ସୂର୍ଯ୍ୟ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧମାଳା
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୪୯
- ସ୍ଥିତି
- ସାର୍ବଜନୀନ (Public domain)
ଯେଉଁ ସୂର୍ଯ୍ୟ ଅତୁଲ୍ୟ ମହିମାରେ ଆକାଶ-ମଣ୍ଡଳରେ ବିରାଜିତ ହୋଇ ପୃଥିବୀକୁ ଶୁଭ୍ରଜ୍ୟୋତିର୍ବସନରେ ବିଭୂଷିତ କରୁଅଛି, ଯେଉଁ ସବିତା ସ୍ୱୀୟ ଅକ୍ଷୟକୋଷରୁ ପ୍ରଭୂତ ତାପ ଏବଂ ତେଜ ବିତରଣ କରି ଉଦ୍ଭିଜ୍ଜ ଏବଂ ପ୍ରାଣୀ-ଜଗତ୍କୁ ଜୀବିତ ଏବଂ ବର୍ଦ୍ଧିତ କରୁଅଛି, ଯେଉଁ ଭାସ୍କର ସ୍ୱୀୟ କରଦ୍ୱାରା ଚନ୍ଦ୍ରକଳେବରକୁ ସ୍ନିଗ୍ଧଜ୍ୟୋତିରେ ମଣ୍ଡିତ କରୁଅଛି, ଯେଉଁ ଭାନୁ ଗ୍ରହଜଗତ୍ର କେନ୍ଦ୍ରସ୍ଥଳରେ ଅବସ୍ଥାନ କରି ପୃଥିବୀ ପ୍ରଭୃତି ଗ୍ରହମାନଙ୍କୁ ଆକର୍ଷଣଶକ୍ତିଦ୍ୱାରା ନିଜ ବିମ୍ବର ଚତୁର୍ଦ୍ଦିଗରେ ପରିଭ୍ରମିତ କରାଉଅଛି, ଯାହାର ଅମିତ ତେଜ ଏବଂ ଅକଥନୀୟ ପ୍ରଭାବ ସନ୍ଦର୍ଶନ କରି ପ୍ରାଚୀନକାଳର ମନୁଷ୍ୟମାନେ ଏତାଦୃଶ ବିମୁଗ୍ଧ ହୋଇଥିଲେ ଯେ ସେମାନେ ଏହି ଅତ୍ୟୁଜ୍ଜ୍ୱଳ ପ୍ରଭାପୂର୍ଣ୍ଣ ପଦାର୍ଥକୁ ପରମଦେବତାଜ୍ଞାନରେ ଆରାଧନା କରୁଥିଲେ, ଯାହାକୁ ଏହି ଊନବିଂଶ ଶଦାବ୍ଦୀରେ ମଧ୍ୟ ବହୁସଂଖ୍ୟକ ନରନାରୀ ଜଗଦୀଶ୍ୱରଙ୍କ ପ୍ରତିରୂପ ମଣି ପୂଜା କରୁଅଛନ୍ତି, ସେହି ଜ୍ୟୋତିର୍ବିମଣ୍ଡିତ ଧ୍ୱାନ୍ତହାରୀ ସୂର୍ଯ୍ୟ ଯେ ଅତ୍ୟନ୍ତ ବିସ୍ମୟକର ପଦାର୍ଥ,ତାହା ବୋଲିବା ବାହୁଲ୍ୟ ମାତ୍ର ।
ଇଉରୋପର ଆଧୁନିକ ବିଜ୍ଞାନବେତ୍ତାମାନେ ପ୍ରଗାଢ ଅଧ୍ୟବସାୟ ସହକାରେ ପରିବେକ୍ଷଣ ଏବଂ ବିଶୁଦ୍ଧ ଗଣନାଦ୍ୱାରା ସୂର୍ଯ୍ୟ ସମ୍ବନ୍ଧରେ ଯେଉଁ ତତ୍ତ୍ୱମାନ ପ୍ରକାଶ କରିଅଛନ୍ତି, ତାହା ଏପରି ବିସ୍ମୟଜନକ ଯେ ତାହା ପ୍ରଥମତଃ କାହାର କପୋଳକଳ୍ପିତ ଉପନ୍ୟାସ ବୋଲି ପ୍ରତୀୟମାନ ହୁଏ ; କିନ୍ତୁ ବାସ୍ତବରେ ସେହି ମତଗୁଡ଼ିକ ଏଦାଦୃଶ ଆଶ୍ଚର୍ଯ୍ୟୋତ୍ପାଦକ ହେଳେହେଁ ସଂପୂର୍ଣ୍ଣରୂପେ ସତ୍ୟ ଅଟେ । ସେଥିରେ ଅଣୁମାତ୍ର କଳ୍ପନାବିଳାସ ଅଥବା ଅତ୍ୟୁକ୍ତି ଲକ୍ଷିତ ହୁଅଇ ନାହିଁ । ପରନ୍ତୁ ଏହି ଅନନ୍ତ ସୃଷ୍ଟି ବିଷୟ ପର୍ଯ୍ୟାଲୋଚନା କଲେ ତଦପେକ୍ଷା କୋଟିଗୁଣରେ ଅଧିକତର ବିସ୍ମୟୋତ୍ପାଦକ ତତ୍ତ୍ୱମାନ ପ୍ରକାଶିତ ହେବ ।
ସୈାରଜଗତର ମଧ୍ୟବର୍ତ୍ତୀ ଗ୍ରହସମୂହ ସହିତ ସୂର୍ଯ୍ୟର କି ସମ୍ବନ୍ଧ, ଏହା ଆଦୈା ଏକମାତ୍ର ଆଲୋଚନୀୟ । ସୂର୍ଯ୍ୟର ପ୍ରଧାନତମ କାର୍ଯ୍ୟ ଏହି ଯେ; ସେ ସ୍ୱୀୟ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ସୈାରଜଗତ୍ର ଅନ୍ତର୍ଗତ ସମସ୍ତ ଗ୍ରହମାନଙ୍କୁ ପରିଚାଳିତ କରୁଅଛି ଏବଂ ପ୍ରାଣଧାରଣର ଏକାନ୍ତ ପ୍ରୟୋଜନୀୟ ତାପ ଏବଂ ଆଲୋକକୁ ବିତରଣ କରୁଅଛି । ସୂର୍ଯ୍ୟ ନିର୍ବାପିତ ଏବଂ ଧ୍ୱଂସପ୍ରାପ୍ତ ହେଲେ ଗ୍ରହମାନେ ଘୋରତମ ଶୀତ ଏବଂ ଅନ୍ଧକାରରେ ପତିତ ହୋଇ ଜୀବଶୂନ୍ୟ ହେବେ ଏବଂ ସରଳରେଖାକ୍ରମରେ ଅନନ୍ତ ସ୍ଥାନ ମଧ୍ୟରେ ନିରୁଦ୍ଦେଶ୍ୟଭାବରେ ଗତି କରୁଥିବେ । ମାଧ୍ୟାକର୍ଷଣଶକ୍ତିର ଉଦାହରଣ ପ୍ରତି ମୁହୂର୍ତ୍ତ ଆମ୍ଭମାନଙ୍କର ନେତ୍ରଗୋଚର ହେଉଅଛି । ଖଣ୍ଡେ ଲୋଷ୍ଟ୍ର ଉର୍ଦ୍ଧ୍ୱକୁ ପ୍ରକ୍ଷିପ୍ତ ହେଲେ ପୁନର୍ବାର ତାହା ଯେ ଭୂତଳକୁ ଆନୀତ ହେଉଅଛି, ତାହା କେବଳ ପୃଥିବୀର ମାଧ୍ୟାକର୍ଷଣଶକ୍ତି ଯୋଗୁଁ ଘଟୁଅଛି ; କିନ୍ତୁ ଅଜ୍ଞ ବ୍ୟକ୍ତିମାନେ ପଚାରିପାରନ୍ତି, ଏହା କିପରି ସମ୍ଭବ ହୋଇପାରେ ଯେ ଥାଳିତୁଲ୍ୟ ଦୃଶମାନ୍ ସୂର୍ଯ୍ୟ ଏହି ପ୍ରକାଣ୍ଡ ପୃଥିବୀକୁ ଆକର୍ଷଣବଳରେ ଆପଣାର ଚତୁର୍ଦ୍ଦିଗରେ ପରିଭ୍ରମିତ କରୁଅଛି ? ତାହାର ଉତ୍ତର ଏହି କି ଯେ ସୂର୍ଯ୍ୟ ଆମ୍ଭମାନଙ୍କ ଚକ୍ଷୁକୁ ଯେପରି କ୍ଷୁଦ୍ର ଦିଶେ, ବସ୍ତୁତଃ ତାହା ସେପରି ନୁହେଁ ।
