମୁହଁ ହାତ ନାକ କାନ ରକ୍ତ-ପୂଜ-ଘା ମୟ ହୋଇଯିବ, ସେତେବେଳେ ତାକୁ ଲୁଚାଇବ କିପରି ? ଏଥିପାଇଁ ତୁମ ଦିହରେ ଛଉଦାଗ ହେବା ମାତ୍ରକେ ତୁମ ପରିବାରର ଯେଉଁ ବ୍ୟକ୍ତି ତାର ଆଶୁ ପ୍ରତିକାର କରିବାକୁ କହେ, ତା କଥା ସେତେବେଳେ ଅପ୍ରିୟ ହେଉ ପଛକେ ସେ ତୁମର ହିତାକାଂକ୍ଷୀ ବୋଲି ମନେ ରଖିବ । ଆଉ ଯେ କହିବେ ଯେ, ସେ ଛଉ ମନ୍ଦାକୁ ପୋଷାକ ତଳେ ଘୋଡ଼ାଇ ଦେଇ ଦାଣ୍ଡକୁ ବାହାରି ପଡ଼, ତାଙ୍କୁ ଜାଣିବ, ସେ ‘ଖୋସାମଦୁଆ’ । ଯେଉଁ ଲୋକ ତୁମ ଛଉମନ୍ଦାର ଆଶୁ ପ୍ରତିକାର ପାଇଁ ପରାମର୍ଶ ଦେଉଛି, ଦେଖିବ ଯେ ସେହି ଜଣକ ଶେଷ ବେଳକୁ ତୁମ ମୁହଁ ହାତରେ ପୂଜରକ୍ତ ଧୋଇ ତୁମର ସେବା ଶୁଶ୍ରୂଷା କରିବ ଓ ଯେଉଁମାନେ କହୁଛନ୍ତି ଯେ ସେ ମନ୍ଦାଯାକ ଘୋଡ଼ିଆ ଘୋଡ଼ି କରି ଦାଣ୍ଡକୁ ବାହାର, ସେମାନେ ଶିକାର ବେଳକୁ ଝାଡ଼ା ଫେରିବା ବାହାନାରେ ଚମ୍ପଟ ଦେବେ ।
ଯେଉଁ ଜାତୀୟ ଅନୁଷ୍ଠାନ ‘ନୀତି’ ଓ ନିୟମର ଧାର ଧାରେ ନାହିଁ, ଯେଉଁଠାରେ ଅଧିକାଂଶ ବ୍ୟକ୍ତି ସ୍ୱାଧୀନ ଭାବରେ ଚିନ୍ତା କରିବାକୁ, କାର୍ଯ୍ୟ କରିବାକୁ ଅକ୍ଷମ ବା ପରାଙ୍ମୁଖ ବା ଭୟାକୁଳ ଯେଉଁଠାରେ ଲୋକଗୁଡ଼ାକ କେବଳ ପର ଗୋଡ଼କୁ ଅନାଇ ବାଟ ଚାଲନ୍ତି, ଯେଉଁ ଜାତିର ନେତାମାନେ ନିୟମ (Principle), ନିୟମତନ୍ତ୍ରତା (Discipline), ନୈତିକ ସାହସ (moral courage)ର ଧାର ଧାରନ୍ତି ନାହିଁ ଓ ଅବଲମ୍ୱିତ ଧର୍ମ ସଙ୍ଗେ ଆଚରିତ ଧର୍ମାନୁଷ୍ଠାନର, କଥା ସଙ୍ଗେ କାର୍ଯ୍ୟର ସାମଞ୍ଜସ୍ୟ ରକ୍ଷା କରିବା କର୍ତ୍ତବ୍ୟ ମନେ କରନ୍ତି ନାହିଁ, ନିକଟ ଭବିଷ୍ୟତରେ ସେ ଜାତି ସମ୍ୱନ୍ଧରେ କିଛି ଆଶା କରିବା ନିତାନ୍ତ ବିଡ଼ମ୍ୱନା ।
ଉତ୍କଳର ଏ ଗୋଟିଏ ଅନୁଷ୍ଠାନର ଆଲୋଚନା କରିବାକୁ ଯାଇ ଗୋଟିଏ ପୋଥି ହେଲାଣି । ଏହିପରି ଅନ୍ୟ ଅନୁଷ୍ଠାନମାନଙ୍କ ସମ୍ୱନ୍ଧରେ ବକ୍ତବ୍ୟ ଲିପିବଦ୍ଧ କଲେ ପୋଥି ବଢ଼ିଯିବ । ଏହି ଭୟରୁ ସେଥିରୁ କ୍ଷାନ୍ତ ହେଲି । ଭାତହାଣ୍ଡିରୁ ଗୋଟିଏ ଚିପିଲେ ହାଣ୍ଡିଟା ଯାକରେ ଥିବା ଭାତର ଅବସ୍ଥା ଜଣାପଡ଼େ । ଆମ୍ଭମାନଙ୍କ ଦେଶରେ ବର୍ତ୍ତମାନ ଯେଉଁ ହାଉଆ ବହୁଅଛି, ସେଥିର କରାମତରେ ଅଧିକାଂଶ ଅନୁଷ୍ଠାନମାନ ବ୍ୟକ୍ତିଗତ ଖିଆଲର କ୍ରୀଡ଼ା କ୍ଷେତ୍ରରୂପରେ ପରିଣତ ହୋଇଅଛି । ଭଗବାନ କରନ୍ତୁ, ସେ ବ୍ୟକ୍ତିଗତ ପ୍ରାଧାନ୍ୟ ଶୀଘ୍ର ଲୁପ୍ତ ହେଉ ଓ ଜାତୀୟ ଅନୁଷ୍ଠାନମାନ ପ୍ରକୃତରେ ଜାତିର ସଭ୍ୟତା ଓ ଉନ୍ନତିର ପଥପ୍ରଦର୍ଶକ ହେଉ । ଆଜି ଏତିକି ।
(୨୨ଶ ଭାଗ । ୧୩୨୫ । ୩ୟ ସଂଖ୍ୟା)
