ଉତ୍କଳ ମା’ର ସନ୍ତାନ ଆମେ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୪
- ସ୍ଥିତି
- ସାର୍ବଜନୀନ (Public domain)
ଉତ୍କଳ ମା’ର ସନ୍ତାନ ଆମେ, ଆମେ ରେ ତରୁଣ ଦଧିଚୀ ଦଳ,ଆମରି ବୁକୁରେ ଦୁର୍ଗମ ଗିରି, ସାଗର, ସରିତ କରିବେ ଖେଳ ।ଏ କୋଟି କପାଳେ ଆଷାଢ଼-ଅଶନି ବିଦ୍ୟୁତମାଳା ଉଠିବେ ନାଚି,ଘେନିବେ ଏ ମନେ ନବ ଅବତାର ପ୍ରତାପ, ଶିବାଜୀ, ସବ୍ୟସାଚୀ ।ଉତ୍କଳ ମା’ର ସନ୍ତାନ ଆମେ, ଆମେରେ ତରୁଣ ସାଧକ ଦଳ,ମୁକ୍ତ-ସମୀର, ଗଗନ ଖଣ୍ଡ ଆମରି ଜୀବନ ବିହାର ଥଳ ।ଏ ଜାତି କପାଳେ ବିଜୟତିଳକ ତରୁଣ ଏ କରେ ଦେବୁରେ ଲେଖି,ବରଣ କରିଛୁଁ ମରଣ-ମନ୍ତ୍ର ସତ୍ୟ-ସାଧନ ଜୀବନେ ଶିଖି ।ଉତ୍କଳ ମା’ର ସନ୍ତାନ ଆମେ, ରକ୍ତ ଚରଣେ ଯିବୁ ରେ ଚାଲିଯେତେ ଅନାଚାରୀ, ଅତ୍ୟାଚାରୀର ଦୃପ୍ତ-ବକ୍ଷେ ଆଘାତ କରି ।ଅତୀତ ଜୀବନ ଶିଥିଳ ସ୍ୱପ୍ନ ଭାଜିବ ଚମକେ ନବୀନ ଆଶେ,ଆମରି ଚରଣ-ଚିହ୍ନେ ଫୁଟିବ ସୁର-ପାରିଜାତ ପୁଣ୍ୟ-ହାସେ ।ପଶ୍ଚାତେ ଆମ’ ପଡ଼ିବ ତାପିତ-ଶଙ୍କିତ-ହୀନ-ପତିତ ପ୍ରାଣ-ମରଣ ଆଗୁଁ ଯେ ବରଇ ମରଣ, ପ୍ରାଣଲୋଭୀ-ନର ଲଜ୍ଜାହୀନ !ହାଇ ରେ ଜୀବନ, ହୀନ ଦୁର୍ବଳ ଉତ୍କଳ ମା’ର ବକ୍ଷ ଜଡ଼ି,ଗୌରବ ତାର କଲେ ଅବନତ, ହାଇ ରେ ! ମାନବ ଆତ୍ମା ଧରି !!ଆଜି ଏ ତରୁଣ ଦଧୀଚି ସଂଘ ଲଂଘିବୁ ଗିରି ସାଗର ପଥ;ନାଚିବୁ, ଖେଳିବୁ, ଗଢ଼ିବୁ ନୂତନ, ତୋଳିବୁ କୀର୍ତ୍ତସ୍ତମ୍ଭ ଶତ ।ତରୁଣ ବୁଝିଛୁ ଶକ୍ତି ଆମର, ମରଣ ଆଜି ଟି ଶଙ୍କିତ ରେ,ଉତ୍କଳ ମା’ର ସନ୍ତାନ ଆମେ, ଜାଳିଛୁ ଅଗ୍ନି ବକ୍ଷ ତଳେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