ଇଉରୋପୀୟ ବିଜ୍ଞାନପରାୟଣ ପଣ୍ଡିତମାନେ ବିଶୁଦ୍ଧ ଗଣନାଦ୍ୱାରା ଅବଧାରଣ କରିଅଛନ୍ତି ଯେ ପୃଥିବୀଠାରୁ ସୂର୍ଯ୍ୟର ଦୂରତ୍ୱ ନବକୋଟି ପଞ୍ଚାଶଲକ୍ଷ ମାଇଲ ଏବଂ ସୂର୍ଯ୍ୟମଣ୍ଡଳର ବ୍ୟାସ ପୃଥିବୀର ବ୍ୟାସର ୧୧୧ ଗୁଣ ; ଅର୍ଥାତ୍ ଆଠଲକ୍ଷ ବୟାଅଶୀହଜାର ମାଇଲ ଅଟେ । ଉଲ୍ଲିଖିତ ସଂଖ୍ୟାଦ୍ୱୟକୁ ତୁଣ୍ଡରେ କହିବା ସହଜ ଅଟେ; ମାତ୍ର ତାହାକୁ ପ୍ରକୃତରୂପେ ଉପଲବ୍ଧି କରିବା ତେଡ଼େ ସହଜ ନୁହେଁ । ନିମ୍ନଲିଖିତ ରୀତିରେ ତାହା କଥଞ୍ଚିତ୍ ଉପଲବ୍ଧ ହୋଇପାରେ । ଯଦି କୈାଣସି ରେଳଗାଡ଼ି ପ୍ରତିଘଣ୍ଟାରେ ୪୦ ମାଇଲ ଲେଖାଏଁ ଯାଏ,ତାହାହେଲେ ଛବିଶ ଦିବସ ଏବଂ ଛବିଶ ରାତ୍ରି ଅବିଶ୍ରାନ୍ତଭାବରେ ଚାଳିତ ହେଲେ ଉକ୍ତ ଗାଡ଼ି ପୃଥିବୀକୁ ଥରେ ପ୍ରଦିକ୍ଷଣ କରିପାରିବ । ଏହି ଗଣନା ଅନୁସାରେ ପୃଥିବୀରୁ ସୂର୍ଯ୍ୟମଣ୍ଡଳକୁ ଯିବାକୁ ହେଲେ ଉକ୍ତ ଗାଡ଼ିକୁ ୨୭୦ ବର୍ଷରୁ ଅଧିକ କାଳ ଲାଗିବ ଏବଂ ଉକ୍ତ ଗାଡ଼ିକୁ ସୂର୍ଯ୍ୟବ୍ୟାସର ଏପ ପ୍ରାନ୍ତରୁ ଅପର ପ୍ରାନ୍ତକୁ ଯିବାକୁ ପ୍ରାୟ ତିନିବର୍ଷ ଲାଗିବ । ସୂର୍ଯ୍ୟର ବ୍ୟାସକୁ ପୃଥିବୀର ବ୍ୟାସର ୧୧୦ ଗୁଣ ବୋଲି ସ୍ୱୀକାର କଲେ, ଏହା ମଧ୍ୟ ପରିମିତିଶାସ୍ତ୍ର ଅନୁସାରେ ସ୍ୱୀକାର କରିବାକୁ ହେବ ଯେ ପୃଥିବୀର ଘନଫଳ ଅପେକ୍ଷା ସୂର୍ଯ୍ୟମଣ୍ଡଳର ଘନଫଳ ୧୩,୩୧,୦୦୦ ଗୁଣ ଅଧିକ । ଏହି ଗଣନାଦ୍ୱାରା ସୂର୍ଯ୍ୟମଣ୍ଡଳର ଆୟତନ ଏବଂ ପରିମାଣ କଥଞ୍ଚିତ୍ ହୃଦୟଙ୍ଗମ ହୋଇପାରେ ।