ଗତ ପୂର୍ବ ଥରକ ଉତ୍କଳ ସାହିତ୍ୟରେ ‘ଆମ ଘରର ହାଲଚାଲ’ ପ୍ରସଙ୍ଗରେ ଉତ୍କଳ ସମ୍ମିଳନୀ ସମ୍ୱନ୍ଧରେ ପଦେ ଅଧେ କଥା ଲେଖିଥିଲି ବୋଲି ଉତ୍କଳର କେତେଗୁଡ଼ିଏ ନାମସାଫି ଓ ନାମ ଚୋରି ବ୍ୟକ୍ତିଙ୍କଠାରୁ ଉତ୍ତମ ମଧ୍ୟମ ଶୁଣିବାକୁ ପଡ଼ିଅଛି ଓ ଏପରି ‘ବେଆଡ଼ା’ ସମାଲୋଚନା ଯେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା, ସେ ପତ୍ରିକାର ସମ୍ପାଦକ ମହାଶୟ ମଧ୍ୟ କିଛି ଉତ୍ତମ ମଧ୍ୟମ ପାଇଅଛନ୍ତି । କର୍ମଯୋଗ ଉପରେ ମନୁଷ୍ୟର ହାତ ନ ଥାଏ । ମୋ ସମ୍ମିଳନୀ-ହାଲଚାଲର ସମାଲୋଚନା ହେବା ସମୟରେ ମୁଁ କଟକଠାରୁ ଦୂରରେ ଗଡ଼ଜାତର ଜଙ୍ଗଲରେ ଜଣେ ବନ୍ଧୁଙ୍କୁ ରୋଗଶଯ୍ୟା ନିକଟରେ ପରିଚର୍ଯ୍ୟା କରିବାରେ ବ୍ୟସ୍ତ ଥିଲିଁ, ଏଥିପାଇଁ ସେହି ସମାଲୋଚନାରେ ବଜାର ସରଗରମ ହେବା ସମୟରେ ମୁଁ ସେ ଗରମିର ଦାଉଠାରୁ ଦୂରରେ ଥାଇ ନିରାପଦରେ ଥିଲି ଓ ମନେ ମନେ ବିଚାରିଲି ଯେ, ଏ ତାତିରୁ ମୋତେ ଦୂରରେ ରଖାଇବା ପାଇଁ ଈଶ୍ୱର ବନ୍ଧୁଙ୍କୁ ରୋଗାକ୍ରାନ୍ତ କରାଇଥିଲେ ପରା ? ଏ ଗରମିର ତାତି ଟିକିଏ ଶୀତୁଳି ଯିବା ପରେ ମୁଁ କଟକ ଫେରି ଆସିଲି । ସେତେବେଳକୁ ତତ୍ପରବର୍ତ୍ତୀ ସଂଖ୍ୟା ଉତ୍କଳ ସାହିତ୍ୟ ପ୍ରକାଶିତ ହୋଇ ସାରିଥିଲା । ଅତଏବ ଅଗତ୍ୟା ମୋର କୌଣସି କୈଫିୟତ୍ ଦେବାର କାରଣ ଏହିକି, ଗତସଂଖ୍ୟା ସାହିତ୍ୟରେ ‘ଆମ ଘରର ହାଲଚାଲ’ ନ ଦେଖି କେହି କେହି ବନ୍ଧୁ ମୋତେ କହିଥିଲେ, ‘‘ପହରାଜେ-! କୁଲା ଢାଉଁ ଢାଉଁରେ ଡରିଗଲ ?’’ କିନ୍ତୁ ପହରାଜେ କଂସାରି ଘରର ପାରା ବୋଲି ବନ୍ଧୁଙ୍କୁ ଜଣା ନ ଥିଲା । ଲେଖକ ଯେଉଁ ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲା, ସେ ଗୁରୁଙ୍କର ଜାତକରେ କୁଲା ଢାଉଁ ଢାଉଁ ଡରିବା ଲେଖା ନାହିଁ । ସେ ଗୁରୁଙ୍କର ଉପଦେଶ– ‘‘ହକ୍ କହେଗା, ଗୁରୁ ଚିଡ଼େଗା ତ ଚିଡ଼େଗା ।’’ ସେହି ଗୁରୁଙ୍କର ଆହୁରି ଗୋଟାଏ ମଧ୍ୟ ଉପଦେଶ ଏହି ଯେ, ‘କୌଣସି କାମ କଲାବେଳେ ମୁଣ୍ଡକୁ ପାଣି ଛଡ଼ାଇ ଦେଇ କାମ କରିବ ।’ ଯେଉଁ ଗୁରୁ ଏ ଶିକ୍ଷା ଦେଇଥିଲେ, ସେହି ଗୁରୁ ଏତକ ହେଜି ପାରିଲେ ନାହିଁ ଓ କୁଲା ଢାଉଁ ଢାଉଁ କରି ପାରା ହୁରୁଡ଼ାଇବାକୁ ବସିଲେ, ଏହାହିଁ ମୁଁ ଭାବୁଅଛି । ପାଠକମାନଙ୍କ ସଙ୍ଗେ ଯେବେ ବାଇ ମାହାନ୍ତିଙ୍କର ଆଳାପ ପରିଚୟ ଘଟିଥିବ, ତେବେ ମାହାନ୍ତିଙ୍କ ପାଞ୍ଜିରୁ ଗୁରୁ-ଶିଷ୍ୟ-ସଂବାଦ ବିଡ଼ାରୁ ସେମାନେ ଦେଖିଥିବେ ଯେ, ମୋର କୌଣସି ସମାଲୋଚନାର ଯେବେ ‘‘ତୀବ୍ର ପ୍ରତିବାଦ, ଅନୁବାଦ, ହେତୁବାଦ, ସମ୍ୱାଦ, ତୀବ୍ରତର ବିବାଦ ଓ ତୀବ୍ରତମ ବିସମ୍ୱାଦ’’ ଲାଗିଯାଏ, ତେବେ ମୁଁ ଜାଣିବି ଯେ, ମୋ ସମାଲୋଚନା ଢେଲାଟି ଲକ୍ଷ୍ୟଭ୍ରଷ୍ଟ ହୋଇ ନାହିଁ, ଅର୍ଥାତ୍ ମୋ ଟେକାଟି ଠିକଣା ଜାଗାରେ ବାଜିଅଛି । ମୁଁ ଟେକାଟିଏ ମାଇଲି ବାଜିବ ବୋଲି, ଯାହା ଦେହରେ ବାଜିଲା, ସେ ଯେବେ ଟିକିଏ ‘ଓହୋ’ ହେଲା ବା ମତେ ବୋଲୁଅଟାଏ ଉଞ୍ଚେଇଲା, ତେବେ ମୋର ମନରେ ସନ୍ତୋଷ ହେବା ଉଚିତ୍ ଯେ, ମୋ ଟେକାଟି ଲକ୍ଷ୍ୟଭ୍ରଷ୍ଟ ହୋଇ ନାହିଁ । ଅତଏବ ମୋର ଉଦ୍ଦେଶ୍ୟ ସିଦ୍ଧି ହେଲା । ସେ ଯାହାହେଉ ଉତ୍କଳ ସମ୍ମିଳନୀର ପ୍ରଥମ ‘ସିଦ୍ଧିରସ୍ତୁ’ ବେଳେ ମୋ ହାତରେ ମଧ୍ୟ ଖଡ଼ି ପଡ଼ିଥିଲା-। ସେ ଝାଳବୁହା କଉଡ଼ିରୁ କଡ଼ାଏ ହେଲେ ମୁଁ ସମ୍ମିଳନୀର ଅସରନ୍ତି ଭଣ୍ଡାରରେ ଢାଳିଥିଲି ଓ ଦିନେ ହେଲେ ସୁଦ୍ଧା ମୁଁ ସମ୍ମିଳନୀ ପାଇଁ ଶାଖା ସମିତି ଗଠନ, ପ୍ରଚାର କାର୍ଯ୍ୟ, ବକ୍ତୃତା, ରିପୋଟ, ଦଉଡ଼ ଧାପଡ଼, ଅତିଥି ସେବା, ମହାପ୍ରସାଦ ସେବା କରିଥିଲି । ଏପରିକି, ସମ୍ମିଳନୀର ମାର୍କାମରା ବକ୍ତୃତାମାନଙ୍କରେ ମଧ୍ୟ ମୋର କାରିଗରି ଥିଲା । ଏ ସବୁ ମୋର ମନଗଢ଼ା ସାର୍ଟିଫିକଟ୍ ନୁହେଁ-। ସମ୍ମିଳନୀର ‘ଉପଦେଷ୍ଟା, ଅନୁମନ୍ତା, ଭର୍ତ୍ତା ଭୋକ୍ତା’ ବିଚ ବଜାରରେ, ସମ୍ମିଳନୀର କାର୍ଯ୍ୟ ନିର୍ବାହିକା-ସମିତିରେ, ବଡ଼ ବଡ଼ ହାକିମଙ୍କ ପାଖରେ ମୋ ପରି ନଗଣ୍ୟ ଲୋକଙ୍କୁ ତାଙ୍କର ‘ଚେଲା’ ବୋଲି ଘୋଷଣା କରିବାକୁ କୁଣ୍ଠିତ ହୋଇ ନ ଥିଲେ । ଯେଉଁ ସମ୍ମିଳନୀର ମୁଁ ଏଡ଼େ ମାର୍କାମରା ଭକ୍ତ ଥିଲି, ଏ ଚଉଦ ବର୍ଷରେ ମୋର ଭକ୍ତି ଏପରି ପାଣି ଫାଟି ଗଲା କାହିଁକି ? ସ୍ୱତଃ ଏ ପ୍ରଶ୍ନଟି ପାଠକଙ୍କ ମନରେ ଉଦୟ ହେବ-। ଏହି ପ୍ରଶ୍ନ ମଧ୍ୟ ଖୋଦ ଗୁରୁଦେବଙ୍କ ମନରେ ଉଦୟ ହେଇଥିଲା ଓ ସେ ଏଥିପାଇଁ ମତେ କୈଫିୟତ୍ ମାଗିଥିଲେ । ମୁଁ ମଧ୍ୟ ଏଥିର ଟାଇପ୍ ମୁଦ୍ରିତ କୈଫିୟତ୍ ଦେଇଥିଲି ଓ ଆବଶ୍ୟକ ହେଲେ ତାହା ସର୍ବସାଧାରଣରେ ପ୍ରକାଶ କରିବି ବୋଲି ଅନୁମତି ମାଗିଥିଲି । ସେ ଖଣ୍ଡିକ ଠିକଣାରେ ପହଞ୍ଚି ଥିବାର ସ୍ୱୟଂ ଗୁରୁଦେବଙ୍କର ଓ ତାଙ୍କ ପାର୍ଶ୍ୱଦେବଙ୍କର ଶ୍ରୀହସ୍ତାଙ୍କିତ ନିଦର୍ଶନ ଅଛି । ଗତ ସମ୍ମିଳନୀ ଅଧିବେଶନରେ କେତେକ ଦିନ ପୂର୍ବେ ଏ ଘଟନା ଘଟିଥିଲା । କିନ୍ତୁ ସମ୍ମିଳନୀର ଅଧିବେଶନ ସମୟରେ ସମ୍ମିଳନୀର କାର୍ଯ୍ୟାବଳୀ ଓ ଚାଳନପ୍ରଣାଳୀ ସମ୍ୱନ୍ଧରେ ମୁଁ ଯାହା ଲୋକ ମୁଖାତ୍ ଅବଗତ ହେଲି, ସେଥିରୁ ଦେଖିଲି ଯେ, ମୋ କୈଫିୟତ ଅରଣ୍ୟରୋଦନରେ ପରିଣତ ହୋଇଅଛି, ଅର୍ଥାତ୍ ସମ୍ମିଳନୀର କାର୍ଯ୍ୟ କଳାପ ମଧ୍ୟରେ ଅସଂଯମ, ଅନିୟମ, ବ୍ୟକ୍ତିଗତ ଖିଆଲ, ଅସାମଞ୍ଜସ୍ୟ ଆଦି ପୂର୍ବପରି ରହିଅଛି, ସମ୍ମିଳନୀର ବିଧାତାଙ୍କଠାରୁ ନିରସ୍ତ ହେବାରୁ ଅଗତ୍ୟା ‘ଆମ ଘରର ହାଲଚାଲ’ ପ୍ରସଙ୍ଗରେ ମୋର ସେହି ଆକ୍ଷେପଗୁଡ଼ିକ ପ୍ରକାଶ କରିଥିଲି ମାତ୍ର । ଫଳତଃ ତାହା ପତ୍ରିକାସ୍ଥ ହୋଇଅଛି, ସେଥିନିମନ୍ତେ ମୁଁ ଏବଂ ମୁଁ ଏକା ଦାୟୀ ଅଟେ । ଆମ ଜାତିର ସମ୍ମିଳନୀ ସମ୍ୱନ୍ଧରେ ଅଳ୍ପ ବହୁତ ସମାଲୋଚନା କରିବାର ଜାତିର ପ୍ରତ୍ୟେକ ବ୍ୟକ୍ତିର ଅଧିକାର ଅଛି, ମୋର ମଧ୍ୟ ଅଛି । ମନୁଷ୍ୟ ସ୍ୱତଃ ଭ୍ରମପ୍ରମାଦପୂର୍ଣ୍ଣ, ମୁଁ ମଧ୍ୟ ସେଥିରୁ ବାହାର ନୁହେଁ ।
