ତୁ ମୋର ଦିଅର
୧୭୮୧–୧୮୬୬
- ସଂକଳନ: ତିଆସି କଳା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୨
- ସ୍ଥିତି
- ସାର୍ବଜନୀନ (Public domain)
ଗୁଣ୍ଡିଚା ମଣ୍ଡପ ପାଖରେ ଜଗନ୍ନାଥେ ବିଜେ ନ ହେବା ଆଗରୁ ଭୀଷଣ ଭିଡ଼ରେ ଗୋଟିଏ ଖଣ୍ଡାୟତ ରୁପସୀ ଯୁବତୀ ତାର ଛୋଟ ଦିଅର ସହିତ ଛିଡ଼ା ହେବା ବେଳେ ଯଦୁମଣି ତାର ଦିଅର ହେବାକୁ ବ୍ୟାକୁଳତ ଫୁଟାଇ ଗୋଟିଏ ପଦ୍ୟ ଗାଇଥିଲେ । ସେ କବିତାରେ କହିଥିଲେ—ଦିଅଁ ରଥରେ ବିଜେ ହୋଇଛନ୍ତି । ତୁ ମୋତେ ଦିଅର କଲେ ମୁଁ ଦି ଅର୍ଥରେ ତତେ ଗୋଟେ ଗୋଟେ କଥା କହନ୍ତି । ଏହି ଯୁବତୀ ପିଛା ସେ ଦିନ ତମାମ ଗୋଡ଼େଇ ଗୋଡ଼େଇ ଶେଷକୁ ବହୁ ଜନତା ମଧ୍ୟରେ ସୁଯୋଗ ଲଭି ଏତକ କହିଥିଲେ । କିନ୍ତୁ ତରୁଣୀ ଏକାନ୍ତ ରସିକା ଥିଲା । ସେ ହଠାତ୍ ଯଦୁମଣିଙ୍କ ହାତ ଭିଡ଼ିନେଇ ରଥ ଛୁଆଇଁ ନିୟମ କରିଥିଲା ଯେ—‘ତୁ ମୋର ଦିଅର ।’ ଏହି ଯୁବତୀର ନାମ ଥିଲା—ମନୋରମା । ତାର ଘର ଥିଲା ବାଘମାରି । ସେ ଜାତିରେ ଖଣ୍ଡାୟତ ଥିଲା-। ଏହି ଯୁବତୀର ମାୟାରେ ସେ ତାର ପଶ୍ଚାଦ୍ଗମୀ ହୋଇ ତା ଘରକୁ ଯାଇ ଦୀର୍ଘ ଛଅମାସ ରହିଥିଲେ । ଯୁବତୀ ତାର ପିତୃଧନରେ ସର୍ବେସର୍ବା ଥିଲା । ତା ସ୍ୱାମୀ ତାର ଅନୁଗତ ରହିଥିଲା । ଗୋଟିଏ ସମ୍ଭ୍ରାନ୍ତ ମଧ୍ୟବିତ୍ତ ପରିବାରେ ସେ କନ୍ୟା ଥାଇ ପିତୃସଦ୍ମରେ ଅଧିକାରୀ ଥିବାରୁ ତା ପ୍ରତି କେହି ବିଦ୍ୱେଷୀ ନ ଥିଲେ ।
ଯଦୁମଣିଙ୍କୁ ତାଙ୍କର ଶ୍ୱଶୁର, ପିତା, ମାମୁଁ ଅଜା ଏମନ୍ତ କି ପିଣ୍ଡିକ ରାୟଗୁରୁ ଖୋଜି ଖୋଜି ଅସ୍ଥିର ହୋଇଗଲେ । ତାଙ୍କର କୌଣସି ସନ୍ଧାନ ପାଇଲେ ନାହିଁ । ତୀର୍ଥଭୁମି ମଧ୍ୟ ତଲସିଲେ-। ରଘୁନାଥ ସୂତ୍ରରାୟ ତାଙ୍କର ପ୍ରିୟତମା କନ୍ୟା ଖଞ୍ଜନା ଲାଗି ବହୁ ଅର୍ଥ ବ୍ୟୟ କରି ହତାଶ ହୋଇ ଥରେ ସେ କଟକରୁ ଖୋର୍ଦ୍ଧାଦେଇ ଫେରିଲେ । ସେ ବିଭିନ୍ନ ପାଖା ପାଖି ରାଜ୍ୟକୁ ଯାଇ ସନ୍ଧାନ ନେବା ଲକ୍ଷ୍ୟରେ ବାଘମାରି ବାଟେ କଣ୍ଟିଲୋ ଦେଇ ନଦୀ ପାରହେବା ମନସ୍ଥ କରିଥିଲେ । ଅଶ୍ୱପୃଷ୍ଠରେ ଧିରେ ଗତି କରିବା ବେଳେ ସେ ବାଘମାରି ଗ୍ରାମର ଉପାନ୍ତରେ ଗୋଟିଏ କୋଠା− ଘରର ଚୂନ ଚଉତରାରେ ଯଦୁମଣିଙ୍କୁ ଭେଟି କୁଣ୍ଢାଇ ଧରି କାନ୍ଦିଥିଲେ । ଦୀର୍ଘ ଦୁଇ ବର୍ଷ ପରେ ତାଙ୍କର ପ୍ରିୟତମା କନ୍ୟା ଖଞ୍ଜନାର ସ୍ୱାମୀକୁ ଭେଟି ସେ ଏ ସମ୍ୱାଦ କିପରି ବିଦ୍ୟୁତ୍ ବେଗରେ ଘରେ ପହଞ୍ଚାଇବେ, ତାହା ହିଁ ଭାବୁଥିଲେ । ସେଠାରେ କିଛି ସମୟ ରହି ଯଦୁମଣିଙ୍କ ଅବସ୍ଥାନ ରହସ୍ୟ ସମଝିଥିଲେ ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