ଜ୍ୟୋତିର୍ବେତ୍ତା ପଣ୍ଡିତମାନେ ସ୍ଥିର କରିଛନ୍ତି ଯେ ପୃଥିବୀର ଆୟତନ ଅପେକ୍ଷା ସୂର୍ଯ୍ୟମଣ୍ଡଳର ଆୟତନ ଯାଦୃଶ ବୃହତ୍; ଭାର ତାଦୃଶ ଅଧିକ ନୁହେଁ । ପୃଥିବୀର ଭାର ଅପେକ୍ଷା ସୂର୍ଯ୍ୟମଣ୍ଡଳର ଭାର ତିନିଲକ୍ଷ ଛତିଶହଜାର ଗୁଣମାତ୍ର ଅଧିକ । କିନ୍ତୁ ପୂର୍ବକଥିତ ଗଣନା ଅନୁସାରେ ତାହାର ଆୟତନ ପୃଥିବୀର ଆୟତନ ଅପେକ୍ଷା ତେରଲକ୍ଷ ଏକତ୍ରିଶହଜାର ଗୁଣ ବୃହତ୍ । ଏଥିରୁ ସହଜରେ ଅନୁମିତ ହେଉଅଛି ଯେ ସୈାରପଦାର୍ଥମାନ ପାର୍ଥିବପଦାର୍ଥର ତୁଳନାରେ ଅପେକ୍ଷାକୃତ ଲଘୁ । ପୃଥିବୀ ଭୂପୃଷ୍ଠସ୍ଥ ପଦାର୍ଥମାନଙ୍କୁ ଯାଦୃଶ ବଳ ସହକାରେ ଆକର୍ଷଣ କରେ, ସୂର୍ଯ୍ୟ ସ୍ୱୀୟ ପୃଷ୍ଠଦେଶସ୍ଥ ବସ୍ତୁମାନଙ୍କୁ ତଦପେକ୍ଷା ତିରିଶ ଗୁଣ ବଳରେ ଆକର୍ଷଣ କରେ ।
ସୂର୍ଯ୍ୟର ତାପ ଏବଂ ଆଲୋକ ବିଷୟରେ ଇଉରୋପୀୟ ପଣ୍ଡିତମାନେ ଗଣନାଦ୍ୱାରା ସ୍ଥିର କରିଅଛନ୍ତି ଯେ ସମସ୍ତ ଗ୍ରହ ଏବଂ ଉପଗ୍ରହମାନେ ସୂର୍ଯ୍ୟମଣ୍ଡଳରୁ ଯେତେ ତାପ ଏବଂ ଆଲୋକ ଗ୍ରହଣ କରନ୍ତ, ତଦପେକ୍ଷା ୨,୨୭,୦୦୦,୦୦୦ ଗୁଣ ଅଧିକ ତେଜ ତାହାର ଦେହରୁ ବିକୀର୍ଣ୍ଣ ହୁଏ । ଅବଶିଷ୍ଟ ତେଜ ଅନନ୍ତ ନାକ୍ଷତ୍ରିକ ଜଗତ୍ ମଧ୍ୟରେ ସଂଚାରିତ ହୁଏ । ଏତଦୃଶ ପ୍ରଚଣ୍ଡ ତାପ ଏବଂ ପ୍ରଖର ଆଲୋକର ପରିମାଣକୁ ହୃଦୟଙ୍ଗମ କରିବା ଅସାଧ୍ୟ ଅଟେ । ଯାହାହେଉ, ଏହା ନିଃସନ୍ଦେହ ଅଟେ ଯେ ସ୍ୱର୍ଣ୍ଣ, ପ୍ଲାଟିନମ୍ ପ୍ରଭୃତି କଠିନ ପାର୍ଥିବପଦର୍ଥମାନ ସୂର୍ଯ୍ୟମଣ୍ଡଳକୁ ନୀତ ହେଲେ ତାହାର ପ୍ରଚଣ୍ଡ ତାପଯୋଗରେ ବାଷ୍ପରୂପରେ ପରିଣତ ହୋଇ ଉଡ଼ିଯିବ ।
ଦୂରବୀକ୍ଷଣ ଯନ୍ତ୍ରର ସାହାଯ୍ୟରେ ଦେଖିଲେ ସୂର୍ଯ୍ୟମଣ୍ଡଳରେ କତିପୟ କୃଷ୍ଣବର୍ଣ୍ଣ ଚିହ୍ନ ଲକ୍ଷିତ ହୁଏ । ଏହି ଭୂମଣ୍ଡଳ ଯେପରି ବାୟୁରାଶିଦ୍ୱାରା ପରିବୃତ, ସୂର୍ଯ୍ୟ ସେହିପରି ଏକ ଜ୍ୟୋତିର୍ମୟ ବାଷ୍ପୀୟ ଆବରଣଦ୍ୱାରା ପରିବୃତ । ଏହି ତେଜୋମୟ ଆବରଣ କୌଣସି କୌଣସି ସମୟରେ ଛିନ୍ନ ହୋଇଗଲେ, ସେହି ଛିଦ୍ରମାନଙ୍କର ଅନ୍ତରାଳରେ କୃଷ୍ଣଚିହ୍ନମାନ ଦେଖାଯାଏ । ଏହି ଚିହ୍ନଗୁଡ଼ିକ ସର୍ବଦା ଏକସ୍ଥାନରେ ଦେଖାଯାଏ ନାହିଁ; ତାହା ସୂର୍ଂଯ୍ୟର ଏକପାଶ୍ୱରୁ ଅପରପାଶ୍ୱକୁ ଗତି କରେ । ଆଜି ଯେଉଁଏକ ସ୍ଥାନରେ ଦେଖିବ, ପଚିଶ ଦିନ ବିଗତ ନ ହେଲେ ସେ ଚିହ୍ନ ସେ ସ୍ଥାନରେ ଦୃଷ୍ଟିଗୋଚର ହେବନାହିଁ । ଏଥିରୁ ଅନୁମତି ହେଉଅଛି ଯେ ପୃଥିବୀ ଯେପରି ନିଜ ମେରୁଦଣ୍ଡ ଉପରେ ଆବର୍ତ୍ତନ କରେ, ସୂର୍ଯ୍ୟ ମଧ୍ୟ ସେହିପରି ଘୂର୍ଣ୍ଣିତ ହେଉଅଛି । ଏହି ଆବର୍ତ୍ତନ ୨୫ ଦିନ ଆଠଘଣ୍ଟାରେ ଏକ ବାର ସମ୍ପାଦିତ ହୁଏ ।
ସୂର୍ଯ୍ୟମଣ୍ଡଳର ଉପାଦାନ ସମ୍ବନ୍ଧରେ ବୈଜ୍ଞାନିକମାନେ ନିରୂପଣ କରିଅଛନ୍ତି ଯେ ଏହି ପୃଥିବୀରେ ଯେଉଁସବୁ ପଦାର୍ଥ ଦୃଷ୍ଟିଗୋଚର ହୁଏ, ସେହି ସବୁ ପଦାର୍ଥର ଯୋଗରେ ସୂର୍ଯ୍ୟର ଶରୀର ଗଠିତ ହୋଇଛି । ସୂର୍ଯ୍ୟ ନିଜେ ତଜୋମୟ ନୁହେଁ; କିନ୍ତୁ ପୂର୍ବୋକ୍ତ ଜ୍ୟୋତିର୍ମୟ ବାଷ୍ପୀୟ ପରିବେଶଦ୍ୱାରା ଆବୃତ ଥଇବାରୁ ତାହା ଏପରି ତେଜୋମୟ ଦିଶେ । ବସ୍ତଯୁତଃ ସୂର୍ଯ୍ୟ ଗୋଟିଏ କୃଷ୍ଣବର୍ଣ୍ଣ ଗୋଲକ ଅଟେ ।
ସୂର୍ଯ୍ୟ ଯେ କେବଳ ସୌରଗଜତ୍ର କେନ୍ଦ୍ର ଏବଂ ଚାଳକ ଅଟେ, ଏମନ୍ତ ନୁହେଁ । ସୂର୍ଯ୍ୟ ସୁମହାନ୍ ନାକ୍ଷତ୍ରିକ ଜଗତ୍ର ଅନ୍ତର୍ଗତ ଅଟେ । ଏହା ନକ୍ଷତ୍ରରୂପେ ଗୋଟିଏ ଅପରିଜ୍ଞେୟ କକ୍ଷରେ ପରିଭ୍ରମଣ କରୁଅଛ । ଏହି ପରିଭ୍ରମଣଦ୍ୱାରା ସୃଷ୍ଟିକର୍ତ୍ତାଙ୍କର କି ଉଦ୍ଦେଶ୍ୟ ସାଧିତ ହେଉଅଛି, ତାହା ଅବଧାରଣ କରିବା ଅସାଧ୍ୟ । ଆମ୍ଭେମାନେ ଏତିକି କହିଁପାରୁ ଯେ ତାହା ନିରର୍ଥକ ନୁହେଁ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