ଏପରି ମହାପୁରୁଷ ଥାଇ ପାରନ୍ତି, ଯେଉଁମାନେ ସ୍ୱତଃ-ଭ୍ରମ-ପ୍ରମାଦଶୂନ୍ୟ କିମ୍ୱା ଆପଣାକୁ ଭ୍ରମ-ପ୍ରମାଦଶୂନ୍ୟ ବୋଲି ଓ ବଜାରରେ ଡେଙ୍ଗୁରା ଦେଇ ବୁଲନ୍ତି; କିନ୍ତୁ ସେମାନେ ଯେତେବେଳେ ଦାଣ୍ଡକୁ ବାହାରିପଡ଼ନ୍ତି, ସେତେବେଳେ ତାଙ୍କର ଦାଣ୍ଡର କ୍ରିୟାକଳାପକୁ ଆଲୋଚନା କରିବାର ଅଧିକାର ଦାଣ୍ଡ ଲୋକଙ୍କଠାରେ ପ୍ରବର୍ତ୍ତି ଥାଏ ବୋଲି ତାଙ୍କର ଜାଣି ରଖିବା ଉଚିତ । ଦାଣ୍ଡକୁ ସାଜ ନେଇ ବାହାରିବା, ଅଥଚ ଦାଣ୍ଡରେ କେହି ଆମ ସାଜସଜ୍ଜାର ଆଲୋଚନା କରି ପାରିବେ ନାହିଁ, ଏପରି ଗୋଟିଏ ଫଏସଲା ଦାଣ୍ଡ ଲୋକଙ୍କୁ ଅଡ଼ୁଆ ବୋଧହୁଏ । ମୋର ସମାଲୋଚନାରେ ଭ୍ରମପ୍ରମାଦ ନାହିଁ; ଏ କଥା କହିବାର ଦୁରାକାଂକ୍ଷା ମୋର ନାହିଁ; କିନ୍ତୁ ଭୁଲ ଭ୍ରାନ୍ତି କେଉଁଠାରେ, ତାହା ମୁଁ ଜାଣିବା ପାଇଁ ଅବଶ୍ୟ ଅଧିକାର ଅଟେ । ଆଜି ପର୍ଯ୍ୟନ୍ତ ମୋ ‘ହାଲଚାଲ’ର ଯେତେଗୁଡ଼ିଏ ସମାଲୋଚନା ପ୍ରକାଶିତ ହୋଇଅଛି, ସେଥିରେ ଉତ୍କଳ-ସମ୍ମିଳନୀର କାର୍ଯ୍ୟକଳାପ ସମ୍ୱନ୍ଧରେ ମୁଁ ଯେଉଁ ସମାଲୋଚନା କରିଅଛି, ତାହାର ପ୍ରତିବାଦ କେହି କରି ନାହାନ୍ତି । ମୋ ଲେଖା ‘ବଜାରି ଲେଖା’, ‘ଅଶ୍ଳୀଳ ଲେଖା’ ‘ଅପବାଦସୂଚକ ଲେଖା’ ବୋଲି ଉଦ୍ଘୋଷିତ ହୋଇଅଛି । ଏପରି ମନ୍ତବ୍ୟ ଦ୍ୱାରା ଦାଣ୍ଡ ଲୋକଙ୍କ ଆଖିରେ ଧୂଳି ପଡ଼ିପାରେ, କିନ୍ତୁ ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଅଭିଯୋଗ କରିଅଛି, ସେମାନଙ୍କର ନିଜର ମନ ବୋଧ ହେବଟି କି ? ଗୋଟିଏ ଚଳିତ ଢଗ ଅଛି– ‘‘କଥା କହୁଥାଏ ସରମକୁ, ଭିତରେ ଭିତରେ ଯାହା ହେଉଥାଏ ସାକ୍ଷୀ ଦେଇଥାଏ ଧରମକୁ ।’’ ସମ୍ମିଳନୀର କାର୍ଯ୍ୟକଳାପ ସମ୍ୱନ୍ଧରେ ମୁଁ ଯାହା ଆଲୋଚନା କରିଅଛି, ତାହା ହୁଏତ ଭୁଲ, ନଚେତ୍ ଠିକ୍; ଯେବେ ଭୁଲ, ତେବେ ମୋ ଭ୍ରାନ୍ତି ଦେଖାଇ ଦିଅ, ବୁଝାଇ ଦିଅ, ମୁଁ ନ ବୁଝିଲେ ସଂସାର ମତେ କହିବ ‘ବଜାରି’ ‘ଛୋଟ ଲୋକ’ । ନଚେତ୍ ଯେବେ ମୋ କଥାଯାକ ଠିକ୍ ହୋଇଥାଏ, ତେବେ ସମ୍ମିଳନୀର ଆଲୋଚିତ କାର୍ଯ୍ୟ-ପ୍ରଣାଳୀ ସଂଶୋଧନ କର । ଏହା ନ କରି ମତେ ଫଉଜଦାରୀ ଦେବାନୀ ଧମକ ଦେବା ଦ୍ୱାରା ତୁମ ମନ ଓରମାନା ଓ ମୁହଁ-ଗଲୁ ସିନା ମେଣ୍ଟିବ, କିନ୍ତୁ ଜାତି ଉନ୍ନତ ହେବ ନାହିଁ ! କାହିଁ, ସେତକ କରିବାର ଲକ୍ଷଣ ତ କୁଆଡ଼େ କିଛି ଦିଶୁ ନାହିଁ । କାରଣ ମୋ ଲେଖା ଭିତରେ କେଉଁଠି କି ଛିଦ୍ର ଅଛି, କେଉଁ କଥା ପଦକରେ ମୁଁ ଜବାବ ଦେବି, ଅଣ୍ଡଳା ଲାଗିଅଛି । ସେଥିରେ ଭଲା କାହାର କି ଉପକାରଟା ହେବ ?
ସମ୍ମିଳନୀରେ ମାତୃପୂଜା ମଣ୍ଡପରେ ସହସ୍ର ଭ୍ରାତାଙ୍କ ଆଗରେ, କେତେକ ଭଦ୍ରମହିଳାଙ୍କ ଆଗରେ କେହି ବିଶିଷ୍ଟ ବକ୍ତା ଜଳଦ ଗମ୍ଭୀର ନାଦରେ ବ୍ରୁଂ ବ୍ରୁଂ ଶବ୍ଦ ଉଚ୍ଚାରଣ କରି ‘ଶଙ୍କରସ୍ୟାବଲୋକନଂ’ ବାକ୍ୟନ୍ତ ଶାସ୍ତ୍ରୀୟ ଶ୍ଳୋକଟି ଆବୃତ୍ତି କଲେ, ଏହା ଶୁଣି ସଭାମଣ୍ଡପ କରତାଳିରେ ପୂର୍ଣ୍ଣ ହୋଇଗଲା । ଯେଉଁମାନେ ବକ୍ତାଙ୍କ ମୁଖରୁ ଏ ଶ୍ଳୋକଟି ଉଚ୍ଚାରିତ ହେବାର ଶୁଣି ଆସି ମତେ କହିଲେ, ସେହିମାନଙ୍କ ରିପୋର୍ଟ ଉପରେ ନିର୍ଭର କରି ମୁଁ ଏ ଅଶ୍ଳୀଳତାର ପ୍ରତିବାଦ କଲି ଓ ମାତୃପୂଜା ମଣ୍ଡପରେ ଏପରି ଅକଥ୍ୟ କଥନ ଯେଉଁ ଶକ୍ତି କରାଇଲା, ତାକୁ ପ୍ରଣାମ କଲି । ଏଥିରେ ମୁଁ ହେଲି ଦୋଷୀ ! ଏଥିପାଇଁ ‘ଗରିବ ମାଇପ’ ଉପରେ ସମସ୍ତଙ୍କର ରଗଡ଼ । ଯେଉଁ ମାଜିଷ୍ଟ୍ରେଟ ଏହି ଅଶ୍ଳୀଳତା ଅପରାଧ ଯୋଗୁଁ ମତେ ଅଭିଯୋଗ (charge) କରିବେ, ଫଉଜଦାରୀ ଆଇନର ବିଧାନ ଅନୁସାରେ ସେ ତ ଅଭିଯୋଗ ଫର୍ଦ୍ଦରେ (charge sheet) ମୋ ବ୍ୟବହୃତ ‘ଅଶ୍ଳୀଳ’ କଥାଗୁଡ଼ିକ ଉଲ୍ଲେଖ କରିବାକୁ ବାଧ୍ୟ ହେବେ । ଏଥିଯୋଗୁଁ ଉକ୍ତ ମାଜିଷ୍ଟ୍ରେଟ ମଧ୍ୟ ସେ ଅପରାଧରେ ଅପରାଧୀ ନ ହେବେ କିଆଁ ? ଆଚ୍ଛା, ଯେଉଁମାନେ ମତେ ଫଉଜଦାରୀ ଅପରାଧରେ ଟାଣିବାକୁ ଗର୍ଜନ ରଡ଼ି କରୁଅଛନ୍ତି, ସେମାନେ କଣ ଏତକ ବୁଝି ପାରୁ ନାହାନ୍ତି ? ପୁଣି କେହି କେହି ନେତୃସ୍ଥାନୀୟ ବ୍ୟକ୍ତି କହୁଅଛନ୍ତି ଯେ, ସମ୍ମିଳନୀ ମଣ୍ଡପରେ ଏପରି ବାକ୍ୟ କେହି ବକ୍ତା କହି ନାହାନ୍ତି ! ଯେଉଁ ଯୁକ୍ତିରେ ଏଡ଼େ ନୈତିକ ଉଚ୍ଚତା ପ୍ରଚ୍ଛନ୍ନ, ସେ ଯୁକ୍ତିକୁ ମଧ୍ୟ ଶତ ଶତ ନମସ୍କାର ଓ ଯେଉଁ ଶକ୍ତିର ଭୁରୁଡ଼ ଏତେଦୂର, ସେ ଶକ୍ତିକୁ ନମସ୍କାର ।
ମୋ ବିରୁଦ୍ଧରେ ଦ୍ୱିତୀୟ ଅଭିଯୋଗ ଏହି ଯେ, ‘ନେତାମାନଙ୍କ ତେଲ ଲୁଣ ଖରଚ ଜାତୀୟ ପାଣ୍ଠିଦ୍ୱାରା ଚଳିବ ।’ ଏଡ଼େ ବଡ଼ ମାନହାନିକର କଥାଟାଏ ମୁଁ କହିଦେଲି ଏବଂ ସେଥିପାଇଁ ପୁଳାଏ ଖେସାରା ମୋ ଠାରୁ ଆଦାୟ ହେବ । ଯେଉଁ ଜାତିର ଲୋକ ସଂଖ୍ୟା ଅଳ୍ପ ବହୁତ କୋଟିଏ, ଡେଙ୍ଗୁରା ଦିଆ ହୋଇ ସୁଦ୍ଧା ମାତୃପୂଜା ମଣ୍ଡପରେ ସେ ଜାତିର ଜାତୀୟ ପାଣ୍ଠି ପାଇଁ ଶହେ ଖଣ୍ଡେ ଟଙ୍କା ଉଠିଲା । ଏଥିରେ ଭଲା କେହି ସ୍ୱପ୍ନରେ କୌଣସି ଜାତୀୟ ଉନ୍ନତିକର ଅନୁଷ୍ଠାନର ବ୍ୟୟ ଚଳାଇ ପାରିବ ? ସେ କଥା ଦୂରକୁ ଥାଉ, ଏଥିରେ ନେତାମାନଙ୍କର ତେଲ ଲୁଣ (ଅତି ସାମାନ୍ୟ) ଖରଚ ସୁଦ୍ଧା ଚଳିବ ନାହିଁ । ଯାହା କେତେଜଣ ଅତି ସାମାନ୍ୟ ନିତ୍ୟନୈମିତ୍ତିକ ତେଲ ପାଣ୍ଠି ଗଢ଼ିବା ବାତୁଳତା ନୁହେଁ ଆଉ କଣ ? ତା ପରେ ଦେଖାଯାଇଅଛି ଯେ, ସମ୍ମିଳନୀ ପାଇଁ ଚାନ୍ଦା ଆଦାୟ ହେବା ଆରମ୍ଭଠାରୁ ଆଜି ପର୍ଯ୍ୟନ୍ତ କୌଣସି ଧାରାବାହିକ ହିସାବ ସାଧାରଣରେ ପ୍ରକାଶିତ ହୋଇ ନାହିଁ । ସମ୍ମିଳନୀର ସମସ୍ତ ଅଧିବେଶନମାନଙ୍କର ଅତିଥି ପରିଚର୍ଯ୍ୟା, ପ୍ରଚାର ଆଦି ଖରଚ କାହୁଁ ଅଇଲା ? କିଏ ଦେଲା ? କିଏ ନେଲା ? କାହା ପାଖରେ କେତେ ତହବିଲ ରହିଲା ? ଏ କଥା ସମ୍ମିଳନୀର କେହି ନେତା ସାଧାରଣଙ୍କୁ ସନ୍ତୋଷଜନକ ରୂପେ ବୁଝାଇ ଦେଇ ପାରିବେ କି ? ଜଣେ ତାଙ୍କ ନିଜ ତହବିଲରୁ ସବୁ ଖରଚ କଲେ ଓ ତହିଁର କିଛି ହିସାବ ସାଧାରଣରେ ପ୍ରକାଶିତ ନ ହେଲା-। ଏହା କୌଣସି ଜାତୀୟ ଅନୁଷ୍ଠାନ ପକ୍ଷରେ କିମ୍ୱା କୌଣସି ଜାତି ପକ୍ଷରେ ଗୋଟାଏ ଭାରି ବାହାଦୁରି କଥା ନୁହେଁ । ଏପରି ଅବସ୍ଥାରେ ଜାତୀୟ ପାଣ୍ଠି ରହିବ କେଉଁଠାରେ ? ଖରଚ ହେବ କେଉଁ ପ୍ରକାରରେ ? ହିସାବ ରଖିବ କିଏ ? ପରିଚାଳିତ ହେବ କେଉଁ ନିୟମରେ । ଏସବୁ କଥା ସ୍ଥିର ନ ହେଉଣୁ ଯେବେ ସମ୍ମିଳନୀ ମଣ୍ଡପରେ ଭିକ୍ଷା ଥାଳ ବସି ଶହେ ଖଣ୍ଡେ ଟଙ୍କା ଉଠିଲା, ଏହା ଦେଖି ଯେବେ କେହି ପଚାରେ , ଏ ଟଙ୍କାତକ ଉଠିଲା କାହିଁକି ? ବଡ଼ମୁଣ୍ଡିଆମାନଙ୍କ ତେଲ ଲୁଣ ଖରଚ ପାଇଁ ? ନା ଜାତୀୟ ଅନୁଷ୍ଠାନ ପାଇଁ ? ଏଥିରେ ସେ ବିଚାରା ହେଲା ଅପରାଧୀ !
ମୋ ଲେଖା ବିରୁଦ୍ଧରେ ପ୍ରକାଶ୍ୟ ଅଭିଯୋଗ ଏହି ଦିଓଟି । ଏହାଛଡ଼ା ଅପ୍ରକାଶ୍ୟ ଅଭିଯୋଗ ମଧ୍ୟ ଅଛି । ଯଥା–ଯେଉଁ ଉତ୍କଳଲଳନାମାନେ ଗତଥର ସମ୍ମିଳନୀ ସଭାରେ ଯୋଗ ଦେଇଥିଲେ ଓ ଯେଉଁମାନଙ୍କ ମଧ୍ୟରୁ କେତେକ ସମ୍ମିଳନୀ ମଣ୍ଡପରେ ପରଦା ପଛଆଡ଼େ ଓ କେତେକ ପରଦା ବାହାରେ ସ୍ଥାନ ପାଇଥିଲେ, ସେମାନଙ୍କ ପ୍ରତି ମୁଁ ଯେଉଁ ଭାଷା ମୋ ପ୍ରବନ୍ଧରେ ବ୍ୟବହାର କରିଅଛି, ତଦ୍ଦ୍ୱାରା ସେମାନଙ୍କୁ, ତଥା ସେମାନଙ୍କର ଅଭିଭାବକମାନଙ୍କୁ ଅପମାନ କରାଯାଇଅଛି । ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ପ୍ରତି, ନିର୍ବଳା ଅବଳାଙ୍କ ପ୍ରତି ମୁଁ ଯେବେ ଅପମାନସୂଚକ ବାକ୍ୟ ବ୍ୟବହାର କରିଥାଏଁ, ତାହା ମୁଁ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ କେଉଁ ବାକ୍ୟଦ୍ୱାରା ଅପମାନ ପ୍ରକାଶ ପାଉଅଛି, ତାହା ନ ଜାଣିବା ପର୍ଯ୍ୟନ୍ତ ମୁଁ ପ୍ରତ୍ୟାହାର କରିବି କଣ ? କେଉଁଠାରେ ଭାଷା ପ୍ରୟୋଗ ଦୋଷାବହ ହୋଇଅଛି, ତାହା ମୁଁ ଜାଣିପାରିଲେ ଅବଶ୍ୟ ସେଥିପାଇଁ ମୁଁ ଦୁଃଖ ପ୍ରକାଶ କରିବାକୁ ପ୍ରସ୍ତୁତ ଅଛି ।
ଏଥିମଧ୍ୟରେ ସମ୍ମିଳନୀର ମୁଖପତ୍ର ‘ଓଡ଼ିଆ’ ମୋର ଓ ବିଶେଷତଃ ଉତ୍କଳ ସାହିତ୍ୟ ସମ୍ପାଦକଙ୍କର ବ୍ୟକ୍ତିଗତ ଓ ବ୍ୟବସାୟଗତ ପ୍ରତିଷ୍ଠାକୁ ଖର୍ବ କରିବା ନିମନ୍ତେ ଖୁବ୍ ବେଗ ପାଇଥିଲେ ଓ ଏତଦୁଦ୍ଦେଶ୍ୟରେ ଗଭର୍ଣ୍ଣମେଣ୍ଟ, ସ୍ଥାନୀୟ କର୍ତ୍ତୃପକ୍ଷ, ଶିକ୍ଷାବିଭାଗୀୟ କର୍ତ୍ତୃପକ୍ଷ, କଲେଜର କର୍ତ୍ତୃପକ୍ଷ, ସାହିତ୍ୟର ଅନ୍ନଦାତାଙ୍କୁ (ଗ୍ରାହକମଣ୍ଡଳୀ) ମଧ୍ୟ ଧର୍ମ ଡାକ ଦେଇଥିଲେ; କାହିଁରେ କିଛି ନ ହେଲେ ବହୁ ସହସ୍ର ମୁଦ୍ରା କ୍ଷତିପୂରଣ ଦାବିରେ ଦେବାନି ଅଦାଲତରେ ମକଦମା ହେବ ବୋଲି ମଧ୍ୟ ରଡ଼ି ପଡ଼ିଥିବାର ମୁଁ ଶୁଣିଲି । ସାହିତ୍ୟର ସମ୍ପାଦକଙ୍କ ମନ କଥା ତାଙ୍କୁ ଜଣା; କିନ୍ତୁ ଏହି ସଂକୀର୍ତ୍ତନ ରଡ଼ିଦ୍ୱାରା ମୋ ଭଳିଆ ଜଣେ ନଗଣ୍ୟ ଓ ଅଖ୍ୟାତନାମା ଲୋକର ନାମ ସମଗ୍ର ଉତ୍କଳରେ ବାଜିଗଲା ବୋଲି ମୁଁ ଭାରି ଆନନ୍ଦିତ ହୋଇଅଛି । ସମଗ୍ର ଉତ୍କଳରେ ମୋର ନାମ, ପରିଚୟ ଓ ପ୍ରତିପତ୍ତି ବଢ଼ାଇଥିବା ଯୋଗୁଁ ମୁଁ ‘ଓଡ଼ିଆ’ର ସମ୍ପାଦକ, ‘ଉତ୍କଳ-ଦୀପିକା’ର ସମ୍ପାଦକ ଓ ସମ୍ମିଳନୀର ଦୈବବିଧାତାମାନଙ୍କ ନିକଟରେ ଚିରକୃତଜ୍ଞତା ପାଶରେ ଆବଦ୍ଧ ରହିଲି । ବାଟରେ ‘‘ଦୁଇ’’ କଲେ ନାଆଁ ପଡ଼େ ବୋଲି ଶୁଣିଥିଲି; କିନ୍ତୁ ବର୍ତ୍ତମାନ ଦେଖିଲି ଯେ, ଦିଅଁଙ୍କ ଖଟୁଳିକୁ ଟେକା ମାଇଲେ ବେଶ୍ ନାଆଁ ପଡ଼େ । ଅତଏବ ଦିଅଁଙ୍କ କରାମତକୁ ଜୁହାର ।
ସଂସାରର ‘ପରୋପଦେଶେ ପାଣ୍ଡିତ୍ୟଂ’ ସମସ୍ତଙ୍କର ଥାଏ । କିନ୍ତୁ ଆପଣା ଉପରେ ପଡ଼ିଲା ବେଳକୁ ସମସ୍ତଙ୍କର ବୁଦ୍ଧି ହଜେ । ଆଇନର ବିଧାନ ସମସ୍ତଙ୍କ ପାଇଁ ସମାନ । ସାଧାରଣ ଲୋକେ ଆଇନର ମର୍ମ ବୁଝି ନ ପାରି ଅକଳରେ ପଡ଼ିଯିବେ ବୋଲି ସରକାର ଓକିଲ ମୁକ୍ତାର ବାରିଷ୍ଟରମାନଙ୍କୁ ଭେକ ଓ ଝୁଲା ଦେଇ ମାର୍କା ମରାଇ ଦାଣ୍ଡରେ ଠିଆ କରାଇ ଅଛନ୍ତି । ଆମେ ଆଇନ ବ୍ୟବସାୟୀମାନେ ହେଲୁଁ ‘ପରୋପଦେଶେ ପାଣ୍ଡିତ୍ୟ’ ଆମେ ‘ବତାଇ ଦେଉଁ ପରକୁ, ବୁଦ୍ଧି ନ ଆସେ ଘରକୁ ।’ ମୋ ଲେଖାରୁ ଗୋଟିଏ ଶବ୍ଦ ବା ବାକ୍ୟକୁ ତର୍ଜମା କରି ମିସଲରେ ପକାଇ ଦେବା ମାତ୍ରକେ ହାକିମ ଖଡ଼େଦମ୍ ମତେ ବତିଶ ବଖରା କିମ୍ୱା ଦେବାନି ଫାଟକକୁ ପଛବୁହା କରି ପେଲି ଦେବେ ନାହିଁ । ସେଠାରେ ବିଚ୍ ଅଦାଲତରେ ଦୋତରଫା ବିଚାର ହେବ । ସାକ୍ଷୀ ନିଆଯିବ, ପ୍ରମାଣ ନିଆଯିବ, ମୋର ସମସ୍ତ ପ୍ରବନ୍ଧ ତର୍ଜମା ହେବ, ମୋର ଏ ସମ୍ୱନ୍ଧରେ ପୂର୍ବକାର୍ଯ୍ୟ ଓ ଉକ୍ତିମାନ ଉପସ୍ଥାପିତ ହେବ, ତୁମର ପୂର୍ବ କ୍ରିୟାକଳାପ ଉପସ୍ଥାପିତ ହେବ, ମୋର ଉଦ୍ଦେଶ୍ୟ, ମୋ ଅଭିଯୋଗର ସତ୍ୟତା, ଏ ସବୁ ମଧ୍ୟ ଅଦାଲତରେ ସମାଲୋଚିତ ହେବ । ମୋଠାରେ ବାଟିଆ ଲଗାଇଲା ବେଳକୁ କେତେ ଲୋକଙ୍କ ବାଡ଼ିଆଡ଼ ଖତକୁଢ଼ ଓ ଦାଣ୍ଡଆଡ଼ ଅଳିଆଗଦା ଘଣ୍ଟା ଚକଟା ହେବ । ତେବେ ଯାଇଁ ମୁଁ ବତିଶ ବଖରାକୁ ପହଣ୍ଡି ବିଜେ କରିବି । ଏସବୁ ନ ହୋଇ ତୁମ ରଡ଼ିରେ ମତେ ଏକତରଫା ବିଚାରରେ ଶୁଳିଆପଦାକୁ ଝିଙ୍କା ଓଟରା ହେବ ନାହିଁ । ଏତେ କଥା ପରେ ଯେବେ ମୁଁ ଦଣ୍ଡ ପାଇବି, ତେବେ ଘଣା ପେଲିଲେ ସୁଦ୍ଧା ମୋ ମନରେ ଶାନ୍ତି ହେବ ଯେ, ସମ୍ମିଳନୀର ତ୍ରୁଟି ପ୍ରତି ପରିଚାଳକମାନଙ୍କର ଓ ସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରି ଦଣ୍ଡ ପାଇଲି । ତେବେ ଗୋଟାଏ ପ୍ରତିଜ୍ଞାକୁ ମୋର ଜବାବ ନାହିଁ । ଆମ ଦେଶରେ ‘ସତ୍ୟବାଦୀ’ର ଅର୍ଥ ‘‘ସତ୍ୟଂ ବ୍ରୂୟାତ୍ ପ୍ରିୟଂ ବ୍ରୂୟାତ୍ ମା ବ୍ରୂୟାତ୍ ସତ୍ୟମପ୍ରିୟଂ ।’’ ସତ୍ୟଟି ଅପ୍ରିୟ ହେଲେ ତାହା କଦାପି ପ୍ରକାଶ କରିବ ନାହିଁ ।’’ ଯେବେ ଉକ୍ତ ପ୍ରତିଜ୍ଞାର ଏହି ଅର୍ଥ ହୁଏ, ତେବେ ମୁଁ ନାଚାର । କିନ୍ତୁ ମୋର ମଧ୍ୟ କହିବାର ଏତିକି ଯେ, ସତ୍ୟକୁ ଅପ୍ରିୟ ନ କରି ଯେବେ ତୁନି କରି କହି ପାରିବ, ତେବେ ଉତ୍ତମ । ଯେଉଁଠାରେ ତାହା ହୋଇ ନ ପାରିବ, ସେଠାରେ ସମାଜର ଓ ଦେଶର ମଙ୍ଗଳ କାମନାରେ ଅପ୍ରିୟ ହେଲେ ସୁଦ୍ଧା ସତ୍ୟ କଥା ସାଧାରଣରେ ପ୍ରକାଶ କରିବାକୁ ମନୁଷ୍ୟ ଧର୍ମତଃ ସମାଜ ଓ ଦେଶ ନିକଟରେ ଦାୟୀ । ମୋଠାରୁ ଏ ସବୁ କୈଫିୟତ୍ ଶୁଣିସାରି ତା ପରେ ମୋ ସଙ୍ଗେ, ମୋ ଜାତି ସଙ୍ଗେ ଅବୈବାହିକ ମୌଖିକ ସମ୍ୱନ୍ଧ ସ୍ଥାପନ କର, ମନା ନାହିଁ ।
କେହି କେହି ବନ୍ଧୁ ଇତିମଧ୍ୟରେ ନିକଟରେ ପରୋକ୍ଷଭାବରେ ପ୍ରସ୍ତାବ କରିଅଛନ୍ତି (ଏ ପ୍ରସ୍ତାବଟା ଅବଶ୍ୟ ମୋର ମଙ୍ଗଳ କାମନାରେ କରାଯାଇଅଛି) ଯେ, ମୁଁ ମୋର ବେଆଡ଼ା ସମାଲୋଚନା ପାଇଁ କ୍ଷମା ପ୍ରାର୍ଥନା କରିଦେଲେ ସବୁ ନଟ ଛିଣ୍ଡିଯିବ ! ଏଥିର ଟିକିଏ ବିଶ୍ଳେଷଣ ଦରକାର । ପ୍ରଥମ କଥା ଏହି ଯେ, ମୁଁ କ୍ଷମା ପ୍ରାର୍ଥନା କରିବି କାହାଠାରେ ? ସମ୍ମିଳନୀ ଗୋଟିଏ Public Performance ବା ସାଧାରଣ କାର୍ଯ୍ୟ, ଏହା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏଥିରେ ବ୍ୟକ୍ତିଗତ ଖିଆଲ, ବ୍ୟକ୍ତିଗତ ପ୍ରଧାନ୍ୟ, ବ୍ୟକ୍ତିଗତ ପରିଚାଳନାର ମାତ୍ରା ଅତ୍ୟଧିକ ହୋଇ ପଡ଼ିଅଛି– ଏହା ମୋର ମନଗଢ଼ା ବା ସ୍ୱପ୍ନର କଥା ନୁହେଁ, ଉତ୍କଳର ଅନେକ ବ୍ୟକ୍ତି ଏ କଥା ଅନୁଭବ କରିଅଛନ୍ତି ଓ କେତେକ ବ୍ୟକ୍ତି ମଧ୍ୟ ସମ୍ୱାଦପତ୍ରରେ ଏକାଧିକ ଥର ପ୍ରକାଶ କରିଅଛନ୍ତି । ଏପରି ସ୍ଥଳରେ ମୁଁ ଯବେ ସେଗୁଡ଼ାକ ପ୍ରତି କଟାକ୍ଷ କଲି ଓ ସମ୍ମିଳନୀ ବର୍ତ୍ତମାନ ଯେଉଁ ରୀତିରେ ପରିଚାଳିତ ହେଉଅଛି, ତାହା ପରିବର୍ଜନୀୟ ବୋଲି ପ୍ରକାଶ କଲି ଓ ଏଥିର ଯେବେ ବ୍ୟକ୍ତିବିଶେଷ କ୍ଷୁର୍ଣ୍ଣ ହେଲେ ବା ଚିଡ଼ିଗଲେ, ତେବେ ମୁଁ କ୍ଷମା ପ୍ରାର୍ଥନା କରିବି କାହାଠାରେ ? ଏ କ୍ଷମା ପ୍ରାର୍ଥନା ପ୍ରସ୍ତାବ ମଧ୍ୟ ମୁଁ ଗ୍ରହଣ କରିବାକୁ ରାଜି ଅଛି; କିନ୍ତୁ ତାହା କରିବା ପୂର୍ବରୁ ବିଚ୍ ବଜାରରେ ପ୍ରକାଶ୍ୟ ଭାବରେ ମୋର ଦୋଷ, ମୋର ତ୍ରୁଟି , ମୋର ଭ୍ରମ ମୋତେ ଦେଖାଇ ଦିଅ ଓ କାହାକୁ କ୍ଷମା ପ୍ରାର୍ଥନା କରିବି ମତେ ବତାଇ ଦିଅ । କିନ୍ତୁ ତାହା ନ କରି ମାଇପି ଧମକ ଦେଇ ଯେବେ କହିବି, ‘‘ତୁ ମତେ ଗାଳି ମନ୍ଦ କରୁଛୁ, ମୁଁ ଗମ୍ଭୀରି ଘରେ କବାଟ କିଳି ଶୋଇବି, ମୁଁ ଓପାସ ରହିବି, ମୁଁ ଘରଦ୍ୱାର ପିଲାପିଲି ଛାଡ଼ି ପଳାଇଯିବି, ମୁଁ ତିଅଣ ଅଲଗା କରିଦେବି, ମୁଁ ତତେ ଚୁମୁଟି ଦେବି, ତୁ ମୋ ହାତ ଗୋଡ଼ ନ ଧରିଲେ ମୁଁ ଏ ଘର ସମ୍ଭାଳବି ନାହିଁ,’’ ଏ ଯୁକ୍ତିକୁ ଜୁହାର !
ଏଥି ଉପରେ ପୁଣି ବ୍ୟକ୍ତିଗତ ଆକ୍ରୋଶ କଥା ମଧ୍ୟ କେହି ଉଠାଇବାକୁ ଛାଡ଼ୁ ନାହାନ୍ତି । ଅବଶ୍ୟ କାହା ତୁଣ୍ଡରେ କେହି ବାଡ଼ବତା ଦେବ ନାହିଁ । କିନ୍ତୁ ଅନୁମାନ ବା କଳ୍ପନାଟାକୁ ଏତେଦୂର ଦଉଡ଼ାଇବାର କାରଣ କେହି ଦେଇ ପାରିବେ କି ? ମୁଁ କେଉଁ ବ୍ୟକ୍ତିବିଶେଷଙ୍କ ପ୍ରତି କି ଆକ୍ରୋଶ ପ୍ରକାଶ କରିଅଛି, କେହି ଦେଖାଇ ଦେଇ ପାରିବେ କି ? ଅନୁଷ୍ଠାନ ଗୁଡ଼ାକ କିଛି ଶୂନ୍ୟରେ ନିରାଲମ୍ବରେ ଝୁଲୁ ନ ଥାଏ ! ଅନୁଷ୍ଠାନର ସମାଲୋଚନା କରିବାକୁ ଗଲେ ଅନୁଷ୍ଠାତାମାନେ ବଳେ ବଳେ ଆସି ପଡ଼ନ୍ତି । ତାକୁ ଦୋଷ ବୋଲି ଧରିଲେ ସମାଲୋଚନା ଜିନିଷଟାକୁ ମାନବସମାଜରୁ ନିର୍ବାସିତ କରି ଦେବାକୁ ହେବ ଖାଲି ‘ଆକ୍ରୋଶ’ ‘ବିଦ୍ୱେଷ’ ବୋଲି କହିଦେଲେ ତ ହେବ ନାହିଁ, ସେଥିପାଇଁ ସାକ୍ଷୀ ସାବୁତ୍ ହେତୁ ପ୍ରମାଣ ଆବଶ୍ୟକ ।